Unknown

 

 

 

 

 

 

 

ଆଧୁନିକ ଓଡ଼ିଆ ପ୍ରବନ୍ଧ

 

 

ସଂକଳକ

ଅଧ୍ୟାପକ ପଠାଣି ପଟ୍ଟନାୟକ

ଡକ୍ଟର ବିଜୟାନନ୍ଦ ସିଂହ

 

ଅଗ୍ରଲେଖ

 

ଓଡ଼ିଶା ସାହିତ୍ୟ ଏକାଡେମୀର ରଜତ ଜୟନ୍ତୀ (୧୯୮୨) ସମାରୋହକୁ ସ୍ମରଣୀୟ କରି ରଖିବାକୁ ଏକାଡେମୀ ପକ୍ଷରୁ ଓଡ଼ିଆ ସାହିତ୍ୟର କେତେକ ପ୍ରତିନିଧିସ୍ତରୀୟ ପୁସ୍ତକ ସେତେବେଳେ ପ୍ରକାଶ କରାଯାଇଥିଲା । ରଜତ ଜୟନ୍ତୀ ପୁସ୍ତକମାଳା ସିରିଜରେ ଅନ୍ୟାନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକାଶନ ବ୍ୟତୀତ ‘ଶତାବ୍ଦୀର ଶେଷ୍ଠ ଗଳ୍ପ ସଂକଳନ’, ‘ଶତାବ୍ଦୀର ଶ୍ରେଷ୍ଠ କବିତା ସଂକଳନ’ ଓ ‘ଶତାବ୍ଦୀର ଶ୍ରେଷ୍ଠ ପ୍ରବନ୍ଧ ସଂକଳନ’ ପୁସ୍ତକଗୁଡ଼ିକ ପ୍ରକାଶିତ ହୋଇଥିଲା । ଉପରୋକ୍ତ ପୁସ୍ତକଗୁଡ଼ିକ ଏକାଡେମୀର ମର୍ଯ୍ୟାଦାସମ୍ପନ୍ନ ପ୍ରକାଶନ ଭାବରେ ଇତିମଧ୍ୟରେ ଏକାଧିକ ସଂସ୍କରଣରେ ପ୍ରକାଶ ପାଇ ସାରିଛି । ସୁନାମଧନ୍ୟ ପ୍ରାବନ୍ଧିକ ପ୍ରଫେସର ଖଗେଶ୍ୱର ମହାପାତ୍ର ଏହି ପ୍ରବନ୍ଧ ସଂକଳନର ସଂକଳକ ଦାୟିତ୍ୱ ନିରପକ୍ଷ ଭାବରେ ନିର୍ବାହ କରି ସେ ତାଙ୍କର ସାରସ୍ୱତ ସିଦ୍ଧିର ପରିଚୟ ପ୍ରଦାନ କରିଛନ୍ତି । ୧୮୪୩ ମସିହାଠାରୁ ଆରମ୍ଭ କରି ୧୯୩୯ ମସିହା ଛୟାନବେ ବର୍ଷ ମଧ୍ୟରେ ଜନ୍ମିତ ବ୍ୟାସକବି ଫକୀରମୋହନ ସେନାପତିଙ୍କଠାରୁ ଆରମ୍ଭ କରି ଶ୍ରୀ ନିତ୍ୟାନନ୍ଦ ମହାପାତ୍ରଙ୍କ ପର୍ଯ୍ୟନ୍ତ ୫୫ ଜଣ ପ୍ରାବନ୍ଧିକମାନଙ୍କର ସୁନିର୍ବାଚିତ ପ୍ରବନ୍ଧ ଉକ୍ତ ସଂକଳନରେ ସ୍ଥାନିତ ହୋଇଅଛି । ଯେହେତୁ ବିଂଶ ଶତାବ୍ଦୀ ସମାପ୍ତ ହେବାକୁ ସେ ସମୟରେ ଆହୁରି ଅଠର ବର୍ଷ ବାକି ଥିଲା ଏବଂ ଏହି ସମୟ ସୀମା ମଧ୍ୟରେ ଅନେକ ପ୍ରାବନ୍ଧିକ ଉଚ୍ଚକୋଟୀର ପ୍ରବନ୍ଧ ରଚନା କରି ଓଡ଼ିଆ ପ୍ରବନ୍ଧ ସାହିତ୍ୟକୁ ଋଦ୍ଧିମନ୍ତ କରି ପାରିଛନ୍ତି ତେଣୁ ଏକାଡେମୀ ପକ୍ଷରୁ ଆଉ ଏକ ପ୍ରବନ୍ଧ ସଂକଳନର ଆବଶ୍ୟକତା ଯଥେଷ୍ଟ ଭାବରେ ଅନୁଭୂତ ହେଲା । ଓଡ଼ିଆ ଗଳ୍ପ ଓ କବିତା କ୍ଷେତ୍ରରେ ମଧ୍ୟ ଅନୁରୂପ ପନ୍ଥା ଅନୁସରଣ କରାଯାଇ ଉତ୍ତର ଆଧୁନିକ କାଳର ସ୍ରଷ୍ଟାମାନଙ୍କ ସୃଷ୍ଟି ସମୂହକୁ ନେଇ ଏକ ଏକ ଗଳ୍ପ ଓ କବିତା ସଂକଳନ ଏକାଡେମୀ ପକ୍ଷରୁ ଏଥିପୂର୍ବରୁ ପ୍ରକାଶ ପାଇସାରିଲାଣି । ଉକ୍ତ ନୂତନ ସଂସ୍କରଣଗୁଡ଼ିକର ପାଠକୀୟ ଆଦର ପୂର୍ବଭଳି ଅକ୍ଷୁର୍ଣ୍ଣ ରହିଛି ।

 

ତେଣୁ ଆଧୁନିକ ଓଡ଼ିଆ ପ୍ରବନ୍ଧ ନାମରେ ଏକ ନୂତନ ପ୍ରବନ୍ଧ ସଂକଳନ ପ୍ରକାଶ କରିବାକୁ ଗତ କିଛିବର୍ଷ ତଳୁ ଏକାଡେମୀ କର୍ତ୍ତୃପକ୍ଷ ସ୍ଥିର କରିଥିଲେ । ଏହି ଦୁରୂହ ଓ କଷ୍ଟସାଧ୍ୟ କାର୍ଯ୍ୟ ନିମନ୍ତେ ସାମ୍ପ୍ରତିକ କାଳର ଦୁଇଜଣ ପ୍ରବୀଣ ପ୍ରାବନ୍ଧିକ ଅଧ୍ୟାପକ ପଠାଣି ପଟ୍ଟନାୟକ ଓ ଡକ୍ଟର ବିଜୟାନନ୍ଦ ସିଂହଙ୍କୁ ଏକାଡେମୀ ପକ୍ଷରୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ଏକାଡେମୀର ସାଗ୍ରହ ଅନୁରୋଧକୁ ରକ୍ଷା କରି ପ୍ରଫେସର ପଠାଣି ପଟ୍ଟନାୟକ ଓ ଡକ୍ଟର ବିଜୟାନନ୍ଦ ସିଂହ ଏହି ପ୍ରବନ୍ଧ ସଂକଳନର ପ୍ରସ୍ତୁତି ନିମନ୍ତେ ସମ୍ମତ ହୋଇଥିଲେ । ଦୁହେଁ ଅକ୍ଳାନ୍ତ ପରିଶ୍ରମ କରି ସଂଶିତ ପ୍ରବନ୍ଧଗୁଡ଼ିକୁ ବିଭିନ୍ନ ସ୍ରୋତରୁ ସଂଗ୍ରହ କରିଛନ୍ତି । ଖୁବ୍ ସ୍ୱଳ୍ପ ସମୟ ମଧ୍ୟରେ ନିରପକ୍ଷଭାବେ ସେମାନେ ଏହି ଗୁରୁ ଦାୟିତ୍ୱଟିକୁ ସୂଚାରୁରୂପେ ସଂପାଦନ କରିଛନ୍ତି ।

 

ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରତିଷ୍ଠାର ପଚାଶ ବର୍ଷ ପୂର୍ତ୍ତି ସୁବର୍ଣ୍ଣ ଜୟନ୍ତୀ ପାଳନ (୧୯୫୭-୨୦୦୭) ଉପଲକ୍ଷେ ଏହି ପ୍ରବନ୍ଧ ସଂକଳନଟିର ପ୍ରକାଶ ନିମନ୍ତେ ସ୍ଥିର କରାଯାଇଥିଲା-। ମାତ୍ର ବିଭିନ୍ନ କାରଣରୁ ଏହା ସାମାନ୍ୟ ବିଳମ୍ବରେ ଏକାଡେମୀ ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ଉଦ୍‌ଯାପନୀ ପର୍ବରେ ପ୍ରକାଶିତ ହେବାକୁ ଯାଉଅଛି । ପୂର୍ବ ପ୍ରବନ୍ଧ ସଂକଳନର ଏହା ଏକ ଭାଗବୋଲି ବିବେଚନା କରିବାକୁ ପାଠକମାନଙ୍କୁ ଅନୁରୋଧ କରୁଅଛି । କାରଣ ୧୯୧୫ ମସିହାରୁ ୧୯୬୪ ମସିହା ମଧ୍ୟରେ ଜନ୍ମିତ ପ୍ରାବନ୍ଧିକମାନଙ୍କର ଶ୍ରେଷ୍ଠ ସାହିତ୍ୟ କୃତିକୁ ଏଥିରେ ସ୍ଥାନିତ କରିବାକୁ ପ୍ରଚେଷ୍ଟା କରାଯାଇଛି । ପ୍ରଖ୍ୟାତ ପ୍ରାବନ୍ଧିକ ମନମୋହନ ଚୌଧୁରୀଙ୍କଠାରୁ ଆରମ୍ଭ କରି ସାମ୍ପ୍ରତିକ କାଳର ଯୁବ ପ୍ରାବନ୍ଧିକ ଶୈଳେନ୍ଦ୍ର ଦ୍ୱିବେଦୀଙ୍କ ପର୍ଯ୍ୟନ୍ତ ପଚାଶ ଜଣ ପ୍ରାବନ୍ଧିକଙ୍କ ସୁନିର୍ବାଚିତ ପ୍ରବନ୍ଧ ଏଥିରେ ସ୍ଥାନ ପାଇଛି । ଏହି ସମୟ ସୀମା ମଧ୍ୟରେ ଅନ୍ୟ କୌଣସି ପ୍ରାବନ୍ଧିକଙ୍କୁ ପ୍ରବନ୍ଧକୁ ଯଦି ଆମେ ଅନିଚ୍ଛାକୃତ ଭାବରେ ଏଥିରେ ସ୍ଥାନିତ କରିପାରିନାହୁଁ, ସେଥିପାଇଁ ଆପଣ ଉଦାର ଚିତ୍ତରେ ଆମକୁ କ୍ଷମା ପ୍ରଦାନ କରିବେବୋଲି ଆଶା କରୁଛି । ଏହି ସଂକଳନରେ ସ୍ଥାନିତ ହୋଇ ପାରିନଥିବା ଶ୍ରେଷ୍ଠ ପ୍ରବନ୍ଧଗୁଡ଼ିକୁ ଏହାର ଦ୍ୱିତୀୟ ସଂସ୍କରଣରେ ସାମିଲ କରିବାକୁ ଏକାଡେମୀ ପକ୍ଷରୁ ଉଦ୍ୟମ କରାଯିବ ।

 

ପ୍ରାବନ୍ଧିକଙ୍କ ପ୍ରବୀଣତା, ଲେଖାର ଦୁର୍ଲଭତା ଓ ଚୟନଯୋଗ୍ୟ କାରଣରୁ ଏହି ପ୍ରବନ୍ଧ ସଂକଳନଟି ଏକ ସ୍ୱୟଂସମ୍ପନ୍ନ ଗ୍ରନ୍ଥଭାବେ ମାନ୍ୟତା ଲାଭ କରିବବୋଲି ଆଶା କରୁଛୁ । ସେ ଯାହା ହେଉ, ପୂର୍ବ ସଂକଳନ ସାଙ୍ଗକୁ ଏହି ନୂତନ ସଂକଳନକୁ ମିଶାଇଲେ ଏହା ‘ଶତାବ୍ଦୀର ଶ୍ରେଷ୍ଠ ପ୍ରବନ୍ଧ ସଂକଳନ' ଭାବରେ ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ହେବ, ଏଥିରେ ସନ୍ଦେହ ନାହିଁ ।

 

ଓଡ଼ିଶା ସାହିତ୍ୟ ଏକାଡେମୀର ଅନ୍ୟାନ୍ୟ ପ୍ରକାଶନଗୁଡ଼ିକ ଭଳି ଏହି ଓଡ଼ିଆ ପ୍ରବନ୍ଧ ସଂକଳନଟି ଛାତ୍ର, ଅଧ୍ୟାପକ, ଗବେଷକ ଓ ପାଠକ/ପାଠିକାମାନଙ୍କଦ୍ୱାରା ସମାଦର ଲାଭ କଲେ ଏକାଡେମୀର ଶ୍ରମ ଲାଘବ ହେବ ।

 

ଭୁବନେଶ୍ୱର

ଡକ୍ଟର ହରପ୍ରସାଦ ପରିଛା ପଟନାୟକ

ତା ୨୦.୦୪.୦୯

ସଚିବ

•••

 

ଓଡ଼ିଆ ପ୍ରବନ୍ଧ ସାହିତ୍ୟର ପ୍ରବୃତ୍ତି ଓ ପରିଭାଷା

 

ସାହିତ୍ୟର ଇତିହାସରେ ଗଦ୍ୟର ଅଭ୍ୟୁଦୟପାଇଁ ଅନେକକାଳ ଅପେକ୍ଷା କରିବାକୁ ହୋଇଥିଲା । କାରଣ ପ୍ରଥମକାଳର ସାହିତ୍ୟ ଥିଲା ପଦ୍ୟମୟ । ସେ ଯୁଗରେ ଭାବପ୍ରବଣତା ଓ କଳ୍ପନାବିଳାସିତା ବ୍ୟକ୍ତି ତଥା ସାମାଜିକ ଜୀବନରେ ଅଧିକ ପ୍ରାଧାନ୍ୟ ବିସ୍ତାର କରିଥିଲା । ଭାବାବେଗ ଓ ସ୍ୱପ୍ନପ୍ରବଣ ଚିନ୍ତାଧାରାର ରୂପାୟନପାଇଁ ପଦ୍ୟ ହେଉଛି ଅତ୍ୟନ୍ତ ସ୍ୱାଭାବିକ ମାଧ୍ୟମ-। ତେଣୁ ପ୍ରାଚୀନ କାଳର ସାହିତ୍ୟ ପଦ୍ୟାତ୍ମିକା ହେବା ସ୍ୱାଭାବିକ । ମାତ୍ର ବିଜ୍ଞାନର ଜୟଯାତ୍ରା ସହିତ ସମାଜ ଜୀବନରେ ଏ ପ୍ରକାର ପ୍ରବଣତା ସଙ୍କୁଚିତ ହୋଇଯାଉଅଛି । ସେଠାରେ ପ୍ରାଧାନ୍ୟ ଲାଭ କରିଛି ବସ୍ତୁବାଦୀ ଚିନ୍ତାଧାରା । ଅତଏବ ନଗ୍ନ ବାସ୍ତବ ଓ ସମସ୍ୟାସଙ୍କୁଳ, ସଂଘର୍ଷ- ବିଜଡ଼ିତ ଜୀବନର ରୂପାୟନପାଇଁ ସାହିତ୍ୟର ଗଦ୍ୟରୂପ ଅଧିକ ସ୍ୱାଭାବିକ ଓ ପ୍ରଭାବଶାଳୀ ମନେ ହୋଇଥାଏ । ପଦ୍ୟ ହେଉଛି ହୃଦୟର ଉତ୍କୃଷ୍ଟ ଉଚ୍ଛ୍ୱାସ । ଗଦ୍ୟର ନିବିଡ଼ ସମ୍ପର୍କ ମସ୍ତିଷ୍କ ସହିତ । କୁହାଯାଇଛି- ‘Poetry reveals heart, prose reveals personality.’ର ସମାଜର ବ୍ୟକ୍ତିତ୍ୱ ପ୍ରକଟିତ ହୁଏ ଗଦ୍ୟସାହିତ୍ୟ ମାଧ୍ୟମରେ । ଏ ଯାନ୍ତ୍ରିକ ଯୁଗରେ ମଣିଷ ଅଧିକ ପରିମାଣରେ ଆତ୍ମସଚେତନ ଏବଂ ବ୍ୟକ୍ତିତ୍ୱବାଦୀ । ମାନବର ଏହି ବ୍ୟକ୍ତିତ୍ୱ-ପ୍ରବଣ ଆଭିମୁଖ୍ୟର ସାର୍ଥକ ପ୍ରକାଶପାଇଁ ଗଦ୍ୟଶୈଳୀ ଅତ୍ୟନ୍ତ ଉପଯୋଗୀ । ଆଧୁନିକ ଅର୍ଥରେ ଗଦ୍ୟସାହିତ୍ୟର ଜନ୍ମ ହୁଏ ମୁଦ୍ରାଯନ୍ତ୍ରର ଅଭ୍ୟୁଦୟ ପରେ । ତେଣୁ ପୁରାଣ ଓ କାବ୍ୟଯୁଗ ଓଡ଼ିଆ ସାହିତ୍ୟରେ କେତେକ ଗଦ୍ୟଲେଖାର ପରିଚୟ ମିଳୁଥିଲେ ହେଁ ପ୍ରକୃଷ୍ଟ ଓଡ଼ିଆ ଗଦ୍ୟ ସାହିତ୍ୟ ଜନ୍ମଗ୍ରହଣ କରେ ଊନବିଂଶ ଶତାବ୍ଦୀରେ ମୁଦ୍ରାଯନ୍ତ୍ର ପ୍ରତିଷ୍ଠା ଓ ସାମୟିକ ପତ୍ରର ପ୍ରକାଶ ମାଧ୍ୟମରେ ।

•••

 

ଗଦ୍ୟ ସାହିତ୍ୟର ପ୍ରକୃଷ୍ଟ ରୂପବିଭବ – ପ୍ରବନ୍ଧ

 

ଉପନ୍ୟାସ, ଗଳ୍ପ, ସମ୍ବାଦ ସାହିତ୍ୟ ପ୍ରଭୃତି ଗଦ୍ୟ ସାହିତ୍ୟର ଅନ୍ତର୍ଗତ ହେଲେ ହେଁ ପ୍ରବନ୍ଧର ପ୍ରକୃଷ୍ଟ ଓ ସାର୍ଥକ ରୂପାୟନ ହିଁ ଜାତିର ଉଚ୍ଚାଙ୍ଗ ଚିନ୍ତା ଓ ବ୍ୟକ୍ତିତ୍ୱକୁ ପ୍ରକାଶ କରିଥାଏ । ବୌଦ୍ଧିକତାର ଉନ୍ମେଷ ଓ ପ୍ରସାରଣ ପ୍ରବନ୍ଧ ମାଧ୍ୟମରେ ଅଧିକ ପ୍ରାଣବନ୍ତ ହୋଇଥାଏ ।

 

ସମ୍ବାଦପତ୍ର ଓ ସାମୟିକ ପତ୍ରିକା ହେଉଛି ପ୍ରବନ୍ଧ ସାହିତ୍ୟର ଏନ୍ତୁଡ଼ିଶାଳ । ପ୍ରାଥମିକ ସ୍ତରରେ ପ୍ରବନ୍ଧ ଅଥବା ‘ଏସେ’ ସମ୍ପର୍କରେ ଆଲୋଚକମାନଙ୍କର ଉନ୍ନତ ଧାରଣା ନଥିଲା । ଇଂରାଜୀ ସାହିତ୍ୟର ପ୍ରସିଦ୍ଧ ଲେଖକ ଜନସନ୍ ‘ଏସେ’ ସମ୍ପର୍କରେ ମନ୍ତବ୍ୟ ପ୍ରଦାନ କରିଥିଲେ- ‘ହୁଗୁଳା ମନର ଅଭିବ୍ୟକ୍ତି’ । ‘ମୁରି’ଙ୍କ ଅଭିଧାନ କହିଲେ- ‘ପୂର୍ଣ୍ଣତାର ଅଭାବ’ । ପ୍ରଥମକାଳର ଏହି ଆଲୋଚକମାନେ ଅତ୍ୟନ୍ତ ଲଘୁ ମନ୍ତବ୍ୟ ପ୍ରଦାନ କରିଥିବା ଜଣାଯାଏ । ସେମାନେ ବିଶ୍ୱାସ କରୁଥିଲେ ଯେ ପ୍ରବନ୍ଧ ରଚନାରେ କୌଣସି ଗୁରୁତ୍ୱପୂର୍ଣ୍ଣ ଅଥବା ଗଭୀର ଭାବନାର ଅଭିବ୍ୟକ୍ତି ସମ୍ଭବ ନୁହେଁ ।

 

ଅବଶ୍ୟ ପରବର୍ତ୍ତୀ କାଳରେ ପ୍ରସିଦ୍ଧ ଲେଖକ ବେକନ୍‌, ହିଉମ୍‌, ମାକଲେ, କାର୍ଲାଇଲ ପ୍ରଭୃତି ଏପରି ଲଘୁ ମନ୍ତବ୍ୟ ସହିତ ଏକମତ ହୋଇପାରି ନାହାନ୍ତି । ଇଂରେଜୀ ‘ଏସେ’ ଶବ୍ଦଟି ପ୍ରବନ୍ଧ, ନିବନ୍ଧ, ସନ୍ଦର୍ଭ ରୂପରେ ନାମିତ ହୋଇଥାଏ ଆମ ଭାରତୀୟ ଭାଷାରେ ।

 

ହିନ୍ଦୀ ସାହିତ୍ୟର ପ୍ରସିଦ୍ଧ ଲେଖକ ଆଚାର୍ଯ୍ୟ ଶୁକ୍ଳ ନିବନ୍ଧ ସମ୍ପର୍କରେ କହିଛନ୍ତି- ‘ଯଦି ପଦ୍ୟ କବିୟୋଁ ୟା ଲେଖକୋଁ କୀ କସୌଟୀ ହୈ, ତୋ ନିବନ୍ଧ ଗଦ୍ୟକୀ କସୌଟୀ ହୈ । ଭାଷାକୀ ପୂର୍ଣ୍ଣ ଶକ୍ତି କା ବିକାଶ ନିବନ୍ଧଁ ମେଁ ହି ସବ୍‌ସେ ଅଧିକ୍ ସମ୍ଭବ ହୋତା ହୈ ।’ ଏଥିରୁ ପ୍ରତିପନ୍ନ ହେଉଛି ଯେ ଗଦ୍ୟର ପୂର୍ଣ୍ଣ ବିକଶିତ ଓ ଶକ୍ତିଶାଳୀ ରୂପ ନିବନ୍ଧ ମାଧ୍ୟମରେ ହିଁ ଆତ୍ମପ୍ରକାଶ କରିଥାଏ । ଭାଷାର ପ୍ରକୃଷ୍ଟ ବନ୍ଧନ କେବଳ ନୁହେଁ, ବିଷୟବସ୍ତୁ ଓ ଭାବନାର ବଳିଷ୍ଠ ବିଚାର କେବଳ ନିବନ୍ଧ ଜରିଆରେ ପ୍ରକାଶିତ ହୋଇଥାଏ । ସେଥିପାଇଁ ଆଧୁନିକ ଯୁଗରେ ନିବନ୍ଧ ସାହିତ୍ୟର ଆଦର ଓ ସାହିତ୍ୟିକ ମର୍ଯ୍ୟାଦା ଅଧିକବୋଲି ସ୍ୱୀକୃତି ଲାଭ କରେ । ନିବନ୍ଧ ଅଥବା ପ୍ରବନ୍ଧ ମୁଖ୍ୟତଃ ବ୍ୟକ୍ତିନିଷ୍ଠ ଭାବନାର ଅଭିବ୍ୟକ୍ତି । କେବଳ ପାଣ୍ଡିତ୍ୟ ପ୍ରଦର୍ଶନ ବା ଜ୍ଞାନର ଅହଂ ପ୍ରକଟନ ପ୍ରବନ୍ଧର ଆଭିମୁଖ୍ୟ ନୁହେଁ । ଭାବୁକତା, ଅଭିଜ୍ଞତା ଏବଂ ଅନୁଶୀଳନର ବିଚିତ୍ରତା ମଧ୍ୟରେ ଲେଖକର ସ୍ୱକୀୟ ଛାପ ରଖିବାପାଇଁ ନିବନ୍ଧର ଯୋଜନା ।

 

ଶ୍ରୀଶଚନ୍ଦ୍ର ଦାଶ ବଙ୍ଗସାହିତ୍ୟର ପ୍ରସିଦ୍ଧ ସମାଲୋଚକ ‘ସାହିତ୍ୟ-ସଂଦର୍ଶନ’ ପୁସ୍ତକରେ ‘ପ୍ରବନ୍ଧ' ସମ୍ପର୍କରେ କେତୋଟି ଚମତ୍କାର କଥାର ଉଲ୍ଲେଖ କରିଛନ୍ତି । ତାଙ୍କ ମତରେ ‘ସାଧାରଣତଃ କଳ୍ପନା ଓ ଯୁକ୍ତି-ବୃତ୍ତିକେ ଆଶ୍ରୟ କରିୟା ଲେଖକ କୋନ ବିଷୟବସ୍ତୁ ସମ୍ପର୍କେ ଯେ ଆତ୍ମସଚ୍ଚେତନ ନାତିଦୀର୍ଘ ସାହିତ୍ୟ ରୂପ ସୃଷ୍ଟି କରେନ, ତାହାକେଇ ପ୍ରବନ୍ଧ ବୋଲାହୟ । ଢ ଢ ଢ ସାହିତ୍ୟେର ଯାହା ଚିରନ୍ତନ ଉଦ୍ଦେଶ୍ୟ- ସୌନ୍ଦର୍ଯ୍ୟ ସୃଷ୍ଟି ଓ ଆନନ୍ଦ ଦାନ, ତାହାଇ ପ୍ରବନ୍ଧେର ଉଦ୍ଦେଶ୍ୟ, ଏହା ବଲାଇ ବାହୁଲ୍ୟ ।’

 

ପ୍ରବନ୍ଧକୁ ସାଧାରଣତଃ ଦୁଇଟି ବିଭାଗରେ ବିଭକ୍ତ କରାଯାଇଥାଏ । (୧) ବସ୍ତୁନିଷ୍ଠ (୨) ବ୍ୟକ୍ତିନିଷ୍ଠ । ବସ୍ତୁନିଷ୍ଠ ପ୍ରବନ୍ଧର ଆବେଦନ ବୌଦ୍ଧିକ । ବ୍ୟକ୍ତିନିଷ୍ଠ ପ୍ରବନ୍ଧ କଳ୍ପନାଶ୍ରୟୀ । ଶ୍ରୀଶଚନ୍ଦ୍ର ଦାଶ ଏହି ଦୁଇଟିର ବ୍ୟାଖ୍ୟା ନିମ୍ନମତେ କରିଅଛନ୍ତି- ‘ବସ୍ତୁନିଷ୍ଠ ପ୍ରବନ୍ଧ ଆମାଦେର ବୁଦ୍ଧିକେ ତୀକ୍ଷ୍ଣତମ୍‌, ଦୃଷ୍ଟିତେ ସମୁଜ୍ଜ୍ୱଳ ଓ ଜ୍ଞାନେର ପରିଧିକେ ପ୍ରଶସ୍ତ କରିୟା ତୋଳେ ଓ ମନ୍ମୟ ବା ବ୍ୟକ୍ତିଗତ ପ୍ରବନ୍ଧ ଜ୍ଞାନେର ବିଷୟକେ ହାସ୍ୟରସମଣ୍ଡିତ ପୁଷ୍ପପେଲ୍ଲବତା ଦାନ କରିୟା ଆମାଦିଗକେ ମୁଗ୍ଧ କରେ ।’

 

ବସ୍ତୁନିଷ୍ଠ ପ୍ରବନ୍ଧରେ ଲେଖକର ବୌଦ୍ଧିକତା, ଚିନ୍ତାଶୀଳତା ପ୍ରାଧାନ୍ୟ ଲାଭ କରେ । ମାତ୍ର ବ୍ୟକ୍ତିଗତ ପ୍ରବନ୍ଧ ଲେଖକର ଅନୁଭୂତିରେ ରସାଣିତ । ସେଥିପାଇଁ ଆଲୋଚକଗଣ ବ୍ୟକ୍ତିଗତ ପ୍ରବନ୍ଧକୁ ‘ଗୀତିଧର୍ମୀ' ଗଦ୍ୟ ରଚନା ବା Lyric in Prose ବୋଲି ଅଭିମତ ପ୍ରଦାନ କରିଥାଆନ୍ତି । ତେବେ ପ୍ରବନ୍ଧ ଶୀର୍ଷକରେ ଆଉ କେତେକ ବିଭାଗକୁ ମଧ୍ୟ ଗ୍ରହଣ କରାଯାଇପାରେ-। ଏହି ଶୀର୍ଷକରେ ପୁସ୍ତକ ସମାଲୋଚନା, ସଂପାଦକୀୟ, ବିଜ୍ଞାନଭିତ୍ତିକ, ଐତିହାସିକ ଅଥବା ସମୀକ୍ଷାତ୍ମକ ରଚନାବଳୀ ଆଦୃତ ।

 

ଊନବିଂଶ ଶତାବ୍ଦୀର ନବଜାଗରଣ, ଓଡ଼ିଶାରେ ପଦାର୍ପଣ କରେ ମୁଦ୍ରଣଯନ୍ତ୍ର ପୁସ୍ତକ ପ୍ରକାଶକ ଓ ସାମୟିକ ପତ୍ରିକାର ପ୍ରଚାର ମାଧ୍ୟମରେ । ପ୍ରଥମକାଳରେ ଇଂରେଜୀ ଶିକ୍ଷାର ବିସ୍ତାରପାଇଁ ପାଠ୍ୟପୁସ୍ତକର ଯୁଗ ଆରମ୍ଭ ହୁଏ । ମାତ୍ର ପାଠ୍ୟପୁସ୍ତକ ଉଦ୍ଦେଶ୍ୟରେ ଲିଖିତ ପ୍ରବନ୍ଧଗୁଡ଼ିକର ମାନ-ନିର୍ଦ୍ଧାରଣ ସନ୍ତୋଷଜନକ ନ ଥିଲା । ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ଥିଲା ପତ୍ରପତ୍ରିକାର ଯୁଗ । ଏହି ସମୟରେ କେତୋଟି ସ୍ମରଣୀୟ ପତ୍ରିକା ହେଲେ (୧) ଉତ୍କଳ ଦୀପିକା-୧୮୬୬, (୨) ସମ୍ବାଦ ବାହିକା- ୧୮୬୮, (୩) ଉତ୍କଳ ଦର୍ପଣ- ୧୮୭୩ (ପ୍ରଥମ ସାହିତ୍ୟ ପତ୍ରିକା), (୪) ଉତ୍କଳ ହିତୈଷିଣୀ-୧୮୭୩, (୫) ନବସମ୍ବାଦ-୧୮୮୭, (୬) ଓଡ଼ିଆ ଓ ନବ ସମ୍ବାଦ- ୧୮୮୮, (୭) ସମ୍ବଲପୁର ହିତୈଷିଣୀ-୧୮୮୯, (୮) ଉତ୍କଳପ୍ରଭା-୧୮୯୧ (ସାହିତ୍ୟ ପତ୍ରିକା), (୯) ଉତ୍କଳ ସାହିତ୍ୟ- ୧୮୯୭ (ସାହିତ୍ୟପତ୍ରିକା) (୧୦) ଆଲୋଚନା- ୧୯୦୦ (ସାହିତ୍ୟ ପତ୍ରିକା) ।

 

ମୁଷ୍ଟିମେୟ ସାହିତ୍ୟ ପତ୍ରିକାକୁ ବାଦ୍ ଦେଲେ ଅଧିକାଂଶ ସାମୟିକ ପତ୍ରିକାର ପ୍ରକାଶିତ ଲେଖା ଥିଲା ପ୍ରାୟତଃ ସମ୍ବାଦଧର୍ମୀ । ଏଥିରେ ପ୍ରବନ୍ଧ ମାଧ୍ୟମରେ ଓଡ଼ିଆ ଭାଷା ଓ ସାହିତ୍ୟର ସାଧାରଣ ପରିସ୍ଥିତି ଆଲୋଚନା କରାଯାଉଥିଲା । ପାଠ୍ୟପୁସ୍ତକ ଓ ସମକାଳୀନ ପ୍ରକାଶିତ ସାହିତ୍ୟ ପୁସ୍ତକର ସମୀକ୍ଷା ଏବଂ ଓଡ଼ିଆ ସାହିତ୍ୟର ଇତିହାସ ସମ୍ପର୍କରେ କିଞ୍ଚିତ ସୂଚନା ପ୍ରଦତ୍ତ ହେଉଥିଲା-। ମୋଟ ଉପରେ ବଳିଷ୍ଠ ସନ୍ଦର୍ଭ ରଚନାର ପରମ୍ପରା ସୃଷ୍ଟି ହୋଇ ନ ଥିଲା । ସମ୍ବାଦଧର୍ମୀ ଲେଖାର ପ୍ରଧାନ ଆଭିମୁଖ୍ୟ ସମାଜଚୈତନ୍ୟ । ସମାଜଚେତନା ଅତ୍ୟନ୍ତ ଅଳ୍ପକାଳସ୍ଥାୟୀ । ମାତ୍ର ପ୍ରକୃଷ୍ଟ ସାହିତ୍ୟର ପ୍ରଧାନ ଲକ୍ଷଣ ଜୀବନଚୈତନ୍ୟ । ଜୀବନଚେତନା ଆନନ୍ଦ ପ୍ରଦାନ କରେ, ଚିରନ୍ତନ ଆବେଗ ସୃଷ୍ଟି କରିଥାଏ । ପ୍ରବନ୍ଧ ଲେଖକର ଯୋଗ୍ୟତା ବିଷୟରେ କୁହାଯାଇଛି- ସେ ବହୁପାଠୀ ବ୍ୟକ୍ତିତ୍ୱ ହେବେ, ସୂକ୍ଷ୍ମ ନିରୀକ୍ଷଣ ଓ ପର୍ଯ୍ୟାଲୋଚନା କରିପାରୁଥିବେ, ଜୀବନର ବିଶଦ ଅନୁଭୂତି ହାସଲ କରିଥିବେ । ତାଙ୍କର ଲେଖା ତଥ୍ୟପୂର୍ଣ୍ଣ ହେଲେ ହେଁ ଅତ୍ୟନ୍ତ ପ୍ରେରଣାଗର୍ଭିତ ଓ ରସୋତ୍ତୀର୍ଣ୍ଣ ହେବା ବିଧେୟ । ସେଥିପାଇଁ କୁହାଯାଇଥାଏ- ପ୍ରବନ୍ଧ ଲେଖକ ସାମଜର ‘କନସାଇନ୍ସ କିପର’ ।

•••

 

ପ୍ରବନ୍ଧ ରଚନାର ପ୍ରକାରଭେଦ ପାଶ୍ଚାତ୍ୟ ସାହିତ୍ୟରେ

 

ଯୋସେଫ୍‌. ଟି. ସିପ୍‌ଲେଙ୍କ ସମ୍ପାଦିତ Dictionary of World Literture ପୁସ୍ତକରେ ପ୍ରବନ୍ଧ ସାହିତ୍ୟର ଆଠ ପ୍ରକାର ଶ୍ରେଣୀ ବିଭାଗ କରାଯାଇଛି । (୧) ସାଧାରଣ ରଚନା, (୨) ଜୀବନୀ ମୂଳକ ରଚନା, (୩) ସମ୍ପାଦକୀୟ, (୪) ପୁସ୍ତକ ସମାଲୋଚନା, (୫) ଚରିତ୍ରମୂଳକ ରଚନା, (୬) ଭାବନାଧର୍ମୀ ରଚନା, (୭) ବ୍ୟକ୍ତିଗତ ରଚନା, (୮) ନିର୍ଦ୍ଦିଷ୍ଟ ବିଷୟକ ରଚନା । ସେହିପରି ହେନେରୀ କୁକ୍ ହଲଓୟେ ତାଙ୍କ ସମ୍ପାଦିତ, ‘‘The world's essential knowledge’’ର ଚତୁର୍ଥଖଣ୍ଡରେ ପ୍ରବନ୍ଧକୁ ଦଶଟି ଭାଗରେ ବିଭକ୍ତ କରିଛନ୍ତି । ତାହା ହେଲା- (୧) ଦାର୍ଶନିକ ରଚନା, (୨)ରାଜନୈତିକ ରଚନା , (୩) ଘରୋଇ ରଚନା, (୪) ଚରିତ୍ରମୂଳକ ରଚନା, (୫) ସାମୟିକ ଲେଖା, (୬) ବ୍ୟକ୍ତିଗତ ଲେଖା, (୭) ଚିନ୍ତାତ୍ମକ ଲେଖା, (୮) ବ୍ୟଙ୍ଗାତ୍ମକ ରଚନା, (୯) ଦ୍ୱନ୍ଦ୍ୱାତ୍ମକ ରଚନା, (୧୦) ସମାଲୋଚନାମୂଳକ ରଚନା ।

 

ମୋଟ ଉପରେ ପ୍ରବନ୍ଧ ସାମାଜିକ, ରାଜନୈତିକ, ବିବରଣାତ୍ମକ, ଚିନ୍ତାମୂଳକ, ବର୍ଣ୍ଣନାତ୍ମକ ଅଥବା ଭାବପ୍ରବଣାତ୍ମକ ଅଥବା ବିଶ୍ଳେଷଣାତ୍ମକ ହୋଇପାରେ । ଆଲୋଚନାର ସୁବିଧାପାଇଁ ଏହାକୁ ସ୍ଥୂଳତଃ ଦୁଇଭାଗରେ ବିଭକ୍ତ କରିବା ସମୀଚୀନ ହୋଇଛି । ଯଥା- (୧) ବସ୍ତୁନିଷ୍ଠ ପ୍ରବନ୍ଧ, (୨) ବ୍ୟକ୍ତିନିଷ୍ଠ ପ୍ରବନ୍ଧ ।

 

ଅଧିକାଂଶ ପ୍ରବନ୍ଧ ସାଧାରଣତଃ ବସ୍ତୁନିଷ୍ଠ । ତହିଁରେ ଆଲୋଚକର ବହୁପାଠିତା, ପାଣ୍ଡିତ୍ୟ ଓ ଅନୁଶୀଳନ ଦକ୍ଷତା ପରିଦୃଷ୍ଟ ହୁଏ । ଏହି ଶ୍ରେଣୀର ରଚନା ପାଠକର ପ୍ରାଣରେ ଆଲୋଡ଼ନ ସୃଷ୍ଟି କରିପାରେ । ବ୍ୟକ୍ତିନିଷ୍ଠ ରଚନାଗୁଡ଼ିକ ସାଧାରଣତଃ ଭାବାବେଗ ସୃଷ୍ଟି ସମନ୍ୱିତ । ହୃଦୟକୁ ସ୍ପର୍ଶ କରୁଥିବାରୁ ଏହିଭଳି ରଚନାକୁ ହୃଦୟପ୍ରଧାନ ରଚନାବୋଲି ନାମିତ କରାଯାଏ । ଲେଖକର ପାଣ୍ଡିତ୍ୟ ଅପେକ୍ଷା ଉଚ୍ଚକୋଟିର ଭାବନା ଏହି ଶ୍ରେଣୀର ରଚନାରେ ଉତ୍ତରଳ ଭାବରେ ପ୍ରବାହିତ ହେଉଥାଏ ।

 

ପ୍ରବନ୍ଧ ସାହିତ୍ୟର ଏହି ମାନଦଣ୍ଡରେ ଏକ ଶୃଙ୍ଖଳିତ ବିଶ୍ଳେଷଣ ଆବଶ୍ୟକ । ଆଲୋଚନାର ସଙ୍ଗତିପାଇଁ ଏହାକୁ (୧) ଉନ୍ମେଷ ,(୨) ବିକାଶ ଓ ପରମ୍ପରା, (୩) ପ୍ରଭାବ ଓ ପ୍ରତିଷ୍ଠା, (୪) ସମୀକ୍ଷା ଓ ସମାଲୋଚନା ଏହିପରି ଚାରିଭାଗରେ ବିଭକ୍ତ କରାଯାଇପାରେ ।

 

ପ୍ରଥମ କାଳରେ ଇଂରେଜ ମିସନାରୀମାନେ ଧର୍ମପୁସ୍ତକ ଓ ପାଠ୍ୟପୁସ୍ତକରେ ଯେଉଁ ଗଦ୍ୟ ଲେଖାର ପ୍ରଚଳନ କଲେ, ତାହା ଥିଲା ଅତ୍ୟନ୍ତ ଅଶୁଦ୍ଧ ଓ ବଙ୍ଗଭାଷା ପ୍ରଭାବିତ । ଅଧିକାଂଶ ଲେଖା ବଙ୍ଗଳାରୁ ଅନୂଦିତ ହେଉଥିଲା । ପରବର୍ତ୍ତୀ ଅଧ୍ୟାୟ ହେଲା ସାମୟିକ ଓ ସାହିତ୍ୟ ପତ୍ରିକାର ରଚନାବଳୀ । ଏହି ପତ୍ରିକାଗୁଡ଼ିକରେ ପ୍ରାୟତଃ ସମ୍ବାଦଧର୍ମୀ ଲେଖା ଅଧିକ ପ୍ରଚାରିତ ହେଉଥିଲା । ତେବେ ସଂସ୍କାରମୂଳକ ଲେଖା, ପୁସ୍ତକ ସମୀକ୍ଷା, ଅଥବା କିଛି ସାହିତ୍ୟବିଷୟକ କିମ୍ବା ସମସ୍ୟାମୂଳକ ପ୍ରବନ୍ଧାବଳୀ ପ୍ରସାର ଲାଭ କଲା । ‘ଉତ୍କଳ ଦର୍ପଣ’, ‘ଓଡ଼ିଆ ଓ ନବ ସମ୍ବାଦ’ ପତ୍ରିକା ଦ୍ୱୟ ପ୍ରବନ୍ଧ ଲେଖାର ପ୍ରସାରପାଇଁ ଯେଉଁ ଉଦ୍ୟମ ଜାରି ରଖିଥିଲେ, ତାହାକୁ ଅଧିକ ସାଫଲ୍ୟମଣ୍ଡିତ କରିଥିଲେ ‘ଉତ୍କଳ ପ୍ରଭା’ ଓ ‘ଉତ୍କଳ ସାହିତ୍ୟ’ ପରି ଅଭିଜାତ ସାହିତ୍ୟ ପତ୍ରିକା । ଏହି ପତ୍ରିକାଦ୍ୱୟ ମୁଖ୍ୟତଃ ସାହିତ୍ୟ ସୃଷ୍ଟି ଓ ପ୍ରଚାରପାଇଁ ଉଦ୍ଦିଷ୍ଟ ଥିଲା । ତେଣୁ ଏହି ପତ୍ରିକା ଦ୍ୱୟରେ ପ୍ରାଥମିକ ସ୍ତରରେ ପ୍ରବନ୍ଧ ସାହିତ୍ୟର ସୁମହତ୍ ପରିଚୟ ଦେଖିବାକୁ ମିଳିଥାଏ । ଯେଉଁ ମୁଷ୍ଟିମେୟ ଲେଖକ ଊନବିଂଶ ଶତାବ୍ଦୀର ଶେଷଭାଗରେ ଓଡ଼ିଆ ପ୍ରବନ୍ଧ ରଚନାରେ ବ୍ରତୀ ହୋଇଥିଲେ, ସେମାନଙ୍କ ମଧ୍ୟରେ ରାଧାନାଥ ରାୟ, ଜଗନ୍ମୋହନ ଲାଲା, ଶିବନାରାୟଣ ନାୟକ, ବିଶ୍ୱନାଥ କର, ଲାଲା ରାମନାରାୟଣ, ଗଣପତି ଦାସ, ଚନ୍ଦ୍ରମୋହନ ମହାରଣା, ମଧୁସୂଦନ ରାଓ, ସାଧୁଚରଣ ରାୟ, କୃଷ୍ଣପ୍ରସାଦ ଚୌଧୁରୀ, ଶ୍ୟାମସୁନ୍ଦର ନନ୍ଦ ପ୍ରଭୃତି ବିଶେଷ ଉଲ୍ଲେଖଯୋଗ୍ୟ ।

 

ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ କ୍ରମଶଃ ପାଶ୍ଚାତ୍ୟଶିକ୍ଷାର ପ୍ରସାର ହେବାରୁ ନୂତନ ଶିକ୍ଷିତ ଗୋଷ୍ଠୀ ବିଭିନ୍ନ ଅନୁଷ୍ଠାନ ପ୍ରତିଷ୍ଠା କରି ଦେଶ ବିଷୟରେ ଆଲୋଚନା ସହିତ ପ୍ରବନ୍ଧପାଠ ମଧ୍ୟ କରୁଥିଲେ । ସେହିପରି କେତେଗୋଟି ଆଲୋଚନା ସଭାର ପରିଚୟ ଏହିପରି-

 

୧.

ଉତ୍କଳ ଭାଷାଦ୍ଦିପନୀ ସଭା- ୧୮୬୭

୨.

ଉତ୍କଳ ଉଲ୍ଲାସିନୀ ସଭା- ୧୮୬୯

୩.

କଟକ ଡିବେଟିଙ୍ଗକ୍ଳବ- ୧୮୬୯

୪.

କଟକ ମ୍ୟୁଚୁଆଲ ଇମ୍ପ୍ରୁଭମେଣ୍ଟ ଟ୍ରଷ୍ଟ୍‌

୫.

ସୁହୃଦ ସମାଜ- ୧୮୭୨

୬.

ଉତ୍କଳ ଉଦ୍ଦିପନୀ ସଭା- ୧୮୭୪

୭.

ଉତ୍କଳ ସଭା- ୧୮୭୮

୮.

ଶିକ୍ଷା ବିଧାୟିନୀ ସଭା- ୧୮୮୦

୯.

ଉତ୍କଳ ସାହିତ୍ୟ ସମ୍ମିଳନୀ- ୧୮୮୬

୧୦.

ଆଲୋଚନା ସଭା- ୧୮୯୩

୧୧.

କଟକ ଉତ୍କଳ ଯୁବକ ସମିତି

୧୨.

ଉତ୍କଳ ସାହିତ୍ୟ ସମାଜ- ୧୯୦୩

 

ଏତଦ୍‌ବ୍ୟତୀତ କଟକ ବାହାରେ ବାଲେଶ୍ୱରର ଉତ୍କଳ ଭାଷା ଉନ୍ନତି ବିଧାୟିନୀ ସଭା-୧୮୬୬, ପାରଳାଖେମୁଣ୍ଡିରେ ଉତ୍କଳ ହିତୈଷିଣୀ ସଭା, ଖଡ଼ିଆଳ ସାହିତ୍ୟ ସମିତି- ୧୮୮୩, ପ୍ରଭୃତି ଅନୁଷ୍ଠାନରେ ସାହିତ୍ୟ ଆଲୋଚନା ଅବସରରେ ପ୍ରବନ୍ଧ ପାଠ କରାଯାଉଥିଲା । ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଉତ୍କଳ ସାହିତ୍ୟ ସମାଜର ସାହିତ୍ୟ ଆସରରେ ଧାରାବାହିକ ଭାବରେ ପ୍ରବନ୍ଧ ପାଠ କରୁଥିଲେ ତତ୍‌କାଳୀନ କୃତବିଦ୍ୟ ଲେଖକମାନେ । ଓଡ଼ିଆ ପ୍ରବନ୍ଧ ସାହିତ୍ୟକୁ ସେମାନଙ୍କର ଅବଦାନ ଅବିସ୍ମରଣୀୟ । ଏହି ପ୍ରବନ୍ଧ ଲେଖକମାନଙ୍କ ମଧ୍ୟରେ କତିପୟ ସ୍ମରଣୀୟ ବ୍ୟକ୍ତିତ୍ୱ ହେଲେ ଜଗବନ୍ଧୁ ସିଂହ, ରାଧାଚରଣ ପଣ୍ଡା, ମୃତ୍ୟୁଞ୍ଜୟ ରଥ, ଭୁବନେଶ୍ୱର ମିଶ୍ର, ନୀଳକଣ୍ଠ ଦାସ, କାଳିନ୍ଦୀଚରଣ ପାଣିଗ୍ରାହୀ, ବିରୁପାକ୍ଷ କର, ବିଶ୍ୱନାଥ କର, ଚିନ୍ତାମଣି ଆଚାର୍ଯ୍ୟ, କୃପାସିନ୍ଧୁ ମିଶ୍ର, କୁଳମଣି ଦାସ, ବ୍ରଜସୁନ୍ଦର ଦାସ, ନରସିଂହ ଦାସ, ଶଶିଭୂଷଣ ରାୟ, ତାରିଣୀଚରଣ ରଥ ପ୍ରଭୃତି ଉଲ୍ଲେଖନୀୟ ।

•••

 

ପ୍ରବନ୍ଧ ସାହିତ୍ୟର ବିକାଶ ଓ ପ୍ରତିଷ୍ଠା

 

ବିଂଶ ଶତାବ୍ଦୀର ପ୍ରଥମ ଦୁଇଟି ଦଶକରେ ତିନିଗୋଟି ସାହିତ୍ୟପତ୍ରିକା ଥିଲେ ଅତ୍ୟନ୍ତ ପ୍ରଭାବଶାଳୀ । ସେମାନେ ହେଲେ ଉତ୍କଳ ସାହିତ୍ୟ- ବିଶ୍ୱନାଥ କର, ମୁକୁର-ବ୍ରଜସୁନ୍ଦର ଦାସ ଓ ସତ୍ୟବାଦୀ- ଗୋପବନ୍ଧୁ ଦାସ । ପ୍ରଥମ ଦୁଇଟି ପତ୍ରିକାରେ ଗଳ୍ପ ଓ କବିତା ସହିତ ପ୍ରବନ୍ଧ ସ୍ଥାନିତ ହେଉଥିଲେ ହେଁ ‘ସତ୍ୟବାଦୀ' ସାହିତ୍ୟ ପତ୍ରିକା ପ୍ରବନ୍ଧ ସାହିତ୍ୟର ବିକାଶରେ ଅଧିକ ପ୍ରାଧାନ୍ୟ ଦେଇଥିଲେ । ଏହି ପତ୍ରିକାରେ ଅଳ୍ପ କେତୋଟି କବିତା ବ୍ୟତିରେକେ କେବଳ ପ୍ରବନ୍ଧ ଓ ସମାଲୋଚନା ହିଁ ଅଧିକ ପ୍ରକାଶ ଲାଭ କରୁଥିଲା । ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଯେଉଁ ସାହିତ୍ୟ ପତ୍ରିକାଗୁଡ଼ିକ ପ୍ରବନ୍ଧ ସାହିତ୍ୟର ବିକାଶରେ ବିଶେଷ ସହାୟକ ହୋଇଥିଲେ, ସେମାନେ ହେଲେ ସହକାର, ଯୁଗବୀଣା, ଆଧୁନିକ, ଜାଗରଣ ଓ ନବଭାରତ । ସତ୍ୟବାଦୀ ଦଳର ସାହିତ୍ୟିକଗୋଷ୍ଠୀ ପ୍ରବନ୍ଧ ସାହିତ୍ୟର ଥିଲେ ନିଷ୍ଠାପର ସେବକ । ସେମାନେ ହେଲେ ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, କୃପାସିନ୍ଧୁ ମିଶ୍ର, ଜଗବନ୍ଧୁ ସିଂହ ଓ ଗୋପୀନାଥ ନନ୍ଦଶର୍ମା । ସହକାର, ନବଭାରତ ଓ ଆଧୁନିକ ପୃଷ୍ଠାରେ ଯେଉଁମାନେ ପ୍ରସିଦ୍ଧି ଅର୍ଜନ କଲେ, ସେମାନେ ହେଲେ ବିନାୟକ ମିଶ୍ର, କାଳିନ୍ଦୀଚରଣ ପାଣିଗ୍ରାହୀ, ଗୋପାଳ କାନୁନଗୋ, ଆର୍ତ୍ତବଲ୍ଲଭ ମହାନ୍ତି, ବ୍ରଜବିହାରୀ ମହାନ୍ତି, କାଳିଆ ପାଣିଗ୍ରାହୀ, ରତ୍ନାକର ପତି, ଗିରିଜାଶଙ୍କର ରାୟ, ବିପିନିବିହାରୀ ରାୟ, ରାମପ୍ରସାଦ ସିଂହ, ଗୁରୁଚରଣ ପଟ୍ଟନାୟକ, ମୃତ୍ୟୁଞ୍ଜୟ ରଥ, ଗୋପବନ୍ଧୁ ଦାସ, ମାୟାଧର ମାନସିଂହ, ସୂର୍ଯ୍ୟନାରାୟଣ ଦାସ ପ୍ରଭୃତି ବରେଣ୍ୟ ସାଧକଗଣ । ସ୍ୱାଧୀନତାର ଅବ୍ୟବହିତ ପରେ ଝଙ୍କାର, ଡଗର, ଆସନ୍ତାକାଲି, ଶଙ୍ଖ, ଚତୁରଙ୍ଗ ନବରବି ପ୍ରଭୃତି ଅନେକ ସାହିତ୍ୟ ପତ୍ରିକାର ଅଭ୍ୟୁଦୟ ହୁଏ-। ଏହି ପତ୍ରିକା ମାଧ୍ୟମରେ ପ୍ରବନ୍ଧ ଲେଖକ ଭାବରେ ପ୍ରତିଷ୍ଠିତ ହେଲେ ନିତ୍ୟାନନ୍ଦ ମହାପାତ୍ର, ଶ୍ରୀରାମଚନ୍ଦ୍ର ଦାସ, ବୈଦ୍ୟନାଥ ମିଶ୍ର, ଅଧ୍ୟାପକ ରାଧାନାଥ ରଥ, ସମାଜ ସଂପାଦକ ରାଧାନାଥ ରଥ, ଗୋଲକ ବିହାରୀ ଧଳ, ଗୋକୁଳାନନ୍ଦ ମହାପାତ୍ର, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ସତ୍ୟନାରାୟଣ ରାଜଗୁରୁ, ପଠାଣି ପଟ୍ଟନାୟକ, ରାଜକିଶୋର ରାୟ, ଗୌରୀକୁମାର ବ୍ରହ୍ମା, ନବୀନ କୁମାର ସାହୁ, ପ୍ରହ୍ଲାଦ ପ୍ରଧାନ, ସୁରେନ୍ଦ୍ର ମହାନ୍ତି, ଚିତ୍ତରଂଜନ ଦାସ, ଚିନ୍ତାମଣି ବେହେରା, ଜାନକୀ ମହାନ୍ତି (ଭରଦ୍ୱାଜ), ମହାପାତ୍ର ନୀଳମଣି ସାହୁ, ଶ୍ରୀନିବାସ ମିଶ୍ର, ତାରିଣୀଚରଣ ଦାସ, ବଂଶୀଧର ମହାନ୍ତି, ଚନ୍ଦ୍ରଶେଖର ରଥ ପ୍ରଭୃତି ବିଶେଷ ପ୍ରଣିଧାନ ଯୋଗ୍ୟ !

 

କ୍ରମେ ପ୍ରବନ୍ଧ ସାହିତ୍ୟର କାୟା ବିସ୍ତାରିତ ହେଲା । ସ୍ୱାଧୀନତା ପ୍ରାପ୍ତି ପରେ ଶିକ୍ଷା ଓ ସାମ୍ବାଦିକତାର ପ୍ରସାର ହେତୁ ପ୍ରବନ୍ଧ ସାହିତ୍ୟର ସୃଷ୍ଟି ଓ ପ୍ରସାରପାଇଁ ଅଧିକ ସୁଯୋଗ ସୃଷ୍ଟି ହୋଇଥିଲା । ପ୍ରବନ୍ଧ ସାହିତ୍ୟ ହେଲା ବହୁମୁଖୀ ଓ ବିଚିତ୍ର ବିଭବଶାଳୀ । ଅତୀତରେ କେବଳ ସମାଜ ସଂସ୍କାର ଅଥବା ସାହିତ୍ୟ ବିଷୟକ ପ୍ରବନ୍ଧ ପ୍ରତି ଅଧିକ ଦୃଷ୍ଟି ଦିଆଯାଉଥିଲା । କ୍ରମଶଃ ଦାର୍ଶନିକ, ଐତିହାସିକ, ଭାଷାତାତ୍ତ୍ୱିକ ବୈଜ୍ଞାନିକ, ମନୋବୈଜ୍ଞାନିକ, ଅର୍ଥନୈତିକ ଅଥବା ସମାଜତାତ୍ତ୍ୱିକ ପ୍ରସଙ୍ଗ ବିଷୟରେ ପ୍ରବନ୍ଧ ଲେଖିବାର ଉଦ୍ୟମ ହେଲା । ଅବଶ୍ୟ ଏହା ସ୍ୱୀକାର କରିବାକୁ ହେବ ଯେ ଅଳ୍ପ କେତୋଟି ବିଭାଗକୁ ବାଦ ଦେଲେ ଅନ୍ୟ କ୍ଷେତ୍ରରେ ଓଡ଼ିଆ ପ୍ରବନ୍ଧ ସାହିତ୍ୟ ଉଲ୍ଲେଖଯୋଗ୍ୟ ପ୍ରଗତି ହାସଲ କରିପାରି ନାହିଁ । ସାଂପ୍ରତିକକାଳରେ ସମ୍ବାଦଧର୍ମୀ ପ୍ରବନ୍ଧର ପ୍ରସାର ସମ୍ଭବ ହୋଇଅଛି । ଏଗୁଡ଼ିକର ଆବେଦନ ତତ୍‌କାଳଧର୍ମୀ । ଚଳନ୍ତିକାର ଘଟଣାବଳୀ ବିଷୟରେ ଏହି ପ୍ରବନ୍ଧଗୁଡ଼ିକ ପର୍ଯ୍ୟବେଶିତ ଓ ଦୈନିକ ସମ୍ବାଦପତ୍ରର ଶୋଭାବର୍ଦ୍ଧନ କରିଥାଏ ।

 

ପ୍ରବନ୍ଧ ରଚନା ଏକ କଷ୍ଟସାଧ୍ୟ କଳା । ସେଥିପାଇଁ ସାହିତ୍ୟ ସଂସାରରେ ମୁଷ୍ଟିମେୟ ଲେଖକ ପ୍ରବନ୍ଧ ରଚନାରେ ବ୍ରତୀ ହୋଇଥାଆନ୍ତି । ପ୍ରବନ୍ଧ ରଚନାରେ ସଂଯତ ହେବା ଲେଖକର ଏକ ପ୍ରଧାନ ଯୋଗ୍ୟତା । ଅଯଥା ବାକ୍‌-ବିଳାସ ପ୍ରବନ୍ଧର ଗୁଣାତ୍ମକ ମୂଲ୍ୟ ହ୍ରାସ କରିଥାଏ । କଥାବସ୍ତୁର ସଂପ୍ରସାରଣରେ ପ୍ରବନ୍ଧ ଲେଖକ ଅଧିକ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ । ନଚେତ୍ ପ୍ରବନ୍ଧର ଗାମ୍ଭୀର୍ଯ୍ୟ ପରାହତ ହେବ । ପ୍ରବନ୍ଧର ଭାଷା କେବଳ ସଂଯତ ହେବ ନାହିଁ, ତାହା ହେବ କ୍ଳିଷ୍ଟଭାବ ବର୍ଜିତ ଓ ଶାଣିତ । ପ୍ରକାଶଭଙ୍ଗୀ ସାବଲୀଳ ହେଲେ ତାହା ହୋଇଥାଏ ପାଠକର ମନଛୁଆଁ । ପ୍ରବନ୍ଧ ସାହିତ୍ୟର ବିଷୟବସ୍ତୁ ସୁଦୂରପ୍ରସାରୀ । ତେଣୁ ଏ ଯୁଗର ପ୍ରାବନ୍ଧିକମାନେ ଲେଖନୀ ଚାଳନା କରିବାକୁ ଆଗ୍ରହୀ ହୋଇଥାଆନ୍ତି ଶିକ୍ଷା, ଧର୍ମ, ରାଜନୀତି, ଦର୍ଶନ, ବିଜ୍ଞାନ, ସାହିତ୍ୟ ଓ ସଂସ୍କୃତି ପରି ନାନା ବିଷୟରେ । ବିଂଶ ଶତାବ୍ଦୀର ପ୍ରାବନ୍ଧିକଗଣ ପ୍ରବନ୍ଧ-ସାହିତ୍ୟର ବହୁମୁଖୀ ବିକାଶ ଦିଗରେ ଯତ୍ନବାନ ହୋଇଥିଲେ ।

 

ଓଡ଼ିଶାରେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ପରେ ମହାବିଦ୍ୟାଳୟମାନଙ୍କରେ ବିଜ୍ଞାନ ଶିକ୍ଷାପାଇଁ ସୁଯୋଗ ଉପସ୍ଥିତ ହେଲା । ବିଜ୍ଞାନ ଚର୍ଚ୍ଚା ଅବସରରେ ମୁଷ୍ଟିମେୟ ବିଜ୍ଞାନ ବିଭାଗର ଅଧ୍ୟାପକ ଓଡ଼ିଆ ସାହିତ୍ୟରେ ବୈଜ୍ଞାନିକ ପ୍ରବନ୍ଧ ଲେଖିବାପାଇଁ ଅଗ୍ରସର ହେଲେ । ସେମାନେ ହେଲେ ଗୋକୁଳାନନ୍ଦ ମହାପାତ୍ର, ବିଦ୍ୟାଧର ପାଢ଼ୀ, ରାଧାନାଥ ରଥ, ବସନ୍ତ କୁମାର ବେହୁରା, କୁଳମଣି ସାମଲ, ନୃସିଂହଚରଣ ପଣ୍ଡା, ଗୋପାଳ ପଟ୍ଟନାୟକ ଓ ଦେବକାନ୍ତ ମିଶ୍ର ।

 

ଯେଉଁ ପ୍ରବନ୍ଧଗୁଡ଼ିକ ତଥ୍ୟ ପରିପୂର୍ଣ୍ଣ ଓ ପାଣ୍ଡିତ୍ୟ ପ୍ରଦର୍ଶନରେ ଭାରାକ୍ରାନ୍ତ, ତାହା ସାହିତ୍ୟିକ ପ୍ରବନ୍ଧର ମର୍ଯ୍ୟାଦା ଲାଭ କରିପାରିବ ନାହିଁ । କାରଣ ଏଥିରେ ରସାନୁଭୂତି ଓ ପାଠକୀୟ ଆବେଗ ସଞ୍ଚାରିତ ହୋଇପାରେ ନାହିଁ । ତାହା କେବଳ ନିର୍ଦ୍ଦିଷ୍ଟ ପାଠକଗୋଷ୍ଠୀ ମଧ୍ୟରେ ସୀମିତ ରହିଯାଏ । ଜାତୀୟ ଜୀବନର ସ୍ୱାଭିମାନ ଓ ମର୍ଯ୍ୟାଦା ପ୍ରକଟନରେ ପ୍ରବନ୍ଧ ସାହିତ୍ୟର ଭୂମିକା ଅନସ୍ୱୀକାର୍ଯ୍ୟ । ଏହା କେବଳ ବୁଦ୍ଧିଦୀପ୍ତ ନୁହେଁ, ହୃଦୟଦୀପ୍ତ ମଧ୍ୟ ।

 

ଓଡ଼ିଶା ସାହିତ୍ୟ ଏକାଡେମୀ ୧୯୮୨ ଖ୍ରୀଷ୍ଟାବ୍ଦରେ ‘ଶତାବ୍ଦୀର ଶ୍ରେଷ୍ଠ ପ୍ରବନ୍ଧ ସଂକଳନ’ ଶୀର୍ଷକରେ ଦୁଇଗୋଟି ପ୍ରବନ୍ଧ ସଂଗ୍ରହ ପ୍ରକାଶ କରିଛନ୍ତି । ଡଃ ଖଗେଶ୍ୱର ମହାପାତ୍ର ଏହି ଗ୍ରନ୍ଥ ଦ୍ୱୟର ସଂପାଦନା ଦାୟିତ୍ୱ ସୁଚାରୁରୂପେ ନିର୍ବାହ କରିଛନ୍ତି । ବିଂଶ ଶତାବ୍ଦୀର ଅଧିକାଂଶ ପ୍ରାବନ୍ଧିକଙ୍କର ପ୍ରବନ୍ଧ ଏଥିରେ ସ୍ଥାନିତ ହୋଇଥିଲେ ହେଁ ଅନେକ ପ୍ରବୀଣ ଓ ନବୀନ ଲେଖକ ଏଥିରେ ସ୍ଥାନିତ ହେବା ସମ୍ଭବ ହୋଇପାରି ନାହିଁ । ସେହି କାରଣରୁ ‘ବିଂଶ ଶତାବ୍ଦୀର ଶ୍ରେଷ୍ଠ ପ୍ରବନ୍ଧ ସଂକଳନ’ ଶୀର୍ଷକରେ ଏହି ତୃତୀୟ ଖଣ୍ଡର ପରିକଳ୍ପନା । ସାହିତ୍ୟ, ସଂସ୍କୃତି, ଦର୍ଶନ, ବିଜ୍ଞାନ, ମନସ୍ତତ୍ତ୍ୱ ପ୍ରଭୃତି ନାନା ବିଭାଗରେ ଏହି ପ୍ରାବନ୍ଧିକମାନଙ୍କର ଚିନ୍ତାଧାରା ସାର୍ଥକ ଭାବରେ ରୂପାୟିତ ହୋଇଅଛି । ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଗୁଣାତ୍ମକ ମାନ ନିର୍ଦ୍ଧାରଣ ଓ ଐଶ୍ୱର୍ଯ୍ୟ ପ୍ରକଟନରେ ଏହି ସଂକଳନ ସହାୟକ ହେବବୋଲି ଆଶା କରାଯାଏ ।

 

ଓଡ଼ିଶା ସାହିତ୍ୟ ଏକାଡେମୀ ଏପରି ଏକ ସଂକଳନ ପ୍ରକାଶ କରି ଧନ୍ୟବାଦାର୍ହ ହୋଇଅଛନ୍ତି ।

 

ଭୁବନେଶ୍ୱର
ତା ୧୪ ଅପ୍ରେଲ ୨୦୦୯,
ମହାବିଷୁବ ସଂକ୍ରାନ୍ତି

ପଠାଣି ପଟ୍ଟନାୟକ
ବିଜୟାନନ୍ଦ ସିଂହ

•••

 

ସୂଚୀପତ୍ର

 

 

ବିଷୟ

 

ଲେଖକଙ୍କ ନାମ

୧.

ଆଧୁନିକ ବିଜ୍ଞାନର ସାକ୍ଷ୍ୟ

 

ମନମୋହନ ଚୌଧୁରୀ

୨.

ଜାତୀୟତା ଓ ଜଗନ୍ନାଥ ସଂସ୍କୃତି

 

କିଶୋରୀଚରଣ ଦାସ

୩.

ଆଭିମୁଖ୍ୟର ଅବକ୍ଷୟ

 

ଗୁରୁଚରଣ ପଟ୍ଟନାୟକ

୪.

ଜନ୍ମଭୂମି ଓ ଜାତୀୟତା

 

ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ

୫.

ସଂସ୍କୃତି : ଏହାର ତାତ୍ପର୍ଯ୍ୟ ଓ ପ୍ରାଣସତ୍ତା

 

ଡକ୍ଟର ଗଙ୍ଗାଧର ବଳ

୬.

କବି ଓ କବିତା

 

ଶ୍ରୀ ପଠାଣି ପଟ୍ଟନାୟକ

୭.

ଆଧୁନିକତା

 

ବୈକୁଣ୍ଠନାଥ ରଥ

୮.

ମାନସିକ ବିକାର

 

ଡକ୍ଟର ନୃସିଂହଚରଣ ପଣ୍ଡା

୯.

ଆମେ ନ ହସୁଛେ କାହିଁକି

 

ପ୍ରଫେସର କୁଳମଣି ସାମଲ

୧୦.

ଭଲ ଶାସନ: ବ୍ୟାଖ୍ୟା ଓ ବାସ୍ତବତା

 

ଶ୍ରୀ ସାତକଡ଼ି ହୋତା

୧୧.

ବିଚାରଧାରାର ପତନ ଓ ଅଭ୍ୟୁଦୟ

 

କିଶନ ପଟ୍ଟନାୟକ

୧୨.

ନୂତନ କବିତାର ଭୂମିକା

 

ଶ୍ରୀ ଯତୀନ୍ଦ୍ରମୋହନ ମହାନ୍ତି

୧୩.

ଆର୍ଯ୍ୟ, ଦ୍ରାବିଡ଼, ହିନ୍ଦୁ ଓ ଆଦିବାସୀ

 

ଶ୍ରୀ ପ୍ରିୟବ୍ରତ ଦାସ

୧୪.

ବିପ୍ଳବ

 

ଡ. କୃଷ୍ଣଚରଣ ବେହେରା

୧୫.

ଯୁଗ ପରିବର୍ତ୍ତନର ମାପକାଠି-ପରିବର୍ତ୍ତନ

 

ଶ୍ରୀ ରାଇଚରଣ ଦାସ

୧୬.

ଓଡ଼ିଶାର ଐତିହ୍ୟ ଓ ପରମ୍ପରା

 

ଡକ୍ଟର ଜଗନ୍ନାଥ ପଟ୍ଟନାୟକ

୧୭.

ସାହିତ୍ୟ ଓ ଅର୍ଥନୀତି: ଏକ ଦୃଷ୍ଟିକୋଣ

 

ଡକ୍ଟର ବାସୁଦେବ ସାହୁ

୧୮.

ନୂତନ ଦର୍ଶନର ଭୂମିକା

 

ଡକ୍ଟର କୃଷ୍ରପ୍ରସାଦ ମିଶ୍ର

୧୯.

ଆଦିବାସୀ ସମାଜ:ପରମ୍ପରା ଓ ଆଧୁନିକତା

 

ଡକ୍ଟର ଖଗେଶ୍ୱର ମହାପାତ୍ର

୨୦.

ସାହିତ୍ୟ ଓ ଆନନ୍ଦ

 

ଶ୍ରୀ ଭାବଗ୍ରାହୀ ମିଶ୍ର

୨୧.

ଆଶାର ଛାଇ ଆଲୁଅ

 

ଶ୍ରୀ ମନୋଜ ଦାସ

୨୨.

ଦୁଇଟି ପ୍ରରୋହ ସମ୍ପର୍କରେ

 

ଡକ୍ଟର ଶରତଚନ୍ଦ୍ର ପ୍ରଧାନ

୨୩.

ଧର୍ମ-ସଂକଟ

 

ଡକ୍ଟର ଗୌରାଙ୍ଗଚରଣ ନାୟକ

୨୪.

ସମାଜ ବାସ୍ତବତା ଓ ଫକୀରମୋହନ

 

ଡକ୍ଟର ବିଭୂତି ପଟ୍ଟନାୟକ

୨୫.

ସଂସ୍କୃତି, ଅର୍ଥନୈତିକ ଉନ୍ନୟନ ଓ ପର୍ଯ୍ୟଟନ

 

ଡକ୍ଟର ସୀତାକାନ୍ତ ମହାପାତ୍ର

୨୬.

ସାହିତ୍ୟ ଏଷ୍ଟାବ୍ଲିଶ୍‌ମେଣ୍ଟ

 

ଡକ୍ଟର ଦାଶରଥି ଦାସ

୨୭.

ରେନେସାଁ ଯୁଗର ବିଜ୍ଞାନ

 

ଶ୍ରୀ ଶରତକୁମାର ମହାନ୍ତି

୨୮

ସଙ୍କେତ ଇଙ୍ଗିତ ବଚନ

 

ଶ୍ରୀ ରବୀନ୍ଦ୍ରପ୍ରସାଦ ପଣ୍ଡା

୨୯.

ଧ୍ରୁବ ଚପଳତା

 

ପ୍ରଫେସର ସୌରୀନ୍ଦ୍ର ବାରିକ୍‌

୩୦.

ସମୀକ୍ଷା-ଲୋଚନ

 

ଡକ୍ଟର ବୈରାଗୀଚରଣ ଜେନା

୩୧.

ଇଚ୍ଛନ୍ତି ଦାମ୍ଭିକେ

 

ଡକ୍ଟର ବୈଷ୍ଣବଚରଣ ସାମଲ

୩୨.

ଶାନ୍ତିନିକେତନ ଓ ସତ୍ୟବାଦୀ

 

ଡକ୍ଟର ଗଗନେନ୍ଦ୍ରନାଥ ଦାଶ

୩୩.

କବି ଓ ସମାଲୋଚକ

 

ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି

୩୪.

ବିଜ୍ଞାନବାଦ

 

ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ

୩୫.

କବିତାରେ ପ୍ରତୀକବାଦ

 

ଶ୍ରୀ ହରପ୍ରସାଦ ଦାସ

୩୬.

ଚଉଛକିରେ ସାହିତ୍ୟିକ

 

ଡକ୍ଟର ରତ୍ନାକର ଚଇନି

୩୭.

ପ୍ରତିବଦ୍ଧ ଲେଖକୀୟ ଅସ୍ମିତା

 

ପ୍ରଫେସର ଆଦିକନ୍ଦ ସାହୁ

୩୮.

ଶ୍ରୀ ଜୟଦେବ ଓ ଗୀତଗୋବିନ୍ଦ

 

ଡକ୍ଟର ଅର୍ଚ୍ଚନା ନାୟକ

୩୯.

ମାନବିକ ଅଧିକାରର ସ୍ଥିତି ଓ ସଙ୍କଟ

 

ଅଧ୍ୟାପକ ବିଶ୍ୱରଞ୍ଜନ

୪୦.

ନକ୍ଷତ୍ରର ଜନ୍ମ

 

ଡକ୍ଟର ସୁଲୋଚନା ଦାସ

୪୧.

ଏକବିଂଶ ଶତାବ୍ଦୀର ସାଂସ୍କୃତିକ ସଙ୍କଟ

 

ଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର

୪୨.

ଚିଠିରେ ସାହିତ୍ୟ

 

ଡକ୍ଟର ବାଉରୀବନ୍ଧୁ କର

୪୩.

ଲୋକ ସଂସ୍କୃତିର ଆଭିମୁଖ୍ୟ

 

ଡକ୍ଟର ମହେନ୍ଦ୍ରକୁମାର ମିଶ୍ର

୪୪.

ଅକ୍ଟୋବର ବିପ୍ଳବର ସାଂସ୍କୃତିକ ତାତ୍ପର୍ଯ୍ୟ

 

ଡକ୍ଟର ଦେବେନ୍ଦ୍ରକୁମାର ଦାଶ

୪୫.

ଜୀବନ ବିଦ୍ୟାଳୟ

 

ଡକ୍ଟର ଅରବିନ୍ଦ ଗିରି

୪୬.

ଭଲ ବହି : ଭଲ ଜୀବନ

 

ଡକ୍ଟର ଗୌରାଙ୍ଗଚରଣ ଦାଶ

୪୭.

ଆଉ ଏକ ଆନ୍ଦୋଳନ ଲୋଡ଼ା

 

ଡକ୍ଟର ବିଜୟାନନ୍ଦ ସିଂହ

୪୮.

ଛାତ୍ର - ଶିକ୍ଷକ: ପରିଚୟ ଓ ଘନିଷ୍ଠତା

 

ଡକ୍ଟର ମଣୀନ୍ଦ୍ରକୁମାର ମେହେର

୪୯.

ଇତିହାସର ଆଲୋଚନା

 

ଡକ୍ଟର ପ୍ରୀତୀଶ ଆଚାର୍ଯ୍ୟ

୫୦.

ମାୟାର ଭୂମି

 

ଶ୍ରୀ ଶୈଳେନ୍ଦ୍ର ଦ୍ୱିବେଦୀ

୫୧.

ପ୍ରାବନ୍ଧିକ ପରିଚୟ

 

 

•••

 

ଆଧୁନିକ ବିଜ୍ଞାନର ସାକ୍ଷ୍ୟ

ମନମୋହନ ଚୌଧୁରୀ

 

ସତ୍ୟାଗ୍ରହର ସିଦ୍ଧାନ୍ତ ଓ ପ୍ରକ୍ରିୟା ବିଷୟରେ ଆଲୋଚନା କରିବାବେଳେ ସେହି ମୌଳିକ ପ୍ରଶ୍ନ ସମୂହ ବାରମ୍ବାର ଗୁଡ଼େଇ ତୁଡ଼େଇ ହୋଇ ସାମନାରେ ଉପସ୍ଥିତ ହେଉଛି । ମଣିଷର ହୃଦୟ ଓ ବିଚାରରେ ପରିବର୍ତ୍ତନ ଆସିପାରେ କି ? ମଣିଷ ତା'ର ପଶୁତ୍ୱରୁ ମୁକ୍ତ ହୋଇପାରେ କି ? ହିଂସା, ଦ୍ୱେଷ, ଲୋଭ, ସ୍ୱାର୍ଥପରତା ଆଦି ରିପୁରୁ ସେ କେବେହେଲେ ମୁକ୍ତି ପାଇପାରେ କି ?

 

ମଣିଷ ସ୍ୱଭାବ ବିଷୟରେ ଯେଉଁ ଦୃଷ୍ଟିକୋଣ ଏସବୁ ପ୍ରଶ୍ନର ଅସ୍ତିବାଚକ ଉତ୍ତର ଦିଏ ତାହାରି ଉପରେ ସତ୍ୟାଗ୍ରହର ବିଚାର ପ୍ରତିଷ୍ଠିତ । ଥରେ ଏ ଦୃଷ୍ଟିକୋଣକୁ ନ୍ୟାର୍ଯ୍ୟବୋଲି ମାନି ନେଲେ ପୁଣି ସତ୍ୟାଗ୍ରହର ପ୍ରକ୍ରିୟାର ଯେ ସବୁ ବିଶ୍ଳେଷଣ ଗାନ୍ଧିଜୀ, ବିନୋବାଜୀ ଆଦି କରିଛନ୍ତି ଓ ଯେଉଁସବୁ ସିଦ୍ଧାନ୍ତ ଉପରେ ତାହାର ପ୍ରୟୋଗକୁ ପ୍ରତିଷ୍ଠା କରିଛନ୍ତି, ସେସବୁର ଯଥାର୍ଥତା ସମ୍ବନ୍ଧରେ କୌଣସି ସନ୍ଦେହର ଅବକାଶ ରହିବ ନାହିଁ । ମାତ୍ର ବାସ୍ତବ ଜୀବନରେ ଏ ଦୃଷ୍ଟିକୋଣର, ମଣିଷ ସ୍ୱଭାବ ଉପରେ ଏ ବିଶ୍ୱାସ ପୋଷଣ କରିବାର, କି ଯଥାର୍ଥତା ରହିଛି ? ସାଧାରଣ ମଣିଷର ଅଭିଜ୍ଞତା ଇତି ପୂର୍ବରୁ ଏହା ସପକ୍ଷରେ ବିଶେଷ ସାକ୍ଷ୍ୟ ଦେଇ ନାହିଁ । ଦାର୍ଶନିକ ବା ତତ୍ୱଜ୍ଞାନୀମାନଙ୍କ ଭିତରେ ଆଶାବାଦୀଙ୍କ ଅପେକ୍ଷା ନିରାଶାବାଦୀଙ୍କର ସଂଖ୍ୟା ବେଶୀ ଥିବାର ଦେଖାଯିବ । ପୁଣି ଆମ ଦେଶରେ ବହୁ ଆଶାବାଦୀ ଦର୍ଶନ ଏ ଦୁନିଆର ଧୂଳିଧାଟି ଓ ତା'ର ସମସ୍ୟାକୁ ଏଡ଼ିଦେଇ ଭଗବାନଙ୍କର ସାନ୍ନିଧ୍ୟ, ମୋକ୍ଷ, ନିର୍ବାଣ ଆଦିରେ ବା ପରଲୋକରେ ହିଁ ଆପଣାର ଆଶାର ସ୍ଥଳ ନିର୍ଦ୍ଦିଷ୍ଟ କରିଛି । ସତ୍ୟ,ପ୍ରେମ, କରୁଣା, ଅହିଂସା ଆଦି ଗୁଣ ଏ ଦୁନିଆରେ କୌଣସି ସମସ୍ୟାର ସମାଧାନ କରିପାରିବବୋଲି ନୁହେଁ, ମାତ୍ର ଆତ୍ମାର ଉନ୍ନତିରେ ବା ଭଗବତ୍ ଦର୍ଶନ ଲାଭରେ ସହାୟକ ହେବବୋଲି ସେସବୁର ଆଚରଣ ଉପରେ ଜୋର ଦିଆଯାଇଛି । ସାଧାରଣ ଜୀବନର ସାଧାରଣ ସମସ୍ୟାର ସମାଧାନପାଇଁ ମାଡ଼ଗାଳି, ବିଧାଚଟକଣା, ଠେଙ୍ଗାବାଡ଼ି, ପୁଲିସ ପଲଟଣ, ତୋପ ବନ୍ଧୁକର ହିଁ ବାସ୍ତବ ସକ୍ଷମତା ସ୍ୱୀକୃତ ହୋଇ ଆସିଛି ।

 

ବିଜ୍ଞାନର ଗୋଟାଏ ବିଶେଷତ୍ୱ ହେଲା ଯେ ତାହା ମଣିଷର ସାଧାରଣ ଜୀବନରେ ନିତିଦିନିଆ ସମସ୍ୟାର ସମାଧାନରେ ସାହାଯ୍ୟ କରେ । ଆଦିମତମ ମାନବ ଟେକା ପଥର ବା କାଠଫାଳିଆ ଫିଙ୍ଗି ଠେକୁଆ ଶିକାର କରୁଥିଲା । ଏହି ଫିଙ୍ଗିବାଟାକୁ ଅଧିକ ଶକ୍ତିଶାଳୀ ଓ ଅଭ୍ରାନ୍ତ କରିବାପାଇଁ କ୍ରମେ ଧନୁଶର, ବନ୍ଧୁକ, ତୋପ କମାଣ ଓ ଏବେ ଶେଷକୁ ଆନ୍ତର୍ମହାଦେଶୀୟ କ୍ଷେପଣାସ୍ତ୍ରର ଉଦ୍ଭାବନ ହେଲା । ଏସବୁ ଉଦ୍ଭାବନ ପଛରେ ରହିଛି ଆମ ଚାରିପାଖରେ ଘେରି ରହିଥିବା ସୃଷ୍ଟିର ଗଠନର ସ୍ୱରୂପ ଓ ସେଥି ଭିତରେ ଚାଲିଥିବା ପ୍ରକ୍ରିୟା ସମୂହ ସମ୍ବନ୍ଧରେ ଉତ୍ତରୋତ୍ତର ବିକାଶଶୀଳ ସମ୍ୟକ ଜ୍ଞାନ । ବିଜ୍ଞାନ ମାଧ୍ୟମରେ ହିଁ ଏ ଜ୍ଞାନ ମିଳିଛି ଓ ଏ ଜ୍ଞାନର ପରିମାଣ ଦିନକୁ ଦିନ ଅତି ଦ୍ରୁତ ଗତିରେ ବଢ଼ି ଚାଲିଛି ଓ ଏ ଜ୍ଞାନ ଯେତେ ବଢ଼ୁଛି ତା'ର ନିତିଦିନିଆ ଦୁନିଆର ସମସ୍ୟାବଳୀର ସମ୍ମୁଖୀନ ହେବାର ଶକ୍ତି ମଧ୍ୟ ସେତିକି ବଢ଼ୁଛି ।

 

ଦର୍ଶନ ଆମକୁ ସୃଷ୍ଟିର ସ୍ୱରୂପ ବିଷୟରେ ସମ୍ୟକ୍ ଜ୍ଞାନ ଦେବାକୁ ଚେଷ୍ଟା କରିଥାଏ ଓ ବିଜ୍ଞାନରୁ ମଧ୍ୟ ଆମେ ସୃଷ୍ଟି ବିଷୟରେ କେତେକ ଜ୍ଞାନ ପାଇଥାଉଁ । ଏ ଦୁଇଟି ଭିତରେ ପାର୍ଥକ୍ୟ କ'ଣ ? ଗୋଟିଏ ଉଦାହରଣ ଦେଇ ବୁଝାଇବାକୁ ଚେଷ୍ଟା କରିବି । ଦୁଇ ହଜାର କି କେତେବର୍ଷ ତଳେ ଏ ଦେଶରେ କଣାଦ ଓ ଗ୍ରୀସ୍ ଦାର୍ଶନିକ ଡେମୋକ୍ରିଟସ୍ ଅଣୁବାଦର ସିଦ୍ଧାନ୍ତ ବାଢ଼ିଥିଲେ । ଦୁନିଆ ଅଣୁର ସମଷ୍ଟି- ଏଇ ଥିଲା ଏମାନଙ୍କର ପ୍ରତିପାଦ୍ୟ ତତ୍ତ୍ୱ । ଏବେ ଆଧୁନିକ ପଦାର୍ଥ ବିଜ୍ଞାନ ଏ ଅଣୁତତ୍ତ୍ୱକୁ ଯଥାର୍ଥବୋଲି ସାବ୍ୟସ୍ତ କରିଛି । ମାତ୍ର ବୈଜ୍ଞାନିକ ପରମାଣୁ ତତ୍ତ୍ୱ ପ୍ଲାଷ୍ଟିକ୍‌ରୁ ପରମାଣୁ ବୋମା ଯାଏ ଯେଉଁ ଅସଂଖ୍ୟ ପ୍ରକାରର ବିସ୍ମୟକର ଉଦ୍‌ଭାବନ ଓ ପ୍ରୟୋଗ ସମ୍ଭବ କରିଛି କଣାଦ ବା ଡେମୋକ୍ରିଟସ୍‌ଙ୍କର ଅଣୁବାଦର ଜ୍ଞାନ ମିଳିଗଲେ ବା ତାହାକୁ ସତ୍ୟବୋଲି ମାନିନେଲେ ବି ଏ ସବୁର କାଣିଚାଏ ସୁଦ୍ଧା ସେ ଯୁଗରେ ସମ୍ଭବ ନ ଥିଲା, କାରଣ ଏ ଦାର୍ଶନିକ ତତ୍ତ୍ୱ କେବଳ ଏକ ପ୍ରମେୟ ବା ଜଳ୍ପନା ମାତ୍ର ଥିଲା । ଏହା ପଛରେ ପରମାଣୁମାନଙ୍କର ବାସ୍ତବିକ ରୂପ, ପରସ୍ପର ସହିତ ସେମାନଙ୍କର ସମ୍ବନ୍ଧ ଓ ସୃଷ୍ଟିରେ ସେମାନେ କିଭଳି ସଜା ହୋଇ ରହିଛନ୍ତି, ସେମାନଙ୍କର ଯୋଗ ବିୟୋଗଦ୍ୱାରା ବସ୍ତୁର କି ଧରଣର ରୂପାନ୍ତର ଘଟେ ଆଦି ବହୁ ପ୍ରଶ୍ନର ଜବାବ ଦେବାଭଳି କୌଣସି ପ୍ରୟୋଗଲବ୍ଧ ଜ୍ଞାନ ସେ ଯୁଗରେ ନ ଥିଲା ।

 

ବହିର୍ଜଗତ ବା ତଥାକଥିତ ଜଡ଼ ସୃଷ୍ଟିର ବାସ୍ତବ ଜ୍ଞାନ ଆହରଣ କରିବାରେ ବିଜ୍ଞାନର କୃତିତ୍ୱ ବଢ଼ିବା ସାଙ୍ଗେ ସାଙ୍ଗେ ଏହା ସ୍ୱାଭାବିକ ଥିଲା ଯେ ମଣିଷର ଅନ୍ତର୍ଜଗତ ଅର୍ଥାତ୍ ତା'ର ମନ ତଥା ବହିର୍ଜଗତ ଓ ଅନ୍ତର୍ଜଗତର ସଙ୍ଗମସ୍ଥଳ ତା'ର ସମାଜକୁ ଅଧ୍ୟୟନ କରିବାରେ ମଧ୍ୟ ବୈଜ୍ଞାନିକ ପଦ୍ଧତିର ପ୍ରୟୋଗ ଆରମ୍ଭ ହେବ । ପୂର୍ବେ ମନୋବିଜ୍ଞାନ ଦର୍ଶନର ହିଁ ଏକ ବିଭାଗ ଥିଲା ଓ ପ୍ରଧାନତଃ ବର୍ଣ୍ଣନାମୂଳକ ଥିଲା । ଫ୍ରୟେଡ଼ଙ୍କଠାରୁ ମଣିଷର ମନର ବାସ୍ତବିକ ବୈଜ୍ଞାନିକ ଅନୁସନ୍ଧାନ ଆରମ୍ଭ ହେଲାବୋଲି କୁହାଯାଇପାରେ । ମାନସିକ ରୋଗୀମାନଙ୍କର ଚିକିତ୍ସା କରିବାକୁ ଯାଇ ସେ ମନୋଜଗତର ଗହୀର ସନ୍ଧାନରେ ପ୍ରବୃତ୍ତ ହେଲେ । ମନୋବିଜ୍ଞାନକୁ ତାଙ୍କର ଅନ୍ୟତମ ଅବଦାନ ହେଲା ‘ଅଚେତନ ମନର ସନ୍ଧାନ' । ପ୍ରତ୍ୟେକ ବ୍ୟକ୍ତିର ସ୍ମୃତିରେ ଯେତେ ଯେତେ କଥା ଅଛି ସେସବୁ ବିଷୟରେ ସେ ସଦାସର୍ବଦା ସଚେତ ନ ଥାଏ । ସେଗୁଡ଼ିକ ଆମର ଚେତନାର ଅନ୍ତରାଳରେ ଥାଏ । ଲୋଡ଼ା ହେଲେ ପରିଚିତ ଥାକରୁ ବହି କାଢ଼ିଲା ପରି ଆମେ ଝଟ କରି ଆମର ଆବଶ୍ୟକ ସ୍ମୃତିକୁ ଆମର ଚେତନା ଭିତରକୁ ଆଣିପାରୁ । କେତେକ ସ୍ମରଣୀୟ ବିଷୟ ଅବଶ୍ୟ ବ୍ୟବହାର ବା ଆବଶ୍ୟକ ଅଭାବରୁ ସ୍ମୃତିରୁ ଲିଭିଯାଏ ବା ହଜିଯାଏ । ଗତ ମାସ ପ୍ରଥମ ମଙ୍ଗଳବାର ଦିନ ଧୋବା କି କି ଲୁଗା ନେଇଥିଲା ତାହା କେହି ମନେ ରଖିପାରେ ନାହିଁ ।

 

ମନର ହାତ ପାହାନ୍ତାରେ ଚେତନାର ଠିକ୍ ତଳେ ରହିଥିବା ଏହି ଅବଚେତନ ସ୍ତର ଛଡ଼ା ମଣିଷ ମନରେ ଆଉ ଏକ ମସ୍ତବଡ଼ ଗନ୍ତାଘର ଅଛିବୋଲି ଫ୍ରୟେଡ଼ ଆବିଷ୍କାର କଲେ ଯାହା ଭିତରେ କେବଳ ଯେ ବହୁ ପ୍ରକାରର ସ୍ମୃତି ଜମା ହୋଇ ରହିଛି ତାହା ନୁହେଁ, ବହୁତ ପ୍ରକାରର ଭାବାବେଗ, କାମ, କ୍ରୋଧ, ରାଗ, ଦ୍ୱେଷ ଆଦି ମଧ୍ୟ ଜମା ରହିଛି । ଏ ଗନ୍ତାଘରର ଚାବି ପ୍ରତ୍ୟେକ ବ୍ୟକ୍ତି ହଜେଇ ଦେଇଥାଏ, ସେଥିପାଇଁ ତାହା ଭିତରେ କ'ଣ ଅଛି ତାହା ସେ ସାଧାରଣତଃ ଜାଣିପାରେ ନାହିଁ । ତାହା ଭିତରେ ପୁଞ୍ଜିଭୂତ ହୋଇ ରହିଥିବା ସ୍ମୃତି ସବୁକୁ ସେ କେବେ ସଚେତନ ସ୍ମରଣକୁ ଆଣିପାରେ ନାହିଁ । ମାତ୍ର ସେ ଜାଣି ନ ପାରିଲେ କ'ଣ ହେବ, ଏ ଗୁପ୍ତ ସ୍ମୃତି, ଭାବାବେଗ ଓ ପ୍ରବୃତ୍ତିଗୁଡ଼ିକ କିନ୍ତୁ ତା'ର ଆଚରଣକୁ ପ୍ରଭାବିତ କରି ଚାଲିଥାଏ ।

 

ଆମେ ଦୈନନ୍ଦିନ ଜୀବନରେ ଯେ ନାନା ପ୍ରକାରର ଭୁଲଭ୍ରାନ୍ତି କରୁ, ଦରକାରୀ କଥା ଭୁଲିଯାଉଁ, ଜିନିଷ ହଜେଇ ଦେଉଁ, ଆମ ହାତରୁ ପଡ଼ି ଜିନିଷପତ୍ର ଭାଙ୍ଗିଯାଏ ଓ ଏହିପରି ଅନ୍ୟ ଛୋଟିଆ ଛୋଟିଆ ଦୁର୍ଘଟଣାର ସମ୍ମୁଖୀନ ହେଉ ସେସବୁକୁ ଆମେ ଅସାବଧାନତା, ଅନ୍ୟମନସ୍କତା ଓ ଦୁର୍ଘଟଣା ତଳେ ହିସାବ କରୁଁ । ମାତ୍ର ଫ୍ରୟେଡ଼ଙ୍କର ପଦ୍ଧତିରେ ବିଶ୍ଳେଷଣ କରି ଦେଖାଯାଇଛି ଯେ ଏସବୁ ପଛରେ ଅନେକ ସମୟରେ ହୁଏତ ଅଧିକାଂଶ କ୍ଷେତ୍ରରେ କୌଣସି ଗୁପ୍ତ ଇଚ୍ଛା ବା ଭାବନା ଥାଏ । ମନୋବିଜ୍ଞାନର ସାହିତ୍ୟରେ ଏସବୁର ପ୍ରଚୁର ଉଦାହରଣ ରହିଛି । ସାଧାରଣତଃ ପାଠକଙ୍କପାଇଁ ଫ୍ରୟେଡ଼ଙ୍କର The Psychopathology of Everday Life (ଦୈନନ୍ଦିନ ଜୀବନର ମନୋବିକାରର ତତ୍ତ୍ୱ) ଏକ ଉତ୍ତମ ପୁସ୍ତକ । ଏଠାରେ ଏଭଳି ଭ୍ରାନ୍ତିର ଗୋଟିଏ ଉଦାହରଣ ଦେଲେ ଯଥେଷ୍ଟ ହେବ ।

ଫ୍ରୟେଡ଼ ତାଙ୍କ ନିଜ ବିଷୟରେ ଲେଖିଛନ୍ତି ଯେ ତାଙ୍କ ପଢ଼ାଘର ଖୁବ୍ ସଂକୀର୍ଣ୍ଣ ହୋଇଥିଲେ ବି ଓ ସେଥିରେ ବହୁ ସଂଖ୍ୟକ ଛୋଟ ଛୋଟ ପ୍ରାଚୀନ କଳାକୃତିର ନମୁନା ଇତସ୍ତତଃ ରହିଥିଲେ ବି ତାଙ୍କ ହାତ ବାଜି କେବେ କୌଣସି ଜିନିଷ ଭାଙ୍ଗେ ନାହିଁ! ଅଥଚ ଦିନେ ସେ ଅଫିସକୁ ଆସି ହାତରେ କଲମ ଧରି ହାତକୁ ଏପରି ହଲେଇ ଦେଲେ ଯେ ଟେବୁଲ ଉପରେ ଥିବା କାରୁକାର୍ଯ୍ୟ ସମ୍ପନ୍ନ ଦୁଆତ ଓ କଲମଦାନୀର ଢାଙ୍କୁଣୀ ତଳେ ପଡ଼ି ଭାଙ୍ଗିଗଲା । ଏହା କ'ଣ ଶୁଦ୍ଧ ଦୁର୍ଘଟଣା ?

ଫ୍ରୟେଡ଼ ବିଶ୍ଳେଷଣ କରି କହିଛନ୍ତି ଯେ ସେଦିନ ଭଉଣୀ ଆସି ପଢ଼ାଘରର ସାଜସଜ୍ଜା ଓ ସେଥିରେ ଥିବା ସବୁ ବସ୍ତୁର ପ୍ରଶଂସା କରିଥିଲେ । ମାତ୍ର ସେ କଲମଦାନୀଟି ନାପସନ୍ଦ କରି ତାହା ବଦଳାଇ ଦେବା ଉଚିତ୍ବୋଲି ମତ ଦେଇଥିଲେ । ଫ୍ରୟେଡ଼ କହନ୍ତି ଯେ ଭଉଣୀଙ୍କର ଏହି ନାପସନ୍ଦ ଯୋଗୁଁ ସେ କଲମଦାନୀଟା ଭାଙ୍ଗିବାକୁ ହାତ ଗଲା । ଭଉଣୀ ଆଉ ଏକ ସୁନ୍ଦର କଲମଦାନୀ ତାଙ୍କୁ ଉପହାର ଦେବେ ଏହି ଧାରଣା ତାଙ୍କ କଥାରୁ ଫ୍ରୟେଡ଼ଙ୍କର ହୋଇଥିଲା । ସେଥିପାଇଁ ତାଙ୍କ ହାତ ଟେବୁଲ୍ ଉପରେ ଥିବା ଆଉ ଅନେକ ଜିନିଷରେ ନ ବାଜି ଠିକ୍ କଲମଦାନୀରେ ବାଜିଲା ।

କାହାରି ପ୍ରତି ମନରେ ଅଚେତନ ଦ୍ୱେଷ ଥିଲେ ତାହା ସଂକ୍ରାନ୍ତ ଦରକାରୀ କଥା ଭୁଲିଯିବା, ତାହାର ଜିନିଷ ହଜେଇ ଦେବା ବା ହାତରୁ ପଡ଼ି ଭାଙ୍ଗିଯିବା ଆଦିରେ ଏ ଦ୍ୱେଷ ପ୍ରକଟ ହୁଏ ।

 

ଦୈନନ୍ଦିନ ଜୀବନର ଏ ପ୍ରକାର ଛୋଟ ଛୋଟ ଘଟଣା କାହାରି ଖୁବ୍ ବେଶୀ କ୍ଷତି କରେ ନାହିଁ, ମାତ୍ର ଅଚେତନ ମନର ତାଡ଼ନା ଅଧିକ ପ୍ରବଳ ହେଲେ ତାହା ଆଚରଣରେ ଚିନ୍ତାଜନକ ବିକୃତି ସୃଷ୍ଟି କରେ ଓ ଶେଷକୁ ଉନ୍ମାଦ ଅବସ୍ଥାରେ ନେଇ ପହଞ୍ଚାଇ ଦେଇପାରେ । ଅଧିକାଂଶ ମାନସିକ ରୋଗର ମୂଳ ମନର ଏହି ଗୁପ୍ତ ଗନ୍ତାଘରରେ ଥିବା ଅଭିଜ୍ଞତା ଓ ତତ୍‌ସଂଲଗ୍ନ ଭାବାବେଗରେ ରହିଥାଏ । ଫ୍ରୟେଡ଼୍ ମାନସିକ ବିକୃତିର ଏକ ଚିକିତ୍ସା ପ୍ରଣାଳୀର ଉଦ୍ଭାବନ କଲେ-। ପ୍ରଣାଳୀର ସାରକଥା ହେଲା ଯେ ଯେଉଁ ଅଭିଜ୍ଞତା ଓ ଭାବାବେଗ ମନଗହନରେ ଥାଇ ଉତ୍ପାତ କରୁଛି ତାକୁ ସେ ଗୁପ୍ତ ଗନ୍ତାଘରୁ ଉଦ୍ଧାର କରି ସଚେତନ ମନର ହାତ ପାହାନ୍ତାକୁ ଓ ବୁଦ୍ଧି ଓ ଇଚ୍ଛା ଶକ୍ତିର ଅକ୍ତିଆରକୁ ଆଣିବା ।

 

ଗୋଟାଏ ଉଦାହରଣ ଦେଲେ କଥାଟା ସୁସ୍ପଷ୍ଟ ହେବ । ଜଣେ ଲୋକ କୌଣସି ବନ୍ଦ ଘରେ ବା ସଂକୀର୍ଣ୍ଣ ସ୍ଥାନରେ ଆଦୌ ରହିପାରୁ ନ ଥିଲା । ଏଭଳି ସ୍ଥାନରେ ସେ ଏତେ ଆତଙ୍କଗ୍ରସ୍ତ ହୋଇ ପଡ଼ୁଥିଲା ଯେ ସୈନ୍ୟଦଳରେ ଯୋଗ ଦେଇ ଯୁଦ୍ଧକୁ ଗଲାପରେ ସେ ଯୁଦ୍ଧକ୍ଷେତ୍ରର ମାଟିତଳ ଆଶ୍ରୟ ଗର୍ତ୍ତରେ ରହିପାରୁ ନ ଥିଲା, ବାହାରକୁ ପଳାଇ ଆସୁଥିଲା । ବାହାରେ ଶତ୍ରୁପକ୍ଷର ଗୋଳାଗୁଳିର ବିପଦ ତାକୁ ବରଂ ଊଣା ଭୟଙ୍କର ଜଣା ପଡ଼ୁଥିଲା ।

 

ତା'ର ମାନସିକ ଚିକିତ୍ସା କରାଯିବାରୁ ତା'ର ପିଲାଦିନର ଏକ ଘଟଣା ଏହା ମୂଳରେ ଥିବାର ଜଣାପଡ଼ିଲା । ଏ ଲୋକଟି ପାଞ୍ଚ ଛଅ ବର୍ଷର ହୋଇଥିବା ବେଳେ ତାଙ୍କ ସହରରେ ଜଣେ ବୁଢ଼ାଲୋକ ପୁରୁଣା ଲୁଗାପଟା ଲୋକଙ୍କ ଘରୁ ମାଗିନେଇ ବେପାର କରୁଥିଲା । ଏ ଲୋକଟିକୁ ପିଲାର ବାପମା' ଇତରବୋଲି ମନେ କରୁଥିଲେ ଓ ପିଲାଏ ତା' ସହିତ ସମ୍ପର୍କ ରଖିବା ଅନୁଚିତବୋଲି ଶାସନ କରୁଥିଲେ । ଦିନେ ଏ ପିଲାଟି କୌଣସି ଉଦ୍ଦେଶ୍ୟରେ ସେ ଲୋକ ପାଖକୁ ଯାଇଥିଲା । ଗୋଟିଏ ସଂକୀର୍ଣ୍ଣ ଗଳିବାଟ ଦେଇ ଫେରିବା ବେଳେ ଦେଖିଲା ଯେ ପ୍ରକାଣ୍ଡ ଓ ଭୟଙ୍କର କୁକୁର ବାଟ ଓଗାଳି ରହିଛି । ଏଥିରେ ସେ ଭୀଷଣ ଭାବରେ ଡରିଗଲା । ଘରକୁ ଫେରି ସେ ଆଉ କାହାରିକୁ ଏ କୁକୁର ଆଉ ଭୟର କଥା କହି ପାରିଲା ନାହିଁ । କାରଣ ତା'ର ଭୟହେଲା ଯେ ସେ କଥାରୁ ସେ ବୁଢ଼ା ପାଖକୁ ଯିବା କଥା ମଧ୍ୟ ବାହାରିପଡ଼ି ତା' ଭାଗ୍ୟକୁ ପ୍ରଚଣ୍ଡ ମାଡ଼ଗାଳି ଜୁଟିବ । ଏହି ମାନସିକ ଉଦ୍‌ବେଗ ଓ ଦ୍ୱନ୍ଦ୍ୱର ଫଳ ହେଲା ଯେ ସେ ସେଦିନର ସେ ଅଭିଜ୍ଞତା ଏକା ବେଳକେ ଭୁଲିଗଲା । ଅର୍ଥାତ୍ ତାହା ସେହି ଗୁପ୍ତ ଗନ୍ତାଘରକୁ ନିର୍ବାସିତ କରି ଦିଆଗଲା । ମାତ୍ର ମନରେ ରହିଗଲା ସେ ବନ୍ଦ ଓ ସଙ୍କୀର୍ଣ୍ଣ ସ୍ଥାନ ପ୍ରତି କୋକୁଆ ଭୟ । ଏହି ପିଲାଦିନର ଲୁପ୍ତ ସ୍ମୃତି ଚିକିତ୍ସାଦ୍ୱାରା ଫେରି ଆସିବା ପରେ ସେ ନିଜର ଭୟର ମୂଳ କାରଣ ଜାଣି ପାରିଲା ଓ ସେଥିରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଗଲା ।

 

ଏହିରୂପେ ଫ୍ରୟେଡ଼ଙ୍କ ପ୍ରବର୍ତ୍ତିତ ପଦ୍ଧତି ଅବଲମ୍ବନ କରି ମଣିଷ ମନର ଗୋପନ ଗତିବିଧିର ବହୁତ ଖବର ମିଳିଲା । ସମୁଦ୍ର ମନ୍ଥନରୁ ପ୍ରଥମେ ହଳାହଳ ବାହାରିଲା ପରି ଏ ଗବେଷଣାରୁ ପ୍ରଥମେ ଏୟା ଦେଖାଗଲା ଯେ ମଣଷ ମନରେ ଈର୍ଷା, ଦ୍ୱେଷ ଓ ଲାଳସା କାମନାର ପ୍ରଭାବ ବହୁତ ବେଶୀ । ଅତି ମାର୍ଜିତ, ଭଦ୍ର ଓ ସଂଯତ ବ୍ୟକ୍ତି ମନର ଅନ୍ତସ୍ଥଳରେ ମଧ୍ୟ ଏସବୁ ରହି ତା'ର ଅଜାଣତରେ ତା'ର ଆଚରଣକୁ ପ୍ରଭାବିତ କରି ଚାଲିଥାନ୍ତି । ସଭ୍ୟତା, ସଂଯମ ଆଦି ଜାଣି କେବଳ ଉପରର ପୁଟ । ଏଥିରୁ ଫ୍ରୟେଡ଼ ଏହି ସିଦ୍ଧାନ୍ତରେ ପହଞ୍ଚିଲେ ଯେ ମଣିଷର ସ୍ୱଭାବରେ ଦୁଇଟି ମୌଳିକ ସହଜାତ ଓ ପ୍ରବଳ ପ୍ରବୃତ୍ତି ରହିଛି, ଯୌନତା ଓ ଆକ୍ରମଣଶୀଳତା ।

 

ପ୍ରାଚୀନ କାଳରୁ କାମ ଓ କ୍ରୋଧକୁ ମଣିଷର ସବୁଠାରୁ ବଡ଼ ରୀପୁବୋଲି କୁହାଯାଇଛି । ଆପାତତଃ ଦୃଷ୍ଟିରେ ଫ୍ରୟେଡ଼ଙ୍କ ଆବିଷ୍କାରରେ ସେହି ପୁରୁଣା ମତ ସପକ୍ଷରେ ଅସରନ୍ତି ଓ ସୂକ୍ଷ୍ମ ପ୍ରମାଣ ଯୋଗାଇ ତାହାକୁ ଯଥାର୍ଥ ସାବ୍ୟସ୍ତ କଲା । ଏହା ନିରାଶାବାଦୀ ଦର୍ଶନକୁ ହିଁ ପୁଷ୍ଟ କଲା । ଯଦି କାମ ଓ କ୍ରୋଧର ମଞ୍ଜି ମଣିଷ ସ୍ୱଭାବର ବୁନିଆଦରେ ହିଁ ପୋତା ହୋଇଛି ତ ଏ ଦେହରେ ସେଥିରୁ ମୁକ୍ତି କାହିଁ? ଫ୍ରୟେଡ଼ ମଧ୍ୟ ନିଜେ ନିରାଶାବାଦୀ ଥିଲେ । ଯୁଦ୍ଧକୁ ତୀବ୍ର ଭାବରେ ନାପସନ୍ଦ କରୁଥିଲେ ମଧ୍ୟ ସେଥିରୁ ମାନବ ସମାଜ କେବେ ମୁକ୍ତ ହୋଇ ପାରିବବୋଲି ସେ ଆଶା କରିପାରୁ ନ ଥିଲେ ।

 

ମାତ୍ର ପ୍ରଥମ ଅବସ୍ଥାରେ ଫ୍ରୟେଡ଼ଙ୍କ ଆବିଷ୍କାର ନିରାଶବାଦକୁ ଉତ୍ସାହିତ କଲେ ମଧ୍ୟ ତାଙ୍କଦ୍ୱାରା ମନୋବିଜ୍ଞାନରେ ଯେଉଁ ବିପ୍ଳବର ସୂତ୍ରପାତ ହେଲା ତାହାର ପ୍ରଭାବ ସୁଦୂର ପ୍ରସାରୀ ହୋଇଛି ଓ ମଣିଷର ସ୍ୱଭାବ ସମ୍ବନ୍ଧରେ ଆମର ଦୃଷ୍ଟିକୋଣକୁ ଏକାବେଳକେ ବଦଳାଇ ଦେଇଛି । ପ୍ରଥମତଃ ଆଧୁନିକ ମନୋବିଜ୍ଞାନ ଏ ଧାରଣାକୁ ଉଡ଼ାଇ ଦେଇଛି ଯେ ମଣିଷ ମନ କାମ, କ୍ରୋଧ, ଲୋଭ, ମୋହ, ପ୍ରେମ, କରୁଣା, ବୀରତା, ଭୀରୁତା, ଦୟା, ଦାକ୍ଷିଣ୍ୟ ଆଦି ଅଲଗା ଅଲଗା ଟୁକୁରା ଟୁକୁରା ଦୋଷ ଗୁଣର ଇଟାରେ ତିଆରି, ମଣିଷ ମନର ଏସବୁ ଗୁଣଦୋଷ ବା ବୃତ୍ତିଗୁଡ଼ିକୁ ଭଲ ଓ ମନ୍ଦ ଦୈବୀ ଓ ଆସୁରୀ, ଏହିଭଳି ଦୁଇ ସ୍ପଷ୍ଟ ବିଭାଗରେ ବାଣ୍ଟି ଦେଇ ହେବ ଏବଂ କୌଣସି ମଣିଷର ଚରିତ୍ର ଯେଉଁପରି ଭାବରେ ଥରେ ତିଆରି ହୋଇଯାଇଛି ତାହା ଆଉ ବଦଳିବ ନାହିଁ, ପୋଡ଼ା ହାଣ୍ଡିପରି ।

 

ଆଧୁନିକ ମନୋବିଜ୍ଞାନ ଦର୍ଶାଉଛି ଯେ କୌଣସି ବ୍ୟକ୍ତିର ଚରିତ୍ର ପୁନର୍ଜନ୍ମରୁ, ଗର୍ଭଧାନ ବେଳୁ, ଜନ୍ମବେଳୁ ବା ଜୀବନର କୌଣସି ଗୋଟାଏ କ୍ଷଣରେ ଚିରକାଳପାଇଁ ଗଢ଼ା ହୋଇଯାଏ ନାହିଁ । ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ନାନା ଘାତ ପ୍ରତିଘାତ ଓ ଅଭିଜ୍ଞତାର ଭିତର ଦେଇ ତାହା ରୂପାୟିତ ହେଉଛି । ଅନୁକୂଳ ପରିସ୍ଥିତି ଏହାର ବିକାଶରେ ସାହାଯ୍ୟ କରୁଛି । ପ୍ରତିକୂଳ ପରିସ୍ଥିତି ସେଥିରେ ବିକୃତି ଜନ୍ମାଉଛି । ଅବଶ୍ୟ ବାଲ୍ୟକାଳର ପ୍ରଭାବ ଓ ଅନୁଭୂତିର ବିଶେଷ ଗୁରୁତ୍ୱ ରହିଛି । ଚରିତ୍ର ଉପରେ ତା'ର ଛାପ ଖୁବ୍ ବଳବାନ୍ ହୁଏ । ଏପରିକି ଗର୍ଭରେ ଥିବାବେଳର ଅନୁଭୂତି ଓ ଜନ୍ମବେଳର ଅନୁଭୂତିର ପ୍ରଭାବ ମଧ୍ୟ ଚରିତ୍ର ଉପରେ ପଡ଼େ । ଏଭଳି ପ୍ରଭାବର ଖୁବ୍ ଟାଣ ହୋଇ ବସିଥିବା ଛାପକୁ ବଦଳାଇବା କଠିନ ହୁଏ କିନ୍ତୁ ଆଧୁନିକ ମନୋବିଜ୍ଞାନ ଆଉ ଏଭଳି ପରିବର୍ତ୍ତନକୁ ଅସାଧ୍ୟ ମନେ କରେ ନାହିଁ ।

 

ବିଭିନ୍ନ ଦେଶର, କୌଣସି ଏକ ସମାଜର ବିଭିନ୍ନ ଗୋଷ୍ଠୀ ଓ ସମାଜର ବିଭିନ୍ନ ଶ୍ରେଣୀର ଲୋକଙ୍କର ଚରିତ୍ରରେ ଯେ କେତେକ ବିଶେଷତା ଥାଏ ଏହା ବହୁକାଳରୁ ଲକ୍ଷ୍ୟ କରାଯାଇଛି । ‘ନଈକେ ବାଙ୍କ୍ ଦେଶକେ ଫାଙ୍କ୍‌' । ଏକ ସମୟରେ ଏଭଳି ଚରିତ୍ରଗତ ପାର୍ଥକ୍ୟ ଯୋଗୁଁ ବିଭିନ୍ନ ଅଞ୍ଚଳର ମଣିଷକୁ ବିଭିନ୍ନ ଯୋନିର ଜୀବବୋଲି ହିଁ ମନେ କରାଯାଉଥିଲା । ଦେବ, ଦାନବ, ମାନବ, କିନ୍ନର, ଗନ୍ଧର୍ବ, ଯକ୍ଷ, ରାକ୍ଷସ ଆଦି ଶ୍ରେଣୀ ବିଭାଗ ଏହି ବିଶ୍ୱାସରେ ହିଁ କରାଯାଇଥିଲା । ଏବେ ଏଭଳି ମନୁଷ୍ୟୋପମ ବିଭିନ୍ନ ଯୋନିର କଳ୍ପନା ଆଉ ଚାଲୁ ନ ଥିଲେ ମଧ୍ୟ ବିଭିନ୍ନ ରାଷ୍ଟ୍ର ବା ସମ୍ପ୍ରଦାୟର ଚାରିତ୍ରିକ ବିଶେଷତ୍ୱ ଯେ ସେମାନଙ୍କର ରକ୍ତରେ ରହିଚି ଏଭଳି ବିଶ୍ୱାସ ଏବେ ବି ଖୁବ୍ ବ୍ୟାପକ । ମାତ୍ର ଆଧୁନିକ ମନୋବିଜ୍ଞାନ, ସମାଜବିଜ୍ଞାନ ଓ ନୃବଂଶବିଜ୍ଞାନ ବା ନୃତତ୍ତ୍ୱ ଏ ଧାରଣାକୁ ଭ୍ରାନ୍ତବୋଲି ସାବ୍ୟସ୍ତ କରି ସାରିଲେଣି । ପ୍ରତ୍ୟେକ ସମାଜର ଭୌଗୋଳିକ ପରିସ୍ଥିତି, ଆର୍ଥିକ ବ୍ୟବସ୍ଥା, ସାମାଜିକ ରୀତିନୀତି, ଧର୍ମ ବିଶ୍ୱାସ, ପାରିବାରିକ ଚଳନ, ଶିଶୁ ପାଳନ ପଦ୍ଧତି ଆଦିର ପ୍ରଭାବରେ କିଭଳି ସେଥିର ପ୍ରତ୍ୟେକ ସଦସ୍ୟର ଚରିତ୍ର ଉପରେ କେତେଗୁଡ଼ାଏ ସମାନ ଧରଣର ଛାପ ପଡ଼ୁଛି ତାହାର ଯଥେଷ୍ଟ ପ୍ରମାଣ ଏସବୁ ବିଜ୍ଞାନ ମାଧ୍ୟମରେ ସଂଗୃହୀତ ହୋଇଛି । ପରିବେଶର ଏ ବିଭିନ୍ନ ଉପାଦାନଗୁଡ଼ିକ ବଦଳିଗଲେ କିପରି ଆଚରଣ ଓ ଚରିତ୍ର ମଧ୍ୟ ବଦଳିଯାଏ ତାହାର ମଧ୍ୟ ଉଦାହରଣ ଓ ପ୍ରମାଣର ଅଭାବ ନାହିଁ । ସାରକଥା ମଣିଷ ସ୍ୱଭାବ କୁକୁର ଲାଙ୍ଗୁଡ଼, ଏହାକୁ ସିଧା କରିବା ଅସମ୍ଭବ, ଏ ଧାରଣା ସେଇ ପୃଥିବୀକୁ ବାସୁଳୀ ମୁଣ୍ଡାଇବା କଥା ସାଙ୍ଗକୁ ଏକା ଗାତକୁ ଗଲାଣି ।

 

ପୁଣି ଆଧୁନିକ ବିଜ୍ଞାନ ଦର୍ଶାଉଛି ଯେ ମଣିଷର ମନ କେବଳ ବାହ୍ୟ ପରିସ୍ଥିତି ଓ ପ୍ରଭାବ ହାତରେ ବା ଅନ୍ତରର ପ୍ରବୃତ୍ତିପୁଞ୍ଜର ହାତରେ କ୍ରୀଡ଼ାପୁତ୍ତଳୀ ନୁହେଁ । ସେ ଏସବୁର ଜ୍ଞାନ ହାସଲ କରିପାରେ । ବାହ୍ୟ ପରିସ୍ଥିତି ଓ ଅନ୍ତରର ପ୍ରବୃତ୍ତିପୁଞ୍ଜ କି ଢଙ୍ଗରେ କାମ କରୁଛନ୍ତି, ଓ ଉଭୟର ପରସ୍ପର ଆତପ୍ରତିଯାତ କି ଢଙ୍ଗରେ ଘଟୁଛି, ତାହା ଅଧ୍ୟୟନ କରିପାରୁଛି ଓ ଏହି ଜ୍ଞାନ ବଳରେ ନିଜର ଆଚରଣ ଓ ଚରିତ୍ରକୁ ନିୟନ୍ତ୍ରଣ କରିବା ସମ୍ଭବ ହେଉଛି ।

 

ବୋଧହୁଏ ଆଧୁନିକ ମନୋବିଜ୍ଞାନର ସବୁଠାରୁ ମହତ୍ୱପୂର୍ଣ୍ଣ ଅବଦାନ ହେଲା ଏହି ଜ୍ଞାନ ଯେ, ମଣିଷର ମାନସିକ ଗଠନତନ୍ତ୍ର ଭିତରେ ଯେଉଁସବୁ ମୌଳିକ ଓ ଜନ୍ମଗତ ପ୍ରେରଣା ବା ପ୍ରବୃତ୍ତି ରହିଛି ସେ ସବୁକୁ ଭଲ ଓ ମନ୍ଦ ଏ ଦୁଇ ଶ୍ରେଣୀରେ ବାଣ୍ଟି ହେବ ନାହିଁ । ପ୍ରତ୍ୟେକ ସହଜାତ ପ୍ରବୃତ୍ତି ବିଭିନ୍ନ ପରିସ୍ଥିତି ଓ ବିଭିନ୍ନ ପ୍ରଭାବ ଅନୁସାରେ ନାନାବିଧ ରୂପ ଧରେ । ଏସବୁ ଭିତରୁ କେତେକ ରୂପ ବ୍ୟକ୍ତି ଓ ସମାଜ ପକ୍ଷରେ କଲ୍ୟାଣକର ହୁଏ ତ କେତେକ ଅକଲ୍ୟାଣକର । ସାଧାରଣତଃ ପ୍ରବୃତ୍ତିଗୁଡ଼ିକର ବିକୃତି ହିଁ ସବୁଠାରୁ ବେଶୀ ସମସ୍ୟା ସୃଷ୍ଟି କରିଥାଏ । ଏହାଛଡ଼ା କୌଣସି ଗୋଟିଏ ପ୍ରବୃତ୍ତି ଯେ ଅଲଗା, ଏକାଟିଆ କାମ କରିଥାଏ ଓ ବିକାଶ ଲାଭ କରିଥାଏ ତାହା ବି ନୁହେଁ । ମଣିଷର ମାନସିକ ରଚନା ଭିତରେ ଏସବୁ ପ୍ରବୃତ୍ତି ଓ ପ୍ରକ୍ରିୟା ପରସ୍ପର ଛନ୍ଦାଛନ୍ଦି ହୋଇ ରହିଛି ଓ କାମ କରୁଛି । ଗୋଟିକରେ କୌଣସି ଅଦଳବଦଳ ହେଲେ ତାହା ଅନ୍ୟକୁ ମଧ୍ୟ ପ୍ରଭାବିତ କରୁଛି । ସାଧାରଣତଃ ଏସବୁ ପରସ୍ପର ସାମଞ୍ଜସ୍ୟ ରଖି ଐକ୍ୟତାନରେ କାମ କଲେ ମଣିଷର ବ୍ୟକ୍ତିତ୍ୱ ସମଗ୍ରତା ଓ ସ୍ୱାସ୍ଥ୍ୟ ବଜାୟ ରହେ । ବିସଂବାଦ ସୃଷ୍ଟି ହେଲେ ବ୍ୟକ୍ତିତ୍ୱ ବିଖଣ୍ଡିତ ଓ ରୁଗ୍‌ଣ ହୋଇପଡ଼େ ।

 

ଉଦାହରଣ ସ୍ୱରୂପ କାମପ୍ରବୃତ୍ତି ବା ଯୌନତା ମନୁଷ୍ୟ ସ୍ୱଭାବର ଏକ ମୌଳିକ ଉପାଦାନ । ପୂର୍ବକାଳରୁ ଏହାକୁ ଏକ ରିପୁବୋଲି କହି ତାହା ପ୍ରତି ସାବଧାନ ରହିବାପାଇଁ ବହୁ ସତର୍କବାଣୀ ଶୁଣାଇ ଦିଆଯାଇଛି, ଯଦିଓ ଗୀତାରେ ମଧ୍ୟ କୁହାଯାଇଛି ‘ଧର୍ମାବିରୁଦ୍ଧୋ ଭୂତେଷୁ କାମୋଽସ୍‌ମି ଭରତର୍ଷଭ’ ଅର୍ଥାତ୍ ମୁଁ ଈଶ୍ୱର, ପ୍ରାଣୀମାନଙ୍କ ଭିତରେ ଥିବା ଧର୍ମର ଅବିରୋଧୀ କାମ । ଏବେ ଏକଥା ଦୃଢ଼ ଭାବରେ କୁହାଯାଇ ପାରେ ଯେ ଯୌନବୃତ୍ତି ମୂଳତଃ ଆଦୌ ଅନିଷ୍ଟକର ବା ପାପମୟ ନୁହେଁ । ଏହାର ସୁସ୍ଥ ପରିପ୍ରକାଶ ମଣିଷ ଜୀବନକୁ ପ୍ରେମମୟ ଓ ସୁନ୍ଦର କରିବାରେ ସାହାଯ୍ୟ କରେ । ଏହାକୁ ବିକୃତି ହିଁ କୁଟିଳ, ଅରୁଚିକର ଓ ସମାଜବିରୋଧୀ ରୂପ ଧରେ । ବିକୃତ ଯୌନ ପ୍ରବୃତ୍ତି ଯେ ମଣିଷକୁ ନାନାବିଧ ବିକୃତ ଯୌନ ପ୍ରଚେଷ୍ଟାରେ ପ୍ରବୃତ୍ତ କରାଏ ସେତିକି ନୁହେଁ, ଏକ ଧରଣର ବିକୃତି ତା'ର ଚରିତ୍ରରେ ନିଷ୍ଠୁରତା ଆଣିଦିଏ । ସେ ଅନ୍ୟକୁ ନାନା ପ୍ରକାର କଷ୍ଟ ଦେବାରେ ହିଁ ଆନନ୍ଦ ଉପଭୋଗ କରେ । ସେହିପରି ଆଉ ଏକ ବିକୃତି ଫଳରେ ବ୍ୟକ୍ତି ନିଜେ କଷ୍ଟ ପାଇବାରେ ଆନନ୍ଦଲାଭ କରେ ।

 

ସେହିପରି ଆକ୍ରମକ ବୃତ୍ତି ମଣିଷ ସ୍ୱଭାବର ମୌଳିକ ଉପାଦାନବୋଲି ଫ୍ରୟେଡ଼୍ ସାବ୍ୟସ୍ତ କରିଥିଲେ । ଏହି ବୃତ୍ତି ହିଁ ହିଂସା, ଯୁଦ୍ଧ, ସଂଘର୍ଷ ଆଦିରୂପେ ପ୍ରକାଶ ପାଏ । ଫ୍ରୟେଡ଼ଙ୍କ ପରବର୍ତ୍ତୀ କାଳରେଏ ବୃତ୍ତି ସମ୍ପର୍କରେ ବହୁତ ନୂତନ ତଥ୍ୟ ମିଳିଛି ଓ ଆଲୋକପାତ ହୋଇଛି ।

•••

 

ଜାତୀୟତା ଓ ଜଗନ୍ନାଥ ସଂସ୍କୃତି

କିଶୋରୀଚରଣ ଦାସ

 

ଆଲୋଚନା ଚକ୍ରର ଏହି ଶୀର୍ଷକଟିକୁ ସ୍ଥିର କଲାବେଳେ ନିଶ୍ଚୟ ଧରି ନିଆଯାଇଛି ଯେ, ଏ ଦୁଇଟି ମଧ୍ୟରେ ଗୋଟିଏ ବିଶେଷ ସମ୍ପର୍କ ରହିଛି, ଯାହା ପ୍ରତ୍ୟେକ ଭାରତୀୟକୁ ଜଣାଥିବ । ତେଣୁ ସମାଲୋଚନା ଚକ୍ରରେ କାମ ହେଲା ସେହି ସମ୍ପର୍କର ଦିଗ ବିଦିଗ ଆଲୋକିତ କରିବା, ଯେପରିକି ତାହା ଅଧିକ ସ୍ପଷ୍ଟ ହୋଇଉଠିବ ଏବଂ ତଦ୍ୱାରା ଆମେ ଅଧିକ ଉପକୃତ ହେବୁ, ବ୍ୟକ୍ତି ତଥା ଭାରତର ନାଗରିକ ହିସାବରେ ।

 

କିନ୍ତୁ ମୋର ନିବେଦନ ଯେ ଟିକିଏ ଅସୁବିଧା ଅଛି ଏମିତି ଭାବିବାରେ । କାରଣ ‘ଜାତୀୟତା' ଏକ ତଥ୍ୟମୂଳକ ଉଚ୍ଚାରଣ ଏବଂ ‘ଜଗନ୍ନାଥ ସଂସ୍କୃତି' ଏକ ଭାଗବତ ଅବବୋଧ, ତେଣୁ ଦୁଇଟିକୁ ମୂଳରୁ ସମାନ ସ୍ତରରେ ରଖି ହେଉନାହିଁ, ଯେପରିକି ଆମେ ଦୁଇଟିର ପାରମ୍ପରିକ ସମ୍ପର୍କ ବିଚାର କରି ବସିବା । ଜାତୀୟତା ନାମକ ତଥ୍ୟରେ ରହିଛି ଯେ (୧) ଭାରତ ପୃଥିବୀର ଏକ ନିର୍ଦ୍ଦିଷ୍ଟ ସୀମା ସରହଦ ବିଶିଷ୍ଟ ସ୍ୱାଧୀନ ଦେଶ ଯାହାର ସାର୍ବଭୌମତ୍ୱ ଆନ୍ତର୍ଜାତିକ ବିଧିବିଧାନର ସ୍ୱୀକୃତି ଲାଭ କରିଛି, ଏବଂ (୨) ଆମ ନିଜର ଏକ ସମ୍ବିଧାନ ରହିଛି ଯାହା ଆମ ରାଜନୈତିକ ସଙ୍ଗଠନର ରୂପରେଖକୁ ନିରୂପଣ କରିବା ଛଡ଼ା ତା'ପଛରେ ଥିବା ଆଦର୍ଶର ପରିଚୟ ଦିଏ । ସେହେତୁ ଆମେ ଏକ । ସେହେତୁ ଆମେ ଗୋଟିଏ ସୂତାରେ ଗୁନ୍ଥା । ଅନ୍ତତଃ ଆମେ ଭାରତୀୟ ଏବଂ ଏହି ଭାରତୀୟତା ହିଁ ଜାତୀୟତା ଯାହାକି ଏକ ନିଶ୍ଚିତ ଏବଂ ନିର୍ଦ୍ଧାରିତ ସତ୍ତାର ଗୁଣବାଚକ ବିଶେଷ୍ୟ (abstract noun) ।

 

ହେଲେ ମୋର ଆପତ୍ତି ହେଉଛି ଏଇ ଯେ ଜୀବନ୍ତ ନରନାରୀମାନଙ୍କୁ ନେଇ ସଂଗଠିତ ଯେ କୌଣସି ସତ୍ତାର ସୁଗୁଣବୋଲି କିଛି ନାହିଁ, ଯଦି ତାହା ଏକ ଭାବଗତ ଅବବୋଧ ହୋଇନଥାଏ ସେହି ମଣିଷମାନଙ୍କ ମନରେ । ଅର୍ଥାତ୍ ଜାତୀୟତା ଏକ କୃତ୍ରିମ ବସ୍ତୁବାଚକ ସଂଜ୍ଞା ଛଡ଼ା ଆଉକିଛି ନୁହେଁ ଯଦି ତା'ର ଅନୁଭବ-ଐକ୍ୟ, ଭ୍ରାତୃତ୍ୱ ଆଦିକୁ ନେଇ ଏକ ବିଶିଷ୍ଟ ଓ ବଳଶାଳୀ ଅନୁଭବ ଆସୁ ନ ଥାଏ ସେହି ଦେଶର ଥିବା ଲୋକମାନଙ୍କ ମନରେ । କିନ୍ତୁ ଜଗନ୍ନାଥ ସଂସ୍କୃତି କେଉଁ ଆଇନ୍ଦ୍ୱାରା ନିରୂପିତ ହୋଇନାହିଁ । ତାହା କେବଳ ଏକ ଆବେଗମୂଳକ ଭାବର ଅବବୋଧ, ଯାହାକୁ କେବଳ ସେହି ବୁଝିବ, ଯେ ସେହି ପ୍ରକାର ଭାବର ଅଧିକାରୀ ହୋଇପାରିଛି, ସେ ଓଡ଼ିଆ ହେଉ ବା ଅଣଓଡ଼ିଆ ।

 

ତେଣୁ ଜାତୀୟତା ଏବଂ ଜଗନ୍ନାଥ ସଂସ୍କୃତିକୁ ପାଖାପାଖି ରଖି ଦୁଇଟି ମଧ୍ୟରେ ଥିବା ସମ୍ପର୍କ ଖୋଜିବାକୁ ହେଲେ ପ୍ରଥମେ ‘ଜାତୀୟତା'କୁ ‘ଜାତୀୟତାବୋଧ'ରେ ପରିଣତ ହେବାକୁ ପଡ଼ିବ । ସେହି ଜାତୀୟତାବୋଧ ଯଦି ସତ ହୋଇଥାଏ, ସର୍ବସାଧାରଣ ଭାରତୀୟମାନଙ୍କ ମନରେ ଯଦି ପ୍ରକୃତରେ ଆସୁଥାଏ ଯେ ଆମେ ଏକ, ଆମେ ଭାଇ-ଭାଇ ଏବଂ ଆମର ଏହି ଏକତ୍ୱ ସ୍ୱତନ୍ତ୍ର ଏବଂ ଭିନ୍ନ, ତେଣୁ ତା'କୁ ଅଧିକରୁ ଅଧିକ ଶକ୍ତିଶାଳୀ କରିବା ଏକ ସ୍ୱୟଂସିଦ୍ଧ ଆବଶ୍ୟକତା ତା'ହେଲେ ନିଶ୍ଚୟ ପ୍ରଶ୍ନ ଉଠିବ ଯେ ଜଗନ୍ନାଥ ସଂସ୍କୃତି ସେ ଦିଗରେ ସହାୟକ ହୋଇପାରିବ କି ନାହିଁ ।

 

ଏହି ଭାବଗତ ଜାତୀୟତାବୋଧରେ ନାନାଦି ଉପାଦାନ ରହିଛି ଯାହା ଯେକୌଣସି ରାଜନୀତିବିଜ୍ଞାନର ଛାତ୍ର ଗୋଟି ଗୋଟି କରି ବଖାଣି ପାରିବ । ତେବେ ସେ ସମସ୍ତଙ୍କୁ ଏକାଠି କରି ସେଥିରେ ମୌଳିକ ଉପାଦାନଗୁଡ଼ିକ ଏହି ପ୍ରକାରବୋଲି ମୋର ମନେହୁଏ । (୧) ଆମର ଆକାର ପ୍ରକାର ପ୍ରାୟ ଏକାଭଳି, ଯେହେତୁ ଆମେ ନୃତତ୍ତ୍ୱ ଭିତ୍ତିକ ଏକ ଜାତିର ଲୋକ (୨) ଆମେ ପୃଥିବୀର ନିର୍ଦ୍ଦିଷ୍ଟ ସୀମା ସରହଦ ଭିତରେ ରହିଛୁ ଅନେକ ବର୍ଷ ହେଲା, ପୁରୁଷାନୁକ୍ରମେ, ତେଣୁ ଆମର ସମଷ୍ଟିଗତ ଇତିହାସ ପ୍ରାୟ ସମାନ (୩) ଆମେ ଏକା ଭାଷାରେ କଥା କହୁ, ଏକା ଭଳି ପୋଷାକ ପିନ୍ଧୁ, ଖିଆପିଆ କରୁ ଉତ୍ସବ ମନାଉ, ଇତ୍ୟାଦି । (୪) ଆମର ଧର୍ମ ଧାରଣା ଓ ବୁଦ୍ଧିବିଚାର ପ୍ରାୟ ଏକାଭଳି, ଏବଂ ବାରି ହୋଇଯାଏ ଅନ୍ୟମାନଙ୍କଠାରୁ ।

 

ଏହି କେତୋଟି ମାପକାଠି ପକାଇ ଦେଖିଲେ ଭାବିବାକୁ ପଡ଼େ ଯେ ଆମେ କ'ଣ ସତରେ ‘nation’ ଅର୍ଥରେ ଗୋଟିଏ ଜାତିର ଲୋକ ହେବାର ଯୋଗ୍ୟ, ଯେ ଆମେ ଗୋଟିଏ nation-state, ଜାତିଭିତ୍ତିକ ଦେଶ ଗଢ଼ି ବସିଛୁ ଏବଂ ତଦ୍‌ଜନିତ ଜାତୀୟତାକୁ ଅଧିକ ସୁନ୍ଦର କରିବାକୁ ଚାହିଁଛୁ ? ଆମର ଆକାର ପ୍ରକାର ଅନେକ ଭିନ୍ନ ପରସ୍ପରଠାରୁ ଏବଂ ସମାନତା ଅଛି କେବଳ ଗୋଟିଏ ଗୋଟିଏ ଅଞ୍ଚଳକୁ ନେଇ, କାରଣ ଆମେ କକେସିଆନ୍‌, ଅଷ୍ଟ୍ରୋଲଏଡ୍‌, ନିରୋଏଡ୍ ଆଦି ନାନାଜାତିଗତ (racial) ପୂର୍ବପୁରୁଷମାନଙ୍କଠାରୁ ସମ୍ଭୂତ ଯେଉଁମାନେ ଇତିହାସର ବିଭିନ୍ନ ସମୟରେ ଏଠାରେ ଆସି ରହିଛନ୍ତି । ଆମେ ବିଭିନ୍ନ ଭାଷାରେ କଥା କହୁ, ଏବଂ ଏଠି ମଧ୍ୟ ସମାନତା ଅଛି କେବଳ ଗୋଟିଏ ଗୋଟିଏ ଅଞ୍ଚଳକୁ ନେଇ । ବେଶଭୂଷା, ଖାଦ୍ୟପେୟ ଏବଂ ଆଚାରବ୍ୟବହାରର ବୈଷମ୍ୟ ଓ ସମାନତା ମଧ୍ୟ ତଦ୍ରୁପ ଏବଂ ଆମର ବିଭିନ୍ନ ଆଞ୍ଚଳିକ ଇତିହାସ ଯଥାବିଧି ସଂଯୁକ୍ତ ହୋଇପାରିଛି କେବଳ ବ୍ରିଟିଶ ଶାସନର ପରିପ୍ରେକ୍ଷୀରେ, ଯେତେବେଳେ ସେମାନେ ଆମକୁ ନାନା ଭାବରେ ଏକାଠି କରିବାକୁ ଚାହିଁଲେ ଶାସନର ସୁବିଧା ଦୃଷ୍ଟିରୁ (ଯଥା, ଇଂରାଜୀ ଭାଷା, ପାଶ୍ଚାତ୍ୟ ଶିକ୍ଷା ପଦ୍ଧତି, ରାସ୍ତା ରେଲ୍‌ର ସଂଯୋଗ ଇତ୍ୟାଦି) ଏବଂ ଆମେ ମଧ୍ୟ ଏକାଠି ହୋଇ ଲଢ଼ିଲୁ ତାଙ୍କ ସାଙ୍ଗରେ, ସ୍ୱାଧୀନ ହେବାପାଇଁ । ସେଇଠୁଁ ସ୍ୱାଧୀନତା, ଦେଶ ବିଭାଜନ, ସମ୍ବିଧାନ ଏବଂ ପଚାଶ ବର୍ଷର ପ୍ରଗତିକୁ ନେଇ ଆଜିର ଏହି ପରିସ୍ଥିତି । ଅର୍ଥାତ୍ ପ୍ରକୃତପକ୍ଷେ ଆମର ସମଷ୍ଟିଗତ ଇତିହାସର ଐକ୍ୟ ଆଂଶିକ ଏବଂ ବେଶୀଦିନର ନୁହେଁ । ବାକି ରହିଲା ଧର୍ମଧାରଣା ଓ ବୁଦ୍ଧିବିଚାର । ସେଥିରେ ଆମେ କେଉଁ ଭାବରେ ସମାନ ଏବଂ କେଉଁ ଭାବରେ ଭିନ୍ନ ପରସ୍ପରଠାରୁ ସେ ବିଷୟରେ ଅନେକ କିଛି କୁହାଯାଇପାରିବ । ତେବେ ଆଜିର ପରିସ୍ଥିତିକୁ ନେଇ ମୋଟାମୋଟି କହିଲେ ଭୁଲ୍ ହେବ ନାହିଁ ଯେ ଆମ ଭିତରେ ଥିବା ବୈଷମ୍ୟ ଏତେ ବେଶୀ ଏବଂ ଐକ୍ୟର ଲକ୍ଷଣ ଏତେ ଊଣା ଯେ ଟେକ୍ସଟବୁକ୍ ଅନୁଯାୟୀ ଆମେ ଗୋଟିଏ ନେସନ୍ ଅର୍ଥାତ୍ ରାଜନୈତିକ ଜାତି ହେବାର ଯୋଗ୍ୟ ନୋହୁଁ । କିନ୍ତୁ ଏହା ମଧ୍ୟ ସତ ଯେ ଆମେ ଜାଣିଶୁଣି ଓ ବୁଝିବିଚାରି ଏକ ନିର୍ଦ୍ଦିଷ୍ଟ ସୀମା ସରହଦ ଭିତରେ ଥିବା ଲୋକମାନଙ୍କୁ ନେଇ ସେହିପ୍ରକାର ଏକ ଜାତି ହେବାକୁ ସ୍ଥିର କରି ସାରିଛୁ ଆଜିକୁ ପଚାଶ ବର୍ଷ ତଳେ ଏବଂ ଆମର ସାମୂହିକ ସ୍ୱାର୍ଥ ଦୃଷ୍ଟିରୁ । ସେହେତୁ ବର୍ତ୍ତମାନର ବୈଷମ୍ୟକୁ ଦୂର କରି ଏବଂ ବର୍ତ୍ତମାନର ସାମଞ୍ଜସ୍ୟକୁ ବଢ଼େଇ, ଆମେ ଆମର ଜାତୀୟତାବୋଧକୁ ଅଧିକରୁ ଅଧିକ ବଳିଷ୍ଠ କରିବାକୁ ଚାହୁଁ, ତା'ର ଆପାତ ଦୁର୍ବଳତା ସତ୍ତ୍ୱେ, ଏହାହିଁ ଆମର କର୍ତ୍ତବ୍ୟ । ଯଥାର୍ଥ ଏକତ୍ୱକୁ ଅନେକ ଅନେକ ବର୍ଷ ହେଲା ଅନୁଭବ କରିଆସୁଥିବା ଅନ୍ୟାନ୍ୟ ଜାତୀୟ ଦେଶ (nation-state)ର ଅଧିବାସୀମାନଙ୍କ ତୁଳନାରେ ଏହି କାମଟା ଯେତେ କଠିନ ଏବଂ ସମୟ ସାପେକ୍ଷ ହେଉ ନା କାହିଁକି ।

 

ଅତ୍ୟନ୍ତ କଠିନ, ଏଥିରେ ସନ୍ଦେହ ନାହିଁ । କାରଣ ଅନ୍ୟତ୍ର ଯେଉଁ ପ୍ରକାର ବୈଷମ୍ୟ ଦେଖିବାକୁ ମିଳେ ନାହିଁ, ତାହା ମଧ୍ୟ ଏଠାରେ ଅଛି ଏବଂ ଆମର ଦୁଃଖକୁ ଆହୁରି ଦାରୁଣ କରିଦେଇଛି । ଏକାଧିକ ଭାଷା, ଏକାଧିକ ଧର୍ମ, ଏକାଧିକ ରେସ୍‌ର ସମିଶ୍ରଣ ହୁଏତ ଅନ୍ୟ କେତେ ଦେଶରେ ଦେଖିବାକୁ ମିଳେ । କିନ୍ତୁ ତା' ଉପରକୁ କେଉଁଠି ରହିଛି ଏତେ ଅନ୍ୟ ଧରଣର ‘ଜାତି', caste ଅର୍ଥରେ ଜାତିର ପ୍ରାଦୁର୍ଭାବ, ଏବଂ ତଦ୍‌ଜନିତ ବିଭେଦ ? ତଫସିଲଭୁକ୍ତ ବଣିଆ ଜାତି, ଅଛୁଆଁ ଜାତି, ପୁଣି ଛୁଆଁ ଜାତିଙ୍କ ମଧ୍ୟରେ ନାନା ପଛୁଆ ଜାତିମାନଙ୍କ ଜଳଜଳ ଚେହେରା, ଯାହା ଆମ ସାମ୍ବିଧାନିକ ଆଦର୍ଶର ବିରୋଧୀ, ହେଲେ ଏକ ନିରାଟ ସାମାଜିକ ସତ୍ୟ ? ସେତିକିରେ ସରିଲା ନାହିଁ । ଏହି ସମସ୍ତ ବିଭେଦ ଉପରେ ଲଦି ହୋଇ ପଡ଼ିଥିବା ଅନ୍ୟ ଏକ ବିକଟ ବିଭେଦ । ଶ୍ରେଣୀଗତ । ମଳିମୁଣ୍ଡିଆ ଓ ଧୋବଧାଉଳିଆଙ୍କ ଭିତରେ ଯେଉଁ ତାରତମ୍ୟ ରହିଛି ଆମ ଦେଶରେ, ତାହା ପ୍ରତ୍ୟକ୍ଷ ଏବଂ ଅନସ୍ୱୀକାର୍ଯ୍ୟ ।

 

ଆଉ ଗୋଟିଏ ବିଚିତ୍ର କଥା । ଏହି ସମସ୍ତ ବିଭେଦକୁ ଯଥାକ୍ରମେ ଲୋପ କରି ଦେବା ହେଉଛି ଆମ ସମ୍ବିଧାନର ରାଜନୌତିକ ପ୍ରତିଶ୍ରୁତି । କିନ୍ତୁ ଲୋପ କରିଦେବା ପୂର୍ବରୁ ସେହି ସମସ୍ତ ବିଭେଦରେ ବିପନ୍ନ ହୋଇଥିବା ପ୍ରାଣୀମାନଙ୍କୁ ଜୀଆଇଁ ଦେବାକୁ ପଡ଼ୁଛି । ଅନେକ ଅନେକ ବର୍ଷ ହେଲା ସେମାନେ ମୃତପ୍ରାୟ ହୋଇ ରହିଥିଲେ । ପୁରୁଷାୟିତ, ଉଚ୍ଚଜାତିଆଣ, ବଡ଼ଲୋକି, ତଥା ସାଆନ୍ତିଆ ପ୍ରଭୁମାନଙ୍କ ପ୍ରଭୁତ୍ୱକୁ ମାନିନେଇ । କିନ୍ତୁ ସ୍ୱାଧୀନତାର ହାଉଆରେ ସେମାନେ ତାଙ୍କ ଅଧିକାର ବିଷୟରେ ସଚେତନ ହେଲେଣି ଏବଂ ତାଙ୍କ ପାଟି ଫିଟିଲାଣି । ତେଣୁ ସେମାନେ କହୁଛନ୍ତି ଯେ ଆମର ଅସ୍ତିତ୍ୱକୁ ସ୍ୱୀକାର କର ଏବଂ ସେହି ଅନୁଯାୟୀ ଆମକୁ ଆମର ପ୍ରାପ୍ୟ ଯୋଗାଇ ଦିଅ । ସେହି ବିଦ୍ରୋହର ମୁକାବିଲା କରିବାକୁ ଯାଇ ସହଜେ କହି ହେଉ ନାହିଁ- କିଓ, ତମ ଆମ ଭିତରେ କୌଣସି ବିଭେଦ ନାହିଁବୋଲି ଆମେ ବିଚାର କରୁଛୁ ପରା ? ତେଣୁ ତା'କୁ ଅସ୍ୱୀକାର କରିବା ଉଚିତ ନୁହେଁ କି ? କିନ୍ତୁ ସେମାନେ କହୁଛନ୍ତି ଯେ ନା, ଆଗେ ତା'କୁ ସ୍ୱୀକାର କର । ଆମକୁ ଆମର ଆତ୍ମସମ୍ମାନ ଫେରାଇ ଦିଅ । ଆମର ଗୋଟାଏ ମୁଣ୍ଡ ଥିବାର ସମ୍ମାନ, ତା'ଠାରେ ଯାଇ ମୁଣ୍ଡବଥାର ଅବବୋଧ, ଏବଂ ସେଇଠୁ ଯାଇଁ ତାକୁ ଆରୋଗ୍ୟ କରିବାକୁ ଉପାୟ-। କିନ୍ତୁ ଭୟ ହୁଏ ଯେ ମୁଣ୍ଡବଥାର ଗାରିମା ବଢ଼ାଇବାଦ୍ୱାରା ତା'ର ଆରୋଗ୍ୟ ଉପଚାର ପଛେଇ ଯିବ । କାରଣ ଚେଇଁ ଉଠିଥିବା ବିଦ୍ରୋହୀ ସତ୍ତାଗୁଡ଼ିକ ନିଜ ନିଜର ସ୍ୱତନ୍ତ୍ର ଆତ୍ମପ୍ରତିଷ୍ଠାକୁ ବଜାୟ ରଖିବାକୁ ଚାହିଁବେ । ଫଳରେ ଭେଦ-ବିଭେଦର ମାତ୍ରା ଏବଂ ଉଗ୍ରତା ବଢ଼ିବ ପଛେ କମିବ ନାହିଁ । ଏହି ପରିପ୍ରେକ୍ଷୀରେ ବିଶ୍ୱବିଖ୍ୟାତ ଔପନ୍ୟାସିକ ଭି.ଏସ୍‌. ନାଏପଲ୍‌ଙ୍କ ବିଚାର ମନେପଡ଼ୁଛି-। ତାଙ୍କ ପୂର୍ବପୁରୁଷମାନେ ଭାରତରୁ ଆସିଥିଲେ, ତେଣୁ ଆଜିର ଭାରତବର୍ଷ ପ୍ରତି ତାଙ୍କର ଏକପ୍ରକାର ପ୍ରେମ-ଘୃଣା ଭାବ ରହିଛିବୋଲି ଅନୁମାନ କରାଯାଏ, ଯାହା ତାଙ୍କର ‘‘A wounded civilisation’’ ନାମକ ବହିରେ ପ୍ରତିଫଳିତ ହୋଇଛି । କିନ୍ତୁ ସେ ଏବେ ତାଙ୍କର ଗୋଟିଏ ବହି ‘‘A million mutinias now’’ରେ ଖୁସି ହେଲା ପରି ଲେଖିଛନ୍ତି ଯେ ଯାହା ହେଉ ଭାରତ ଜାଗି ଉଠୁଛି, ତେଣୁ ଦେଶର ଏକାଧିକ ଅବହେଳିତ ଅବଦମିତ ଜାତିଭୁକ୍ତ ଓ ଶ୍ରେଣୀଭୁକ୍ତ ମଣିଷମାନେ ମଧ୍ୟ ଜାଗିଉଠିଛନ୍ତି, ଯାହା ସେ ପୁଣି ଥରେ ଭାରତକୁ ଆସି ଅନୁଭବ କରି ପାରିଛନ୍ତି ଏବଂ ସେହି ‘ଲକ୍ଷ ବିଦ୍ରୋହ'ର ବିସ୍ଫୋରଣ ସତତ ନମସ୍ୟ । ଅବଶ୍ୟ ସେ ଆଶା ପ୍ରକାଶ କରିଛନ୍ତି ଯେ ଚିନ୍ତା ନାହିଁ, ଏହି ବିସ୍ଫୋରଣ ଆପେ ଆପେ ବିଲୀନ ହୋଇଯିବ, ବିଦ୍ରୋହ ଶାନ୍ତ ହୋଇଯିବ । କିନ୍ତୁ ବର୍ତ୍ତମାନପାଇଁ ଏହି ବିଦ୍ରୋହଲୀଳା ଏକ ଅପରୂପ ଏବଂ ଉପଭୋଗ୍ୟ ଦୃଶ୍ୟ । ସେଇଥିପାଇଁ ଭୟ ହୁଏ । କେତେଦିନ ଦେଖୁଥିବା ଏଇ ଦୃଶ୍ୟ, ଏବଂ ବସେଇ ରଖିଥିବା ଆମର ନିତାନ୍ତ ଜରୁରୀ ଜାତୀୟତାବୋଧର ଅନୁଭବ, ଯାହା ମୁଖ୍ୟତଃ ଐକ୍ୟ ଏବଂ ଭ୍ରାତୃଭାବ ଉପରେ ପ୍ରତିଷ୍ଠିତ ହେବାକୁ ବାଧ୍ୟ ?

 

ଆମର ଜାତୀୟତାକୁ ନେଇ ଗୋଟିଏ ପରସ୍ପର-ବିରୋଧୀ ଶବ୍ଦର ସଂଯୋଜନା ପ୍ରସ୍ତୁତ ହୋଇ ରହିଛି, ଏବଂ ତାହା ଏକ ଦୁହାରେ ପରିଣତ ହେଲାଣି । ‘‘unity in diversity’’ ଅର୍ଥାତ୍ ବିଭିନ୍ନତାକୁ ନେଇ ଆମର ଏକତା । ହେଲେ କହିବା ବାହୁଲ୍ୟ ଯେ ଦୁହେଁ ସମାନ ଆସନର ଅଧିକାରୀ ହେଲେ ଚଳିବ ନାହିଁ । ବାସ୍ତବ ଏକତ୍ୱବୋଧ ଆସିବ ନାହିଁ, ଯେତେଦିନ ଯାଏଁ ଐକ୍ୟର ଆଧିପତ୍ୟ କେବଳ ବୌଦ୍ଧିକ ସ୍ତରରେ ନୁହେଁ, ଆମର ହୃଦୟଗତ ଅନୁଭବରେ ସ୍ୱୀକୃତ ନ ହୋଇଛି-

 

ସେହେତୁ ମାନିବାକୁ ପଡ଼ିବ ଯେ (୧) ଗୋଟିଏ ଜାତିଭିତ୍ତିକ ଦେଶର ନାଗରିକମାନଙ୍କଠାରୁ ଯାହା ଆଶା କରାଯାଏ, ତା' ତୁଳନାରେ ଆମର ଜାତୀୟତାବୋଧ ଅତ୍ୟନ୍ତ ଦୁଃସ୍ଥ ଓ ଦୁର୍ବଳ, ସ୍ୱାଧୀନତା ଲାଭ କରିବାର ପଚାଶବର୍ଷ ପରେ ମଧ୍ୟ । (୨) ଏହି ଦୁଃସ୍ଥତା ଓ ଦୁର୍ବଳତା ଯେ ଆପେ ଆପେ ଦୂର ହୋଇଯିବ, ଏଭଳି ଆଶା ପୋଷଣ କରିବା ଏକ ବିଡ଼ମ୍ବନା । (୩) ଆମକୁ ବିଶେଷ ନିଷ୍ଠା ଏବଂ ଅଧ୍ୟବସାୟ ସହିତ ଐକ୍ୟଭାବକୁ ବଢ଼ାଇବାକୁ ହେବ,ଏବଂ ବୈଷମ୍ୟର ଭାବକୁ ଦୂର କରିବାକୁ ପଡ଼ିବ । ଏହାଛଡ଼ା ଅନ୍ୟ ଉପାୟ ନାହିଁ ।

 

କିନ୍ତୁ ଐକ୍ୟଭାବକୁ କେମିତି ବଢ଼େଇବାକୁ ହେବ ? ଏହାର ସହଜ ଉତ୍ତର ଯେ ଆମ ଭିତରେ ଯେଉଁ ପ୍ରକାର ସାମଞ୍ଜସ୍ୟ ରହିଛି, ତା' ଉପରେ ଗୁରୁତ୍ୱ ଦେଇ ବିଭିନ୍ନତାକୁ ଗୌଣବୋଲି ମଣିବାକୁ ପଡ଼ିବ । ଯଥା ଆମର ବେଶଭୂଷା, ଖାଦ୍ୟପେୟ ଆଦି ଆଚାର ବ୍ୟବହାର ମଧ୍ୟରେ ଥିବା ସମତ୍ୱକୁ ଭାରତୀୟତାବୋଲି କହି ତା'ର ପ୍ରଦର୍ଶନ ଓ ପ୍ରସାର ଦିଗରେ ବିଶେଷ ଚେଷ୍ଟା କରିବାକୁ ପଡ଼ିବ । ବିଶେଷତଃ ଲୋକସଂସ୍କୃତିରେ ଥିବା ସାମଞ୍ଜସ୍ୟ, ଯଥା- ଚକୁଳିଆ ପଣ୍ଡାର ଗୀତ ଓ ବାଉଲ୍ ଗାୟନ, କୁଚିପୁଡ଼ି ଓ ଓଡ଼ିଶୀ, ବିହୁ ଓ ଭାଙ୍ଗ୍‌ରା ଇତ୍ୟାଦି ।

 

ଏ ସମସ୍ତ କାର୍ଯ୍ୟ କରାଯାଉଛି ନାନା ସରକାରୀ ଏବଂ ବେସରକାରୀ ଅନୁଷ୍ଠାନର ଜରିଆରେ, ଏଥିରେ ସନ୍ଦେହ ନାହିଁ । କିନ୍ତୁ ତା'କୁ ଆହୁରି ବ୍ୟାପକ ଓ ବଳିଷ୍ଠ କରିବାକୁ ହେବ । ହେଲେ ମୋର ଏଠି କହିବା କଥା ଯେ ଏହି ସମସ୍ତ ଆଚାର ବ୍ୟବହାର ଏବଂ ଗଣ ମନୋରଞ୍ଜନ ସମତ୍ୱ ଯେତେହେଲେ ବାହ୍ୟିକ, ତେଣୁ ପ୍ରକୃତ ଜାତୀୟତାବୋଧ କେବଳ ତା' ଉପରେ ପ୍ରତଷ୍ଠିତ ହୋଇପାରିବ ନାହିଁ । ଶକ୍ତ ମୂଳଦୁଆ ଯୋଗାଇପାରିବ କେବଳ ଜାତୀୟତାବୋଧର ଉପରୋକ୍ତ ଚତୁର୍ଥ ଉପାଦାନ ଏବଂ ତାହା ହେଉଛି ଜାତିର ମାନସିକତା । ଅର୍ଥାତ୍ ଯେତେବେଳେ ଆମର ମନେ ହେବ ଯେ ଆମର ସାମଗ୍ରିକ ଧର୍ମ ଧାରଣା ଓ ତଦ୍‌ଜନିତ ବୁଦ୍ଧିବିଚାରକୁ ନେଇ ଏକ ପାରମ୍ପରିକ ମାନସିକତା ରହିଛି । ଯାହାର ରଙ୍ଗରୂପ ବିଶ୍ୱର ଅନ୍ୟାନ୍ୟ ଜାତିମାନଙ୍କଠାରୁ ଭିନ୍ନ । ତେଣୁ ସେହି ରଙ୍ଗରୂପକୁ ଭଲ ଭାବରେ ଚିହ୍ନି ଓ ଚିହ୍ନାଇ, ଏବଂ ତା'ର ଉତ୍କର୍ଷର ଅବବୋଧକୁ ହୃଦୟ ଭିତରେ ଥାପି ଦେଇପାରିଲେ, ଆମର ଏହି ପ୍ରସାଦ ଘରଟିଏ ହୋଇ ତିଷ୍ଠି ରହିବ, ଏବଂ କାଳକାଳକୁ । ଏହା ମୋର ଦୃଢ଼ ବିଶ୍ୱାସ ।

 

‘‘National Integration in Indian Literature’’ ଶୀର୍ଷକ ଏକ ରାଜ୍ୟସ୍ତରୀୟ ସେମିନାର୍‌ରେ ମୋତେ କିଛି କହିବାକୁ ପଡ଼ିଥିଲା ଏବଂ ସେତେବେଳେ ମୁଁ ଏହି ମାନସିକତା ଉପରେ ଗୁରୁତ୍ୱ ଦେଇ କହିଥିଲି ଯେ ଯଥାର୍ଥରେ ଏହା ହିଁ ଭାରତୀୟତା The Indian way of thought ଯାହା ଆମ ସାହିତ୍ୟରେ ପରିସ୍ଫୁଟ । ପ୍ରାଚୀନ କାଳରୁ ଆଜିଯାଏଁ-। ଯାହା ଚିହ୍ନାଇଦିଏ ଯେ ଆମେ ଭାରତୀୟ ଏବଂଏହା ଭାରତୀୟ ସାହିତ୍ୟ । ମୋ' ବିଚାରରେ ତା'ର ମୁଖ୍ୟ ସ୍ୱର କେତୋଟି ଏହି ପ୍ରକାର :

 

(୧) ସ୍ରଷ୍ଟା ଏବଂ ତାଙ୍କଦ୍ୱାରା ସୃଷ୍ଟ ସମସ୍ତ ସତ୍ତା ପ୍ରତି ଏକ ବ୍ୟାପକ ଭକ୍ତିଭାବ । ସେହି ଭକ୍ତିଭାବରେ ଆମେ ସମସ୍ତେ ଅଛୁ । ବ୍ରାହ୍ମଣ ହେଉ ବା ଚଣ୍ଡାଳ, ଧୋବଧାଉଳିଆ ହେଉ ବା ମଳିମଣ୍ଡିଆ, ପଞ୍ଜାବୀ ହେଉ ବା ମାଲୟାଲୀ । ଯେଉଁଥିପାଇଁ କାହା ଦେହରେ ଗୋଡ଼ ବାଜିଗଲେ ଆମ ହାତ ଛାଏଁ ଛାଏଁ କପାଳକୁ ଉଠିଆସେ ‘ବିଷ୍ଣୁ' କହିବା ଲାଗି । ଯେ ମୋର ଏଇ ଦୋଷ କ୍ଷମା କର ପ୍ରଭୁ ! ମୁଁ ସେଇ ଲୋକର ଅବମାନନା କଲି ନାହିଁ, ତା' ଭିତରେ ଥିବା ବିଷ୍ଣୁତ୍ୱର ଅବମାନନା କଲି । ମୋର ଭଗବାନ କେବଳ ବିଗ୍ରହରେ ନାହାନ୍ତି, ସେ ଅଛନ୍ତି ସବୁଠିଁ, ତାଙ୍କ ଜଗତର ପ୍ରତ୍ୟେକ ବସ୍ତୁରେ, ତେଣୁ ସଭିଏଁ ମୋର ନମସ୍ୟ ।

 

କେବଳ ମଣିଷ ନୁହେଁ, ପ୍ରକୃତିର ବିଭିନ୍ନ ରୂପ ଓ ସେଥିରେ ପ୍ରାଣଶକ୍ତି ମଧ୍ୟ ଆମର ନମସ୍ୟ । ଦ୍ରୁମଦାରୁ, ଆକାଶ ପବନ, ନଦୀ ସମୁଦ୍ର, ପାହାଡ଼ ପର୍ବତ ଓଗେର । ଏଇଠି ଆମର ଜଣେ ବିଶିଷ୍ଟ କଥାକାର ଶାନ୍ତନୁ ଆଚାର୍ଯ୍ୟଙ୍କର ଗୋଟିଏ ପୁରୁଣା ଗଳ୍ପର ଉଦାହରଣ ଦେଲେ ଭଲ ହେବ । ଗଳ୍ପର ନାମ ‘ହୃଦ-କୋଲପ’ । ଗୋଟିଏ ଦକ୍ଷିଣମୁଖୀ ଟ୍ରେନ୍‌ରେ ଯାଉଥିବା ସହଯାତ୍ରୀମାନଙ୍କ କଥା । ସେମାନେ ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକ । ଦୈବାତ୍ ଏକାଠି ହୋଇଛନ୍ତି, କିନ୍ତୁ ବେଶଭୂଷା ଆଚାର ବ୍ୟବହାରରେ ଆକାଶ ପାତାଳ ପ୍ରଭେଦ । କିଏ ସୁଟ୍ ପିନ୍ଧା ତ କିଏ ଧୋତି ଚାଦର ପିନ୍ଧିଛି, କିଏ ମାଛମାଂସ ଖାଇବାକୁ ଭଲ ପାଏ ତ କିଏ ଆମିଷ ଭକ୍ଷଣର ଅପଦୃଶ୍ୟ ସହ୍ୟ କରିପାରେ ନାହିଁ ଏବଂ କିଏ ପଶ୍ଚିମା ତ କିଏ ତେଲେଙ୍ଗା । କିନ୍ତୁ ଗାଡ଼ି ଯେତେବେଳେ ଗୋଦାବରୀ ନଈର ପୋଲ ଉପରେ ଚାଲିବାକୁ ଲାଗିଲା, ଏବଂ ଜଣେ ଅଣ୍ଟାରୁ ପଇସାଟିଏ କାଢ଼ି ‘ଗଙ୍ଗାଶ୍ଚ ଗୋଦାବରୀଶ୍ଚ, ନର୍ମଦେ, ସିନ୍ଧୁକାବେରୀ...’ କହି ତାକୁ ନଦୀ ଗର୍ଭରେ ଫିଙ୍ଗି ଦେଲା ପିତୃପୁରୁଷଙ୍କ ତର୍ପଣ କରିବା ଲାଗି । ଅନ୍ୟ ସମସ୍ତେ ମଧ୍ୟ ସେଇ କାମଟିକୁ କରିବାକୁ ଚାହିଁଲେ ଏବଂ ତମ୍ବା ପଇସାଟିଏ ମଗାମଗି ହେଲେ । ଯେମିତିକି ସେମାନେ କହୁଛନ୍ତି ଯେ ଆମର ସଂସାରୀ କାରବାର ଯେତେ ଭିନ୍ନ ହେଉ ପଛେ ପରସ୍ପରଠାରୁ, ଆମ ଗଙ୍ଗା କ'ଣ ଭିନ୍ନ ଗୋଦାବରୀଠାରୁ ? ନା ଆମର ପିତୃପୁରୁଷମାନେ ଏକାଠି ରହିନାହାନ୍ତି କେଉଁ ସ୍ୱର୍ଗରେ, ସେ ପୁଣ୍ୟ ଗୋଦାବରୀ ଜଳରେ ନିକ୍ଷିପ୍ତ ଆମର ଏଇ ସାମାନ୍ୟ ହେଲେ ହୃଦୟଗତ ଅର୍ଘ୍ୟଟିକୁ ଅସ୍ୱୀକାର କରିବେ ?

 

ଏହା ହିଁ ଭାରତୀୟତା । ଧର୍ମ ଧାରଣା ମାଧ୍ୟମରେ ଏକ ଅନନ୍ୟ ଏକତ୍ୱ ଓ ସମତ୍ୱର ଅବବୋଧ ।

 

(୨) ଦ୍ୱିତୀୟରେ ଏକ ସ୍ୱଧର୍ମ ପରାୟଣତା, ଯାହା ପୂଜା ଉପଚାରର ଧର୍ମଠାରୁ ଭିନ୍ନ, ଉଭୟ ଶାସ୍ତ୍ର ସମ୍ଭୂତ ହୋଇଥିଲେ ମଧ୍ୟ ଯେଝାଯେଝାର କର୍ତ୍ତବ୍ୟ ଅର୍ଥରେ ଧର୍ମ । ରାଜଧର୍ମ, କ୍ଷାତ୍ର ଧର୍ମ, ପତ୍ନୀଧର୍ମ, ଇତ୍ୟାଦି । ରାମାୟଣର ରାମ ବାରମ୍ବାର କହି ଆସିଛନ୍ତି ଯେ ‘ଭାବନା ସେ କର୍ତ୍ତବ୍ୟ ଉଂଚା ହୈ’ ଅର୍ଥାତ୍ ଯେ କୌଣସି ପରିସ୍ଥିତିରେ ତମ ଭାବଭାବନା ତମକୁ ଯାହା କହୁ ପଛେ, ତମକୁ ତମର ସ୍ୱଧର୍ମ ପାଳନ କରିବାକୁ ହେବ । ପରିବାରରେ ତଥା ସମାଜରେ ତମର ଭୂମିକା ସୁନିଷ୍ଠ, ଏବଂ ତମକୁ ତାହା ନିଭେଇବାକୁ ପଡ଼ିବ, ନିଷ୍ଠାର ସହିତ । ଏବଂ ଯଦି ତାହା ଠିକ୍ ଭାବରେ କରାଯାଏ, ତା'ହେଲେ ଦ୍ୱନ୍ଦ୍ୱ ଓ କନ୍ଦଳର ଅବକାଶ କାହିଁ ? କିଏ ବଡ଼, ଆଉ କିଏ ଛୋଟ-? କିଏ ସ୍ୱାଧୀନ, ଆଉ କିଏ ପରାଧୀନ ? କହିବା ବାହୁଲ୍ୟ ଯେ ଏହି ଆଦିମ କର୍ତ୍ତବ୍ୟପରାୟଣତାର ପରମ୍ପରା ଆମ ଭିତରେ ଥିବା ଜାତିଗତ, ଗୋଷ୍ଠୀଗତ ଏବଂ ଲିଙ୍ଗଭେଦଗତ ବୈଷମ୍ୟକୁ ମଧ୍ୟ ଦୃଢ଼ୀଭୂତ କରିଛି । ସେଇଥିଯୋଗୁଁ ସେହି ବୈଷମ୍ୟର ଶିକାର ହୋଇଥିବା ପ୍ରାଣୀମାନେ ଆଜି ବିଦ୍ରୋହ କରି ଉଠିଛନ୍ତି । ଆମ ସାହିତ୍ୟରେ ମଧ୍ୟ ସେହି ବିଦ୍ରୋହ ପ୍ରତିଫଳିତ ହୋଇଆସିଛି, କିନ୍ତୁ ସାହିତ୍ୟ କ୍ୱଚିତ ସେଥିକୁ ଆଖି ବୁଜି ଦେଇପାରିଛି ।

 

କାରଣ ଏହାହିଁ ଭାରତୀୟତା । ନିର୍ଦ୍ଦିଷ୍ଟ କର୍ତ୍ତବ୍ୟର ଜାଲରେ ଛନ୍ଦାଛନ୍ଦି ହୋଇଥିବାର ସଂସ୍କାର, ଯାହାର ଆଭିମୁଖ୍ୟ କଳୁଷିତ ହୋଇଗଲା, କିନ୍ତୁ ଯାହା ଯଥାର୍ଥରେ ଏକତ୍ୱ ଓ ସମତ୍ୱର ଭାବ ଆଣିଦେଇ ପାରିଥାଆନ୍ତା । ତେଣୁ ପ୍ରଶ୍ନ ଉଠେ, ଯେ ତା'ର ପ୍ରଥମ ପ୍ରତିଶ୍ରୁତିକୁ କ'ଣ ଫେରାଇ ଆଣି ହୁଅନ୍ତା ନାହିଁ, ଯେମିତିକି ତାହା ଆଧୁନିକ ଅତି ପାରସ୍ପରିକ ସମାଜର କାମରେ ଆସି ପାରିବ-?

 

(୩) ତୃତୀୟରେ ଆମେ ସମସ୍ତେ ଅମୃତର ସନ୍ତାନ । ହଁ, ଏଇ ଜୀବନରେ ଅନେକ ଦୁଃଖକଷ୍ଟ ସହିବାକୁ ପଡ଼ୁଛି । ‘କର୍ମ କଷଣ ଦେହ ସହେ, ଅରଣ୍ୟେ ଅଜଗର ପ୍ରାୟେ' । କିନ୍ତୁ ପଥ ଶେଷରେ ଅମୃତ, ସୁଡ଼ଙ୍ଗ ଶେଷରେ ଆଲୁଅ । ମର୍ତ୍ତ୍ୟରେ ହେଉ କି ସ୍ୱର୍ଗରେ ମିଳନ ଅଥବା ମୋକ୍ଷ ପ୍ରତ୍ୟେକ କାହାଣୀର ଶେଷକଥା । ସଂସ୍କୃତ ସାହିତ୍ୟରେ ଟ୍ରାଜେଡିବୋଲି ଗୋଟାଏ ଜିନିଷ ନ ଥିଲା-। ଯେଉଁଠି ବା ଅଛି, ସେଠି ମରଣୋତ୍ତର ସ୍ୱର୍ଗର ସୂଚନା ମଧ୍ୟ ରହିଛି । ସହଜେ ଆଧୁନିକ ବିଜ୍ଞାନୀ ଲେଖକ ଏଭଳି ଏକ ତୁଚ୍ଛା ଆଶାବାଦକୁ ଗ୍ରହଣ କରିପାରି ନାହିଁ । କିନ୍ତୁ ମାନିବାକୁ ପଡ଼ିବ, ସେ ତାକୁ ଆଡ଼େଇ ଦେଇ ପାରି ନାହିଁ । ତା' ସାଙ୍ଗରେ ଲଢ଼େଇ କରିଛି । କେତେବେଳେ ତା' ଚରିତ୍ର ବିଶେଷ ହାରିଛି ବା ଜିତିଛି ସେକଥା ଭିନ୍ନ, କିନ୍ତୁ ଏହି ବୈକ୍ତିକ ତଥା ସାମାଜିକ ଅବଶ୍ୟମ୍ଭାବୀ ଶେଷକଥା ତା'ର ମାନସିକତାରେ ଭୂତ ହୋଇ ରହିଛି ।

 

କାରଣ ଏହା ହିଁ ଭାରତୀୟତା । ଏବେ ଯଦି ଆମେମାନେ ସମସ୍ତେ ପଥିକ, ଯୁଗ ଯୁଗ ଧରି ବାହାରିଛୁ କେଉଁ ଅମୃତର ଅନ୍ୱେଷଣରେ ଯାହା ଅବଶ୍ୟ ମିଳିବ ଆମକୁ, ତା'ହେଲେ କିଏ ବଡ଼ ଆଉ କିଏ ଛୋଟ ଆମ ଭିତରେ ? ଏହା ମଧ୍ୟ ଏକ ଅନନ୍ୟ ଏକତ୍ୱ ଓ ସମତ୍ୱର ଅବବୋଧ, ଆଧୁନିକ ବାସ୍ତବବାଦୀର ଦୃଷ୍ଟିରେ ତାହା ଯେତେ ମନଭୁଲାଣିଆ ହେଉ ପଛକେ ।

 

ଏହି ପ୍ରକାର ମନୋଭାବକୁ ବ୍ୟାପକ ଅର୍ଥରେ ‘ହିନ୍ଦୁତ୍ୱ' କହିଲେ ଭୁଲ୍ ହେବ ନାହିଁ । କିନ୍ତୁ ଏଥିରେ ହିନ୍ଦୁଧର୍ମର ଉଚ୍ଚ-ନୀଚ ଭେଦବିଭେଦର ଦୁଃଖଦ ଇତିହାସ ନାହିଁ । ଏଥିରେ ଅଛି ଏକ ପ୍ରାଚୀନ ଏବଂ ଅବିଚ୍ଛେଦ୍ୟ ଦାର୍ଶନିକତା ଯାହା ହିନ୍ଦୁର ବାହ୍ୟିକ ଧର୍ମାଚରଣଠାରୁ ଊର୍ଦ୍ଧ୍ୱରେ ଏବଂ ଅନେକ ସମୟରେ ତା'ର ବିରୋଧୀ ।
 

ଯେପରିକି ଶ୍ରୀଜଗନ୍ନାଥ କେବଳ ହିନ୍ଦୁଧର୍ମର ଅନ୍ୟତମ ଦେବତା ନୁହଁନ୍ତି । ସେ ମଧ୍ୟ ସେହି ଦାର୍ଶନିକତାର ପ୍ରତୀକ ଯେଉଁଥିରେ ସାମ୍ୟ ଓ ମୈତ୍ରୀଭାବ ଅଙ୍ଗାଙ୍ଗୀଭୂତ ହୋଇରହିଛି । ଏହି ଦାର୍ଶନିକତାରେ ଅନେକ ଘୁଣ ଧରିଲାଣି ଏବଂ ନାନା ଭାବରେ ତାକୁ ଅସ୍ତ୍ରରୂପେ ବ୍ୟବହାର କରାଯାଇଛି ନାନା ସାମାଜିକ ଅତ୍ୟାଚାରର ସପକ୍ଷରେ । କିନ୍ତୁ ମୋ' ମତରେ ଜଗନ୍ନାଥ ତତ୍ତ୍ୱରେ ରହିଛି ଉପରୋକ୍ତ କୋତୋଟି ସ୍ୱତନ୍ତ୍ର ଗୁଣ ବିଶିଷ୍ଟ ଭାରତୀୟତାର ଅମଳିନ ଏବଂ ଶାଶ୍ୱତ ରୂପ ଏବଂ ମୋର ମନେହୁଏ ଯେ ସେହି ଜଗନ୍ନାଥ ସଂସ୍କୃତିର- ଆଚରଣ ଭୁକ୍ତ ସଂସ୍କୃତି ନୁହେଁ, ତାତ୍ତ୍ୱିକ ଓ ଦାର୍ଶନିକ ସଂସ୍କୃତିର ଅବବୋଧ ଯଦି ଆସିପାରନ୍ତା ଆମ ମନରେ, ତା'ହେଲେ ଜାତୀୟତାବୋଧ ଗୋଟିଏ କଷ୍ଟସାଧ୍ୟ ପ୍ରଚେଷ୍ଟା ହୋଇ ରହନ୍ତା ନାହିଁ । ଆମ ଅସ୍ଥିମଜ୍ଜାରେ ଚରିଯାଆନ୍ତା ତା'ର ଅନୁଭବ ଏବଂ ପ୍ରତ୍ୟେକ କ୍ଷେତ୍ରରେ କାମ ଦିଅନ୍ତା । କିନ୍ତୁ କ'ଣ ଏହି ଜଗନ୍ନାଥ ସଂସ୍କୃତି ? ମୁଁ ସମାଜତତ୍ତ୍ୱର ଛାତ୍ର ନୁହେଁ, ଜଗନ୍ନାଥ ସଂସ୍କୃତିର ଗବେଷଣା କରିଥିବା ଦୂରର କଥା । ତେଣୁ ମୁଁ ଏହି ସଂସ୍କୃତିର କୌଣସି ଚମତ୍‌କାରୀ ନୂଆ ତଥ୍ୟ ବାଢ଼ି ଦେଇ ପାରିବି ନାହିଁ ଆପଣମାନଙ୍କ ସାମ୍‌ନାରେ । ମାତ୍ର ଲେଖକଟିଏ କିନ୍ତୁ ଲେଖକ ହିସାବରେ ମୁଁ ଅନୁମାନ କରିଛି ଏବଂ ଅନୁଭବ କରିଛି ଏହାର ପ୍ରଭାବ । ଯେଉଁଥିପାଇଁ ମୁଁ ଅନ୍ୟତ୍ର କହିଛି ଯେ ଆଧୁନିକ ଓଡ଼ିଆ ସାହିତ୍ୟରେ କେଉଁ ବିପ୍ଳବୀ କବି ସତ୍ୟାନାଶୀ ହୋଇପାରି ନାହିଁ କି ବାସ୍ତବବାଦୀ କଥାକାର ଅଶ୍ଳୀଳତାର ପାଖ ମାଡ଼ିବି ନାହିଁ, କାରଣ ଜଗନ୍ନାଥ ତା'ର ସାମୂହିକ ଅଚେତନରେ ଗାଦି ମାଡ଼ି ବସିଛନ୍ତି । ମୋର ଅନୁମାନ ଭୁଲ୍ ହୋଇପାରେ, କିନ୍ତୁ ଅନୁଭବକୁ ଅସ୍ୱୀକାର କରିବି କେମିତି ତାହା ଯେତେ ସାମାନ୍ୟ ହେଉ ପଛେ ?

 

ଯାହାହେଉ ଗୋଟାଏ ପ୍ରଶ୍ନ ଆସୁଛି ନିଶ୍ଚୟ ଆମ ସମସ୍ତଙ୍କ ମନରେ ଯେ ଦେବାଦେବୀ ବହୁଳ ଭାରତ ବର୍ଷରେ କେବଳ ଏହି ଦେବତାଟି କେମିତି ଏଭଳି ଏକ ଅଧିକାର ଜମେଇଛନ୍ତି ଆମ ଉପରେ, ଯାହାର ମୂଳକଥା ହେଲା ସାମ୍ୟ ଓ ମୈତ୍ରୀ ଓ ଶେଷକଥା ହେଲା ଭାରତୀୟତା? ଏହି କୌତୂହଳ ମୋତେ ପ୍ରଚୋଦିତ କରୁଛି ଏ ବିଷୟରେ କିଛି କହିବା ଲାଗି ବିଭିନ୍ନ ଗବେଷକଙ୍କଦ୍ୱାରା ନିର୍ଣ୍ଣୀତ କେତୋଟି ତଥ୍ୟକୁ ଏକାଠି କରି ।

 

(୧) ଜଗନ୍ନାଥ ଅନ୍ୟମାନଙ୍କ ପରି ଶାସ୍ତ୍ର ପୁରାଣର ଦେବତା ନୁହଁନ୍ତି । ସେ ହେଉଛନ୍ତି ଇତିହାସର ‘ଠାକୁର' । ସେ ପ୍ରଥମେ ଆସିଥିଲେ ଆଦିବାସୀଙ୍କର ଠାକୁର ହୋଇ, ତା'ପରେ ହେଲେ ହିନ୍ଦୁମାନଙ୍କ ଠାକୁର, ଯାହାଙ୍କ ଉପରେ ବୌଦ୍ଧ, ଶୈବ, ଶାକ୍ତ, ବୈଷ୍ଣବ ଆଦି ବିଭିନ୍ନ ବିଚାର, ବିଶ୍ୱାସ ଓ ଧର୍ମର ବୋଳ ବୋଳା ହୋଇଛି । ତେଣୁ କହିଲେ ଭୁଲ୍ ହେବ ନାହିଁ ଯେ ‘ଇତିହାର ଆବଶ୍ୟକତା ଭିତରୁ ଜଗନ୍ନାଥ' ଯାହା ଗବେଷକ ଗୁରୁଚରଣ ପଟ୍ଟନାୟକ କହିବାକୁ ଚାହାଁନ୍ତି । କିନ୍ତୁ ଏଇ ପରିବର୍ତ୍ତନଶୀଳ ଐତିହାସିକତାକୁ ନେଇ ତାଙ୍କ ମୌଳିକ ଚରିତ୍ର କ’ଣ ବଦଳି ଯାଇଛି, ଯାହା ସେ ପାଇଛନ୍ତି ଆଦି ଆର୍ଯ୍ୟ ସଭ୍ୟତାର ସକାଳ ସୂର୍ଯ୍ୟଠାରୁ ? ସେହି ସ୍ୱୟଂସିଦ୍ଧ ସତ୍ୟର ଜ୍ୟୋତି, ଯେ ଆମେ ଯାହା କିଛି କରିବା, ଶସ୍ୟର ଉତ୍ପାଦନ ହେଉ ବା ପ୍ରକୃତି ଶକ୍ତିର ଉଦ୍‌ବୋଧନ, ସେସବୁକୁ ଏକାଠି ଓ ମିଳିମିଶି କଲେ ଯାଇଁ ଆମ ସମସ୍ତଙ୍କୁ ହିତ ? ମନେହୁଏ ସେ ଏବେ ମଧ୍ୟ ଏହି ଜ୍ୟୋତିର ଅଧିକାରୀ । ତେଣୁ ଏହି ଇତିହାସର ଠାକୁରଙ୍କୁ ଆମେ ଆବାହନ କରୁଛୁ, ଆଜିର ଦୁର୍ଦ୍ଦିନରୁ ଆମକୁ ଉଦ୍ଧାର କରିବା ଲାଗି । ନହେଲେ ମିଛୁଟାରେ କ'ଣ ଆର୍ତ୍ତତ୍ରାଣ ବୋଲାଉଛନ୍ତି ?

 

(୨) ଭାରତୀୟର ଭକ୍ତିପ୍ରବଣତା ବିଷୟରେ ତ କହିଛି ପୂର୍ବରୁ । ଭଗବାନଙ୍କ ସମସ୍ତ ସର୍ଜନା ପ୍ରତି ଏକ ବ୍ୟାପକ ଭକ୍ତିଭାବ, ଯେହେତୁ ଭଗବାନ୍ ଏକ ଅଦ୍ୱୈତ ଅବିଚ୍ଛିନ୍ନ ସତ୍ତା, ଏବଂ ଏହି ସତ୍ତା ତାଙ୍କ ସକଳ ସର୍ଜନାରେ ବିଦ୍ୟମାନ । ଯାହାକୁ ଧର୍ମ ଦର୍ଶନର ଆନ୍ତର୍ଜାତିକ ଅଭିଧାନରେ Panthesic monism ସାର୍ବଭୌମ ଏକେଶ୍ୱରବାଦବୋଲି କୁହାଯାଏ । ଏହା ମଧ୍ୟ ଆଜି ହିନ୍ଦୁର ଧାରଣା, ଯାହାକୁ ପରେ ଦାର୍ଶନିକ ସାଜ ପିନ୍ଧେଇ ଦିଆଗଲା । ଏହେତୁ ଗୋଡ଼ ବାଜିଗଲେ ‘ବିଷ୍ଣୁ' କହିବା କଥା, ଏବଂ ଗୋଦାବରୀ ନଈରେ ପଇସାଟିଏ ପକେଇଲେ ପିତୃପୁରୁଷ ଉଦ୍ଧାର ହୁଅନ୍ତି । ତେଣୁ ଯେଉଁ ନିର୍ଜୀବ ବସ୍ତୁ ଭିତରକୁ ଭଗବାନଙ୍କୁ ‘ଆଗଚ୍ଛ' ବୋଲି ଡାକିବ କ'ଣ ମ? ସେ ତ ପୂର୍ବରୁ ଅଛନ୍ତି ତା'ଭିତରେ! ସେ ହେଉଛନ୍ତି ଦାରୁଦେବତା । କୁହାଯାଏ ଯେ ଜଗନ୍ନାଥ ଶବ୍ଦଟିଏ ମଧ୍ୟ ପାଲି କି ସଂସ୍କୃତରୁ ଆସିନାହିଁ, ତାହା ଶବର ଭାଷାରେ ବ୍ୟବହୃତ ‘ଜଗନ୍ତ' ଶବ୍ଦରୁ ଆସିଛି । ଯେଉଁ ବୃକ୍ଷକୁ ସେମାନେ ‘ଜଗନ୍ତ'ବୋଲି କୁହନ୍ତି, ତା'କୁ କାଟନ୍ତି ନାହିଁ । ତାଙ୍କର ବିଶ୍ୱାସ ସେ ‘କିଦୁଙ୍ଗ୍‌' (ଦେବତା) ସେଥିରେ ଅଛି । ଏହି ଦାରୁବ୍ରହ୍ମର ପରିକଳ୍ପନା ଆଉ କେଉଁ ବିଗ୍ରହର ଉପସ୍ଥାପନାରେ ରହିଛି ? ଏବଂ ଏଥିରେ ମୂଳରୁ ଯେଉଁ ପ୍ରକୃତି ଉପାସନାର ଭାବାବେଗ ଦେଖିବାକୁ ମିଳେ ତାହା ମଣିଷ-ପ୍ରକୃତି ସମନ୍ୱୟର ଏକ ଅତ୍ୟାଧୁନିକ ଆଦର୍ଶ, ଏବଂ ମଣିଷ-ମଣିଷ ସାମ୍ୟଭାବରୁ ବଳି ଏକ ଜାଗତିକ ଐକ୍ୟର ପ୍ରତୀକବୋଲି କହିଲେ କ'ଣ ଭୁଲ୍ ହେବ ?
 

(୩) ବଡ଼ ଠାକୁରଙ୍କ ଘରେ ଯେଉଁ ସାମ୍ୟଭାବ ରହିଛି, ତା'ର ପ୍ରତ୍ୟକ୍ଷ ସ୍ୱରୂପ ତ ସମସ୍ତଙ୍କୁ ଜଣା । ମହାପ୍ରସାଦରେ ଜାତିଭେଦ ନାହିଁ । ଆଚାଣ୍ଡାଳ ସମସ୍ତେ ଏକା ସାଙ୍ଗରେ ଭୋଜନ କରିପାରନ୍ତି ଏବଂ ଜଣେ ଚାହିଁଲେ, ହାତ ବଢ଼େଇଲେ ଅନ୍ୟ ଜଣକର ନାହିଁ କରିବାର ପ୍ରଶ୍ନ ଉଠୁନାହିଁ । ଜଣେ ଗବେଷକ କହିଛନ୍ତି ଯେ ଏଥିରେ ମଧ୍ୟ ଆଜି ଶ୍ରେଣୀବିହୀନ ସମାଜର ଏ ବିଶିଷ୍ଟ ତତ୍ତ୍ୱର ସୂଚନା ମିଳେ, ଯାହାକୁ ଆମେ ପୁଣି ଫେରାଇ ଆଣିବାକୁ ଚାହୁଁଛୁ । କାରଣ ଏହି ପ୍ରଥା ଜଣାଇ ଦିଏ ଯେ ସେହି ସମାଜରେ କୌଣସି ଆହାରୀ ଅନାହାରୀର ପ୍ରଶ୍ନ ନ ଥିଲା । ଜଣେ ଖାଇଲାବେଳେ ଅନ୍ୟ ଜଣେ ଉଦାସ ରହିନପାରେ । ଏହା ଏକ ଅତ୍ୟନ୍ତ ଅସ୍ୱାଭାବିକ ଏବଂ ଅସୁନ୍ଦର କଥା ଯାହା ଆଧୁନିକ ଯୁଗର ସମସ୍ତ ମହାମନିଷୀମାନେ ବିଭିନ୍ନ ସ୍ୱରରେ କହି ଆସିଛନ୍ତି- ମାର୍କ୍ସଙ୍କଠାରୁ ଆରମ୍ଭ କରି ମହାତ୍ମା ଗାନ୍ଧୀ, ଏପରିକି ତଥାକଥିତ ‘ସ୍ୱାଧୀନ ବିଶ୍ୱ'ର ପୁରୋଧା ଫ୍ରାଙ୍କଲିନ୍ ରୁଜ୍‌ଭେଲ୍ଟ, ଯେ କହିଲେ ଯେ ଅଭାବ ଭୋଗୁଥିବା ମଣିଷ କେବେହେଲେ ସ୍ୱାଧୀନ ହୋଇପାରେ ନାହିଁ । ତେଣୁ ଜଗନ୍ନାଥ ସଂସ୍କୃତିର ଏହି ସର୍ବଜନବିଦିତ ହେଲେ ଅନନ୍ୟ ଉପଚାରଟି ଜଣାଇଦିଏ ଯେ ସମସ୍ତେ ସମାନ ଏବଂ ଏକ । ଜଣେ ସମସ୍ତଙ୍କପାଇଁ ଏବଂ ସମସ୍ତେ ଜଣଙ୍କପାଇଁ ।

 

(୪) ଆମେ ସମସ୍ତେ ତାଙ୍କ ସେବାକାରୀ । ସେହି ସେବାର ପରିପ୍ରେକ୍ଷୀରେ ପ୍ରତ୍ୟେକର ନିର୍ଦ୍ଦିଷ୍ଟ ଭୂମିକା ରହିଛି । ଠାକୁର ରଜା, ଯେ ରଥରେ ଛେରା ପହଁରା କରି ତାଙ୍କ ଚଣ୍ଡାଳ ପଣିଆର ମାହାତ୍ମ୍ୟକୁ ତାଙ୍କ ଅହଂକାରୀ ଶ୍ୱଶୁର କାଞ୍ଚିରାଜାଙ୍କ ଆଖିରେ ଆଙ୍ଗୁଳି ଗେଞ୍ଜି ଚିହ୍ନାଇଦେଲେ, ତାଙ୍କଠାରୁ ଆରମ୍ଭ କରି ଯେତେକ ପଣ୍ଡା ପଢ଼ିଆରୀ, ଦଇତାପତି ମାଳୀ କର୍ମକାର ଆଦି ସେବକ, ଏବଂ ରଥଦଉଡ଼ିକୁ ଧରି ଟାଣୁଥିବା ଲକ୍ଷଲକ୍ଷ ଭକ୍ତଙ୍କ ଯାଏଁ । ତେଣୁ ସମସ୍ତେ ଯେତେବେଳେ ସେବକ, ତା'ହେଲେ ଏଇ ଭୃତ୍ୟବର୍ଗଙ୍କ ଭିତରେ କାହାକୁ ବଡ଼ ଆଉ କାହାକୁ ସାନବୋଲି କହିବା ? ସମସ୍ତେ ନିଜ ନିଜର ସ୍ୱଧର୍ମ ପାଳନ କରୁଛନ୍ତି, ଏହି ସେବାଧର୍ମକୁ ନେଇ । ତେଣୁ ୟାଙ୍କ ଭିତରେ ଉଚ୍ଚନୀଚର ଭେଦଭାବ ଖୋଜି ବସିବା ନିତାନ୍ତ ହାସ୍ୟାସ୍ପଦ ନୁହେଁ କି ?

 

(୫) ହଁ, ସେ ଆମର ଠାକୁର । ତା'ବୋଲି ସେ ଆମଠାରୁ ଭିନ୍ନ ବା କ'ଣ ମ ? ସେ ଆମରି ଦେବତା ଏବଂ ଆମେ ତାଙ୍କରି ମଣିଷ । ଅତଏବ ଏକ ସବିଶେଷ ଅନ୍ତରଙ୍ଗତା ଆମ ଭିତରେ । ମଣିଷ ଦେବତା ଭିତରେ ଥିବା ଏହି ପ୍ରକାର ସମତା, ଘନିଷ୍ଠ ଆତ୍ମୀୟତା, ଜଗନ୍ନାଥଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ଦେବାଦେବୀଙ୍କ ଠାରେ ନାହିଁ । ସକାଳେ ଉଠିଲା ମୁହୂର୍ତ୍ତରୁ ରାତିରେ ଶୋଇଲା ପର୍ଯ୍ୟନ୍ତ ସେ ଠିକ୍ ମଣିଷ ଭଳି ଚଳନ୍ତି, ନିତ୍ୟକର୍ମ କରନ୍ତି । ଶୀତଦିନେ ତାଙ୍କୁ ଶୀତ ଲାଗେ, ଘୋଡ଼େଇ ହୁଅନ୍ତି । ଖରାଦିନେ ଗରମ ହୁଏ, ଚନ୍ଦନ ଯାତ୍ରା କରନ୍ତି । ସ୍ନାନ ପରେ ଜ୍ୱର ହୁଏ, ଅଣସର ଘରେ ରହି ପଥିପାଚନ ଖାଆନ୍ତି । ଏପରିକି ଶେଷରେ ତାଙ୍କର ‘ମୃତ୍ୟୁ' ଘଟେ । ତାଙ୍କର ଜ୍ଞାତି ଭାଇ ପୁଣି କୌଣସି ଦେବତା ନୁହଁନ୍ତି, ମଣିଷ, ଦଇତା ଭାଇ, ଯେଉଁମାନେ ତାଙ୍କୁ ଶ୍ମଶାନକୁ ନିଅନ୍ତି । କାନ୍ଦନ୍ତି ତାଙ୍କପାଇଁ, ପୁଣି ଶୁଦ୍ଧ ହୁଅନ୍ତି । ତହୁଁ ଏକ ନବକଳେବର । ହିନ୍ଦୁଧର୍ମର କେଉଁ ଦେବତା ଏତେ ଅନ୍ତରଙ୍ଗ ହୋଇପାରିଛି ମଣିଷର ?

 

ଏତେ ଅନ୍ତରଙ୍ଗ ଯେ ଆମେ ତାଙ୍କୁ ଚିଡ଼ଉ, ଛିଗୁଲେଉ, ରାଗୁ ତାଙ୍କ ଉପରେ---କାଳିଆ, ମୋତେ କାହିଁକି ଏତେ ହୀନସ୍ତା କରୁଛୁ ? ଛପନ ଭୋଗଖିଆ ପେଟୁଆ ତୋ ନିଦ କ'ଣ ଭାଙ୍ଗିବ ନାହିଁ ? ମୁଁ ତ ଚାରି ଦଉଡ଼ି କାଟି ସାରିଲିଣି, ତୁଛାଟାକୁ ମୋତେ ଡରେଇଲେ କ'ଣ ଲାଭ ମିଳିବ ତୋତେ ? ଇତ୍ୟାଦି ଇତ୍ୟାଦି । ନାନା ମାର୍ମିକ ବେଦନାର ସ୍ୱର, ଯାହାକି କେବଳ ଜଣେ ଅତି ନିଜ ଲୋକ ବୁଝିବ । ଏହି ସମସ୍ତ ଅନୁଭବକୁ ନେଇ ଏକ ଅନରୂପ ଆଧ୍ୟାତ୍ମିକତା, ଯାହା ମାନବଧର୍ମ ଉପରେ ପ୍ରତିଷ୍ଠିତ । ଯେଉଁ ମାନବଧର୍ମର ମୂଳକଥା ହେଲା ଏଇ ଯେ ମଣିଷ ଜାତିର ମଙ୍ଗଳ ହିଁ ପରମ ଧର୍ମ । ଯେଉଁ ମଣିଷ ଜାତି ସହଜେ ଏକ, ତା'ର ପଶୁପକ୍ଷୀ, ଧନଧାନ୍ୟ ଦିଅଁ ଦେବତାଙ୍କୁ ନେଇ ।

 

କିନ୍ତୁ ସବୁଠାରୁ ମଜା କଥା ହେଉଛି ଯେ ଏହି ମାନବୀୟ ଏକତାର ପ୍ରତୀକ କେଉଁ ମଣିଷ ପରି ଦିଶନ୍ତି ନାହିଁ । ଆଖି ବୁଜିଲେ କେଉଁ ଶାନ୍ତ ସସ୍ମିତ ବାପା କି ମାଆର ଚେହେରା ଦିଶିଯାଏ ନାହିଁ, ଯାହା ତମ ମନରେ ସାନ୍ତ୍ୱନା ଆଣିଦେବ । କେବଳ ଯୋଡ଼ାଏ ଚକା ଆଖି ! ଜଳ ଜଳ ହୋଇ ଦିଶୁଥିବା ଯୋଡ଼ାଏ ଆଖି, ଜାଗ୍ରତ ଓ ଜୀବନ୍ତ । ସତେକି ଜଗନ୍ନାଥ ଆଉକିଛି ନୁହେଁ, ତମ ନିଜର ସଚେତନତା ।

 

ଗବେଷକ ନ ହୋଇ ମଧ୍ୟ ଅନେକ କିଛି କହିହେବ ଏହି ଜଗନ୍ନାଥ ସଂସ୍କୃତି ଉପରେ, ଯାହା ଭାରତର ଅନ୍ୟ ଦେବଦେବୀଙ୍କ ମାହାତ୍ମ୍ୟଠାରୁ ଭିନ୍ନ ଏବଂ ଆଦି କାବ୍ୟ ସଭ୍ୟତାର ଆଭିମୁଖ୍ୟକୁ ନେଇ ଏକ ଅପୂର୍ବ ସାମ୍ୟ, ସଂପ୍ରୀତି ଏବଂ ଏକତ୍ୱବୋଧର ଅଙ୍ଗୀକାର । କିନ୍ତୁ ଏହା ମଧ୍ୟ ମାନିବାକୁ ପଡ଼ିବ ଯେ ଆମେ ଏହି ସଂସ୍କୃତିର ଯୋଗ୍ୟ ଦାୟାଦ ହୋଇପାରିନାହୁଁ । ହୁଏତ ତା'ର କିଛିଟା ପ୍ରଭାବ ପଡ଼ୁଛି ଆମ ଉପରେ, ଆମର ସାହିତ୍ୟ ଉପରେ ଏବଂ ଆମର ଚାଲିଚଳଣ ଓ ଗତିବିଧି ଉପରେ, ଯେଉଁଥିପାଇଁ ଜାତିଆଣ ସଂଘର୍ଷର ଜଘନ୍ୟ ରୂପ ତଥାପି ଦେଖାଦେଇ ନାହିଁ ଓଡ଼ିଶାରେ । କିନ୍ତୁ ଏଇ କ'ଣ ଯଥେଷ୍ଟ ? ଅପରନ୍ତୁ ଆମେ ଅଦ୍ୟାବଧି ନାନା ଭେଦଭାବର ଆଚରଣ କରୁଛୁ, ଅନ୍ତତଃ ତା'କୁ ପ୍ରଶ୍ରୟ ଦେଉଛୁ ଏବଂ ଅନେକ କ୍ଷେତ୍ରରେ ସେହି ହିନ୍ଦୁ ଧର୍ମର ଆଳରେ, ଯାହାର ଘୋର ବିରୋଧୀ ଏହି ଜଗନ୍ନାଥ ସଂସ୍କୃତି ।

 

ଜାତୀୟତାବୋଧର ଉଷ୍ମ ଏବଂ ଅନ୍ତରଙ୍ଗ ଅନୁଭବ କ'ଣ ଆସନ୍ତା ନାହିଁ ସମସ୍ତ ଭାରତୀୟଙ୍କ ମନରେ, ଯଦି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା ଅଧିକରୁ ଅଧିକ ଚହଟି ଯାଆନ୍ତା ଆମ ଜାତୀୟ ଜୀବନରେ ? ଚକାଡୋଳିଆ ସଚେତନତା କ'ଣ ଏତିକି ସୁ-ବୁଦ୍ଧି ଦେଇପାରୁ ନାହିଁ ଆମକୁ, ଯେ ଧର୍ମ ହେଉ ବି ଧର୍ମ ନିରପକ୍ଷ ଅର୍ଥନୀତି ରାଜନୀତି ଓ ସମାଜନୀତି, ଏହି ସଂସ୍କୃତିର ଅନୁବାଦ ଏବଂ ଅନୁଶୀଳନ ହିଁ ଲୋଡ଼ା ଆମର ଜାତୀୟତାକୁ ଏକ ଯଥାର୍ଥ ଏବଂ ଅନୁଭୂତ ସତ୍ୟରେ ପରିଣତ କରିବା ଲାଗି ?

 

କେବଳ ଆଶା କରିବା କଥା ଯେ ଯେହେତୁ ଭେଦଭାବଜନିତ ଜାତୀୟ ସଂକଟ ଅଧିକରୁ ଅଧିକ ବିକଟ ହୋଇ ଉଠୁଚି, ଏହି ସଂସ୍କୃତିର ବାର୍ତ୍ତା ମଧ୍ୟ ଜରୁରୀ ହୋଇ ଉଠିବ ଏବଂ ଆମେ ଯାହା ପାରିଲୁ ନାହିଁ, ତାହା ଆମ ପୁଅଝିଅ ନାତି ନାତୁଣୀଙ୍କଦ୍ୱାରା ସମ୍ଭବ ହୋଇପାରିବ ।

•••

 

ଆଭିମୁଖ୍ୟର ଅବକ୍ଷୟ

ଗୁରୁଚରଣ ପଟ୍ଟନାୟକ

 

ସାହିତ୍ୟ ଯଦି ନିର୍ଦ୍ଦିଷ୍ଟ ସାମାଜିକ ଅବସ୍ଥାର ପ୍ରତିଫଳନ ହୁଏ ତେବେ ସାହିତ୍ୟକୁ ଅବକ୍ଷୟରୁ ମୁକ୍ତ କରିବାକୁ ହେଲେ, ସେହି ନିର୍ଦ୍ଦିଷ୍ଟ ଭୌତିକ, ସାମାଜିକ ଅବସ୍ଥାର ପରିବର୍ତ୍ତନ ଲୋଡ଼ା । ସେହି ସାମାଜିକ ପରିବର୍ତ୍ତନ ଲାଗି ଲଢ଼ିବାକୁ ହେବ । ସେମିତି ସାହିତ୍ୟିକ ବିଚାର, ଯଦି ସାମାଜିକ ବିକାଶକୁ ପ୍ରଭାବିତ, ତ୍ୱରାନ୍ୱିତ କରୁଥାଏ, ତେବେ ସମାଜରୁ ଅବକ୍ଷୟକୁ ଦୂର କରିବାକୁ ହେଲେ ସାହିତ୍ୟକୁ ଦୃଷ୍ଟି ଓ ବିଚାରରେ ଅନୁରୂପ ପରିବର୍ତ୍ତନ ଆବଶ୍ୟକ । ତେଣୁ ସାହିତ୍ୟ ରାଜ୍ୟରେ ସେଥିଲାଗି ଲଢ଼ିବାକୁ ହେବ । ଯେହେତୁ ଏ ଦୁହେଁ ଅଙ୍ଗାଙ୍ଗୀଭାବେ ଜଡ଼ିତ, ଏକକୁ ଦେଖିଲାବେଳକୁ ଅନ୍ୟପ୍ରତି ଆଖି ବୁଜି ଦିଆଯାଇ ନ ପାରେ, ତେଣୁ ଦୁହେଁ ଏକଇ ସଂଗ୍ରାମରେ ଅବିଚ୍ଛେଦ୍ୟ ଅଙ୍ଗ ।

 

ପ୍ରଥମତଃ, ସଂସାରଟା କସ୍ମିନକାଳେ କେବଳ ଅବକ୍ଷୟକୁ ନେଇ ଚାଲିନାହିଁ । ଏ ବିଶ୍ୱ, ପ୍ରକୃତି, ମଣିଷ,ସମାଜ, ସାହିତ୍ୟ କେହି କୌଣସି ଯୁଗରେ କେବଳ ଅବକ୍ଷୟର ଆଧାର ନୁହନ୍ତି । ସେମାନେ ମଧ୍ୟ ଅଭିବୃଦ୍ଧିର ସଂବାହକ । କ୍ଷୟ ଓ ବୃଦ୍ଧି ଏକ ଦ୍ୱନ୍ଦ୍ୱାତ୍ମକ ପ୍ରକ୍ରିୟା, ତାହାହିଁ ସୃଷ୍ଟି ଓ ବିକାଶର ଅବିଶ୍ରାନ୍ତ ପ୍ରବାହ । ସେଇ ପ୍ରବାହ ଭିତରେ ପୁରାତନ କ୍ଷୟପ୍ରାପ୍ତ ହୋଇ ଲୋପ ପାଏ- ନୂତନ ଜନ୍ମ ନେଇ ବୃଦ୍ଧିଲାଭ କରେ । ପ୍ରତ୍ୟେକ କ୍ଷେତ୍ରରେ ନୂତନ ଓ ପୁରାତନ, ବୃଦ୍ଧି ଓ କ୍ଷୟର ଅବିରାମ ସଂଘର୍ଷ ହେଉଛି ବିକାଶର ଅପରିହାର୍ଯ୍ୟ ନିୟମ । ପ୍ରତ୍ୟେକ ଅବକ୍ଷୟ କାଳରେ, ସୃଷ୍ଟି ଓ ଅଭିବୃଦ୍ଧିର ଅଙ୍କୁର ଯେପରି ବିଦ୍ୟମାନ, ପ୍ରତ୍ୟେକ ଅଭିବୃଦ୍ଧି ଭିତରେ ଅବକ୍ଷୟର ବୀଜ ସେହିପରି ଲୁକ୍‌କାୟିତ । ଏଠାରେ ଏକାଡେମୀର ସଭାପତିଙ୍କ ଦୃଷ୍ଟି କ୍ଷୟିଷ୍ଣୁ ଓ ମୃତ୍ୟୁମୁଖୀ ତାକୁ ଆଶ୍ରାକରିବାର ପ୍ରବଳ ଆକାଙ୍‌କ୍ଷା ନେଇ ସେ ଭବିଷ୍ୟତ ପ୍ରତି ଆଶାଶୂନ୍ୟ- ଏଣୁ ‘କାହାପାଇଁ ଲେଖୁଛୁ'- ଏହି ରୋଗର ଯନ୍ତ୍ରଣା ଅନୁଭବ କରିଛନ୍ତି, କିନ୍ତୁ ଉପଶମର ବାଟ ଖୋଜି ନାହାନ୍ତି ।

 

ଅଥଚ, ବାଟ ଅତି ପରିଷ୍କାର, ଯେହେତୁ ଅବକ୍ଷୟ ଓ ଅଭିବୃଦ୍ଧି ଆଜି ପ୍ରତ୍ୟେକଙ୍କ ଆଖି ଆଗରେ କେବଳ ସ୍ପଷ୍ଟ ନୁହେଁ, ତାହା ପ୍ରତ୍ୟେକ ଲୋକକୁ, ଆଉ ଦେଶର ଜୀବନକୁ ଦିନ-ପ୍ରତିଦିନ ଆଘାତ ଦେବାରେ ଲାଗିଛି । ଆଜି ଦୁନିଆରେ ସମାଜବାଦ ଓ ପୁଞ୍ଜିବାଦ ଛଡ଼ା ଆଉ କ'ଣ ତୃତୀୟ ପନ୍ଥା ଅଛି ? ଦୁନିଆରେ ପ୍ରତ୍ୟେକ ବିଷୟ, ଏଇ ଦୁଇ ବ୍ୟବସ୍ଥା, ଦୁଇ ମତ, ନୀତିର ସଂଘର୍ଷଦ୍ୱାରା ନିୟନ୍ତ୍ରିତ । ଏହା ପ୍ରତ୍ୟେକ କ୍ଷେତ୍ରରେ ପ୍ରକାଶ ପାଏ । ସାହିତ୍ୟ ସେଥିରୁ ବହିର୍ଭୂତ ନୁହେଁ । ଏହି ଦୁଇଙ୍କ ମଧ୍ୟରେ ସମାଜବାଦ ବ୍ୟବସ୍ଥା- ତା'ର ଧ୍ୟାନ ଧାରଣା ଓ ମତାଦର୍ଶ କ୍ରମାଗତ ବୃଦ୍ଧି, ପ୍ରସାର ଲଭୁଥିଲା ବେଳେ ପୁଞ୍ଜିବାଦୀ ସାମ୍ରାଜ୍ୟବାଦୀ ବ୍ୟବସ୍ଥା ଓ ତା'ର ଧ୍ୟାନ ଧାରଣା ମତାଦର୍ଶ କ୍ରମାଗତ ସଙ୍କୁଚିତ ଓ କ୍ଷୟପ୍ରାପ୍ତ ହେବାରେ ଲାଗିଛି । ତାହା ସଂକଟଗ୍ରସ୍ତ ଆକର୍ଷଣଶୂନ୍ୟ, ଭବିଷ୍ୟତହୀନ । ତା' କେବଳ ମୃତ୍ୟୁର ଆହ୍ୱାନ ଦେଇପାରେ ସିନା, ସୃଷ୍ଟିର ଶକ୍ତି ସାମର୍ଥ୍ୟ ତା'ର ନାହିଁ । ସୁରେନ୍ଦ୍ର ବାବୁଙ୍କ ସାହିତ୍ୟିକ ପ୍ରାଣ ତା'ର ଉପସର୍ଗକୁ ଅନୁଭବ କରେ । ସାହିତ୍ୟରେ ତା'ର ପ୍ରତିଫଳନକୁ ଅବକ୍ଷୟର ଆଖ୍ୟାଦିଏ, କିନ୍ତୁ ତାକୁ ଅନାବୃତ୍ତ କରିପାରେ ନାହିଁ । ବୃହତ୍ ଶକ୍ତିଙ୍କ ନାମରେ ସୋଭିଏତ୍ ଓ ଆମେରିକାକୁ ସବୁ ବିଷୟରେ ସମାନ ଭାବରେ ଦାୟୀ କଲା ଭଳି ଏଠାରେ ଅବକ୍ଷୟ ପୂର୍ବରୁ ‘ସବୁକୁ' ଯୋଗ କରିବାକୁ ଉଦ୍ୟମ ହୁଏ । ଏକ ଦିଗରେ ପୁଞ୍ଜିବାଦୀ ବ୍ୟବସ୍ଥା ଓ ତା'ର ମତାଦର୍ଶ ପ୍ରତି ସୁରେନ୍ଦ୍ର ବାବୁଙ୍କ ପ୍ରଗାଢ଼ ଆସ୍ଥା, ଆସକ୍ତି ଓ ଅନୁରକ୍ତି, ଅନ୍ୟ ଦିଗରେ ସାମାଜବାଦୀ ବ୍ୟବସ୍ଥା ଓ ତା'ର ମତାଦର୍ଶ ପ୍ରତି ପ୍ରବଳ ବିତୃଷ୍ଣା ଓ ବିରୋଧିତା, ସେଇ ଅବକ୍ଷୟର ପ୍ରକୃତ କାରଣ ଉଦ୍‌ଘାଟନ କରି, ତାକୁ ଅତିକ୍ରମ କରିବାରେ ଓ ଅଭିବୃଦ୍ଧି ଦିଗରେ ଅଗ୍ରସର ହେବାରେ ପ୍ରଧାନ ଅନ୍ତରାୟ ସୃଷ୍ଟିକରେ । ଯାହାକୁ କହନ୍ତି ବୁକୁ ଫାଟେ, ମୁଖ ଫିଟେ ନାହିଁ । ଏହାହିଁ ବର୍ତ୍ତମାନ ଲେଖକର ବିରୋଧିତା, ଯାହାକି ସମାଜରେ ଲାଗିଥିବା ବିରୋଧିତାରୁ ବିଚ୍ଛିନ୍ନ ନୁହେଁ । ଅତଏବ, ଯାହା ଦୈନନ୍ଦିନ ଜୀବନରେ ଦୁଃଖ ଦୈନ୍ୟର ଆବାହକ, ସାମାଜିକ ବ୍ୟବସ୍ଥା ଭାବରେ ମରଣୋନ୍ମୁଖ, ଭୌତିକ ବିଚାରରେ ବିପର୍ଯ୍ୟସ୍ତ, ସେହି ମତାଦର୍ଶ ପୁଣି ସାହିତ୍ୟ ରାଜ୍ୟରେ ଭବିଷ୍ୟତ ସୃଷ୍ଟିର ପ୍ରେରଣା ହେବ, ତାହା ଆଶା କରିବା ଏକ ବିରାଟ ଆତ୍ମପ୍ରତାରଣା ।

 

ସାହିତ୍ୟକୁ ବୁଝିବା ଓ ବୁଝାଇବାକୁ ଯାଇ ବହୁବାଦ-ବାସ୍ତବବାଦ, ପ୍ରକୃତିବାଦ, ଆଶାବାଦ ଓ ନିରାଶାବାଦ ଆଦି ବ୍ୟବହାର କରାଯାଏ- ସେମିତି ବହୁ ଧର୍ମ, ଜୀବନଧର୍ମୀ, ମାନବ ଧର୍ମୀ, ପଳାୟନଧର୍ମ ଆଦିର ଆଶ୍ରୟ ନିଆଯାଏ । ପୁଣି ବହୁ ପ୍ରକାରର ମୂଲ୍ୟବୋଧ ମଧ୍ୟ ଆବିଷ୍କାର କରାଯାଇଥାଏ । ଏସବୁର ବ୍ୟାଖ୍ୟା, ବିଶ୍ଳେଷଣ ଓ ବ୍ୟବହାର ନେଇ ଭିନ୍ନ ଭିନ୍ନ ମତ ରହିଛି । ମୂଲ୍ୟାଙ୍କନରେ ଏ ଯେତେ ପଦ୍ଧତି ବ୍ୟବହୃତ ହୁଏ ତା'ର ଉଦ୍ଦେଶ୍ୟ ହେଲା ସାହିତ୍ୟ କ୍ଷେତ୍ରରେ ମାନବିକ ଭାବ, ତା'ର ପରିପ୍ରକାଶ ଓ ତା'ର ପ୍ରଗତି ଆଉ ପରିଣତିକୁ ମାପିବା, ପଦେ କଥାରେ, ମାନବିକତାକୁ ଲକ୍ଷ୍ୟ କରିବା ବା ଦେଖିବା । କାରଣ ମଣିଷ ହିଁ ସବୁର ମୂଳ । ସବୁରି ଉପରେ ମାନବ ସତ୍ୟ, ତା'ର ଉପରେ ନାହିଁ । ତେଣୁ ପ୍ରତ୍ୟେକ, ବିଭିନ୍ନ ଦିଗରୁ ନିଜର ବିଚାର ଓ ଉପଲବ୍ଧି ଅନୁଯାୟୀ ମାନବିକତା ବ୍ୟାଖ୍ୟା କରି ଚାଲିଛନ୍ତି । ସେ ବିଚାର, ଯେତେ ସ୍ୱାଗତଯୋଗ୍ୟ ବା ନିନ୍ଦନୀୟ ହେଉ ପଛେ, ସବୁର ସ୍ଥିତି, ଭିତ୍ତି ଓ ଉଦ୍ଦେଶ୍ୟ ହେଉଛି ମଣିଷ । ବିନା ମଣିଷରେ ମାନବିକତା ନାହିଁ । ମାନବିକତା ବିନା ସାହିତ୍ୟ ପ୍ରାଣଶୂନ୍ୟ ଓ ଲକ୍ଷ୍ୟହୀନ,ଆଉ ଭୟଙ୍କରୀ ।

 

ତେବେ ମାନବିକତା ଏକ ବିମୂର୍ତ୍ତ ଧାରଣା । କିନ୍ତୁ ଅତି ନିର୍ଦ୍ଦିଷ୍ଟ ମୂର୍ତ୍ତିମନ୍ତ ହେଉଛି, ରକ୍ତମାଂସ ଦେହଧାରୀ ମଣିଷ । ମଣିଷର ବିକାଶ, ମଣିଷ ସହ ମଣିଷର ସମ୍ପର୍କ ଓ ମଣିଷ ସମାଜ ସହ ତା'ର ପରିବେଶ, ପ୍ରକୃତିର ବିକାଶ ଭିତରେ ମାନବିକତା ଆପଣଙ୍କୁ ଉନ୍ମୁକ୍ତ ଓ ବିକଶିତ କରାଏ । କିନ୍ତୁ ଏ ସମସ୍ତ ଆଜି ପରମାଣୁ ଧ୍ୱଂସର ଉପକଣ୍ଠରେ ଉପସ୍ଥିତ । ସେ ଧ୍ୱଂସ ମୁଖରୁ କି ମଣିଷ, କି ପ୍ରାଣୀ ଜଗତ, କି ଏଇ ପ୍ରକୃତ ପୃଥିବୀ କାହାରି ବର୍ତ୍ତିବାର ପ୍ରଶ୍ନ ନାହିଁ । ସେ ଧ୍ୱଂସ ପରେ ପୁଣି ଯେ କେବେ ପୃଥିବୀ ବକ୍ଷରେ ନୂତନ ଜୀବନ ଅଙ୍କୁରିତ ହେବ କି ନାହିଁ କିଏ ବା କହିବ ?

 

ଆମ ସାଧାରଣ ସାହିତ୍ୟ ଏ ବିଷୟରେ ଆଦୌ ଚିନ୍ତା କରେ ନାହିଁ, ତା'ର ବିଚାରରେ, ଏଇଟା ବୋଧହୁଏ ରାଜନୀତିର ପ୍ରଶ୍ନ, ସାହିତ୍ୟର ପରିସରଭୁକ୍ତ ନୁହେଁ । ଏହା କେବଳ ଏକ ଭ୍ରାନ୍ତ ଧାରଣା ନୁହେଁ ବର୍ତ୍ତମାନ ନିର୍ଦ୍ଦିଷ୍ଟ ଅବସ୍ଥାରେ ତାହା ଏକ ଆତ୍ମଘାତୀ ଧାରଣା । ଅନ୍ୟ ସମୟରେ ସାହିତ୍ୟ ଭୁଲ କଲେ ବି ବଞ୍ଚି ଯାଉଥିଲା । ବର୍ତ୍ତମାନ ସେ ଭୁଲର ସଂଶୋଧନ ନାହିଁ । ଯେତେବେଳେ ମଣିଷ, ତା'ର ସଭ୍ୟତା ପରିବେଶ ସବୁକିଛି ସମୂହ ଧ୍ୱଂସର ସମ୍ମୁଖୀନ ସେତେବେଳେ ସାହିତ୍ୟର ନିଜର ଅସ୍ତିତ୍ୱ ରହିବ କେଉଁଠି ? ସେ ବଞ୍ଚି ରହିବ କାହାକୁ ଧରି ? ପୂର୍ବରୁ ସବୁ ଯୁଦ୍ଧଠାରୁ ବର୍ତ୍ତମାନର ପରମାଣୁ ଯୁଦ୍ଧର ଧ୍ୱଂସଲୀଳା ଯେପରି ଗୁଣାତ୍ମକଭାବେ ଫରକ, ସାହିତ୍ୟର ମାନବିକତାର ଆହ୍ୱାନ ଓ ସେ ଦିଗରେ ତା'ର କର୍ତ୍ତବ୍ୟ ସେହିପରି ପୂର୍ବର ସବୁ ବ୍ୟାଖ୍ୟାଠାରୁ ଗୁଣାତ୍ମକଭାବେ ଫରକ ହେବା ସ୍ୱାଭାବିକ । ଏହା ସାହିତ୍ୟିକକୁ ସ୍ମରଣ ରଖିବାକୁ ହେବ ।

 

ବୈଜ୍ଞାନିକ ମତରେ ପରମାଣୁ ଧ୍ୱଂସରେ କାହାରି ରକ୍ଷା ନାହିଁ । ଯେଉଁମାନଙ୍କ ଉପରେ ପରମାଣୁ ବୋମାର ଆଘାତ ସିଧାସଳଖ ଲାଗିବ, ସେଇମାନେ ହିଁ ଭାଗ୍ୟବାନ । ସେମାନଙ୍କ ପାର୍ଥିବ ଶରୀର ନିମିଷକ ମଧ୍ୟରେ ଅନ୍ତର୍ଦ୍ଧାନ ହୋଇଯିବ । ଯେଉଁମାନେ ବଞ୍ଚି ରହିବେ, ସେମାନେ ଅଧିକ କଲବଲ ହୋଇ ମରିବେ । ତାଙ୍କରି ଚିକିତ୍ସା ଲାଗି ନା ଥିବେ ଡାକ୍ତର, କି ଡାକ୍ତରଖାନା । ଥିଲେ ବି, ସେମାନଙ୍କୁ କେହି ମୃତ୍ୟୁମୁଖରୁ ରକ୍ଷା କରିପାରିବେ ନାହିଁ । ତେଣୁ ଲୋକେ ଯେପରି କଲବଲ ନ ହୋଇ, ସହଜରେ ମରିପାରିବେ ସେଥିଲାଗି ଆତ୍ମହତ୍ୟାକାରୀ ବଟିକା ଏବେଠୁ ପ୍ରସ୍ତୁତ ହେଲାଣି । ପରମାଣୁ ବିସ୍ଫୋରଣ ଫଳରେ ସମଗ୍ର ବାୟୁମଣ୍ଡଳ ଦୂଷିତ ଓ ପରିବର୍ତ୍ତିତ ହୋଇଯିବ । ସୂର୍ଯ୍ୟକିରଣ ପୃଥିବୀ ଉପରେ ପଡ଼ିପାରିବ ନାହିଁ । ଘୋର ଅନ୍ଧକାର ଓ ପ୍ରବଳ ଥଣ୍ଡା ଏପରି ପୃଥିବୀକୁ ଗ୍ରାସ କରିବ ସେ ସେଥିରେ କୌଣସି ପ୍ରାଣୀ ପକ୍ଷରେ ବଞ୍ଚିବା ସମ୍ଭବ ହେବ ନାହିଁ । ସୂର୍ଯ୍ୟକିରଣ ଅଭାବରୁ ଉଦ୍ଭିଦ ଜଗତ ମଧ୍ୟ ଲୋପ ପାଇବ । ସେ ଭୟାବହ ଧ୍ୱଂସଲୀଳା କଳ୍ପନାର ବାହାରେ ।

 

ସେହି ଭୟାବହ ଧ୍ୱଂସ ପୂର୍ବରୁ, ଧ୍ୱଂସର ପ୍ରଥମ ଶିକାର ହୁଏ ସାହିତ୍ୟ । ଯୁଦ୍ଧଖୋରମାନେ ଭଲକରି ଜାଣନ୍ତି ମଣିଷର ମାନବିକତାକୁ ଧ୍ୱଂସ ନ କରି ମଣିଷ ସମାଜ, ସମସ୍ତ ପ୍ରାଣୀ ଜଗତ ଓ ପୃଥିବୀକୁ ଧ୍ୱଂସ କରାଯାଇ ନ ପାରେ । ମଣିଷ ଭିତରେ ମନୁଷ୍ୟତାର ଭାବ ଜାଗ୍ରତ ରହିଥିଲେ ତାହା ତାଙ୍କର ସେହି ଘୃଣ୍ୟ ଷଡ଼ଯନ୍ତ୍ରକୁ ପ୍ରତି ପଦେ ପଦେ ପ୍ରତିହତ କରୁଥିବ । ସେହି ମାନବିକତାର ଅଟଳ ଓ ସତ୍ୟନିଷ୍ଠ ପ୍ରହରୀ ହେଉଛି ସାହିତ୍ୟ । ତାକୁ ପରାହତ ନ କରି ସେହି ନାରକୀୟ ଧ୍ୱଂସ ପଥରେ ପ୍ରବେଶ କରାଯାଇ ନ ପାରେ । ତେଣୁ ମାନବ ସମାଜକୁ ଧ୍ୱଂସ କଲା ପୂର୍ବରୁ ମାନବିକତା ମୂଲ୍ୟବୋଧକୁ ଧ୍ୱଂସ କରିବାକୁ ହେବ- ପ୍ରଚାରଦ୍ୱାରା । ଯେଉଁମାନେ ମାନବିକତା ଦିଗରେ ବ୍ୟାକୁଳତା ପ୍ରକାଶ କରନ୍ତି, ସେମାନଙ୍କୁ ତେଣୁ ବିଭ୍ରାନ୍ତ କରିବାର ଉଦ୍ୟମ ହୁଏ । ମାନବିକତାର ବ୍ୟାଖ୍ୟା ଓ ବିଶ୍ଳେଷଣକୁ ଏପରି ଗୂଢ଼ ରହସ୍ୟାତ୍ମକଭାବେ ଉପସ୍ଥାପିତ କରାଯାଏ, ଯାହାର ପ୍ରକୃତ ଉଦ୍ଦେଶ୍ୟ ମଣିଷ ସହଜେ ଧରି ପାରିବ ନାହିଁ । ସେ ଏକ ବିକୃତ ଭେଜାଲ ମାନବିକତାର ଶିକାର ହେବ । ପତଙ୍ଗ ନିଆଁ ପ୍ରତି ଆକୃଷ୍ଟ ହେଲାଭଳି ସେଇ ଭେଜାଲ ମାନବିକତାର ଅଳିକ ଧାରଣାର ସାହିତ୍ୟ ପ୍ରତି ଆକୃଷ୍ଟ ହେବ । ସାହିତ୍ୟ ଭିତରୁ ମାନବିକତାକୁ ମାରି ନ ପାରିଲେ ଅନ୍ତତଃ ତାକୁ କର୍ତ୍ତବ୍ୟଚ୍ୟୁତ କରିବା ହେଉଛି ଯୁଦ୍ଧଖୋର ପ୍ରଚାରରେ ମୁଖ୍ୟ ଉଦ୍ଦେଶ୍ୟ ।

 

ବର୍ତ୍ତମାନ ସାହିତ୍ୟ ଆଗରେ ସେଇ ମାନବିକତାର ଧାରଣା ପୂର୍ବ ଭଳି ଏକ ବିମୂର୍ତ୍ତ, ସ୍ୱର୍ଗୀୟ, ନୈବ୍ୟକ୍ତିକ ବାଷ୍ପୀୟ ଧାରଣା ନୁହେଁ । ତାକୁ ଖୋଜିବା ଲାଗି ଯୁକ୍ତିତର୍କ ଶାସ୍ତ୍ର ପୁରାଣ ଦରକାର କରେ ନାହିଁ । ତାହା ଏକ ଅତି ସ୍ପଷ୍ଟ, ନିର୍ଦ୍ଦିଷ୍ଟ ଓ ବାସ୍ତବ-ରକ୍ତମାଂସ ଦେହଧାରୀ ମଣିଷ ରୂପରେ ଦଣ୍ଡାୟମାନ । ମଣିଷ ଓ ମାନବିକତା ଆଜି ଏକ ଓ ଅଭିନ୍ନ । ଜଣକୁ ବାଦ୍‌ଦେଇ ଅନ୍ୟର ଅସ୍ତିତ୍ୱ ରକ୍ଷା କରାଯାଇ ନ ପାରେ । ମଣିଷ ତା'ର ସମାଜ ଓ ପରିବେଶ, ପ୍ରକୃତିକୁ ରକ୍ଷା କରିବାଠାରୁ ବଳି ସାହିତ୍ୟ ଆଗରେ ଅଧିକ ଜରୁରୀ, ଅଧିକ ଗୁରୁତ୍ୱପୂର୍ଣ୍ଣ, ଅଧିକ ମାନବିକ କର୍ତ୍ତବ୍ୟ ଆଉକିଛି ନାହିଁ । ଅତୀତରେ ସାହିତ୍ୟକୁ କେବେହେଲେ ଏପରି ଏକ ଅବସ୍ଥାର ସମ୍ମୁଖୀନ ହେବାକୁ ପଡ଼ିନଥିଲା । ଏହା ପୂର୍ବଭଳି ମଣିଷର କୌଣସି ଏକ ଅମାନବୀୟ ଧାରଣା ଚରିତ୍ର ଇଚ୍ଛା ଓ ବିଶ୍ୱାସ ବିରୁଦ୍ଧରେ ସଂଗ୍ରାମ ନୁହେଁ, ବର୍ତ୍ତମାନ ସଂଗ୍ରାମ ହେଉଛି ଖୋଦ ମଣିଷର ସେଇ, ଅସ୍ତିତ୍ୱକୁ ରକ୍ଷା କରିବା- ତା'ର ସେଇ ଅନ୍ତର୍ନିହିତ ମାନବିକ ସତ୍ତା ଓ ତା'ର ପ୍ରକୃତିକୁ ରକ୍ଷା କରିବାର ସଂଗ୍ରାମ । ସାଧାରଣ ପାଶବିକତା, ଅମାନୁଷିକତା ଆଦି ଶବ୍ଦର ପ୍ରୟୋଗ, ବର୍ତ୍ତମାନର ଯୁଦ୍ଧଖୋରଙ୍କର ପ୍ରକୃତ ପରିଚୟ ନୁହେଁ । ତେଣୁ ସେହିପରି ପୂର୍ବର ଗତାନୁଗତିକ ମାନବିକତାର ଧାରଣା ବର୍ତ୍ତମାନ ସାହିତ୍ୟର ସେଇ ମହାନ କର୍ତ୍ତବ୍ୟପୂରଣ ଲାଗି ଯଥେଷ୍ଟ ନୁହେଁ । ଯୁଗ ଯୁଗ ଧରି ସମାଜର କେନ୍ଦ୍ରୀଭୂତ ପାଶବିକତା ଯେପରି ଆଜି ଅତି ଉଲଗ୍ନଭାବେ ଯୁଦ୍ଧଖୋର ରୂପରେ ମୂର୍ତ୍ତିମନ୍ତ, ସେମିତି ତାକୁ ପ୍ରତିହତ କରିବାକୁ ହେଲେ ସମାଜର ଯୁଗ ଯୁଗ ଧରି ପୁଞ୍ଜିଭୂତ ମାନବିକତାର ସକଳ ନିଦର୍ଶନକୁ ଐକ୍ୟବଦ୍ଧ କରି, ଏକ ବିଶ୍ୱବ୍ୟାପୀ ଶକ୍ତିରେ ପରିଣତ କରିବାକୁ ହେବ । ଏହା ଅତି ସର୍ବନିମ୍ନ ସର୍ବଶ୍ରେଷ୍ଠ, ସର୍ବପ୍ରଧାନ କର୍ତ୍ତବ୍ୟ, ଏବଂ ଅତି ନିର୍ଦ୍ଦିଷ୍ଟ ଅପରିହାର୍ଯ୍ୟ କର୍ତ୍ତବ୍ୟ ମଧ୍ୟ ।

 

ଯେହେତୁ ଏଠାରେ ସାହିତ୍ୟର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଓ କର୍ତ୍ତବ୍ୟ, କୌଣସି ମଣିଷ ବା ସମାଜର ହୃଦୟ ପରିବର୍ତ୍ତନ ନୁହେଁ, ସେମାନଙ୍କ ମୂଳ ସତ୍ତାକୁ ରକ୍ଷାକରିବା, କୌଣସି ପ୍ରାଣୀ ପ୍ରତି ଦୟା ଅନୁକମ୍ପାର ପ୍ରଦର୍ଶନ ନୁହେଁ, ସମସ୍ତ ପ୍ରାଣୀ ଜଗତର ପ୍ରାଣରକ୍ଷା କରିବା, କୌଣସି ପ୍ରାକୃତିକ ଶୋଭା ଓ ସୌନ୍ଦର୍ଯ୍ୟର ବର୍ଣ୍ଣନା ନୁହେଁ, ଖୋଦ୍ ସେଇ ପ୍ରକୃତିର ଅସ୍ତିତ୍ୱ ରକ୍ଷା, ଏବଂ ଯେହେତୁ ଏସବୁ ବିଷୟ ପରସ୍ପର ସହିତ ଏତେ ନିବିଡ଼ଭାବେ ଜଡ଼ିତ ଯେ ଏକକୁ ଛାଡ଼ି ଅନ୍ୟକୁ ରକ୍ଷା କରାଯାଇ ନ ପାରେ, ତେଣୁ ବର୍ତ୍ତମାନର ମାନବିକତା ପୂର୍ବଭଳି ଆଉ କ୍ଷଣିକ, ଆଂଶିକ,ସଂକୀର୍ଣ୍ଣ, ସୀମାବଦ୍ଧ ଧାରଣା ଭିତରେ ଆବଦ୍ଧ ରହି ନ ପାରେ । ତା' ସ୍ଥାନ କାଳ ପାତ୍ରର ଊର୍ଦ୍ଧ୍ୱରେ । ତାହା କେବଳ ନିଜର ବିସ୍ତାରକୁ ପ୍ରକାଶ କରେ ନାହିଁ, ତାହା ଏକ ବିରାଟ ଗୁଣାତ୍ମକ ରୂପାନ୍ତରର ସୂଚନା ଦିଏ । ତା' ଯେତେ ଗଭୀର ଓ ବ୍ୟାପକ, ତା'ର ତାତ୍ପର୍ଯ୍ୟର ପରିଣତି ସେହିପରି ସର୍ବସ୍ଥାନ ସର୍ବକାଳ ବ୍ୟାପୀ । ସେ ମାନବିକତାର ପ୍ରଭାବ ସେହିପରି ସୁଦୂରପ୍ରସାରୀ । ଅତଏବ ଯେଉଁଠି ମୂର୍ତ୍ତ ବିମୂର୍ତ୍ତ ମାନବିକତାର ସମନ୍ୱୟ, ସେଠି ସାହିତ୍ୟକୁ ତା'ର କର୍ତ୍ତବ୍ୟ ସମ୍ପାଦନ କରିବାକୁ ହେଲେ ତାକୁ ତା'ର ଆଶୁ ଓ ଅନ୍ତିମ ଲକ୍ଷ୍ୟକୁ ସମନ୍ନିତ କରିବାକୁ ହେବ ।

 

ତେଣୁ ପରମାଣୁ ଧ୍ୱଂସ ବିରୋଧରେ ଶାନ୍ତିର ଆହ୍ୱାନ ଦେବା, ମଣିଷ ପ୍ରାଣରେ ଶାନ୍ତିର ଆବେଗ ଜାଗ୍ରତ କରି ମଣିଷ ସମାଜ ପ୍ରାଣୀ ଜଗତ ଓ ତାଙ୍କର ପରିବେଶକୁ ରକ୍ଷା କରିବା ଦିଗରେ ଅଗ୍ରସର ହେବାଦ୍ୱାରା ହିଁ କେବଳ ସାହିତ୍ୟ, ନିଜର ଆତ୍ମା ଓ ଅସ୍ତିତ୍ୱକୁ ରକ୍ଷା କରିପାରେ । ନିଜର କର୍ତ୍ତବ୍ୟ ସମ୍ପାଦନ କରିବାରେ ସମର୍ଥ ହେବ । ସାହିତ୍ୟର ସେହି ନିର୍ଦ୍ଦିଷ୍ଟ ଆଶୁ କର୍ତ୍ତବ୍ୟ, ଆଉ ତା'ର ଆତ୍ମା ଆଜି ଗୋଟିଏ ସୂତାରେ ବନ୍ଧା । ସାହିତ୍ୟ ନିଜ ବିଷୟରେ ନିଜେ ଯେତେ ସଚେତନ ନୁହେଁ, ତା' ଅପେକ୍ଷା ଶତଗୁଣ ସଚେତନ ହେଉଛନ୍ତି ସେଇ ଯୁଦ୍ଧଖୋରଗଣ ସାହିତ୍ୟ ବିଷୟରେ ସେମାନେ ଭଲକରି ଜାଣନ୍ତି, ମାନବିକତାର ରକ୍ଷା ଦିଗରେ, ଲେଖନୀ ଖଡ଼୍‌ଗରୂପେ ବ୍ୟବହୃତ ହେଉଥିବାଯାଏ, ତାଙ୍କର ଘୃଣ୍ୟ ଉଦ୍ଦେଶ୍ୟ ସାଧନ ଅସମ୍ଭବ । ତେଣୁ ସେମାନେ ତାଙ୍କର ପ୍ରଚାରିତ ସାହିତ୍ୟଦ୍ୱାରା ମାନବିକତାର ସେଇ ଆଦର୍ଶ, ଆବେଗ, ଆହ୍ୱାନକୁ ହତ୍ୟା କରିବାର ଉଦ୍ୟମ କରନ୍ତି-। ସାହିତ୍ୟକୁ ତା'ର ମହାନ କର୍ତ୍ତବ୍ୟପଥରୁ ବିଚ୍ୟୁତ କରି ତାକୁ ପଣ୍ୟଭାବେ ବ୍ୟବହାର କରନ୍ତି । ସେମାନେ ତାକୁ ଏମିତି ଉତ୍ସାହିତ କରନ୍ତି, ଯେପରିକି ସାହିତ୍ୟ ତା'ର ଶୈଳୀ, ସୌନ୍ଦର୍ଯ୍ୟ, ଭାଷା, ବିଭବ ଭିତର ଦେଇ ଅଲକ୍ଷ୍ୟରେ ସେଇ ଧ୍ୱଂସର ଆବଶ୍ୟକତାର ଆଡ଼କୁ ଆଗେଇଯିବ, ବା ସେଥିପ୍ରତି ଉଦାସୀନ, ଅନାସକ୍ତଭାବ ଗ୍ରହଣ କରିବ, ଶତ୍ରୁ ମିତ୍ରର ସୀମାରେଖାକୁ ଭୁଲିଯିବ । ଏପରିକି ସେଥିପ୍ରତି ସାହିତ୍ୟର ନୀରବତା ମଧ୍ୟ ସେମାନଙ୍କ ପ୍ରତି ସମର୍ଥନର ନିଶ୍ଚୟତା ସୃଷ୍ଟି କରେ-

 

ସେହି ପାଶ୍ଚାତ୍ୟ ଯୁଦ୍ଧଖୋରଙ୍କର ପ୍ରଚାର ଏପରି କଳା କୌଶଳରେ ପରିବେଷ୍ଟିତ ଯେ, ତା'ର ଆବରଣ ଭେଦକରିବା ଆମ ସାହିତ୍ୟ ପକ୍ଷରେ ସହଜ ସାଧ୍ୟ ନୁହେଁ । ‘ଆଜି ଶାନ୍ତି ନାହିଁତ କାଲି ଜୀବନ ନାହିଁ’ କହି, ଏପରିକି ପ୍ରଧାନମନ୍ତ୍ରୀ ଶ୍ରୀମତୀ ଗାନ୍ଧୀ ଶାନ୍ତି ଲାଗି ଯେଉଁ ବ୍ୟାକୁଳତା ପ୍ରକାଶ କରନ୍ତି, ଏଠି ସରକାରୀ ସଂସ୍ଥା ଏକାଡେମୀର ଜୟନ୍ତୀରେ ତା'ର କ୍ଷୀଣ ପ୍ରତିଧ୍ୱନି ସୁଦ୍ଧା କେଉଠି ହେଲେ ଶୁଣାଯାଏ ନାହିଁ । ଏହା କ'ଣ ଆକସ୍ମିକ, ନା ଉଦ୍ଦେଶ୍ୟମୂଳକ, ନା ସାଧାରଣ ଅଜ୍ଞତାର ନିଦର୍ଶନ, ନା ମୃତ୍ୟୁ ବିରୋଧରେ ଜୀବନର ଆହ୍ୱାନ ଜଣାଇବାଟା ରାଜନୀତି ହୋଇଯିବବୋଲି, ଆମ ସାହିତ୍ୟକମାନେ ତା' ପାଖ ମାଡ଼ନ୍ତି ନାହିଁ । ଅଥଚ ଜୟନ୍ତୀ ହେଉଛି ଓଡ଼ିଶାର ସୁବିଖ୍ୟାତ, ସୁପ୍ରତିଷ୍ଠିତ, ଲେଖକ, ସାହିତ୍ୟକ ବୁଦ୍ଧିଜୀବୀଙ୍କ ଏକ ସମାବେଶ ।

 

ଏ ସବୁର ପ୍ରଧାନ କାରଣ ଆମ ସାହିତ୍ୟ ସତ୍ୟ, ବାସ୍ତବତା ପ୍ରତି ଭୟଭୀତ । ତାକୁ ବୁଝିବାକୁ ଚେଷ୍ଟା କରିବା ଦୂରର କଥା, ତାକୁ ଆଡ଼ଆଖିରେ ଅନାଇବାକୁ ସୁଦ୍ଧା ପ୍ରସ୍ତୁତ ନୁହେଁ । ତେଣୁ ଝରକା, କବାଟ କିଳିଦିଏ । ଯେଉଁମାନେ ସେଇ ଝରକା କବାଟ କିଳାକୁ ଲକ୍ଷ୍ୟ କରନ୍ତି ଏବଂ ତା' ହେଉଛିବୋଲି ଚିତ୍କାର କରନ୍ତି, ସେମାନେ ମଧ୍ୟ ତାକୁ ଖୋଲିବାର ପ୍ରୟାସ କରନ୍ତି ନାହିଁ । କାରଣ ସତ୍ୟ କେତେବେଳେ ହେଲେ ବିମୂର୍ତ୍ତ ନୁହେଁ- ତାହା ସଦାବେଳେ ମୂର୍ତ୍ତ, ନିର୍ଦ୍ଦିଷ୍ଟ । ଏବର ସେଇ ସତ୍ୟ ମୂର୍ତ୍ତ, ନିର୍ଦ୍ଦିଷ୍ଟ ବାସ୍ତବତା ଆମର ଯୁଗ ଯୁଗର ବଦ୍ଧମୂଳ ଚିନ୍ତା ଓ ସ୍ୱାର୍ଥ ସହିତ ଖାପ ଖାଏ ନାହିଁ । ବିରୋଧ କରେ । ତେଣୁ ଆମେ ତା'ର ବିରୋଧ କରୁ । ତାକୁ ଏଡ଼ିଦେଇ ଯିବାକୁ ଚାହୁଁ । ତଦ୍ଦ୍ୱାରା ସାହିତ୍ୟର ମୂଳ ଆତ୍ମା ଓ ମର୍ମକୁ ଏଡ଼ି ଦିଆଯାଏ, ଯାହାର ପରିଣତି ହୁଏ କାହାପାଇଁ ବା କଅଣ ଲେଖିବାକୁ ହେବ ବୁଝିପାରୁନା ।

 

ଦୃଷ୍ଟାନ୍ତ ସ୍ୱରୂପ ମାନବିକତା- ତାହା ମୁଖ୍ୟତଃ ମଣିଷ ସହ ମଣିଷର ସମ୍ପର୍କଦ୍ୱାରା ପରିଚିତ । ମଣିଷ ସହ ମଣିଷର ସେଇ ସମ୍ପର୍କ ଖାଦ୍ୟ ଖାଦକର ସମ୍ପର୍କ ହେବ, କି ଭାଇ ବନ୍ଧୁ ସାଥୀ ସୋଦରର ସମ୍ପର୍କ ହେବ, ତାହା କ'ଣ ସାହିତ୍ୟର ବିଚାର୍ଯ୍ୟ ବିଷୟ ନୁହେଁ ? ଏହାରି ଉପରେ ନିଜର ରାୟ ଅନୁସାରେ ସାହିତ୍ୟ ପକ୍ଷଭୁକ୍ତ । ନିଜର ମାନବିକତାର ପରିଚୟ ଦିଏ । ସାହିତ୍ୟ ଆରମ୍ଭରୁ ଦ୍ୱିତୀୟ ବିଷୟଟିକୁ ଆପଣାର କରିବାର ଚେଷ୍ଟା କରିଆସୁଛି । ତା'ର ଜୟଗାନ କରେ । ସେଇ ଚିରନ୍ତନ ସତ୍ୟ, ମାନବିକ ବିକାଶର ବର୍ତ୍ତମାନ ପର୍ଯ୍ୟାୟରେ ଅତି ନିର୍ଦ୍ଦିଷ୍ଟ ରୂପରେ ଉପସ୍ଥିତ । ବର୍ତ୍ତମାନ ବାସ୍ତବ ଚିତ୍ର ହେଲା- ଏକ ଦିଗରେ ଅତି ବିକଟାଳ ଧ୍ୱଂସ, ଅନ୍ୟ ଦିଗରେ ସେହିପରି ଏକ ବିରାଟ ବରାଭୟ । ଦୁନିଆଟା ଆଜି ଅତି ଉଲଗ୍ନଭାବେ ଶାନ୍ତି ଓ ଯୁଦ୍ଧ, ସୃଷ୍ଟି ଓ ସଂହାର, ଜୀବନ ଓ ମୃତ୍ୟୁ ଏଇ ଦୁଇ ଖଣ୍ଡରେ ବିଭକ୍ତ । ସେଠି ନିରପକ୍ଷତାର ସ୍ଥାନ ନାହିଁ । କେତେ ଅବକ୍ଷୟ ଘଟିଲେ ମଣିଷତାର ସମସ୍ତ ମଣିଷଜାତି, ତା'ର ଯୁଗଯୁଗର ସୃଷ୍ଟି ସଭ୍ୟତା ଓ ଜନ୍ମଦାତ୍ରୀ ଏଇ ଧରିତ୍ରୀକୁ ପୋଡ଼ି, ଜାଳି ଧ୍ୱଂସ କରିବା ଦିଗରେ ଉଦ୍ୟମକରେ, ଏହାର ବିଚାର ନ କରି ସାହିତ୍ୟ କ'ଣ ନିଜର ମାନବିକତାର ଲକ୍ଷ୍ୟ କେବେହେଲେ ପୂରଣ କରିପାରିବ? ନିଜର ଅନ୍ତରାତ୍ମାକୁ ଉନ୍ମୁକ୍ତ ଓ ବିକଶିତ କରିପାରିବ ?

 

ଅନ୍ୟ ଦିଗରେ ସେମିତି ସୃଷ୍ଟି ଓ ଜୀବନ, କେତେଦୂର ସୀଜବ ସୃଜନଶୀଳ ହେଲେ ତା' ଭୂମିଷ୍ଠ ହେବା ସହିତ ତା'ର କୁଆଁ କୁଆଁ ଡାକ ଶାନ୍ତିର ଆହ୍ୱାନରେ ଝଙ୍କୁରିତ ହୁଏ (ସୋଭିଏତ ବିପ୍ଳବରେ, ଲେନିନଙ୍କ ପ୍ରଥମ ଇସ୍ତାହାର ହେଉଛି ଶାନ୍ତିର ଇସ୍ତାହାର), ତା'ର ବିକାଶରେ ମଣିଷର ପରାଧୀନତାର ଶୃଙ୍ଖଳ ଭାଜିପଡ଼େ, ତାହା ନିଜେ ଅମୋଘ ଅସ୍ତ୍ରର ଅଧିକାରୀ ହୋଇ ସୁଦ୍ଧା ପୂର୍ଣ୍ଣ ନିରସ୍ତ୍ରୀକରଣ ଡାକଦିଏ, ନିଜେ ପରମାଣୁ ଯୁଦ୍ଧ ବିପଦର ସମ୍ମୁଖୀନ ହେଲେ ବି, ନିଜେ ପରମାଣୁ ଅସ୍ତ୍ର ଆଗ ନିକ୍ଷେପ ନ କରିବବୋଲି ନିଜଆଡ଼ୁ ଏକତରଫା ଘୋଷଣା କରେ, ଏବଂ ଶେଷରେ ନିଜ ଦେଶରେ ମଣିଷ ସହ ମଣିଷର ସେଇ (ଭାଇ, ବନ୍ଧୁ ସାଥି ସହୋଦର) ସମ୍ପର୍କକୁ ମାନବିକ ସମ୍ପର୍କରେ ରୂପାୟିତ କରିବା ସଙ୍ଗେ ସଙ୍ଗେ ଦୁନିଆର ସମସ୍ତ ମାନବ ଜାତିକୁ ନିଜର ଭାଇବନ୍ଧୁର ଆସନ ପ୍ରଦାନ କରେ, ସେମାନଙ୍କୁ ପରମାଣୁ ଯୁଦ୍ଧ ଧ୍ୱଂସ ମୁହଁରୁ ରକ୍ଷା କରିବାପାଇଁ ଶାନ୍ତିର ଅବିଶ୍ରାନ୍ତ ଅଭିଯାନ ଚଳାଏ, - ସାହିତ୍ୟ ଏସବୁକୁ ବିଚାରକୁ ନ ନେଇ କ'ଣ କେବେହେଲେ ନିଜର ମହତ ଉଦ୍ଦେଶ୍ୟ ସାଧନ କରିପାରେ ? ନିଜର ମୂଲ୍ୟବୋଧକୁ ପ୍ରତିଷ୍ଠିତ, ସୌନ୍ଦର୍ଯ୍ୟବୋଧକୁ ପ୍ରସ୍ଫୁଟିତ କରିବାରେ ତାହା କ'ଣ କେବେହେଲେ ସକ୍ଷମ ହେବ ।

 

ସାହିତ୍ୟ ପ୍ରତି ଏହାର ତାତ୍ପର୍ଯ୍ୟ କେବଳ ଏତିକିରେ ସୀମିତ ନୁହେଁ । ପୁରାଣ ଯୁଗରେ ସାହିତ୍ୟ ଦେବାସୁରଙ୍କର ଯୁଦ୍ଧ ଭଳି ଯେତେ ଯେତେ ଅଦ୍ଭୁତ କଳ୍ପନା କରିଛି, ଇତିହାସରେ ଯେତେ ସବୁ ଯୁଦ୍ଧର ବିବରଣୀ ଲିପିବଦ୍ଧ,ଶେଷରେ ସବୁଠାରେ ଶାନ୍ତି ଆସୁଛି ସେଇ ଯୁଦ୍ଧ, ହିଂସା ରକ୍ତପାତ ଉପାୟରେ । କିନ୍ତୁ ସେଇ ଶାନ୍ତି, ଦେବତା, ଅସୁର ବା ମାନବ କାହାରି କ୍ଷେତ୍ରରେ, ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଯେଉଁଠି କସ୍ମିନକାଳେ, ଯୁଦ୍ଧ, ହିଂସା ରକ୍ତପାତକୁ ଦୂର କରିବାରେ ସମର୍ଥ ହୋଇନାହିଁ । କାରଣ ତାହା ହେଉଛି ଯୁଦ୍ଧଦ୍ୱାରା ଶାନ୍ତି ହିଂସାଦ୍ୱାରା ହିଂସାର ନିବାରଣ । ହତ୍ୟାଦ୍ୱାରା ହତ୍ୟାର ବିଲୋପ । ତେଣୁ ତା' ଡାକି ଆଣିଛି ଅଧିକରୁ ଅଧିକ ଯୁଦ୍ଧ, ନାହିଁ ନଥିବା ଅଧିକ ହିଂସା ରକ୍ତପାତକୁ, ଯାର ପରିଣତି ହେଉଛି ବର୍ତ୍ତମାନ ସେଇ ବିଶ୍ୱବ୍ୟାପୀ ପରମାଣୁ ଯୁଦ୍ଧର ପ୍ରସ୍ତୁତି ।

 

ତେଣୁ ସେହି କରାଳ ଶକ୍ତିକୁ ପରାସ୍ତ କରିବା ପ୍ରତ୍ୟେକ ଲୋକର ସର୍ବପ୍ରଥମ କର୍ତ୍ତବ୍ୟ । ସାହିତ୍ୟିକକୁ ସେଥିଲାଗି ପ୍ରତ୍ୟେକ ପ୍ରାଣରେ ସେହି ମାନବିକ ଭାବ ଜାଗ୍ରତ ଓ ସଞ୍ଚାରିତ କରିବାକୁ ହେବ । ସେହି ମାନବିକ ଶକ୍ତିର ମିଳନ, ଦେବତାମାନଙ୍କ ସମସ୍ତ ଶକ୍ତିର ମିଳନ ଅପେକ୍ଷା ଅଧିକ ଶ୍ରେଷ୍ଠ, ବଳିଷ୍ଠ ଓ ମହୀୟାନ, ଏବଂ ପୁଣି ତା' ହେଉଛି ଶାନ୍ତିପୂର୍ଣ୍ଣ ଉପାୟରେ ବିଶ୍ୱ ଶାନ୍ତିର ପ୍ରତିଷ୍ଠା ଚିରଦିନପାଇଁ । ଯାହାକି ଦେବତାମାନେ ସୁଦ୍ଧା କରିବାରେ ସମର୍ଥ ନୁହନ୍ତି । ଯେହେତୁ, ସେମାନେ ଦେବତା । ମାନବିକ ଗୁଣର ଅଧିକାରୀ ନୁହନ୍ତି, ମାନବିକତାଶୂନ୍ୟ ।

 

ଅତଏବ, ସାହିତ୍ୟ ଆଗରେ ଆଜିର ପ୍ରଶ୍ନ ତାହା ମଣିଷକୁ କେଉଁ ଭୂମିକା ଅର୍ପଣ କରିବ-? ଡ଼ାକୁ ଖୁନୀ, ଆତତାୟୀ, ମାନବ ଓ ମାନବତାର ହତ୍ୟାକାରୀର ଭୂମିକାରେ ଠିଆ କରିବ, ନା ତା' ଲାଗି ଭାଇ, ବନ୍ଧୁ ସାଥୀ ସହୋଦରର ସମ୍ପର୍କ- ମାନବିକତାର ଭୂମିକା ସୃଷ୍ଟି କରିବ ?

 

ବିଶ୍ୱ ଶାନ୍ତି ଦିଗରେ ସାହିତ୍ୟର ସେଇ ପ୍ରଚେଷ୍ଟା, ମାନବିକତାର କି ଯେ ବିସ୍ଫୋରଣ ସୃଷ୍ଟି କରିବ ତା' ଏବେ ସୁଦ୍ଧା ସାହିତ୍ୟର କଳ୍ପନାତୀତ । ପରମାଣୁ ବିସ୍ଫୋରଣରେ ଦୁନିଆ ଧ୍ୱଂସ ହେବ, ନା ମାନବିକତାର ବିସ୍ଫୋରଣରେ ତାହା ମହାମାନବିକତାର ରୂପ ଧାରଣ କରିବାରେ ଅଗ୍ରସର ହେବ, ତା'ର ରୋକ୍‌ଠୋକ୍ ଉତ୍ତର ସାହିତ୍ୟକୁ ଦେବାକୁ ପଡ଼ିବ । ଭୟ, ଭ୍ରାନ୍ତି, ସନ୍ଦେହ, ସଂକୀର୍ଣ୍ଣତା, ସ୍ୱାର୍ଥପରତା, ନିଃସଙ୍ଗତା ନୃଶଂସତା ଓ ଅନ୍ୟ ପ୍ରତି ଉଦାସୀନତା ମନୋଭାବ ଆଦି, ଯେତେ ଅଣମାନବିକ ଗୁଣ, ଯାହା ଯୁଦ୍ଧରେ ସାହିତ୍ୟ ଆଜନ୍ମରୁ ଡାକ ଦେଇ ଆସିଛି- ଯେଉଁଥିରୁ ତା' ଏପର୍ଯ୍ୟନ୍ତ ନିଜକୁ ସୁଦ୍ଧା ମୁକ୍ତ କରିପାରିବ ନାହିଁ- ମାନବିକତାର ସେଇ ବିସ୍ଫୋରଣ କିନ୍ତୁ ସେ ସବୁକୁ ଚିରଦିନପାଇଁ ଲୋପ କରିଦେବ ।

 

ଅନ୍ୟ ଦିଗରେ ମଣିଷ ପ୍ରତ୍ୟେକଟି ନିର୍ଦ୍ଦିଷ୍ଟ ଅଣମାନବିକ ଭାବ-ଧାରଣା, ଆଚାର, ବ୍ୟବହାର ଓ ମନୋଭାବ ବିରୁଦ୍ଧରେ ପ୍ରତ୍ୟେକ କ୍ଷେତ୍ରରେ ନିର୍ଭୀକଭାବେ ଅଗ୍ରସର ହେବା ହେଉଛି ଆଜି, ସେଇ ମାନବିକତାର ବିସ୍ଫୋରଣ ସୃଷ୍ଟି କରିବା ଦିଗରେ ପ୍ରସ୍ତୁତିର ପ୍ରକ୍ରିୟା । ବିନ୍ଦୁ ବିନ୍ଦୁ ଜଳ ମିଶି ସାଗର ସୃଷ୍ଟି ହେଲାଭଳି, ପ୍ରତ୍ୟେକଟି ପ୍ରାଣର ସେଇ ମାନବିକ ଭାବର ସମ୍ମିଶ୍ରଣରେ ସୃଷ୍ଟି ହେବ ମାନବିକତାର ଏକ ଅସୀମ ଅଗାଧ ପାରାବାର ।

 

ଏ ପର୍ଯ୍ୟନ୍ତ ମଣିଷ କେବଳ ଏଇ ଧରଣୀ ବକ୍ଷରେ ଠିଆ ହୋଇଥିଲା, ସେ ପୃଥିବୀକୁ ଦେଖୁଥିଲା ଖଣ୍ଡିତଭାବେ- ବିଭିନ୍ନ ଦେଶ, ରାଜ୍ୟ ଓ ଅଞ୍ଚଳଭାବେ । ସେମିତି ସମଗ୍ର ମଣିଷ ଜାତିକଥା କହିଲା ବେଳେ ତାହା ଥିଲା କେବଳ ତା'ର ଏକ କଳ୍ପନାର ବିଷୟ କହି କାର୍ଯ୍ୟତଃ ତାହା ଥିଲା ବିଭିନ୍ନ ଜାତି, ଉପଜାତି, ବର୍ଣ୍ଣ ଧର୍ମରେ ବିଭକ୍ତ ।

 

ସେ କେବେହେଲେ ଏ ପୃଥିବୀକୁ ଗୋଟିଏ ରୂପରେ ଦେଖିନାହିଁ, କି ମଣିଷ ଜାତିକୁ ବାସ୍ତବରେ ଗୋଟାଏଭାବେ ଭେଟିନାହିଁ । ଏବେ କିନ୍ତୁ ସେ ଅବସ୍ଥା ପୂରାପୂରି ବଦଳି ଯାଇଛି । ମଣିଷ ଆଜି ମହାକାଶଚାରୀ । ମହାକାଶରେ ପ୍ରତିଦିନ ଛୁଟି ଚାଲିଛି ତା'ର ଅନ୍ତରୀକ୍ଷର ଯାନ । ସେଠାରେ ସେ ତା'ର ସ୍ଥାୟୀ ଆସ୍ଥାନ ରଚନା କଲାଣି । ଅଚିରେ ସେଠି ଏକ ନୂତନ ପୃଥିବୀ ଗଢ଼ିବାରେ ସମର୍ଥ ହେବ । ମଣିଷ ମହାକାଶରୁ ସେ ଆମର ଏ ପୃଥିବୀକୁ ଆଉ ଆଂଶିକଭାବେ ଦେଖେ ନାହିଁ, ତାକୁ ଦେଖେ କେବଳ ସମଗ୍ର ଗୋଟାଏଭାବେ । ତା' ଆଗରେ ସେଠି ପୃଥିବୀଟା ପୂର୍ବଭଳି ବିଭିନ୍ନ ଜାତି, ବର୍ଣ୍ଣର ଲୋକ ନୁହେଁ । ଯଦି ଅନ୍ୟ କୌଣସି ଗ୍ରହ, ନକ୍ଷତ୍ରରୁ କୌଣସି ଜୀବନ ଆସି ମଣିଷକୁ ସେଠି ଭେଟିବ, ସେ ତାକୁ ଗ୍ରହଣ କରିବ ପୃଥିବୀର ଲୋକ ହିସାବରେ, ସମଗ୍ର ମଣିଷ ଜାତିର ପ୍ରତିଭୂ ରୂପରେ ।

 

ଆଜିର ବାସ୍ତବତା ପୃଥିବୀକୁ, ମଣିଷ ଜାତିକୁ, ଗୋଟାଏ କରିଦିଏ । ଯାହା ଦିନେ ସାହିତ୍ୟର କଳ୍ପନାରେ ଥିଲା ତାହା ଆଜି ବାସ୍ତବରେ ରୂପାୟିତ ହୁଏ । ସାହିତ୍ୟ ଯଦି ମହାକାଶଚାରୀ ହୁଏ- ଯାହାକି ସେ ନିଶ୍ଚୟ ହେବ, ସେ ସ୍ୱଚକ୍ଷୁରେ ଦେଖିବ ତା' ପୃଥିବୀ କେଡ଼େ କ୍ଷୁଦ୍ର କେତେ ସୁନ୍ଦର, ତା' ଲାଗି କେତେ ଅନୁରାଗୀ । ସେ ଅନ୍ତରୀକ୍ଷରୁ ଆହରଣ କରିବ ପୃଥିବୀ ଗୋଟାକର ଶୋଭା ଓ ତା'ର ସୌନ୍ଦର୍ଯ୍ୟ; ଅନୁଭବ କରିବ ସମସ୍ତ ମଣିଷ ଜାତିର କୃତିତ୍ୱ ଓ ମହତ୍ତ୍ୱ, ଆଉ ସ୍ୱତଃ ନିର୍ଝରିତ ହେବ ସାହିତ୍ୟ ପ୍ରାଣର ପ୍ରଶୁପ୍ତ ସଞ୍ଜିବନୀର ନିର୍ଝର । ସେ ଦେଖିବ ତାରାଙ୍କ ଭଳି ପୃଥିବୀ ତା'ର ଜୁଳୁଜୁଳୁ କରି ଅନାଏ, ଟିପିଟିପି ହୋଇ ହସେ, ଆଉ ତା'ର ସେହି ଆକର୍ଷଣ ସୃଷ୍ଟି କରିବ ତା' ପ୍ରାଣରେ ନୈସର୍ଗିକ ଆବେଗର ଜୁଆର । ଯେଉଁ ମଣିଷ ଏତେକାଳ ଧରି ତା'ର ମା' ଏଇ ଧରିତ୍ରୀ ଉପରେ ନିଜର ସବୁପ୍ରକାର ଅଳି ଅଦୌତି ଓ ଦୌରାତ୍ମ୍ୟ ସୃଷ୍ଟିକରି ଆସୁଛି, ସେ ଏବେ ପ୍ରକୃତି ସନ୍ତାନଭାବେ ଅର୍ପଣ କରିବ ନିଜର ସ୍ନେହ, ଶ୍ରଦ୍ଧା ଆଉ ସମ୍ମାନ । ନିଜର ମା' ପ୍ରତି କୌଣସି ସମାନ ଅନ୍ୟାୟ ଅନାଚାରକୁ କେବେହେଲେ ବରଦାସ୍ତ କରିପାରିବ ନାହିଁ । ଏଇ ସବୁ ବାସ୍ତବତା ପ୍ରତି ସ୍ୱତଃସ୍ଫୂର୍ତ୍ତ ଆକର୍ଷଣ ଓ ସହଜାତ ଆବେଗରେ ହିଁ ସବୁ ସାହିତ୍ୟ ଓ ସାହିତ୍ୟିକ ପରାକାଷ୍ଠା ପରୀକ୍ଷିତ ।

 

ଏବେ ଯେତେବେଳେ ମଣିଷ ଅନ୍ତରୀକ୍ଷରୁ ଆମକୁ ନିରୀକ୍ଷଣ କରେ, ଆମେ ଓଡ଼ିଆ ସାହିତ୍ୟରେ ଅଗ୍ରଗତିର ଡାକରା ଦେଉ । କିନ୍ତୁ ଝରକା କବାଟ କିଳି ସାହିତ୍ୟ ରଚନା କରୁ । ପରମାଣୁ ଯୁଦ୍ଧର ବିପଦ ଯେତେବେଳେ ମଣିଷ ଜାତିକୁ ଧ୍ୱଂସ କରିବାକୁ ଉଦ୍ୟତ, ସେତେବେଳେ ଆମେ ଓଡ଼ିଆ ସାହିତ୍ୟରେ ବହୁପ୍ରକାର ମୂଲ୍ୟବୋଧର ଆଲୋଚନା କରୁ, କିନ୍ତୁ ନିର୍ଦ୍ଦିଷ୍ଟ ବକ୍ତବ୍ୟ ଖୋଜି ପାଉନା । ସେହିପରି ରାଜ୍ୟର ଉନ୍ନୟନ ଯୋଜନା ଭିତରେ ଦାରିଦ୍ର‌୍ୟ ସୀମାତଳେ ପଡ଼ିଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇ (ଷଷ୍ଠ ଯୋଜନା ଚିଠାରେ) ଶହେକେ ୮୮ରେ ପହଞ୍ଚିଲାବେଳେ ଲୋକଙ୍କ ପ୍ରାଣରେ ପୁଲକ ଓ ସମାଜରେ ବିକାଶ ପ୍ଲାବନ ସୃଷ୍ଟିର ଲକ୍ଷ୍ୟ ନେଇ, ଆମର ସାହିତ୍ୟ କାହାପାଇଁ ଲେଖିବ ବୁଝିପାରେନା । ଏହା ଅର୍ଥ ସତ୍ୟକୁ ଆମେ ନିର୍ଦ୍ଦିଷ୍ଟଭାବେ ଦେଖିବାକୁ ଚାହୁଁନା । ସତ୍ୟ ପ୍ରତି ଦୃଷ୍ଟିକୁ ନିର୍ଦ୍ଦିଷ୍ଟ କରିବାଦ୍ୱାରା ହିଁ ନିର୍ଦ୍ଦିଷ୍ଟ ବକ୍ତବ୍ୟ ସ୍ୱତଃ ଆତ୍ମପ୍ରକାଶ କରେ । ସେଠି କାହାପାଇଁ ଲେଖିବୁ ପ୍ରଶ୍ନର ଅବକାଶ ରହେନାହିଁ । ତାହା ପ୍ରକାଶ ଲାଗି ଅବଶ୍ୟ ଯେଉଁ ନିଷ୍ଠା ଓ ନିର୍ଭୀକତା ଆବଶ୍ୟକ, ତାହା ହାସଲ କରିବାକୁ ହେବ ।

•••

 

ଜନ୍ମଭୂମି ଓ ଜାତୀୟତା

ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ

 

ଜାତୀୟ ଐକ୍ୟ ଏବଂ ସଂହତି ଦିବସ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ପରିବେଶ ଭିତରେ ପାଳନ କରାଯାଉଚି । ଏ ଜାତୀୟ ଐକ୍ୟ ଓ ସଂହତି ବିଷୟରେ କେତେକ ତଥ୍ୟ ଏଠାରେ ଏକାନ୍ତ ପ୍ରଣିଧାନ ଯୋଗ୍ୟ ।

 

ସ୍ୱାଧୀନତା ଲାଭ କରିବାର ଅନେକ ବର୍ଷ ପରେ ଆଜି ଭାରତର ପୂର୍ବ ସୀମାନ୍ତରେ ଓ ପଶ୍ଚିମ ସୀମାନ୍ତରେ ଏକ ଭିନ୍ନ ମତର ସ୍ୱର ଉତ୍ତୋଳିତ ହୋଇଚି । ଜାତୀୟ ଏକତାକୁ ଖଣ୍ଡିତ କରିବା ନିମନ୍ତେ କେତେକ ଗୋଷ୍ଠୀ ହିଂସା ଓ ଭୟ ଦେଖାଇବାର ଆଚରଣ ପ୍ରଦର୍ଶନ କରୁଛନ୍ତି । ଇତିହାସର ପୃଷ୍ଠାରୁ ଆମେ ଦେଖିବା ଯେ ଅଶୋକ ଯେତେବେଳେ ଏକ ଭାରତର କଳ୍ପନା କରିଥିଲେ, ଯେତେବେଳେ ସେ ସୀମାନ୍ତବର୍ତ୍ତୀ ଅଞ୍ଚଳମାନଙ୍କରେ ଶିଳାଲିପିର ଅଭିଲେଖ ସାହାଯ୍ୟରେ ଏହି ଐକ୍ୟ ଓ ସଂହତିର ମହାନ୍ ଗାଥା ପ୍ରଚାର କରିଥିଲେ । ତାଙ୍କର ଉଦ୍ଦେଶ୍ୟ ଥିଲା ଯେ ସୀମାନ୍ତର ସୁରକ୍ଷା ଅତ୍ୟାବଶ୍ୟକ ଏବଂ ସେହି ସୁରକ୍ଷା କେବଳ ସୈନ୍ୟବଳରେ ନୁହେଁ, ଭାବଗତ ଐକ୍ୟଦ୍ୱାରାହିଁ ସୁପ୍ରତିଷ୍ଠିତ ହୋଇପାରିବ । ତେଣୁ ଅଶୋକଙ୍କ ଶିଳାଲିପିଗୁଡ଼ିକ ପ୍ରତ୍ୟନ୍ତବାସୀଙ୍କୁ ସମ୍ବୋଧନ କରାଯାଇଥିଲା ଓ ସେମାନେ ଯେ ସମ୍ରାଟଙ୍କ ପ୍ରିୟ ପୁତ୍ର ଏ କଥା ବାରମ୍ବାର ଘୋଷଣା କରାଯାଇଥିଲା । ସମଗ୍ର ଭାରତବାସୀ ଯେ ଏକ ଅବିଚ୍ଛେଦ୍ୟ ସମ୍ପୂର୍ଣ୍ଣ ଜାତି ତାହା ଅଶୋକ ଉପଲବ୍ଧି କରିଥିଲେ ।

 

ଏହି ଐକ୍ୟ ଆଜି ଆଉ ଥରେ ଉପଲବ୍ଧି କରିବାର ବେଳ ଆସିଛି । ଏକତା ମନ୍ତ୍ରରେ ଆମେ ଆଉ ଥରେ ଦୀକ୍ଷା ନେବାକୁ ପଡ଼ିବ ।

 

ଭୂଗୋଳ ଭାରତକୁ ଗୋଟିଏ ଦେଶବୋଲି କଳ୍ପନା କରିଛି । ଉତ୍ତରରେ ତୁଷାରାବୃତ୍ତ ହିମାଳୟ । ଦକ୍ଷିଣରେ ନୀଳତରଙ୍ଗ- ମାଳିନୀ ଭାରତ ମହାସାଗର । ପୂର୍ବରେ ବଙ୍ଗୋପସାଗର ଏବଂ ପଶ୍ଚିମରେ ଆରବ ସାଗର । ଏପରି ଆକୁମାରୀ ହିମାଚଳକୁ ଭୂଗୋଳ ଗୋଟିଏ ଦେଶ କରି ଗଢ଼ିଛି । ସଂସ୍କୃତି ମଧ୍ୟ ସମଗ୍ର ଭାରତକୁ ଏକ କରି ଗଢ଼ିଛି । ସଂସ୍କୃତ ଭାଷାରୁ ଜନ୍ମ ବିଭିନ୍ନ ଭାରତୀୟ ଭାଷା ଏହି ସଂସ୍କୃତିକୁ ନିବିଡ଼ତର କରି ବନ୍ଧନ କରିଛି । ରାମାୟଣ ବା ମହାଭାରତର ସୁନ୍ଦର ଚରିତ୍ରଗୁଡ଼ିକର ମହତ୍ତ୍ୱ ଓ ମହନୀୟତା ଭାରତର ସବୁ କୋଣରେ ସୁପରିଚିତ ।

 

ଭୂଗୋଳ ଓ ସଂସ୍କୃତି ଭାରତକୁ ଗୋଟିଏ ଦେଶବୋଲି କଳ୍ପନା କରିଥିଲେ ମଧ୍ୟ ରାଜନୈତିକ କ୍ଷେତ୍ରରେ ଭାରତର ଏକତା ଅତୀତରେ ଖୁବ୍ କମ୍ ପ୍ରତିଷ୍ଠିତ ହୋଇଚି । ଅନେକ ଦିନଧରି ଭାରତ ଐକ୍ୟ ଓ ଅନୈକ୍ୟ ଭିତରେ ଦୋଳାୟମାନ ହୋଇ ରହିଚି । ଅଶୋକ ଭାରତକୁ ରାଜନୈତିକ ଏକତା ଦେଇଥିଲେ । ତା'ପରେ ଦ୍ୱିତୀୟ ଚନ୍ଦ୍ରଗୁପ୍ତ ଆଉ ଥରେ ଏହି ଐକ୍ୟ ପ୍ରତିଷ୍ଠା କରିବାରେ ବହୁ ଭାବରେ ସଫଳ ହୋଇଥିଲେ । ତା'ପରେ ଆକବର ନିଜର ଉଦାରତା ଓ ସହିଷ୍ଣୁତା ଗୁଣଦ୍ୱାରା ଭାରତକୁ ଆଉ ଥରେ ଏକ କରିବାରେ ସମର୍ଥ ହୋଇଥିଲେ । ଅଳ୍ପ କେତେଥର ଭାରତକୁ ରାଜନୈତିକ ଏକତା ଦେବା ନିମନ୍ତେ ସଫଳ ଚେଷ୍ଟା ହୋଇଚି । ଏହି ଏକତା ଏକ ଅସାଧାରଣ ଘଟଣା; ସାଧାରଣ ନୁହେଁ । ଅଧିକାଂଶ ସମୟରେ ଭାରତରେ ରାଜନୈତିକ ଅନୈକ୍ୟ ଦେଖା ଦେଇଚି, ତାହାହିଁ ସାଧାରଣ । ଗୋଟିଏ ସଂସ୍କୃତି ଭିତରେ ରାଜନୀତିର ଏକ ପ୍ରକାର ଦୁର୍ବଳତା ଓ ଅଜ୍ଞତା ଯୋଗୁଁ ଅନେକ ରାଜ୍ୟ ଭାରତର ବାହାରେ ରହିଥିଲା । ଏହି ଅନୈକ୍ୟ ହିଁ ଭାରତର ପରାଧୀନତାର ମୁଖ୍ୟ କାରଣ । ଭାରତ ଭୂଖଣ୍ଡରେ ଶକ୍ତି ଓ ବୀରମାନଙ୍କର ଅଭାବ ନ ଥିଲା । କବି, ବିଦ୍ୱାନ୍‌, ମନୀଷୀ ଓ ବୈଜ୍ଞାନିକଙ୍କ ଅଭାବ ଭାରତକୁ କେବେ ସ୍ପର୍ଶ କରି ନାହିଁ । କିନ୍ତୁ ଗଣ ଏକତା ଓ ସାମୂହିକ ଚେତନାର ଅଭାବ ଯୋଗୁଁ ଭାରତ ଅନେକଥର ପରାଧୀନ ହୋଇଥିଲା ।

 

ତେଣୁ ଆଜି ଏହି ଦିବସରେ ଆମେ ସେହି ଐକ୍ୟ ଓ ସଂହତି ପାଳନ କରିବା ବେଳେ ଇତିହାସର ସେହି ମହାନ୍ ଶିକ୍ଷାକୁ ହୃଦୟଙ୍ଗମ କରିବାକୁ ହେବ । ଠିକ୍ ପାଣି ପବନ ପରି ଜାତୀୟ ଐକ୍ୟ ଓ ସଂହତି ଯେ ଆମର ସର୍ବାଦୌ ଆବଶ୍ୟକ, ତାହା ଆମେ ମନେ ରଖିବା ଉଚିତ ।

 

ଜାତୀୟ ଏକତା ଓ ଜାତୀୟ ସଂହତିର ତିନିଗୋଟି ବିଶେଷ କ୍ଷେତ୍ର ରହିଚି । ସେ ତିନି ଗୋଟି କ୍ଷେତ୍ର ହେଲା, ରାଜନୈତିକ ଏକତା, ଅର୍ଥନୈତିକ ସଂହତି ଓ ଭାବଗତ ଐକ୍ୟ । ଏହି ତିନିଗୋଟି କ୍ଷେତ୍ରରେ ଆମେ ମନ ପ୍ରାଣ ଦେଇ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କଲେ ଜାତୀୟ ଏକତା ଓ ଜାତୀୟ ସଂହତି ସମ୍ଭବ ହୋଇ ପାରିବ ।

 

ସ୍ୱାଧୀନତା ଆମକୁ ରାଜନୈତିକ କ୍ଷେତ୍ରରେ ଏକତା ଦାନ କରିଚି । ସ୍ୱାଧୀନତା ସଂଗ୍ରାମରେ ଭାରତର ସବୁ ଅଞ୍ଚଳରୁ ସବୁ ପ୍ରଦେଶରୁ ଯୋଗ୍ୟତମ ନାଗରିକମାନେ ଝାସ ଦେଇଥିଲେ । ବେଲୁଚିସ୍ଥାନରୁ ଆରମ୍ଭ କରି ବଙ୍ଗ ପର୍ଯ୍ୟନ୍ତ, ପଞ୍ଜାବଠାରୁ ଆରମ୍ଭ କରି ମାନ୍ଦ୍ରାଜ ପର୍ଯ୍ୟନ୍ତ ସବୁ ଅଞ୍ଚଳର ଅନେକ ବିଦ୍ୱାନ ଓ ମହାନ୍ ସଂଗ୍ରାମୀ ଏହି ସ୍ୱାଧୀନତା ନିମନ୍ତେ ସମଗ୍ର ଭାବରେ ନିଜକୁ ଆହୂତି ଦେଇଥିଲେ, ସ୍ୱାଧୀନତା ଯଜ୍ଞରେ ।

 

ଆମର ପରମ ସୌଭାଗ୍ୟ ଯେ ଭାରତରେ ମହାତ୍ମା ଗାନ୍ଧୀ ଜନ୍ମ ନେଇଥିଲେ । ସେ ପ୍ରଥମେ ଐକ୍ୟବଦ୍ଧ ଭାବରେ ସଂଗ୍ରାମ କରିବାର ଶକ୍ତି ଭାରତବାସୀଙ୍କୁ ଦେଇଥିଲେ । ଏବେ ସିଂହାବଲୋକନ କଲେ ମନେ ହୁଏ ଯେ, ଯଦି ମହାତ୍ମା ଗାନ୍ଧୀ ଏହି ଜାତୀୟ ଏକତାର ଜାଗରଣ କରି ନ ଥାନ୍ତେ, ତେବେ ଭାରତ କଦାପି ସ୍ୱାଧୀନ ହୋଇପାରି ନ ଥାନ୍ତା । ଏକତାର ମହାମନ୍ତ୍ର ଆମେ ଗାନ୍ଧୀଜୀଙ୍କଠାରୁ ପାଇଛେ । ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡକୁ ସେ ଜାତୀୟ ଦୁର୍ଗତି ଓ ଅପମାନବୋଲି ଲୋକଙ୍କୁ ଅନୁଭବ କରିବାକୁ ଶିଖାଇଥିଲେ । ତାହାହିଁ ଆମକୁ ଐକ୍ୟ ଓ ସଂହତି ଶିଖାଇଦେଲା । ସେହିପରି ବିହାରର ଭୂମିକମ୍ପ ଫଳରେ ଯେତେବେଳେ ସହସ୍ର ସହସ୍ର ଲୋକ ସର୍ବସ୍ୱାନ୍ତ ହୋଇଗଲେ ସେହି ମହାତ୍ମା ସମଗ୍ର ଭାରତକୁ ବିହାରର ଦୁଃଖରେ ସମଦୁଃଖୀ କରାଇ ପାରିଥିଲେ । ବିହାର ଭୂମିକମ୍ପ ସାହାଯ୍ୟପାଣ୍ଠି ନିମନ୍ତେ ସମଗ୍ରଦେଶ ମୁକ୍ତ ହସ୍ତରେ ସାହାଯ୍ୟ ଦେବା କଥା ସେ ଶିଖାଇଥିଲେ । ଏହିପରି କୌଣସି ଆଞ୍ଚଳିକ ଦୁର୍ଘଟଣା, ରାଜନୈତିକ ଅତ୍ୟାଚାର ବା ପ୍ରାକୃତିକ ବିପର୍ଯ୍ୟୟକୁ ମହାତ୍ମା ଗାନ୍ଧୀ ସମଗ୍ର ଦେଶରବୋଲି ଦେଖାଇ ଦେଇଥିଲେ । ସେହି ଐକ୍ୟକୁ ଭିତ୍ତିକରି ମହାତ୍ମା ଗାନ୍ଧୀ ବ୍ରିଟିଶ ଶାସନ ବିରୁଦ୍ଧରେ ଅହିଂସା ସଂଗ୍ରାମ କରିବାକୁ ସମର୍ଥ ହୋଇଥିଲେ ଓ କୃତକାର୍ଯ୍ୟ ମଧ୍ୟ ହୋଇଥିଲେ ।

 

ମହାତ୍ମା ଗାନ୍ଧୀଙ୍କ ଦାୟାଦ ଭାବରେ ପଣ୍ଡିତ ଜବାହରଲାଲ ନେହେରୁ ସେହି ଐକ୍ୟ ଓ ସଂହତିକୁ ଦୁଇଗୋଟି ମହନୀୟ ଦାନଦ୍ୱାରା ସମୃଦ୍ଧ କରିଥିଲେ । ସେଥିରୁ ଗୋଟିଏ ରାଜନୈତିକ କ୍ଷେତ୍ରରେ ଓ ଅନ୍ୟଟି ଅର୍ଥନୈତିକ କ୍ଷେତ୍ରରେ । ରାଜନୈତିକ କ୍ଷେତ୍ରରେ ‘ଭାରତୀୟ ସମ୍ବିଧାନ' ଓ ଅର୍ଥନୈତିକ କ୍ଷେତ୍ରରେ ‘ପଞ୍ଚବାର୍ଷିକ ଯୋଜନା' । ସମାଜବାଦ ଓ ଯୋଜନାମୂଳକ ପ୍ରଗତି ପଣ୍ଡିତ ନେହେରୁଙ୍କର ଅତୁଳନୀୟ ଦୂରଦୃଷ୍ଟି ଓ ଦେଶାତ୍ମବୋଧର ନିଦର୍ଶନ ।

 

ଭାରତୀୟ ସମ୍ବିଧାନ ଏବେ ଦୀର୍ଘ କାଳ ହେଲା ଭାରତୀୟ ରାଜନୀତିକୁ ଚଳାଇ ଆସିଛି-। ଅନେକ ଦୁର୍ଦ୍ଦିନ ଓ ସୁଦିନ ଭିତରେ ଏହି ଭାରତୀୟ ସମ୍ବିଧାନ ଏକ ଅମ୍ଳାନ ନିଷ୍କମ୍ପ ଦୀପଶିଖା ପରି କୋଟି କୋଟି ଭାରତୀୟଙ୍କୁ ଆଲୋକ ଓ ପଥ ପ୍ରଦର୍ଶନ କରି ଆସିଛି । ବାଧାବିଘ୍ନ ଓ ପ୍ରତିବନ୍ଧକୁ ଅତିକ୍ରମ କରି ଏହି ସମ୍ବିଧାନ ଏବେ ଭାରତୀୟ ଜନତାର ମୁକ୍ତିର ମଶାଲ ହୋଇ ରହିଛି-। ଏ ସମ୍ବିଧାନ ଏକ ସଂଘୀୟ ସମ୍ବିଧାନ । ଏହି ସଂଘୀୟ ସମ୍ବିଧାନର ଏକ ଦୃଢ଼ ଶକ୍ତିଶାଳୀ କେନ୍ଦ୍ର ଏବଂ ବହୁ ଅଧିକାର ସମ୍ପନ୍ନ ରାଜ୍ୟମାନଙ୍କର କଳ୍ପନା କରାଯାଇଛି । କେନ୍ଦ୍ର ଓ ରାଜ୍ୟ ଭିତରେ ଆଦର୍ଶ କ୍ଷମତାର ସମନ୍ୱୟ ଓ ସମ୍ବଳର ସୁଷମ ବିତରଣ ହିଁ ଏହି ସମ୍ବିଧାନର ସଫଳତାର କାରଣ । ସମ୍ବିଧାନର ସଫଳତା ହିଁ ରାଜନୀତି କ୍ଷେତ୍ରରେ ଭାରତର ସାଫଲ୍ୟ । ଏହି ସମ୍ବିଧାନ ପ୍ରତି ଆମର ସମ୍ମାନ ଓ ଆନୁଗତ୍ୟ ପ୍ରତି କ୍ଷେତ୍ରରେ ପ୍ରକାଶ ପାଇବା ଉଚିତ ।

 

ସେହିପରି ଯୋଜନାଦ୍ୱାରା ଭାରତୀୟ ଅର୍ଥନୀତିର ପ୍ରଗତି ଓ ବିକାଶ ଆମର ସଂହତିର ଅଭିବୃଦ୍ଧି କରିଛି । ଆମର ଏହି ବିରାଟ ଦେଶ ଭିତରେ, ଅଞ୍ଚଳ ଅଞ୍ଚଳ ଭିତରେ ଅର୍ଥନୈତିକ ବୈଷମ୍ୟ ରହିଛି । ଏହି ଆଞ୍ଚଳିକ ବୈଷମ୍ୟର ମୂଳକାରଣ ଐତିହାସିକ । ଅର୍ଥନୀତି ଦୃଷ୍ଟିରୁ ଓଡ଼ିଶା ଅନେକ ପଛରେ ପଡ଼ିଛି । ଭାରତର ଅନ୍ୟ କେତେକ ଅଞ୍ଚଳ ଆମଠାରୁ ଅର୍ଥନୈତିକ କ୍ଷେତ୍ରରେ ବହୁତ ଆଗେଇ ଯାଇଛନ୍ତି । ଏହି ବୈଷମ୍ୟ ଦୂର କରିବାକୁ ପଣ୍ଡିତ ନେହେରୁ ଯୋଜନା ମାଧ୍ୟମରେ ଅର୍ଥନୀତିକୁ ଏକନୂତନ ଦିଗ୍‌ଦର୍ଶନ ଦେଇଥିଲେ । ଏହି ଯୋଜନାର ଲକ୍ଷ୍ୟ ହେଉଛି, ଭାରତରେ ସମାଜବାଦ ପ୍ରତିଷ୍ଠା । ସମାଜବାଦର ଅର୍ଥ ଓ ଲକ୍ଷ୍ୟ ହେଉଛି, ବ୍ୟକ୍ତି ବ୍ୟକ୍ତି ଭିତରେ ଅର୍ଥନୈତିକ ଓ ସାମାଜିକ ବୈଷମ୍ୟ ଲୋପ କରିବା, ଅଞ୍ଚଳ ଅଞ୍ଚଳ ଭିତରେ ଅର୍ଥନୈତିକ ବୈଷମ୍ୟକୁ କମାଇ ଦେଇ ସମାନତା ପ୍ରତିଷ୍ଠା କରିବା । ଏହି ବୈଷମ୍ୟ ଲୋପ କରିବା ହେଉଛି, ଐକ୍ୟ ଓ ସଂହତି ପ୍ରତିଷ୍ଠା କରିବା ଦିଗରେ ଏକ ବଡ଼ ପଦକ୍ଷେପ । ପଞ୍ଚବାର୍ଷିକ ଯୋଜନା ଫଳରେ ଏହି ବୈଷମ୍ୟ ଯେ ଅନେକ ପରିମାଣରେ ଲୋପ ପାଉଛି, ତାହା ସମସ୍ତେ ସ୍ୱୀକାର କରିବେ । ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ଏହି ଆଞ୍ଚଳିକ ଓ ବ୍ୟକ୍ତିଗତ ବୈଷମ୍ୟ ଦୂର କରିବା ନିମନ୍ତେ ବୈପ୍ଳବିକ ପଦକ୍ଷେପମାନ ନିଆଯାଇଛି । ବ୍ୟାଙ୍କ୍ ଜାତୀୟକରଣଦ୍ୱାରା ଆଜି ସମାଜର ଦରିଦ୍ରତମ ବ୍ୟକ୍ତି ନିମନ୍ତେ ଆତ୍ମନିର୍ଭରଶୀଳ ହେବାକୁ ଅର୍ଥର ଅଭାବ ରହିନାହିଁ । ଆଞ୍ଚଳିକ ବୈଷମ୍ୟର ଦୂରୀକରଣପାଇଁ କ'ଣ କରାଯାଉଛି, ଆମେ ଏବେ ଓଡ଼ିଶାରୁ ଉଦାହରଣ ପାଇପାରିବା । ବିଭିନ୍ନ ରାଜ୍ୟ ତୁଳନାରେ ଓଡ଼ିଶାର ଅନଗ୍ରସରୀତା ଦୂରକରିବା ନିମନ୍ତେ ଓଡ଼ିଶାର ବିପୁଳ ପୁଞ୍ଜି ନିୟୋଗ କରାଯିବାକୁ ସ୍ଥିର ହୋଇଛି । ଏହାହିଁ ଯୋଜନା ଭିତ୍ତିକ ଅର୍ଥନୀତିର ଜାତୀୟ ଐକ୍ୟ ଓ ସଂହତି ଦିଗରେ ଏକ ଦୃଢ଼ ପଦକ୍ଷେପ । ତେଣୁ ଭାରତର ଐକ୍ୟ ଓ ସଂହତି ରକ୍ଷା କରିବା ନିମନ୍ତେ ଯୋଜନାର ଦାନ ସ୍ୱୀକାର କରିବାକୁ ହିଁ ହେବ ।

 

ତୃତୀୟ କ୍ଷେତ୍ର ହେଉଛି, ଭାବଗତ ଏକତା । ସର୍ବଭାରତୀୟ ସ୍ତରରେ ବିଭିନ୍ନ ରାଜନୀତିକ ମତବାଦୀମାନେ ନିଜନିଜ ଦଳ ଗଢ଼ିବେ । ସଙ୍ଗଠନ ସୃଷ୍ଟି କରିବେ । କିନ୍ତୁ ଦଳୀୟ କ୍ଷେତ୍ରରେ ମଧ୍ୟ ସର୍ବଭାରତୀୟଭାବ ରହିବା ଆବଶ୍ୟକ । ସର୍ବ ଭାରତୀୟଦଳ ବଦଳରେ ଆଞ୍ଚଳିକ ରାଜନୀତି ଭାରତରେ କେବେ ତିଷ୍ଠି ପାରିବ ନାହିଁ । ମହାଭାରତୀୟ ଜୀବନସ୍ରୋତ ଭିତରେ ଆଞ୍ଚଳିକ ମନୋଭାବ ସବୁବେଳେ ମଗ୍ନ ହୋଇଯିବ, ନିଶ୍ଚିହ୍ନ ହୋଇଯିବ । ସାମୟିକଭାବରେ, ଆଞ୍ଚଳିକ ଉତ୍ତେଜନାକୁ ନେଇ ଖେଳ କରାଯାଇପାରେ । ମାତ୍ର ଏହା ଅସ୍ଥାୟୀ ।

 

ସେହିପରି ଧର୍ମକ୍ଷେତ୍ରରେ ମଧ୍ୟ ଭାରତବର୍ଷର ଭାବଗତ ଐକ୍ୟକୁ ଖାପଖୁଆଇ ଚାଲିପାରୁଥିବା ଧର୍ମ ହିଁ ଏଠାରେ ସ୍ଥାୟୀ ହୋଇପାରିବ । ଏହି ଭାବଗତ ଐକ୍ୟକୁ ହିଁ ସନାତନଧର୍ମ କୁହାଯାଏ । ଏହିଧର୍ମରେ ମାନବିକତାକୁ ସମ୍ମାନ ଦିଆଯାଏ, କ୍ଷୁଦ୍ର ଲୌକିକତାକୁ ନୁହେଁ । ତେଣୁ ପ୍ରାକ୍ ଆର୍ଯ୍ୟ ମହେଞ୍ଜଦାରୋ ଓ ହରପ୍‌ପା ସଭ୍ୟତାରୁ ଏପର୍ଯ୍ୟନ୍ତ ବହୁଧର୍ମର ସ୍ରୋତ ଭାରତବର୍ଷରେ ପ୍ରବାହିତ ହୋଇଚି ଏବଂ ଏବେ ମଧ୍ୟ ହେଉଚି ।

 

ଯେଉଁ ମନୀଷୀ ଓ ମହାପୁରୁଷମାନେ ଭାରତବର୍ଷକୁ ଅନ୍ତରର ସହ ପ୍ରେମ କରୁଥିଲେ ସେମାନେ ସୃଷ୍ଟି କରିଥିଲେ ଏହି ଭାବଗତ ଐକ୍ୟ । ପ୍ରଥମେ ବ୍ୟାସଦେବ ‘ଭାରତ' ଶବ୍ଦର ବ୍ୟବହାର କରିଛନ୍ତି । ସେ କହିଛନ୍ତି ଯେ ଯେଉଁମାନେ ଭାରତରେ ଜନ୍ମଲାଭ କରିଛନ୍ତି ସେମାନେ ଧନ୍ୟ । ତାଙ୍କ ପରେ ବାୟୁ ପୁରାଣରେ ଆମେ ‘ଭାରତ' ଶବ୍ଦକୁ ଆଉଥରେ ଦେଖିବାକୁ ଆଉ । ସେଥିରେ କୁହାଯାଇଛି, ‘ତତ୍‌ବର୍ଷଂ ଭାରତଂ ନାମ, ଭାରତୀ ଯତ୍ର ସନ୍ତତିଃ’ । ସେହି ଦେଶର ନାମ ଭାରତବର୍ଷ ଯେଉଁଠି ଭାରତୀୟ ରହନ୍ତି । ବାୟୁପୁରାଣରେ ‘ଭାରତ'କୁ ପ୍ରଥମେ ଗୋଟିଏ ଦେଶବୋଲି କଳ୍ପନା କରାଯାଇଅଛି ଓ ତା'ର ଅଧିବାସୀମାନଙ୍କୁ ‘ଭାରତୀୟ'ବୋଲି କୁହାଯାଇଅଛି-। ଗୌତମ ବୁଦ୍ଧ ତାଙ୍କ ଜୀବନର ଶେଷ ଅବସ୍ଥାରେ ‘ଭାରତବର୍ଷ' ବିଷୟରେ କହିଥିଲେ,’ ‘ଚିତ୍ରମ୍ କମ୍ବୁ ଦ୍ୱୀପମ୍ ମନୋରମଂ ଜୀବିତମ୍ ମନୁଷ୍ୟାଣାଂ’ । ଏ ଜମ୍ବୁ ଦ୍ୱୀପ ଅତି ସୁନ୍ଦରଦେଶ ଓ ଏହାର ମନୁଷ୍ୟମାନଙ୍କର ଜୀବନ ଅତି ମନୋରମ । ବୁଦ୍ଧଦେବ ସମଗ୍ର ଭାରତକୁ ଗୋଟିଏ ଦେଶବୋଲି ଚିନ୍ତା କରିଛନ୍ତି ଏବଂ ସେହି ଦେଶବାସୀଙ୍କ ଜୀବନ ମନୋରମବୋଲି କହିଛନ୍ତି । ମନୁସ୍ମୃତିରେ ଭାରତବର୍ଷକୁ ଏକ ଆଦର୍ଶ ଦେଶରୂପେ କଳ୍ପନା କରାଯାଇଅଛି । ବିଭିନ୍ନ ଆଞ୍ଚଳିକ ଭାଷାରେ ମଧ୍ୟ କବିମାନେ ଭାରତବର୍ଷର ଜୟଗାନ କରିଛନ୍ତି । ରବୀନ୍ଦ୍ରନାଥ ଠାକୁର କହିଛନ୍ତି, ‘ହେ ମୋର ଚିତ୍ତ, ପୁଣ୍ୟ ତୀର୍ଥ ଜାଗୋରେ ଧୀରେ, ଏଇ ଭାରତେର ମହାମାନବେର ସାଗରତୀରେ’ । ସେ ଭାରତକୁ ମହାମାନବିକତାର ଜନ୍ମଭୂମିବୋଲି କଳ୍ପନା କରିଛନ୍ତି । ଶକ୍‌, ହୁନ୍‌, ମୋଗଲ, ପଠାଣ ସମସ୍ତେ ଏଠାକୁ ଆସିଛନ୍ତି, ଗୋଟିଏ ମହାସାଗର ଭିତରେ ମିଳେଇଯିବାକୁ । ତାମିଲ କବି ସୁବ୍ରମନ୍ୟମ୍ ମଧ୍ୟ ଭାରତକୁ ଗୋଟିଏ ଦେଶ, ଗୋଟିଏ ଜାତିବୋଲି କହି ଭାରତମାତାର ଜୟଗାନ କରିଛନ୍ତି । ଓଡ଼ିଶାର ଶ୍ରେଷ୍ଠ କବି ରାଧାନାଥ ରାୟ ‘ଭାରତ ଗୀତିକା' ରଚନା କରିଛନ୍ତି । ସେହି ସୁମଧୁର ସଙ୍ଗୀତରେ ସେ ଭାରତବର୍ଷକୁ ‘ସର୍ବେଷାଂନୋ ଜନନୀ’ବୋଲି ଅର୍ଥାତ୍ ଆମ ସମସ୍ତଙ୍କର ଜନନୀବୋଲି ନମସ୍କାର ଜଣାଇଛନ୍ତି । ଏହି ଭାରତ ଆମର ଜନ୍ମଭୂମି, କର୍ମଭୂମି, ଅନ୍ନଦାତ୍ରୀ, ମୁକ୍ତିଦାତ୍ରୀ । ରାଧାନାଥ ରାୟ ଏହି କବିତା ଲେଖିଥିଲେ, ଉତ୍କଳ ସମ୍ମିଳନୀରେ ପଢ଼ାଯିବା ନିମନ୍ତେ-। କିନ୍ତୁ ସେ ଉତ୍କଳ ଜନନୀ କଥା ନ ଲେଖି ‘ଭାରତଜନନୀ' କଥା ଲେଖିଗଲେ । ସେ ଲେଖିଛନ୍ତି- ‘ଭାରତ କମଳଦଳମିବ ଉତ୍‌କଳ,' ଅର୍ଥାତ୍ ଭାରତ ରୂପକ କମଳର ଏକ ପାଖୁଡ଼ା ଆମର ଏହି ପ୍ରିୟ ଉତ୍କଳଭୂମି । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଆନ୍ଦୋଳନର ଜନ୍ମଦିନରେ ରଚିତ ଏହି କବିତାର ମର୍ମ ଆମକୁ ଗ୍ରହଣ କରିବାକୁ ହେବ ।

 

ତେଣୁ ପୁରାଣ ଓ ଉପନିଷଦରେ କବି ଓ ଦାର୍ଶନିକମାନେ ଯେଉଁ ଭାଗବତ ଐକ୍ୟ କଥା ବାରମ୍ବାର ଘୋଷଣା କରିଛନ୍ତି, ମହାତ୍ମା ଗାନ୍ଧୀ ଓ ପଣ୍ଡିତ ନେହେରୁ ଯେଉଁ ଐକ୍ୟ ଆମ ଜୀବନ କାଳରେ ଆମକୁ ଦେଖାଇ ଓ ଶିଖାଇ ଦେଇ ଯାଇଛନ୍ତି, ତାହାହିଁ ଆମର ଅଭିପ୍ରେତ ।

 

ସମ୍ବିଧାନର ଶାସନ ଆଜି ରହିଛି । ଏକ ଗଣତାନ୍ତ୍ରିକ ସୁସ୍ଥ ପରମ୍ପରା ସୃଷ୍ଟି ହୋଇଛି ଏବଂ ଆଜି ଦେଶରେ ଏକ ଶକ୍ତିଶାଳୀ ଓ ଦୃଢ଼ଶାସନ ପ୍ରତିଷ୍ଠିତ ହୋଇପାରିଛି । ଏସବୁ ସତ୍ତ୍ୱେ, ବିରାଟ ନେତୃତ୍ୱ, ସମ୍ବିଧାନର ପରଂପରା, ରାଜନୈତିକ ଏକତା, ଅର୍ଥନୈତିକ ପ୍ରଗତି, ଏକ ଭାବଗତ ମିଳନର ଆବଶ୍ୟକତା ରହିଛି ।

 

ଆଜି ଯେଉଁମାନେ ବୁଦ୍ଧିଜୀବୀ, କବି, ଲେଖକ, ଦାର୍ଶନିକ ବା ବୈଜ୍ଞାନିକ, ସମସ୍ତେ ଭାରତବର୍ଷକୁ ଗୋଟିଏ ଦେଶରୂପେ କଳ୍ପନା କରି ଏହି ଦେଶକୁ ଆଗେଇ ନେବାକୁ ଦୃଢ଼ ପ୍ରତିଜ୍ଞ ହେବା ଆବଶ୍ୟକ । ଏ ଦେଶ ହିନ୍ଦୁଙ୍କର; ଏ ଦେଶ ମୁସଲମାନଙ୍କର; ଏ ଦେଶ ବୌଦ୍ଧଙ୍କର; ଖ୍ରୀଷ୍ଟିଆନଙ୍କର, ଶିଖ୍ ଓ ପାର୍ଶୀଙ୍କର ।

 

ଓଡ଼ିଶା ଏକ କ୍ଷୁଦ୍ର ରାଜ୍ୟ ହେଲେ ମଧ୍ୟ ଏହା ସମଗ୍ର ଦେଶର ଏକ କ୍ଷୁଦ୍ର ସଂସ୍କରଣ । ଏଠାରେ ପାହାଡ଼ ଅଛି, ନଦୀ ଅଛି, ସମୁଦ୍ର ଅଛି, ହିନ୍ଦୁ ଅଛନ୍ତି, ମୁସଲମାନ ଅଛନ୍ତି, ଖ୍ରୀଷ୍ଟିଆନ ଅଛନ୍ତି, ଓଡ଼ିଆ ଲୋକତ ନିଶ୍ଚିତ ଅଛନ୍ତି, ସବୁ ଧର୍ମର ଓ ସବୁ ଭାଷ।।ର ଲୋକେ ଅଛନ୍ତି । ସେହିପରି ଆମେ ଯଦି ଭାରତବର୍ଷରେ ପ୍ରତ୍ୟେକ ଅଞ୍ଚଳକୁ ସେହି ସମଗ୍ରର ଏକ କ୍ଷୁଦ୍ର କିନ୍ତୁ ସଂପୂର୍ଣ୍ଣ ସଂସ୍କରଣବୋଲି କଳ୍ପନା କରିପାରିବା, ତାହାହେଲେ ଭାରତବର୍ଷର ଭାବଗତ ଏକତା ଓ ଜାତିଗତ ସଂହତି ସହଜରେ ସୃଷ୍ଟି ହୋଇପାରିବ ।

•••

 

Unknown

ସଂସ୍କୃତି : ଏହାର ତାତ୍ପର୍ଯ୍ୟ ଓ ପ୍ରାଣସତ୍ତା

ଡକ୍ଟର ଗଙ୍ଗାଧର ବଳ

 

ଆଜି ଆମେ କଥାକଥାକେ ‘ସଂସ୍କୃତି' ଶବ୍ଦ ବ୍ୟବହାର କରୁ । ସାଂସ୍କୃତିକ କାର୍ଯ୍ୟକ୍ରମ କହିଲେ ଆମେ ମୁଖ୍ୟତଃ ସଙ୍ଗୀତ, ନୃତ୍ୟ ବାଦ୍ୟ ଓ ଅଭିନୟକୁ ବୁଝୁ, କିନ୍ତୁ ଏଥିରେ ସଂସ୍କୃତିର ତାତ୍ପର୍ଯ୍ୟ ଓ ପ୍ରାଣସତ୍ତା କେତେଦୂର ଅଛି, ସେ ସମ୍ପର୍କରେ ଚିନ୍ତା କରୁନା ।

 

ପାଶ୍ଚାତ୍ୟ ଶିକ୍ଷା ବିଶେଷତଃ ଇଂରାଜୀ ଶିକ୍ଷାର ପ୍ରସାର ଫଳରେ ଆମର ବାହ୍ୟ ବ୍ୟାବହାରିକ ଜ୍ଞାନର ଦିଗ୍‌ବଳୟ ଯେ କିଞ୍ଚିତ୍ ବିସ୍ତୃତ ହୋଇଛି, ଏଥିରେ ସନ୍ଦେହ ନାହିଁ, କିନ୍ତୁ ସଂସ୍କୃତି କହିଲେ କ'ଣ ବୁଝାଯାଏ, ଏହାର ତାତ୍ପର୍ଯ୍ୟ କ'ଣ ସେ ସମ୍ପର୍କରେ କ୍ୱଚିତ୍ ମୁଣ୍ଡ ଖେଳାଉ ।

 

ଆମେ ପୃଥିବୀ ଇତିହାସରେ ଗ୍ରୀସ୍ ଓ ରୋମର୍ ମହାନତା, ମିଶର୍ ଓ ପାରସ୍ୟର ଗୌରବ ସମ୍ପର୍କରେ ଅନେକ କିଛି ପଢ଼ିବାକୁ ପାଉ, କିନ୍ତୁ ସେ ସବୁ ବର୍ତ୍ତମାନ କେବଳ ସଂଗ୍ରହାଳୟର ବିଷୟମାତ୍ର ହୋଇଛି । କିନ୍ତୁ ଭାରତୀୟ ସଂସ୍କୃତିର କି ବୈଶିଷ୍ଟ୍ୟ କି ତାତ୍ପର୍ଯ୍ୟ ବା ପ୍ରାଣସତ୍ତା ରହିଛି, ଯାହା ବିଭିନ୍ନ ଶତାବ୍ଦୀର ଐତିହାସକ ଉତ୍ଥାନପତନ ମଧ୍ୟରେ ଅଦ୍ୟାବଧି ତିଷ୍ଠି ରହିଛି ।

 

ଆଜି ଯେତେବେଳେ ଆମ ଉପରେ ଜାତିଗଠନର ଦାୟିତ୍ୱ ଆସିଛି, ସେତେବେଳେ ଆମ ସଂସ୍କୃତି ଉପରେ ଆମ ପାଦ ଦୃଢ଼ ରହିବା ଆବଶ୍ୟକ । ପ୍ରାଚୀନ ଭାରତୀୟ ସେବାସଂସ୍ଥାରେ ଯେଉଁ ବିଦେଶୀୟମାନେ ଥିଲେ, ଏ ଦେଶର ମାଟି ପାଣି ସହ ସେମାନଙ୍କର ସମ୍ପର୍କ ନ ଥିବାରୁ ଏ ଲୋକମାନଙ୍କର ବୈଶିଷ୍ଟ୍ୟ କ'ଣ, ସେମାନେ ପ୍ରକୃତ କ'ଣ ଚାହୁଁଥିଲେ, ତାହା ଜାଣିବା ସେମାନଙ୍କ ପକ୍ଷରେ ସମ୍ଭବ ନ ଥିଲା, ଯା'ଫଳରେ ଏ ଦେଶର ବିକାଶ ଦିଗରେ ସେମାନଙ୍କର କୌଣସି ଗଠନମୂଳକ ଚିନ୍ତା ବା ଆଗ୍ରହ ନ ଥିଲା ।

 

ଏଇ ମାଟିରେ ଆଜି ଆମର ଚେରକୁ ଦୃଢ଼ କରିବା ଆମପକ୍ଷରେ କଷ୍ଟକର, କାରଣ ଆମ ଦେଶର ମହାନ୍ ଅତୀତ ସମ୍ପର୍କରେ ଆମର ଶିକ୍ଷିତ ଯୁବକମାନଙ୍କୁ କ୍ୱଚିତ୍ ଅନୁପ୍ରାଣିତ କରାଯାଇଛି । ଆମର ବିଶ୍ୱବିଦ୍ୟାଳୟ ଶିକ୍ଷାରେ ଆମ ସଂସ୍କୃତି ପ୍ରତି ଏକ ଅନ୍ତର୍ଦୃଷ୍ଟିରୁ ସେମାନଙ୍କୁ ବଞ୍ଚିତ କରାଯାଇଛି । ପ୍ରାଚୀନ ଭାରତର ଇତିହାସ ଅଧ୍ୟୟନକୁ ପ୍ରାୟ ଅବହେଳିତ କରାଯାଇଛି । ଯେଉଁ ଉଜ୍ୱର୍ସ୍ୱଳ ସଂସ୍କୃତ ଓ ସଂସ୍କୃତ ସାହିତ୍ୟ ଆମ ସଂସ୍କୃତିର ବାହକ, ସେଇ ସଂସ୍କୃତ ଅଧ୍ୟୟନ ପ୍ରତି ଭାରତୀୟ ଛାତ୍ରଙ୍କର ବିଶେଷ ଆଗ୍ରହ ନାହିଁ ।

 

ସଂସ୍କୃତିର ମୂଲ୍ୟ ହୃଦୟଙ୍ଗମ କରିବା ପୂର୍ବରୁ ଜୀବନକୁ ଐତିହାସିକ ଦୃଷ୍ଟିକୋଣରୁ ଆମର ଦେଖିବା ଆବଶ୍ୟକ । ଇତିହାସ ମଣିଷ ଜାତିର ସମଗ୍ରତା, ଅଖଣ୍ଡତା ଓ ଅପୂର୍ଣ୍ଣତାର କାହାଣୀ ହୋଇଥିଲା ବେଳେ ସଂସ୍କୃତି ମନୁଷ୍ୟମାନଙ୍କୁ ମିଳିତ କରାଇବାରେ ସର୍ବଶ୍ରେଷ୍ଠ ସଂହତି ବା ଅଖଣ୍ଡ କରିବାର ଶକ୍ତି ।

 

ସଂସ୍କୃତି ହେଉଛି ଏପରି ଗୋଟିଏ ଶବ୍ଦ, ଏଇ କେତେବର୍ଷ ହେଲା ଯା'ର ବ୍ୟାପକ ଅପବ୍ୟବହାର ହୋଇ ଚାଲିଛି । ନୃତ୍ୟ ଓ ସଙ୍ଗୀତ ହେଉଛି ସଂସ୍କୃତି, ଜାଜ୍ ଓ ରକ୍‌-ଏନ୍ ରୋଲ ମଧ୍ୟ ଆଜି ସଂସ୍କୃତି । ଦିଲ୍ଲୀ, ମୁମ୍ବାଇ ଓ କଲ୍‌କାତାରେ ଆଜି ଦୈନିକ ସାଂସ୍କୃତିକ ଦୃଶ୍ୟର ଅଭିନୟ ଚାଲିଛି, ଯେଉଁଥିରେ ସଂସ୍କୃତିର ନିଦର୍ଶନ ମିଳିବା କଷ୍ଟକର ।

 

ସଂସ୍କୃତି ଓ ସଭ୍ୟତା ଏକ ନୁହେଁ । ସଭ୍ୟତାର ବିକାଶ ଫଳରେ ଆଜି ବସ୍ତୁର ବହୁ ବିକାଶ ସାଧିତ ହୋଇଛି । ରାମାୟଣ ଯୁଗରେ ରାମ ଓ ଲକ୍ଷ୍ମଣ ଗଛର ବଳ୍କଳ ପିନ୍ଧୁଥିଲେ, ପାଦରେ ଚାଲିଚାଲି ଦୂର ଦୂରାନ୍ତରକୁ ଯାତ୍ରା କରୁଥିଲେ । ଧନୁଶର ଧରି ଯୁଦ୍ଧ କରୁଥିଲେ । କିନ୍ତୁ ଆଜି ବିଜ୍ଞାନରେ ଅଭୂତପୂର୍ବ ବିକାଶ ଫଳରେ ପ୍ରକାଣ୍ଡ ପ୍ରକାଣ୍ଡ କଳକାରଖାନାମାନ ସ୍ଥାପିତ ହୋଇଛି, ଫଳରେ ଅଳ୍ପ ସମୟରେ ଆମେ ବହୁ ସୂକ୍ଷ୍ମ ଓ ସୁନ୍ଦର ବସ୍ତୁ ପାଇ ପାରୁଛୁ, ଦୂର ସ୍ଥାନକୁ ଅଳ୍ପ ସମୟରେ ଦ୍ରୁତଗାମୀ ଉଡ଼ାଜାହାଜମାନଙ୍କରେ ଯାଇ ପାରୁଛୁ, ଆଣବିକ ବୋମା, ରାସାୟନିକ ବୋମା ଓ ଦୂରଗାମୀ କ୍ଷେପଣାସ୍ତ୍ରମାନ ତିଆରି କରି ବିଶ୍ୱରେ ଆତଙ୍କ ସୃଷ୍ଟି କରି ଚାଲିଛୁ । ବୈଜ୍ଞାନିକ ଅଗ୍ରଗତି ସହ ବସ୍ତୁଗତ ସରଞ୍ଜାମର ଜଟିଳତା ବୃଦ୍ଧି ପାଇଛି, କିନ୍ତୁ ବସ୍ତୁଗତ ସରଞ୍ଜାମ ସହ ସଂସ୍କୃତିର ମୂଳତଃ କୌଣସି ସମ୍ପର୍କ ନାହିଁ । ସଂସ୍କୃତି ହେଉଛି ମୌଳିକମୂଲ୍ୟବୋଧ ଅନୁପ୍ରେରିତ ବୈଶିଷ୍ଟ୍ୟପୂର୍ଣ୍ଣ ଜୀବନ-ପନ୍ଥା, ଯେଉଁଥିରେ ଗୋଟିଏ ଜାତି ଜୀବନଧାରଣ କରେ । ଏହା କଳା, ଧର୍ମ, ସାହିତ୍ୟ, ସାମାଜିକ ଅନୁଷ୍ଠାନ ଓ ବ୍ୟବହାର ମାଧ୍ୟମରେ ପ୍ରକାଶିତ ମୂଲ୍ୟବୋଧର ସାମଗ୍ରିକତା, ମିଳିତ ଅନୁରୋଧରେ ଅନୁପ୍ରେରିତ ବ୍ୟକ୍ତି ଓ ଜନତାର କ୍ରିୟାକଳାପ ।

ଭୌଗୋଳିକ ସାନ୍ନିଧ୍ୟ ସଂସ୍କୃତିର ସାଦୃଶ୍ୟ ବା ସମଜାତୀୟତା ବୁଝାଏ ନାହିଁ । ଆଫ୍ରିକା ମହାଦେଶରେ ବିଭିନ୍ନ ପରମ୍ପରା, ସାମାଜିକ ପ୍ରଥା ଓ ଆଚରଣର ଆଦର୍ଶ ଥାଇ ବିଭିନ୍ନ ଜାତିର ଲୋକ ରହିଛନ୍ତି, ଆଫ୍ରିକାର ସଂସ୍କୃତି କହିବା ଅର୍ଥ ସଂସ୍କୃତିର ଅପପ୍ରୟୋଗ ।

ସଂସ୍କୃତିର ବୈଶିଷ୍ଟ୍ୟ :

ସଂସ୍କୃତିର ବୈଶିଷ୍ଟ୍ୟ ସମ୍ପର୍କରେ ପ୍ରଥମତଃ ଅବହିତ ହେବାକୁ ହେବ । ଏହାର ପ୍ରଥମ ବୈଶିଷ୍ଟ୍ୟ ହେଉଛି ନିରବଚ୍ଛିନ୍ନତା (ଧାରାବାହିକତା) । ଏହା ଅତୀତରୁ ଗଡ଼ିଗଡ଼ି ଚାଲିଥାଏ, ବର୍ତ୍ତମାନ ସହ ଖାପ ଖୁଆଇ ଚାଲେ ଏବଂ ଭବିଷ୍ୟତକୁ ରୂପଦେବାକୁ ପଥପ୍ରସ୍ତୁତ କରେ । ସମୟାନୁଯାୟୀ ସଂସ୍କୃତିର ବିଭାଗୀକରଣଦ୍ୱାରା ଏହାର ପ୍ରକୃତ ସ୍ୱରୂପ ଜଣାପଡ଼େ ନାହିଁ ।

 

ସଂସ୍କୃତି ଏକ ପ୍ରବହମାନ ଝରଣା ହୁଏ, ଯେତେବେଳେ ଗୋଟାଏ ଜାତିର ଲୋକଙ୍କର ସମଷ୍ଟିଗତ ବା ମିଳିତ ଜୀବନରେ ନିରବଚ୍ଛିନ୍ନତା ଅତୁଟ ରହେ । ଅନ୍ୟଭାବରେ କହିଲେ- ଗୋଟିଏ ଜାତି ଯେତେବେଳେ ଏକ ନିରବଚ୍ଛିନ୍ନ ଜୀବନଧାରାର ବିକାଶ ଘଟାଏ, ସେତେବେଳେ ନିର୍ଦ୍ଦିଷ୍ଟ ସଂସ୍କୃତିର ଆବିର୍ଭାବ ଘଟେ । ଏଇ ନିରବଚ୍ଛିନ୍ନତା ବା ପ୍ରବହମାନତା ନାନା ଭାବରେ ପ୍ରକାଶିତ ହୁଏ, ଯଥା ସାଧାରଣ ପରମ୍ପରା ଓ ଚାରିତ୍ରିକ ଆଦର୍ଶରେ, ସାଧାରଣ ଅନୁଷ୍ଠାନରେ, ଅତୀତରେ ଲବ୍ଧ ବିଷୟର ସାଧାରଣ ସ୍ମୃତିରେ, ଏକ ସାଧାରଣ ନାନ୍ଦନିକ ବା ସୌନ୍ଦର୍ଯ୍ୟତାତ୍ତ୍ୱିକ ଦୃଷ୍ଟିଭଙ୍ଗୀରେ, ବିଶିଷ୍ଟ ସମ୍ମିଳିତ କ୍ରିୟାର ସାମର୍ଥ୍ୟରେ ।

 

ସାଧାରଣ ପରମ୍ପରା ନ ଥିଲେ ସାଧାରଣ ସଂସ୍କୃତିର ଆବିର୍ଭାବ ହେବ ନାହିଁ । ଆଚରଣରେ ସାଧାରଣ ଆଦର୍ଶ ନ ରହିଲେ ସାଧାରଣ ଜୀବନ କେବେ ସମ୍ଭବ ହେବ ନାହିଁ, ଯାହାଙ୍କ ଚିନ୍ତାଶୀଳ ସକ୍ରିୟ ସ୍ୱଳ୍ପ ଲୋକଙ୍କଦ୍ୱାରା ଅନୁମୋଦିତ ଓ ଗୃହୀତ ହୋଇଥାଏ । ଦୃଷ୍ଟାନ୍ତ ସ୍ୱରୂପ ଭାରତର ଯେକୌଣସି ସ୍ଥାନକୁ ଗଲେ ଆମେ ଦେଖିବା ଅଧିକାଂଶ ଲୋକଙ୍କଦ୍ୱାରା ଆଚରଣର କେତେକ ଆଦର୍ଶ ଗୃହୀତ । ସ୍ଥାନେ ସ୍ଥାନେ ତ୍ରୁଟି ବିଚ୍ୟୁତି ଯେ ଦେଖାଯାଏ ନାହିଁ, ତା'ନୁହେଁ, କିନ୍ତୁ ଏଇ ତ୍ରୁଟି ବିଚ୍ୟୁତିକୁ ଅନୁମୋଦିତ ଆଚରଣର ବ୍ୟତିକ୍ରମବୋଲି ମନେ କରାଯାଏ । ଦୃଷ୍ଟାନ୍ତ ସ୍ୱରୂପ ଭାରତର ଯେ କୌଣସି ଅଞ୍ଚଳରେ ଆମେ ସୀତାଙ୍କ ପରି କୌଣସି ସ୍ତ୍ରୀଲୋକଙ୍କୁ ଉତ୍ତମ ଚରିତ୍ରରବୋଲି କହିଲେ ଆମେ କ'ଣ ମନେ କରିଛୁଁ ଅଧିକାଂଶ ଲୋକ ତାହା ବୁଝିପାରିବେ-। ବାସ୍ତବ ଜୀବନରେ ଅଧିକାଂଶ ସ୍ତ୍ରୀ ଲୋକ ସୀତାଙ୍କ ପରି ଆଦର୍ଶ ପ୍ରଦର୍ଶନ କରି ନଥାନ୍ତି, କିନ୍ତୁ ଉତ୍ତମ ସ୍ତ୍ରୀଲୋକେ ସେଇ ଆଦର୍ଶଦ୍ୱାରା ନିର୍ଦ୍ଦିଷ୍ଟ ଆଚରଣବିଧିକୁ ସ୍ୱୀକାର କରିବାର ଆଶା କରାଯାଏ ।

 

ପୁଣି ଯେଉଁ ଜାତି ବା ଜନସଂପ୍ରଦାୟ ଏକ ନିର୍ଦ୍ଦିଷ୍ଟ ସଂସ୍କୃତିର ବିକାଶ ପଥରେ ଯାଉଥା'ନ୍ତି, ସେମାନେ ସେମାନଙ୍କର ମୌଳିକ ସାମାଜିକ ଅନୁଷ୍ଠାନଗୁଡ଼ିକୁ ସମରୂପ ଦାନ କରିଥା'ନ୍ତି, ଦୃଷ୍ଟାନ୍ତ ସ୍ୱରୂପ ବିବାହ ବା ପରିବାର ପରି ମୌଳିକ ଅନୁଷ୍ଠାନର ଯଦି ସାଧାରଣ ଦୃଷ୍ଟିଭଙ୍ଗୀ ବା ଉଦ୍ଦେଶ୍ୟ ବା ଆଦର୍ଶ ନ ରହିବ, ସେମାନଙ୍କର ସଂସ୍କୃତିର ନିର୍ଦ୍ଦିଷ୍ଟତା ବା ନିରବଚ୍ଛିନ୍ନତା ରହିବ ନାହିଁ ।

 

ପୁଣି ଗୋଟିଏ ଜାତିର ଶକ୍ତିଶାଳୀ ସଂସ୍କୃତିପାଇଁ ଅତୀତରେ ସାଧାରଣ ବିଜୟ ସମ୍ପର୍କରେ ସେମାନଙ୍କର ସ୍ପଷ୍ଟ ସ୍ମୃତି ରହିବା ଆବଶ୍ୟକ । ସେ ବିଜୟ ପୌରାଣିକ, ଐତିହାସିକ ବା କାଳ୍ପନିକ ହୋଇପାରେ କିନ୍ତୁ ସେଗୁଡ଼ିକ ଲୋକଙ୍କର ସାମଗ୍ରିକ ଚେତନାରେ ସଞ୍ଚିତ ରହିବା ଆବଶ୍ୟକ ।

 

ସୁନିର୍ଦ୍ଦିଷ୍ଟ ଭୌଗୋଳିକ ସୀମା ମଧ୍ୟରେ ସହାବସ୍ଥାନ କରିଥିବା ଦୁଇଟି ଜନସମ୍ପ୍ରଦାୟ ସାଧାରଣ ସଂସ୍କୃତିର ବିକାଶରେ ସହାୟକ ହୋଇପାରନ୍ତି, କିନ୍ତୁ ଏହା ସାଧାରଣ ସଂସ୍କୃତିର ଅସ୍ତିତ୍ୱର ସୂଚକ ହୋଇ ନ ପାରେ । ଯଦି ଭାରତରେ ହିନ୍ଦୁ ଓ ମୁସଲମାନ ଅତୀତର ସାଧାରଣ ବିଜୟର ସ୍ମୃତି ପ୍ରତି ଧ୍ୟାନ ଦେଇ ନ ପାରନ୍ତି ଏବଂ ଗୋଟିଏ ସମ୍ପ୍ରଦାୟ ଶିବାଜୀଙ୍କ ସମ୍ପର୍କରେ ଏବଂ ଅନ୍ୟ ସମ୍ପ୍ରଦାୟ ଗଜନିର ମହମ୍ମଦ ଓ ଔରଙ୍ଗଜେବଙ୍କ ସମ୍ପର୍କରେ ଗର୍ବ ଅନୁଭବ କରନ୍ତି, ତା'ହେଲେ ସେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ସାଧାରଣ ସଂସ୍କୃତିର ବିକାଶ ଘଟି ପାରିବ ନାହିଁ ।

 

ଜାତି ଯେତେବେଳେ ବାଧା ବା ପ୍ରତିକୂଳ ଅବସ୍ଥାର ସମ୍ମୁଖୀନ ହୁଏ, ସେତେବେଳେ ଯଦି କୌଣସି ପ୍ରତିକାର କରିବାର ସମବେତ ଇଚ୍ଛା ପ୍ରକାଶ ପାଏ ତେବେ ସେଇ ଦୃଷ୍ଟିଭଙ୍ଗୀକୁ ଜୀବନ୍ତ ସଂସ୍କୃତିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ କୁହାଯାଏ । ଅନ୍ୟ ଭାବରେ କହିବାକୁ ଗଲେ ସଂସ୍କୃତିର ଜୀବନ୍ତ ଶକ୍ତିର ପରିମାପକ ହେଉଛି ପ୍ରଭାବଶାଳୀ ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ତା'ର ଅନୁସରଣ କରି ସଂଖ୍ୟାଗୁରୁ ଅଧିକାଂଶ ଲୋକ ଶକ୍ତିଶାଳୀ ଭାବରେ ସମବେତ ବାଧା ଦେଇଥାନ୍ତି-। କିନ୍ତୁ ପ୍ରତିକୂଳ ପରିସ୍ଥିତିକୁ ବାଧା ଦେବାପାଇଁ ସମବେତ ଇଚ୍ଛା ଯେତେବେଳେ ଦୁର୍ବଳ, ସେତେବେଳେ ସେମାନେ ତାହା କରିପାରନ୍ତି ନାହିଁ । ଫଳରେ ସଂସ୍କୃତିର କ୍ଷୟମାଣ ଅବସ୍ଥା ଆସିଯାଏ ଏବଂ ଲୋକଙ୍କ ମଧ୍ୟରେ ସଂହତି ଦେଖାଯାଏ ନାହିଁ ।

 

ଯେତେବେଳେ ସମସ୍ତ ବୈଶିଷ୍ଟ୍ୟ ଯଥା ପରମ୍ପରା, ଆଚରଣର ଆଦର୍ଶ, ଅନୁଷ୍ଠାନ, ବିଜୟରସ୍ମୃତି ଏବଂ କ୍ରିୟାନୁଷ୍ଠାନପାଇଁ ସମବେତ ଇଚ୍ଛା ଲୋକମାନଙ୍କୁ ଏକ ହେବାକୁ ଶକ୍ତି ଦାନ କରେ, ସେତେବେଳେ ସେମାନଙ୍କର ସଂସ୍କୃତି ଏକ ଅଖଣ୍ଡ ଶକ୍ତି ଭାବରେ ସେମାନଙ୍କର ଭାଗ୍ୟୋଦୟ ଘଟାଇଥାଏ ।

 

ଦ୍ୱିତୀୟ ପୃଥିବୀ ମହାସମର ପରେ ପୃଥିବୀରେ ଏକ ଅସାଧାରଣ ଘଟଣା ଘଟିଲା, ଗୋଟାଏ ଜାତିର ପୌରୁଷ ଓ ଏକ ଜୀବନ୍ତ ସଂସ୍କୃତି-ଶକ୍ତିର ଦୃଷ୍ଟାନ୍ତ ନେଇ । ଦ୍ୱିତୀୟ ପୃଥିବୀ ମହାସମର ପୂର୍ବରୁ ପୃଥିବୀ ସାରା ବିଭିନ୍ନ ଦେଶରେ ଇହୁଦୀମାନେ (Jews) ଘେଟେ ଓ ରାଜନୈତିକବନ୍ଦୀ ଶିବିର ମାନଙ୍କରେ ରହୁଥିଲେ ଏବଂ ଶତାବ୍ଦୀ ଶତାବ୍ଦୀ ଧରି ମାନବିକ ଉତ୍ପୀଡ଼ନ, ସମୟେ ସମୟେ ଗଣହତ୍ୟାର ଶିକାର ହେଉଥିଲେ । ଦ୍ୱିତୀୟ ପୃଥିବୀ ସମର କାଳରେ ନାଜି ଶିବିରମାନଙ୍କରେ ସେମାନଙ୍କ ମଧ୍ୟରୁ ଷାଠିଏ ଲକ୍ଷ ଲୋକଙ୍କୁ ଜୀବନ୍ତ-ଦଗ୍ଧ କରାଯାଇଥିଲା । ଏ ପ୍ରକାର ବର୍ବର ନିଗ୍ରହ ଓ ଗଣହତ୍ୟା ସତ୍ତ୍ୱେ ସେମାନେ ସେମାନଙ୍କର ସାଧାରଣ ପରମ୍ପରା ଏବଂ ପୂର୍ବପୁରୁଷମାନଙ୍କର କୃତିତ୍ୱର ସ୍ପଷ୍ଟ ସ୍ମୃତି ଭିତ୍ତିରେ (Old Testament)ରେ ଯେପରି ଗୌରବପୂର୍ଣ୍ଣ ଭାବରେ ବର୍ଣ୍ଣିତ) ସେମାନେ ଏକ ଜାତି ଭାବରେ ନିଜ ଜୀବନ ଗଠନ କଲେ ।

 

କାର୍ଯ୍ୟାନୁଷ୍ଠାନର ସମ୍ମିଳିତ ଇଚ୍ଛାର ଆଦର୍ଶରେ ଅନୁପ୍ରାଣିତ ହୋଇ ଏଇ ଇହୁଦୀମାନେ ୭୩ଟି ଦେଶରୁ ପାଲେଷ୍ଟାଇନ୍‌କୁ ଚାଲି ଆସିଲେ । ତିନିହଜାର ବର୍ଷ ପୂର୍ବରୁ ଜିହୋଭାଙ୍କଦ୍ୱାରା ପ୍ରଦତ୍ତ ପ୍ରତିଜ୍ଞାକୃତ ଭୂଖଣ୍ଡର ସ୍ପଷ୍ଟସ୍ମୃତିରେ ଅନୁପ୍ରାଣିତ ହୋଇ ଏଇ ଇହୁଦୀ ପୁରୁଷ ଓ ସ୍ତ୍ରୀମାନେ (ପ୍ରାୟ ଏକ ନିୟୁତ) ନୂତନ ଦେଶ ଇସ୍ରାଏଲ୍‌ର ଗଠନପାଇଁ କଠୋର ପରିଶ୍ରମ କଲେ, କଷ୍ଟ ସହିଲେ ଯୁଦ୍ଧ କରି ମୃତ୍ୟୁବରଣ କଲେ । ସେମାନେ ମରୁଭୂମି, ସନ୍ତସନ୍ତିଆ ସ୍ଥାନକୁ ବୃକ୍ଷ ଓ ପୁଷ୍ପମଣ୍ଡିତ ଏବଂ କୃଷିକ୍ଷେତ୍ରରେ ପରିଣତ କରି ଏବଂ ବିଲକ୍ଷଣ ବୀରତ୍ୱ ପ୍ରଦର୍ଶନ କରି ସେମାନଙ୍କର ପ୍ରତିରକ୍ଷା ଶକ୍ତିର ବିକାଶ ଘଟାଇଲେ । ଏହା ସାଧାରଣ ପରମ୍ପରା ଏବଂ ଅତୀତର କୃତିତ୍ୱର ସାଧାରଣ ସ୍ମୃତିଜାତ ସମ୍ମିଳିତ ଇଚ୍ଛାର ଇତିହାସରେ ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ।

 

ଆମେ ଯେତେବେଳେ ସଂସ୍କୃତିର ଜୀବନୀ-ଶକ୍ତି ସମ୍ପର୍କରେ ଅଧ୍ୟୟନ କରୁ, ଆମେ ଲକ୍ଷ୍ୟ କରୁ ଯେ ଏ ସମସ୍ତ ବିଶେଷତ୍ୱ କେତେକ ମୂଲ୍ୟବୋଧଦ୍ୱାରା ପରସ୍ପର ସହ ସମ୍ପୃକ୍ତ । ଏଗୁଡ଼ିକ ଏକ କୈନ୍ଦ୍ରିକ ଭାବନାରୁ ଜାତ, ଯା'ର ମନୁଷ୍ୟର ଶକ୍ତି ପୂରଣ କରିବାର କ୍ଷମତା ରହିଛି ।

 

ସମୟ ଅତିକ୍ରାନ୍ତ ହେବା ସହ ପରିବେଶର ସ୍ଥିତିର ପରିବର୍ତ୍ତନ ଘଟେ, ସଭ୍ୟତାର ଆତ୍ମିକର ବଦଳ ହୋଇଯାଏ, ନୂତନ ଖଣ୍ଡିତ ବିଭାବ ଦେଖାଯାଏ । ଯେତେବେଳେ ଏଇ ବିଷୟ ସୁନିର୍ଦ୍ଦିଷ୍ଟ ଶକ୍ତିଶାଳୀ ହୁଏ, ସେତେବେଳେ ନୂତନ ଯୁଗର ଆବିର୍ଭାବ ହୁଏ ଏବଂ ସମାଜ ତା'ର ସଂସ୍କୃତି ସହ ନୂତନ ସଂଘର୍ଷର ଚାପରେ ଆସେ । ଯେତେବେଳେ ଏ ପ୍ରକାର ସଂକଟ ବା ସନ୍ଧିକ୍ଷଣ ଆସେ ସମାଜର ଲଘୁ ସଂପ୍ରଦାୟର ସର୍ବଶ୍ରେଷ୍ଠ ବ୍ୟକ୍ତିମାନେ ନୂତନ ଦାୟିତ୍ୱର ସମ୍ମୁଖୀନ ହୁଅନ୍ତି, ସେମାନଙ୍କୁ ସେଇ ଆହ୍ୱାନ ଗ୍ରହଣ କରିବାକୁ ହୁଏ, ନିଜର ଦୃଷ୍ଟିଭଙ୍ଗୀ ଓ ଆଚରଣ ଆଦର୍ଶକୁ ତା' ସହ ଖାପଖୁଆଇ ନିଅନ୍ତି- ଏହା ଘଟେ ନିଜ ସଂସ୍କୃତିର ମୌଳିକ ମୂଲ୍ୟବୋଧର ଆଲୋକରେ ।

 

କୈନ୍ଦ୍ରିକ ଭାବନା ସଂସ୍କୃତି-ଝରଣାକୁ ସମୟର ତୀର ମଧ୍ୟରେ ଚଳାଇନିଏ ଗଠନଗୁଡ଼ିକୁ ନିକ୍ଷିପ୍ତ କରି, ଦଳକୁ ଉତ୍ପାଟିତ କରି, ସମୟର ପ୍ରତ୍ୟେକ ବିଭାଗର ଉପକରଣ ଓ ଚାପ ଅନୁସାରେ ସର୍ପିଳ ପଥରେ ଗତି ବା ଗର୍ଜନ କରି । ଅବସ୍ଥାର ପରିବର୍ତ୍ତନ ହେଲେ ନୂତନ ତରଙ୍ଗଚୂଡ଼ାର ସୃଷ୍ଟିହୁଏ, କିନ୍ତୁ ପ୍ରୟୋଜନୀୟ ଐକ୍ୟ, ତା'ର ବିଶେଷତ୍ୱ ଜଡ଼ିତ ଉପାଦାନ ଏକା ଥାଏ । କୈନ୍ଦ୍ରିକ ଭାବନା ଜୀବନ-ମାର୍ଗକୁ ଅଧିକ ପରିଚାଳିତ ଓ ଅନୁପ୍ରେରିତ ନ କଲେ ସଂସ୍କୃତି ମରିଯାଏ ଏବଂ ତା' ସହ ଜାତିର ମୃତ୍ୟୁ ହୁଏ ।

 

ବର୍ତ୍ତମାନ ଜଣେ ଗ୍ରୀସ୍‌ବାସୀର ଦୃଷ୍ଟାନ୍ତ ନିଆଯାଉ । ଯଦିଓ ସେ ସେଇ ଏକା ଭୂମିରେ ବାସ କରେ, କିନ୍ତୁ ତା' ମଧ୍ୟରେ ଓ ପେରିକ୍ଲଙ୍କ ସମୟର ଗ୍ରୀସ୍‌ବାସୀଙ୍କ ମଧ୍ୟରେ ବର୍ତ୍ତମାନ ସାଧାରଣବୋଲି କିଛି ନାହିଁ । ଯେଉଁ ମୌଳିକ ମୂଲ୍ୟବୋଧ ସେ ସମୟର ଗ୍ରୀସ୍‌ବାସୀଙ୍କ ଜୀବନକୁ ଉଦ୍‌ବୁଦ୍ଧ କରିଥିଲା, ବର୍ତ୍ତମାନର ଗ୍ରୀସ୍‌ବାସୀଙ୍କପାଇଁ ତା'ର ଅସ୍ତିତ୍ୱ କିଛି ନାହିଁ ।

 

ସେହିପରି ପ୍ରାଚୀନ ରୋମର ସଂସ୍କୃତି ମରିଗଲା, ଯେତେବେଳେ ରୋମ-ସମାଜ ବୈଦେଶିକଙ୍କର ଦାସ ଏବଂ ଗଲ୍ ଓ ଜର୍ମାନୀର ଅର୍ଥ ଲଗାଣକାରୀଙ୍କଦ୍ୱାରା ପ୍ରଭାବିତ ହେଲା । ଶ୍ରେଷ୍ଠ ରୋମୀୟ ଯୁବକମାନେ ତାଙ୍କ ପୂର୍ବପୁରୁଷଙ୍କଦ୍ୱାରା ଅନୁସୃତ ମୂଲ୍ୟବୋଧକୁ ଭୁଲିଗଲେ, ଯାହା ରୋମକୁ ପୃଥିବୀର ଶ୍ରେଷ୍ଠ ସ୍ଥାନରେ ରଖିଥିଲା ।

 

ଆମେ ଦେଖୁଛୁ, କୌଣସି ସଂସ୍କୃତିରେ ଯଦି ପ୍ରଭାବଶାଳୀ ସଂଖ୍ୟା-ଲଘୁମାନେ ନିଜ ଭୂମିକାରେ ଦୃଢ଼ ରହନ୍ତି, ତା'ହେଲେ ସଂସ୍କୃତି ବଞ୍ଚିରହେ । ରାଜନୀତି କ୍ଷେତ୍ରରେ ପାଗଳାମିର ଶେଷ ସୀମାରେ ଜଣକର ଭୋଟ ଜ୍ଞାନୀର ଭୋଟ ସହ ସମାନ । ପକ୍ଷାନ୍ତରେ ମାନବିକ ବ୍ୟାପାରରେ ଚିନ୍ତାଶୀଳ ଓ ସକ୍ରିୟ ସଂଖ୍ୟାଲଘୁ (ଟୟନବି ଯାହାକୁ ପ୍ରଭାବଶାଳୀ ସଂଖ୍ୟାଲଘୁ ବା Dominant minority ବୋଲି କହିଛନ୍ତି) ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସଂହତି ଶୂନ୍ୟତା ବା ଖଣ୍ଡତାର ବିପଦ ସମ୍ପର୍କରେ ଯଦି ସେମାନେ ସଚେତନ ହୁଅନ୍ତି ତା'ହେଲେ ପ୍ରେରଣା, ସାହସ ଓ ଦୂରଦୃଷ୍ଟିର ବିକାଶ ଘଟାଇ ପାରିବେ ।

 

ଯେଉଁପର୍ଯ୍ୟନ୍ତ ପ୍ରତ୍ୟେକ ପୁରୁଷର ସଂଖ୍ୟାଲଘୁ ସମ୍ପ୍ରଦାୟରୁ ଶ୍ରେଷ୍ଠ ବ୍ୟକ୍ତିମାନେ ମୌଳିକ ମୂଲ୍ୟବୋଧର ଆଦର୍ଶରେ ନିଜକୁ ପରିଚାଳିତ କରୁଥିବେ ସେ ପର୍ଯ୍ୟନ୍ତ ସଂସ୍କୃତିର ଜୀବନ୍ତ ଶକ୍ତି ରହିପାରେ । ଏହି ମୂଲ୍ୟବୋଧ ପିତାଠାରୁ ପୁତ୍ରକୁ ପ୍ରଦତ୍ତ ଇଚ୍ଛାପତ୍ରର ସମ୍ପତ୍ତି ତୁଲ୍ୟ ନୁହେଁ, ପ୍ରତ୍ୟେକ ପୁରୁଷ ଏହାର ଆଦର୍ଶରେ ଚଳି ଏହାକୁ ସମୟାନୁସାରେ ପ୍ରୟୋଜନୀୟ ନୂତନ ରୂପ ଦେଇପାରୁଥିବ ।

 

ପ୍ରତ୍ୟେକ ପୁରୁଷପାଇଁ ସଂସ୍କୃତିର ମୂଲ୍ୟ, ପୁନର୍ବ୍ୟାଖ୍ୟା, ବିଚ୍ଛିନ୍ନାଂଶର ଏକତ୍ରୀକରଣ ଓ ପରିବର୍ତ୍ତନର ସୂକ୍ଷ୍ମ ପ୍ରଣାଳୀର ପୁନଃ ରୂପଦାନ କରାଯାଇପାରେ । ସଂସ୍କୃତି ଯେତେବେଳେ ଜୀବନ୍ତ ସେତେବେଳେ ଏ ପୁରୁଷର ପ୍ରତିଜ୍ଞା-ସମ୍ପନ୍ନ ପୁରୁଷ ଓ ସ୍ତ୍ରୀମାନେ ମୌଳିକ ମୂଲ୍ୟବୋଧର ପ୍ରଭାବ ଗ୍ରହଣ କରିଥା'ନ୍ତି । ସେମାନଙ୍କ ମଧ୍ୟରୁ ଯେଉଁମାନେ ଭାବପ୍ରବଣ ଓ ଶକ୍ତିଶାଳୀ ପ୍ରତ୍ୟେକ ଏକ ଏକ ମାନବିକ ବିଜ୍ଞାନାଗାର ହୋଇଯାଆନ୍ତି ଯେଉଁମାନେକି ତାଙ୍କ ସମ୍ପର୍କରେ ଉଦ୍ଦିଷ୍ଟ ଥିବା କୈନ୍ଦ୍ରିକ ଭାବ ସହ ସମ୍ପୃକ୍ତ ମୌଳିକ ମୂଲ୍ୟବୋଧକୁ ଶୁଦ୍ଧ କରନ୍ତି, ପୁଣି ସମୟର ଆବଶ୍ୟକତା ପୂରଣ କରିବାକୁ ସେଗୁଡ଼ିକୁ ଅନୁପ୍ରେରିତ କରନ୍ତି, ନୂତନ ବ୍ୟାଖ୍ୟା ଓ ନୂତନ ଶକ୍ତି ସହ ପ୍ରୟୋଜନୀୟ ଅପ୍ରଧାନ ବସ୍ତୁ ଯୋଗ କରିଥାନ୍ତି ଏବଂ ପରମ୍ପରା ଓ ଅନୁଷ୍ଠାନଗୁଡ଼ିକର ଦୃଢ଼ତା ଓ ସମ୍ମିଳିତ ଇଚ୍ଛାକୁ ବ୍ୟାହତ ନ କରି ଏକ ନୂତନ ଧାର ଦେଇଥାନ୍ତି ।

 

ଯଦି ଏପରି ସମୟ ଆସେ(ଈଶ୍ୱର ନ କରନ୍ତୁ) ଯେତେବେଳେ ଆମର ଯୁବକ ଓ ଯୁବତୀମାନେ ଆମ ସଂସ୍କୃତିର ମୂଲ୍ୟବୋଧ ଓ ଆଦର୍ଶ ହରାନ୍ତି, ସେତେବେଳେ ଆମ ସଂସ୍କୃତି ମୃତ ହୋଇଯିବ । ସେତେବେଳେ ସେମାନେ ସଭ୍ୟ-ବର୍ବର ହୋଇପାରନ୍ତି, ଦ୍ୱିତୀୟ ଶ୍ରେଣୀର ପାଶ୍ଚାତ୍ୟବାସୀ ହୋଇପାରନ୍ତି, କିନ୍ତୁ ସେମାନେ ଏ କାଳ(ବର୍ତ୍ତମାନ) ଓ ଭବିଷ୍ୟତପାଇଁ ଜୀବନ୍ତ ଭାରତୀୟ ସଂସ୍କୃତିର ମଶାଲଧାରୀ ହୋଇପାରିବେ ନାହିଁ ।

•••

 

କବି ଓ କବିତା

ଶ୍ରୀ ପଠାଣି ପଟ୍ଟନାୟକ

 

ନୀଳ ଆକାଶରେ ତାରକାଳିର ମେଳା, ସେହିମାନଙ୍କ ଗହଣରେ ଚାନ୍ଦ କାହିଁକି ହସି ହସି ଲୋଟିଯାଏ ? ବନ ଓ ଉପବନରେ ଋତୁଚକ୍ର ଇନ୍ଦ୍ରଜାଲର ମାୟା ସୃଷ୍ଟି କରେ । ପ୍ରକୃତି ସଂସାରରେ କେତେ ବର୍ଣ୍ଣର ରୂପଛଟା, ଅସରନ୍ତି ସୌନ୍ଦର୍ଯ୍ୟର ଲହଡ଼ି ଖେଳିଯାଏ । କାହିଁକି ତାରି ମଧ୍ୟରେ ରୂପର ମାୟା ସୃଷ୍ଟି କରି ଫୁଲମାନେ ଫୁଟି ଉଠନ୍ତି । ସୁଗନ୍ଧରେ ଚତୁର୍ଦ୍ଦିଗକୁ ମତୁଆଲା କରନ୍ତି କାହିଁକି ? ପ୍ରିୟ ଲୋକର ସାନ୍ନିଧ୍ୟ କାହିଁକି ଏତେ ଆପଣାର ବୋଧ ହୁଏ, ପ୍ରିୟା ଏତେ ସୁଖକର ହୁଏ କିପରି ? କେଉଁ ଗିରି ଖୋଲରୁ ଝରଣା ଜନ୍ମଗ୍ରହଣ କରେ । କିନ୍ତୁ ଆରମ୍ଭ କରେ ତା'ର ସୀମାହୀନ ଜୟଯାତ୍ରା ସାଗର ସଙ୍ଗମପାଇଁ । ସୀମିତ ଜୀବନ କାଳରେ ଯୌବନସମୟ ଏପରି ଉନ୍ମାଦକର ହୁଏ କିପରି ? ସେଇମିତି ଏ ପ୍ରଶ୍ନ -କବି କବିତା କାହିଁକି ଲେଖେ ? କବିତା ସହିତ କବିର ସମ୍ପର୍କ କ'ଣ ? କବିତା ନ ଲେଖିଲେ କ'ଣ ଚଳନ୍ତା ନାହିଁ ? ନା, ଆଦୌ ଚଳିବ ନାହିଁ-। କବିତା ନ ଲେଖିଲେ କବି ବଞ୍ଚିପାରିବ ନାହିଁ । ତାକୁ ଲେଖିବାକୁ ହେବବୋଲି ସେ ଲେଖେ-

 

କିଏ କହିଥିଲା ବର୍ଷା ଆସୁ, ତୋଫାନ ହେଉ, ମହାସାଗରରେ ଉତ୍ତାଳ ତରଙ୍ଗ ଫୁଲି ଉଠୁ । କିଏ କହିବ, କାହିଁକି ହୁଏ ନିଘଞ୍ଚ ଅରଣ୍ୟାନି, କେଉଁଠାରେ ସବୁଜ ଶ୍ୟାମଳ ପ୍ରାନ୍ତର ତ ଆଉ କେଉଁଠାରେ ଧୁ ଧୁ ମରୁବାଲି । ବିଶ୍ୱଶିଳ୍ପୀର ଏ ଅଦ୍ଭୁତ ଖିଆଲ । ମାତ୍ର ସେ କ'ଣ କେବଳ ଖିଆଲପାଇଁ ଏସବୁ ସୃଷ୍ଟି କରନ୍ତି ନା ଏହି ସୃଷ୍ଟିର ଅନ୍ତରାଳରେ ନିହିତ ଅଛି କିଛି ମହତ୍ ଉଦ୍ଦେଶ୍ୟ-?

 

ମର ଜୀବନରେ ସୃଷ୍ଟି ଛଡ଼ା ଆଉ କ'ଣ ଥାଇପାରେ । ଏ ସଂସାର ଦୁଃଖପୂର୍ଣ୍ଣ । ନାନା ଯନ୍ତ୍ରଣା ଓ ଜଞ୍ଜାଳରେ ମନୁଷ୍ୟର ଜୀବନ ଜର୍ଜରିତ, ବେଦନାବିଧୁର ଜୀବନରେ ସେଥିପାଇଁ ସୃଷ୍ଟି ଧର୍ମର ଚରମ ବ୍ୟାକୁଳତା ପ୍ରକାଶ ପାଏ । ଜନନୀ ଅନ୍ତଃଫାଡ଼ି ଜନ୍ମ ଦିଏ ସନ୍ତାନକୁ । ଏତେ ଦୁଃଖ ସହ୍ୟ କରିବାର ମୂଳରେ ତା'ର ଚରମ ଆତ୍ମତୃପ୍ତି । ଦୁଃଖ ବରଣ କରି ସେ ସୁଖୀ ହୁଏ । ଯନ୍ତ୍ରଣାକୁ ଆଲିଙ୍ଗନ କରି ସେ ସଂସାରପାଇଁ ଆଶୀର୍ବାଦ ଢାଳି ଦେଇଯାଏ । ସେହିପରି କବି ଏକ ସାମାଜିକ ପ୍ରାଣୀ । ସେ ଜନ୍ମ ହୁଏ ସମାଜ କୋଳରେ । ଏଇଠି ସେ ଆତଜାତ ହୁଏ । ଦୁଃଖ ପାଏବୋଲି ସେ ପ୍ରକାଶିତ ହୁଏ । ନିଜକୁ ସେ ରୂପାୟିତ କରେ କବିତାରେ । ସେ ଲେଖି କରି ଆନନ୍ଦ ପାଏ, ଭାବକୁ ରୂପାୟିତ କରି ସେ ରସର ଝରଣା ବୁହାଇ ଦିଏ । ସମାଜ ଓ ରାଷ୍ଟ୍ରକୁ ମମତାର ବନ୍ଧନରେ ଏକାଠି କରିବାପାଇଁ ସେ ସୃଷ୍ଟି କରିଯାଏ । କେହି ଖେଳିବୁଲି ଆନନ୍ଦ ଲାଭ କରେ, କେହି ଅର୍ଥ ଉପାର୍ଜନ କରି କ୍ଷମତାର ଅଧିକାରୀ ହୋଇ ସୁଖର କଳନା କରେ । ମାତ୍ର କବି ହୁଏତ ସର୍ଜନା ସ୍ୱପ୍ନକୁ ଚରିତାର୍ଥ କରି ସେହି ସୁଖ ଆହରଣ କରିଥାଏ ।
 

କଳା ମେଘରେ ବିଦ୍ୟୁତ୍ ନୀରବରେ ରହିପାରେ ନାହିଁ । ବିଚ୍ଛୁରିତ ହେବା ତାହାର ଧର୍ମ-। ସେ ଦିଗେ ଦିଗେ ପ୍ରକମ୍ପିତ ହୁଏ । ଅନ୍ଧକାର ମଧ୍ୟରେ ଆଲୋକର କଣା ବୁଣି ବୁଣି ଯାଏ । ଅମୋଘ ଶକ୍ତିର ଅଧିକାରୀ ହୋଇ ବିଜୁଳି ଛୁଟେ । ତାହାରି ମଧ୍ୟରେ ଗର୍ଜନ କରି ଉଠେ ଏକ ଅମାପ ବ୍ୟକ୍ତିତ୍ୱ । ସେଇମିତି କବିର କବିତା । ସେ ପ୍ରକାଶିତ ହେବାକୁ ଚାହେଁ, ରୂପାୟିତ ହେବାକୁ ଲୋଡ଼େ, ଶିବ ଓ ସୌନ୍ଦର୍ଯ୍ୟର ବାର୍ତ୍ତାବହ ହୋଇ ବିସ୍ତାରିତ ହୋଇଯାଏ, ଠିକ୍ ଗିରି ଗହ୍ୱରରୁ ଝରଣାର ପ୍ରବାହ ପରି । କବିର ମନରାଜ୍ୟରେ ଗଭୀର ଆଲୋଡ଼ନ ସୃଷ୍ଟିହୁଏ । ତା' ମଧ୍ୟରେ ‘ମୁଁ ତ୍ୱ' ଗର୍ଜନ କରିଉଠେ ।

 

କବି ଲେଖେ, କାରଣ ତାକୁ ଲେଖିବାକୁ ହେବ; ସୃଷ୍ଟିର ସୌନ୍ଦର୍ଯ୍ୟ ଉକୁଟାଇବାକୁ ପଡ଼ିବ । ସାଧାରଣ ଲୋକର ଆଖି ଜଗତକୁ ଦେଖି ମଧ୍ୟ ଦେଖିବା ସମ୍ଭବ ହୁଏ ନାହିଁ, କାନ ଶୁଣି ମଧ୍ୟ ସଂପୂର୍ଣ୍ଣ ଶୁଣିବାକୁ ଅକ୍ଷମ ହୁଏ । ଜଗତର ଏହି ରହସ୍ୟକୁ କବି କେବଳ ଅନୁଭବରେ ଆଣିପାରେ । ଅସରନ୍ତି ତା'ର ଅନୁଭୂତି, ତା'ର ରସସିକ୍ତ ପ୍ରାଣରେ ସୃଷ୍ଟି ହୁଏ ଅପୂର୍ବ ଆଲୋଡ଼ନ । ସେ କହିବାକୁ ଚାହେଁ କବିତା ମାଧ୍ୟମରେ । ତା'ର କହିବାପାଇଁ ଅନେକ କଥା ଅଛି । ସେ କେବଳ ନିଜପାଇଁ କହେ ନାହିଁ, ଖିଆଲିର ମନ ନେଇ ପ୍ରକାଶିତ ହୁଏ ନାହିଁ, ସେ କହେ ସମାଜପାଇଁ, ରାଷ୍ଟ୍ରପାଇଁ, ସର୍ବୋପରି ଏହି ରହସ୍ୟବ୍ୟଞ୍ଜିତ ସୁନ୍ଦର ସୃଷ୍ଟି-ସଂସାରପାଇଁ ।

 

ଏଥିପାଇଁ କବି କୌଣସି ବାଧାବନ୍ଧନ ସ୍ୱୀକାର କରେ ନାହିଁ । ସେ ହୁଏ ବିଦ୍ରୋହୀ । କବିର ଲେଖନୀରେ ଖତଗଦାରେ ପଦ୍ମଫୁଲ ଫୁଟେ । ମରଣଶୀଳ ପରିବେଶରେ ଅମୃତର ଫଲ୍‌ଗୁ ପ୍ରବାହିତ,ଏହି ମର୍ତ୍ତ୍ୟଭୂମିରେ ସ୍ୱର୍ଗୀୟ ଐଶ୍ୱର୍ଯ୍ୟ ସମ୍ଭବ ହୋଇଥାଏ । ଏହି ଦୃଶ୍ୟମାନ ଜଗତକୁ ସେ କେବଳ ପ୍ରକାଶିତ କରେ ନାହିଁ ଯାହା ଆମର ହାତ ପାହାନ୍ତାର ବହୁତ ଦୂରରେ, ସେ ସବୁ ମଧ୍ୟ କବିତାରେ ରୂପାୟିତ ହୁଏ । କବି ଜଣେ ମହତ୍ ପୁରୁଷ । କବି ପୁରୁଷର ଅନ୍ତର୍ଦୃଷ୍ଟିର ସୀମାସରହଦ୍ କଳନା କରାଯାଇ ପାରିବ ନାହିଁ । ସାଧାରଣ ମନୁଷ୍ୟର ଯାହାକିଛି ଅଭିଜ୍ଞତାର ବହୁତ ଦୂରରେ, ଯାହା ତାହାର ଦୃଷ୍ଟିର ସୀମାରେଖାକୁ ମଧ୍ୟ ଛୁଇଁ ପାରେନାହିଁ, ସେହି ରହସ୍ୟ ଉଦ୍‌ଘାଟିତ ହୁଏ କବିତାରେ । କବି କେବଳ ବାହ୍ୟ ଜଗତର ବିବରଣୀ ପ୍ରଦାନ କରି ସନ୍ତୁଷ୍ଟ ହୁଏ ନାହିଁ, ସେ ତାହାରି ମଧ୍ୟରେ ଏକ ଅପୂର୍ବ ସୌନ୍ଦର୍ଯ୍ୟର ପ୍ରତିଧ୍ୱନି ଶୁଣି ଶୁଣାଇବାରେ ଆଗ୍ରହୀ ହୋଇପଡ଼େ । ଜଗତ ଓ ଜୀବନ ସମ୍ପର୍କରେ କବିର ମନରେ ଅନେକ ପ୍ରଶ୍ନ ସଂଚାରିତ ହୁଏ । ଖୋଜିବାରେ ହିଁ ତା'ର ଆନନ୍ଦ-। ରହସ୍ୟର ଉଦ୍‌ଘାଟନରେ ତା'ର ଚରମ ସାର୍ଥକତା । କେତେ ସମସ୍ୟାର ଉତ୍ତର ସେ ଖୋଜିଯାଏ-। କେତେ ସମାଧାନର ସଙ୍କେତ ସେ ଦେଇ ଦେଇ ଚାଲିଯାଏ ।

 

ଜନନୀର କୋଳରେ ଅନାଗତ ଶିଶୁ ହସି ଉଠିବା ପୂର୍ବରୁ କେତେ ଦୁଃଖ ସହିବାକୁ ହୁଏ-। ଏକଥା କ'ଣ କେହି କେବେ ବୁଝେ ? ସୃଷ୍ଟିର ଆନନ୍ଦରେ ସମସ୍ତେ ଆତ୍ମହରା ହୁଅନ୍ତି । ମାତ୍ର ସୃଷ୍ଟିକାରିଣୀର ବେଦନାବିଧୁର ଅନୁଭୂତି ସହିତ କେତେ ଜଣ ପରିଚିତ ହୁଅନ୍ତି । କବିର ମାନସ ସନ୍ତାନ କବିତାର ଅଭ୍ୟୁଦୟ ପୂର୍ବରୁ କବି ଚିତ୍ତ ଯେ କେତେଦୂର ବେଦନାଶିକ୍ତ ହୋଇଥାଏ, ତାହା ରସିକ ଶ୍ରଦ୍ଧାଳୁ ପାଠକ ବିନା ଆଉ କିଏ କଳନା କରି ପାରିବ! ଏଥିପାଇଁ ସୃଷ୍ଟି-ସୌନ୍ଦର୍ଯ୍ୟ ସହିତ ବେଦନା ବିଦଗ୍‌ଧ ଅନୁଭୂତି ଅତ୍ୟନ୍ତ ନିବିଡ଼ ଭାବରେ ଲାଗିରହିଛି । ସେଥିପାଇଁ ବୋଧହୁଏ କୁହାଯାଇଛି, Sweetest songs are those that tell of saddest thought ବୀଣାର ସଙ୍ଗୀତରେ ଆମେ ମୁଗ୍‌ଧ ହେଉ, ଶ୍ରୋତାର ମନରେ ନିର୍ମଳ ଆନନ୍ଦ ସଂଚାରିତ ହୋଇଯାଏ । ମାତ୍ର ନିଜର ତାରରେ ଆଘାତ ନ ପାଇଲେ ବୀଣା କ'ଣ କେବେ ହେଲେ ମଧୁର ସଙ୍ଗୀତର ମୂର୍ଚ୍ଛନା ଶୁଣାଇ ପାରିବ ? ତେବେ ଏହି ଆଘାତର ଅନ୍ତରାଳରେ ବୀଣାର ଯଦି ଅନୁଭୂତି ଥିବ, ତେବେ ସେ ଏକ ପବିତ୍ର ଭାବାବେଗର ସମ୍ମୁଖୀନ ହେଉଥିବ! କାରଣ ସେ ନିଜେ ଦୁଃଖ ବରଣ କରି ବହୁ ଚିତ୍ତରେ ଅମୃତର ପ୍ରଲେପ ବୋଳି ଦେଇପାରୁଛି । ଠିକ୍ ସେଇମିତି କବିର କବିତା, କବିତା ପ୍ରକାଶିତ ହୁଏ । ହୁଏତ କବିର ଆତ୍ମା ବିଳପି ଉଠୁଥାଏ । ମାତ୍ର ଏହି ବେଦନା ମଧ୍ୟରେ କବିର ଅପରିସୀମ ଆନନ୍ଦ । ସେ ପାଠକର ଚିତ୍ତର ରାଜ୍ୟରେ ପ୍ରେମର ସିଂହାସନ ଲାଭ କରିବାକୁ କ୍ଷମ ହୋଇଥାଏ । ତା'ର ବେଦନାବୋଧ ଆନନ୍ଦରେ ରୂପାନ୍ତରିତ ହୋଇଯାଏ । ପରିବେଷଣ କରି କବି ହୁଏ ଅପୂର୍ବ ଆନନ୍ଦ ଓ ଆହ୍ଲାଦର ଅଧିକାରୀ । ନିଜ ସୃଷ୍ଟିରେ ସେ ହୁଏ ଆତ୍ମହରା । ସେହି ସୃଷ୍ଟି ସମ୍ପଦ ଯେତେବେଳେ ସମଗ୍ର ସମାଜର ଐଶ୍ୱର୍ଯ୍ୟରେ ପରିଣତ ହୋଇଯାଏ, ସେତେବେଳେ କବିତା ରଚନାର ଚରମ ସାର୍ଥକତା ମିଳିଯାଏ । କବି କେବଳ ବ୍ୟକ୍ତିର ହୁଏ ନାହିଁ । ସେ ହୁଏ ସମାଜର ମାନ୍ତ୍ରିକ । ତା'ର ସ୍ୱରରେ ଜଗତର କଲ୍ୟାଣ ଝରିପଡ଼େ । ମୁକ୍ତିପାଇଁ କି କଠୋର ସାଧନା କରିବାକୁ ନ ପଡ଼େ । ସାଧକ ସ୍ୱର୍ଗୀୟ ଆନନ୍ଦ ଲାଭ କରିବାପାଇଁ ଅତି ଭୟଙ୍କର କୃଚ୍ଛ୍ର ସାଧନାକୁ ଅଜାଣତରେ ବରଣ କରିଯାଏ । ସାହିତ୍ୟରେ ରସାନୁଭୂତି ସ୍ୱର୍ଗୀୟ ବିଭୂତି ଭଳି ଅତ୍ୟନ୍ତ ମହିମା ମଣ୍ଡିତ । କାରଣ କବି ନିଜପାଇଁ ପ୍ରକାଶିତ ହୁଏ ନାହିଁ । ତା'ର ବ୍ୟାକୁଳତା ସମଗ୍ର ସମାଜପାଇଁ, ଜଗତର ଆନନ୍ଦପାଇଁ । ଅବଶ୍ୟ କବିପାଇଁ ସାମାଜିକ ସ୍ୱୀକୃତି, ପ୍ରଶଂସା ଏବଂ ଅର୍ଥ ଗୌରବ ରହିଛି, ମାତ୍ର କବି ଚିତ୍ତରେ ମାନବ ଧର୍ମ ଏବଂ ମାନବ ପ୍ରେମର ସମ୍ମୋହିତ ଭାବନା ଯେଉଁ ରସସ୍ନିଗ୍‌ଧ ଚିରନ୍ତନ ଐଶ୍ୱର୍ଯ୍ୟର ସୃଷ୍ଟି କରେ, ତାହା ତୁଳନାରେ ଏହି ଜାଗତିକ ବିଭୂତିର ମୂଲ୍ୟ ଅତ୍ୟନ୍ତ ଗୌଣ ।

 

କବି ଜଣେ ସାଧାରଣ ସଂସାରୀ, ସାମାଜିକ ପ୍ରାଣୀ । ତେଣୁ ତା'ର ଦୁଃଖ ଅନ୍ୟମାନଙ୍କ ତୁଳନାରେ ଖୁବ୍ ଅଧିକ । ସାଧାରଣ ସଂସାରୀର ଅଭାବ ଅଛି, ଯନ୍ତ୍ରଣା ଅଛି । ନିନ୍ଦା ଅପଯଶ ମଧ୍ୟରେ ସେ ସନ୍ତୁଳି ହେଉଥାଏ । ରୋଗ ଶୋକ, ବିରକ୍ତିକର ଅନୁଭୂତି ତାହାକୁ ବିଚଳିତ କରେ । ମାତ୍ର ପ୍ରବୃତ୍ତି ପରାଧୀନ ମନୁଷ୍ୟ ସାମାନ୍ୟ ଲାଭ ଲୋଭରେ ଏ ସବୁ ବିସ୍ମୃତ ହୋଇଯାଏ । ମାତ୍ର କବି କେବଳ ସାଧାରଣ ମନୁଷ୍ୟ ପରି ଦୁଃଖ ବରଣ କରେ ନାହିଁ । ତାହାର ଦିବ୍ୟ ଦୃଷ୍ଟି, ସୂକ୍ଷ୍ମ ଅନୁଭୂତି ଜଗତ ଓ ଜୀବନ ସମ୍ପର୍କରେ ସଚେତନ କରାଇ ଜର୍ଜରିତ କରିଦିଏ । ଯୁଗ ଯନ୍ତ୍ରଣାର ଆହ୍ୱାନକୁ ସେ ମର୍ମେ ମର୍ମେ ଅନୁଭବ କରେ । ସେ ଆପେ ଆପେ ବ୍ୟାଧିଗ୍ରସ୍ତ ହୁଏ । ଦୁଃଖକୁ ନିମନ୍ତ୍ରଣ କରି ଆଣେ, ଅନ୍ୟର ଦୁଃଖରେ ତା'ର ବେଦନା-ବିଦଗ୍‌ଧ ପ୍ରାଣ ଉତ୍ତେଜିତ ହୋଇଉଠେ, ତେଣୁ ସେ ପ୍ରକାଶିତ ହୁଏ । ପ୍ରକାଶିତ ନ ହେଲେ ସେ ବଞ୍ଚିପାରିବ ନାହିଁ । କବିତା ହେଉଛି କବିର ସର୍ବଶ୍ରେଷ୍ଠ ମହୌଷଧି । ବିଶ୍ୱଜୀବନ ସହ ସେ ନିଜକୁ ମିଳାଇ ଦିଏ ।

 

ଅନନ୍ତ ବିଶ୍ୱପ୍ରକୃତି ହେଉଛି ସୌନ୍ଦର୍ଯ୍ୟର ଗନ୍ତାଘର । ଚତୁର୍ଦ୍ଦିଗରେ ବିଶ୍ୱନିୟନ୍ତାର ପ୍ରଚ୍ଛନ୍ନ ହସ୍ତରେ ଇଙ୍ଗିତ ଉପଲବ୍‌ଧି କରାଯାଏ । ଗଛଲତା, ବଣପର୍ବତ, ଉପତ୍ୟକା, ଅଧିତ୍ୟକା, ନଦୀ, ଝରଣା, ଜାତି ଜାତିକା ଫୁଲ ଫଳ, ପଶୁପକ୍ଷୀ କେତେ ଚିତ୍ର କେତେ ମହକର ଗନ୍ତାଘର ଏଇ ଧରଣୀ । ସବୁଠାରେ ମନେହୁଏ କେଉଁ ଏକ ଅରୂପ ଶକ୍ତିଧର ଜଗତର କଲ୍ୟାଣପାଇଁ ଏସବୁ ସଜାଡ଼ି ରଖିଛି । ପ୍ରକୃତି ରାଜ୍ୟର ଆକର୍ଷଣରେ ମନୁଷ୍ୟର ମନ ଉତ୍ତାଳ ହୁଏ । ଝରଣା କୁଳୁକୁଳୁ ଧ୍ୱନିରେ ସେ ଶୁଣେ କେଉଁ ସୁଦୂରର ବଂଶୀଧ୍ୱନି, ପୁଷ୍ପର ସୁରଭି ମନ୍ଦ ମଳୟରେ ଭାସି ବୁଲି ତା'ର ପ୍ରାଣ ଓ ମନକୁ ବ୍ୟାକୁଳିତ କରିଦିଏ, ସେ ହୁଏ ଆତ୍ମହରା । ଏଭଳି ଆତ୍ମବିହ୍ୱଳ ହେଉ ହେଉ କିଏ ଯେପରି ତା'ର ହୃଦୟରେ ଅମୃତ ଫଲ୍‌ଗୁ ପ୍ରବାହିତ କରିଦେଇ ଯାଏ । ସେ ପ୍ରକାଶିତ ହୁଏ । ପ୍ରକାଶିତ ହେବାର କି ଆନନ୍ଦ, ସେ ନିଜେ କେବଳ ଅନୁଭବ କରେ ନାହିଁ, ଅନ୍ୟ ପ୍ରାଣରେ ମଧ୍ୟ ଜାଗ୍ରତ କରିଦେଇ ପାରେ । ସେଥିପାଇଁ ଅଳ୍ପ ବହୁତେ ପ୍ରତ୍ୟେକ ମନୁଷ୍ୟ କବି, ଅନ୍ତତଃ କେତେ ସମୟପାଇଁ ମଧ୍ୟ ସେ ରସପାୟୀ କବି ହୋଇଯାଏ । ଏହି ପ୍ରକାଶିତ ହେବାର ଶକ୍ତି ମନୁଷ୍ୟକୁ ପଶୁଠାରୁ ପୃଥକ୍ କରି ରଖିଅଛି । ସେହିଠାରେ ହିଁ ତା'ର ମନୁଷ୍ୟ ଜନ୍ମର ସାର୍ଥକତା ପ୍ରତିପାଦିତ ହୁଏ । ଏହି ସୌନ୍ଦର୍ଯ୍ୟ ସ୍ୱପ୍ନ ସତେ ଯେପରି ସଭ୍ୟ ମନୁଷ୍ୟର ଅତ୍ୟନ୍ତ ଏକଚାଟିଆ ସମ୍ପତ୍ତି, ସମ୍ପୂର୍ଣ୍ଣ ମୌଳିକ ଐଶ୍ୱର୍ଯ୍ୟ । ସୌନ୍ଦର୍ଯ୍ୟ ପ୍ରକାଶିତ ହୁଏ, ଆନନ୍ଦର ଅନୁଭୂତି ମାଧ୍ୟମରେ ସେ ପ୍ରକୃତିକୁ ଦର୍ଶନ କରୁ କରୁ ଆତ୍ମହରା ହୁଏ, ବିମୂଢ଼ ହୁଏ, ବିସ୍ମୃତ ହୋଇପଡ଼େ । ତା'ର ମନକନ୍ଦରରେ ସୃଷ୍ଟିହୁଏ ଅସଂଖ୍ୟ ପ୍ରଶ୍ନ, ରହସ୍ୟର ଜାଲରେ ସେ ଆପେ ଆପେ ଛନ୍ଦଣି ମନ୍ଦଣି ହୋଇପଡ଼େ । ଏଇମିତି ଏକ ବିଚିତ୍ର ଅନୁଭୂତିରେ ସନ୍ତୁଳି ନ ହୋଇଥିଲେ ସେହି ଆଦିମ ଯୁଗର ଶିକାରୀ ମନୁଷ୍ୟ ସେ କାଳର ଗୁମ୍ଫାର ଗାତ୍ରରେ ଚିତ୍ର ଅଙ୍କନ କରିନଥାନ୍ତା । ତା'ର ଅସହ୍ୟ ଅନୁଭୂତିକୁ ରୂପାୟିତ କରିବାପାଇଁ ଚିତ୍ର ଅଙ୍କନ ଛଡ଼ା ତା'ର ଆଉ କ'ଣ ଉପାୟ ଥିଲା । ଏତିକିରେ ସେ ସନ୍ତୋଷ ଲାଭ କରିପାରିଲା ନାହିଁ । ନିଜର ଅନୁଭୂତି ସେ କଥାରେ ବର୍ଣ୍ଣନା କରି ସୁଖୀ ହେଲା । ଚାହୁଁ ଚାହୁଁ ତା'ର ଅଜାଣତରେ ସେ କେତେବେଳେ କବି ହୋଇ ବସିଛି, ସେ କଥା ସେ ନିଜେ ମଧ୍ୟ ଜାଣେ ନାହିଁ ।

 

ଏଥିପାଇଁ କବିତା ସହିତ କବିର ସମ୍ପର୍କ ଅତ୍ୟନ୍ତ ନିବିଡ଼, ଏକାନ୍ତ ଆନ୍ତରିକ । କାଳର ଗତିପଥରେ ଭାଷା ଜନ୍ମଗ୍ରହଣ କଲା । ଭାଷା ହେଲା ଭାବର ବାହାନ । ଭାଷାର ବନ୍ଧନରେ କବିତାର ପ୍ରାଣଧର୍ମରେ ଆସିଲା ନୂତନ ଉତ୍ତେଜନା, ଅଭିନବ ରୂପଚ୍ଛଟା, କବିର ଜୀବନ ଜିଜ୍ଞାସା ମଧ୍ୟରେ ଜାତି ଓ ସମାଜର ପ୍ରାଣସ୍ପନ୍ଦନ ଚରିତାର୍ଥ ହେଲା । ଝଙ୍କୃତ ହୋଇ ଉଠିଲା ତା'ର ଅଭିମୁଖ୍ୟ-। ଯେଉଁଠାରେ ଜୀବନର ଏହି ଉତ୍ତରଳ ପ୍ରବାହ ନାହିଁ, ଯେଉଁ ପ୍ରବାହର ସ୍ପର୍ଶ ଅସଂଖ୍ୟ ମନରେ ଚିଆଁ ସୃଷ୍ଟି କରୁନାହିଁ, ସେ ବାସ୍ତବିକ ସାହିତ୍ୟ ହୋଇପାରିବ ନାହିଁ । ହୁଏତ ସମ୍ବାଦ ହୋଇପାରେ ନତୁବା ଆଉକିଛି ରୂପ ଗ୍ରହଣ କରିପାରେ ।

 

ସାହିତ୍ୟରେ ପ୍ରାଣର ଲୀଳା ଫୁଟିଉଠେ । ଏକକ ଅନୁଭୂତି ଅଜସ୍ର ଅନୁଭୂତିରେ ରୂପାନ୍ତରିତ ହୋଇଯାଏ । କାବ୍ୟକଳାର ଅନୁଭୂତି ମଧ୍ୟରେ ରସିକ ପାଠକ ଦିବ୍ୟ ସୌନ୍ଦର୍ଯ୍ୟ ଆହରଣ କରେ, ଜାଗତିକ ସୌନ୍ଦର୍ଯ୍ୟ ସ୍ୱର୍ଗୀୟ ରୂପଶୋଭାରେ, ରକ୍ତମାଂସର ଦୈହିକ କାମନା ଦେହାତୀତର ନିର୍ମଳ ଆବେଗରେ ଛନ୍ଦାୟିତ ହୋଇପଡ଼େ । ବ୍ୟକ୍ତିନିଷ୍ଠ ସ୍ୱାର୍ଥସର୍ବସ୍ୱ ଜୀବନ ବିଲୀନ ହୋଇଯାଏ । ସେଠାରେ ଆତ୍ମତ୍ୟାଗର ସାଧନା ଚରିତାର୍ଥ ଲାଭକରେ, ମନର ଆକାଶରୁ ଭୀଷଣ କଳାବଉଦ ଅପସରି ଯାଇ ଲକ୍ଷଲକ୍ଷ ତାରକାଳିର ପୁଷ୍ପ ସତେଜ ହୋଇଉଠେ । ସେଥିପାଇଁ ଅନ୍ଧକାର ମଧ୍ୟରେ ଆଲୋକର ବାର୍ତ୍ତାବହ ହୁଏ ସାହିତ୍ୟ । ଯୁଗେ ଯୁଗେ ସମାଜର ବିକ୍ଷୁବ୍‌ଧ ପ୍ରାଣରେ ସାହିତ୍ୟ ହିଁ ଅମୃତର ପ୍ରଲେପ ବୋଳି ଆସିଛି । ଯନ୍ତ୍ରଣା ଜର୍ଜରିତ ସାମାଜିକ ମନୁଷ୍ୟର ଅମୋଘ ବିଶଲ୍ୟକରଣୀ ହେଉଛି ସାହିତ୍ୟ । ଜାତିର ଅବଦମିତ ଆତ୍ମା ଜାଗ୍ରତ ହୁଏ କାବ୍ୟରସ ପାନ କରି । ସାହିତ୍ୟ ହେଉଛି ତା'ର ଜାଗ୍ରତ ପ୍ରହରୀ । ସେ ନିଜେ କେବଳ ତେଜୀୟାନ ଓ ଆଲୋକଦୀପ୍ତ ହୁଏ ନାହିଁ ଅନ୍ୟକୁ ମଧ୍ୟ ଆଲୋକିତ କରେ । ସମାଜର ଯାବତୀୟ କଳଙ୍କିତ ଭାବଧାରା ବିରୁଦ୍ଧରେ ସାହିତ୍ୟ ସଂଗ୍ରାମ କରିବାକୁ ଅଗ୍ରସର ହୁଏ । ଜୀବନର ରହସ୍ୟକୁ ଉଦ୍‌ଘାଟନ କରିବା ହେଲା ସାହିତ୍ୟର ପ୍ରଧାନ ଧର୍ମ । ସେଥିପାଇଁ ସାହିତ୍ୟ ଚେତନଶୀଳ ଓ ଜୀବନ ଧର୍ମୀ ।

 

ସାହିତ୍ୟ ଓ ଜୀବନ, କବି ଓ କବିତା କେତେ ଆପଣାର । ତେଣୁ କବି ଓ ସମାଜ ମଧ୍ୟରେ ଯେଉଁ ଅପାଶୋରା ଦେହ-ମନର କୁଟୁମ୍ବିତା ରହିଛି, ତାକୁ ଆଉ କେହି ନ ବୁଝ, କବି ଯଦି ନ ବୁଝିପାରିଲା, ତେବେ ଅନୁଭବ କରିବାକୁ ହେବ, ସେ ଉପଯୁକ୍ତ ଭାବରେ ଆତ୍ମପ୍ରକାଶ କରି ଜାଣିନାହିଁ । ତାହାର କାବ୍ୟ-ସାଧନା ଚରିତାର୍ଥ ହୋଇପାରି ନାହିଁ । ସମାଜ-ଜୀବନଠାରୁ ବିଚ୍ଛିନ୍ନ ହୋଇ ଯେଉଁ କବିତାର ଫଲ୍‌ଗୁ ଝରିଯାଏ, ତାହା ମରୁଭୂମିର ଜଳଧାର ପରି ହଜିଯିବା ବିଚିତ୍ର ନୁହେଁ । କାବ୍ୟ-ରସର ଧାରା ଯଦି ସମସ୍ତଙ୍କୁ ଚିଆଁଇ ନ ରଖିଲା, ଉନ୍ମେଷିତ କରି ନ ପାରିଲା, ଆଲୋକିତ ହେବାପାଇଁ ପ୍ରେରଣା ସୃଷ୍ଟି ନ କଲା, ତେବେ ତାହା ପ୍ରକୃତ ଆତ୍ମପ୍ରକାଶ ନୁହେଁ । ନିଚ୍ଛୁକ ଆତ୍ମ-ପ୍ରତାରଣା ମାତ୍ର ।

•••

 

ଆଧୁନିକତା

ବୈକୁଣ୍ଠନାଥ ରଥ

 

ସମୟ କଳନାରେ ଆଧୁନିକତାର ବିପରୀତ ‘ପ୍ରାଚୀନ', ଠିକ୍ ଯେପରି ନୂଆର ‘ପୁରୁଣା'-। କିନ୍ତୁ ପ୍ରକୃତ ଦୃଷ୍ଟିରୁ ଦେଖିଲେ ମରହଟ୍ଟୀ ହିଁ ଆଧୁନିକର ବିପରୀତ ହୋଇପାରେ । ଇତିହାସ ମଣିଷର ସଭ୍ୟତାକୁ ପ୍ରାଚୀନ ଓ ଆଧୁନିକ ନାମ ଦେଇ ବିଭକ୍ତ କରିଛି । ସମାଜଶାସ୍ତ୍ର ଆଧୁନିକତାକୁ ପରଂପରାପିଷ୍ଟ ଚଳଣିର ବିରୋଧୀଭାବେ ଗ୍ରହଣ କରିଛି । ସାଧାରଣ ଧାରଣା,ଏବେ ଯାହା ଚଳୁଛି, ଦେଖାଯାଉଛି, ତାହା ଆଧୁନିକ । ଏହି ‘ଏବ'ରେ ଧାରଣା ଖୁବ୍‍ ବେଶୀ ଗୋଟିଏ ଶତାବ୍ଦୀ ଯାଏ ଲମ୍ବି ଯାଇଥାଏ । ବିଂଶ ଶତାବ୍ଦୀ ଆଧୁନିକ କାଳ; ତା' ପୂର୍ବର କାଳ ଆଧୁନିକରୂପେ ଗୃହୀତ ନ ହୋଇ ପାରେ । ପଛକୁ ଇମିତି ଯେତେ ଯିବା, ଏଇ ବିଚାରରେ, ଆଧୁନିକତାର ଗନ୍ଧ ସେତିକି ଛାଡ଼ି ଯାଉଥିବ, ଏବଂ ଏପରି ଏକ ଗନ୍ଧହୀନ ଅବସ୍ଥାରେ ଆମେ ପ୍ରାଚୀନତାର ମହାକାନ୍ତାରରେ ପଶିଯିବା । ପ୍ରାଚୀନତା ଓ ଆଧୁନିକତାର କାଳ ଧାରଣା ସମୟର ଏହିପରି ଏକ ମନମୁଖୀ ବିଭାଗୀକରଣ । ସମୟ ଧାରଣାପାଇଁ ଖୁବ୍ ବେଶୀ ବ୍ୟାକରଣର ଅତୀତ, ବର୍ତ୍ତମାନ, ଭବିଷ୍ୟତ ଲାଗି କ୍ରିୟାର ଉପଯୋଗୀ ଏକ କାଳରୂପ । ସଭ୍ୟତା କହିଲେ ଯେପରି ସହଜରେ କିଛି ଠିକ୍ କରି ହୁଏ ନାହିଁ, ଆଧୁନିକତାକୁ ସମୟ ସୀମାରେ ସେହିପରି ବୁଝିହୁଏ ନାହିଁ । ଠିକ୍ କେଉଁଠି ପୁରାତନର ପୂର୍ଣ୍ଣଚ୍ଛେଦ ପଡ଼ି ଆଧୁନିକତାର ଆରମ୍ଭ ହେଲା, ତାହା ନିର୍ଦ୍ଦିଷ୍ଟ କରାଯାଇ ପାରିବ ନାହିଁ । ଆଧୁନିକତା ଚଳନ୍ତି ସମୟର ଛାଇ ନୁହେଁ । ତାହା ହେଲେ ମଣିଷ ତା'ର କର୍ତ୍ତୃତ୍ୱ ହରେଇବ, ତା'ର କର୍ମଶକ୍ତି, ସଂସ୍କାର ଇଚ୍ଛା ପରିକଳ୍ପନାର କିଛି ମୂଲ୍ୟ ରହିବ ନାହିଁ । ସବୁ କର୍ତ୍ତୃତ୍ୱ ସମୟ ଉପରେ ଆରୋପିତ ହୋଇଯିବ । ତେଣୁ ବ୍ୟକ୍ତି ନିଜେ ଏକ ସମୟ । ଅତୀତ-ବର୍ତ୍ତମାନ-ଭବିଷ୍ୟତକୁ ନେଇ ସେ ଏଇ ଚେତନା, ପ୍ରବାହ, ବ୍ୟାପ୍ତି । ତେଣୁ ସେ ଆଧୁନିକ, ସେ ସମୟର ନୁହେଁ; ସମୟ ତା'ର ଅଭିବ୍ୟକ୍ତି । ଅସଂସ୍କୃତ ଅବସ୍ଥାରେ ପଡ଼ି ରହିଲେ ସେ କଳଙ୍କିଲଗା ହୋଇଯାଏ, ମରହଟ୍ଟୀ ପାଲଟିଯାଏ, କିନ୍ତୁ ସମୟ ବିଚାରରେ ସେ ସଦା ଆଧୁନିକ ।

 

ଆଧୁନିକତା ପ୍ରାଚୀନତା ଭେଦରେ ସମୟର ବିଭାଗୀକରଣ ୟୁରୋପୀୟ ବିଚାର । ଆମ ଦେଶରେ ସମୟର ଯୁଗ ଭେଦ ଥିଲେ ହେଁ କେଉଁଟିକି ଆଧୁନିକ ବା ପୁରାତନବୋଲି କୁହାଯାଇ ନାହିଁ । ପ୍ରତି ଯୁଗ ତା'ର ସ୍ୱକୀୟ ବୈଶିଷ୍ଟ୍ୟରେ ସୂଚିତ । ସତ୍ୟଯୁଗରେ ସକଳ ଧର୍ମ ଚତୁଷ୍ପାଦ ଥିଲା । ମନୁଷ୍ୟମାନେ ସତ୍ୟବାଦୀ ଥିଲେ । ପରବର୍ତ୍ତୀ ଯୁଗମାନଙ୍କରେ ଧର୍ମ ଏକ ଏକ ପାଦହୀନ ହେବାକୁ ଲାଗିଲାବୋଲି କୁହାଯାଇଛି । ମାତ୍ର କୌଣସି ଯୁଗ ଆଧୁନିକ ନୁହେଁ; କେବଳ ଯୁଗ ପ୍ରବୃତ୍ତିର ହ୍ରାସାନୁସାରେ ସତ୍ୟ, ତ୍ରେତା, ଦ୍ୱାପର, କଳିଯୁଗରେ ମନୁଷ୍ୟଙ୍କର ଧର୍ମ ବିଭିନ୍ନ ହୁଏ-। ୟୁରୋପରେ ଯେତେବେଳେ ରେନେସାଁର ସୂତ୍ରପାତ ହେଲା, ଶିଳ୍ପ, ଚିତ୍ରକଳା, ସାହିତ୍ୟ, ଗଣିତ, ଦର୍ଶନ ଇତ୍ୟାଦି ବିଭିନ୍ନ ବିଭାଗରେ ଜ୍ଞାନ ଓ କର୍ମ ନାନା ବିଭବରେ ବୈଚିତ୍ର‌୍ୟରେ ବିକଶିତ ହେଲା । କୁହାଯାଏ, ସେହି ସମୟରୁ ଆଧୁନିକତାର ସୂତ୍ରପାତ ହେଲା । କିନ୍ତୁ ଏ ଆଧୁନିକତା ସୂର୍ଯ୍ୟୋଦୟ ଭଳି ଉଇଁ, ଆସି ନ ଥିବ । କନ୍‌ଷ୍ଟାଣ୍ଟିନେପଲ୍‌ର ପତନ କି ମୁଦ୍ରାଯନ୍ତ୍ରର ଉଦ୍‌ଭାବନରେ ଉଦୟ ମୁହୂର୍ତ୍ତର ପଞ୍ଜିକାସୂଚନାବୋଲି କୁହାଯାଇ ପାରିବ ନାହିଁ । କେତେ ବର୍ଷ ଆଗରୁ ସେ କାଳର ଧର୍ମୀୟ ପରମ୍ପରାର ନିଗଡ଼ରୁ ମୁକ୍ତିପାଇଁ ସ୍ୱାଧୀନ ଚିନ୍ତାର ପ୍ରକାଶପାଇଁ ଅନେକ ମନରେ ବ୍ୟାକୁଳତା ଥିବ, ସ୍ୱପ୍ନ ଥିବ । ରେନେସାଁର ତଥାକଥିତ ଆଧୁନିକ ଦୃଷ୍ଟି ପୁଣି ସେଇ ପ୍ରାଚୀନ ଗ୍ରୀସର ରୂପ ସୁଷମାରେ ବିମର୍ଶ ଖୋଜୁଥିଲା । ଏପରିକି ଇଂଲଣ୍ଡର ବହୁ ପରବର୍ତ୍ତୀ ରୋମାଣ୍ଟିକ୍ କବିଗଣ ଦୈହିକ ରୂପର ସେଇ ଗ୍ରୀସୀୟ ଆଧାରରେ ଚୈତନ୍ୟର ସତ୍ତାଟିଏ ଖଞ୍ଜି ଦେଇଥିଲେ, ଏଇ ଧାରାର ରୂପରେ ଅତୀନ୍ଦ୍ରିୟତାର କିଛି ବ୍ୟଞ୍ଜନା ଦେବାକୁ ଚେଷ୍ଟା କରିଥିଲେ । ଜାଗରଣ ଆଧୁନିକ ନୁହେଁ କି ପ୍ରାଚୀନ ନୁହେଁ । ଏହା ଚେତନାର ଏକ ଅବସ୍ଥା । ଏ ଅବସ୍ଥାରେ ଯେଉଁଠି ସୌନ୍ଦର୍ଯ୍ୟ ଥାଏ; ସୃଷ୍ଟିଧର୍ମୀ ତାହା ଆବିଷ୍କାର କରେ, ତା'ର ପ୍ରଶଂସା କରେ । ତେଣୁ ଗେଟେ ହେଲେନିକ୍ ସଂସ୍କୃତି ସମ୍ପର୍କରେ ଗୋଟିଏ ପ୍ରବନ୍ଧରେ କହିଥିଲେ ଯେ ମହାନତା ଓ ଅତୁଳନୀୟତା ବିଚାରରୁ ଆଧୁନିକମାନଙ୍କ ଲାଗି ଗୋଟିଏ ବାଟ ଅଛି, ତାହା ପ୍ରାକ୍‌ତନମାନଙ୍କ ଅନୁକରଣ । ଜର୍ମାନୀର ଊଇଙ୍କଲ୍‌ମ୍ୟାନ୍ ଗ୍ରୀକ୍ ଗଠନ କାଳର ଅନୁପାତ, ପ୍ରଶାନ୍ତି, ମାଧୁର୍ଯ୍ୟ ଓ ଅଙ୍ଗ ପ୍ରତ୍ୟଙ୍ଗର ସୌନ୍ଦର୍ଯ୍ୟରେ ଏତେ ବିମୁଗ୍‌ଧ ଥିଲେ ଯେ ସେ ତୁଳନାରେ ଆଧୁନିକ କଳାକୁ ନିକୃଷ୍ଟତରଭାବେ ଦେଖିଛନ୍ତି । ଗ୍ରୀକ୍ ସ୍ଥାପତ୍ୟର ବହିରାକୃତି କଳାର ଉତ୍‌କର୍ଷ ମାଧ୍ୟମ । ଇନ୍ଦ୍ରିୟ ଗ୍ରାହ୍ୟ ମାଧ୍ୟମ ହିଁ ବସ୍ତୁପର, ତେଣୁ କାଳୋତୀର୍ଣ୍ଣ ।

 

ଶିଳ୍ପ ବିପ୍ଳବଠାରୁ ୟୁରୋପର ଓ ପରେ ପରେ ଅନ୍ୟସବୁ ଅଞ୍ଚଳର ଆଧୁନିକତା ସହ ପୁଣି ଥରେ ସାକ୍ଷାତ୍‍ ହେଲା । ଏହି ସାକ୍ଷାତ୍‍ରେ ଓ କେତେକ ଦେଶ କିଛି ପଛରେ ରହି ଏଇ ସାକ୍ଷାତ୍‍ ଲାଗି ପୋଷାକ ବଦଳେଇ ଦେଲେ । ଆଧୁନିକତା ସହ ସଖ୍ୟତା ଲାଗି ପ୍ରତି ଦେଶ ଆପଣାକୁ ଆଧୁନିକ ଅତ୍ୟାଧୁନିକ କରିବାରେ ଲାଗିଛି । ଏଥିଲାଗି ପ୍ରବଳ ବେଗ ଓ ପ୍ରଚଣ୍ଡ ପ୍ରତିଦ୍ୱନ୍ଦ୍ୱିତା । ଆଧୁନିକତାର ଗଠନଗତ ରୂପ, ଯାହା ଆଖିରେ ପଡ଼ୁଛି, ତାହା ସବୁଠି ପ୍ରାୟ ସମାନ-। ନଗରୀକରଣ, ଶିଳ୍ପାୟନ, ପରିବହନ, ଗମନାଗମନ, ପ୍ରତିରକ୍ଷା ପ୍ରସ୍ତୁତି, ଏସବୁ ଲାଗି ପ୍ରଚାର ଓ ତା'ର ମାଧ୍ୟମ ସବୁଠି ଏକାଭଳି । ଏହା ସତ୍ତ୍ୱେ ପୃଥିବୀ ବିଭେଦରେ ଫାଟିଯାଉଛି, ପରସ୍ପର ଶତ୍ରୁତାରେ ପ୍ରତ୍ୟେକ ଆତଙ୍କିତ ହୋଇ ରହୁଛନ୍ତି । ପୂର୍ବର କୃଷି ସଭ୍ୟତାରେ ଶସ୍ୟ ଉତ୍ପାଦନ କେବଳ ଲକ୍ଷ୍ୟ ନ ଥିଲା । ଏ ସଭ୍ୟତା ନିଜକୁ ଆଧୁନିକ କହୁ ନ ଥିଲେ ବି ଜୀବନପାଇଁ ଏହା ଏକ ମାର୍ଗ ଦେଇଥିଲା, ଜୀବନକୁ ଭବ୍ୟ କରିଥିଲା, ସମାଜକୁ ଏକ ସଂସ୍କୃତି ଦେଇଥିଲା । କୃଷକମାନେ ସଂଘର୍ଷପାଇଁ ଗୋଟିଏ ଶ୍ରେଣୀ ହୋଇ ପାରିନଥିଲେ ସତ; କିନ୍ତୁ ସମାଜରେ ଗୋଟିଏ ସଂହତି ଥିଲା, ପ୍ରକୃତିରେ ସୁଷମା ଥିଲା, ଜୀବନ ସହ ପ୍ରକୃତିର ଆତ୍ମୀୟତା ଥିଲା । ଆଧୁନିକ ଶିଳ୍ପ ସଭ୍ୟତାରେ ବ୍ୟସ୍ତତା ବ୍ୟଗ୍ରତା, ବେଶ୍ କିଛି ଉତ୍‌ଶୃଂଖଳତା ଭରି ରହିଛି । ବ୍ୟକ୍ତି ମନର ସଂକୋଚନରେ କୃତ୍ରିମତାରେ, ସଂଘର୍ଷର ଡାକରାରେ ଗୋଟାଏ ଯାନ୍ତ୍ରିକ ଶକ୍ତି ସବୁବେଳେ ମାନସିକ ଉଚ୍ଚାଟନ ସୃଷ୍ଟି କରୁଛି । ଏକାଭଳି ରହି ବି ଜନଗୋଷ୍ଠୀ କେଉଁଠି ବୁର୍ଜୋୟା କେଉଁଠି କମ୍ୟୁନିଷ୍ଟ ତ କେଉଁଠି ବର୍ଣ୍ଣବିଦ୍ୱେଷୀ ବା ଧର୍ମାନ୍ଧରୂପେ ପରସ୍ପରକୁ ଛାଉଳେଇବାରେ ଲାଗିଛନ୍ତି । ଜଣକ ବିଚାରରେ ଅନ୍ୟଜଣକ ଆଧୁନିକ ନୁହେଁ! ଉତ୍ପାଦନ ବଣ୍ଟନ ପ୍ରଣାଳୀରେ ପରିବର୍ତ୍ତନ ସହ ଉପକରଣ ଉପଯୋଜନର, ସଂଗ୍ରହ ସମାରୋହର, ଭୋଗ ଓ ଭାବର ପ୍ରକୃତି ପରିବର୍ତ୍ତିତ ହୋଇଯାଇଛି । କିନ୍ତୁ ଏ ପରିବର୍ତ୍ତନ ମଣିଷକୁ ଆଧୁନିକତାର ଏକ ନିରାପଦ ସିଂହାସନରେ ବସେଇ ଦେଇଛିବୋଲି କୁହାଯାଇ ପାରିବ ନାହିଁ । ପରିବର୍ତ୍ତନ ବି ଇମିତି କିଛି ସାଗର ଲଂଘନ ଗତିରେ ଆସିନାହିଁ । ଯାହା ଆସୁଛି, ତାହା ଐତିହାସିକ କ୍ରମରେ, ଆବଶ୍ୟକତା ଭିତ୍ତିରେ ଘଟୁଛି । ପାଦରେ ଚାଲି ଚାଲି ଏ ଗାଁରୁ ସେ ଗାଁକୁ ଯିବାଠାରୁ ମହାଶୂନ୍ୟ ଯାତ୍ରାକୁ ଆମେ ଆଧୁନିକ କହିପାରିବା ନାହିଁ କି ସେଥିଲାଗି ନିର୍ମିତ ପୋଷାକକୁ ଆଧୁନିକତାର ଚିହ୍ନ କହି ତାକୁ ପିନ୍ଧି ବୁଲିପାରିବା ନାହିଁ । ପଦଯାତ୍ରା ଯେପରି ପ୍ରୟୋଜନ ମହାକାଶ ଯାତ୍ରା ସେହିପରି ହୁଏତ କାହାଲାଗି ପ୍ରୟୋଜନ ବା ଦୁଃସାହସିକ ଅଭିଯାନ । ପ୍ରତ୍ୟେକଟି ଗତି, ପ୍ରଗତି କି ଅଗ୍ରଗତି ବି ନୁହେଁ । ପଥର ଅସ୍ତ୍ରରୁ ପରମାଣୁ ବୋମା ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ରର ବିବର୍ତନ ଏକ ଧାରାବାହିକ ଉଦ୍ଭାବନ । ଲକ୍ଷ୍ୟ ଦୃଷ୍ଟିରୁ ସଂହାର ପ୍ରବୃତ୍ତି ପ୍ରତି ସ୍ତରରେ ସମାନ । ବରଂ କ୍ଷୟ କ୍ଷତି ବିଚାରରୁ, ଦୀର୍ଘ କାଳୀନ ଦୃଷ୍ଟି ସଂକଟ ଦୃଷ୍ଟିରୁ ପରମାଣୁ ଅସ୍ତ୍ର ଅଧିକ ଦାନବୀୟ ଶକ୍ତି ପ୍ରୟୋଗ । ତେଣୁ ଆଧୁନିକତା କହିଲେ ସମାଜ, ସଂସ୍କୃତିର ଯେଉଁ ଅଗ୍ରଗମନ କଥା ଅଭିପ୍ରେତ ଥାଏ; ତାହା ପ୍ରତିହତ ହେଉଛି । ଅଭାବ ଓ ଆବଶ୍ୟକତା ଭରଣା ଉଦ୍ଦେଶ୍ୟରେ ଉତ୍ପାଦନ ବୃଦ୍ଧିପାଇଁ ଯେଉଁ ତତ୍ପରତା, ଭୋଗ କାମନାରେ ଯେଉଁ ହିଂସା ସେଥିରେ ପ୍ରକୃତି ଏପରି ଧର୍ଷିତା ହେଉଛି, ବସୁନ୍ଧରା ଏତେ କ୍ଷିପ୍ର ଗତିରେ ବସୁଶୂନ୍ୟ ହେଉଛି ଯେ ସେଥିରେ ସମସ୍ତ ସ୍ଥିତିଟି ଦୋହଲି ଯାଉଛି । ଆଧୁନିକ ହେବା ପ୍ରୟାସରେ ଏକ ନୀତିହୀନ ପ୍ରାକୃତିକ ଶୃଙ୍ଖଳା ବିଗର୍ହିତ କାର୍ଯ୍ୟ ବ୍ୟାପ୍ତ ହେଉଛି ।

 

ଆଧୁନିକ ସହାନୁଭୂତି- ସେବାପାଇଁ, ସଂହତିପାଇଁ ଯେଉଁ ସଂଗ୍ରହ, ସାହାଯ୍ୟ ଓ ସଙ୍ଗଠନ ଦେଖାଯାଉଛି, ସେଥିରେ ଯଥାର୍ଥ ସମ୍ବେଦନଶୀଳତା ନାହିଁ । ସେଥିରେ ବି ପ୍ରଭୁତା, ପ୍ରାଧାନ୍ୟ, ଦଳ, ଗୋଷ୍ଠୀ, ଲାଭ କଥା ପ୍ରଚ୍ଛନ୍ନ ଅଛି । ଏକତ୍ୱବୋଧ ଲାଗି ଏକ ପକ୍ଷରେ ଯାନ୍ତ୍ରିକ ଅବଦାନ, ପାରସ୍ପରିକ ନିର୍ଭରତା ଯେତେ ବଢ଼ୁଛି, ମଣିଷ ସେତିକି ବିଭକ୍ତ, ବିଚ୍ଛିନ୍ନ, ବିଭେଦଗ୍ରସ୍ତ ହେଉଛି । ଆଧୁନିକ ପ୍ରୟୋଗ ସାଧନାରୁ ଆଧୁନିକତାର ଚିତ୍ତବୃତ୍ତି ବିକଶିତ ହେଉନାହିଁ । ମାନବବାଦ ମଣିଷକୁ ଏଯାଏ ଚିହ୍ନେଇ ପାରିନାହିଁ । ଆଧୁନିକତା ବିଚାରରେ ଧର୍ମ ଧାରଣା ପୁରୁଣାକାଳିଆ ହୋଇଯାଇଛି । ଧର୍ମ ଧାର୍ମିକତା ଶବ୍ଦ ବଦଳରେ ଆଧ୍ୟାତ୍ମିକତା ଶବ୍ଦଟି ବେଶୀ ପ୍ରୟୋଗ କରାଯାଉଛି । ଧର୍ମ ଓ ଧର୍ମାନୁଷ୍ଠାନଗୁଡ଼ିକ ମଣିଷର ସ୍ୱାଧୀନ ଗତିକୁ ଚିନ୍ତାକୁ ବହୁ ଭାବରେ ଅବଶ୍ୟ ଛନ୍ଦି ଦେଇଥିଲେ । ଏ ବନ୍ଧନରୁ ମୁକ୍ତି ଲାଗି ବହୁ ସଂଗ୍ରାମ ହୋଇଛି । କିନ୍ତୁ ଥରକୁ ଥର ମଣିଷ ବାନ୍ଧି ହୋଇଯାଉଛି । ଇଂଲଣ୍ଡରେ ରୋମୀୟ ଚର୍ଚ୍ଚର ବିଲୋପ ପରେ ରାଜକୀୟତା ବଢ଼ି ଉଠିଲା, ତା' ସହିତ ଆଙ୍ଗଲିକାନ ଚର୍ଚ୍ଚ ମୁଣ୍ଡ ଟେକିଲା, ରାଜକୀୟତା ହ୍ରାସ ପାଇଲା ପରେ ସାମନ୍ତବାଦୀଏ ପ୍ରବଳ ହୋଇ ଉଠିଲେ । ଏହିପରି ରାଜନୀତିକ ଦଳ, ସମ୍ବିଧାନ, ଶାସନ, ଶାସକ ଅନୁଗୃହୀତ ସମ୍ବାଦ ସଂସ୍ଥା, ପ୍ରଚାର ମାଧ୍ୟମ, ଇମିତି କେତେ କୌଶଳ, ପ୍ରତି ଦେଶରେ ଜନସାଧାରଣଙ୍କୁ ବାନ୍ଧିବାରେ ବ୍ୟସ୍ତ । ତାରି ମଧ୍ୟରେ ଶବ୍ଦ ପ୍ରୟୋଗର ବହୁ ଛଳନା, ଯେମିତି ଆଧ୍ୟାତ୍ମିକତା । କୌଶଳରେ ବାନ୍ଧି ରଖିବା ଯେଉଁଠି ଲକ୍ଷ୍ୟ, ସେଠି ଆତ୍ମାର ଅଧିକାର କଥାର ବା କି ମୂଲ୍ୟ ? ତଥାପି ଲୋକଙ୍କ ସରଳ ମୂଲ୍ୟବୋଧକୁ ଆଧୁନିକ ଆଧ୍ୟାତ୍ମିକବାଦୀଏ ଖୁବ୍ ଲୁଟି କରନ୍ତି । ଯିମିତି ‘ଅସୂର୍ଯ ଉପନିବେଶ'ରେ ଜଣେ ବକ୍ତା ମୁହଁରେ ଦିଆଯାଇଛି- ଯାହାକୁ ଲାଞ୍ଚବୋଲି କହିବାର ଅଭ୍ୟାସ ରଖିଛନ୍ତି, ସେଟା କେବଳ ଗୋଟାଏ ପୁରାତନ ଅନ୍ଧ ବିଶ୍ୱାସ । ଠିକ୍ ବୁଝିଲେ ତାହା କେବଳ ଧନର ଆଦାନ ପ୍ରଦାନ । ସେଥିରେ ଟଙ୍କାଟାକୁ ଗୋଡ଼ି ମାଟି ପରି ଟେକି ଦିଆଯାଏ । ସେଥିରେ ଯେପରି ନିରାସକ୍ତି ଅଛି, ଆଉ କେଉଁଥିରେ ନାହିଁ । ଆପଣଙ୍କୁ ଆମିଷ ଖାଇବାକୁ ହେବ । ନ ହେଲେ ଶରୀର ରୂପାନ୍ତର ହେଲା ବେଳକୁ କମ୍‌ଜୋର ହୋଇଯିବ । ଆଧ୍ୟାତ୍ମିକ ଧକ୍କା ସହିବାକୁ ଯଥେଷ୍ଟ ଶକ୍ତି ଦରକାର । ଇମିତି ଆଧୁନିକ ବ୍ୟାଖ୍ୟା ଦେଇ ବହୁ ଆତ୍ମାକୁ ନିଶ୍ଚେତନ କରି ଦିଆଯାଏ ।

 

ପୁରାତନ ଆଧୁନିକତା ବିରହିତ ନୁହେଁ । ଚିନ୍ତା ରାଜ୍ୟରେ ନୂତନ ପୁରାତନର ସ୍ଥାନ ନାହିଁ-। ତାହା କାଳୋତ୍ତୀର୍ଣ୍ଣ, ପୁରାଣୀ ଉଷାର ସୁଷମା ପରି ନିତ୍ୟ ଆକର୍ଷକ । ଚିନ୍ତାର ଶାଶ୍ୱତ ମୂଲ୍ୟ ଉପଲବ୍ଧିରେ ଆଣିବାକୁ ହୁଏ, ସମୟ ଅନୁସାରେ ଅର୍ଥାନ୍ୱିତ କରିବାକୁ ହୁଏ । ଗାନ୍ଧିଜୀ ତାଙ୍କ ବ୍ୟକ୍ତିଗତ ଜୀବନରେ ଓ ରାଜନୀତିକ ପ୍ରୟୋଗରେ ସେହି ପୁରାତନ ମୂଲ୍ୟବୋଧରେ ଆଧୁନିକ ପ୍ରୟୋଗ-ରୂପ ପ୍ରଦର୍ଶନ କରିଥିଲେ । ସେହି ତାତ୍ପର୍ଯ୍ୟରେ ତାଙ୍କର ବ୍ୟକ୍ତିତ୍ୱ ଓ ରାଜନୀତି ମହାମାନବୀୟ ମାନ୍ୟତା ଲାଭ କରିଥିଲା । ବ୍ୟକ୍ତିଗତଭାବେ ସେ ଦୈହିକ କାମନାରେ ସଂଯମ ଆଚରଣ କରୁଥିଲେ ଓ ଏହି ସନ୍ନ୍ୟାସିକତା ତାଙ୍କ କାର୍ଯ୍ୟ ଓ ବିଚାରରେ ଅଭୂତପୂର୍ବ ଦୃଢ଼ତା ଦେଇଥିଲା । ସତ୍ୟ, ଅହିଂସା, ତିତିକ୍ଷା, ସହିଷ୍ଣୁତା, ସାହସିକତାଦି ସଦାଚାର ତତ୍କାଳୀନ ରାଜନୀତିକ ପଟ୍ଟ ପରିବର୍ତ୍ତନପାଇଁ ସଫଳ ଅସ୍ତ୍ରରୂପେ ପ୍ରଯୁକ୍ତ ହୋଇ ପାରିଲା । ଏବେ ସେହି ଅସ୍ତ୍ର ଅସହଯୋଗ, ଧାରଣା, ବନ୍ଦ, ଧର୍ମଘଟ ଇତ୍ୟାଦି ଆଉ ବ୍ୟୁହଭେଦ ସମର୍ଥ ହେଉ ନାହିଁ । ଏଗୁଡ଼ିକର ପ୍ରୟୋଗ ଲାଗି ଯେଉଁ ଆତ୍ମାନୁଶାସନ ମନ୍ତ୍ରଶକ୍ତି ଭଳି କାମ କରୁଥିଲେ, ତା' ଆଉ ନାହିଁ । ସଂଯତ ଆଚରଣ ଉପରେ ପ୍ରତିଷ୍ଠିତ ବିଚାର ଓ ତା'ର ସ୍ଥାନିକ ପ୍ରୟୋଗ ଆଧୁନିକତା, ସେହିପରି ଗାନ୍ଧିଜୀଙ୍କ ସର୍ବଧର୍ମ ପ୍ରାର୍ଥନା ପୁରାତନର ଏକ ଆଧୁନିକ ରୂପ । ଈଶ୍ୱର ଯଦି ବ୍ରହ୍ମା, ବିଷ୍ଣୁ, ଶିବରୂପେ ନାମିତ ଓ ପ୍ରାର୍ଥିତ ହୋଇ ପାରନ୍ତି, ପରିବର୍ତ୍ତିତ ଧର୍ମସମନ୍ୱୟ ସୀମାରେ ଜେହୋବା, ଯୀଶୁ ବା ଆଲ୍ଲା ନାମରେ ସେ ବା କାହିଁକି ପରିଚିତ ହୋଇ ନ ପାରିବେ ? ଏକ ସତ୍‌କୁ ପଣ୍ଡିତମାନେ ବହୁ ରୂପରେ ବ୍ୟକ୍ତ କରିଥାନ୍ତି ବୋଲି ଥିବା ପ୍ରାଚୀନ ମତର ଏହା ଆଧୁନିକ ସଂଗତ ସଂସ୍କରଣ । ଆଧୁନିକତା ପ୍ରାଚୀନତାର ବିରୋଧୀ ନୁହେଁ । ଏହା ତା'ର ଜୀର୍ଣ୍ଣୋଦ୍ଧାର ।

 

ଆଧୁନିକତାକୁ ସାଧାରଣତଃ ପରମ୍ପରା ବିରୋଧୀବୋଲି କୁହାଯାଏ । ପରମ୍ପରା ବିରୋଧରେ ମଧ୍ୟ ଏହା କ୍ରିୟାଶୀଳ ହୋଇଥାଏ । ପରମ୍ପରାର ପ୍ରବାହଟି ରୁଦ୍ଧ ହୋଇଗଲେ, ସମୟର ଆବର୍ଜନା ସେଥିରେ ଧୋଇ ନ ହେଲେ ସେଥିଲାଗି ନୂତନ କୂଲ୍ୟା ଖୋଜିବାକୁ ହେବ । ପରମ୍ପରାରେ ରହିଥିବା ଜନ୍ମ ବଂଶଗତ ବଡ଼ିମା, ଅପରିଣାମଦର୍ଶୀ କ୍ରିୟା ବାହୁଲ୍ୟ, ଧର୍ମୀୟ ମତାନ୍ଧତା, ଆଞ୍ଚଳିକତା, ଜାତ୍ୟଭିମାନ କେବେହେଲେ ସମର୍ଥଯୋଗ୍ୟ ନୁହେଁ । ମାତ୍ର ତଥାକଥିତ ବହୁ ଆଧୁନିକ ଏହିସବୁ ସୁରାପାତ୍ର ଧରି ମଦ୍ୟପ ସାଜୁଛନ୍ତି । ଧର୍ମ- ନିରପକ୍ଷତା ନାଁ ଧରି ବି ସରକାର ଅନେକ ଅକରଣୀୟତାକୁ ସମର୍ଥନ ଦେଉଛନ୍ତି । କେଉଁଟି ଗ୍ରହଣୀୟ, କେଉଁଟି ପରିତ୍ୟାଜ୍ୟ, ଏହା ଠିକ୍ କରି ନ ପାରି ଆଧୁନିକ ସମାଜ ପରମ୍ପରା ଓ ଆଧୁନିକତାର ଓଉ ବୋଝ ମୁଣ୍ଡେଇ ଚାଲିଛି । ଯେକୌଣସି ସାମାଜିକ ପୂଜା ପାର୍ବଣ, ଉତ୍ସବ, ଅନୁଷ୍ଠାନରେ ଏହାକୁ ଲକ୍ଷ୍ୟ କରିହେବ । ମେଳାରୁ ମେଲଣଯାଏ, ହରିକୀର୍ତ୍ତନରୁ ହାଟ ବାଟଯାଏ ସବୁଠି ବିପରୀତଧର୍ମୀ କ୍ରିୟାକଳାପ । କନ୍ୟାଦାୟରେ ଯୌତୁକ ପ୍ରଥାକୁ ଦୂଷଣୀୟ କୁହାଗଲେ ବି ଉପହାର ଛଳନାରେ ଦେୟ ଦେଏଣା ବଢ଼ି ଚାଲିଛି; ଉତ୍ସବ ଆଟୋପରେ ବି ସୀମା ନାହିଁ । ପୌରୋହିତ୍ୟ କ୍ରିୟା ବହୁଳତାକୁ ଖର୍ବକରି ପ୍ରଦର୍ଶନୀୟ ସାଜସଜ୍ଜା କମ୍ ଅତ୍ୟାଚାର କରୁନାହିଁ । ଅନ୍ୟ ପକ୍ଷରେ ପ୍ରତି ଆଧୁନିକ ରାଷ୍ଟ୍ର ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟାର ଯଥା ସମ୍ଭବ ଉପଯୋଗ ସହ ପରମ୍ପରାର ବିଶେଷ ଗୁଣଟିକୁ ଧରି ନିଜତ୍ୱ ପ୍ରଦର୍ଶନ କରିବାକୁ ଚେଷ୍ଟିତ । ଆଧୁନିକ ବୋଲାଇବାକୁ ନିଜର ସଂସ୍କୃତିକୁ ଭୁଲି ଯିବାକୁ କେହି ପ୍ରସ୍ତୁତ ନୁହଁନ୍ତି । ଏକ ସମୟରେ ପରମ୍ପରାଗତ ପ୍ରଥାର ଅର୍ଥକୁ ରୂଢ଼ି କରି ଦିଆଯାଇ ସେଥିରେ ସାମାଜିକ ଗତିଶୀଳତାକୁ ରୋଧକରି ଦିଆଯାଇଥିଲା । ଆମର ବର୍ଣ୍ଣବିଭାଗ, ଜାତିପ୍ରଥା, ଯୌଥ ପରିବାର, ମୂର୍ତ୍ତିପୂଜା ଇତ୍ୟାଦିକୁ ଏକ ସମୟରେ ଅତି ଘୃଣ୍ୟ ବିଚାର କରାଯାଇଥିଲା । ଆଲୋଚନା ଫଳରେ ସେଗୁଡ଼ିକରେ ନୂତନ ମୂଲ୍ୟବୋଧ ସୃଷ୍ଟି ହୋଇ ପାରିଛି । ଯାହା ଦିନେ ମରହଟ୍ଟୀ ବୋଲି ବିବେଚିତ ହେଉଥିଲା, ସେଥିରେ ସାମାଜିକ ଆତ୍ମିକ ଉପଯୋଗିତା ଏବେ ସ୍ୱୀକୃତ ହେଉଛି । ଅନିୟନ୍ତ୍ରିତ ମୁକ୍ତି ଆଧୁନିକତାର ଲକ୍ଷଣ ନୁହେଁ । ପରମ୍ପରାର ବନ୍ଧନରେ ବି ଆଧୁନିକତାର ଛନ୍ଦ ରହିଛି । ନାଚି ଜାଣିଥିଲେ ନୂପୁର ପଦପାତରେ ଧ୍ୱନି ସୃଷ୍ଟି କରିବ ଅନ୍ୟଥା ତାହା କେବଳ ଅସଂଗତ ଶବ୍ଦ ସଂକୁଳ ହେବ ।

 

ଆଧୁନିକତା ସ୍ଫୀତ ବ୍ୟକ୍ତି ଅତି ମାତ୍ରାରେ ବହିଃରଙ୍ଗ ବିଳାସୀ । ଭାରତରେ ଇଂରେଜୀ ଶିକ୍ଷା ପ୍ରଚଳନ କାଳରୁ ସାହେବୀ ଢଙ୍ଗର ଅନୁକରଣ, ଯେତେ ବିକୃତ ଅସ୍ୱାଭାବିକ ହେଲେ ବି, ଆଧୁନିକତାର ବିଶେଷ ଲକ୍ଷଣରୂପେ ବିବେଚିତ ହେଉଥିଲା । ମଦ୍ୟପାନ, ବେଶ୍ୟାସଙ୍ଗ, ମାତୃଭାଷା ପ୍ରତି ବିଚାର, ଗୁରୁଲଘୁ ଜ୍ଞାନର ଅଭାବ ବିଶେଷଭାବେ ଲକ୍ଷିତ ହେଲା । ଏବେ ମଧ୍ୟ ଶିକ୍ଷିତ ଗୋଷ୍ଠୀଟି ଚାକିରି ସର୍ବସ୍ୱ ଓ ସମାଜ ସମ୍ପର୍କରୁ ପୃଥକ ଶ୍ରେଣୀରୂପେ ରହିବାକୁ ସୁଖ ମଣୁଛି । ବ୍ୟକ୍ତି ସ୍ୱାଧୀନତାର ପ୍ରବଳ ଦାବି ସତ୍ତ୍ୱେ ଏହି ଆଧୁନିକମାନେ ଅତି ମାତ୍ରାରେ ପରାଧୀନ, ପରାଙ୍ଗପୁଷ୍ଟ ଓ ତାରି ମଧ୍ୟରୁ ଲାଭ କରୁଥିବା କିଞ୍ଚିତ୍ ସୁବିଧା ନେଇ ବୃହତ୍ତର ଜନସମ୍ପର୍କରୁ ପୃଥକ୍‌, ଅଧିକ ଅଧିକାର ପ୍ରମତ୍ତ, ଅଧିକରୁ ଅଧିକ ସୁବିଧା ସୁଯୋଗପାଇଁ ଦାବି ଉପରେ ପ୍ରତିଷ୍ଠିତ । ଚାକିରି କରୁଥିବା କର୍ମଚାରୀମାନଙ୍କର ଅତ୍ୟାଚାର ଆଧୁନିକ ସମାଜ ବ୍ୟବସ୍ଥାରେ କମ୍ ନୁହେଁ । ସେମାନେ ଯାହା କରନ୍ତି ସେ ସମ୍ପର୍କରେ ସେମାନଙ୍କର ଦାୟିତ୍ୱବୋଧ ନାହିଁ । ଯେଉଁମାନଙ୍କପାଇଁ କରାନ୍ତି, ସେମାନଙ୍କଠାରୁ ସେମାନେ ବହୁ ଦୂରରେ । ତେଣୁ ଦୂରତାକୁ ରକ୍ଷା କରିବା ସେମାନଙ୍କର ଧର୍ମ । ଚାକିରିର ସ୍ତର ଅନୁସାରେ ଉଚ୍ଚତା ଯେତିକି ବଢ଼େ, ସମାଜଠାରୁ ଦୂରତା ସେହି ଅନୁସାରେ ବଢ଼େ । ଆଧୁନିକତା ପୁଣି ବ୍ୟକ୍ତିର ଇନ୍ଦ୍ରିୟାନୁଭବ ଉପରେ ପ୍ରବଳ ଚାପ ପକାଉଛି । ଏହି ଚାପ ଫଳରେ ବ୍ୟକ୍ତିର ଭୋଗଲିପ୍‌ସା ଆକାଶୀ ହେଉଛି ।, ଦୈହିକ ମାନସିକ ସହନସୀମାର ବହିର୍ଭୁତ ଆଚରଣରେ ଉତ୍ତେଜିତ ହେଉଛି । ଆଧୁନିକ ଅପରାଧ ପ୍ରବଣତା ମୂଳରେ ଇନ୍ଦ୍ରିୟଚାପ ଉତ୍ତେଜନା ଅଧିକ କାମ କରୁଛି ଓ ତହିଁରୁ ଯେ କୌଣସି ଧରଣର କ୍ଷଣିକ ସୁଖପାଇଁ ଲାଳସା ବ୍ୟକ୍ତିକୁ ଗଳଦ୍‌ଘର୍ମ କରୁଛି । ଦେଖିଲେ ମନେହୁଏ, ସୁଖ ଲାଭ ହିଁ ଯେପରି ଆଧୁନିକତାର ଲକ୍ଷ୍ୟ ଓ ଲକ୍ଷଣ-। ଏହି ରୀତିରେ ଆଧୁନିକତାରେ ସ୍ୱାଧୀନ ଗତି ନାହିଁ, କାରଣ ସେ ନକ୍ସାରେ ବିଚାର କ୍ଷେତ୍ରଟି ନାହିଁ ।-ଏହା ଏକ ପ୍ରକାର ତାଡ଼ିତ ପ୍ରବାହ, ସୁଅ ମୁହଁର ପତର । ପତର ଭାସିଯାଏ, ସୁଅ ବି ଅଟକି ପାରେ ନାହିଁ ।

 

ଯାହା ସାଂପ୍ରତିକ ତାହା ଆଧୁନିକ- ଏପରି ନୁହେଁ । ଆଧୁନିକତା କାଳବାଚୀ ହେଲେ, ତାହା କେବଳ ଘଟଣାସର୍ବସ୍ୱ ହୋଇଯିବ, ଆଜିର ସମ୍ବାଦ ହିଁ ସର୍ବାଧୁନିକରୂପେ ଗଣାହେବ । ଚିନ୍ତା ଓ ବିଚାର ଭୂମିରେ ଆଧୁନିକତାର ତାତ୍ପର୍ଯ୍ୟ । ତାହା ସଭ୍ୟତା, ତାହାହିଁ ସାହିତ୍ୟ । ଘଟଣାର ପୃଷ୍ଠଭୂମିରେ ଯେଉଁ ସତ୍ୟଟି ଆବିଷ୍କୃତ ହୁଏ, ତାହା ଜୀବନ ପରିସୀମାକୁ ଯେତେ ଭଳି ଛୁଏଁ, ସାହିତ୍ୟ ସେଇ ଅନୁସାରେ ଆଧୁନିକ ହୁଏ ଘଟଣାଟି ଏବେର ହେଉ, ବା କେତେ ଶହ ବର୍ଷର ତଳର ହେଉ । ସିମିତି ଏବର ଘଟଣା ଆଧାରିତ ରଚନାଟି ସାମୟିକ ଚମକ ହରାଇ ଉତ୍ତର କାଳପାଇଁ ଯଦି କିଛି ଚାହାଣି ଦିଏ, ଅନୁଭୂତିର ବଳୟଟିଏ ସୃଷ୍ଟି କରେ, ତାହା ଆଧୁନିକ ହୋଇ ରହିଯାଏ । ସବୁ ଉଚ୍ଚାଙ୍ଗ ସାହିତ୍ୟ ଏହି ଦୃଷ୍ଟିରେ ସ୍ଥାନୀୟତାକୁ ଅତିକ୍ରମ କରିଛି, କାଳଜୟୀ ହୋଇଛି, ତେଣୁ ଆଧୁନିକ ହୋଇ ରହିଛି । ଯାହା କିଛି ପୁରୁଣା ତା' ଯେ ସବୁ ଭୁଲ୍ ଏ କଥା କେହି କହୁ ନାହିଁ; ସବୁ ନୂଆ ଯେ ଆଧୁନିକ ଏହା ବି ଠିକ୍ ନୁହେଁ । ତେଣୁ ପରପ୍ରତ୍ୟୟ ବୁଦ୍ଧିରେ ନ ଦେଖି ଯାହା ସତ୍ୟ, ଶିବ ଓ ସୁନ୍ଦର ତାହା ସାମାଜିକ ତାହାହିଁ ଆଧୁନିକ । ଆଧୁନିକତା ପାଇଲା ଭଳି କିଛି ବସ୍ତୁ ନୁହେଁ, ଦେଖେଇଲା ଭଳି କିଛି ଦୃଶ୍ୟ ନୁହେଁ, ଶୁଣିଲା ଭଳି କିଛି ସଙ୍ଗୀତ ନୁହେଁ, ନେତାମାନଙ୍କ ଭାଷଣର କିଛି ପ୍ରତିଶ୍ରୁତି ନୁହେଁ । ବ୍ୟକ୍ତି ଓ ସମାଜର ପାରସ୍ପରିକ ସମ୍ପର୍କ ନେଇ ଏହା ଏକ ବିଚାର, ସ୍ଥାନ, କାଳ ଓ ପାତ୍ରକୁ ନେଇ କିଛି ଗ୍ରହଣ, କିଛି ତ୍ୟାଗ, ସବୁ ପ୍ରକାର ସଂକୀର୍ଣ୍ଣତାର ହିଡ଼ ବାଡ଼ ଡେଇଁ ଏକ ଉଦାର ଚେତନା, ଯେଉଁ ସ୍ତରରେ ମଣିଷର ମୂଲ୍ୟ ନେଇ ଆଗକାଳରେ ପିରାମିଡ୍ ବା ବିଶାଳ ଧର୍ମ ମନ୍ଦିର ପରି ସିମେଣ୍ଟ କଂକ୍ରିଟ୍‌ର ସେତୁ କି ସୌଧ ନିର୍ମିତ ହୁଏ ନାହିଁ; ନିର୍ମିତ ହୁଏ, ମଣିଷପାଇଁ ସ୍ନେହ, ସମ୍ପର୍କ, ମର୍ଯ୍ୟାଦାର ସୁନ୍ଦର କର୍ତ୍ତବ୍ୟବୋଧଟିଏ ।

•••

 

ମାନସିକ ବିକାର

ଡକ୍ଟର ନୃସିଂହଚରଣ ପଣ୍ଡା

 

‘ମାନସିକ ବିକାର' କହିଲେ ଆମେ ଯାହା ବୁଝୁ; ତା ‘ମାନସିକ ରୋଗ' ଅପେକ୍ଷା ପ୍ରଶସ୍ତତର । ‘ରୋଗ' ଶବ୍ଦଟା ଆମ ମନରେ ଯେଉଁ ଧାରଣା ଦିଏ, ଅବିକଳ ସେଇ ଧାରଣା ସମସ୍ତ ପ୍ରକାର ମାନସିକ ବିକାରପାଇଁ ପ୍ରଯୁଜ୍ୟ ନୁହେଁ । ସବୁ ମାନସିକ ବିକାରଗ୍ରସ୍ତ ଲୋକ ପାଗଳ ନୁହନ୍ତି-। ସୁତରାଂ, ମାନସିକ ବିକାର ପାଗଳାମି ସହିତ ସମାନ ନୁହେଁ । ସାଧାରଣ ମାନସିକ କ୍ରିୟା ପ୍ରତିକ୍ରିୟାରେ ଯଦି ତ୍ରୁଟି ପରିଲକ୍ଷିତ ହୁଏ, ତେବେ ତା' ମାନସିକ ବିକାରର ସଂଜ୍ଞା ନେଇଥାଏ । ମନୁଷ୍ୟର ସୃଷ୍ଟି ଦିନଠାରୁ କେହି କେହି ଲୋକ ମାନସିକ ବ୍ୟାଧିରେ ପୀଡ଼ିତ ହୋଇ ଆସିଛନ୍ତି । ଉଭୟ ବିକାଶପ୍ରାପ୍ତ ତଥା ବିକାଶଶୀଳ ଦେଶରେ ଏବଂ ସଭ୍ୟ ତଥା ଆଦିମ ସମାଜରେ ମାନସିକ ବିକାର ଦେଖିବାକୁ ମିଳେ । ମାତ୍ର ଆଧୁନିକ ସଭ୍ୟତା ସହିତ ମାନସିକ ବିକାର ସମାନ୍ତରାଳ ଭାବରେ ଗତି କରୁଛି । ସଭ୍ୟତାର ଜଟିଳତା ମନୁଷ୍ୟର ମନକୁ ବିକାରଗ୍ରସ୍ତ କରୁଛି । ଯେଉଁ ସମାଜ ଯେତେ ଅଧିକ ସଭ୍ୟ, ସେ ସମାଜରେ ମାନସିକ ବିକାରଗ୍ରସ୍ତ ଲୋକଙ୍କ ସଂଖ୍ୟା ସେତେ ବେଶୀ । ସେଇ ଦୃଷ୍ଟିରୁ ମାନସିକ ବିକାର ସଭ୍ୟତାର ଏକ ବ୍ୟାଧି । ଏ ବ୍ୟାଧି ଏତେ ଉତ୍କଟ ଯେ ଆମେରିକା ପରି ସଭ୍ୟ ଦେଶରେ ହୃଦ୍‌ରୋଗ ପ୍ରଥମ ଏବଂ ମାନସିକ ବ୍ୟାଧି ଦ୍ୱିତୀୟ ପ୍ରଧାନ ରୋଗ ।

 

କେତେକ ପ୍ରକାର ମାନସିକ ବ୍ୟାଧି ଜିନ୍ ଜନିତ; ଆଉ କେତେକ ପ୍ରକାର ଅନ୍ତରଜରାୟୁ ଭ୍ରୂଣଗଠନ କାଳରେ ପ୍ରସୂତ । ଅଧିକାଂଶ ମାନସିକ ବ୍ୟାଧି ପାରିପାର୍ଶିକ । ଅନେକ ପାରିପାର୍ଶିକ ମାନସିକ ବ୍ୟାଧି ବଂଶଗତ, କିନ୍ତୁ ଜିନ୍‌-ଜନିତ ନୁହେଁ । ମାତାର ଅଣ୍ଡାରେ ତେଇଶଟି ଜିନ୍‌ମାଳା ଥାଏ ଏବଂ ପିତାର ବୀଜକୋଷରେ ସେଇ ତେଇଶଟି ଜିନ୍‌ମାଳା ଥାଏ । ଅଣ୍ଡା ଓ ବୀଜକୋଷର ସମ୍ମିଳନରେ ଯେଉଁ ଭ୍ରୂଣଟି ହୁଏ, ସେଥିରେ ଛୟାଳିଶଟି ଜିନ୍‌ମାଳା ଥାଏ । ଭ୍ରୂଣର ଜିନ୍‌ପୁଞ୍ଜ ଭାବୀ ବ୍ୟକ୍ତିର ନକ୍ସା ବା ନୀଳମୁଦ୍ରଣ । ଏଇ ନୀଳମୁଦ୍ରଣରେ ଯେଉଁ ଗୁଣଗୁଡ଼ିକ ଅନ୍ତର୍ନିହିତ ଅଛି, ସେଗୁଡ଼ିକର ପରିସ୍ଫୁଟନରେ ଆମେ କହୁ ଯେ ସେ ଗୁଣଗୁଡ଼ିକ ଜିନ୍‌-ଜନିତ । ଏଇ ବୈଜ୍ଞାନିକ ଦୃଷ୍ଟିରେ ବିଚାର କଲେ, ଅଧିକାଂଶ ମାନସିକ ବ୍ୟାଧି ଜିନ୍‌ଜନିତ ନୁହେଁ । ଜିନ୍‌ଜନିତ ନହୋଇଥିଲେ ବି କୌଣସି ନିର୍ଦ୍ଦିଷ୍ଟ ମାନସିକ ବ୍ୟାଧି କୌଣସି ନିର୍ଦ୍ଦିଷ୍ଟ ବଂଶରେ ବାରମ୍ବାର ଦେଖିବାକୁ ମିଳେ । ଆମେ ଭ୍ରମରେ ସିଦ୍ଧାନ୍ତ କରୁ ଯେ,ଏଇପରି ମାନସିକ ବ୍ୟାଧିଗୁଡ଼ିକ ଜିନ୍‌-ଜନିତ । ବାସ୍ତବରେ ବ୍ୟକ୍ତି ତା'ର ଜନ୍ମପରେ ସେ ବ୍ୟାଧିକୁ ସଂଗ୍ରହ କରିଛି । ପରିବାରରେ ଜନ୍ମରୁ ସେ ତା'ର ମାନସିକ ବ୍ୟାଧିଗ୍ରସ୍ତ ପିତାମାତାଙ୍କୁ ଦେଖେ । ସେମାନଙ୍କର ଆଚାର ବ୍ୟବହାର ତା'ର ମନରେ ଏକ ଅଲିଭା ଛାପ ପକାଇ ଦିଏ । ଫଳରେ ସେ ବି ସେଇ ମାନସିକ ବ୍ୟାଧି କବଳରୁ ରକ୍ଷା ପାଇପାରେନା ।

 

କେତେକ ମାନସିକ ବ୍ୟାଧି ଜିନ୍‌ଜନିତବୋଲି ବୈଜ୍ଞାନିକମାନେ ନିଶ୍ଚିତ ଭାବରେ ଜାଣିପାରିଛନ୍ତି । ଖାଦ୍ୟସାର ବିପାକ (Metabolism)ରେ ବିଶୃଙ୍ଖଳା ଘଟିଲେ ବହୁବିଧ ମାନସିକ ନିଦାନ ପରିଲକ୍ଷିତ ହୁଏ । ଏହି ନିଦାନଗୁଡ଼ିକର କାରଣ ଜାଣିବାପାଇଁ ଜୀବ-ରସାୟନବିତ୍‌ମାନେ ଗବେଷଣା କରି ଆସୁଛନ୍ତି । ଜଣାଯାଇଛି ଯେ, କେତେଗୁଡ଼ିଏ ଅବସ୍ଥାରେ ଶିଶୁର ମାନସିକ ବିକାଶ ବାଧାପ୍ରାପ୍ତ ହୁଏ । ଲିପଏଡୋସିସ (Lipoidoses) ଅନ୍ୟତମ ବିପାକ-ବିକାର ରୋଗ । ଏହି ରୋଗରେ ତୈଳସାରର ବିପାକରେ ବିକୃତି ଆସେ । ମସ୍ତିଷ୍କର ସ୍ନାୟବିକ ତନ୍ତୁରେ ପରିବର୍ତ୍ତନ ଘଟେ । ଫଳରେ ଶିଶୁର ମାନସିକ ବିକାଶ ହୋଇପାରେନା । ଏହି ରୋଗ ପିତାମାତାଙ୍କଠାରୁ ସନ୍ତାନ ପାଖକୁ ଜିନ୍ ଯୋଗେ ବାହିତ ହୁଏ । ଉଭୟ ପିତାମାତାଙ୍କଠାରୁ ଗୋଟିଏ ଲେଖାଏଁ ସଂପୃକ୍ତ ଗୌଣ ଜିନ୍ ଥାଏ । ସନ୍ତାନଠାରେ ରୋଗର ଦୁଇଟିଯାକ ଗୌଣ ଜିନ୍ ମିଳିଗଲେ ରୋଗର ଲକ୍ଷଣ ଦେଖାଯାଏ । ଏମିନୋ ଅମ-ମୂତ୍ର (Aminoaciduria) ପୃଷ୍ଟିସାର ବିପାକବିକାର ଯୋଗୁ ଘଟିଥାଏ । ଏହା ଏକ ସମଷ୍ଟି ନାମ । ଏହି ସମଷ୍ଟିରେ ଛଅଗୋଟି ରୋଗ ଅନ୍ତର୍ଭୁକ୍ତ । ରୋଗ ଗୌଣ ଜିନ୍‌ଜନିତ ଏବଂ ଏ ଜିନ୍ ସ୍ୱୟଂ ଜିନ୍‌ମାଳାରେ ଅବସ୍ଥିତ । କେତେକ ଏମିନୋ ଅମ୍ଳର ବିପାକ ପୂର୍ଣ୍ଣ ଭାବରେ ହୋଇପାରେ ନାହିଁ । ଅର୍ଦ୍ଧବିପକ୍ୱ ରସାୟନିକ ରକ୍ତରେ ଜମା ହୁଏ ଏବଂ ମୂତ୍ରରେ ନିଷ୍କାସିତ ହୁଏ । ଏଇ ରସାୟନିକଗୁଡ଼ିକ ମସ୍ତିଷ୍କର ସ୍ନାୟବିକ ତନ୍ତୁପାଇଁ ବିଷଭାବରେ କାମ କରେ । ଫଳରେ ଶିଶୁର ମାନସିକ ବିକାଶ ବାଧାପ୍ରାପ୍ତ ହୁଏ ।

 

ଗାଲାକ୍ଟୋସିମିଆ (Galactosemia) ଶର୍କରା ବିପାକବିକାର ଯୋଗୁ ଅନ୍ୟ ଏକ ରୋଗ । ଗାଲାକ୍ଟୋଜ୍ ଦୁଧର ଲାକ୍‌ଟୋଜରେ ଥାଏ । ଗଲାକ୍ଟୋସନିଆ ବ୍ୟାଧିଗ୍ରସ୍ତ ଶିଶୁ ଦୁଧ ପିଇଲେ ଗାଲାକ୍ଟୋଜ୍ ଶର୍କରାକୁ ପୂର୍ଣ୍ଣ ବିପାକ କରିପାରେନା । ଅର୍ଦ୍ଧବିପକ୍ୱ ରାସାୟନିକ ରକ୍ତରେ ଜମା ହୋଇଯାଏ ଏବଂ ମସ୍ତିଷ୍କର ସ୍ନାୟବିକ ତନ୍ତୁର କ୍ଷତିସାଧନ କରେ । ଫଳରେ ଶିଶୁର ମାନସକ ବିକାଶ ବାଧାପ୍ରାପ୍ତ ହୁଏ । ଏ ରୋଗ ସ୍ୱୟଂ ଜିନ୍‌ମାଳାରେ ଅବସ୍ଥିତ ଏକ ଗୌଣଜିନ୍ଦ୍ୱାରା ବାହିତ ହୋଇଥାଏ । ମଙ୍ଗୋଲିଜିମ୍ (Mongolism) ଅନ୍ୟ ଏକ ଜିନ୍‌ଜନିତ ମାନସିକ ବ୍ୟାଧି । ଏହି ରୋଗରେ ପୀଡ଼ିତ ଶିଶୁମାନେ ବାମନ ଓ ନିର୍ବୋଧ ହୋଇଥାଆନ୍ତି । ସାଧାରଣ ଲୋକର ଶରୀର କୋଷରେ ୪୬ଟି ଜିନ୍‌ମାଳା ଥାଏ; କିନ୍ତୁ ଜଣେ ମଙ୍ଗୋଲୟଡ଼୍ ଶିଶୁର ଶରୀର କୋଷରେ ୪୭ଟି ଜିନ୍‌ମାଳା ଥାଏ । ପରିଣତ ବୟସ୍କା ମାତାମାନେ (ଚାଳିଶ ବର୍ଷ ପରେ) ସନ୍ତାନ ଜନ୍ମ କଲେ ମଙ୍ଗୋଲୟଡ଼୍ ଶିଶୁ ଜନ୍ମ ହେବାର ଆଶଙ୍କା ବେଶୀ ଥାଏ । କ୍ଲାଇନ୍‌ଫେଲ୍‌ଟରଙ୍କ ରୋଗ ପୁରୁଷମାନଙ୍କୁ ଧରିଥାଏ । ସେମାନଙ୍କ ମଧ୍ୟରୁ ଏକଚତୁର୍ଥାଂଶ ରୋଗୀଙ୍କର ମାନସିକ ବିକାର ଘଟିଥାଏ । ଏଇ ରୋଗରେ ଲିଙ୍ଗ ଜିନ୍‌ମାଳାରେ ତ୍ରୁଟି ଥାଏ । ସାଧାରଣ ପୁରୁଷଙ୍କର କେବଳ ଗୋଟିଏ ଏକ୍ସ (X) ଜିନ୍‌ମାଳା ଏବଂ ଗୋଟିଏ ୱାଇ (Y) ଜିନ୍‌ମାଳା ଥାଏ, କିନ୍ତୁ ଏଇ ରୋଗୀଙ୍କର ଗୋଟିଏ ୱାଇ ଜିନ୍‌ମାଳା ବ୍ୟତୀତ ଦୁଇ, ତିନି ବା ଚାରିଟି ଏକ୍ସ ଜିନ୍‌ମାଳା ଥାଏ । ଏ ରୋଗୀମାନେ ଡେଙ୍ଗା ଓ ପତଳା ହୋଇଥାନ୍ତି; ସେମାନଙ୍କର ଅଣ୍ଡକୋଷ ଛୋଟିଆ ହୋଇଥାଏ ଏବଂ ଛାତିରେ ନାରୀସୁଲଭ ସ୍ତନ ଦେଖାଯାଏ ।

 

ଟନରଙ୍କ ରୋଗ ସ୍ତ୍ରୀମାନଙ୍କ ଠାରେ ଦେଖାଯାଏ । ସାଧାରଣ ସ୍ତ୍ରୀମାନଙ୍କର ଶରୀର-କୋଷରେ ଦୁଇଟି ଏକ୍ସ (ଙ୍ଘ) ଜିନ୍‌ମାଳା ଥାଏ; କିନ୍ତୁ ଏଇ ରୋଗୀର କୋଷରେ କେବଳ ଗୋଟିଏ ଏକ୍ସ ଜିନ୍‌ମାଳା ଥାଏ । ଏପରି ସ୍ତ୍ରୀମାନଙ୍କର ନାରୀସୁଲଭ ଶାରୀରିକ ଲକ୍ଷଣ ନ ଥାଏ । ଏମାନଙ୍କର ଭ୍ରୂଣଗଠନ କାଳରୁ ଶାରୀରିକ ବିକୃତି ଥାଏ । ଏପରି ସ୍ତ୍ରୀମାନେ ମାନସିକ ରୋଗୀ ହୋଇଥାଆନ୍ତି । ମୂର୍ଚ୍ଛାରୋଗ (epuepsy) ଏବଂ ପାଗଳାମି (Schizophremia) ଦୁଇଟି ଗୁରୁତର ମାନସିକ ବ୍ୟାଧି । ପିତାମାତାଙ୍କଠାରୁ ସନ୍ତାନ ପାଖକୁ ଜିନ୍ ଯୋଗେ ଏ ରୋଗ ଆସିଥାଏ, କିନ୍ତୁ ଏ ଦୁଇ ରୋଗର ଜନନବିଜ୍ଞାନ ସବିଶେଷ ଜଣାପଡ଼ି ନାହିଁ । ଜିନ୍‌ଜନିତ ମାନସିକ ବ୍ୟାଧି ଆଧୁନିକ ସଭ୍ୟମାନବକୁ ଚେତାଇ ଦିଏ ଯେ, ସଭ୍ୟତା ନାମରେ ମନୁଷ୍ୟ ଅସଂଯତ ନ ହେଉ । ଆଣବିକ ବୋମା ବିସ୍ଫୋରଣ ଘଟାଇ ତା'ର ପରିପାଶ୍ୱର୍କୁ ସେ ତେଜସ୍କ୍ରିୟ ନ କରୁ ଏବଂ ତା'ର ଜିନ୍‌ପୁଞ୍ଜକୁ ବିକୃତ ନ କରୁ । ଶିଳ୍ପ-ସଭ୍ୟତା ନାମର ଦ୍ୱାହି ଦେଇ ସେ ତା'ର ପରିପାଶ୍ୱର୍କୁ ଦୂଷିତ ନ କରୁ । ବାୟୁମଣ୍ଡଳ, ଜଳ ଏବଂ ଖାଦ୍ୟରେ ଏପରି କିଛି ଦୂଷିତ ପଦାର୍ଥ ନ ରହୁ, ଯାହା ତା'ର ଜିନ୍‌ପୁଞ୍ଜକୁ ବଦଳେଇ ଦେଇପାରିବ ଏବଂ ଶେଷରେ ତାକୁ ମାନସିକ ବ୍ୟାଧିଗ୍ରସ୍ତ କରିଦେବ-। କୃଷି ଉତ୍ପାଦନରେ ଏବଂ ଭେଷଜ ବିଜ୍ଞାନରେ ଏପରି କୌଣସି ରାସାୟନିକର ଅପବ୍ୟବହାର ସେ ନ କରୁ, ଯାହା ତା'ର ଜିନ୍‌ପୁଞ୍ଜକୁ ଡାରଉଇନଙ୍କର ବିବର୍ତ୍ତନ ପରିବର୍ତ୍ତରେ ବିରୋଧୀ ବିବର୍ତ୍ତନ କରିବ ।

 

ଦ୍ୱିତୀୟ ଗୋଷ୍ଠୀର ମାନସିକ ବ୍ୟାଧିମାନେ ଅନ୍ତର ଜରାୟୁଭ୍ରୂଣର ଗଠନ କାଳରେ ପ୍ରସୂତ; ଆଦି ଭ୍ରୂଣରେ ଏମାନେ ନ ଥାନ୍ତି । ମାତୃଗର୍ଭରେ ସନ୍ତାନ ନଅ ମାସ ଦଶ ଦିନ ରହେ । ଏଇ ସମୟରେ ତା'ର ଶରୀର ଗଠିତ ହୁଏ ଏବଂ ମସ୍ତିଷ୍କ ବି ଗଠିତ ହୁଏ । ମସ୍ତିଷ୍କରେ ସ୍ୱାୟବିକ ତନ୍ତୁ ଦୁଇଟି ପର୍ଯ୍ୟାୟରେ ତିଆରି ହୁଏ । ପ୍ରଥମ ପର୍ଯ୍ୟାୟ ଗର୍ଭାଧାନର ୧୫ତମରୁ ୨୦ତମ ସପ୍ତାହ ଭିତରେ ହୋଇଥାଏ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଗର୍ଭାଧାନର ୨୫ତମ ସପ୍ତାହରେ ଆରମ୍ଭ ହୋଇ ଜନ୍ମର ଦ୍ୱିତୀୟ ବର୍ଷରେ ସମାପ୍ତ ହୁଏ । ମା'ର ଖାଦ୍ୟରେ ସୁଷମ ଖାଦ୍ୟସାରର ଆବଶ୍ୟକତା ଶିଶୁର ଶାରୀରିକ ଓ ମାନସିକ ଗଠନପାଇଁ ଅତି ଜରୁରୀ । ସୁଷମ ପୁଷ୍ଟିସାର (Protein) ର ଅଭାବରେ ଶିଶୁର ମସ୍ତିଷ୍କ ଅସମ୍ପୂର୍ଣ୍ଣ ରହିଯାଏ । ଯେଉଁ ସମାଜ ମାତୃଗର୍ଭରେ ଭ୍ରୂଣର ପୁଷ୍ଟି ପ୍ରତି ଅବହେଳା କରେ, ସେ ସମାଜର ଭବିଷ୍ୟତ ନିର୍ବୋଧ ତଥା ମାନସିକ ବ୍ୟାଧିଗ୍ରସ୍ତ ଲୋକମାନେ ନିର୍ଦ୍ଧାରଣ କରିବେ । ପୁଷ୍ଟିସାର ବ୍ୟତୀତ ଖାଦ୍ୟପ୍ରାଣ, ଖଣିଜ ଏବଂ ଅନ୍ୟାନ୍ୟ ଖାଦ୍ୟସାର ଭ୍ରୂଣ ନ ପାଇଲେ ତା'ର ଗଠନରେ ସବୁଦିନପାଇଁ ତ୍ରୁଟି ରହିଯାଏ । ଖାଦ୍ୟପ୍ରାଣ ‘ଖ' ମସ୍ତିଷ୍କ ଗଠନପାଇଁ ଅତ୍ୟନ୍ତ ଆବଶ୍ୟକ । ଭ୍ରୂଣ ଖାଦ୍ୟପ୍ରାଣ ନ ପାଇଲେ ଯେଉଁ ମସ୍ତିଷ୍କଟି ତିଆରି କରେ, ତା' ଭବିଷ୍ୟତରେ ଭଲଭାବରେ କାମ କରି ପାରିବ ନାହିଁ । ଏଇ ଭ୍ରୂଣାବସ୍ଥାରେ ମାତାର ଶରୀର ତଥା ମାନସିକ ସ୍ୱାସ୍ଥ୍ୟ ଭ୍ରୂଣର ଗଠନରେ ଅନେକ ପରିମାଣରେ ପ୍ରଭାବ ପକାଇଥାଏ । ମା'କୁ ଯଦି କିଛି ଭ୍ରୂଣାଣୁ ବା ଜୀବାଣୁଜନିତ ରୋଗ ହୁଏ, ତା' ଭ୍ରୂଣର ମସ୍ତିଷ୍କକୁ ସବୁଦିନପାଇଁ ବିକୃତ କରି ଦେଇପାରେ ।

 

ମା'ର ଖାଦ୍ୟରେ ବା ପାନୀୟରେ ଯଦି କିଛି କ୍ଷତିକାରକ ରାସାୟନିକ ଥାଏ, ତେବେ ଭ୍ରୂଣର ମସ୍ତିଷ୍କ ବ୍ୟାଧିଗ୍ରସ୍ତ ହୁଏ । ମା' ଯଦି ଏ ସମୟରେ ମଦ୍ୟପାନ କରେ, ରବିଚୁରେଟ୍ ପରି ଶୋଇବା ଔଷଧ ଅତିମାତ୍ରାରେ ଖାଏ କିମ୍ବା ଏଲ.ଏସ୍‌.ଡି. ପରି ଉଚ୍ଚାଟକ ମାଦକଦ୍ରବ୍ୟ ସେବନ କରେ ତେବେ ଭ୍ରୂଣର ମସ୍ତିଷ୍କ ସବୁଦିନ ବାଇଁ ବ୍ୟାଧିଗ୍ରସ୍ତ ହୁଏ । ମା'ର ପରିପାଶ୍ୱର୍ରେ ଅଣୁ ବିସ୍ଫୋରଣବଶତଃ ତେଜସ୍କ୍ରିୟତାର ବୃଦ୍ଧି ଘଟିଲେ ଭ୍ରୂଣର ମସ୍ତିଷ୍କ ବ୍ୟାଧିଗ୍ରସ୍ତ ହୁଏ । ଏପରିକି ମା'ର ମାନସିକ ଅବସ୍ଥା ଭ୍ରୂଣର ମସ୍ତିଷ୍କ ଗଠନକୁ ସାହାଯ୍ୟ ବା ବିକାରଗ୍ରସ୍ତ କରେ । ମା' ଯଦି ନିଶ୍ଚିନ୍ତା ଓ ପ୍ରସନ୍ନା ରହେ, ଭ୍ରୂଣର ମାନସିକ ଗଠନ ସୁଚାରୁରୂପେ ଚାଲେ । ମା' ଯଦି ଚିନ୍ତିତା, ବିଷଣ୍ଣା, ଅଶାନ୍ତ ଏବଂ ଉଦ୍‌ବିଗ୍ନା ରହେ ଭ୍ରୂଣର ମାନସିକ ଗଠନ ତ୍ରୁଟିପୂର୍ଣ୍ଣ ରହେ । ମା'ର ମସ୍ତିଷ୍କର ହାଇପୋଥାଲାମସ ରାଜଗ୍ରନ୍ଥି ପିଟୁଇଟାରିକୁ ପ୍ରଭାବିତ କରେ ଏବଂ ପିଟୁଇଟାରି ଶରୀରର ସମସ୍ତ ଅନ୍ତଃସ୍ରାବୀ ଗ୍ରନ୍ଥିଗୁଡ଼ିକୁ ନିୟନ୍ତ୍ରିତ କରେ । ଫଳରେ ମା'ର ରକ୍ତରେ ଉଦ୍ଦୀପକମାନେ ବିଭିନ୍ନ ମାତ୍ରାରେ ପ୍ରବାହିତ ହୁଅନ୍ତି ଏବଂ ସେମାନେ ଭ୍ରୂଣଗଠନକୁ ପ୍ରଭାବିତ କରନ୍ତି ।

 

ଅଧିକାଂଶ ମାନସିକ ବିକାର ପ୍ରସବୋତ୍ତର ପାରିପାର୍ଶିକ କାରଣରୁ ଜାତ ହୋଇଥାଆନ୍ତି-। ଏଗୁଡ଼ିକୁ ଦୁଇଗୋଟି ଶ୍ରେଣୀରେ ବିଭାଗ କରାଯାଇଥାଏ । ପ୍ରଥମ ଶ୍ରେଣୀଟିକୁ ମସ୍ତିଷ୍କର ରୋଗବୋଲି କୁହାଯାଇଥାଏ । ଦ୍ୱିତୀୟ ଶ୍ରେଣୀଟି ରୋଗ ନୁହେଁ, ଏହା ପ୍ରକୃତରେ ମାନସିକ ବିକାର-। ମସ୍ତିଷ୍କର ରୋଗରେ ସ୍ନାୟବିକ ତନ୍ତୁରେ କ୍ଷୟ ବା ପରିବର୍ତ୍ତନ ହୋଇଥାଏ; କିନ୍ତୁ ମାନସିକ ବିକାରରେ ସ୍ନାୟବିକ ତନ୍ତୁକୁ ବୈଜ୍ଞାନିକ ପରୀକ୍ଷା କଲେ ଅସାଧାରଣ ପରିଲକ୍ଷିତ ହୁଏନା-। ମସ୍ତିଷ୍କର ରୋଗ ବିଭିନ୍ନ କାରଣରୁ ହୋଇଥାଏ । ମସ୍ତିଷ୍କ ଉପରେ କୌଣସି ଆଘାତ ପଡ଼ିଲେ ତା' ରୋଗଗ୍ରସ୍ତ ହୁଏ । ଆଜିକାଲିର ଶିଳ୍ପ ସଭ୍ୟତାରେ ଯାନବାହାନ ଯୁଗରେ ଏବଂ ଯୁଦ୍ଧରେ ଆଘାତଜନିତ ମସ୍ତିଷ୍କବିକୃତି ବିରଳ ନୁହେଁ । କେତେକ ଭୂତାଣୁ ଓ ଜୀବାଣୁ ମସ୍ତିଷ୍କକୁ ଆକ୍ରମଣ କରନ୍ତି ଏବଂ ସ୍ନାୟବିକ ତନ୍ତୁକୁ ନଷ୍ଟ କରିଦିଅନ୍ତି । ଉପଦଂଶ (Syphilis) ଏକ ଯୌନରୋଗ, ଯାହାକି ଆଧୁନିକ ପୌର ସଭ୍ୟତାରେ ବଂଶବୃଦ୍ଧି କରୁଛି । ପୁରାତନ ଉପଦଂଶ ରୋଗ ମସ୍ତିଷ୍କର ସ୍ନାୟବିକ ତନ୍ତୁକୁ ନଷ୍ଟ କରି ଦେଇ ରୋଗୀକୁ ପାଗଳ କରିଦିଏ । ଏ ରୋଗ ସନ୍ତାନମାନଙ୍କୁ ମଧ୍ୟ ମାନସିକ ବ୍ୟାଧିଗ୍ରସ୍ତ କରେ ।

 

ପୁରାତନ ମଦ୍ୟପାନ ମସ୍ତିଷ୍କ ବିକୃତିର ଅନ୍ୟତମ କାରଣ । ଅନେକ ଦିନ ମଦ୍ୟପାନ କଲେ ମସ୍ତିଷ୍କର ସ୍ନାୟବିକ ତନ୍ତୁ ନଷ୍ଟ ହୋଇଯାଏ । କେତେକ ମଦ୍ୟପଙ୍କର ଖାଦ୍ୟପ୍ରାଣ ଖ-୧ (thiamine) ଓ ନାୟାସିନ୍ (niacin) ଅଭାବ ଘଟେ । ମଦ୍ୟପାନବଶତଃ ଏଇ ଖାଦ୍ୟପ୍ରାଣଗୁଡ଼ିକର ଅଭାବ ହେଲେ ମସ୍ତିଷ୍କ ବିକୃତି ଘଟେ । ଆଧୁନିକ ଜଟିଳ ସଭ୍ୟତାରେ କେତେକ ତଥାକଥିତ ‘ସଭ୍ୟ' ଲୋକ ଏଲ୍‌.ଏସ୍‌.ଡି, ବା ବିଚୀରେଟ୍ ଏବଂ ନିଶ୍ଚିନ୍ତ ବଟିକା ସେବନ କରନ୍ତି । ସେମାନେ ଜଟିଳତା ସୃଷ୍ଟି କରନ୍ତି ଏବଂ ଜଟିଳତାକୁ ଅପସାରଣ କରିବାପାଇଁ ବଟିକା ବ୍ୟବହାର କରନ୍ତି । ଏପରି ବଟିକା ମସ୍ତିଷ୍କକୁ ରୋଗଗ୍ରସ୍ତ କରିଦିଏ । କେତେକ କ୍ଷେତ୍ରରେ କେତେକ ବିଷ ମସ୍ତିଷ୍କ ବିକୃତି ଘଟାଇଥାଏ । ଚିକିତ୍ସା କଲାବେଳେ ଭୁଲ୍‌ରେ ଔଷଧ ମାତ୍ରା ଅଧିକ ହୋଇଗଲେ, ଆତ୍ମହତ୍ୟାପାଇଁ ବିଷ ଭକ୍ଷଣ କଲେ କିମ୍ବା ଦୁର୍ଘଟଣାବଶତଃ କାରଖାନାରେ ବିଷାକ୍ତ ଗ୍ୟାସ୍ ପ୍ରଶ୍ୱାସରେ ନେଲେ ମସ୍ତିଷ୍କର ସ୍ନାୟବିକ ତନ୍ତୁ ନଷ୍ଟ ହୋଇଯାଏ ।

 

ବୃଦ୍ଧାବସ୍ଥାରେ, ଅର୍ଥାତ୍ ୫୦ରୁ ୬୫ବର୍ଷ ଭିତରେ କେତେକଙ୍କର ମସ୍ତିଷ୍କର ଧମନୀରେ ବ୍ୟାସ ହ୍ରାସ ଘଟେ । କୋଲେଷ୍ଟେରଲ ଜମା ହୋଇଗଲେ ଏପରି ଘଟିଥାଏ । ମସ୍ତିଷ୍କର ସ୍ନାୟୁ ଯଥେଷ୍ଟ ରକ୍ତ ପାଏ ନାହିଁ ଏବଂ ଖାଦ୍ୟାଭାବରୁ ମୃତ ହୋଇଯାଏ । ଫଳରେ ଲୋକର ମସ୍ତିଷ୍କ ବିକୃତି ଘଟେ । ବୃଦ୍ଧ ବୟସରେ କେତେକଙ୍କର କ୍ଷୟଜନିତ ମସ୍ତିଷ୍କ ବିକୃତି (senile psychosis) ଘଟିଥାଏ । ପରିବର୍ତ୍ତିତ ପରିସ୍ଥିତି ସ୍ନାୟୁକ୍ଷୟକୁ ଆହୁରି ଭାରାକ୍ରାନ୍ତ କରେ । କେତେକ ବୃଦ୍ଧବୃଦ୍ଧା ସନ୍ତାନଙ୍କଠାରୁ ଉପଯୁକ୍ତ ରକ୍ଷଣାବେକ୍ଷଣ ନ ପାଇ ନିଃସହାୟ ମନେକରନ୍ତି । ଆଉ କେତେକ ଅବସରପ୍ରାପ୍ତ ହୋଇ ପୂର୍ବ ଆଧିପତ୍ୟ, ଶକ୍ତି ଓ ଗୌରବକୁ ହରାଇବାକୁ ସ୍ୱୀକାର କରନ୍ତି ନାହିଁ । କେତେକ କ୍ଷୟପ୍ରାପ୍ତ ଯୌବନକୁ ବିଦାୟ ଦେବାକୁ ପ୍ରସ୍ତୁତ ନୁହନ୍ତି ଏବଂ ନିଶ୍ଚିତ ତଥା ଆସନ୍ନ ମୃତ୍ୟୁ କଥା ଭାବି ସଦା ଉଦ୍‌ବିଗ୍ନ ହୁଅନ୍ତି । କେତେକଙ୍କ ଆୟର ସମାପ୍ତି ଘଟିଥିଲେ ସୁଦ୍ଧା ସନ୍ତାନମାନେ ନିର୍ଭରଶୀଳ ଥାଆନ୍ତି । ଏ ସମସ୍ତ ପ୍ରତିକୂଳ ପରିପ୍ରେକ୍ଷୀ ସ୍ନାୟବିକ କ୍ଷୟ ପ୍ରତି ‘ବୋଝ ଉପରେ ନଳିତାବିଡ଼ା' ପରି କାମ କରେ । ପରିଣାମରେ ମସ୍ତିଷ୍କ ବିକୃତି ଘଟେ । ମୂର୍ଚ୍ଛା (epylepsy) ମସ୍ତିଷ୍କର ସ୍ନାୟବିକ ତନ୍ତୁର ଏକ ରୋଗ । ଏହାର ନିର୍ଦ୍ଦିଷ୍ଟ କାରଣ ଜଣାଯାଇ ନାହିଁ-

 

ମସ୍ତିଷ୍କରେ କର୍କଟ ରୋଗ ମସ୍ତିଷ୍କ ବିକୃତିର ଅନ୍ୟ ଏକ ବଡ଼ କାରଣ । ଖାଦ୍ୟପ୍ରାଣ ‘ଖ'ର ଅଭାବରେ ସ୍ନାୟବିକ ତନ୍ତୁରେ ରୋଗ ଜାତ ହୁଏ । ଖ-୧୨ର ଅଭାବରେ ‘ମାରାତ୍ମକ ରକ୍ତହୀନତା' (pernicious anaemsa) ରୋଗ ଦେଖାଯାଏ । ଏହି ରୋଗରେ ମସ୍ତିଷ୍କର ବିକୃତି ଏକ ପ୍ରଧାନ ଲକ୍ଷଣ । ଖାଦ୍ୟପ୍ରାଣ ଖ-୧, ନାୟାସିନ୍ ଏବଂ ଅନ୍ୟାନ୍ୟ ଖ'ର ଅଭାବରେ ମସ୍ତିଷ୍କ ବିକୃତି ଲକ୍ଷଣମାନ ଦେଖିବାକୁ ମିଳେ ।

 

ମାନସିକ କାରଣରୁ ଯେଉଁ ବିକୃତି ଘଟେ, ସେଗୁଡ଼ିକୁ ଚାରି ଭାଗରେ ବିଭକ୍ତ କରାଯାଇପାରେ, ଯଥା:-(୧) ମାନସିକ ବିକୃତି (Psychotic disorders) (୨) ମନସଶାରୀରିକ ବିକୃତି (Psychosomatic disorders) (୩) ମନସ୍‌ସ୍ନାୟବିକ ବିକୃତି (Psychoneurotic disorders) ଏବଂ (୪) ବ୍ୟକ୍ତିତ୍ୱ ବିକୃତି (personality disorders)

 

ମାନସିକ ବିକୃତି (Psychotic disorders)ରେ ଚାରି ପ୍ରକାରର ବ୍ୟାଧି ଦେଖାଯାଏ । ଯୌବନ ଓ ଜରାର ମଧ୍ୟବର୍ତ୍ତୀ କାଳରେ କେତେକ ସ୍ତ୍ରୀ ଓ ପୁରୁଷଙ୍କୁ ମାନସିକ ବ୍ୟାଧି ଆକ୍ରମଣ କରେ । ସାଧାରଣତଃ ସ୍ତ୍ରୀମାନେ ୪୫ରୁ ୫୦ବର୍ଷ ଭିତରେ ଏବଂ ପୁରୁଷମାନେ ୫୫ରୁ ୬୦ବର୍ଷ ଭିତରେ ବ୍ୟାଧିରେ ପୀଡ଼ିତ ହୋଇ ପାରନ୍ତି । ମୁଖ୍ୟତଃ ଯୌନ ଉଦ୍ଦୀପକ ନିଃସରଣର ପରିବର୍ତ୍ତନ ଯୋଗୁଁ ଏ ବ୍ୟାଧି ଦେଖାଯାଇଥାଏ । ଯୌବନ ଚାଲିଗଲା ଏବଂ ରୂପ ବଦଳିଗଲା, ଏ ଭାବନାର ମନସ୍ତାତ୍ତ୍ୱିକ କୁପ୍ରଭାବ ଉଦ୍ଦୀପକ ଅସମତାକୁ ସାହାଯ୍ୟ କରେ । କେତେକ ସଦା ନିସ୍ତେଜ ଓ ବିଷର୍ଣ୍ଣ ରହନ୍ତି ଏବଂ ଆଉ କେତେକ ବିରକ୍ତି ପ୍ରକାଶ କରନ୍ତି ଏବଂ କେବେ କେବେ ପ୍ରଳାପ କରନ୍ତି । ଦ୍ୱିତୀୟ ପ୍ରକାର ମାନସିକ ବିକୃତି କେତେବେଳେ ଉତ୍ତେଜନା ଏବଂ କେତେବେଳେ ନିସ୍ତେଜନାର ଆକାର ଧାରଣ କରେ । ତୃତୀୟ ପ୍ରକାର ମାନସିକ ବିକୃତିକୁ ପାଗଳାମି (sehizophremia) କହନ୍ତି । ଏହା ଏକ ପ୍ରଧାନ ମାନସିକ ବ୍ୟାଧି । ଏହି ବ୍ୟାଧିର କାରଣ ଅନେକ ହୋଇପାରେ । ଏକ ବା ଏକାଧିକ ଜିନ୍ ଏ ରୋଗର ଉତ୍ପତ୍ତିରେ ସହାୟକ ହୋଇପାରନ୍ତି । ଦୁଗ୍‌ଧପୋଷ୍ୟ ବୟସରେ ମାତା ଓ ଶିଶୁର ସମ୍ପର୍କ, ପରବର୍ତ୍ତୀ ଶୈଶବ ଅବସ୍ଥାରେ ପାରିବାରିକ ସମ୍ବନ୍ଧ, ଶୈଶବ ଓ କୈଶୋରରେ ମାନସିକ ଅଭିବୃଦ୍ଧିରେ ପାରିପାଶ୍ୱର୍ର ପ୍ରଭାବ, ସାମାଜିକ ପରିପାଶ୍ୱର୍ ଏବଂ ମାନସିକ ବିକାଶରେ ପ୍ରଚାର ଓ ଅନୁଚାପର ଭୂମିକା ଏ ବ୍ୟାଧିର ଉତ୍ପତ୍ତିରେ ଭାଗ ନେଉଥାଆନ୍ତି । ୧୦ବର୍ଷଠାରୁ ୩୫ବର୍ଷ ବୟସ ଭିତରେ ଏ ବ୍ୟାଧି ପ୍ରଥମେ ଦେଖାଯାଇଥାଏ । ଚତୁର୍ଥ ପ୍ରକାର ମାନସିକ ବିକୃତିକୁ ‘ବିକୃତ ଚିନ୍ତା' (parnoia) କହନ୍ତି । ଏହା ଏକ ପୁରାତନ ମାନସିକ ବିକୃତି ଅବସ୍ଥା । ଏଥିରେ ବ୍ୟାଧିଗ୍ରସ୍ତ ବ୍ୟକ୍ତି ଅସ୍ୱାଭାବିକ କାର୍ଯ୍ୟ କରେ ଏବଂ ଅପ୍ରାସଙ୍ଗିକ ଭାବନାଭାବେ, ତଥାପି ତା'ର କାର୍ଯ୍ୟ ବା ଭାବନାକୁ ଠିକ୍‍ ବୋଲି ସେ ଯୁକ୍ତି ସାହାଯ୍ୟରେ ପ୍ରମାଣ କରିବାକୁ ଚେଷ୍ଟା କରେ ।

 

ମନସଶାରୀରିକ ବିକୃତି ମନରେ ଜନ୍ମ ପାଇଥାଏ, କିନ୍ତୁ ଶରୀରରେ ଲକ୍ଷଣ ଦେଖାଏ । ଏପରି ଲୋକଙ୍କୁ ମାନସିକ ବ୍ୟାଧିଗ୍ରସ୍ତବୋଲି କେହି କହନ୍ତି ନାହିଁ, ଯଦିଓ ପ୍ରକୃତରେ ସେମାନଙ୍କର ବ୍ୟାଧି ମନରେ ଲୁକ୍‌କାୟିତ ଥାଏ । ଛାତି ଧଡ଼କିବା, ହୃତ୍‌ସ୍ପନ୍ଦନ ଅନୁଭବ କରିବା, କରୋନାରି ଧମନୀରେ ଅବରୋଧ ହୃତ୍‌କ୍ରିୟାର ଶିଥିଳତା ଯୋଗୁଁ ଲଘୁ ରକ୍ତଚାପ, ଧମନୀର ସଙ୍କୋଚନ ହେତୁ ଗୁରୁ ରକ୍ତଚାପ ଇତ୍ୟାଦି ରୋଗର କାରଣ ମାନସିକ ହୋଇପାରେ । ଉଦର ଘା', ବୃହଦନ୍ତ୍ରରେ ପ୍ରବାହ ହେତୁ ମଳରେ ନାଳ ପଡ଼ିବା ଓ ବୃହଦନ୍ତ୍ରରେ ଘା'ର ଉତ୍ପତ୍ତି ମନରେ ହୋଇପାରେ । ମାନସିକ ଚିନ୍ତା ଓ ବ୍ୟାକୁଳତା ଯୋଗୁଁ ଅନ୍ତଃସ୍ରାବୀ ଗ୍ରନ୍ଥିମାନଙ୍କରୁ ଉଦ୍ଦୀପକ ନିଃସରଣରେ ଅସମତା ଆସିପାରେ । ଶ୍ୱାସକ୍ରିୟାରେ ପ୍ରଖରତା ବା ଶିଥିଳତା ଏବଂ ଶ୍ୱାସରୋଗ (asthma) ର ଉତ୍ପତ୍ତି ସ୍ଥଳ ମନରେ ଥାଇପାରେ । ବିଇଞ୍ଚି (eczema) ପରି ଅନେକ ଚର୍ମରୋଗ ମନରେ ନ କାନ୍ଦି ଚର୍ମରେ କାନ୍ଦନ୍ତି । ମାନସିକ କାରଣବଶତଃ କେତେକ ପୁରୁଷ ନପୁଂସକ ହୋଇ ଥାଆନ୍ତି ଏବଂ କେତେକ ସ୍ତ୍ରୀ କାକବନ୍ଧ୍ୟା, ବନ୍ଧ୍ୟା, ରଜହୀନତା, ରଜସ୍ରାବ, ଅନିୟମିତ ଋତୁ ତଥା ପ୍ରଦର ଆଦି ରୋଗ ଭୋଗିଥାଆନ୍ତି ।

 

ମନସ୍‌ସ୍ନାୟବିକ ବିକୃତି ବ୍ୟାକୁଳତା ହେତୁ ଘଟିଥାଏ । ଛଅ ପ୍ରକାର ସ୍ନାୟବିକ ବିକୃତି ଦେଖିବାକୁ ମିଳେ । କେତେକ ଲୋକଙ୍କଠାରେ କେବଳ ବ୍ୟାକୁଳତାର ବାହ୍ୟ ଲକ୍ଷଣ ଦେଖାଯାଏ । ଅନ୍ୟ କେତେକଙ୍କର ପ୍ରତିକ୍ରିୟାରେ ସହଯୋଗ ଏବଂ ସମନ୍ୱୟ ନ ଥାଏ । କେତେକଙ୍କର ରୋଗକୁ ‘ପରିଣତ ହିଷ୍ଟିରିଆ' (Conversion hysteria) ବୋଲି କୁହାଯାଏ । ପ୍ରକୃତରେ ପୀଡ଼ା ନ ଥିଲେ ସେମାନେ କୌଣସି ଅଙ୍ଗରେ ପୀଡ଼ା ଅନୁଭବ କରନ୍ତି, କୌଣସି ସ୍ନାୟୁରେ କ୍ରିୟାହୀନତା ବା କ୍ରିୟାତତ୍ପରତା ଆସିଯାଇ ପାରେ; ସ୍ନାୟୁରେ ନିଦାନ ନ ଥିଲେ ବି ପକ୍ଷାଘାତରେ ସେମାନେ ପୀଡ଼ିତ ହେବାର ଦେଖାଯାଏ । ବାସ୍ତବରେ ମାନସିକ ବ୍ୟାକୁଳତା ଶାରୀରିକ ରୋଗରେ ‘ପରିଣତ' ହୁଏ । କେତେକ ରୋଗୀ ଭୟାଳୁ ଲକ୍ଷଣ ଦେଖାନ୍ତି । ବିନା ଆପତତଃ କାରଣରେ ସେମାନେ କୌଣସି ବସ୍ତୁ ବା ଭାବନାକୁ ଭୟ କରନ୍ତି ଏବଂ ସେଇ ଭୟସ୍ଥଳରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତି । କେତେକ କିଛି ଅବାଞ୍ଛିତ କାର୍ଯ୍ୟ ବାରମ୍ବାର କରିବାକୁ ବାଧ୍ୟ ହୁଅନ୍ତି । କେହି ସବୁବେଳେ ହାତ ଧୋଉଥାଏ ବା ମେଜିଆ ଧୋଉଥାଏ, ଅନ୍ୟ କେହି ନଖ କାମୁଡ଼ୁଥାଏ । ସେ ଜାଣେ ଯେ ତା'ର ଏପରି କରିବା ଭଲ ନୁହେଁ, ତଥାପି ସେ ବାଧ୍ୟ ହୋଇ କରୁଥାଏ । କେତେକ ରୋଗୀ ନିସ୍ତେଜ ଓ ବିଷଣ୍ଣ ହୋଇ ରହନ୍ତି । ଏପରି ନାନାବିଧ ଲକ୍ଷଣର କାରଣ ମାନସିକ ହୋଇଥାଏ ।

 

ବ୍ୟକ୍ତିତ୍ୱ ବିକୃତ, ବ୍ୟକ୍ତିତ୍ୱ ଗଠନରେ ତ୍ରୁଟି ଯୋଗୁଁ ହୋଇଥାଏ । ଏମାନଙ୍କ ଭିତରୁ କେତେକଙ୍କ ଯୌନବ୍ୟବହାରରେ ବ୍ୟତିକ୍ରମ ଦେଖାଯାଏ । ଅନ୍ୟ କେତେକ ଅସାମାଜିକ ଏବଂ ସମାଜବିରୋଧୀ ଭାବରେ ଗଢ଼ି ହୋଇଥାଆନ୍ତି । ସମଲିଙ୍ଗଯୌନ ଚରିତାର୍ଥ, ବାଳଯୌନତୃପ୍ତ, ସ୍ତ୍ରୀମାନଙ୍କର ଭୂଷଣ, କେଶ, ବ୍ଲାଉଜ୍ ଇତ୍ୟାଦିକୁ ବ୍ୟବହାର କରିବାକୁ ପୁରୁଷର ଭଲ ପାଇବା, ବିପରୀତ ଲିଙ୍ଗର ପୋଷାକ ପରିଧାନ କରିବା ଏବଂ ବିପରୀତ ଲିଙ୍ଗର ବ୍ୟକ୍ତିକୁ ନିଜର ଯୌନେନ୍ଦ୍ରିୟ ପ୍ରଦର୍ଶନ କରିବା ଇତ୍ୟାଦି ଲକ୍ଷଣମାନ ବ୍ୟକ୍ତିତ୍ୱ ବିକୃତ ବ୍ୟକ୍ତିଙ୍କ ଠାରେ ଦେଖିବାକୁ ମିଳେ । ଅନେକ ବ୍ୟକ୍ତିତ୍ୱ ବିକୃତ ବ୍ୟକ୍ତି ସମାଜବିରୋଧୀ କାର୍ଯ୍ୟରେ ସଦା ଲିପ୍ତ ଥାଆନ୍ତି । ସମାଜକୁ ଭାଙ୍ଗି ଦେବାରେ, ସଭ୍ୟତାକୁ ଧ୍ୱଂସ କରି ଦେବାରେ ଏବଂ ଯେକୌଣସି ଉପାୟରେ ଅନ୍ୟମାନଙ୍କର କ୍ଷତିସାଧନ କରିବାରେ ଏମାନେ ଆନନ୍ଦ ପାଆନ୍ତି । ଅସାମାଜିକ ବ୍ୟକ୍ତିତ୍ୱ ଏବଂ ସମାଜବିରୋଧୀ ବ୍ୟକ୍ତିତ୍ୱ ମାନସିକ ବ୍ୟାଧିର ଲକ୍ଷଣ ।

 

ତଥାକଥିତ ‘ସଭ୍ୟ' ସମାଜରେ ଅନେକ ଲୋକ ମାନସିକ ବ୍ୟାଧିଗ୍ରସ୍ତ । ଏହାର କାରଣ, ଅନେକ ଶିଶୁକୁ ପାଳନ କରିବାରେ ଏବଂ ତା'ର ମାନସିକ ବିକାଶରେ ପିତାମାତାଙ୍କର, ବିଶେଷତଃ ମାତାଙ୍କର, ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି, ତା'ସୁସମ୍ପାଦିତ ହୋଇ ପାରୁନାହିଁ । ସଭ୍ୟ ସମାଜରେ ଚାକିରି କରୁଥିବା ମାତା ଶିଶୁ ପ୍ରତି ଯଥେଷ୍ଟ ଧ୍ୟାନ ଦେଇ ପାରୁନାହିଁ । ପିତାର ସମୟ ପୁଣି ଆହୁରି କମ୍ । ସମାଜର ଉପର ସ୍ତରରେ ଅନେକ ବିଶ୍ୱବିଦ୍ୟାଳୟର ଉଚ୍ଚପଦବୀଧାରୀ ଅଶିକ୍ଷିତ ତଥା ସଂସ୍କୃତ ପିତାମାତା ଜୀବନର ମୂଲ୍ୟାୟନ କରି ପାରନ୍ତି ନାହିଁ ଏବଂ ଆଭିଜାତ୍ୟର ନିଶାରେ ସନ୍ତାନର ମନକୁ ବିକାରଗ୍ରସ୍ତ କରି ଦିଅନ୍ତି । ସଭ୍ୟତାର ନାଁରେ ମଦ୍ୟପାନ କରି ଯୌନ ବ୍ୟଭିଚାର କରି ଏବଂ ଶିଶୁ ସମ୍ମୁଖରେ ଯୌନ ପ୍ରଦର୍ଶନ କରି କେତେକ ପରିବାର ଶିଶୁର ମାନସିକ ଗଠନରେ ବ୍ୟାଧିବୀଜ ରୋପଣ କରନ୍ତି । ଯେଉଁ ସମାଜ ଯେତେ ସଭ୍ୟ, ସେଥିରେ ସେତେ ଅଧିକ ‘ଭଗ୍ନ ଗୃହ' । ବାପ ମା'କୁ ଛାଡ଼ପତ୍ର ଦେଉଛି ତ ମା' ବାପକୁ ଛାଡ଼ପତ୍ର ଦେଉଛି । ଏପରି ଅବହେଳିତ ଶିଶୁର ମାନସିକ ଅଭିବୃଦ୍ଧି ଘଟିବ କିପରି ? ସଭ୍ୟ ସମାଜରେ ଅବୈଧାନିକ ସନ୍ତାନ ଜନ୍ମ ବିରଳ ନୁହେଁ । ପିତାମାତାଙ୍କର କେବେ ପରିଚୟ ନ ପାଇଥିବା ପରିତ୍ୟକ୍ତ ଶିଶୁ ବଡ଼ ହେଲେ ସମାଜବିରୋଧୀ ବ୍ୟକ୍ତିତ୍ୱ-ବିକୃତ ବ୍ୟକ୍ତି ନ ହୋଇ କ'ଣ ହେବ ?

 

ନୈତିକତା ଅସଭ୍ୟତାର ଅନ୍ୟ ଏକ ନାମ ମାତ୍ର ହେଲାଣି । ସଭ୍ୟତାର ପରିବେଶରେ ଶିଶୁ ଯଦି ବାପମା'ଙ୍କୁ ଚୋରି କରିବାରେ, ଲାଞ୍ଚ ନେବାରେ, ମିଛ କହିବାରେ, ପରପ୍ରେମ କରିବାରେ, ଉତ୍ତ୍ୟକ୍ତ ହେବାରେ, ହିଂସାକାଣ୍ଡରେ, ଅନ୍ୟକୁ ଦୁଃଖ ଦେଇ ଆନନ୍ଦ ପାଇବାରେ ଏବଂ ନାନାବିଧ ଅନୈତିକ କାର୍ଯ୍ୟ କରିବାରେ ଲିପ୍ତ ରହିବାର ଦେଖେ ତେବେ ତା'ର କୋମଳ ମନର ପ୍ରଚ୍ଛଦପଟ୍ଟରେ କିପରି ଚିତ୍ରାଙ୍କନ ହେବ ? ଶିକ୍ଷାୟତ ମାନଙ୍କରେ ଅନେକ ଛାତ୍ରୀଛାତ୍ର ଚରିତ୍ର ଗଠନ କରିବା ପରିବର୍ତ୍ତେ ମାନସିକ ବ୍ୟାଧିଗ୍ରସ୍ତ ହେଉଛନ୍ତି । ସେମାନଙ୍କର ଶିକ୍ଷକମାନେ ‘ଗୁରୁ' ନୁହନ୍ତି, ‘ଲଘୁ' । ଗୁରୁ ଜ୍ଞାନରେ ଭାରୀ, ଗୁଣରେ ଭାରୀ ଏବଂ ଜନ୍ତୁକୁ ମନୁଷ୍ୟ କରିବାର ଦାୟିତ୍ୱ ଯୋଗୁ ଭାରୀ । ଏପରି ଗୁରୁଙ୍କ ସଂଖ୍ୟା ଆଜି ବେଶି ନୁହେଁ । ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରମାନେ ଆଜି ‘ଆଚାର୍ଯ୍ୟ' ପାଉ ନାହାନ୍ତି । ଆଚାର୍ଯ୍ୟ ଆଚରଣସିଦ୍ଧ । ସେ ଯାହା କହେ, ତାହା ହିଁ ଆଚରଣ କରେ-। ଏପରି ଆଚାର୍ଯ୍ୟଙ୍କ ସଂଖ୍ୟା ଆଜି ବେଶି ନୁହେଁ । ଆଜି ସମାଜରେ ଉଚ୍ଚକୋଟୀର ରାଜନୀତିକ ସଂଖ୍ୟା ବହୁତ ଊଣା । ତଣ୍ଟିକଟା, ଚରଣଚୁଟିଆ ରାଜନୀତିରେ ଯେଉଁମାନେ ପାରଙ୍ଗମ, ଅନୀତି ଏବଂ ଦୁର୍ନୀତି ଯେଉଁମାନଙ୍କରେ ପେସା, ସେଇମାନଙ୍କର ପ୍ରଭାବ ଛାତ୍ରୀଛାତ୍ରମାନଙ୍କ ଉପରେ ଆଜି ବେଶି ।

 

ସମାଜର ଚାରିଆଡ଼େ ଉତ୍ତେଜନା, ନିଷ୍ଠୁରତା, କର୍କଶତା ଏବଂ ହିଂସା ପରିବ୍ୟାପ୍ତ । ଆଜିର ସମାଜ ବ୍ୟାଧିଗ୍ରସ୍ତ । ଏ ସମାଜର ଲକ୍ଷ୍ୟ ନାହିଁ, ଆଦର୍ଶ ନାହିଁ ଏବଂ ନୀତି ନାହିଁ । ସମାଜ ବ୍ୟକ୍ତିର କର୍ମସଂସ୍ଥାନପାଇଁ ଉପାୟ ଦେଇ ପାରୁନାହିଁ, ବ୍ୟକ୍ତିକୁ ମନୁଷ୍ୟ ଭାବରେ ବଞ୍ଚିବାକୁ ସୁଯୋଗ ଦେଉନାହିଁ ଏବଂ ସାମାଜିକ ନ୍ୟାୟ ଦେଉନାହିଁ । ବ୍ୟକ୍ତିକୁ ମାନସିକ ବ୍ୟାଧିଗ୍ରସ୍ତ କରିବାରେ ସମାଜର ଯେଉଁ ଦାୟିତ୍ୱ ଅଛି, ତାକୁ ସେ ଅସ୍ୱୀକାର କରିପାରିବ ନାହିଁ । ଆଜିର ବ୍ୟକ୍ତି ପଳାୟନପନ୍ଥୀ । ସେ ଅନ୍ଧକାରକୁ ଅଭିଶାପ ଦେବାରେ ବ୍ୟସ୍ତ, ଗୋଟାଏ ବତୀ ଲଗାଇ କ୍ଷୀଣ ଆଲୋକ ସୃଷ୍ଟି କରିବାପାଇଁ ସେ ପରାଙ୍‌ମୁଖ । ସମାଜକୁ ରୋଗଗ୍ରସ୍ତ କରିବାରେ ସେ ସ୍ୱର ଉତ୍ତୋଳନ କରେ, ରୋଗକୁ ଆରୋଗ୍ୟ କରିବାପାଇଁ ସେ ଚେଷ୍ଟିତ ନୁହେଁ । ଜୀବନର ସମସ୍ୟାକୁ ସମ୍ମୁଖୀନ କରିବାରେ ସେ କା'ପୁରୁଷ । ସେ ତା'ର ଅଧିକାର ବିଷୟରେ ସଚେତନ, କିନ୍ତୁ ଦାୟିତ୍ୱ ବିଷୟରେ ଅଚେତନ । ସେ ଉଚ୍ଚଭିଳାଷୀ, କିନ୍ତୁ କର୍ମକୁଣ୍ଠ । ତା'ର ପିପାସାର ଶାନ୍ତି ହୋଇ ପାରେନା, ତା'ର ଭୋଗଲିପ୍‌ସାର ସୀମା ମିଳି ପାରେନା । ସେ ସମସ୍ତଙ୍କୁ ଭୟ କରେ, ସେ ତା' ନିଜକୁ ଭୟ କରେ । ସେ ନିରାଶବାଦୀ, ଭଗ୍ନ ମନୋରଥ, ବିଫଳ ଏବଂ ହତାଶ । ସେ ସମତୁଲ ନୁହେଁ, ପ୍ରତିକ୍ରିୟାଶୀଳ । ପ୍ରତି ମୁହୂର୍ତ୍ତରେ ସେ ବିସ୍ଫୋରଣ କରିପାରେ । ତା'ର କୌଣସି ନିଷ୍ପତ୍ତି ନାହିଁ । ସେ ଦ୍ୱନ୍ଦ୍ୱ-କୁଜ୍‌ଝଟିକାରେ ଆବୃତ । ସେ ଭଗବାନଙ୍କୁ ବିଶ୍ୱାସ କରେନା, ନୀତିରେ ବିଶ୍ୱାସ କରେନା, ତା' ନିଜକୁ ବି ବିଶ୍ୱାସ କରେନା । ସେ ନିଃସହାୟ ମନେକରେ । ସେ ଆତ୍ମ ରକ୍ଷଣରେ ସନ୍ଦେହୀ । ତା'ର ଆତ୍ମପ୍ରତ୍ୟୟ ନାହିଁ । ସେ ଶୂନ୍ୟବାଦୀ । ତା'ର ମତରେ ଜଗତରେ ସାରସ୍ୱତବୋଲି କିଛି ନାହିଁ । ତା'ର ଚିନ୍ତନ ରାଜ୍ୟରେ ଶୂନ୍ୟତା ଥାଏ । ଏପରି ବ୍ୟକ୍ତିର ମାନସିକ ବିକାର ଘଟିବ ହିଁ ଘଟିବ । ଏ ସମସ୍ୟା ଅତି ଗୁରୁତର । ଏହାର ସମାଧାନ ଖୋଜିବା ସମାଜର ଏବଂ ପ୍ରତ୍ୟେକ ବ୍ୟକ୍ତିର କର୍ତ୍ତବ୍ୟ । ଏ ସଭ୍ୟ ଦୁନିଆଁଟା କେବଳ ଗୋଟେ ପାଗଳାଖାନା ନ ହେଉ ।

•••

 

ଆମେ ନ ହସୁଛେ କାହିଁକି

ଡକ୍ଟର କୁଳମଣି ସାମଲ

 

ପ୍ରାଣୀମାନଙ୍କ ମଧ୍ୟରେ ମଣିଷ ହସିପାରେ । ଘୋଡ଼ା ହେଁ ହେଁ ହୁଏ, କିନ୍ତୁ ସେଟା ତା'ର ହ୍ରେଷାରବ, ବିରାଡ଼ିର ଘୁଡ଼ୁଘୁଡ଼ୁ ଓ କୁକୁରର ଭୋ ଭୋ ପରି, ଏକ ପ୍ରକାର ଚିତ୍କାର । ମାଙ୍କଡ଼ ଖିଙ୍କାରି ହୁଏ, ମଣିଷ ପରି ଦିଶିଲେ ବି ହସି ପାରେନାହିଁ । ହସ ପ୍ରକୃତିର ଏକ ଅଦ୍ଭୁତ ଅବଦାନ । ଏହା ସତ୍ତ୍ୱେ ବି ମଣିଷ ମନ ଇଚ୍ଛା ହସି ପାରେନାହିଁ, ମାପି ଚୁପି ହସେ । କଥା କହିଲା ବେଳେ ହସି ପକାଇବା ଅଭଦ୍ରାମି । ଅଚିହ୍ନା ଲୋକ ଯେତେ କୌତୁକିଆ ଦିଶିଲେ ବି ହସ ଚାପି ରଖିବାକୁ ହୁଏ । ଅଥଚ ବିଲାତ ଆମେରିକାରେ ଚିହ୍ନା ଅଚିହ୍ନା ଯାହା ସଙ୍ଗେ ଭେଟ ହେଲେ ବି ଟିକେ ହାତ ଟେକି ‘ହାଏ' କହି ହସିବାକୁ ହୁଏ । ତାହା ଏକ ସାଧାରଣ ଭଦ୍ରାମି । ଯେଉଁ ଦେଶରେ ଯାହା ଚଳେ । ଏଠି ଡାକ୍ତର କହୁଛନ୍ତି- ହସ, ମନ ଖୋଲି ହସ, ଦେହକୁ ହିତ, ମନ ଠିକ୍ ରହିବ, କାମ ବାଧିବ ନାହିଁ, କ୍ଳାନ୍ତି ଆସିବ ନାହିଁ, ଗୁଡ଼ିଏ ମାଂସପେଶୀର ବ୍ୟାୟାମ ହୋଇଯିବ । କାଳେ କିଏ ନ ହସିବବୋଲି ବ୍ୟାଙ୍କ ମ୍ୟାନେଜର କାନ୍ଥରେ ଲେଖି ମାରି ଦେଇଛନ୍ତି- ଟିକିଏ ହସି କଥା କହ । ଉପଭୋକ୍ତା ବାରମ୍ବାର ବ୍ୟାଙ୍କକୁ ଆସିବେ । ବ୍ୟାଙ୍କର ପୁଞ୍ଜି ସଙ୍ଗେ ସଙ୍ଗେ ଖ୍ୟାତି ବି ବଢ଼ିବ । କର୍ମଚାରୀ ଜଣକ ହସ କ୍ଲବର ସଭ୍ୟ ହୋଇଥିଲେ ବି ଟିକିଏ ମୁରୁକି ହସିବାକୁ କୁନ୍ଥୁ କୁନ୍ଥୁ । ଆଶଙ୍କା, ଅନ୍ୟ କାଉଣ୍ଟରରୁ ଲୋକ ଛୁଟି ଆସିବେ, ସବୁ କଥା ତାଙ୍କରିଠାରୁ ବୁଝିବାକୁ । କାମ ଦିଗୁଣ ନୁହଁ, ଦଶଗୁଣ ବଢ଼ିଯିବ । ତେଣୁ ଗମ୍ଭୀର ହୋଇ ବସିଥାନ୍ତି । ସ୍ୱାସ୍ଥ୍ୟ ଠିକଣା ରଖିବାକୁ ହେଲେ ପରେ କ୍ଲବରେ ପଛେ ହସି ନେବେ ।

 

ଜଣେ ଅଭିନେତ୍ରୀ କହନ୍ତି- ‘ମଞ୍ଚ ଉପରେ ଆମେ ଯେଉଁ ହସ ହସୁ ତାହା ଡାକ୍ତରଙ୍କ ବରାଦୀ ହସ ନୁହେଁ । ତାହା ଅଭିନୟର ହସ, ଶ୍ରୋତାଙ୍କପାଇଁ ଉଦ୍ଦିଷ୍ଟ, କ୍ଷଣକେ ହସୁ, କ୍ଷଣକେ କାନ୍ଦୁ-। ଘରେ ଖାଇବାକୁ ନ ଥିଲେ, ପିଲା ରୋଗିଣା ହୋଇ ଶେଯରେ ଶୋଇଥିଲେ ବି ମଞ୍ଚରେ ଆସି ହସିବାକୁ ହୁଏ । ସେ ହସରେ କ'ଣ ମନ ସଜାଡ଼ି ହେବ ?’ ଯେଉଁ ସ୍ଥୂଳକାୟ ଲୋକଟି କଂସ ଭୂମିକାରେ ଉଠେ, ସେ ତ ଆକାଶ ଫଟାଇ ‘ହା ହା' ହୋଇ ହସେ । ହସର ବ୍ୟାୟାମ ଦିଗ କଥା ବିଚାର କଲେ ତା'ଠାରୁ କେଉଁ ହସାଳି ଅଧିକ ବ୍ୟାୟାମ କରିପାରିବ ? ତା'ର ଥରକର ହସରେ ସମୁଦାୟ ଶରୀର ଦୋହଲି ଉଠେ । ସେଭଳି ହସକୁ କୁହାଯାଏ ଅଟ୍ଟହାସ୍ୟ, ଏହା ଏକ ତାଚ୍ଛଲ୍ୟଭରା ହସ । ଏଥିରେ ଅନ୍ୟ ପ୍ରତି ଘୃଣା, ଈର୍ଷା, ପ୍ରତିଶୋଧ ନେବାର ପ୍ରବୃତ୍ତି ଓ ନିଜର ଅହମିକା ପୂରି ରହିଥାଏ । ହସର ଲହରୀ ମଧ୍ୟରେ ମନର ଗର୍ଜନ ହୁଙ୍କାର ପୁଟି ଉଠୁଥାଏ । ଯେଉଁ କନ୍ୟା କିରାଣିଟି ମାନେଜରଙ୍କ ତାଡ଼ନାରେ ମୁରୁକି ହସା ମାରୁଥାଏ, ସେ ତା'ର ବାଧ୍ୟ ସ୍ମିତହାସ ମଧ୍ୟରେ ଅନୁରୋଧ କରୁଥାଏ-ଶୀଘ୍ର କାମ ତୁଟାଇ ଯା'ନ୍ତୁ । ତାହାହେଲେ ସେ ତାଙ୍କ ମୁଖମଣ୍ଡଳରୁ କୃତ୍ରିମ ହସ ଭତ୍ତାରି ଟିକେ ନିଶ୍ଚିନ୍ତ ହେବେ । ଚିନ୍ତାଶୂନ୍ୟ ହସ ଓ ଚିନ୍ତା ସଂପୃକ୍ତ ବା ଉଦ୍ଦେଶ୍ୟପୂର୍ଣ୍ଣ ହସ ଉଭୟ ସ୍ୱାସ୍ଥ୍ୟପାଇଁ ହିତ ନୁହେଁ । ଆପଣାଛାଏଁ ଛତୁ ଫୁଟିଲା ପରି ଅଚାନକ ଯେଉଁ ହସ ଉକୁଟି ଉଠିବ, ମନ ଚହଲାଇ ଦେବ, ମନରୁ କ୍ଷଣକପାଇଁ ଦୁଶ୍ଚିନ୍ତା ଦୂରେଇ ଦେବ, ହସିଲାପରେ ମନ ଟିକେ ହାଲୁକା ହୋଇଯିବ, ସେଇ ହସ ଡାକ୍ତର ଓ ମନୋବିଜ୍ଞାନୀଙ୍କ ପ୍ରେସ୍‌କ୍ରିପ୍‌ସନ୍ ହସ ।

 

ଅନେକ ଲୋକ ନିଜ ବେଉସା ଦୃଷ୍ଟିରୁ ଜାଣି ଜାଣି ହସନ୍ତି । କେତେକ ଯୁବ ପ୍ରଶାସନିକ ଅଫିସର ତାଲିମ ପାଇଥାନ୍ତି ତଳିଆ କର୍ମଚାରୀ କିମ୍ବା ସର୍ବସାଧାରଣଙ୍କ ନିକଟରେ ହେଁ ହେଁ ଫେଁ ଫେଁ ନ ହେବାକୁ । କଡ଼ା ହାକିମବୋଲି ପ୍ରଚାର ନ ହେଲେ ଫାଇଲ ଜମା ହୋଇଯିବ, ବଡ଼ ବାବୁଠାରୁ ସାନ ବାବୁ ଯାଏ ଟହଲି ଟହଲି ଅଫିସକୁ ଆସିବେ, ଆଉ ସର୍ବସାଧାରଣ ଟିକେ ବସେଇ ଉଠେଇ ଦେବେନି । ଆଉଟ୍‌ଡୋରରେ ଡାକ୍ତର ନ ହସିବାର କାରଣ ଅଛି । ଡାକ୍ତର ରୋଗୀଙ୍କୁ ଅନେଇ ଟିକେ ହସି କିଛି ପଚାରିଲେ ରୋଗୀ ରୋଗ କଥା ନ କହୁଣୁ ତା'ର ବସ୍ ଚଢ଼ା, ବଳଦ କିଣା ଓ ଝିଅ ବାହାଘର କଥା ବଖାଣି ବସିବ । ଘରୋଇ ଡାକ୍ତରଙ୍କର ହସିବା ପ୍ରଶ୍ନ ଉଠୁନି, କାରଣ ରୋଗୀ ବିଦା ହେଲା ବେଳକୁ ରୀତିମତ ମୂଲଚାଲ କରିବ । ଏହିପରି ବ୍ୟବସାୟ ଦୃଷ୍ଟିରୁ, ଏବେ ଘରୋଇ ପାଠପଢ଼ା ବେଳେ ମଧ୍ୟ ଅଧ୍ୟାପକମାନେ ଟିକେ ହସି ପଦେ କଥା, ହେଉନାହାନ୍ତି । ଏବେ ଆମେ ବୁଝିଲେ ଯେ, ଅଙ୍ଗୀକାରବଦ୍ଧ, କର୍ତ୍ତବ୍ୟ-ପରାୟଣ, ନିଷ୍ଠାପର, ସମୟାନୁବର୍ତ୍ତୀ, ଦାୟିତ୍ୱବାନ ହସିପାରେନା, ତା' ମନ ଭାରାକ୍ରାନ୍ତ । ବ୍ୟସ୍ତତା ମଧ୍ୟରେ ସେ ବୁଡ଼ିରହେ । ଜଣେ ଜଣେ କାର୍ଯ୍ୟ ମଧ୍ୟରେ ମଜାଗପ କହି ହସୁଥାନ୍ତି । ତାହା ଏକ କଳା । ଅଭ୍ୟାସ ବଳରେ ସେମାନେ ଆୟତ୍ତ କରିଥାନ୍ତି । ନିଜେ ହସି ସହକର୍ମୀଙ୍କୁ ହସାନ୍ତି । କାମରେ ବି କିଛି ତ୍ରୁଟି ହୁଏନା । ଅଧିକା ସମୟ ଖଟିଲେ ବି କେହି କ୍ଳାନ୍ତ ବା ବିରକ୍ତ ହୁଅନ୍ତି ନାହିଁ ।

 

କିନ୍ତୁ ଯେଉଁମାନେ ପୀଡ଼ିତ, ଅଭାବଗ୍ରସ୍ତ, ବେକାର କିମ୍ବା କୌଣସି ଦୁଶ୍ଚିନ୍ତାରେ ବ୍ୟଥିତ ସେମାନେ ଆଦୌ ହସି ପାରନ୍ତି ନାହିଁ । ହସିଲେ ବି ତାହା ନିତାନ୍ତ ଶୁଷ୍କ ଓ ଅନାକର୍ଷଣୀୟ । କାହାର ବା କିଛି ଦୁଶ୍ଚିନ୍ତା ନାହିଁ ? କ'ଣ ସେ ଦୁଶ୍ଚିନ୍ତା? ଦୁଶ୍ଚିନ୍ତା ସତ୍ତ୍ୱେ ହସି ହେବକି ? କିଏ ନ ହସୁଛି ଜାଣିବାପାଇଁ ଆମେ ଏହି ଦୁଶ୍ଚିନ୍ତାର ବିଶ୍ଳେଷଣ କରିବା ।

 

ଏକ ଆନ୍ତର୍ଜାତୀୟ ସର୍ବେକ୍ଷଣରୁ ଜଣାପଡ଼ିଛି ପ୍ରାୟ ୪୦ ପ୍ରତିଶତ ସମୟ ଜଣେ ସାଧାରଣ ମଣିଷ ଯାହା ଆଦୌ ଘଟିବ ନାହିଁ ତାରି ଉପରେ ଚିନ୍ତା କରୁଥାଏ । ନିଜ ଦୁଶ୍ଚିନ୍ତାକୁ ମଧ୍ୟ ଅନ୍ୟ ଉପରେ ଲଦି ଦିଏ । ଏ ସଂସାରରେ ପ୍ରଳୟ ଘୋଟିଯିବ, ୨୨ ପାହାଚରେ ମୀନ ଖେଳିବ, ୧୨ ହାତ ଖଣ୍ଡା ବାହାରିବ, ଦର ବଢ଼ି ବଢ଼ି ଶେଷରେ ଏମିତି ହେବ ଯେ ଆମେ ଜିନିଷ କିଣି ପାରିବୁ ନାହିଁ । ଏହି ଭଳି ଅବାସ୍ତବ କଳ୍ପନା ଆମ ଦୁଶ୍ଚିନ୍ତାର ପ୍ରଧାନ କାରଣ ।

 

୩୦ ପ୍ରତିଶତ ସମୟ ଯାହା ଘଟି ସାରିଲାଣି, ତାରି ଉପରେ ଦୁଶ୍ଚିନ୍ତା । ଗତ ମହାବାତ୍ୟାରେ ଅନୁଦାନ ବାଟମାରଣା ହେଲା, ଠିକ୍ ସ୍ଥାନରେ ଠିକ୍ ଲୋକଙ୍କ ପାଖରେ, ଠିକ୍ ପରିମାଣରେ ପହଞ୍ଚିଲା ନାହିଁ । ଏହାର ତଦାରଖ କରିବାକୁ ଠିକ୍ କମିଟି ବି ଗଢ଼ା ହେଲାନାହିଁ । ଏ ଦେଶରେ ଆମେ ଚଳିବା କିପରି ? ଝିଅ ବାହାଘର ସେଠି ନ କରିଥିଲେ ହୋଇଥାନ୍ତା, ଝିଅଟା ରୋଷେଇ କରି ଅଣନିଃଶ୍ୱାସୀ ହେଲାଣି, ଶାଶୁ ମୋତେ ଶୋଷିବାକୁ ବସିଚି, ଶଶୁର ମାଦଳ, ଜ୍ୱାଇଁର ପାଟି ଫିଟାଇବାକୁ ଜୁ ନାହିଁ । ସେ ଇଞ୍ଜିନିୟରିଂ କଲେଜରେ ପୁଅ ନ ପଢ଼ିଥିଲେ ହୋଇଥାନ୍ତା, ପଲେ ଠକ ସେଠି ଏକାଠି ହୋଇ କଲେଜ ଖୋଲିଛନ୍ତି । ଏ ସଭାକୁ ନ ଆସିଥିଲେ ହୋଇଥାନ୍ତା, ମୁଖ୍ୟ ଅତିଥି ଘଣ୍ଟାଏ ବିଳମ୍ବରେ ଆସିଲେ, ମୁଖ୍ୟବକ୍ତାଙ୍କ ଏ ପ୍ରଗଳ୍‌ଭ ଭାଷଣ ଶୁଣିଲେ ମଣିଷର ମୁଣ୍ଡ ବଥେଇବ ।

 

ଶତକଡ଼ା ୧୨ ଭାଗ ହେଲା ଅନାବଶ୍ୟକ ରୋଗ ଚିନ୍ତା । ଯେଉଁ ରୋଗ ହୋଇ ନାହିଁ କାଳେ ଲୋକ ଭାବି ହେଉଥାଏ । ରୋଗ ହେଲେ, କ'ଣ ହେବ ଭାବି ହୁଏ ନାହିଁ । ବନ୍ଧୁବାନ୍ଧବଙ୍କଠାରୁ ଆଗତୁରା ପରାମର୍ଶ ଲୋଡ଼େ । ରାତିରେ ସ୍ୱପ୍ନ ଦେଖେ, ତାକୁ ରୋଗ ହୋଇଗଲାଣି । ଚିତ୍କାର କରି ଉଠେ, ସେ ଅବହେଳିତ, ଅଚିକିତ୍ସିତ, ବନ୍ଧୁବାନ୍ଧବ ଆଡ଼ ଆଖିରେ ଚାହୁଁ ନାହାନ୍ତି । ଏ ଆତଙ୍କିତ ଦୁଶ୍ଚିନ୍ତା ବିଶେଷତଃ ବିଶାରଦମାନଙ୍କ ସତର୍କତା ଅଭିଯାନରୁ ବଢ଼ିଯାଏ--ଲୋକଙ୍କ ମଙ୍ଗଳପାଇଁ ସତର୍କ କରିବାକୁ ଯାଇ ସେମାନେ ଏ ଦୁଶ୍ଚିନ୍ତା ବଢ଼ାଇ ଦିଅନ୍ତି । ସେହି ରୋଗଗୁଡ଼ିକର କେତେକ ନମୁନା ହେଲା- ଏଡ଼ସ୍‌, ଯକ୍ଷ୍ମା, ହୃଦଘାତ, କର୍କଟ, ମଧୁମେହ ଆଦି । ଆଉ କେତେକ ଦୁର୍ଘଟଣାଜନିତ । ନଗରପାଳିକା ରାସ୍ତା ଆଜି ବୁଲାକୁକୁର, ଗାଈ, ଷଣ୍ଢ ଓ ସ୍କୁଟରଚଢ଼ାଳି ବେକାର ଯୁବକଙ୍କର ଚରାଭୂଇଁ । ପାଗଳା କୁକୁର କାମୁଡ଼ି ଦେବନି ତ, ମାରଣା ଷଣ୍ଢଟା ମତୁଆଲା ହୋଇ ଟେକି କଚାଡ଼ି ଦେବନି ତ, ଅରଣା ମଇଁଷି ଭଳି ବାଁ ଡାହାଣ ନ ମାନି ମାଡ଼ି ଆସୁଥିବା ସ୍କୁଟରଚଢ଼ାଳି ମାଡ଼ି ଯିବନି ତ ? ଏମିତିକା କେତେ ଅନାବଶ୍ୟକ ଚିନ୍ତା ।

 

ଆଉ ଶତକଡ଼ା ୧୦ ଭାଗ ପୁଅଝିଅ ନାତି ନାତୁଣୀଙ୍କପାଇଁ । ଛୋଟ ପରିବାରର ପୁଅଟିଏ ବା ନାତିଟିଏ ବାଳୁଙ୍ଗା ହେଲେ କଥା ସରିଲା । ସ୍କୁଲ କଲେଜ୍‌ର ପାଠପଢ଼ା, କୋଚିଂସେଣ୍ଟର ଓ କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ରର ବିଜ୍ଞାପନ, ସାହି ବସ୍ତିର କ୍ଲବ ଓ ଆଖଡ଼ା ଘର, ଘରେ ଟିଭିର ଚବିଶିଘଣ୍ଟିଆ ମନଲୋଭା ପ୍ରୋଗ୍ରାମ ସବୁ ଯେପରି ମିଳିମିଶି ମେଳି ବାନ୍ଧିଛନ୍ତି । ଏମାନଙ୍କ କବଳରୁ ସେମାନଙ୍କୁ ରକ୍ଷା କରି ପାଠ ପଢ଼େଇଲେ ବି ନିସ୍ତାର ନାହିଁ । ସେମାନେ କୁଆଡ଼େ ବାହା ହେବେ, କେଉଁ ବିଦେଶରେ ବସା ବାନ୍ଧିବେ କିଏ କହିବ ?

 

ଅବଶିଷ୍ଟ ୮ ପ୍ରତିଶତ ହେଲା ପ୍ରକୃତ ଦୁଶ୍ଚିନ୍ତା । ଜୀବନ ସ୍ରୋତର ପ୍ରତିବନ୍ଧକ । ତା'ର ପ୍ରତିକାର ନିହାତି ଆବଶ୍ୟକ । ତା'ପାଇଁ ଭାବିଲେ କିଛି କରିହେବ, ଦୁଶ୍ଚିନ୍ତା ଦୂର ହେବ । ଯଥା : ପଦୋନ୍ନତି ହେଉନି, ପିଲାଏ ଭଲ ପଢ଼ୁ ନାହାନ୍ତି, ଚକ୍ଷୁରେ ପରଳ ମାଡ଼ିଛି, ଅର୍ଜ୍ଜନ ଅଣ୍ଟୁନାହିଁ, ସ୍ତ୍ରୀକୁ ଟାଇଫଏଡ୍ ଜର ଇତ୍ୟାଦି । ଏଥିପାଇଁ ନିଜେ ଉପାୟ ଚିନ୍ତା କରିବାକୁ ହେବ । ଉପାୟ ବି ବାହାରିବ ।

 

ଡାକ୍ତର ଆର୍ ଶିବକାମିଙ୍କ ମତରେ ଦୁଶ୍ଚିନ୍ତାର ପ୍ରଧାନ କାରଣ ହେଲା- ଅର୍ଥ, ଜୀବିକା, ଗୃହ ପରିବାର, ବନ୍ଧୁବାନ୍ଧବ ସମ୍ପର୍କ ଓ ସ୍ୱାସ୍ଥ୍ୟ । ସାଧାରଣତଃ ୨୦ରୁ ୩୦ ବର୍ଷ ବୟସରେ ଜୀବିକା ଚିନ୍ତା ଲାଗିରହେ । ୪୦ରୁ ୬୦ ବର୍ଷ ବୟସ ମଧ୍ୟରେ ସ୍ୱାସ୍ଥ୍ୟ, ବନ୍ଧୁ ଓ ପରିବାର ବର୍ଗ ସମ୍ପର୍କ ଏବଂ ଅର୍ଥାଭାବ ବ୍ୟସ୍ତ ରଖେ । ଦେଖାଯାଇଛି ଯେଉଁମାନେ ସ୍ୱଭାବତଃ ବ୍ୟଗ୍ର, ଉତ୍କଣ୍ଠିତ, କ'ଣ କ'ଣ ଭୁଲ ହେବ ଆଗତୁରା ଠଉରାଇ ପାରନ୍ତି, ବଦ୍‌ନାମକୁ ଡରନ୍ତି, ସେଇମାନେ ଦୁଶ୍ଚିନ୍ତାର ଶିକାର ହୁଅନ୍ତି । ମାନସିକ ରୋଗ ଚିକିତ୍ସକ ଡାକ୍ତର ପ୍ରସାଦ ସେଠୀଙ୍କ ମତରେ, ଦୁଶ୍ଚିନ୍ତା ପୁରାତନ ହୋଇଗଲେ ହୃଦ୍‌ଘାତ, ଉଚ୍ଚ ରକ୍ତଚାପ, ମୁଣ୍ଡବଥା, ଅଜୀର୍ଣ୍ଣ, ଅମ୍ଳ, ପାକସ୍ଥଳୀ ଘା, ଚର୍ମରୋଗ, ଆମବାତ ଓ ଶ୍ୱାସରୁ ଏକ ବା ଏକାଧିକ ଉପୁଜାଇ ଥାଏ । ଦୁଶ୍ଚିନ୍ତାର ପ୍ରତିକାର ହେଲା ପ୍ରକୃତ କାରଣ ନିର୍ଣ୍ଣୟକରି ପଦକ୍ଷେପ ନେବା । ପ୍ରତିକାର ନିଜ କ୍ଷମତାର ବାହାର ହେଲେ ତା'ପାଇଁ ଭାଳେଣି କରିବା ଅନୁଚିତ । କେତେକ ଦୁଶ୍ଚିନ୍ତା ମେଳରେ, ଅନିଶ୍ଚିତତା ମଧ୍ୟରେ ଜୀବନ ବିତାଇବାକୁ ହେବ । ଏଥିପାଇଁ ପ୍ରାର୍ଥନା ଓ ଧ୍ୟାନର ଆବଶ୍ୟକତା ପଡ଼ିପାରେ ।

 

ମନସ୍ତତ୍ତ୍ୱବିତ୍ କହନ୍ତି, ‘ଏକାକୀ ଦୁଶ୍ଚିନ୍ତା କରନ୍ତୁ ନାହିଁ, ବନ୍ଧୁଙ୍କୁ ମନ ଖୋଲି ଶୁଣାନ୍ତୁ’ । ବନ୍ଧୁ କିଛି ତ ଦେବେ, ସେତିକିରେ ମନ ହାଲୁକା ହୋଇଯିବ । ବନ୍ଧୁଙ୍କ ପରାମର୍ଶ ଅର୍ଥହୀନ ଓ ଅବାସ୍ତବ ହୋଇପାରେ । ତଥାପି ତାହା ଏକ ଭରସା । ମନେକର ବନ୍ଧୁଙ୍କୁ କହିଲେ, ‘ପୁଅ ଭଲ ପଢ଼ୁନି’ ବନ୍ଧୁଙ୍କର ସବୁ ପୁଅ ମାଙ୍କଡ଼ଚିତ୍ ମାରୁଥିଲେ ବି ସେ କହିବେ, ‘ତାଙ୍କୁ ଅମୁକ ବାବୁଙ୍କ ପାଖରେ ଛାଡ଼ିଦିଅ, ସେ ସଜାଡ଼ି ଦେବେ, କିମ୍ବା କାହିଁକି ଏତେ ଚିନ୍ତା କରୁଛ କେଉଁ ପୁଅ ସ୍ୱର୍ଗକୁ ନେବ ?’ ବନ୍ଧୁଙ୍କର ଉଭୟ ପ୍ରସ୍ତାବ ଗ୍ରହଣୀୟ ନୁହେଁ । କାରଣ କେହି କାହା ପୁଅକୁ ସଜାଡ଼େ ନାହିଁ--ବାପା ମା' ଯାହା କରନ୍ତି ‘ତାହା ହିଁ ହୁଏ । ଦ୍ୱିତୀୟଟି ହେଲା ପୁଅ ସ୍ୱର୍ଗକୁ ନ ନେଲେ ବି ଅସଜଡ଼ା ରହିଲେ ନରକ ଆଡ଼େ ମୁହାଁଇ ଦେବ । ତଥାପି ମୁଣ୍ଡରେ ଦୁଶ୍ଚିନ୍ତା ସବୁ ଭରି ସନ୍ତାପି ହୁଅନ୍ତୁ ନାହିଁ, ବିଶ୍ୱସ୍ତ ବନ୍ଧୁଙ୍କ ପାଖରେ ମନ ଖୋଲି ଦିଅନ୍ତୁ । ବନ୍ଧୁଙ୍କ ପରାମର୍ଶ ପ୍ରତିକାର ଚିନ୍ତାର ବାଟ ଫିଟାଇ ଦେବ । କେବଳ ଚିନ୍ତା ନ କରି କିଛି ପ୍ରତିକାର କରି ବସିବେ ।

 

ଅନ୍ୟଟି ହେଲା ଉପଯୁକ୍ତ ମଜାଗପ କଲେ, କିଛି ସମୟପାଇଁ ଦୁଶ୍ଚିନ୍ତାରୁ ମୁକ୍ତି ମିଳିବ । ନିଜେ ମନ ଖୋଲି କହିବେ ଓ ଅନ୍ୟର ମନ କଥା ଜାଣିବେ! ଫଳରେ ସମାଜରେ କିପରି ଚଳିବାକୁ ହେବ ଶିଖିବେ । ଆପଣ ଏକୁଟିଆ ଏ ସମାଜରେ ସୁଖୀ ବା ଦୁଃଖୀ ନୁହନ୍ତି, ଅନ୍ୟମାନେ ମଧ୍ୟ ସମଦଶାପନ୍ନ । ତାହା ଜାଣିଲେ ଟିକେ ସାନ୍ତ୍ୱନା ମିଳିବ, ଆଶ୍ୱାସନା ମିଳିବ । ଜୀବନରେ ହସିବାର ସୁଯୋଗ ମିଳିବ । ଜୀବନଟା ରୁଦ୍ଧ କୋଠରୀ ହେବ ନାହିଁ । ଅନ୍ୟର ସହାନୁଭୂତି, ସାହାଯ୍ୟ ଓ ସାନ୍ତ୍ୱନାରେ ଜୀବନ କୋଠରୀଟି ତରଙ୍ଗାୟିତ ହେବ । ବିଷଣ୍ଣତାର ବାଦଲ ଅପସରି ଯିବ । ମୁହଁରେ ଟିକେ ହସ ଫୁଟିବ, ନ ହସି ରହି ହେବ ନାହିଁ ।

•••

 

ଭଲ ଶାସନ : ବ୍ୟାଖ୍ୟା ଓ ବାସ୍ତବତା

ଶ୍ରୀ ସାତକଡ଼ି ହୋତା

 

ପ୍ରତି ରାଜନୈତିକ ଦଳ ଓ ସାମାଜିକ ସଙ୍ଗଠନ ‘ଭଲ ଶାସନ' ଉପରେ ଗୁରୁତ୍ୱ ଦେଉଛନ୍ତି । ସୂଚନା ପ୍ରଯୁକ୍ତି କୌଶଳ ଅବଲମ୍ବନ କରି ଶାସନକୁ ସ୍ୱଚ୍ଛ, ଦକ୍ଷ ଓ ଉତ୍ତରଦାୟୀ କରିବାପାଇଁ ମତପ୍ରକାଶ ପାଉଛି । ଦେଶର ବୁଦ୍ଧିଜୀବୀମାନେ କହନ୍ତି ଯେ ଉତ୍ତରଦାୟିତ୍ୱ ନ ରହିଲେ ଉତ୍ତମ ଶାସନର ସୁଫଳ ଲୋକମାନଙ୍କ ପାଖରେ ପହଞ୍ଚିବ ନାହିଁ । କିନ୍ତୁ ସାଧାରଣ ଲୋକର ଭାବନାରେ ଭଲ ଶାସନ କହିଲେ କ'ଣ ବୁଝାଏ ତାହା ଜାଣିବା ସକାଶେ କାହାର ସମୟ ନାହିଁ । ସାଧାରଣ ଲୋକମାନେ ଭାବନ୍ତି ଯେ ସେମାନଙ୍କର ଜୀବନ, ଧନସମ୍ପତ୍ତିର ନିରାପତ୍ତା ହିଁ ଭଲ ଶାସନର ପରିଚୟ । ସେମାନେ ନିରାପଦରେ ଯଦି ଜୀବିକାର୍ଜନ କରିପାରନ୍ତି, ସେମାନଙ୍କର ପୁତ୍ର କନ୍ୟାଙ୍କୁ ସହଜରେ ଶିକ୍ଷା ସୁବିଧା ମିଳେ ଓ ରୋଗରେ ଚିକିତ୍ସାପାଇଁ ଅସୁବିଧା ନ ଥାଏ, ରହିବାପାଇଁ ମୁଣ୍ଡ ଉପରେ ଚାଳ ଓ ଲଜ୍ଜା ନିବାରଣପାଇଁ ଦେହରେ ଲୁଗା ଥାଏ ତେବେ ଶାସନ ଭଲ ଚାଲିଛି । ଦେଶ ସ୍ୱାଧୀନ ହେବାପରେ ଏହିପରି ଶାସନ ମିଳିବବୋଲି ଲୋକମାନେ ଆଶା କରିଥିଲେ । କିନ୍ତୁ ପଚାଶ ବର୍ଷର ଅଭିଜ୍ଞତା ସେମାନଙ୍କୁ ନିରାଶ କରିଛି । ଗାନ୍ଧିଜୀ ଶାସକମାନଙ୍କୁ ଗୋଟିଏ ମନ୍ତ୍ର ଦେଇଥିଲେ । ଯଦି ତୁମେ କ'ଣ ନିଷ୍ପତ୍ତି ନବ ତାହା ସ୍ଥିର କରିପାରୁ ନ ଥାଅ ତେବେ କେବେ ଦେଖିଥିବା ସେଇ ନୁଖୁରା ମଳିମୁଣ୍ଡିଆ ଦୀନହୀନ ଲୋକଟିକୁ ମନେପକାଅ ଏବଂ ତୁମ ନିଷ୍ପତ୍ତିଦ୍ୱାରା ସେ ଲାଭବାନ୍ ହେବ କି ନାହିଁ ଚିନ୍ତାକର, ଦେଖିବ ତୁମେ କ'ଣ ନିଷ୍ପତ୍ତି ନବ ତାହା ଆପେ ଆପେ ସ୍ଥିର ହୋଇଯିବ । ଦୁର୍ଭାଗ୍ୟର ବିଷୟ ଏହି ଯେ, ଆମକୁ ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ଯେଉଁମାନେ ଶାସନକରି ଆସିଛନ୍ତି ସେମାନେ ସେଇ ଦୀନଦରିଦ୍ର ଲୋକଟିକୁ ମନେ ପକାଇବାର ଚେଷ୍ଟା ନ କରି ନିଷ୍ପତ୍ତି ନେବା ଫଳରେ ଶାସନର କଳେବର ଓ କାର୍ଯ୍ୟ ପରିସର ବଢ଼ିଥିଲେ ମଧ୍ୟ ଦୀନଦରିଦ୍ର ଲୋକଟି ଉପକୃତ ହୋଇ ନାହିଁ । ରାଜୀବ ଗାନ୍ଧି ପ୍ରଧାନମନ୍ତ୍ରୀ ଥିବାବେଳେ ହିସାବ କରି କହିଥିଲେ ସେ ସରକାର ଉନ୍ନୟନ କାର୍ଯ୍ୟପାଇଁ ବ୍ୟୟ କରୁଥିବା ଟଙ୍କାରୁ ହିତାଧିକାରୀ ପାଇଥାଏ ଅଠର ପଇସା ଓ ବୟାଅଶୀ ପଇସା ଅମଲାତନ୍ତ୍ରକୁ ପୋଷିବା ଓ ବାଟମାରଣାରେ ଖର୍ଚ୍ଚ ହୋଇଥାଏ । ନାରୀମାନେ ସୁରକ୍ଷିତ ନୁହଁନ୍ତି । ସାଧାରଣ ଲୋକ ମଧ୍ୟ ଅସୁରକ୍ଷିତ, କ୍ଷମତା ଓ ବିତ୍ତଶାଳୀ ନିର୍ବିକାରରେ ସାଧାରଣ ଲୋକର ଅଧିକାର ଛଡ଼ାଇ ନେଇପାରିଛି । ଆଇନର ଶାସନ ଆଗରେ ସାନବଡ଼ ସମାସ୍ତେ ସମାନ ବିବେଚିତ ହେଉ ନାହାନ୍ତି । ଏଇ ଅବସ୍ଥାରେ ମୌଳିକ ପରିବର୍ତ୍ତନ ନ ହେବା ପର୍ଯ୍ୟନ୍ତ ଦେଶରେ ଭଲ ଶାସନ ଚାଲିଛିବୋଲି କହିହେବ ନାହିଁ ।

 

ଭଲ ଶାସନ କ'ଣ ?

ବେଦ ଓ ଉପନିଷଦରେ ସମସ୍ତ ଲୋକଙ୍କ ସୁଖପାଇଁ ପ୍ରାର୍ଥନା କରାଯାଇଛି । ‘ସର୍ବେ ଭବନ୍ତୁ ସୁଖୀନଃ ସର୍ବେସନ୍ତୁ ନିରାମୟାଃ, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମାକଶ୍ଚିତ୍ ଦୁଃଖଭାଗ୍‌ଭବେତ୍ ।' ଅର୍ଥାତ୍ ସମସ୍ତେ ସୁଖୀ ହୁଅନ୍ତୁ, ସମସ୍ତେ ନିରାମୟ ହୁଅନ୍ତୁ, ସମସ୍ତଙ୍କର ଦୃଷ୍ଟି ଭଦ୍ର ହେଉ ଏବଂ କାହାକୁ ଦୁଃଖ ନ ହେଉ । ପୂର୍ବକାଳରେ ପୁରୋହିତମାନେ ରାଜାଙ୍କୁ ଆଶୀର୍ବାଦ କଲାବେଳେ କହୁଥିଲେ ‘ସ୍ୱସ୍ତିପ୍ରଜାଭ୍ୟଃ ପରିପାଳୟେନ୍ତୁ, ନ୍ୟାୟେନ ମାର୍ଗେଣ ମହିମହିଷା, ଗୋ ବ୍ରାହ୍ମଣେଭ୍ୟୋ ଶୁଭମସ୍ତୁ ନିତ୍ୟଂ, ଲୋକା ସମସ୍ତା ସୁଖୀନଃ ଭବନ୍ତୁ ।’ ହେ ରାଜା ତୁମର ମଙ୍ଗଳ ହେଉ । ପ୍ରଜାମାନଙ୍କୁ ଭଲଭାବେ ପାଳନ କର । ନ୍ୟାୟମାର୍ଗରେ ନିଜକୁ ପରିଚାଳିତ କର । ଗୋ ଓ ବ୍ରାହ୍ମଣଙ୍କର ଶୁଭ ହେଉ । ଲୋକମାନେ ସୁଖୀ ହୁଅନ୍ତୁ । କେବଳ ଯେ ଲୋକଙ୍କ ମଙ୍ଗଳପାଇଁ ପ୍ରାର୍ଥନା କରାଯାଉଥିଲା ତାହା ନୁହେଁ, ସେମାନଙ୍କୁ ସୁଖୀ, ନିରାପଦ ଓ ନିରୋଗ କରିବାପାଇଁ ଶାସନ ଅଙ୍ଗୀକାରବଦ୍ଧ ଉଦ୍ୟମ କରୁଥିଲା ।

 

ରାମଚନ୍ଦ୍ର ଲଙ୍କା ଜୟ କରି ଅଯୋଧ୍ୟା ଫେରି ଆସି ରାଜା ହେବା ପରେ ପ୍ରତିଦିନ ପ୍ରଜାମାନଙ୍କ ଦୁଃଖସୁଖ ବୁଝିବାପାଇଁ ଦରବାରରେ ବସୁଥିଲେ । ଦିନେ କୌଣସି ବ୍ୟକ୍ତି ଦୁଃଖ ଜଣାଇବାପାଇଁ ନ ଆସିବାରୁ ସେ ଲକ୍ଷ୍ମଣଙ୍କୁ କହିଲେ- ରାଜ୍ୟରେ ସମସ୍ତେ ସୁଖଶାନ୍ତିରେ ଅଛନ୍ତି, କାହାର କୌଣସି ଆପତ୍ତି ଅଭିଯୋଗ ନାହିଁ । ସେଥିପାଇଁ କେହି ଗୁହାରି କରିବାପାଇଁ ଆସି ନାହାନ୍ତି-। ତଥାପି ବାହାରକୁ ଯାଇ ଦେଖିଆସ ଇତିମଧ୍ୟରେ କେହି ଆସିଛି କି ନାହିଁ । ଲକ୍ଷ୍ମଣ ଆଜ୍ଞା ପାଳନ କଲେ । ବାହାରେ କୌଣସି ଲୋକ ନ ଥିଲେ, କିନ୍ତୁ ଗୋଟିଏ କୁକୁର କେବଳ ବାରମ୍ବାର ଭୁକୁଥିଲା-। ଲକ୍ଷ୍ମଣ ଆସି ସେଇ କଥା ରାମଚନ୍ଦ୍ରଙ୍କୁ ଜଣାଇଲେ । ରାମଚନ୍ଦ୍ର କହିଲେ ସେଇ କୁକୁରକୁ ଡାକିଆଣ, ହୁଏତ ତା'ର କୌଣସି ଅଭିଯୋଗ ଥାଇପାରେ... । ଏହା ପରେ କୁକୁର ଆସି ନିଜର ଦୁଃଖ ଜଣାଇଲା । ପରବର୍ତ୍ତୀ କଥା ଆଉ ଏକ ଗଳ୍ପ । କିନ୍ତୁ ଏଥିରୁ ରାମରାଜ୍ୟରେ ପ୍ରଜାମାନେ କିପରି ଚଳୁଥିଲେ ତାହା ପରିଷ୍କାର ଜଣାପଡ଼େ । କେବଳ ମଣିଷ ନୁହଁନ୍ତି, ଜୀବଜଗତର ଦୁଃଖସୁଖ ବୁଝିବା ମଧ୍ୟ ରାଜାଙ୍କର କର୍ତ୍ତବ୍ୟ । ରାଜଧର୍ମ ସମ୍ବନ୍ଧରେ ଭୀଷ୍ମପିତାମହଙ୍କଠାରୁ ଉପଦେଶ ନବାପାଇଁ ଯୁଧିଷ୍ଠିରଙ୍କୁ ଶ୍ରୀକୃଷ୍ଣ କହିବା ପରେ ସେ ଭୀଷ୍ମପିତାମହଙ୍କୁ ଦର୍ଶନ କରିବାପାଇଁ ଗଲେ ।

 

ମହାଭାରତର ଶାନ୍ତି ପର୍ବରେ ରାଜ୍ୟ ଶାସନ ଓ ରାଜଧର୍ମ ସମ୍ବନ୍ଧରେ ବିସ୍ତୃତ ବିବରଣୀ ରହିଛି । ସେଥିରୁ କେତୋଟି ଏଠାରେ ଉଦ୍ଧାର କରିବା ପ୍ରାସଙ୍ଗିକ ହେବ । ‘ଗର୍ଭିଣୀ ଯେପରି ନିଜର ପ୍ରିୟ ବିଷୟ ତ୍ୟାଗ କରି ଗର୍ଭସ୍ଥ ସନ୍ତାନରହିତ ସାଧନ କରେ ସେହିପରି ନିଜର ହିତ ଚିନ୍ତା ନ କରି ପ୍ରଜାମାନଙ୍କର ହିତସାଧନ କରିବ ।' ଶୁକ୍ରାଚାର୍ଯ୍ୟ ରାମଚରିତ ଆଖ୍ୟାନରେ ଦେଇଥିବା ଉପଦେଶ ଉଦ୍ଧାର କରି ସେ ପୁଣି କହିଲେ-

 

ରାଜାନାଂ ପ୍ରଥମଂ ବିନ୍ଦେତଥ୍ ତତୋ ଭାର୍ଯ୍ୟାଂ ତତୋଧନମ୍ ।

ରାଜନ୍ୟସତି ଲୋକସ୍ୟ କୁତୋ ଭାର୍ଯ୍ୟା କୁତୋ ଧନମ୍ ।।

 

ଅର୍ଥାତ୍ ‘ବସବାସ କରିବା ପୂର୍ବରୁ ପ୍ରଥମେ କୌଣସି ରାଜାଙ୍କର ଆଶ୍ରୟ ନବ, ତା'ପରେ ଭାର୍ଯ୍ୟା ଆଣିବ, ତା'ପରେ ଧନ ଆହରଣ କରିବ; କାରଣ (ରାଜା ନ ଥିଲେ ଭାର୍ଯ୍ୟା କ'ଣ କରିବ, ଧନ ବା କ'ଣ କରିବ ? ସେତେବେଳେ ରାଜା ପ୍ରଜାମାନଙ୍କୁ ସନ୍ତାନ ପରି ପାଳନ କରୁଥିଲେ । ସେମାନଙ୍କ ଧନସମ୍ପତ୍ତି, ଜୀବନ ରକ୍ଷା କରୁଥିଲେ ଏବଂ ସେମାନଙ୍କ ଉପରେ କୌଣସି ଅନ୍ୟାୟ ଅବିଚାର ହେଲେ ଏହାର ପ୍ରତିକାର କରୁଥିଲେ । ସେଥିପାଇଁ ଭୀଷ୍ମପିତାମହ ଆଉ ଏକ ଉକ୍ତିରେ କହିଥିଲେ- ଯାହାଙ୍କ ରାଜ୍ୟରେ ପ୍ରଜାଗଣ ପିତା ଗୃହରେ ପୁତ୍ର ପରି ନିର୍ଭୟରେ ବିଚରଣ କରନ୍ତି ସେଇ ରାଜା ହିଁ ଶ୍ରେଷ୍ଠ ।’ ବର୍ତ୍ତମାନ ଜଣେ ନାଗରିକ ଘରୁ ବାହାରିଗଲେ ସେ ଯେ ପୁଣି ନିରାପଦରେ ଫେରିଆସିବ ଏହାର ନିଶ୍ଚୟତା ନାହିଁ । ଚୋରି, ଡକାୟତି, ଧର୍ଷଣ, ଅପହରଣ, ହତ୍ୟା ପ୍ରଭୃତି ଜଘନ୍ୟ ଅପରାଧ କରି ମଧ୍ୟ ଅପରାଧୀ ଦଣ୍ଡ ପାଉନାହିଁ ।

 

ରାଜକର୍ମଚାରୀମାନେ କିପରି ହେବା ଉଚିତ ସେ ସମ୍ବନ୍ଧରେ ଭୀଷ୍ମ କହିଛନ୍ତି : କୌଣସି ରାଜକର୍ମଚାରୀ ଯଦି ଚୋରି କରେ ତାହାର ପ୍ରତିବିଧାନ ନ କଲେ ଚୋର କର୍ମଚାରୀ ରାଜାଙ୍କୁ ନଷ୍ଟ କରିବ । ରାଜାଙ୍କ ସଚିବ କିପରି ହେବେ ସେ ସମ୍ବନ୍ଧରେ ଭୀଷ୍ମ ପିତାମହ କହିଛନ୍ତି- ‘ଯିଏ ଲଜ୍ଜାଶୀଳ, ଇନ୍ଦ୍ରିୟଜୟୀ, ସରଳ ଓ ଉଚିତ ବକ୍ତା ଏପରି ଲୋକଙ୍କୁ ସଚିବ ପଦରେ ନିଯୁକ୍ତି କରିବ ।’ ରାଜଧର୍ମ ପାଳନ ନ କଲେ ଦେଶରେ ବିଭ୍ରାଟ ସୃଷ୍ଟି ହୁଏ ଏବଂ ରାଜ୍ୟ, ରାଜା ଓ ପ୍ରଜା ନଷ୍ଟ ହୁଅନ୍ତି-। ଯେଉଁମାନେ ଉଚ୍ଚପଦରେ ଆସୀନ ସେହିମାନଙ୍କଠାରୁ ନିର୍ମଳ ଓ ସ୍ୱଚ୍ଛ ଶାସନ ଆରମ୍ଭ ହେବା ଆବଶ୍ୟକ । ସେମାନେ ଦୃଷ୍ଟାନ୍ତ ସୃଷ୍ଟିକଲେ ତଳ କର୍ମଚାରୀ ଆପେ ଆପେ ବଦଳିବେ ।

 

ବାସ୍ତବତା : ସୁରାଜ ବା ଭଲ ଶାସନ

ଯେଉଁମାନେ ଭାବନ୍ତି ଯେ ଭଲ ଶାସନ କେବଳ ଆଧୁନିକ ଗଣନ୍ତ୍ରାତିକ ଶାସନକୁ ବୁଝାଏ ମହାଭାରତର ଶାନ୍ତିପର୍ବ ଓ ରାମାୟଣର କାହାଣୀ ପାଠ କରିବା ପରେ ସେମାନଙ୍କର ଭ୍ରମ ଦୂର ହେବ । ସୁଶାସନ ଆଜିର କଳ୍ପନା ନୁହେଁ, ଏହା ପାଞ୍ଚହଜାର ବର୍ଷ ପୂର୍ବରୁ ବେଦଠାରୁ ପୁରାଣ ଯୁଗ ଓ ପରବର୍ତ୍ତୀକାଳରେ ଭାରତ ଭୂମିରେ ପରୀକ୍ଷିତ ହୋଇଆସୁଛି । ତେଣୁ ସୁଶାସନ କହିଲେ ଗୋଟିଏ ନୂତନ କଥା କେହି କହୁଛି ବୋଲି ଚମକିପଡ଼ିବାର କୌଣସି କାରଣ ନାହିଁ । ଦୁର୍ଭାଗ୍ୟର ବିଷୟ ଏହି ଯେ ଗଣତନ୍ତ୍ରର ବ୍ୟାଖ୍ୟା ଅନୁସାରେ ଏହା ‘ଲୋକମାନଙ୍କର ଶାସନ, ସେମାନଙ୍କଦ୍ୱାରା ଶାସନ ଓ ସେମାନଙ୍କପାଇଁ ଶାସନ' କୁହାଯାଉଥିଲେ ମଧ୍ୟ ପ୍ରକୃତରେ ଏହା କିଛି ଲୋକଙ୍କର ଶାସନ, କିଛି ଲୋକଙ୍କଦ୍ୱାରା ଶାସନ ଏବଂ କିଛି ଲୋକଙ୍କପାଇଁ ଶାସନ । କିନ୍ତୁ ଗଣତନ୍ତ୍ରର ବ୍ୟାଖ୍ୟାକାର ସେତେବେଳେ ହୁଏତ ଜାଣିନଥିଲେ ଯେ କିଛି ଲୋକ ସମସ୍ତ ଲୋକଙ୍କ ନାମରେ ମଧ୍ୟ ଅନେକଙ୍କୁ ଶୋଷଣ କରନ୍ତି । ମୋଟାମୋଟିଭାବେ କୁହାଯାଇପାରେ ଯେ, ଗଣତନ୍ତ୍ର ସଂଖ୍ୟାଧିକଙ୍କ ଶାସନ । ପୁଣି ଯଦି ସମସ୍ତ ମତଦାତା ଭୋଟ ନ ଦେଇ କେତେକାଂଶ ଭୋଟ ଦେଉଥାନ୍ତି ଭୋଟ ଦେଉଥିବା ଲୋକଙ୍କର ସଂଖ୍ୟାଗରିଷ୍ଠ ଭାଗ ଯେଉଁ ଦଳର ସେଇ ଦଳର ଶାସନ ଚାଲେ । ଦଳ ନାମରେ ଶାସନ ହୁଏ ସିନା କିନ୍ତୁ ପ୍ରକୃତ କ୍ଷମତା ଅଳ୍ପ କିଛି ଲୋକଙ୍କ ହାତରେ ଥାଏ-। ପ୍ରଧାନମନ୍ତ୍ରୀ ଅନ୍ୟାନ୍ୟ ମନ୍ତ୍ରୀମାନଙ୍କ ପରି ଜଣେ ମନ୍ତ୍ରୀ; କିନ୍ତୁ ସେ ଦଳର ଓ ମନ୍ତ୍ରୀମଣ୍ଡଳର ନେତା ଥିବାରୁ ଊଣାଧିକେ ତାଙ୍କରି ଇଚ୍ଛା ହିଁ କାର୍ଯ୍ୟକାରୀ ହୋଇଥାଏ । ତାଙ୍କ ଇଚ୍ଛାନୁସାରେ ମନ୍ତ୍ରୀ ନିଯୁକ୍ତ ହୁଅନ୍ତି, ତାଙ୍କ ଇଚ୍ଛାନୁସାରେ ବିଭାଗ ବଣ୍ଟନ କରାଯାଏ ଏବଂ ତାଙ୍କର ବିଶ୍ୱାସଭାଜନ ହେଉଥିବା ପର୍ଯ୍ୟନ୍ତ ମନ୍ତ୍ରୀମଣ୍ଡଳରେ ସ୍ଥାନ ରହିଥିବ । ଯେତିକି ତଳେଇ ଦେଖିବ ସେତିକି କିଛି ଲୋକ ଅନ୍ୟମାନଙ୍କଠାରୁ ଆକାରରେ ଅନେକ ବଡ଼ ଦିଶିବେ । ସେଇ ବଡ଼ ବଡ଼ କ୍ଷମତାଧାରୀମାନେ ହିଁ ପ୍ରକୃତରେ ରାଜା, ମହାରାଜା ବା ସମ୍ରାଟ ପରି କ୍ଷମତାଶାଳୀ ଶାସକ । ସ୍ପେନ ବିପ୍ଳବବେଳେ ଲୋକମାନେ ରାଜାଙ୍କୁ ଚେତାବନୀ ଦେଇ କହିଥିଲେ ଯେ ଆମ ଇଚ୍ଛାରୁ ତୁମେ ରାଜା ହୋଇଛ, ଯଦି ତୁମେ ରାଜଧର୍ମ ପାଳନ କରିନପାରିବ ତେବେ ତୁମକୁ ଆମେ ଗାଦିଚ୍ୟୁତ କରିବୁ । ଗଣତନ୍ତ୍ରରେ ମଧ୍ୟ ସେହି ଏକ ବ୍ୟବସ୍ଥା ଲୋକଙ୍କ ଅନୁଗ୍ରହରୁ ବିଧାୟକ/ସାଂସଦ ଏବଂ ତା'ପରେ ମନ୍ତ୍ରୀ ବା ପ୍ରଧାନମନ୍ତ୍ରୀ/ମୁଖ୍ୟମନ୍ତ୍ରୀ । କିନ୍ତୁ ଯଦି ଲୋକହିତ ଓ ଲୋକସ୍ୱାର୍ଥ ରକ୍ଷାକରିବାପାଇଁ ମନ୍ତ୍ରୀମାନେ ଅସମର୍ଥ ତେବେ ସେମାନଙ୍କୁ କ୍ଷମତାରୁ ଟାଣି ଓହ୍ଲାଇଦବାର ଅଧିକାର ଲୋକଙ୍କର ଅଛି । କିନ୍ତୁ ତାହା ହେଉନାହିଁ । ବରଂ ଗଣଙ୍କଦ୍ୱାରା ନିର୍ବାଚିତ ହେବା ପରେ ଗଣସ୍ୱାର୍ଥ ଉପେକ୍ଷା କରୁଥିବା ଶାସକ ଗୋଷ୍ଠୀ ବେଶ୍ ଆରାମରେ ପାଞ୍ଚବର୍ଷ କଟାଇଦିଅନ୍ତି ।

 

ଅର୍ଦ୍ଧଶତାବ୍ଦୀ ଧରି ନିଜ ସୁଖସୁବିଧା ଭୁଲି ଗର୍ଭସ୍ଥ ସନ୍ତାନକୁ ଜନନୀ ଯେପରି ରକ୍ଷା କରେ ସେହିପରି ପ୍ରଜାମାନଙ୍କୁ ରକ୍ଷା କରିବେବୋଲି ମନ୍ତ୍ରୀ ଓ ଲୋକପ୍ରତିନିଧିମାନେ ପ୍ରତିଶ୍ରୁତି ଦେଇଆସୁଛନ୍ତି; କିନ୍ତୁ ପ୍ରକୃତରେ ଜନନୀ ପରି ସନ୍ତାନକୁ ରକ୍ଷା ନ କରି ପୂତନା ପରି ସନ୍ତାନକୁ ଶୋଷଣ କରୁଥିବାର ଧାରା ଦିନକୁ ଦିନ ପ୍ରବଳ ହେଉଥିବାରୁ ଜନସାଧାରରଣ ଅତିଷ୍ଠ ହେଲେଣି । ଜୀବନ, ଧନସମ୍ପତ୍ତିର ନିରାପତ୍ତା ତ ନାହିଁ, ଏପରିକି ମର୍ଯ୍ୟାଦା ସହକାରେ ବଞ୍ଚିବାର ଅଧିକାର ମଧ୍ୟ ନାହିଁ । ନଚେତ୍ ‘ବଞ୍ଚିବା', ଅର୍ଥ ବ୍ୟାଖ୍ୟା କରି ‘ପଶୁ ପରି ନୁହେଁ ମଣିଷ ପରି ମର୍ଯ୍ୟାଦା ସହକାରେ ବଞ୍ଚିବା' ହିଁ ଜୀବନବୋଲି ସୁପ୍ରିମ୍‌କୋର୍ଟ ବ୍ୟାଖ୍ୟା କରିନଥାନ୍ତେ । ଏହା ସତ୍ତ୍ୱେ ଦାରିଦ୍ର‌୍ୟର କଷାଘାତ ସହିନପାରି ଏବେ ବି ଜନନୀ ଦଶଟଙ୍କାରେ ଶିଶୁ ବିକ୍ରି କରୁନଥାନ୍ତା । ଓଡ଼ିଶାର ୪୭ ପ୍ରତିଶତ ଲୋକ ଦାରିଦ୍ର‌୍ୟର ସୀମାରେଖା ତଳେ ନିର୍ଯ୍ୟାତିତ ଜୀବନଯାପନ କରୁଥିବା କରୁଣ ଦୃଶ୍ୟ ଦେଖି ମଧ୍ୟ ମନ୍ତ୍ରୀ ଓ ଶାସକମାନେ ଦୁଧ, ଘିଅ, ମହୁରେ ଭାସୁନଥାନ୍ତେ । ଗରିବ ଲୋକର ମୁଣ୍ଡଗୁଞ୍ଜିବାପାଇଁ ପର୍ଣ୍ଣକୁଟୀରଟିଏ ନଥିବା ବେଳେ ବହୁତଳ ପ୍ରାସାଦର ଶୀତତାପ ନିୟନ୍ତ୍ରିତ କୋଠରୀରେ ଦାରିଦ୍ର‌୍ୟ କିପରି ଘୁଞ୍ଚିବ' ତାହା ଆଲୋଚନା କରିବା ସକାଶେ ମନ୍ତ୍ରୀ, ଲୋକ ପ୍ରତିନିଧି ଓ ବୁଦ୍ଧିଜୀବୀମାନେ ସଂପାନ କରୁନଥାନ୍ତେ । ଛଅବର୍ଷରୁ ଚଉଦବର୍ଷର ବାଳକ- ବାଳିକାମାନଙ୍କୁ ୧୯୬୨ ମସିହା ସୁଦ୍ଧା ସାକ୍ଷର କରିବାପାଇଁ ସମ୍ବିଧାନରେ ବ୍ୟବସ୍ଥା ରଖାଯାଇଥିଲା; କିନ୍ତୁ ସ୍ୱାଧୀନତାର ଛପନବର୍ଷ ପରେ ମଧ୍ୟ ଓଡ଼ିଶାର ସ୍ୱାକ୍ଷର ସଂଖ୍ୟା ୬୦ ପ୍ରତିଶତ ଡେଇଁ ନାହିଁ । ଭାରତରେ ସାକ୍ଷରତା ୬୫ ପ୍ରତିଶତ । ଦଶଲକ୍ଷ ଶିଶୁ ବିଦ୍ୟାଳୟ ନ ଯାଇ ଘରେ ବସିଛନ୍ତି ବା ଦାଣ୍ଡରେ ଖେଳୁଛନ୍ତି । ପେଟବିକଳରେ ଶିଶୁ ବିକ୍ରି ହେଉଛି । ରୋଜଗାର ପାଇବା ଆଶାରେ ହଜାର ହଜାର ଲୋକ ଗାଁ ଗଣ୍ଡା ଛାଡ଼ି ସହରକୁ ପଳାଇ ଯାଉଛନ୍ତି ଜୀବିକାର୍ଜନ କରିବାପାଇଁ । ସମସ୍ତଙ୍କପାଇଁ ଚିକିତ୍ସା ବ୍ୟବସ୍ଥା ନାହିଁ । ଓଡ଼ିଶା ଲୋକଙ୍କର ମୁଣ୍ଡପିଛା ଆୟ ସବୁଠାରୁ କମ୍ ଏବଂ ମାନବସମ୍ବଳର ବିକାଶ ହୋଇନଥିବାରୁ ରୋଗ, ଅଶିକ୍ଷା ଓ ଦାରିଦ୍ର‌୍ୟରୁ ମୁକ୍ତି ନାହିଁ । ଆଞ୍ଚଳିକ ବୈଷମ୍ୟ, ଜାତିଆଣ ପ୍ରଥା, କୁସଂସ୍କାର ଦୂର କରିବା ସକାଶେ ନେତୃତ୍ୱ କିଛି କରିନାହାନ୍ତି କହିଲେ ଚଳେ । କେବଳ ସ୍ଥାନ ସଂରକ୍ଷଣ ଓ ସାହାଯ୍ୟଦ୍ୱାରା ସାମାଜିକ ପରିବର୍ତ୍ତନ କରିହେବ ନାହିଁ । ମନ ଓ ଆଚାରବିଚାର ନ ବଦଳିଲେ ଶାସନରୁ ଭ୍ରଷ୍ଟାଚାର ଓ ପ୍ରିୟାପ୍ରୀତି ଅନ୍ତର କରିହେବ ନାହିଁ ।

 

ଲୋକମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ସକାଶେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ତଥାପି ଭିତ୍ତିଭୂମିର ବିକାଶ ଅଧାବାଟରେ, ଜଳସେଚନ ଆବଶ୍ୟକ ସୁବିଧା ନାହିଁ, କୃଷି ଓ ଆନୁଷଙ୍ଗିକ ଧନ୍ଦାର ବିକାଶ ହୋଇନାହିଁ । ଶିଳ୍ପ ସ୍ଥାପନ କରିବାପାଇଁ ଋଣ ନେଇଥିବା ଟଙ୍କା ଅନ୍ୟ କାର୍ଯ୍ୟପାଇଁ ଖର୍ଚ୍ଚ କରିଦବାରୁ ଶିଳ୍ପ ସ୍ଥାପନ ବନ୍ଦ ହୋଇଯାଇଛି ବା ଚାଲୁଥିବା ଶିଳ୍ପ ବନ୍ଦ ହୋଇଯାଇଛି । ଉଦ୍ୟୋଗ, ଉଦ୍ୟମ ଓ ଅଧ୍ୟବସାୟର ଘୋର ଅଭାବ । ନେତୃତ୍ୱର ବିଫଳତା ସବୁ କ୍ଷେତ୍ରରେ ପ୍ରକଟିତ ହେଉଛି । ଗୋଟିଏ ସୁପ୍ତ ଜାତିକୁ ଜାଗ୍ରତ, ଅନୁପ୍ରାଣିତ ଓ ସଙ୍ଗଠିତ କରିବାପାଇଁ ନେତୃତ୍ୱ କିଛି ନ କରି ଲୋକ ଚରିତ୍ରରେ ସହଜିଆ ସାଂସ୍କୃତିକ ଧାରାକୁ ପ୍ରଶ୍ରୟ ଦେଇଥିବାରୁ ଉତ୍ପାଦନ ବୃଦ୍ଧିରେ ବାଧା ପଡ଼ିଛି । ଉତ୍ତରଦାୟିତ୍ୱ ଓ ସ୍ୱଚ୍ଛତା ଅଭାବରୁ ସାମାଜିକ ଓ ଅର୍ଥନୈତିକ ଉନ୍ନୟନ ସକାଶେ ବ୍ୟୟ କରାଯାଉଥିବା ହଜାର ହଜାର କୋଟି ଟଙ୍କାର ଏକ ବଡ଼ ଅଂଶ ବାଟମାରଣା ହୋଇଯାଇଛି । ତଥାପି ଓଡ଼ିଶାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସମୃଦ୍ଧିର ଯେଉଁ ଚିହ୍ନ ଦେଖାଯାଉଛି ସେ ସବୁ ଦେଖି ମନକୁ ସାନ୍ତ୍ୱନା ଦେଇ କହିବାକୁ ଇଚ୍ଛା ହୁଏ ଯେ, ଯଦି ଐର ଖାରବେଳଙ୍କ ନାମ ଧରି ଏ ଜାତି ‘ସାହସିକାଃ କଳିଙ୍ଗାଃ' ମାନଙ୍କର କିଛି ସଦ୍‌ଗୁଣ ଓ ସାହସିକତା ଚରିତ୍ରରେ ଫୁଟାଇଥାନ୍ତା ତେବେ ଆଜି ଭିକ୍ଷାଥାଳ ଧରି ଓଡ଼ିଶା ବିଶ୍ୱବ୍ୟାଙ୍କ ଓ ଡି.ଏଫ୍‌.ଆଇ.ଡି.ର ସର୍ତ୍ତ ମାନି ନିଷ୍ପତ୍ତି ନବାର ଅଧିକାର ସେମାନଙ୍କ ହାତକୁ ଟେକି ଦେଇନଥାନ୍ତା । ଓଡ଼ିଶାର ଋଣଭାର ୨୭ ହଜାର କୋଟି ଟଙ୍କା । ଆଉ ତିନି ବର୍ଷ ପରେ ଏହା ପଇଁତିରିଶ ହଜାର କୋଟିରେ ପହଞ୍ଚିବ । ଆୟ ବଢ଼ୁନାହିଁ ଖର୍ଚ୍ଚ ତୁଲାଇବାପାଇଁ ତେଣୁ ଋଣ ପରିଶୋଧ କରିବାପାଇଁ ଋଣ କରିବାକୁ ପଡ଼ୁଛି ।

 

ଏସବୁ ସତ୍ତ୍ୱେ ଓଡ଼ିଶା ଯେ ସବୁଦିନ ସବାତଳେ ରହିବ, ଉପରକୁ ଉଠିବ ନାହିଁ ଏହା କେହି କହିପାରିବ ନାହିଁ । ଅତୀତର ସମସ୍ତ ପରାଙ୍‌ମୁଖତା, ଆଳସ୍ୟ ଓ ଉଦ୍ୟୋଗହୀନତାକୁ ଜୀର୍ଣ୍ଣ ଆବରଣ ପରି ଫିଙ୍ଗିଦେଇ ଏଜାତି ସ୍ୱୟମ୍ଭୁ ପରି ନିଜକୁ ଗଢ଼ିପାରେ । ସେ କ୍ଷମତା ଲୁକ୍କାୟିତ ଅଛି ରକ୍ତ କଣିକାରେ । କେବଳ ସଂକଳ୍ପ ଲୋଡ଼ା । ଶାସନ ଯଦି ଲୋକହିତ ନ କରି ଅଳ୍ପସଂଖ୍ୟକଙ୍କ ହିତାର୍ଥେ ଉଦ୍ୟମ କରୁଥାଏ ତେବେ ଏହାର ପ୍ରତିରୋଧ କରିବାକୁ ହେବ । ଚୀନ ଯଦି ଲାଞ୍ଚ ନେଇଥିବା ଅଫିସରମାନଙ୍କୁ ମୃତ୍ୟୁଦଣ୍ଡ ଦେଇପାରେ ତେବେ ଓଡ଼ିଶା ସେମାନଙ୍କୁ ବାୟା ଚଢ଼େଇ ପରି ନିଜ ବସାରେ ସୁଖରେ ଦୋହଲିବାପାଇଁ ଛାଡ଼ିଦବ କାହିଁକି ? ଦିନେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ କହିଥିଲେ ଯେ, କଳାବଜାରୀମାନଙ୍କୁ ବତିଖୁଣ୍ଟରେ ଝୁଲାଇ ଗୁଳି କରିଦିଅ । ଗଣତନ୍ତ୍ର ଶାସନରେ ସେପରି କରିହେବ ନାହିଁ । କିନ୍ତୁ କଳାବଜାରୀ, ଅସାମାଜିକ ଲାଞ୍ଚଖୋରମାନଙ୍କୁ ବତିଖୁଣ୍ଟରେ ବାନ୍ଧି ରଖିଲେ ସମସ୍ତେ ଦେଖନ୍ତେ ଭ୍ରାତାଙ୍କ ବଦନ । ଏ ସମାଜ ସଢ଼ିଯାଇଛି । ଏହାକୁ ବଦଳାଇବାକୁ ପଡ଼ିବ । ସେଇ କାମ ତଳୁ ନୁହେଁ ଉପରୁ ଆରମ୍ଭ ହେବ । ଉପର ବଦଳିଲେ ତଳ ଆପେ ଆପେ ବଦଳିଯିବ । ଭଗବାନ୍ ଶ୍ରୀକୃଷ୍ଣ କହୁଚନ୍ତି ଯଦ୍‌ଯଦ୍ ଆଚରତି ଶ୍ରେୟସ୍ ତଦ୍ : ତଦ୍ ଏବେ ତରୋ ଜନାଃ ।

 

‘ସ ଯତ୍ ପ୍ରମାଣଂ କୁରୁତେ ଲୋକସ୍ତଦ୍‌ନୁବର୍ତ୍ତତେ ।’

 

ଅର୍ଥାତ୍ ଜଣେ ବିଶିଷ୍ଟ ବ୍ୟକ୍ତି ଯାହା କରିଛି ସାଧାରଣ ଲୋକମାନେ ତାହା ଅନୁସରଣ କରନ୍ତି । ସେ ତାଙ୍କର ନିଜ ଆଚରଣଦ୍ୱାରା ଯେଉଁପ୍ରକାର କାର୍ଯ୍ୟ କରିଯା'ନ୍ତି ବା କାର୍ଯ୍ୟରେ ଯେଉଁ ମାନ ନିର୍ଦ୍ଧାରଣ କରନ୍ତି ସମଗ୍ର ପୃଥିବୀ ତାହା ଅନୁସରଣ କରେ ।

 

ଭଲ ଶାସନ କହିଲେ କ'ଣ ବୁଝାଏ ତାହା ଆମର ପୂର୍ବପୁରୁଷ କହିଯାଇଛନ୍ତି, ଶାସନ କରି ଦେଖାଇଯାଇଛନ୍ତି । ଦାନବୀର ହରିଶ୍ଚନ୍ଦ୍ର ପୁଣ୍ୟ ଅର୍ଜନ କରିଥିବାରୁ ତାଙ୍କୁ ସ୍ୱର୍ଗକୁ ନେବାପାଇଁ ରଥ ଆସିଲା; କିନ୍ତୁ ସେ କହିଲେ ‘ଯଦି ମୋ' ପ୍ରଜାମାନଙ୍କୁ ମଧ୍ୟ ସ୍ୱର୍ଗକୁ ନବ ତେବେ ମୁଁ ସେମାନଙ୍କ ସାଙ୍ଗରେ ଯିବି, ମୁଁ ଏକା ଯିବିନାହିଁ ।' ଇଏ ହେଉଛି ଜଣେ ରାଜାର ବାଣୀ । ଆଉ ଜଣେ ଋଷି ଦଧୀଚି କହିଥିଲେ ଯଦି ମୋ' ଅସ୍ଥି ନେଲେ ବର୍ଷା ହେବ ଓ ବର୍ଷା ଅଭାବରୁ ତ୍ରାହି ତ୍ରାହି ଡାକୁଥିବା ଜୀବଗଣ ଉଦ୍ଧାର ପାଇବେ ତେବେ ମୁଁ ଅଗ୍ନିରେ ଝାସ ଦେବାପାଇଁ ପ୍ରସ୍ତୁତ ଏବଂ ସେ ତାହାହିଁ କଲେ । କିନ୍ତୁ ପ୍ରତିଶ୍ରୁତି ଦେଇ ତା' ପାଳନ ନ କରି ବାଡ଼ିଦୁଆର ବାଟେ ଯଦି ଶାସକ ଉତ୍କୋଚ ନେଇଥିବା ଅର୍ଥ ନେଇ ପଳାଇଯାଏ ତେବେ ଦୋଷ କାହାର ? ଓଡ଼ିଶା ବାହାରେ ଖ୍ୟାତିଅର୍ଜନ କରୁଥିବା ଓଡ଼ିଆ ବୁଦ୍ଧିଜୀବୀ, ଶ୍ରମିକ ଓ ଅଫିସର ଓଡ଼ିଶାକୁ ଆସିଲେ କାହିଁକି ଅକର୍ମା ହୋଇଯାଆନ୍ତି ? ଏ କ'ଣ ପାଣିର ନା' ମାଟିର ଦୋଷ? ଯେଉଁ ରାଜ୍ୟର ରାଜାଙ୍କ ମାନ ରଖିବାପାଇଁ ସ୍ୱୟଂ ଜଗନ୍ନାଥ ଓ ବଳଭଦ୍ର କଳାଧଳା ଘୋଡ଼ାରେ ଚଢ଼ି କାଞ୍ଚି ବିଜୟ କରିଥିଲେ, ସେଠାରେ ବିଭୂତିର ଅଭାବ ନାହିଁ । ଅଭାବ ଅଛି ଆସ୍ପୃହା, ଆକୃତି ଓ ଅଧ୍ୟବସାୟର । ଭଲ ଶାସନ ହିଁ ଊର୍ଦ୍ଧ୍ୱମୁଖୀ ଓ ଉଦ୍ୟମଶୀଳ ସମାଜର ସଂରଚନା ଭୂମି । ଶାସନ ଯଦି ସ୍ୱଚ୍ଛ, ଉତ୍ତରଦାୟୀ, ଲୋକପ୍ରିୟ ନ ହେବ ତେବେ ଗଣତାନ୍ତ୍ରିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ । ଗଣତନ୍ତ୍ରରେ ଗଣଙ୍କୁ ନେତୃତ୍ୱ ଓ ବାଟ କଢ଼ାଇବା କାମ ନେତାମାନଙ୍କର । ସେମାନଙ୍କର ଆଦର୍ଶ, ଉଦ୍ଦେଶ୍ୟ, ତ୍ୟାଗ, ସ୍ୱଚ୍ଛତା ଓ ଦକ୍ଷତା ଉପରେ ଅନେକ କିଛି ନିର୍ଭର କରେ । ଭୀଷ୍ମ ପିତାମହ ଯୁଧିଷ୍ଠିରଙ୍କୁ ରାଜଧର୍ମ ସମ୍ପର୍କରେ ଦେଇଥିବା ଉପଦେଶ ଓ ରାମରାଜ୍ୟରେ ରାମଚନ୍ଦ୍ର ଦେଖାଇଥିବା ଆଦର୍ଶ ଅପ୍ରାସଙ୍ଗିକ ହୋଇଯାଇ ନାହିଁ । ଗୁଜୁରାଟର ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରି ପକ୍ଷପାତ ନ କରି ପ୍ରତି ରାଜ୍ୟର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ପ୍ରଶାସକମାନେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଲୋକଙ୍କୁ ସାମାଜିକ ନ୍ୟାୟ, ଆଇନର ଶାସନ ଓ ଜୀବନ, ଧନସମ୍ପତ୍ତିର ନିରାପତ୍ତା ଏବଂ ମର୍ଯ୍ୟାଦା ସହକାରେ ବଞ୍ଚିବାର ଅଧିକାର ଦବାପାଇଁ କର୍ତ୍ତବ୍ୟ ସମ୍ପାଦନ କରନ୍ତି ତେବେ କଳଙ୍କି ଲାଗିଥିବା ଶାସନକଳ ପୁଣି ଝଲସି ଉଠିବ । ସେତେବେଳେ ଲୋକମାନେ ଅନୁଭବ କରିବେ ଯେ ଶାସନ ଓ ଶାସକ ଭଲ, ଗଣତନ୍ତ୍ର ହିଁ ସର୍ବୋତ୍ତମ ଶାସନ ବ୍ୟବସ୍ଥା । ରାମରାଜ୍ୟ ଫେରି ଆସିଛି ।

•••

 

ବିଚାରଧାରାର ପତନ ଓ ଅଭ୍ୟୁଦୟ

କିଶନ ପଟ୍ଟନାୟକ

 

ଆଧୁନିକ ମନୁଷ୍ୟର କଳା-ବୋଧର ଏକ ଉଦାହରଣ ଗତ ଦଶନ୍ଧି ଭିତରେ ଆମର ଅନୁଭବକୁ ଆସିଲା । ମନୁଷ୍ୟ ଜାତିର ଆଗାମୀ ସମୟକୁ କିଛି ଲୋକ, କେତେକ ରାଜନେତା ଓ ବୁଦ୍ଧିଜୀବୀମାନେ ଏକବିଂଶ ଶତାବ୍ଦୀରୂପେ ଚିତ୍ରଣ କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଶତାବ୍ଦୀ ସ୍ଥାନ ସହସ୍ରାବ୍ଦୀ ନେଇଗଲା । ଦୁନିଆର ଶାସକବର୍ଗମାନେ ଏବଂ ତାଙ୍କର ବୁଦ୍ଧିଜୀବୀମାନେ ସହସ୍ରାବ୍ଦୀର ପକ୍ଷ ନେଲେ । ତେଣୁ ଶତାବ୍ଦୀ ଲୋପ ପାଇଲା ।

 

ଉଭୟ ମଧ୍ୟରେ ଗୁଣାତ୍ମକ ଅନ୍ତର ଅଛି । ଆଗାମୀ ସମୟର ବାସ୍ତବିକ ବୋଧ ସହସ୍ରାବ୍ଦୀରେ ହୋଇପାରେନା । ମନୁଷ୍ୟ ପାଖରେ ଯେତିକି ଜ୍ଞାନ ଓ ବୋଧଶକ୍ତି ଅଛି, ତାହା ସାହାଯ୍ୟରେ ଏକହଜାର ବର୍ଷର କୌଣସି ମୋଟା ରୂପଚିତ୍ର ମଧ୍ୟ ଅଙ୍କାଯାଇ ପାରିବ ନାହିଁ । ସମ୍ବେଦନଶୀଳ ଓ ବୁଦ୍ଧିସମ୍ପନ୍ନ ଲୋକମାନେ ଅବଶ୍ୟ ଆଗାମୀ ଶହେବର୍ଷର ଏକ ରୂପରେଖ ଦେଇପାରିବେ । କେବଳ ତାହାନୁହେଁ, ଯେଉଁମାନଙ୍କର ଦୀର୍ଘ-ଦୃଷ୍ଟି ଅଛି ଓ ସଂକଳ୍ପକ୍ଷମତା ଅଛି, ସେମାନେ ଆଗାମୀ ଶହେବର୍ଷପାଇଁ ମାନବକଲ୍ୟାଣର ଯୋଜନା ମଧ୍ୟ ପ୍ରସ୍ତୁତ କରିପାରିବେ । ସହସ୍ର ବର୍ଷର ଅନ୍ତରାଳରେ କ'ଣ ଘଟିବ, ଏହି ପ୍ରଶ୍ନର ଯେକୌଣସି ଲୋକ ଯେକୌଣସି ଉତ୍ତର ଦେଇପାରିବ । ତାହାକୁ ଖଣ୍ଡନ କରିବାର ଉପାୟ ନାହିଁ, କିମ୍ବା ପ୍ରମାଣିତ କରିବାର ପଦ୍ଧତି ନାହିଁ ।

 

ଦେଢ଼ ଦଶନ୍ଧି ପୂର୍ବେ ଯେତେବେଳେ ଶତାବ୍ଦୀର ଶବ୍ଦାବଳୀ ପ୍ରଚଳିତ ଥିଲା, ସେତେବେଳେ ଏକବିଂଶ ଶତାବ୍ଦୀକୁ ଏକ ସ୍ୱର୍ଣ୍ଣଯୁଗ ଭାବରେ ଚିତ୍ରିତ କରିବାପାଇଁ କେତେକ ଶ୍ରେଣୀର ରାଜନେତା ଓ ତାଙ୍କର ବୁଦ୍ଧିଜୀବୀମାନେ ଚେଷ୍ଟା କରିଥିଲେ । କିନ୍ତୁ ଶତାବ୍ଦୀର ଚିନ୍ତାରୁ ଭବିଷ୍ୟତର ଏପରି ଆଭାସ ମିଳିଲା ଯେ, ସେମାନେ ଆଉ ଉତ୍ସାହିତ ହେଲେ ନାହିଁ । ଆଗାମୀ ଶହେବର୍ଷର ସମୟକୁ ସ୍ୱର୍ଣ୍ଣଯୁଗ ଭାବରେ ପ୍ରଚାରିତ କଲେ ବିଶ୍ୱର ଜନସାଧାରଣ କିମ୍ବା ତାଙ୍କର ଯୁବପିଢ଼ି ତାକୁ ଗ୍ରହଣ କରିପାରିବେ ନାହିଁ । କାରଣ ଜଣେ ସାଧାରଣ ବୁଦ୍ଧି ସମ୍ପନ୍ନ ଲୋକ ତିରିଶ ବର୍ଷର ଭବିଷ୍ୟତକୁ ଅନୁମାନ କରିନେବ । ସେ ନିଶ୍ଚୟ ବୁଝିପାରିବ ଯେ, ତା'ର ନିଜର ଜୀବନକାଳ ଭିତରେ ମାନବୀୟ ସୁଖଦୁଃଖର ପରିସ୍ଥିତିରେ କେତେ ଉନ୍ନତି ଘଟିପାରିବ । ସତ କହିବାକୁ ଗଲେ ସଦ୍ୟ ଆଗତ ଏହି ଶତାବ୍ଦୀ, କିମ୍ବା ଅନ୍ତତଃ ଏହାର ପ୍ରଥମାର୍ଦ୍ଧ ମାନବ ଇତିହାସର ବର୍ବରତମ ଯୁଗ ହୋଇପାରେ । ଯେତେ ବେଶୀ ସାମାଜିକ-ଅର୍ଥନୈତିକ ବିଷମତା, କାଙ୍ଗାଳତା, ବେମାରୀ, ଜୀବନ ଧାରଣ ଅନିଶ୍ଚିତତା, ହିଂସା, ଅପରାଧ ଓ ଯୌନ ଶୋଷଣ ଆଗାମୀ ଅର୍ଦ୍ଧ ଶତାବ୍ଦୀରେ ହେବାକୁ ଯାଉଛି, ବିଗତ ଛଅ ହଜାର ବର୍ଷର ଇତିହାସରେ ଉଲି୍ଲଖିତ ସଭ୍ୟତାମାନଙ୍କର ସମାଜରେ ତାହା ନ ଥିଲା । ଗୋଟିଏ ହାରାହାରି ବ୍ୟକ୍ତିପାଇଁ ଉପଲବ୍ଧ ପ୍ରାକୃତିକ ସଂସାଧନର ଏତେ ଅଳ୍ପତା କେବେ ମଧ୍ୟ ନ ଥିଲା । ସବୁଠାରୁ ବେଶୀ ଅଭାବ ଜ୍ଞାନର ହେବାକୁ ଯାଉଛି । ଜ୍ଞାନ ପ୍ରତି ଏତେ ଅବିଶ୍ୱାସ କେବେ ନ ଥିଲା ।

 

ଜନସାଧାରଣଙ୍କପାଇଁ ଜ୍ଞାନ କେବେ ଧର୍ମ ଆକାରରେ ଆସିଥିଲା; ପୁଣି ତାହା ଶାସ୍ତ୍ର ଏବଂ ବିଚାରଧାରର ରୂପ ନେଇ ଆସିଲା । ଆଜି ତଥ୍ୟ ବା ସୂଚନାକୁ ଜ୍ଞାନରୂପେ ପ୍ରସାରିତ କରିବାର ଏକ ଚେଷ୍ଟା ଚାଲିଛି । ସୂଚନା ଏବଂ ଜ୍ଞାନ ସମାନଅର୍ଥକ ନୁହନ୍ତି; କିନ୍ତୁ କେତେକ ଶକ୍ତିଶାଳୀ ଆନ୍ତର୍ଜାତିକ ସଂସ୍ଥା ଉଭୟକୁ ଏକ ଅର୍ଥରେ ପ୍ରଚଳିତ କରାଇବାର ଚେଷ୍ଟାରେ ଅଛନ୍ତି । ତାହାହେଲେ ଜ୍ଞାନ ଅନେକ ନ ହୋଇ ଏକ ହୋଇଯିବ ଏବଂ ସବୁ ମନୁଷ୍ୟଙ୍କୁ ଗୋଟିଏ ଢଙ୍ଗରେ ବିଚାରବଦ୍ଧ କରି ଦିଆଯାଇ ପାରିବ । ଏକାଧିପତି- ସ୍ୱାମୀତ୍ୱଦ୍ୱାରା ଚାଳିତ ଇଲେକ୍ଟ୍ରୋନିକ ମାଧ୍ୟମଦ୍ୱାରା ଏହା ସମ୍ଭବ ହୋଇପାରିବ । ପ୍ରତ୍ୟେକ ସମାଜର ଏକ ଯୁଗଦୃଷ୍ଟି ଥାଏ । ଏହି ଯୁଗଦୃଷ୍ଟିକୁ ନେଇ ତଥ୍ୟ ଓ ସୂଚନା ଗୁଡ଼ିକୁ ସଙ୍ଗଠିତ କଲେ ଶାସ୍ତ୍ରମାନଙ୍କର ନିର୍ମାଣ ହୁଏ । ଗୋଟିଏ ଶାସ୍ତ୍ରର ଅନେକ ଧାରା ଥାଇପାରେ; କିନ୍ତୁ ସବୁଥିରେ ଏହି ଗୋଟିଏ ଯୁଗଦୃଷ୍ଟି ପ୍ରବାହିତ ହୁଏ । ଊନବିଂଶ ଏବଂ ବିଂଶ ଶତାବ୍ଦୀର ୟୁରୋପରେ ଆଧୁନିକ ଶାସ୍ତ୍ରମାନଙ୍କର ଚରମୋତ୍କର୍ଷ ଘଟିଥିଲା; ଏବଂ ଶାସ୍ତ୍ରମାନଙ୍କୁ ଆଧାର କରି ସାମଗ୍ରିକ ବିଚାରର ବିକାଶ ହୋଇଥିଲା । ଏହି ସାମଗ୍ରିକ ବିଚାରକୁ ହିଁ ଆମେ ବିଚାରଧାରା (ଆଇଡିଓଲୋଜି) ବୋଲି କହୁଁ । ଶାସ୍ତ୍ର ଏବଂ ବିଚାରଧାରାମାନଙ୍କର ଯେଉଁ ଚାପ ସାଧାରଣ ସଚେତନ ନାଗରିକର ମସ୍ତିଷ୍କ ଉପରେ ପଡ଼େ ସେଇଥିରୁ ତାହାର ଏକ ସାମଗ୍ରିକବୋଧ ଜାତ ହୁଏ । ତାହାକୁ ନେଇ ସେ ନିଜ ସମାଜର, ରାଷ୍ଟ୍ରର ବା ମାନବୀୟ ସ୍ଥିତିର ଉନ୍ନତି ନିମନ୍ତେ ହେଉଥିବା କାର୍ଯ୍ୟକଳାପରେ ଅଂଶ ଗ୍ରହଣ କରେ । ମାନବୀୟ ବିକାଶରେ ଜ୍ଞାନର ଏହା ଏକ ନିର୍ଦ୍ଦିଷ୍ଟ ଭୂମିକା ।

 

ପ୍ରାଚୀନକାଳ ଓ ମଧ୍ୟଯୁଗୀୟ ସମାଜମାନଙ୍କରେ ଧାର୍ମିକ ତଥା ଆଧ୍ୟାତ୍ମିକ ଶାସ୍ତ୍ରଗୁଡ଼ିକର ବିଶ୍ୱାସନୀୟତା ସର୍ବାଧିକ ଥିଲା ଏବଂ ଗଭୀର ଥିଲା । ଆଧୁନିକ ଯୁଗରେ ଧର୍ମଶାସ୍ତ୍ର ଓ ନୀତିଶାସ୍ତ୍ରମାନଙ୍କର ପ୍ରଭାବକୁ ଗୌଣବୋଲି ଧରିବାକୁ ହେବ । ତଥାପି ଅଧିକାଂଶ ମନୁଷ୍ୟର ଅବଚେତନରେ ଧର୍ମପ୍ରତି ଏବଂ ପାରମ୍ପରିକ ନୀତି ନିୟମ ପ୍ରତି ଯେଉଁ ଆସ୍ଥାଟିକକ ଏବେ ମଧ୍ୟ ରହିଛି, ତାହାର ପରିଧି ଭିତରେ ସମକାଳୀନ ତଥ୍ୟ ଓ ସୂଚନାଗୁଡ଼ିକୁ ଯୋଡ଼ି ଆଧୁନିକ ମନୁଷ୍ୟ ତା'ର ଏକ ନିଜସ୍ୱ ଦୃଷ୍ଟିକୋଣ ତିଆରି କରୁଛି । ଊନବିଂଶ ଶତାବ୍ଦୀରେ ଆଧୁନିକ ଶାସ୍ତ୍ରମାନଙ୍କ ପ୍ରତି ଅର୍ଥାତ୍ ସାମାଜିକ ବିଜ୍ଞାନ ଓ ଭୌତିକ ବିଜ୍ଞାନଗୁଡ଼ିକ ପ୍ରତି ଚରମ ଆସ୍ଥା ପ୍ରକାଶ ପାଇଥିଲା । ବିଂଶ ଶତାବ୍ଦୀ ବିଚାରଧାରାମାନଙ୍କର ଯୁଗ ହେଲା । ରାଷ୍ଟ୍ରବାଦ, ଉଦାରବାଦ, ସାମ୍ୟବାଦ ଓ ସମାଜବାଦ ପ୍ରଭୃତି ସାମାଜିକ-ରାଜନୈତିକ ବିଚାରଧାରା ଦୁନିଆର ସବୁ ଭୂଖଣ୍ଡରେ ପ୍ରଭାବଶାଳୀ ହେଲେ । ବୁଦ୍ଧିଜୀବୀମାନଙ୍କ ଉପରେ ବିଚାରଧାରା ଏତେ ବେଶୀ ପ୍ରଭାବ ଥିଲା ଯେ, ସାହିତ୍ୟ ଓ କଳା ପରି ସୃଜନଧର୍ମୀ କାର୍ଯ୍ୟକଳାପରେ ମଧ୍ୟ ସେମାନେ ବିଚାରଧାରାଦ୍ୱାରା ଅନୁପ୍ରାଣିତ ହେଲେ । କେତେକ ଉଚ୍ଚକୋଟୀର କବି ଓ କଳାକାର ଫାଶୀବାଦୀ ବିଚାରଧାରାକୁ ମଧ୍ୟ ଗ୍ରହଣ କଲେ । ବରଂ କହିବାକୁ ହେବ ଯେ, ସାହିତ୍ୟିକ-କଳାକାରମାନଙ୍କର ଗୋଟିଏ ଅଂଶ ସବୁବେଳେ ‘ଶକ୍ତି'ର ଉପାସକ ହୋଇ ଆସିଛି । ସର୍ବଶକ୍ତିମାନ ଶାସକମାନଙ୍କର ବ୍ୟକ୍ତିତ୍ୱରେ ସେମାନେ ମୁକ୍ତିଦାତାର ଦର୍ଶନ ପାଇଥାନ୍ତି । ଏସବୁ କହିବାର ତାତ୍ପର୍ଯ୍ୟ ହେଉଛି ଏହି ଯେ, ସୃଜନ କାର୍ଯ୍ୟଗୁଡ଼ିକ କୌଣସି ଏକ ବିଚାର କେନ୍ଦ୍ରରୁ ଉତ୍ପନ୍ନ ହୁଅନ୍ତି କିମ୍ବା ବିଚାର କେନ୍ଦ୍ରକୁ ଉଦ୍ଭାସିତ କରନ୍ତି ।

 

ଧର୍ମ ଅର୍ଥାତ୍ ଧାର୍ମିକ ବିଚାରଧାରା ଯେତିକି ଗଭୀର ଭାବରେ ମନୁଷ୍ୟର ମନ ଓ ମସ୍ତିଷ୍କକୁ ପ୍ରଭାବିତ କରିଥିଲା, ସାମାଜିକ-ରାଜନୈତିକ ବିଚାରଧାରାଗୁଡ଼ିକର ପ୍ରଭାବ ସେତିକି ଗଭୀର ନ ହେଲେ ମଧ୍ୟ ବିଶ୍ୱବ୍ୟାପୀ ହୋଇପାରିଥିଲା । ଜ୍ଞାନୀ ବା ବିଚାର ଉପରେ ଯେଉଁଠି ବିଶ୍ୱାସ ଥାଏ, ସେଠାରେ ଭବିଷ୍ୟତକୁ ଗଢ଼ିବାର ବା ପରିସ୍ଥିତିକୁ ବଦଳାଇବାର ଏକ ଆଶା ସୃଷ୍ଟି ହୁଏ । ଊନବିଂଶ ଶତାବ୍ଦୀରୁ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ଯେତେବେଳେ ଶାସ୍ତ୍ରମାନଙ୍କର ବିଶ୍ୱାସନୀୟତା ଥିଲା, ସେତେବେଳେ ଶିକ୍ଷିତ ଲୋକମାନେ ଭାବୁଥିଲେ ଯେ, ଶାସ୍ତ୍ରବଳରେ ସେମାନେ ସମାଜର ସଂପୃକ୍ତ ବିଭାଗର ସମସ୍ୟାମାନଙ୍କୁ କୋହଳ କରିଦେଇ ପାରିବେ । ଅଶିକ୍ଷିତ ଓ ଅଳ୍ପ ଶିକ୍ଷିତମାନେ ଭାବୁଥିଲେ ଯେ, ଉଚ୍ଚଶିକ୍ଷିତ ତଥା ବିଶେଷଜ୍ଞମାନେ ସମାଜର ସମସ୍ୟାଗୁଡ଼ିକୁ ବୁଝି ସମାଧାନ ପ୍ରସ୍ତୁତ କରିଦେବେ । ବିଶ୍ୱାସ ଓ ଆତ୍ମବିଶ୍ୱାସର ଏହି ବାୟୁମଣ୍ଡଳରେ ପୃଥିବୀର ବହୁ ଲୋକ ନିଜର ଅଳ୍ପକାଳୀନ ସୁଖ ଓ ସ୍ୱାର୍ଥକୁ ଛାଡ଼ି ମଣିଷ ଜାତିପାଇଁ ଏକ କଲ୍ୟାଣକାରୀ ଭବିଷ୍ୟତ ଗଢ଼ିବା କାର୍ଯ୍ୟରେ ସାମିଲ ହେବାକୁ ଚାହୁଁଥିଲେ । ବିଚାରଧାରାଗୁଡ଼ିକ ଆଶାବାଦ ଓ ଉତ୍ତେଜନା ସୃଷ୍ଟି କରିପାରୁଥିଲେ, ତେଣୁ ବିଂଶ ଶତାବ୍ଦୀ ମହା ଆନ୍ଦୋଳନମାନଙ୍କର ଶତାବ୍ଦୀ ହୋଇଗଲା । ସମାଜବାଦୀ, ସାମ୍ୟବାଦୀ ଓ ରାଷ୍ଟ୍ରବାଦର ବିଚାରରେ ଅନୁପ୍ରାଣିତ ହୋଇ ବିଶ୍ୱର ଲକ୍ଷ ଲକ୍ଷ ଲୋକ ଏହି ବିଚାରାଧାରାମାନଙ୍କୁ କାର୍ଯ୍ୟରୂପ ଦେବା ନିମନ୍ତେ ନିଷ୍ଠା ସହିତ ବାହାରିଥିଲେ । ଲୁହ ଲହୁ, ଲାଠି, ଗୁଳି, ରଚନା, ସଂଘର୍ଷ, ଜୟନାଦ, ଆର୍ତ୍ତନାଦ ଓ ବିଜୟ-ପରାଜୟ ଭିତରେ କେତେ ଦେଶରେ ସାମ୍ୟବାଦ ସ୍ଥାପିତ ହୋଇଗଲା; ଶତାଧିକ ରାଷ୍ଟ୍ର ରାଜନୈତିକ ସ୍ୱାଧୀନତା ପାଇଲେ ଏବଂ କେତେ ଦେଶରେ (ବିଶେଷକରି ୟୁରୋପରେ) ସମାଜବାଦୀମାନେ ଜନକଲ୍ୟାଣ ରାଜ୍ୟ (ୱେଲ୍‌ଫେୟାରେ ଷ୍ଟେଟ୍‍)ର ପ୍ରତିଷ୍ଠା କଲେ । ୧୯୮୦ ବେଳକୁ ଏସବୁ ବିଚାରଧାରାର ଅବସାନ ଆରମ୍ଭ ହୋଇଗଲା । ୧୯୯୦ରେ ସୋଭିଏତ୍ ସଂଘର ବିଘଟନ ହେଲା ଏବଂ ଏହି ତାରିଖ ଇତିହାର ଏକ ମାଇଲଖୁଣ୍ଟ ଭାବରେ ପରିଗଣିତ ହେଲା । ବିଚାରଧାରାମାନଙ୍କର ପତନର ଏହା ସମୟ । ଏହା କେବଳ ସାମ୍ୟବାଦୀ ବିଚାରଧାରାର ପତନର କାଳବିନ୍ଦୁ ନୁହେଁ । ୟୁରୋପୀୟ ଜ୍ଞାନ ଓ ବିଚାରରୁ ଉଦ୍ଭୁତ ସବୁ ପ୍ରକାରର ମାନବକଲ୍ୟାଣକାରୀ, ସମତ୍ୱବାଦୀ, ସ୍ୱାତନ୍ତ୍ରବାଦୀ ଆନ୍ଦୋଳନମାନଙ୍କର ସତେ ଯେପରି କେନ୍ଦ୍ରସ୍ଥଳ ଭୁଷୁଡ଼ି ପଡ଼ିଲା । ଯେଉଁମାନଙ୍କର ବିଜୟ ହେଲା, ସେମାନେ ବିଚାରର ଗତିକୁ ବଦଳାଇ ଦେଲେ । ସେମାନେ କହିଲେ, ବଜାର (ପୁଞ୍ଜିବାଦ) ହେଉଛି ସର୍ବୋପରି, ତା'ର ସଙ୍କଟ ଅଛି, ପରାଜୟ ନାହିଁ-। ତାକୁ ବଦଳାଇବାକୁ ଚାହୁଁଥିବା ସବୁ ବିଚାରଧାରାଗୁଡ଼ିକ ଭୁଷୁଡ଼ି ପଡ଼ିଛନ୍ତି । ଏହା ହେଉଛି ବିଚାରଧାରାର ଅନ୍ତ । ଏହାପରେ ଆଉ ବିଚାର ଉପରେ ଆଧାରିତ କୌଣସି ମହା ଆନ୍ଦୋଳନ ହେବନାହିଁ ।

 

ଉପରୋକ୍ତ ସବୁ ମାନବକଲ୍ୟାଣକାରୀ, ସମତ୍ୱବାଦୀ, ସ୍ୱାତନ୍ତ୍ରବାଦୀ ବିଚାରଧାରାମାନଙ୍କର ଉତ୍ପତ୍ତିସ୍ଥଳ ଥିଲା ୟୁରୋପ । ୟୁରୋପର ସେଇ ଅଂଶ ଯେଉଁଠି ଶିଳ୍ପ ବିପ୍ଳବର ପ୍ରାରମ୍ଭିକ ପ୍ରଭାବ ଅତି ସଘନ ଥିଲା । ଶିଳ୍ପବିପ୍ଳବ ଫଳରେ ଯେଉଁ ନୂଆମାନର ସମୃଦ୍ଧି ଦେଖାଗଲା, ଆହୁରି ଆହୁରି ସମୃଦ୍ଧିର ଯେଉଁ କଳ୍ପନା କରାଗଲା, ଯେଉଁ ଯନ୍ତ୍ରବିପ୍ଳବର ବାଟ ଖୋଲିଗଲା, ଏସବୁଦ୍ୱାରା ଉଦ୍‌ବୁଦ୍ଧ ହୋଇ ବିଚାରକମାନେ ଚିନ୍ତାକଲେ ଯେ, ସମୃଦ୍ଧିର ସୁଅରେ ଦାରିଦ୍ର‌୍ୟ, ଅନ୍ୟାୟ ଓ ଶୋଷଣକୁ ମଧ୍ୟ ଲୋପ କରାଯାଇପାରିବ । ଯେଉଁସବୁ ବିଚାରଧାରା ବିଶ୍ୱବ୍ୟାପୀ ପ୍ରଭାବ ପକେଇଲେ ସେମାନଙ୍କର ଉତ୍ପତ୍ତି ଏହିଭଳି । ଯନ୍ତ୍ରବିପ୍ଳବ ଓ ଯନ୍ତ୍ରଦ୍ୱାରା ନିର୍ମିତ ଅସରନ୍ତି ସମୃଦ୍ଧିର କଳ୍ପନାର ପରିଧି ଭିତରେ ମାନବ ସମାଜର ଦୁଃଖ, ଦୈନ୍ୟ, ଅତ୍ୟାଚାର ଓ ଶୋଷଣକୁ ସଂପୂର୍ଣ୍ଣ ଦୂର କରି ଦେବାର ଉଦ୍ଦାତ୍ତ ସ୍ୱପ୍ନକୁ ପାଶ୍ଚାତ୍ୟର ମନୀଷୀମାନେ ବିଚାରଧାରାର ରୂପଦେଲେ । ଏହା ବୋଧହୁଏ ସେମାନଙ୍କପାଇଁ ସ୍ୱାଭାବିକ ଥିଲା । ଏସିଆ ଆଫ୍ରିକାର ନେତାମାନେ ମଧ୍ୟ ଉଚ୍ଚଶିକ୍ଷାପାଇଁ ପାଶ୍ଚାତ୍ୟ ଦେଶମାନଙ୍କୁ ଯାଇ ଉପରୋକ୍ତ ମୂଳ ଧାରଣାଗୁଡ଼ିକର ବଶବର୍ତ୍ତୀ ହେଲେ । ସେମାନେ ନିଜ ଦେଶମାନଙ୍କୁ ଫେରିଯାଇ ପ୍ରଚାର କଲେ ଯେ, ଯନ୍ତ୍ରବିପ୍ଳବ ଓ ତଜ୍ଜନିତ ସମୃଦ୍ଧିଦ୍ୱାରା ହିଁ ମାନବର ମୁକ୍ତି ସମ୍ଭବ । କିଏ ପୁଞ୍ଜିବାଦରେ ମୁକ୍ତି ଦେଖିଲା ତ କିଏ ସମାଜବାଦ ଓ ସାମ୍ୟବାଦରେ ମୁକ୍ତି ଦେଖିଲା । କିନ୍ତୁ ମୂଳ ଧାରଣା ହେଉଛି ଯନ୍ତ୍ରବିପ୍ଳବ ଓ ତଜ୍ଜନିତ ସମୃଦ୍ଧି ଏବଂ ସମୃଦ୍ଧି ବଳରେ ସବୁ ସମସ୍ୟାର ସମାଧାନ । ଏହିପରି ଭାବରେ ସମଗ୍ର ବିଶ୍ୱରେ ଉପରୋକ୍ତ ମୂଳଧାରଣାର ପ୍ରଚାର ହୋଇଗଲା । ତେଣୁ ବିଚାରଧାରାଗୁଡ଼ିକର ମଧ୍ୟ ପ୍ରସାର ହେଲା ।

 

ଗାନ୍ଧୀବାଦକୁ ମଧ୍ୟ ଏକ ବିଚାରଧାରାରୂପେ ପ୍ରସାରିତ କରିବାର ପ୍ରଚେଷ୍ଟା ହୋଇଥିଲା-। ଏହି ଚେଷ୍ଟା ସଫଳ ହେଲାନାହିଁ । ଏହାକୁ ଏକ ପୂର୍ଣ୍ଣାଙ୍ଗ ବିଚାରଧାରାରୂପେ ଗଢ଼ିବାପାଇଁ ବୁଦ୍ଧିଜୀବୀ ଗୋଷ୍ଠୀ ମିଳିଲେ ନାହିଁ । ପାଶ୍ଚାତ୍ୟ ବିଦ୍ୟାରେ ପ୍ରଶିକ୍ଷିତ ମେଧାବୀ ଲୋକମାନେ ଏଥିପ୍ରତି ଆକୃଷ୍ଟ ହେଲେ ନାହିଁ; କାରଣ ଆଧୁନିକ ଯନ୍ତ୍ରବିଦ୍ୟା ଓ ଆଧୁନିକ ସମୃଦ୍ଧି ବିଷୟରେ ଗାନ୍ଧୀ ବିଚାର ସମାଲୋଚନାମୂଳକ ଥିଲା । ଔପନିବେଶିକ ମସ୍ତିଷ୍କପାଇଁ ଏଗୁଡ଼ିକ ଥିଲା ଧ୍ରୁବ ସତ୍ୟ ଏବଂ ସବୁ ପ୍ରକାରର ପ୍ରଗତିପାଇଁ ପ୍ରଥମ ସର୍ତ୍ତ । ଏହି ଯନ୍ତ୍ରବିଦ୍ୟା ସାହାଯ୍ୟରେ ଯେକୌଣସି ଦେଶରେ ଆଧୁନିକ ସମୃଦ୍ଧିର ବିକାଶ ହୋଇପାରିବ । ଋଷର ସାମ୍ୟବାଦୀ ଶାସକମାନେ କହୁଥିଲେ ଯେ, ସୋଭିଏତ୍ ରାଷ୍ଟ୍ର ଅତିଶୀଘ୍ର ଆମେରିକାକୁ ସମୃଦ୍ଧିରେ ଟପିଯିବ । ଚୀନ କମ୍ୟୁନିଷ୍ଟ ହୋଇଯିବା ପରେ ଚୀନର ଶାସକମାନେ କହିଲେ ଯେ, ପ୍ରଥମେ ଚୀନ, ଋଷର ସମୃଦ୍ଧିକୁ ଟପିଯିବ, ଏବଂ ତା'ପରେ ଆମେରିକାଠାରୁ ଅଧିକ ସମୃଦ୍ଧ ହେବ । ଭାରତର ପ୍ରଧାନମନ୍ତ୍ରୀ ନେହେରୁ ଭାରତର ପଞ୍ଚବାର୍ଷିକ ଯୋଜନାଗୁଡ଼ିକର ଭିତ୍ତି ସ୍ଥାପନ ସମୟରେ ସେହିଭଳି ସ୍ୱପ୍ନ ଦେଖୁଥିଲେ । ବଡ଼ ବଡ଼ ଶିଳ୍ପ ଓ ପ୍ରକଳ୍ପମାନଙ୍କୁ ସେ ଆଧୁନିକ ମନ୍ଦିରର ଆଖ୍ୟା ଦେଇଥିଲେ । ୧୯୪୫ରୁ ୧୯୬୦ ମଧ୍ୟରେ ବିଭିନ୍ନ ମହାଦେଶର ଔପନିବେଶିକ ରାଷ୍ଟ୍ରମାନେ ରାଜନୈତିକ ସ୍ୱାଧୀନତା ପାଇବା ପରେ ଆର୍ଥିକ ସମୃଦ୍ଧି ଗଢ଼ିତୋଳିବା ନିମନ୍ତେ ପଶ୍ଚିମରେ ବିକାଶ ପଦ୍ଧତିକୁ ଅନୁସରଣ କଲେ ।

 

ପ୍ରାୟ କୋଡ଼ିଏ ତିରିଶ ବର୍ଷର ଅଭିଜ୍ଞତାରୁ ସେମାନେ ଏତିକି ଜାଣିଲେ ଯେ, ସେମାନେ ଆମେରିକା ହେବେ ନାହିଁ କିମ୍ବା ଜର୍ମାନୀ ବା ବ୍ରିଟେନ ହେବେନାହିଁ । ଋଷ ବି ଜାଣିଲା, ଚୀନ ବି ଜାଣିଲା, ଭାରତ ବି ଜାଣିଲା, ଆଫ୍ରିକା ମଧ୍ୟ ଜାଣିଲା, ଆରବ ଦେଶମାନେ ମଧ୍ୟ ଜାଣିଲେ । କିନ୍ତୁ ତାଙ୍କର ମୂଳ ବିଚାରକୁ ବଦଳାଇ ପାରିଲେ ନାହିଁ । ତେଣୁ ଚୀନ୍‌ର କେବଳ ଅଳ୍ପ କେତେ ଅଞ୍ଚଳ ସମୃଦ୍ଧ ହୋଇ ପାରୁଛି । ବାକି ବିଶାଳ ଅଞ୍ଚଳ ପଛୁଆ ରହିଛି । ଏହି ବୈଷମ୍ୟ ପୁଣି ବଢ଼ିବାରେ ଲାଗିଛି । ଦକ୍ଷିଣ କୋରିଆର ଜୀବନସ୍ତରକୁ ମଧ୍ୟ ଆସନ୍ତା ଦଶବର୍ଷ ଭିତରେ ଚୀନ ପହଞ୍ଚି ପାରିବ ନାହିଁ । ଇତିମଧ୍ୟରେ ଅଳ୍ପକିଛି ଲୋକକୁ ନେଇ ଚୀନରେ ଏକ ଧନୀ ଶ୍ରେଣୀ ନିଜକୁ ଏପରି ଦୃଢ଼ କରିନେବ ଯେ, ତାହା ହିଁ ଶାସକଶ୍ରେଣୀ ପାଲଟିବ । ଆଧୁନିକ ସମୃଦ୍ଧି ସେମାନଙ୍କ ମଧ୍ୟରେ ସୀମାବଦ୍ଧ ହେବ । ଚୀନର ସାମ୍ୟବାଦୀମାନେ ଗୋଟିଏ ସୁନ୍ଦର ସ୍ଲୋଗାନ ବାହାର କରିଛନ୍ତି : ‘ପ୍ରଥମେ ଥୋକେ ଲୋକ ପହଞ୍ଚିବେ' । ପରେ ସମସ୍ତଙ୍କୁ ଏହା ସୁଲଭ ହେବବୋଲି କହିବା ଗୋଟିଏ ବିଦ୍ରୂପ ଛଡ଼ା ଆଉ କ'ଣ ହୋଇପାରେ?

 

ଏହା ଧ୍ରୁବ ସତ୍ୟ ଯେ ଚୀନ, ଭାରତ କିମ୍ବା ବ୍ରାଜିଲ୍ ଓ ମିଶର ଆଧୁନିକ ସମୃଦ୍ଧି ଲାଭ କରିପାରିବେ ନାହିଁ । ଏହି ବାସ୍ତବିକତାକୁ କୌଣସି ବିଚାରଧାରା କିମ୍ବା ବିଶ୍ୱବିଦ୍ୟାଳୟର ଶାସ୍ତ୍ର ଗ୍ରହଣ କରୁନାହିଁ । ତେଣୁ ନୂତନ ଶାସ୍ତ୍ର ଓ ବିଚାରଧାରାର ଅଭ୍ୟୁଦୟ ହେଉନାହିଁ, ଯାହା ଉପରେ ଲୋକଙ୍କର ବିଶ୍ୱାସ ପ୍ରତିଷ୍ଠିତ ହେବ ।

 

ଏକ ନୂତନ (ବୈକଳ୍ପିକ) ବିଚାରଧାରାପାଇଁ ଚାରିଟି ସ୍ଥାପନା ଦରକାର, ୧. ଆଧୁନିକ ସମୃଦ୍ଧି ଏକ ମିଥ୍ୟା ଆଦର୍ଶ । ସବୁଦେଶ ଏହା ପାଇପାରିବେ ନାହିଁ । କେବଳ ସାମ୍ରାଜ୍ୟବାଦୀମାନେ ଓ ଶୋଷକ ଶ୍ରେଣୀମାନେ ଏହାକୁ ଭୋଗ କରିପାରିବେ । ଏଣୁ ଆମର ଆଦର୍ଶ, ସ୍ୱଚ୍ଛଳ ଜୀବନସ୍ତର, ଯାହା ସମସ୍ତଙ୍କୁ ମିଳିପାରିବ । ୨. ବିଜ୍ଞାନର ସୂତ୍ର ଉପରେ ଆଧୁନିକ ଟେକ୍ନୋଲୋଜି ଆଧାରିତ, କିନ୍ତୁ ଏହାର ପ୍ରୟୋଗ ଓ ପରିଣାମ ବୈଜ୍ଞାନିକ ନୁହେଁ, କାରଣ ଏହାର ପ୍ରୟୋଗ ହିଁ ପ୍ରକୃତିପାଇଁ ଧ୍ୱଂସକାରୀ ହେବା ସଙ୍ଗେ ଜନସାଧାରଣଙ୍କପାଇଁ ଶୋଷଣକାରୀବୋଲି ପ୍ରମାଣିତ ହୋଇସାରିଛି । ବିଜ୍ଞାନର ନୂଆ ପ୍ରୟୋଗଦ୍ୱାରା ଟେକ୍ନୋଲୋଜିର ନବୀକରଣ ଦରକାର । ୩. ସମୃଦ୍ଧି ନିର୍ଦ୍ଦିଷ୍ଟ ଶ୍ରେଣୀବିଶେଷପାଇଁ ନୁହେଁ, ସମଗ୍ର ପ୍ରଜାତିପାଇଁ ଦରକାର । ଆଧୁନିକ ସମୃଦ୍ଧି ପ୍ରଜାତିପାଇଁ ଉଦ୍ଦିଷ୍ଟ କି ପ୍ରଯୁଜ୍ୟ ନୁହେଁ । ତେଣୁ ସମୃଦ୍ଧିର ପାରିଭାଷିକ ଅର୍ଥକୁ ସ୍ପଷ୍ଟ କରିବାକୁ ହେବ-। ୪. ସମାଜରେ ଜୀବନଧାରଣପାଇଁ ଯେତେସବୁ ପଣ୍ୟବସ୍ତୁ ଦରକାର ସେଗୁଡ଼ିକ ପ୍ରାକୃତିକ ସଂସାଧନ ଉପରେ ଆଧାରିତ । ଆଧୁନିକ ସଭ୍ୟତା ଏବଂ ଆଧୁନିକ ଯନ୍ତ୍ରବିଦ୍ୟା ପ୍ରାକୃତିକ ସଂସାଧନଗୁଡ଼ିକୁ ବିନଷ୍ଟ, ନିଃଶେଷ ଓ ପ୍ରଦୂଷିତ କରିବାଦ୍ୱାରା ପ୍ରକୃତି ଓ ମାନବ ଜୀବନ ଅବକ୍ଷୟର ସମ୍ମୁଖୀନ ହୋଇଛନ୍ତି । ତେଣୁ ବିନାଶକାରୀ ବିକାଶର ଗତିପଥକୁ ବଦଳାଇବାକୁ ହେବ । ସ୍ଥିର ଚିରନ୍ତନୀ ବିକାଶ ନିମନ୍ତେ ଏପରି ଉପାୟ, ଯନ୍ତ୍ର, ଏବଂ ଅର୍ଥନୀତି ଗ୍ରହଣ କରିବାକୁ ହେବ, ଯାହା ପ୍ରକୃତି- ସଂରକ୍ଷକ ଓ ସ୍ଥାୟୀ (ସଷ୍ଟେନେବଲ୍‌) ହେବ । ଏହାର ପରିଣାମ ସବୁବେଳେ ବଢ଼ି ଚାଲିଥିବା ଅନନ୍ତ ସମୃଦ୍ଧି ନ ହୋଇ ଏକ ‘ସୀମିତ ସମୃଦ୍ଧି' ହେବ । ସୀମିତ ସମୃଦ୍ଧିର ଅବଧାରଣାରୁ ଆଗାମୀ ବିଚାରଧାରାର ଉଦ୍‌ଗମ ହେବ ।

 

ଆଧୁନିକ ସଭ୍ୟତାର ବିକଳ୍ପ ପ୍ରାଚୀନ ସଭ୍ୟତା ନୁହେଁ । ପ୍ରାଚୀନ ସଭ୍ୟତାର ସପକ୍ଷବାଦୀମାନେ ଆଧୁନିକ ସଭ୍ୟତାର ମୌଳିକ ବିରୋଧ ନ କରି କେବଳ ମଧ୍ୟଯୁଗୀୟ କର୍ମକାଣ୍ଡଗୁଡ଼ିକୁ ବଞ୍ଚାଇ ରଖିବାକୁ ଚାହାନ୍ତି ଏବଂ ଅତୀତର ସବୁ ଅନ୍ୟାୟପୂର୍ଣ୍ଣ ଭେଦଭାବକୁ ଲୋକାତୀତ ସତ୍ୟ ଭାବରେ ସିଦ୍ଧ କରିବାକୁ ଚାହାନ୍ତି । ଭବିଷ୍ୟତ ନିର୍ମାଣ ଏବଂ ଭବିଷ୍ୟଦ୍ରଷ୍ଟାମାନଙ୍କପାଇଁ ଅତୀତ ଓ ଆଧୁନିକ ସମାନ ଭାବରେ ପ୍ରାସଙ୍ଗିକ ବା ଅପ୍ରାସଙ୍ଗିକ ହେବେ । ପ୍ରାକୃତିକ-ସଂସାଧନଗୁଡ଼ିକର ସଂରକ୍ଷଣ ଦୃଷ୍ଟିରୁ ଏବଂ ସମୁଦାୟମାନଙ୍କର ସ୍ୱଶାସନ ଦୃଷ୍ଟିରୁ ବହୁତ ଉପାଦେୟ ନମୂନା ଓ ଆଦର୍ଶ ପ୍ରାଚୀନ ସଭ୍ୟତାମାନଙ୍କରୁ ମିଳିପାରିବ । ସେହିପରିଭାବେ ଆଧୁନିକ ବିଜ୍ଞାନର ସୂତ୍ରମାନଙ୍କୁ ନେଇ ବିକାଶର ନୂଆ ଯନ୍ତ୍ରପ୍ରଣାଳୀ ବାହାର କରିବାକୁ ହେବ, ଯାହା ପ୍ରତ୍ୟେକ ଅଞ୍ଚଳକୁ ମୌଳିକ ଆବଶ୍ୟକତା ପୂରଣ ଦିଗରୁ ସ୍ୱାବଲମ୍ବୀ କରିପାରିବ, ଅଥଚ ଅନ୍ୟ ଅଞ୍ଚଳକୁ ନିଜର ଉପନିବେଶ ନ କରି ସମୃଦ୍ଧି ମଧ୍ୟ ଦେଇପାରିବ । ସୀମିତ ସମୃଦ୍ଧି ଦେଇପାରିବ । ଆଧୁନିକ ସଭ୍ୟତାର ବ୍ୟକ୍ତି ସ୍ୱାତନ୍ତ୍ର‌୍ୟର ଏବଂ ପ୍ରାଚୀନ ସଭ୍ୟତାମାନଙ୍କର ସାମାଜିକତାକୁ ଗୋଟିଏ ଜୀବନ ପ୍ରଣାଳୀର ଦୁଇ ଅଭିନ୍ନ ଦିଗରୂପେ ବିକଶିତ କରିବାକୁ ହେବ । ଦୁନିଆର ବୈଜ୍ଞାନିକମାନେ ବହୁରାଷ୍ଟ୍ରୀୟ ନିଗମମାନଙ୍କର ବେତନଭୋଗୀ ହୋଇ ମୁନାଫାଖୋର, ବ୍ୟବସାୟୀମାନଙ୍କ ନିର୍ଦ୍ଦେଶରେ ବିଜ୍ଞାନ ଓ ଟେକ୍ନୋଲୋଜିକୁ ବଢ଼ାଇ ଚାଲିଛନ୍ତି । ସେମାନଙ୍କୁ ଏହି ଦାସତ୍ୱରୁ ମୁକ୍ତ କରି ଏକ ନୂଆ ପୃଥିବୀର ସଂରଚନା କାର୍ଯ୍ୟରେ ଲଗାଇବାକୁ ହେବ । ଆଗାମୀ ବିଚାରଧାରାପାଇଁ ଏହିସବୁ ହେବ ମନ୍ତ୍ର ଏବଂ ସୂତ୍ର ।

•••

 

Unknown

ନୂତନ କବିତାର ଭୂମିକା

ଶ୍ରୀ ଯତୀନ୍ଦ୍ରମୋହନ ମହାନ୍ତି

 

‘ନୂତନ କବିତା'ର (ନୂତନ କବିତା, ଜନଶକ୍ତି ପୁସ୍ତକାଳୟ,୧୯୫୫) କବିତାଗୁଡ଼ିକ ‘ଆଧୁନିକ' କବିତା । ଏଠାରେ ଆଧୁନିକତା ଯେ କେବଳ ବିଂଶ ଶତାବ୍ଦୀର ଷଷ୍ଠ ଦଶକରେ ନିହିତ ତା ନୁହେଁ, ବରଂ ଏକ ନିର୍ଦ୍ଦିଷ୍ଟ ଭାବନା ପ୍ରଣାଳୀର ଅନୁସରଣରେ ଓ ଭାଷା ପ୍ରକାଶଭଙ୍ଗୀରେ ଏହି ଆଧୁନିକତା ସ୍ପଷ୍ଟ । ଠିକ୍ ‘ଆଧୁନିକ ଚେତନା’ କହିଲେ ଯାହା ବୁଝାଯାଏ ଏହି କବିତାଗୁଡ଼ିକରୁ ସେହି ଚେତନାର ଅନୁଭୂତି ମିଳେ ଓ ମୁଖ୍ୟତଃ ସେହି ଦୃଷ୍ଟିରୁ ଏହି କବିତାଗୁଡ଼ିକ ଓଡ଼ିଆରେ ନୂତନ-। ଆଧୁନିକ ଓଡ଼ିଆ କବିତାକୁ ଆଲୋଚନା କଲେ ଏହି ‘ଚେତନା'ର ଅଭାବ ବିଶେଷ ଭାବରେ ଲକ୍ଷିତ ହୁଏ । ରାଧାନାଥ ଓ ମଧୁସୂଦନଙ୍କ ସମୟରୁ ଆଜି ପର୍ଯ୍ୟନ୍ତ ଓଡ଼ିଆ କବିତା ବିଭିନ୍ନ ବିଭାଗରେ ସମଧିକ ବିକାଶ ଲାଭ କରିଛି । ଏହି ବିକାଶ ଧାରା ବିଭିନ୍ନ ସମୟରେ ବିଭିନ୍ନ ସମସାମୟିକ ଆନ୍ଦୋଳନଦ୍ୱାରା ମଧ୍ୟ ଅନେକାଂଶରେ ପ୍ରଭାବିତ । ତେଣୁ ଓଡ଼ିଆ କବିତାରେ ଯେ କେତେକାଂଶରେ ବିଚିତ୍ରତା ଓ ବିଭିନ୍ନ ଚିନ୍ତାଧାରାର ସବଳ ପ୍ରତିଫଳନର ପରିଚୟ ମିଳେ ତାହା ସ୍ୱୀକୃତ । ପରିବର୍ତ୍ତିତ ସାମାଜିକ ସଂସ୍ଥା ଓ ପରିପ୍ରେକ୍ଷୀରେ ଏହି ବିକାଶ ସହଜ ଓ ସ୍ୱାଭାବିକ । ସଂସ୍କୃତିରେ ପରିବର୍ତ୍ତନ କବିମାନଙ୍କୁ ଅସ୍ଥିର ଓ ଚିନ୍ତିତ କରିବା ସଙ୍ଗେ ସଙ୍ଗେ ନିତ୍ୟ ନୂତନ ଉଦ୍ୟମ କରିବାକୁ ପ୍ରେରଣା ଆଣି ଦେଇଛି ଓ ଫଳରେ ଅନ୍ୟାନ୍ୟ ଦେଶୀ ବିଦେଶୀ କବିତା ପରି ଓଡ଼ିଆ କବିତା ନିଶ୍ଚିତ ଭାବରେ ବିକାଶ ଲାଭ କରିଛି ।

 

ତଥାପି ସମଗ୍ର ଭାବରେ ଆଧୁନିକ ଓଡ଼ିଆ କବିତାକୁ ଆଲୋଚନା କଲେ ଗୋଟିଏ ସମସ୍ୟା ସ୍ପଷ୍ଟ ହୋଇଉଠେ । ମନେହୁଏ ‘ଆଧୁନିକ’ କହିଲେ ଯାହା ବୁଝାଯାଏ ଆଜିର ଓଡ଼ିଆ କବିତାକୁ ଠିକ୍ ସେହି ଅର୍ଥରେ ‘ଆଧୁନିକ' କହିହେବ ନାହିଁ । ରାଧାନାଥ ଆଧୁନିକ ଓଡ଼ିଆ କବିତାର ପ୍ରଥମ ପ୍ରଧାନ କବି । ଊନବିଂଶ ଶତାବ୍ଦୀର ଶେଷ ଭାଗରେ ନୂତନ ଆବେଗ ଓ ନୂତନ ଭାଷା ଘେନି ସେ ନୂତନ କାବ୍ୟ ସୃଷ୍ଟି କରିଗଲେ । ଆଜି ବିଂଶ ଶତାବ୍ଦୀର ଷଷ୍ଠ ଦଶକରେ ମଧ୍ୟ ରାଧାନାଥ-କାବ୍ୟର ପ୍ରଭାବ ପ୍ରଶମିତ ହୋଇନାହିଁ । ଏବେ ମଧ୍ୟ ରାଧାନାଥ କାବ୍ୟ-ପରମ୍ପରା ଆଧୁନିକ ଓଡ଼ିଆ କବିତାରେ ଅଖଣ୍ଡଭାବେ ପ୍ରବହମାନ । ଆପାତ ଦୃଷ୍ଟିରେ ବିଚିତ୍ରତା ଥିଲେ ମଧ୍ୟ ଆଧୁନିକ ଓଡ଼ିଆ କବିତା ମୁଖ୍ୟତଃ ଏକ ପ୍ରଥାନୁସାରୀ, ବିଭିନ୍ନ କବି ଏକ କାବ୍ୟ- ଧର୍ମରେ ପ୍ରଭାବିତ । ଏକ କଥାରେ ଆଧୁନିକ ଓଡ଼ିଆ କବିତା ବହୁଳାଂଶରେ ରୋମାଣ୍ଟିକ୍ କାବ୍ୟଧର୍ମୀ !

 

ରାଧାନାଥଙ୍କ ନୂତନ ସୃଷ୍ଟି କେବଳ ତାଙ୍କର ଇଂରାଜୀ କବିତାର ଜ୍ଞାନ ଯୋଗୁଁ ସମ୍ଭବ ହୋଇ ପାରିଥିଲା । ରାଧାନାଥ-କାବ୍ୟ ଉପେନ୍ଦ୍ର-ଅଭିମନ୍ୟୁ ବା ସାରଳା-ପଞ୍ଚସଖା ପ୍ରଭୃତି ପ୍ରାଚୀନ କାବ୍ୟ-ପରମ୍ପରା ସହିତ ସଂପୃକ୍ତ ଥିଲେ ବି ଏହା ବିଶେଷ ଭାବରେ ମିଲ୍‌ଟନ୍ ଓ ଊନବିଂଶ ଶତାବ୍ଦୀର ରୋମାଣ୍ଟିକ୍ ଦର୍ଶନ ଓ ରୋମାଣ୍ଟିକ୍ କାବ୍ୟ କବିତାରେ ନିହିତ । ରାଧାନାଥଙ୍କ ମତରେ ହୃଦୟରୁ ହିଁ କାବ୍ୟର ସୃଷ୍ଟି । ଏହା ରୋମାଣ୍ଟିକ୍ କବିର ଧାରଣା । ଏହା ସହିତ ମାଥ୍ୟୁ ଆର୍ନଲଡ୍‌ଙ୍କର ‘Soul’ ତୁଳନୀୟ । ଏହି ‘Soul’ ବା ‘ଆତ୍ମା'ର ସ୍ଥାନ ପୃଥିବୀର ବାହାରେ, ଚନ୍ଦ୍ର- ଚକ୍ରବାକ-ପୁଷ୍ପ ବେଷ୍ଟିତ ସ୍ୱପ୍ନ ରାଜ୍ୟରେ । ସେହି ସୁଦୂରରୁ କବି ମାନବ ଜୀବନକୁ ପର୍ଯ୍ୟାଲୋଚନ କରିବ ଓ କବିତା ଲେଖିବ । ଏହି ଅବଧାରଣାରେ ମସ୍ତିଷ୍କର ସ୍ଥାନ ନାହିଁ, ବୁଦ୍ଧି, ଚାତୁର୍ଯ୍ୟର ଅବକାଶ ନାହିଁ! ଇଂରାଜୀରେ ଯାହାକୁ ଙ୍ଗସଗ୍ଧ କହନ୍ତି ବା ଏଲିୟଟ ଯାହାକୁ tough reasonableness beneath the slight lyric grace ବୋଲି ବର୍ଣ୍ଣନା କରିଗଲେ ସେହି ଗୁଣଟି ଏଠି ସମ୍ପୂର୍ଣ୍ଣ ଅଚଳ । ରାଧାନାଥଙ୍କଠାରୁ ଆରମ୍ଭ କରି ଆଧୁନିକ ଓଡ଼ିଆ କବିତାର ମାନସିଂ, ସଚ୍ଚି ରାଉତରା, ଗଡ଼ନାୟକ, ଅନନ୍ତ ପଟ୍ଟନାୟକ ଓ ବିନୋଦ ନାୟକ ପ୍ରଭୃତି ବିଶିଷ୍ଟ କବିମାନଙ୍କର କାବ୍ୟ କବିତାରେ ଏହି ନିର୍ଦ୍ଦିଷ୍ଟ କାବ୍ୟଧର୍ମର ପରିଚୟ ସ୍ପଷ୍ଟ ଓ ସୁପ୍ରକାଶ । ଠିକ୍ ଏହି ଦୃଷ୍ଟିରୁ ନୂତନ କବିତାର କବିତାଗୁଡ଼ିକ ଓଡ଼ିଆରେ ନୂତନ, କାରଣ ଏଗୁଡ଼ିକ ରୋମାଣ୍ଟିକ୍ କାବ୍ୟଧର୍ମୀ ନୁହନ୍ତି । ଏହି କବିତାଗୁଡ଼ିକ ଅନ୍ତରାଳରୁ ମେଟାଫିଜିକାଲ୍ କବିମାନଙ୍କ ସହିତ ବୋଡ଼୍‌ଲେୟାର ଓ ଏଲିୟଟଙ୍କୁ ମଧ୍ୟ ଦେଖାଯାଏ । ଜୀବନ ପ୍ରତି ଦୃଷ୍ଟିଭଙ୍ଗୀ ଏଠାରେ ରୋମାଣ୍ଟିକ୍ ନୁହେଁ, ବ୍ୟଙ୍ଗାତ୍ମକ । ଏହି କବିତାର ପ୍ରଧାନ ଉପାଦାନ wit ଓ ଏକ ରୁଚିପୂର୍ଣ୍ଣ ଶାଳୀନତା (urbanity) । ଚେତନା ଏଠାରେ ବ୍ୟାପକ ଓ ବହୁ ବିଚିତ୍ର, କିନ୍ତୁ ଉପମା ଓ ଉପମେୟର ସଂକ୍ଷିପ୍ତ ପ୍ରୟୋଗଦ୍ୱାରା ପ୍ରକାଶଭଙ୍ଗୀ କଠିନ ଭାବରେ ସୁନିୟନ୍ତ୍ରିତ । ରୋମାଣ୍ଟିକ୍ କବିତା ପରି ଏହି କବିତାଗୁଡ଼ିକରେ କେବଳ କବିର ବ୍ୟକ୍ତିତ୍ୱ ପ୍ରକାଶ ପାଇ ନାହିଁ, ବରଂ ଏକ ନିର୍ଦ୍ଦିଷ୍ଟ ମାଧ୍ୟମରେ କବିର ବହୁ ବିଭିନ୍ନ ଧାରଣା ଓ ଅନୁଭୂତିର ପରିଣତ ସମନ୍ୱୟ ଘଟିଛି, ଓ ଏହି ସମନ୍ୱୟର ଗଭୀରତା ଓ ଘନିଷ୍ଟତା ଯୋଗୁ ହିଁ ଏହି କବିତାଗୁଡ଼ିକରୁ ଏକ ନୂତନ କାବ୍ୟ ଆବେଗର ସ୍ପଷ୍ଟ ପରିଚୟ ମିଳେ ।

 

ସମାଲୋଚକ ରିଚାର୍ଡସଙ୍କ ମତରେ କବିତା ସାଧାରଣତଃ ଦୁଇ ଶ୍ରେଣୀର । ପ୍ରଥମ ଜାତୀୟ କବିତାରେ ପରସ୍ପର ବିରୋଧୀ ଓ ପରସ୍ପର ସମ୍ବନ୍ଧହୀନ ଅନୁଭୂତି ସବୁକୁ ବାଦ ଦିଆଯାଇ ଏକ ନିର୍ଦ୍ଦିଷ୍ଟ ଭାବନା ବା କଳ୍ପନାକୁ ପ୍ରକାଶ କରିବାପାଇଁ କବିତାକୁ ମାର୍ଜିତ କରାଯାଏ । କିନ୍ତୁ ଦ୍ୱିତୀୟ ଜାତୀୟ କବିତାରେ କଳ୍ପନା ପରସ୍ପର ବିରୋଧୀ ଅନୁଭୂତି ସବୁକୁ ଏକତ୍ର କରି ଏକ ଗଭୀର ସମନ୍ୱୟରେ କାବ୍ୟ ଆବେଗକୁ ପ୍ରକାଶ କରେ । ଫରାସୀ ସିମ୍ବଲିଷ୍ଟ କବିମାନଙ୍କର କବିତାର ଆଲୋଚନାରେ ଅଧ୍ୟାପକ ଉଇଲ୍‌ସନ୍ ବି ଏହିପରି ଯୋଡ଼ିଏ ଶ୍ରେଣୀର ପରିଚୟ ପାଇଛନ୍ତି । ଗୋଟିଏ ହେଉଛି 'Serious-aesthetic' ଓ ଅନ୍ୟଟି 'Conversational ironic' । ତାଙ୍କ ମତରେ ଏହି ଦ୍ୱିତୀୟ ଜାତୀୟ କବିତାର ପ୍ରଧାନ ଗୁଣ ହେଉଛି... “The medley of images, the deliberately mixed metaphor. the combination of passion and wit of the grand and the spiritual manners, the bold amalgamation of material with spiritual.” ଏହି ପ୍ରସଙ୍ଗରେ ଏଲିୟଟ୍‌ଙ୍କର “unification of sensibility” ବିଚାର ଯୋଗ୍ୟ । ସ୍ରଷ୍ଟା କବିର କଳ୍ପନା ସବୁ ସମୟରେ ବହୁ ବିଭିନ୍ନ ପରସ୍ପର ବିରୋଧୀ ଅନୁଭୂତିର ସମନ୍ୱୟ ସାଧିତ କରୁଛି । ସାଧାରଣ ଲୋକର କଳ୍ପନା ବିଶୃଙ୍ଖଳ, ଅନିୟମିତ ଓ ବହୁ ଖଣ୍ଡାଂଶରେ ବିଭକ୍ତ । ସେ ପ୍ରେମ କରେ, ପୁଣି ‘ମୋହ ମୁଦଗର' ପଢ଼େ । ଏ ଦୁଇଟି ଅନୁଭୂତିର ପିଲା କାନ୍ଦଣା ବା ଖାଦ୍ୟ ଗନ୍ଧ ସହିତ କୌଣସ ସମ୍ପର୍କ ନାହିଁ । କିନ୍ତୁ କବି ମନରେ ଏସବୁ ବିଚ୍ଛିନ୍ନ ଅନୁଭୂତି ମିଳିତ ହୋଇ ନୂତନ ଶୃଙ୍ଖଳା ଓ ସମନ୍ୱୟର ସୃଷ୍ଟି କରନ୍ତି । ଏଲିୟଟଙ୍କ ମତରେ ଏହାହିଁ କାବ୍ୟ ସୃଷ୍ଟିର ବଡ଼ କଥା । କବିର କଳ୍ପନା ଏପରି ଗୋଟିଏ ଯନ୍ତ୍ର ଯେ ଏହା ସବୁ କିଛି ଭସ୍ମ କରି ଦେଇପାରିବ, ଓ ଏହି ଅବସ୍ଥାରେ ହିଁ କବି ଜୀବନ ସହିତ ଘନିଷ୍ଠତମ ସମ୍ପର୍କ ସ୍ଥାପନ କରେ । ବିଭିନ୍ନ ଅନୁଭୂତିର ଏହି ସମନ୍ୱୟ-କ୍ଷମ କବି ମାନସକୁ କାବ୍ୟରେ ପ୍ରକାଶ କରିବା ଆହୁରି କଷ୍ଟକର । ଏଠାରେ କାବ୍ୟ-ଆଙ୍ଗିକ ଓ କାବ୍ୟ-ଦୃଷ୍ଟି ଯେପରି ବ୍ୟାପକ ସେହିପରି ନିୟନ୍ତ୍ରିତ । ସାଧାରଣତଃ “wit”, “irony” I “metaphor” ର ସାହାଯ୍ୟରେ ଏହି କାବ୍ୟ-ମାନସର ପରିଣତ ପ୍ରକାଶ ସମ୍ଭବ ହୁଏ । ମେଟାଫିଜିକାଲ କବିତା ବା ପୋପ୍‌, ହପ୍‌କିନ୍ସ, ଏଲିୟଟ, ୟେଟସ୍‌, ବୋଡଲେୟାର, ମାଲାର୍ମେ ପ୍ରଭୃତି କବିମାନଙ୍କର କବିତାରେ ଏହି କାବ୍ୟଧର୍ମର ପ୍ରକୃଷ୍ଟ ନିଦର୍ଶନ ମିଳେ । ଏଠାରେ କବିର ଭାବନା ବ୍ୟାପକ ଓ ପରିପକ୍ୱ, ପ୍ରକାଶଭଙ୍ଗୀ ସବଳ ଓ ପରିଣତ, ସର୍ବୋପରି ଜୀବନ ପ୍ରତି ଦୃଷ୍ଟିଭଙ୍ଗୀ ଗଭୀର ଓ ଆନ୍ତରିକ ।

 

ଅନ୍ୟ ପକ୍ଷରେ ଊନବିଂଶ ଶତାବ୍ଦୀର ସମସ୍ତ ରୋମାଣ୍ଟିକ କବିତାକୁ ରିଚାର୍ଡସ୍‌ଙ୍କର ପ୍ରଥମ ଶ୍ରେଣୀର କବିତାର ଅନ୍ତର୍ଭୁକ୍ତ କରାଯାଇପାରେ । ଏଠାରେ ବିଭିନ୍ନ ଅନୁଭୂତିର ସମନ୍ୱୟର ଆବଶ୍ୟକତା ନାହିଁ । ଏଠାରେ କବିର ଉଦ୍ଦେଶ୍ୟ ହେଉଛି ଯେତେଦୂର ସମ୍ଭବ ସହଜ ଓ ସରଳ ଭାବରେ କୌଣସି ଏକ ନିର୍ଦ୍ଦିଷ୍ଟ ଆବେଗକୁ ପ୍ରକାଶ କରିବା । ସେଥିପାଇଁ କାବ୍ୟସ୍ୱର ତୀକ୍ଷ୍‌ଣ ଯୁକ୍ତିରେ ଶାଣିତ ନ ହୋଇ ଯଦି ଶସ୍ତା ସେଣ୍ଟିମେଣ୍ଟାଲ ହୁଏ ତେବେ ତାହାହିଁ ସ୍ୱୀକାର୍ଯ୍ୟ । କାରଣ ରୋମାଣ୍ଟିକ୍ କବିଙ୍କ ମତରେ- “Imagination recoils from every thing but the plastic, pliant, and the indefinite... In short, materials which are technical, sharply realistic, definite in their details are to be shunned in serious poetry” ଏଠାରେ ମଧ୍ୟ ‘ମେଟାଫର୍‌'ର ବିଶେଷ ଆବଶ୍ୟକତା ନାହିଁ । ମେଟାଫୋର୍‌ର ଏଠାରେ ସମଗ୍ର କବିତାର ଅବିଭାଜ୍ୟ ଅଂଶ ନୁହେଁ, କେବଳ ଅଳଙ୍କାର । ଏହାର ଏକମାତ୍ର କାର୍ଯ୍ୟ ହେଉଛି କବିର ବକ୍ତବ୍ୟକୁ ସ୍ପଷ୍ଟ ପ୍ରାଞ୍ଜଳ କରିବା । ଏହି ଦୃଷ୍ଟିରୁ ରୋମାଣ୍ଟିକ୍ କବିତାରେ ପରିପ୍ରଚାରର ଉପାଦାନ ଅନ୍ତର୍ନିହିତ । ମାର୍କସବାଦୀ କବିର ‘ପ୍ରୋପାଗାଣ୍ଡା ଆର୍ଟ' ଓ ରୋମାଣ୍ଟିକ୍ କବିର ‘ପଦ୍ମଭୂକ୍ ସାହିତ୍ୟ' ମଧ୍ୟରେ ପ୍ରଭେଦ ଅଳ୍ପ । ଉଭୟ କବି କାବ୍ୟ ବସ୍ତୁର ଗୁରୁତ୍ୱରେ ଅଧିକ ଆସ୍ଥାବାନ, କାବ୍ୟର ଆଙ୍ଗିକ ବା ଶୃଙ୍ଖଳା ଉଭୟଙ୍କପାଇଁ ବିଶେଷ ବିଚାର୍ଯ୍ୟ ନୁହେଁ । ଠିକ୍ ପ୍ରଚାର କଲାପରି ସିଧାସଳଖ ଭାବରେ ନିଜର ବକ୍ତବ୍ୟ କହି ଦିଆଯିବ । ଏଠାରେ କହିବାରେ ବିଶେଷ କୌଶଳ ନାହିଁ, ବୁଦ୍ଧି ଚାତୁର୍ଯ୍ୟ ନାହିଁ । ଏକ କଥାରେ wit ବା irony ଏଠାରେ ଆବଶ୍ୟକହୀନ, ଉଦ୍ଦେଶ୍ୟ ପାଠକକୁ ନିଜ ମତରେ ପ୍ରଭାବିତ କରିବା (‘to move’) ।

 

ତେଣୁ ଏହାହିଁ ସମସ୍ୟା । ଆନ୍ତରିକତା କବିତାର ମୂଳ କଥା । ଏହା ଦ୍ୱିବିଧ । ଆର୍ନଲଡଙ୍କର ‘high seriousness’ ଧାରଣାରୁ ଏକ ଜାତୀୟ ଆନ୍ତରିକତାର ସୃଷ୍ଟି । ଏହା ସଜାଗ ରହି କାବ୍ୟରୁ ପରସ୍ପର ବିରୋଧୀ ଆବେଗକୁ ଦୂର କରିଦେଇ କବିର କୌଣସି ଏକ ବିଶିଷ୍ଟ ଆବେଗକୁ ସ୍ପଷ୍ଟ ଓ ପ୍ରାଞ୍ଜଳ କରେ । କିନ୍ତୁ ଅନ୍ୟ ପକ୍ଷରେ ଅନ୍ୟ ଏକ ଜାତୀୟ ଆନ୍ତରିକତା ଅନୁଭୂତିର ଜଟିଳତାକୁ ଅସ୍ୱୀକାର କରେନା, ବରଞ୍ଚ ପରସ୍ପର ବିରୋଧୀ ଓ ବିଭିନ୍ନ କାବ୍ୟ ଆବେଗକୁ ମିଳିତ କରି ଏକ ସୁଷମ ସାମଞ୍ଜସ୍ୟ ଆଣେ, ଓ Irony ଏବଂ witର ଏକ ସ୍ପଷ୍ଟ ସମନ୍ୱୟ ଆଣି କାବ୍ୟ-ପ୍ରାଣକୁ ବଳିଷ୍ଠ ଓ ଗଭୀର କରେ । ନୂତନ କବିତାର କବିତାଗୁଡ଼ିକୁ ଆଲୋଚନା କରିବା ପୂର୍ବରୁ ଏହି ସମସ୍ୟା ପ୍ରତି ଅବହିତ ରହିବାକୁ ପଡ଼ିବ ।

 

ତେଣୁ ଆଧୁନିକ ଓଡ଼ିଆ କବିତାର ପରିପ୍ରେକ୍ଷିରେ ବିଚାର କଲେ ନୂତନ କବିତାର ଯଥେଷ୍ଟ ଗୁରୁତ୍ୱ ରହିଛି । ଏଲିୟଟଙ୍କର ‘unification of sensibility’ ଓ dissociation of sensibility’ ମଧ୍ୟରେ ଯେତିକି ପ୍ରଭେଦ ନୂତନ କବିତା ଓ ଆଜିର ଓଡ଼ିଆ କବିତା ମଧ୍ୟରେ ଠିକ୍ ସେତିକି ପ୍ରଭେଦ । ଗୋଟିକୁ ଯଦି ‘ପରିତ୍ୟାଗ'ର କବିତା କୁହାଯିବ, ଅନ୍ୟଟି ‘ସମନ୍ୱୟ'ର କବିତା । ଏହି ସମନ୍ୱୟକ୍ଷମ ମାନସ ନୂତନ କବିତାର ବଡ଼ କଥା । ଏହାର ନୂତନତା କେବଳ କାବ୍ୟ-ଆବେଗ, ଆଙ୍ଗିକ ବା ଶୃଙ୍ଖଳାରେ ସୀମାବଦ୍ଧ ନୁହେଁ, କାବ୍ୟ ଅନ୍ତର୍ନିହିତ ଜୀବନ ପ୍ରତି ଦୃଷ୍ଟିଭଙ୍ଗୀ ମଧ୍ୟ ଓଡ଼ିଆ କବିତାରେ ଅଭିନବ । ଏହି ଦୃଷ୍ଟିଭଙ୍ଗୀ ସମ୍ପୂର୍ଣ୍ଣ ଭାବରେ ଆଧୁନିକ-ନିଶ୍ଚିତ ଭାବରେ ବିଂଶ ଶତାବ୍ଦୀର ସୃଷ୍ଟି । କେତେକ ବର୍ଷ ତଳେ ସଚ୍ଚି ରାଉତରାଙ୍କ ପାଣ୍ଡୁଲିପି ଓ ଭାନୁମତୀର ଦେଶରେ ଏହି ଦୃଷ୍ଟିଭଙ୍ଗୀର କିଛି କିଛି ନିଦର୍ଶନ ମିଳିଥିଲା । କିନ୍ତୁ ନୂତନ କବିତାରେ ଏହାର ସ୍ୱାକ୍ଷର ଅତି ସ୍ପଷ୍ଟ ଓ ନିର୍ଭୀକ । କ୍ରମକ୍ଷୟିଷ୍ଣୁ ରୋମାଣ୍ଟିକ୍ କାବ୍ୟ ପରମ୍ପରାର ଅନୁସରଣରେ ଯେ ଓଡ଼ିଆ କବିତାର ଭବିଷ୍ୟତ ବିକାଶ ଆଦୌ ସମ୍ଭବପର ନୁହେଁ ଏହି ସତ୍ୟ ଉପଲବ୍ଧି କଲେ ନୂତନ କବିତାର ପ୍ରକାଶଦ୍ୱାରା ଓଡ଼ିଆ କବିତାରେ ଏକ ନୂତନ, ଆଧୁନିକ ଓ ଶକ୍ତିଶାଳୀ କାବ୍ୟ-ଚେତନାର ବିକାଶ ହେବା ସଙ୍ଗେ ସଙ୍ଗେ ଓଡ଼ିଆ କବିତାର ଭବିଷ୍ୟତ ସମ୍ଭାବନା ସମ୍ପର୍କରେ ସ୍ପଷ୍ଟ ଓ ନିଶ୍ଚିତ ସୂଚନା ମିଳିବ ।

•••

 

ଆର୍ଯ୍ୟ, ଦ୍ରାବିଡ଼, ହିନ୍ଦୁ ଓ ଆଦିବାସୀ

ଶ୍ରୀ ପ୍ରିୟବ୍ରତ ଦାସ

 

କିଛିଦିନ ପରାଶ୍ରିତ ରହିବା ଫଳରେ ମନୁଷ୍ୟର ବ୍ୟକ୍ତିତ୍ୱ ହ୍ରାସ ପାଇଯାଏ । ଦୀର୍ଘ ଏକ ସହସ୍ର ବର୍ଷର ପରତନ୍ତ୍ରତା ଯୋଗୁଁ ଆମର ମୌଳିକ ଆଚାର-ବିଚାର ବିଦ୍ରୂପ ଓ ବିକୃତ ହୋଇପଡ଼ିଛି- ଏଥିରେ ବିସ୍ମିତ ହେବାର କାରଣ ନାହିଁ । ପ୍ରକୃତ ପକ୍ଷରେ ମହାଭାରତ ଯୁଦ୍ଧଠାରୁ ଅର୍ଥାତ୍ ଆଜକୁ ପ୍ରାୟ ପାଞ୍ଚସହସ୍ର ବର୍ଷ ଧରି ସାଂସ୍କୃତିକ ବିପର୍ଯୟ ମଧ୍ୟରେ ଭାରତୀୟ ମନୀଷା ଅଧିକାଂଶ ମାତ୍ରାରେ ନିଜକୁ ହଜାଇ ଦେଇଛି । ଦେହର ମୁଖ ଓ ବାହୁ ନିଷ୍କ୍ରିୟ ହୋଇ ପଡ଼ିଲେ ଯେଉଁ ଅବସ୍ଥା ସୃଷ୍ଟିହୁଏ, ରାଷ୍ଟ୍ର ମଧ୍ୟରେ ବ୍ରାହ୍ମ ଓ କ୍ଷାତ୍ର ଶକ୍ତିର ଅଭାବରେ ଠିକ୍ ତାହା ଘଟେ । ଭାରତ-ଯୁଦ୍ଧରେ ବ୍ରାହ୍ମଣ ଓ କ୍ଷତ୍ରିୟ ପ୍ରବୃତ୍ତିର ବହୁ ଲୋକ ନଷ୍ଟ ହେଲେ । ବ୍ୟକ୍ତିଗତ ଓ ରାଷ୍ଟ୍ରୀୟ ଜୀବନରେ ନେତୃତ୍ୱ ନେବାପାଇଁ ଆଦର୍ଶ ବ୍ୟକ୍ତିଙ୍କର ଅଭାବ ଦେଖାଦେଲା । ଭାରତ ସେତେବେଳଠାରୁ ସଂକଟ ମଧ୍ୟରେ ଦୁର୍ବଳ ହୋଇ ପରିଶେଷରେ ରାଜନୈତିକ ସ୍ୱାଧୀନତା ହରାଇ ବସିଲା । ଯବନ ରାଜତ୍ୱ କାଳରେ ଭାରତୀୟ ଧର୍ମଧାରା ଶାସନର ଦୌରାତ୍ମ୍ୟରୁ ରକ୍ଷା ପାଇବାପାଇଁ ରକ୍ଷଣଶୀଳ, ସଙ୍କୁଚିତ ଓ ଗତିହୀନ ହୋଇପଡ଼ିଲା । ଇଂରେଜ ରାଜତ୍ୱକାଳରେ ଭାରତୀୟ ସଂସ୍କୃତିକୁ ଭାରତୀୟଙ୍କଦ୍ୱାରା ଅପମାନିତ ଓ ବିଭକ୍ତ କରିବାପାଇଁ ଶାସନ ଓ ଶିକ୍ଷାନୀତିର ସମସ୍ତ ସମ୍ବଳ ବିନିଯୋଗ କରାଯାଇଥିଲା ।

 

ଯବନ, ଇଂରେଜ ପ୍ରଭୃତି ବିଦେଶୀ ଶାସକଗଣ ଶାସିତ ଜାତିର ସାଂସ୍କୃତିକ ଚେତନାକୁ ଗତିଭ୍ରଷ୍ଟ କରିବାପାଇଁ ଯେଉଁ ଚତୁର କୂଟନୀତି ପ୍ରୟୋଗ କରିଥିଲେ, ତାହା ଆଜି ସଫଳ ପ୍ରମାଣିତ ହୋଇଛି । ସ୍ୱତନ୍ତ୍ର ଭାରତରେ ମଧ୍ୟ ଏହି ଦେଶର ଅଧିକାଂଶ ନାଗରିକ ସେମାନଙ୍କ ବିଚାରଧାରାରେ ଦୀକ୍ଷିତ ହୋଇଛନ୍ତି । ଏହି ଗତି ଅବ୍ୟାହତ ରହିଲେ ଭବିଷ୍ୟତ ନାଗରିକମାନେ ଭୋଗବାଦୀ ବିଚାରର ଶିକାର ହେବେ ।

 

ଅଷ୍ଟମ ଶତାବ୍ଦୀ ପୂର୍ବରୁ ଶୁଣାଯାଇ ନ ଥିବା ତଥା ବେଦ, ବ୍ରାହ୍ମଣଗ୍ରନ୍ଥ, ଉପନିଷଦ, ସ୍ମୃତି, ଦର୍ଶନ, ରାମାୟଣ, ମହାଭାରତ, ପୁରାଣ, ଜୈନ-ବୌଦ୍ଧଗ୍ରନ୍ଥ ଏପରିକି ମଧ୍ୟଯୁଗୀୟ କାବ୍ୟ-ନାଟକ ଆଦିରେ କଥିତ ହୋଇ ନ ଥିବା ଗୋଟିଏ ବୈଦେଶିକ ଶବ୍ଦକୁ ଯବନ (ମୁସଲମାନ) ଶାସକଗଣ ଏହି ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରୟୋଗ କଲେ । ରାଜତୋଷଣ ଏବଂ ଦାସତ୍ୱ ଚାପରେ ପଡ଼ି ଉକ୍ତ ‘ହିନ୍ଦୁ' ଶବ୍ଦ ଆଜି ମଧ୍ୟ ଆମ ଧର୍ମ, ସଂସ୍କୃତି, ଜାତି ଓ ଗୁଣର ନାମ ରୂପରେ ପ୍ରସିଦ୍ଧ ହୋଇ ଆସୁଅଛି । ପରବର୍ତ୍ତୀ କାଳରେ ଇଂରେଜ ଶାସକଗଣ ଭାରତୀୟଙ୍କ ସ୍ୱାଧୀନ ଚେତନାକୁ ଉଦବୁଦ୍ଧ କରୁଥିବା ଏହି ଦେଶର ପ୍ରାଚୀନ ଗୌରବମୟ ଇତିହାସକୁ ବିକୃତ ରୂପରେ ପ୍ରଚାର କଲେ । ନୂତନ ଇତିହାସ ସୃଷ୍ଟି କରିବାପାଇଁ ବିଦେଶୀ ଐତିହାସିକଙ୍କୁ ଉତ୍ସାହ ଓ ଉତ୍କୋଚ ଦିଆଗଲା । କେତେକ ଭାରତୀୟ ନବ୍ୟସଭ୍ୟ ଅଧିକ ଅଗ୍ରସର ହୋଇ ବିଦେଶୀ ଐତିହାସିକଙ୍କର ଲେଖାଗୁଡ଼ିକୁ ଶୁଆ ପରି ରଡ଼ିଲେ । ତୋଷାମଦ କରି ସରକାରୀ ଉପାଧି ଗ୍ରହଣ କଲେ । ନବୀନ ଐତିହାସିକମାନେ ଲେଖିଲେ- ଇଂରେଜ, ମୋଗଲଙ୍କ ପରି ଆର୍ଯ୍ୟମାନେ ମଧ୍ୟ ଏହି ଦେଶରେ ବିଦେଶୀ । ଦ୍ରାବିଡ଼ ସଂସ୍କୃତି ଆର୍ଯ୍ୟ ସଂସ୍କୃତିଠାରୁ ପୃଥକ୍ ଏବଂ ପୁରାତନ । କହିବା ବାହୁଲ୍ୟ ଯେ ପ୍ରାଚୀନ ଭାରତୀୟ ଇତିହାସ ଯାହାର ଧାରା ବେଦଠାରୁ ପୁରାଣ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ପ୍ରବାହିତ ହୋଇଛି, ତାହାର ବିନା ସହାୟତାରେ ଏହି ଇତିହାସ ରଚିତ ହେଲା ।

 

ଭାରତୀୟ ପ୍ରାଚୀନ ସାହିତ୍ୟରେ କୁତ୍ରାପି ଆର୍ଯ୍ୟଙ୍କ ଭାରତ ଆଗମନ ଓ ଆର୍ଯ୍ୟ ଦ୍ରାବିଡ଼ ଯୁଦ୍ଧ ବିଷୟ ସ୍ମରଣ କରାଯାଇ ନାହିଁ । ମନୁଷ୍ୟର ଆଦିମ ସଭ୍ୟତା ପ୍ରାଚୀନ ଓ ନୂତନ ପ୍ରସ୍ତରଯୁଗ ମାଧ୍ୟମରେ ବିକାଶ ଲାଭ କରିଥିଲା- ଏହା ମଧ୍ୟ ଏକ ନବୀନ ଆବିଷ୍କାର ଯାହାର ପ୍ରମାଣ ବୈଦିକ ସାହିତ୍ୟରେ ଦେଖିବାକୁ ମିଳେ ନାହିଁ । ଇତିହାସ (ଇତି-ହ+ଆସ) ଅର୍ଥ ‘ଏହା ନିଶ୍ଚିତ ରୂପରେ ଘଟିଥିଲା ।' ଭାରତୀୟଙ୍କ ଇତିହାସ ଭାରତୀୟ ଧର୍ମଶାସ୍ତ୍ରମାନଙ୍କରେ ହିଁ ଖୋଜିବାକୁ ପଡ଼ିବ ।

 

ଏହି ଲଘୁ ପ୍ରବନ୍ଧରେ ଆଧୁନିକବାଦୀଙ୍କ ସମସ୍ତ ତଥ୍ୟ ବିଶ୍ଳେଷଣ କରିବା ସମ୍ଭବ ନୁହେଁ-। ଜନସାଧାରଣଙ୍କଦ୍ୱାରା ବ୍ୟବହୃତ ଅଥଚ ଆଧୁନିକ କାଳରେ ବିଭ୍ରାନ୍ତିକର ଅର୍ଥ ଗ୍ରହଣ କରିଥିବା କେତୋଟି ଶବ୍ଦ ଯଥା-ଆର୍ଯ୍ୟ, ଦ୍ରାବିଡ଼, ହିନ୍ଦୁ ଓ ଆଦିବାସୀ- ଏହି ଚାରୋଟି ବିଷୟରେ ଏଠାରେ ସଂକ୍ଷିପ୍ତ ଆଲୋଚନା କରାଯାଉଛି ।

 

ବୈଦିକ ସାହିତ୍ୟରେ ପ୍ରାଚୀନ ଜାତି ବା ବଂଶବିଶେଷକୁ ଆର୍ଯ୍ୟବୋଲି କୁହାଯାଇ ନାହିଁ-। ଆର୍ଯ୍ୟ ଏକ ଗୁଣବାଚୀ ଶବ୍ଦ । ବେଦର ମନ୍ତ୍ରଦ୍ରଷ୍ଟା ଋଷିଙ୍କଠାରୁ ଆରମ୍ଭ କରି ଶ୍ରୀ ଅରବିନ୍ଦଙ୍କ ପର୍ଯ୍ୟନ୍ତ ଆଧୁନିକ କାଳର ତତ୍ତ୍ୱଦ୍ରଷ୍ଟା ପୁରୁଷଗଣ ଆର୍ଯ୍ୟ ଶବ୍ଦକୁ ନାମବାଚୀ କହିନାହାନ୍ତି । ଉଦାହରଣ ସ୍ୱରୂପ ଶ୍ରୀ ଅରବିନ୍ଦ କହିଛନ୍ତି- ‘ମାନବ ବିକାଶରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଦୁର୍ଗୁଣଗୁଡ଼ିକୁ ପରିତ୍ୟାଗ କରି ଆଦର୍ଶ ପୁରୁଷକାର ଅଧିଷ୍ଠାନ କରିବା ବ୍ୟକ୍ତି ଆର୍ଯ୍ୟ ଅଟେ । ସତ୍ୟ ଓ ମୁକ୍ତିପଥର ପଥିକର ନାମ ଆର୍ଯ୍ୟ ଅଟେ ।’ ନିରୁକ୍ତକର୍ତ୍ତା ଯାସ୍କ, ବ୍ୟାକରଣକର୍ତ୍ତା ପାଣିନି, ଧର୍ମସୂତ୍ରକାର ଗୌତମ, କାବ୍ୟକର୍ତ୍ତା ବାଲ୍ମୀକି ଓ କୃଷ୍ଣ ଦ୍ୱୈପାୟନ ବ୍ୟାସ- ଏ ସମସ୍ତେ ‘ଆର୍ଯ୍ୟ' ଶବ୍ଦକୁ ଗୁଣବାଚୀ ଯଥା ଉଦାର, ନମ୍ର, ସଜ୍ଜନ, ସାହସୀ ଅର୍ଥରେ ବ୍ୟବହାର କରିଛନ୍ତି । କେହିହେଲେ ଏଥିରୁ ଐତିହାସିକ ଜାତିବିଶେଷକୁ ସ୍ମରଣ କରିନାହାନ୍ତି । ବେଦରେ ଆର୍ଯ୍ୟର ବିପରୀତ ଗୁଣଗୁଡ଼ିକୁ ଦସ୍ୟୁ କୁହାଯାଇଛି । ରାମାୟଣରେ ସୀତା ରାମଚନ୍ଦ୍ରଙ୍କୁ, ଲକ୍ଷ୍ମଣ କୌଶଲ୍ୟାଙ୍କୁ ଆର୍ଯ୍ୟ-ଆର୍ଯ୍ୟା ନାମରେ ସମ୍ବୋଧନ କରିଛନ୍ତି । ମହାଭାରତରେ ଆର୍ଯ୍ୟ, ଆର୍ଯ୍ୟମତି, ଆର୍ଯ୍ୟପ୍ରତିଜ୍ଞା ପ୍ରଭୃତି ଗୁଣବାଚକ ପଦ ମିଳେ । ଗୌରବବୋଧକ ଆର୍ଯ୍ୟ ଶବ୍ଦକୁ ବୌଦ୍ଧାଚାର୍ଯ୍ୟମାନେ ଆର୍ଯ୍ୟବେଦ, ଆର୍ଯ୍ୟସିଂହ ନାମରେ ଏବଂ ଜୈନ ସାଧ୍ୱୀମାନେ ଆରଜା (ଆର୍ଯ୍ୟା) ନାମରେ ଗ୍ରହଣ କରିଥିଲେ । ତେଣୁ ଶ୍ରେଷ୍ଠ ସ୍ୱଭାବଯୁକ୍ତ ଓ ସତ୍ୟାନ୍ୱେଷୀ ମନୁଷ୍ୟ ଆର୍ଯ୍ୟ ଅଟନ୍ତି ।

 

‘ଦ୍ରୁ-ଗତୌ' ଧାତୁରୁ ଦ୍ରମିଳ ଶବ୍ଦ ନିଷ୍ପନ୍ନ । ଦ୍ରମିଳର ଅପଭ୍ରଂଶ ଦ୍ରାବିଡ଼ । ଆର୍ଯ୍ୟ ଶବ୍ଦ ‘ଋ' ଧାତୁରୁ ଉତ୍ପନ୍ନ ଯାହାର ଅର୍ଥ-ଗତି, ଜ୍ଞାନ ଓ ପ୍ରାପ୍ତି । ସୁତରାଂ ଆର୍ଯ୍ୟ ଓ ଦ୍ରମିଳ (ଦ୍ରାବିଡ଼) ଉଭୟ ପ୍ରଗତିଶୀଳ ପୁରୁଷଙ୍କୁ ବୁଝାଏ । ମନୁସ୍ମୃତିରେ ପୌଣ୍ଡ୍ର, ଦ୍ରାବିଡ଼ାଦିଙ୍କୁ ଆର୍ଯ୍ୟସଂସ୍କୃତିର ଅନ୍ତର୍ଗତ କ୍ଷତ୍ରିୟଙ୍କ ନାମରେ କୁହାଯାଇଛି । ଐତରେୟ ବ୍ରାହ୍ମଣରେ ବର୍ଣ୍ଣିତ ଅଛି ଯେ ପୁଂଡ଼୍ର, ଆନ୍ଧ୍ର ପ୍ରଭୃତି ବିଶ୍ୱାମିତ୍ରଙ୍କ ସନ୍ତାନ ଥିଲେ । ନିରୁକ୍ତକର୍ତ୍ତା ଯାସ୍କ ଦକ୍ଷିଣାଜୀ ଶବ୍ଦ ପ୍ରୟୋଗ କରିଛନ୍ତି ଯାହାର ଅର୍ଥ ଆର୍ଯ୍ୟସଂସ୍କୃତି ଅନ୍ତର୍ଗତ ଦକ୍ଷିଣ ଦିଗର ବାସ କରୁଥିବା ବ୍ୟକ୍ତି । ନେସ୍‌ଫିଲଡ଼ ‘ଭାରତରେ ଜାତି ବିଭାଗ' ସମ୍ବନ୍ଧରେ ଆଲୋଚନା କରିବାବେଳେ ସ୍ପଷ୍ଟ ଭାବରେ ଲେଖିଛନ୍ତି- ‘ଭାରତୀୟଙ୍କ ମଧ୍ୟରେ ଆର୍ଯ୍ୟବିଜେତା ଓ ମୂଳନିବାସୀ ଏପରି ପୃଥକ୍ ବିଭାଗ ନାହିଁ ।' ‘ତମୁକାଂକ୍ଷାୟାଂ' (ଉଚ୍ଚ ଅଭିଳାଷ)- ଧାତୁରୁ ‘ତମିଳ' ଶବ୍ଦ ଉତ୍ପନ୍ନ । ତମିଳ (ତାମିଲ) ଭାଷାର ପ୍ରସିଦ୍ଧ କବି ତୁକ୍କଳ ମହୋଦୟ ଲେଖିଛନ୍ତି ଯେ ଦ୍ରାବିଡ଼ୋପନିଷଦ ଚାରିବେଦର ଅନୁସରଣରେ ଲିଖିତ । ମହାନ୍ ଆର୍ଯ୍ୟ ପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ଚରିତ ଦ୍ରାବିଡ଼ ମହାକବି କମ୍ବଙ୍କଦ୍ୱାରା ରଚିତ ହୋଇଛି । ଦାକ୍ଷିଣାତ୍ୟରେ ବାସ କରୁଥିବା ଅୟର, ଆୟଂଗାର ପ୍ରଭୃତି ଆର୍ଯ୍ୟ ଶବ୍ଦର ଅପଭ୍ରଂଶ । ସେଠାରେ ପ୍ରଚୁର ପରିମାଣରେ ଉତ୍ପନ୍ନ ହେଉଥିବା ଚନ୍ଦନ ଓ କର୍ପୂରକୁ ଗନ୍ଧମ ଓ କରପୁ କୁହାଯାଏ, ଯାହା ସ୍ପଷ୍ଟ ଭାବରେ ଆର୍ଯ୍ୟଭାଷାର ଅପଭ୍ରଂଶ ଅଟେ । ଯେଉଁମାନେ ମହେଞ୍ଜୋଦାରୋ ଓ ହରପ୍‌ପା ନାମ ନେଇ ଦ୍ରାବିଡ଼ଙ୍କୁ ଆର୍ଯ୍ୟ ସଂସ୍କୃତିଠାରୁ ପୃଥକ୍ ଏବଂ ପୁରାତନବୋଲି ପ୍ରଚାର କରୁଛନ୍ତି, ସେମାନେ ଭାରତୀୟ ଇତିହାସର ପ୍ରମାଣସିଦ୍ଧ ତଥ୍ୟ ସହିତ ପରିଚିତ ନୁହନ୍ତି । ମହେଞ୍ଜୋଦାରୋରୁ ମିଳୁଥିବା ଭୂଖୋଦିତ ସାମଗ୍ରୀର ରଚନା-କୌଶଳ ବୈଦିକ ସାହିତ୍ୟରେ ଦେଖାଯାଏ । ଆର୍ଯ୍ୟ-ଦ୍ରାବିଡ଼ ସଂସ୍କୃତିର ଅଭିନ୍ନତା ବିଷୟରେ ପ୍ରାଚୀନ ସାହିତ୍ୟରେ ସ୍ପଷ୍ଟ ପ୍ରମାଣ ଥିବା ସତ୍ତ୍ୱେ ରାଜନୈତିକ କାରଣରୁ ବିଭେଦ ସୃଷ୍ଟି କରାଯାଇଛି ।

‘ହିନ୍ଦୁ’ ବୈଦିକ ଶବ୍ଦ ନୁହେ । ବେଦ, ବ୍ରାହ୍ମଣଗ୍ରନ୍ଥ, ଆରଣ୍ୟକ, ଉପନିଷଦ, ବ୍ୟାକରଣ, ନିରୁକ୍ତାଦି ବେଦାଙ୍ଗ, ନ୍ୟାୟାଦି ଦର୍ଶନ ଶାସ୍ତ୍ର, ରାମାୟଣ, ମହାଭାରତ ଆଦି ଇତିହାସ ଗ୍ରନ୍ଥ, ଅଷ୍ଟାଦଶ ପୁରାଣ, ବୌଦ୍ଧ ଜୈନ ଗ୍ରନ୍ଥ, ରଘୁବଂଶାଦି ମଧ୍ୟଯୁଗୀୟ କାବ୍ୟ-କେଉଁଠାରେ ଏହି ଶବ୍ଦର ଉଲ୍ଲେଖ ନାହିଁ । ତୁଳସୀଦାସ ପ୍ରାୟ ଚାରିଶହ ବର୍ଷ ପୂର୍ବେ ରଚନା କରିଥିବା ରାମଚରିତମାନସରେ ମଧ୍ୟ ହିନ୍ଦୁ ଶବ୍ଦକୁ ବ୍ୟବହାର କରିବା ଉଚିତ ମନେ କରିନାହାନ୍ତି । ହିନ୍ଦୁ ଶବ୍ଦର ଅର୍ବାଚୀନତା ସମ୍ବନ୍ଧରେ ନିମ୍ନଲିଖିତ ଦୁଇଟି ଉଦାହରଣ ଯଥେଷ୍ଟ ହେବ । ବିକ୍ରମାବ୍ଦ ୧୯୩୭ ଶ୍ରାବଣ କୃଷ୍ଣପକ୍ଷ ପ୍ରତିପଦା ଦିନ କାଶ୍ମୀରର ଛୟାଳିଶ ଜଣ ପଣ୍ଡିତ ଗୋଟିଏ ବ୍ୟବସ୍ଥାପତ୍ରରେ ସ୍ପଷ୍ଟ ଘୋଷଣା କରିଥିଲେ । ଆମ୍ଭମାନଙ୍କର ନାମ ହିନ୍ଦୁ ନୁହେ, ଏହା ଯବନଙ୍କଦ୍ୱାରା ଦିଆଯାଇଥିବା ନାମ ଅଟେ । ସପ୍ତମ ଶତାବ୍ଦୀରେ ଭାରତକୁ ଆସିଥିବା ଚୀନ ପରିବ୍ରାଜକ ହୁଏନ୍‌ସାଂ ଲେଖିଥିଲେ- ଉତ୍ତରାଞ୍ଚଳର ମୋଗଲ, ତୁର୍କୀ ପ୍ରଭୃତି ଜାତି ଆର୍ଯ୍ୟଦେଶକୁ ହିନ୍ଦ କହନ୍ତି । ଭାରତବାସୀ ଏହି ସଂଜ୍ଞାକୁ ଜାଣନ୍ତି ନାହିଁ । ଏହି ଦେଶର ଯଥାର୍ଥ ନାମ ଆର୍ଯ୍ୟଦେଶ ।

କେତେକ ଐତିହାସିକ କହନ୍ତି ଯେ ପାର୍ସିଆନମାନେ ‘ସ'କୁ ‘ହ' ଉଚ୍ଚାରଣ କରୁଥିବାରୁ ସେମାନେ ସିନ୍ଧୁ ନିକଟବର୍ତ୍ତୀ ଦେଶକୁ ହିନ୍ଦୁ କହିଲେ । ତାହାହେଲେ ପ୍ରଶ୍ନ ହୁଏ ଯେ, ସର୍ବପ୍ରଥମେ ସିନ୍ଧୁଦେଶ ଯବନଙ୍କଦ୍ୱାରା ଆକ୍ରାନ୍ତ ହୋଇଥିବା ସ୍ଥଳେ ଆଜି ପର୍ଯ୍ୟନ୍ତ ସେ ଦେଶକୁ ସିନ୍ଧୁ ହିଁ କୁହାଯାଉଛି ଓ ସମୀପବର୍ତ୍ତୀ ନଦୀ ସିନ୍ଧୁ ନାମରେ ପରିଚିତ । ସିନ୍ଧୁ ଓ ହିନ୍ଦୁ ଶବ୍ଦ ପାର୍ସିଆନ ଭାଷାରେ ଏକତ୍ର ବ୍ୟବହୃତ ହେଉଛି । ସୁତରାଂ ଉଭୟ ଯେ ପୃଥକ୍ ଶବ୍ଦ ଏଥିରେ ସନ୍ଦେହ ନାହିଁ । ଅନିସନ୍ଧିତ୍ସୁ ପାଠକ ଯଦି ପାର୍ସିଆନ ଭାଷାରେ କୌଣସି ପଣ୍ଡିତମାନଙ୍କଠାରୁ ହିନ୍ଦୁ ଶବ୍ଦର ଅର୍ଥ ବୁଝିବେ, ତାହାହେଲେ ନିଜପାଇଁ ତାହା ବ୍ୟବହାର କରିବାପାଇଁ ଲଜ୍ଜିତ ହେବେ । ଦୁର୍ଜନତୋଷ ନ୍ୟାୟରେ ନବୀନବାଦୀଙ୍କ ମତାନୁଯାୟୀ ଯଦି ହିନ୍ଦୁକୁ ସିନ୍ଧୁର ଅପଭ୍ରଂଶବୋଲି ମାନି ନିଆଯାଏ, ତାହାହେଲେ ମଧ୍ୟ ଏହି ଶବ୍ଦଦ୍ୱାରା ଏକ ଗୌରବମୟ ସଂସ୍କୃତି, ଜାତି, ଦେଶ ଓ ଧର୍ମର ନାମକରଣ କରିବା କେଉଁ ବିଜ୍ଞତାର ପରିଚାୟକ ଅଟେ ? ବୈଦିକ କୋଷରେ ହିନ୍ଦୁଠାରୁ ଅଧିକ ପ୍ରେରଣାଦାୟକ, ସାର୍ଥକ, ଶବ୍ଦ ଆଉ କ'ଣ ନାହିଁ ?

ଆଜିକାଲି ଆମ ଦେଶର ବଣଜଙ୍ଗଲରେ ବାସ କରୁଥିବା ଅସଭ୍ୟ ଲୋକଙ୍କୁ ଆଦିବାସୀ କୁହାଯାଉଛି । ଏମାନଙ୍କର ଅର୍ଥନୀତି ଓ ସାଂସ୍କୃତିକ ମାନବୃଦ୍ଧି କରିବା ଏକାନ୍ତ ଆବଶ୍ୟକ ଏବଂ ଏହି ଆବଶ୍ୟକତା ପୂରଣ ଦିଗରେ ମଧ୍ୟଯୁଗୀୟ ଧର୍ମାଚାର୍ଯ୍ୟନେ ଉଦାସୀନ ଥିଲେ- ଏଥିରେ ଦୁଇମତ ନାହିଁ । ପରନ୍ତୁ ଏମାନଙ୍କୁ ଆଦିବାସୀ ବା ଆଦିମବାଦୀ କହିବାରେ କୌଣସି ଐତିହାସିକ ଯୁକ୍ତି ନାହିଁ । ପାଶ୍ଚାତ୍ୟ ବିକାଶବାଦୀଙ୍କର ମତରେ ମନୁଷ୍ୟ କ୍ଷୁଦ୍ର ଅମୀବାଠାରୁ ବିକାଶଲାଭ କରି ଧୀରେ ଧୀରେ ଜନ୍ମ ହେଲା । ଆଦିମ ମନୁଷ୍ୟ ଅତ୍ୟନ୍ତ ଅସଭ୍ୟ ବର୍ବର ଥିଲା । କାଳକ୍ରମେ ମନୁଷ୍ୟ ବିକାଶବାଦୀ ଧାରାରେ ସଭ୍ୟ ଓ ସଂସ୍କୃତି ସମ୍ପନ୍ନ ହେଉଛି । ଏଭଳି ମତ ଦେଉଥିବା ଲୋକମାନେ ବଣଜଙ୍ଗଲରେ ବାସ କରୁଥିବା ଅସଭ୍ୟ ଲୋକଙ୍କୁ ଆଦିମବାସୀ କହନ୍ତି ।

ଡାରବିନ୍‌, ସ୍ପେନସର୍ ପ୍ରଭୃତି ବିକାଶବାଦୀଙ୍କ ପରବର୍ତ୍ତୀ ବଂଶଧରମାନେ ବିକାଶ ତଥ୍ୟକୁ ସ୍ୱୀକାର କରିନାହାନ୍ତି । ସୃଷ୍ଟି ଆରମ୍ଭରୁ ମନୁଷ୍ୟ, ପଶୁପକ୍ଷୀ, କୀଟପତଙ୍ଗାଦି ସମସ୍ତ ଯୋନିର ଜୀବ ଉତ୍ପନ୍ନ ହୋଇ ଆସୁଛନ୍ତି- ଏହି ବୈଦିକ ସିଦ୍ଧାନ୍ତ ସ୍ୱୀକୃତି ହେଉଛି । ପାଶ୍ଚାତ୍ୟ ବୈଜ୍ଞାନିକ କହିଲେଣି ଯେ ଅମୀବାଠାରୁ ମନୁଷ୍ୟ ପର୍ଯ୍ୟନ୍ତ ବିକାଶର ଶୃଙ୍ଖଳା ମିଳୁନାହିଁ । ପ୍ରାଚୀନତମ ଅସ୍ଥି ବିଶେଷରୁ ମନୁଷ୍ୟ ଅସ୍ତିତ୍ୱର ପ୍ରମାଣ ମିଳୁଛି, ମନୁଷ୍ୟ ପ୍ରକୃତ ପକ୍ଷରେ ଉନ୍ନତ ଅବସ୍ଥାରୁ ଅବନତ ଦିଗକୁ ଗତି କରୁଛି ଇତ୍ୟାଦି । ବିକାଶବାଦ ସତ୍ୟ ହୋଇଥିଲେ ବର୍ତ୍ତମାନ କାହିଁକି ବିକାଶରେ ଶୃଙ୍ଖଳା ବନ୍ଦ ହୋଇଯାଇଛି । ପ୍ରାଚୀନ ମହାନ୍ ବୈଦିକ ସଂସ୍କୃତି କି ହେତୁ ଲୁପ୍ତପ୍ରାୟ ହୋଇଛି? ବିକାଶବାଦ ବିପକ୍ଷରେ ଏପରି ଅନେକ ପ୍ରଶ୍ନ ରହିଛି ଯାହାର ସନ୍ତୋଷଜନକ ଉତ୍ତର ପାଇବା ସମ୍ଭବ ନୁହେଁ । ଯଦି ପ୍ରାରମ୍ଭିକ କାଳରେ ମନୁଷ୍ୟ ଉନ୍ନତ ଜ୍ଞାନ ପ୍ରାପ୍ତ ହୋଇ ନ ଥାନ୍ତା, ତାହାହେଲେ ବର୍ଣ୍ଣାତ୍ମକ ଭାଷା ବ୍ୟବହାର କରିପାରନ୍ତା ନାହିଁ । ଶିଶୁକୁ ବଣଜଙ୍ଗଲରେ ବହୁ ବର୍ଷ ରଖିବା ପରେ ତା'ଠାରେ ଯେଉଁ ବ୍ୟବହାର ଦେଖାଯାଏ, ତାହା ପଶୁପକ୍ଷୀଙ୍କ ପରି ସମାନ । ସୂର୍ଯ୍ୟ, ବାୟୁ, ଜଳ ପ୍ରଭୃତି ପଦାର୍ଥ ପରି ମନୁଷ୍ୟଙ୍କପାଇଁ ଜ୍ଞାନ ଓ ବାଣୀ ମଧ୍ୟ ଆଦିମ ସୃଷ୍ଟିରେ ପ୍ରକଟିତ ହୋଇଥିଲେ । ମହାନ୍ ଐତିହାସିକ ମନୁ, ବେଦବ୍ୟାସ ପ୍ରଭୃତି ମନୀଷୀମାନେ କହିଛନ୍ତି ଯେ ବେଦରୂପୀ ଜ୍ଞାନ ଓ ବାଣୀରୁ ସକଳ ନାମ ଓ କ୍ରିୟାର ପରମ୍ପରା ସୃଷ୍ଟି ହେଲା । ଆନନ୍ଦର ବିଷୟ ଯେ ଆଧୁନିକତମ ବୈଜ୍ଞାନିକମାନେ ବୌଦ୍ଧିକ ବିକାଶର ଖଣ୍ଡନ ପୂର୍ବକ ଆଦିମ ସଂସ୍କୃତି ଉନ୍ନତ ଥିବା ବିଷୟ ସ୍ୱୀକାର କରୁଛନ୍ତି ।

 

ଅସଭ୍ୟବୋଲି ଯାହାଙ୍କୁ ଆଦିବାସୀ କୁହାଯାଉଛି, ସେମାନେ ମଧ୍ୟକାଳୀନ ସାମାଜିକ ଅବ୍ୟବସ୍ଥା ଫଳରେ ଅବହେଳିତ ହୋଇଥିବା ଜାତିସମୂହ ଅଟନ୍ତି । ଗ୍ରାମାଞ୍ଚଳରେ ଅସ୍ପୃଶ୍ୟ ନାମରେ ଲାଞ୍ଛିତ ଜାତିମାନେ ଅଦ୍ୟାପି ରହିଛନ୍ତି । ଏ ସମସ୍ତଙ୍କର ଉନ୍ନତି- ବିଧାନ ରାଷ୍ଟ୍ରର ମୁଖ୍ୟ କର୍ତ୍ତବ୍ୟ । ବଣଜଙ୍ଗଲରେ ବାସ କରୁଥିବା ଲୋକଙ୍କୁ ଆଦିବାସୀ ନ କହିବା ଯୁକ୍ତିଯୁକ୍ତ ହେବ । ତଥାକଥିତ ଏହି ଆଦିବାସୀଙ୍କ ଭାଷା ଓ ସଂସ୍କୃତିର ବିକାଶପାଇଁ ଗବେଷଣା କରାଯାଉଛି । ସେମାନଙ୍କ କଥିତ ଭାଷାକୁ ଲିଖିତ ଓ ପ୍ରସାରିତ କରିବା ଉଦ୍ୟମ ହେଉଛି । ପ୍ରଚାର କରାଯାଉଛି ଯେ ଦ୍ରାବିଡ଼ଙ୍କ ପରି ଏମାନଙ୍କର ପୃଥକ୍ ସଂସ୍କୃତି ରହିଛି । ଏଭଳି ପ୍ରଚାର ଫଳରେ ଯେଉଁ ସୁଦୂର ପ୍ରସାରୀ ରାଜନୈତିକ ପରିଣାମ ଉପୁଜିବ. ତାହା ବର୍ତ୍ତମାନ ସମୟରେ ମିଜୋ, ନାଗା ସମସ୍ୟାଠାରୁ ବଳିଯିବ କି ନାହିଁ, ତାହା ରାଜନେତାମନେ ବିଚାରିବା ଉଚିତ ।

 

ପ୍ରିୟ ପାଠକଗଣ! ସ୍ୱାଧୀନ ବିଚାର ଓ ଅଧିକାର ପ୍ରାପ୍ତିପାଇଁ ବିଗତ ଏକ ସହସ୍ର ବର୍ଷ ମଧ୍ୟରେ ଆମ ପୂର୍ବପୁରୁଷଙ୍କ ବଳିଦାନର ଇତିହାସ ଅବିଦିତ ନୁହେଁ । ଆଜି ରାଜନୈତିକ ସ୍ୱତନ୍ତ୍ରତା ପ୍ରାପ୍ତି ପରେ କେଉଁ ପ୍ରତିବନ୍ଧକ ରହିଛି ଯେ, ସାଂସ୍କୃତିକ ଦାସତ୍ୱରୁ ଉଦ୍ଧାର ପାଇବାପାଇଁ ଆମ୍ଭେମାନେ ସ୍ୱତନ୍ତ୍ର ଭାବରେ ବିଚାର ଏବଂ ଆଚରଣ କରିବା ନାହିଁ ?

•••

 

ବିପ୍ଳବ

ଡକ୍ଟର କୃଷ୍ଣଚରଣ ବେହେରା

 

ଆଜିକାଲି କଥା କଥାକେ ଚାରିଆଡ଼େ ‘ବିପ୍ଳବ' ଶବ୍ଦ ଉଚ୍ଚାରିତ ହୋଇଥାଏ । ଅମୁକ କବି ଆଧୁନିକ ସାହିତ୍ୟ- ଇତିହାସରେ ବିପ୍ଳବ ସୃଷ୍ଟି କରିଛନ୍ତି- ଅମୁକ ମହାପାତ୍ର ଜଣେ ବିପ୍ଳବୀ ଛାତ୍ରନେତା- ତରାସିଆ ଟେକ୍ସଟାଇଲ୍‌ସ ହାଲ୍ ଫେସନ୍‌ରେ ବିପ୍ଳବ ଆଣିଛନ୍ତି- ଗମନାଗମନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ, ସୁପରସୋନିକ୍ ଏରୋପ୍ଳେନ୍‌ର ଆକାଶଯାତ୍ରା- ବ୍ୟାଙ୍କ୍ ଜାତୀୟକରଣଦ୍ୱାରା ଦେଶର ଅର୍ଥନୀତିକ କ୍ଷେତ୍ରରେ ମହାବିପ୍ଳବ- ଏ ଭଦ୍ରବ୍ୟକ୍ତିଙ୍କି ଜାଣନ୍ତି କି ? ଏ ହେଉଛନ୍ତି ବିପ୍ଳବୀ ଜନସେବକ ଶ୍ରୀ ପଟ୍ଟନାୟକ, ଇତ୍ୟାଦି ଇତ୍ୟାଦି । ‘ବିପ୍ଳବ' କଥାଟା ଏବେ କିଏ ବ୍ୟବହାର ନ କରୁଚି ଏବଂ କେଉଁଠି ବ୍ୟବହୃତ ନ ହେଉଛି, କହି ହେବ ନାହିଁ ।

 

କିନ୍ତୁ ବିପ୍ଳବ କଥାଟା ସବୁବେଳେ ଯେ ଠିକ୍ ଅର୍ଥରେ ବ୍ୟବହାର କରାଯାଉଛି, ତହିଁରେ ଏହି ଆଲୋଚକର ଘୋର ସନ୍ଦେହ ଅଛି । ଆଜିକାଲି ଶିକ୍ଷାନୁଷ୍ଠାନମାନଙ୍କରେ ‘ଶୃଙ୍ଖଳା' ଶବ୍ଦ ପରି, ସମାଜରେ ‘ବିପ୍ଳବ' ବିଶେଷ ଭାବରେ ଅପବ୍ୟବହୃତ ଏକ ଶବ୍ଦ । ଅଧ୍ୟକ୍ଷ, ମନ୍ତ୍ରୀ ବା ନିଜର ଗୁରୁଜନସ୍ଥାନୀୟ ଅଭିଭାବକଙ୍କୁ ଅପଦସ୍ତ, ଅପମାନିତ କରି ଛାତ୍ରନେତା ଯେତେବେଳେ ନିଜକୁ ‘ବିପ୍ଳବୀ' ବୋଲାଉଛନ୍ତି, ଅଥବା ତରାସିଆ ଟେକ୍‌ସଟାଇଲ୍‌ସ ସଭ୍ୟ-ମନୁଷ୍ୟର ଆବ୍ରୁ ଓ ରୁଚିବୋଧକୁ ଭ୍ରୂକ୍ଷେପ ନ କରି ଫେସନ୍‌ରେ ବିପ୍ଳବ ଆଣୁଥିବାର ବଡ଼ାଇ କରୁଛନ୍ତି, ସେତେବେଳେ ‘ବିପ୍ଳବ' କଥାଟିର ନିଶ୍ଚିତରୂପେ ଅପବ୍ୟବହାର କରାଯାଉ ନାହିଁ କି ?

 

ବିପ୍ଳବ କଥାଟିର ଅର୍ଥ ବଡ଼ ଗଭୀର ଓ ତାତ୍ପର୍ଯ୍ୟପୂର୍ଣ୍ଣ । ଏହାର ଅର୍ଥ- ଭଲ ଦିଗକୁ ଗମନ କରିବା ବା ଲମ୍ଫ ଦେବା । ଉନ୍ନତି ଦିଗରେ ଉତ୍ତରଣ ହେଉଛି ଏହାର ପ୍ରକୃତ ମର୍ମ । ଏବେ ‘ବିପ୍ଳବ' ଅର୍ଥରେ ଅନେକେ ଭଙ୍ଗାରୁଜା ଓ ଉତ୍ତେଜନାମୂଳକ କାର୍ଯ୍ୟକୁ ବୁଝୁଛନ୍ତି । ହିଂସାକାଣ୍ଡ, ଭଙ୍ଗାରୁଜା ବା ଉତ୍ତେଜନାମୂଳକ କାର୍ଯ୍ୟ ବିପ୍ଳବ ମଧ୍ୟରେ ଅତ୍ୟନ୍ତ ଗୌଣ ଓ ନଗଣ୍ୟ ସ୍ଥାନ ପାଇଥାଏ- ପ୍ରାଥମିକ ଅବସ୍ଥାରେ ଏକ ଉପାୟରୂପେ ଏପରି କାର୍ଯ୍ୟକଳାପ ବେଳେ ବେଳେ ଗୃହୀତ ହୋଇଥାଏ । ମାତ୍ର ବିପ୍ଳବର ଅସଲ ଲକ୍ଷ୍ୟ ଗଠନମୂଳକ ଓ ସର୍ଜନାତ୍ମକ; ଏହା ନାସ୍ତିବାଚକ ନୁହେଁ, ଅସ୍ତିବାଚକ । ବିପ୍ଳବ, ଭାଙ୍ଗିବାଠାରୁ ଗଢ଼ିବା କାର୍ଯ୍ୟଟି ଅଧିକ କରିଥାଏ । ବିପ୍ଳବ ଫଳରେ କୌଣସି ଜାତି ବା ସମାଜ, ଯେଉଁ କଲ୍ୟାଣକର ପରିବର୍ତ୍ତନ ଦିଗକୁ ଲମ୍ଫ ଦିଏ, ସେହି ପରିବର୍ତ୍ତନ ଉତ୍କୃଷ୍ଟତର, ବ୍ୟାପକ ଓ ସୁଦୂରପ୍ରସାରୀ ହୋଇଥାଏ । ଚଳିତ ଶତାବ୍ଦୀର ଦ୍ୱିତୀୟ ଦଶକରେ ସଂଘଟିତ ରୁଷିଆର ସମାଜତାନ୍ତ୍ରିକ ବିପ୍ଳବ, ଅଥବା ଅଷ୍ଟାଦଶ ଶତାବ୍ଦୀ ଶେଷଭାଗରେ ସଂଘଟିତ ଇଂଲଣ୍ଡର ଶିଳ୍ପ-ବିପ୍ଳବ ଏହାର ଉକୃଷ୍ଟ ଉଦାହରଣ ।

 

ଯେଉଁ ବିପ୍ଳବ କେବଳ ହିଂସାକାଣ୍ଡ, ଭଙ୍ଗାରୁଜା ଓ ଉତ୍ତେଜନାମୂଳକ କାର୍ଯ୍ୟରେ ପର୍ଯ୍ୟବସିତ ହୋଇରହେ- ଯାହାର କୌଣସି ଗଠନମୂଳକ ମହତ୍ତର ଲକ୍ଷ୍ୟ ନ ଥାଏ, ତାହାକୁ ‘ବିପ୍ଳବ' ଆଖ୍ୟା ଦେବା ଠିକ୍ ହେବ ନାହିଁ । ତାହାକୁ ‘ବିଦ୍ରୋହ' କିମ୍ବା ‘ଆନ୍ଦୋଳନ' ବୋଲାଯାଇପାରେ । ଇଂରେଜୀ ଭାଷାରେ ସେଥିସକାଶେ Mutiny Rebellion, Coup-de-tat, Insurrection, ପ୍ରଭୃତି କଥା ବ୍ୟବହୃତ ହୋଇଥାଏ । ବିଦ୍ରୋହ, ଆନ୍ଦୋଳନ, Mutiny Rebellion, Coup-de-tat, Insurrection ଆଦି ମଧ୍ୟରେ କ୍ଷଣିକ ବିକ୍ଷୋଭ, ଉନ୍ମାଦନା-ଉତ୍ତେଜନା, ଭଙ୍ଗାରୁଜା କାର୍ଯ୍ୟ ଯେତେ ପ୍ରାଧାନ୍ୟ ପାଇଥାଏ, ଜାତି ବା ଦେଶର ମଙ୍ଗଳପାଇଁ କୌଣସି ମହାନ୍ ସୁନିର୍ଦ୍ଦିଷ୍ଟ ଲକ୍ଷ୍ୟ ସେତେ ସ୍ଥାନ ପାଇ ନ ଥାଏ । ଖୁବ୍ ବେଶି ହେଲେ, ଆମ୍ଭେମାନେ ଏ ସବୁକୁ ବିପ୍ଳବର ଗୌଣ ଓ ପ୍ରାଥମିକ କାର୍ଯ୍ୟକଳାପ ନାମରେ ଅଭିହିତ କରିପାରୁ । ଆମର କେତେକ ଐତିହାସିକ ୧୮୫୭ ମସିହାର ସିପାହୀ-ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ବିପ୍ଳବବୋଲି କହିଛନ୍ତି; କିନ୍ତୁ ସିପାହୀ ବିଦ୍ରୋହର କୌଣସି ନିର୍ଦ୍ଦିଷ୍ଟ ମହତ୍ତର ଉଦ୍ଦେଶ୍ୟ ନ ଥିବାରୁ ଏବଂ ସେହି ଉଦ୍ଦେଶ୍ୟ ପୂରଣପାଇଁ ବ୍ୟାପକ ଓ ସୁସଂହତ ଉଦ୍ୟମର ଅଭାବ ଥିବାରୁ ତାହାକୁ ‘ବିପ୍ଳବ' ଆଖ୍ୟା ନ ଦେବା ହିଁ ଯୁକ୍ତିଯୁକ୍ତ । ସେହିପରି ଏକଦା ହିଟ୍‌ଲର ଓ ମୁସୋଲିନୀ ନିଜ ନିଜ ଦେଶର ମହାନ୍ ବିପ୍ଳବମାନ ସଂଘଟିତ କରାଉଥିବାର ମନେ କରୁଥିଲେ । ହିଟ୍‌ଲର ତ ଥରେ ଡାକପୁକାରରେ କହିଥିଲେ- ଆମେ ସବୁ ବର୍ବର ହୋଇ ରହିବାକୁ ଚାହୁଁ ମଧ୍ୟ । ଏହା ଆମର ଏକ ସମ୍ମାନସୂଚକ ପଦବୀ । ଆମେ ହିଁ ପୃଥିବୀକୁ ପୁନଃଯୌବନ ଦେବା । ପୃଥିବୀ ଆଜି ମୁମୂର୍ଷୁ । ସେହି ପୁଥିବୀକୁ ଧ୍ୱଂସ କରିବା ଆମର ଏକମାତ୍ର କାମ । ପ୍ରକୃତ ବିପ୍ଳବୀ ତୁଣ୍ଡରୁ ଏଭଳି କଥା ଶୁଣାଯାଏନା । ବିପ୍ଳବୀ ବର୍ବର ଅସଭ୍ୟ ହେବ କାହିଁକି ? କାହିଁକି ବା ସେ ପୁନଃଯୌବନ ଦେବା ଆଶାରେ ପୃଥିବୀକୁ ଧ୍ୱଂସ କରିବ ? ପୁନଃଯୌବନ ଦେବାପାଇଁ ଧ୍ୱଂସ ନୁହେଁ, ପରିଶୋଧନ ବା ପରିମାର୍ଜନ ହିଁ ଆବଶ୍ୟକ । ଆମ ପୁରାଣରେ ଯେଉଁ ପ୍ରଳୟ କଥା ବୋଲା ଯାଇଛି, ତାହା ହେଉଛି ଏହି ପରିଶୋଧନ ବା ପରିମାର୍ଜନ । ସେଥିପାଇଁ ପ୍ରଳୟର ଦେବତା ମହେଶ୍ୱରଙ୍କ ନାମ ଶିବ ବା ମଙ୍ଗଳ । ବାଇବେଲ୍‌ରେ ସେହି ବିଷୟ ‘ମହା ଜଳପ୍ଳାବନ'ରୂପେ କଥିତ-। ଦେଢ଼ଶହ ଦିନ କାଳ ଜଳ-ପ୍ଲାବିତ ହୋଇ ରହିଲା ପରେ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ପୃଥିବୀ ପରିଶୋଧିତ ହେଲା, ଏବଂ ନୋହା ସପରିବାର ସେହି ପୃଥିବୀରେ ନବଜୀବନ ଯାପନ କରିବାରେ ଲାଗିଲେ । ଇସ୍‌ଲାମ୍ ଧର୍ମରେ ‘କେୟାମତ୍‌' କଥାଟିର ମୋଟାମୋଟି ଅର୍ଥ ସେଇୟା । ତେଣୁ ବିପ୍ଳବର କାର୍ଯ୍ୟ ଧ୍ୱଂସ ନୁହେଁ, ପରିଶୋଧନ ବା ପରିମାର୍ଜନ । ଏହି ପରିଶୋଧନ-ପରିମାର୍ଜନ ପ୍ରକ୍ରିୟାରେ ଯେତିକି ଲୋଡ଼ା ପଡ଼େ, ସେତିକି ମାତ୍ର ନଷ୍ଟଭ୍ରଷ୍ଟ ହୋଇଥାଏ । ପ୍ରକୃତ ବିପ୍ଲବ-ଗର୍ଭରେ ନୂତନ ସୃଷ୍ଟିର ଅଙ୍କୁର ବିଦ୍ୟମାନ ଥାଏ । ପରବର୍ତ୍ତୀ କାଳରେ ତାହା ଦେଶ ତଥା ଜାତିପାଇଁ ସୁନା ଫସଲ ଫଳାଇଥାଏ । ହିଟଲର୍‌ଙ୍କ ତଥାକଥିତ ବିପ୍ଳବୀ-ମୁକିବା ଜର୍ମାନୀ ଦେଶପାଇଁ କି ସୁନା ଫସଲ ଫଳାଇ ପାରିଛି, ତାହା ଆମ୍ଭମାନଙ୍କୁ ଭଲ ଭାବରେ ଜଣା ।

 

ଅନେକଙ୍କର ଧାରଣା- ବିପ୍ଳବ ସବୁବେଳେ ଢକ୍‌କା ବଜାଇ ଆସେ, ଡାକପୁକାରରେ ସଂଘଟିତ ହୁଏ; କିନ୍ତୁ ବିପ୍ଳବ ମଧ୍ୟ ନୀରବରେ ତୁନୀ ତୁନୀ ଘଟିପାରେ- ନିଃଶବ୍ଦ ଶବ୍ଦତରଙ୍ଗ ବା ଅଲ୍‌ଟ୍ରାସୋନିକ୍ ଭଳି କାର୍ଯ୍ୟ କରିପାରେ । ଊନବିଂଶ ଶତାବ୍ଦୀରେ ପଚନଶୀଳ ଭାରତୀୟ ସମାଜରେ ଶିକ୍ଷା, ଶାସନ, ଅର୍ଥନୀତି ଆଦି ବିଭିନ୍ନ କ୍ଷେତ୍ରରେ ଯେଉଁ ବିପ୍ଳବ ଆସିଥିଲା, ତାହା ଡାକପୁକାରରେ ହଟଚମଟ ଲଗାଇ ସଂଘଟିତ ହୋଇ ନାହିଁବୋଲି ଐତିହାସିକମାନେ ତାହାକୁ କେବଳ ‘ସଂସ୍କାର' ନାମରେ ଅଭିହିତ କରି ସନ୍ତୁଷ୍ଟ ରହିଛନ୍ତି; କିନ୍ତୁ ଧର୍ମର ଶାନ୍ତ ସୁନ୍ଦର ଆବରଣ ତଳେ ବଙ୍ଗ ଦେଶର ବ୍ରାହ୍ମ ସମାଜ, ମହାରାଷ୍ଟ୍ରର ପ୍ରାର୍ଥନା ସମାଜ ଏବଂ ଉତ୍ତର ଭାରତର ଆର୍ଯ୍ୟ ସମାଜ ଭାରତର ଅଧୋଗାମୀ ଜାତୀୟ ଜୀବନରେ ଯେଉଁ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିଥିଲେ, ଏହି ଆଲୋଚକ ମତରେ- ତାହା ପ୍ରକୃତରେ ଏକ ନୀରବ ବିପ୍ଳବ । ଅସ୍ପୃଶ୍ୟ ଶୂଦ୍ର ନାମରେ ଜାତିର ଏକ ବିପୁଳ ଅଂଶ ଯୁଗଯୁଗ କାଳ ନିପୀଡ଼ିତ ଅଧଃପତିତ ହୋଇ ରହିଥିଲେ । ଶଙ୍କରାଚାର୍ଯ୍ୟଙ୍କ ଭଳି ମନୀଷୀ ମଧ୍ୟ କହିଥିଲେ- ଶୂଦ୍ର ହେଉଛି ପାଦ ଥିବା ଏକ ଶ୍ମଶାନ । ସେ ଯଦି ବେଦବାକ୍ୟ ଶୁଣେ, ତେବେ ଜଉ କିମ୍ବା ଶିଶାଦ୍ୱାରା ତାହାର କାନକୁ ମୁଦି ଦେବାକୁ ହେବ । (ବ୍ରହ୍ମସୂତ୍ର ଶଙ୍କର ଭାଷ୍ୟ-୧।୩।୩୮) ସେହି ପାଦଯୁକ୍ତ ଶ୍ମଶାନ- ଏକ ଅଭିଶପ୍ତ ମାନବଗୋଷ୍ଠୀକୁ ମହାତ୍ମା ଗାନ୍ଧୀ ଏବେ ‘ହରିଜନ' ଆଖ୍ୟା ଦେଇ ସମାଜରେ ମର୍ଯ୍ୟାଦାବନ୍ତ ଆସନରେ କିପରି ପ୍ରତିଷ୍ଠିତ କରାଇଦେଲେ, ତାହା ଆମେ ସ୍ୱଚକ୍ଷୁରେ ଦେଖିଲୁ । ଧୀରେ ଧୀରେ ନୀରବରେ ଏପରି ସାମାଜିକ ବିପ୍ଳବ ବିଶ୍ୱ-ଇତିହାସରେ ଖୁବ୍ କମ୍ ସଂଘଟିତ ହୋଇଥିବାର ଦେଖାଯାଏ । ସମ୍ପ୍ରତି ବିନୋବାଜୀ, ଜୟପ୍ରକାଶ ପ୍ରମୁଖ ଜନସେବକବୃନ୍ଦ ସେହିପରି ଆଉ ଏକ ନୀରବ ବିପ୍ଳବର ସୂତ୍ରପାତ କରିଛନ୍ତି । ଚମ୍ବଲ ଉପତ୍ୟକାର ଶହଶହ ନରଘାତକ ଦୁର୍ଦ୍ଦାନ୍ତ ଡକାୟତଙ୍କର ହୃଦୟ ପରିବର୍ତ୍ତନ ଓ ଆତ୍ମସମର୍ପଣ ବିପ୍ଳବ- ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ।

କେବଳ ଜାତି ବା ସମଷ୍ଟି ଜୀବନରେ ନୁହେଁ, ବ୍ୟକ୍ତି ବା ବ୍ୟଷ୍ଟି ଜୀବନରେ ମଧ୍ୟ ବିପ୍ଳବ ଆସିଥାଏ । ସଚେତନ ବ୍ୟକ୍ତିର ସମ୍ବେଦନଶୀଳ ମନ ହିଁ ବିପ୍ଳବର ସୂତିକାଗୃହ ଏବଂ ଦୁଃଖ ଦୈନ୍ୟ ଅଭାବ ଅସନ୍ତୋଷ ହିଁ ସେହି ବିପ୍ଳବର ଧାତ୍ରୀ । ଗୋଟିଏ ପ୍ରଦୀପରୁ ଅନ୍ୟ ଗୋଟିଏ ପ୍ରଦୀପ ପ୍ରଜ୍ଜ୍ୱଳିତ ହୋଇଗଲା ପରି ବିପ୍ଳବ ପ୍ରଥମେ ଜଣେ ବ୍ୟକ୍ତ ବା ବ୍ୟଷ୍ଟି ମନରେ ଜନ୍ମଲାଭ କରି ଜାତି ବା ସମଷ୍ଟି ମଧ୍ୟରେ କ୍ରମଶଃ ସଞ୍ଚାରିତ ହୋଇଯାଏ । ପ୍ରାୟ ଅଢ଼େଇ ହଜାର ବର୍ଷ ତଳେ ଶାକ୍ୟସିଂହ ଗୌତମ, ମଣିଷର ଦୁଃଖତାପ ଦୂରୀକରଣ-ପଥ ଖୋଜିବାପାଇଁ ସମସ୍ତ ରାଜଐଶ୍ୱର୍ଯ୍ୟ ପାଦରେ ଏଡ଼ିଦେଇ ଆସିଲେ । ତାଙ୍କ ମନରେ ଜାଗରୁକ ବିପ୍ଳବ, ସାରା ଭାରତ ଓ ଭାରତ ବାହାରେ କ୍ରମେ ସଂକ୍ରମିତ ହୋଇଗଲା । ଗତ ଶତାବ୍ଦୀରେ ସେହିପରି ଗଞ୍ଜାମ ବଡ଼ଖେମୁଣ୍ଡିର ରାଜପୁତ୍ର ବଳଭଦ୍ରଙ୍କ ଜୀବନରେ ସଂଘଟିତ ବିପ୍ଳବ ତାଙ୍କୁ ଓଳାଶୁଣୀ ପର୍ବତର ସିଦ୍ଧ ଅରକ୍ଷିତ ଦାସରେ ପରିଣତ କରିଥିଲା ଏବଂ ତାଙ୍କର ଶହଶହ ଭକ୍ତଙ୍କୁ ସେହି ବିପ୍ଳବର ବାଣୀ ଉଦ୍‌ବୁଦ୍ଧ, ଉନ୍ମାଦିତ କରିଥିଲା । ଅଷ୍ଟାଦଶ ଶତାବ୍ଦୀ ଶେଷଭାଗରେ ସଂଘଟିତ ବିଶ୍ୱବିଖ୍ୟାତ ଫରାସୀ ବିପ୍ଳବର ଉଦ୍‌ଗାତା ଥିଲେ-ମଣ୍ଟେସ୍କୁ, ଭଲ୍‌ଟେୟାର, ରୁଷୋ ପ୍ରମୁଖ ଅଳ୍ପ କେତେକ ଦୂରଦ୍ରଷ୍ଟା ସଚେତନ ବ୍ୟକ୍ତି । ସେମାନେ ଗୋଟା ଫରାସୀ ଜାତିକୁ ବିପ୍ଳବ ମନ୍ତ୍ରରେ ଦୀକ୍ଷିତ କରାଇଥିଲେ । ଏହି ସେଦିନ ଚରମପନ୍ଥୀ ରାଜନୀତିଜ୍ଞ ଅରବିନ୍ଦ ଘୋଷ ଆପଣା ଜୀବନର ଯେଉଁ ବିପ୍ଳବ ବଳରେ ‘ମହାଯୋଗୀ ଶ୍ରୀ ଅରବିନ୍ଦ'ରେ ପରିଣତ ହେଲେ, ସେହି ବିପ୍ଳବର ବାଣୀ ଆଜି ବିଶ୍ୱର ସୁଧୀମଣ୍ଡଳୀକୁ ଉଦ୍‌ବୁଦ୍ଧ ଓ ଅନୁପ୍ରାଣିତ କରିଛି । ତେଣୁ ବିପ୍ଳବ କେବଳ ଜାତି ବା ସମଷ୍ଟି-ନିର୍ଭର ନୁହେଁ, ବ୍ୟକ୍ତି ବା ବ୍ୟଷ୍ଟି-ନିର୍ଭର ମଧ୍ୟ । ବ୍ୟକ୍ତି ବା ବ୍ୟଷ୍ଟି ଜୀବନରେ ବିପ୍ଳବ ଦେଖାଦେଇ କେବଳ ସେଇଠି ତାହା ସୀମାବଦ୍ଧ ହୋଇ ରହି ନ ପାରେ । ଜାତି ବା ସମଷ୍ଟି ଜୀବନରେ ପର୍ଯ୍ୟବସିତ ହେବାରେ ହିଁ ତାହାର ସାର୍ଥକତା- ବିପୁଳ ବ୍ୟାପକ ପ୍ରକାଶ ଓ ଫଳଶ୍ରୁତିରେ ତାହାର ପରିପୂର୍ଣ୍ଣତା ।

ଶିକ୍ଷା, ସାହିତ୍ୟ, ଶାସନ, ଅର୍ଥନୀତି, ଧର୍ମ, ଶିଳ୍ପକଳା ଆଦି ଜାତୀୟ ଜୀବନର ବିଭିନ୍ନ କ୍ଷେତ୍ରରେ ବିପ୍ଳବ ସଂଘଟିତ ହୋଇପାରେ, କିନ୍ତୁ ବିଶ୍ୱ ଇତିହାସ ପର୍ଯ୍ୟାଲୋଚନା କଲେ, ଆମେ ଦେଖିବା ଯେ- ବରାବର ବିପ୍ଳବ କଥାଟା ମୁଖ୍ୟତଃ ଶାସନ ଓ ରାଜନୀତି କ୍ଷେତ୍ରରେ ସୀମାବଦ୍ଧ ହୋଇ ରହି ଆସିଛି । ତେଣୁ ‘ବିପ୍ଳବ' ଶବ୍ଦଟି କାଳକ୍ରମେ ଏକ ବିଶେଷ ଅର୍ଥ ଆହରଣ କରି ନେଇଛି । ସେହି ବିଶେଷ ଅର୍ଥଟି ହେଲା- ସମାଜ ତଥା ଶାସନ ବ୍ୟବସ୍ଥା ଆମୂଳ ପରିବର୍ତ୍ତନ ସାଧନ ଲାଗି ସେହି ସମାଜର ଉନ୍ନତ ଓ ଅଗ୍ରଗାମୀ ଶ୍ରେଣୀର ଲୋକଙ୍କଦ୍ୱାରା ପୁରାତନ ଶାସକ-ଶ୍ରେଣୀଠାରୁ ରାଷ୍ଟ୍ରକ୍ଷମତା ହାସଲ କରିବା । କେବଳ ରାଷ୍ଟ୍ରକ୍ଷମତା ହାସଲ ବିପ୍ଳବର ଉଦ୍ଦେଶ୍ୟ ନୁହେଁ; ତତ୍‌ସଙ୍ଗେ ସଙ୍ଗେ ସମାଜ ଓ ଶାସନ-ବ୍ୟବସ୍ଥା ଆମୂଳଚୂଳ ପରିବର୍ତ୍ତନ ମଧ୍ୟ ଏହାର ଲକ୍ଷ୍ୟ । ବିପ୍ଳବ ସଙ୍ଗେ ସଙ୍ଗେ ସେହି ବିପ୍ଳବ-ବିରୋଧୀ ବିପ୍ଳବ ବା ପ୍ରତିବିପ୍ଳବ (Counter Revolution) ମଧ୍ୟ ସଂଘଟିତ ହୋଇପାରେ । ବିପ୍ଳବ ଓ ପ୍ରତିବିପ୍ଳବ ମଧ୍ୟରୁ ଯେଉଁଟି ଶକ୍ତିଶାଳୀ ବା ଲକ୍ଷ୍ୟ ଦିଗରୁ ମହତ୍ତର, ତାହାହିଁ ଶେଷରେ ଜୟଲାଭ କରିଥାଏ । ବିପ୍ଳବ କେବେ ଆପେ ଆପେ ସଂଘଟିତ ହୋଇପାରେ । ଏଥିପାଇଁ ବ୍ୟଷ୍ଟି ତଥା ସମଷ୍ଟିର ସକ୍ରିୟ ଓ ସଚେତନ ପ୍ରଚେଷ୍ଟା ଆବଶ୍ୟକ । ୧୭୭୬ ମସିହାରେ ଘଟିଥିବା ଆମେରିକାନ୍ ବିପ୍ଳବ, ୧୭୮୯ ମସିହାର ବିପ୍ଳବ, ୧୯୧୭ ମସିହାରେ ସଂଘଟିତ ରୁଷିଆର ସମାଜତାନ୍ତ୍ରିକ ବିପ୍ଳବ ପ୍ରଭୃତି ଏହାର ଉଜ୍ଜ୍ୱଳ ଦୃଷ୍ଟାନ୍ତ ।

ପ୍ରତିଷ୍ଠିତ ରାଷ୍ଟ୍ରଶକ୍ତି ବା ଶାସନ ବ୍ୟବସ୍ଥାର ସକ୍ରିୟ ପ୍ରତିରୋଧ ମାନବ ସଭ୍ୟତାର ଇତିହାସରେ ଅତି ପୁରୁଣା କଥା । ସଭ୍ୟତାର ପ୍ରାରମ୍ଭ କାଳରୁ ଭିନ୍ନ ଭିନ୍ନ ରୂପରେ ରାଜା, ଦଳପତି, ଶାସନ, ରାଷ୍ଟ୍ରଗଠନ ପ୍ରଭୃତିର ଆବଶ୍ୟକତା ଅନୁଭୂତ ହୋଇଛି ଏବଂ ରାଜା ପ୍ରଜାପୀଡ଼କ ହେଲେ କିମ୍ବା ଶାସନ ଜନବିରୋଧୀ ହେଲେ ପ୍ରତିବାଦର ସ୍ୱର ଧ୍ୱନିତ ହୋଇଛି । ଏ ସମ୍ପର୍କରେ ରାମାୟଣ ଉତ୍ତରାକାଣ୍ଡରେ ଏକ ଚମତ୍କାର ଗଳ୍ପ ରହିଛି । ରାଜାହୀନ ବିଶ୍ୱବାସୀ, ଜଣେ ନରପୁଙ୍ଗବଙ୍କୁ ରାଜାରୂପେ ଦେବାପାଇଁ ବ୍ରହ୍ମାଙ୍କ ନିକଟରେ ଗୁହାରି କରିଥିଲେ । ତହୁଁ ବ୍ରହ୍ମା, ଇନ୍ଦ୍ର-ବରୁଣ-ଯମ-କୁବେର ପ୍ରଭୃତି ଦେବତାଙ୍କଠାରୁ ତିଳ ତିଳ କରି ଶକ୍ତି ସଂଗ୍ରହ କରି ‘କ୍ଷୁପ' ନାମକ ତିଳୋତ୍ତମା ନୃପତିଟିଏ ଜାତ କଲେ ଏବଂ ପୃଥିବୀର ସୁଶାସନପାଇଁ ତାଙ୍କୁ ବିଶ୍ୱବାସୀଙ୍କୁ ଅର୍ପଣ କଲେ । ମନୁସ୍ମୃତିରେ ସପ୍ତମ ଅଧ୍ୟାୟରେ ମଧ୍ୟ ଅନୁରୂପ ପ୍ରସଙ୍ଗ ଦେଖିବାକୁ ମିଳେ । ସେହି ରାଜାଙ୍କୁ ଆଚାର୍ଯ୍ୟ ମନୁ ‘ମହତୀ ଦେବତା ହ୍ୟେଷା ନରରୂପେଣ ତିଷ୍ଠତି'ବୋଲି କହି ତାଙ୍କ ପ୍ରତି କୌଣସି ପ୍ରକାର ଦ୍ୱେଷ, ଅପମାନ ନ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି; କିନ୍ତୁ ଏଠାରେ ବିଶେଷ ଉଲ୍ଲେଖଯୋଗ୍ୟ ଯେ- ଯେଉଁ ରାଜା ଅତ୍ୟାଚାରୀ, ପ୍ରଜାପୀଡ଼କ, ତାଙ୍କ ପ୍ରତି ମନୁ ସତର୍କବାଣୀ ଶୁଣାଇଛନ୍ତି, ସେହି ସତର୍କବାଣୀର ଭାଷା ହେଉଛି-

 

ମୋହାଦ୍ରାଜା ସ୍ୱରାଷ୍ଟ୍ରଂ ଯଃ କର୍ଷୟତ୍ୟନବେକ୍ଷୟା ।

ସୋଽଚିରାଦ୍ ଭ୍ରଶ୍ୟତେ ରାଜ୍ୟାଜ୍ଜୀବିତାଚଚ୍ ସବାନ୍ଧବଃ-୭।୧୧

 

ଅର୍ଥାତ୍ ଯେଉଁ ରାଜା ମୋହ ବଶରେ ଆପଣା ରାଜ୍ୟ ଦେଖାଶୁଣା ନ କରି ଖାଲି ରାଜସ୍ୱ ନେବାରେ ଲାଗିଥାଏ, ସେ ଶୀଘ୍ର ରାଜ୍ୟଭ୍ରଷ୍ଟ ହୁଏ ଏବଂ ସବାନ୍ଧବ ଜୀବନଭ୍ରଷ୍ଟ ମଧ୍ୟ ହୋଇଥାଏ । କେଉଁ ଉପାୟରେ ରାଜା ରାଜ୍ୟଭ୍ରଷ୍ଟ ଓ ଜୀବନଭ୍ରଷ୍ଟ ହେବେ, ସେ ବିଷୟରେ ଆଚାର୍ଯ୍ୟ ମନୁ ସ୍ପଷ୍ଟଭାବେ କିଛି କହି ନ ଥିଲେ ହେଁ, ଏହା ସହଜରେ ପ୍ରତିପନ୍ନ ହେଉଛି ଯେ- ସେତେବେଳେ ଲୋଡ଼ା ପଡ଼ିଲେ ପ୍ରତିଷ୍ଠିତ ରାଜଶକ୍ତିର ମଧ୍ୟ ପ୍ରତିବାଦ-ପ୍ରତିରୋଧ କରାଯାଉଥିଲା ।

 

ମହାଭାରତରେ ଆମେ ଦେଖୁଁ- ଶ୍ରୀକୃଷ୍ଣ, ଧୃତରାଷ୍ଟ୍ର, ଭୀଷ୍ମ ପ୍ରମୁଖ ନେତୃସ୍ଥାନୀୟ ବ୍ୟକ୍ତି ବିଭିନ୍ନ ସମୟରେ ଲୋକମତ ସମ୍ପର୍କରେ ସଚେତନ ରହିଛନ୍ତି- ପ୍ରଜାମାନଙ୍କ ପ୍ରତିକ୍ରିୟା ବିଷୟରେ ସତର୍କତା ଅବଲମ୍ବନ କରିଅଛନ୍ତି । ପ୍ରଜାମେଳି ବା ରାଷ୍ଟ୍ରବିପ୍ଳବକୁ ଏଡ଼ାଇ ଚାଲିବା ବ୍ୟତୀତ ଏହାର ଉଦ୍ଦେଶ୍ୟ ଆଉ କ'ଣ ହୋଇପାରେ ? ପଶାଖେଳରେ ହାରି ପାଣ୍ଡବମାନେ ଯେତେବେଳେ ରାଜଧାନୀ ଛାଡ଼ି ବନଗମନ କରୁଛନ୍ତି, ସେତେବେଳେ ରାଜା ଧୃତରାଷ୍ଟ୍ରଙ୍କ ମତିଗତି ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ । ଅସ୍ତବ୍ୟସ୍ତ ହୋଇ ସେ ବାରମ୍ବାର ବିଦୁରଙ୍କୁ ପଚାରୁଛନ୍ତି- ପାଣ୍ଡବଙ୍କ ବନଗମନରେ ପ୍ରଜାମାନେ କ'ଣ କହୁଛନ୍ତି ? ରାଜ୍ୟବାସୀଙ୍କର ଏଥିରେ ପ୍ରତିକ୍ରିୟା କ'ଣ ? ଇତ୍ୟାଦି ଇତ୍ୟାଦି । ଏପରି କି ମହାଭାରତ ଯୁଦ୍ଧକୁ ମଧ୍ୟ ଦୁର୍ଯ୍ୟୋଧନଙ୍କ ଶାସନ ବିରୁଦ୍ଧରେ ଏକ ପ୍ରଚଣ୍ଡ ପ୍ରତିବାଦ ବୋଲାଯାଇପାରେ । ଜିଣିଲେ ରାଜ୍ୟଲାଭ, ମଲେ ସ୍ୱର୍ଗଲାଭ, ତେଣୁ ‘ଯୁଦ୍ଧାୟ କୃତ ନିଶ୍ଚୟଃ'- ଏହାକୁ ତତ୍କାଳୀନ ଏକ ବିପ୍ଳବର ଧ୍ୱନି ବା ସ୍ଲୋଗାନ୍ରୂପେ ଗ୍ରହଣ କରାଯାଇପାରେ । ଖ୍ରୀଷ୍ଟପୂର୍ବ ପ୍ରାୟ ଦ୍ୱିତୀୟ ଶତାବ୍ଦୀରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ରାଜତ୍ୱ କାଳରେ ଭାରତର ରାଜଶକ୍ତି ବା ଶାସନ ବ୍ୟବସ୍ଥାର ପ୍ରତିବାଦ-ପ୍ରତିରୋଧ ଇତ୍ୟାଦି ଯେ ଅଜଣା ନ ଥିଲା, କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରର ‘କଣ୍ଟକ ଶୋଧନ' ଶୀର୍ଷକ ଚତୁର୍ଥ ଅଧିକରଣ ଏବଂ ‘ବ୍ୟସନାଧିକାରିକ' ଶୀର୍ଷକ ଅଷ୍ଟମ ଅଧିକରଣରୁ ସ୍ପଷ୍ଟ ଜଣାପଡ଼େ ।

 

ରାଷ୍ଟ୍ରଶକ୍ତି ବା ଶାସନ ବ୍ୟବସ୍ଥାର ପ୍ରତିରୋଧ- କାର୍ଯ୍ୟରେ ମଧ୍ୟଯୁଗର ଇତିହାସ ବେଶ୍ ଚଳଚଞ୍ଚଳ । ଦିଲ୍ଲୀସ୍ଥ କେନ୍ଦ୍ରଶାସନ ତଥା ଅନ୍ୟାନ୍ୟ ପ୍ରାନ୍ତୀୟ ଶାସନ ବିରୁଦ୍ଧରେ ଦେଶ ଭିତରୁ ତଥା ବାହାରୁ ପ୍ରତିବାଦ ଓ ପ୍ରତିରୋଧ ହୋଇଛି ବାରମ୍ବାର । କେତେବେଳେ ବ୍ୟକ୍ତିଗତ ବିବାଦ-କଳହ, କେତେବେଳେ ପରସ୍ପରବିରୋଧୀ ଧର୍ମଧାରଣା, ଆଉ କେତେବେଳେ ବା ଦେଶୀ-ବିଦେଶୀ ମନୋଭାବ ଏଥିରେ ଇନ୍ଧନ ଯୋଗାଇଛି । ଷୋଡ଼ଶ ଶତାବ୍ଦୀର ଐତିହାସିକ ଆବୁଲ୍ ଫାଜଲ୍ ‘ଆଇନ୍‌-ଅବକାରୀ'ରେ ଲେଖିଛନ୍ତି ଯେ- ହିନ୍ଦୁମାନେ ଯେପରି ବିଶ୍ୱସ୍ତ ବନ୍ଧୁ ସେହିପରି ଶକ୍ତିଶାଳୀ ଶତ୍ରୁ ମଧ୍ୟ । ତୁଚ୍ଛାତିତୁଚ୍ଛ କାରଣରୁ ସେମାନେ ବଳ ପ୍ରୟୋଗପାଇଁ ପ୍ରସ୍ତୁତ ହୋଇଯାଆନ୍ତି । ହିନ୍ଦୁସ୍ଥାନ ଓ ଅନ୍ୟଦେଶର ରାଜକନ୍ୟାମାନଙ୍କ ସହିତ ଆକବର ବିବାହ ବନ୍ଧନରେ ଆବଦ୍ଧ ହେବା ଫଳରେ ଦେଶ ମଧ୍ୟରେ ରାଜଶକ୍ତି ବିରୁଦ୍ଧରେ ପ୍ରବଳ ପ୍ରତିରୋଧରୁ ନିଜକୁ ବଞ୍ଚାଇ ପାରିଛନ୍ତି ଏବଂ ଦେଶ ବାହାରେ ଶକ୍ତିଶାଳୀ ବନ୍ଧୁତାର ଐକ୍ୟ ଗଢ଼ି ପାରିଛନ୍ତି । ଏଥିରୁ ଶାସନ-ବ୍ୟବସ୍ଥାର ତତ୍କାଳୀନ ସ୍ଥିତି ଏବଂ ସେ ଦିଗରେ ଆକବରଙ୍କ ସତର୍କ କାର୍ଯ୍ୟପନ୍ଥା ସମ୍ପର୍କରେ ପରିଚୟ ମିଳେ । ପାଶ୍ଚାତ୍ୟ ପ୍ରତି ଦୃଷ୍ଟିପାତ କଲେ, ଆମେ ପରିସ୍ଥିତିର ପ୍ରାୟ ସମାନ ଚିତ୍ର ଦେଖିବାକୁ ପାଇବା । ରାଜଶକ୍ତି ଓ ଚର୍ଚ୍ଚ ଦୁହେଁ ଯାକ ମିଶି ଯେଉଁ ରାଷ୍ଟ୍ର ସୁପ୍ରତିଷ୍ଠିତ କରିଥିଲେ, ତାହା ମୂଳରେ ବାରମ୍ବାର ଆସି ଧକ୍କା ବାଜିବାରେ ଲାଗିଲା । ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀର ଇଂଲଣ୍ଡ ବିପ୍ଳବ, ଫରାସୀ ବିପ୍ଳବ, ଶିଳ୍ପ ବିପ୍ଳବ ପ୍ରଭୃତି ଫଳରେ Inquisition ଅର୍ଗଳ ଧୂଳିସାତ୍ ହେବା ସଙ୍ଗେ ସଙ୍ଗେ ସେହି ରାଷ୍ଟ୍ରଶକ୍ତିର ମୂଳଦୁଆ ଧସି ପଡ଼ିଲା । କୁପରନିକସ୍‌, ଗାଲିଲିଓ, ଜନ୍ ଲକେ ପ୍ରମୁଖ କେତେକ ଇଉରୋପୀୟ ମନୀଷୀ ଥିଲେ ସେହି ଆଘାତକାରୀ ଶକ୍ତିର ମୂଳ ଉତ୍ସ ।

ଏହିଠାରୁ ପ୍ରତିଷ୍ଠିତ ଶାସନ-ବ୍ୟବସ୍ଥା ବା ଶାସକ ବିରୁଦ୍ଧରେ ପ୍ରତିବାଦ-ପ୍ରତିରୋଧ କରିବା, ଶାସିତର ଏକ ଅଧିକାରବୋଲି ବିବେଚିତ ହେଲା- ରାଷ୍ଟ୍ରଶକ୍ତିର ଏକ ଆବଶ୍ୟକ ଅଙ୍ଗରୂପେ ବ୍ୟକ୍ତିସତ୍ତା ସ୍ୱୀକୃତି ଲାଭ କଲା । ବିପ୍ଳବର ଇତିହାସରେ ଏହା ଏକ ନୂତନ ଦିଗନ୍ତ ବୋଲିବାକୁ ହେବ । ରାଷ୍ଟ୍ରଶକ୍ତି ଓ ଶାସନ-ବ୍ୟବସ୍ଥା ସମ୍ପର୍କରେ ଶାସିତ ବ୍ୟକ୍ତିର ଏହି ଅଧିକାର ବା ନୈତିକ ଦାୟିତ୍ୱର ଧାରଣା ନିଶ୍ଚିତରୂପେ ଭାରତୀୟ ନୁହେଁ । ଏହି ଧାରଣା ଭାରତବାସୀମାନେ ସେହି ବିଦେଶ ଭୂଇଁରୁ ଲାଭ କରିଛନ୍ତିବୋଲି ସ୍ୱୀକାର କରିବାକୁ ହେବ ।

କ୍ରମେ ବିଶ୍ୱର କେତେକ ଶକ୍ତିଶାଳୀ ଦେଶରେ ଗଣତନ୍ତ୍ର ଶାସନ ସୁପ୍ରତିଷ୍ଠିତ ହେଲା- ଶାସକ-ଶାସିତ ସମ୍ପର୍କର ତୁମୂଳ ପରିବର୍ତ୍ତନ ସଂଘଟିତ ହେଲା । ଊନବିଂଶ ଶତାବ୍ଦୀ ପ୍ରଥମ ଭାଗରେ ଜନ୍ ଷ୍ଟୁଆର୍ଟ ମିଲ୍‌ଙ୍କର ସୁପରିଚିତ On Liberty ଗ୍ରନ୍ଥ ଏବଂ ହେନେରି ଡେଭିଡ଼୍ ଥୁରୋଙ୍କର ପ୍ରସିଦ୍ଧ Civil Disobedience ଗ୍ରନ୍ଥ ପ୍ରକାଶିତ ହେବା ଫଳରେ ଶାସକ-ଶାସିତ ସମ୍ପର୍କର ଏହି ଧାରଣା ବିଶ୍ୱ ଦରବାରରେ ସୁପ୍ରତିଷ୍ଠିତ ହୋଇଗଲା । ‘ଶାସନ କ୍ଷେତ୍ରରେ ଶାସିତର ମତ ଓ ସ୍ୱୀକୃତି ସରକାର ନିଶ୍ଚୟ ଗ୍ରହଣ କରିବେ । ....ଯେ ପର୍ଯ୍ୟନ୍ତ ରାଷ୍ଟ୍ର, ବ୍ୟକ୍ତିସତ୍ତାକୁ ଏକ ଉଚ୍ଚତର ସ୍ୱାଧୀନ ଶକ୍ତିବୋଲି ସ୍ୱୀକାର ନ କରିଛି ଏବଂ ତଦନୁଯାୟୀ ବ୍ୟକ୍ତି ସହିତ କାରବାର ନ କରିଛି, ସେ ପର୍ଯ୍ୟନ୍ତ ଏକ ପ୍ରକୃତ ମୁକ୍ତ ଓ ମହତ୍ତର ରାଷ୍ଟ୍ର ଗଠିତ ହୋଇ ନ ପାରେ । ଏହି ଉଚ୍ଚତର ସ୍ୱାଧୀନ ବ୍ୟକ୍ତିସତ୍ତାରୁ ହିଁ ରାଷ୍ଟ୍ର ନିଜର ସକଳ ଶକ୍ତି ଓ କର୍ତ୍ତୃତ୍ୱ ଆହରଣ କରିଥାଏ ।'-ଥୁରୋଙ୍କର ଏହି କ୍ରାନ୍ତିକାରୀ ଉକ୍ତି ଏବେ ସୁଦ୍ଧା ବିଶ୍ୱର ମୁକ୍ତିକାମୀ ଜନତା ନିକଟରେ ଆଦର୍ଶସ୍ଥାନୀୟ ହୋଇ ରହିଛି ।

ତଥାପି ଏହି ପରିସ୍ଥିତିରେ ମଧ୍ୟ ରାଷ୍ଟ୍ରଶକ୍ତି ଓ ଶାସନସଂସ୍ଥା ବିରୁଦ୍ଧରେ ପ୍ରତିବାଦ ପ୍ରତିରୋଧ ଊଣା ହେଲାନାହିଁ । ନାନା କ୍ଷେତ୍ରରେ ନାନା ରୂପରେ ବିପ୍ଳବର ବହ୍ନି ଆତ୍ମପ୍ରକାଶ କଲା-। ଏବେ ଆମେମାନେ ଦେଖୁଛୁଁ- ଇଂଲଣ୍ଡ ଓ ଆମେରିକାର ସୁପ୍ରତିଷ୍ଠିତ ଗଣତାନ୍ତ୍ରିକ ସରକାର ବିରୁଦ୍ଧରେ ମଧ୍ୟ କେତେଥର ପ୍ରତିବାଦ-ପ୍ରତିରୋଧ ହୋଇଗଲାଣି । ଭିଏତ୍‌ନାମ ସମସ୍ୟା ଘେନି ସମଗ୍ର ମାର୍କିନ୍ ଯୁକ୍ତରାଷ୍ଟ୍ରରେ ସରକାରଙ୍କ ବିରୁଦ୍ଧରେ ଏବେ ଯେଉଁ କାଣ୍ଡକାରଖାନା ହୋଇଗଲା, ତାହା ଆମ ସ୍ମୃତିରେ ସତେଜ ହୋଇ ରହିଛି । ତାହା ହେଲେ ପ୍ରଶ୍ନ ଉଠୁଛି- ପାର୍ଲାମେଣ୍ଟାରି ଗଣତନ୍ତ୍ର ଶାସନରେ ଯେଉଁଠି ସଂଖ୍ୟାଧିକ ବ୍ୟକ୍ତିଙ୍କ ସମର୍ଥନରେ ଜନପ୍ରିୟ ସରକାର ପ୍ରତିଷ୍ଠିତ ହୋଇଛି, ସେଠାରେ ପ୍ରତିବାଦ-ପ୍ରତିରୋଧ ହେଉଛି କିପରି ? କରୁଛି ବା କିଏ ? ଗଣତନ୍ତ୍ର ଶାସନରେ ସଂଖ୍ୟାନ୍ୟୂନ ଗୋଷ୍ଠୀର ସ୍ୱାର୍ଥ ବ୍ୟାହତ ହେବାର ସମ୍ଭାବନା ଥିବାରୁ ସେମାନେ ଏହି କାର୍ଯ୍ୟରେ ଅଗ୍ରସର ହେବା ସ୍ୱାଭାବିକ । କିନ୍ତୁ ସଂଖ୍ୟାନ୍ୟୂନ ଗୋଷ୍ଠୀ ଯେ ସବୁବେଳେ ଏଥିରେ ମାତିଛନ୍ତି, ତାହା କହି ହେବ ନାହିଁ । ସରକାରଙ୍କ ସମର୍ଥକ ସଂଖ୍ୟାଧିକ ଗୋଷ୍ଠୀ ମଧ୍ୟ ଗଣତନ୍ତ୍ର ଶାସନରେ ପ୍ରତିବାଦ ପ୍ରତିରୋଧ କରି ପାରନ୍ତି । ହଁ, ଆମ୍ଭମାନଙ୍କର ସ୍ମରଣ ରଖିବା ଦରକାର ଯେ- କେବଳ ମାତ୍ର ଗଣତନ୍ତ୍ର ଶାସନରେ ହିଁ ଏପରି ବିରୋଧାଭାସ ସମ୍ଭବ । ଅନ୍ୟ କୌଣସି ପ୍ରକାର ଶାସନଚକ୍ରତଳେ ସରକାରଙ୍କ ସମର୍ଥକମାନେ ସେହି ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ-ପ୍ରତିରୋଧ କରିବା ସମ୍ଭବ ନୁହେଁ । ଏଠାରେ ରାଷ୍ଟ୍ରକ୍ଷମତା ହାସଲ କରିବା ସେମାନଙ୍କର ଲକ୍ଷ୍ୟ ନୁହେଁ । ଲକ୍ଷ୍ୟ ହେଉଛି- ସଂଖ୍ୟାନ୍ୟୂନ ଓ ସଂଖ୍ୟାଧିକ ସମସ୍ତଙ୍କର ମଙ୍ଗଳ । ଏକ ଉଦାର ମାନବୀୟ ଦୃଷ୍ଟିକୋଣ ଘେନି ସେମାନେ ଶାସନରେ ଥିବା ନିଜ ଦଳର ସଂସ୍କାର ବା ସଂଶୋଧନପାଇଁ ଏପରି ପନ୍ଥା ଗ୍ରହଣ କରିଥାନ୍ତି ।

କିନ୍ତୁ ସେହି ଊନବିଂଶ ଶତାବ୍ଦୀ ପ୍ରଥମ ଭାଗରେ ଇଉରୋପ ଭୂଖଣ୍ଡରୁ ବିପ୍ଳବର ଏକ ତାତ୍ତ୍ୱିକ ଗ୍ରନ୍ଥ ପ୍ରକାଶ ପାଇଲା, ଯାହାର ସ୍ୱର ଟିକିଏ ଭିନ୍ନ ଧରଣର । ୧୮୪୭ ମସିହାରେ ମାର୍କସ୍ ଓ ଏଙ୍ଗେଲସ୍‌ଙ୍କ ଲିଖିତ ସୁପରିଚିତ Communist Menifesto ସମାଜତାନ୍ତ୍ରିକ ଶାସନ ବ୍ୟବସ୍ଥାର ଆଦର୍ଶ ବିଶ୍ୱ ସମକ୍ଷରେ ଉପସ୍ଥାପିତ କଲା । ଆଧୁନିକ ଜଗତରେ ଅର୍ଥନୀତିକ ବୈଷମ୍ୟ ହିଁ ଶ୍ରେଣୀ ସଂଘର୍ଷର କାରଣ । ସେହି ଶ୍ରେଣୀସଂଘର୍ଷକୁ ଠିକ୍ ବାଟରେ ପରିଚାଳିତ କରି ସମାଜତାନ୍ତ୍ରିକ ଶାସନ ବ୍ୟବସ୍ଥା ମଧ୍ୟରେ ମେହନତି ଜନତାର ଏକନାୟକତ୍ୱ ବା Dictatorship of the Proletariat ପ୍ରତିଷ୍ଠା କରିବାକୁ ପଡ଼ିବ । କମ୍ୟୁନିଷ୍ଟ ମେନିଫେଷ୍ଟୋ ଦୃପ୍ତ କଣ୍ଠରେ ଘୋଷଣା କଲା- କେବଳ ମାତ୍ର ପ୍ରଚଳିତ ସମାଜ-ବ୍ୟବସ୍ଥାକୁ ବଳପୂର୍ବକ ଉଚ୍ଛେଦ କରିବାଦ୍ୱାରା ଏହି ଲକ୍ଷ୍ୟ ସାଧିତ ହୋଇପାରେ, କମ୍ୟୁନିଷ୍ଟ ବିପ୍ଳବର ଆତଙ୍କରେ ଶାସକଶ୍ରେଣୀ ଥରହର ହେଉ! ହେ ବିଶ୍ୱର ମେହନତି ଜନତା, ସମସ୍ତେ ଏକଜୁଟ ହୁଅ! ଶୃଙ୍ଖଳ ବ୍ୟତୀତ ତୁମର ଅନ୍ୟ କିଛି ହରାଇବାର ନାହିଁ । ସମଗ୍ର ବିଶ୍ୱ ତୁମର ଅଧିକାରପାଇଁ ରହିଛି । ସହସା ଆଧୁନିକ କାଳରେ ଏହାହିଁ ହୋଇ ଉଠିଲା ବିପ୍ଳବର ବେଦବାଣୀ । ଚଳିତ ଶତାବ୍ଦୀର ଦ୍ୱିତୀୟ ଦଶକରେ ସଂଘଟିତ ରୁଷିଆ ବିପ୍ଳବ ଏବଂ ଚତୁର୍ଥ ଦଶକରେ ସଂଘଟିତ ଚୀନା ବିପ୍ଳବର ଏହାହିଁ ହେଲା ତାତ୍ତ୍ୱିକ ଭିତ୍ତି ।

ଏଠାରେ ଲକ୍ଷ୍ୟ କରିବାର କଥା ଯେ ବିପ୍ଳବର ଏକ ଉପାୟ ବା ବାହନରୂପେ ହିଂସା ଓ ବଳପ୍ରୟୋଗକୁ ଆନୁଷ୍ଠାନିକ ସ୍ୱୀକୃତି ଦିଆଗଲା । ମାର୍କସ୍‌ବାଦର ଅନ୍ୟତମ ପ୍ରୟୋଗକର୍ତ୍ତା ଲେନିନ୍ ଯୁକ୍ତି କରିଥିଲେ- ରାଷ୍ଟ୍ର ବା ସରକାରୀ କର୍ତ୍ତୃତ୍ୱ ବଳପ୍ରୟୋଗର ଯନ୍ତ୍ର ଛଡ଼ା ଅନ୍ୟ କିଛି ନୁହେଁ । ତେଣୁ ଯେସାକୁ ତେସା ନ୍ୟାୟରେ ସେହି ବଳ ପ୍ରୟୋଗର ଯନ୍ତ୍ର ବିରୁଦ୍ଧରେ ଲୋଡ଼ା ପଡ଼ିଲେ, ବଳପ୍ରୟୋଗ ନ କରାଯିବ କାହିଁକି ? ମାଓ-ସେ-ତୁଙ୍ଗ ଆଉ ଗୋଟିଏ ପାଦ ଆଗକୁ ଯାଇ ଘୋଷଣା କଲେ- ବନ୍ଧୁକର ନଳୀ ହିଁ ସମସ୍ତ ଶକ୍ତିର ଉତ୍ସ । ....କୃଷକ ଓ ଶ୍ରମିକ ସଂଗଠନ ଜରିଆରେ ସଶସ୍ତ୍ର ବିପ୍ଳବ ଚଳାଇ ଯାଅ! ତତ୍ତ୍ୱ ଓ ଆଦର୍ଶ ବିଷୟରେ ବେଶି ମଥା ଖେଳାଅନା! ଯେ ଯେତେ ଚିନ୍ତା କରେ, ସେ ସେତେ ମୂର୍ଖ ହୁଏ । ପ୍ରତିରୋଧ ଓ ବଳ ପ୍ରୟୋଗର ଏହି ନୂତନ ମନ୍ତ୍ର ପୃଥିବୀର କେତେକ ଦେଶକୁ ଯେ ଅନୁପ୍ରାଣିତ ନ କରିଛି, ତାହା କହି ହେବ ନାହିଁ । ଭାରତରେ ଏଇ ଦଶକରେ ସଂଘଟିତ ତେଲେଙ୍ଗାନା ଅଭ୍ୟୁତ୍‌ଥାନ ଏବଂ ଷଷ୍ଠ ଦଶକରେ ନକ୍‌ସାଲ ପନ୍ଥାର ପ୍ରବର୍ତ୍ତନ ଏହି ମତାଦର୍ଶର ଫଳଶ୍ରୁତି ବ୍ୟତୀତ ଅନ୍ୟ କ'ଣ ହୋଇପାରେ ?

ହିଂସା, ରକ୍ତପାତ ଓ ବଳପ୍ରୟୋଗ ବ୍ୟତିରେକେ ବିପ୍ଳବ ସଂଘଟିତ ହୋଇପାରେ । ଏହାହିଁ ଆଧୁନିକତମ ଧାରଣା! ପ୍ରାଚୀନ କାଳରୁ ମଧ୍ୟଯୁଗ ଦେଇ ଆଧୁନିକ କାଳ ପର୍ଯ୍ୟନ୍ତ ବିଶ୍ୱଇତିହାସରେ ଯେତେ ଯେତେ ବିପ୍ଳବ ସଂଘଟିତ ହୋଇଛି, ତହିଁରେ ଊଣାଧିକେ ହିଂସା, ରକ୍ତପାତ, ଆତଙ୍କ, ଉତ୍ତେଜନା ଇତ୍ୟାଦି ଅନୁସୃତ ହୋଇଛି । କମ୍ୟୁନିଷ୍ଟ ମତାଦର୍ଶ ଅନୁସାରୀ ବିପ୍ଳବରେ ତାହାରି ଚରମ ପ୍ରକାଶ ଆମେମାନେ ଲକ୍ଷ୍ୟ କରିବା । ଆଜି ମାନବ ସଭ୍ୟତା ବିକାଶର ଶୀର୍ଷ ଦେଶରେ ଉପନୀତ ହୋଇଥିବାବେଳେ ଏବଂ ମାନବିକତାର ମହିମା ଚତୁର୍ଦ୍ଦିଗରେ ଉଦ୍‌ଘୋଷିତ ହେଉଥିଲାବେଳେ, ଏହି ସାଂଘାତିକ ମତାଦର୍ଶର ଅସାରତା ଉପଲବ୍ଧି କରାଯାଉଛି । ଜୀବନ ପ୍ରତି-ସମାଜ ପ୍ରତି ଗଭୀର ଶ୍ରଦ୍ଧା ହେତୁ ମଣିଷ ବିପ୍ଳବ ପଥରେ ଆଗୁସାର ହୋଇଥାଏ । ତେଣୁ ସେହି ଜୀବନକୁ ନଷ୍ଟ କରି-ସମାଜକୁ ଭ୍ରଷ୍ଟ ଓ ଆତଙ୍କଗ୍ରସ୍ତ କରି ବିପ୍ଳବ କରାଯାଇପାରେ କିପରି ? ଆଧୁନିକ ଯୁଗରେ ବିପ୍ଳବର ତତ୍ତ୍ୱଦ୍ରଷ୍ଟା ଗୁରୁ ମାର୍କସ୍ ବାରମ୍ବାର କହିଥିଲେ- ବିପ୍ଳବକୁ ଘେନି ଖେଳନା ! ତଥାପି ମାର୍କସଙ୍କ ଶିଷ୍ୟମାନେ ବିପ୍ଳବକୁ ଘେନି ବରାବର ଖେଳୁଥିବାର ଦେଖାଯାଏ । ରୁଷିଆର ସମାଜତାନ୍ତ୍ରିକ ବିପ୍ଳବରେ ହଜାର ହଜାର ସୈନ୍ୟ ଓ ଶ୍ରମିକ ନିହତ ହୋଇଥିବାର ଜଣାପଡ଼ିଛି । କିଛିଦିନ ତଳେ ମାଓ-ସେ-ତୁଙ୍ଗ ନିର୍ବିକାର ଚିତ୍ତରେ କହିଛନ୍ତି- ଜୀବନହାନିପାଇଁ ଭାଳେଣି କରି ଲାଭ ନାହିଁ । ... ଏପରିକି ପୃଥିବୀରେ ଯଦି ଆଣବିକ ଯୁଦ୍ଧ ଲାଗିଯାଏ, ଚୀନର ତିରିଶ କୋଟି ଲୋକ ହୁଏତ ମରିବେ । ତଥାପି ଆମର ଆହୁରି ତିରିଶ କୋଟି ଲୋକ ବଞ୍ଚି ରହିବେ । ମଣିଷ ଜୀବନକୁ ଘେନି ଏପରି ଖେଳ ଖେଳିବା ମୂଢ଼ତାର ପରିଚାୟକ ନୁହେଁ କି ? ଭାରତରେ ସମ୍ପ୍ରତି ନକ୍ସଲପନ୍ଥୀ ପ୍ରତି ଜନସମର୍ଥନ ହ୍ରାସ ହିଂସାଶ୍ରୟୀ ବିପ୍ଳବୀମାନଙ୍କ ପ୍ରତି ଏକ ଚେତାବନୀ ନୁହେଁ କି ?

ବିପ୍ଳବ ଯେ ହିଂସା, ଆତଙ୍କ, ରକ୍ତପାତ ବ୍ୟତିରେକେ ସାର୍ଥକ ଭାବରେ ସଂଘଟିତ ହୋଇପାରେ, ତାହା ଏବେ ଆମରି ଆଖି ଆଗରେ ପୃଥିବୀର ଦୁଇଟି ଦେଶରେ ପ୍ରମାଣିତ ହୋଇଯାଇଛି । ଭାରତରେ ମହାତ୍ମା ଗାନ୍ଧି ଏବଂ ମାର୍କିନ୍ ଯୁକ୍ତରାଷ୍ଟ୍ରରେ ମାର୍ଟିନ୍ ଲୁଥର କିଙ୍ଗ୍ ସେହିପରି ବିପ୍ଳବର ଥିଲେ କର୍ଣ୍ଣଧାର । ତଥାପି ଏହି ଆଲୋଚକର ବିଶ୍ୱାସ ବିପ୍ଳବ କ୍ଷେତ୍ରରେ ବେଳେବେଳେ ହିଂସା ଲୋଡ଼ା ପଡ଼ିଥାଏ । ଆଲୋଚନା ଆରମ୍ଭରେ ଏ ବିଷୟରେ ସୂଚନା ଦେଇଛି; କିନ୍ତୁ ବିପ୍ଳବ ସମୟରେ ସେହି ହିଂସାର ନିର୍ବାଧ, ନିର୍ବିଚାର ପ୍ରୟୋଗ ଉଚିତ ନୁହେଁ । ବିପ୍ଳବୀ ହସ୍ତର ଅସ୍ତ୍ର ସର୍ଜନ୍ ହସ୍ତର ଛୁରୀ ସଦୃଶ । ସର୍ଜନ୍ ଯେପରି ରୋଗ ନିରାମୟ ଲାଗି ଶରୀରର ଯେକୌଣସି ସ୍ଥାନରେ ଯଥେଚ୍ଛା ଭାବରେ ଛୁରୀ ଚଳାଏନା, ପ୍ରକୃତ ବିପ୍ଳବୀ ମଧ୍ୟ ସେହିପରି ନିର୍ବାଧ, ନିର୍ବିଚାର ଭାବରେ ହିଂସାର ଅସ୍ତ୍ର ପ୍ରୟୋଗ କରେ ନା । ଯେଉଁଠି ଯେତିକି ପରିମାଣରେ ହିଂସା ପ୍ରୟୋଗ କଲେ, ବିପ୍ଳବର ଲକ୍ଷ୍ୟ ସାଧନ ହୋଇପାରିବ, ସେ ସେଥିପ୍ରତି ସତର୍କ ଥାଏ । ପୁଣି ରାଜନୀତି କ୍ଷେତ୍ରରେ ଧର୍ମଘଟ, ଅସହଯୋଗ, ବନ୍ଦ, ଘେରାଉ ପ୍ରଭୃତିକୁ ମଧ୍ୟ କେହି କେହି ହିଂସାର ଏକ ରୂପବୋଲି କହୁଛନ୍ତି । ସେ ଯାହା ହେଉ, ହିଂସା ରକ୍ତପାତ ଆଦି ବିପ୍ଳବର ବିସ୍ତୀର୍ଣ୍ଣ ଆକାଶରେ ଏକ ଚଲା ବାଦଲ- ଏକ ଅସ୍ଥାୟୀ ଚଳମାନ ବିଭାବ । ଏହା ସ୍ଥାୟୀ ଭାବରେ ରହି ନ ପାରେ । ସ୍ନାୟୁତତ୍ତ୍ୱବିଦ୍‌ମାନଙ୍କ ମତରେ -ଜଣେ ମଣିଷ - ଜୀବନରେ ବା ଏକ ସମାଜ-ଜୀବନରେ ଦୀର୍ଘକାଳ ବ୍ୟାପୀ ହିଂସା, ଆତଙ୍କ ଉତ୍ତେଜନା ସ୍ଥାନ ପାଇ ପାରେନା । ତାହା ଯଦି ହୁଏ, ତେବେ ବ୍ୟକ୍ତି ନିଜର ସ୍ୱାଭାବିକ ମାନସିକ ସ୍ଥିତି ହରାଇ ବସିବ- ଗୋଟା ସମାଜଟା ହୁଏତ ଏକ ପାଗଳା-ଗାରଦରେ ପରିଣତ ହୋଇଯିବ । ସେଥିପାଇଁ ଆଜିର ପ୍ରଗତିଶୀଳ ବିଶ୍ୱଧାରଣାରେ-ଅହିଂସ ବିପ୍ଳବ ହିଁ ଆଦର୍ଶସ୍ଥାନୀୟ । ବର୍ତ୍ତମାନ ଓ ଭବିଷ୍ୟତର ବିଶ୍ୱକଲ୍ୟାଣପାଇଁ ଉଦ୍ଦିଷ୍ଟ ଏହି ପ୍ରକାର ବିପ୍ଳବକୁ ଆମ୍ଭେମାନେ ‘ଶୀତଳ ବିପ୍ଳବ' ଆଖ୍ୟା ଦେଇପାରିବା ।

•••

 

ଯୁଗ ପରିବର୍ତ୍ତନର ମାପକାଠି - ପରିବର୍ତ୍ତନ

ଶ୍ରୀ ରାଇଚରଣ ଦାସ

 

Every age must have its original relation to the universe.

No age can hold a mortgage on any future time.

Emerson

 

ନୂତନ ସହସ୍ରାବ୍ଦୀର ସୂର୍ଯ୍ୟ :

ଆଣ୍ଡାମାନ ଦ୍ୱୀପପୁଞ୍ଜ ଭିତରେ କଚାଲ (Katchal) ନାମକ ଏକ କ୍ଷୁଦ୍ର ଦ୍ୱୀପ । ଗତ ତା୧-୧-୨୦୦୦ରିଖ ପ୍ରତ୍ୟୁଷ ୫ଘଣ୍ଟା ୩୦ମିନିଟ୍‌ରେ ଏ ସହସ୍ରାବ୍ଦୀ (Millenium)ର ପ୍ରଥମ ସୂର୍ଯ୍ୟୋଦୟ ସବା ଆଗେ ଦେଖିବାକୁ ମିଳିଲା ଏହି କ୍ଷୁଦ୍ର ଦ୍ୱୀପରେ । ମିଲେନିଅମ୍‌ର ପ୍ରଥମ ସୂର୍ଯ୍ୟୋଦୟ ଦର୍ଶନ । ଦେବ ବିକର୍ତ୍ତନଙ୍କର ପ୍ରଥମ ଉଦୟ ରାଗ ।

 

ତା' ପୂର୍ବରୁ ବେଶ୍ କିଛି ଦିନ ଧରି ଏହି ‘ମିଲେନିୟମ୍‌' ଶବ୍ଦର ବହୁଳ ବ୍ୟବହାର ଆଉ ଚର୍ଚ୍ଚା ଦେଖିବାକୁ ମିଳିଥିଲା । ପିରାମିଡ୍‌ଠାରୁ ଆରମ୍ଭ କରି ପାର୍କରେ, ପ୍ରଦର୍ଶନୀ ପଡ଼ିଆରେ, ପ୍ରେକ୍ଷାଳୟରେ, ପାଠାଗାରରେ, ପରିବାର ମଧ୍ୟରେ । ସବୁଠାରେ । ନେତା, ଅଭିନେତା, କ୍ରେତା, ବିକ୍ରେତା, ଶ୍ରୋତା, ବକ୍ତା ସମସ୍ତଙ୍କ ଭିତରେ । ଏଥିପାଇଁ ସମସ୍ତେ ଉତ୍ସୁକ, ସମସ୍ତେ ଉଚ୍ଚାଟ, ସମସ୍ତେ ଉଦ୍‌ବେଳିତ ଥିଲେ । ସମସ୍ତେ କିଛି ନା କିଛି ପାଳିଲେ । କିଛି ନା କିଛି କଲେ । ସଭା, ସମିତି, ସମ୍ମିଳନୀ, ସେମିନାର, ସମାରୋହ, ସଙ୍ଗୀତ, ସମ୍ଭାଷଣ, ସଂକୁଳା, ସ୍ୱାଗତ, ଅଭିନନ୍ଦନ, ଆଲିଙ୍ଗନ, ଆସର, ଆତସବାଜି, ଆଲୋକ ସଜ୍ଜା, ଆଲୋଚନା, ଆୱାର୍ଡ, ମେଳା, ମେଳଣ, ମଉଚ୍ଛବ, ମଉଜ । କେତେ କ'ଣ । ଏପରିକି ବମ୍ବେର ସେଆର ବଜାରରେ ଏହାର ପ୍ରତିଫଳନ ଦେଖାଗଲା ବିଂଶ ଶତାବ୍ଦୀର ସବୁଠାରୁ ଅଧିକ ମୂଲ୍ୟାଙ୍କନ ଜରିଆରେ । ଏ ଶବ୍ଦ ‘ସାଧାରଣ ଜ୍ଞାନ’ରେ ପରିଣତ ହୋଇଗଲା- ଯଦିଓ ଏହି ମିଲେନିୟମ୍ ପ୍ରକୃତରେ କେବେଠୁଁ ଆରମ୍ଭ ସେ ବିଷୟରେ ଏ ଅବଧି ମତଭେଦ ରହିଛି ।

 

ମୋଟାମୋଟି ଭାବରେ ଏହାକୁ ଏକବିଂଶ ଶତାବ୍ଦୀର ଆରମ୍ଭବୋଲି ଧରି ନିଆଯାଇଛି-। ଏକ ଶତାବ୍ଦୀର ଅନ୍ତ । ଏକ ଯୁଗର ଅନ୍ତ । ଏକ କଳ୍ପ/ମନ୍ୱନ୍ତରର ଉପାନ୍ତ । ଅନ୍ୟ ଏକ ଶତାବ୍ଦୀ/ଯୁଗର ଅୟମାରମ୍ଭ । ଅନ୍ୟ ଏକ କଳ୍ପ/ମନ୍ୱନ୍ତରର ଆବିର୍ଭାବ ଏବଂ ଏହି ନୂତନ ମନ୍ୱନ୍ତର, କଳ୍ପ, ମହାଯୁଗ, ଯୁଗ ଆଉ ଶତାବ୍ଦୀର ଆରମ୍ଭ ସମ୍ବନ୍ଧରେ ବହୁ ଦ୍ରଷ୍ଟା, ଋଷି, ସନ୍ଥ, ସାଧକ, ସହୃଦୟ, ବୈଜ୍ଞାନିକଙ୍କର ବହୁତ ଚିତାକର୍ଷକ, ରୋମାଞ୍ଚକାରୀ, ଅବିଶ୍ୱସନୀୟ, ଚମତ୍କାର ଭବିଷ୍ୟତବାଣୀ ମିଳିଥିଲା । ପତନ, ଅବକ୍ଷୟ, ଦୁର୍ବିପାକ, ଆଶା, ଆଶଙ୍କା, ଉତ୍କଣ୍ଠା, ନୂତନ ରହସ୍ୟ, ନୂତନ ଉଦ୍ଭାବନ, ନୂତନ ଆବିଷ୍କାର, ନୂତନ ପୁରୋଦୃଷ୍ଟି, ନୂତନ ଚେତନା । କେତେ କ'ଣ ।
 

ଏ ପୁରୋଦୃଷ୍ଟିର କିଛି ତାତ୍ପର୍ଯ୍ୟ ଅଛି କି ? ନର୍ମଦା ଉପତ୍ୟକାର ସାତପୁରା ପର୍ବତମାଳାର ରାଣିଆ ଗଞ୍ଜିଆ ପଡ୍‌ଭି (Ranya Ganjya Padvi) ନାମକ ଜଣେ ଆଦିବାସୀ ଚାଷୀ ଏଇ କଥା ପଚାରିଥିଲା । ଅନ୍ୟ ପରିଭାଷାରେ(୧) । ପ୍ରକୃତରେ ଏ ପୁରୋଦୃଷ୍ଟିର ତାତ୍ପର୍ଯ୍ୟ କଅଣ ?

 

ଆମେ ଏଇ ନୂତନ ମିଲେନିୟମ ବା ଏକବିଂଶ ଶତାବ୍ଦୀର କଥା କାହିଁକି କହୁଛୁ ? ଏପରି କହିବାର କିଛି ବିଶେଷ ତାତ୍ପର୍ଯ୍ୟ ଅଛି କି ?

 

ଧର୍ମର କ'ଣ ଗ୍ଳାନି ହୋଇଛି ? ‘ଅଧର୍ମ'ର କ'ଣ ଅଭ୍ୟୁଥାନ ଘଟିଛି ? ‘ସାଧୁ'ମାନଙ୍କର କ'ଣ ପରିତ୍ରାଣ ଆବଶ୍ୟକ ପଡ଼ୁଛି ? ‘ଦୁଷ୍କୃତ'ମାନଙ୍କର ବିନାଶର ପ୍ରୟୋଜନ ହୋଇଛି କି ? ଅବା ଧର୍ମ ସଂସ୍ଥାପନାପାଇଁ ଏକ ନୂତନ ‘ଶକ୍ତି', ନୂତନ ଦ୍ୟୋତନା, ନୂତନ ଅବତାର ଆଉ ନୂତନ ଭଗବାନଙ୍କର ଆବଶ୍ୟକତା ଆମେ ଅନୁଭବ କରୁଛୁ ?(୨) ।

 

କାହିଁକି ଆମେ ଉତ୍ସୁକ ? ଉତ୍କଣ୍ଠିତ? ଅବା ଆଶଙ୍କିତ ? ଏଇ ନୂତନ ମିଲେନିୟମ୍ ଅବା ଏକବିଂଶ ଶତାବ୍ଦୀ କ'ଣ ? ଏକ ଲାବଣ୍ୟବତୀ । କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ! ମୋନାଲିସା । ମୟ ଦାନବ! ମଧୁ କୈଟଭ ! ମୋହିନୀ ! ପୁତନା ! ନା ଏକ ଫ୍ରାଙ୍କିନ୍‌ଷ୍ଟାଇନ୍‌ !!

 

ଧର୍ମର ଗ୍ଳାନି :

ଧର୍ମ ଓ ଅଧର୍ମ, ସାଧୁ ଓ ଦୁଷ୍କୃତ, ଗ୍ଳାନି ଓ ଅଭ୍ୟୁଥାନ, ପରିତ୍ରାଣ ଓ ସଂସ୍ଥାପନା- ଏହି ଅଭିବ୍ୟକ୍ତିଗୁଡ଼ିକ, ଯାହା ମହାଭାରତ ରଚନା କାଳରେ ଓ ତତ୍କାଳୀନ ଜନମାନସର ଅଚେତନ ଅଙ୍ଗୀକାରରୂପେ ପ୍ରତିଷ୍ଠା ଲାଭ କରିଥିଲା- ଆଜି ଶତାବ୍ଦୀ ଶତାବ୍ଦୀ ପରେ ଯେ ଗୁଡ଼ିକର ଧାରଣାଧର୍ମୀ (Cognitive) ଓ ବ୍ୟଞ୍ଜନାଧର୍ମୀ ବା ସଂବେଗ ଗର୍ଭିତ (Affective) ତାତ୍ପର୍ଯ୍ୟରେ କିଛି ପରିବର୍ତ୍ତନ ହୋଇଛି କି ? ଅବା ସେହି ଅଭିବ୍ୟକ୍ତିଗୁଡ଼ିକର ପରିବହନ କ୍ଷମତା ଆଉ ଶକ୍ତି ପରବର୍ତ୍ତୀ କାଳର ଅନୁଭୂତି ଆଉ ପରମ୍ପରା ଇତ୍ୟାଦି ଜରିଆରେ ଉତ୍ତରପୁରୁଷମାନଙ୍କ ପାଖକୁ ଭିନ୍ନ ଭାବରେ ଆସିଛି ??

 

ହୁଏତ ଆସୁଛି ନୂତନ ‘ଧର୍ମ' । ନୂତନ ପ୍ରକାରର ‘ଗ୍ଳାନି' । ନୂତନ ପ୍ରକାରର ଅଧର୍ମ' । ନୂତନ ‘ଦୁଷ୍କୃତ' । ତେଣୁ ଲୋଡ଼ା ନୂତନ ପ୍ରକାରର ପରିତ୍ରାଣ । ଭଗବାନଙ୍କର ନୂତନ ଅବତାର । ଆଉ ନୂତନ ପ୍ରକାରର ସଂସ୍ଥାପନା ।

 

ବିଜ୍ଞାନର ତଥ୍ୟଗୁଡ଼ିକରୁ ସାମାନ୍ୟ କଥନ ଭାବରେ ଆମେ କେତୋଟି କଥା ଜାଣିଛୁ- ଯେ ଆମର ଏହି ସୁନ୍ଦର ଦୀପ୍ତିମାନ ଅଂଶୁମାନ ଦିନେ ବୁଢ଼ା ହୋଇଯିବ । ଯେ ଏଇ ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ଆଉ ଅନନ୍ତ ଯୌବନା ଅନନ୍ତ ସମ୍ଭାବନା-ପୂର୍ଣ୍ଣ ବସୁମାତା ଦିନେ ଉତ୍ତାପ ଆଧିକ୍ୟ ଯୋଗୁ ମୃତ୍ୟୁବରଣ କରିବ । ଯେ ଏଇ ଜୀବନର ସ୍ରୋତ ନିଶବ୍ଦରେ, ଶନୈଃ ଶନୈଃ ମୃତ୍ୟୁ ସିନ୍ଧୁର କରାଳ ଲହରୀ ରୂପକ ନିଷ୍ଠୁର ନିୟତି ଆଡ଼କୁ ଧାବମାନ ହେଉଛି । ଜ୍ୟୋତିଷମାନଙ୍କ କଥା ଛାଡ଼ି, ଯଦି ବୈଜ୍ଞାନିକମାନଙ୍କୁ ବିଶ୍ୱାସ କରାଯାଏ, ତେବେ ଆମେ କ'ଣ ନିକଟ ଭବିଷ୍ୟତରେ ଅନ୍ୟ ଏକ ଗ୍ରହ ଅବା ତାରକା ସହିତ ଆମର ଏଇ ଦ୍ୟାବ୍ୟା ପୃଥିବୀର ଆଶୁ ସଂଘାତର ଲୋମହର୍ଷଣକାରୀ କରୁଣ ପରିଣତି ନେଇ ଆତଙ୍କିତ ?? ଅବା ଆମ ପୃଥିବୀର ପରିବେଶ (Environment) ଓ ତାହାର ଅବଶ୍ୟମ୍ଭାବୀ ଅସଂତୁଳନତା (Ecological imbalance) ନେଇ ଚିନ୍ତିତ !! (୩) ନା-ଆମେ ଗାଲାକ୍ସି, ତାରକା ବା ଗ୍ରହପୁଞ୍ଜ ବା ପୃଥିବୀ ଗ୍ରହର ଭବିଷ୍ୟତ ଘେନି ଅବା କ୍ଲୋରଫ୍ଲୋରୋକାର୍ବନ, ଓଜନ ସ୍ତରର ଛିଦ୍ର, ସଲଫେଟ୍ ଏରୋସଲ, ଗ୍ରୀନହାଉସ ବାଷ୍ପ ଜନିତ ସମସ୍ୟା, ଭୂପୃଷ୍ଠର ଉତ୍ତାପ ବୃଦ୍ଧି ବା ଭୂତଳ ଜଳର ହ୍ରାସ ଜନିତ ସମସ୍ୟା, ମେରୁ ପତନ ବା ପାରମାଣବିକ ଶୀତଳତା, ଏଲ୍‌ନିନୋ ବା ସମୁଦ୍ର ପତନର ବୃଦ୍ଧି ଇତ୍ୟାଦିର ସମ୍ଭାବନା ଘେନି ସେତେ ଚିନ୍ତିତ ନୋହୁଁ ।

 

ଏକବିଂଶ ଶତାବ୍ଦୀର ସାହିତ୍ୟ କଥା କହିଲା ବେଳେ ଆମେ ଏପରି କିଛି କଥା ନିର୍ଦ୍ଦିଷ୍ଟ ଭାବରେ ମନରେ ପୋଷଣ କରିନାହୁଁବୋଲି କହିଲେ ଠିକ୍ ହେବ । ସେଗୁଡ଼ିକ ଧରାର ବୃହତ୍ତର ଧାରାଗୁଡ଼ିକର ପରିବର୍ତ୍ତନ (ସୃଷ୍ଟି, ସ୍ଥିତି, ପ୍ରଳୟ...ଇତ୍ୟାଦି) ସହିତ ସଂଶ୍ଳିଷ୍ଟ । ନୂତନ ମିଲେନିୟମରେ, ନୂତନ ଶତାବ୍ଦୀର ସମାଜ ଓ ସାହିତ୍ୟକୁ ସେହି ପରିବର୍ତ୍ତନର ଧାରା ଯେପରି ଭାବରେ ପ୍ରଭାବିତ କରୁଛି ବା ପ୍ରଭାବିତ କରିବାର ସମ୍ଭାବନା ଅଛି, କେବଳ ସେହି ସୀମିତ ପରିସର ଓ ସମ୍ଭାବନା କଥା ହୁଏତ ଅସ୍ପଷ୍ଟ ଭାବରେ ଆମ ମନକୁ ଆନ୍ଦୋଳିତ କରୁଛି ।

 

ପରିବର୍ତ୍ତନର ସ୍ୱରୂପ :

ସେହି ପରିବର୍ତ୍ତନର ସଚେତନତା ଓ ତା'ର ଅବଶ୍ୟମ୍ଭାବୀ ଭବିତବ୍ୟତା ବା ନିୟତି ଆମ ମନକୁ ଆନ୍ଦୋଳିତ ଆଉ ଆଶଙ୍କିତ କରୁଛି । ସେଉଠୁ ଆସୁଛି ଏକ ଆପାତଃ ସ୍ଥିର ନିଶ୍ଚୟତା । ଯେ ଏକବିଂଶ ଶତାବ୍ଦୀ ବିଂଶ ଶତାବ୍ଦୀଠାରୁ ଭିନ୍ନ ହେବ । ଯେ ଏକବିଂଶ ଶତାବ୍ଦୀର ସାହିତ୍ୟ ବିଂଶ ଶତାବ୍ଦୀର ସାହିତ୍ୟଠାରୁ ଭିନ୍ନ ହେବ । ଅନାସ୍ୱାଦିତ । ଅନାଘ୍ରାତ । ଅଦୃଷ୍ଟ । ବହୁତ ଦିଗରୁ । ଅନେକ ଭାବରେ । ବିଭାବରେ । ଅନୁଭାବରେ । ଗୁଣାତ୍ମକଭାବେ । ଧର୍ମାତ୍ମକଭାବେ । ଚେତନା ସ୍ତରରେ । ବୈପ୍ଳବିକଭାବେ । କପରନିକସ୍‌ଙ୍କ ଆବିଷ୍କାର, ଦାରଉଇନ୍‌ଙ୍କ ଆବିଷ୍କାର, ଫ୍ରୟଡ୍ ବା ଆଇନଷ୍ଟାଇନ୍‌ଙ୍କ ଆବିଷ୍କାର, ଅବା ଶିଳ୍ପ ବିପ୍ଳବଠାରୁ ଅଧିକ ବୈପ୍ଳବିକ । ଅଧିକ କ୍ରାନ୍ତିକାରୀ । ସମ୍ପୂର୍ଣ୍ଣ ନୂତନ । ସମ୍ପୂର୍ଣ୍ଣ ଅଭାବିତ ଏବଂ ଏ ଭାବନା ଏକ ଅନ୍ତର୍ଦୃଷ୍ଟି ନୁହେଁ । ପ୍ରାଗନୁଭବିକ (Intuitive) ନୁହେଁ । ଅଥଚ ଏଇ ପରିବର୍ତ୍ତନର ପରିଣତି ସମ୍ବନ୍ଧରେ ଆମେ ନିଶ୍ଚିତଭାବେ ଜାଣିଛୁବୋଲି ଭାବୁଛୁ ।

 

କେତେକ ଘଟଣାବଳୀରେ ମନ୍ଥର ପରିବର୍ତ୍ତନ ଲକ୍ଷ୍ୟ କରୁଛୁ । ଯଥା- ଆକାଶର ନୀଳିମା । ଦୂର ପର୍ବତର ସବୁଜିମା । କୌଣସି ଏକ ପ୍ରାକୃତିକ ଦୃଶ୍ୟ ଇତ୍ୟାଦି । ଦିନକ ପରେ ଏ ସବୁର କୌଣସି ପରିବର୍ତ୍ତନ ଲକ୍ଷ୍ୟ କରିପାରିବୁ ନାହିଁ । ଏକ ସପ୍ତାହ ପରେ ଦେଖିବୁ ବଗିଚାରେ ଥିବା ଗଛ ଚାରାଟି ବଡ଼ ହୋଇ ଗଲାଣି । ଛ'ମାସ ପରେ ଦେଖିବୁ ଧ୍ରୁବତାରାର ଅବସ୍ଥିତି ବଦଳି ଗଲାଣି । କିନ୍ତୁ ଆକାଶର ନୀଳିମାରେ ପରିବର୍ତ୍ତନ ହୋଇ ନାହିଁ । କୋଡ଼ିଏ ବର୍ଷ ପରେ ଜଣେ ପରିଚିତ ଲୋକକୁ ଦେଖିଲେ ଦୋ ଦୋ ଚିହ୍ନା ଲାଗିବ ।

 

ଏ ସେଇ ଗଛ । ସେଇ ଶିଶୁ । ସେଇ ମଣିଷ । ସେଇ ଦୃଶ୍ୟ । ଏସବୁ ଭିତରେ କିଛି ଚିହ୍ନା, କିଛି ଜଣା ଉପାଦାନ ରହିଛି । ଯେଉଁଥିପାଇଁ ବଦଳିଗଲା ଭିତରେ ବି ଚିହ୍ନି ପାରୁଛୁ । ଅଚିହ୍ନା ଭିତରେ ବି ସେ ଚିହ୍ନା । ଅଜଣା ମଧ୍ୟରେ ଜଣା । ତା' ଭିତରେ କିଛି ସ୍ଥାୟୀ କିଛି ପରିବର୍ତ୍ତନ-ଉତ୍ତୀର୍ଣ୍ଣ ଉପାଦାନ, କିଛି ପୁରାତନ ଉପାଦାନ ରହିଛି । ଯାହା ଯୋଗୁ ଇଏ ସେଇ ଗଛ । ସେଇ ଶିଶୁ । ସେଇ ମଣିଷ । ସେଇ ଦୃଶ୍ୟ । ନୂତନ ମଧ୍ୟରେ ସେ ପୁରାତନ ।

 

ପୁଣି ଦେଖୁଛୁ- ତା'ଭିତରକୁ କିଛି ନୂଆ, କିଛି ଅଚିହ୍ନା, କିଛି ଅଜଣା ଉପାଦାନ ପଶି ଆସିଛି । ଯାହା ଯୋଗୁ ତାକୁ ଚିହ୍ନିଲେ ବି ସେ ଦୋ ଦୋ ଚିହ୍ନା ବା ଅଚିହ୍ନା । ସେ ଚିହ୍ନା ମଧ୍ୟରେ ଅଚିହ୍ନା । ଜଣା ମଧ୍ୟରେ ଅଜଣା । ତା' ଭିତରର ନୂତନ ଉପାଦାନ, ନୂତନ ଗୁଣ ଯୋଗୁ ସେ ପୁରୁଣା ହୋଇ ମଧ୍ୟ ନୂଆ । ପୁରାତନ ମଧ୍ୟରେ ବି ସେ ନୂତନ ।

 

ଗୋଟିଏ ଜଡ଼ତା ଆଉ ସ୍ଥାଣୁତା । ଅପରଟି ଗତି ଆଉ ଗତିଶୀଳତା । ଗୋଟିଏ ଚିହ୍ନା ଆଉ ପୁରାତନ । ଅନ୍ୟଟି ଅଚିହ୍ନା ଆଉ ନୂତନ । ଚିହ୍ନା ଆଉ ପୁରୁଣା ଉପାଦାନଗୁଡ଼ିକ ମଧ୍ୟରେ କିଛି ସମତା, କିଛି ସାଦୃଶ୍ୟ ଆଉ ସ୍ଥାୟୀତ୍ୱ ଅଛି କି ? ସାଦୃଶ୍ୟ ଅଛିବୋଲି ଚିହ୍ନା । ସ୍ଥାୟୀତ୍ୱ ଅଛିବୋଲି ପୁରୁଣା । ପୁଣି ଅଚିହ୍ନା ଆଉ ନୂତନ ଉପାଦାନଗୁଡ଼ିକ ମଧ୍ୟରେ କିଛି ବିଷମତା, କିଛି ବୈସାଦୃଶ୍ୟ ଆଉ ଅସ୍ଥାୟୀତ୍ୱ ଅଛି କି ? ବୈସାଦୃଶ୍ୟ ଆସିଛିବୋଲି ଅଚିହ୍ନା । ସ୍ଥାୟୀତ୍ୱ କିଛିଟା ବଦଳି ଯାଇଛିବୋଲି ନୂଆ ।

 

ସମତା । ସ୍ଥାୟୀତ୍ୱ । ସାଦୃଶ୍ୟ । ପୁରାତନତା । ଏ ଗୁଡ଼ିକ ଜ୍ଞାତଗୁଣ ମଧ୍ୟସ୍ଥ ଶୃଙ୍ଖଳା । ଏହା ‘ସ୍ଥିତିକ-ସମତା' । ଏହି ସାଦୃଶ୍ୟ ଆଉ ସ୍ଥିତି, ବଦଳିଯାଉଛି । ସମତା ବଦଳି ଯାଉଛି । ଏହା ବଦଳୁଛିବୋଲି ଜାଣୁଛୁ, କାରଣ ଏଥିରେ ପୂର୍ବରୁ ବିଦ୍ୟମାନ ନ ଥିବା କୌଣସି ଏକ ନୂଆ ‘ଗୁଣ' ପ୍ରକଟୁଛି । ସେହିପରି ବୈଷମ୍ୟ, ବୈସାଦୃଶ୍ୟ, ଅସ୍ଥାୟୀତ୍ୱ ଓ ନୂତନତାକୁ ଠିକ୍ ଅନୁରୂପ ଭାବରେ ବିଚାର କରାଯାଇପାରେ । ଏହା ନୂତନ ବା ଅଜ୍ଞାତ ‘ଗୁଣ' ମଧ୍ୟସ୍ଥ ଶୃଙ୍ଖଳା । ଏହା ଏକ ପ୍ରକାରର ‘ଗତିଶୀଳ-ବିଷମତା' । ଖ୍ରୀଷ୍ଟୋଫର କଡ୍‌ୱେଲଙ୍କ ଭାଷାରେ Transitive assymetry--(୪) -। ଏକ ପକ୍ଷରେ ‘ଗୁଣ'ଗୁଡ଼ିକ ମଧ୍ୟସ୍ଥ ସମତା, ସ୍ଥାୟୀତ୍ୱ ଓ ସାଦୃଶ୍ୟର ଉନ୍ମେଷ ଓ ଉତ୍ତରଣ ଘଟୁଛି । ଅପର ପକ୍ଷରେ ‘ଗୁଣ'ଗୁଡ଼ିକ ମଧ୍ୟସ୍ଥ ବୈଷମ୍ୟ, ବୈସାଦୃଶ୍ୟ ଆଉ ନୂତନତାର ଉନ୍ମେଷ ଓ ଉତ୍ତରଣ ଘଟୁଛି । ଉଭୟ ଘଟଣାବଳୀର ଏକ ଦିଗ । ଉଭୟ ଘଟଣାବଳୀ ମଧ୍ୟସ୍ଥ ଏକ ଏକ ପ୍ରକାରର ନିର୍ଦ୍ଦିଷ୍ଟ ଶୃଙ୍ଖଳା । ଉଭୟ ମଧ୍ୟରେ ରହିଛି ଏକ ଅନ୍ତର୍ନିହିତ ବାଧ୍ୟତା । ପରିବର୍ତ୍ତନ ଏକ ‘ଆଧ୍ୟାରୋପ' ନୁହେଁ । ଏହା କେତେକ ଗୁଣର ସମାହାର, ଏକତ୍ରିକରଣ, କ୍ଷୟ ବା ବୃଦ୍ଧି ଯୋଗୁ ଘଟେ ନାହିଁ । ଏହା ପୁରାତନ ବା ଜ୍ଞାତ, କୌଣସି ଗୁଣର କ୍ଷୟ ବା ବୃଦ୍ଧି ନୁହେଁ । ଏହି ‘ଗୁଣ' ଆଗରୁ ନ ଥିଲା । ଏହା ସମ୍ପୂର୍ଣ୍ଣ ନୂତନ । ଏକ ‘ଆବିର୍ଭାବ' । ଅବା ଏକ ନୂତନ ‘ବିଭୂତି' ।

 

‘ଗୁଣ'ଗୁଡ଼ିକ ମଧ୍ୟରେ କିଛି ଉପାଦାନ ବା ସତ୍ତା ରହୁଛି, ଯାହା ‘ପରିବର୍ତ୍ତନ' ମଧ୍ୟରେ, ନୂତନ ‘ଗୁଣ' ପ୍ରକଟ ମଧ୍ୟରେ ଅପରିବର୍ତ୍ତିତ ରହୁଛି । ସବୁ ବୈଷମ୍ୟ ଭିତରେ କିଛି ନିର୍ଦ୍ଦିଷ୍ଟ ସାମ୍ୟ ବା ସମତା ରହୁଛି । ପରିବର୍ତ୍ତନ ମଧ୍ୟରେ ଅପରିବର୍ତ୍ତିତ ସତ୍ତା ଏବଂ ଅପରିବର୍ତ୍ତିତ ସତ୍ତା ମଧ୍ୟରେ ଓ ତା' ସତ୍ୱେ ବି ପରିବର୍ତ୍ତନ । ସେହିପରି ଗୁଣଗୁଡ଼ିକ ମଧ୍ୟସ୍ଥ ବିଷମତା ଆଉ ଅସ୍ଥାୟୀତ୍ୱ ‘ଗୁଣ'ଗୁଡ଼ିକର ବିଭୂତ୍ୱ ନିୟନ୍ତ୍ରଣ କରୁଛି ଏବଂ ଏହି ସମତା-ବିଷମତା, ସ୍ଥାୟୀତ୍ୱ ପରିବର୍ତ୍ତନ, ଜ୍ଞାତଗୁଣ-ଗୁଣାତୀତ ପ୍ରକ୍ରିୟା, ଏକ ସମନ୍ୱିତ ପ୍ରକ୍ରିୟା । ଅବିଚ୍ଛିନ୍ନ । (Continuum) । ଏକ ଅବିରଳ ସ୍ଥିତି(୫) । ଅବିନା । ନାନ୍ତରୀୟକ(୬) । ଏହି ‘ଗୁଣ'ଗୁଡ଼ିକୁ ଆମେ ଚିହ୍ନିଛୁ ଏକ ଗତାନୁଗତିକ ଭାବରେ । ସତ୍ୱ-। ରଜ । ତମ । ପ୍ରକାଶକ । ଉପଷ୍ଟମ୍ଭକ ବା କାର୍ଯ୍ୟର ପ୍ରବର୍ତ୍ତକ । ବର୍ଣ୍ଣକ ବା ବନ୍ଧକ (ମୋହ) ଉତ୍ପାଦନକାରୀ । ‘ଗୁଣ' ପ୍ରକୃତିର ରୂପ । ସ୍ୱରୂପାଧାୟକ ଅଙ୍ଗ ରୂପ । ପୁଣି ‘ଗୁଣ' ପରିଣାମଶୀଳ । ‘ସ୍ଥିତିଜ-ସମତା' ଏକ ପ୍ରକାରର ଗୁଣ-ସାମ୍ୟ ଅବସ୍ଥା । ତାହା ସଦୃଶ ପରିଣାମ ବା ସ୍ୱରୂପ ପରିଣାମ-। ଅବ୍ୟକ୍ତ ଅବସ୍ଥା । ସନ୍ତୁଳିତ ଅବସ୍ଥା । ‘ଗତିଶୀଳ-ବିଷମତା' ଏକ ପ୍ରକାରର କ୍ଷୋଭ ବା ବିକାର । ସକଳ ସୃଜନତାର କାରଣ । ବ୍ୟକ୍ତ ଅବସ୍ଥା କ୍ରିୟାଶୀଳ । ପ୍ରବୃତ୍ତିଶୀଳ । ଏକ ପ୍ରକାର ଅସଂତୁଳନ । ବିଲକ୍ଷଣ । ଏଇ ସମତା-ବିଷମତା, ଅବ୍ୟକ୍ତ ଆଉ ବ୍ୟକ୍ତ (ସଷ୍ଟି), ପରିଣାମ ଆଉ ବିକାରର ସମ୍ବନ୍ଧକୁ ସାଂଖ୍ୟ ଦର୍ଶନର ଏକ ଉଦାହରଣ ଦେଇ କୁହାଯାଇପାରେ ଯେ- ପଙ୍ଗ୍ୱନ୍ଧ ବତ୍ ଉଭୟୋରପି ସଂଯୋଗ । ଅବିନା ଏବଂ ‘କାଳ'ହିଁ ସମସ୍ତ ପରିଣାମ ବା ଗୁଣର ଜନକ ବା ହେତୁ । ସ୍ୱରୂପରେ ନିତ୍ୟ । କାର୍ଯ୍ୟ ରୂପରେ ଅନିତ୍ୟ । ଔପାଧିକ(୭) ।

 

‘ପରିବର୍ତ୍ତନ'ର ପ୍ରକୃତି ସମ୍ବନ୍ଧରେ କିଛି ନୂତନ ତତ୍ତ୍ୱ ଉପସ୍ଥାପନା କରିବାର ଏହା ପ୍ରକୃଷ୍ଟ କ୍ଷେତ୍ର ନୁହେଁ । କିନ୍ତୁ ଯେଉଁ ପ୍ରସଙ୍ଗଟି ଉତ୍‌ଥାପନ କରାଯାଇଛି ତାହା ହେଉଛି ଏହି- ଯେ ସାମ୍ପ୍ରତିକ କାଳର ପରିବର୍ତ୍ତନ ପ୍ରକ୍ରିୟାକୁ ଓ ତା'ର ପ୍ରଭାବକୁ ସାହିତ୍ୟ କେତେଦୂର ଧରି ରଖିପାରିଛି ବା ପାରୁଛି ତାହା ଅଧୁନା ବିଚାରବିମର୍ଷ କରିବାର ପ୍ରକୃଷ୍ଟ ସମୟ ଆସିଛି । ଆମେ ଏକବିଂଶ ଶତାବ୍ଦୀର ସାହିତ୍ୟ କଥା କହିଲା ବେଳେ ଏବଂ ସେହି ସାହିତ୍ୟର ଭୂମିକା କଥା ବିଚାର କଲାବେଳେ ଆମକୁ ମୁଖ୍ୟତଃ ଏହି ସତ୍ତାର ପ୍ରକୃତି, ତା'ର ପ୍ରକ୍ଷେପଣ ଓ ରୂପାନ୍ତର ବିଷୟ ଏବଂ ସାହିତ୍ୟରେ ତା'ର ଆତ୍ମୀକରଣ ବିଷୟ ଭାବିବାକୁ ପଡ଼ିବ ।

 

‘ଯୁଗ'- ବିଭାଗର ସ୍ୱରୂପ ଓ ତାତ୍ପର୍ଯ୍ୟ :

ପରିବର୍ତ୍ତନର ସ୍ୱରୂପକୁ ନେଇ ‘ଯୁଗ' ବିଭାଗ ।

କାଳର ‘ଯୁଗ' ବିଭାଗ ମଣିଷ ଜାତିର ଓ ସମାଜର ବିବର୍ତ୍ତନ ବୁଝିବା ଓ ବୁଝାଇବାପାଇଁ ଏକ ପୁରାତନ ପ୍ରଣାଳୀରୂପେ ଗ୍ରହଣ କରାଯାଇଛି । ଭାରତୀୟ ଶାସ୍ତ୍ରଗୁଡ଼ିକରେ ସୃଷ୍ଟି ଓ ସାମାଜିକ ଅଭ୍ୟୁଥାନ ପ୍ରକ୍ରିୟାଗୁଡ଼ିକର ବିଭିନ୍ନ ସୋପାନକୁ ବିଭିନ୍ନ ‘ମନ୍ୱନ୍ତର', ‘କଳ୍ପ', ‘ମହାଯୁଗ' ଓ ଯୁଗ ଭାବରେ ପରିକଳ୍ପନା କରାଯାଇଥିଲା । ସାମାଜିକ ଇତିହାସ (ବା ଆର୍ଯ୍ୟ- ସମାଜର ଇତିହାସ)ର ମଧ୍ୟ ଏହିପରି ଯୁଗ ବିଭାଗ କରାଯାଇଥିଲା । ଯଥା-କୃତ (ବା ସତ୍ୟ), ତ୍ରେତା, ଦ୍ୱାପର ଓ କଳିଯୁଗ-। ଋଗ୍‌ବେଦର ଐତରେୟ ସଂହିତା (VII-15)ରେ କୁହାଯାଇଛି- କଳିଃ ଶୟାନୋ ଭବତି, ସଂଜିହାନସ୍ତୁ-ଦ୍ୱାପରଃ, ଉତ୍ତିଷ୍ଠେଂସ୍ତ୍ରେତା ଭବତି, କୃତଂ ସଂପଧ୍ୟତେ ଚରନ୍ । ଏହି ଯୁଗ ବିଭାଗଗୁଡ଼ିକ ମୁଖ୍ୟତଃ ସାମାଜିକ ସଙ୍ଗଠନ, ଉତ୍ପାଦନ, ଉପାଦାନର ସମ୍ପର୍କ, ସମ୍ପଦର ବଣ୍ଟନ, ଧର୍ମ, ନୀତି ଓ ସାମାଜିକ ସମ୍ପର୍କଗୁଡ଼ିକର ପରିବର୍ତ୍ତନ ସହ ସମ୍ପୃକ୍ତ ଥିଲା (୮) ।

 

ବିବର୍ତ୍ତନର ପାହାଚରେ ଉପରକୁ ଗଲେ ଦେଖିବୁ ବିଶ୍ୱ ଆଉ ଜୀବୀର ବିବର୍ତ୍ତନର ବିଭିନ୍ନ ସ୍ତର ଆଉ ସୋପାନର ଏକ ବିଶଦ ‘ଯୁଗ'ବିଭାଗ । ଆର୍ଚିଓ ଜୋଇକ୍ ଏରା [Archeozoic era ]- ୧୫୦୦ ନିୟୁତ ବର୍ଷଧ, ପ୍ରୋଟେରୋ ଜୋଇକ୍ ଏରା [Proterozoic era] - ପରବର୍ତ୍ତୀ ୧୦୦୦ ନିୟୁତ ବର୍ଷଧ, ପାଲିଓ ଜୋଇକ୍ ଏରା [Peleozoic era] - ତା'ପର ୩୩୦ ନିୟୁତ ବର୍ଷଧ, ମେସୋ ଜୋଇକ୍ ଏରା [Mesozoic era]- ପରବର୍ତ୍ତୀ ୧୨୦ ନିୟୁତ ବର୍ଷ - ଏହା ମଧ୍ୟରେ Jurassic Period -୨୫ନିୟୁତ ବର୍ଷ ଅନ୍ତର୍ଭୁକ୍ତଧ, ସେନୋ ଜୋଇକ୍ ଏରା ଥତା' ପରବର୍ତ୍ତୀ ୬୩ ନିୟୁତ ବର୍ଷ, ତା' ମଧ୍ୟରୁ Tertiary Period -୬୨ ନିୟୁତ ବର୍ଷ ଓ Quarternary Period - ଏକ ନିୟୁତ ବର୍ଷଧ । ଶେଷ ଏକ ନିୟୁତ ବର୍ଷ ଭିତରୁ ପ୍ଳିଷ୍ଟୋସିନ୍‌, କାଳ [Pleistocene Period] ୯ ଲକ୍ଷ ୮୯ ହଜାର ବର୍ଷ ଓ ହଲୋସିନ୍ [Holocene] କାଳ ୧୧ ହଜାର ବର୍ଷ [ତନ୍ମଧ୍ୟରେ Mesolithic [ତାମ୍ରଯୁଗ] Chalcolithic [ଥବ୍ରୋଞ୍ଜଯୁଗ], Early historic [ଲୌହଯୁଗ] ଇତ୍ୟାଦି ଅନ୍ତର୍ଭୁକ୍ତ ।

 

ଏସବୁ କହିବାର କାରଣ ହେଲା- ବିବର୍ତ୍ତନ ଅଭ୍ୟୁଥାନର ପାହାଚରେ ‘ଯୁଗ' ବିଭାଗ ଏକ ଯୁଗାନ୍ତକାରୀ ପରିବର୍ତ୍ତନର ମାପକାଠି । ଯେତେବେଳେ ସମସାୟିକ ଇତିହାସ/ସମାଜରେ କୌଣସି ତାତ୍ପର୍ଯ୍ୟପୂର୍ଣ୍ଣ ପରିବର୍ତ୍ତନ ସଂଗଠିତ ହୋଇଛି- ଯାହା ବିବର୍ତ୍ତନର ବା ସାମାଜିକ ସଂଗଠନ/ସମ୍ପର୍କଗୁଡ଼ିକର ଏକ ନିଶାଣଖୁଣ୍ଟ ବା ଅତୀବ ଗୁରୁତ୍ୱପୂର୍ଣ୍ଣବୋଲି ବିବେଚିତ ହୋଇଛି- ତାହାହିଁ ‘ଯୁଗ' ପରିବର୍ତ୍ତନର ନିୟାମକ । ‘ଯୁଗ' ଇତିହାସ (Hisotry)କୁ ବଦଳାଇଦିଏ- ଧର୍ମକୁ ବଦଳାଇ ଦିଏ । କ୍ରିୟାକୁ ବଦଳାଇ ଦିଏ(୯) । ଜ୍ଞାନ ଚକ୍ରବୃଦ୍ଧି ହାରରେ ବଢ଼େ । ତେଣୁ ଅବବୋଧ ଆଉ ଇତିହାସର ଚକ୍ର ଆଜି ଦ୍ରୁତ ଧାବମାନ । ଇତିହାସ ଓ ଅବବୋଧର ଗତିକୁ ଆଉ ଧରି ହେଉନାହିଁ । ଆଉ ଧରି ହେବ ନାହିଁ ।

 

ସାହିତ୍ୟରେ ଏ ଅବଧି ଯେଉଁ ଯୁଗ ବିଭାଗର କଳ୍ପନା କରାଯାଇଛି- ଉପରୋକ୍ତ ଦୃଷ୍ଟିକୋଣରୁ ଉକ୍ତ ବିଭାଗଗୁଡ଼ିକୁ ଅବଲୋକନ କରିବା ଉଚିତ ହେବ । ପାଶ୍ଚାତ୍ୟ ଇତିହାସରେ ଏହାର ବହୁ-ବିଭାଜନ ଦେଖିବାକୁ ମିଳେ । ବୈଜ୍ଞାନିକ ବିପ୍ଳବ (ଖ୍ରୀ.ଅ ୧୫୯୦-୧୬୬୦) ଦେଇ ‘ଯୁକ୍ତି'ର ଯୁଗ ବା Neoclassicism ଯୁଗ (ଖ୍ରୀ.ଅ ୧୬୬୦-୧୭୦୦), ଅଗଷ୍ଟାନ ଯୁଗ (ଖ୍ରୀ.ଅ ୧୭୦୦-୧୭୪୦), ଆଲୋକ ବା ନବସଂସ୍କାର (Enlightenment) ଯୁଗ, (ଖ୍ରୀ.ଅ ୧୭୦୦-୧୭୦୦, କେତେକ ଏହାକୁ ଖ୍ରୀ.ଅ ୧୬୯୦-୧୭୮୧ବୋଲି ଗ୍ରହଣ କରିଥାନ୍ତି; ଫ୍ରାନ୍‌ସରେ ଏହାକୁ ପ୍ରଦୀପନ ଯୁଗ - L'lllumination ଏବଂ ଜର୍ମାନୀ ଭାଷାରେ Aufklarung- ବିମଳୀକରଣ ବା ପରିଷ୍କରଣ ଯୁଗବୋଲି କୁହାଯାଏ), ଜନସନ୍‌ଙ୍କ ଯୁଗ (୧୭୪୦-୧୭୭୫), ଅବବୋଧର ଯୁଗ (Age of Sensibility) - ୧୭୪୦-୧୭୮୦) ଶିଳ୍ପ ବିପ୍ଳବ (୧୭୬୦-୧୮୦୦) ଓ କ୍ରାନ୍ତି କାଳ (Revolutionary Period- ୧୭୭୫ରୁ ୧୮୦୦) ମଧ୍ୟ ଦେଇ ରୋମାଣ୍ଟିକ ଯୁଗ (୧୭୭୦-୧୮୩୦) ଇତ୍ୟାଦି ଇତ୍ୟାଦି- ଏହିପରି ସବୁ-

 

ଏହାକୁ “Periods and Movements” ବା “Peaks and Valleys view of literature” କୁହାଯାଏ । ସ୍ଥଳ ବିଶେଷରେ ଏହି ବିଭାଜନକୁ “Survey course” ବୋଲି ମଧ୍ୟ କୁହାଯାଇଥାଏ । ଏହା ଏକ ପ୍ରକାରର ଗତାନୁଗତିକ ଧାରା ।

 

“In colleges, the ‘survey course’ in literature tended to consist of general remarks about the characteristics of periods spiced with scraps of information about the lives of authors, the whole cemented with lists of adjectives to be applied in specific instances, xxxx Facts about movements and periods, qualities to be ascribed to individual authors as illustrating the movements and periods of which they were a part and some biographical anecdotes; perhaps some plot summaries put in at intervals to enable students to write about some works as though they had read them- this became the standard mixture.(10)

 

ଏଠାରେ ମନେ ରଖିବାକୁ ହେବ ଯେ ସାହିତ୍ୟ-ଧାରାର ବିଚାର ଓ ସାହିତ୍ୟ ସମାଲୋଚନା ଧାରାର ବିଚାର ଭଙ୍ଗୀରେ କେତେକ ପାର୍ଥକ୍ୟ ରହିଛି । ସମାଲୋଚନାର ଧାରା କାଳକ୍ରମେ ‘ଜ୍ଞାନ'ର ବହୁ ବିଭାବ-ଇତିହାସ, ମନସ୍ତତ୍ତ୍ୱ, ନୃତତ୍ତ୍ୱ, ସମାଜ-ତତ୍ତ୍ୱ, ଗଠନ-ତତ୍ତ୍ୱ (Structuralism), ଜୀବନୀ, ମିଥ୍‌ତତ୍ତ୍ୱ ଇତ୍ୟାଦି ବହୁ ଭାବ, ବହୁ ତତ୍ତ୍ୱଦ୍ୱାରା ପୁଷ୍ଟ ହୋଇଛି । ଅପର ପକ୍ଷରେ, ସାହିତ୍ୟ ମଧ୍ୟ ନୂତନ ଭାବରାଜିଦ୍ୱାରା ପ୍ରଭାବିତ ହୋଇଛି । ସାହିତ୍ୟ ସୃଷ୍ଟି ଆଗେ ଆଗେ ଯାଉଛି । ସମାଲୋଚନା- ସାହିତ୍ୟର ଏକ ଚର୍ଯ୍ୟା । ଏକ ଅବଲୋକନ । ଏକ ଅବଧାରଣା-। ତେଣୁ ଯୁଗ/କାଳ ବିଭାଜନକୁ ବୁଝିବାର ଏକ ପ୍ରଣାଳୀବୋଲି ଧରାଯାଇପାରେ ।

 

ଓଡ଼ିଆ ସାହିତ୍ୟର ଇତିହାସ ସମ୍ପର୍କୀୟ ଆଲୋଚନାର ବିସ୍ତୃତ କ୍ରମ ଓ ଇତିହାସ ରହିଛି-। ହଣ୍ଟର, ବିମ୍‌ସ୍‌, କୃଷ୍ଣପ୍ରସାଦ ଚୌଧୁରୀ, ପଣ୍ଡିତ ସୂର୍ଯ୍ୟନାରାୟଣ, ମନମୋହନ ଚକ୍ରବର୍ତ୍ତୀ, ପଣ୍ଡିତ ବିନାୟକ ମିଶ୍ର, ମାୟାଧର ମାନସିଂହ, ଗୋବିନ୍ଦଚନ୍ଦ୍ର ମହାପାତ୍ର, ହରେକୃଷ୍ଣ ମହତାବ, ଶ୍ୟାମସୁନ୍ଦର ରାଜଗୁରୁ, ଗୋପୀନାଥ ନନ୍ଦ, ମୃତ୍ୟୁଞ୍ଜୟ ରଥ, ନଟବର ସାମନ୍ତରାୟ, ଚିତ୍ତରଞ୍ଜନ ଦାସ, ଦେବୀପ୍ରସନ୍ନ ପଟ୍ଟନାୟକ ପ୍ରଭୃତି ବହୁ ସାହିତ୍ୟିକ/ପଣ୍ଡିତ ଓଡ଼ିଆ ସାହିତ୍ୟର ଇତିହାସ ସମ୍ବନ୍ଧରେ ପୁସ୍ତକ ରଚନା କରିଛନ୍ତି ବା ନିବନ୍ଧମାନ ଲେଖି ତା' ଉପରେ ଆଲୋକପାତ କରିଛନ୍ତି । ଶ୍ରୀ ପଠାଣି ପଟ୍ଟନାୟକ ତାଙ୍କର ଓଡ଼ିଆ ସାହିତ୍ୟର ଇତିହାସ (ନାଳନ୍ଦା,୧୯୯୧) ପୁସ୍ତକର ଚତୁର୍ଥ ଅଧ୍ୟାୟ ‘ଓଡ଼ିଆ ସାହିତ୍ୟ- ଯୁଗରୁଚିର ବୈଚିତ୍ର‌୍ୟ’ (ପୃ ୩୪-୫୦)ରେ ଓଡ଼ିଆ ସାହିତ୍ୟ ଇତିହାସର କ୍ରମବିକାଶର ବିଶଦ ବିବରଣୀ ଦେଇଛନ୍ତି । ବିଜୟ ଚନ୍ଦ୍ର ମଜୁମଦାର, ତାରିଣୀ ଚରଣ, ଅପର୍ଣ୍ଣା ପଣ୍ଡା, ବୃନ୍ଦାବନ ଆଚାର୍ଯ୍ୟ, ସୁରେନ୍ଦ୍ର ମହାନ୍ତି, ପଠାଣୀ ପଟ୍ଟନାୟକ ପ୍ରଭୃତି ବହୁ ସାହିତ୍ୟିକ, ସାହିତ୍ୟରେ ବିଭିନ୍ନ ଯୁଗର କଳ୍ପନା କରିଛନ୍ତି । ଆଦିଯୁଗ (୯ମରୁ ୧୪ଶ ଶତାବ୍ଦୀ), ଆଦି ପର୍ବ (ଚର୍ଯ୍ୟାପଦରୁ ସାରଳା ଦାସ), ଆଦିମ ଯୁଗ (ଖ୍ରୀ.ଅ ୧୦୦୦-୧୫୦୦), ମଧ୍ୟ ପର୍ବ, ପୁରାଣ ବା ବୈଷ୍ଣବ ଯୁଗ (୧୫୦୦-୧୭୦୦), ଉପେନ୍ଦ୍ର ବା କାବ୍ୟ ଯୁଗ (୧୭୦୦-୧୮୫୦), ସୂର୍ଯ୍ୟବଂଶ ଯୁଗ (୧୪୫୦-୧୫୬୮), ମୁସଲମାନ ଯୁଗ (୧୫୬୯-୧୭୫୦), ମରହଟ୍ଟା ଯୁଗ (୧୭୫୦-୧୮୦୩), ପୌରାଣିକ ଯୁଗ, କାବ୍ୟ ଯୁଗ, ଉପନ୍ୟାସ ଯୁଗ, ସାରଳା ଯୁଗ, ପଞ୍ଚସଖା ଯୁଗ, ରୀତି ଯୁଗ, ଆଧୁନିକ ଯୁଗ ବା ପର୍ବ, ରାଧାନାଥ ଯୁଗ, ସତ୍ୟବାଦୀ ଯୁଗ, ସବୁଜ ଯୁଗ, ପ୍ରଗତି ଯୁଗ, ଅତ୍ୟାଧୁନିକ ଯୁଗ, ସାମ୍ପ୍ରତିକ ଯୁଗ- ଏହିପରି ସବୁ । ନାଟ ସାହିତ୍ୟ ଅନୁଧ୍ୟାନ କଲେ ଯୁଗ ବିଭାଗର ସେହିପରି ଏକ ଅନୁରୂପ ପ୍ରୟାସ ପରିଲକ୍ଷିତ ହୁଏ । ସର୍ବେଶ୍ୱର ଦାସ ନାଟ୍ୟ ସାହିତ୍ୟରେ ଆଦିଯୁଗ, ଉଦୟ ଯୁଗ, କାବ୍ୟ ଯୁଗ, ସ୍ୱର୍ଣ୍ଣ ଯୁଗ, ସ୍ୱାଧୀନୋତ୍ତର ଯୁଗ, ନବ ନାଟ୍ୟ ଆନ୍ଦୋଳନ (ଯୁଗ)ର ଅନୁସନ୍ଧାନ କରିଛନ୍ତି । ସେହିପରି ହେମନ୍ତ କୁମାର ଦାସ ଆଦିପର୍ବ ବା ରାମଶଙ୍କର ଯୁଗ (୧୮୭୭-୧୯୨୦), ପୂର୍ବ ମଧ୍ୟ ପର୍ବ, ଉତ୍ତର ମଧ୍ୟ ପର୍ବ ବା କାଳିଚରଣ ଯୁଗ (୧୯୨୧-୧୯୪୭) ଏବଂ ଆଧୁନିକ ପର୍ବ ବା ମନୋରଞ୍ଜନ ଯୁଗ (୧୯୪୮) ବିଷୟରେ ଆଲୋଚନା କରିଛନ୍ତି । ନୀଳାଦ୍ରିଭୂଷଣ ହରିଚନ୍ଦନ ତାଙ୍କର ଓଡ଼ିଆ ନାଟକର ଇତିହାସରେ ଗତାନୁଗତିକ ଧାରା, ପ୍ରୟୋଗବାଦୀ ଧାରା ଓ ସମସ୍ୟାମୂଳକ ଧାରା ବିଷୟ ଉଲ୍ଲେଖ କରିଛନ୍ତି । ରତ୍ନାକର ଚଇନି ଏହାକୁ ପୌରାଣିକ / ଧାର୍ମିକ ତରଙ୍ଗ, ଐତିହାସିକ ବା ଜାତୀୟବାଦୀ ତରଙ୍ଗ ଏବଂ ସାମାଜିକ ଯୁଗ ବା ଗଣଚେତନାର ପରିପ୍ରକାଶ ଆକାରରେ ଉପଲବ୍ଧି କରିଛନ୍ତି(୧୧) ।

 

ଯୁଗ ବିଭାଗ ହୋଇଛି କେତେବେଳେ ‘କାଳ'କୁ ନେଇ । କେତେବେଳେ ‘ବ୍ୟକ୍ତି' ବା ‘ସ୍ରଷ୍ଟା'କୁ ନେଇ । କେତେବେଳେ ବ୍ୟକ୍ତିର ସୃଜନଶୀଳତା ବା ସୃଷ୍ଟିକୁ ନେଇ । କେତେବେଳେ ଅନୁଷ୍ଠାନ ବା ସାହିତ୍ୟିକ ମତବାଦକୁ ନେଇ । କେତେବେଳେ ପରିବେଶ (Environment)କୁ ନେଇ ତ କେତେବେଳେ ଜୀବୀ (Organism)କୁ ନେଇ । ପୁଣି କେତେବେଳେ ବୈଷୟିକ ପରାକାଷ୍ଠା (Technology)କୁ ନେଇ ତ କେତେବେଳେ ଗଠନ (Structure)କୁ ନେଇ ତ କେତେବେଳେ କ୍ରିୟା କୁଶଳତା Function)କୁ ନେଇ - ଏହିପରି ସବୁ । ପୁଣି କେତେକ ‘ଯୁଗଧର୍ମ' ବା ‘ଯୁଗ ପ୍ରବୃତ୍ତି'ର ବିଚାର କରିଛନ୍ତି । ମୋଟାମୋଟି ଭାବରେ ଯେଉଁ ମୁଖ୍ୟ ଭାବଧାରାକୁ ଆଶ୍ରୟ କରି ସମସାମୟିକ ସମାଜ ତିଷ୍ଠିଥିଲା, ତାହାହିଁ ଯୁଗଧର୍ମ ବା ଯୁଗ ପ୍ରବୃତ୍ତିବୋଲି କୁହାଯାଇଛି । ଏହି ପ୍ରବୃତ୍ତି ସାମାଜିକର ବା ଜନସମୁଦାୟର ମାନସିକତାକୁ ହୁଏତ ସ୍ପର୍ଶ କରିପାରେ ବା ନ ପାରେ । ଜନସମୁଦାୟର ମାନସକତା ସହିତ ଯୁଗ-ପ୍ରବୃତ୍ତିର ହୁଏତ ସମ୍ପର୍କ ଥାଇପାରେ ବା ନ ପାରେ । ଯୁଗ-ପ୍ରବୃତ୍ତିକୁ ସମାଜର ପ୍ରମୁଖ (dominant) ଶ୍ରେଣୀର ମାନସିକତା କହିଲେ ଅଧିକ ଯୁକ୍ତିଯୁକ୍ତ ହେବ । ଅର୍ଥାତ୍ କ୍ଷମତା, ଅଧିକାର, ସୁବିଧା ସୁଯୋଗର କେନ୍ଦ୍ରରେ ଥିବା ଶ୍ରେଣୀର ମାନସିକତା ।

 

ସୁତରାଂ କାଳ, ପରିବେଶ, ଅନୁଷ୍ଠାନ, ସୃଷ୍ଟି, ସ୍ରଷ୍ଟା, ତତ୍ତ୍ୱ ବା ମତବାଦ, ବୈଷୟିକ ପରାକାଷ୍ଠା ବା ଆଙ୍ଗିକ, ଗଠନ, କ୍ରିୟା ଆଉ ଯୁଗ ପ୍ରବୃତ୍ତି ବା ଧର୍ମ- ଏ ସବୁ ସ୍ଥଳ ବିଶେଷରେ, କାଳ ବିଶେଷରେ, ଯୁଗ ପରିବର୍ତ୍ତନର ମାପକାଠିରୂପେ ଗ୍ରହଣ କରାଯାଇଛି । କିନ୍ତୁ ଏଇ ସବୁ ପରିକଳ୍ପିତ ବିଭାବ ଭିତରେ କିଛି ସାଧାରଣ ସୂତ୍ର ଅଛି କି ? କୌଣସି ବରିଷ୍ଠ ସାଧାରଣ ଗୁଣନୀୟକ ଅଛି କି-? ଅବା ଅନ୍ୱେଷଣ କଲେ ଏପରି କିଛି ନ୍ୟୂନତମ ମାନଦଣ୍ଡ ମିଳିବ କି ??

 

ଆଗରୁ ଉଲ୍ଲେଖ କରାଯାଇଥିବା ଯୁଗ ବିଭାଗୀକରଣଗୁଡ଼ିକରୁ ଅନୁମାନ କରିହେବ ଯେ- ‘ପରିବର୍ତ୍ତନ' ହିଁ ଏହି ମାନଦଣ୍ଡ, ସାଧାରଣ ସୂତ୍ର ବା ଗରିଷ୍ଠ ସାଧାରଣ ଗୁଣନୀୟକ । ଏବଂ ଏହି ମାନଦଣ୍ଡ, ସୂତ୍ର ବା ଗୁଣନୀୟକ ଏକ ନୂତନ ଦୃଷ୍ଟି ଆନୟନକାରୀ କ୍ରାନ୍ତିକାରୀ ପରିବର୍ତ୍ତନ । ମୌଳିକ ପରିବର୍ତ୍ତନ । ଏକ ନୂତନ ଅବବୋଧର ଆବାହକ ।

 

ଯୁଗ ବିଭାଗ କ'ଣ ହୋଇଛି ବା କରାଯାଇଛି ବା କ'ଣ ହେବା ଉଚିତ ଥିଲା ତାହା ଏଠାରେ ପ୍ରାସଙ୍ଗିକ ନୁହେଁ । ପ୍ରାସଙ୍ଗିକ ହେଉଛି ତାତ୍ପର୍ଯ୍ୟପୂର୍ଣ୍ଣ ପରିବର୍ତ୍ତନର ଆବିର୍ଭାବ ବା ଉଦ୍ଭବ । ଏବଂ ସେ ସମ୍ବନ୍ଧରେ ଏକ ଦୃଷ୍ଟିକୋଣ (ଯେଉଁଥିରେ କି ମତଭେଦ ରହିପାରେ) । ପ୍ରାସଙ୍ଗିକ ବା ଲକ୍ଷଣୀୟ ହେଉଛି- ଏହି ପରିବର୍ତ୍ତନର ବେଗ ଆଉ ହାର ।

 

ଜେନେରେସନ୍ ଗ୍ୟାପ୍ (Generation Gap):

ପ୍ରଥମ ଉଲ୍ଲେଖଯୋଗ୍ୟ କଥା ହେଲା- ବିଭିନ୍ନ କାଳ ଓ ଯୁଗ ବିଭାଗ ମଧ୍ୟରେ ବ୍ୟବଧାନ କ୍ରମାନ୍ୱୟରେ ହ୍ରାସ ପାଇ ପାଇ ଆସୁଛି । ପୃଥିବୀ ବିବର୍ତ୍ତନର ପ୍ରାରମ୍ଭିକ ପର୍ଯ୍ୟାୟରେ ‘ଯୁଗ' ପରିବର୍ତ୍ତନପାଇଁ ନିୟୁତ ନିୟୁତ ବର୍ଷ ଲାଗୁଥିଲା । ‘ଜୀବୀ'ର ପ୍ରାଥମିକ ବିବର୍ତ୍ତନ ଅବସ୍ଥାରେ କ୍ରମେ ଏହା ହ୍ରାସ ପାଇ ଅୟୁତ ଅୟୁତ ବର୍ଷ ପରିସରକୁ ଆସିଲା । ମଣିଷ ଓ ସମାଜର ଅଭ୍ୟୁଥାନ ଫଳରେ ଏହାର ଆକଳନ ହଜାର ହଜାର ବର୍ଷ ସୀମାକୁ ଚାଲିଆସିଲା । ସାହିତ୍ୟ ବିକାଶର ଧାରା ଅନୁଶୀଳନରୁ ଜଣାପଡ଼ୁଛି ଯେ ଏହାର ‘ଯୁଗ' ବିଭାଗ ଏ ଅବଧି ମାତ୍ର କେତେ ଶହ ବର୍ଷ (ଏବଂ ସ୍ଥଳ ବିଶେଷରେ କେତେ ଦଶନ୍ଧି) ମଧ୍ୟରେ ସୀମିତ ରହୁଛି ଏବଂ କ୍ରମେ ଏହି ବ୍ୟବଧାନ ଆହୁରି ହ୍ରାସ ପାଇ ପାଇ ଯାଉଛି ।

 

ଏହାର କାରଣ ହେଲା- ପ୍ରତ୍ୟେକ ପରିବର୍ତ୍ତନ ପୂର୍ବବର୍ତ୍ତୀ ପରିବର୍ତ୍ତନକୁ ନେଇ ଓ ତା'ର କାନ୍ଧ ଉପରେ ସଂଗଠିତ ହେଉଛି । ସେହି କାରଣରୁ ତାତ୍ପର୍ଯ୍ୟପୂର୍ଣ୍ଣ ପରିବର୍ତ୍ତନ ପୁନଃ ପୁନଃ ସଂଗଠିତ ହୋଇ ପାରୁଛି(୧୨) । ଯଦି ଏହି ବିଶ୍ୱ, ପୃଥିବୀ, ସମାଜ ବା ମଣିଷ ଜାତିକୁ ଏକ ‘ସମ୍ଭାବନା' ଭାବରେ କଳ୍ପନା କରାଯାଏ ତେବେ ତା' ମଧ୍ୟସ୍ଥ ବିଭିନ୍ନ ବୃତ୍ତିଗୁଡ଼ିକ ବିଶେଷ ଅବସ୍ଥାର ସମାରୋହରେ ଭାବନା, ଅନୁଭବ ଓ କ୍ରିୟାଶୀଳତାର ମାର୍ଗରେ ପ୍ରକଟିତ ହୋଇପାରେ । ଏହାକୁ ରସ-ତତ୍ତ୍ୱର ‘ବିଭାବ' ସହିତ ତୁଳନା କରାଯାଇପାରେ । ଏହି ‘ବିଭାବ'ଗୁଡ଼ିକ ତତ୍କାଳିକ ପରିସ୍ଥିତି ଅନୁସାରେ ତାତ୍ପର୍ଯ୍ୟପୂର୍ଣ୍ଣ ପରିବର୍ତ୍ତନ ଆକାରରେ ପ୍ରକାଶ ପାଏ । ଅର୍ଥାତ୍ ନୂତନ ‘ଯୁଗ' ସୃଷ୍ଟି କରେ-

 

ଏଇଥିରୁ ଅନୁମାନ କରିବା ଯୁକ୍ତି ସଙ୍ଗତ ହେବ ଯେ ପରିବର୍ତ୍ତନର ‘ବେଗ' ଓ ‘ହାର' ବୃଦ୍ଧି ପାଇବାର କ୍ଷିପ୍ରତା ଯୋଗୁ ଅଧୁନା ଗୋଟିଏ ଦଶନ୍ଧି ମଧ୍ୟରେ ବି ‘ଯୁଗ' ପରିବର୍ତ୍ତନର ସମ୍ଭାବନା କେବଳ ଅଧିକ ନୁହେଁ, ଅବଶ୍ୟମ୍ଭାବୀ ମଧ୍ୟ । ଏପରି କି ଗୋଟିଏ ଦଶନ୍ଧି ମଧ୍ୟରେ ବିଭିନ୍ନ ‘ଯୁଗ'ର ଆବିର୍ଭାବ ଆଉ ସହାବସ୍ଥାନ ଅନିବାର୍ଯ୍ୟ ମଧ୍ୟ । ଏହାହିଁ ସତ୍ୟପାଠ ଏବଂ ଏହା ଆମକୁ ଅଙ୍ଗରେ ନିଭାଇବାକୁ ପଡ଼ିବ ଏଇ ଏକବିଂଶ ଶତାବ୍ଦୀରେ । ଏବଂ ସେହି ପରିବର୍ତ୍ତନର ଧାରା ଆଉ ସ୍ରୋତ ପ୍ରତି ଏକ ସୁଷମ ଆଉ ସନ୍ତୁଳିତ ପ୍ରତିକ୍ରିୟା ପ୍ରକାଶ କରିବାପାଇଁ ବାଧ୍ୟ କରାଇବ ।

 

ଏଇ ଅବସରରେ ଗୋଟିଏ ପୁରୁଷ (Generation) ମଧ୍ୟରେ ବରିଷ୍ଠ ଆଉ କନିଷ୍ଠମାନଙ୍କ ମଧ୍ୟରେ ବ୍ୟବଧାନ; ପିତା ଆଉ ପୁତ୍ର, ଗୁରୁ ଆଉ ଶିଷ୍ୟ ଏବଂ ପୂର୍ବପୁରୁଷ ଆଉ ଉତ୍ତର ପୁରୁଷମାନଙ୍କ ମଧ୍ୟରେ ବ୍ୟବଧାନ- ଯାହାକୁ ଏରଦ୍ଭରକ୍ସବଗ୍ଧସକ୍ଟଦ୍ଭ ଏବକ୍ଟ୍ରବୋଲି କହୁଛୁ- ସେ ବିଷୟରେ ଉଲ୍ଲେଖ କରାଯାଇ ପାରେ । ହଁ- ଏକଥା ସତ, ଶିଷ୍ୟାତ୍/ପୁତ୍ରାତ୍ ଇଚ୍ଛେତ୍ ପରାଜୟମ୍ । ଭାରବିଙ୍କ ପିତାଙ୍କ ନାମରେ ଗୋଟିଏ ଉକ୍ତି କଥିତ ଅଛି- ସର୍ବତ୍ର ଜୟ ମନ୍ୱିଚ୍ଛେତ୍‌, ପୁତ୍ରାତ୍ ଶିଷ୍ୟାତ୍ ପରାଜୟମ୍ । ସବୁଠାରେ ବିଜୟ ଆଶା କରିବାର ଇଚ୍ଛା ହେଲେ ମଧ୍ୟ, ପୁତ୍ର ଆଉ ଶିଷ୍ୟଠାରୁ ପରାଜୟ ଇଚ୍ଛା କରାଯାଏ । କିନ୍ତୁ ଏ ପରାଜୟ ଜ୍ଞାନର । କାରିଗରୀର । ଆଉ କୌଶଳର । ଅବବୋଧର ନୁହେଁ । ଦୁଇ ପୁରୁଷ ମଧ୍ୟରେ ସବୁ ବ୍ୟବଧାନ, ସବୁ ବ୍ୟାସକୂଟକୁ ବୁଝାଇବାପାଇଁ ସମ୍ପ୍ରତି Generation Gap, ଏହି ଶବ୍ଦାବଳୀ ପ୍ରୟୋଗ କରାଯାଉଛି । କାରଣ ନ ଦର୍ଶାଇ ବା କାରଣ ଦର୍ଶାଇବାକୁ ଏଡ଼ାଇ ଦେଇ, ଏହା ଏକ ପ୍ରକାରର ବୁଝାଇ ଦେବା ପ୍ରଣାଳୀ । ଏକ ନାମକରଣ । ଅବା ଏକ ପ୍ରକାରର ସମୀକରଣ । Explaining । Rationalisation-। ଏକ Buzz Word । ଏକ ପ୍ରକାରର Terminological Escapism । ଗୁନାର ମିରଡାଲ୍ ଏହାକୁ ଅନ୍ୟ ପରିପ୍ରେକ୍ଷୀରେ Manufactured Symbolism, Exuberant Terminology, Terminological Opacity ପ୍ରଭୃତି ଶବ୍ଦାବଳୀ ବ୍ୟବହାର କରି ବୁଝାଇ ଦେଇଛନ୍ତି(୧୩) । କିନ୍ତୁ ମୂଳତଃ ଏହା ଏକ ଆଦର୍ଶଗତ ବିଭେଦ । ଅବବୋଧ ଜନିତ ପାର୍ଥକ୍ୟ । ମନୋବିଜ୍ଞାନୀମାନଙ୍କ ଗବେଷଣାରୁ ଏହା ମଧ୍ୟ ପ୍ରମାଣିତ ହୋଇଛି(୧୪) ।

 

xxx There are indeed differences in the attitudes of the two generations, xxxx Social scientists are concluding that differences of opinion between today's youth are ideological rather than generational. (୧୫)

 

ଗୋଟିଏ ପୁରୁଷ ମଧ୍ୟରେ ଏହି ଆଦର୍ଶଗତ ଆଉ ଅବବୋଧ ଜନିତ ବ୍ୟବଧାନ ସମ୍ଭବ ହେଉଛି ପରିବର୍ତ୍ତନର ସ୍ୱରୂପ ଆଉ ପରିବର୍ତ୍ତନର ‘ବେଗ' ଓ ‘ହାର' ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କାରଣରୁ । ଏକବିଂଶ ଶତାବ୍ଦୀରେ ପରିବର୍ତ୍ତନର ସମ୍ଭାବନାକୁ ବିଚାରକୁ ନେଲାବେଳେ ଆମକୁ ଉକ୍ତ ସମ୍ଭାବନାକୁ ଦ୍ୱିତୀୟ ଓ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିଗଟି ପ୍ରତି ଦୃଷ୍ଟି ରଖିବାକୁ ପଡ଼ିବ । ତାହା ହେଉଛି- ଗୋଟଏ ପୁରୁଷ ମଧ୍ୟରେ, ଏପରିକି ଦୁଇଟି ବା ଗୋଟିଏ ଦଶନ୍ଧି ମଧ୍ୟରେ, ଗୋଟିଏ ପରିସର ମଧ୍ୟରେ, ଗୋଟିଏ ସମାଜ/ସଂପ୍ରଦାୟ/ପରିବାର ମଧ୍ୟରେ ଫାଙ୍କ ବା ଫାଟ । Gap । ଭିନ୍ନ ଭିନ୍ନ ଆଦର୍ଶ । ଭିନ୍ନ ଭିନ୍ନ ଅବବୋଧ । ଭିନ୍ନ ଭିନ୍ନ ମତବାଦ । ଭିନ୍ନ ଭିନ୍ନ ବିଚାର । ଭିନ୍ନ ଭିନ୍ନ ଦୃଷ୍ଟିକୋଣ-। ଆଦର୍ଶ, ଅବବୋଧ, ମତବାଦ, ବିଚାର, ଦୃଷ୍ଟିକୋଣର ଏକ ଶ୍ରେଣୀଗୃହ । ଗୁରୁ-ଶିଷ୍ୟ, ପିତା-ପୁତ୍ର, ଅଗ୍ରଜ-କନିଷ୍ଠ, ନେତା-ନୀତ ସମସ୍ତଙ୍କ ଭିତରେ । ମହାଜନମାନଙ୍କୁ ଆଉ ଅନୁସରଣ କରିହେବ ନାହିଁ । ମହାଜନୋଯେନ ଗତଃ ସ ପନ୍ଥା- ଆଉ ସମ୍ଭବ ନୁହେଁ । ଏବଂ ଏହି ଭିନ୍ନତାର, ବିଭିନ୍ନ ପନ୍ଥାର ସୁଷମ ଉନ୍ମେଷ, ଆଉ ଉତ୍ତରଣ, ଭିନ୍ନ ଭିନ୍ନ ଦୃଷ୍ଟିକୋଣର ସହାବସ୍ଥାନ, ଏହାର ଏକ ସମନ୍ୱିତ ସନ୍ତୁଳିତ ବିକାଶ ଏକ Dynamic equilibrium ସ୍ଥାପନ-ଏହାହିଁ ହେବ ଏକବିଂଶ ଶତାବ୍ଦୀର ଏକ ବଡ଼ ଆହ୍ୱାନ ।

•••

 

ସୂଚନା

 

୧.

The Economic Times dt.3-1-2000, Page-6, Article by Medha Patkar Entitled “An Alternative Vision of Techonology and Politics”.

୨.

ଗୀତା-ଚତୁର୍ଥ ଅଧ୍ୟାୟ(ଜ୍ଞାନଯୋଗଃ)- ଶ୍ଳୋକ ୭/୮ରୁ ପରିଭାଷାଗୁଡ଼ିକ ଆନୀତ ।

୩.

Green-house effect, Ozone depletion, Acid rain, Air Pollution, Clorofluoro-carbons, Aero-Sulfates, Heat trap, Municipal and Industrial solid wastes, Escape of toxic and hazardous chemicals and gases, Nuclear wastes, Nuclear Winter, ମେରୁ ପତନ, ବରଫ ଯୁଗର ପୁନଃ ଆଗମନ, ଅଜଣା ଧୂମକେତୁର ପୃଥିବୀ ସହ ସଂଘାତ, ଭୂତଳ ଜଳର ହ୍ରାସ, Deforestation, Land degradation, Soil erosion etc. etc.

୪.

Further Studies in a Dying Culture-Christopher Caudwel, London, The Bodley Head, 1950, Pages-207, 219-222 । ଏହି ପୁସ୍ତକରେ ‘ପରିବର୍ତ୍ତନ' ପ୍ରକ୍ରିୟାର ପ୍ରକୃତି ସମ୍ବନ୍ଧରେ Consciousness (Chap.4) ଏବଂ eality (Chap-5) ଅଧ୍ୟାୟରେ ଅତି ଚମତ୍କାରଭାବେ ବିଶ୍ଳେଷଣ କରାଯାଇଛି । କିଛିଟା ଉଦାହରଣ :-

 

ll phenomena A, B and C etc., are connected so that A is included in B, B in C, C in D and so on. This inclusion in difference is “Becoming”, development and reality. This involves a substratum of likeness in the universe, that which changes, that which is the same in all things. xxx. This we regard as the “stuff” of the Universe. This is xxx what quantity is xxx. This we abstract as “Space” as the “aspect”s of matter expressed in the conservation laws (mass, energy, interval, action), (Page-207)

 

xxx qualities do not come into being in time. Time does not flow on while they emerge. The emergence of such qualities is what time is. Time then is an aspect of or abstraction from change. Time is new quality as it emerges. (219-220)

 

But if quality, the unlikeness, as it emerges is time, the oldness, the likeness is space. Qualities do not arrange themselves homogeneously in space. Space is the homogeneity in their qualities. Space is quality or known quality as it emerges xxxx Space, therefore, is an aspect of the universe. (220)

୫.

(କ)

ବୈଜ୍ଞାନିକ H. Minkowski ଓ କାଳ (Space)ର ପ୍ରକୃତି ବର୍ଣ୍ଣନା କରିବାକୁ ଯାଇ ୨୧-୯-୧୯୦୮ରେ Cologne ଠାରେ German Natural Scientists and Physicians ସଂଘର ୮୦ତମ ଅଧିବେଶନରେ ପ୍ରଥମଥରପାଇଁ ଏହି ପରିଭାଷା ବ୍ୟବହାର କରିଥିଲେ ।

 

(ଖ)

Continuum ଗଠନ ଓ ପ୍ରକୃତି ସମ୍ବନ୍ଧରେ ପାଶ୍ଚାତ୍ୟ ଦର୍ଶନର ଇତିହାସ- ହୃଦାନନ୍ଦ ରାୟ ଓ ଗଣେଶ୍ୱର ଦାସ, ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ୧୯୭୫, ପୃ-୧୦୫-୧୦୬ ଓ ୧୧୪-୧୧୫ ଦ୍ରଷ୍ଟବ୍ୟ ।

୬.

(କ)

‘ପରିବର୍ତ୍ତନ'ର ପ୍ରକୃତି ସମ୍ବନ୍ଧରେ ବିଶଦ ବିବରଣୀପାଇଁ ଲେଖକଙ୍କର ଚେତନାର ଉନ୍ମେଷ ଓ ଉତ୍ତରଣ ପୁସ୍ତକ, ଅଗ୍ରଦୂତ, ୧୯୮୩, ପୃ-୧୫୨-୧୫୮ ଦ୍ରଷ୍ଟବ୍ୟ ।

 

(ଖ)

ଯା ବିନା ଯେ ହୋଇପାରିବ ନାହିଁ ସେ ନାନ୍ତରୀୟକ । ଅନ୍ତରା ବିନା ଭବ ଅନ୍ତରୀୟ । ସ୍ୱାର୍ଥରେ କ ପ୍ରତ୍ୟୟ-ଅନ୍ତରୀୟକ । ନ ଅନ୍ତରୀୟକ, ନାନ୍ତରୀୟକ । ଅବିନା ଭାବ ସମ୍ବନ୍ଧ ଅର୍ଥରେ । ନାନ୍ତରୀୟକ ବ୍ୟାପ୍ତି ଅର୍ଥରେ । କାବ୍ୟ ପ୍ରକାଶ, ପୃ-୪୯, ୫୦,୬୦ ।

୭.

ପରିଭାଷାଗୁଡ଼ିକ ସାଂଖ୍ୟ ଦର୍ଶନର । ବଳଦେବ ଉପାଧ୍ୟାୟଙ୍କ ଭାରତୀୟ ଦର୍ଶନ- ଅନୁବାଦ-ଗୋବିନ୍ଦଚନ୍ଦ୍ର ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ, ୧୯୬୬ରୁ ଗୃହୀତ ।

(କ)

With each change in Yuga, What changes in Man is his Dharma? His mode of existence (ଧୃ ଧାରୟତି ଇତି ଧର୍ମଃ), the law os his being. And being is concerned with what mainly? With production of wealth and his own reproduction i.e. sex and marriage. He calls it Artha and Kama.

 

 

India from Primitive Communism to Slavery by S. A. Dange, People's Publishing House, Bombay, 1949, page-36.

 

(ଖ)

xxx the accelerating growth of scientific and technical knowledge, becomes a force, speeding up and bending the course of history in a way that is largely outside our control xxx the speeding up of history is clearly visible even if we don't perceive its direction, Asian Drama, Vol.I, P.-701-703, Penguin Books, 1968.

 

(ଗ)

ଡଃ ସତ୍ୟପ୍ରକାଶ ତାଙ୍କ Founders of Sciences in Ancient India, The Research Institute of Ancient Scientific Studies, New Delhi, 1965 ପୁସ୍ତକର ୯୬ ପୃଷ୍ଠାରେ ଐତେରିୟ ସଂହିତାର ଉପରୋକ୍ତ ସୂକ୍ତର ଅନ୍ୟ ଏକ ବ୍ୟାଖ୍ୟା ଦେଇଛନ୍ତି ।

୯.

ପୁରାଣର ପାଞ୍ଚଗୋଟି ଲକ୍ଷଣ ଥାଏବୋଲି କୁହାଯାଇଛି । ସର୍ଗଶ୍ଚ ପ୍ରତିସର୍ଗଶ୍ଚ... ପୁରାଣଂ ପଞ୍ଚଲକ୍ଷଣମ୍ । ସର୍ଗରେ ସୃଷ୍ଟି ପ୍ରକ୍ରିୟା ଓ ପ୍ରତିସର୍ଗରେ ବିଲୟ ପ୍ରକ୍ରିୟା ବିଷୟରେ ସୂଚନା ଥାଏ । ଗୀତା(ଅଷ୍ଟମ ଅଧ୍ୟାୟ ୧୭/୧୮ ଶ୍ଳୋକ)ରେ କୁହାଯାଇଛି ଯେ ଦେବଙ୍କର ସହସ୍ର ଯୁଗରେ ବ୍ରହ୍ମାଙ୍କର ଏକ ଦିନ ହୁଏ । ବ୍ରହ୍ମାଙ୍କର ଆୟୁଷ ୧୦୦ବର୍ଷ । ବ୍ରହ୍ମା ଜାଗ୍ରତ ହେଲେ ଜଗତ ଜୀବିତ ହୁଏ । ବ୍ରହ୍ମରାତ୍ରିରେ ସମସ୍ତ ଜଗତ ମୃତ (ପ୍ରଳୟ) ହୁଏ ।

 

ବ୍ରହ୍ମାଙ୍କର ଏକ ଦିନ = ୪୩୨୦ ନିୟୁତ ବର୍ଷ

 

= ୧୦୦୦ କଳ୍ପ = ୧୪ ମନ୍ୱନ୍ତର,

 

ପ୍ରତ୍ୟେକ ମନ୍ୱନ୍ତରପାଇଁ ପୃଥକ ପୃଥକ ମନୁ ।

 

ଏକ ମନ୍ୱନ୍ତର = ୩,୦୬,୭୨୦ବର୍ଷ

 

= ୭୧ ମହାଯୁଗ (aeons)।

 

ଏକ ମହାଯୁଗ = ୪୩୨୦ ବର୍ଷ = ୪ଯୁଗ, (କ୍ରେତା, ତ୍ରେତା, ଦ୍ୱାପର, କଳି) ।

 

୧୦୦୦ ମହାଯୁଗ =୧ କଳ୍ପ = ୪୩,୨୦,୦୦୦ ବର୍ଷ ।

 

Modernisation of Indian Tradition, Yogendra Singh, Rawat Publications, Jaipur, 1986, P.-35, Chap-II.

 

ଗୀତା ଅଷ୍ଟମ ଅଧ୍ୟାୟ-୧୭/୧୮

 

ସହସ୍ରଯୁଗ ପର୍ଯ୍ୟନ୍ତ ମହର୍ଯଦ୍ ବ୍ରହ୍ମଣୋବିଦୁଃ

 

ରାତ୍ରିଂ ଯୁଗ ସହସ୍ରାନ୍ତାଂ ତେଽହୋରାତ୍ର ବିଦୋଜନାଃ ।

 

ଅବ୍ୟକ୍ତାଃଦ୍‌କ୍ତୟଃ ସର୍ବାଃ। ପ୍ରଭବନ୍ତ୍ୟ ହରାଗମେ

 

ରାତ୍ର‌୍ୟାଗମେ ପ୍ରଲିୟନ୍ତେ ତତ୍ରୈବାବ୍ୟକ୍ତ ସଜ୍ଞକେ ।

୧୦.

Critical Approaches to Literature, 2nd Edition, David Daiches, Orient Longman, 1985, P.-314-315 । ଏ ସଂକ୍ରାନ୍ତରେ ଉକ୍ତ ପୁସ୍ତକର Part-three-Literary Criticism and Related Disciplines- Chapters-16,17,18,19 & 20 (Criticism and Scholarship, Criticism and Psychology, Criticism and Sociology, Linguistics and Anthropology, Criticism and the Cultural Context) ଦ୍ରଷ୍ଟବ୍ୟ ।

୧୧.

(କ)

ଓଡ଼ିଆ ନାଟ୍ୟ ସାହିତ୍ୟ - ସର୍ବେଶ୍ୱର ଦାସ । ଓଡ଼ିଆ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା, ୧୯୮୧ ।

 

(ଖ)

ଓଡ଼ିଆ ନାଟକର ବିକାଶ ଧାରା - ହେମନ୍ତ କୁମାର ଦାସ । ସାଥୀ ମହଲ, ୧୯୮୫,୧୯୮୭ ।

 

(ଗ)

ଓଡ଼ିଆ ନାଟକର ଇତିହାସ - ନୀଳାଦ୍ରି ଭୂଷଣ ହରିଚନ୍ଦନ, ଫ୍ରେଣ୍ଡସ୍ ପବ୍ଲିଶର୍ସ, ୧୯୮୯ ।

 

(ଘ)

ଓଡ଼ିଆ ନାଟକର ଉଦ୍ଭବ ଓ ବିକାଶ - ରତ୍ନାକର ଚଇନି, ବୁକ୍‌ସ୍ ଆଣ୍ଡ ବୁକ୍‌ସ୍‌, ୧୯୯୪ ।

୧୨.

 

। It is as if the “Coefficient of change” starting at a low level in the Middle Ages, rose and then continued to rise at an even faster rate. xxx It is reasonable to assume that the growth in scientific knowledge is proportional to the sum of knowledge perviously acquired. Knowledge should then grow at a compound rate of interest - xxx Asian Drama-Vol-1, P-701-703.

୧୩.

(i)

Objectivity in Social Research-Gunnar Myrdal, Pantheon Books, New York, 1969, Chap,-XII, P-42, 59-62.

 

(ii)

Asian Drama, 1967, P-33.

୧୪.

Works of Psychologists (i) Adelson, J, (1970), (ii) Harding, J, Proshansky, H., Kutner, B.and Chein, I, (1969) etc.

୧୫.

(i)

Introduction to Psychology-Morgan and King, 6th TMH Edition, 1975, P-387.

 

(ii)

See also Wrightman, L.S.-Social Psychology in the Seventies, Montere, Calif, Brooks/Cole, 1972.

 

Unknown

ଓଡ଼ିଶାର ଐତିହ୍ୟ ଓ ପରମ୍ପରା

ଡକ୍ଟର ଜଗନ୍ନାଥ ପଟ୍ଟନାୟକ

 

ଅଧୁନା ଓଡ଼ିଶା ନାମରେ ସୁବିଦିତ ଅଞ୍ଚଳଟି ପ୍ରାଚୀନ ଯୁଗରେ ବିଭିନ୍ନ ନାମରେ କଥିତ ହେଉଥିଲା । ତନ୍ମଧ୍ୟରୁ ପ୍ରଧାନ ଥିଲା କଳିଙ୍ଗ, ଉତ୍କଳ ଓଡ଼୍ର ଓ କୋଶଳ । କାଳକ୍ରମେ ଚାରିଟି ଅଞ୍ଚଳ ଏକତ୍ରୀକରଣ ହୋଇଥିଲା ଓ ସେଠାକାର ଅଧିବାସୀମାନଙ୍କର ମିଳନ ହୋଇଥିଲା । ମାତ୍ର କୋଶଳ ବ୍ୟତୀତ ଅନ୍ୟ ତିନୋଟି ଅଞ୍ଚଳର ନାମ କହିଲେ ବର୍ତ୍ତମାନର ଓଡ଼ିଶାକୁ ବୁଝାଇଥାଏ ।

 

‘କଳିଙ୍ଗ' ରାଜ୍ୟର ବର୍ଣ୍ଣନା ପୁରାଣପୃଷ୍ଠାରେ ଦେଖିବାକୁ ମିଳେ । ମହାଭାରତରେ ମଧ୍ୟ କଳିଙ୍ଗ ବିଷୟରେ ସୂଚନା ରହିଛି । ମାତ୍ର ଏଥିରୁ ଏହାର ଆୟତନ ବିଷୟରେ କିଛି ଧାରଣା କରିହୁଏ ନାହିଁ । ଅଶୋକଙ୍କର ଧଉଳି ଓ ଜଉଗଡ଼ ଅନୁଶାସନରୁ ଜଣାଯାଏ ଯେ ବର୍ତ୍ତମାନର ଓଡ଼ିଶା ଥିଲା ତାଙ୍କ ସମୟର କଳିଙ୍ଗ । ଏହାର ଦକ୍ଷିଣସୀମା ଗୋଦାବରୀ ନଦୀ ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା । ଏଥିରୁ ମଧ୍ୟ ଜଣାଯାଏ ଯେ ଅଶୋକ ଶାସନଗତ ସୁବିଧା ଦୃଷ୍ଟିରୁ କଳିଙ୍ଗ ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରିଥିଲେ, ଯଥା ଉତ୍ତର ଭାଗ ଓ ଦକ୍ଷିଣ ଭାଗ । ତୋଷାଳି ଉତ୍ତର ଭାଗର ରାଜଧାନୀ ହୋଇଥିବା ସ୍ଥଳେ ସମପା ଥିଲା ଦକ୍ଷିଣ ଭାଗର ରାଜଧାନୀ । ମଧ୍ୟଯୁଗରେ କଳିଙ୍ଗ ସାମ୍ରାଜ୍ୟର ଆୟତନ ସଙ୍କୁଚିତ ହୋଇ ଗଞ୍ଜାମଠାରୁ ଗୋଦାବରୀ ନଦୀ ପର୍ଯ୍ୟନ୍ତ ଥିବା ଅଞ୍ଚଳ ମଧ୍ୟରେ ସୀମିତ ହୋଇ ରହିଥିଲା ।

 

‘ଉତ୍କଳ' ରାଜ୍ୟର ବର୍ଣ୍ଣନା ମଧ୍ୟ ମହାଭାରତ ଓ ରାମାୟଣ ପୃଷ୍ଠାରେ ଦେଖିବାକୁ ମିଳେ । କେତେକ ଗବେଷକଙ୍କ ମତରେ ଏହା କଳିଙ୍ଗଠାରୁ ପୁରାତନ । ଅଧୁନା ଓଡ଼ିଶାରେ ଅନ୍ତର୍ଭୁକ୍ତ ସମଗ୍ର ଅଞ୍ଚଳକୁ ଚୋଡ଼ଗଙ୍ଗଦେବଙ୍କ ରାଜତ୍ୱରେ ‘ଉତ୍କଳ'ବୋଲି କୁହାଯାଉଥିଲା । ଉତ୍କଳର ସର୍ବପ୍ରାଚୀନ ରାଜଧାନୀ ଥିଲା ବିରଜା । ଏହାକୁ ଯାଜପୁର ସହିତ ଚିହ୍ନିତ କରାଯାଏ ।

 

‘ଓଡ଼୍ର' ରାଜ୍ୟର ଉଲ୍ଲେଖ ମନୁସଂହିତାରେ ଦେଖିବାକୁ ମିଳେ । ହୁଏନ୍‌ସାଂ ମଧ୍ୟ ତାଙ୍କ ବିବରଣୀରେ ଓଡ଼୍ରକୁ ଏକ ରାଜ୍ୟବୋଲି ବର୍ଣ୍ଣନା କରିଛନ୍ତି । ‘ଓଡ଼୍ର’ ଶବ୍ଦରୁ ‘ଓଡ଼ିଶା’ ନାମ ଉଦ୍ଧୃତ ହୋଇଛି ।

 

ସେହିପରି ‘କୋଶଳ’ ଏକ ଦେଶ ଭାବରେ ମହାଭାରତର ବନପର୍ବରେ ଉଲ୍ଲେଖ କରାଯାଇଛି । ଏହା ଦୁଇଭାଗରେ ବିଭକ୍ତ ହୋଇ ଗୋଟିଏ ଉତ୍ତର କୋଶଳ ଓ ଅନ୍ୟଟି ଦକ୍ଷିଣ କୋଶଳ ନାମରେ କଥିତ ହୋଇଥିଲା । ଦକ୍ଷିଣ କୋଶଳକୁ ଅଧୁନା ବିଳାସପୁର, ରାଇପୁର ଓ ସମ୍ବଲପୁର ଜିଲ୍ଲା ସହିତ ଚିହ୍ନିତ କରାଯାଇଥାଏ । ସୋମବଂଶୀଙ୍କଦ୍ୱାରା ପ୍ରତିଷ୍ଠିତ ରାଜ୍ୟଟି କୋଶଳବୋଲି ନାମିତ ହୋଇଥିଲା । କୋଶଳର ସର୍ବପ୍ରାଚୀନ ରାଜଧାନୀ ଥିଲା ବିନିତପୁର-ସୋନପୁରଠାରୁ ପ୍ରାୟ ବତିଶ କିଲୋମିଟର ଦୂରରେ ଅବସ୍ଥିତ ବିନିକା ସହିତ ଏହାକୁ ଚିହ୍ନିତ କରାଯାଇଥାଏ, ମାତ୍ର ପ୍ରଥମ ଯଯାତିଙ୍କ ରାଜତ୍ୱଠାରୁ ଏହା ଯଯାତିନଗରବୋଲି କଥିତ ହେଉଥିଲା-

 

ମହାଭାରତ ଯୁଦ୍ଧରେ କଳିଙ୍ଗର ରାଜା ଦୁଯ୍ୟୋଧନଙ୍କ ପକ୍ଷ ଗ୍ରହଣ କରିଥିବା ସ୍ଥଳେ ଓଡ଼୍ରର ରାଜା ପାଣ୍ଡବଙ୍କର ପକ୍ଷ ଗ୍ରହଣ କରିଥିଲେ । ପାଣ୍ଡବଙ୍କର ଦିଗ୍‌ବିଜୟ ବିଷୟରେ ପ୍ରଦତ୍ତ ବିବରଣୀରୁ ଜଣାଯାଏ ଯେ ସହଦେବ କଳିଙ୍ଗ ରାଜାଙ୍କର ପରାଜୟ ଆଣିଥିଲେ ।

 

ପୁରାଣପୃଷ୍ଠାରୁ ଜଣାଯାଏ ଯେ ନନ୍ଦବଂଶର ରାଜା ମହାପଦ୍ମନନ୍ଦ କଳିଙ୍ଗ ଜୟ କରିଥିଲେ । ଏହା ଅଶୋକଙ୍କର କଳିଙ୍ଗ ଜୟ ପୂର୍ବର ଘଟଣା । ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଅଶୋକ କଳିଙ୍ଗ ଜୟ କରିଥିଲେ । ତାଙ୍କ ସମୟରେ କଳିଙ୍ଗ ଏକ ସ୍ୱାଧୀନ ଓ ସମୃଦ୍ଧଶାଳୀ ରାଜ୍ୟ ଥିଲା ଓ ତାହା ହିଁ ହୋଇଥିଲା ଯୁଦ୍ଧଲିପ୍ସୁ ଓ ଉଚ୍ଚାଭିଳାଷୀ ଅଶୋକଙ୍କ କଳିଙ୍ଗ ଆକ୍ରମଣର ମୁଖ୍ୟ କାରଣ । କଳିଙ୍ଗ ଆକ୍ରମଣରେ ଅନ୍ୟତମ କାରଣ ସମ୍ବନ୍ଧରେ ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳର କେଉଟଙ୍କ ମଧ୍ୟରେ ଥିବା ଏକ ପ୍ରକ୍ଷିପ୍ତି ରହିଛି । କେଉଟ ପରିବାରର କାରୁବାକୀ ନାମ୍ନୀ ଏକ ଅନିନ୍ଦ୍ୟ ସୁନ୍ଦରୀ କନ୍ୟାଙ୍କର ରୂପରେ ମୁଗ୍ଧ ହୋଇ ଅଶୋକ ତାଙ୍କୁ ବିବାହ କରିବା ନିମନ୍ତେ କଳିଙ୍ଗ ଜୟ କରିବାପାଇଁ ଚାହିଁଥିଲେ । ଯୁଦ୍ଧ ସଂଘଟିତ ହୋଇଥିଲା ଧଉଳିପାହାଡ଼ ତଳେ ଦୟାନଦୀ କୂଳରେ ଏକ ଦିଗନ୍ତବିସ୍ତାରୀ ପ୍ରାଙ୍ଗଣରେ ଖ୍ରୀ.ପୂ.୨୬୧ରେ । କଳିଙ୍ଗ ଯୁଦ୍ଧ ବିଷୟରେ ଅଶୋକଙ୍କଦ୍ୱାରା ଖୋଦିତ ଶିଳାଲିପିରେ ଏକ ସଂକ୍ଷିପ୍ତ ସୂଚନା ଦିଆଯାଇଛି । ତଦନୁଯାୟୀ ଏହି ଯୁଦ୍ଧରେ ଏକଲକ୍ଷ ଲୋକ ମୃତ, ଏକଲକ୍ଷ - ପଚାଶ ହଜାର ଲୋକ ଆହତ ଓ ତାଠାରୁ ବହୁ ଅଧିକ ଲୋକ କ୍ଷୁଧା ଓ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ । ଏଥିରୁ ଜଣାଯାଏ ଯେ ତତ୍କାଳୀନ କଳିଙ୍ଗର ଏକ ବିଶାଳ ସୈନ୍ୟବାହିନୀ ଥିଲା । କଳିଙ୍ଗ ମଧ୍ୟ ଥିଲା ଏକ ଜନବହୁଳ ରାଜ୍ୟ-। ମାତ୍ର ସେହି ସମୟରେ କଳିଙ୍ଗରେ ରାଜତନ୍ତ୍ର ବା ଗଣତନ୍ତ୍ର ଶାସନ ପ୍ରଚଳିତ ଥିଲା, ତାହା ତାଙ୍କ ଶିଳାଲିପିରୁ ଜଣାଯାଏ ନାହିଁ । ସେ କେଉଁ ରାଜାଙ୍କୁ ପରାଜିତ କରିଥିଲେ ତାଙ୍କର ମଧ୍ୟ ନାମ ନାହିଁ । ଅଶୋକ ସବୁସ୍ଥାନରେ କଳିଙ୍ଗ ରାଜ୍ୟକୁ ‘କଳିଙ୍ଗ’ ବା କଳିଙ୍ଗର ଅଧିବାସୀବୋଲି ବର୍ଣ୍ଣନା କରିଛନ୍ତି । ବିଶିଷ୍ଟ ଐତିହାସିକ ଆର୍‌.କେ. ମୁଖାର୍ଜୀଙ୍କ ମତରେ ଅଶୋକଙ୍କ ସମୟରେ କଳିଙ୍ଗରେ ଗଣତନ୍ତ୍ର ଶାସନ ପ୍ରଚଳିତ ଥିଲା ଓ କଳିଙ୍ଗ ରାଜ୍ୟଟି ବେଶ ସୁଦୂରପ୍ରସାରୀ ଥିଲା । ଏହା ମଧ୍ୟ ଏକ ବିଶ୍ୱାସଯୋଗ୍ୟ ମତ । କାରଣ ସେହି ସମୟରେ ଭାରତବର୍ଷରେ କେତୋଟି ଗଣତାନ୍ତ୍ରିକ ରାଜ୍ୟ ରହିଥିଲା । ଏହି କଳିଙ୍ଗ ଯୁଦ୍ଧ ଅଶୋକଙ୍କର ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିଥିଲା । ତାଙ୍କର ଦିଗ୍‌ବିଜୟରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ଚଣ୍ଡାଶୋକ ରୂପାନ୍ତରିତ ହୋଇଥିଲେ ଧର୍ମାଶୋକରେ । ତାଙ୍କ ସାମ୍ରାଜ୍ୟରେ ଯୁଦ୍ଧ (ଭେରି) ଘୋଷର ସ୍ଥାନ ନେଇଥିଲା ଧର୍ମଘୋଷ ।

 

ଭୁବନେଶ୍ୱରଠାରୁ ୩ କିଲୋମିଟର ଦୂରବର୍ତ୍ତୀ ଭୁବନେଶ୍ୱର-ପୁରୀ ରାସ୍ତାର ବାମପାଶ୍ୱର୍ରେ ଖୁବ୍ ବଡ଼ ଏକ ମାଟିର ସ୍ତୂପ ଦେଖିବାକୁ ମିଳେ । ୧୯୪୭ ମସିହାରେ ଭାରତ ସରକାରଙ୍କ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ବିଭାଗ ଓ ଓଡ଼ିଶା ସରକାରଙ୍କର ମିଳିତ ଆନୁକୂଲ୍ୟରେ ବି.ବି. ଲାଲ ଏହାର ଖନନ କାର୍ଯ୍ୟ କରିଥିଲେ । ଖନନରୁ ଜଣାଯାଇଥିଲା ଯେ ଏଠାରେ ଏକ ସୁପରିକଳ୍ପିତ ବର୍ଗାକାର ବିଶାଳ ଗଡ଼ ରହିଥିଲା । ସ୍ଥାନଟିର ନାମାନୁସାରେ ଏହା ଶିଶୁପାଳଗଡ଼ ନାମରେ ଅଭିହିତ । କେତେକ ଗବେଷକ ଏହାକୁ ଅଶୋକଙ୍କର ରାଜଧାନୀ ତୋଷାଳି ସହିତ ଚିହ୍ନିତ କରିଛନ୍ତି । ମାତ୍ର ବି.ବି. ଲାଲ ଏହାର ନିର୍ମାଣ ସମୟ ଖ୍ରୀଷ୍ଟିପୂର୍ବ ୩୦୦ବୋଲି ମତବ୍ୟକ୍ତ କରିଥିବାରୁ ଏହା ଅଶୋକଙ୍କର ରାଜତ୍ୱ ପୂର୍ବରୁ ନିର୍ମିତ ହୋଇଥିବାର ବିଶ୍ୱାସ କରାଯାଏ । ସମ୍ଭବତଃ ଅଶୋକ ଶିଶୁପାଳଗଡ଼କୁ ବିଜିତ ରାଜ୍ୟର ମୁଖ୍ୟ ପ୍ରଶାସନିକ ଦପ୍ତରଭାବେ ବ୍ୟବହାର କରିଥିଲେ ।

 

ଓଡ଼ିଶାରେ ଅଶୋକ ତଥା ମୌର୍ଯ୍ୟବଂଶର ରାଜତ୍ୱ କେବେ ବିରତି ନେଇଥିଲା ତାହା ଠିକ୍‌ଭାବେ କହିହେଉ ନାହିଁ । ସମ୍ଭବତଃ ସୁଙ୍ଗବଂଶର ରାଜା ପୁଷ୍ୟମିତ୍ର ସୁଙ୍ଗ ମୌର୍ଯ୍ୟ ସିଂହାସନ ଅଧିକାର କରିବା ପରେ ଓଡ଼ିଶାରୁ ମୌର୍ଯ୍ୟଶାସନ ବିଦାୟ ନେଇଛି । ମାତ୍ର ଓଡ଼ିଶା ତା'ର ସ୍ୱାଧୀନତା ଫେରିପାଇଛି ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ କଳିଙ୍ଗର ରାଜନୈତିକ ଦିଗ୍‌ବଳୟରେ ଜଣେ ମହିମାମଣ୍ଡିତ ନରପତିଙ୍କର ଆବିର୍ଭାବ ଫଳରେ । ସେ ଥିଲେ ଓଡ଼ିଶାର ପ୍ରଥମ ସମ୍ରାଟ, ବହୁରାଜ୍ୟ ବିଜେତା । ସେହି ବନ୍ଦନୀୟ ବ୍ୟକ୍ତିଜଣକ ଥିଲେ ଚେଦିବଂଶର ମହାମେଘବାହନ ରାଜା ଖାରବେଳ । ବିଭିନ୍ନ କ୍ଷେତ୍ରରେ ତାଙ୍କର କୃତିତ୍ୱ ସମ୍ବନ୍ଧରେ ଜାଣିବାକୁ ମିଳେ ଭୁବନେଶ୍ୱରସ୍ଥିତ ଉଦୟଗିରି ପାହାଡ଼ ଉପରେ ଥିବା ପ୍ରସ୍ତରଖଣ୍ଡରେ ଖୋଦିତ ଏକ ଅନୁଶାସନରୁ । ଏହା ହାତୀଗୁମ୍ଫା ଅନୁଶାସନ ନାମରେ କଥିତ । ଏହାର କିଛି ଅଂଶ ନଷ୍ଟ ହୋଇଯାଇଥିବାରୁ ତାଙ୍କ ରାଜତ୍ୱର ସମ୍ପୂର୍ଣ୍ଣ ଚିତ୍ର ମିଳେ ନାହିଁ । ଏହା ଅକ୍ଷତ ଅବସ୍ଥାରେ ଥିଲେ ହୁଏତ ତତ୍କାଳୀନ ଓଡ଼ିଶା ତଥା ଭାରତର ଇତିହାସରେ ବହୁ ଘଟଣା ଲୋକଲୋଚନକୁ ଆସିପାରିଥାଆନ୍ତା ।

 

ଏହି ଚେଦିବଂଶ ପ୍ରଥମେ ମଧ୍ୟଦେଶ ବା ମଗଧରେ ଶାସନ କରୁଥିଲେ । ଉକ୍ତ ରାଜବଂଶର ଗୋଟିଏ ଶାଖା କଳିଙ୍ଗକୁ ଆସିଥିଲେ ତାହା ଜଣାଯାଏ ନାହିଁ । ମାତ୍ର କଳିଙ୍ଗରେ ରାଜୁତି କରିଥିବା ଉକ୍ତ ଚେଦିବଂଶର ତୃତୀୟ ରାଜା ଥିଲେ ଖାରବେଳ । ଖୋଦିତ ଅନୁଶାସନରେ ତାଙ୍କ ରାଜତ୍ୱର କ୍ରମାନ୍ୱୟଭାବେ ୧୩ ବର୍ଷର ବର୍ଣ୍ଣନାରୁ ଜଣାଯାଏ ଯେ ସେ ଥିଲେ ଏକାଧାରରେ ଜଣେ ପରାକ୍ରମଶାଳୀ ସମ୍ରାଟ, ପ୍ରଜାହିତୈଷୀ ଶାସକ, ନୃତ୍ୟ ଓ ସଙ୍ଗୀତକଳାର ପୃଷ୍ଠପୋଷକ ଓ ସର୍ବୋପରି ଜୈନଧର୍ମର ମହାନ ପରିପୋଷକ ଓ ପ୍ରଚାରକ । ରାଜତ୍ୱର ଶେଷ ଅର୍ଥାତ୍ ତ୍ରୟୋଦାଶ ବର୍ଷରେ କୁମାରୀ ପର୍ବତ (ଉଦୟଗିରି ପର୍ବତ)ରେ ଖାରବେଳ ଓ ତାଙ୍କର ଜ୍ଞାତି ଜୈନ ସନ୍ନ୍ୟାସୀଙ୍କପାଇଁ ପ୍ରାୟ ୧୭୦୦ଟି ଗୁମ୍ଫା ନିର୍ମାଣ କରିବା ସମେତ ସେମାନଙ୍କୁ ଶୁଭ୍ରବସ୍ତ୍ର ଦାନ କରିଥିଲେ । ଖାରବେଳଙ୍କର ରାଜଧାନୀ ଥିଲା କଳିଙ୍ଗନଗର । ବି.ବି.ଲାଲ ସମେତ ଅନ୍ୟ କେତେଜଣ ଗବେଷକ ଏହାକୁ ଶିଶୁପାଳଗଡ଼ ସହିତ ଚିହ୍ନିତ କରାଇଛନ୍ତି । ଧଉଳିଗିରି ପାହାଡ଼ରେ ଉତ୍‌କୀର୍ଣ୍ଣ କଳିଙ୍ଗ ଅନୁଶାସନକୁ ପ୍ରତିହତ କରିବାପାଇଁ ଖାରବେଳ ମଗଧ ଆକ୍ରମଣ କରି ଧଉଳିଗିରିର ଅନତିଦୂରରେ ଉଦୟଗିରି ପର୍ବତ ଉପରେ ଏକ ଅନୁଶାସନ ଖୋଦନ କରିଥିଲେ । ଏହିପରି ଜଣେ ପ୍ରଚଣ୍ଡ ପ୍ରତିଭାଧାରୀ ସମ୍ରାଟଙ୍କ ରାଜତ୍ୱର ପରିସମାପ୍ତି କେବେ ଘଟିଥିଲା ତାହା ଠିକ୍‌ଭାବେ କହିହେଉ ନାହିଁ ।

 

ଖାରବେଳଙ୍କ ରାଜତ୍ୱ ପରେ ଓଡ଼ିଶା ଇତିହାସରେ ଦେଖା ଦେଇଥିଲା ଏକ ଅନ୍ଧକାର ଯୁଗ । ଏହାର ବିସ୍ତୃତି ଥିଲା ସପ୍ତମ ଶତାବ୍ଦୀର ଶୈଳୋଦ୍ଭବ ରାଜୁତିର ଆରମ୍ଭ ପର୍ଯ୍ୟନ୍ତ । ଏହି ସମୟରେ ଓଡ଼ିଶାର ରାଜନୈତିକ ରଙ୍ଗମଞ୍ଚରେ କେତୋଟି ଛୋଟ ଛୋଟ ବଂଶ ମୁଣ୍ଡଟେକି କାଳର କରାଳ ଗର୍ଭରେ ଲୀନ ହୋଇଯାଇଥିଲେ । ସେଗୁଡ଼ିକ ଥିଲା ଆନ୍ଧ୍ରସାତବାହନ ବଂଶ ଓ ବିହାରରୁ ଆସିଥିବା ମୁରୁଣ୍ଡା ବଂଶ ।

 

ଚତୁର୍ଥ ଶତାବ୍ଦୀର ଗୁପ୍ତବଂଶର ମହାମହିମ ସମ୍ରାଟ ସମୁଦ୍ରଗୁପ୍ତ ତାଙ୍କର ଦାକ୍ଷିଣାତ୍ୟ ଅଭିଯାନରେ ଦକ୍ଷିଣ କୋଶଳ (ମହାନଦୀର ଉପର ଉପତ୍ୟକା ଓ କଳିଙ୍ଗ ରାଜ୍ୟ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାର କେତେକ ଅଞ୍ଚଳ) ଜୟ କରିଥିଲେ । ସେହି ସମୟରେ କଳିଙ୍ଗ ରାଜ୍ୟର ଉତ୍ତରରେ କେତୋଟି ରାଜବଂଶ ରାଜୁତି କରୁଥିଲେ । ସେଗୁଡ଼ିକ ଥିଲା ମାଠର, ନଳ ଓ ମାଣବଂଶ ।

 

ସପ୍ତମ ଶତାବ୍ଦୀରେ ଓଡ଼ିଶା ଇତିହାସରେ ଅନ୍ଧକାର ଯୁଗ ଅପସରିଯାଇ ରାଜନୈତିକ ଦିଗ୍‌ବଳୟ ଆଲୋକିତ ହୋଇଥିଲା ଅନ୍ୟ ଏକ ନୂତନ ରାଜବଂଶର ଆବିର୍ଭାବରେ । ସେହି ବଂଶଟି ଥିଲା ଶୈଳୋଦ୍ଭବ । ସେମାନଙ୍କର ରାଜୁତି ଥିଲା ୬୫୦ ଖ୍ରୀଷ୍ଟାବ୍ଦରୁ ୭୫୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ । ଏହି ବଂଶ କଂଗୋଦ ରାଜ୍ୟରେ ଶାସନ କରୁଥିଲେ । ଏହା ଅଧୁନା ପୁରୀ ଓ ଗଞ୍ଜାମ ଜିଲ୍ଲାକୁ ନେଇ ଗଠିତ ହୋଇଥିଲା । ଏହି ବଂଶର ରାଜୁତି ସମୟରେ ଚୀନ ପରିବ୍ରାଜକ ହୁଏନ୍‌ସାଂ ୬୩୯ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ପରିଦର୍ଶନ କରି ତତ୍କାଳୀନ ଓଡ଼ିଶାର ରାଜନୈତିକ, ଆଧ୍ୟାତ୍ମିକ ଓ ସାମାଜିକ ଅବସ୍ଥା ଉପରେ ଏକ ବିବରଣୀ ପ୍ରଦାନ କରିଛନ୍ତି । ଏହି ବଂଶର ରାଜତ୍ୱରେ ଓଡ଼ିଶାରେ ପ୍ରଥମଥରପାଇଁ ମନ୍ଦିର ନିର୍ମାଣ କରାଯାଇଥିବାର ଜଣାଯାଏ । ତନ୍ମଧ୍ୟରୁ ଭୁବନେଶ୍ୱରରେ ପ୍ରଥମ ମନ୍ଦିର ଥିଲା ଶତ୍ରୁଘ୍ନେଶ୍ୱର । ଭୁବନେଶ୍ୱରସ୍ଥିତ ଲକ୍ଷ୍ମଣେଶ୍ୱର, ପରଶୁରାମେଶ୍ୱର, ସ୍ୱର୍ଣ୍ଣଜଳେଶ୍ୱର ମନ୍ଦିର ହେଉଛି ସେମାନଙ୍କର ଅନ୍ୟ କେତୋଟି ଅକ୍ଷୟ କୀର୍ତ୍ତି । ଭଞ୍ଜନଗର ନିକଟବର୍ତ୍ତୀ ବଡ଼ଗାଁ ମନ୍ଦିର, ତାଳଚେର ନିକଟରେ ସ୍ୱପ୍ନେଶ୍ୱର ମନ୍ଦିର ତାଙ୍କର ଅନ୍ୟ ଦୁଇଟି କୀର୍ତ୍ତି-

 

ଶୈଳୋଦ୍ଭବ ବଂଶ ପରେ ଓଡ଼ିଶାରେ ରାଜତ୍ୱ କରିଥିଲେ ଭୌମ ବଂଶ । ଏହି ବଂଶର ରାଜାମାନେ ସେମାନଙ୍କର ନାମ ଶେଷରେ ‘କର' ପଦବୀ ବ୍ୟବହାର କରିଥିବାରୁ ଏହା ଭୌମକର ବଂଶ ନାମରେ ମଧ୍ୟ କଥିତ ହୋଇଥାଏ । ଏହାର ରାଜତ୍ୱ ୭୩୬ ଖ୍ରୀଷ୍ଟାବ୍ଦରୁ ଆରମ୍ଭ ହୋଇ ୯୩୨ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଅତୁଟ ରହିଥିଲା । ଏହି ବଂଶରେ ଛଅଜଣ ନାରୀ ସିଂହାସନ ଅଳଙ୍କୃତ କରି ଦକ୍ଷତାର ସହ ଶାସନକାର୍ଯ୍ୟ ପରିଚାଳନା କରିଥିଲେ । ଏହା ଥିଲା ଏହି ବଂଶର ପ୍ରଧାନ ବୈଶିଷ୍ଟ୍ୟ । ଭାରତବର୍ଷରେ ହିନ୍ଦୁବଂଶର ଇତିହାସରେ ଏହା ହେଉଛି ଏକମାତ୍ର ଦୃଷ୍ଟାନ୍ତ ଯେଉଁଠାରେ କି ନାରୀମାନେ ସ୍ୱାମୀ ବା ପିତାଙ୍କର ସିଂହାସନରେ ଅଧିଷ୍ଠିତ ହୋଇଥିଲେ । ସେମାନେ ହେଲେ ପ୍ରଥମ ତ୍ରିଭୁବନ ମହାଦେବୀ (୮୪୬ ଖ୍ରୀ.), ଦ୍ୱିତୀୟ ତ୍ରିଭୁବନ ମହାଦେବୀ ବା ପୃଥିବୀ ମହାଦେବୀ (ଖ୍ରୀ. ୮୯୪), ଧର୍ମ ମହାଦେବୀ, ଗୌରୀ ମହାଦେବୀ, ବକୁଳ ମହାଦେବୀ (ଖ୍ରୀ. ୯୪୦), ଦଣ୍ଡୀ ମହାଦେବୀ (ଖ୍ରୀ. ୯୧୬) । ଭୁବନେଶ୍ୱରରେ ଶିଶିରେଶ୍ୱର, ବୈତାଳ, ତାଳେଶ୍ୱର ଓ ଧଉଳିଗିରି ପାହାଡ଼ ଉପରେ ବହିରଙ୍ଗେଶ୍ୱର, ଯାଜପୁର ନିକଟବର୍ତ୍ତୀ ବରାହୀ ମନ୍ଦିର ଏହି ବଂଶର କେତୋଟି କଳା ଓ ଭାସ୍କର୍ଯ୍ୟର ନିଶାଣ ।

 

ଭୌମକର ବଂଶ ପରେ ଅନ୍ୟ ଏକ ବଂଶର ଗୌରବମୟ ରାଜତ୍ୱ ଓଡ଼ିଶାର ଇତିହାସ ପୃଷ୍ଠାକୁ ମୁଖରିତ କରିଥିଲା । ତାହା ଥିଲା ସୋମବଂଶ । ଏହି ବଂଶର କେତେଜଣ ନରପତିଙ୍କ ନାମ ପରେ ‘କେଶରୀ’ ଶବ୍ଦର ବ୍ୟବହାର ଦେଖାଯାଇଥିବାରୁ ଗବେଷକମାନେ ଏହି ବଂଶକୁ କେଶରୀ କୁଳ ବା କେଶରୀବଂଶବୋଲି କହିଥାନ୍ତି । ୧୦ ଜଣ ନରପତି ଦୀର୍ଘ ଦୁଇଶହ ବର୍ଷ (ଖ୍ରୀ. ୯୫୦-ଖ୍ରୀ. ୧୧୫୦) ରାଜତ୍ୱ କରି ଏକ ମହିମାମଣ୍ଡିତ ସଂସ୍କୃତିର ସ୍ୱାକ୍ଷର ରଖିଯାଇଛନ୍ତି । ଏହି ବଂଶର ପ୍ରତିଷ୍ଠାତା ପ୍ରଥମ ଜନମେଜୟ ଥିବାବେଳେ ଶେଷ ନରପତି ଥିଲେ କର୍ଣ୍ଣଦେବ । ଜନମେଜୟଙ୍କର ରାଜଧାନୀ ଥିଲା ସୁବର୍ଣ୍ଣପୁର ବା ଆଧୁନିକ ସୋନପୁର, ମାତ୍ର ତାଙ୍କର ପରବର୍ତ୍ତୀ ରାଜା ପ୍ରଥମ ଯଯାତି ବିନିତପୁର ବା ବିନିକାକୁ ରାଜଧାନୀ ସ୍ଥାନାନ୍ତରିତ କରିଥିଲେ । ତାଙ୍କର ଅନ୍ୟତମ ରାଜଧାନୀ ଥିଲା ଯଯାତିନଗର ବା ଆଧୁନିକ ଯାଜପୁର । ସୋମବଂଶର ରାଜା କର୍ଣ୍ଣଦେବଙ୍କୁ ଗଙ୍ଗବଂଶର ଚୋଡ଼ଗଙ୍ଗଦେବ ପରାଜିତ କରି ଉକ୍ତ ବଂଶର ଯବନିକା ଟାଣିଥିଲେ । ଏହି ବଂଶର ନରପତିମାନେ ସୂକ୍ଷ୍ମ କାରୁକାର୍ଯ୍ୟ ମଣ୍ଡିତ ସଂଖ୍ୟାତୀତ ମନ୍ଦିର ନିର୍ମାଣ କରି ଓଡ଼ିଶାକୁ ସର୍ବଭାରତୀୟ ସ୍ତରରେ ଏକ ଗୌରବୋଜ୍ଜ୍ୱଳ ସ୍ଥାନରେ ଅଧିଷ୍ଠିତ କରାଇ ପାରିଛନ୍ତି । ତନ୍ମଧ୍ୟରୁ ଭୁବନେଶ୍ୱରରେ ନିର୍ମିତ ମୁକ୍ତେଶ୍ୱର ମନ୍ଦିର ଭାରତବର୍ଷର ସର୍ବୋତ୍କୃଷ୍ଟ ମନୋରମ ମନ୍ଦିର ମଧ୍ୟରୁ ଅନ୍ୟତମ । ଭୁବନେଶ୍ୱରରେ ସେମାନଙ୍କଦ୍ୱାରା ନିର୍ମିତ ମନ୍ଦିରଗୁଡ଼ିକ ମଧ୍ୟରୁ ଅନ୍ୟତମ କେତୋଟି ହେଲା ସିଦ୍ଧେଶ୍ୱର, ରାଜରାଣୀ, କେଦାରେଶ୍ୱର, ରାମେଶ୍ୱର, ବ୍ରହ୍ମେଶ୍ୱର, ସୁରେଶ୍ୱର ଓ ୧୮୦ ଫୁଟ ଉଚ୍ଚତା ବିଶିଷ୍ଟ ଲିଙ୍ଗରାଜ ମନ୍ଦିର । ୧୦୨୫ ଖ୍ରୀଷ୍ଟାବ୍ଦରୁ ୧୦୪୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ରାଜୁତି କରିଥିବା ଯଯାତି କେଶରୀ ବା ଦ୍ୱିତୀୟ ଯଯାତି ଏହାର ନିର୍ମାତାବୋଲି କୁହାଯାଇଥାଏ । କେଦାରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ନିର୍ମିତ ଗୌରୀ ମନ୍ଦିର ଏହି ସମୟରେ ନିର୍ମିତ ହୋଇଥିଲା । ବଲାଙ୍ଗୀର ଜିଲ୍ଲାର ରାଣୀପୁର ଝରିଆଲ ଓ ବୌଦର ଶିବମନ୍ଦିର ଏହି ରାଜତ୍ୱର ଅନ୍ୟ ଦୁଇଟି କୀର୍ତ୍ତି-

 

ଦ୍ୱାଦଶ ଶତାବ୍ଦୀର ପ୍ରଥମ ଦଶକରେ ଓଡ଼ିଶାର ରାଜନୈତିକ ରଙ୍ଗମଞ୍ଚରେ ଏକ ପ୍ରଖ୍ୟାତ ରାଜବଂଶର ଅଭ୍ୟୁଦୟ ଓଡ଼ିଶାର ଇତିହାସକୁ ମହିମାନ୍ୱିତ କରିଥିଲା । ତାହା ଥିଲା ଗଙ୍ଗବଂଶ । ୧୧୧୦ ଖ୍ରୀଷ୍ଟାବ୍ଦରୁ ୧୪୩୫ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଏହାର ଥିଲା ଶାସନକାଳ । ଏହି ବଂଶର ପ୍ରଥମ ନରପତି ଅନନ୍ତବର୍ମା ଚୋଡ଼ଗଙ୍ଗଦେବ ଓ ଶେଷ ନରପତି ଥିଲେ ଚତୁର୍ଥ ଭାନୁଦେବ-। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜ୍ଜନ କରି ପ୍ରସିଦ୍ଧ ଲାଭ କରିଥିବା ନରପତିମାନେ ଥିଲେ ଚୋଡ଼ଗଙ୍ଗଦେବ (୧୧୧୦-୧୧୫୦) । ତୃତୀୟ ଅନଙ୍ଗଭୀମଦେବ (୧୨୧୧-୧୨୩୮), ପ୍ରଥମ ନରସିଂହଦେବ (୧୨୩୮-୧୨୬୪) ଓ ତୃତୀୟ ଭାନୁଦେବ (୧୩୫୨-୧୩୭୮) । ପ୍ରତ୍ୟେକ ନରପତି ଯୁଦ୍ଧକ୍ଷେତ୍ରରେ ଅପୂର୍ବ କୃତିତ୍ୱ ପ୍ରଦର୍ଶନ କରିବା ସଙ୍ଗେ ସେଙ୍ଗ କଳା ଓ ସାହିତ୍ୟର ପୃଷ୍ଠପୋଷକଭାବେ ଓଡ଼ିଶା ଇତିହାସକୁ ଭାସ୍ୱର କରିଛନ୍ତି । ମୁସଲମାନମାନଙ୍କର ଆକ୍ରମଣକୁ ପ୍ରତିହତ କରି ଓଡ଼ିଶାର ସ୍ୱାଧୀନତା ରକ୍ଷାକରିବା ଦିଗରେ ସେମାନଙ୍କର ଅବଦାନ ମଧ୍ୟ ସମପରିମାଣରେ ଉଲ୍ଲେଖନୀୟ । ଓଡ଼ିଶାରେ ଗଙ୍ଗବଂଶର ପ୍ରତିଷ୍ଠାତାଭାବେ କୁହାଯାଉଥିବା ଚୋଡ଼ଗଙ୍ଗଦେବ ୧୧୧୦ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଅଧିକାର କରି ନିଜର ରାଜଧାନୀ ମୁଖଲିଙ୍ଗମରୁ କଟକକୁ ସ୍ଥାନାନ୍ତରିତ କରିଥିଲେ । ପରେ ପରେ ସେ ଅବିରାମଭାବେ ଯୁଦ୍ଧ ଚାଳନା କରି ଓଡ଼ିଶାରେ ଏକ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । ତାହା ଉତ୍ତରରେ ଗଙ୍ଗାନଦୀଠାରୁ ଦକ୍ଷିଣରେ ଗୋଦାବରୀ ନଦୀ ପର୍ଯ୍ୟନ୍ତ ବିସ୍ତାରଲାଭ କରିଥିଲା । ତେଣୁ ତତ୍କାଳୀନ ପୂର୍ବଭାରତରେ ସେ ସବୁଠାରୁ ଶକ୍ତିଶାଳୀ ଶାସକଭାବେ ପରିଗଣିତ ହୋଇଥିଲେ । ଗଙ୍ଗବଂଶର ନରପତିମାନେ ସେମାନଙ୍କର ସାମ୍ରାଜ୍ୟକୁ ସୁରକ୍ଷିତ କରିବା ଦିଗରେ ନିଷ୍ଠାପର ଉଦ୍ୟମ କରିଥିଲେ । ଏଥିପାଇଁ ଚୋଡ଼ଗଙ୍ଗଦେବ ବାରଙ୍ଗ ରେଳଷ୍ଟେସନ ନିକଟବର୍ତ୍ତୀ ଚନ୍ଦକା ଜଙ୍ଗଲରେ ଏକ ଦୁର୍ଗ ନିର୍ମାଣ କରିଥିଲେ । ତାହା ଶାରଙ୍ଗଗଡ଼ ବା ଚୁଡ଼ଙ୍ଗଗଡ଼ ନାମରେ କଥିତ । ସେହିପରି ୧୨୧୧ ଖ୍ରୀଷ୍ଟାବ୍ଦରୁ ୧୨୩୮ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜୁତି କରିଥିବା ଏହି ବଂଶର ଅନ୍ୟତମ ପ୍ରଖ୍ୟାତ ନରପତି ତୃତୀୟ ଅନଙ୍ଗଭୀମଦେବ କଟକରେ ଓଡ଼ିଶାର ଗର୍ବ ଓ ଗୌରବର ମୂକସାକ୍ଷୀ ବାରବାଟୀ ଦୁର୍ଗ ନିର୍ମାଣ କରିଥିଲେ । ପୁନଶ୍ଚ ୧୨୩୮ ଖ୍ରୀଷ୍ଟାବ୍ଦରୁ ୧୨୬୪ ମଧ୍ୟରେ ରାଜତ୍ୱ କରିଥିବା ଏହି ବଂଶର ଅନ୍ୟତମ ଶକ୍ତିଶାଳୀ ନରପତି ପ୍ରଥମ ନରସିଂହଦେବ ବଙ୍ଗଳାରୁ ମୁସଲମାନ ଆକ୍ରମଣକୁ ପ୍ରତିରୋଧ କରିବାପାଇଁ ଉତ୍ତର ବାଲେଶ୍ୱରରେ ରାଇବଣିଆଠାରେ ଏକ ଦୁର୍ଭେଦ୍ୟ ବିଶାଳ ଦୁର୍ଗ ନିର୍ମାଣ କରିଥିଲେ । କେବଳ ସେତିକି ନୁହେଁ, ଗଙ୍ଗବଂଶର ନରପତିମାନେ କଳା ଓ ସ୍ଥାପତ୍ୟକୁ ଋଦ୍ଧିମନ୍ତ କରିବାପାଇଁ ବହୁ ମନ୍ଦିର ଓ ମୂର୍ତ୍ତି ନିର୍ମାଣ କରି କଳାଜଗତକୁ ଉଦ୍ଭାସିତ କରିଥିଲେ । ୧୧୯୫ ଖ୍ରୀଷ୍ଟାବ୍ଦରେ ନିର୍ମିତ ମେଘେଶ୍ୱର ହେଉଛି ସେମାନଙ୍କର ପ୍ରଥମ ମନ୍ଦିର । ଭାରତ ପ୍ରସିଦ୍ଧ ପୁରୀର ଜଗନ୍ନାଥ ମନ୍ଦିର ଏହି ବଂଶର ଏକ ଅକ୍ଷୟ କୀର୍ତ୍ତି । ୨୫୧ଫୁଟ ୮ଇଞ୍ଚ ଉଚ୍ଚତା ବିଶିଷ୍ଟ ଏହି ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ଚୋଡ଼ଗଙ୍ଗଦେବଙ୍କଦ୍ୱାରା ଆରମ୍ଭ ହୋଇ ତାଙ୍କର ଉତ୍ତରାଧିକାରୀ ତୃତୀୟ ଅନଙ୍ଗଭୀମଦେବଙ୍କଦ୍ୱାରା ସମାପ୍ତ ହୋଇଥିଲା । ସେହିପରି ପୁରୀଠାରୁ ଉତ୍ତରପୂର୍ବ ଦିଗରେ ୨୦ ମାଇଲ ଦୂରରେ ଅବସ୍ଥିତ ବିଶ୍ୱବିଖ୍ୟାତ କୋଣାର୍କ ମନ୍ଦିର ୧୨୪୦ ଖ୍ରୀଷ୍ଟାବ୍ଦରେ ନରପତି ଲାଙ୍ଗୁଳା ନରସିଂହଦେବ ନାମରେ ପରିଚିତ ପ୍ରଥମ ନରସିଂହଦେବଙ୍କଦ୍ୱାରା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହାର ଉଚ୍ଚତା ଥିଲା ୨୨୭ ଫୁଟ । ଜନଶ୍ରୁତି ଅନୁଯାୟୀ ଏହାର ନିର୍ମାଣ ୧୨ ବର୍ଷ ଲାଗିଥିଲା । ଗଙ୍ଗବଂଶର ଅନ୍ୟ କେତୋଟି କୀର୍ତ୍ତି ହେଉଛି ତୃତୀୟ ଅନଙ୍ଗଭୀମ ଦେବଙ୍କର କନ୍ୟା ଚନ୍ଦ୍ରିକାଦେବୀଙ୍କଦ୍ୱାରା ୧୨୭୮ ଖ୍ରୀଷ୍ଟାବ୍ଦରେ ବିନ୍ଦୁସାଗର କୂଳରେ ନିର୍ମିତ ଅନନ୍ତବାସୁଦେବ, ଭୁବନେଶ୍ୱରରେ ଯମେଶ୍ୱର ଓ ଭାସ୍କରେଶ୍ୱର ଓ ପୁରୀ ଜିଲ୍ଲାର ଟାଙ୍ଗି ନିକଟରେ ଚଣ୍ଡେଶ୍ୱର ମନ୍ଦିର । ଏହିସବୁ କୀର୍ତ୍ତି ଉକ୍ତ ବଂଶକୁ ମହିମାନ୍ୱିତ କରିଛି ।

 

ଗଙ୍ଗବଂଶ ବିଦାୟ ନେବା ପରେ ଓଡ଼ିଶାରେ ଆରମ୍ଭ ହୋଇଥିଲା ସୂର୍ଯ୍ୟ ବା ଗଜପତି ବଂଶର ରାଜତ୍ୱ । ଏହା ୧୪୩୫ ଖ୍ରୀଷ୍ଟାବ୍ଦରୁ ୧୫୪୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜୁତି କରି ବିଦାୟ ନେଇଥିଲା । ଏହାର ପ୍ରତିଷ୍ଠାତା ଥିଲେ ସୁନାମଧନ୍ୟ ପ୍ରଥିତଯଶା ଗଜପତି କପିଳେନ୍ଦ୍ର ଦେବ ଓ ଏହି ବଂଶର ଅନ୍ୟ ଦୁଇଜଣ ଖ୍ୟାତନାମା ନରପତି ଥିଲେ ପୁରୁଷୋତ୍ତମ ଦେବ ଓ ପ୍ରତାପରୁଦ୍ର ଦେବ । ସେମାନେ ଓଡ଼ିଶା ସାମ୍ରାଜ୍ୟର ଆୟତନକୁ ବୃଦ୍ଧି କରିବା ଦିଗରେ ବ୍ରତୀ ହୋଇଥିବାରୁ କଳା ଓ ଭାସ୍କର୍ଯ୍ୟର ଉନ୍ନତି ପ୍ରତି ବିଶେଷଭାବେ ଧ୍ୟାନ ଦେଇପାରି ନ ଥିଲେ । କିନ୍ତୁ ସାହିତ୍ୟ କ୍ଷେତ୍ରରେ ସେମାନଙ୍କର ରାଜତ୍ୱ ଥିଲା ସୁବର୍ଣ୍ଣଯୁଗ । କପିଳେନ୍ଦ୍ରଦେବ (୧୪୫୩-୧୪୬୭) ଓଡ଼ିଶା ସାମ୍ରାଜ୍ୟର ଦକ୍ଷିଣ ସୀମା କାବେରୀ ନଦୀ ପର୍ଯ୍ୟନ୍ତ ବିସ୍ତାର କରିଥିଲେ । ତାଙ୍କ ପରେ ତାଙ୍କ ପୁତ୍ର ପୁରୁଷୋତ୍ତମ ଦେବ (୧୪୬୭-୧୪୯୭)ଙ୍କର କାଞ୍ଚି-କାବେରୀ ଅଭିଯାନ ଓଡ଼ିଶା ଇତିହାସରେ ଏକ ରୋମାଞ୍ଚକର ଘଟଣା । ସେ କାଞ୍ଚିରାଜା ସାଲ୍ୱ ନରସିଂହଙ୍କର କନ୍ୟା ପଦ୍ମାବତୀ ବା ପଦ୍ମିନୀକୁ ବିବାହ କରିବାପାଇଁ ଆଗ୍ରହ ପ୍ରକାଶ କରିବାରୁ କାଞ୍ଚିରାଜା ତାଙ୍କର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ । କାରଣ ଥିଲା ସେ ଜଗନ୍ନାଥଙ୍କ ରଥରେ ଜଣେ ଝାଡ଼ୁଦାରର କାର୍ଯ୍ୟ କରନ୍ତି । ତେଣୁ ପ୍ରତିଶୋଧ ନେବାପାଇଁ ପୁରୁଷୋତ୍ତମ ତାଙ୍କ କନ୍ୟାଙ୍କୁ ପୁରୀକୁ ନେଇଆସିଥିଲେ । ଏହି କାଞ୍ଚି ହେଉଛି ପ୍ରସିଦ୍ଧ ପଲ୍ଲବ ବଂଶର ରାଜଧାନୀ । ସେଠାରୁ ସେ ମଧ୍ୟ ଏକ ଗଣେଶ ମୂର୍ତ୍ତି ଓ ରତ୍ନସିଂହାସନ ନେଇଆସିଥିଲେ । ଗଣେଶ ମୂର୍ତ୍ତିକୁ ପୁରୀ ଜଗନ୍ନାଥ ମନ୍ଦିର ବେଢ଼ାରେ ପ୍ରତିଷ୍ଠା କରାଯାଇଥିବା ସ୍ଥଳେ ରତ୍ନସିଂହାସନ ଉପରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଅଧିଷ୍ଠିତ କରାଯାଇ ପୂଜା କରାଯାଉଛି । ପୁରୁଷୋତ୍ତମ ମଧ୍ୟ ସେହି ସମୟରେ ବିଦ୍ୟାନଗରରୁ ସାକ୍ଷିଗୋପାଳ ମୂର୍ତ୍ତି ଆଣି ପ୍ରଥମେ ବାରବାଟୀ ଦୁର୍ଗରେ ରଖିଥିଲେ । ସେଠାରୁ ବିଗ୍ରହଙ୍କୁ ସ୍ଥାନାନ୍ତରିତ କରାଯାଇ ସାକ୍ଷିଗୋପାଳଠାରେ ପ୍ରତିଷ୍ଠା କରାଯାଇଛି । ପୁରୁଷୋତ୍ତମଦେବଙ୍କ ପରେ ସୂର୍ଯ୍ୟବଂଶର ଆସନ ଅଳଙ୍କୃତ କରିଥିଲେ ପ୍ରତାପରୁଦ୍ରଦେବ । ସେ ୧୪୯୭ ରୁ ୧୫୪୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରି ଓଡ଼ିଶାରେ ସୂର୍ଯ୍ୟବଂଶୀ ଶାସନକୁ ବିଦାୟ ଦେଇଥିଲେ । ୧୫୧୦ ଖ୍ରୀଷ୍ଟାବ୍ଦରେ ଶ୍ରୀଚୈତନ୍ୟଙ୍କର ପୁରୀ ଆଗମନ ଥିଲା ତାଙ୍କ ରାଜତ୍ୱର ଏକ ବିଶିଷ୍ଟ ଘଟଣା ।

 

ଭୁବନେଶ୍ୱରରୁ ଗଙ୍ଗୁଆନଦୀ କୂଳରେ ଅବସ୍ଥିତ କପିଳେଶ୍ୱର ମନ୍ଦିର କପିଳେନ୍ଦ୍ରଦେବଙ୍କ ରାଜତ୍ୱରେ ନିର୍ମିତ ହୋଇଥିଲା । ମହାନଦୀର ଏକ ଛୋଟ ଦ୍ୱୀପରେ ଅବସ୍ଥିତ ଧବଳେଶ୍ୱର ମନ୍ଦିର ତାଙ୍କର ଅନ୍ୟ ଏକ କୀର୍ତ୍ତି । ଯାଜପୁରର ବରାହମନ୍ଦିର ପ୍ରତାପରୁଦ୍ରଦେବଙ୍କ ରାଜତ୍ୱରେ ନିର୍ମିତ ହୋଇଥିଲା ।

 

ଅତୀତରେ ସାରସ୍ୱତ କ୍ଷେତ୍ରକୁ ଓଡ଼ିଶାର ଅବଦାନ କୌଣସି ଗୁଣରେ ନ୍ୟୂନ ନ ଥିଲା । ଗ୍ରନ୍ଥାକାରମାନେ ଉଭୟ ସଂସ୍କୃତ ଓ ଓଡ଼ିଆ ଭାଷାରେ ବହୁ ଗ୍ରନ୍ଥ ରଚନା କରି ଓଡ଼ିଶାର ସାରସ୍ୱତ ଉଦ୍ୟାନକୁ ମଣ୍ଡନ କରିଥିଲେ । ପଞ୍ଚତନ୍ତ୍ରର ଗ୍ରନ୍ଥକାର ବିଷ୍ଣୁଶର୍ମା କଳିଙ୍ଗର ଅଧିବାସୀବୋଲି ଜଣାଯାଇଛି । ଅନର୍ଘ ରାଘବ ନାଟକମ୍‌ର ଲେଖକ ମୁରାରି ମିଶ୍ର, ଗୀତଗୋବିନ୍ଦର ରଚୟିତା ଜୟଦେବ, ଶ୍ରୀଧର ଆଚାର୍ଯ୍ୟ, ବିଶ୍ୱନାଥ ଓ ରାମାନନ୍ଦ ରାୟ ଥିଲେ ସଂସ୍କୃତ ଭାଷାର ଅନ୍ୟ କେତେଜଣ ପ୍ରଖ୍ୟାତ ଲେଖକ । ଓଡ଼ିଆ ଭାଷା ଅତି ପ୍ରାଚୀନ । ମାତ୍ର ଏହାର ସାହିତ୍ୟିକ ଉତ୍କର୍ଷ ବିଶେଷଭାବେ ଲିଖିତ ଆକାରରେ ଜନସାଧାରଣଙ୍କଠାରେ ଦେଖାଦେଇଥିଲା ପଞ୍ଚଦଶ ଶତାବ୍ଦୀର ପ୍ରଥମ ଭାଗରେ । ପଞ୍ଚଦଶ ଶତାବ୍ଦୀରେ କପିଳେନ୍ଦ୍ର ଦେବଙ୍କ ରାଜତ୍ୱରେ ସାରଳା ଦାସ ମହାଭାରତ, ବିଲଙ୍କା ରାମାୟଣ ଓ ଚଣ୍ଡୀପୁରାଣ ଲେଖି ଅମର ହୋଇ ରହିଛନ୍ତି । ସେହିପରି ମାର୍କଣ୍ଡ ଦାସଙ୍କ କେଶବ କୋଇଲି ସୂର୍ଯ୍ୟବଂଶ ରାଜତ୍ୱରେ ସାରଳା ଦାସଙ୍କ ପରେ ଜଗନ୍ନାଥ ଦାସଙ୍କର ଭାଗବତ, ତୁଳାଭିଣା, ଇତିହାସ ପୁରାଣ, ଓଡ଼ିଆ ଭାଷାରେ ପ୍ରଥମେ ବଳରାମ ଦାସଙ୍କଦ୍ୱାରା ଚରିତ ରାମାୟଣ ସୂର୍ଯ୍ୟବଂଶର ଅନ୍ୟ କେତୋଟି କୃତି । ସେମାନଙ୍କ ବ୍ୟତୀତ ସାହିତ୍ୟ ଜଗତରେ ଅନ୍ୟ ତିନିଜଣ ଉଜ୍ଜ୍ୱଳ ରତ୍ନ ଥିଲେ ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ ଓ ଅନନ୍ତ ଦାସ ।

 

ପ୍ରତାପରୁଦ୍ରଙ୍କ ମୃତ୍ୟୁ ପରେ ଗୋବିନ୍ଦ ବିଦ୍ୟାଧର ନାମଧେୟ ଜନୈକ ବ୍ୟକ୍ତି ଗଜପତିଙ୍କର ସବୁ ପୁତ୍ରଙ୍କୁ ହତ୍ୟା କରି ୧୫୪୨ ଖ୍ରୀଷ୍ଟାବ୍ଦରେ ଓଡ଼ିଶାର ରାଜସିଂହାସନ ଅଳଙ୍କୃତ କରିଥିଲେ । ଏଥି ସହିତ ସେ ମଧ୍ୟ ଏକ ନୂତନ ବଂଶ ପ୍ରତିଷ୍ଠା କରି ତା'ର ନାମ ରଖିଥିଲେ ଭୋଇବଂଶ । କାରଣ ସେ ଥିଲେ ଜଣେ ଭୋଇ ବା ହିସାବରକ୍ଷକ । ଏହି ଗୋବିନ୍ଦ ବିଦ୍ୟାଧରଙ୍କ ରାଜୁତି ସମୟରେ ବିଶାଖାପାଟଣା ଜିଲ୍ଲାର ତେଲିଙ୍ଗାନାରେ ରାଜୁତି କରୁଥିବା ଚାଲୁକ୍ୟ ବଂଶର ରାଜପୁତ୍ର ସର୍ବରାଜୁଙ୍କ ପୁତ୍ର ଓ ସିଂହରାଜୁଙ୍କର ପୌତ୍ର ମୁକୁନ୍ଦ ଦେବ ହରିଚନ୍ଦନ ଷଡ଼ଯନ୍ତ୍ର, ରକ୍ତପାତ, କୂଟନୀତି ଓ ଚକ୍ରାନ୍ତର ଆଶ୍ରୟ ନେଇ ୧୫୬୦ ଖ୍ରୀଷ୍ଟାବ୍ଦରେ ଓଡ଼ିଶାର ରାଜସିଂହାସନ ଅଧିକାର କରିଥିଲେ । ମାତ୍ର ଅଦୃଷ୍ଟ ତାଙ୍କର ପତନପାଇଁ ରଙ୍ଗମଞ୍ଚ ପ୍ରସ୍ତୁତ କରିଥିଲା । ବଙ୍ଗଳାର ଆଫଗାନ ସୁଲତାନ ସୁଲେମାନ କରାନି ୧୫୬୮ଖ୍ରୀଷ୍ଟାବ୍ଦରେ ଶୀତଋତୁରେ ସିକନ୍ଦର ଉଦ୍‌ବେଗ ଓ କଳାପାହାଡ଼ ନାମକ ଦୁଇଜଣ ସେନାପତିଙ୍କୁ ପ୍ରେରଣ କରିଥିଲେ ଓଡ଼ିଶା ଆକ୍ରମଣ କରିବାପାଇଁ । ଫଳରେ ଗୋହିରାଟିକିରି ନାମକ ଯୁଦ୍ଧକ୍ଷେତ୍ରରେ ମୁକୁନ୍ଦଦେବ ପରାଜିତ ଓ ନିହତ ହୋଇଥିଲେ । ସେ ଥିଲେ ଓଡ଼ିଶାର ଶେଷ ସ୍ୱାଧୀନ ରାଜା ଓ ଗୋହିରାଟିକିରି ଥିଲା ସ୍ୱାଧୀନ ଓଡ଼ିଶାର ଅସ୍ତରେଖା-

 

୧୫୭୨ ଖ୍ରୀଷ୍ଟାବ୍ଦରେ ସୁଲେମାନ କରାନିଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ଦାଉଦ ହୋଇଥିଲେ ଓଡ଼ିଶାର ଶସାନକର୍ତ୍ତା । ମାତ୍ର ମୋଗଲ ସମ୍ରାଟ ଆକବରଙ୍କଦ୍ୱାରା ପ୍ରେରିତ ହୋଇ ମୁନିମ ଖାଁ ଓ ତୋଡ଼ରମଲ୍ଲ ୧୫୭୬ ଖ୍ରୀଷ୍ଟାବ୍ଦରେ ଦାଉଦଙ୍କୁ ଯୁଦ୍ଧକ୍ଷେତ୍ରରେ ନିହତ କରିଥିଲେ । ତା'ପରେ ଓଡ଼ିଶା ମୋଗଲ ଶାସନାଧୀନ ହୋଇ ରହିଥିଲା । ଓଡ଼ିଶାରେ ମୋଗଲ ଶାସନର ଅବସାନ ହେଲା ୧୭୦୭ ଖ୍ରୀଷ୍ଟାବ୍ଦରେ । ତା'ପରେ ୧୭୫୧ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ବଙ୍ଗଳାର ନାଏବ ନାଜିମ ଅଲିବର୍ଦ୍ଦି ଖାଁଦ୍ୱାରା ଓଡ଼ିଶା ଶାସିତ ହେଉଥିଲା । ୧୭୫୧ ଖ୍ରୀଷ୍ଟାବ୍ଦରେ ଓଡ଼ିଶାର ଶାସନକର୍ତ୍ତା ହୋଇଥିଲେ ମରହଟ୍ଟାମାନେ । ମରହଟ୍ଟା ସୁବେଦାର ଭାସ୍କର ପଣ୍ଡିତଙ୍କଦ୍ୱାରା ବାରବାଟୀ ଦୁର୍ଗ ସମେତ ଓଡ଼ିଶା ଅଧିକୃତ ହୋଇଥିଲା । ମରହଟ୍ଟା ଶାସନ ଓଡ଼ିଶାରୁ ବିଦାୟ ନେଇଥିଲା ୧୮୦୩ ଖ୍ରୀଷ୍ଟାବ୍ଦରେ । ସେହିବର୍ଷ କର୍ଣ୍ଣେଲ ହାରକୋଟ ଅକ୍ଟୋବର ୧୪ ତାରିଖ ଦିନ ବାରବାଟୀ ଦୁର୍ଗ ଅଧିକାର କରିବା ପରେ ଓଡ଼ିଶାରେ ଇଂରେଜମାନଙ୍କର ବିଜୟ ବୈଜୟନ୍ତୀ ଉଡ଼ିଥିଲା । ଠିକ୍ ତା'ର ୧ ବର୍ଷ ପରେ ୧୮୦୪ ଖ୍ରୀଷ୍ଟାବ୍ଦରେ ଇଂରେଜମାନଙ୍କ ବିରୋଧରେ ଆରମ୍ଭ ହୋଇଥିଲା ଓଡ଼ିଶାରେ ଏକ ବିଦ୍ରୋହ । ପରେ ପରେ ମୁକ୍ତି ସଂଗ୍ରାମ ଓ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶା ଅଂଶଗ୍ରହଣ କରିଥିଲା ଓ ୧୯୪୯ ମସିହାରେ ବୃହତ୍ତର ଓଡ଼ିଶାର ଜନ୍ମ ହୋଇଥିଲା ।

•••

 

ସାହିତ୍ୟ ଓ ଅର୍ଥନୀତି : ଏକ ଦୃଷ୍ଟିକୋଣ

ଡକ୍ଟର ବାସୁଦେବ ସାହୁ

 

ସାହିତ୍ୟ କ'ଣ ? ସାହିତ୍ୟ କିଏ ସୃଷ୍ଟି କରେ ? କାହିଁକି ସୃଷ୍ଟି କରେ ? କାହାପାଇଁ ସୃଷ୍ଟି ହୁଏ ? ଏ ସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ଗଲେ ଆମକୁ ବ୍ୟକ୍ତି ଓ ସମାଜର ସମ୍ପର୍କ, ସ୍ରଷ୍ଟାର ବ୍ୟକ୍ତିତ୍ୱ, ତା'ର ଜୀବନାଦର୍ଶ, ବାସ୍ତବ ଅନୁଭୂତି, ଭବିଷ୍ୟତର ସ୍ୱପ୍ନ ଓ ସମସାମୟିକ ସାମାଜିକ ପରିସ୍ଥିତି, ସାଧାରଣ ମଣିଷର ଶିକ୍ଷା, ସଂସ୍କୃତି ଓ ଆର୍ଥନୀତିକ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବାକୁ ପଡ଼େ । ଏ ସମସ୍ତ ବିଷୟକୁ ପର୍ଯ୍ୟାଲୋଚନା କଲେ, ଲେଖକ ଓ ତା'ର ପରିପାଶ୍ୱର୍ର ଅର୍ଥନୈତିକ ଅବସ୍ଥା ଏକ ଶକ୍ତିଶାଳୀ ଉପାଦାନରୂପେ ପ୍ରତିଭାତ ହୁଏ । ସାହିତ୍ୟରେ ବିଭିନ୍ନ ବାଦର ଛାପ ଏବଂ ବିଭିନ୍ନ ବାଦକୁ କେନ୍ଦ୍ରକରି ସାହିତ୍ୟିକମାନଙ୍କ ମଧ୍ୟରେ ବାଦବିସମ୍ବାଦ ଉପୁଜିଥିବା ଏକ ଜଣାଶୁଣା କଥା । ଭାବବାଦ, ବସ୍ତୁବାଦ, ସ୍ଥିତିବାଦ, ହେତୁବାଦ ଇତ୍ୟାଦି ସାହିତ୍ୟ ତତ୍ତ୍ୱ ଯେ ମଣିଷର ଭୌତିକ ବିଶେଷତଃ ଆର୍ଥନୀତିକ ଅବସ୍ଥାକୁ ପ୍ରାଧାନ୍ୟ ଦେଇ ବା ଅଗ୍ରାହ୍ୟ କରି ଗଢ଼ି ଉଠିଛି । ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ରବୀନ୍ଦ୍ରନାଥଙ୍କ ଭାଷାରେ ସବୁର ମୂଳରେ ମଣିଷ ସତ୍ୟ ଏବଂ ମାର୍କସ୍‌ଙ୍କ ଭାଷାରେ ମଣିଷ ଓ ସମାଜର ସ୍ଥିତି ଓ ବିକାଶରେ ଭୌତିକ ଅବସ୍ଥା ବିଶେଷତଃ ଅର୍ଥନୈତିକ ସତ୍ୟ ଏକ ଅବ୍ୟର୍ଥ ନିୟାମକ ।

 

ମଣିଷର ଆବେଗ, ଅଭିଳାଷ, ଅନୁଭୂତିକୁ ନେଇ ସାହିତ୍ୟ ସୃଷ୍ଟି ହୋଇଥାଏ । ଜୀବନର ଅନ୍ୱେଷା, ଅନ୍ୱେଷଣ, ଅଭ୍ୟୁତ୍‌ଥାନ ଓ ସଂଗ୍ରାମର ଚିତ୍ତାକର୍ଷକ ରୂପାୟନ ସାହିତ୍ୟ । ଜୀବନର ଅର୍ଥ ସୁସ୍ପଷ୍ଟ ଓ ସମୁନ୍ନତ ହୁଏ, ସମାଜର ରୂପକ ଏକ ଜୈବିକ ପରିପୂର୍ଣ୍ଣ ସଂସ୍ଥାରେ ଅର୍ଥନୀତି ଯେ ଏକ କନିଷ୍ଠ ଗ୍ରନ୍ଥି ଏଥିରେ କେହି ଦ୍ୱିମତ ହେବେ ନାହିଁ । ଆଇନ୍ ଷ୍ଟାଇନ୍‌ଙ୍କ ଭାଷାରେ “Man can find meaning in life short and perilous as it is, only through devoting himself to society” ସାଧାରଣ ମଣିଷ ଯଦି ତା'ର ଜୀବନର ମୂଲ୍ୟ ସମାଜ-ସେବା ବା ସମାଜ ସହ ତା'ର ସମ୍ପର୍କର ଅବବୋଧରୁ ପାଇଥାଏ, ଜଣେ ଭାବପ୍ରବଣ ବୌଦ୍ଧିକ କଳାକାର, କବି ଓ ଲେଖକ ପକ୍ଷେ ସମାଜ ଅନୁରକ୍ତି କେତେ ଯେ ମୂଲ୍ୟବାନ, କହି ହେବନି ।

 

କେତେଗୁଡ଼ିଏ ମାନବିକ ମୂଲ୍ୟର ଚରିତାର୍ଥପାଇଁ ସଂସ୍କୃତିର ବିକାଶ ଘଟେ । ଏହା ହିଁ ହୁଏ ସମାଜ ବିକାଶର ମୂଳମନ୍ତ୍ର । ଏଙ୍ଗେଲସ୍‌ଙ୍କ ମତରେ ଲକ୍ଷ୍ୟ ହାସଲପାଇଁ ମଣିଷର ଉଦ୍ୟମ ସୃଷ୍ଟି କରେ ଇତିହାସ । ଇତିହାସରେ ଯୁଗେ ଯୁଗେ କଳାକାରମାନେ ମଣିଷର ମାନବିକ ମୂଲ୍ୟ (humanitic aims) ଓ ଉତ୍ପାଦନର ସମନ୍ୱୟ ସାଧନ କରିବାକୁ ଚେଷ୍ଟା କରିଛନ୍ତି । ସ୍ୱତ୍ୱ ଢାଞ୍ଚା, ସମାଜ ସଙ୍ଗଠନ ଓ ଶାସନ ବ୍ୟବସ୍ଥାର ସୁସ୍ଥ ସମନ୍ୱୟ ଯେପରି ବ୍ୟକ୍ତି ବିକାଶର ଅନୁକୂଳ ହେବ ସେଥିପ୍ରତି ଦୃଷ୍ଟି ଦିଆଯାଇଛି । ଜୀବନର ଅର୍ଥ ଖୋଜିବାକୁ ଯାଇ କିଏ ଋଷୋଙ୍କ ଭଳି ସ୍ୱଚ୍ଛ ସରଳ ଅବାଧ ପ୍ରକୃତିର ମଣିଷକୁ ପ୍ରଶଂସା କରି ଚାଲିଛି ତ କିଏ କାଣ୍ଟଙ୍କ ଭଳି ମଣିଷର ହେତୁବୋଧ (reason) ଓ ନୈତିକତାର ଗୁଣଗାନ କରିଛି । ମଣିଷ ହୋଇଛି ପ୍ରତ୍ୟେକ ତତ୍ତ୍ୱ ଓ ପ୍ରତ୍ୟେକ ଚିନ୍ତାର କେନ୍ଦ୍ରବିନ୍ଦୁ । ମଣିଷ ଜୀବନର ଅର୍ଥ ଓ ଲକ୍ଷ୍ୟ ବର୍ଣ୍ଣନା କରିବାକୁ ଯାଇ ଋଷୋ ଲେଖିଛନ୍ତି ‘ମଣିଷ ନିଜ ଚେଷ୍ଟାରେ ଶୂନ୍ୟତାକୁ ଅତିକ୍ରମ କରିବା, ନିଜର ଯୁକ୍ତିର ଆଲୋକରେ ପ୍ରକୃତି ଆଚ୍ଛାଦିତ ଅନ୍ଧକାରକୁ ଦୂରୀଭୂତ କରିବା, ନିଜର ମନଯାନରେ ସ୍ୱର୍ଗ ସ୍ପର୍ଶ କରିବା, ବଳିଷ୍ଠ ପଦକ୍ଷେପରେ ସୂର୍ଯ୍ୟଭଳି ବିଶ୍ୱରେ ପରିକ୍ରମା କରିବା ଏବଂ ତତ୍‌ସଙ୍ଗେ ନିଜ ପରିଧିକୁ ଫେରିଆସି ମଣିଷର ପ୍ରକୃତି, କର୍ତ୍ତବ୍ୟ ଓ ଲକ୍ଷ୍ୟ ଅଧ୍ୟୟନ କରିବାର ଦୃଶ୍ୟ ଅତ୍ୟନ୍ତ ମନୋରମ ଏବଂ ମହାନ । କାଣ୍ଟଙ୍କ ଦର୍ଶନ ତତ୍ତ୍ୱରେ ମଧ୍ୟ ଭରି ରହିଥିଲା ମଣିଷ ପ୍ରତି ଏକ ସମ୍ବେଦନା, ମଣିଷର ଭାଗ୍ୟ ଓ ମଣିଷ ଜାତିର ମଙ୍ଗଳ ତାଙ୍କର ଥିଲା କାମ୍ୟ । ଏକ ସାଧନ (means) ନୁହେଁ ଏହା ଏକ ସାଧ୍ୟ (ends) । କାଣ୍ଟସ୍‌ଙ୍କ ବିଜ୍ଞାନ ସମ୍ମତ ଦର୍ଶନ ସହ ମାନବବାଦର (humanism) ସମ୍ମିଶ୍ରଣର ସୂଚନା ମାତ୍ର । କାଣ୍ଟ ମଣିଷର ପୂର୍ଣ୍ଣତା ଈଶ୍ୱରସେବା, ବ୍ୟକ୍ତି ସ୍ୱାତନ୍ତ୍ର‌୍ୟ ଓ ନୈତିକତାରେ ଅବଲୋକନ କରୁଥିବା ସ୍ଥଳେ ଫିସ୍‌ତେ (Fichte) ମଣିଷର ପରିପୂର୍ଣ୍ଣତା ସମାଜ ସେବାରେ ଦେଖିବାକୁ ପାଇଥିଲେ । କାରଣ ତାଙ୍କ ମତରେ ସମାଜରେ ବ୍ୟକ୍ତି ତା'ର ପ୍ରକୃତିକୁ ପ୍ରକାଶ କରିପାରେ ଏବଂ ପରସ୍ପର ମଧ୍ୟରେ ମତ ଆଦାନ ପ୍ରଦାନ କରିପାରେ ଅର୍ଥାତ୍ ମାନବିକ ଆଦର୍ଶ ଉପଭୋଗ କରିପାରେ । ମଣିଷର ପରିପୂର୍ଣ୍ଣତା ସଂସ୍କୃତିର ଉଚ୍ଚସ୍ତର ଆରୋହଣରେ ଉପଲବ୍ଧି ହୁଏବୋଲି ସେ କହୁଥିଲେ ।

 

କାଣ୍ଟ୍ ଓ ଫିସ୍‌ତେଙ୍କ ପରି ସେଲିଙ୍ଗ (Scheling) ବ୍ୟକ୍ତି ସ୍ୱାଧୀନତାକୁ ପ୍ରାଧାନ୍ୟ ଦେଇଛନ୍ତି । ସେ ଏହାକୁ ସମସ୍ତ କଳାର ଉପରେ ଆସୀନ କରାଇଛନ୍ତି । ତାଙ୍କ ଭାଷାରେ “every aesthetic creation is in principle absolutely free” ସେଲିଙ୍ଗ କଳା ମଧ୍ୟରେ ଚେତନ ଅବଚେତନର ପୂର୍ଣ୍ଣ ସାମଞ୍ଜସ୍ୟ ଲକ୍ଷ୍ୟ କରିଥିଲେ ।

 

ହିଗେଲ ସଂସ୍କୃତିକୁ ଇତିହାସ ତର୍କ ଦ୍ୱନ୍ଦ୍ୱର ପରିପ୍ରେକ୍ଷୀରେ ବିଚାର କରିଥିଲେ । ବିଶ୍ୱଶକ୍ତି (spirits)ର ସମ୍ୟକ୍ ଉପଲବ୍ଧିରେ ସଂସ୍କୃତିର ବିକାଶ ଘଟେ ବୋଲି ସେ ଉଲ୍ଲେଖ କରିଛନ୍ତି । ତାଙ୍କ ମତରେ ବିଶ୍ୱଶକ୍ତିର ପରିପ୍ରକାଶ ସରଳ ନୈତିକତା ବା ଆନନ୍ଦରେ ଘଟେନି । ଏହା ସାର୍ବଜନୀନତା (Universality), ଅର୍ଥପୂର୍ଣ୍ଣ ବିକାଶପାଇଁ ପ୍ରାକୃତିକ ସରଳତା ସ୍ୱତଃ ପ୍ରବୃତ୍ତି ଓ ବିଚ୍ଛିନ୍ନତାର ଅତିକ୍ରମଣରେ ହିଁ ଘଟିଥାଏ । ହିଗେଲଙ୍କ ମତରେ ହେତୁ ବା ଯୁକ୍ତି ପୃଥିବୀକୁ ଶାସନ କରେ । ‘ଭାବ ହିଁ ପୃଥିବୀ ଓ ମନୁଷ୍ୟ ଜାତିର ନେତୃତ୍ୱ ନିଏ, ଏହା ହିଁ ବିଶ୍ୱଶକ୍ତି, ଯୁକ୍ତିସଙ୍ଗତ ଅପରିହାର୍ଯ୍ୟ ଇଚ୍ଛା । ଏହା ହିଁ ଇତିହାସର ନିୟନ୍ତ୍ରଣକାରୀ ।’ ମଣିଷର ଇତିହାସ ହେଉଛି ଆତ୍ମଚେତନାର ଇତିହାସ । ଅଜ୍ଞାନରୁ ଜ୍ଞାନକୁ ଅଭିଯାନ ମଣିଷ ଜାତିର ପ୍ରଗତିର ସୂଚନା ଦିଏ ।

 

ହିଗେଲ ଭାବବାଦ, ଧର୍ମ, ରାଷ୍ଟ୍ର, ସଂସ୍କୃତି ଓ ନିୟମ ଉପରେ ଆଧାରିତ ସଂସ୍କୃତିର ଇତିହାସ ହର୍ମ୍ୟ ରଚନା କରିଥିଲେ । ତାଙ୍କ ସୃଷ୍ଟିରେ ସମାଜ ଓ ଶ୍ରେଣୀ ଚେତନାର ସ୍ଥାନ ନ ଥିଲା । ମାତ୍ର ମାର୍କସ ଏକ ବିଜ୍ଞାନସମ୍ମତ ଇତିହାସ ଓ ସଂସ୍କୃତିର ବ୍ୟାଖ୍ୟା କରିବାକୁ ଯାଇ ଦ୍ୱନ୍ଦ୍ୱାତ୍ମକ ବସ୍ତୁବାଦର ଆଶ୍ରୟ ନେଲେ । ସେ ଇତିହାସର ବିଭିନ୍ନ ପର୍ଯ୍ୟାୟରେ ମଣିଷର ବାସ୍ତବ ସ୍ଥିତି, ଉତ୍ପାଦନ ପଦ୍ଧତି, ଉତ୍ପାଦନ ସମ୍ପର୍କ ସମାଜର ସାମଗ୍ରିକ ପ୍ରଗତିସ୍ଥଳେ, ଇତିହାସ ପରିପ୍ରେକ୍ଷୀରେ ବାସ୍ତବ ସାମାଜିକ ଅର୍ଥନୈତିକ ପ୍ରଗତିର ପର୍ଯ୍ୟାଲୋଚନା କଲେ । ସମାଜ ଓ ବ୍ୟକ୍ତି ମଧ୍ୟରେ ସମ୍ପର୍କ, ଭାବ ଓ ଭାବନା, ସମାଜ ଚେତନା ଓ ଆତ୍ମଚେତନା ମଧ୍ୟରେ ନିବିଡ଼ ସମ୍ପର୍କ, ବସ୍ତୁ ଓ ଭାବ, ବସ୍ତୁନିଷ୍ଠ ଓ ବ୍ୟକ୍ତିନିଷ୍ଠ (objective and subjective), କ୍ରିୟା-ପ୍ରତିକ୍ରିୟା ମଣିଷର ପ୍ରତିବେଶୀ, ପ୍ରକୃତି ଓ ସମାଜ ସହିତ ସମ୍ପର୍କ ପୁଙ୍ଖାନୁପୁଙ୍ଖରୂପେ ଆଲୋଚିତ ହେଲା । ଏଙ୍ଗେଲ୍ ଘୋଷଣା କଲେ ‘ଇତିହାସ କିଛି କରେ ନାହିଁ, ଇତିହାସ ଯୁଦ୍ଧ କରେ ନାହିଁ ।’ ପ୍ରକୃତ ମଣିଷ ଜୀବନ୍ତ ମଣିଷ ସବୁକିଛି କରେ, ସଂଗ୍ରାମ କରେ । ତାଙ୍କ ମତରେ ‘ଇତିହାସ ଗୋଟିଏ ଯୁଗର ମଣିଷ ପରେ ଆଉ ଗୋଟିଏ ଯୁଗ ମଣିଷର ଆବିର୍ଭାବ ମାତ୍ର । ପ୍ରତି ଯୁଗର ମଣିଷ ତା'ର ପୂର୍ବବର୍ତ୍ତୀ ଯୁଗ ଛାଡ଼ିଦେଇଥିବା ବସ୍ତୁ ପୁଞ୍ଜି ଓ ଉତ୍ପାଦନ ଶକ୍ତି ପରିବର୍ତ୍ତିତ ପରିସ୍ଥିତିରେ ବ୍ୟବହାର କରେ ଏବଂ ଏହି ପ୍ରକ୍ରିୟାରେ ପରିସ୍ଥିତିର ପରିବର୍ତ୍ତନ ଘଟାଇବା ସଙ୍ଗେ ସଙ୍ଗେ କାର୍ଯ୍ୟକଳାପର ପରିବର୍ତ୍ତନ ଘଟାଏ । ଏହି ଦୃଷ୍ଟିକୋଣରୁ ଇତିହାସକୁ ମଣିଷର କାର୍ଯ୍ୟାବଳୀ ଓ ସଂସ୍କୃତିକୁ କାର୍ଯ୍ୟାବଳୀର ଅଭିବ୍ୟକ୍ତିରୂପେ ବର୍ଣ୍ଣନା କରାଯାଇ ପାରେ । ବାସ୍ତବରେ ସଂସ୍କୃତି ହେଉଛି ଏକ ପକ୍ଷରେ ଭୌତିକ ବାସ୍ତବ ଓ ବସ୍ତୁନିଷ୍ଠ । ଅନ୍ୟ ପକ୍ଷରେ ଆଧିଭୌତିକ ବ୍ୟକ୍ତିନିଷ୍ଠ, ସାମାଜିକ ଓ ବ୍ୟକ୍ତି ସମ୍ପର୍କିତ । ମୋଟ ଉପରେ ପ୍ରତ୍ୟେକ ଯୁଗରେ ପ୍ରତ୍ୟେକ ସମାଜରେ ସଂସ୍କୃତିର ମୂଳପିଣ୍ଡ ହେଉଛି ମଣିଷ, ବ୍ୟକ୍ତି । ମାତ୍ର ଶ୍ରେଣୀଯୁକ୍ତ ସମାଜରେ ଉତ୍ପାଦନ ପଦ୍ଧତି ଓ ସମ୍ପର୍କ ଏପରି ଥାଏ ଯାହାକି ଶୋଷଣ ପେଷଣକୁ ଅନ୍ୟାୟ ଅତ୍ୟାଚାରର ଉତ୍ସାହିତ କରେ । ଶ୍ରେଣୀ ବିହୀନ ସାମ୍ୟବାଦୀ ସମାଜରେ ଏତାଦୃଶ ଶୋଷଣର ନିରାକରଣ ଘଟେ ଏବଂ ଏକ ସମାଜବାଦୀ ସଂସ୍କୃତିର ଉନ୍ମେଷ ଘଟି ବ୍ୟକ୍ତି ସ୍ୱାଧୀନତାର ବାସ୍ତବ ରୂପ ନିଏ ।

 

ମଣିଷର କଳା ଏବଂ ସୌନ୍ଦର୍ଯ୍ୟବୋଧ, ନୈତିକତା ଓ ଚରିତ୍ର କୈଶୋର ଅବସ୍ଥାରୁ ଗଢ଼ିଉଠେ । ବ୍ୟକ୍ତିର ପ୍ରଜ୍ଞା ଓ ଦକ୍ଷତା କିପରି ସମାଜର ହିତସାଧନ କରେ ତା'ରି ଉପରେ ତା'ର ବ୍ୟକ୍ତିତ୍ୱର ପରିପ୍ରକାଶ ନିର୍ଭର କରେ । ବ୍ୟକ୍ତିତ୍ୱର ଉଚ୍ଚତର ପ୍ରକାଶପାଇଁ ସାମାଜିକ ପ୍ରକ୍ରିୟା, ସଂସ୍କୃତିର ବିକାଶ ଓ ପରିବେଷଣ ଓ ଚେତନର ଅଭିବୃଦ୍ଧି ଉପଯୁକ୍ତଭାବେ ହେବା ନିତାନ୍ତ ଆବଶ୍ୟକ । ଏହି ଲକ୍ଷ୍ୟ ହାସଲରେ ପ୍ରତ୍ୟେକ ଚିନ୍ତାଶୀଳ ବ୍ୟକ୍ତି ଓ ସ୍ରଷ୍ଟା, କବି, ଲେଖକ, କଳାକାରଙ୍କର ଯେ ଗୁରୁ ଦାୟିତ୍ୱ ଅଛି ଏହା ନିଃସନ୍ଦେହ ।

 

କଳା ଓ ସୌନ୍ଦର୍ଯ୍ୟ ତତ୍ତ୍ୱର ନୂତନ ବ୍ୟାଖ୍ୟା, ତା'ର ଲକ୍ଷଣ, ବିକାଶ, ସାମାଜିକ ଆବଶ୍ୟକତା ଓ ଲକ୍ଷ୍ୟ ସୁନ୍ଦର ଓ ହୃଦବୋଧଭାବେ ମାର୍କସ ଏଙ୍ଗେଲସ କରିଯାଇଛନ୍ତି । ଭାବବାଦୀ ସୌନ୍ଦର୍ଯ୍ୟ ତତ୍ତ୍ୱବିଦ୍‌ମାନେ କଳାକୁ ଭାବର ପରିପ୍ରକାଶବୋଲି କହୁଥିଲେ । ବାସ୍ତବତାର ନିଷ୍ଠୁର ସତ୍ୟ ପ୍ରତି ଦୃଷ୍ଟିପାତ କରୁ ନ ଥିଲେ । ମାର୍କସ ଏବଂ ଏଙ୍ଗେଲ ସମାଜ ବିବର୍ତ୍ତନର ପରିପ୍ରେକ୍ଷୀରେ କଳାର ରୂପ ଓ ଲକ୍ଷ୍ୟ ନିର୍ଦ୍ଧାରଣ କଲେ । ତାଙ୍କ ମତରେ କଳା ସମାଜ ଚେତନର ଏକ ବିଶେଷ ରୂପ ଏବଂ ମଣିଷର ସ୍ଥିତି ଓ ପ୍ରଗତି ପ୍ରକ୍ରିୟାରେ ଏହାର ରୂପ ପରିବର୍ତ୍ତନର କାରଣ ଖୋଜିବାକୁ ହେବ । ମଣିଷ ସମାଜର ଅଭିବୃଦ୍ଧି ଏବଂ ମଣିଷର ଶ୍ରମର ବିକାଶର ସୃଷ୍ଟି ହେଉଛି ତା'ର କଳା ପ୍ରବୃତ୍ତି, ସୌନ୍ଦର୍ଯ୍ୟବୋଧ ଏବଂ ସୌନ୍ଦର୍ଯ୍ୟ ସୃଷ୍ଟି । ୧୮୪୪ ମସିହାରେ ମାର୍କସ ତାଙ୍କ ପୁସ୍ତିକା, Economic and Philosophic Manuscriptରେ ଉଲ୍ଲେଖ କରିଛନ୍ତି ଯେ ସୁନ୍ଦର ବସ୍ତୁର କଳ୍ପନା କରିବା ଏବଂ ସୌନ୍ଦର୍ଯ୍ୟତତ୍ତ୍ୱର ନିୟମାନୁସାରେ ଦ୍ରବ୍ୟ ଉତ୍ପାଦନ କରିବାରେ ଶ୍ରମିକର ଅବଦାନ ଅତୁଳନୀୟ । ଏଙ୍ଗେଲସ୍ ତାଙ୍କର Dialectics of Nature ପୁସ୍ତକରେ ଲେଖିଛନ୍ତି ଯେ, ମଣିଷର ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ରାଫେଲ (Raphael)ଙ୍କ ନିଖୁଣ ଚିତ୍ର, ଥରୱାଲଡେସନ (Thorwaldsen) ଅନବଦ୍ୟ ଓ ମୂର୍ତ୍ତି ଓ ପାଗାନିନି (Paganini)ଙ୍କ ଲଳିତ ସଙ୍ଗୀତ ସମ୍ଭବପର ହୋଇଛି । ଯୁଗର ପରିବର୍ତ୍ତନରେ ଶ୍ରମର ରୂପ ପରିବର୍ତ୍ତିତ ହୋଇଥିବାରୁ କଳା ବା ସାହିତ୍ୟ ସବୁ ଯୁଗରେ ସମାନ ରହିବ ନାହିଁବୋଲି ମାର୍କସ୍ ସୂଚାଇଛନ୍ତି । ସେ ପଚାରିଛନ୍ତି ‘ପ୍ରକୃତର ଯେଉଁ ଧାରଣା ଓ ସମାଜ ସମ୍ପର୍କକୁ ଆଧାର କରି ଗ୍ରୀସୀୟ କଳାକଳ୍ପନା ଗଢ଼ି ଉଠିଥିଲା, ତା' ଊନବିଂଶ ଶତାବ୍ଦୀର ରେଳ ଯନ୍ତ୍ରଯାନ ଓ ବିଦ୍ୟୁତଶକ୍ତି ଯୁଗରେ ସମ୍ଭବପର କି-?’ ମାର୍କସ ସମାଜ ଚେତନା ଓ କଳା ମଧ୍ୟରେ ନିବିଡ଼ ସମ୍ପର୍କ ଦର୍ଶାଇଛନ୍ତି । ସମାଜ ଚେତନା ପ୍ରକାଶର ବିଭିନ୍ନ ମାଧ୍ୟମ । ବିଶେଷତଃ କଳା, ସାମାଜିକ ବାସ୍ତବତାରୁ ଉଦ୍ଭବ ହେଲେ ହେଁ, ଏହା ସମାଜ ପରିବର୍ତ୍ତନରେ ସହାୟକବୋଲି ମଧ୍ୟ ସେ କହିଛନ୍ତି । ଯୁଗର ପରିବର୍ତ୍ତନ ସଙ୍ଗେ ଅତୀତ ଯୁଗର ସୃଷ୍ଟି କଳା ଯେ ଅବାନ୍ତର ଓ ହେୟ ହୁଏ ଏହା ଭାବିବା ନିର୍ବୋଧତା, କାରଣ ସେହି ସୃଷ୍ଟି ସେହି ଯୁଗର ମଣିଷର ସାଧନାର ପ୍ରତିନିଧିତ୍ୱ କରେ ଏବଂ ଏହା ହିଁ ପରବର୍ତ୍ତୀ ଯୁଗର ମଣିଷପାଇଁ ଆନନ୍ଦର ଉତ୍ସ ହୁଏ । ମାର୍କସ ତାଙ୍କ ପୁସ୍ତିକା ଋମକ୍ଟଦ୍ଭକ୍ଟଜ୍ଞସମ Economic Manuscript of 1857-1858 ଉପକ୍ରମଣିକାରେ ସ୍ପଷ୍ଟ କହିଛନ୍ତି : ଆଧ୍ୟାତ୍ମିକ ସଂସ୍କୃତି କୌଣସି ଯୁଗର ‘ବସ୍ତୁଭୂମି’ (Material basic) ଉପରେ କେବଳ ନିର୍ଭର କରେନି, ଏହା ସମାଜ ସମ୍ପର୍କ ଉପରେ ମଧ୍ୟ ନିର୍ଭର କରେ । ତେଣୁ ପ୍ରତ୍ୟେକ ଯୁଗରେ କଳାର ସମୃଦ୍ଧି ଓ ସମାଜ ବିକାଶର ମାନ ମଧ୍ୟରେ ପାର୍ଥକ୍ୟ ଦେଖିବାକୁ ମିଳେ । ମାର୍କସ ଏଙ୍ଗେଲଙ୍କ ମତରେ କଳା ସୃଷ୍ଟି ବାସ୍ତବତାର ପ୍ରତିଫଳନ ଏବଂ ଅବବୋଧ ଉପରେ ନିର୍ଭର କରେ ଏବଂ ଏହା ମଣିଷ ସମାଜରେ ଆଧ୍ୟାତ୍ମିକ ଉନ୍ନତିର ନିୟାମକ ହୁଏ । ସତ୍ୟର ଟିକିନିଖି ବର୍ଣ୍ଣନା ଓ ତାତ୍କାଳିକ ଚରିତ୍ରର ସତ୍ୟନିଷ୍ଠ ପ୍ରକାଶ ହିଁ କଳା ବା ସାହିତ୍ୟ । ଗେଥେ ବାଲ୍‌ବାକ୍‌, ସେକ୍‌ସପିଏର, ଡିକେନ୍‌ସ ଥେକେରୀ ତାଙ୍କ ଯୁଗର ରାଜନୀତିକ, ସାମ୍ବାଦିକ ଓ ନୀତିବାଦୀଙ୍କଠାରୁ ଅଧିକ ସତ୍ୟ ବାସ୍ତବ ଚମତ୍କାର ଚିତ୍ର ଦେଇଛନ୍ତିବୋଲି ମାର୍କସ କହନ୍ତି ।

 

ଜୀବନର ସଂଗ୍ରାମ କଳାକାର ତୂଳିରେ ଯୁଗେ ଯୁଗେ ଫୁଟି ଉଠିବା ଏକ ନିରାଟ ସତ୍ୟ ରେନାସାଁ ଯୁଗରେ ମଧ୍ୟ ଥିଲା । ଏହି ଅଭିପ୍ରାୟ ଓ ପ୍ରେରଣା ରେନାସାଁର ନାୟକମାନେ ‘ସମସାମୟିକ ଆନ୍ଦୋଳନ ଓ ବାସ୍ତବ ସଂଗ୍ରାମ ମଧ୍ୟରେ ବଞ୍ଚିଛନ୍ତି ଓ ତାଙ୍କର ଲକ୍ଷ୍ୟ ସନ୍ଧାନ କରିଛନ୍ତି । କିଏ ଲେଖି, କିଏ କହି ବା ଅସ୍ତ୍ର ଧରି ସଂଗ୍ରାମରେ ଅଂଶ ଗ୍ରହଣ କରିଛନ୍ତି ।’ ଏଥିପାଇଁ ମାର୍କସ ଏଙ୍ଗେଲ ଦାନ୍ତେଙ୍କୁ ଏକ ଅତି ମେଧାବୀ ଚିନ୍ତାଶୀଳ କବିବୋଲି ଅଭିହିତ କରିଛନ୍ତି ।

 

ମାର୍କସଙ୍କ ମତରେ ପାର୍ଥିବ ଚିନ୍ତା ଓ ବଞ୍ଚି ରହିବାର ଆବଶ୍ୟକତାପାଇଁ ଶ୍ରମ ଯେଉଁଠି ଶେଷ ହୁଏ ସେହିଠାରୁ ସ୍ୱାଧୀନତାର ରାଜ୍ୟ ଆରମ୍ଭ ହୁଏ । ସାମ୍ୟବାଦୀ ଶୋଷଣହୀନ ରାଷ୍ଟ୍ରରେ ବାସ୍ତବ ରାଜନୈତକ ଅର୍ଥନୈତିକ ଆଧିଭୌତିକ ସ୍ୱାଧୀନତା ହାସଲ ହେଲେ ମଣିଷର ସୃଜନୀଶକ୍ତିର ଅବାରିତ ଉନ୍ମେଷ ଘଟିବ ଏବଂ ଏହା ହିଁ କଳା ଓ ସାହିତ୍ୟର ଅଶେଷ ପ୍ରଗତି ସାଧନ କରିବ ।

 

ଉପରୋକ୍ତ ଅବଧାରଣା ବହୁ ସମାଜବାଦୀ କବି ଓ ଲେଖକ ମଧ୍ୟରେ ପରିସ୍ଫୁଟ । ଚୀନର ପ୍ରଖ୍ୟାତ କବି ଲୁୱାନ କହିଛନ୍ତି ଯେ ଲେଖକ କେବଳ ନିଜର ଯଶପାଇଁ ଲେଖେନା, ସମାଜର ସେବାପାଇଁ ଲେଖେ । ସମସ୍ତ ପ୍ରକାର କୃତିତ୍ୱ ଜାତିର ଶ୍ରମ ଅଶ୍ରୁ ଓ କ୍ଷୀରର ସମନ୍ୱିତ ଅଭିବ୍ୟକ୍ତି । କଳା ଯେତେବେଳେ ସାଧାରଣ ମଣିଷଠାରୁ ଦୂରେଇ ରହେ ତା'ର ଅବକ୍ଷୟ ଘଟେ । ଯୁଦ୍ଧର ଭୟାବହତା ଦେଖି ଲୁୱାନ ପ୍ରଚଳିତ କବିତାରୁ ଆନନ୍ଦ ପାଇନାହାନ୍ତି । ସେ ହୃଦୟଙ୍ଗମ କରିଛନ୍ତି ଯେ କୌଣସି ମହାନ୍ କଳା କାଳ ଓ ସ୍ଥାନର ସୀମିତତାରୁ ସମ୍ପୂର୍ଣ୍ଣ ମୁକ୍ତ ହେବାରେ ସାର୍ବଜନୀନ ଓ ଚିରନ୍ତନ ହୋଇପାରିବ ନାହିଁ । ତେଣୁ Kirt ଅଧିକୃତ ଅଞ୍ଚଳର ପତନବେଳେ ସେ କିଟ୍‌ସ୍‌ଙ୍କ ନାଇଟିଙ୍ଗଲ ଓ ସେଲିଙ୍କ ସ୍କାଇଲାର୍କର ବା ବ୍ଲାକସର ଟାଇଗର କଳ୍ପନା ନ କରି ଲେଖିଛନ୍ତି-

 

“A wounded wolf

Howling in the wilderness late at night

Indignation and grief mingling in its

painful tone”

 

କବିତା କମନୀୟ ସୁନ୍ଦର ମର୍ଯ୍ୟାଦାବନ୍ତ ନ ହୋଇ ବିପ୍ଳବଧର୍ମୀ ହୋଇଛି, ଏହା ହିଁ ଚତୁର୍ଥ ଦଶକର ପ୍ରାରମ୍ଭରେ ଚୀନରେ ସ୍ପନ୍ଦନ ଖେଳାଇ ଦେଇଛି । ତେଣୁ ସେ କହିଛନ୍ତି- କବିତା ଏକ ଲକ୍ଷ୍ୟ ନୁହେଁ, ଲକ୍ଷ୍ୟ ସାଧନର ଏକ ଅବଲମ୍ବନ । ଏହା ଜୀବନର ପ୍ରତିଫଳନ ଓ ଉତ୍ତରଣର ମାଧ୍ୟମ ।

 

ଉପରୋକ୍ତ ମତ ଯଦି ସତ୍ୟ ହୁଏ, କଳା ବା ସାହିତ୍ୟକୁ ଯଦି ସମାଜ ବିକାଶର ନିୟାମକ ବା ମାନବିକ ଧର୍ମ ଓ ପ୍ରଗତିର ସହାୟକରୂପେ ଗ୍ରହଣ କରାଯାଏ, ତେବେ ଏହା କ'ଣ ଅର୍ଥନୀତିଠାରୁ ଦୂରେଇ ରହିପାରେ । ଏହା ନିଃସନ୍ଦେହ ଯେ ଅର୍ଥନୈତିକ ପ୍ରକ୍ରିୟା ଉତ୍ପାଦନ ସମ୍ପର୍କ ପଦ୍ଧତି ସମ୍ପର୍କରେ ସମ୍ୟକ ଧାରଣା ନ ଥିଲେ ବ୍ୟକ୍ତିର ସମାଜ ସହ ସମ୍ପର୍କ ସେମାନଙ୍କ ମଧ୍ୟରେ ପାରସ୍ପରିକ କ୍ରିୟା ପ୍ରତିକ୍ରିୟା ସ୍ପଷ୍ଟ ହୃଦୟଙ୍ଗମ କରି ହେବ ନାହିଁ ଏବଂ ତା' ନ ହେଲେ କୌଣସି ଚରିତ୍ରର ମନସ୍ତତ୍ତ୍ୱ ଓ ଘଟଣାପ୍ରବାହର ବାସ୍ତବ କ୍ରିୟା କାରଣ ବୁଝି ହେବନି । ଏହା ନ ହେଲେ ସାହିତ୍ୟ ବା କଳା ଘଟଣାର ବାସ୍ତବ ରୂପାୟନ ହେବନାହିଁ କି ସଂସ୍କୃତି ବା ସମାଜ ପ୍ରଗତିର ନିର୍ଭୁଲ ସଙ୍କେତ ଓ ଆବଶ୍ୟକ ପ୍ରେରଣା ଦେବ ନାହିଁ । ଏପରି ସ୍ଥଳେ ସ୍ରଷ୍ଟାର ସୃଷ୍ଟି କେବଳ କଳ୍ପନାସର୍ବସ୍ୱ ହୋଇ ସାମୟିକ ଆନନ୍ଦ ଦେଇପାରେ ମାତ୍ର ମଣିଷର ଚିନ୍ତାକୁ ଶାଣିତ କରି ଏକ ପରିପୂର୍ଣ୍ଣ ମାନବରେ ପରିଣତ କରିବାକୁ ସାହାଯ୍ୟ କରିବ ନାହିଁ ।

ବାସ୍ତବତା ପ୍ରତି ସମ୍ପୂର୍ଣ୍ଣ ଅବିହିତ, ସାମାଜିକ ଅର୍ଥନୈତିକ ପରିବର୍ତ୍ତନରେ ବିକ୍ଷୁବ୍‌ଧ କରି ସୁନେଲି କଳ୍ପନାରୁ ଦୂରେଇ ଯାଇ କ୍ଷୋଭ ଓ ଶ୍ଳେଷର ସୁର ତୋଳେ । ଔପନିବେଶିକ ଶାସନରେ ଜର୍ଜରିତ ଆଫ୍ରିକାର କବି Lyson Tembo ନିର୍ଭୟରେ କହିଉଠେ-

“That I am saying

That

You are avoiding

Picasso’s spectre of poverty

On the wall

That

Your naked eyes

are disrobing another's wife

in public”

କିମ୍ବା ବିସ୍ମୟ ଦୁଃଖରେ ସ୍ୱୀକାର କରେ-

“Instead of black reality

I have found a ghostly image !

Poly-groggal intellectuals

And those industrial directors

Along with treble-chinned controllers

Have reduced vibekete benzi

Spewing dust in Kabwaba Road.”

(Note : vibekete benzi ଅର୍ଥ ଆଫ୍ରିକାର ଗାଉଁଲି ଭାଷାରେ ବୁଦ୍ଧି-ହୀନ ସ୍ତ୍ରୀଲୋକ ବା ମାର୍ସିଡେସ ବେଞ୍ଜର ଯମକ, ପୂର୍ଣ୍ଣ ପ୍ରତିଶବ୍ଦ)

ବିଶ୍ୱକବି ରବୀନ୍ଦ୍ରନାଥ କଳ୍ପନାର ମଧୁବିଳାସ ଛାଡ଼ି ନିଷ୍ଠୁର ବାସ୍ତବତାରେ ଅଭିଭୂତ ହୋଇ ସମାଜ ଓ ଜୀବନର କଠୋର ସତ୍ୟର ଓ ସମାଜ-ବିବର୍ତ୍ତନରେ କର୍ମଜୀବୀ ମଣିଷର ଅମୂଲ୍ୟ ଅବଦାନର ଜୟଗାନ କରି ଚାଲନ୍ତି ଜୀବନର ଶେଷ ପର୍ଯ୍ୟାୟରେ :-

‘ରାଜଛତ୍ର ଭେଙ୍ଗେ ପଡ଼େ, ରଣଡକ୍‌କା ଶବ୍ଦ ନାହିଁ ତୋଲେ

ଜୟସ୍ତମ୍ଭ ମୂଢ଼ସମ ଅର୍ଥ ତା'ର ଭୋଲେ,

ରକ୍ତମାଖା ଅସ୍ତ୍ରହାତେ ଯତ ରକ୍ତ ଆଁଖି

ଶିଶୁପାଠ୍ୟ କାହାନୀତେ ଥାକେ ମୁଖ ଢାଙ୍କି,

ଓରା କାଜ୍ କରେ

ଦେଶେ ଦେଶାନ୍ତରେ

+ + +

ଦୁଃଖ ସୁଖ ଦିବସ ରଜନୀ

ମନ୍ଦ୍ରିତ କରିଆ ତୋଲେ ଜୀବନର ମହାମନ୍ତ୍ର ଧ୍ୱନି

ଶତ ଶତ ସାମ୍ରାଜ୍ୟେର ଭଗ୍ନ ଶେଷ ପରେ

ଓରା କାଜ କରେ ।’

(‘ଓରା କାଜ କରେ’୧୯୪୧)

 

ଏଠାରେ ଆଉ ଏକ କଥା ପ୍ରାସଙ୍ଗିକ ମନେହୁଏ । ଗଭୀର ଅନୁଭୂତି, ସମ୍ଭାବ୍ୟ ପରିବର୍ତ୍ତନର ତୀବ୍ର ଅଭିଳାଷ, ନୂତନ ସମାଜ ସୃଷ୍ଟିର ଉନ୍ମାଦନା, ଓ ଅନାବିଳ ପ୍ରେମରୁ ଜାତ ହୁଏ ଅନବଦ୍ୟ କଳା ଓ ସାହିତ୍ୟ । ଯେ କୌଣସି ବିପ୍ଳବୀ, ସଂଗ୍ରାମୀ, ସମାଜ ସଂସ୍କାରକର ଜୀବନୀ ଓ ତାଙ୍କର ଲେଖା ଅଧ୍ୟୟନ କଲେ ଏହି ସତ୍ୟରେ ଉପନୀତ ହେବା ଯେ ସମାଜ ଓ ମଣିଷ ପ୍ରତି ଯାହାର ଯେତେ ପ୍ରଗାଢ଼ ମମତା ତା'ର ସୃଷ୍ଟି ସେତେ ମହାନ୍ । ଭାବପ୍ରବଣତା ପ୍ରେରଣା ଦିଏ କବି ହେବାକୁ, କଳାକାର ହେବାକୁ । ମଣିଷର ଦୁଃଖ-ଦୁର୍ଦ୍ଦଶା ଓ ସମାଜର ସଂକଟରେ ଯଥେଷ୍ଟ ମ୍ରିୟମାଣ ବା ଅଭିଭୂତ ହେବାପାଇଁ ପର୍ଯ୍ୟାପ୍ତ ବୋଧଶକ୍ତି ପ୍ରୟୋଜନ । ଏହି ବୋଧଶକ୍ତି ଆସେ ସମାଜ ପ୍ରକ୍ରିୟାର ଅଧ୍ୟୟନରୁ । ଏଥିପାଇଁ ଅର୍ଥନୀତିର ଜ୍ଞାନ ଅପରିହାର୍ଯ୍ୟ । ଆଦ୍ୟ ଜୀବନର ମାର୍କସ୍ ଥିଲେ କବି । ମାର୍କସ୍‌ଙ୍କ ପରବର୍ତ୍ତୀ ଲେଖାର ଶୈଳୀ ମଧ୍ୟ ମର୍ମସ୍ପର୍ଶୀ । ଚିନ୍ତା ଓ ଆବେଗ ଉଦ୍ଦୀପକ । ମାଓ-ସେ ତୁଙ୍ଗଙ୍କ କବିତା, ହୋଚିମିନ୍ ଏବଂ ଫିଡେଲ୍ କଷ୍ଟ୍ରୋଙ୍କ ଭାଷଣ ଅଧ୍ୟୟନ କଲେ ଦେହରେ ଶିହରଣ ଓ ପ୍ରାଣରେ ସ୍ପନ୍ଦନ ଜାତ ହୁଏ । ଜୟପ୍ରକାଶ ନାରାୟଣଙ୍କ କାରା-କବିତା କେଡ଼େ ମର୍ମସ୍ପଶୀ । ମାଓଙ୍କ କବିତା-

 

“I love to look at the multiple waves

of rice and beans,

While on every side the heroes return

through the evening haze.”

କିମ୍ବା

“The clouds and the waters rage

The five continents tremble

Wind and thunder are unleashed

We must sweep all the harmful insects

Until not a single enemy remains”.

ଏହା ପାଠକଙ୍କୁ ଅଭିଭୂତ କରୁନାହିଁ କି ?

କବି ଦିବ୍ୟଦ୍ରଷ୍ଟା, ଭବିଷ୍ୟତର ସ୍ରଷ୍ଟା । ଜୀବନର ଚିନ୍ତା ଚେତନା ସ୍ପନ୍ଦନ ଓ କଳ୍ପନାର ପ୍ରବର୍ଦ୍ଧକ । ସେ ସାଧାରଣ ମଣିଷର ହୃତ୍‌ସ୍ପନ୍ଦନ ଠିକ୍‌ଭାବେ ଅନୁଭବ ନ କରି ପାରିଲେ, କି ରୂପ ଦେବ ଲେଖାରେ, କି ଆବେଗ ଆଣିବ ପାଠକର ପ୍ରାଣରେ ? ସେଥିପାଇଁ ସମାଜ ଓ ଅର୍ଥନୀତିର ବାସ୍ତବ ପରିସ୍ଥିତିର ଅବଧାରଣ ଅତ୍ୟନ୍ତ ଆବଶ୍ୟକ ନୁହେଁ କି ? ମିଥ୍ୟା ଛଳନା ଓ ଦାସ ମନୋଭାବର ବଶବର୍ତ୍ତୀ ହୋଇ ଲେଖକ ଅନ୍ୟର ହୃଦୟ ଛୁଇଁ ପାରେ କି ? ମଣିଷକୁ ଓ ସମାଜକୁ ଠିକ୍ରୂପେ ବୁଝିବାକୁ ହେଲେ ମନସ୍ତତ୍ତ୍ୱ ଓ ସମାଜତତ୍ତ୍ୱ ସହ ଅର୍ଥନୀତିର ଜ୍ଞାନ ଏକାନ୍ତ ପ୍ରୟୋଜନ । ଅନ୍ୟ ଭାଷାରେ କଳା ଓ ଅର୍ଥନୀତି ଓତପ୍ରୋତଭାବେ ଜଡ଼ିତ । ଅର୍ଥନୀତି କଳାର ବନ୍ଧୁ ଏବଂ ପୃଷ୍ଠପୋଷକ ।

•••

 

ନୂତନ ଦର୍ଶନର ଭୂମିକା

ଡକ୍ଟର କୃଷ୍ଣପ୍ରସାଦ ମିଶ୍ର

 

ବଡ଼ ବଡ଼ ଦାର୍ଶନିକମାନେ- ପଶ୍ଚିମରେ ପ୍ଲେଟୋ, ଆରିଷ୍ଟୋଟଲଙ୍କଠୁ ଆରମ୍ଭ କରି, ହେଗେଲ, ସୋପେନହାୱେରଙ୍କ ପର୍ଯ୍ୟନ୍ତ- ପୂର୍ବରେ ଶଙ୍କର ରାମାନୁଜଙ୍କଠାରୁ ଆରମ୍ଭ କରି ଏହି ଶତାବ୍ଦୀର ରାଧାକ୍ରିଷ୍ଣନ, ଶ୍ରୀ ଅରବିନ୍ଦଙ୍କ ପର୍ଯ୍ୟନ୍ତ- ସମସ୍ତେ ସଂସାରର କର୍ତ୍ତା କିଏ, ଆତ୍ମାର ସ୍ୱରୂପ କ'ଣ, ଆଦର୍ଶ ଜୀବନ କ'ଣ, ଇତ୍ୟାଦି, ପ୍ରଶ୍ନଗୁଡ଼ିକର ସମାଧାନଦ୍ୱାରା ବିଶ୍ୱବ୍ରହ୍ମାଣ୍ଡର ସାମଗ୍ରିକ ରୂପ ନେଇ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରିବାକୁ ହିଁ ଦର୍ଶନର ଆଭିମୁଖ୍ୟରୂପେ ନେଇଥିଲେ । କୌଣସି ବ୍ୟକ୍ତି ଏହି ଚିରାଚରିତ ପ୍ରଶ୍ନଗୁଡ଼ିକର ସମାଧାନ କୌଣସି ଏକ ବିଶିଷ୍ଟ ଦୃଷ୍ଟିକୋଣରୁ, ଚିନ୍ତାଗତ ଅସଙ୍ଗତି ନ ରଖି, କରିପାରିଲେ, ସେ ଏକ ଦାର୍ଶନିକ ମତ ପ୍ରତିଷ୍ଠା କରିଛନ୍ତି ବୋଲି କୁହାଯାଏ ।

 

ଦାର୍ଶନିକ ପ୍ରଶ୍ନଗୁଡ଼ିକର ସମାନତା ସତ୍ତ୍ୱେ ଦାର୍ଶନିକମାନଙ୍କ ଦୃଷ୍ଟିକୋଣ ଅଲଗା ଅଲଗା- କେହି ଜଡ଼ବାଦୀ ତ କେହି ବିଜ୍ଞାନବାଦୀ, କେହି ଏକେଶ୍ୱରବାଦୀ ତ କେହି ବହୁ ଈଶ୍ୱରବାଦୀ, ଆଉ କେହି ସର୍ବେଶ୍ୱର ବାଦୀ- ଏହିପରି ବାଦବିବାଦ, ଶବ୍ଦଜାଲ, ଖଣ୍ଡନ ମଣ୍ଡନରେ, ଦର୍ଶନର ଇତିହାସ ପରିପୂର୍ଣ୍ଣ, କିନ୍ତୁ ଦର୍ଶନରେ ଏହିପରି ବାଦବିବାଦ ଚାଲିଥିବାବେଳେ, ଦର୍ଶନରୁ ବିଜ୍ଞାନର ଉତ୍ପତ୍ତି ହୁଏ ଓ ଅନୁକୂଳ ପରିସ୍ଥିତି ପାଇ ତା'ର ବିକାଶ ଓ ଅଭ୍ୟୁଦୟ ବଢ଼ିଚାଲେ । ବିଶେଷକରି ଇଉରୋପର ସାଂସ୍କୃତିକ ପୁନର୍ଜନ୍ମ ଯୁଗରେ ବୈଜ୍ଞାନିକ କୋପରନିକସ୍‌, ଗାଲିଲିଓ ଓ କେପ୍‌ଲର୍ ଏହି ବିକାଶକୁ ଏକ ନୂତନ ତୁଙ୍ଗିମାକୁ ନେଇ ଯାଆନ୍ତି । ଏହି ବୈଜ୍ଞାନିକମାନେ ବିଶ୍ୱବ୍ରହ୍ମାଣ୍ଡ ନେଇ କେବଳ ଚିନ୍ତା ରାଜ୍ୟରେ ନ ରହି ବିଶ୍ୱବ୍ରହ୍ମାଣ୍ଡ ପର୍ଯ୍ୟବେକ୍ଷଣ ଓ ପରୀକ୍ଷାଦ୍ୱାରା ଜାଣିବାରେ ବ୍ରତୀ ହୋଇଥାନ୍ତି । ସେମାନେ ମଧ୍ୟ ଦାର୍ଶନିକର ପ୍ରଶ୍ନ ଯାହା ସେଗୁଡ଼ିକ ପଚାରିଲେ, କିନ୍ତୁ ଉତ୍ତର ସେମାନେ କଳ୍ପନା-ରାଜ୍ୟରେ ନ ଖୋଜି ପ୍ରକୃତିକୁ ପର୍ଯ୍ୟବେକ୍ଷଣ କଲେ, ପ୍ରଶ୍ନର ସ୍ୱରୂପ ନେଇ ସେମାନେ ପ୍ରକୃତିର ବିଶିଷ୍ଟ କ୍ଷେତ୍ରଗୁଡ଼ିକରେ ପରୀକ୍ଷାନିରୀକ୍ଷା ଚଳାଇଲେ । ଏହିପରିଭାବେ ଜଗତର ବିଭିନ୍ନ ବିଷୟରେ ନିର୍ଦ୍ଦିଷ୍ଟ ଅଧ୍ୟୟନ ଓ ବର୍ଣ୍ଣନାଦ୍ୱାରା ବିଭିନ୍ନ ବିଜ୍ଞାନର ସୃଷ୍ଟି ହେଲା । ବିଜ୍ଞାନଗୁଡ଼ିକର ସୃଷ୍ଟି ହୋଇଯିବାପରେ ବିଶ୍ୱବ୍ରହ୍ମାଣ୍ଡ ନେଇ ସେମାନଙ୍କର ମତଗୁଡ଼ିକର ପାର୍ଥକ୍ୟ ବାରମ୍ବାର ଅନୁଭୂତିଦ୍ୱାରା ପ୍ରମାଣିତ ହେଲା । ବିଜ୍ଞାନଗୁଡ଼ିକର ସଫଳତା ଦେଖି ଦାର୍ଶନିକମାନେ ବିଜ୍ଞାନଗୁଡ଼ିକ ସହିତ ସେମାନଙ୍କର ସମ୍ପର୍କ ଓ ଦର୍ଶନର ସ୍ୱତନ୍ତ୍ର ଅସ୍ତିତ୍ୱର ପ୍ରୟୋଜନୀୟତା ନେଇ ଚିନ୍ତା କରିବାକୁ ବାଧ୍ୟ ହେଲେ । ସେତେବେଳେ ଜଣାଗଲା ଯେ, ବିଭିନ୍ନ ବିଜ୍ଞାନଗୁଡ଼ିକର ସିଦ୍ଧାନ୍ତକୁ ଏକୀକରଣ କରି ଗୋଟିଏ ଦୃଷ୍ଟିକୋଣ ଦେଇ ଦେଖିବା କାର୍ଯ୍ୟ କୌଣସି ବିଜ୍ଞାନ କରୁନାହିଁ ଅଥଚ, ସେହିପରି କାର୍ଯ୍ୟର ଆବଶ୍ୟକତା ରହିଛି । ବିଭିନ୍ନ ବୈଜ୍ଞାନିକ ସିଦ୍ଧାନ୍ତର ସାହାଯ୍ୟ ନେଇ ପରମ-ସତ୍ୟ ପରମାର୍ଥ ଉପରେ କିଛି ଆଲୋକପାତ କରିବା ହିଁ ଦର୍ଶନର କାର୍ଯ୍ୟବୋଲି ନିଆଗଲା । ତେଣୁ ସ୍ୱତନ୍ତ୍ର ବିଜ୍ଞାନଗୁଡ଼ିକ ଓ ଦର୍ଶନଶାସ୍ତ୍ର ମଧ୍ୟରେ ଦ୍ୱନ୍ଦ୍ୱ କି ପ୍ରତିଯୋଗିତା ରହିବାର ଆବଶ୍ୟକତା ରହିଲା ନାହିଁ ।

 

କିନ୍ତୁ ଏପରି ସିଦ୍ଧାନ୍ତ ପରେ ମଧ୍ୟ ଅସୁବିଧା ହେଲା । ବିଜ୍ଞାନର ଉଦ୍ଭାବିତ ତଥ୍ୟଗୁଡ଼ିକ ଚିରନ୍ତାନିକ, ଅଭ୍ରାନ୍ତ କି ଧ୍ରୁବ ସତ୍ୟ ନୁହେଁ । ବିଶ୍ୱବ୍ରହ୍ମାଣ୍ଡ ନେଇ ସତ୍ୟ ସନ୍ଧାନରେ ବିଜ୍ଞାନ ଏକ କ୍ରମ ଅଗ୍ରଗାମୀ ବିଦ୍ୟା । ନୂତନ ଘଟଣା, ନୃତ୍ୟ ପରୀକ୍ଷାଦ୍ୱାରା ପୂର୍ବ ସୂରୀମାନଙ୍କର ମତଗୁଡ଼ିକ ପରିବର୍ତ୍ତିତ ହୋଇଯିବାର ସମ୍ଭାବନାକୁ ବିଜ୍ଞାନୀମାନେ କେବେହେଲେ ଏଡ଼ି ଦିଅନ୍ତି ନାହିଁ, କିନ୍ତୁ ଦାର୍ଶନିକ ସବୁବେଳେ ତା'ର ସତ୍ୟଗୁଡ଼ିକୁ ଅଭ୍ରାନ୍ତ ଓ ଧ୍ରୁବ ସତ୍ୟବୋଲି କହିବାକୁ ହିଁ ପସନ୍ଦ କରିଥାଏ । ଏପରି କ୍ଷେତ୍ରରେ ଦର୍ଶନ ବିଜ୍ଞାନ ସିଦ୍ଧାନ୍ତକୁ ନେଇ ମତ ପ୍ରକାଶ କରିବାରେ ସର୍ବଦା ବିଜ୍ଞାନ ଅପେକ୍ଷା ହୋଇ ରହିବା ସଙ୍ଗେ ସଙ୍ଗେ କୌଣସି ଧ୍ରୁବ ସତ୍ୟରେ ପହଞ୍ଚିଛି ବୋଲି କହିପାରେ ନାହିଁ । କାରଣ ଅନିଶ୍ଚିତ ତଥ୍ୟରୁ ନିଶ୍ଚିତ ସିଦ୍ଧାନ୍ତ କିପରି ଅଣାଯାଇ ପାରିବ? ଏହାଛଡ଼ା ବୈଜ୍ଞାନିକମାନଙ୍କ ମଧ୍ୟରୁ ବହୁ ଚିନ୍ତାଶୀଳ ଲୋକ ବାହାରି ବିଭିନ୍ନ ବିଜ୍ଞାନଗୁଡ଼ିକର ତଥ୍ୟକୁ ନେଇ ସଂଶ୍ଳେଷଣ କରି ବହି ଲେଖିବାକୁ ଆରମ୍ଭ କରିଦେଲେ । ଅବଶ୍ୟ ସେମାନେ ସେହି ସଂଶ୍ଳେଷଣ କାର୍ଯ୍ୟ କରୁଥିବା ବେଳେ କେତେଦୂର ବୈଜ୍ଞାନିକ ଓ କେତେଦୂର ଦାର୍ଶନିକ ଏହି କଥା ନେଇ ବିଭିନ୍ନ ମତର ଅବକାଶ ରହିଛି; ତଥାପି ଏହି ସବୁ କାରଣ ଓ ଘଟଣାବଳୀର ସମାବେଶ, ଦର୍ଶନ ଓ ବିଜ୍ଞାନର ସମ୍ପର୍କ ନେଇ ଅନ୍ୟ ପ୍ରକାରେ ଭାବିବାପାଇଁ ଦାର୍ଶନିକମାନଙ୍କୁ ପ୍ରରୋଚନା ଦେଲା ।

 

ଭାରତବର୍ଷରେ ଅନବରତ ରାଜନୈତିକ ପରାଧୀନତା ଓ ପ୍ରଲମ୍ବିତ ମଧ୍ୟଯୁଗୀୟ ପରିସ୍ଥିତି ଦର୍ଶନ କି ବିଜ୍ଞାନ କୌଣସିଟିର ଉଚିତ ବିକାଶ କରାଇ ଦେଲାନାହିଁ । କିନ୍ତୁ ଦୁଇଟିର ଠିକ୍ ବିକାଶ ହୋଇଥିଲେ ପଶ୍ଚିମରେ ଦର୍ଶନ ଓ ବିଜ୍ଞାନ ନେଇ ସମସ୍ୟା ସୃଷ୍ଟି ହେବାପରି ଏଠି ମଧ୍ୟ ବହୁ ସମସ୍ୟା ସୃଷ୍ଟି ହୋଇଥାନ୍ତା । ଭାରତୀୟ ଦାର୍ଶନିକମାନେ ଜଗତ ନେଇ ବହୁ କଥା କହିଛନ୍ତି- ରାମାନୁଜଙ୍କ ତ୍ରିବୃତ୍ତକରଣ, ଶଙ୍କରଙ୍କ ପଞ୍ଜୀକରଣ, କଣାଦଙ୍କ ଦ୍ରବ୍ୟଗୁଣ କର୍ମାଦି ବିଭାଗ- ଯାହାକୁ ସେତେବେଳକାର ଭାରତୀୟ ବୈଜ୍ଞାନିକମାନେ ହୁଏତ ସତବୋଲି ମାନୁଥିବେ ଓ ଯାହା ଫଳରେ ସେହିସବୁ ଦାର୍ଶନିକ ସିଦ୍ଧାନ୍ତ ସମ୍ଭବ ହୋଇଅଛି; କିନ୍ତୁ ଆଧୁନିକ ବୈଜ୍ଞାନିକମାନଙ୍କ ଦୃଷ୍ଟିରେ ସେହି ତଥ୍ୟଗୁଡ଼ିକ ଓ ସେଗୁଡ଼ିକ ଉପରେ ପ୍ରତିଷ୍ଠିତ ଦାର୍ଶନିକ ମତଗୁଡ଼ିକ ପ୍ରମାଦପୂର୍ଣ୍ଣ ।

 

ଏହିପରିଭାବେ ଦର୍ଶନ ନିଜର ଅଧିକାରର ପରିସର ଖୋଜୁଥିବାବେଳେ ହିଁ ନୂତନ ଦର୍ଶନର ଜନ୍ମ । ନୂତନ ଦର୍ଶନର ଆଉ କେତୋଟି ପ୍ରସିଦ୍ଧ ନାମ ହେଉଛି ବିଶ୍ଳେଷାତ୍ମକ ଦର୍ଶନ (Analytic Philosophy), ପ୍ରତ୍ୟୟାତ୍ମକ ବିଶ୍ଳେଷଣ (Conceptual Analysis) ଓ ପ୍ରଚଳିତ-ଭାଷା-ବିଶ୍ଳେଷଣାତ୍ମକ ଦର୍ଶନ (Ordinary language Pholosophy) ଏହି ନାମଗୁଡ଼ିକୁ ବିଶ୍ଳେଷଣ କରି ନୂତନ ଦର୍ଶନରେ ନୂତନତା କେଉଁଠି, ତାହା ଦେଖାଇ ଦିଆଯାଇ ପାରିବ ।

 

କହିଛି, ଆଗେ ଦର୍ଶନ ବିଶ୍ୱବ୍ରହ୍ମାଣ୍ଡ ଉପରେ ଏକ ସାମଗ୍ରୀକ ମତ ଦେବାପାଇଁ, ଏକ ଜୀବନ-ଦର୍ଶନ ଦେବାପାଇଁ, ଚେଷ୍ଟା କରୁଥିଲା । ଯେପରିକି ଶଙ୍କର, ହେଗେଲ୍‌, ରାମାନୁଜ, ବ୍ରାଡ୍‌ଲେ । କିନ୍ତୁ ସେପରି ସାମଗ୍ରୀକ ମତ ଓ ଜୀବନ-ଦର୍ଶନ ଦେବାରେ କ'ଣ ଅସୁବିଧା ସୃଷ୍ଟି ହେଲା, ସେମାନେ ଅଭ୍ରାନ୍ତ ସତ୍ୟ ପାଇବା ପରିବର୍ତ୍ତେ କିପରି ବୈଜ୍ଞାନିକମାନଙ୍କଦ୍ୱାରା ଉପହସିତ ହେଲେ, ସେ କଥା ଆଗରୁ କହିଛି । ନୂତନ ଦର୍ଶନ ପୂର୍ବସୂରୀମାନଙ୍କ ଚେଷ୍ଟାକୁ ସଂଶ୍ଳେଷଣ ଓ ସମନ୍ୱୟାତ୍ମକବୋଲି ନାମ ଦେଇ ନିଜର କାର୍ଯ୍ୟକୁ ବିଶ୍ଳେଷଣାତ୍ମକବୋଲି କହିଲା; କିନ୍ତୁ ନୂତନ ଦର୍ଶନ କ'ଣ ବିଶ୍ଳେଷଣ କରେ ? ନିଶ୍ଚୟ ଜଗତର କୌଣସି ଦ୍ରବ୍ୟ ନୁହେଁ, କାରଣ ଦ୍ରବ୍ୟ ବିଶ୍ଳେଷଣ ବୈଜ୍ଞାନିକର କାର୍ଯ୍ୟ ପରିସର ଭିତରକୁ ଆସୁଛି । ଦ୍ରବ୍ୟ ଛାଡ଼ିଦେବା ପରେ ରହିଲା ବିଜ୍ଞାନ, ଧାରଣା ବା ପ୍ରତ୍ୟୟ । ସବୁ ପ୍ରତ୍ୟୟ ନ ହେଲେ ମଧ୍ୟ କେତୋଟି ମୁଖ୍ୟ ପ୍ରତ୍ୟୟ, ଦର୍ଶନ ଦୃଷ୍ଟିରୁ କେତୋଟି ଆକର୍ଷଣୀୟ ପ୍ରତ୍ୟୟର ବିଶ୍ଳେଷଣ ହେଲା, ଦାର୍ଶନିକର କାମ । ସେଥିପାଇଁ ଏହାର ଅନ୍ୟନାମ ପ୍ରତ୍ୟୟାତ୍ମକ ବିଶ୍ଳେଷଣ; କିନ୍ତୁ ଏହି ନାମଟି ପାଠକ କି ଶ୍ରୋତାଙ୍କ ମନକୁ ବେଳେବେଳେ ଭୁଲ ଧାରଣା, ଏକ ଭୁଲ ଦର୍ଶନ ଆଡ଼କୁ ନେଇ ଯାଇପାରେ । ବିଭିନ୍ନ ବସ୍ତୁକୁ ବୈଜ୍ଞାନିକ ବିଶ୍ଳେଷଣ କରେ । ଯାହା ବିଶ୍ଳେଷଣ କରେ ସେଗୁଡ଼ିକ ଜଗତରେଇ ରହନ୍ତି, କିନ୍ତୁ ପ୍ରତ୍ୟୟଗୁଡ଼ିକ ରହନ୍ତି କେଉଁଠି ? ବହିର୍ଜ୍ଜଗତରେ ନ ରହୁଥିଲେ ସେମାନେ ନିଶ୍ଚୟ ମାନସରାଜ୍ୟରେ ରହୁଥିବେ । ସେଗୁଡ଼ିକ ଯଦି ପ୍ରକୃତିଗତ ନୁହଁନ୍ତି, ତାହାହେଲେ ନିଶ୍ଚୟ ଆତ୍ମା ବା ମନୋଗତ । ଯେପରି ବାକ୍‌ସଟିରେ ଜିନିଷ ରହେ ସେହିପରି ମନ ଭିତରେ ଧାରଣାଗୁଡ଼ିକ ରହୁଥିବ, କିନ୍ତୁ ସେପରି ଏକ ମନ ଓ ମନ ଭିତରେ ସେପରି ଗୁଡ଼ିଏ ପ୍ରତ୍ୟୟ ରହୁଥିବା କଥା ଶରୀର ଓ ମସ୍ତିଷ୍କକୁ ଯେତେ ବ୍ୟବଚ୍ଛେଦ କଲେ ମଧ୍ୟ ମିଳେନାହିଁ । ସେହି ପ୍ରତ୍ୟୟଗୁଡ଼ିକ ତାହାହେଲେ କ'ଣ ବାହାର ସଂସାରର କେଉଁଠି, ବହୁ ଦୂରରେ କେଉଁଠି ରହୁଛନ୍ତି ? ଅନେକଙ୍କ ଧାରଣା, ଉତ୍ପତ୍ତି-ବିନାଶ-ରହିତ, ଅପରିଣାମି, ନିତ୍ୟ, ପ୍ରତ୍ୟୟଗୁଡ଼ିକ, ଅନ୍ୟ ଏକ ଜଗତ ‘ବିଜ୍ଞାନାଲୋକ'ରେ ରହୁଛନ୍ତି । ପୁରାକାଳର ପ୍ଲେଟୋ, ଜର୍ମାନୀର ମେଇନଂ, ଏପରିକି ଆଧୁନିକ ସମୟରେ ବଟ୍ରାଣ୍ଡ୍ ରସେଲ ଓ ଜି.ଇ.ମୁର୍‍ ମଧ୍ୟ କିଛିଦିନପାଇଁ ଏହି ଧାରଣାର ବଶବର୍ତ୍ତୀ ହୋଇଥିଲେ । କିନ୍ତୁ ବସ୍ତୁଜଗତ ଛଡ଼ା ଆଉ ଏକ ପ୍ରତ୍ୟୟ-ଜଗତ ରହିଥିବା କଥା ବିଜ୍ଞାନ-ସମ୍ମତ ନୁହେଁ । ପରେ ମଧ୍ୟ ଜଣାଗଲା ଯେ, ବ୍ୟବହୃତ ଭାଷାର ବିଶ୍ଳେଷଣ ଅଭାବରୁ ଏପରି ଦର୍ଶନ ସବୁ ସୃଷ୍ଟି ହେଉଅଛି । ସେଥିପାଇଁ ଦାର୍ଶନିକ ସମସ୍ୟା ସୃଷ୍ଟିହେବା ମାତ୍ରେ ସମସ୍ୟାଟିକୁ ପ୍ରକାଶ କରୁଥିବା ସାଧାରଣ ଶବ୍ଦଗୁଡ଼ିକର ବିଶ୍ଳେଷଣ ନିହାତି ପ୍ରୟୋଜନ । ସେହି ଦୃଷ୍ଟିରୁ ଏହି ନୂତନ ଦର୍ଶନର ଆଉ ଗୋଟିଏ ପ୍ରସିଦ୍ଧ ନାମ ହେଲା ପ୍ରଚଳିତ ଭାଷା- ବିଶ୍ଳେଷଣାତ୍ମକ ଦର୍ଶନ । ଲୋକଙ୍କର ଭାଷାଆଡ଼କୁ ଦୃଷ୍ଟି ଆଣି, ସମସ୍ୟାଗୁଡ଼ିକ କାହିଁକି ଓ କିପରି ହେଉଛି, ଦେଖାଇ ଦେଇ ସେମାନଙ୍କ ଅଶାନ୍ତ ହୃଦୟକୁ ଏତଦ୍ଦ୍ୱାରା ଶାନ୍ତ କରିଦିଆଯାଏ । ପ୍ରତ୍ୟୟଗୁଡ଼ିକ ମନଜଗତରେ ନୁହେଁ କି ବହିର୍ଜ୍ଜଗତରେ ନୁହେଁ, କିନ୍ତୁ ଲୋକଙ୍କ ଭାଷାରେଇ ରହି ଥାଆନ୍ତି । ଦୁଇଜଣ ଲୋକ ଏକାଠି ହୋଇ ଭାବ ବିନିମୟପାଇଁ ଯେତେ ପ୍ରକାର କ୍ରିୟା କଳାପ କରନ୍ତି, ସେଥିରେ ସେମାନଙ୍କର ବହୁ ପ୍ରକାରର ବ୍ୟବହାର ମଧ୍ୟରେ ପ୍ରତ୍ୟୟଗୁଡ଼ିକୁ ଅନ୍ୟତମବୋଲି ନିଆଯିବ ।

 

କ'ଣ ଆମେ କହି ପାରିବା, କ'ଣ କହି ପାରିବା ନାହିଁ, କ'ଣ କହୁଛେ, କି କ'ଣ କହୁନେ; ଏହି ସବୁ ପ୍ରଶ୍ନର ବିଚାରଦ୍ୱାରା ଦାର୍ଶନିକ ସମସ୍ୟାର ସମାଧାନ ନୂତନ ଦର୍ଶନ କରେ । ବର୍ତ୍ତମାନ ବିଚାର କରାଯାଉ- ‘ପ୍ରଚଳିତ-ଭାଷା- ବିଶ୍ଳେଷଣାତ୍ମକ-ଦର୍ଶନ' ଏହି ଶବ୍ଦ ସମଷ୍ଟିରେ ‘ପ୍ରଚଳିତ', ‘ଭାଷା' ଏହି ଶବ୍ଦ ଦୁଇଟିର ଅର୍ଥ କ'ଣ? ଏହାର ଅର୍ଥ ସାଧାରଣ ଲୋକେ ଯେଉଁ ଭାଷାରେ କଥାବାର୍ତ୍ତା ହୁଅନ୍ତି । ଅର୍ଥାତ୍ ଟେକ୍‌ନିକାଲ୍ ଭାଷା, କାବ୍ୟିକ ଭାଷା, ଲୁପ୍ତଭାଷା ଓ ଗାଣିତିକ ଭାଷାଦିକୁ ଏଥିରୁ ବହିର୍ଭୂତ କରାଯାଇଛି । ଅବଶ୍ୟ ସାଧାରଣ ଭାଷା ଓ ଟେକ୍‌ନିକାଲ୍ ଭାଷାର ସୀମା ସରହ୍ରଦକୁ ଠିକ୍ ନିରୂପଣ କରିବା କଷ୍ଟକର ବ୍ୟାପାର । ‘କାରବୁରେଟର', ‘ଜାତୀୟ କରଣ', ‘ଅବଚେତନ', ଇତ୍ୟାଦି ଶବ୍ଦଗୁଡ଼ିକୁ ସାଧାରଣରେ ପ୍ରଚଳିତ ଶବ୍ଦ ନା ଟେକ୍‌ନିକାଲ୍ ଶବ୍ଦବୋଲି କୁହାଯିବ ? କିନ୍ତୁ ‘ରୁଟି’, ‘ରାସ୍ତା’, ‘ରିକ୍‌ସା’ ପୁଣି ‘ସ୍ୱତଃ ପ୍ରାମାଣ୍ୟ', ‘ପୁଜ୍‌ଗଲ, ‘ବ୍ୟାବର୍ତ୍ତିତ ବଚନ’, ‘ହାଇପର ସ୍ପେଶ'- ଏ ଶବ୍ଦଗୁଡ଼ିକରୁ କେଉଁ ଶବ୍ଦଗୁଡ଼ିକ କେଉଁ ସୀମା ଭିତରେ ରହିବ, ଏଥିରେ ସନ୍ଦେହ ନାହିଁ । ଯାହାହେଉ, ‘ପ୍ରଚଳିତ' ଶବ୍ଦଟି ‘ଭାଷା' ପୂର୍ବରୁ ବ୍ୟବହୃତ ହୋଇଥିଲେ ହେଁ, ନୂତନ ଦର୍ଶନ, ଶବ୍ଦଗୁଡ଼ିକର ପ୍ରଚଳିତ ଅର୍ଥରେ ହିଁ ଆଗ୍ରହୀ । ଏଠି ମନେରଖିବା ଉଚିତ ଶବ୍ଦର ଚଳିତ ଅର୍ଥ କଥା କହିବାବେଳେ ନୂତନ ଦର୍ଶନ-ଅପ୍ରଚଳିତ, ତେଣୁ ଖରାପ ; ଚଳିତ ଯାହା ତାହା ଭଲ- ଏହି ପ୍ରକାର ଭଲମନ୍ଦ, ନିନ୍ଦା ପ୍ରଶଂସାର ବିଚାର କରେନାହିଁ । ନୂତନ ଦର୍ଶନ ବର୍ଣ୍ଣନା କରିବାରେ ହିଁ ଆଗ୍ରହ, ମୂଲ୍ୟ ନିର୍ଣ୍ଣୟ କରିବାରେ ନୁହଁ । ସାଧାରଣ ଶବ୍ଦ ହେଉ ବା ଅସାଧାରଣ ଶବ୍ଦ ହେଉ, ସେ ଗୁଡ଼ିକର ଚଳିତ ଅର୍ଥରେ ହିଁ ନୂତନ ଦର୍ଶନ ଆଗ୍ରହୀ । ସେହି ଶବ୍ଦଗୁଡ଼ିକର ସ୍ୱଳ୍ପ ପ୍ରଚଳିତ ଅର୍ଥ ମଧ୍ୟ ଥାଇପାରେ; କିନ୍ତୁ ତାହା ଆମ ବିଚାର ପରିସରକୁ ଆସୁନାହଁ । ତେଣୁ କେବଳ ‘ଭାତ’ ‘ରାସ୍ତା’, ‘ଘର’, ଇତ୍ୟାଦି ସାଧାରଣ ପ୍ରଚଳିତ ଶବ୍ଦଗୁଡ଼ିକର ଅର୍ଥ ସହିତ ଦାର୍ଶନିକ ଆଗ୍ରହୀ ହେବାର ଆବଶ୍ୟକତା ନାହିଁ । ଦାର୍ଶନିକ ଯେ କୌଣସି ଟେକ୍‌ନିକାଲ୍ ଶବ୍ଦରେ ମଧ୍ୟ ଆଗ୍ରହୀ ହୋଇପାରେ, କିନ୍ତୁ ସେତେବେଳେ ସେ ଶବ୍ଦଟିର ଚଳିତ ଅର୍ଥରେ ହିଁ ଆଗ୍ରହୀ ହେବ । ଆଇନର ଦର୍ଶନ ଅଛି । ବିଜ୍ଞାନର, ଗଣିତର, ମନସ୍ତତ୍ତ୍ୱର-ସବୁର ପ୍ରତ୍ୟୟ ନେଇ ଦର୍ଶନ ସମ୍ଭବ । ଏହି ସବୁ ଦର୍ଶନ ଆଇନ, ବିଜ୍ଞାନ, ଗଣିତ, ମନସ୍ତତ୍ତ୍ୱ ଆଦିର ସାଧାରଣ ଓ ଟେକ୍‌ନିକାଲ୍ ଶବ୍ଦଗୁଡ଼ିକୁ ବିଶ୍ଳେଷଣ କରେ । ଟେକ୍‌ନିକାଲ୍ ଶବ୍ଦର ଚଳିତ ଅର୍ଥକୁ ଦେଖାଇ ଦେବାରେ ସାଧାରଣ ଶବ୍ଦର ସାହାଯ୍ୟ ନିଆଯାଉଥିବାରୁ, ପରିଭାଷା ସେହି ଶବ୍ଦରେ କରାଯାଇଥିବାରୁ, ସାଧାରଣ ଶବ୍ଦର ଗୁରୁତ୍ୱ ବେଶିବୋଲି ଅନେକ ଯୁକ୍ତି କରିପାରନ୍ତି । ସାଧାରଣ ଶବ୍ଦଗୁଡ଼ିକର ଗୁରୁତ୍ୱ ନେଇ ଆହୁରି ଅନ୍ୟାନ୍ୟ ଯୁକ୍ତି ମଧ୍ୟ ଅଛି । ସାଧାରଣ ଲୋକେ ଓ ବିଶେଷଜ୍ଞ- ଉଭୟେ ସାଧାରଣ ଶବ୍ଦର ବ୍ୟବହାର ପ୍ରଥମେ ଶିଖନ୍ତି ଓ ସଧାରଣ ଶବ୍ଦକୁ ହିଁ ଅଧିକାଂଶ ସମୟରେ ପ୍ରୟୋଗ କରିଥାନ୍ତି । ବାସ୍ତବରେ ସେହି ଶବ୍ଦଗୁଡ଼ିକରେ ଗଣ୍ଡଗୋଳ ହୋଇ ଚିରାଚରିତ ଦାର୍ଶନିକ ସମସ୍ୟାଗୁଡ଼ିକ ସୃଷ୍ଟି ହୋଇଥାଏ । ‘କାରଣ’, ‘ଜ୍ଞାନ’, ଭ୍ରାନ୍ତି ‘ଶ୍ରେୟ’, ‘ସାମର୍ଥ୍ୟ’- ଏହିପରି କେତେଗୁଡ଼ିଏ ଦାର୍ଶନିକ ସମସ୍ୟା ସୃଷ୍ଟିକାରୀ ଶବ୍ଦ ।

 

କୌଣସି ‘ଭାଷାଗତ ପ୍ରକାଶ ବା ଶବ୍ଦର ସାଧାରଣ ବା ଚଳିତ ବ୍ୟବହାର' କହିଲେ ଏଠି ‘ବ୍ୟବହାର’ର ଅର୍ଥ ଆମେ କ'ଣ ବୁଝିବା ଉଚିତ ? ନୂତନ ଦର୍ଶନର ଅନ୍ୟତମ ପୁରୋଧା, ଗିଲବର୍ଟ ରାଇଲ ଏହି ‘ବ୍ୟବହାର' ଶବ୍ଦଟି ଉପରେ ଖୁବ୍ ବେଶି ଗୁରୁତ୍ୱ ଦିଅନ୍ତି । ଉଦାହରଣଟିଏ ନିଆଯାଉ । ଡେଭିଡ୍ ହ୍ୟୁମଙ୍କର ‘କାର୍ଯ୍ୟକାରଣ ନିୟମ’ ବିଶ୍ଳେଷଣର ଦାର୍ଶନିକମାନଙ୍କ ମଧ୍ୟରେ ଖୁବ୍ ପ୍ରସିଦ୍ଧ । ହ୍ୟୁମ ‘କଜ୍‌’ ଶବ୍ଦଟିରେ ଆଗ୍ରହୀ ନ ଥିଲେ । ‘କଜ୍‌' ଶବ୍ଦର ବ୍ୟବହାରରେ ହିଁ ଆଗ୍ରହୀ ଥିଲେ । ସେହି ଦୃଷ୍ଟିରୁ କୁହାଯାଇପାରେ ଯେ ସେ ‘କାରଣ'ର ବ୍ୟବହାରରେ ମଧ୍ୟ ଆଗ୍ରହୀ ଥିଲେ, ଯଦିଓ ‘କଜ୍‌’ ଓ ‘କାରଣ’ ଦୁଇଟି ଭିନ୍ନ ଶବ୍ଦ । ତେଣୁ ଏଠି ଇଂରାଜୀଭାଷା କି ସଂସ୍କୃତ ଭାଷା କି ଓଡ଼ିଆ ଭାଷା ନେଇ କଥା ପଡ଼ିନାହିଁ । ‘କଜ୍‌’ ଶବ୍ଦଟିଦ୍ୱାରା ଯେଉଁ କାର୍ଯ୍ୟଟି କରାଯାଏ ସେହିଥିରେ ଦାର୍ଶନିକ ହ୍ୟୁମ ଆଗ୍ରହୀ ଥିଲେ । ଆଉ ସେହି କାର୍ଯ୍ୟଟି ଇଂରାଜୀ ଦେଶୀୟ କାର୍ଯ୍ୟ ନୁହେଁ କି ଇଉରୋପୀୟ ନୁହେଁ କି ଭାରତୀୟ ବି ନୁହେଁ । ମୁଁ ମୋ' କାନପୁରୀ ଜୋତା ପିନ୍ଧି ଯାହା କରେ- ମୋର-ଚାଲିବା-ତାହା କାନପୁରୀ ନୁହେଁ, କଟକୀ ନୁହେଁ କି କଲିକତୀ ନୁହେଁ । ସେ ଜୋତାପିନ୍ଧି କଟକରେ ଜଣେ ଅଧ୍ୟାପକ ଯାହା କରିବେ, କଲିକତାର କେହି ବାବୁ ପିନ୍ଧି ସେଇୟାଇ କରବେ ଓ କାନପୁରୀ ଜମିଦାର ମଧ୍ୟ ସେଇୟା କରିବେ । ‘ବ୍ୟବହାର’ ଉପରେ ଜୋର ଦେଲେ ଜଣାପଡ଼ିବ ଯେ ନୂତନ ଦାର୍ଶନିକମାନେ ବାସ୍ତବରେ ଭାଷାରେ ଆଗ୍ରହୀ ନୁହନ୍ତି । ଭାଷାରେ ହେଉଥିବା ବିଭିନ୍ନ କାର୍ଯ୍ୟାବଳୀରେ ହିଁ ସେମାନେ ଆଗ୍ରହୀ ।

 

ତାହା ହେଲେ ଭାଷା କଥା କାହିଁକି ଉଠାଯାଉଛି, ପ୍ରତ୍ୟୟ କି ଧାରଣା କଥା କହିଲେ ତ ଚଳନ୍ତା ? ଏହାର କାରଣ ମୁଁ ଆଗରୁ ଜଣାଇଛି । ପ୍ରତ୍ୟୟ ଉପରେ ଜୋର ଦେଲେ, ଲୋକେ ଏକ ମାନସ ଜଗତ କି ବହିର୍ଜ୍ଜଗତ ଯେଉଁଥିରେ ପ୍ରତ୍ୟୟରାଜି ରହନ୍ତି ସେପରି କଳ୍ପନାର ବଶବର୍ତ୍ତୀ ହୋଇ ଯାଆନ୍ତି । ସେପରି କଳ୍ପନାକୁ ଆଉ ମନକୁ ନ ଆଣିବାକୁ ଭାଷା ଉପରେ ଆଜିକାଲି ଜୋର ଦିଆଯାଉଛି ।

 

ଅବଶ୍ୟ ‘ପ୍ରତ୍ୟୟ’ ନ କହି ‘ଅର୍ଥ' କି ‘ଶବ୍ଦର ଅର୍ଥ’ ବୋଲି କୁହାଯାଇ ପାରନ୍ତା । ପ୍ରଚଳିତ ଭାଷା ବିଶ୍ଳେଷଣ ଦାର୍ଶନିକ, ଶବ୍ଦର ଅର୍ଥରେ ହିଁ ଆଗ୍ରହୀ; କିନ୍ତୁ ଏପରି କହିବାରେ ମଧ୍ୟ ଭ୍ରାନ୍ତିର ସମ୍ଭାବନା ରହିଛି । ଶବ୍ଦ ଓ ଶବ୍ଦାତିରିକ୍ତ କୌଣସି ଜିନିଷର ସମ୍ପର୍କକୁ ବହୁ ଲୋକ ଅର୍ଥବୋଲି ବୁଝନ୍ତି-। ଅର୍ଥାତ୍ ପ୍ରତ୍ୟୟ ସାର୍ଥକତାପାଇଁ ସେହି ଶବ୍ଦ ବାହାରେ କୌଣସି ବସ୍ତୁ ରହିବା ଉଚିତ, କିନ୍ତୁ ଏହି ମତବାଦଟି କେତେଗୁଡ଼ିଏ ଶବ୍ଦ ନେଇ ଠିକ୍ ହେଲେ ମଧ୍ୟ ଅନ୍ୟାନ୍ୟ ବହୁ ଶବ୍ଦ ନେଇ ଏହା ନିହାତି ଭୁଲ । ଗୋଟିଏ ଯୁକ୍ତି ନିଆଯାଉ । ଯଦି କୌଣସି ଶବ୍ଦର ଅର୍ଥ ଶବ୍ଦଟି ନିର୍ଦ୍ଦେଶ କରୁଥିବା ବସ୍ତୁର ହୋଇଥାନ୍ତା ତାହାହେଲେ, ‘ସନ୍ଧ୍ୟାତାରା’ ଓ ‘ପାହାନ୍ତିତାରା’ ଏ ଦୁଇଟି ସ୍ୱତନ୍ତ୍ର ଶବ୍ଦାବଳୀର ଅର୍ଥ ଏକା ହୋଇଥାନ୍ତା- କାରଣ ଦୁହେଁ ଗୋଟିଏ ବସ୍ତୁ, ଶୁକ୍ର ଗ୍ରହକୁ ହିଁ, ନିର୍ଦ୍ଦେଶ କରନ୍ତି, କିନ୍ତୁ ପ୍ରକୃତରେ ଏହି ଦୁଇଟି ଶବ୍ଦାବଳୀର ଅର୍ଥ ଏକା ନୁହେଁ । ତେଣୁ ଅର୍ଥ ନେଇ ଆଲୋଚିତ ଏହି ମତବାଦଟି ଭୁଲ-। ଶବ୍ଦଗୁଡ଼ିକର ବ୍ୟବହାର ଶିଖିବା ବେଳେ ଆମେ କେତେଗୁଡ଼ିଏ ନିୟମ ଶିଖୁ । ଉଦାହରଣସ୍ୱରୂପ, ବାପା ଗୋରା ହୋଇ ପାରନ୍ତି, ଚାଲାକ ବି ହୋଇପାରନ୍ତି, କିନ୍ତୁ ଗୋରା ଓ କଳା ଉଭୟ ହୋଇ ପାରିବେ ନାହିଁ । କକେଇ ଧନୀ କି ଦରିଦ୍ର ହୋଇପାରିବେ; କିନ୍ତୁ ପୁରୁଷ କି ସ୍ତ୍ରୀ ନୁହେଁ । ସେ ସବୁବେଳେ ପୁରୁଷଇ ହେବେ । ରାମ ଯଦୁର ସାଙ୍ଗ, ଯଦୁ ମଧୁର ସାଙ୍ଗ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ରାମ ଓ ମଧୁ ମଧ୍ୟ ସାଙ୍ଗ । ୮ ସଂଖ୍ୟା ୧୦ରୁ ବଡ଼, ୨୦ ସଂଖ୍ୟା ୧୮ରୁ ବଡ଼ ତେଣୁ ୨୦ ସଂଖ୍ୟା ୧୮ରୁ ବଡ଼, ତେଣୁ ୨୦ ସଂଖ୍ୟା ୧୦ରୁ ମଧ୍ୟ ବଡ଼, ଏହିପରି ।

 

ଗୋଟିଏ ଶବ୍ଦର ବ୍ୟବହାର ଜାଣିବା ଓ ସେହି ବ୍ୟବହାରକୁ ବା ବ୍ୟବହାରର ନିୟମାବଳୀକୁ ଭାଷାରେ ବ୍ୟକ୍ତ କରିପାରିବା, ଏକା କଥା ନୁହେଁ । ଜଣେ ଡାକ୍ତର କି ଜଣେ ଇଞ୍ଜିନିୟର ‘କାରଣ' ଶବ୍ଦଟିର ବ୍ୟବହାର ଜାଣି ପାରନ୍ତି; କିନ୍ତୁ ହୁଏତ ‘କାରଣ’ର ବ୍ୟବହାର ନେଇ ନିୟମାବଳୀ କଥା ପଚାରିଲେ ପରିଷ୍କାର କରି କିଛି କହିପାରିବେ ନାହିଁ । ଶବ୍ଦଗୁଡ଼ିକର ବ୍ୟବହାର ମୂଳରେ ନିହିତ ଥିବା ନିୟମାବଳୀର ଉଦ୍‌ଘାଟନ ହିଁ ଦାର୍ଶନିକର କାର୍ଯ୍ୟ । ନିୟମାବଳୀର ସ୍ପଷ୍ଟୀକରଣ ଦାର୍ଶନିକ କରିବ, କିନ୍ତୁ ଏହା ନୁହେଁ ଯେ ସାଧାରଣ ଲୋକ ସେହି ସେହି ଶବ୍ଦର ବ୍ୟବହାର ଜାଣନ୍ତି ନାହିଁ । ତେଣୁ ସ୍ପଷ୍ଟୀକରଣ ଓ ସୁବ୍ୟବସ୍ଥା କରିବାରେ ଶବ୍ଦଗୁଡ଼ିକର ସାଧାରଣ ବ୍ୟବହାରକୁ ବିଚାର କରିବା ହିଁ ଦାର୍ଶନିକର କାର୍ଯ୍ୟ ।

 

ଆଜିକାଲି ଅନେକ ମତ ଦେଉଛନ୍ତି ଯେ ସବୁ କାଳେ ବଡ଼ ବଡ଼ ଦାର୍ଶନିକମାନେ ଦର୍ଶନର ଅର୍ଥ ଭାଷା ବିଶ୍ଳେଷଣବୋଲି ବୁଝିଥିଲେ । ଏବକାଳରେ ସେହି ପରମ୍ପରାର ପୁନର୍ଜାଗରଣ ହୋଇଛି । ମଝିରେ ମଝିରେ ଯାହା ତତ୍ତ୍ୱମୀମାଂସକ, ସଂଶ୍ଳେଷକ, ଦାର୍ଶନିକମାନେ ଆସି ଏହି ପରମ୍ପରାକୁ ମଳିନ କରିପକାନ୍ତି । ପ୍ଲେଟୋ, ଆରିଷ୍ଟୋଟଲ, କାଣ୍ଟ୍‌, ହ୍ୟୁମ ଏମାନେ ସବୁ ଏହି ନୂତନ ଦାର୍ଶନର ପ୍ରାଚୀନ ପୁରୋଧା । ଭାରତରେ ଶଙ୍କରାଚାର୍ଯ୍ୟ ମଧ୍ୟ ଜଣେ ଭାଷା ବିଶ୍ଳେଷକ ଥିଲେବୋଲି ଡକ୍ଟର ଗଣେଶ୍ୱର ମିଶ୍ରଙ୍କର ମତ । ଯାହା ହେଉ, ଆଧୁନିକ ଯୁଗରେ, ଜି.ଇ. ମୁର୍‍, ବଟ୍ରାଣ୍ଡ ରସେଲ ଓ ଉଇଟ୍‌ଗେନଷ୍ଟାଇନଙ୍କୁ ଏହି ଭାଷା ବିଶ୍ଳେଷଣ ଦର୍ଶନର ସ୍ରଷ୍ଟାତ୍ରୟବୋଲି ନିଆଯାଏ ।

•••

 

Unknown

ଆଦିବାସୀ ସମାଜ : ପରମ୍ପରା ଓ ଆଧୁନିକତା

ଡକ୍ଟର ଖଗେଶ୍ୱର ମହାପାତ୍ର

 

ଆଦିବାସୀ ସମ୍ପ୍ରଦାୟ ତାହାର ସୁପ୍ରାଚୀନ ସ୍ୱତନ୍ତ୍ର ପରମ୍ପରା ଭିତ୍ତିରେ ଚିହ୍ନିତ ହୁଏ । କିଛି ବାଧ୍ୟବାଧକତାମୂଳକ ପରିସ୍ଥିତି ଯୋଗୁଁ ପରିବର୍ତ୍ତନ ଅପରିହାର୍ଯ୍ୟ ହୋଇ ନ ପଡ଼ିଲେ, ଆଦିବାସୀ ଲୋକେ ତାଙ୍କର ପୁରୁଷାନୁକ୍ରମିକ ପରମ୍ପରା ସହିତ ଗଭୀର ବିଶ୍ୱାସରେ ଜଡ଼ିତ ରୁହନ୍ତି । ଯେତେବେଳେ କୌଣସି ଏକ ଜନଗୋଷ୍ଠୀକୁ ଆଦିବାସୀଭାବେ ନାମିତ କରାଯାଏ, ସେତେବେଳେ ଦେଖାଯାଏ ସେହି ଗୋଷ୍ଠୀର ଐତିହାସିକ ପ୍ରାଚୀନତା, ବିଶିଷ୍ଟ ନୃତାତ୍ତ୍ୱିକ ସତ୍ତା ଏବଂ ନିମ୍ନଲିଖିତ ଲକ୍ଷଣାବଳୀ :-

 

(କ)

ଭୌଗୋଳିକ ଓ ସାଂସ୍କୃତିକ ବିଚ୍ଛିନ୍ନତାଜନିତ ଦୀର୍ଘକାଳ ଧରି ଅପରିବର୍ତ୍ତିତ କିଛି ସାଂସ୍କୃତିକ ବ୍ୟବସ୍ଥା ।

(ଖ)

ସୀମିତ ବିଶ୍ୱ-ଦୃଷ୍ଟି

(ଗ)

ଅସାଧାରଣ ମନସ୍ତାତ୍ତ୍ୱିକ ଭଙ୍ଗୀ

(ଘ)

ପୁରୁଷାନୁକ୍ରମିକ ଜୀବନ-ଯାପନ ପ୍ରଣାଳୀଠାରୁ ବ୍ୟତିକ୍ରମ କରିବାର ସ୍ୱଳ୍ପ ସ୍ୱାଧୀନତା ।

(ଙ)

କ୍ଷୁଦ୍ର ଏବଂ ସଂହତି ସାମାଜିକ ସଂଗଠନ

(ଚ)

ସ୍ୱଗୋତ୍ର ସୀମାବଦ୍ଧ କୁଟୁମ୍ବିତା

(ଛ)

ପରିବର୍ତ୍ତନ ପରିପନ୍ଥୀ ମନୋବୃତ୍ତିବଶତଃ ଆଧୁନିକ ପ୍ରଯୁକ୍ତି ବିଦ୍ୟା ବିଷୟରେ ଅନାସକ୍ତି ।

(ଜ)

ଅଲୌକିକ ଶକ୍ତି, ଆନୁଷ୍ଠାନିକ ବିଧିବିଧାନ ଏବଂ ପ୍ରଥାଗତ ନିୟମାବଳୀ ପ୍ରତି ଗଭୀର ଆନୁଗତ୍ୟ ।

(ଝ)

ଜାତିଆଣ ଶ୍ରେଣୀ ବିଭାଜନର ଅନୁପସ୍ଥିତି

(ଞ)

ସ୍ୱୟଂସମ୍ପୂର୍ଣ୍ଣ ଅର୍ଥନୈତିକ ସ୍ଥିତି ।

 

ଉପରୋକ୍ତ ଲକ୍ଷଣାବଳୀ ପ୍ରତିପାଦିତ କରେ ଯେ ଆଦିବାସୀ ସମାଜ ପରମ୍ପରା ନିବଦ୍ଧ-। ସେମାନଙ୍କ ସମାଜରେ ଜୀବନଯାପନ ପ୍ରଣାଳୀକୁ ଅନୁଶାସିତ କରୁଥିବା ନିୟମାବଳୀର ଅନ୍ୟନାମ ହେଉଛି ଏହି ପରମ୍ପରା । ଭିନ୍ନଭାବେ କୁହାଯାଇପାରେ ଯେ, ପରମ୍ପରା ହେଉଛି ସମସ୍ତ ବିଶ୍ୱାସ ଓ ମୂଲ୍ୟବୋଧର ଏକ ଆଧାର । ଯାହା ମଧ୍ୟରେ ସମଗ୍ର ସମାଜ ଦେଖେ ବ୍ରହ୍ମାଣ୍ଡରସ୍ୱରୂପ, ଅଭିବ୍ୟକ୍ତ କରେ ସମସ୍ତ ଚିନ୍ତା-ଭାବନା, ବିଚାର କରେ ନ୍ୟାୟ-ଅନ୍ୟାୟ ଏବଂ ନିରୂପିତ କରେ ଏକର ଅନ୍ୟ ସହିତ ବ୍ୟବହାର । ଏହି ପରମ୍ପରାର ଅନ୍ତର୍ଭୁକ୍ତ ହୋଇଥାଏ ଭାଷା, ଜ୍ଞାନ, ପ୍ରଥା, କଳା, ଶିଳ୍ପ, କାରିଗରୀ ବିଦ୍ୟା, ନୈତିକତାବୋଧ ଏବଂ ସଂସ୍କୃତିର ସମ୍ପୂର୍ଣ୍ଣ ସତ୍ତା । ସେମାନଙ୍କ ସାମାଜିକ ଅନୁଷ୍ଠାନ, ବିଧିବିଧାନ ଓ ଭାବଧାରା ସମ୍ବନ୍ଧୀୟ ସମସ୍ତ ତତ୍ତ୍ୱ ଗୋଟିଏ ଶବ୍ଦରେ ଅବଧାରଣା କରାଯାଇପାରେ । ତା ହେଉଛି ସାଂସ୍କୃତିକ ପରମ୍ପରା ।

 

ପ୍ରାଗ୍ ଐତିହାସିକ କାଳରୁ ଆଦିବାସୀ ସମାଜ ନିଜର ଅଞ୍ଚଳ ଓ ଗୋଷ୍ଠୀ ମଧ୍ୟରେ ଅନ୍ତରୀଣ ଭାବରେ ରହି ଆସିଥିଲେ ଏବଂ ବିଶ୍ୱ ବ୍ୟାପାରରେ ବା ତାଙ୍କ ଦୁନିଆ ବାହାରେ ଥିବା ଲୋକମାନଙ୍କ ବିଷୟରେ ନିଜକୁ ନିର୍ଲିପ୍ତ ରଖିଥିଲେ । ଅପରାପର ଆଦିବାସୀ ବା ଅଣଆଦିବାସୀ ସମାଜ ସହିତ ସେମାନଙ୍କର ସମ୍ପର୍କ ଥିଲା ସାମୟିକ, ପ୍ରୟୋଜନମୂଳକ, ପାରସ୍ପରିକ ଉପକାରାତ୍ମକ ଏବଂ ନିରପକ୍ଷ ସହାବସ୍ଥାନ ଭିତ୍ତିକ । ଏପରିକି ସେମାନଙ୍କ ଅଞ୍ଚଳ ରାଜୁଡ଼ା ଶାସନାଧୀନ ହେଲାପରେ ମଧ୍ୟ ଶାସକଗଣ କୌଣସି ପ୍ରକାରର ସାଂସ୍କୃତିକ ଆକ୍ରମଣ କିମ୍ବା ସଂସ୍କୃତିରେ ଦୀକ୍ଷାନ୍ତରୀକରଣପାଇଁ ପ୍ରଚେଷ୍ଟା କରି ନ ଥିଲେ । ସୁଦୀର୍ଘ ଆଦିବାସୀ ଇତିହାସରେ ପ୍ରଥମଥରପାଇଁ ବ୍ରିଟିଶ ସରକାର ସାଂସ୍କୃତିକ ଓ ପ୍ରଶାସନିକ ବଶୀକରଣ ଦିଗରେ ହସ୍ତକ୍ଷେପ କରିଥିଲେ । ଏହା ଫଳରେ ସେମାନଙ୍କ ଅର୍ଥନୈତିକ ପରିସ୍ଥିତି ଆଲୋଡ଼ିତ ହୋଇଥିଲା, କାରଣ ବହୁସଂଖ୍ୟକ ବାହାର ଲୋକେ ନୂତନ ସୁଯୋଗ ସନ୍ଧାନରେ ଆଦିବାସୀ ଅଞ୍ଚଳରେ ଅନୁପ୍ରବେଶ କରିଥିଲେ ଏବଂ ତତ୍ ସଙ୍ଗେ ସଙ୍ଗେ ସେମାନଙ୍କ ସାମାଜିକ-ସାଂସ୍କୃତିକ ପରିବେଶ ମଧ୍ୟ ଖ୍ରୀଷ୍ଟଧର୍ମ, ଶିକ୍ଷା ଓ ସଂସ୍କାର-ଚେଷ୍ଟାର ପ୍ରସାର ଫଳରେ ଅସ୍ଥିର ହୋଇ ପଡ଼ିଥିଲା । ଆଦିବାସୀମାନେ ଏହାକୁ ସମୟେ ସମୟେ ବାଧା ଦେଇଥିଲେ ଏବଂ ବିଦ୍ରୋହ କରିଥିଲେ କିମ୍ବା ଅମନୋଯୋଗୀ ହୋଇ ମାନି ନେଇଥିଲେ ।

 

ସ୍ୱାଧୀନତା ଲାଭ ପରେ କିନ୍ତୁ ଦୃଶ୍ୟପଟ ପରିବର୍ତ୍ତିତ ହେଲା । ସମ୍ବିଧାନ ପ୍ରଣେତାଗଣ ଆଦିବାସୀ ସମାଜର ସ୍ୱତନ୍ତ୍ର ସାମାଜିକ ଅର୍ଥନୈତିକ ପରିସ୍ଥିତି ଉପଲବ୍ଧି ପୂର୍ବକ ମୌଳିକ ଅଧିକାରରେ ସେମାନଙ୍କପାଇଁ ଗୁରୁତ୍ୱପୂର୍ଣ୍ଣ ବ୍ୟତିକ୍ରମ ନିର୍ଦ୍ଦେଶ କଲେ, ଯାହାର ଆଭିମୁଖ୍ୟ ଥିଲା ଫଳପ୍ରଦ ସୁରକ୍ଷା ପ୍ରଦାନ, ପରିପୂରଣାତ୍ମକ ସଂରକ୍ଷଣ ପ୍ରଚଳନ ଏବଂ ସର୍ବତୋମୁଖୀ ବିକାଶ ସାଧନ । ଏହାପରେ ଏହି ପରିବର୍ତ୍ତିତ ପରିସ୍ଥିତିରେ, ପାରମ୍ପରିକ ଆଦିବାସୀ ସମାଜ ସିଧାସଳଖ ଉନ୍ନୟନମୂଳକ ନୂତନ ପ୍ରକ୍ରିୟାର ସମ୍ମୁଖୀନ ହେଲା । କିନ୍ତୁ ଉଭୟ ଉନ୍ନୟନ ଯୋଜନାର ପ୍ରଣେତା ପକ୍ଷ ଓ ତା'ର ଗ୍ରହୀତା ଆଦିବାସୀ ପକ୍ଷଙ୍କ ମଧ୍ୟରେ ବିସ୍ମୟ ସୃଷ୍ଟି ହେଲା ଯେ କେହି କାହାପ୍ରତି ବିନା ଦ୍ୱିଧା ଓ ସଂଶୟରେ ହସ୍ତପ୍ରସାରଣ କରୁନାହାନ୍ତି । ପ୍ରଶ୍ନ ଉଠୁଛି, ଏହା କାହିଁକି ହେଉଛି? ଏହାର ଏକ ସମ୍ଭାବ୍ୟ କାରଣ ହୋଇପାରେ, ଆଦିବାସୀ ସମାଜର ପରମ୍ପରାରେ ଦୃଢ଼ମୂଳ ପ୍ରତିଷ୍ଠା ଏବଂ ସେହି କାରଣରୁ ନୂତନତା ପ୍ରତି ପରାଙ୍‌ମୁଖତା ।

 

ଆଦିବାସୀ ଅଞ୍ଚଳରେ ଅନୁଷ୍ଠିତ ବିବିଧ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସ୍ପଷ୍ଟତଃ ନିର୍ଦ୍ଦେଶ କରେ ଯେ ପରିବର୍ତ୍ତନ ଆଣୁଥିବା ଯେ କୌଣସି ଯୋଜନାର ଅନୁମୋଦନ ବା ପରିବର୍ଜନ ପ୍ରସଙ୍ଗରେ ସାଂସ୍କୃତିକ କାରଣ ସମୂହ ହିଁ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ । ଏହା ମଧ୍ୟ ଲକ୍ଷ୍ୟ କରାଯାଏ ଯେ ଅର୍ଥନୀତି ସମ୍ପର୍କିତ ଯତ୍‌ସାମାନ୍ୟ ନୂତନ ପ୍ରକଳ୍ପ ମଧ୍ୟ ସାଂସ୍କୃତିକ ପରିପାଶ୍ୱର୍କୁ ପ୍ରଭାବିତ କରିବାର ସମ୍ଭାବନା ଥିବାରୁ ତାହା କାର୍ଯ୍ୟକାରୀ କରିବା ପୂର୍ବରୁ ଭଲଭାବେ ବିଚାରଣୀୟ । ଏଭଳି ପରିସ୍ଥିତିରେ ଏହା ଆମର ଏକ ଭ୍ରାନ୍ତ ଓ ନିଷ୍ପଳ ବିଶ୍ୱାସ ଯେ ଆଦିବାସୀ ଉନ୍ନୟନକୁ ତ୍ୱରାନ୍ୱିତ କରିବାପାଇଁ ଉଦ୍ଦିଷ୍ଟ ଯନ୍ତ୍ରପାତି ଓ ଆଧୁନିକ ପ୍ରୟୋଗ କୌଶଳ ପ୍ରତି ସେମାନେ ହାତପାଖରେ ପାଇବାମାତ୍ରେ ଦ୍ୱିଧାହୀନଭାବେ ଆକୃଷ୍ଟ ହେବେ । ମାତ୍ର ଆମର ସ୍ମରଣ ରଖିବା ଉଚିତ ଯେ ଏସବୁ ଯନ୍ତ୍ରପାତି ଓ ପ୍ରୟୋଗବିଧି ଆଦିବାସୀ ଗୋଷ୍ଠୀ ମାନସିକତା, ମୂଲ୍ୟବୋଧ ଓ ସାମାଜିକ-ସାଂସ୍କୃତିକ ପ୍ରକରଣ ସହିତ ସମତାନିକ ନ ହେଲେ ସେସବୁ ନିଶ୍ଚିତଭାବେ ଅଗ୍ରାହ୍ୟ ହେବ । ଦୃଷ୍ଟାନ୍ତ ସ୍ୱରୂପ, ସ୍ୱାସ୍ଥ୍ୟରକ୍ଷା ଓ ପରିଚ୍ଛନ୍ନତା ସମ୍ପର୍କିତ ସାମାନ୍ୟ ନୂତନ ପ୍ରବର୍ତ୍ତନର ମଧ୍ୟ ଲୋକଙ୍କ ଚିରାଚରିତ ଅଭ୍ୟାସ ସହିତ ମେଳ ନଖାଇବାରୁ ପ୍ରତିରୋଧ କରାଯାଏ । ଏଣୁ ବାଚିକ ପ୍ରଶିକ୍ଷଣ କିମ୍ବା ବ୍ୟାବହାରିକ ପ୍ରଦର୍ଶନ ଆଦିବାସୀମାନଙ୍କୁ ସନାତନୀ ଜୀବନଧାରାରୁ ଅପସରି ଆସିବାକୁ ପ୍ରବୃତ୍ତ କରିପାରିବ ନାହିଁ, ଯଦି ତାହା ସେମାନଙ୍କ ଚିରାଚରିତ ଅଭ୍ୟାସ, ପ୍ରଥା ଓ ସଂସ୍କୃତିରେ ପରିବର୍ତ୍ତନ ସୃଷ୍ଟି କରେ । ବସ୍ତୁତଃ, ପ୍ରଥମେ ହିଁ ନୂତନ ଯୋଜନା ଓ ତା'ପ୍ରତି ଆଦିବାସୀମାନଙ୍କ ମନୋଭାବ ନିରୂପଣ କରି, ତା'ପରେ ଦ୍ୱିତୀୟ ପର୍ଯ୍ୟାୟରେ ଦେଖିବାକୁ ପଡ଼ିବ ଯେ ଆଦିବାସୀ ପରମ୍ପରା ସହିତ କିପରି ଏହାର ସଂଶ୍ଳେଷଣ କରିପାରିଲେ ଏହା ଗ୍ରହଣୀୟ ହୋଇପାରିବ ।
 

ସମୟ ବଦଳୁଛି । ଧୀର ଗତିରେ ହେଲେ ବି ଦୂରାନ୍ତ ଓ ବିଚ୍ଛିନ୍ନ ଆଦିବାସୀ ଗ୍ରାମରେ ତା'ର ପଦଧ୍ୱନି ଶୁଭିଲାଣି । ବଣ୍ଡା ଉପଜାତି ଭଳି ଏକ ଆଦିମତମ ସଂପ୍ରଦାୟ ମଧ୍ୟ ପରିବର୍ତ୍ତନର ଅଭିଜ୍ଞତା ଅନୁଭବ କରୁଛି- ଯେତେବେଳେ ଦେଖାଯାଉଛି ଯେ ତାଙ୍କ ପିଲାଏ ଲେଖି ପାରିଲେଣି ଓ ପଢ଼ି ଜାଣିଲେଣି, ତାଙ୍କ ଝିଅମାନଙ୍କର ଏକଦା ଲଣ୍ଡିତ ମୁଣ୍ଡରେ ଦୀର୍ଘକୁନ୍ତଳ ଲହଡ଼ି ଭାଙ୍ଗିଲାଣି ଓ ଅନାବୃତ ଦେହରେ ଶାଢ଼ି ମଣ୍ଡିତ ହେଲାଣି ଏବଂ ବୁଢ଼ୀମାନେ ହାଟରେ ଜିନିଷ ବଦଳାଇ ସଉଦା କରିବା ପରିବର୍ତ୍ତେ ହାତରେ ନୋଟ୍ ଏବଂ ମୁଦ୍ରା ଧରି ଦରଦାମ୍ କରୁଛନ୍ତ । ଅନୁରୂପଭାବେ କ୍ରମପରିବର୍ତ୍ତନ ମଧ୍ୟ ଅନ୍ୟାନ୍ୟ ଆଦିମ ଉପଜାତିମାନଙ୍କ ମଧ୍ୟରେ ପରିଦୃଶ୍ୟ ହେଲାଣି । ଲାଞ୍ଜିଆ ସଉରା, ଡଙ୍ଗରିଆ କନ୍ଧ, କୁଟିଆ କନ୍ଧ, ପାହାଡ଼ି ଭୂୟାଁ, ଜୁଆଙ୍ଗ, ଡିଡାୟୀ, ମାଙ୍କିଡ଼ିଆ ଇତ୍ୟାଦି ସମ୍ପ୍ରଦାୟରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଓ ଅଣୁ-ଉନ୍ନୟନ ସଂସ୍ଥା ସମୂହର ଅବିରତ ଚେଷ୍ଟା ଫଳରେ ଏହା ସମ୍ଭବ ହୋଇପାରିଛି । ଫଳରେ ବର୍ତ୍ତମାନ ଆଦିବାସୀ ସମାଜ ପରମ୍ପରା ଓ ଆଧୁନିକତାର ସନ୍ଧିସ୍ଥଳରେ ଉପନୀତ ହେଉଛି । ଦେଖିବାକୁ ଅସ୍ୱାଭାବିକ ଲାଗିପାରେ, ମାତ୍ର ନାକରେ ମୁଦି ବା ବସଣି ଓ ବାହୁରେ ବଳା ପିନ୍ଧିଥିବା ଡଙ୍ଗରିଆ କନ୍ଧ ଯୁବକ କଚଟିରେ ଘଡ଼ିଟିଏ ମଧ୍ୟ ପିନ୍ଧି ପକାଇଛି । ଏହାର କାରଣ, ତା'ର ଗୋଟିଏ ଗୋଡ଼ ପରମ୍ପରାରେ ଗଭୀରଭାବେ ପ୍ରୋଥିତ ଏବଂ ଆଉ ଗୋଟିଏ ଗୋଡ଼ ଆଧୁନିକତା ଆଡ଼କୁ ଗତି କରିବାପାଇଁ ଉତ୍ତୋଳିତ । ସୁତରାଂ ଏହି ମୁହୂର୍ତ୍ତରେ କେବଳ ଆଶା କରାଯାଉ ଯେ ସେ ତା'ର ପ୍ରଗତି ପଥରେ ପୃଷ୍ଠଦେଶରେ ବହନ କରିନେଉ ତା'ର ସୁଦୂରପ୍ରସାରିତ ପରମ୍ପରାର ଉତ୍କର୍ଷତା ଏବଂ ସାମ୍ନାରେ ସାଉଁଟି ନେଉ ଆଧୁନକ ସଭ୍ୟତା ଓ ସଂସ୍କୃତିର କେବଳ ସର୍ବୋତ୍ତମ ଉପକରଣାବଳୀ ।

•••

 

ସାହିତ୍ୟ ଓ ଆନନ୍ଦ

ଶ୍ରୀ ଭାବଗ୍ରାହୀ ମିଶ୍ର (ଆଚାର୍ଯ୍ୟ ଭାବାନନ୍ଦ)

 

Literature is fragment of a fragment ; of all that ever happened or has been said. But a fraction has been written and of this little is extant - Goethe.

 

ସାହିତ୍ୟ ସମ୍ପର୍କରେ ଗେଟେଙ୍କର ଏ ଉକ୍ତି ପାଠ କଲାପରେ ସାହିତ୍ୟର ସ୍ୱରୂପ ସମ୍ପର୍କରେ କିଛି କହିବାକୁ ଶଙ୍କା ହୁଏ । ସାହିତ୍ୟ ଓ ଆନନ୍ଦ ଭଳି ଦୁଇଟି ବ୍ୟାପକ ଓ ଅର୍ଥବୋଧକ ଶବ୍ଦ ଉପରେ ଆଲୋଚନା କରି ତା'ର ସମ୍ପର୍କ ନିର୍ଦ୍ଧାରଣ କରିବା ଅସମ୍ଭବ ପରି ପ୍ରତୀତ ହୁଏ । କାରଣ ସୃଷ୍ଟିର ଆଦିକାଳରୁ ଏପର୍ଯ୍ୟନ୍ତ ଯେତେ ସାହିତ୍ୟ ସୃଷ୍ଟି ହୋଇଛି, ଯେ ସମସ୍ତର ଅନୁଶୀଳନ କରିବା ଏ ଲେଖକ ପକ୍ଷରେ ଯେପରି କ୍ଷମତାର ବହିର୍ଭୂତ, ତାହା ଉପରେ ମନ୍ତବ୍ୟ ପ୍ରଦାନ କରିବା ସେହିପରି ଅଯୌକ୍ତିକ ମଧ୍ୟ । ଏହା ସତ୍ତ୍ୱେ ବି ‘ସାହିତ୍ୟ' କ'ଣ ଏ ମୌଳିକ ପ୍ରଶ୍ନ ମାନରେ ଜାଗ୍ରତ ହେବା ସ୍ୱାଭାବିକ ।

 

ସାହିତ୍ୟର ଅର୍ଥ କ’ଣ, ଏହା ମନୁଷ୍ୟ ଜୀବନର କେଉଁ ବିଶେଷ ବିଭବର ପ୍ରତିନିଧିତ୍ୱ କରେ, ଏହାର ଆବଶ୍ୟକତା କ'ଣ, ସାହିତ୍ୟିକ ସୃଷ୍ଟି କରେ କାହିଁକି ପ୍ରଭୃତି ବହୁ ପ୍ରଶ୍ନ ମନରେ ଉଦିତ ହୁଏ । ଏ ସବୁ ପ୍ରଶ୍ନ ଉପରେ ଚିନ୍ତା କଲାବେଳେ ମନେହୁଏ, ପାଠକ ହିସାବରେ ସାହିତ୍ୟର ବିଷୟବସ୍ତୁଗତ ଅର୍ଥ ଉପରେ ହିଁ ଅନେକେ ପ୍ରାଧାନ୍ୟ ଦେଇଥାନ୍ତି । ଏହାର ଉଦ୍ଦେଶ୍ୟ ସମ୍ପର୍କରେ ଚିନ୍ତା କରିବାକୁ ଇଚ୍ଛୁକ ମଧ୍ୟ ନୁହନ୍ତି । ଜୀବନର ଆଉ ଆଉ ଘଟଣା ଭଳି ସାହିତ୍ୟ ପାଠ ଏକ ଅଭ୍ୟାସ । ପାଠକକୁ ଯଦି ପ୍ରଶ୍ନ କରାଯାଏ ଯେ ‘ଏ ଅଭ୍ୟାସ କାହିଁକି କରୁଛ, ଏ ସବୁ ଛାଡ଼ି ଅନ୍ୟ କିଛି ଧନ୍ଦା ଦେଖ, ଦି’ପଇସା ରୋଜଗାର କରିପାରିବ, ସୁଖରେ ରହିବ’, ସେ ହୁଏ ତ କୌଣସି ଉତ୍ତର ଦେଇପାରିବ ନାହିଁ, କିନ୍ତୁ ଭାବିବ- ‘ବାବୁ ଜଣକ ଯାହା କହିଲେ ଖାଣ୍ଟିକଥା’ ବା ବହୁଦିନର ଅଭ୍ୟାସ ଛାଡ଼ି ନ ପାରିବାର ଯୁକ୍ତି ଉପସ୍ଥାପିତ କରିବ । ତେବେ ସାହିତ୍ୟ ତାହାକୁ କାହିଁକି ଆକୃଷ୍ଟ କରେ ? କେହି ହୁଏତ କହିବ ଯେ ମଜାଲାଗେ, ଆନନ୍ଦ ମିଳେ । ଯେ ଏଭଳି ଉତ୍ତର ଦେବ ତା'କୁ କୌଣସି ଦାର୍ଶନିକ ପ୍ରବନ୍ଧ ଧରେଇ ଦିଅନ୍ତୁ, ସେ ଉତ୍ତର ଦେବ, ‘ଏଗୁଡ଼ାକ ପଢ଼ି ଲାଭ କ’ଣ ?’ ଅଳ୍ପ କଥାରେ କହିଲେ ସାହିତ୍ୟ ପଢ଼ନ୍ତି ଏହା ଲାଭକ୍ଷତିର ହିସାବ ନିକାଶ ଉପରେ । ‘କିଭଳି ଆନନ୍ଦ ପାଇଲ’ ପଚାରିଲେ ବୁଝେଇ ଦବାକୁ ବାକ୍ୟ ବି ସ୍ଫୁରେ ନାହିଁ ।

 

ଫୁଲଟିଏ, ପ୍ରାକୃତିକ ଦୃଶ୍ୟଟିଏ ଦେଖିଲେ ଯେପରି ଫୁଲର ପାଖୁଡ଼ା, ରଙ୍ଗ ବା ଗନ୍ଧ କେବଳ ବିମୋହିତ କରି ନ ଥାଏ ବା ନଈ, ପାହାଡ଼, ଜଙ୍ଗଲର ଦୈର୍ଘ୍ୟ, ପ୍ରସ୍ଥ, ଗଭୀରତା ମଣିଷ ମନକୁ ତୃପ୍ତ କରି ନ ଥାଏ ; ସେହିପରି ସାହିତ୍ୟର ବହିରଙ୍ଗ ରୂପ ପାଠକକୁ କେବଳ ଆନନ୍ଦ ଦେଇ ନ ଥାଏ । ଶିଳ୍ପ ବା ସାହିତ୍ୟ କ୍ଷେତ୍ରରେ କେବଳ ତା'ର ବହିରଙ୍ଗ ରୂପ ତା'ର ଔତ୍କର୍ଷ୍ୟର ପରିମାପକ ନୁହେଁ, ଏହାର ଅର୍ଥ-ଦ୍ୟୋତନା ବା ମନରେ ଯେଉଁ ଚମକ ଲାଗେ ତାହା ହିଁ ପ୍ରଧାନ କଥା ।

 

ସାହିତ୍ୟ ଓ ଜୀବନ-ପରସ୍ପର ପରସ୍ପରର ପରିପୂରକ । ଜୀବନ ସହିତ ସାହିତ୍ୟକୁ ମିଳେଇ ପଢ଼ିଲେ ହିଁ ତା'ର ଅନ୍ତଃସୌନ୍ଦର୍ଯ୍ୟ ଉପଲବ୍ଧି କରିହୁଏ, ରସ ମିଳେ, ଆନନ୍ଦ ମିଳେ । ‘ଆନନ୍ଦ ଦାନ’ ସାହିତ୍ୟର ଅନ୍ୟତମ ଉଦ୍ଦେଶ୍ୟବୋଲି କୁହାଯାଇଥାଏ । ତେଣୁ ଏ ଆନନ୍ଦ ପାଇବାପାଇଁ ପାଠକ ପକ୍ଷରେ କି ପନ୍ଥା ଅବଲମ୍ବନ କରିବାକୁ ପଡ଼ିବ ? ବହିରଙ୍ଗ ରୂପ ଯେତେ ଆକୃଷ୍ଟ କରୁ ନା କାହିଁକି, ଅନ୍ତର୍ନିହିତ ଭାବ-ଲାବଣ୍ୟ ଚିହ୍ନି ନ ପାରିଲେ ଆନନ୍ଦ ମିଳିବା ସମ୍ଭବପର ନୁହେଁ । ଯଦି ତେବେ ବି କେହି କହେ ଯେ ଆନନ୍ଦ ମିଳିଛି, ତେବେ ସେ ‘ଆନନ୍ଦ’ ସାମୟିକ ବା ବ୍ୟାବହାରିକ ଜୀବନର ପ୍ରୟୋଜନୀୟତା ଦୃଷ୍ଟିରୁ ହିଁ ଗୃହୀତ । ସବୁଦିନପାଇଁ ମନେରଖିବା ଭଳି ବହିଟି ପାଠଗାରରେ ଥାଇ ବି ଗଭୀର ନିଶିର ନିର୍ଜନତା ଭିତରେ ରହି ଆନନ୍ଦ ପାଇବା ଭଳି ଆନନ୍ଦ ସେ ନୁହେଁ ।

 

ବିଶ୍ୱର ଯେ କୌଣସି ସାହିତ୍ୟ ହେଉ, ଯେଉଁ ଭାଷାରେ ଲିଖିତ ହୋଇଥାଉ, ଲିଖିତ ହେଉ ବା ମୌଖିକ ହେଉ, ତାହା ଅନୁଶୀଳନ କରିବାପାଇଁ ରସ ଗ୍ରହଣ କରିବାପାଇଁ ବାହ୍ୟାଡମ୍ବର ଭାଷା ପ୍ରତିବନ୍ଧକ ହୋଇପାରେ ନାହିଁ । ଜାଣିବାର ଇଚ୍ଛା, ଗ୍ରହଣ କରିବାର ଆକାଂକ୍ଷା ସବୁ ବାଧାବିଘ୍ନକୁ ପରାଭୂତ କରିଥାଏ । ସାହିତ୍ୟର ଏଭଳି ଏକ ଭୂମିକାକୁ ବୁଝିବାକୁ ହେଲେ ତାହାର ଗତିଧାରା ସହିତ ପରିଚିତ ହେବା ଆବଶ୍ୟକ ମନେହୁଏ । ଦିନ ମାସ ବର୍ଷ ଗଣନାରେ; ବ୍ୟାକରଣଗତ ପ୍ରୟୋଗ ପଦ୍ଧତି ଜରିଆରେ, ପ୍ରାଚୀନ, ଆଧୁନିକ ଭଳି ସୀମା ନିରୂପଣ ଜରିଆରେ ସାହିତ୍ୟର ଗତିଧାରା ବିଚାର୍ଯ୍ୟ ଐତିହାସିକଙ୍କର । କାଳକ୍ରମେ ଆଲୋଚନାର ଯେ ନିର୍ଦ୍ଦିଷ୍ଟ ଭୂମିକା ରହିଛି, ଏକଥା ଅସ୍ୱୀକାର କରୁନାହିଁ । କିନ୍ତୁ ସାମଗ୍ରିକ ଭାବରେ ସାହିତ୍ୟକୁ ଏ ରୀତିରେ ବିଚାର କରିବା ସହଜ ନୁହେଁ, କାରଣ ଏ ଧାରାରେ ବିଚାର କଲେ ବହୁ ଶାଖା-ଉପଶାଖା ଉପରେ ନିର୍ଭର କରିବାକୁ ପଡ଼ିବ । ଭାବ-ପ୍ରକାଶ ଯଦି ସାହିତ୍ୟର ମାପକାଠି ହୁଏ, ତେବେ ଭାବ-ସମ୍ପଦ ଦୃଷ୍ଟିରୁ ହିଁ ସାହିତ୍ୟକୁ ବିଚାର କଲେ, ସେ ଯେକୌଣସି ଦେଶର ହେଉ ବା ଜାତିର ହେଉ ବା ଭାଷାର ହେଉ ନା କାହିଁକି, ତାକୁ ବୁଝିବାରେ ଅସୁବିଧା ରହିବବୋଲି ବିଶ୍ୱାସ ହୁଏ ନାହିଁ ।

 

ବିଶ୍ୱସୃଷ୍ଟିରେ ଆଜିପର୍ଯ୍ୟନ୍ତ ଯେଉଁ କେତେକ ମୁଖ୍ୟଭାବଧାରା, ସଭ୍ୟତା ଓ ସଂସ୍କୃତିର ନିୟାମକରୂପେ ସ୍ୱୀକୃତି ଲାଭ କରିଛି, ସେହି ଦୃଷ୍ଟିରୁ ସାହିତ୍ୟର ଗତିଧାରାକୁ ମଧ୍ୟ ବିଚାର କରାଯାଇପାରେ । ଏହା ହେଉଛି ଆଧ୍ୟାତ୍ମିକ, ବୌଦ୍ଧିକ ଓ ଭୌତିକ । ଏହି ବିଭିନ୍ନ ଭାବଧାରା ସମ୍ବଳିତ ସାହିତ୍ୟର ଲକ୍ଷଣ ସମ୍ପର୍କରେ ସାମାନ୍ୟ ସୂଚନା ଦେବା ଅପ୍ରାସଙ୍ଗିକ ହେବ ନାହିଁ ; ବୋଧହୁଏ ।

 

ଆଧ୍ୟାତ୍ମିକ :

‘ଆଧ୍ୟାତ୍ମିକ’ ଶବ୍ଦର ଦାର୍ଶନିକ ବ୍ୟାଖ୍ୟା ଏଠାରେ ଉପସ୍ଥାପିତ କରିବାକୁ ଯାଉନାହିଁ । ସାଧାରଣ ଅର୍ଥରେ ଗ୍ରହଣ କଲେ ଏହାର ଅର୍ଥ ହେଉଛି ଶାରୀରିକ ଓ ମାନସିକ କ୍ରିୟାପ୍ରକ୍ରିୟାର ପ୍ରତିବିମ୍ବ । କିନ୍ତୁ ଏଠାରେ କେବଳ ମାନସିକ କ୍ରିୟାପ୍ରକ୍ରିୟା କଥା ହିଁ ବିଚାରକୁ ଆଣୁଛି । କାରଣ ଐଶୀଶକ୍ତି ସହିତ ଏହାର ସମ୍ପର୍କ ଥିବାରୁ ଜଡ଼ବାଦଠାରୁ ଏହାର ପାର୍ଥକ୍ୟ ରହିଛି ।

 

ସେଥିପାଇଁ ଭୌତିକ ନାମରେ ସାହିତ୍ୟର ଅନ୍ୟ ଏକ ଭାବଧାରାଗତ ବିଭାଜନ ନିମ୍ନରେ କରାଯାଇଛି । ଏ ପର୍ଯ୍ୟାୟର ସାହିତ୍ୟରେ ରଚୟିତାର ସ୍ୱାକ୍ଷର ଲିପିବଦ୍ଧ ନୁହେଁ । ନୈର୍ବ୍ୟକ୍ତିକ ଭାବରେ ହିଁ ଏହାର ଆତ୍ମପ୍ରକାଶ, ସମାଜ ସଚେତନତା, ପାରିପାର୍ଶ୍ୱିକ ଜୀବନର ଘାତପ୍ରତିଘାତ, ସଂଘର୍ଷ ଓ ଦ୍ୱନ୍ଦ୍ୱ୍ୱର ଊର୍ଦ୍ଧ୍ୱରେ ଏ ସାହିତ୍ୟ ମନୁଷ୍ୟର ଶ୍ରେୟ ଓ ଧ୍ୟେୟ ବିଷୟବସ୍ତୁ ସମ୍ପର୍କରେ ଅନୁସନ୍ଧିତ୍ସୁ । ନିରପକ୍ଷ, ନିର୍ବିକାର ତଥ୍ୟାନୁସନ୍ଧାନ ଏହାର ଲକ୍ଷ୍ୟ । ଯେଉଁଠି ନିର୍ଦ୍ଦିଷ୍ଟ ମତଦାତା ବା ଧର୍ମଧାରଣା ପ୍ରଚାର ପ୍ରକାଶର ମନୋଭାବ ଦେଖାଯାଏ, ସେଠାରେ ଏହା ସାର୍ବଜନୀନ ଆବେଦନ ହରାଇ ବସେ । ଏହାର ଲେଖକ ସ୍ଥିତିପ୍ରଜ୍ଞ ଓ ସ୍ଥିତଧୀ । ତେଣୁ କୌଣସି ପ୍ରକାର ଗୌଣ ବିଚାରଧାରା ତା'ର ମନୋଜଗତରେ ପ୍ରତିକ୍ରିୟା ସୃଷ୍ଟି କରିପାରେ ନାହିଁ । ଗଭୀର ବିଶ୍ୱାସ, ନିଷ୍ଠାପର ସାଧନା ଲେଖକର ବ୍ରତ, ଯୁକ୍ତିର ଐନ୍ଦ୍ରଜାଲିକ କ୍ରିୟା ପରାଭୂତ ।

 

ଉପନିଷଦରେ ବର୍ଣ୍ଣିତ ଅଛି ଯେ ପ୍ରତ୍ୟେକ ଜୀବାତ୍ମା ବା ମନୁଷ୍ୟ ପାଞ୍ଚୋଟି ଶରୀରରେ ରହି ସ୍ୱକାର୍ଯ୍ୟରେ ନିଯୁକ୍ତ ରହନ୍ତି । ସେଗୁଡ଼ିକ ହେଲେ ଅନ୍ନମୟ କୋଷ, ପ୍ରାଣମୟ କୋଷ, ମନୋମୟ କୋଷ, ବିଜ୍ଞାନମୟ କୋଷ ଓ ଆନନ୍ଦମୟ କୋଷ । ଆଧ୍ୟାତ୍ମିକ ଭାବଧାରା ପୁଷ୍ଟ ସାହିତ୍ୟସ୍ରଷ୍ଟାର ଅଧିଷ୍ଠାନ ଏହି ଆନନ୍ଦମୟ କୋଷରେ । ଲେଖକ ଏଠାରେ ନିର୍ଲିପ୍ତ ଆତ୍ମାରାମ । ଗୀତାକାରଙ୍କର ଭାଷାରେ କହିଲେ- ‘ସର୍ବତ୍ରାବସ୍ଥିତୋ ଦେହେ ତଥାତ୍ମାନୋପଲିପ୍ୟତେ ।’ ଯେକୌଣସି ସାହିତ୍ୟର ଗତିଧାରା ଆଲୋଚନା କଲେ ସ୍ପଷ୍ଟ ଅନୁମିତ ହୁଏ ଯେ, ଏହି ଲକ୍ଷଣ ଓ ଉପାଦାନ ଯେଉଁ ସାହିତ୍ୟରେ ଯେତେ ଅଧିକ, ସେ ସମୟରେ ସେ ଦେଶ ସଭ୍ୟତା ଓ ସଂସ୍କୃତି ଶୀର୍ଷସ୍ଥାନରେ ଅବସ୍ଥାପିତ । ମନୁଷ୍ୟର ସୁଖଦୁଃଖ, ଆଶା ନୈରାଶ୍ୟ ସବୁର ସୂକ୍ଷ୍ମ ଆଲୋଚନା କରି ଏ ସାହିତ୍ୟ ମଣିଷକୁ ପ୍ରକୃତ ମାର୍ଗ ଦର୍ଶାଇଥାଏ । ଏଥିରେ ସଂକୀର୍ଣ୍ଣତାର ସ୍ଥାନ ନାହିଁ । ତେଣୁ ଏହା ମାନବିକ ଆବେଦନବୋଧ ଜରିଆରେ ମନୁଷ୍ୟକୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀଭୁକ୍ତ ନ କରି ବିଶ୍ୱଜନୀନ କରେ ।

 

ବୌଦ୍ଧିକ :

ଏଥିରେ ଜ୍ଞାନର ଅହମିକା ହିଁ ପ୍ରଧାନ । ଏ ‘ଜ୍ଞାନ' ବି ଅନେକ ସମୟରେ କେବଳ ‘ଅହଂଭାବର' ମୂର୍ତ୍ତିମନ୍ତ ପ୍ରକାଶ । ଯୁକ୍ତି ସାହାଯ୍ୟରେ ପ୍ରତ୍ୟେକ ବସ୍ତୁର ବା ବିଷୟର ସତ୍ୟାସତ୍ୟ ନିରୂପଣ କରିବା ଲେଖକର ପ୍ରଧାନ ଆଭିମୁଖ୍ୟ । ଏହା ମନୁଷ୍ୟର ବୁଦ୍ଧିକୁ ଖୋରାକ ଯୋଗାଇପାରେ, କିନ୍ତୁ ମଣିଷ ମନର ଚିରନ୍ତନ ପ୍ରଶ୍ନର ସମାଧାନ କରିପାରେ ନାହିଁ । ତେଣୁ ଆତ୍ମିକ ଉନ୍ନତିର ଏହା ପରିପନ୍ଥୀ । ବହିରଙ୍ଗ ରୂପବିଭବ ଯେପରି ଜଟିଳ, ଅନ୍ତର୍ନିହିତ ଭାବସମ୍ପଦ ତଦନୁରୂପ ଅବୋଧ । କେତେକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ପାଠକମାନଙ୍କୁ ଏହା ବୌଦ୍ଧିକ ଆନନ୍ଦ ପରିବେଷଣ କରିପାରେ ମାତ୍ର । ଲେଖକ ସର୍ବଦା ନିଜ ଦୃଷ୍ଟିକୋଣରୁ ପ୍ରତ୍ୟେକ ବିଷୟବସ୍ତୁର ବିଚାର କରେ ଓ ନିଜର ରାୟକୁ ଅପର ଉପରେ ଚାପିଦେବାର ପ୍ରୟାସ କରେ । ଏହା ପ୍ରେରଣା ଦିଏ ନାହିଁ, ଉଦ୍ଦୀପନା ସୃଷ୍ଟି କରେ ନାହିଁ, ତଥ୍ୟ ଭାବରେ ପାଠକକୁ ଆକ୍ରାନ୍ତ କରେ । ଜୀବନର ମାର୍ଗୋପଲବ୍‌ଧିପାଇଁ ସାହାଯ୍ୟ କରିପାରେ ନାହିଁ । ଅନୁଭବ କରିବାପାଇଁ ଶ୍ରଦ୍ଧାପୂର୍ଣ୍ଣ ଦୃଷ୍ଟିଭଙ୍ଗୀ ସୃଷ୍ଟି କରିପାରେ ନାହିଁ । ‘ହେତୁବାଦ' ଉପରେ ନିର୍ଭରଶୀଳ ହୋଇପଡ଼େ । କିନ୍ତୁ ଏ ‘ହେତୁବାଦ’ (reasoning)ର ହେତୁ କ'ଣ ? ମଣିଷ ଜୀବନର ପରିପୂର୍ଣ୍ଣ ବିକାଶ କେଉଁଠି (?), ଏ ସମ୍ପର୍କରେ ଏକ ସ୍ଥିର ଧାରଣା ଆଣିଦେଇପାରେ ନାହିଁ- ଯଦି ବା ଦିଏ ତାହା ଏକ ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣରୁ, ଏକ ଆବଦ୍ଧ କୋଠରୀର ବାତାୟନ ପଥରୁ ଦେଖି ସ୍ୱାଧୀନ ଚିନ୍ତାପାଇଁ ପାଠକକୁ ସୁଯୋଗ ଦେବା ବଦଳରେ ପ୍ରହେଳିକା ସୃଷ୍ଟିକରେ ।

 

ଭୌତିକ :

ପଞ୍ଚଭୂତରେ ଗଢ଼ା ମଣିଷ ଶରୀର; ତେଣୁ ଏହି ଭୂତ ବା ଜଡ଼ ସମ୍ପର୍କୀୟ ବିଚାର ଧାରା ହିଁ ଏହାର ପୃଷ୍ଠଭୂମି । ପ୍ରତ୍ୟେକ ଜିନିଷର କାର୍ଯ୍ୟକାରଣ ସମ୍ପର୍କ ଥିଲା ଭଳି, ସାହିତ୍ୟର ଯେ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଅଛି, ଏ କଥା ଭୌତିକବାଦୀମାନେ ପ୍ରଥମେ ବିଶ୍ୱାସ କରିନିଅନ୍ତି । ତା'ପରେ ସେମାନେ ଏହି କାରଣମାନଙ୍କର ଅନୁଶୀଳନ କରିଥାନ୍ତି । ତେଣୁ ଏ ସାହିତ୍ୟ ମନୁଷ୍ୟର ଜଡ଼ ଶରୀର ଓ ସମାଜ ସହିତ ସମ୍ପର୍କିତ । ସମସାମୟିକ ପରିସ୍ଥିତିର ଘାତପ୍ରତିଘାତ ହିଁ ଏମାନଙ୍କର ମୁଖ୍ୟକଥା । ପରିସ୍ଥିତିର ପ୍ରଭାବ ଯେ ମନୁଷ୍ୟ ପ୍ରକୃତିକୁ ପ୍ରବର୍ତ୍ତିତ କରିଥାଏ, ଏ କଥା ସେମାନେ ରୂପାୟିତ କରିବାକୁ ଚେଷ୍ଟା କରିଥାନ୍ତି । ତେଣୁ ମନୁଷ୍ୟର ଦେହ ହିଁ ଏମାନଙ୍କର ଏକମାତ୍ର ଲକ୍ଷ୍ୟ । ମନର ବିଚାର ଯେତେବେଳେ ବା କରନ୍ତି, ତାହା ଏକ ନିର୍ଦ୍ଦିଷ୍ଟ ପରିବେଶ ବା ପରିବେଷ୍ଟନୀ ସହିତ ମିଳେଇ ଦେଖିଥାନ୍ତି । ମଣିଷ ଜୀବନର ନୀଚପ୍ରବୃତ୍ତି (instinct) - ଈର୍ଷା, ଦ୍ୱେଷ; ଅସୂୟା, ଜୈବିକକ୍ଷୁଧା ଆଦି ଏମାନଙ୍କ ସାହିତ୍ୟର ପ୍ରଧାନ ଉପଜୀବ୍ୟ ହୋଇଉଠେ ।

 

ସମାଜର ପରିବର୍ତ୍ତନ ସହିତ ଏ ସାହିତ୍ୟ ସମତାଳରେ ଗତି କରିଥାଏ । ବିଭିନ୍ନ ରାଜନୈତିକ ଚିନ୍ତାଧାରା ସମାଜକୁ ପରିଚାଳିତ କରିବା ସଙ୍ଗେ ସଙ୍ଗେ ସାହିତ୍ୟକୁ ମଧ୍ୟ ପରିଚାଳିତ କରିଥାଏ । ଇନ୍ଦ୍ରିୟଗାହ୍ୟ ଅନୁଭୂତି ହିଁ ଏ ସାହିତ୍ୟର ପ୍ରଧାନ ବିଭବ । ଏପରି କି ଅର୍ଥନୈତିକ ସଂସ୍ଥା ସଂସ୍କୃତିର ନିୟାମକରୂପେ ଏମାନଙ୍କ ନିକଟରେ ଗୃହୀତ । ପୁଞ୍ଜିବାଦୀ ସମାଜରେ ମନୁଷ୍ୟର ସକଳ ପ୍ରକାର ପ୍ରକୃତି ଓ ପ୍ରବୃତ୍ତିକୁ ଅର୍ଥନୀତି ନିୟନ୍ତ୍ରିତ କରୁଥିଲାବୋଲି ଏକ ରାଜନୈତିକ ଚିନ୍ତାଧାରା ଦେଖାଯାଏ ତ ସାହିତ୍ୟ ସେହି ଚିନ୍ତାଧାରାର ଅନୁସରଣ କରେ । ସାମ୍ୟବାଦୀ ଚିନ୍ତାଧାରାରେ ମଣିଷକୁ, ସମାଜକୁ ଏହି ଅର୍ଥନୈତିକ ବ୍ୟାଖ୍ୟାର ଅନ୍ୟ ଏକ ପ୍ରକୋଷ୍ଠ ମଧ୍ୟରେ ବନ୍ଦୀ କରାଯାଏ ତ ସାହିତ୍ୟ ଏହି ଚିନ୍ତାଧାରାରେ ପୃଷ୍ଠପୋଷକତା କରେ । ସ୍ୱାଧୀନ ଚିନ୍ତାଧାରା ଏଠାରେ ଖର୍ବ ହୁଏ । ଲେଖକ ଏକ ନିର୍ଦ୍ଦିଷ୍ଟ ଚିନ୍ତାଧାରାର ଦାସ ହୋଇପଡ଼େ । ଏଣୁ ଏ ସାହିତ୍ୟ ଦୈହିକ ଦୁଃଖସୁଖର ହିସାବ ନିକାଶ ଉପରେ ପ୍ରତିଷ୍ଠିତ ।

 

ବର୍ତ୍ତମାନିକ ଦୃଷ୍ଟିକୋଣରୁ :

ସାହିତ୍ୟର ଗତିଧାରା ସମ୍ପର୍କରେ ଏକ ସ୍ଥୂଳ ଧାରଣା କଲା ପରେ ବର୍ତ୍ତମାନର ସାହିତ୍ୟିକ ଆଭିମୁଖ୍ୟ ବିଷୟରେ କେତେକ କଥା ସୂଚେଇ ଦେବା ଉଚିତ ମନେହୁଏ । ମଣିଷ ଜୀବନ ସହିତ ସାହିତ୍ୟର ସମ୍ପର୍କ ଯଦି ଏତେ ନିଗୂଢ଼, ତେବେ ‘ମଣିଷର ସମସ୍ୟା' ସମ୍ପର୍କରେ ସାହିତ୍ୟିକମାନଙ୍କର ଚିନ୍ତା କ’ଣ ? ଅନ୍ୟ ଭାଷାରେ କହିଲେ ସଭ୍ୟତାର ବିକାଶ ସ୍ତରରେ ଆଜି ମଣିଷ ଯେଉଁଠି ପହଞ୍ଚିଛି, ତା'ର ରୂପରେଖ କ'ଣ ? ଯେଭଳି ମନେ ହେଉଛି- ମଣିଷ ଏକ ବସ୍ତୁର ସମାହାରରୂପେ ପରିଣତ ହେବାକୁ ହିଁ ଯାଉଛି । ମଣିଷକୁ ଏକ ଯୋଜନା ଜରିଆରେ ତିଆରି କରିବାର ପ୍ରଚେଷ୍ଟା ଚାଲିଛି । ଏଥିରୁ କ'ଣ ନିବୃତ୍ତି ନାହିଁ ? ସାହିତ୍ୟିକ ଆଗରେ ତାହାହିଁ ଆଜି ବଡ଼ ପ୍ରଶ୍ନ । ତାକୁ ପ୍ରମାଣିତ କରିବାକୁ ହେବ ଯେ ଦାୟିତ୍ୱବୋଧ ଓ ସ୍ୱାଧୀନତା ହିଁ ମଣିଷର ପ୍ରକୃତ ପରିଚୟ । ସେ ପରିବେଶ, ପରିବେଷ୍ଟନୀ ବା ଅତୀତର ପୃଷ୍ଠଭୂମିରୁ ଜନ୍ମଗ୍ରହଣ କରିନାହିଁ । ଏ ସବୁର ପ୍ରଭାବ ହୁଏତ ପଡ଼ୁଛି; କିନ୍ତୁ ସେ ସର୍ବଦା ସ୍ୱୟଂସମ୍ପୂର୍ଣ୍ଣ । ସେ ନିଜର ଦୋଷ ଦୁର୍ବଳତା କଥା ଯେଭଳି ନିଜେ ଅନୁଭବ କରିପାରେ, ସମାଜର ଦୋଷ ଦୁର୍ବଳତାର ନିରାକରଣପାଇଁ ସେଭଳି ଚେଷ୍ଟା କରିପାରେ । ଏ ମାନସିକ-ପ୍ରସ୍ତୁତି ମଣିଷର ସର୍ବଦା ଅଛି । ସେ ଯେଉଁ କାଳର ହେଉ, ଯେଉଁ ଦେଶର ହେଉ ବା ଯେଉଁ ପରିସ୍ଥିତିରେ ଜନ୍ମଗ୍ରହଣ କରି ଥାଉ, ତା'ର ମାନସିକ ଭାବାବେଗ, ସ୍ୱାଧୀନତା ଲିପ୍‌ସା ଅକ୍ଷୟ ଓ ଅମୃତ । ଏ ଚିନ୍ତାଧାରାର ପରିସମାପ୍ତି କେବଳ ସମ୍ଭବ ସେତିକିବେଳେ ଯେତେବେଳେ ସ୍ରଷ୍ଟା ହିଁ ତାକୁ ଧ୍ୱଂସ କରିବ । ପରିସ୍ଥିତି ମଣିଷକୁ ପରିବର୍ତ୍ତିତ କରିପାରେ, ଆବରଣରେ, ବହ୍ୟାଡ଼ମ୍ବରରେ କିନ୍ତୁ ମାନସିକ ସ୍ତରରେ ନୁହେଁ । ମନେହୁଏ, ଯେପରି ସବୁ ବାଦବିବାଦ ତର୍କବିତର୍କର ଆଶ୍ରୟସ୍ଥଳ ଏକ ଅଜେ୍ଞୟ ଶକ୍ତି ନିକଟରେ । ଅର୍ଥନୀତି ଯେ ସମସ୍ତ କଥା ନୁହେଁ, ଦୈହିକ ସୁଖସମ୍ଭୋଗ ଯେ ମଣିଷକୁ ଚିରତୃପ୍ତ କରିପାରିବ ନାହିଁ, ଏହା ପରୀକ୍ଷିତ ଓ ପ୍ରମାଣିତ ।

 

ଆନନ୍ଦ :

ସାହିତ୍ୟର ଏହି ପୃଷ୍ଠଭୂମି ଉପରେ ‘ଆନନ୍ଦ'ର ସଂଜ୍ଞା ନିରୂପିତ ହୋଇପାରେ । ଆନନ୍ଦକୁ ସ୍ଥୂଳତଃ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇପାରେ- ଇନ୍ଦ୍ରିୟଗ୍ରାହ୍ୟ ଓ ଇନ୍ଦ୍ରିୟାତୀତ । ଅବଶ୍ୟ ପରିପୂର୍ଣ୍ଣ ଆନନ୍ଦପାଇଁ ଏ ଦ୍ୱୟର ସାର୍ଥକ ସମନ୍ୱୟ ବାଞ୍ଛନୀୟ । ଇନ୍ଦ୍ରିୟଗ୍ରାହ୍ୟ ଆନନ୍ଦ ମଧ୍ୟ ଦୁଇଟି ଉପାୟରେ ପ୍ରାପ୍ତ ହୋଇଥାଏ; ପ୍ରତ୍ୟକ୍ଷ ଓ ପରୋକ୍ଷ । କୌଣସି ସାହିତ୍ୟିକର ଯେକୌଣସି କୃତି ପାଠକଲା ପରେ ଏହାର ଭାବ, ଭାଷା, ବିଷୟବସ୍ତୁ, ବର୍ଣ୍ଣନା ଶୈଳୀ ଆଦି ଯଦି ଇନ୍ଦ୍ରିୟାଦିକୁ ଆନନ୍ଦ ଯୋଗାଏ, ତେବେ ତାହା ପ୍ରତ୍ୟକ୍ଷ । ଯଦି ଏହି ବର୍ଣ୍ଣନାଦି କୌଣସି ପରିଚିତ ବା ଆତ୍ମୀୟର ସୁଖଦୁଃଖ, ଆଶା ନିରାଶା ସହିତ ସମଧର୍ମୀ ହୋଇଥାଏ, ତେବେ ପରୋକ୍ଷ ଆନନ୍ଦ ମିଳିଥାଏ- ତାହାର ଅନ୍ୟ ନାମ କଳ୍ପନାନନ୍ଦ, ଯେଉଁ ଆନନ୍ଦ କେବଳ କଳ୍ପନା ଜରିଆରେ ହିଁ ମିଳିଥାଏ । ଇନ୍ଦ୍ରିୟାତୀତ ଆନନ୍ଦ କେବଳ ଧ୍ୟାନ, ଦର୍ଶନ, ମନନ ସାହାଯ୍ୟରେ ହିଁ ଉପଲବ୍ଧି ହୋଇଥାଏ । ଏକ ବୃହତ୍ତର ସତ୍ୟର ଅନୁସନ୍ଧାନୀ ମନ ହିଁ ଏହି ଆନନ୍ଦପ୍ରାପ୍ତିର ସହାୟକ । ଏଥିପାଇଁ ଭାବପ୍ରବଣତା ବଦଳରେ ସାଧନା ଲୋଡ଼ା-ଯୋଗୀ, ସାଧକ, ଭକ୍ତର ଦୃଷ୍ଟିଭଙ୍ଗୀ କାମ୍ୟ ।

ଏହି ପ୍ରସଙ୍ଗରେ ସୌନ୍ଦର୍ଯ୍ୟର ପ୍ରଶ୍ନ ଉଠେ । କାରଣ ସୌନ୍ଦର୍ଯ୍ୟ ହିଁ ଆନନ୍ଦର ଜନନୀବୋଲି କୁହାଯାଇଥାଏ । ସୌନ୍ଦର୍ଯ୍ୟତତ୍ତ୍ୱର ଦାର୍ଶନିକ ବ୍ୟାଖ୍ୟା ଏଠାରେ କରିବାକୁ ଯାଉନାହିଁ-। କାରଣ ସେଥିରେ ଅନୁଭୂତି ଅପେକ୍ଷା ମନନର ସ୍ଥାନ ହିଁ ଅଧିକ । ତେବେ ସୌନ୍ଦର୍ଯ୍ୟ କ'ଣ ? ଆନନ୍ଦ ପରିବେଷଣରେ ଏହାର ଭୂମିକା କ'ଣ ? ଅନେକଙ୍କ ମତରେ ବସ୍ତୁବିଶେଷ ସ୍ୱରୂପରେ ହିଁ ତା'ର ସୌନ୍ଦର୍ଯ୍ୟର ଅଧିଷ୍ଠାନ, ଅର୍ଥାତ୍ ଏହା ରୂପ-ନିର୍ଭର । କିନ୍ତୁ ଏ ମତବାଦ ସର୍ବଥା ଗ୍ରହଣୀୟ ନୁହେଁ । କଥାଟିକୁ ସରଳ ଭାବରେ କହିବାକୁ ଗଲେ, ଗୋଟିଏ ଉଦାହରଣ ଦେବା ବୋଧହୁଏ ଉଚିତ । ଗାଁ ଗହଳର ଗୋଟିଏ ଚଳଣି କଥା ଉଲ୍ଲେଖ କରୁଛି । ବୋହୂ ନିର୍ବାଚନ ବା କନ୍ୟା ଦେଖାର ପରମ୍ପରା ଆମ ସମାଜରେ ପ୍ରଚଳିତ । ମନେ କରନ୍ତୁ, ଘରକୁ ଉପଯୁକ୍ତ ବୋହୂଟିଏ ଆଣିବାକୁ ଇଚ୍ଛା କରି ପୁଅର ବାପ ଓ ମା' କନ୍ୟା ଦେଖିବାକୁ ଗଲେ । କନ୍ୟାର ନଖଠାରୁ ଶିଖ ପର୍ଯ୍ୟନ୍ତ ଲୁଗା ପିନ୍ଧାଠାରୁ ଚାଲିଚଳନ ପର୍ଯ୍ୟନ୍ତ କଥାବାର୍ତ୍ତାଠାରୁ ଚାହାଣୀ ପର୍ଯ୍ୟନ୍ତ ତନ୍ନ ତନ୍ନ କରି ପରୀକ୍ଷା କରି ମନ୍ତବ୍ୟଟିଏ ଦେଲେ- ‘ଆଚ୍ଛା, ପରେ ଖବର ପଠାଇବୁ ।' ପରେ ହୁଏତ ବାପମା' କନ୍ୟାଟିର ପ୍ରକୃତ ସୌନ୍ଦର୍ଯ୍ୟ ବିଷୟରେ ସ୍ଥିର କରିପାରିଲେ ନାହିଁ । ବାପା ଆଖିରେ ଯଦି କନ୍ୟାର ରଙ୍ଗ ଓ ଗଢ଼ଣ ଖରାପ ହୁଏ, ମା' ଆଖିରେ ତା'ର ଚାଲିଚଳଣ ଓ ଢଙ୍ଗଢ଼ାଙ୍ଗ ବେପସନ୍ଦିଆ ମନେହୁଏ । କିନ୍ତୁ କନ୍ୟାକୁ ଦେଖି, ପୁଅ ନିଜର ପତ୍ନୀରୂପେ ନିର୍ବାଚନ କଲେ ହୁଏତ କୌଣସି ନିର୍ଦ୍ଦିଷ୍ଟ ବିଭବ ତାକୁ ଆକୃଷ୍ଟ କରେ । ଏଠାରେ ଗୋଟିଏ ପରିବାରର ତିନୋଟି ଲୋକଙ୍କର ତିନୋଟି ଦୃଷ୍ଟିଭଙ୍ଗୀ ପରିଲକ୍ଷିତ ହୁଏ । କିଏ ରୂପ ଉପରେ ନିର୍ଭର କରେ ତ, କିଏ ଖାନାଦାନୀ ବୁନିୟାଦୀ ଘରର ଆଦବ କାଏଦା ଦୃଷ୍ଟିରୁ ବିଚାର କରେ, ଅନ୍ୟ ଜଣେ ହୁଏତ କାହିଁକି କେଜାଣି ସ୍ଥିର କରି ପକାଏ ଓ ଶ୍ରେଷ୍ଠସ୍ଥାନ ଦିଏ । ଏଥିରୁ ସ୍ପଷ୍ଟ ପ୍ରତୀତ ହୁଏ ଯେ, ସୌନ୍ଦର୍ଯ୍ୟର ଏକ ନିର୍ଦ୍ଦିଷ୍ଟ ରୂପରେଖ ନାହିଁ, ଦେଖିବା ଲୋକର ନିର୍ଦ୍ଦିଷ୍ଟ ଦୃଷ୍ଟିଭଙ୍ଗୀ ହିଁ ଏହାର ମାନଦଣ୍ଡ । ସେହି ନ୍ୟାୟରେ ଆନନ୍ଦ ପାଇବାପାଇଁ ସେହି ଦୃଷ୍ଟିଭଙ୍ଗୀ ହିଁ ବଡ଼କଥା ।

ଆନନ୍ଦ ଉପଲବ୍ଧି ଏପରି ଏକ କଥା ଯେ ତାହା ବ୍ୟକ୍ତିବିଶେଷଙ୍କର ଗ୍ରାହିକାଶକ୍ତି ଉପରେ ନିର୍ଭର କରେ । କିଏ କିଭଳି ଆନନ୍ଦ ଖୋଜେ ବା କିଏ କିଭଳି ଆନନ୍ଦ ପାଏ ତାହା ସେହି ବ୍ୟକ୍ତି ବିଶେଷଙ୍କର ଦୃଷ୍ଟିଭଙ୍ଗୀ ବା ଚିନ୍ତାଧାରାକୁ ଶ୍ରେୟ କରିଥାଏ । ଉପରେ ସାହିତ୍ୟର ଯେଉଁ ବିଭାଗୀକରଣ କରାଯାଇଛି, ସେହି ଦୃଷ୍ଟିରୁ ବିଚାର କଲେ ସାହିତ୍ୟର ଏହି ବିଭିନ୍ନତା କିପରି ଭିନ୍ନ ପ୍ରକାର ଆନନ୍ଦ ପରିବେଷଣ କରିଥାଏ, ତାହା ଅନୁମେୟ । କୌଣସି ସାହିତ୍ୟର ବହିରଙ୍ଗ ରୂପ, ଶୈଳୀ ଆଦି ଉପରେ ଯେଉଁମାନେ ଆସ୍ଥା ସ୍ଥାପନ କରନ୍ତି, ସେମାନେ ସାହିତ୍ୟରୁ ପ୍ରକୃତ ଆନନ୍ଦ ଉପଲବ୍ଧି କରିପାରନ୍ତି ନାହିଁ । ଏଗୁଡ଼ିକ ଯେ ପାଠକକୁ ପ୍ରଲୁବ୍‌ଧ କରେ, ବିମୋହିତ ଓ ସ୍ତବ୍‌ଧ ଚକିତ କରେ, ଏଥିରେ ସତ୍ୟତା ରହିଛି ନିଶ୍ଚୟ । କିନ୍ତୁ ଏହା ଏକ ନିର୍ଦ୍ଦିଷ୍ଟ କାଳ ଓ ରୁଚି ମଧ୍ୟରେ ସୀମାବଦ୍ଧ । ତେଣୁ ସାହିତ୍ୟରୁ ପ୍ରକୃତ ଆନନ୍ଦ ପାଇବାପାଇଁ ଏକ ସହୃଦୟତା ଆବଶ୍ୟକ ।

ଶେଷକଥା :

ଆନନ୍ଦ ଉପଲବ୍ଧି କରିବାପାଇଁ ବା ସାହିତ୍ୟର ସାର୍ଥକତା ବିଚାର କାଳରେ ଏକ ଦେଶଦର୍ଶୀ ଦୃଷ୍ଟିକୋଣ ପଥରୁଦ୍ଧ କରେ । ଏଥିପାଇଁ ସାହିତ୍ୟିକର କୃତୀ ଯେତେ ବଡ଼ ନୁହେଁ, ସୃଷ୍ଟି ପ୍ରକ୍ରିୟାରେ ସାହିତ୍ୟିକର ମାନସିକ ଅବସ୍ଥା ହିଁ ସେତେ ଲକ୍ଷ୍ୟ କରିବାର କଥା । ସୃଷ୍ଟିର ବେଦନା ଉପଲବ୍ଧି କରିପାରିଲେ ହିଁ ସ୍ରଷ୍ଟାକୁ ବୁଝିହୁଏ । ସାହିତ୍ୟ ହେଉଛି ଭାବପ୍ରକାଶ । ଏହି ପ୍ରକାଶରୁ ମୁକ୍ତି ହିଁ ଲେଖକକୁ ଆନନ୍ଦ ଦେଇଥାଏ । ସେଇଥିପାଇଁ କାନ୍ତକବି ଲକ୍ଷ୍ମୀକାନ୍ତ ଥରେ କହିଥିଲେ- ‘ଆନନ୍ଦଟିକ ଲେଖକ ବା କବିର ମଜୁରୀ । ଆଉ ଯଶ କହ, ପ୍ରଶଂସା କହ, ସେଗୁଡ଼ାକ ଉପୁରି ପାଉଣା... ।’ ଜଗତରେ ଯେଉଁ ଆଲୋଡ଼ନ ସୃଷ୍ଟି କରେ, ତାହାର ସୁ-ସୁନ୍ଦର ପ୍ରକାଶ ହିଁ ଲେଖକକୁ ଚରମ ଆନନ୍ଦ ଦେଇଥାଏ । ତେଣୁ ପାଠକ ପ୍ରକାଶଭଙ୍ଗୀକୁ ଲକ୍ଷ୍ୟ କରିବା ସଙ୍ଗେ ସଙ୍ଗେ ପ୍ରକାଶ-ବେଦନା ବୁଝିବାକୁ ଚେଷ୍ଟା କରିବା ଉଚିତ । ଏହି ଉଭୟର ସାର୍ଥକ ସମନ୍ୱୟ ହିଁ ସାହିତ୍ୟ । ତେଣୁ ସାହିତ୍ୟରୁ ଆନନ୍ଦ ପାଇବାପାଇଁ, ପ୍ରକୃତ ରସ ଗ୍ରହଣ କରିବାପାଇଁ ଏକ ଉଚ୍ଚକୋଟୀର ବୋଧଶକ୍ତି ଆବଶ୍ୟକ । ଏହି ବୋଧଶକ୍ତି ହିଁ ଆନନ୍ଦପ୍ରାପ୍ତିର ଏକମାତ୍ର ମାନଦଣ୍ଡ । ବାହ୍ୟଦୃଷ୍ଟିରେ ଅପାଂକ୍ତେୟ ପରି ପ୍ରତୀତ ହେଉଥିବା ସାହିତ୍ୟିକ କୃତୀରୁ ମଧ୍ୟ ଆନନ୍ଦ ମିଳିଥାଏ, ଏହି ବୋଧଶକ୍ତି ଜରିଆରେ ।

ଏତିକି କହିଲେ, ବୋଧହୁଏ ଯଥେଷ୍ଟ ହେବ ଯେ ସାହିତ୍ୟ ଅଧ୍ୟୟନ କରିବା, ଅନୁଶୀଳନ କରିବା ଓ ଇତିହାସ ବିଚାର କରିବା ଏକ କଥା ; ସାହିତ୍ୟର ରସ ଆସ୍ୱାଦନ କରିବା ସମ୍ପୂର୍ଣ୍ଣ ପୃଥକ୍ କଥା । ସେଥିପାଇଁ ଏକ ମାନସିକ ପ୍ରସ୍ତୁତି ଦରକାର । ସେଥିରେ ଯୁକ୍ତିର ସ୍ଥାନ ନାହିଁ, ଗ୍ରାହିକାଶକ୍ତିର ପ୍ରାଧାନ୍ୟ ରହିଛି । ଉକ୍ଟକ୍ଷଗ୍ଧକ୍ଟଦ୍ଭଙ୍କ ଭାଷାରେ ଉପସଂହାର କରୁଛି-

“Mental pleasures never decay : unlike those of the body, they are increased by repetition, approved by reflection and strengthened by enjoyment”.

•••

 

ଆଶାର ଛାଇ ଆଲୁଅ

ଶ୍ରୀ ମନୋଜ ଦାସ

 

ଲର୍ଡ ଏକଟନ୍‌ଙ୍କର ଗୋଟିଏ ଉକ୍ତି ଅଧିକାଂଶ ପାଠକଙ୍କର ସ୍ମରଣ ଥିବ । ଉକ୍ତିଟି ହେଲା, ‘କ୍ଷମତା ମଣିଷଙ୍କୁ ଭ୍ରଷ୍ଟାଚାରୀ କରାଏ, ନିରଙ୍କୁଶ କ୍ଷମତା ନିରଙ୍କୁଶ ଭାବରେ ଭ୍ରଷ୍ଟାଚାରୀ କରାଏ ।’ (Power corrupts, absolute power corrupts absolutely.) ସମ୍ଭବତଃ ଏହି କଥାଟିକୁ ମନରେ ରଖି ଏରିକ୍ ହୋଫାର୍ ତାଙ୍କର 'The Passionate State of Mind' ବହିରେ ଲେଖିଛନ୍ତି, ‘କ୍ଷମତା ଅଳ୍ପ କେତେକଙ୍କୁ ଭ୍ରଷ୍ଟାଚାରୀ କରାଏ, କିନ୍ତୁ ଦୁର୍ବଳତା ଅନେକଙ୍କୁ ଭ୍ରଷ୍ଟାଚାରୀ କରାଏ ।’ (Power corrupts the few, while weakness corrupts the many.)

 

ଉଭୟ କଥାରେ ସତ୍ୟତା ରହିଛି । ବସ୍ତୁତଃ, ଯେଉଁମାନେ କ୍ଷମତାପୂର୍ଣ୍ଣ ପଦପଦବୀ ଅଧିକାର କରିଥାନ୍ତି, ସେମାନଙ୍କ ଭିତରୁ ଅଧିକାଂଶ ହେଲେ ସ୍ୱଭାବ-ଚରିତ୍ରଦୃଷ୍ଟିରୁ ସାଧାରଣ ବ୍ୟକ୍ତି; ଅସାଧାରଣ ନୁହନ୍ତି । ସାଧାରଣ ମଣିଷଟିଏ ଭିତରେ ଆଦର୍ଶ ବା ନୀତି ପ୍ରତି ଅନୁରକ୍ତ ରହିବା ଭଳି ଶକ୍ତି ଯେଉଁ ପରିମାଣରେ ଥାଏ, ପରିସ୍ଥିତି ଓ ପ୍ରଭାବ ଦୋଷରୁ ସେଥିରୁ ଖସିପଡ଼ିବା ଭଳି ଦୁର୍ବଳତା ମଧ୍ୟ ସେତିକି ପରିମାଣରେ ଥାଏ । ଦୁଇଟି ଶକ୍ତି ତାକୁ ସ୍ୱାଭାବିକ ତଥା ଦୋଷମୁକ୍ତ କରି ରଖିଥାଏ- ଶାସନର ଭୟ ଏବଂ ସହକର୍ମୀମାନଙ୍କର ତଥା ଉପରିସ୍ଥ ଆସନପତିମାନଙ୍କର ନୀତିଶୀଳତା । ଯେଉଁ ସରକାର ବା ସମାଜରେ ଶାସନକୁ ସହଜରେ ଫାଙ୍କିଦେଇହେବ ଏବଂ ଯେଉଁଠି ସହକର୍ମୀ ଏବଂ ଉପରିସ୍ଥମାନଙ୍କର ଦୃଷ୍ଟାନ୍ତ ମନ୍ଦ, ସେଠାରେ ସାଧାରଣ ମଣିଷଟିଏ ଭ୍ରଷ୍ଟାଚାରର ଶିକାର ହେବାରେ ବିସ୍ମୟ କିଛି ନାହିଁ । ଯେହେତୁ ଏକ ଶାସନକଳର ଅଧିକାଂଶ କର୍ମଚାରୀ ସ୍ୱଭାବ-ଚରିତ୍ରଦୃଷ୍ଟିରୁ ସାଧାରଣ ପର୍ଯ୍ୟାୟରେ ହିଁ ଗଣ୍ୟ ହେବେ, ଭ୍ରଷ୍ଟାଚାର ତେଣୁ ସାମୂହିକ ବ୍ୟାଧିରେ ପରିଣତ ହୋଇଯାଏ ।

ଦୁର୍ବଳତା ଦୁଇ ପ୍ରକାର- ସମାଜ-ନିରପକ୍ଷ ବ୍ୟକ୍ତିଗତ ଦୁର୍ବଳତା ଏବଂ ସମାଜ- ସଂଶ୍ଳିଷ୍ଟ ଦୁର୍ବଳତା । ‘କ’ ଜଣକୁ ଭଲପାଉଛି, କିନ୍ତୁ ସେ ଭଲପାଇବାର କୌଣସି ସନ୍ତୋଷଜନକ ପରିଣତିର ଆଶା ଦେଖୁନାହିଁ । ସେ ନିଜର ଏ ଦୁର୍ବଳତା ଯୋଗୁଁ ନିଜେ ଛଟପଟ ହେବ; ସମାଜର କୌଣସି କ୍ଷତି ସେଥିରେ ନାହିଁ । ଏହା ସମାଜ-ନିରପକ୍ଷ ବ୍ୟକ୍ତିଗତ ଦୁର୍ବଳତା । କିନ୍ତୁ ଯେତେବେଳେ ଜଣେ କ୍ଷମତାସୀନ ବ୍ୟକ୍ତି ଉତ୍କୋଚ ନେଇ ଜଣେ ପ୍ରାର୍ଥୀ ପ୍ରତି ପକ୍ଷପାତିତ୍ୱ କଲା ଏବଂ ଯୋଗ୍ୟ ଜଣକ ସେଥିପାଇଁ ସୁଯୋଗରୁ ବଞ୍ଚିତ ହେଲା, ସେ କର୍ମଟି କ୍ଷମତାସୀନର ସମାଜ-ସଂଶ୍ଳିଷ୍ଟ ଦୁର୍ବଳତାପ୍ରସୂତ-

ଏ ଦ୍ୱିତୀୟ ପର୍ଯ୍ୟାୟର ଦୁର୍ବଳତା ଜଣେ ପୋଷଣ କରେ ଅତ୍ୟନ୍ତ ମାମୁଲି ଏକ ଭ୍ରାନ୍ତିର ବଶବର୍ତ୍ତୀ ହୋଇ । ତାହା ହେଲା, ଭ୍ରଷ୍ଟାଚାର ମାଧ୍ୟମରେ ସିଏ ସୁଖୀ ହେବ- ଆଧ୍ୟାତ୍ମିକତା କଥା, କର୍ମଫଳ କଥା ଛାଡ଼ିଦିଅନ୍ତୁ । ସାଧାରଣ ମନସ୍ତତ୍ତ୍ୱର ରାୟ ହେଲା, ଭ୍ରଷ୍ଟାଚାରୀ କଦାପି ସୁଖୀ ହୋଇପାରେ ନାହିଁ । ଆଉ କେହି ନ ଜାଣିଲେ ମଧ୍ୟ ସେ ନିଜେ ନିଜକୁ ଭ୍ରଷ୍ଟାଚାରୀବୋଲି ଜାଣେ ଏବଂ ସେଥିପାଇଁ ଗ୍ଳାନି ଅନୁଭବ କରେ । ରବର୍ଟ ପେନ୍‌ଙ୍କର ଲେଖାଟିଏ ମନେ ପଡ଼ୁଛି- ଉଦ୍ଧୃତି ଦେଇପାରୁନାହିଁ । ସେ କହିଥିଲେ, ଭ୍ରଷ୍ଟାଚାରୀର ଜୀବନକୁ ଯାହା ଦୁଃଖମୟ କରେ, ତାହା ହେଲା ସମସ୍ତଙ୍କୁ ସନ୍ଦେହ କରିବାର ରୋଗ । ନିଜ ସ୍ୱଭାବ ଓ ଆଚରଣର ପ୍ରତିଫଳନରେ ସେ ଅନ୍ୟମାନଙ୍କୁ ଦେଖେ । ନିଜ ପୁଅ ଝିଅ ବା ସ୍ୱାଭାବିକ ଓ ସ୍ୱତଃସ୍ଫୂର୍ତ୍ତ ଭାବରେ ତା'ର କୌଣସି ସେବା କରୁଛନ୍ତି, ଏତକ ମଧ୍ୟ ସେ ବିଶ୍ୱାସ କରିବାକୁ ଅକ୍ଷମ ।

ଅନ୍ୟକୁ ବିଶ୍ୱାସ କରିବାର ଶକ୍ତି ହରାଇବା ଭଳି ଦୁର୍ଭାଗ୍ୟ କମ୍ ଥିବ । ବିଷାକ୍ତ ହୋଇଯାଏ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ।

ଆଜି ତେଣୁ ଭ୍ରଷ୍ଟାଚାର ବିରୁଦ୍ଧରେ ସମସ୍ତ ପଦକ୍ଷେପ, ସମସ୍ତ ପ୍ରଚେଷ୍ଟା ସ୍ୱାଗତଯୋଗ୍ୟ-। ଅବଶ୍ୟ ଭ୍ରଷ୍ଟାଚାରୀକୁ ତା' ଆତ୍ମ-ଯାତନାରୁ ତ୍ରାହି ଦେବା ନିମନ୍ତେ ସମାଜ ଭ୍ରଷ୍ଟାଚାର ବିରୁଦ୍ଧରେ ସଂଗ୍ରାମ କରିବ, ତାହା ନୁହେଁ । ସମାଜ ଭ୍ରଷ୍ଟାଚାର ବିରୁଦ୍ଧରେ ସଂଗ୍ରାମ କରିବ ସମାଜର ନିରାପତ୍ତା ଓ ସାମୂହିକ ନ୍ୟାୟପାଇଁ । କିନ୍ତୁ ସେ ଦିଗରେ ସଂଗ୍ରାମ ଖାଲି ତଦନ୍ତ କମିଶନ୍‌, ଆଇନ-କାନୁନ୍ ଭିତରେ ସୀମାବଦ୍ଧ ନରହି ଅନ୍ୟାନ୍ୟ ମାର୍ଗର ସନ୍ଧାନ ବି କରିପାରେ, ତା'ର ଦୃଷ୍ଟାନ୍ତ ରଖିଛନ୍ତି ଉତ୍ତରପ୍ରଦେଶର ଆଇ.ଏ.ଏସ୍‌. ସଂଘ । ସେମାନେ ଗୋପନୀୟ ଭୋଟ ଯୋଗେ ତିନିଜଣ ସବୁଠୁଁ ଭ୍ରଷ୍ଟାଚାରୀ ହାକିମ ନିରୂପଣ କରିବେ । କହିବାବାହୁଲ୍ୟ, ଖାସ୍ ହାକିମମାନେ ଅନ୍ୟ ହାକିମମାନଙ୍କର ଦୁର୍ନୀତି ଓ ଛଳ-କୌଶଳ ଯେମିତି ରୀତିରେ ବୁଝିପାରିବେ, ଅନ୍ୟମାନେ ସେ ରୀତିରେ ତାହା ବୁଝିପାରିବେ ନାହିଁ ।

ଉତ୍ତରପ୍ରଦେଶ ଆଇ.ଏ.ଏସ୍‌. ସଂଘର ଏ ଦୃଷ୍ଟାନ୍ତ ଅନ୍ୟାନ୍ୟ ରାଜ୍ୟର ସମତୁଲ ସଂଘମାନେ ଅନୁସରଣ କରିବେବୋଲି ସମ୍ବାଦ ମିଳୁଛି । ଏ ବିଧି ଯଥାର୍ଥ ଭାବରେ ଚାଲୁହେଲେ ଦୁର୍ନୀତିମୁଖୀ ହାକିମମାନଙ୍କ ଗତିରେ ଏହା ଏକ ଲଗାମ ଭଳି କାମ କରିବ । ଅନ୍ତତଃ ଯେଉଁ ଅପେକ୍ଷାକୃତ ଯୁବକ ଆଇ.ଏ.ଏସ୍‌. କର୍ମଚାରୀମାନେ ଏ ବ୍ୟବସ୍ଥା ପ୍ରବର୍ତ୍ତନ କରୁଛନ୍ତି, ଏହା ଦୁର୍ନୀତି ପ୍ରତି ସେମାନଙ୍କ ଘୃଣାର ସୂଚନା ଦେଉଛି, ସଙ୍ଗେ ସଙ୍ଗେ ସତ୍‌ସାହସର ପରିଚୟ ମଧ୍ୟ । ତେଣୁ ଏ ମାର୍ଗ ଉଜ୍ଜ୍ୱଳ ନ ହେଲେ ମଧ୍ୟ ଅନ୍ଧକାର ଭିତରେ ଛାଇ ଆଲୁଅ ଭଳି ସ୍ୱାଗତଯୋଗ୍ୟ ନିଶ୍ଚୟ ।

•••

 

ଦୁଇଟି ପ୍ରରୋହ ସମ୍ପର୍କରେ

ଡକ୍ଟର ଶରତଚନ୍ଦ୍ର ପ୍ରଧାନ

 

ଈଶୋପନିଷଦରେ ଋଷିକବି ପ୍ରାର୍ଥନାକରି କହିଥିଲେ-

‘ହିରଣ୍ମୟେନ ପାତ୍ରେଣ ସତ୍ୟସାପିହିତଂ ମୁଖମ୍‌

ତତ୍ତ୍ୱ ପୂଷଣ ପାବୃଣୁ ସତ୍ୟ ଧର୍ମାୟ ଦୃଷ୍ଟୟେ ।’

 

ଅର୍ଥାତ୍ ଜ୍ୟୋତିର୍ମୟ ସୁବର୍ଣ୍ଣପାତ୍ରଦ୍ୱାରା ସତ୍ୟର ମୁଖ ଆବୃତ: ଜଗତ ପରିପୋଷକ ସୂର୍ଯ୍ୟ ମୋର ଉପଲବ୍ଧିପାଇଁ ଏହା ଅପସାରଣ କରନ୍ତୁ । ଏଠି ସତ୍ୟଧର୍ମା ମଣିଷର ପ୍ରାର୍ଥନା ଭିତରେ ଅନ୍ତର୍ଲୋକ ଦେଖିବାର ପ୍ରୟାସ ନିହିତ ।

 

ମଣିଷ କାଳେ କାଳେ ସତ୍ୟର ଉଦ୍‌ଘାଟନ କରିବାକୁ ଚାହେଁ, ସତ୍ୟର ସାମନ୍ତ ହେବା ହିଁ ପ୍ରତ୍ୟେକର ଲକ୍ଷ୍ୟ । ବ୍ୟକ୍ତି ତ୍ରିକାଳଦର୍ଶୀ ହେବାକୁ ଆକାଂକ୍ଷା ପୋଷେ । ସାହିତ୍ୟିକ ମାତ୍ରେ ସତ୍ୟଧର୍ମା : ବୈଜ୍ଞାନିକଟିଏ ସତ୍ୟାଶ୍ରୟୀ । ସତ୍ୟ ଖୋଜିବା ହିଁ ଦୁହିଁଙ୍କର ନିୟତି । ସମ୍ପ୍ରତି କେହି କେହି ବିଜ୍ଞାନ ଓ ସାହିତ୍ୟ ଭିତରେ ବିପରୀତଧର୍ମୀ ଭେଦରେଖା ଟାଣିଦିଅନ୍ତି । ଉଭୟ ଭିତରେ କନ୍ଦଳ ସୃଷ୍ଟି କରନ୍ତି । ସାହିତ୍ୟ ବନାମ ବିଜ୍ଞାନର ଲଢ଼େଇପାଇଁ ଖୋଳ କରତାଳ ବି ବାଜେ । ନିରପକ୍ଷ ଭାବରେ ଦେଖିଲେ ଉଭୟର ଲକ୍ଷ୍ୟ ମନୁଷ୍ୟର ମଙ୍ଗଳ ବିଧାନ ; ଜୀବନକୁ ଅମୃତ ସୋପାନରେ ପରିଣତ କରିବାରେ କାହାରି ନିଷ୍ଠା କମ୍ ନୁହେଁ । ଉଭୟ ଚାହାନ୍ତି ଜୀବନରେ ଆନନ୍ଦ ଝରିପଡ଼ୁ ।

 

ତେବେ ବିତର୍କ ଉଠେ ଯେ, ବିଜ୍ଞାନ ଦେହର ସୁଖ କାମନା କରେ । ସାହିତ୍ୟ ମାନସିକ ଶାନ୍ତି ବିଧାନର ହେତୁ । ଗୋଟିଏ ଭୌତିକ ଅଗ୍ରଗତିର କାରଣ, ଅନ୍ୟଟି ଆଧ୍ୟାତ୍ମିକ ଭାବବୋଧର ସମ୍ବାହକ । ଦେହ ନ ଥିଲେ ମନର ସ୍ଥିତି କାହିଁ ? ଦେହ ଓ ମନ ପରସ୍ପର ସମ୍ପୃକ୍ତ । ଏଣୁ ଆନନ୍ଦ ବିତରଣ ହିଁ ସାହିତ୍ୟ ଓ ବିଜ୍ଞାନର ପ୍ରଧାନ ଲକ୍ଷ୍ୟ । ଆନନ୍ଦର ଆଧାର ଭୂମି ସତ୍ୟ । ସତ୍ୟ ଖୋଜିବାରେ ଶେଷ ନାହିଁ । ପୁରାଣରେ ନାରଦଙ୍କ ସମ୍ପର୍କରେ ସୁନ୍ଦର କାହାଣୀଟିଏ ଅଛି । ସେ ବଡ଼ ଏକଜିଦିଆ ମଣିଷ । ଥରେ ସେ ଦେବକଣ୍ଠଶିଳ୍ପୀ ତୁମ୍ବରୁଙ୍କ ସଙ୍ଗୀତ ଶୁଣୁଥିଲେ । ଶିଳ୍ପୀଙ୍କ କଣ୍ଠର ଝଙ୍କାରରେ ସଙ୍ଗୀତ ସଲିଳ ରୂପ ପରିଗ୍ରହ କଲା; ତଟିନୀ ପାଲଟିଗଲା । ନାରଦ ବି ଚାହିଁଲେ ସେ ଗୀତ ଶିଖିବେ । ରାଗ ରାଗିଣୀକୁ ଅନୁକରଣ କରି ଗାଇଲେ । ନାରଦ ଗାଆନ୍ତେ ରାଗରାଗିଣୀ ବିଭଙ୍ଗ ଦିଶିଲେ । ଖଞ୍ଜ ପାଲଟିଗଲେ । ସେ କିନ୍ତୁ ନିଜ ଜିଦ୍‌ରୁ ଓହରିବାର ମଣିଷ ନୁହନ୍ତି । ସେ ସେହିଦିନୁ ବୀଣାବାଦନ କରି ଚାଲିଛନ୍ତି; ହରିନାମ ଗାଇବାରେ ତାଙ୍କର ଆନନ୍ଦ । ଅସରନ୍ତି ତାଙ୍କର ସାଧନା । ସେ ନିରଳସଭାବେ ଗାନବିହ୍ୱଳ । ବୈଜ୍ଞାନିକଟିଏ ନିରତ ସାଧନାରତ; ସେ ସତେକି ନାରଦଙ୍କର ମନ୍ତ୍ରଶିଷ୍ୟ । ସାହିତ୍ୟିକ ମଧ୍ୟ କାଳ କାଳ ଧରି ସତ୍ୟସନ୍ଧାନୀ । ଏଯାବତ୍ ସେ ହୁଏତ ନିତ୍ୟ ସତ୍ୟକୁ ଭେଟି ନାହିଁ ।

ଦର୍ଶନରେ ସତ୍ୟ, ଶିବ, ସୁନ୍ଦରର କଥା କୁହାଯାଇଛି । ବିଜ୍ଞାନର ମୂଳସୂତ୍ର ସତ୍ୟ ଉଦ୍‌ଘାଟନର ପ୍ରଚେଷ୍ଟା; ତା'ର ପରିଣତି ଶିବଚର୍ଯ୍ୟା, ଜନ ସମବାୟର ମଙ୍ଗଳବିଧାନ; ପ୍ରୟୋଗ ଭେଦରେ ତାହା ଅଶୁଭକୁ ଯେ ଡାକି ନ ଆଣେ, ତାହା କୁହାଯାଉ ନାହିଁ ।

ସାହିତ୍ୟର ମୂଳମନ୍ତ୍ର ସୁନ୍ଦରର ଆରାଧନା । ଜୀବନରେ ଶୁକ୍ଳିମାର ପ୍ରତିଷ୍ଠା । ଏହାର ମଧ୍ୟ ପରିଣତି ମଙ୍ଗଳ ସମ୍ପାଦନ ଓ ଶୁଭ ପ୍ରତିଷ୍ଠା । ଏରୂପେ ଦେଖିଲେ ଏ ଦୁଇଟିର ମାର୍ଗ ଅଲଗା; କିନ୍ତୁ ପରିଣତି ଏକ, ଲକ୍ଷ୍ୟ ଏକ ।

ଏଠାରେ ମନେରଖିବାକୁ ହେବ ଯେ, ସାହିତ୍ୟର ସତ୍ୟ ଓ ବିଜ୍ଞାନର ସତ୍ୟ ଏକ ନୁହେଁ-। ସାହିତ୍ୟିକ ସତ୍ୟର ଉଦ୍‌ଘାଟନପାଇଁ ଅନୁଭୂତିର ତଳାତଳ ଜଗତକୁ ଚାହିଁବାକୁ ପଡ଼େ । ଏଥିରେ ମଣିଷ ମନର କାଳ କାଳ ଧରି ସଞ୍ଚିତ ସ୍ମୃତି କଥା କହେ । ଅନୁଭୂତିକୁ କଳ୍ପନା ରଙ୍ଗେଇଦିଏ; ସରସ କରେ, ସୁନ୍ଦରଭାବେ ଉପସ୍ଥାପନା କରେ । ୱାର୍ଡସୱାର୍ଥଙ୍କ ପରି କବି ଇନ୍ଦ୍ରଧନୁଟିଏ ଦେଖି ତାକୁ ମଣିଷର ସ୍ମୃତିକୋଷରେ ରଖିବାର ଏମିତି ଉପାଦାନ ଭରିଦେଲେ ଯେ ପାଠକ ତାକୁ ଭୁଲିପାରେନା; ବେଳ ଅବେଳରେ ଇନ୍ଦ୍ରଧନୁ କଥା ସ୍ମରଣକରି ନିଷ୍ପାପ ବାଲ୍ୟଜୀବନକୁ ହୃଦଦର୍ପଣରେ ଦେଖୁଥାଏ; ଫଳରେ ସାହିତ୍ୟ ନିର୍ବିଶେଷତାର ଧ୍ୱଜା ଉଡ଼ାଏ ।

ବିଜ୍ଞାନୀ ମଣିଷ ପ୍ରୟୋଗଶାଳାରେ ସତ୍ୟକୁ ଖୋଜେ । ସତ୍ୟକୁ ରୂଢ଼ ବାସ୍ତବତା ଭିତରେ ପରଖିନେବାକୁ ଶ୍ରେୟ ମନେକରେ । ଏଥିପାଇଁ ତାକୁ ପର୍ଯ୍ୟବେକ୍ଷଣ କରିବାକୁ ପଡ଼େ । ସେ ସବିଶେଷତା ଉପରେ ଅଧିକ ଧ୍ୟାନଶୀଳ । ବିଜ୍ଞାନ ପର୍ଯ୍ୟାଲୋଚନା ବୀକ୍ଷଣ ଆଧାରିତ । ଏଥିରେ କଳ୍ପନା ଅପେକ୍ଷା ବାସ୍ତବତାକୁ ଗୁରୁତ୍ୱ ଦିଆଯାଏ । କବିବର୍ଣ୍ଣିତ ଇନ୍ଦ୍ରଧନୁ ଭିନ୍ନ ଭିନ୍ନ ମାନସରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସୃଷ୍ଟି କରିପାରେ । ବିଜ୍ଞାନୀ ଚକ୍ଷୁରେ ଇନ୍ଦ୍ରଧନୁ ଘନୀଭୂତ ଜଳୀୟବାଷ୍ପପୁଞ୍ଜରେ ସୂର୍ଯ୍ୟ ରଶ୍ମିର ପ୍ରତିଫଳନ ମାତ୍ର । ଏହା ହିଁ ‘ବାଘନୀସହଲାନା'ର ସପ୍ତରଙ୍ଗୀ ଇନ୍ଦ୍ରଧନୁ । ତ୍ରିକୋଣୀ କାଚରେ ବି ପ୍ରତିଫଳିତ ଇନ୍ଦ୍ରଧନୁକୁ ଦେଖିହୁଏ । ଏଣୁ ରୋମାଣ୍ଟିକ୍ ମାନସିକତା ଏଠି ଖାଟେନା; ପର୍ଯ୍ୟବେକ୍ଷଣ ଜନିତ ସତ୍ୟ ହିଁ ତା'ର ପୁଞ୍ଜି ।

ଊନବିଂଶ ଶତକର ଆଦ୍ୟଭାଗରେ ରୋମାଣ୍ଟିକ କବି ଶେଲି କବିତାକୁ ବିଜ୍ଞାନର ଭଗିନୀବୋଲି ଅଭିହିତ କରିଯାଇଛନ୍ତି; Science and her sister Poesy’ ବଚନିକାରେ ତାହା ସ୍ପଷ୍ଟ ହୋଇଛି; କିନ୍ତୁ ୱାର୍ଡସ୍‌ୱାର୍ଥଙ୍କପାଇଁ ବିଜ୍ଞାନ ଥିଲା ଆଦି-ଜ୍ଞାନ ଏବଂ କବିତା ଅନ୍ତିମ ଜ୍ଞାନ । ଔପନ୍ୟାସିକ ଡି.ଏଚ୍‌. ଲରେନ୍ସଙ୍କ ଧାରଣା ଥିଲା ଅଲଗା । ସେ କହୁଥିଲେ- ସାହିତ୍ୟ ହୃଦୟ ବୃତ୍ତି ପରି ଚିରନ୍ତନ । ହୃଦୟରୁ ହୃଦୟକୁ ତା'ର ଜୟଯାତ୍ରା । ଏହାର ଆବେଦନସ୍ଥଳ ହୃଦୟ; କିନ୍ତୁ ବିଜ୍ଞାନ ଜ୍ଞାନବୃତ୍ତିର କଥା କହେ । ପ୍ରଦୀପ୍ତ ଜ୍ଞାନଶକ୍ତି ହିଁ ତା'ର ଧେୟ । ଏହା ମସ୍ତିଷ୍କ ଆଧାରିତ । ଏଠାରେ ହୃଦୟବୃତ୍ତି କାମ ଦିଏନା । ଜ୍ଞାନ ହିଁ ଆବାଙ୍‌ମାନସ ଗୋଚର । ଏଣୁ ଲରେନ୍‌ସ କହୁଥିଲେ- ‘ଜ୍ଞାନ ଆଜି ମଣିଷକୁ ହତ୍ୟା କରିଛି; ସୂର୍ଯ୍ୟ ଏବେ କେବଳ ଦାଗବିଶିଷ୍ଟ ଏକ ବାଷ୍ପୀୟ ଗୋଲକ ମାତ୍ର । ଜ୍ଞାନ ଆଜି ଚନ୍ଦ୍ରଙ୍କୁ ହତ୍ୟା କରିଛି । ପରମ୍ପରାର ଆପୋଲୋ, ଡିମେଟର ପରସେଫୋନ ସମସ୍ତେ ଆଜି ବିଦାୟ ନେଇଛନ୍ତି । ଆମ ଚେତନାରୁ ଲଳିତ କଳ୍ପନା (Phantacy) ବେଳୁ ବେଳ ଲୋପ ପାଉଛି । ବିଜ୍ଞାନର ଘେର ଭିତରେ ଜୀବନ । ଲଳିତ କଳ୍ପନା ନିର୍ବିଶେଷ ମାନସିକତାକୁ ଜନ୍ମଦିଏ ।’

 

ଆଜି ସାହିତ୍ୟ କିପରି ବିଜ୍ଞାନ ଘେରରେ, ତା'ର କେତୋଟି ଦୃଷ୍ଟାନ୍ତ ନିଆଯାଇପାରେ । ସାହିତ୍ୟରେ ସ୍ୱଭାବବାଦ (Naturalism)ର ସ୍ୱର ବହୁ ସମୟରେ ଶୁଣାଯାଏ । ଏହି ସ୍ୱଭାବବାଦର ମୂଳସୂତ୍ର ଜୀବବିଜ୍ଞାନ । ସମକାଳର ହାରବର୍ଟ ସ୍ପେନସର, ଜନ ଷ୍ଟୁଆର୍ଟ ମିଲ୍ ପ୍ରମୁଖ ଚିନ୍ତାନାୟକଙ୍କୁ ବୈଜ୍ଞାନିକ ଅନୁଚିନ୍ତନ ପ୍ରଭାବିତ କରିଥିଲା । ସ୍ୱଭାବବାଦୀଙ୍କ ଦୃଷ୍ଟିରେ ମନୁଷ୍ୟ ଏକ ବସ୍ତୁରୂପେ ଗୃହୀତ ହେଲା । ମନୁଷ୍ୟର କାର୍ଯ୍ୟକଳାପ, ଚିନ୍ତାଧାରା ଭିତରେ ବଂଶାନୁକ୍ରମ ସୂତ୍ର ପରିବେଶ ଓ ମୁହୂର୍ତ୍ତରସ୍ୱରୂପ ନିର୍ଦ୍ଧାରିତ ହେଲା । ପାପପୁଣ୍ୟର ଭେଦରେଖା ସଂକୁଚିତ ହେଲା । ଲେଖକ ଓ ଡାକ୍ତରଙ୍କୁ ତୁଳନା କରାଗଲା । ଲେଖକ ମନୁଷ୍ୟର ମନକୁ ଖିନ୍‌ଭିନ୍ କରି ଦେଖେ, ବିଶ୍ଳେଷଣ କରେ । ତାକୁ କଳାକୃତିରେ ରୂପ ଦିଏ । ଅନ୍ୟ କଥାରେ କହିଲେ, ଲେଖକ ମଣିଷ ମନର ଛବି ଆଙ୍କେ । ମନର ଅସ୍ତ୍ରୋପଚାର କରେ ଓ ତା'ର ତଥ୍ୟ ଉପସ୍ଥାପନ କରିଥାଏ । ଡାକ୍ତରଟିଏ ମଣିଷର ଶରୀରର ଚିକିତ୍ସକ । ସେ ଆବଶ୍ୟକ ପଡ଼ିଲେ ଶରୀରକୁ ଖିନ୍‌ଭିନ୍ କରି ଦେଖେ । ସେ ଶରୀରର ଅସ୍ତ୍ରୋପଚାର କରିଥାଏ । ଏଣୁ ସାହିତ୍ୟିକ ଓ ବୈଜ୍ଞାନିକ ଭିତରେ ସାଦୃଶ୍ୟ ରହିଛି । ଜଣେ ଚେତନାର କଥା କହିଲା ବେଳେ ଅନ୍ୟଜଣକ ଦେହର ସମ୍ବାଦ ଜଣାଇଥାଏ । ତେବେ ଦେହ ମନ ସ୍ୱତନ୍ତ୍ର ବସ୍ତୁ ନୁହନ୍ତି ।

 

ସ୍ୱଭାବବାଦୀଙ୍କ ଦୃଷ୍ଟିରେ ସାହିତ୍ୟ ବୈଜ୍ଞାନିକ ପଦ୍ଧତି ନିୟନ୍ତ୍ରିତ ସାରସ୍ୱତ ଚିନ୍ତା । ମାକ୍ ଡୋୱାଲ୍ (A. Mac Dowal) ଏ କଥାକୁ ବିଶ୍ୱାସ କରୁଥିଲେ । ଏମିଲି ଜୋଲା ‘ଥେରେସି ରଙ୍କ୍ୱିନ’ (Therese Ranquin) ଉପନ୍ୟାସରେ ପ୍ରତିପାଦନ କରିବସନ୍ତି ଯେ ମଣିଷ କେବଳ ଜୀବନଟିଏ ମାତ୍ର । ସେଠି ସ୍ନାୟୁ ଓ ରକ୍ତର ଡାକକୁ ହିଁ ସ୍ୱୀକୃତି ମିଳିଥାଏ ; ଇଚ୍ଛାଶକ୍ତିବୋଲି କିଛି ନାହିଁ ; ବିଭିନ୍ନ ସ୍ଥିତି ଓ ପରିବେଶର ଦାସ । ବସ୍ତୁତଃ ସ୍ୱଭାବବାଦୀ ସାହିତ୍ୟ ମୁଖ୍ୟତଃ ବିଜ୍ଞାନର ଏକ ସାରସ୍ୱତୀ ପୋଷାକ ।

 

ସାହିତ୍ୟିକ ଓ ବୈଜ୍ଞାନିକ ପ୍ରତ୍ୟେକ ସୃଜନର ସ୍ୱପ୍ନ ଦେଖିଥାନ୍ତି । ସେମାନଙ୍କ ମାଧ୍ୟମରେ ବିଶ୍ୱର ଜ୍ଞାନ ଗବାକ୍ଷ ଉନ୍ମୋଚିତ ହୋଇଥାଏ । ଆଜିର ବୈଜ୍ଞାନିକ ନିଜେ ଗୋଟିଏ ଦର୍ପଣର ଘର ଭିତରେ ଠିଆ ହୋଇଛି । ଏ ଦର୍ପଣଗୁଡ଼ିକ ସେ ତିଆରି କରିଛି । ଏ ଦର୍ପଣଗୁଡ଼ିକ ଯେତିକି ସ୍ୱଚ୍ଛ ହେବ, ତା'ର ପ୍ରତିଫଳନ ସେତିକି ସଠିକ୍ ଓ ଉଜ୍ଜ୍ୱଳ ହେବ । ଏ କଥାଟି ବିଜ୍ଞାନୀମାତ୍ରେ ଅନୁଭବ କରିଥାଏ । ସାରସ୍ୱତ ସ୍ରଷ୍ଟାଟିଏ ତ କାଳକାଳ ଧରି ନିଜର ଆଇନା ଧରି ଉଭା ହୋଇଛି । ସେ ପାଠକ ଆଗରେ ମୁକୁରଟିଏ ଠିଆ କରାଇ ତହିଁରେ ନିଜର ମୁଖ ବି ନ ଦେଖେ, ତାହା ନୁହେଁ ।

 

‘ଥୋଇ ଏ ମୁକୁର ତୁମ୍ଭ ଆଗେ ଭାଇ

ନିଜ ମୁଖ ମୁଁ କି ନିଜେ ଦେଖୁ ନାଇଁ ।’

 

ବସ୍ତୁତଃ ନିଜର ସୃଷ୍ଟି ଦର୍ପଣରେ ମୁହଁ ଦେଖିଲେ ସ୍ରଷ୍ଟାମଣିଷଟି ଜଗତପାଇଁ ଶୁଭକାମୀ ହୋଇପାରେ । ସମସ୍ତ ଅଶୁଭତା ତା'ଠାରୁ ଦୂରେଇଯାଏ ।

 

ବର୍ତ୍ତମାନ ବିଜ୍ଞାନର ଧ୍ୱଂସମୁଖୀ ମାନସିକତା ଦେଖି ପ୍ରଫେସର ଗ୍ୟୋର୍ଗୀ କେପ୍‌ସ୍ (Gyorgy Kepes) ସୁନ୍ଦର କଥାଟିଏ କହିଯାଇଛନ୍ତି । ତାଙ୍କ ବକ୍ତବ୍ୟରେ ବୈଜ୍ଞାନିକର ସ୍ୱରୂପ ଉଦ୍‌ଘାଟିତ ହୋଇଛି । ସେ କହିଥିଲେ ଯେ ବୈଜ୍ଞାନିକ ବିଜ୍ଞାନ-ମାନସ, କବିର ହୃଦୟ ଓ ଚିତ୍ରକରର ଚକ୍ଷୁ ଥିବା ଦରକାର । ପୁଣି ତାଙ୍କର ତଥ୍ୟାଶ୍ରୟୀ ସ୍ୱଭାବ ଓ କାବ୍ୟିକ ଅନ୍ତଦୃଷ୍ଟିସମ୍ପନ୍ନ ମାନସିକତା ମଧ୍ୟ ରହିଥିବା ଉଚିତ ।

 

ଗୁଣାଗୁଣ ଦୃଷ୍ଟିରୁ ବିଚାର କଲେ ବୈଜ୍ଞାନିକ ଓ ଲେଖକର ସଧର୍ମତା ମଧ୍ୟ ଲକ୍ଷିତ ହୁଏ-। ଉଭୟ ସ୍ୱାଧୀନମନା; ଉଭୟେ ପରିବେଶକୁ ଆୟତ୍ତ କରିବାର ଶକ୍ତି ହାସଲ କରିଥାନ୍ତି । ସୋନେ ନିଜ କାମ ପ୍ରତି ସମ୍ପ୍ରୀତି ପ୍ରଦର୍ଶନ କରନ୍ତି, ଅଥଚ ନିଃସ୍ୱାର୍ଥପରଭାବେ କାର୍ଯ୍ୟ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ । ଲେଖକର ଯେପରି ଅଦମ୍ୟ ଆତ୍ମ-ଶକ୍ତିଟିଏ ଥାଏ, ବୈଜ୍ଞାନିକ ମଧ୍ୟ ମହାନ୍ ଆତ୍ମଶକ୍ତିର ଅଧିକାରୀ । ଏହା ସମୟେ ସମୟେ ଘୋର ଅହମିକା (Strong ego)ରେ ପରିଣତ ହୋଇଥାଏ ।

 

ବୈଜ୍ଞାନିକର ଆତ୍ମବିଶ୍ୱାସ ପ୍ରବଳ । ସେ ଏକାଧିକଥର ଗବେଷଣାରେ ବିଫଳ ହେଲେହେଁ ଗଭୀର ଆତ୍ମବିଶ୍ୱାସ ସହ କାମ କରିଥାଏ । ତଦ୍ଦ୍ୱାରା ତାକୁ ସାଫଲ୍ୟ ମିଳେ । ଲେଖକର ଆତ୍ମବିଶ୍ୱାସ ନ ଆସିଲେ ସାହିତ୍ୟସାଧନା ପଥରେ ଅଗ୍ରସର ହୋଇପାରେନା ।

 

ଏଠାରେ ସ୍ମରଣ କରାଯାଇପାରେ ଯେ ସାହିତ୍ୟିକଟି ବହୁ ସମୟରେ ଆବେଗ ମୁଖର । ଆବେଗର ପଦ୍ମବନରେ ତା'ର ବିହାର । ସେ ଆବେଗ ବିମୁକ୍ତି ଚାହିଁଲେ ମଧ୍ୟ ସେଇ ପଦ୍ମନାଡ଼ରେ ବେଳ ଅବେଳରେ ଛନ୍ଦି ହୋଇଯାଏ । ଆଧୁନିକ କବିତାକୁ ଆବେଗ ବିମୁକ୍ତିର କବିତା କହିଲେ ହେଁ ତହିଁରେ ଆବେଗ ନାହିଁବୋଲି କହିହେବ ନାହିଁ; କିନ୍ତୁ ବୈଜ୍ଞାନିକ ନିରୁଦ୍‌ବିଗ୍ନ ଓ ଆବେଗଶୂନ୍ୟ । ଆବେଗ କ୍ଷେତ୍ରରେ ସେ ସ୍ଥିତଧୀ । ପ୍ରାଥମିକ ପର୍ଯ୍ୟାୟରେ ତା' ପାଖରେ ଆବେଗର ଝଳକ ହୁଏତ ରହିଥାଏ । କିନ୍ତୁ ପର୍ଯ୍ୟାୟକ୍ରମେ ଆବେଗଶୂନ୍ୟ ମାନସିକତା ନେଇ କାମ କରିଥାଏ । ସାହିତ୍ୟିକ ପକ୍ଷରେ ତାହା ସମ୍ଭବ ହୋଇ ପାରେନା ।

 

ବୈଜ୍ଞାନିକ ଅନ୍ଧବିଶ୍ୱାସଠାରୁ ଦୂରରେ ରହେ । ଯୁକ୍ତି ହିଁ ତା'ର ଉପଜୀବ୍ୟ । କିନ୍ତୁ ସାହିତ୍ୟିକଙ୍କ ଭିତରୁ ଅନେକ ପ୍ରଚଳିତ ପ୍ରଥା ଓ ଜନମାନସ ପ୍ରତି ଶ୍ରଦ୍ଧାଶୀଳ । ଲୋକ-ମାନସରେ ଯେଉଁ ବିଶ୍ୱାସ ଓ ଭାବବୋଧ ରହିଥାଏ, ତାକୁ ସମ୍ମାନ ଦିଅନ୍ତି । ସତ୍ ଲେଖକଟିଏ ମଧ୍ୟ ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦିଏନା ।

 

ଖୋଲା ମନ ପ୍ରତ୍ୟେକ ସୃଜନକାମୀ ମଣିଷର ଚାରିତ୍ରିକ ଲକ୍ଷଣ । ବୟଃକ୍ରମରେ ଏହି ମୁକ୍ତ ମାନସିକତାର ତାରତମ୍ୟ ରହିଥାଏ । ଯୁବମାନସ ହିଁ ଖୋଲାମନ ବିକଶନର ସମୟ । ଏଣୁ ବିଜ୍ଞାନ କ୍ଷେତ୍ରରେ ଅଧିକାଂଶ ଯୁଗାନ୍ତକାରୀ ଉଦ୍ଭାବନ ଯୁବପିଢ଼ିର ବୈଜ୍ଞାନିକଙ୍କଦ୍ୱାରା ହିଁ ସମ୍ଭବ ହୋଇଛି । ଯୁବାବସ୍ଥାରେ ବିଜ୍ଞାନ ବ୍ୟକ୍ତିକୁ ଖୋଲାମନ ହେବାରେ ସହାୟତା କରେ । ସାହିତ୍ୟିକମାନେ ବୟଃବୃଦ୍ଧି ସଙ୍ଗେ ସଙ୍ଗେ ଅଧିକରୁ ଅଧିକ ମୁକ୍ତ ମାନସିକତା ପ୍ରଦର୍ଶନ କରନ୍ତି । ଅଭିଜ୍ଞତାର କ୍ଷେତ୍ର ପ୍ରସାରିତ ହେବା ସହିତ ମାନସିକ ଚେତନାର ବିସ୍ତୃତି ମଧ୍ୟ ଘଟିଥାଏ ।

 

ସୃଜନଶୀଳ ମନ ନ ଥିଲେ କେହି ବୈଜ୍ଞାନିକ ହୋଇପାରେନା । ସୃଜନୀଦୃଷ୍ଟି ତାକୁ ଅମିତ ମନ ଓ ମନନର ଅଧିକାରୀ କରିଦିଏ । ଫଳରେ ତା' ମନରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୁଏ । ତଦ୍ଦ୍ୱାରା ନୂତନ ଉଦ୍‌ଭାବନୀ ଶକ୍ତିର ଉତ୍ସ ଖୋଲିଯାଏ । କବିଙ୍କୁ ତ ଦ୍ୱିତୀୟ ଈଶ୍ୱରବୋଲି କୁହାଯାଏ-। ତା'ର ସାରସ୍ୱତ ସର୍ଜନା ବଳରେ ନୂତନ ପୃଥିବୀଟିଏ ସୃଷ୍ଟି କରିଦିଏ । ଏଣୁ ସାରସ୍ୱତସେବୀର ସୃଜନ ମାନସିକତାକୁ ପ୍ରଶ୍ନ କରାଯାଇପାରେନା । ଏରୂପେ ଦେଖିଲେ ବୈଜ୍ଞାନିକ ଓ ସାହିତ୍ୟିକ ଉଭୟ ସୃଜନୀଶକ୍ତିର ଅଧିକାରୀ । ଏ ଶକ୍ତି ବ୍ୟତିରେକେ ସମ୍ଭାବନାର କ୍ଷେତ୍ର ସୀମିତ ହୋଇ ଯାଇଥାଏ ।

 

କବିଙ୍କୁ କ୍ରାନ୍ତିଦ୍ରଷ୍ଟା କୁହାଯାଏ । ସେ ତିନିକାଳକୁ ଗୋଟିଏ ସୂତ୍ରରେ ଗୁନ୍ଥି ଦେଇପାରେ । କବିଙ୍କୁ ଏଣୁ ଋଷି ପର୍ଯ୍ୟାୟରେ ମଧ୍ୟ ଆସୀନ କରାଯାଇଛି । ସାହିତ୍ୟିକ ସମାଜର ପ୍ରତିଭୂ । ସେ ଉଚ୍ଚତମ ଚେତନାର ପ୍ରାଣ-ପ୍ରଦୀପ । ବିଜ୍ଞାନୀ ମଣିଷଟି ଜଗତର କାରିକାଶକ୍ତିର ପରିପ୍ରକାଶ । ଚେତନାର ଶିଖରଭାଗରେ ତା'ର ସ୍ଥିତି । ବସ୍ତୁତଃ ସମାଜ ଦର୍ପଣରେ ସାହିତ୍ୟ ଓ ବିଜ୍ଞାନ ଦୁଇଟି ଯୁଗ୍ମ ବିମ୍ବ ।

 

ସବୁଠୁ ମଜା କଥା ହେଲା ଲେଖକ କିମ୍ବା ବୈଜ୍ଞାନିକ କେବେ ବୁଢ଼ା ହୁଏନା । ସେମାନେ ସତତ ସୃଜନମୁଖର । ତା'ର ମାନସ ତାରୁଣ୍ୟର ଆଳୟ । ସେଠି ବାର୍ଦ୍ଧକ୍ୟର ଛାଇ ପଡ଼େନା । ଯେତେବେଳେ ବାର୍ଦ୍ଧକ୍ୟର ସ୍ପର୍ଶ ଲାଗେ ସେତେବେଳେ କବି ଲେଖକ ବଞ୍ଚି ରହି ବି ମୃତବତ୍ ପଡ଼ିରହନ୍ତି । ବୈଜ୍ଞାନିକ ବୟସକୁ ଖାତିର କରେନା । ସେ ଯୁବସୁଲଭ ଉଦ୍ଦାମତା ନେଇ କାମ କରିଚାଲେ । ଯେତେବେଳେ ସେ ତହିଁରୁ ନିଷ୍କ୍ରାନ୍ତ ହୁଏ, ସେତେବେଳେ ତା'ର ମାନସିକ ମୃତ୍ୟୁ ଆସିଯାଏ ।

 

ଏରୂପେ ବିଚାର କଲେ ସାହିତ୍ୟିକ ଓ ବୈଜ୍ଞାନିକ ଜଗତର ନୂତନ ଶକ୍ତିଭାବେ ଆତଯାତ ହେଉଛନ୍ତି ଓ ହୋଇଆସିଛନ୍ତି । ସଭ୍ୟତାର ଅଗ୍ରଗତି ଓ ନବାୟନରେ ଉଭୟଙ୍କର ଭୂମିକା ସ୍ୱୀକାର୍ଯ୍ୟ ।

 

ସାହିତ୍ୟ ଓ ବିଜ୍ଞାନ ହେଉଛି ବାଗ୍‌ଦେବୀଙ୍କ ବୀଣାର ଦୁଇଟି ତାର । ତେବେ ଏ ବୀଣାବାଦକମାନେ ଏମାନଙ୍କର ବ୍ୟବହାର କଲାବେଳେ ଯଥାସମ୍ଭବ ସଜାଗ ହେବା ବିଧେୟ । ଏସମ୍ପର୍କରେ ଜଣେ ନୋବେଲ ପୁରସ୍କାରବିଜେତା ବୈଜ୍ଞାନିକଙ୍କ ଉକ୍ତିକୁ ଉଦ୍ଧାର କରାଯାଇପାରେ ।

 

‘ବିଜ୍ଞାନ ହେଉଛି ଏକ ଉତ୍ତମ ବୀଣା । ଏହା ପୃଥିବୀରେ ସର୍ବୋତ୍ତମ ବୀଣା; କିନ୍ତୁ ଏହାର ବାଦନ କରିବାକୁ ହେଲେ ଜଣେ ସଙ୍ଗୀତଜ୍ଞ ହେବାକୁ ପଡ଼ିବ; ତା'ର ସଙ୍ଗୀତ- ମାନସିକତା ଥିବ, ସେ ସଙ୍ଗୀତ ଜାଣିଥିବ, ନଚେତ୍ ଅନ୍ୟ ବୀଣା ପରି ତାହା ବେସୁରା ବାଜିପାରେ ।’ ବସ୍ତୁତଃ ବିଜ୍ଞାନବୀଣାକୁ ବାଦନ କରିବାକୁ ହେଲେ ସଙ୍ଗୀତ ସାଧନା ଓ ସାରସ୍ୱତ ଦୃଷ୍ଟି ରହିଥିବା ଆବଶ୍ୟକ-

 

କବିଙ୍କୁ ଦ୍ୱିତୀୟ ଈଶ୍ୱରବୋଲି ଅଭିହିତ କରାଯାଇଛି । ସେ ଜଗତସ୍ରଷ୍ଟାଙ୍କ ପରି ନୂତନ ଜଗତଟିଏ ସୃଷ୍ଟି କରେ । ସୁବିଶାଳ ବିଶ୍ୱ ସାରସ୍ୱତ ସ୍ରଷ୍ଟାର ଉପଜୀବ୍ୟ । ‘ଏ ବିଶାଳ ବିଶ୍ୱସୃଷ୍ଟି ସର୍ବତ୍ର ତୁମରି ରାଜ୍ୟ’ ବୋଲି କବିଙ୍କୁ ବଧେଇ ଜଣାଯାଇଥାଏ । ପଲ୍ ସୁଇଙ୍ଗଙ୍କ ପରି ବୈଜ୍ଞାନିକ ଅଜବ ତାରାଙ୍କୁ ଖୋଜୁ ଖୋଜୁ ବି କହିଉଠନ୍ତି- ‘ବିଜ୍ଞାନର ସୀମା ନାହିଁ, ସରହଦ ନାହିଁ । ଆକାଶଟି ସଭିଙ୍କର । ସର୍ବେ ତାରାଙ୍କୁ ଦେଖନ୍ତି, ମୁଁ ବି ସେଇ ତାରାଙ୍କୁ ଖୋଜୁଛି ।' ଏହି ଖୋଜିବାଟା ହିଁ ବୈଜ୍ଞାନିକର ନିଶା । ଲେଖକଟିଏ ମଧ୍ୟ କାଳ କାଳ ଧରି ମଣିଷକୁ ଖୋଜୁଛି । ତା'ର ମଣିଷ ଖୋଜା ଏଯାଏ ସରି ନାହିଁ । ଏଣୁ ପୃଥିବୀ ସାହିତ୍ୟ ସରେନା ।

 

ସତ୍ୟ ଅନ୍ୱେଷା ହିଁ ସମସ୍ତଙ୍କର ଭବିତବ୍ୟ । ସାହିତ୍ୟିକ ହେଉ, ବିଜ୍ଞାନୀ ହେଉ ପ୍ରତ୍ୟେକେ ସୃଜନଶୀଳ ସ୍ରଷ୍ଟା । ସଭ୍ୟତାର ଅଗ୍ରଗତିରେ ସାହିତ୍ୟ କାଳ କାଳ ଧରି ଅଗ୍ରଣୀ ଭୂମିକା ଗ୍ରହଣ କରିଆସିଛି । ଏବେ ବୈଜ୍ଞାନିକମାନେ ସଭ୍ୟତାର ଅଗ୍ରଗତି ଘଟାଇବା ସହିତ ସାଂସ୍କୃତିକ ପୃଷ୍ଠପଟକୁ ଦୋହରାଇ ଦେଉଛନ୍ତି । ତାଙ୍କର ଗବେଷଣାବଳରେ ନାନା ପ୍ରବିଧିଗତ କୌଶଳ ହାସଲ ହୋଇପାରୁଛି । ପ୍ରବିଧି ବା ଟେକ୍‌ନିକ୍‌ର ଅଗ୍ରଗତି ସହିତ ସମାଜ ସ୍ୱଚ୍ଛନ୍ଦ ହେଉଛି । ପାର୍ଥିବ ଅଭିବୃଦ୍ଧି ସାଧିତ ହେଉଛି, ମଣିଷକୁ ସମୟ ମିଳୁଛି, ତା'ପାଇଁ ବିଶ୍ୱ ବେଳୁବେଳ ଛୋଟ ହୋଇଯାଉଛି । ମଣିଷର ମେଦିନୀ ଦୃଷ୍ଟି ପ୍ରସାରିତ ହେଉଛି ।

 

ଏଇଠି ପୁଣି ମନେରଖିବାକୁ ହେବ ଯେ ବୈଜ୍ଞାନିକ ପ୍ରତିଭା ଦେଶ, କାଳ ବା ବର୍ଣ୍ଣବୈଷମ୍ୟକୁ ଖାତିର କରେନା । ସେ ସର୍ବଜନଗ୍ରାହ୍ୟ ପ୍ରାଣପୁରୁଷ ପାଲଟିଯାଏ । ଲେଖକଟି ମଧ୍ୟ ସର୍ବତ୍ର ଆଦର ପାଏ । ତା'ର ଜାତି ନାହିଁ । ତା'ର ଭାଷା ଜଗତର ଭାଷା । ସେ ଗୋଟିଏ ଭାଷାରେ ଲେଖିଲେହେଁ ତା'ର ଭାବନାରେ ସମଗ୍ର ମଣିଷ ଜାତିର ଚିନ୍ତାଚେତନା ରୂପ ପାଏ ।

 

ହୋମରଙ୍କ ଓଡ଼େସୀ, ଏଲିଆଡ଼୍, ବ୍ୟାସଙ୍କ ମହାଭାରତ, ଗ୍ରୀକ୍ ବା ଭାରତର ଜୀବନବାଣୀ ନ ହୋଇ ହୋଇଛି ସମଗ୍ର ମନୁଷ୍ୟ ଜାତିର ଜୀବନଚିତ୍ର । ସେକ୍ସପିୟର ନାଟକାବଳୀରେ ଇଂଲଣ୍ଡର କଥା କେବଳ କହି ନାହାନ୍ତି, କହିଛନ୍ତି ସମଗ୍ର ମନୁଷ୍ୟର କଥା । କାଳିଦାସଙ୍କ ନାଟକାବଳୀରେ ପ୍ରାକ୍ତନ ଭାରତର ଜନଜୀବନର ଚିତ୍ର ନ ଫୁଟି ଫୁଟିଛି ମାନବୀୟ ଚେତନାର ଅମୃତ ବାର୍ତ୍ତା । ଠିକ୍ ସେହିପରି ନିଉଟନ୍ ହୁଅନ୍ତୁ ବା ଆଇନ୍‌ଷ୍ଟାଇନ୍ ହୁଅନ୍ତୁ ତାଙ୍କର ଉଦ୍ଭାବନଦ୍ୱାରା ଦେଶବିଶେଷର କଲ୍ୟାଣ ନ କରି ଦେଇଯାଇଛନ୍ତି ମାନବପାଇଁ ଜ୍ଞାନଚକ୍ଷୁ । ଫଳରେ ଦିନୁଦିନ ବିଶ୍ୱର ନବନବ ଉଦ୍‌ଭାବନ ସମ୍ଭବ ହେଉଛି । ମନୁଷ୍ୟର ଜୀବନଭୂମି ପ୍ରସାରିତ ହେଉଛି । ଏଣୁ ବିଜ୍ଞାନ ଓ ସାହିତ୍ୟ ଦୁଇଟି ବିପରୀତମୁଖୀ ମେରୁ ନୁହନ୍ତି; ଉଭୟ ଉଭୟର ପରିପୂରକ ।

 

ସାହିତ୍ୟିକ ହୁଅନ୍ତୁ ବା ବୈଜ୍ଞାନିକ ହୁଅନ୍ତୁ, ସେମାନଙ୍କର ଜୀବନଜିଜ୍ଞାସା ରହିବା ବିଧେୟ । ଜିଜ୍ଞାସା ବଳରେ ସେମାନେ ବେଳୁବେଳ ଜଗତକୁ ଚିହ୍ନନ୍ତି, ଜୀବନକୁ ଭେଟନ୍ତି; ସତ୍ୟକୁ ସାମ୍‌ନା କରିବାକୁ ଶିଖନ୍ତି । ଯେଉଁ ବ୍ୟକ୍ତି ସତ୍ୟକୁ ଜାଣିବାକୁ ପ୍ରୟାସ କରେନା ସେ ସାହିତ୍ୟିକ ହୋଇପାରେନା କିମ୍ବା ବୈଜ୍ଞାନିକ ହେବାର କ୍ଷମତା ମଧ୍ୟ ହାସଲ କରିବା ତା’ ପକ୍ଷେ ସମ୍ଭବ ହୁଏନା-। ଏଣୁ ସାହିତ୍ୟ ଓ ବିଜ୍ଞାନକୁ ମାନବୀୟ ଚେତନାର ଦୁଇଟି ପ୍ରରୋହ ବୋଲାଯାଇପାରେ ।

 

ଉପନିଷଦ ବର୍ଣ୍ଣିତ ଦ୍ୱା-ସୁପର୍ଣ୍ଣ। ପରି ଗୋଟିଏ ନିଶ୍ଚଳ ରହି ବି ଅନେକ କଥା କହେ; ଅନ୍ୟଟି ସଚଳ ହୋଇ ଜୀବନର ଆଖ୍ୟାନ ଗାଇଚାଲେ । ସାହିତ୍ୟ ଓ ବିଜ୍ଞାନ ଠିକ୍ ସେହିପରି । ସାହିତ୍ୟ ଭୂମି ଓ ଭୂମାର କଥା କହେ । ବିଜ୍ଞାନର ଭୂମି ହିଁ ପରମ ତୀର୍ଥ । ଏହାହିଁ ତା'ର ନିତ୍ୟ ବୃନ୍ଦାବନ । ତଥାପି ସାହିତ୍ୟ ଓ ବିଜ୍ଞାନକୁ ମାନବୀୟ ଚେତନାର ଦୁଇଟି ପ୍ରରୋହ କହିବାରେ କୌଣସି ବାଧା ନାହିଁ ।

•••

 

ଧର୍ମ-ସଂକଟ

ଡକ୍ଟର ଗୌରାଙ୍ଗଚରଣ ନାୟକ

 

ମାନବସମାଜର ଇତିହାସରେ ଅର୍ଥନୀତି, ରାଜନୀତି, ବାଣିଜ୍ୟ କିମ୍ବା ଅନ୍ୟାନ୍ୟ କ୍ଷେତ୍ରରେ ଯେଉଁ ଏକସମୟରେ କୌଣସି ପରିବର୍ତ୍ତନ, ବିପତ୍ତି ବା ସଂଶୟ ଉପସ୍ଥିତ ହୋଇ କିଛି ନିଷ୍ପତ୍ତି ଗ୍ରହଣ କରିବାର ଆବଶ୍ୟକତା ପଡ଼େ, ସେହି ସମୟକୁ ‘ସଂକଟ' ଆଖ୍ୟା ଦିଆଯାଇଥାଏ । ଉଦାହରଣ ସ୍ୱରୂପ- ଯେଉଁ ମୁହୂର୍ତ୍ତରେ ଗୋଟିଏ ରୋଗ ହୁଏ ଉପଶମ ନଚେତ୍ ମୃତ୍ୟୁ ସୂଚନା ଦିଏ, ସେହି ମୁହୂର୍ତ୍ତଟିକୁ ଆମ୍ଭେମାନେ ‘ସଂକଟ'ବୋଲି ଅଭିହିତ କରିଥାଉ ।

 

ଯେତେବେଳେ କୌଣସି ସଙ୍କଟ ସମ୍ପର୍କରେ ଆମ୍ଭେମାନେ ଚିନ୍ତାକରୁ, ସେତେବେଳେ ସେହିପରି ସଂକଟକୁ ଅପେକ୍ଷାକୃତ ବୃହତ୍ତର ପରିପ୍ରେକ୍ଷୀରେ ମଧ୍ୟ ବିଚାରକୁ ନେବା ଆବଶ୍ୟକ ହୋଇଥାଏ । ଗୋଟିଏ ଦେଶରେ ଉପୁଜିଥିବା ଖାଦ୍ୟସଂକଟ ସମ୍ପର୍କରେ ସେହି ଦେଶର ଅର୍ଥନୈତିକ ପରିସ୍ଥିତିର ବିଚାର କଲାବେଳେ ଉକ୍ତ ସଂକଟକୁ କେବଳ ସେହି ଦେଶର ଦୃଷ୍ଟିକୋଣରୁ ପରୀକ୍ଷା ନ କରି ବରଂ ଅନ୍ୟାନ୍ୟ ଦେଶବିଦେଶର ଅବସ୍ଥା ସହିତ ତୁଳନାପୂର୍ବକ ସାମଗ୍ରିକ ବିଶ୍ୱ ଦୃଷ୍ଟିକୋଣରୁ ବିଚାର କରିବା ବାଞ୍ଛନୀୟ ହୋଇଥାଏ । ନତୁବା ଆମ୍ଭମାନଙ୍କର ବିଚାର ସୀମିତ ତଥା ବିଭ୍ରାନ୍ତ ହେବା ସ୍ୱାଭାବିକ । ତେଣୁ ଯେତେବେଳେ ଭାରତର କୌଣସି ସଂକଟ ସମ୍ପର୍କରେ ଆମ୍ଭେମାନେ ଅନୁଧ୍ୟାନ କରିବା, ସେତେବେଳେ ଅନ୍ୟାନ୍ୟ ଦେଶରେ ସେହି ସଂକଟଜନକ ପରିସ୍ଥିତି ଅର୍ଥାତ୍ ବିଶ୍ୱ-ପରିସ୍ଥିତିର ସାମଗ୍ରିକ ପରିପ୍ରେକ୍ଷୀରେ ତହିଁର ଆଲୋଚନା ଆବଶ୍ୟକ । ଭାରତୀୟ ଧର୍ମ- ସମ୍ପର୍କରେ ମଧ୍ୟ ଏପ୍ରକାର ବିଚାର ସମାନଭାବେ ପ୍ରଯୁଜ୍ୟ । ଭାରତରେ ଧର୍ମ- ସଂକଟକଥା ଆଲୋଚନା କରିବାପୂର୍ବରୁ ବିଶ୍ୱଧର୍ମର ସାମଗ୍ରିକ ପରିସ୍ଥିତିରେ ଏହାରସ୍ୱରୂପ ବିଶ୍ଳେଷଣ କରିବା ବିଧେୟ ଏବଂ ଏଥିପାଇଁ ଧର୍ମର କେବଳ ଏକ କାର୍ଯ୍ୟକାରୀ ସଂଜ୍ଞାନିରୂପଣ ସର୍ବାଦୌ କର୍ତ୍ତବ୍ୟ, ଯଦିଓ ବିଭିନ୍ନ ଲୋକଙ୍କପାଇଁ ଧର୍ମର ଅର୍ଥ ବିଭିନ୍ନ ହୋଇପାରେ ।

 

ଅବଶ୍ୟ ଏହା ସତ୍ୟ ଯେ ସବୁ ଧର୍ମ ତଥା ସଂପ୍ରଦାୟଦ୍ୱାରା ସ୍ୱୀକୃତ ହେଲାଭଳି ଧର୍ମର ଏକ ସର୍ବବାଦିସମ୍ମତ ସଂଜ୍ଞାନିରୂପଣ ଅସମ୍ଭବ ଏବଂ ଏହି ପ୍ରସଙ୍ଗରେ ବିଶିଷ୍ଟ ପାଶ୍ଚାତ୍ୟ ଦାର୍ଶନିକ ଉଇଟଗେନଷ୍ଟାଇନ୍‌ଙ୍କର ‘ପାରିବାରିକ ସାଦୃଶ୍ୟ' ବିଷୟକ ସିଦ୍ଧାନ୍ତ ଆମ ବିଚାରକୁ ହୁଏତ ସାହାଯ୍ୟ କରିପାରେ । କିନ୍ତୁ ଏଠାରେ ଏତିକି କହିଲେ ଯଥେଷ୍ଟ ହେବ ଯେ ଧର୍ମସମ୍ପ୍ରଦାୟମାନଙ୍କରେ ଘୋଷିତ ସଂଜ୍ଞା ସମ୍ପର୍କୀୟ ମତଭେଦ ବିଶ୍ୱଧର୍ମରେ ସଂକଟ ବିଷୟକ ଆଲୋଚନାରେ ପ୍ରତିବନ୍ଧ ହୋଇ ନ ପାରେ । ଏହିପରି ଏକ ଆଲୋଚନାତ୍ମକ ଅନୁଧ୍ୟାନପାଇଁ କେବଳ ଜନପ୍ରିୟ ଧାର୍ମିକ ଜୀବନଧାରାର ଅବତାରଣା କରାଯିବା ପର୍ଯ୍ୟାପ୍ତହେବ । ଧର୍ମ- ଦର୍ଶନଗ୍ରନ୍ଥର ପ୍ରଣେତା ଏଚ୍‌.ଡି. ଲୁଇସ୍‌ଙ୍କ ମତରେ-

 

‘ପାଠକମାନେ ଧର୍ମଶବ୍ଦରୁ କ'ଣ ବୁଝିବେ, ନିର୍ଣ୍ଣୟ କରିବା ହୁଏତ କଷ୍ଟସାଧ୍ୟ ନୁହେଁ । ଖୁବ୍ ସମ୍ଭବତଃ ଧର୍ମ କହିଲେ ସେମାନଙ୍କ ମନକୁ କେତେକ ମନ୍ଦିର, ଚର୍ଚ୍ଚ ଇତ୍ୟାଦି ଯେଉଁଠାରେ ପୂଜା ଅର୍ଚ୍ଚନା କରାଯାଏ ତାହା ହିଁ ଆସିବ । ଏହିସବୁ ଧର୍ମାନୁଷ୍ଠାନ ସହିତ ତହିଁର ପୂଜକ, ଯାଜକ ତଥା ପ୍ରଚାରକମାନେ ନିବିଡ଼ଭାବେ ସଂପୃକ୍ତ । ଏମାନେ ବିଶେଷ ବିଶେଷ ପୋଷାକ ପରିଧାନ କରନ୍ତି ଏବଂ ଅନୁଷ୍ଠିତ ପୂଜା-ଅର୍ଚ୍ଚନାରେ ଯୋଗ ଦିଅନ୍ତି । ଏମାନଙ୍କ ପରିଧେୟ ନାନାପ୍ରକାରର ହୋଇଥାଏ କିମ୍ବା ଗୋଟିଏ ନିର୍ଦ୍ଦିଷ୍ଟ ଆକାର ପ୍ରକାରର ହୋଇଥାଏ । ଯେପରି ଖ୍ରୀଷ୍ଟଧର୍ମଯାଜକମାନେ ଗୋଲ ବେକ ବିଶିଷ୍ଟ ଅପେକ୍ଷାକୃତ ଗମ୍ଭୀର ପୋଷାକ ପିନ୍ଧନ୍ତି । ଖ୍ରୀଷ୍ଟିଆନ୍‌- ଧର୍ମରେ ବ୍ୟବହୃତ ପୋଷାକର ଅନୁରୂପ ପୋଷାକମାନ ମଧ୍ୟ ଅନ୍ୟାନ୍ୟ ଧର୍ମଗୋଷ୍ଠୀରେ ବ୍ୟବହୃତ ହୋଇଥାଏ ।’

 

ଧର୍ମକୁ ‘ପବିତ୍ର-ଧାରଣା' ‘ସାମଗ୍ରିକ ତଥା ଗଭୀର ମୂଲ୍ୟାୟନ' ‘ନିରଙ୍କୁଶ ମୂଲ୍ୟବୋଧର ଅଭିଚେତନା' ଆଦି ସଂଜ୍ଞା ପ୍ରଦାନ କରିବା ହୁଏତ ଧର୍ମ ସମ୍ପର୍କୀୟ ଆଭିଜାତ୍ୟ- ସମ୍ପନ୍ନ ବୋଧର ବିଭିନ୍ନ ଉଦାହରଣ ହୋଇପାରେ । କିନ୍ତୁ ଦାର୍ଶନିକ ଲୁଇସ୍‌ଙ୍କ ବର୍ଣ୍ଣନା ଅନୁଯାୟୀ କେବଳ ଧାର୍ମିକ ଜୀବନର କେତେକ ବିଶେଷ ଲକ୍ଷଣପ୍ରତି ଦୃଷ୍ଟିପାତ କଲେ ଏହା ସ୍ପଷ୍ଟ ପ୍ରତିଭାତ ହେବ ଯେ ସାମ୍ପ୍ରତିକ ଧର୍ମଜଗତରେ ଏକ ନିଶ୍ଚିତ ସଂକଟର ସୂତ୍ରପାତ ହୋଇଅଛି । ଏହି ସଂକଟ କେବଳ ଭାରତରେ ନୁହେଁ, ବରଂ ସମଗ୍ର ବିଶ୍ୱରେ ଏକ ସାମୂହିକ ରୂପ ଗ୍ରହଣ କରିଛି, ଏହା ନିଶ୍ଚିତ ଏବଂ ନିଃସନ୍ଦେହ । ବର୍ତ୍ତମାନର ଯୁଗ-ଚେତନା ସାମଗ୍ରିକଭାବେ ଅଧାର୍ମିକ, ଧର୍ମନିରପକ୍ଷ ଏବଂ କେତେକ ମାତ୍ରାରେ ଧର୍ମବିରୋଧୀବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହିପରି ଯୁକ୍ତି ଯେ କେବଳ କମ୍ୟୁନିଷ୍ଟଶାସିତ ରାଷ୍ଟ୍ରସମୂହ ପ୍ରତି ଉଦ୍ଦିଷ୍ଟ ତାହା ନୁହେଁ; ବରଂ ସମଗ୍ର ବିଶ୍ୱର ବିଭିନ୍ନ କମ୍ୟୁନିଷ୍ଟ ତଥା ଅଣକମ୍ୟୁନିଷ୍ଟ ଭୂଖଣ୍ଡପ୍ରତି ମଧ୍ୟ ଏହା ପ୍ରଯୁଜ୍ୟ । ଏହା ହିଁ ସମସ୍ତ ରାଜ୍ୟ ତଥା ଦେଶର ସାମ୍ପ୍ରତିକ ଚଳଣିବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରଖ୍ୟାତ ଇଂରେଜ ସମାଜବିଜ୍ଞାନୀ ଡାଭିଡ୍ ମାର୍ଟିନ୍‌ଙ୍କର ନିମ୍ନଲିଖିତ ମତ ଏହି ପ୍ରସଙ୍ଗରେ ଯଥାର୍ଥବୋଲି ମନେ ହୁଏ । ମାର୍ଟିନ୍ କହନ୍ତି- ‘କେହି ପସନ୍ଦ କରନ୍ତୁ ବା ନ କରନ୍ତୁ ଏକଥା ନିଶ୍ଚୟ କରି କୁହାଯାଇପାରେ ଯେ ଧର୍ମ ଅବଲୁପ୍ତ ହେବାକୁ ବସିଲାଣି ଏବଂ ଏହାର ଅର୍ଥ ହେଲା ଚର୍ଚ୍ଚ, ମଠ, ତଥା ମନ୍ଦିରଗୁଡ଼ିକ ସାମାଜିକ ଜୀବନରେ କ୍ରମଶଃ ସ୍ୱଳ୍ପ ପ୍ରଭାବ ବିସ୍ତାର କରୁଛି । ଏହି ପ୍ରକ୍ରିୟା ଏତେ ସୁସ୍ପଷ୍ଟ ଯେ, ଏହା ଜାଣିବାଲାଗି ସମାଜଶାସ୍ତ୍ରୀୟ ଅଧ୍ୟୟନ ଲୋଡ଼ା ନାହିଁ ।’ ମାର୍ଟିନ୍‌ଙ୍କ ମତରେ ବୁଲ୍‌ଗେରିଆ ପ୍ରଭୃତି ଦେଶମାନଙ୍କରେ ଧର୍ମର ପୁନରୁତ୍‌ଥାନ ଅପେକ୍ଷା ଧର୍ମସଂରକ୍ଷଣ ପ୍ରଶ୍ନ ଅଧିକ ଗୁରୁତ୍ୱପୂର୍ଣ୍ଣ । ଏହି ପରିସ୍ଥିତିର ଏକ ସାମାଜିକ ଅନୁଧ୍ୟାନ କରି ମାର୍ଟିନ୍ କହନ୍ତି- ‘ଧର୍ମର ସ୍ୱରୂପ ସମ୍ପର୍କରେ ପରିଷ୍କାର ଧାରଣା ପୋଷଣ କରିବାପାଇଁ ଆମକୁ ପ୍ଲୋବ୍‌ଡିଭ୍‌ର ନିରୀଶ୍ୱର ଅଭିଲେଖାଗାରକୁ ଯିବାକୁ ପଡ଼ିବ । ଏଠାରେ ଧର୍ମଧାରଣାକୁ ଦୁର୍ବଳ ମଣିଷର ସାନ୍ତ୍ୱନାବୋଲି କୁହାଯାଇଥାଏ । ତା' ଛଡ଼ା ଏହି ମତାନୁସାରେ, ସନ୍ଥ ପଲ୍‌ଙ୍କ ଭଳି ତତ୍‌କାଳୀନ ସମାଜର ପ୍ରତିକ୍ରିୟାଶୀଳ ବ୍ୟକ୍ତିଙ୍କଦ୍ୱାରା ପ୍ରଚାରିତ ଯୀଶୁଖ୍ରୀଷ୍ଟଙ୍କ ସମ୍ପର୍କୀୟ କେତେକ କପୋଳକଳ୍ପିତ ରହସ୍ୟକୁ ଆଶ୍ରୟ କରି ଖ୍ରୀଷ୍ଟଧର୍ମ ପ୍ରତିଷ୍ଠା ଲାଭ କରିଛି । ଉକ୍ତ ଅଭିଲେଖାଗାରର ସବୁଠାରୁ ଆକର୍ଷଣୀୟ ଦୃଶ୍ୟସମ୍ଭାରଭାବେ ପୃଥିବୀକୁ ଘେରିରହିଥିବା ଦୁଇଟି ସ୍ଫୁଟ୍‌ନିକ୍‌ର ଚିତ୍ର ଦେଖିବାକୁ ମିଳେ । ସେହି ଚିତ୍ରର ନିମ୍ନଭାଗସ୍ଥ ଏକ ଫଳକରେ ନିମ୍ନଲିଖିତ ଉକ୍ତି ଖୋଦିତ ହୋଇଥିବାର ଦେଖିବାକୁ ମିଳେ- ‘ରୁଷ କିମ୍ବା ଆମେରିକାବାସୀ କେହି ହେଲେ ଭଗବାନଙ୍କୁ ଖୋଜି ପାଇପାରି ନାହାନ୍ତି ।’ ଯୁକ୍ତରାଷ୍ଟ୍ର ଆମେରିକା ଭଳି ଅନ୍ୟ ଯେଉଁଠାରେ ଧାର୍ମିକ ସ୍ଥିତି ଏତେ ବିପନ୍ନ ନୁହେଁ, ସେଠାରେ ମଧ୍ୟ ଶିକ୍ଷାର ସନ୍ତୋଷଜନକ ଅଗ୍ରଗତି ସଙ୍ଗେ ସଙ୍ଗେ ନିର୍ବୋଧ ଧର୍ମଧାରଣା ବେଦନାନାଶକ ପ୍ରଭାବ ଆଉ ରହିବ ନାହିଁ ବୋଲି ଦୃଢ଼ ଆଶା ପୋଷଣ କରାଯାଇପାରେ । ଅବଶ୍ୟ ମାର୍ଟିନ୍‌ଙ୍କ ମତାନୁସାରେ ଅ-ଧାର୍ମିକ ଚିନ୍ତାଧାରାର ପ୍ରବର୍ତ୍ତକଗଣ ହିଁ ଧର୍ମର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଏପ୍ରକାର ଧାରଣା ପୋଷଣ କରନ୍ତି ।

 

ଭାରତ ଭଳି ଦେଶରେ, ଯେଉଁଠାରେ ରାଜନୈତିକ ପରିପ୍ରେକ୍ଷୀରେ ଧର୍ମନିରପକ୍ଷତା ସ୍ୱୀକୃତ ହୋଇଥିଲେ ହେଁ ଧର୍ମକୁ ଏକ ବିଶିଷ୍ଟ ସାମାଜିକ ଶକ୍ତିଭାବରେ ଗ୍ରହଣ କରାଯାଏ ସେଠାରେ ମଧ୍ୟ ଅବସ୍ଥା ତଦ୍ରୂପ ଅର୍ଥାତ୍ ଧର୍ମର ପ୍ରଭାବ କ୍ରମଶଃ ଲୋପ ପାଇବାକୁ ବସିଛି । ପୁଣି ଯେଉଁ ଦେଶମାନଙ୍କରେ ଚଳିତ ବିଂଶ ଶତାବ୍ଦୀର ଶେଷଭାଗରେ ସୁଦ୍ଧା ଧର୍ମାନ୍ଧତା କିମ୍ବା ଧାର୍ମିକ ପ୍ରଗଳ୍‌ଭତା ସୁସ୍ପଷ୍ଟ, ସେମାନଙ୍କ ସମ୍ପର୍କରେ ମଧ୍ୟ ସେହି ଏକାକଥା ପ୍ରଯୁଜ୍ୟ । ଚର୍ଚ୍ଚକୁ ଯାଉଥିବା ଜଣେ ଯୁବତୀ ଛାତ୍ରୀ ସହିତ ମାର୍ଟିନ୍‌ଙ୍କ କଥୋପକଥନ ଏଠାରେ ଉଲ୍ଲେଖଯୋଗ୍ୟ । ମାର୍ଟିନ୍ ସେହି ଯୁବତୀଟିକୁ ଚର୍ଚ୍ଚକୁ ଯିବାର ଉଦ୍ଦେଶ୍ୟ ସମ୍ପର୍କରେ ପ୍ରଶ୍ନ କରିବାରୁ ଯୁବତୀ ଜଣକ ଉତ୍ତର ଦେଲା : ‘ମୁଁ ଜାଣେନା ଏଠାରେ ଈଶ୍ୱର ଅଛନ୍ତି କି ନା, ତେବେ ମୁଁ ଏଠାରେ ମହମବତିଟିଏ ଜାଳିବାଲାଗି, ନୀରବରେ ଚିନ୍ତା କରିବାପାଇଁ ଏବଂ ଚର୍ଚ୍ଚ- ସଙ୍ଗୀତ ଶୁଣିବାକୁ ନିୟମିତ ଆସେ ।’ ଆମ ଦେଶର ଶିକ୍ଷିତ ଯୁବକ-ଯୁବତୀଙ୍କ ପ୍ରତି ମଧ୍ୟ ଏହି ଉକ୍ତିଟି ପ୍ରଯୁଜ୍ୟ । ପ୍ରଚଳିତ ମୃତପ୍ରାୟ ଧର୍ମଧାରଣା ଓ ପୂଜା-ପଦ୍ଧତି ଇତ୍ୟାଦିରେ ଏଠାକାର ଯୁବସମ୍ପ୍ରଦୟର ଆଗ୍ରହ ସେହିପରି ଅତ୍ୟନ୍ତ କ୍ଷୀଣ ତଥା କ୍ଷଣସ୍ଥାୟୀ । କେବଳ ଭାରତରେ ନୁହେଁ, ପୃଥିବୀର ପ୍ରାୟ ସବୁ ଅଞ୍ଚଳରେ ଧର୍ମ ଓ ଧାର୍ମିକ ଜୀବନଯାପନର ଅବସ୍ଥା ଏହିପରି । ଧର୍ମ ସଦାସର୍ବଦା ପୁରାତନ ବିଧିବିଧାନ, ଚିରାଚରିତ ପଦ୍ଧତି ତଥା ଅପରିବର୍ତ୍ତନୀୟ କ୍ରିୟାକଳାପକୁ ହିଁ ବୁଝାଇଆସୁଅଛି । ଏପରି ମନ୍ତବ୍ୟ ହୁଏତ ଧର୍ମର ପ୍ରଶଂସା ନ ହୋଇ ନିନ୍ଦାବୋଲି ଭାବିବା ସ୍ୱାଭାବିକ; କିନ୍ତୁ ଏହା ହିଁ ସ୍ୱାଭାବିକ ଏବଂ କଠୋର ସତ୍ୟ । ଅନ୍ୟତମ ଅକ୍‌ସଫୋର୍ଡ ସମାଜବିଜ୍ଞାନୀ ବ୍ରିୟାନ୍ ଉଇଲ୍‌ସନ୍ ତାଙ୍କ ପ୍ରଦତ୍ତ ରିଡେଲ୍ ସ୍ମୃତି ବକ୍ତୃତାମାଳାରେ ଯଥାର୍ଥରେ କହିଛନ୍ତି- ଏହି ଧାରଣ ହିଁ ପ୍ରକୃତପକ୍ଷେ କହିଲେ ଆଧୁନିକ ଯେ ଆମ୍ଭେମାନେ ଇଚ୍ଛାକୃତଭାବେ ସମାଜର ଚରିତ୍ରରେ ତଥା ଜୀବନଯାପନ- ପ୍ରଣାଳୀରେ ପରିବର୍ତ୍ତନ ଆଣିପାରିବୁ । ସାମ୍ପ୍ରତିକ ସମାଜରେ ଅର୍ଥନୀତି, ରାଜନୀତି, ଲୋକ-ଜୀବନ, ଶିକ୍ଷା ଏପରିକି ଆମୋଦପ୍ରମୋଦ-କ୍ଷେତ୍ରରେ ମଧ୍ୟ ଆମ୍ଭେମାନେ ପରିବର୍ତ୍ତନର ଧାରାସହିତ ସଂଶ୍ଳିଷ୍ଟ । ଏପ୍ରକାର ସ୍ୱେଚ୍ଛାକୃତ ତଥା ଅନିଚ୍ଛାକୃତ ପରିବର୍ତ୍ତନର ଧାରାପ୍ରତି ଆସ୍ଥାବାନ୍ ହେବାଦ୍ୱାରା ନିର୍ଦ୍ଧାରିତ ଯୋଜନାନୁମୋଦିତ ଭବିଷ୍ୟତ ସମାଜ ଗଠନ କରିବାରେ ଆମର ବିଶ୍ୱାସ ଦୃଢ଼ୀଭୂତ ହୁଏ । ପରିବର୍ତ୍ତନ ହିଁ ଅଧୁନାତନ ସମାଜର ପ୍ରଧାନ ତଥା ଏକମାତ୍ର ମୂଲ୍ୟରୂପେ ଗୃହୀତ ହେଉଅଛି । ଆମ ସମାଜର ବିଭିନ୍ନ ଅନୁଷ୍ଠାନମାନଙ୍କରେ ଆନ୍ତର୍ଜାତିକକ୍ଷେତ୍ରଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନସ୍ତର ପର୍ଯ୍ୟନ୍ତ ସେହି ପରିବର୍ତ୍ତନର ଧାରା ହିଁ ସର୍ବତ୍ର ଗ୍ରହଣଯୋଗ୍ୟ ହେଉଅଛି । ସେହି ନୀତିଉପରେ ପର୍ଯ୍ୟବସିତ ଆମର ବିଶ୍ୱାସଦ୍ୱାରା ହିଁ ଆମେ ଦୈନନ୍ଦିନ ଜୀବନରେ କେବଳ ଅତ୍ୟାଧୁନିକ ପଦାର୍ଥ କିଣିବାକୁ ଉତ୍ସାହିତ ହୋଇଥାଉ; କିନ୍ତୁ ଧର୍ମରାଜ୍ୟରେ ‘ନୂତନ'ବୋଲି ବିଜ୍ଞାପନମୂଳକ କୌଣସି ପ୍ରଚାର ଦେଖିବାକୁ ମିଳେ ନାହିଁ । ଚର୍ଚ୍ଚ ବା ଧର୍ମାନୁଷ୍ଠାନମାନଙ୍କରେ ପୁରାତନ, ସନାତନ, ଅନାଦି ଇତ୍ୟାଦି କଥାର ହିଁ ପ୍ରଚଳନ ଖୁବ୍ ବେଶୀ । ତେଣୁ ପୁରାତନ ପ୍ରଚଳିତ ଧର୍ମଧାରଣା ସାମାଜିକ ପ୍ରଗତିରେ ଅପେକ୍ଷାକୃତ କମ୍ ପ୍ରଭାବ ପକାଇପାରୁଛି । ଆଧୁନିକ ମଣିଷକୁ ବଦଳାଇଦେବାରେ ବା ତା' ହୃଦୟରେ ଗଭୀର ରେଖାପାତ କରିବାରେ ଏହି ଧର୍ମ ଆଉ ସାହାଯ୍ୟ କରୁନାହିଁ । ସମାଜରେ ଅତିଭୌତିକ ଚିନ୍ତାଧାରାର ନିଷ୍ପ୍ରୟୋଜନତା ଦୃଷ୍ଟିରୁ ଧର୍ମବିଶ୍ୱାସୀମାନେ ସାମାଜିକ ଜୀବନରେ ଧର୍ମବିଶ୍ୱାସର କୌଣସି ପ୍ରୟୋଗ କରିପାରୁ ନ ଥିବା ସ୍ଥଳେ ସେମାନଙ୍କ ନିଜ ଜୀବନରେ ମଧ୍ୟ ଅନେକାଂଶରେ ଏହାର ଅନାବଶ୍ୟକତା ହିଁ ପ୍ରତିପାଦିତ ହେଉଛି । କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଧର୍ମର ସାମ୍ପ୍ରତିକ ସମସ୍ୟା ଓ ପରିସ୍ଥିତି ଏହିପରି । ଧର୍ମଗତ ସଂକଟ କେବଳ ଭାରତପକ୍ଷରେ ନୁହେଁ ସମଗ୍ର ମାନବସମାଜ ପକ୍ଷରେ ଏକ ସଂକଟବୋଲି ବୁଝିବାକୁ ହେବ । ଏପରି ସ୍ଥଳେ ଏହି ସଂକଟର ବିଚାର ସାମଗ୍ରିକ ଦୃଷ୍ଟିକୋଣରୁ ହିଁ ଯଥାର୍ଥଭାବେ କରାଯାଇପାରେ । ଏହି ଧର୍ମ ସଂକଟ ସମ୍ପ୍ରତି ମଣିଷର ସଂକଟ ଏବଂ ଏକ ସାମ୍ପ୍ରତିକ ସାମାଜିକ ସମସ୍ୟା ।

 

ଏଠାରେ ଗୋଟିଏ ପ୍ରଶ୍ନ ଉଠିପାରେ- ଭାରତରେ ଧର୍ମ-ସଂକଟର କ'ଣ କିଛି ବିଶେଷତ୍ୱ ନାହିଁ ? ଏହା କ'ଣ ସତ୍ୟ ନୁହେଁ ଯେ ଭାରତ-ଭୂଖଣ୍ଡରେ ଅତୀତରେ ଅନେକ ସଂକଟର ସୂତ୍ରପାତ ହୋଇଛି ଏବଂ ଏସବୁ ସଂକଟ ସତ୍ତ୍ୱେ ଓ ବହୁବିଧ ପରିବର୍ତ୍ତନ ସତ୍ତ୍ୱେ ଭାରତୀୟ ସମାଜ ଅପରିବର୍ତ୍ତିତ ତଥା ଅନାକ୍ରାନ୍ତ ରହିଆସିଅଛି ? ଏହା କ'ଣ ସତ୍ୟ ନୁହେଁ ଯେ ଭାରତୀୟ ଜୀବନପ୍ରବାହରେ ପରିବର୍ତ୍ତନର ସ୍ରୋତ ସତ୍ତ୍ୱେ ସାମାଜିକ ତଥା ମାନବିକ ମୂଲ୍ୟବୋଧ ପ୍ରତି ଭାରତୀୟ ମଣିଷର ବିଶ୍ୱାସ କେତେକାଂଶରେ ଅତୁଟ ରହିଛି ? ହିନ୍ଦୁ-ଚେତନାରେ ଧର୍ମ ନାମରେ ଅଭିହିତ ଏହି ପ୍ରକାର ଚେତନା ଯେ କେବଳ ମତାନ୍ଧତାପର୍ଯ୍ୟବସିତ କେତେକ ଧାର୍ମିକ କ୍ରିୟାକଳାପ ବା ପୂଜା-ପଦ୍ଧତି ମାତ୍ର -ଏହା କ'ଣ ସତ୍ୟ ? ତା'ହେଲେ ଧର୍ମ କ'ଣ ? ଏହା କ'ଣ ସତ୍ୟ ନୁହେଁ ଯେ ହିନ୍ଦୁ ଚିନ୍ତାଧାରାରେ ଧର୍ମ କହିଲେ କେତେକ ଶାଶ୍ୱତ, ଅପରିବର୍ତ୍ତନୀୟ ନୀତିନିୟମକୁ ବୁଝାଏ, ଯାହାକି ସମାଜକୁ ଧରିରଖିଛି ବା ଏକସୂତ୍ରରେ ବାନ୍ଧିରଖିଛି ? ମାତ୍ର ଏପରି ନୀତିନିୟମ କ'ଣ ଚିରକାଳପାଇଁ ସବୁ ସ୍ଥଳରେ ସମାନଭାବେ କାର୍ଯ୍ୟକାରୀ ହୋଇ ରହିପାରେ ? ହିନ୍ଦୁ ଧର୍ମଶାସ୍ତ୍ରମାନଙ୍କରେ ମଧ୍ୟ ଧର୍ମର ସଂଜ୍ଞା, ଅର୍ଥ ତଥା ତାତ୍ପର୍ଯ୍ୟ ବିଭିନ୍ନ ସମୟରେ ବିଭିନ୍ନ ରୂପ ନେଇ ବର୍ଣ୍ଣିତ ହୋଇଥିବାର ବହୁଳ ପ୍ରମାଣ ମିଳେ । ଧର୍ମର ଲକ୍ଷଣାର୍ଥ ସମୟ ଓ ସାମାଜିକ ଆବଶ୍ୟକତାକୁ ଭିତ୍ତି କରି ପରିବର୍ତ୍ତିତ ହୋଇଆସୁଛି- ଏହା ଏକ ନିଶ୍ଚିତ ସତ୍ୟ । ତତ୍କାଳୀନ ସମାଜରେ ଅନୁସୃତ ନୀତିନିୟମାନୁଯାୟୀ ଶୂଦ୍ର ଯୋଗ୍ୟ- ତପସ୍ୟା କରିବାକୁ ଅଯୋଗ୍ୟ ବିବେଚିତ ହେଉଥିବାରୁ ବାଲ୍ମୀକି- ବର୍ଣ୍ଣିତ ଧର୍ମ ସଂସ୍ଥାପକ ରାଜା ରାମଚନ୍ଦ୍ର- ଯେ କି ସ୍ୱୟଂ ଧର୍ମର ଅବତାରବୋଲି କଥିତ- ଶୂଦ୍ର ଶମ୍ବୁକର ଶିରଚ୍ଛେଦନ କରିଥିଲେ । ଅଧର୍ମୀ ଶୂଦ୍ରକୁ ହତ୍ୟା କରିବାର ଆବଶ୍ୟକତା ଧାର୍ମିକ ରାମଚନ୍ଦ୍ରଙ୍କ ପକ୍ଷରେ ଅନିବାର୍ଯ୍ୟ ଥିଲା । ଏଭଳି ଧର୍ମଗତ ନୀତିନିୟମ ହୁଏତ ସେହି ସମୟର ସମାଜରେ ଏକ ଆବଶ୍ୟକତା ଥିଲା, କିନ୍ତୁ ତାହା ଯେ ସବୁସମୟରେ ଯେକୌଣସି ପରିସ୍ଥିତିରେ ଜାଗତିକ ପରିପ୍ରେକ୍ଷୀରେ ଗ୍ରହଣୀୟ ହେବ- ଏପରି ଭାବିବା ଅଯୌକ୍ତିକ । ଏହା ସମାଜକୁ ବଞ୍ଚିରହିବା ବା ବଢ଼ିବାରେ ସାହାଯ୍ୟ କଲାଭଳି ଏକ ଶାଶ୍ୱତ ପଦ୍ଧତିରୂପେ ଆଦୌ ଗ୍ରହଣୀୟ ହୋଇ ନ ପାରେ । ଯେହେତୁ ଏପ୍ରକାର ନୀତିର ଯଥାର୍ଥତା ସୀମିତ, ଏହା ଆମ୍ଭମାନଙ୍କର ସାମ୍ପ୍ରତିକ ସମାଜ ଓ ମଣିଷ ପ୍ରତି ବାଧ୍ୟତାମୂଳକ ହୋଇନପାରେ । ଧର୍ମବିଶ୍ୱାସ ତଥା ଧର୍ମଧାରଣାରେ ତା' ହେଲେ କେଉଁଠି ଚିରନ୍ତନ, ଶାଶ୍ୱତ ତଥା ଅପରିବର୍ତ୍ତନୀୟ ମୂଲ୍ୟବୋଧ ଅନ୍ତର୍ନିହିତ ଅଛି ? ବରଂ ଧର୍ମ ଓ ଅଧର୍ମ ମଧ୍ୟରେ ଥିବା ସୂକ୍ଷ୍ମ ପ୍ରଭେଦାତ୍ମକ ସୀମାରେଖା ଅତି ଅସ୍ପଷ୍ଟ ଏବଂ କେତେକ ସ୍ଥଳରେ କାଳ୍ପନିକ- ଏହା ସ୍ୱୀକାର କରିବାକୁ ପଡ଼ିବ । ରାମାୟଣ-ଯୁଗରେ ରାବଣ ମଧ୍ୟ ‘ସୀତା-ଅପହରଣ'ପରି କୁତ୍ସିତ ଅପକର୍ମକୁ ସ୍ୱଧର୍ମାନୁମୋଦିତବୋଲି ଘୋଷଣା କରିଛି-। ବାଲ୍ମୀକି ରାମାୟଣ ସୁନ୍ଦରକାଣ୍ଡର ଏକ ଶ୍ଳୋକ ଏଠାରେ ଉଲ୍ଲେଖଯୋଗ୍ୟ ।

‘ସ୍ୱଧର୍ମୋ ରକ୍ଷସାଂ ଭୀରୁ ସର୍ବଦୈବ ନ ସଂଶୟଃ ।

ଗମନଂ ବା ପରସ୍ତ୍ରୀଣାଂ ହରଣଂ ସଂପ୍ରମଥ୍ୟ ବା ।’

ଏଠାରେ ରାବଣ ସୀତାଙ୍କୁ ବୁଝାଇବାକୁ ଯାଇ କହୁଛି- ‘ହେ ଭୀରୁ ! ରାକ୍ଷସମାନଙ୍କର ସର୍ବଦା ଏହା ହିଁ ସ୍ୱଧର୍ମ ଯେ ସେମାନେ ବଳାତ୍କାରପୂର୍ବକ ପର ସ୍ତ୍ରୀ ହରଣ କରିଥାନ୍ତି ଏବଂ ପରସ୍ତ୍ରୀ ଅଭିଗମନ କରନ୍ତି ।’ ଏହି ସବୁ ବିଚାରରୁ ଏହା ସ୍ପଷ୍ଟ ଅନୁମିତ ହୁଏ ଯେ ଧର୍ମ ନାମରେ ଯେ କୌଣସି ନିରର୍ଥକ ତଥା ନିର୍ବୋଧତାପର୍ଯ୍ୟବସିତ ନୀତିସମୂହର ମଧ୍ୟ ପ୍ରଚଳନ କରାଯାଇପାରେ । ଶାନ୍ତି ପରିବର୍ତ୍ତେ ଯୁଦ୍ଧକୁ ଧାର୍ମିକ ପ୍ରକ୍ରିୟାରୂପେ ଗ୍ରହଣ କରାଯାଇପାରେ, ଯେପରି କି ମହାଭାରତରେ କରାଯାଇଅଛି । ଶ୍ରୀକୃଷ୍ଣ ଧର୍ମ ନାମରେ ହିଁ ଅର୍ଜୁନଙ୍କୁ ଯୁଦ୍ଧ କରିବାଲାଗି ଡାକରା ଦେଇଛନ୍ତି । ଶ୍ରୀକୃଷ୍ଣଙ୍କର ଏତାଦୃଶ ବିଚାର ପ୍ରମାଦଶୂନ୍ୟ କି ନୁହେଁ ସେକଥାର ଅବତାରଣା କରିବା ଅବଶ୍ୟ ଏଠାରେ ଆମର ଲକ୍ଷ୍ୟ ନୁହେଁ । ଏଠାରେ ଗଭୀର ଅନୁଧ୍ୟାନର ବିଷୟ ଏହି ଯେ ଚିରକାଳପାଇଁ ଧର୍ମକୁ ଏକ ଧରାବନ୍ଧା ନୀତିନିୟମର ଖସଡ଼ା ବା ଧର୍ମଗ୍ରନ୍ଥକୁ ଏକ ଅପରିବର୍ତ୍ତିତ ବା ଅପରିବର୍ତ୍ତନୀୟ ସାମାଜିକ ସମ୍ବିଧାନବୋଲି ଆଖ୍ୟା ଦେବା ଆଦୌ ଯୁକ୍ତି ଯୁକ୍ତ ନୁହେଁ । ଏପରି ମନୋଭାବ କଳ୍ପନାଶ୍ରୟୀ; କାରଣ ଏପରି ଏକ ଏକକ ଧର୍ମ ବା ଧର୍ମରାଜିର ସମ୍ମିଶ୍ରଣ ଦୃଷ୍ଟିଗୋଚର ହୁଏ ନାହିଁ ଯାହା ଅବାରିତଭାବେ ମାନବସମାଜକୁ ନିୟନ୍ତ୍ରଣ କରିପାରିବ । ପରମ୍ପରା ତଥା ସମୟାନୁକ୍ରମେ ସମାଜପତି ତଥା ନୀତିବାଗୀଶଭାବେ କିଛି ଲୋକଙ୍କଦ୍ୱାରା ପ୍ରଣୀତ କେତେକ ସାମାଜିକ ନୀତିନିୟମ ପରସ୍ପରବିରୋଧୀ ହୋଇଥିଲେ ମଧ୍ୟ ଧର୍ମର ଅନ୍ତର୍ଭୁକ୍ତ ହୋଇ ରହିଆସିଛି । ଏହା ଅତୀତର ଧର୍ମାନୁଶାସନପ୍ରତି ଯେପରି ପ୍ରଯୁଜ୍ୟ ସାମ୍ପ୍ରତିକ ସାମାଜିକ ପରିସ୍ଥିତିପ୍ରତି ମଧ୍ୟ ସେହିପରି ପ୍ରଯୁଜ୍ୟବୋଲି ଜାଣିବାକୁ ହେବ । ଡାଭିଡ୍ ମାର୍ଟିନ୍ ଯଥାର୍ଥରେ ଦର୍ଶାଇଛନ୍ତି ଯେ ଅତୀତରେ ଏବଂ ବର୍ତ୍ତମାନ ମଧ୍ୟ ସାମାଜିକ କ୍ରିୟାକଳାପରେ ବିଚାରହୀନତା ହିଁ ସର୍ବଦା ପ୍ରଭାବ ବିସ୍ତାର କରିଆସିଅଛି । ତାଙ୍କ ମତରେ ସାମାଜିକ ଜୀବନରେ ଅନର୍ଥକ ବାକ୍‌ସମ୍ଭାର ତଥା ମିଥ୍ୟାଭାଷଣର ଭୂମିକା ଯେ ଅତି ଗୁରୁତ୍ୱପୂର୍ଣ୍ଣ ଏଥିରେ ସନ୍ଦେହର ଅବକାଶ ନାହିଁ । ଏପରି ସ୍ଥଳେ ଧର୍ମକୁ ଏକ ସାମାଜିକ ଶକ୍ତିରୂପେ ଏତେଟା ଗୁରୁତ୍ୱ ଦିଆଯାଇ ନ ପାରେ । ଅବଶ୍ୟ ଧର୍ମବିଷୟକ କାଳ୍ପନିକ କଥାବସ୍ତୁ ହୁଏତ କୌଣସି ସମାଜ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଇପାରେ ଏବଂ ସେହି ଅର୍ଥରେ ଧର୍ମକୁ ସମାଜର ଏକ ଅପରିହାର୍ଯ୍ୟ ଅଙ୍ଗରୂପେ ଚିତ୍ରଣ କରାଯାଇପାରେ । କିନ୍ତୁ ଏକଥା ମନେ ରଖିବାକୁ ହେବ ଯେ କାଳ୍ପନିକ କଥାବସ୍ତୁଗୁଡ଼ିକ ଅପରିବର୍ତ୍ତନୀୟ ନୁହେଁ ଏବଂ ଗୋଟିଏ କାଳ୍ପନିକ ଧାରଣା ପରବର୍ତ୍ତୀ ଅନ୍ୟ ଏକ ଅଭିନବ କଳ୍ପନାଶ୍ରୟୀ ପ୍ରତ୍ୟୟଦ୍ୱାରା ସମ୍ପୂର୍ଣ୍ଣରୂପେ ବିତାଡ଼ିତ ହୋଇ ଅନୁପଯୋଗୀ ତଥା ତୁଚ୍ଛ ବିବେଚିତ ହୋଇପାରେ । ତେଣୁ ଏହି ଯୁକ୍ତି ଅନୁଯାୟୀ ଏକଥା ସ୍ୱୀକାର କରିବାକୁ ହେବ ଯେ କଳ୍ପନାଶ୍ରିତ ଧର୍ମଧାରଣାକୁ ଘେନି ଶାଶ୍ୱତ, ଚିରନ୍ତନ ତଥା ଅପରିବର୍ତ୍ତନୀୟ ଏକକ-ନୀତିଗତ ପରମ୍ପରା ସୃଷ୍ଟି କରିବା ଅସମ୍ଭବ । ବିଶେଷତଃ ସାମ୍ପ୍ରତିକ ସାମାଜିକ ପରିସ୍ଥିତିରେ ମୂଲ୍ୟବୋଧ ସତତ ପରିବର୍ତ୍ତନଶୀଳ ତଥା କେବଳ ଏକ ନିର୍ଦ୍ଦିଷ୍ଟ ପରିପ୍ରେକ୍ଷୀରେ ହିଁ ବୋଧଗମ୍ୟ ହେଉଥିବା ସ୍ଥଳେ ଏବଂ ଏହାର କୌଣସି ସାର୍ବଜନୀନ ରୂପରେଖ ନ ଥିବା ଦୃଷ୍ଟିରୁ ଧର୍ମଗତ ମୂଲ୍ୟବୋଧକୁ ଘେନି କୌଣସି ସାମୂହିକ ଚିରାଚରିତ ନୀତିପ୍ରଣୟନ ବାସ୍ତବାଭିମୁଖୀ ହୋଇ ନ ପାରେ ।

ଏପରି ସ୍ଥଳେ ଆମ୍ଭମାନଙ୍କର ଆଗ୍ରହ ଏବଂ ଅନାଗ୍ରହର ଊର୍ଦ୍ଧ୍ୱରେ ଧର୍ମରେ ଯେଉଁ ସଂକଟ ଅଧୁନା ପରିଦୃଶ୍ୟମାନ ହେଉଅଛି, ତାହା ଏକ ନିଷ୍ଠୁର ସତ୍ୟ ଏବଂ ଏହି ସତ୍ୟ ହିନ୍ଦୁଧର୍ମ ପ୍ରତି ମଧ୍ୟ ପ୍ରଯୁଜ୍ୟ । ଧର୍ମ କ'ଣ ଏହି ସଂକଟର ସମ୍ମୁଖୀନ ହୋଇ ଏହାର ସମାଧାନ କରିପାରିବ ? ଯଦି ଏହି ସମାଧାନ ସମ୍ଭବ, ତେବେ କି ଉପାୟରେ? ଏହି ସଂକଟକୁ ଅତିକ୍ରମ କରି ତିଷ୍ଠି ରହିବା ଧର୍ମ ପକ୍ଷରେ କେତେ ଦୂର ସମ୍ଭବ, ଧର୍ମର କେଉଁ କେଉଁ ବିଭାବ ଏହି ସଂକଟକୁ ଜୟ କରିପାରିବ ଏବଂ କେଉଁ କେଉଁ ବିଭାବ ଏହି ସଂକଟରେ ବିଲୟ ଭଜିବ ? ଧର୍ମସଂକଟ ବିଚାରାଲୋଚନାର ପରିସର ମଧ୍ୟରେ ଏହି ସବୁ ପ୍ରଶ୍ନ ସ୍ୱାଭାବିକଭାବେ ଜାଗ୍ରତ ହୁଏ । ଏସବୁକୁ ଆମ୍ଭେମାନେ କିପରିଭାବେ ସମାଧାନ କରିବାକୁ ଅଗ୍ରସର ହେବା ?

ସାମ୍ପ୍ରତିକ ସାମାଜିକ ପରିପ୍ରେକ୍ଷୀରେ ମତାନ୍ଧତା, ଅହେତୁକୀ ବିଶ୍ୱାସ, ଆଶ୍ଚର୍ଯ୍ୟାନୁଭୂତି- ପର୍ଯ୍ୟବସିତ ପୁରାତନ କଳେବର-ପରିହିତ ଧର୍ମକୁ ଆଉ ହୁଏତ ଗ୍ରହଣ କରିନେବାର ସମୟ ନାହିଁ-। ଭାରତବର୍ଷରେ ମଧ୍ୟ ସେହି ଏକ ସମସ୍ୟା ଓ ସମାନ ପରିସ୍ଥିତି ବିଦ୍ୟମାନ । ଜନମାନସରେ ରହସ୍ୟବାଦୀ ଚିନ୍ତାଧାରାର ପ୍ରଭାବ କ୍ରମଶଃ ହ୍ରାସ ପାଇବାରେ ଳାଗିଛି । ଦେଶର ସର୍ବତ୍ର ଉଚ୍ଚ ଶିକ୍ଷାର ପ୍ରସାର ହୋଇଅଛି ଏବଂ ହେଉଅଛି ମଧ୍ୟ । ରାଷ୍ଟ୍ର ତଥା ଆନ୍ତର୍ଜାତିକ ସ୍ତରରେ କାମଚଳା ବେପାରୀ ମନୋବୃତ୍ତି ହିଁ ମାନବଚରିତ୍ର ତଥା ଆଚାର ବ୍ୟବହାରକୁ ନିୟନ୍ତ୍ରଣ କରୁଅଛି । ଏହା ସତ୍ତ୍ୱେ ମୋ ମତରେ ଧର୍ମରେ ଏପରି କିଛି ଉପାଦାନ ରହିଛି ଯାହାକି ପ୍ରବୁଦ୍ଧମାନବର ଦୃଷ୍ଟି ଆକର୍ଷଣ କରିପାରେ, ଯଦି ତା'ର ସ୍ୱରୂପ ସଠିକ୍‌ଭାବେ ପରିବେଷଣ କରାଯାଏ । ଏହି ପ୍ରସଙ୍ଗରେ ମୁଁ ଧର୍ମରେ ଅନ୍ତନିର୍ହିତ ସାଧାରଣତା ବା ସାମାନ୍ୟତାବାଦୀ ଚିନ୍ତାଧାରାଗୁଡ଼ିକ ପ୍ରତି ସମଗ୍ର ମାନବସମାଜର ଦୃଷ୍ଟି ଆକର୍ଷଣ କରିବା ଯୁକ୍ତିଯୁକ୍ତବୋଲି ମନେ କରେ । ବର୍ତ୍ତମାନର ଯୁଗଚେତନା ନିଃସନ୍ଦେହଭାବେ ସାମାନ୍ୟ ବା ସାଧାରଣବାଦୀ ଚିନ୍ତାଧାରାର ଦ୍ୟୋତକ । ହିନ୍ଦୁ ଧର୍ମ ସମେତ ବିଶ୍ୱର କେତେକ ପ୍ରାଚୀନ ତଥା ମୁଖ୍ୟ ଧର୍ମ ପରମ୍ପରାରେ ଏହିପ୍ରକାର ସାମାନ୍ୟତାବାଦୀ ଚିନ୍ତାଧାରାର ପ୍ରତିଧ୍ୱନି ନିକ୍ୱଣିତ ହେଉଥିବାର ଯଥେଷ୍ଟ ପ୍ରମାଣ ମିଳେ । ଏହି ସାମାନ୍ୟତାବାଦ ବା ସାଧାରଣତାବାଦ ହିଁ କାଳଜୟୀ ହୋଇପାରେ- ଏପରି ଭାବନା ନିହାତି ଅମୂଳକ ନୁହେଁ । ଏପରି ସ୍ଥଳେ ବର୍ତ୍ତମାନର ଧର୍ମ ସଂକଟକୁ ଜୟ କରିବାର ସାମର୍ଥ୍ୟ ଧର୍ମପରମ୍ପରାରେ ଅନ୍ତନିର୍ହିତ ଏହି ସାମାନ୍ୟତା ବା ସାଧାରଣତାବୋଧରେ ହିଁ ଅଛିବୋଲି ଏକ ପ୍ରକଳ୍ପ ଉପସ୍ଥାପନ କରିବା ଏଠାରେ ସମୀଚୀନ ମନେ ହୁଏ । ଯଦି ସାଧାରଣତାବାଦରେ ନିର୍ଦ୍ଦିଷ୍ଟ ସ୍ଥାନ ନିରୂପଣପୂର୍ବକ ତଦନୁଯାୟୀ ମୂଲ୍ୟବୋଧ ସୃଷ୍ଟି କରାଯାଇପାରେ ତା’ହେଲେ ଏହା ଧର୍ମ ସଂକଟ ଦୂର କରିବାରେ ସମର୍ଥ ହେବବୋଲି ଆଶା କରିବା ନିହାତି ଭୁଲ୍ ହେବ ନାହିଁ ।

ଅଯୋଧ୍ୟାର ଯୁବରାଜ ରାମଚନ୍ଦ୍ର ଶବରୀ-କୁଡ଼ିଆରେ ଅତିଥି ହୁଅନ୍ତି ଏବଂ ସେ ଚାଖି ଅଇଁଠା କରିଥିବା ଫଳ ଆହାର କରନ୍ତି; ଦ୍ୱାରକାଧିପତି ଶ୍ରୀକୃଷ୍ଣ ଦରିଦ୍ର ବ୍ରାହ୍ମଣ ସୁଦାମାଠାରୁ ଖୁଦଭଜା ଗ୍ରହଣ କରିନିଅନ୍ତି ଏବଂ ତାହା ତାଙ୍କପାଇଁ ଖୁବ୍ ସୁସ୍ୱାଦୁପୂର୍ଣ୍ଣ ମନେହୁଏ । ଏପରିକି ଏହି ଖାଦ୍ୟ ମହାଲକ୍ଷ୍ମୀଙ୍କଦ୍ୱାରା ପରିବେଶିତ ସୁମିଷ୍ଟ ଭୋଜନଠାରୁ ମଧ୍ୟ ଅଧିକ ପ୍ରୀତିଭାଜନ ହୋଇଥାଏ-। ମହାଲକ୍ଷ୍ମୀ ଜଣେ ସାଧାରଣ ମହିଳା ଶ୍ରୀୟା ଚଣ୍ଡାଳୁଣୀର ପବିତ୍ରତାରେ ଆଗ୍ରହୀ ହୋଇ ତା'ର ପୂଜା ଗ୍ରହଣ କରନ୍ତି । ଅତି ନଗଣ୍ୟ ଦାସିଆ ବାଉରି ହାତରୁ ନାରିବେଳ ଗ୍ରହଣ କରିନିଅନ୍ତି ନିଜେ ନାରାୟଣ, ଯେ କି ଦେବଦେବୀମାନଙ୍କଠାରୁ ଅଶେଷ ଧୂପଦୀପ ନୈବେଦ୍ୟଭରା ପୂଜା ପାଆନ୍ତି ରତ୍ନସିଂହାସନରେ ଅଧିଷ୍ଠିତ ହୋଇ । ଏହା ସମ୍ଭବ, ଯେହେତୁ ଧାର୍ମିକ ପରିପ୍ରେକ୍ଷୀରେ ଭଗବାନ ସାଧାରଣ, ନଗଣ୍ୟ, ହେୟ ତଥା ଅବହେଳିତର ଭଗବାନରୂପେ ହିଁ ଗୃହୀତ ହୋଇିଥାନ୍ତି । ସେ ରାଜାଧିରାଜ ବେଶରେ ବିଦ୍ୟମାନ, ମାତ୍ର ସେ ଦୀନବାନ୍ଧବ । ଦୀନ, ନଗଣ୍ୟ, ମାମୁଲି, ଇତର, ସମାନ୍ୟ, ସର୍ବସାଧାରଣଙ୍କ ସଖା ତଥା ପ୍ରୀତିଭାଜନ ସୁହୃତ୍ । କିଏ ଦୀନ, କିଏ ନଗଣ୍ୟ ? ସର୍ବସାଧାରଣ ? ମାତ୍ର କାହିଁକି, ସେମାନେ ନଗଣ୍ୟ ଇତର, ହେୟ ବା ଅସ୍ପୃଶ୍ୟ ? କେବଳ ସର୍ବସାଧାରଣ ହୋଇଥିବା ଯୋଗୁଁ କି ? କୋଟି କୋଟି ଜନତା ଭିତରେ ସେମାନଙ୍କର କୌଣସି ସ୍ୱାତନ୍ତ୍ର‌୍ୟ, କୌଣସି ବିଶେଷତ୍ୱ, ଅସାଧାରଣତ୍ୱ ନ ଥିବାହେତୁ ? ମାତ୍ର ଭଗବତ୍ ଚେତନାରେ ସାଧାରଣ ଆସାଧାରଣ, କୁଳୀନ-ଅକୁଳୀନ, ସମ୍ଭ୍ରାନ୍ତ-ଇତର ଏସବୁ ଭେଦ ନିରର୍ଥକ, ମୂଲ୍ୟହୀନ, କେବଳ ସାମାଜିକ ଚଳଣିର ଏକ ଅନ୍ଧପରମ୍ପରା । ସବୁ ଅସାଧାରଣ ଅନନ୍ୟ-ସାଧାରଣର ଚିନ୍ତନ ଅନ୍ତତଃ ଭଗବତ୍ ଚେତନା ପରିପ୍ରେକ୍ଷୀରେ ‘ସାଧାରଣ'ରେ ହିଁ ନିହିତ । ଶ୍ରେଷ୍ଠତ୍ୱ, ଅସାଧାରଣତ୍ୱ, ଚମତ୍କାରିତା, ଲୋକପ୍ରସିଦ୍ଧି ଆଦି ଫାଙ୍କା ଆବାଜକୁ ବେଖାତିର କରି ଚିନ୍ତାରାଜ୍ୟରେ ଅଭୂତପୂର୍ବ ବିପ୍ଳବ ସଂଘଟିତ ହୁଏ ଏହାରି ମାଧ୍ୟମରେ । ଈଶ୍ୱରୀୟ ଚେତନାରେ ମୂଲ୍ୟବାନ୍ ହୋଇଉଠେ ତଥାକଥିତ ମୂଲ୍ୟହୀନ, ନଗଣ୍ୟ, ସର୍ବସାଧାରଣ- ତଥାକଥିତ ଅସାଧାରଣ, ଭି.ଆଇ.ପି, ସମାଜର ଶ୍ରେଷ୍ଠ ସମ୍ମାନାସ୍ପଦ ବ୍ୟକ୍ତି ବା ଅନୁଷ୍ଠାନର ଦର୍ପ ଚୂର୍ଣ୍ଣହୁଏ ଆଖିପିଛୁଳାକେ । ଯୀଶୁଙ୍କ ଭଳି ଆଧ୍ୟାତ୍ମିକନେତାମାନେ ଏହି ସାମାନ୍ୟତା ବା ସାଧାରଣତାବାଦୀ ଚେତନାର ବାହକରୂପେ ସର୍ବସମକ୍ଷରେ ଉଚ୍ଚ ସ୍ୱରରେ ପ୍ରତିପାଦନ କରନ୍ତି କିପରି ସାମାନ୍ୟ ଗଣିକାଟାଏ ମଧ୍ୟ ବିଶିଷ୍ଟ ଧର୍ମଯାଜକଙ୍କ ପୂର୍ବରୁ ସ୍ୱର୍ଗରାଜ୍ୟର ଅଧିକାରୀ ହୋଇପାରେ । ତଥାକଥିତ ଅସାଧୁତାର ଆବେଷ୍ଟନୀରେ ଅପୂର୍ବଚରିତ୍ରବତ୍ତାର ସମ୍ଭାବନା, ସାଧାରଣତାର ସ୍ଥିତି, ତଥାକଥିତ ଅସୁନ୍ଦର ମଧ୍ୟରେ ଅପରୂପ ସୌନ୍ଦର୍ଯ୍ୟ, ତଥାକଥିତ ଅଜ୍ଞାନୀ ଭିତରେ ଜ୍ଞାନ ବା ବୋଧ ଶକ୍ତିର ପ୍ରାଚୁର୍ଯ୍ୟ ମନଗଢ଼ାକଥାବୋଲି କହି ଉଡ଼ାଇ ହେବ ନାହିଁ- ସେଥିଲାଗି ଲୋଡ଼ା ହୁଏ ସାମାନ୍ୟବାଦୀ ଚେତନା ଯାହାକି ଧାର୍ମିକଚେତନାର ଏକ ଅପରିହାର୍ଯ୍ୟ ଅଙ୍ଗ । ଏହା କବିକଳ୍ପନାବୋଲି କହିଲେ ଭୁଲ୍ ହେବ, ବରଂ ଏହା ମନୁଷ୍ୟରେ ଚିନ୍ତାରାଜ୍ୟରେ ଏକ ଯୁଗାନ୍ତକାରୀ ବିପ୍ଳବର ସୂଚନା ଦିଏ । ଏହି ଚିନ୍ତାଧାରା ଯୁଗଚେତନାରେ ସହଜ ତଥା ସୁସ୍ପଷ୍ଟଭାବେ ପ୍ରତିଫଳିତ । ବର୍ତ୍ତମାନ ଯୁଗର ନାୟକ ସର୍ବସାଧାରଣ ସ୍ତରରୁ ହିଁ ଆନୀତ, ତା' ଠାରେ ଲୋଡ଼ା ନାହିଁ କୌଣସି ସମ୍ଭ୍ରାନ୍ତ ବିଶିଷ୍ଟତାର ଗନ୍ଧ । ‘ସର୍ବସାଧାରଣ' ହିଁ ବର୍ତ୍ତମାନ ସମସ୍ତ ଅସାଧାରଣତ୍ୱର ଅଧିକାରୀ ହେବାର ସମ୍ଭାବନା ରଖେ । ବର୍ତ୍ତମାନ ପରିପ୍ରେକ୍ଷୀରେ ଅସାଧାରଣତ୍ୱ କାହାରି ଜନ୍ମଗତ ଅଧିକାରବୋଲି କହିବା ସମ୍ଭବ ନୁହେଁ, ଏପରିକି ଖଳନାୟକ ତଥା ନାୟକ ମଧ୍ୟରେ ପ୍ରଭେଦ ମଧ୍ୟ ବର୍ତ୍ତମାନ ଅତି ଅସ୍ପଷ୍ଟ ତଥା କ୍ଷୀଣ । ଯେପରି ମନେ ହୁଏ କେବଳ ବର୍ତ୍ତମାନ ନୁହେଁ, ମାନବସମାଜର ଭବିଷ୍ୟତ ମଧ୍ୟ ଏପ୍ରକାର ସାଧାରଣବାଦୀ ଦର୍ଶନ ତଥା ଚିନ୍ତାଧାରା ଉପରେ ନିର୍ଭରଶୀଳ ।

ଦେଶ ହେଉ ବା ଜାତି ହେଉ, କୌଣସି ଏକ ନିର୍ଦ୍ଦିଷ୍ଟ ଦର୍ଶନାନୁଚିନ୍ତନ ବିନା ହୁଏତ ବଞ୍ଚିପାରେ । କୌଣସି ପରମ ବା ଚରମ ତତ୍ତ୍ୱ ହୁଏତ ଗୃହୀତ ହୋଇ ନ ପାରେ । ରହସ୍ୟବାଦ ବା ଭୌତିକତାବାଦ ବା ଯେକୌଣସି ‘ବାଦ'କୁ ହୁଏତ ଏଡ଼ାଇ ଦିଆଯାଇପାରେ । କିନ୍ତୁ ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ଆଦର୍ଶର ପରିପ୍ରଚାର ଓ ପ୍ରସାର ନିତାନ୍ତ ଅପରିହାର୍ଯ୍ୟ । ସମଗ୍ର ବିଶ୍ୱର ସାଂସ୍କୃତିକ ଅନୁଚିନ୍ତନର ମୂଳମନ୍ତ୍ର ‘ସାମାନ୍ୟତା' ବା ‘ସାଧାରଣବାଦ' ଭାରତୀୟ ଧର୍ମଧାରଣାର ହୃତ୍‌ପିଣ୍ଡସ୍ୱରୂପ । ଏହି ପ୍ରତ୍ୟୟ ବିଶ୍ୱ ଧର୍ମକୁ ସଦାସର୍ବଦା ପ୍ରଭାବିତ କରିଆସିଛି । ତେଣୁ ଧର୍ମଚେତନା କାଳେକାଳେ ପ୍ରଶଂସିତ ହୋଇ ଆମ ହୃଦୟରେ ପରିପୋଷିତ ହେଉଥିବ, ଯେପର୍ଯ୍ୟନ୍ତ ଏହାର ଭିତ୍ତିଭୂମିରୂପେ ସାଧାରଣତାବାଦ ଗୃହୀତ ହୋଇଥିବ । ସାମ୍ପ୍ରତିକ ପୃଥିବୀରେ କାମଚଳା ବେପାରୀ ବୃଦ୍ଧିର ପରାକାଷ୍ଠା ଅନୁଭୂତ ହେଉଥିବାବେଳେ ତହିଁରେ ଧର୍ମଗତ ରହସ୍ୟବାଦର ସ୍ଥାନ ଅତି ନଗଣ୍ୟ ଏବଂ ତୁଚ୍ଛ ହୋଇରହିବ । ସାଧାରଣତାବାଦ ଯେ କେବଳ ଆଜିର ବିଶ୍ୱ ସାନବସମାଜପାଇଁ ଉଦ୍ଦିଷ୍ଟ ତାହା ନୁହେଁ, ବରଂ ଭବିଷ୍ୟତର ସାମାଜିକ ମୂଲ୍ୟବୋଧ ଉପରେ ଏହାର ପ୍ରଭାବ ଅତୁଟ ରହିବବୋଲି ଆଶା କରାଯାଏ । ଆମ୍ଭେମାନେ ନିଶ୍ଚିତ ହୋଇପାରୁଁ ଯେ ଯେପର୍ଯ୍ୟନ୍ତ ସାଧାରଣତାବାଦ ବିଶ୍ୱ ଧର୍ମଚେତନା ତଥା ଧର୍ମବିଶ୍ୱାସକୁ ନିୟନ୍ତ୍ରଣ କରୁଥିବ, ସେପର୍ଯ୍ୟନ୍ତ ଭାରତୀୟ ଧର୍ମଧାରଣାର ବିଲୟ ସଂଘଟିତ ହେବ ନାହିଁ । ଏହି ସାଧାରଣତାବାଦ ହିଁ ଏକଦା ଆସାଧାରଣବୋଲି ପରିକଳ୍ପିତ ‘ପବିତ୍ର' ‘ପରମ' ବା ‘ଚରମ'ର ଭିତ୍ତିଭୂମି । ଏହି ଧର୍ମପ୍ରତ୍ୟୟ ଧର୍ମନିରପକ୍ଷତା ପର୍ଯ୍ୟବସିତ, କାରଣ ଏହା ସାଧରଣତାବାଦର ପରିପ୍ରକାଶ ମାତ୍ର । ତେଣୁ ସାମ୍ପ୍ରତିକ ବିଶ୍ୱ ସମାଜ ତଥା ଭାରତୀୟ ସମାଜରେ ଧର୍ମଗତ ସଂକଟ ନିରାକରଣର ଏକମାତ୍ର ମାର୍ଗ ହେଉଛି ସାଧାରଣତାବାଦୀ ଜୀବନଦର୍ଶନର ବହୁଳ ପ୍ରସାର । ଏହି ଜୀବନାଦର୍ଶ ନାନାବିଧ ଧର୍ମଧାରଣାର ଏକ ମୌଳିକ ଉପାଦାନ ହୋଇଥିବା ସ୍ଥଳେ ଆଧୁନିକ ଧର୍ମନିରପକ୍ଷତା ସଙ୍ଗେ ସମନ୍ୱୟ ରକ୍ଷାକରିପାରୁଥିବାରୁ ଏହା ଏକ ବଳିଷ୍ଠ ଯୁଗ ସଂକେତବୋଲି ବୁଝିବାକୁ ହେବ ।

ମାତ୍ର ଏହା କ'ଣ ପ୍ରକାରାନ୍ତରେ ଧର୍ମର ଲୋପ ନୁହେଁ ? କୌଣସି ନିର୍ଦ୍ଦିଷ୍ଟ ଧର୍ମଲାଗି କ'ଣ କ'ଣ ଅତ୍ୟାବଶ୍ୟକ, ତାରିଉପରେ ଉକ୍ତ ପ୍ରଶ୍ନର ଉତ୍ତର ନିର୍ଭର କରେ । କେତେଗୁଡ଼ିଏ ଧରାବନ୍ଧା ଧାର୍ମିକ ପ୍ରଦ୍ଧତି, ରହସ୍ୟ, ଅଲୌକିକ ଘଟଣା ଆଦି ଯଦି କୌଣସି ଧର୍ମର ମୁଖ୍ୟ ଅଙ୍ଗ ହୋଇଥାଏ ତା'ହେଲେ ଏପରି ଧର୍ମ ବର୍ତ୍ତମାନ ପରିପ୍ରେକ୍ଷୀରେ ତିଷ୍ଠି ରହିବା ସହଜ ନୁହେଁ, ଏକପ୍ରକାର ଅସମ୍ଭବବୋଲି କୁହାଯାଇପାରେ । ଅପରପକ୍ଷରେ ଯଦି କୌଣସି ଧର୍ମବିଶ୍ୱାସରେ ଧରାବନ୍ଧା କ୍ରିୟାପଦ୍ଧତି ବା ଧର୍ମୀୟ କେତେକ ବିଶେଷ ମତବାଦକୁ ଛାଡ଼ି ସାଧାରଣବାଦୀ ଚିନ୍ତାଧାରାର ଉପାଦାନ ଯଥେଷ୍ଟ ପରିମାଣରେ ରହିଥାଏ ଓ ତହିଁରେ ଏଭଳି ଚିନ୍ତାଧାରାଉପରେ ହୁଏତ ଗୁରୁତ୍ୱ ଆରୋପିତ ହୋଇଥାଏ କିମ୍ବା ଗୁରୁତ୍ୱ ଆରୋପ କଲେ ଉକ୍ତ ଧର୍ମର ବିଶଷତ୍ୱ କ୍ଷୁର୍ଣ୍ଣ ହୁଏ ନାହିଁ, ତା'ହେଲେ ଏଭଳି ଧର୍ମର ସାମ୍ପ୍ରତିକ ପ୍ରୟୋଜନୀୟତା ଦୃଷ୍ଟିରୁ ଧର୍ମର ଲୋପ ଅନିବାର୍ଯ୍ୟବୋଲି କହିହେବ ନାହିଁ । ସେ ଯାହା ହେଉ, ଧର୍ମରେ ସାଧାରଣବାଦୀ ଉପାଦାନ କିମ୍ବା ସାଧାରଣବାଦୀ ଦର୍ଶନଉପରେ ଆଧାରିତ ସାଧାରଣବାଦୀ ଧର୍ମ ହିଁ ବର୍ତ୍ତମାନ ସ୍ଥିତିରେ ତଥା ଆଗାମୀ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ସମର୍ଥବୋଲି ମନେ ହୁଏ । ଯଦି ଏହା ପ୍ରକୃତ ଧର୍ମ ନୁହେଁବୋଲି କେହି କହେ, ମୁଁ ଅନିଚ୍ଛା ସତ୍ତ୍ୱେ ଏବଂ ଦୁଃଖର ସହିତ କହିବି- ଧର୍ମ ନିଷ୍‌ପ୍ରୟୋଜନ ।

•••

 

ସମାଜ ବାସ୍ତବତା ଓ ଫକୀରମୋହନ

ଡକ୍ଟର ବିଭୂତି ପଟ୍ଟନାୟକ

 

ସାଧାରଣତଃ ଦୁଇ ପ୍ରକାର ଉପନ୍ୟାସ ଲେଖାଯାଏ । ଗୋଟିଏ କାଳ୍ପନିକ ଉପନ୍ୟାସ (Novel of Imagination) ଏବଂ ଦ୍ୱିତୀୟଟି ଅନୁଭୂତିମୂଳକ ଉପନ୍ୟାସ (Novel of Experience) । କାଳ୍ପନିକ ଉପନ୍ୟାସର ଝୁଙ୍କ୍ ସାଧାରଣତଃ ଆଦର୍ଶବାଦ ଆଡ଼କୁ ଏବଂ ଅନୁଭୂତିମୂଳକ ଉପନ୍ୟାସର ଗତି ବାସ୍ତବବାଦ ଦିଗକୁ । କାଳ୍ପନିକ ଉପନ୍ୟାସରେ ଯେ ବାସ୍ତବତା ନ ଥାଏ କିମ୍ବା ଅନୁଭୂତିମୂଳକ ଉପନ୍ୟାସରେ ଆଦର୍ଶବାଦ ରହିବ ନାହିଁ; ଏମିତି କିଛି ଧରାବନ୍ଧା ନିୟମ ନାହଁ । କିନ୍ତୁ ଉପନ୍ୟାସ ସାହିତ୍ୟର ଧାରା ବିଶ୍ଳେଷଣ କଲେ ଦେଖାଯିବ ଆଦର୍ଶବାଦୀ ଉପନ୍ୟାସ ରଚନାପାଇଁ ଲେଖକକୁ ଯେପରି ଅଧିକ କଳ୍ପନା ଶକ୍ତି ଉପରେ ନିର୍ଭର କରିବାକୁ ହୁଏ; ବାସ୍ତବବାଦୀ ଉପନ୍ୟାସ ରଚନାପାଇଁର୍ ସେହିଭଳି ଆବଶ୍ୟକ ହୁଏ ଘନିଷ୍ଠ ସାମାଜିକ ଅନୁଭୂତି ଓ ଉପଲବ୍ଧି ।

 

ଓଡ଼ିଆ ଉପନ୍ୟାସ ସାହିତ୍ୟର ଜନକ ଫକୀରମୋହନ ସେନାପତି (୧୮୪୩- ୧୯୧୮) ବଙ୍ଗଳାର ଔପନ୍ୟାସିକ ବଙ୍କିମ ଚନ୍ଦ୍ର ଚାଟାର୍ଜି କିମ୍ବା ମାଲାୟଲମ୍ ଉପନ୍ୟାସ ସାହିତ୍ୟର ଜନକ ଚନ୍ଦ୍ର ମେନନ୍ ଅଥବା ତାମିଲ୍ ଔପନ୍ୟାସିକ ବେଦନାୟକମ୍ ପିଲ୍ଲାଇଙ୍କ ଭଳି ଇଂରେଜୀ ଭାଷାରେ ଉଚ୍ଚ ଶିକ୍ଷିତ ନ ଥିଲେ । ତେଣୁ ଇଂରେଜି ଭାଷାରେ ରଚିତ ଉପନ୍ୟାସ ପଢ଼ି ତା'ର ଗଠନ କଳା କିମ୍ବା ଶୈଳୀର ଅନୁଶୀଳନ କରିବା ତାଙ୍କ ପକ୍ଷରେ ସମ୍ଭବ ନଥିଲା । ତେଣୁ ଅନୁଭୂତିର ବିଶ୍ୱବିଦ୍ୟାଳୟରୁ ସେ ଯେଉଁ ଶିକ୍ଷା ଗ୍ରହଣ କରିଥିଲେ, ତାକୁ ହିଁ ଆଶ୍ରୟ କରି ପରିଣତ ବୟସରେ ସେ ଉପନ୍ୟାସ ଲେଖାରେ ହାତ ଦେଇଥିଲେ । ତେଣୁ ତାଙ୍କର ଗଳ୍ପ ଉପନ୍ୟାସ ଥିଲା ଅନୁଭୂତିମୂଳକ ଏବଂ ସ୍ୱଭାବତଃ ବାସ୍ତବଧର୍ମୀ । ପ୍ରାୟ ଅଶୀ ବର୍ଷ ତଳେ, ୧୯୧୪ ମସିହାରେ ତାଙ୍କର ‘ମାମୁ' ଉପନ୍ୟାସର ଆଲୋଚନା କରିବାକୁ ଯାଇ ଅସରଫ ଅଲ୍ଲି ଖାଁ (ଉତ୍କଳ ସାହିତ୍ୟ--୧୩୨୧ ଜ୍ୟେଷ୍ଠ ସଂଖ୍ୟା) ଉଲ୍ଲେଖ କରିଥିଲେ- ‘ଉପନ୍ୟାସ ଦୁଇ ପ୍ରକାର ହୁଏ- (୧) ଅତ୍ୟୁଚ୍ଚ ଆଦର୍ଶମୂଳକ (Idealistic) ଓ (୨) ବାସ୍ତବତାମୂଳକ (Realistic) । ସମାଲୋଚ୍ୟ ଉପନ୍ୟାସଟି ୨ୟ ଶ୍ରେଣୀର ।’ ସାମ୍ପ୍ରତିକ କାଳର ଆଉ ଜଣେ ବିଶିଷ୍ଟ ସମାଲୋଚକ ମାୟାଧର ମାନସିଂହ । ତାଙ୍କ ‘ସରସ୍ୱତୀ ଫକୀର ମୋହନ’ ଗ୍ରନ୍ଥରେ ତାଙ୍କ ଉପନ୍ୟାସ ଆଲୋଚନା ପ୍ରସଙ୍ଗରେ ମତ ପ୍ରକାଶ କରି ଲେଖିଥିଲେ- ‘ନିବିଡ଼ ବାସ୍ତବଧର୍ମୀ ଫକୀରମୋହନ ତାଙ୍କ ଗଳ୍ପ ବା ଉପନ୍ୟାସାଦିରେ କୌଣସିଠାରେ ହେଲେ, କେବଳ କଳ୍ପନା - ସର୍ବସ୍ୱ ଘଟଣାବଳୀ ଛାଡ଼ି ଯାଇ ନାହାନ୍ତି । xxx ତାଙ୍କର ପ୍ରତ୍ୟେକଟି ଗଳ୍ପ ଓ ଉପନ୍ୟାସ କୌଣସି ନା କୌଣସି ବାସ୍ତବ ଘଟଣାକୁ ଟାଣି ନିଆଯାଇ ପାରିବ ।’ ଡକ୍ଟର ମାନସିଂହ ଫକୀରମୋହନଙ୍କ କଥା ସାହିତ୍ୟର ଏ ବାସ୍ତବବାଦୀ ଚିତ୍ରଣକୁ ‘ଫଟୋଗ୍ରାଫିକ୍ ବାସ୍ତବତା’ବୋଲି ସେହି ଗ୍ରନ୍ଥରେ ଅନ୍ୟତ୍ର ଉଲ୍ଲେଖ କରିଛନ୍ତି ।

 

ଊନବିଂଶ ଶତାବ୍ଦୀର ଶେଷ ଏବଂ ବିଂଶ ଶତକର ଆଦ୍ୟ ଭାଗରେ ଫକୀରମୋହନ ଯେତେବେଳେ ଉପନ୍ୟାସ ରଚନା କରୁଥିଲେ; ପାଶ୍ଚାତ୍ୟ ଉପନ୍ୟାସ ସେତେବେଳେ ସ୍ୱଭାବବାଦ (Naturalism) ଏବଂ ବାସ୍ତବବାଦର (Realism) କଳରୋଳରେ ମୁଖରିତ ହୋଇ ଉଠି ସାରିଥିଲେ ସୁଦ୍ଧା, ଭାରତୀୟ ସାହିତ୍ୟରେ ଚାଲିଥିଲା ଐତିହାସିକ ରୋମାନ୍ସ ଏବଂ କାଳ୍ପନିକ କାହାଣୀ ରଚନାର ଯୁଗ । ଚିତ୍ତାକର୍ଷକ କାହାଣୀ-ଧର୍ମୀ ସାମାଜିକ ଉପନ୍ୟାସର ଲକ୍ଷ୍ୟ ଥିଲା ଧର୍ମ ପ୍ରଚାର, ସମାଜ ସଂସ୍କାର, ନ ହେଲେ ଆଦର୍ଶମୂଳକ ପାରିବାରିକ ଜୀବନର ରୋମାଞ୍ଚକର ଚିତ୍ରାଙ୍କନ । ବଙ୍ଗଳା ଭାଷାରେ ପ୍ୟାରିଚାନ୍ଦ ମିତ୍ରଙ୍କ ‘ଆଲାଲେର ଘରେର ଦୁଲାଲ୍‌' କିମ୍ବା ବଙ୍କିମଚନ୍ଦ୍ରଙ୍କ ‘ବିଷ ବୃକ୍ଷ', ମରାଠି ଭାଷାରେ ବାବା ପଦ୍ମନ୍‌ଜୀଙ୍କ ‘ୟମୁନା ପର୍ଯ୍ୟଟନ' ହିନ୍ଦୀ ଭାଷାର ଶ୍ରୀନିବାସ ଦାସଙ୍କ ‘ପରୀକ୍ଷା ଗୁରୁ' ଅଥବା ଦେବକୀ ନାରାୟଣ କ୍ଷାତ୍ରୀଙ୍କ ଲୋକପ୍ରିୟ ଉପନ୍ୟାସ ‘ଚନ୍ଦ୍ରକାନ୍ତା', ମାଲାୟମ ଭାଷାରେ ଚନ୍ଦୁ ମେନନ୍‌ଙ୍କ ‘ଇନ୍ଦ୍ରଲେଖା' ଉପନ୍ୟାସ- ଊନବିଂଶ ଶତାବ୍ଦୀ ଶେଷ ଭାଗରେ ରଚିତ ଏହି ଉପନ୍ୟାସଗୁଡ଼ିକ ବିଚାର କଲେ ଏହା ସ୍ପଷ୍ଟ ହୋଇ ଉଠିବ । ଓଡ଼ିଆ ଭାଷାରେ ଉମେଶଚନ୍ଦ୍ର ସରକାରଙ୍କ ଲିଖିତ ‘ପଦ୍ମମାଳି' ଓ ରାମଶଙ୍କର ରାୟଙ୍କ ‘ବିବାସିନୀ' ମଧ୍ୟ ଏହି ଶ୍ରେଣୀର ରୋମାନ୍ସ ଧର୍ମୀ କାଳ୍ପନିକ ଉପନ୍ୟାସ ।

 

କାହାଣୀର ଚମତ୍କାରିତା ଦୃଷ୍ଟିରୁ ଏ ସବୁ ଉପନ୍ୟାସ ପାଠକମାନଙ୍କର ବେଶ୍ ମନ ଚଇତନ ଆକର୍ଷଣ କରିଥିଲା । କିନ୍ତୁ ଔପନ୍ୟାସିକ କେବଳ କାହାଣୀକାର (Story teller) ନୁହେଁ; Fieldingଙ୍କ ଭାଷାରେ ସେ ହେଉଛି ଜଣେ Social historian. ଶିଳ୍ପ ବିପ୍ଳବ ପରେ ସାମନ୍ତବାଦୀ ସମାଜ ବଦଳରେ ପୁଞ୍ଜିବାଦର ବିକାଶ କାଳରେ ଏକ ନୂତନ କଳା- ରୂପ (Art form) ଭାବରେ ୟୁରୋପ ମହାଦେଶରେ ଉପନ୍ୟାସ ଜନ୍ମ ଲାଭ କରିଥିଲା । ଜୀବନର ଜଟିଳତା ଏତେ ବଢ଼ିଯାଇଥିଲା ଯେ ସାମାଜିକ ମଣିଷ ହେଉ କି ବ୍ୟକ୍ତି ଚରିତ୍ର ହେଉ- କାବ୍ୟ, କବିତା କିମ୍ବା ନାଟକ, କ୍ଷୁଦ୍ରଗଳ୍ପରେ ସେମାନଙ୍କର ପରିପୂର୍ଣ୍ଣ ଚିତ୍ର ଦେବା ସମ୍ଭବ ନ ଥିଲା । ସେହି ଅଭାବ ପୂରଣ କରିବାପାଇଁ ଆବଶ୍ୟକ ହେଉଥିଲା ଏକ ନୂତନ ସାହିତ୍ୟ- ଶିଳ୍ପ । ଉପନ୍ୟାସ ହେଉଛି ସେହି ନୂତନ କଳା । ତେଣୁ ଉପନ୍ୟାସ ଥିଲା ୟୁରୋପରେ ନବ ଜାତ ପୁଞ୍ଜିବାଦର ବିଶ୍ୱ ସଂସ୍କୃତିକୁ ମହାନ୍ ଦାନ-। (The novel is the most important gift of capitalist civilisation to the world's imaginative culture). Ralf Foxଙ୍କ ଭାଷାରେ "The novel is not merely fictional prose, it is the prose of man's life, the first art to attempt to take the whole man and give him expression. Mr. E.M. Forster has painted out that the great feature which distinguishes the novel from the other arts is that it has the power to make the secret life visible. It gives therefore, a different view of reality from that given by poetry, or the cinema or painting or music. That realism is called social realism.

 

କେଉଁ ଅଦୃଶ୍ୟ ଦୃଶ୍ୟକୁ ଉପନ୍ୟାସ ସାହିତ୍ୟର ଅନ୍ୟ ଫର୍ମ ଅପେକ୍ଷା ଅଧିକ ଦକ୍ଷତାର ସହିତ ଦୃଶ୍ୟମାନ କରିବାର ଶକ୍ତି ରଖିଥିଲା? ପୁଞ୍ଜିବାଦର ବିକାଶ ଫଳରେ ଶିଳ୍ପୋନ୍ନତ ୟୁରୋପରେ ସାମାଜିକ ଶ୍ରେଣୀ- ବିନ୍ୟାସର ପରିବର୍ତ୍ତନ ଘଟିଥିଲା । ମଣିଷକୁ ମଣିଷ ଭଳି ବଞ୍ଚିରହିବାପାଇଁ ଗୋଟିଏ ପଟେ ପ୍ରକୃତି ଓ ଅନ୍ୟପଟେ ସାମାଜିକ ବୈଷମ୍ୟ ବିରୁଦ୍ଧରେ ଲଢ଼େଇ କରିବାକୁ ପଡୁଥିଲା । ପୁଞ୍ଜିବାଦର ବିକାଶ ଫଳରେ ୟୁରୋପ ମହାଦେଶରେ ସାମାଜିକ ସ୍ତର ବିନ୍ୟାସରେ ପରିବର୍ତ୍ତନ ଘଟିଥିଲା । ଅର୍ଥନୈତିକ ଶୋଷଣର ସ୍ୱରୂପ ବଦଳି ଯାଇଥିଲା । ମାନବିକ ମୂଲ୍ୟବୋଧର ମଧ୍ୟ ପରିବର୍ତ୍ତନ ଘଟିଥିଲା । ଏମିଲ୍ ଜୋଲାଙ୍କଠାରୁ ଆରମ୍ଭ କରି ଚାର୍ଲ୍ସ ଡିକେନ୍‌ସଙ୍କ ପର୍ଯ୍ୟନ୍ତ- ସ୍ୱଭାବବାଦୀ ଓ ବାସ୍ତବବାଦୀ ଔପନ୍ୟାସିକମାନେ ଏହି ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନର ପ୍ରେକ୍ଷାପଟରେ ନିଜ ନିଜ ଉପନ୍ୟାସର ନାୟକ, ନାୟିକା ଓ ଖଳ ନାୟକମାନଙ୍କ ଚରିତ୍ର ଚିତ୍ରଣ କରି ଉପନ୍ୟାସକୁ ଏକ ଉନ୍ନତ ସ୍ତରକୁ ନେଇଯାଇଥିଲେ ।

 

କିନ୍ତୁ ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଫକୀରମୋହନ ଉପନ୍ୟାସ ରଚନାରେ ହାତ ଦେଲାବେଳେ ଆମ ଦେଶ ଥିଲା ଏକ କୃଷିପ୍ରଧାନ ଦେଶ । ଶିଳ୍ପ ଉନ୍ନୟନ ଘଟି ନ ଥିଲା । ତେଣୁ ପୁଞ୍ଜିବାଦର ବିକାଶ ମଧ୍ୟ ସମ୍ଭବ ନଥିଲା । ବରଂ ସାମନ୍ତବାଦ ଓ ପୌରୋହିତ୍ୟ ପ୍ରଥା ସମାଜ ଜୀବନକୁ ପ୍ରଭାବିତ କରି ରଖିଥିଲା । କିନ୍ତୁ ସାମ୍ରାଜ୍ୟବାଦୀ ବ୍ରିଟିଶ୍ ଶକ୍ତି ଓଡ଼ିଶାକୁ ୧୮୦୩ ମସିହାରେ ଅଧିକାର କଲାପରେ ଯେଉଁ ପ୍ରଶାସନିକ ଓ ଅର୍ଥନୈତିକ ପରିବର୍ତ୍ତନ ଆଣିଥଲେ; ସେଥିରେ ଆମର ପୁରାତନ ସମାଜ ବ୍ୟବସ୍ଥା ଧୀରେ ଧୀରେ ବଦଳିବାକୁ ଆରମ୍ଭ କରିଥିଲା । ୧୫୬୮ ମସିହାରେ ଗୋହିରାଟିକିରି ଯୁଦ୍ଧରେ ମୁକୁନ୍ଦ ଦେବଙ୍କ ମୃତ୍ୟୁ ଫଳରେ ଓଡ଼ିଶା ତା'ର ସ୍ୱାଧୀନତା ହରାଇ ସାରିଥିଲା । ୧୫୬୮ରୁ ୧୮୦୩ ପାଖାପାଖି ଏହି ୨୫୦ ବର୍ଷ ଆଫଗାନ, ମୋଗଲ ଓ ମରହଟ୍ଟାମାନଙ୍କ ଶାସନ ଓ ଶୋଷଣ ଫଳରେ ଓଡ଼ିଶାର ଅର୍ଥନୈତିକ ଅବସ୍ଥା ଶୋଚନୀୟ ହୋଇ ଉଠିଥିଲା । ସାମାଜିକ ରକ୍ଷଣଶୀଳତାର ଅଭିବୃଦ୍ଧି ଘଟିଥିଲା । ତଥାପି ସାମାଜିକ ଶ୍ରେଣୀ ବିନ୍ୟାସରେ କିମ୍ବା ସାଧାରଣ ଲୋକଙ୍କ ଜୀବନ ଧାରଣା ପ୍ରଣାଳୀରେ କୌଣସି ତାତ୍ପର୍ଯ୍ୟପୂର୍ଣ୍ଣ ପରିବର୍ତ୍ତନ ଘଟି ନ ଥିଲା । କିନ୍ତୁ ଇଂରେଜ ସରକାରଙ୍କ ସାମ୍ରାଜ୍ୟବାଦୀ ଅର୍ଥନୈତିକ ବ୍ୟବସ୍ଥା, ଇଂରେଜି ଶିକ୍ଷାର ପ୍ରସାର ଓ ପାଶ୍ଚାତ୍ୟ ସଭ୍ୟତାର ବିସ୍ତାର ଫଳରେ ତା'ର କ୍ରିୟା ଓ ପ୍ରତିକ୍ରିୟା ସ୍ୱରୂପ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ଜୀବନରେ ଦ୍ରୁତ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା । ଫକୀରମୋହନ ଥିଲେ ବ୍ରିଟିଶ ଶାସନ କାଳରେ ସେହି ସାମାଜିକ ପରିବର୍ତ୍ତନର ସାକ୍ଷୀ । ତାଙ୍କର ସମାଜ ସଚେତନ ଶିଳ୍ପୀମାନସ ସେହି ସାମାଜିକ ପରିବର୍ତ୍ତନର ଧାରାକୁ ଲିପିବଦ୍ଧ କରି ରଖିବାପାଇଁ ତାଙ୍କୁ କାବ୍ୟ, କବିତା ରଚନା ବଦଳରେ ଜୀବନର ଶେଷ ପର୍ଯ୍ୟାୟରେ ସମ୍ଭବତଃ ଗଳ୍ପ, ଉପନ୍ୟାସ ଲେଖିବାପାଇଁ ଅନୁପ୍ରାଣିତ କରିଥିଲା ।

 

ବ୍ରିଟିଶ୍ ଶାସନ କାଳରେ ଯେଉଁ ଅର୍ଥନୈତିକ ବ୍ୟବସ୍ଥା ଓଡ଼ିଶାବାସୀଙ୍କ ଜୀବନ ଧାରାକୁ ଅଧିକ କ୍ଷତିଗ୍ରସ୍ତ କରିଥିଲା; ତାହା ହେଉଛି କର୍ଣ୍ଣୱାଲିସ୍‌ଙ୍କଦ୍ୱାରା ପ୍ରବର୍ତ୍ତିତ ଚିରସ୍ଥାୟୀ ବନ୍ଦୋବସ୍ତ (Permanent Settlement) ଏବଂ ସୂର୍ଯ୍ୟାସ୍ତ ଆଇନ୍ (Sunset Act) । ୧୯୬୨ ମସିହା ପର୍ଯ୍ୟନ୍ତ ଭାରତ ବର୍ଷରେ ଭୂ ରାଜସ୍ୱ ହିଁ ଥିଲା ସରକାରଙ୍କର ପ୍ରଧାନ ଆୟ । ତେଣୁ ରାଜସ୍ୱ ବୃଦ୍ଧି ଲକ୍ଷ୍ୟରେ କର୍ଣ୍ଣୱାଲିସ୍ ଜମିର ଚିରସ୍ଥାୟୀ ବନ୍ଦୋବସ୍ତ କରି ଜମିର ରାଜସ୍ୱ ବୃଦ୍ଧି କରିବାକୁ ଚାହିଁଥିଲେ । ତେଣୁ ମରହଟ୍ଟା ଶାସନ କାଳରେ ଚାଷୀ ଯେତିକି ଖଜଣା ଦେଉଥିଲା, ଏହି ଚିରସ୍ଥାୟୀ ବନ୍ଦୋବସ୍ତ ଫଳରେ ସେ ରାଜସ୍ୱର ହାର ବଢ଼ିଗଲା । ଯେଉଁମାନେ ଠିକଣା ସମୟରେ ଖଜଣା ଦେଇ ନ ପାରିଲେ ଜମିଦାରମାନେ ସେମାନଙ୍କୁ ଜମିରୁ ଉଚ୍ଛେଦ କରିବାର ଅଧିକାର ପାଇଲେ । ଫଳରେ ଚାଷୀ ନିଜ ଜମିରୁ ମାଲିକାନା ହରାଇ ମୂଲିଆ ହୋଇଗଲା । ଅପର ପକ୍ଷରେ ଯେଉଁ ଓଡ଼ିଆ ଜମିଦାରମାନେ ସରକାରୀ ଭୂରାଜସ୍ୱ ନିର୍ଦ୍ଦିଷ୍ଟ ଦିନର ସୂର୍ଯ୍ୟାସ୍ତ ପୂର୍ବରୁ କଲିକତା ଟ୍ରେଜେରୀରେ ଦାଖଲ କରି ନ ପାରିଲେ ସେମାନଙ୍କର ଜମିଦାରୀ ସେଠାରେ ନିଲାମ କରି ଦିଆଯାଇଥିଲା । ଓଡ଼ିଶାର ଜମିଦାରୀ ଅଣ-ଓଡ଼ିଆ ଲୋକେ ନାମକୁ ମାତ୍ର ମୂଲ୍ୟରେ ନିଲାମ ଧରି ନେଇଥିଲେ । ଏହିପରି ଭାବରେ ଫକୀରମୋହନଙ୍କ ଉପନ୍ୟାସରେ ବର୍ଣ୍ଣିତ ମେଦିନିପୁର ଦାରୋଗା ଶେଖ୍ କରାମତ୍ ଅଲ୍ଲି ଗୋଟାଏ ମର୍ଡର କେଶ୍ ସଂକ୍ରାନ୍ତରେ କଲିକତା ଯାଇଥିଲାବେଳେ ନିଲାମ ଡାକରେ ଭାଗ ନେଇ ଫତେପୁର ସରଷଣ୍ଢ ଜମିଦାରୀ କିଣି ଆଣିଥିଲେ ।

 

ଏହି ନୂତନ ଜମିଦାରୀ ଗୋଷ୍ଠୀର ଭୂମି ଉନ୍ନୟନ କିମ୍ବା ଜମିଦାରୀ ପରିଚାଳନା ବିଷୟରେ କୌଣସି ଅଭିଜ୍ଞତା ମଧ୍ୟ ନ ଥିଲା । କମ୍ପାନୀ ସରକାରକୁ ସନ୍ତୁଷ୍ଟ କରି ଏବଂ ପ୍ରଜାମାନଙ୍କୁ ଶୋଷଣ କରି ଏମାନେ ବିନା ଶ୍ରମରେ ଯେଉଁ ପ୍ରଚୁର ଅର୍ଥ ସଂଗ୍ରହ କରୁଥିଲେ; ସେ ଅର୍ଥ ବିଳାସ ବ୍ୟସନରେ ଖର୍ଚ୍ଚ ହେଉଥିଲା । କରାମତ ଅଲ୍ଳିଙ୍କ ପୁଅ ନୂତନ ଜମିଦାର ଶେଖ୍ ଦିଲ୍‌ଦାର୍ ମିଆଁ ଅକାରଣ ଅପବ୍ୟୟ କରି ଶେଷକୁ ସରକାରୀ ରାଜସ୍ୱ ଠିକ୍ ସମୟରେ ଦେଇ ନ ପାରିବା ଫଳରେ ଜମିଦାରୀ ହରାଇଥିଲେ ଏବଂ ଧୂର୍ତ୍ତ ରାମଚନ୍ଦ୍ର ମଙ୍ଗରାଜ ଫତେପୁର ସରଷଣ୍ଢ ଜମିଦାରୀ ହସ୍ତଗତ କରିଥିଲେ । ତେଣୁ ‘ଛ'ମାଣ ଆଠଗୁଣ୍ଠ' ଉପନ୍ୟାସର ନାୟକ ମଙ୍ଗରାଜ ଫକୀରମୋହନଙ୍କ ପରିକଳ୍ପିତ ଚରିତ୍ର ନୁହନ୍ତି, ଇଂରେଜି ସରକାରଙ୍କ ଚିରସ୍ଥାୟୀ ବନ୍ଦୋବସ୍ତ ଫଳରେ ଯେଉଁ ନୂତନ ପ୍ରଜା-ପ୍ରପୀଡ଼କ, ନବ୍ୟ ଧନୀ (Neo-Rich) ଗୋଷ୍ଠୀ ସୃଷ୍ଟି ହୋଇଥିଲେ; ସେ ହେଉଛନ୍ତି ସେମାନଙ୍କର ବାସ୍ତବ ପ୍ରତିନିଧି ।

 

ଇଂରେଜ ଶାସନ କାଳରେ ଗୋଷ୍ଠୀ ମୋଗଲ-ମରହଟ୍ଟା ଅମଳର ଜମିଦାରଙ୍କଠାରୁ ଥିଲେ ଭିନ୍ନ । ମୋଗଲ-ମରହଟ୍ଟା ଶାସନ କାଳରେ ଜମିଦାରମାନେ ଥିଲେ ଭୂରାଜସ୍ୱ ସଂଗ୍ରହକାରୀ-। ଚାଷୀ ଓ ଚାଷ ଜମି ପ୍ରତି ସେମାନଙ୍କର ମମତା ଥିଲା । କିନ୍ତୁ ବ୍ରିଟିଶ୍ ଶାସନରେ ଜମିଦାରମାନେ ହେଲେ ଜମିର ସତ୍ତ୍ୱାଧିକାରୀ । ପ୍ରଜାମାନଙ୍କୁ ଶୋଷଣ କରି ନିଜର ଅର୍ଥ-ପିପାସା ମେଣ୍ଟାଇବା ଥିଲା ଏମାନଙ୍କର ଲକ୍ଷ୍ୟ । ଫକୀରମୋହନ ତାଙ୍କର ତିନୋଟି ଉପନ୍ୟାସରେ ଏହି ଦୁଇ ଗୋଷ୍ଠୀର ଜମିଦାରମାନଙ୍କ ଜୀବନ ଚିତ୍ର ଜୀବନ୍ତ ଭାବରେ ଚିତ୍ରଣ କରିଛନ୍ତି । ‘ଛ'ମାଣ ଆଠଗୁଣ୍ଠ' ଉପନ୍ୟାସରେ ଜାୟଗିରିଦାର ବାଘ ସିଂହ ବଂଶ, ‘ମାମୁ' ଉପନ୍ୟାସରେ ନରିପୁରର ଉତ୍ତରରାୟ ବଂଶ ଏବଂ ‘ପ୍ରାୟଶ୍ଚିତ' ଉପନ୍ୟାସରେ ଅସୁରେଶ୍ୱର ଜମିଦାର ସାମନ୍ତ ବୈଷ୍ଣବ ପଟ୍ଟନାୟକଙ୍କ ଉଦାର ହୃଦୟ ଓ ପ୍ରଜା-ବତ୍ସଳତା ସହିତ ବ୍ରିଟିଶ୍ ଶାସନ କାଳରେ ଫତେପୁର ସରଷଣ୍ଢର ରାମଚନ୍ଦ୍ର ମଙ୍ଗରାଜ ଓ ‘ପ୍ରାୟଶ୍ଚିତ' ଉପନ୍ୟାସରେ ସମସରପୁର ଜମିଦାର ଶଙ୍କର୍ଷଣ ମହାନ୍ତିଙ୍କର ପରସ୍ୱ ଅପହରଣ, ଶଠତା ଓ ହୀନମନ୍ୟତାର ତୁଳନାତ୍ମକ ଚିତ୍ର ପ୍ରଦାନ କରି ଫକୀରମୋହନ ନବ୍ୟ-ଜମିଦାର ଗୋଷ୍ଠୀର ପ୍ରକୃତ ସ୍ୱରୂପ ଉଦ୍‌ଘାଟନ କରିଥିଲେ ।

 

ଅମଲାତାନ୍ତ୍ରିକ ଶାସନ ବ୍ୟବସ୍ଥା ଉପରେ ଇଂରେଜ ଶାସନର ମୂଳଦୁଆ ପ୍ରତିଷ୍ଠିତ ଥିଲା-। ପ୍ରଥମେ ଇଂରେଜି ଶିକ୍ଷା ଅଭାବରୁ ଓଡ଼ିଆମାନେ ସରକାରୀ ଚାକିରିରେ ପ୍ରବେଶ କରିପାରି ନ ଥିଲେ । କିନ୍ତୁ ୧୮୪୦-୮୦ ମଧ୍ୟରେ କଟକ, ପୁରୀ ଓ ବାଲେଶ୍ୱରରେ ଜିଲ୍ଲା ସ୍ତରୀୟ ଉଚ୍ଚ ଇଂରାଜୀ ବିଦ୍ୟାଳୟ ସ୍ଥାପିତ ହେଲାପରେ ଏଣ୍ଟ୍ରାନ୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ଯୁବକମାନେ ସରକାରୀ ଚାକିରିରେ ନିଯୁକ୍ତି ପାଇଲେ । ନୂତନ ଜମିଦାର ଗୋଷ୍ଠୀ ଭଳି ଏହି ସରକାରୀ କର୍ମଚାରୀମାନେ ମଧ୍ୟ ସରକାରୀ କ୍ଷମତାର ଅପପ୍ରୟୋଗ କରି ସାଧାରଣ ଲୋକଙ୍କୁ ଶୋଷଣ କରିବାକୁ ଆରମ୍ଭ କରିଥିଲେ । ଗ୍ରାମ ଛାଡ଼ି ସହରକୁ ଆସୁଥିବା ଏଇ ବାବୁମାନେ ବିଳାସ ବ୍ୟସନରେ କାଳ କାଟୁଥିଲେ ଏବଂ ଏଥିପାଇଁ ଆବଶ୍ୟକ ଅର୍ଥ ଅସତ୍ ଉପାୟରେ ଅର୍ଜନ କରୁଥିଲେ । ଫକୀରମୋହଙ୍କ ‘ମାମୁ' ଉପନ୍ୟାସର ନାୟକ ନାଜର ନଟବର ଦାସ ଥିଲେ ଏହି ଭଳି ଜଣେ ସ୍ୱାର୍ଥପର ସରକାରୀ କର୍ମଚାରୀ । ନିଜର ସ୍ୱାର୍ଥସାଧନପାଇଁ ନିଜ ବିଧବା ସାନ ଭଉଣୀର ସୁନା ଗହଣାଠାରୁ ଆରମ୍ଭ କରି ତାଙ୍କୁ ଜମିଦାରୀକୁ ମଧ୍ୟ ଗ୍ରାସ କରିବାପାଇଁ କିପରି ଉଦ୍ୟମ କରିଥିଲେ, ତା'ର ଅନ୍ତରଙ୍ଗ ଚିତ୍ର ‘ମାମୁ' ଉପନ୍ୟାସରେ ଅଙ୍କିତ ହୋଇଛି । ଓଡ଼ିଶାରେ ଇଂରେଜୀ ଶାସନର ପ୍ରାଥମିକ କାଳରେ ନୂତନ ଜମିଦାରୀ ପ୍ରଥା ଓ ଅମଲାତାନ୍ତ୍ରିକ ଶାସନ ବ୍ୟବସ୍ଥା ଯେ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ଭିତ୍ତିକୁ ଦୋହଲାଇ ଦେଇଥିଲା, ତା'ର ବାସ୍ତବ ଚିତ୍ର ଫକୀରମୋହନଙ୍କ ‘ଛ' ମାଣ ଆଠ ଗୁଣ୍ଠ', ‘ମାମୁ', ଓ ‘ପ୍ରାୟଶ୍ଚିତ' ଉପନ୍ୟାସରେ ଫୁଟି ଉଠିଥିଲା ।

 

ପାଶ୍ଚାତ୍ୟ ସଭ୍ୟତାର ସଂସ୍ପର୍ଶରେ ଆସି ନୂଆ ନୂଆ କଲେଜରେ ପଢ଼ୁଥିବା ଯୁବକମାନଙ୍କ ମଧ୍ୟରେ ଯେଉଁ ବ୍ୟଭିଚାର ଦେଖା ଦେଇଥିଲା, ‘ପ୍ରାୟଶ୍ଚିତ' ଉପନ୍ୟାସରେ କୁଅଁର ଗୋବିନ୍ଦଚନ୍ଦ୍ର, ରାଜୀବ, ସଦାନନ୍ଦଙ୍କ ଚରିତ୍ର ମଧ୍ୟରେ ଫକୀରମୋହନ ତାହା ଫୁଟାଇ ଦେଇଥିଲେ । ସେ ନିଜେ ଜାତି ଭେଦର ବିରୋଧୀ ଥିଲେ ଏବଂ ପତ୍ନୀ ନିର୍ବାଚନରେ ଯୁବକମାନଙ୍କର ସ୍ୱାଧୀନତାର ସମର୍ଥକ ଥିଲେ, କିନ୍ତୁ ଆଧୁନିକତା ନାମରେ ସ୍ୱେଚ୍ଛାଚାରିତା ଓ ପିତାମାତାଙ୍କ ଇଚ୍ଛାର ବିରୁଦ୍ଧାଚରଣ କରିବା ଭଳି କାର୍ଯ୍ୟକୁ ସେ ସମର୍ଥନ କରିପାରି ନଥିଲେ । ‘ପ୍ରାୟଶ୍ଚିତ' ତାଙ୍କର ଏହି ଦୃଷ୍ଟିଭଙ୍ଗୀର ଉଜ୍ଜ୍ୱଳ ଉଦାହରଣ ।

 

ମରହଟ୍ଟା ଶାସନ କାଳରେ ବିଚାର ବ୍ୟବସ୍ଥା ଅତ୍ୟନ୍ତ ସରଳ ଥିଲା । ବିଚାର ପଦ୍ଧତି, ଦଣ୍ଡବିଧାନ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ଲିଖିତ ଆଇନ୍ ନ ଥିଲା । ଅଧିକାଂଶ ମୋକଦ୍ଦମା ପଞ୍ଚାୟତ ସ୍ତରରେ ନିଷ୍ପତ୍ତି ହୋଇ ଯାଉଥିଲା । କିନ୍ତୁ ବ୍ରିଟିଶ୍ ଶାସନରେ ଏ ବିଚାର ପଦ୍ଧତିର ପରିବର୍ତ୍ତନ ଘଟିଲା । ବ୍ରିଟିଶ୍ ବିଚାର-ବ୍ୟବସ୍ଥା ଥିଲା ଲିଖିତ ଏବଂ ନିୟମାବଦ୍ଧ (codified) । ବାଦୀ, ପ୍ରତିବାଦୀ ଉଭୟଙ୍କ ପକ୍ଷରୁ ନିଜ ସପକ୍ଷରେ ସମସ୍ତ ତଥ୍ୟ ଓ ଯୁକ୍ତି କେବଳ ଓକିଲମାନଙ୍କ ଜରିଆରେ ବିଚାରପତିଙ୍କ ସପକ୍ଷରେ ଉପସ୍ଥାପିତ କରିବାକୁ ପଡ଼ିଲା । ଯେହେତୁ କୋର୍ଟ କଚେରିର ଭାଷା ଥିଲା ଇଂରାଜୀ, ସାଧାରଣ ଲୋକେ ତାହା ବୁଝିପାରୁ ନଥିଲେ । ଓକିଲମାନେ କଳାକୁ ଧଳା କରିବାର ସୁଯୋଗ ପାଉଥିଲେ । ପ୍ରତିପତ୍ତିଶାଳୀ ଓ ବିତ୍ତବାନ ଲୋକେ ଓକିଲକୁ ହାତ କରି ନ୍ୟାୟ କରି ନେଇ ପାରୁଥିଲେ । ବିଚାର ପଦ୍ଧତିର ଜଟିଳତାର ଜାଲ ଭେଦ କରି ନ୍ୟାୟ ପାଇବା ଶାରିଆ, ଭଗିଆଙ୍କ ଭଳି ନିରୀହ ଚାଷୀଙ୍କ ପକ୍ଷରେ ସମ୍ଭବ ହେଉ ନଥିଲା । ସେମାନଙ୍କର ଭାତହାଣ୍ଡି ଛ'ମାଣ ଆଠଗୁଣ୍ଠ ଜମିକୁ ପ୍ରତାରଣା କରି ମଙ୍ଗରାଜ ସହଜରେ ନିଲାମ ଧରି ନେଇ ପାରିଥିଲେ । ଚିରସ୍ଥାୟୀ ବନ୍ଦୋବସ୍ତ ଫଳରେ ଯେପରି ଇଂରେଜ ସରକାରେ ଏକ ନୂତନ ସୁବିଧାଭୋଗୀ ଜମିଦାର ଶ୍ରେଣୀ ସୃଷ୍ଟି କରିଥିଲେ; ନୂତନ ବିଚାର ବ୍ୟବସ୍ଥା ପ୍ରଚଳନ ଫଳରେ ଏକ ନୂଆ ଓକିଲ ଗୋଷ୍ଠୀ ମଧ୍ୟ ସୃଷ୍ଟି ହେଲେ । ଏମାନେ କେବଳ ନିରକ୍ଷର ସରଳ ଗରିବ ଲୋକଙ୍କୁ ଠକି ପଇସା ରୋଜଗାର କରୁଥିଲେ ତା' ନୁହେଁ, ଅସୁବିଧାରେ ପଡ଼ିଥିଲାବେଳେ ମଙ୍ଗରାଙ୍କ ଭଳି ଧୂର୍ତ୍ତ ଜମିଦାରଙ୍କ ପକେଟରୁ ମଧ୍ୟ ଟଙ୍କା କାଢ଼ି ନେଉଥିଲେ । ଓକିଲାତି ଏକ ଲାଭଜନକ ବ୍ୟବସାୟ ହୋଇଥିଲାବୋଲି ଫକୀରମୋହନ ବ୍ୟଙ୍ଗ କରି ଲେଖିଥିଲେ- ଆଗେ ବାଣିଜ୍ୟ କଲେ ଘରକୁ ଳକ୍ଷ୍ମୀ ଆସୁଥିଲେ- ଏବେ ଓକିଲାତି ପାସ୍ କଲେ ଅର୍ଦ୍ଧେକ ଲକ୍ଷ୍ମୀ ଘରକୁ ଆସୁଛନ୍ତି ।

 

ଜମିଦାର, ଅମଲା (Bureaucrat)ଓକିଲ ଓ ପୋଲିସ୍‌- ଏହିମାନେ ହିଁ ଥିଲେ ଇଂରେଜୀ ଶାସନର ଚାରି ସୁଦୃଢ଼ ସ୍ତମ୍ଭ । ଏହିମାନେ ମଧ୍ୟ ଥିଲେ ଓଡ଼ିଶାର ଅର୍ଥନୈତିକ- ସାମାଜିକ ପରିବର୍ତ୍ତନର ମାଧ୍ୟମ । ଫକୀରମୋହନ ବନ୍ଦର ଶ୍ରମିକ, ସ୍କୁଲ ଶିକ୍ଷକ, ପ୍ରେସ୍ ପରିଚାଳକ ଏବଂ ଶେଷରେ ବିଭିନ୍ନ ଗଡ଼ଜାତର ପ୍ରଶାସକ ଭାବରେ କାର୍ଯ୍ୟ କଲାବେଳେ ଏହି ପରିବର୍ତ୍ତନର ପ୍ରଭାବ ଓ ପ୍ରତିକ୍ରିୟାକୁ ଲକ୍ଷ୍ୟ କରିଥିଲେ । ତାଙ୍କର କୋଡ଼ିଏଟି ଗଳ୍ପ ଓ ଚାରିଖଣ୍ଡ ଉପନ୍ୟାସରେ ଏହି ଅଭିଜ୍ଞତାର ଚିତ୍ର ପରିସ୍ଫୁଟ ହୋଇଛି ।

 

କେବଳ ଅର୍ଥନୈତିକ କିମ୍ବା ପ୍ରଶାସନିକ ପରିବର୍ତ୍ତନ ନୁହେଁ; ଊନବିଂଶ ଶତାବ୍ଦୀର ଶେଷ ଓ ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ଓଡ଼ିଶାର ସାମାଜିକ ଜୀବନରେ ଯେଉଁ ପରିବର୍ତ୍ତନ ଘଟୁଥିଲା, ତାହା ମଧ୍ୟ ତାଙ୍କର ଶିଳ୍ପୀ ଦୃଷ୍ଟିରୁ ଏଡ଼ାଇ ଯାଇପାରି ନ ଥିଲା । ଈଶ୍ୱରଙ୍କ ଉପରୁ ଆସ୍ଥା ହରାଇ ଲୋକେ ଅର୍ଥବଳକୁ ବଡ଼ବୋଲି ମନେ କରିବାକୁ ଆରମ୍ଭ କରିଥିଲେ । ଅର୍ଥ ହିଁ ଈଶ୍ୱର- ଇଂରେଜ ଶାସନ କାଳରେ ଏହି ଜୀବନ-ଦର୍ଶନ ମଙ୍ଗରାଜ ଜେଲରେ ଥିଲାବେଳେ ତାଙ୍କର ସକଳ ଅପକର୍ମର ସହଚରୀ ଚମ୍ପାକୁ ସବୁ ଟଙ୍କା ପଇସା ସୁନାଗହଣା ଚୋରିକରି ଗୋବିନ୍ଦା ସହିତ ପଳାୟନ କରିବାକୁ ପ୍ରଲୁବ୍ଧ କରିଥିଲା । ଏହି ଅର୍ଥର ଭାଗ ବାଣ୍ଟ ନେଇ କଳହ ହେବାରୁ ହିଁ ଅବଶେଷରେ ଗୋବିନ୍ଦା ହାତରେ ତା'ର ପ୍ରାଣ ଗଲା । ପୁଣ୍ୟ- ସଞ୍ଚୟ ନୁହେଁ, ଅର୍ଥ ସଂଗ୍ରହ ହିଁ ହେଲା ଲୋକଙ୍କର ପ୍ରଧାନ ଲକ୍ଷ୍ୟ । ଅର୍ଥର ଏହି ଯାଦୁକାରୀ ଶକ୍ତିକୁ ଲକ୍ଷ୍ୟକରି ଫକୀରମୋହନ ‘ପ୍ରାୟଶ୍ଚିତ' ଉପନ୍ୟାସରେ ମନ୍ତବ୍ୟ କରିଥିଲେ- ‘ଟଙ୍କାର ବଳ ଭାରି ବଳ । ତାହାର କେମନ୍ତ ଗୋଟାଏ ବୈଦ୍ୟୁତିକ ଶକ୍ତି ଅଛି, ଅଣ୍ଟାରେ ଗୁଞ୍ଜିଲେ ଦେହ ଯାକରେ ଦୁଇଗୁଣ ବଳ ଖେଳିଯାଏ ।’

 

ଅର୍ଥ ଭଳି ମଦ ମଧ୍ୟ ପୁଞ୍ଜିବାଦୀ ସଂସ୍କୃତିର ସହଚରୀ । ଏହା ଆଭିଜାତ୍ୟର ଏକ ଅଙ୍ଗ ଭାବରେ ପରିଗଣିତ ହେଉଥିଲା । ‘ଛ'ମାଣ ଆଠଗୁଣ୍ଠ' ଉପନ୍ୟାସରେ ଜମିଦାର ଶେଖ୍ ଦିଲଦାର ମିଆଁଙ୍କଠାରୁ ଆରମ୍ଭ କରି ‘ମାମୁ' ଉପନ୍ୟାସର ରାଘବ ମହାନ୍ତି ପର୍ଯ୍ୟନ୍ତ, ସମସ୍ତେ କିପରି ଏହି ମଦ୍ୟ ନିଶାରେ ନିଜର ସର୍ବନାଶ ଘଟାଇଥିଲେ ; ତା'ର କରୁଣ- ବାସ୍ତବ ଚିତ୍ର ଅଙ୍କନ କରି ଫକୀରମୋହନ ଏହାର ଖରାପ ଦିଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ ।

 

ଫକୀରମୋହନଙ୍କ ସୃଷ୍ଟି ପ୍ରତିଭା ବଙ୍କିମଚନ୍ଦ୍ରଙ୍କ ଭଳି କେବଳ ସମାଜର ଉଚ୍ଚ ବର୍ଗଙ୍କ ଜୀବନ ଚିତ୍ରଣ ମଧ୍ୟରେ ସୀମିତ ନ ଥିଲା । ସମାଜର ଅବହେଳିତ ଅସବର୍ଣ୍ଣ, ପଛୁଆ ଜାତିର ଲୋକଙ୍କ ଜୀବନ ଯନ୍ତ୍ରଣାର ଛବି ସେ ସମ୍ବେଦନଶୀଳ ମନ ନେଇ ନିଜ ଗଳ୍ପ-ଉପନ୍ୟାସରେ ଅଙ୍କନ କରିଯାଇଥିଲେ । ଡକ୍ଟର ବାଳକୃଷ୍ଣ ଶତପଥୀ ଫକୀରମୋହନଙ୍କ ଚାରିଖଣ୍ଡ ଉପନ୍ୟାସ ଏବଂ ଅଠରଟି କ୍ଷୁଦ୍ରଗଳ୍ପରେ ବିଭିନ୍ନ ଶ୍ରେଣୀର ଚାରିଶହ ଚରିତ୍ରଙ୍କର ସମାବେଶ ଘଟିଥିବା କଥା ‘କଥାଶିଳ୍ପୀ ସେନାପତିଙ୍କ ଦୃଷ୍ଟି ଓ ଦିଗ୍‌ବଳୟ' ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି । ବ୍ରାହ୍ମଣ, କରଣ, କ୍ଷତ୍ରିୟ, ଖଣ୍ଡାୟତ, ବୈଶ୍ୟ, ପ୍ରଭୃତି ଉଚ୍ଚ ବର୍ଗର ନରନାରୀଙ୍କ ବ୍ୟତୀତ ଭଣ୍ଡାରୀ, ତନ୍ତୀ, ତେଲି, ଗଉଡ଼ ପ୍ରଭୃତି ପଛୁଆ ଜାତି ଏବଂ ପାଣ, ବାଉରି, ଡମ ପ୍ରଭୃତି ଅସବର୍ଣ୍ଣ ଜାତିର ଚରିତ୍ର ତାଙ୍କ ଗଳ୍ପ ଉପନ୍ୟାସରେ ମୁଖ୍ୟ ଓ ଗୌଣ ଚରିତ୍ର ଭାବରେ ନିଜର ଭୂମିକା ପାଳନ କରିଛନ୍ତି । ଏହି ନିମ୍ନ ବର୍ଗର ଚରିତ୍ରମାନଙ୍କ ମଧ୍ୟରୁ ଜମିଦାରଙ୍କ ଶୋଷଣର ଶିକାର ହୋଇ ନିଜର ଚାଷ ଜମି, ଗାଈ ହରାଇ ଯଥାକ୍ରମେ ପାଗଳ ଓ ମୃତ୍ୟୁବରଣ କରିଥିବା ତନ୍ତୀ- ଦମ୍ପତି ଭଗିଆ, ଶାରିଆ ନିଃସନ୍ଦେହରେ ସର୍ବାଧିକ ଅଭୁଲା ଚରିତ୍ର । ଏ ଦୁଇଙ୍କ ବ୍ୟତୀତ ଭାଗ୍ୟ ବିଡ଼ମ୍ବିତା ଚମ୍ପା, ଚିତ୍ରକଳା, ଲଛମା, ଜଗା ଫତେସିଂହ ମା', ନାକଫୋଡ଼ିଆ ମା'ଙ୍କ ଭଳି ନାରୀ ଚରିତ୍ର ମଧ୍ୟ ପାଠକମାନଙ୍କ ମନରେ ଗଭୀର ଦାଗ ରଖିଯାଆନ୍ତି ।

 

ଫକୀରମୋହନ ନିଜେ ଭାଗ୍ୟ ଓ ଭଗବାନଙ୍କୁ ବିଶ୍ୱାସ କରୁଥିଲେ । ସେ ଥିଲେ ଗଭୀର ଧର୍ମ ଭାବାପନ୍ନବ୍ୟକ୍ତି । କିନ୍ତୁ ଧର୍ମାନ୍ଧତା ଅଥବା ସାମ୍ପ୍ରଦାୟିକ ଭାବନା ତାଙ୍କ ମନକୁ ସ୍ପର୍ଶ କରି ନ ଥିଲା । ଅନ୍ୟ ଭାରତୀୟ ଭାଷାର ଔପନ୍ୟାସିକମାନଙ୍କ ମଧ୍ୟରୁ କେହି କେହି ହିନ୍ଦୁଧର୍ମର ପୁନରୁତ୍ଥାନପାଇଁ ମୁସଲମାନ ବିରୋଧୀ ମନୋଭାବ ସାହିତ୍ୟରେ ପ୍ରକାଶ କରିଥିବାବେଳେ (ଆନନ୍ଦ ମଠ : ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ) କିମ୍ବା ଖ୍ରୀଷ୍ଟ ଧର୍ମର ମହତ୍ତ୍ୱ ପ୍ରଚାରପାଇଁ ହିନ୍ଦୁ ଧର୍ମର ଅସାରତାକୁ ନେଇ ଉପନ୍ୟାସ ରଚନା କରିଥିବାବେଳେ (ଯମୁନା ପର୍ଯ୍ୟଟନ : ବାବା ପଦ୍ମନ୍‌ଜୀ) ଫକୀରମୋହନ ନିଜର ଧର୍ମ ନିରପକ୍ଷ ଦୃଷ୍ଟିଭଙ୍ଗୀର ପରିଚୟ ରଖିଯାଇଛନ୍ତି । ତାଙ୍କର ଏକମାତ୍ର ଐତିହାସିକ ଉପନ୍ୟାସ ‘ଲଛମା' ୧୭୪୦ରୁ ୧୭୪୪ ମସିହା ମଧ୍ୟରେ ଘଟିଯାଇଥିବା ଐତିହାସିକ ତଥ୍ୟ ଉପରେ ଏହି ଉପନ୍ୟାସର କଥାବସ୍ତୁ ନିର୍ମିତ ହୋଇଥିଲେ ସୁଦ୍ଧା ଏଥିରେ ଅଷ୍ଟାଦଶ ଶତାବ୍ଦୀର ଓଡ଼ିଶାର ସାମାଜିକ ଓ ରାଜନୈତିକ ଜୀବନଚିତ୍ର ଅଙ୍କିତ । ଆଲିବର୍ଦ୍ଦି ଖାଁ ସେତେବେଳେ ବଙ୍ଗଳା- ବିହାର ଓ ଓଡ଼ିଶାର ନବାବ, ସେଇ ସୁଯୋଗରେ ନାଗପୁର ଭୋନ୍‌ସାଲାଙ୍କ ପ୍ରତିନିଧି ଭାବରେ ଶିବଶଙ୍କର ଓଡ଼ିଶା ରାଇବଣିଆର ଦୁର୍ଗାଧିପତିଙ୍କ ପାଖକୁ ମୁସଲମାନ ନବାବଙ୍କ ବିରୁଦ୍ଧରେ ମରହଟ୍ଟା ଶକ୍ତି ସହିତ ହାତ ମିଳାଇବା ପ୍ରସ୍ତାବ ନେଇ ଆସି ପହଞ୍ଚିଲେ । କିନ୍ତୁ ଓଡ଼ିଶା ଉପରେ ମରହଟ୍ଟା ବର୍ଗୀମାନଙ୍କ ଅତ୍ୟାଚାର କଥା ସ୍ମରଣ ରଖି ରାଇବଣିଆର ହିନ୍ଦୁ ଖଣ୍ଡାୟତ୍ ରାଜା ସେ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେବା ଫଳରେ କେବଳ ଦୁର୍ଗାଧିପତି ମାନ୍ଧାତା ନିଜ ବୁଦ୍ଧିମତ୍ତାର ପରିଚୟ ନୁହେଁ; ଫକୀରମୋହନ ତାଙ୍କ ଧର୍ମ ନିରପକ୍ଷ ଦୃଷ୍ଟିଭଙ୍ଗୀର ମଧ୍ୟ ପରିଚୟ ଦେଇଗଲେ । ହିନ୍ଦୁ ଜାତୀୟତାବାଦର ବିକାଶ କାଳରେ ତାଙ୍କର ସେଭଳି ଧର୍ମନିରପକ୍ଷ ଦୃଷ୍ଟିଭଙ୍ଗୀ ନିଃସନ୍ଦେହରେ ଏକ ଦୁଃସାହସିକ କାର୍ଯ୍ୟ ଏବଂ ଅନ୍ୟ ଭାରତୀୟ କଥା ସାହିତ୍ୟରେ ଏକ ଦୃଷ୍ଟାନ୍ତ ।

 

ଫକୀରମୋହନଙ୍କ ଉପନ୍ୟାସ ରଚନା ପୂର୍ବରୁ ବଙ୍ଗଳାର ବଙ୍କିମଚନ୍ଦ୍ର ହିଁ ଥିଲେ ଭାରତବର୍ଷର ଅପ୍ରତିଦ୍ୱନ୍ଦ୍ୱୀ ଔପନ୍ୟାସିକ । ୧୮୭୫ ମସିହାରୁ ୧୮୮୫ ମସିହା ମଧ୍ୟରେ ତାଙ୍କର ‘କପାଳ କୁଣ୍ଡଳା', ‘ଦୁର୍ଗେଶ ନନ୍ଦିନୀ' ଓ ‘ବିଷ ବୃକ୍ଷ' ଉପନ୍ୟାସ ଇଂରେଜୀରେ ଅନୂଦିତ ହୋଇ ପ୍ରକାଶିତ ହେବା ପରେ ବିଭିନ୍ନ ଭାରତୀୟ ଭାଷାରେ ତା'ର ଅନୁବାଦ ପ୍ରକାଶିତ ହୋଇଥିଲା । କିନ୍ତୁ ତାଙ୍କ ଉପନ୍ୟାସ ସମ୍ପର୍କରେ କୁହାଯାଇଛି- ‘ସେ ମୁଖ୍ୟତଃ ବଙ୍ଗଳା ଦେଶର ଅଭିଜାତ ବା ଜମିଦାର ସମାଜର କଥା ହିଁ କହିଛନ୍ତି । xxx ବଙ୍କିମ ଉପନ୍ୟାସ ସେହି କାରଣରୁ ଅଭିଜାତ ବା ଉଚ୍ଚବିତ୍ତ ଶ୍ରେଣୀର ଉପନ୍ୟାସ । ସାଧାରଣ ବା ନିମ୍ନ ମଧ୍ୟବିତ୍ତର ସ୍ଥାନ ସେଠାରେ ନାହିଁ ।’ (ବାଂଲା ଉପନ୍ୟାସେ ସମାଜ ଚିନ୍ତାର ବିବର୍ତ୍ତନ : ଡକ୍ଟର ଅସିତ ସିଂହ, ପୃ-୧୪) ଅପର ପକ୍ଷରେ ଫକୀରମୋହନଙ୍କ ଉପନ୍ୟାସରେ ଜମିଦାର ଓ ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀର ଚରିତ୍ର ଥିଲେ ମଧ୍ୟ ମୁଖ୍ୟତଃ ଏହା ଶାରିଆ, ଭଗିଆ, ଗୋବରା ଜେନା ଚଉକିଆ କିମ୍ବା ଭାଗ୍ୟ-ବିଡ଼ମ୍ବିତା ଚମ୍ପା, ଗେହ୍ଲି, ଚିତ୍ରକଳା, ଜଗା ଫତେ ସିଂହ ମାଆର କାହାଣୀ । ତେଣୁ ବଙ୍କିମଚନ୍ଦ୍ର ସମାଜର ସାମନ୍ତବାଦୀ ଶ୍ରେଣୀର କାମନା, ଳାଳସାର କାହାଣୀକୁ ନିଜ ଉପନ୍ୟାସର ଭାବବସ୍ତୁ (Theme) ଭାବରେ ଗ୍ରହଣ କରିଥିବାବେଳେ ଫକୀରମୋହନ କ୍ରମ-କ୍ଷୟଷ୍ଣୁ ସାମନ୍ତବାଦର ପୃଷ୍ଠଭୂମିରେ ଦଳିତ, ନିଷ୍ପେଷିତ ଲୋକଙ୍କ କାହାଣୀକୁ ନିଜ ଉପନ୍ୟାସର ବିଷୟବସ୍ତୁ ଭାବରେ ବାଛି ନେଇଥିଲେ ।

 

ଭାରତୀୟ କଥା ସାହିତ୍ୟରେ ପ୍ରେମଚନ୍ଦଙ୍କ ‘ଗୋଦାନ' ଉପନ୍ୟାସକୁ ଶ୍ରେଷ୍ଠ ସମାଜ ବାସ୍ତବବାଦୀ ଉପନ୍ୟାସ ଭାବରେ ଆଲୋଚନା କରାଯାଏ; କିନ୍ତୁ ଫକୀରମୋହନଙ୍କ ‘ଛ'ମାଣ ଆଠଗୁଣ୍ଠ' ୧୮୯୭-୯୮ ମସିହାରେ ପ୍ରକାଶିତ ହେଲା ବେଳକୁ ପ୍ରେମଚନ୍ଦ ଉପନ୍ୟାସ ଲେଖା ସୁଦ୍ଧା ଆରମ୍ଭ କରି ନଥିଲେ । ତାଙ୍କର ‘ଗୋଦାନ' ୧୯୩୬ ମସିହାରେ ପ୍ରକାଶିତ ହୋଇଥିଲା । ସେହି ଦୃଷ୍ଟିରୁ ଫକୀରମୋହନଙ୍କ ‘ଛ'ମାଣ ଆଠଗୁଣ୍ଠ' ଉପନ୍ୟାସ ଯେ ଭାରତୀୟ ସାହିତ୍ୟରେ ସମାଜ ବାସ୍ତବବାଦୀ ଉପନ୍ୟାସ ଭାବରେ ଏକ ପଥିକୃତ ଉଦ୍ୟମ, ଏଥିରେ ସନ୍ଦେହ ନାହିଁ ।

 

In a letter to an obscure English novelist, Friedrich Engels remarked that Balzac "gives us a most wonderfully realistic history of French 'Society'...from which... I have learned more than from all the professed historians, economists and statisticians of the period together," (Engles in Lifschitz : P- 122) । ସେହିପରି କୁହାଯାଇପାରେ ଫକୀରମୋହନ ତାଙ୍କ ‘ଲଛମା', ‘ଛ’ମାଣ ଆଠଗୁଣ୍ଠ', ‘ମାମୁ' ଓ ‘ପ୍ରାୟଶ୍ଚିତ' ଉପନ୍ୟାସରେ ୧୭୪୦ ମସିହାରୁ ୧୯୨୦- ଏହି ସୁଦୀର୍ଘ ଦୁଇଶହ ବର୍ଷର ଓଡ଼ିଶାର ସାମାଜିକ ଜୀବନର ଯେଉଁ ବାସ୍ତବଧର୍ମୀ ଅନ୍ତରଙ୍ଗ ଚିତ୍ର ଦେଇଯାଇଛନ୍ତି, ତାହା କୌଣସି ଇତିହାସ ବହିରୁ ଖୋଜି ପାଇବା ସମ୍ଭବ ନୁହେଁ ।

•••

 

Unknown

ସଂସ୍କୃତି, ଅର୍ଥନୈତିକ ଉନ୍ନୟନ ଓ ପର୍ଯ୍ୟଟନ

ଡକ୍ଟର ସୀତାକାନ୍ତ ମହାପାତ୍ର

 

ଅନେକ ବର୍ଷ ହେଲା ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ସଭାସମିତି ଓ ଆଲୋଚନା ଚକ୍ରରେ ଅର୍ଥନୈତିକ ଉନ୍ନୟନ ଓ ପର୍ଯ୍ୟଟନ ଶିଳ୍ପର ପାରସ୍ପରିକ ସମ୍ପର୍କ ବିଷୟରେ ବିବିଧ ଦୃଷ୍ଟିକୋଣରୁ ଆଲୋଚନା ହୋଇସାରିଛି । ଏ ସମ୍ପର୍କରେ ସୁଖଦ ଦିଗଗୁଡ଼ିକ ବିଷୟରେ ପ୍ରାୟ ସମସ୍ତେ ଅବହିତ । ଦେଶ ବିଦେଶ ଭ୍ରମଣ ଫଳରେ ଏ ପୃଥିବୀ କ୍ରମଶଃ ସଂକୁଚିତ ହୋଇଆସୁଛି । ଏହାକୁ ମାର୍ଶାଲ ମାକ୍‌ଲୁହାନ୍ ‘ବିଶ୍ୱଗ୍ରାମ' ବା ‘global village’ ଆଖ୍ୟା ଦେଇଛନ୍ତି । ମଣିଷର ସଂସ୍କୃତି ଆଉ ଭୌଗୋଳିକ ସୀମା ଭିତରେ ସୀମିତ ହୋଇ ରହିନାହିଁ । ଆଜ୍‌ଟେକ୍ ସଂସ୍କୃତିରେ ତା'ର ଐତିହ୍ୟରେ ଭାଗନେଇପାରୁଛି ଦିଲ୍ଲୀର ମଣିଷ । କୋଣାର୍କ ଖଜୁରାହୋ ଦେଖି ତନ୍ମୟ ହେଉଛି ଆଫ୍ରିକା ଅଷ୍ଟ୍ରେଲିଆର ମଣିଷ । ସମଗ୍ର ବସୁଧା ଗୋଟିଏ କୁଟୁମ୍ବ ହେବାର ସ୍ୱପ୍ନ କ୍ରମଶଃ ସମ୍ଭାବନାରୁ ବାସ୍ତବତା ଆଡ଼କୁ ଆସୁଛି । ମନର ଦିଗନ୍ତ, ଜ୍ଞାନର ଦିଗ୍‌ବଳୟ ଦ୍ରୁତ ପ୍ରସାରିତ ହେଉଛି-। ମଣିଷର ହାତଗଢ଼ା ମନ୍ଦିର, ଦେଉଳ, ସ୍ମୃତିସ୍ତମ୍ଭ, ପିରାମିଡ଼୍‌, ମସ୍‌ଜିଦ୍‌, କାଥେଡ୍ରାଲ, ବିଭିନ୍ନ ସ୍ମୃତିର ପ୍ରତୀକ ଆଜି ସବୁଠିଁ ସଭିଙ୍କପାଇଁ ଉନ୍ମୁକ୍ତ । ତା' ସହିତ ସ୍ଥାନୀୟ ଅର୍ଥନୀତିର ଯେ ଅଭୂତପୂର୍ବ ବିକାଶ ଘଟିଛି ଏକଥା କହିବା ହୁଏତ ନିଷ୍ପ୍ରୟୋଜନ । ଶିଳ୍ପ ହିସାବରେ ପରିଭ୍ରମଣ ବ୍ୟବସାୟ ଯେ ବିଗତ ତିରିଶି ବର୍ଷ ଭିତରେ ପ୍ରାୟ ଆକାଶ ଛୁଇଁଲାଣି ଏକଥା ସମସ୍ତଙ୍କୁ ଜଣା । ମଣିଷ ଇତିହାସରେ କେବେହେଲେ ଏତେ ବ୍ୟକ୍ତି, ଏତେ ଦ୍ରୁତ ବେଗରେ ପୃଥିବୀ ପର୍ଯ୍ୟଟନ କରୁନଥିଲେ-। ଧର୍ମକାର୍ଯ୍ୟରେ ପରିବ୍ରାଜକମାନେ ତୀର୍ଥଯାତ୍ରା ଏକଦା ବହୁ କଷ୍ଟ ସ୍ୱୀକାର କରି, ଦୁର୍ଗମ ପଥ ଅତିକ୍ରମି ପାଦରେ, ବଳଦଗାଡ଼ିରେ, ବସ୍‌ରେ, ଟ୍ରେନ୍‌ରେ ଯାତ୍ରା କରୁଥିଲେ । ଏରୋପ୍ଲେନ୍ ଯାତ୍ରା ସୁଗମ ହେଲାପରେ, ଗମନାଗମନ ବ୍ୟବସ୍ଥା ସ୍ୱଚ୍ଛନ୍ଦ ହେଲାପରେ, ପର୍ଯ୍ୟଟନ ଶିଳ୍ପର ଦ୍ରୁତ ଅଭ୍ୟୁଦୟ ଓ ପ୍ରଗତି ଘଟିଲା । ତା' ସହିତ ହୋଟେଲ୍ ଶିଳ୍ପ, ଆନୁସଙ୍ଗିକ ସାଂସ୍କୃତିକ କର୍ମ, ହସ୍ତଶିଳ୍ପ, କୁଟୀରଶିଳ୍ପ ଓ ବିବିଧ ବ୍ୟବସାୟର ମଧ୍ୟ ଦ୍ରୁତ ପ୍ରସାରଣ ଘଟିଲା । ପର୍ଯ୍ୟଟନ ଶିଳ୍ପର ବିକାଶ ସହ କ୍ଲାସିକାଲ୍ ଓ ଲୋକନୃତ୍ୟ, ନାଚଗୀତ, ଚିତ୍ରକଳା, କ୍ରାଫ୍‌ଟ, ପୁସ୍ତକ ପ୍ରକାଶନ ଓ ବିକ୍ରି, ରାସ୍ତାଘାଟ ନିର୍ମାଣ, ଏୟାରପୋର୍ଟମାନଙ୍କର ଉନ୍ନତି- ଏ ସକଳ ଅଙ୍ଗାଙ୍ଗୀଭାବେ ଜଡ଼ିତ ବିଷୟଗୁଡ଼ିକର ପ୍ରଗତି ଘଟିଯାଇଛି ।

 

ଅର୍ଥନୈତିକ ଉନ୍ନୟନର ଅର୍ଥ ଓ ସଂଜ୍ଞା କିନ୍ତୁ ଧୀରେ ଧୀରେ ବଦଳିଚାଲିଛି । କେବଳ ବ୍ୟକ୍ତିଗତ ବା ଜାତୀୟ ଆୟ ଅଥବା ସମ୍ପଦର ଅଭିବୃଦ୍ଧି ଯେ ଏହାର ଏକମାତ୍ର ବା ପ୍ରକୃଷ୍ଟ ପରିମାପକ ତାହା ଏବେ ଗ୍ରହଣୀୟ ହୋଇ ରହିନାହିଁ । ବ୍ୟକ୍ତିକୁ ଆନନ୍ଦରେ ବଞ୍ଚିବାପାଇଁ ସୁସ୍ଥ ସମାଜର ଜଣେ ହୋଇ ରହିବାପାଇଁ ଓ ସବୁଦିଗରୁ ନିଜ ବ୍ୟକ୍ତିତ୍ୱର ବିକାଶପାଇଁ ସୁଯୋଗ ମିଳିବା ଉଚିତ ଓ ଏହି ସୁଯୋଗ ସୃଷ୍ଟି ହିଁ ଆଜି ପ୍ରଗତିର ପ୍ରକୃଷ୍ଟ ପରିମାପକ । ସୀମିତ ଅର୍ଥନୈତିକ ମାପକାଠି କେବେ ମଣିଷର ସୁଖ ବା ଆନନ୍ଦକୁ ମାପି ପାରେ ନାହିଁ । ଏଥିପାଇଁ ଗଲା କେତେବର୍ଷ ଧରି ବିଶ୍ୱ ଉନ୍ନୟନ ରିପୋର୍ଟ (World Development Report) ସହ UNDP ପ୍ରସ୍ତୁତ କରୁଥିବା ମାନବ ଉନ୍ନୟନ ରିପୋର୍ଟ (Human Development Report) ମଧ୍ୟ ପ୍ରକାଶିତ ହୋଇଅଛି । ସଂସ୍କୃତି ସହିତ ଯେ ବ୍ୟକ୍ତିର ସୁଖଶାନ୍ତି ନିବିଡ଼ଭାବେ ଜଡ଼ିତ ଏକଥା ଏବେ ସର୍ବବାଦୀସମ୍ମତ । ଶିକ୍ଷା, ସ୍ୱାସ୍ଥ୍ୟ, ସୁସ୍ଥ ପରିବାର, ଗୋଷ୍ଠୀ ଓ ସମାଜ ସହିତ ପ୍ରତ୍ୟେକ ମଣିଷ ଗୋଟିଏ ସାଂସ୍କୃତିକ ପରିବେଶ ଭିତରେ ବଞ୍ଚିରହେ । ସେ ପରିବେଶ ହିଁ ତା'ର ଚେର, ତା'ର ମୂଳସତ୍ତା । ସେଥିରେ ଧକ୍କା ପହଞ୍ଚିଲେ ତା'ର ବ୍ୟକ୍ତିସତ୍ତା ଦୋହଲିଯାଏ, ଯାହାଫଳରେ ସାମାଜିକ ମୂଲ୍ୟବୋଧ ଓ ସଂସ୍କୃତି ମଧ୍ୟ ଦୋହଲିଯାଏ । ସମାଜ ଭିତରେ ବ୍ୟକ୍ତିମାନଙ୍କର ପାରସ୍ପରିକ ସମ୍ପର୍କ ସଂସ୍କୃତିର ବିଭିନ୍ନ ବିଭାଗଦ୍ୱାରା ପରିଚାଳିତ । ସାମାଜିକ ସଂଘବଦ୍ଧତା, ଦୃଢ଼ତା ଏବଂ ବ୍ୟକ୍ତିଜୀବନର ସ୍ଥୈର୍ଯ୍ୟ ଉଭୟେ ସାଂସ୍କୃତିକ ପ୍ରବାହ ସହ ଓତପ୍ରୋତଭାବେ ଜଡ଼ିତ । ଅର୍ଥନୈତିକ ଉନ୍ନୟନର ମୂଳ ଲକ୍ଷ୍ୟ ତେଣୁ ହେବା ଉଚିତ ସାଂସ୍କୃତିକ- ସାମାଜିକ ବିକାଶ, ବ୍ୟକ୍ତିର ବ୍ୟକ୍ତିତ୍ୱର ବିକାଶ । ଅର୍ଥନୀତି ସେଥିପାଇଁ ଏକ ସାଧନ ଓ ପନ୍ଥା; ମାତ୍ର ଏହା ଚରମ ଲକ୍ଷ୍ୟ ନୁହେଁ ।

 

ପର୍ଯ୍ୟଟନ ଶିଳ୍ପ ଉଭୟ ଅର୍ଥନୀତିର ପ୍ରଗତି ତଥା ସଂସ୍କୃତିର ସ୍ୱରୂପ ସହ ଗଭୀରଭାବେ ଜଡ଼ିତ । ଏଇ ଲେଖକ ୧୯୯୪-୯୬ ଦୁଇବର୍ଷ କାଳ ୟୁନେସ୍କୋର World Decade for Cultural Development, ଅର୍ଥାତ୍ ‘ସାଂସ୍କୃତିକ ବିକାଶପାଇଁ ବିଶ୍ୱ ଦଶନ୍ଧି’ର ସଭାପତି ଥିଲା । ଏହାର ସଭାପତି ହିସାବରେ ଜାତିସଂଘର ପୂର୍ବତନ ମହାସଚିବ ପେରେଜ୍ ଦେ କୁୟାର୍‌ଙ୍କ ଚେୟାରମ୍ୟାନ୍‌ସିପ୍‌ରେ ଗଠିତ ‘ସଂସ୍କୃତି ଓ ଅର୍ଥନୈତିକ ଉନ୍ନୟନ’ କମିଶନ୍‌ର ସଦସ୍ୟ ଥିଲା । ଏହି କମିଶନ୍‌ର ରିପୋର୍ଟ ଏବେ Our Creative Diversity ନାମରେ ପ୍ରକାଶିତ ହୋଇଛି । ସେଥିରେ ପର୍ଯ୍ୟଟନ ଓ ସଂସ୍କୃତିର ପାରସ୍ପରିକ ସମ୍ପର୍କ ବିଷୟରେ ବିଶଦ ଆଲୋଚନା ହୋଇଅଛି ।

 

ଧୀରେ ଧୀରେ ଖସିଆସୁଥିବା ଶତାବ୍ଦୀର ଶେଷ ଦୁଇ-ତିନି ଦଶକରେ ପର୍ଯ୍ୟଟନ ଶିଳ୍ପ ଯେ ସଂସ୍କୃତି ପ୍ରତି ଆଞ୍ଚ୍ ଆଣିପାରେ, ସ୍ଥାନୀୟ ଇତିହାସ ଓ ପରମ୍ପରାର ପରିପନ୍ଥୀ ହୋଇପାରେ, ଏ ରୁକ୍ଷ ବାସ୍ତବତା ଆମ ସାମ୍ନାକୁ ଆସିଛି । ପର୍ଯ୍ୟଟନ ଶିଳ୍ପର ବିକାଶ କ୍ରମରେ ସର୍ବଦା ସ୍ଥାନୀୟ ଭୌଗୋଳିକ ପରିବେଶ, ସଂସ୍କୃତି ଓ ସାମାଜିକ ସୁସ୍ଥିତି ପ୍ରତି ଦୃଷ୍ଟି ରହିବା ଉଚିତ । କାରଣ ପର୍ଯ୍ୟଟକମାନେ ବହୁ ସଂଖ୍ୟାରେ ଆସିଲେ ତା'ର ଚାପ ବା ଭାର ସମ୍ଭାଳିବାର କ୍ଷମତା ସ୍ଥାନୀୟ ସଂସ୍କୃତିର ରହିଥିବା ଉଚିତ । ଅନ୍ୟ ଅର୍ଥରେ କହିଲେ, ଗୋଟିଏ ସ୍ତର ବା ସୀମା ପର୍ଯ୍ୟନ୍ତ ନିଦ୍ଦିଷ୍ଟ ଅଞ୍ଚଳର ସ୍ଥାନୀୟ ଭୌତିକ ବିଭବ ଓ ସାଂସ୍କୃତିକ ସ୍ଥିତିସ୍ଥାପକତା ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ସମ୍ଭାଳିନେଇପାରେ । ସେମାନଙ୍କ ଦାବି ଓ ଅଧିକାରର କୁପ୍ରଭାବ ଓ କଷ୍ଟକାରିତାକୁ ସହିନେଇପାରେ । ଏଥିପାଇଁ ସୁଷମ ଓ ସନ୍ତୁଳିତ ବିକାଶ ଯୋଜନା ଲୋଡ଼ାହୁଏ- ଯାହା ପର୍ଯ୍ୟଟନ ଓ ସଂସ୍କୃତିକୁ ଏକତ୍ର ଦେଖିବ, ବିଚାରିବ ଓ ସୀମାରେଖା ଟାଣିବ । ତା ନ ହେଲେ ସ୍ଥାନୀୟ ଅଧିବାସୀଙ୍କର ଅସନ୍ତୋଷ ସହିତ, ସ୍ଥାନୀୟ ସାଂସ୍କୃତିକ ପରମ୍ପରା ମଧ୍ୟ ବିପନ୍ନ ହେବ, ବିପଦର ସମ୍ମୁଖୀନ ହେବ, ହୁଏତ ନଷ୍ଟଭ୍ରଷ୍ଟ ହୋଇଯିବ । ଥାଇଲାଣ୍ଡର ବ୍ୟାଙ୍କକ୍ ବୋଧହୁଏ ଏହି ସମସ୍ୟାର ସର୍ବଶ୍ରେଷ୍ଠ ଉଦାହରଣ । ବର୍ଷ ବର୍ଷ ଧରି ସେ ଦେଶର ସରକାର ପର୍ଯ୍ୟଟନର ଅଭିବୃଦ୍ଧି ଓ ଜାତୀୟ ସମ୍ପଦରେ ତା'ର ଅବଦାନ ସମ୍ପର୍କରେ ବରାବର ବାହାବା ନେଉଥିଲେ । ଧୀରେ ଧୀରେ ଏଇ ଅଭିବୃଦ୍ଧିର କଳାଦିଗ, ଅନ୍ଧାରିଆ ଦିଗ ପ୍ରତି ଦୃଷ୍ଟି ଆକର୍ଷିତ ହେଲା । ବ୍ୟାଙ୍କକ୍ ପରିଗଣିତ ହେଲା ସୁନ୍ଦର ସାବ୍‌ଜା ଦେଶର ଗ୍ରାମ୍ୟ-ସଂସ୍କୃତିର ମୁହଁରେ ଏକ କୁତ୍ସିତ ବ୍ରଣ ଭାବରେ । ସହରର ରାସ୍ତାଘାଟରେ ଗାଡ଼ି ମୋଟର ଚାଲିବା ହେଲା ପ୍ରାୟତଃ ଅସମ୍ଭବ । ବେଳେବେଳେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାପାଇଁ ଘଣ୍ଟାଘଣ୍ଟା ଲାଗିଲା । ଏ ଲେଖକ ନିଜେ ଏଇ ଅବସ୍ଥାର ଭୁକ୍ତଭୋଗୀ । ୧୯୯୮ ଅକ୍ଟୋବର ମାସରେ ସେଠାକାର ଶିଳ୍ପାକର୍ଣ୍ଣ ବିଶ୍ୱବିଦ୍ୟାଳୟରେ ମୋତେ ‘ମହାଭାରତ ଓ ଆଧୁନିକ ଭାରତୀୟ ସାହିତ୍ୟ’ ସମ୍ପର୍କରେ ବକ୍ତୃତା ଦେବାପାଇଁ ନିମନ୍ତ୍ରଣ ଥିଲା । ରହୁଥିଲି ବିଶ୍ୱବିଦ୍ୟାଳୟର ସୁନ୍ଦର ଅତିଥିଭବନରେ । ଥାଇଲାଣ୍ଡର ପ୍ରାଚୀନ ରାଜଧାନୀ ଅୟୁଥାୟା (ଅଯୋଧ୍ୟା) ଦେଖିଯିବାପାଇଁ ଯେଉଁ ବ୍ୟବସ୍ଥା ଥାଏ (ଗୋଟିଏ ପର୍ଯ୍ୟଟନ ସଂସ୍ଥା ଜରିଆରେ) ସେଥିରେ ଦିନକର ସକାଳ ୮ରେ ବାହାରିଯାଇ ରାତିକୁ ଫେରିବାର ଟିକଟ କିଣିନେଇଥାଏ । ‘ସକାଳ ହେଲେ ବି ଟ୍ରାଫିକ୍ ଭିଡ଼ ହୋଇପାରେ, ଆପଣ ୭.୧୫ ବେଳକୁ ବାହାରିଯିବେ’ -ବୋଲି ଅଧ୍ୟାପକ ପ୍ରପଣ୍ଡବିଦ୍ୟା ମୋତେ ଚେତାଇଦେଇଥାନ୍ତି । ସେଇ ଅନୁସାରେ ଟ୍ୟାକ୍ସି ଧରି ମୁଁ ବାହାରିଗଲି, ବାଟରେ ଏତେ ଭିଡ଼ ଓ ଏତେ ସମୟ ପଡ଼ିରହିଲି ଯେ ଯେଉଁ ପଞ୍ଚତାରକା ହୋଟେଲରୁ ମୁଁ ସେମାନଙ୍କ ଟୁରିଷ୍ଟ ବସ୍‌ରେ ବାହାରିଥାନ୍ତି ସେଠି ପହଞ୍ଚିଲି ପ୍ରାୟ ୯ଟା ପାଖାପାଖି, ଅର୍ଥାତ୍ ଅଧଘଣ୍ଟା ଡେରିରେ ଏବଂ ବିଶ୍ୱବିଦ୍ୟାଳୟ ଅତିଥି ଭବନ ଛାଡ଼ିବାର ପ୍ରାୟ ଅଢ଼େଇ ଘଣ୍ଟା ପରେ । ଦୂରତା ପ୍ରାୟ ୮ କିଲୋମିଟର !! ଦୁଃଖିତ ହେଲି । ୧୦ଟା ବେଳକୁ ଯାଇଥିବା ଦ୍ୱିତୀୟ ବସ୍‌ରେ ସ୍ଥାନ ନଥାଏ, ତେଣୁ ମନମାରି ଏଣେ ତେଣେ ବୁଲି ଫେରିଲି ସୁପ୍ରସିଦ୍ଧ ଅୟୁଥାୟା- ଯାହା ସମ୍ପର୍କରେ ମୁଁ ଦୁଇଦିନ ଧରି ବହି ପଢ଼ିଥାଏ- ଦେଖିବା ନୋହିଲା ।

 

ଏହା ହିଁ ବ୍ୟାଙ୍କକ୍‌ର ଦୁର୍ଦ୍ଦଶାର ଗୋଟିଏ ମାତ୍ର ଦିଗ । ଏହାର ଅନ୍ୟାନ୍ୟ ଆହୁରି ଅନେକ ଦିଗ ତ ଅଛି । ଯଥା- ଅଭୂତପୂର୍ବ ପ୍ରଦୂଷଣ । ପେଟ୍ରୋଲର ଅଭାବନୀୟ ଅଧିକ ଖର୍ଚ୍ଚ, ସମୟର ଅସଦ୍‌ବ୍ୟବହାର ଓ ଯାତ୍ରୀମାନଙ୍କ ଅସୁବିଧା । ମୋର ସବୁବେଳେ ମନେ ହୋଇଛି ଯେ ଥାଇଲାଣ୍ଡ ଯେମିତି ଗୋଟିଏ ଶ୍ୟାମଳ ଶସ୍ୟଭରା, ସାବ୍‌ଜା ଦେଶ ଯାହାର ମୁହଁରେ ବ୍ୟାଙ୍କକ୍ ଗୋଟିଏ ଅସୁନ୍ଦର କୁତ୍ସିତ ବ୍ରଣ । ବୌଦ୍ଧଭିକ୍ଷୁ ଓ ସେମାନଙ୍କର ଉଜ୍ଜ୍ୱଳ ମୁହଁ, ଟୋକେଇ ଟୋକେଇ ପଦ୍ମଫୁଲ, ବୁଦ୍ଧ ମନ୍ଦିରରେ ଧୂପଦୀପ ସହ ମିଶିଯାଇଛି ଶିଶୁ ବେଶ୍ୟାବୃତ୍ତି, ମାସାଜ୍ ପାର୍ଲର୍‌, ନାଇଟ୍ କ୍ଲବ୍‌, ଇତ୍ୟାଦି ଇତ୍ୟାଦି ।

 

ଯେତେବେଳେ ଥାଇଲାଣ୍ଡ ସରକାର ଯୁନେସ୍କୋ ସହାୟତାରେ ପର୍ଯ୍ୟଟନ ଶିଳ୍ପର ସଂସ୍କୃତି ଉପରେ ପ୍ରଦୂଷଣ-ପ୍ରଭାବ ସମ୍ପର୍କରେ ଏକ ଆନ୍ତର୍ଜାତୀୟ ସେମିନାର କଲେ, ମୁଁ ଆଦୌ ଆଶ୍ଚର୍ଯ୍ୟ ହୋଇନଥିଲି । ସେମାନେ ଏବକୁ ବୁଝିସାରିଲେଣି ଯେ, ପ୍ରତ୍ୟେକ ପ୍ରଗତି ବାଟରେ ନାନାଜାତିର ସମସ୍ୟା ଉପୁଜିଥାଏ, କୌଣସି ପନ୍ଥା କେବେ ସର୍ବସୁନ୍ଦର ସହଜ ନୁହେଁ ।

 

ସେମିତି ଇତାଲିର ଭେନିସ୍ ସହର କଥା ଦେଖନ୍ତୁ । ପର୍ଯ୍ୟଟନ ଶିଳ୍ପରେ ଭେନିସ୍ ଏକ ଅଦ୍‌ଭୁତ ରୋମାଣ୍ଟିକ୍ ନାଆଁ, ଯାହା ସହିତ ଜଡ଼ିତ ରହିଛି La Serenissima ମିଥ୍ । ଏ ମିଥ୍ ଦୀର୍ଘକାଳର, ଇତାଲିର ସାଂସ୍କୃତିକ ଇତିହାସ ସହ ବି ଜଡ଼ିତ । ଭେନିସ୍‌କୁ ପ୍ରତିବର୍ଷ ଆସୁଛନ୍ତି ୧୨ ନିୟୁତ ଲୋକ । ଛୋଟ ସହରଟିର ବାସିନ୍ଦାଙ୍କ ସଂଖ୍ୟା ପ୍ରାୟ ଲକ୍ଷେ, ଅର୍ଥାତ୍ ସହରର ସ୍ଥାୟୀ ଲୋକଙ୍କର ୧୨୦ ଗୁଣ ଆସୁଛନ୍ତି ପର୍ଯ୍ୟଟକ । ଭେନିସ୍ ସହରବାଲା, Greenpeace (ସବୁଜ-ଶାନ୍ତ ଗୋଷ୍ଠୀ) ଏବେ ଲାଗିପଡ଼ିଛନ୍ତି ବିଜ୍ଞାପନ ଦେବାପାଇଁ ଯେ ଆପଣମାନେ ଭେନିସ୍‌କୁ ଆସନ୍ତୁ ନାହିଁ, ଏଠି ନାନାବିଧ ଅସୁବିଧା, ସମସ୍ୟା, ଆପଣ ଶାନ୍ତି ପାଇବେନି, ନିରବ ମୁହୂର୍ତ୍ତ ପାଇବେନି, ନିଜନିଜକୁ ହରେଇବସିବେ । ଅଦ୍‌ଭୁତ ବିଜ୍ଞାପନ! ପର୍ଯ୍ୟଟନ ଶିଳ୍ପରୁ ହେଉଥିବା ଅଭୂତପୂର୍ବ ଆୟକୁ ନେଇ ଏ ସହରକୁ କ'ଣ ନୂଆରୂପ, ସୁନ୍ଦର ସହଜ କରି ହୁଅନ୍ତାନାହିଁ? ନାଁ, ସେଟା ଆଦୌ ସମ୍ଭବ ନୁହେଁ । ମଣିଷର ଇତିହାସ ଓ ସଂସ୍କୃତିର ସବୁ କୋଣର ଗୋଟିଏ ସୀମା ଅଛି । ଭେନିସ୍ ଗୋଟିଏ ସୀମା ପର୍ଯ୍ୟନ୍ତ ଆସୁଥିବା ପର୍ଯ୍ୟଟକଙ୍କୁ ସମ୍ଭାଳିପାରିବ । ତା'ଠୁଁ ଅଧିକ ହେଲେ, ସ୍ଥାନୀୟ ସଂସ୍କୃତି ଧ୍ୱଂସପାଇଯିବ । ଆଗନ୍ତୁକମାନେ ମଧ୍ୟ ଶାନ୍ତି ପାଇବେନି । ଆଉ ୧୨ ନିୟୁତ ଟୁରିଷ୍ଟ, ଅର୍ଥାତ୍ ସମଗ୍ର ଭାରତକୁ ଆସୁଥିବା ଟୁରିଷ୍ଟଙ୍କର ପ୍ରାୟ ୪ ଗୁଣ! ନିକଟ ଅତୀତରେ ଥାଇଲାଣ୍ଡ, ଭାରତ ଓ ନେପାଳ- ଏଇ ତିନୋଟି ଦେଶର ପର୍ଯ୍ୟଟନ ଶିଳ୍ପକୁ ନେଇ ହୋଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି, କେତେ ବାଗରେ ସ୍ଥାନୀୟ ସଂସ୍କୃତି, ସାମାଜିକ ଜୀବନକୁ ଧକ୍କା ପହଁଚୁଛି । ନେପାଳର କାଠମାଣ୍ଡୁରେ ଡ୍ରଗ୍ସ ବ୍ୟବସାୟ (କୋକେନ୍‌, ହେରୋଇନ୍ ସବୁକିଛି) ତ ଜଣାଶୁଣା । ତା'ଛଡ଼ା ମଧ୍ୟପ୍ରଦେଶ, ଗୋଆ, ପଣ୍ଡିଚେରୀ ଏବଂ ରାଜସ୍ଥାନ୍‌ରେ ‘ମିନରାଲ୍ ୱାଟର’ ନାଆଁରେ ନାନା କିସମର ଅବ୍ୟବହାର୍ଯ୍ୟ ପାଣି, ଡ୍ରଗ୍‌, ଯୌନକାରବାର ଇତ୍ୟାଦି ମିଶିଯାଇ ବ୍ୟାକଙ୍କ୍‌ରେ ‘ଖାଓସାନ୍‌’ ରୋଡ୍‌ର ଯୌନ-ପର୍ଯ୍ୟଟନ, ଡ୍ରଗ୍ ଇତ୍ୟାଦି ସହ ସମାନ ହୋଇଗଲେଣିବୋଲି ମତ ପ୍ରକାଶ ପାଇଛି ।

 

ତା'ଛଡ଼ା ସମାଜତତ୍ତ୍ୱବିଦ୍‌ମାନେ ପର୍ଯ୍ୟଟନକୁ ବିବିଧ- ସଂସ୍କୃତିର ପାରସ୍ପରିକ ସଂଳାପ ନାମରେ ଅଭିହିତ କରିଛନ୍ତି । ଜଣେ ପର୍ଯ୍ୟଟକ ଅନ୍ୟଦେଶର ଲୋକଙ୍କୁ ଭେଟିଲାବେଳେ ଲାଗେ ଯେମିତି ସେ ଅନ୍ୟ ଗୋଟିଏ ଶତାବ୍ଦୀ ସହ କଥାଭାଷା ହେଉଛି । ସେଥିରେ ଅନେକ ଆନନ୍ଦ, ଉଦ୍ଦୀପନା ଥାଏ । ତା' ସହିତ ସମ୍ପର୍କର ଜଟିଳତା ହେତୁ ସ୍ଥାନୀୟ ସଂସ୍କୃତି ଅନେକ ଦୁଃସ୍ଥିତିକୁ ଏଡ଼ାଇଦେଇପାରେନି । ଆର୍‌.ଏଲ୍‌.ଷ୍ଟିଭେନ୍‌ସନ୍ କହିଥିଲେ- ‘ମୁଁ ଯୁଆଡ଼େ ହେଉ ସିଆଡ଼େ ଯିବାକୁ ଚାହେଁ । ସ୍ଥିର ହୋଇ ବସିପାରିବିନି- ଚାଲି ଯିବାକୁ ଚାହେଁ- ଯିବା ହିଁ ବଡ଼ କଥା ।’ ବହୁ ଯୁଗ ତଳେ ବେଦରେ ‘ଚରନ୍ ବୈ ମଧୁଚିନ୍ଦନ୍ତି, ଚରନ୍ ସ୍ୱାଦୁ- ମୁଦୁମ୍ବରମ୍ ...ଚରୈବତି, ଚରୈବତି'- ସେହି କଥା ହିଁ କୁହାଯାଇଥିଲା । କିନ୍ତୁ ପର୍ଯ୍ୟଟନ ଶିଳ୍ପର ବିକାଶ ଯାହା ଆଗାମୀ ସହସ୍ର ବର୍ଷରେ ଆହୁରି ଅଧିକ ବୃଦ୍ଧି ପାଇବା ସୁନିଶ୍ଚିତ, ସୁସଂଯତ ଓ ଯୋଜନାବଦ୍ଧ ପ୍ରତି ଦୃଷ୍ଟି ଦେବା ସଦାସର୍ବଦା ଆବଶ୍ୟକ, ଯାହା ଫଳରେ ସ୍ଥାନୀୟ ସଂସ୍କୃତି କ୍ଷତିଗ୍ରସ୍ତ ହେବନି, ସ୍ଥାନୀୟ ଲୋକେ ଅସନ୍ତୁଷ୍ଟ ହେବେନି, ବିରୋଧ କରିବେନି ଏବଂ ତା'ସହିତ ଦ୍ରୁତ ଅର୍ଥନୈତିକ ପ୍ରଗତି ସମ୍ଭବ ହେବ, ବିଦେଶୀ ମୁଦ୍ରା ଆୟ ହୋଇପାରିବ, ହୋଟେଲ୍ ଶିଳ୍ପଠୁଁ ଆରମ୍ଭକରି ସ୍ଥାନୀୟ ସଂସ୍କୃତିର ବିଭିନ୍ନ ବିଭାଗ (କୁଟୀରଶିଳ୍ପ, ସଙ୍ଗୀତ, ଚିତ୍ରକଳା, ନୃତ୍ୟ ଇତ୍ୟାଦି)ର ଉନ୍ନତି ସାଧିତ ହୋଇପାରିବ । ଏଥିପାଇଁ ଏକ ସୁଦୂରପ୍ରସାରୀ ଦୃଷ୍ଟିଭଙ୍ଗୀ ଲୋଡ଼ା, ସଂକ୍ଷେପରେ ଏକ ଦୂରଦୃଷ୍ଟି ଲୋଡ଼ା ।

 

ଭାରତବର୍ଷର ପର୍ଯ୍ୟଟନ ଶିଳ୍ପ ବିଶେଷଭାବେ ଏଇ ସମସ୍ୟା ପ୍ରତି ଅବହିତ ହେବା ଉଚିତ, କାରଣ ଆମର ପର୍ଯ୍ୟଟନ ଶିଳ୍ପ ମୁଖ୍ୟତଃ ସଂସ୍କୃତି-ଆଶ୍ରୟ । ବଣ-ଜଙ୍ଗଲର ଆକର୍ଷଣ, ପାହାଡ଼ ପର୍ବତର ଆକର୍ଷଣ, ନଦୀର ଆକର୍ଷଣ ବେଶୀ ନୁହେଁ । Adventure Tourism ପାଇଁ ଖୁବ୍ କମ୍ ସ୍ଥାନୀୟ ଓ ବିଦେଶୀ ପର୍ଯ୍ୟଟକ ଆଗ୍ରହୀ । ଗୋଟିଏ ପକ୍ଷରେ ତେଣୁ ପାରମ୍ପରିକ ଧର୍ମଭିତ୍ତିକ ପର୍ଯ୍ୟଟନ ସ୍ଥଳ- ଯଥା ପୁରୀ, ଦ୍ୱାରକା, କେଦାର-ବଦ୍ରି, ସୋମନାଥ, ଗୋଆର ଗୀର୍ଜା ସମୂହ ଏବଂ ସେଗୁଡ଼ିକର ସାଂସ୍କୃତିକ ଭିତ୍ତିଭୂମି ଯେପରି ଦୁର୍ବହ ଚାପର ସମ୍ମୁଖୀନ ହୋଇନପଡ଼େ, ସେଥିପ୍ରତି ଦୃଷ୍ଟି ଦେବା ଦରକାର । ତାଜମହଲକୁ ରାତିରେ ଆଲୋକିତ କରି ରଖିବା ପ୍ରସ୍ତାବକୁ (Flood-Lighting) ଏଇ ଲେଖକ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ସଚିବ ଥିବାବେଳେ ଦୃଢ଼ଭାବେ ବିରୋଧ କରିଥିଲା । କାରଣ ସରଳ-ପ୍ରଥମତଃ ଇତାଲି ବା ଗ୍ରୀସ୍‌ରେ ବିପର୍ଯ୍ୟସ୍ତ ଦରଭଙ୍ଗା ସଂସ୍କୃତି-ସ୍ତମ୍ଭ (ପାର୍ଥେନନ୍ ବା କୋଲିସିଅମ୍ ଇତ୍ୟାଦି)ପାଇଁ ଏ ବ୍ୟବସ୍ଥା ଅଛି ଏବଂ ସେଗୁଡ଼ିକ ଟାଣ ପଥରରେ ତିଆରି, ତାଜମହଲ ପରି ସ୍ୱୟଂସମ୍ପୂର୍ଣ୍ଣ ଓ ନଭାଙ୍ଗିଥିବା ମାର୍ବଲରେ ନୁହେଁ । ଦ୍ୱିତୀୟତଃ ସେଥିରେ ଏତେ ସୂକ୍ଷ୍ମ ଚାରୁକଳା ନାହିଁ ଯାହା ଆଲୋକ ପ୍ରଭାବରେ କ୍ଷତିଗ୍ରସ୍ତ ହେବ । ତୃତୀୟତଃ ବୈଜ୍ଞାନିକ ଦୃଷ୍ଟିକୋଣରୁ ଆଲୋକିତ ଅଞ୍ଚଳ ଓ ଅନ୍ଧାର ରହିଥିବା ଅଞ୍ଚଳର ତାପମାତ୍ରାରେ ପାର୍ଥକ୍ୟ ଘଟି ବାୟୁ ଚଳନ ଓ ପୋକ କୀଟଙ୍କ ଯୋଗୁଁ ଅନେକ ଆଖିକୁ ନ ଦିଶୁଥିବା କ୍ଷତି ଘଟିବା ସୁନିଶ୍ଚିତ । ସର୍ବୋପରି ଅନ୍ୟ ଦେଶର କୀର୍ତ୍ତିସ୍ତମ୍ଭଠୁଁ ଏହାର ପାର୍ଥକ୍ୟ ଯେ ଏହା ଜଣେ ପ୍ରେମୀ ସମ୍ରାଟଙ୍କ ପ୍ରେମର ପ୍ରତୀକ ଓ କବରଖାନା ଉଭୟ । ଉତ୍ତର ପ୍ରଦେଶ ସରକାର Flood-Lighting ପାଇଁ ଓ ଟୁରିଷ୍ଟମାନଙ୍କୁ ଆକର୍ଷିତ କରି ରାତ୍ରିରେ ସେମାନେ ମଧ୍ୟ ତାଜ୍ ଦେଖିବାକୁ ଅନୁମତି ପାଆନ୍ତୁ ଏଥିପାଇଁ ଏତେ ବ୍ୟଗ୍ର ଥିଲେ ତାହା ଦେଖି ମୁଁ ଆଶ୍ଚର୍ଯ୍ୟ ଓ ଆଚମ୍ବିତ ହୋଇଥିଲି-। ସୌଭାଗ୍ୟକୁ ସେ ସମୟର ସଂସ୍କୃତି ମନ୍ତ୍ରୀ ଅର୍ଜୁନ ସିଂହ ମୋ' ସହ ଏକମତ ହୋଇଥିଲେ! ମୋର ମତ ଥିଲା ଯେ ଜ୍ୟେତ୍ସ୍ନା ବିଧୌତ ପୂର୍ଣ୍ଣିମା ରାତ୍ରିରେ ଏ ବ୍ୟବସ୍ଥା କରାଯାଇପାରେ ବା ପୂର୍ଣ୍ଣିମା ସହ ପୂର୍ବ ପର ଦୁଇ ଦୁଇ ଦିନ ଏମିତି ପାଞ୍ଚଦିନପାଇଁ ବିହିତ ବ୍ୟବସ୍ଥା କରି ପର୍ଯ୍ୟଟକଙ୍କୁ ତାଜ୍ ଦେଖିବାର ସୁଯୋଗ ଦିଆଯାଇପାରେ । ମୂଳକଥା ଆମେ ଆମର ସଂସ୍କୃତିପାଇଁ କେତେ ସଚେତନ; ନା କେବଳ ତୁଣ୍ଡରେ ସଂସ୍କୃତି କହି ଅସଂସ୍କୃତ ଯୋଜନାଦ୍ୱାରା ଅର୍ଥ କମେଇବାକୁ ଚାହୁଁଛୁ-? ଏ ଦେଶ ଆମର, ଐତିହ୍ୟ ଆମକୁ ତା'ହେଲେ କେବେ କ୍ଷମା ଦେବନି, ଭବିଷ୍ୟତ କେବେ କ୍ଷମା ଦେବନି ।

 

ଅଜନ୍ତାର ଗୁମ୍ଫା ଏବଂ ସେଥିରେ ଥିବା ଚିତ୍ର କିପରି ଦ୍ରୁତ ଗତିରେ କ୍ଷୟପାଇଛି ତାହା ସର୍ବଜନବିଦିତ । କେତୋଟି ଗୁମ୍ଫାରେ ଥିବା ଚାରୁଗଳା ଜଳୀୟବାଷ୍ପଦ୍ୱାରା କ୍ଷୟିତ ହେଉଛି । ତେଣୁ ସେହି ଗୁମ୍ଫାଗୁଡ଼ିକ ଭିତରକୁ ଏତେ ପର୍ଯ୍ୟଟକଙ୍କୁ ଛାଡ଼ିବା ଅନୁଚିତ । ମୋର ବ୍ୟକ୍ତିଗତ ମତ- ହୁଏତ ସପ୍ତାହରେ ଦିନେ ଦୁଇଦିନ କେବଳ ସୀମିତ ସଂଖ୍ୟକ ଟୁରିଷ୍ଟଙ୍କୁ ସେଇ କେତୋଟି ଅପାଶୋରା, ଅନିର୍ବଚନୀୟ ଚିତ୍ରକଳା ବିଶିଷ୍ଟ ଗୁମ୍ଫାକୁ ଛଡ଼ାଯାଇ, ତା'ର ଫଟୋଚିତ୍ର ନେଇ ଅନ୍ୟତ୍ର ଟୁରିଷ୍ଟମାନଙ୍କୁ ଦେଖାଇବାର ବିକଳ୍ପ ବ୍ୟବସ୍ଥା ହେଉ । ଗୋଆର ସମୁଦ୍ରକୂଳରେ ଟୁରିଷ୍ଟମାନଙ୍କ ଅସଂଯତ ବ୍ୟବହାର, କେରଳର କୋଭଳମ୍ ସମୁଦ୍ରକୂଳରେ ନାନା ଅସଦ୍ ଉପାୟରେ ଅର୍ଥ ଉପାର୍ଜନ ଓ ଯୌନ କାରବାର- ଏସବୁ ଯୋଗୁଁ ସ୍ଥାନୀୟ ଅଧିବାସୀ କ୍ଷୁବ୍ଧ ଓ ଉତ୍ତେଜିତ ।

•••

 

ସାହିତ୍ୟ ଏଷ୍ଟାବ୍ଲିଶ୍‌ମେଣ୍ଟ

ଡକ୍ଟର ଦାଶରଥି ଦାସ

 

ସାହିତ୍ୟିକଙ୍କୁ ପୃଷ୍ଠପୋଷକତା ଯୋଗାଇବା ଓ ସାହିତ୍ୟର ରସରୁଚି ନିୟନ୍ତ୍ରଣ କରିବା କ୍ଷେତ୍ରରେ ଯୁଗେ ଯୁଗେ ଏଷ୍ଟାବ୍ଲିଶ୍‌ମେଣ୍ଟର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଆମ ପ୍ରାଚୀନ ସାହିତ୍ୟ ଥିଲା ରାଜସଭା ନିର୍ଭର । ତେଣୁ ସେଦିନର ଫିଉଡାଲ୍ ଏଷ୍ଟାବ୍ଲିଶ୍‌ମେଣ୍ଟର ଆଲୋଚନା ବିନା ପ୍ରାଚୀନ ସାହିତ୍ୟର ଆଲୋଚନା ଅସମ୍ପୂର୍ଣ୍ଣ ହେବାକୁ ବାଧ୍ୟ । ଆଧୁନିକ ସାହିତ୍ୟ କିଛି କମ୍ ଏଷ୍ଟାବ୍ଲିଶ୍‌ମେଣ୍ଟ ନିର୍ଭର ନୁହେଁ । ଆଧୁନିକ ଏଷ୍ଟାବ୍ଲିଶ୍‌ମେଣ୍ଟରସ୍ୱରୂପ ଓ ଚରିତ୍ର ନ ଜାଣିଲେ ଆଧୁନିକ ସାହିତ୍ୟର ଚର୍ଚ୍ଚା କେବଳ ଅସମ୍ପୂର୍ଣ୍ଣ ହେବନାହିଁ, ଅର୍ଥହୀନ ହେବ ମଧ୍ୟ । ସ୍ମରଣ ରଖିବାକୁ ହୁଏ ଯେ, ଅତୀତର ସାମନ୍ତ ପୃଷ୍ଠପୋଷକଗଣ କବି ଓ କବିଙ୍କ କାବ୍ୟ ସମ୍ବନ୍ଧରେ ଯେଉଁ ଉତ୍ସାହ ଓ ଆଗ୍ରହ ପ୍ରକାଶ କରୁଥିଲେ, ସେଥିରେ କାବ୍ୟ ରସାସ୍ୱାଦନ ଭିନ୍ନ ଅନ୍ୟ କୌଣସି ବ୍ୟବସାୟଗତ ମନୋବୃତ୍ତି ପ୍ରକାଶ ପାଉ ନ ଥିଲା । ସ୍ୱାର୍ଥବୁଦ୍ଧି ନ ଥିଲା ନୁହେଁ, ଥିଲା । ତେବେ ତାହା ଥିଲା କିଛିଟା ପିଲାଳିଆ- ସରଳ ନିର୍ବୋଧତାର କଥା- ବସ୍ତୁଗତ କିଛି ନୁହେଁ । ସାମନ୍ତ ରାଜନ୍ୟବର୍ଗଙ୍କର କବିଙ୍କ ପାଖରେ ଗୋଟିଏ ଦାବି ଯେ ସେ ତାଙ୍କୁ ଅମରତ୍ୱ ପ୍ରଦାନ କରନ୍ତୁ । ଜ୍ଞାନୀ ଗୁଣୀ ଓ ବଦାନ୍ୟ ଭାବରେ ବର୍ଣ୍ଣନା କରି ତାଙ୍କୁ ଇତିହାସରେ ବିଶିଷ୍ଟ ସ୍ଥାନଟିଏ ଦିଅନ୍ତୁ । ପାରିଲେ ତାଙ୍କ ରୂପ ଓ ବୀରତ୍ୱର ପରାକାଷ୍ଠା ଦେଖାନ୍ତୁ । ତାଙ୍କରି ନାମରେ କାବ୍ୟକବିତା ଭଣିତା କରି ତାଙ୍କୁ ସାହିତ୍ୟ ଇତିହାସରେ ଯଶସ୍ୱୀ କରନ୍ତୁ । ଅନେକ କବି ସେମାନଙ୍କୁ କୃତାର୍ଥ କରିଛନ୍ତି । ତେଣୁ ରାଜସଭା ମାତ୍ରେ ସୁଧର୍ମା ସଭା, ରାଜା ମାତ୍ରେ ଅବନୀପୁରନ୍ଦର ଇତ୍ୟାଦି ଇତ୍ୟାଦି । ଅତ୍ୟୁକ୍ତିର ଚୁଡ଼ାନ୍ତ । ଅତ୍ୟୁତ୍ସାହର ବଶବର୍ତ୍ତୀ ହୋଇ କେହି କେହି ନିଜର କୃତିକୁ ପୃଷ୍ଠପୋଷକଙ୍କ ନାମରେ ଭଣିଛନ୍ତି ମଧ୍ୟ । ଏଠାରେ ବିନା ବ୍ୟାଖ୍ୟାରେ କଟକ, ପୁରୀ, ଜଳନ୍ତର, ଆଠଗଡ଼, ଢେଙ୍କାନାଳ ଓ କେନ୍ଦୁଝର ଆଦି ରାଜସଭାର ନାମୋଲ୍ଲେଖ କରାଯାଇପାରେ । ରାଜନ୍ୟବର୍ଗ କବିଙ୍କ ଆର୍ଥିକ ଦୁରବସ୍ଥା ଦୂର କରିଛନ୍ତି ଓ ନାନା ଦିଗରୁ ସହାୟ ହୋଇଛନ୍ତି, ତଦ୍ଦ୍ୱାରା କବିଙ୍କୁ ସାହିତ୍ୟ ସେବାର ପୂର୍ଣ୍ଣ ସୁଯୋଗ ଦେଇନାହିଁ, ଅନେକତ୍ର ପ୍ରତ୍ୟକ୍ଷ ପ୍ରଭାବ ବଳରେ ତାଙ୍କ କାବ୍ୟ ପ୍ରଚାରର ସୁବ୍ୟବସ୍ଥା ମଧ୍ୟ କରିଦେଇଛି । କବିସୂର୍ଯ୍ୟଙ୍କପାଇଁ ଏହି ଫିଉଡାଲ୍ ଏଷ୍ଟାବ୍ଲିଶ୍‌ମେଣ୍ଟର ଭୂମିକା ଜଣାଶୁଣା କଥା । ତେଣୁ ରାଜସଭା କବିଙ୍କପାଇଁ ପ୍ରଲୋଭନର ବସ୍ତୁ ହୋଇଛି । ଗତ ଶତାବ୍ଦୀର ବ୍ୟକ୍ତିସ୍ୱାତନ୍ତ୍ର‌୍ୟ ଯୁଗରେ ମଧ୍ୟ ରାଧାନାଥ ପ୍ରମୁଖ କବି ରାଜ ଅନୁଗ୍ରହ ମଧ୍ୟରେ ନିଜର ଗୌରବ ଅନୁସନ୍ଧାନ କରିଛନ୍ତି । ରାଜା କି ରାଣୀଙ୍କ ଉଦ୍ଦେଶ୍ୟରେ ଗ୍ରନ୍ଥ ଉତ୍ସର୍ଗ କରିବା ସୂତ୍ରରେ ତାଙ୍କ ଯଶ,ବଦାନ୍ୟତା ଓ ସାହିତ୍ୟାନୁରାଗର ଭୂୟସୀ ପ୍ରଶଂସା ଗାଇଛନ୍ତି । କାବ୍ୟ ମଧ୍ୟରେ ପ୍ରସଙ୍ଗାନୁକୂଳ ହେଉନଥିଲେ ମଧ୍ୟ ପୃଷ୍ଠପୋଷକ ରାଜାଙ୍କୁ ଶ୍ରଦ୍ଧାରେ ସ୍ମରଣଙ୍କୁ ଆଣିଛନ୍ତି । ‘ମହାଯାତ୍ରା'ରେ ରାଧାନାଥ ବାମଣ୍ଡା ଓ ମୟୂରଭଞ୍ଜର ରାଜାଙ୍କୁ ଯେଉଁ ଭାଷାରେ ସ୍ତୁତି କରିଛନ୍ତି, ସେଥିରେ ଅତିରଞ୍ଜନର ମାତ୍ରା ନାହିଁ କହିଲେ କେହି ବିଶ୍ୱାସ କରିବେ ନାହିଁ । ତେବେ, ରାଧାନାଥ ଜାଣିଥିଲେ ଯେ ସାମନ୍ତବର୍ଗଙ୍କ ରୁଚି ଓ ମର୍ଜି ବିଶେଷ ପ୍ରୀତିକର ନୁହେଁ, ତାକୁ ଜଗି ଚଳିବା ଅସମ୍ମାନଜନକ । ତେଣୁ ରାଜପ୍ରସାଦ ଲାଭ ସତ୍ତ୍ୱେ ସେ ‘ଦରବାର'ରେ ସେମାନଙ୍କୁ କ୍ଷମା କରିନାହାନ୍ତି । କବିଙ୍କ ଜୀବନବୋଧ ଓ ଯୁଗର ବ୍ୟକ୍ତିସ୍ୱାତନ୍ତ୍ର‌୍ୟ ସହିତ ‘ଦରବାର'ର ରାଜବିଦ୍ରୂପ ସୁସମଞ୍ଜସ ହେବାକୁ ବାଧ୍ୟ; ବରଂ ରାଜପ୍ରଶଂସା ତୋଷାମଦ । ହଠାତ୍ ରାଜକୀୟ ଏଷ୍ଟାବ୍ଲିଶ୍‌ମେଣ୍ଟ ଲୋପ ପାଇନାହିଁ । କ୍ରମଶଃ ତାହା ନିଷ୍ପ୍ରଭ ହୋଇ ଆସିଛି । ସାହିତ୍ୟରୁ ରାଜା ମହାରାଜା ସାମନ୍ତ ପୃଷ୍ଠପୋଷକଙ୍କ ଭୂମିକା ଅନ୍ତର୍ହିତ ହେବାକୁ ବସିଛି । ଆରମ୍ଭ ହୋଇଛି ପ୍ରକାଶକ ଓ ପାଠକଙ୍କ ଯୁଗ । ବାଗ୍‌ଗେୟକାର କବିଙ୍କର ଶ୍ରୋତା ସହିତ ପ୍ରତ୍ୟକ୍ଷ ଯୋଗାଯୋଗ ଥିଲା । ଅନ୍ୟତ୍ର ସଙ୍ଗୀତ ମାଧ୍ୟମରେ କବି ଓ ଶ୍ରୋତା ପରସ୍ପରକୁ ନିକଟରେ ପାଉଥିଲେ । ମୁଦ୍ରାଯନ୍ତ୍ର ଓ ପ୍ରକାଶକଙ୍କ ପ୍ରସାଦରୁ ହେଉ କି ପ୍ରଭାବରୁ ହେଉ ସେହି ଯୋଗାଯୋଗ ଦୂର ହୋଇଗଲା । ପାଶ୍ଚାତ୍ୟ ଶିକ୍ଷାଦୀକ୍ଷାର ପ୍ରସାର ଫଳରୁ ଆଧୁନିକ ଯୁଗର ସୂତ୍ରପାତ ହୁଏ ଓ ସେହି ସୂତ୍ରରେ ମଧ୍ୟବିତ୍ତ ଶିକ୍ଷିତ ଲେଖକ ଓ ଧନୀକ ପ୍ରକାଶକଙ୍କର ଆବିର୍ଭାବ ଘଟେ । ଏହି ପ୍ରକାଶକମାନଙ୍କ ଚରିତ୍ର ଫିଉଡାଲ୍ ଏଷ୍ଟାବ୍ଲିଶ୍‌ମେଣ୍ଟର ଚରିତ୍ରଠାରୁ ସମ୍ପୂର୍ଣ୍ଣ ଭିନ୍ନ । ତେବେ, ମୂଳତଃ ସେମାନେ କେବଳ ଲାଭପାଇଁ ଗ୍ରନ୍ଥ ପ୍ରକାଶନ ଦାୟିତ୍ୱ ନେଇ ନ ଥିଲେ । କେତେକଙ୍କର ଦେଶ ସେବା ସହିତ ସାହିତ୍ୟ ସେବାର ସାମଞ୍ଜସ୍ୟ ଥିଲା, ନିଜ ଭାଷା ଓ ସାହିତ୍ୟ ପ୍ରତି କର୍ତ୍ତବ୍ୟ ସଚେତନତା ଥିଲା ।

 

ରାଜସଭାକୁ କେନ୍ଦ୍ର କରି ଯେଉଁ ପ୍ରାଚୀନ ସାହିତ୍ୟ ଗଢ଼ି ଉଠିଥିଲା, ତାହା ରାଜକୀୟ ରୁଚି ଓ ଆଚରଣକୁ ଅବଲମ୍ବନ କରିବା ବିଚିତ୍ର ନୁହେଁ । ରାଜା ଓ ତାଙ୍କ ପାରିଷଦବର୍ଗଙ୍କ ମନୋରଞ୍ଜନାର୍ଥେ କବିଙ୍କୁ ସତର୍କ ରହିବାକୁ ପଡ଼ୁଥିଲା । ଆର୍ଥିକ ସ୍ୱାଚ୍ଛନ୍ଦ୍ୟପାଇଁ ସ୍ୱାଧୀନତାକୁ ବଳିଦେବାକୁ ହେଉଥିଲା- ପୃଷ୍ଠପୋଷକଙ୍କ ମନକୁ ନ ଘେନିଲେ କି ସାହିତ୍ୟ ବା ହୁଏ ? ତେଣୁ ରାଜାଙ୍କ ପ୍ରତ୍ୟକ୍ଷ କି ପରୋକ୍ଷ ଚାପରେ ଏକ ବିଶେଷ ଧରଣର ସାହିତ୍ୟ ସୃଷ୍ଟିପାଇଁ ଅବକାଶ ଦେଖା ଦେଇଛି- ବଡ଼ ବଡ଼ କବିଙ୍କୁ ମଧ୍ୟ ପ୍ରଚଳିତ ରୁଚି ପାଖରେ ଆତ୍ମସମର୍ପଣ କରିବାକୁ ପଡ଼ିଛି । ରାଜଶିରୋପା ଓ ରାଜପ୍ରଦତ୍ତ ଉପାଧି ଲାଭ କିଛି କମ୍ ଗୌରବର କଥା ନ ଥିଲା, ତଦ୍ଦ୍ୱାରା ଶ୍ରୋତାଙ୍କ ମଧ୍ୟରେ କବିଙ୍କ ପ୍ରଭାବ ତ୍ୱରାନିତ୍ୱ ହୋଇଥାଏ, ସାଧାରଣ ଲୋକଙ୍କ ମଧ୍ୟରେ କବିଙ୍କ ପ୍ରତି ଶ୍ରଦ୍ଧା ଓ ଉତ୍ସାହ ବଢ଼େ । ଏବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଲେ ଅତି ନିମ୍ନସ୍ତରର ବହିଗୁଡ଼ିକ ଅଚିରେ ପାଠଯୋଗ୍ୟ ବିବେଚିତ ହୋଇ ନ ଥାନ୍ତି କି ? ଯୁଗେ ଯୁଗେ ରାଜଶିରୋପା ଜନତାର ଦୃଷ୍ଟି ଆକର୍ଷଣ କରିଥାଏ । ତେବେ, ଅତୀତରେ ସବୁ କବିଙ୍କୁ ରାଜପୃଷ୍ଠକତା ମିଳି ନ ଥିଲା । କବି ଦୀନକୃଷ୍ଣ ରାଜପ୍ରସାଦ ପ୍ରତ୍ୟାଖ୍ୟାନ କରିଥିବାର ଶୁଣାଯାଏ । ମୂର୍ଖଙ୍କୁ ସ୍ତୁତି କରିବାଠାରୁ ଛାତିରେ କାତି ମାରି ଆତ୍ମହତ୍ୟା କରିବା ଶ୍ରେୟସ୍କରବୋଲି ମଧ୍ୟ ସେ ଘୋଷଣା କରିଥିଲେ । ତଥାପି ସେ ପ୍ରତିଷ୍ଠା ପାଇଛନ୍ତି । ସେ କାଳେ ସାହିତ୍ୟିକ ପରିମଣ୍ଡଳରେ ସତ୍‌କବି ଓ ସହୃଦୟ ସାମାଜିକଙ୍କ ମଧ୍ୟରେ ଯେଉଁ ଜୀବନ୍ତ ଯୋଗାଯୋଗ ଥିଲା, ତାହା ହିଁ ତାଙ୍କ ପ୍ରତିଷ୍ଠାର ହେତୁ । ସଙ୍ଗୀତ ମାଧ୍ୟମରେ କବିଙ୍କର ଶ୍ରୋତା ସମ୍ପର୍କ ସ୍ଥାପିତ ହୋଇଯାଉଥିଲା । ଆଧୁନିକ ଯୁଗରେ ମୁଦ୍ରାଯନ୍ତ୍ରର ପ୍ରସାଦରୁ ଏକାବେଳକେ ଅନେକଗୁଡ଼ିଏ ପୁସ୍ତକ ଛାପି ତାହାକୁ ଅନାୟାସଲଭ୍ୟ କରିଦେବା ଫଳରେ ଶ୍ରୋତାଙ୍କ ପରିବର୍ତ୍ତେ ପାଠକ ଗୋଷ୍ଠୀ ଗଢ଼ି ଉଠିଲା । ସାହିତ୍ୟିକ ଓ ସେହି ପାଠକଙ୍କ ମଧ୍ୟରେ ବ୍ୟବଧାନ ବଢ଼ିବାକୁ ଲାଗିଲା; ଆଉ ସେହି ବ୍ୟବଧାନକୁ ଅତିକ୍ରମ କରିବାକୁ ବିଜ୍ଞାନର ଆଶ୍ରୟ ନେବାକୁ ହେଲା । ତେଣୁ ଆଜିର ସାହିତ୍ୟ ବିଜ୍ଞାପନ ନିର୍ଭର । ପତ୍ରପତ୍ରିକାରେ ଆମ ଗ୍ରନ୍ଥବିଚାରଗୁଡ଼ିକୁ ବିଜ୍ଞାପନ ସ୍ତରର ଜିନିଷ କହିଲେ ବିଶେଷ ଅତ୍ୟୁକ୍ତି ହେବନାହିଁ । ଯେବେ କେହି ମୂଳଗ୍ରନ୍ଥ ଗୁଡ଼ିକୁ ନଦେଖି କେବଳ ଆମ ଗ୍ରନ୍ଥ ବିଚାରଗୁଡ଼ିକ ପଢ଼ନ୍ତି ତେବେ ସେ ଓଡ଼ିଆ ଭାଷାରେ ରାଶି ରାଶି ଉତ୍କୃଷ୍ଟ ରଚନା ଦେଖି ନିଶ୍ଚୟ ବିସ୍ମିତ ହେବେ । ଏତେ ଭଲ ବହି ପୁଣି ଓଡ଼ିଆରେ ! ତେବେ ଏଠି କହିବାର କଥା ହେଉଛି ଯେ ପାଠକ ଓ ସାହିତ୍ୟିକଙ୍କ ମଧ୍ୟରେ ଏ ଯେଉଁ ଦୂରତ୍ୱ ସୃଷ୍ଟି ହୋଇଛି, ତାହାରି ସୁଯୋଗ ନେଉଛନ୍ତି ପ୍ରକାଶକ ଓ ପୁସ୍ତକ ବ୍ୟବସାୟୀଗଣ । ଆଜି ପୁସ୍ତକ ବ୍ୟବସାୟଟିର ଏକମାତ୍ର ପଣ୍ୟ ପୁଣି ସାହିତ୍ୟ । ପାଠ୍ୟପୁସ୍ତକ ବ୍ୟବସାୟଟି ସରକାରଙ୍କର । ତେଣୁ କହିବାକୁ ହୁଏ ସାହିତ୍ୟ କ୍ଷେତ୍ରକୁ ଅଧିକାର କରି ବସିଛି ଏହି ନୂଆ ଏଷ୍ଟାବ୍ଲିଶ୍‌ମେଣ୍ଟ, କେହି କେହି ହୁଏତ ସାହିତ୍ୟ ସେବା କରୁଛନ୍ତି, ମାତ୍ର ଯେକୌଣସି ବ୍ୟବସାୟ ପରି ଏ ବ୍ୟବସାୟଟିର ମୂଳଲକ୍ଷ୍ୟ ଆତ୍ମସ୍ୱାର୍ଥ । ଏହି ଏଷ୍ଟାବ୍ଲିଶ୍‌ମେଣ୍ଟ ବ୍ୟବସାୟ ମନୋବୃତ୍ତି ଘେନି ଆଜିର ସାହିତ୍ୟିକ ରସରୁଚିକୁ କେବଳ ନିୟନ୍ତ୍ରଣ କରୁନାହିଁ । ନିର୍ମାଣ କରୁଛି ମଧ୍ୟ-। ଏହି ପ୍ରକାଶକମାନଙ୍କୁ ଲେଖକମାନେ ମଧ୍ୟ କିଛି କମ୍ ସ୍ତୁତି କରୁନାହାନ୍ତି, ଭାଷା ଯଦିଓ ଭିନ୍ନ-। କେଉଁ ପ୍ରକାଶକ ପୁଣି ଲେଖକଙ୍କ ଧନ୍ୟବାଦର ପାତ୍ର ନୁହନ୍ତି ? କାହା ପାଖରେ ପୁଣି ଲେଖକ କୃତଜ୍ଞ ନୁହେଁ ? ଏମାନଙ୍କର ଅବଶ୍ୟ ରାଜ୍ୟ ନାହିଁ, ତେବେ କେତେକ ଛିଦ୍ରାନ୍ୱେଷୀ ଦୁଷ୍ଟବୁଦ୍ଧି ସାହିତ୍ୟିକ ପଛରେ କହନ୍ତି, ରାଜଧାନୀ ଅଛି, ଗୋଟେ ନୁହେଁ ଦୁଇଟି । ପୁରୁଣା ଓ ନୂଆ ।

 

ପ୍ରକାଶନ ସଂସ୍ଥା ହେଉ କି ପ୍ରକାଶନ ଶିଳ୍ପ ହେଉ ଏହା ଆଧୁନିକ ଏଷ୍ଟାବ୍ଲିଶ୍‌ମେଣ୍ଟର ଗୋଟିଏ ମୁଖ୍ୟ ଦିଗ ଅବଶ୍ୟ । ପ୍ରଜାତନ୍ତ୍ର ପ୍ରଚାର ସମିତି ଓ ସାହିତ୍ୟ ଏକାଡେମୀ ଇତ୍ୟାଦି ପରି ଅନୁଷ୍ଠାନଗୁଡ଼ିକ ମଧ୍ୟ ଏକପ୍ରକାର ଏଷ୍ଟାବ୍ଲିଶ୍‌ମେଣ୍ଟର କାର୍ଯ୍ୟ କରିଥାନ୍ତି । ପ୍ରଜାତନ୍ତ୍ର ପ୍ରଚାର ସମିତିର ‘ଝଙ୍କାର'ଟି ତ ପ୍ରାୟ ଆଜିର ସବୁ ସାହିତ୍ୟିକଙ୍କୁ ଗଢ଼ିଛି; ତାଙ୍କ ଲେଖା ଛପାଇଛି, ପୁରସ୍କାର ଦେଇ ପ୍ରେରଣା ଯୋଗାଇଛି; ଓଡ଼ିଶା ସାହିତ୍ୟ ଏକାଡେମୀ ମଧ୍ୟ ସରକାରଙ୍କ ତରଫରୁ ଅନୁରୂପ କାର୍ଯ୍ୟ କରୁଛି । ପୁରସ୍କାର ଦେଇ ଲେଖକଙ୍କ ସମ୍ପର୍କରେ ପାଠକର ଉତ୍ସାହ ବଢ଼ାଉଛି । ତେବେ, ପ୍ରତି ବର୍ଷ ପୁରସ୍କାର ଦେବା ଓ କେତେକ ସାହିତ୍ୟିକଙ୍କୁ ଅବଶ୍ୟ ସମ୍ବର୍ଦ୍ଧନା ଜଣାଇବା ବିଧିଟା ସର୍ବତ୍ର କ୍ରମଶଃ ଫାର୍ସରେ ପରିଣତ ହେବାକୁ ଯାଉଛି । ଭୁଲ୍ ମୂଲ୍ୟବୋଧକୁ ଯଥେଷ୍ଟ ବଢ଼ାଇ ଚାଲିଛି । ଏବେ ସାହିତ୍ୟ ଏକାଡେମୀ ଲେଖକ, କଳାକାର ଓ କ୍ରୀଡ଼ାବିତ୍‌ଙ୍କପାଇଁ ପେନ୍‌ସନ୍ ବ୍ୟବସ୍ଥା ମଧ୍ୟ କଲେଣି । ଆନନ୍ଦର କଥା । ତେବେ ଯେଉଁମାନେ ଶହ ଶହ ସାହିତ୍ୟିକଙ୍କୁ ପେନ୍‌ସନ୍ ଦିଆଯାଉବୋଲି ସ୍ୱର ଉଠାଉଛନ୍ତି, ସେମାନଙ୍କର ସାହିତ୍ୟବୋଧ ସମ୍ପର୍କରେ ସନ୍ଦେହ କରିବାକୁ ହେବ । ୮୪ ଜଣ ସିଦ୍ଧାଚାର୍ଯ୍ୟଙ୍କୁ ମିଶାଇଲେ ମଧ୍ୟ ଏପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟ ଇତିହାସରେ ମୃତଜୀବିତ ୫୦୦ ଜଣ ସତ୍ ସାହିତ୍ୟିକ ଅଛନ୍ତି ତ! ଜଣେ ବିନାୟକ ମିଶ୍ର କି ସୂର୍ଯ୍ୟନାରାୟଣ ଦାସ, ଏପରି ପେନ୍‌ସନ୍ ପାଇଲେ ଜାତି କୃତାର୍ଥ ହୁଅନ୍ତା । ସଂଖ୍ୟା ବଢ଼ିଲେ ଆଉ ଯାହା କିଛି ହେଉ ନା କାହିଁକି ସାହିତ୍ୟର ବିଶେଷ କଲ୍ୟାଣ ହେବ ନାହିଁ । ବରଂ ଭୁଲ୍ ମୂଲ୍ୟବୋଧ ସୃଷ୍ଟି ହେବ । ପ୍ରକାଶକଙ୍କ କଲ୍ୟାଣରୁ ଆଜି ଯେ କେହି ବହି ଲେଖି ଛପାଇ ପାରୁଛନ୍ତି, ସେମାନେ ସମସ୍ତେ ସାହିତ୍ୟିକ ନୁହଁନ୍ତି । ତନ୍ମଧ୍ୟରୁ କେହି କେହି ସାହିତ୍ୟିକ । କାହାକୁ କେହି ପେନ୍‌ସନ୍ ବ୍ୟବସ୍ଥା କରିଦେଇ ପାରନ୍ତି । ମାତ୍ର ସାହିତ୍ୟ ନାମରେ ସେପରି କରନ୍ତୁ ନାହିଁ । ନଚେତ୍ ଏହି ପେନ୍‌ସନ୍‌କୁ କେନ୍ଦ୍ରକରି ଅଚିରେ ଲେଖକ, କଳାକାର ଓ କ୍ରୀଡ଼ାବିତ୍‌ଙ୍କର ବିରାଟ ଏକ ଅଦ୍ଭୁତ ସଙ୍ଘ ଗଢ଼ାହେବ ଓ ପେନ୍‌ସନ୍ ଆନ୍ଦୋଳନ ଚାଲିବ ।

 

କଟକ ଓ ଭୁବନେଶ୍ୱରକୁ କେନ୍ଦ୍ର କରି ଆମର ସବୁପ୍ରକାର ସାହିତ୍ୟିକ ତତ୍ପରତା ପ୍ରକାଶ ପାଉଛି । କଟକ ଉତ୍ପାଦନ କେନ୍ଦ୍ର । ଭୁବନେଶ୍ୱରସ୍ଥ ସରକାର ମୁଖ୍ୟ ଗ୍ରନ୍ଥ-କ୍ରେତା । ସାହିତ୍ୟିକମାନଙ୍କ ମଧ୍ୟରୁ ଅଧିକାଂଶ ମଧ୍ୟ ଏହି ଦୁଇ ସହରର ବାସିନ୍ଦା । ପାଠକ ବହୁ ଦୂରରେ, ଲେଖକଙ୍କଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ କହିଲେ ଚଳେ, ଏପରିକି ଅନେକ ଲେଖକଙ୍କ ଭାବାନୁଭୂତି ପାଠକଙ୍କ ଅଭିଜ୍ଞତା ବାହାରର ଜିନିଷ । ପାଠକ ପାଖରେ ଲେଖକର କୌଣସି ଦାୟ କି ଦାୟିତ୍ୱ ନାହିଁ । ଏଣେ ଉଭୟ ଲେଖକ ଓ ପାଠକଙ୍କ ସହିତ ଏଷ୍ଟାବ୍ଲିଶ୍‌ମେଣ୍ଟର ସମ୍ପର୍କ ପ୍ରାୟ ମୂଳତଃ ବ୍ୟବସାୟୀ ସମ୍ପର୍କ । ତେଣୁ ଯୋଗାଯୋଗ ଯାନ୍ତ୍ରିକ ହେବାକୁ ବାଧ୍ୟ । ଆଧୁନିକ ଏଷ୍ଟାବ୍ଲିଶ୍‌ମେଣ୍ଟର ସବୁ ପ୍ରକାର ପ୍ରତିବଦ୍ଧତା ସ୍ୱାର୍ଥ ପାଖରେ । ତାଙ୍କପାଇଁ ସାହିତ୍ୟ ପଣ୍ୟ ମାତ୍ର । ସାହିତ୍ୟବୋଧ କି କଲ୍ୟାଣବୋଧର ଅବଶେଷ କେଉଁଠି କେମିତି ଅଛି ନିଶ୍ଚୟ, ତେବେ ଲାଭ ଚରିତାର୍ଥ କରିବା ହିଁ ମୁଖ୍ୟ କଥା । ଯେଉଁମାନଙ୍କ ମାଧ୍ୟମରେ ଗ୍ରନ୍ଥ ବିକ୍ରୟ କରାଯାଇ ପାରିବ ସେମାନଙ୍କ ଲେଖା ସେମାନେ ଶ୍ରଦ୍ଧାରେ ଛାପନ୍ତି, ଅର୍ଥାତ୍ ଯେଉଁମାନେ ବ୍ୟବସାୟଟିକୁ ଆର୍ଥିକ ଦିଗରୁ କୌଣସି ପ୍ରକାର ସାହାଯ୍ୟ କରିପାରିବେ, ସେମାନେ ଏହି ଏଷ୍ଟାବ୍ଲିଶ୍‌ମେଣ୍ଟ ପାଖରେ ସମର୍ଥ ସାହିତ୍ୟିକ । ଭୁଲ୍ ମୂଲ୍ୟବୋଧର ଚୂଡ଼ାନ୍ତ । ପ୍ରାଚୀନ ଫିଉଡାଲ୍ ଏଷ୍ଟାବ୍ଲିଶ୍‌ମେଣ୍ଟ ପାଖରେ ସାହିତ୍ୟ ଥିଲା ବଡ଼ କଥା । ସେଦିନ ବଡ଼ କବିଙ୍କୁ ସଭାରେ ପାଇଲେ ନିଜର ମର୍ଯ୍ୟାଦା ବଢ଼ିବବୋଲି ବିଶ୍ୱାସ ରହିଥିଲା, ବହୁ ରାଜା ମହାରାଜାଙ୍କର ଅନ୍ତତଃ ସାଧାରଣ ରସବୋଧ ଜାଗ୍ରତ ଥିଲା । ଆଜି ପଟ ପରିବର୍ତ୍ତିତ । ଗ୍ରନ୍ଥ ନିର୍ବାଚନ କର୍ତ୍ତୃତ୍ୱ ବ୍ୟକ୍ତିର ମହିମାସାପେକ୍ଷ । ପ୍ରକାଶକ ଗ୍ରନ୍ଥ ଦେଖନ୍ତି ନାହିଁ, କିଏ ଲେଖିଛି ପ୍ରାୟ ତାହାହିଁ ଦେଖନ୍ତି । ବହି ବିକ୍ରି ହେଲେ ଯଥେଷ୍ଟ ହେଲା । ଗ୍ରନ୍ଥଟିର ବିଶ୍ୱବିଦ୍ୟାଳୟ ସ୍ତରରେ ପାଠ୍ୟପୁସ୍ତକ ହେବାର ସମ୍ଭାବନା ଥିଲେ ଆହୁରି ଭଲ । ଏହି ସୂତ୍ରରେ ଅଧ୍ୟାପକମାନେ ଏହି ଏଷ୍ଟାବ୍ଲିଶ୍‌ମେଣ୍ଟର ପରମ ପ୍ରୀତିଭାଜନ ହୋଇଥାନ୍ତି । ସେମାନଙ୍କ ମଧ୍ୟରୁ ତେଣୁ ଅଧିକାଂଶ କବି, ନାଟ୍ୟକାର, ଔପନ୍ୟାସିକ ଓ ସମାଲୋଚକ, ଅନେକ ମଧ୍ୟ ମିନି ରବୀନ୍ଦ୍ରନାଥ । ଲେଖକଙ୍କ ନାମ ମହିମାରେ ଯେପରି ଗ୍ରନ୍ଥର କାଟ୍‌ତି ଅଛି, ଠିକ୍ ସେପରି ଗ୍ରନ୍ଥର ବିଷୟବସ୍ତୁ ଜୋର୍‌ରେ ମଧ୍ୟ ବିକ୍ରିର ସମ୍ଭବନା ରହିଛି । ତେଣୁ ଏଷ୍ଟାବ୍ଲିଶ୍‌ମେଣ୍ଟ ସେହିସବୁ ଲେଖକ ଲେଖିକାଙ୍କୁ ବାଛେ ମଧ୍ୟ, ଯେଉଁମାନଙ୍କ ତରଳ ଯୌନସଂକ୍ରାନ୍ତ ରଚନା ଅର୍ଦ୍ଧଶିକ୍ଷିତ ରୁଚିବିହୀନ ବୃହତ୍ତର ପାଠକଗୋଷ୍ଠୀକୁ ଆକର୍ଷଣ କରିପାରିବ । ମନୋରମ ପ୍ରଚ୍ଛଦପଟ ହେଲେ ଅପୁସ୍ତକ ତେଣୁ ଏଷ୍ଟାବ୍ଲିଶ୍‌ମେଣ୍ଟ ସୁଦୟାରୁ ଶ୍ରେଷ୍ଠ ରଚନାର ମର୍ଯ୍ୟାଦା ପାଇଯାଏ, କେତେକ ପୁରସ୍କୃତ ହୁଅନ୍ତି ମଧ୍ୟ । ଏହି ସୂତ୍ରରେ ଅପାଠ୍ୟ ବହିର ସଂଖ୍ୟା ବଜାରରେ ସବୁଠୁ ବେଶି । ଏହି ସବୁ ଗ୍ରନ୍ଥଦ୍ୱାରା ତରୁଣ ତରୁଣୀଙ୍କ ସ୍ନାୟୁବିକୃତି ଘଟିବାର ଆଶଙ୍କା ଥିଲେ ମଧ୍ୟ ଏଷ୍ଟାବ୍ଲିଶ୍‌ମେଣ୍ଟ ପକ୍ଷରୁ ଅନୁଶୋଚନା ଆଶା କରିବା ମୂର୍ଖତା ।

 

କେହି ଯେପରି ଭୁଲ୍ ନ ବୁଝନ୍ତି ଯେ, ସୁରୁଚିସମ୍ପନ୍ନ ପ୍ରକାଶକ ବିରଳ ଓ ସତ୍ ସାହିତ୍ୟ ସୃଷ୍ଟି ଅନୁପସ୍ଥିତ । ଓଡ଼ିଶାରେ ସୁରୁଚିସମ୍ପନ୍ନ ପ୍ରକାଶକ ଅଛନ୍ତି ଓ ସତ୍ ସାହିତ୍ୟ ସୃଷ୍ଟି ଅବ୍ୟାହତ ଅଛି-। ଲାଭ ଦିଗରୁ ଯାହା ଅପସାହିତ୍ୟର ପ୍ରସାର ବଢ଼ିଛି ମାତ୍ର । ଅନ୍ୟତ୍ର ପ୍ରକାଶକମାନେ ଯେପରି ଅଶ୍ଳୀଳ ଓ ସ୍ନାୟୁ ଉତ୍ତେଜନ ପୁସ୍ତକ ଲେଖିବାକୁ ଉଚ୍ଚକୋଟୀର ସାହିତ୍ୟିକମାନଙ୍କୁ ଅର୍ଥର ଲୋଭଦେଖାଇ ପ୍ରବର୍ତ୍ତାଇ'ଥାନ୍ତି, ସେପରି ଦୁର୍ଯୋଗ ଅନ୍ତତଃ ଓଡ଼ିଶାରେ ଦେଖାଯାଇ ନାହିଁ । ସରକାରଙ୍କ ତରଫରୁ ସଦ୍ୟପ୍ରକାଶିତ ବହି କିଣିବାର ଯେଉଁ ବ୍ୟବସ୍ଥା ହୋଇଛି, ସେଥିରେ ପ୍ରକାଶକଙ୍କୁ ପ୍ରତିବର୍ଷ ବେଶ୍ କିଛି ନୂଆ ବହି ଛାପିବାକୁ ପଡ଼ୁଛି, ସେହି ସୂତ୍ରରେ ଅବହେଳିତ ପ୍ରତିଭାବନ୍ତ ତରୁଣ ସାହିତ୍ୟିକଗଣ ଗ୍ରନ୍ଥ ପ୍ରକାଶନର ସୁଯୋଗ ପାଉଛନ୍ତି ଅବଶ୍ୟ, ତେବେ ତଦ୍ଦ୍ୱାରା ବହୁ ପାଠ-ଅଯୋଗ୍ୟ ରଚନା ମଧ୍ୟ ବଜାରକୁ ଚାଲିଆସୁଛି । ସଦ୍ୟ ପ୍ରକାଶିତ ଗ୍ରନ୍ଥ ପ୍ରତି ଏତେଟା ମୋହଗ୍ରସ୍ତ ନ ହେବା ଭଲ । ସାହିତ୍ୟକୁ ସଦ୍ୟ ଛଣା ବରାପକୁଡ଼ି ମନେକରିବା ଠିକ୍ ନୁହେଁ । କୌଣସି ଭାଷାରେ ପ୍ରତିବର୍ଷ ରାଶି ରାଶି ଉତ୍କୃଷ୍ଟ ରଚନା ସୃଷ୍ଟି ହୋଇନପାରେ । ତେଣୁ ଅପସାହିତ୍ୟକୁ ଉତ୍ସାହିତ କରାଯାଉଛି ଓ ସାହିତ୍ୟ ନାମରେ ବହୁ ପରିମାଣର କାଗଜ ଅପଚିତ ହେଉଛି । ପ୍ରତିବର୍ଷ ଅଳ୍ପ କେତୋଟି ଭଲ ବହି ଛପା ହେଉଥିଲେ କେତେ ଭଲ ନ ହୁଅନ୍ତା ! ଏଷ୍ଟାବ୍ଲିଶ୍‌ମେଣ୍ଟର ସୁଦୟାରୁ ପ୍ରତିବର୍ଷ ଶହ ଶହ ବହି ପ୍ରକାଶିତ ହେଉଥିଲେ ମଧ୍ୟ ପାଠଯୋଗ୍ୟ ପୁସ୍ତକର ସଂଖ୍ୟା ଯେ କମି କମି ଆସୁଛି, ତାହା ଯେ କେହି ସୁସ୍ଥ ସାହିତ୍ୟରସିକ ବେଶ୍ ଉପଲବ୍‌ଧି କରିପାରିବେ । ଓଡ଼ିଶାରେ ଛାପା ଅକ୍ଷରକୁ ଗୁରୁତ୍ୱ ଦେବାର ସମୟ ଅତିକ୍ରାନ୍ତ ହୋଇନାହିଁ । ଛାପାବହି ମାତ୍ରେ ଅନେକଙ୍କପାଇଁ ତେଣୁ ସାହିତ୍ୟ ପଦବାଚ୍ୟ । ଆଧୁନିକ ଏଷ୍ଟାବ୍ଲିଶ୍‌ମେଣ୍ଟର ସ୍ୱଭାବ ଓ ଚରିତ୍ର ସମ୍ପର୍କରେ ସଚେତନ ରହିଲେ ଏହି ଭ୍ରାନ୍ତି ଦୂର ହୋଇଯିବାର ଆଶା ଅଛି । ସେହି ସୂତ୍ରରେ ଆଧୁନିକ ସାହିତ୍ୟର ଚର୍ଚ୍ଚା ବେଳେ ପ୍ରକାଶିତ ବହୁ ଗ୍ରନ୍ଥକୁ ସାହିତ୍ୟ ତାଲିକାରୁ ସହଜରେ ବାଦ୍ ଦେଇହେବ ।

 

ଗତ ଶତାବ୍ଦୀର, ପୂର୍ବଜାଗରଣ ବା ରେନେସାଁସ୍ ପ୍ରାଚୀନ ଏଷ୍ଟାବ୍ଲିଶ୍‌ମେଣ୍ଟ ବିରୁଦ୍ଧରେ ଏକ ବଳିଷ୍ଠ ବିଦ୍ରୋହ ଥିଲା- ସେହି ସୂତ୍ରରେ ଆଧୁନିକ ଓଡ଼ିଆ ସାହିତ୍ୟ ଭୂମିଷ୍ଠ ହୋଇଥିଲା ମଧ୍ୟ । ରେନେସାଁସକୁ କେନ୍ଦ୍ର କରି ମାନବିକବାଦ, ବ୍ୟକ୍ତିସ୍ୱାତନ୍ତ୍ର‌୍ୟ, ନାରୀମୁକ୍ତି ଓ ସ୍ୱାଧୀନତା ସ୍ପୃହା ଆଦି ଯେଉଁସବୁ ମନୋଭାବ ଗଢ଼ି ଉଠିଥିଲା, ତାହାହିଁ ଥିଲା ଆଧୁନିକ ସାହିତ୍ୟର ପାଥେୟ । ସେତେବେଳେ ଆଧୁନିକ ଏଷ୍ଟାବ୍ଲିଶ୍‌ମେଣ୍ଟ ଏହି ଆଧୁନିକ ସାହିତ୍ୟକୁ ଅନେକ ପରିମାଣରେ ଉତ୍ସାହ ଓ ପ୍ରେରଣା ଦେଇଛି । ଆଧୁନିକ ସାହିତ୍ୟର ପୃଷ୍ଠପୋଷକ ଭାବରେ ସ୍ୱାର୍ଥବୁଦ୍ଧିର ଦୂରଦର୍ଶିତା ନ ଥିଲା ନୁହେଁ, ଥିଲା ତେବେ ସ୍ୱାଧୀନତା ପ୍ରାପ୍ତି ପର୍ଯ୍ୟନ୍ତ ତାହା ଗାନ୍ଧିବାଦର ସୁସମାଚାର ପ୍ରଚାର କରିଛି । ଦେଶୋଦ୍ଧାର କାର୍ଯ୍ୟରେ ଲାଗିଛି । ସ୍ୱାଧୀନତାର ପ୍ରାପ୍ତି ପରେ କିନ୍ତୁ ତା'ର ଚରିତ୍ର କ୍ରମଶଃ ବଦଳିଯାଇଛି । ଏହି ଏଷ୍ଟାବ୍ଲିଶ୍‌ମେଣ୍ଟର ମର୍ଜି ଓ ରୁଚି ହୋଇଛି ଆମ ସାହିତ୍ୟିକ ରସରୁଚିର ନିୟତି ଓ ନୟନ୍ତ୍ରଣକାରୀ । ତେଣୁ ଆଜି ଏହା ବିରୁଦ୍ଧରେ ବିଦ୍ରୋହର ବେଳ ଆସିଛି । ତେକେକ ଲେଖକ ବିଶେଷ ଓ କେତେକ ଲେଖକ ସମବାୟ ସମିତି ଅବଶ୍ୟ ପୁସ୍ତକ ପ୍ରକାଶନ ଆରମ୍ଭ କରିଦେଲେଣି । ମାତ୍ର ଏହି ବିଦ୍ରୋହ ଠିକ୍ ସମୟରେ ରୟାଲିଟି ନ ପାଇବାର ପ୍ରତିକ୍ରିୟା ମାତ୍ର । ସବୁ କ୍ଷେତ୍ରରେ ସମ୍ପୂର୍ଣ୍ଣ ସାହିତ୍ୟିକ ସଦୁଦ୍ଦେଶ୍ୟମୂଳକ ନୁହେଁ । ସାହିତ୍ୟ ମଧ୍ୟ ସେମାନଙ୍କପାଇଁ ପଣ୍ୟ । ଅପପୁସ୍ତକ ଘେନି ବ୍ୟବସାୟ କରିବା ଓ ତାକୁ ସତ୍ ସାହିତ୍ୟର ମର୍ଯ୍ୟାଦା ଦେବାର ଆଜି ଯେଉଁ ହୀନ ମନୋବୃତ୍ତି ଦେଖାଦେଇଛି ତାହାରି ବିରୁଦ୍ଧରେ ବିଦ୍ରୋହ ପ୍ରୟୋଜନ । ଉଭୟ ଏଷ୍ଟାବ୍ଲିଶ୍‌ମେଣ୍ଟ ଲେଖକଙ୍କ ପ୍ରଭାବରୁ ମୁକ୍ତ ହେଲେ ତରୁଣ ସାହିତ୍ୟିକଗଣ ଆଧୁନିକତାର ସାହିତ୍ୟ ରଚନା କରିପାରିବେ ।

•••

 

ରେନେସାଁ ଯୁଗର ବିଜ୍ଞାନ

ଶ୍ରୀ ଶରତକୁମାର ମହାନ୍ତି

 

ୟୁରୋପୀୟ ରେନେସାଁ ମୂଳରେ ଅନେକ ଜଣାଅଜଣା କାରଣ ରହିଛି । ଯୁଗ ଯୁଗ ଧରି ଧୀର, ସୂକ୍ଷ୍ମ ସାମାଜିକ ପରିବର୍ତ୍ତନ ଓ ବୌଦ୍ଧିକ ଜାଗରଣ ଫଳରେ ୟୁରୋପୀୟ ମାନସର ଏକ ନୂତନ ଦ୍ୱାର ଖୋଲିଗଲା । ଗ୍ରୀକ୍ ଓ ରୋମୀୟ ସଭ୍ୟତା ସହିତ ପରିଚୟ ବଢ଼ିବାଦ୍ୱାରା ୟୁରୋପବାସୀ ଜାଣିଲେ ଯେ, ଖ୍ରୀଷ୍ଟଧର୍ମ ପୂର୍ବରୁ କୌଣସି ଅତି ପ୍ରାକୃତିକ ଶକ୍ତିର ସାହାଯ୍ୟ ବା ଅବତାର ପୁରୁଷଙ୍କର କରୁଣା ଲାଭ ନ କରି ମଧ୍ୟ ଗ୍ରୀକ୍‌ମାନେ ଏକ ମହାନ୍ ସଂସ୍କୃତିର ଅଧିକାରୀ ଥିଲେ । ଗ୍ରୀକ୍ ଓ ରୋମୀୟମାନେ ଏଇ ଧରାବକ୍ଷରେ କେତେ ସୁଖମୟ ଜୀବନ କଟାଇ ଯାଇଛନ୍ତି, ତାହା ୟୁରୋପବାସୀଙ୍କୁ ଅଜଣା ରହିଲା ନାହିଁ । ଇହଜଗତର ଜୀବନକୁ ମରଣୋତ୍ତର ଜୀବନପାଇଁ ଅପେକ୍ଷାବୋଲି ମଣୁଥିବା ଖ୍ରୀଷ୍ଟିଆନ୍‌ମାନଙ୍କର ଏକ ପରିବର୍ତ୍ତନ ରେନେସାଁ ଯୁଗରେ ଆସିଲା । ମଣିଷଠାରୁ ଲୁକ୍‌କାୟିତ ଶକ୍ତିର ବିକାଶ କରାଇବାଦ୍ୱାରା ସେ ଏଇ ପୃଥିବୀରେ ନିଜ ଉଦ୍ୟମ ବଳରେ କିପରି ଏକ ସୁଖକର ଓ ସଂସ୍କୃତିସମ୍ପନ୍ନ ଜୀବନ କଟାଇବ, ତାହା ରେନେସାଁ ଯୁଗର ଲକ୍ଷ୍ୟ ହେଲା । ମଣିଷ ପ୍ରାଣର ଏପରି ଆବେଗ ମାନବତାବାଦ (Humanism) ଭାବେ ପରିଚିତ । ମାନବତାବାଦୀ ରେନେସୀଁୟ ମଣିଷ ଅତିପ୍ରାକୃତିକ ଜଗତ ଓ ସ୍ୱର୍ଗନର୍କକୁ ପଛକୁ ହଟେଇ ଏଇ ପୃଥିବୀ ଓ ଏଠାରେ ତାହାର ଜୀବନ ପ୍ରତି ଧ୍ୟାନ ଦେଲା ।

 

ରେନେସାଁ ଯୁଗ ବିଜ୍ଞାନର ଅଗ୍ରଗତିପାଇଁ ଅନୁକୂଳ ହେଲା କହିବା ବାହୁଲ୍ୟ ମାତ୍ର । ମାନବତାବାଦ ଓ ବିଜ୍ଞାନ ମଧ୍ୟରେ ଅଭେଦ୍ୟ ସମ୍ପର୍କ ରହିଛି । ପଞ୍ଚଦଶ ଶତାବ୍ଦୀରେ ଭାସ୍କୋଡ଼ିଗାମା, କଲମ୍ବସ୍ ଓ ମାଗେଲାନ୍‌ଙ୍କ ପରି ଦୁଃସାହସୀ ଜଳଯାତ୍ରୀଙ୍କର ନୂତନ ଭୂଖଣ୍ଡର ଆବିଷ୍କାର ୟୁରୋପୀୟଙ୍କର ଦୃଷ୍ଟିକୋଣ ଗଢ଼ିବାରେ କିଛି କମ୍ ସାହାଯ୍ୟ କରିନାହିଁ । ଇତାଲୀର ନଗରମାନଙ୍କରେ ନୂତନ ଦେଶର ବୃକ୍ଷ ଓ ପ୍ରାଣୀଙ୍କୁ ଲୋକେ ଆଗ୍ରହରେ ଦେଖିଥିଲେ । ଗୋଟିଏ ପ୍ରାଚୀନ ପାଣ୍ଡୁଲିପିର ସନ୍ଧାନ ମିଳିଲେ ଯେପରି ଉତ୍ସାହଉଦ୍ଦୀପନା ଖେଳି ଯାଉଥିଲା; ସେହିପରି ଉତ୍ସାହଉଦ୍ଦୀପନା ଗୋଟିଏ ନୂଆ ଜୀବ ବା ଗଛ ସୃଷ୍ଟି କରୁଥିଲା । ଇତାଲୀୟଙ୍କ ଖାଇବା ଥାଳିରେ ନୂଆ ନୂଆ ଫଳ ଓ ପରିବା ସ୍ଥାନ ପାଇଲେ । ନଗରମାନଙ୍କରେ ଫୁଲ ବଗିଚା କରାଗଲା । ନୂତନ ଓ ବିଚିତ୍ର ଜୀବଜନ୍ତୁଙ୍କ ବିଷୟରେ କୌତୂହଳ, ପ୍ରକୃତିର ସୌନ୍ଦର୍ଯ୍ୟ ପ୍ରତି ଆକର୍ଷଣ, ଭ୍ରମଣ ବଣଭୋଜି ପ୍ରତି ଆଗ୍ରହ ଓ ୟୁରୋପୀୟ ଦୃଷ୍ଟିକୋଣ ପରିବର୍ତ୍ତନର ପ୍ରମାଣ! ନୂତନ ଭୂଖଣ୍ଡମାନଙ୍କର ଆବିଷ୍କାର ୟୁରୋପୀୟ ମାନସକୁ ପ୍ରସାରିତ କଲା । ନୂତନ ଭୂଖଣ୍ଡର ଆବିଷ୍କାର କରି ୟୁରୋପୀୟମାନେ ଜ୍ଞାନଜଗତରେ ନୂତନ ରାଜ୍ୟ ଅଧିକାର କରିବାକୁ ଅଣ୍ଟା ଭିଡ଼ିଲେ । ସେମାନଙ୍କର ଏଇ ଆକାଙ୍‌କ୍ଷା ଫ୍ରାନ୍‌ସିସ୍ ବେକନ୍‌ଙ୍କ ଲେଖାରେ ସ୍ପଷ୍ଟଭାବେ ପ୍ରତିଫଳିତ । ସେ ଲେଖିଛନ୍ତି,-

 

‘And surely it would be disgraceful if, while the regions of the material globe. have been in our times laid widely open and revealed, the intellectual globe should remain shut up within the narrow limits of old discoveries.

 

ଇତାଲୀ ୟୁରୋପୀୟ ନବଜାଗରଣର ଅଗ୍ରଣୀ । ଇତାଲୀରୁ ଫ୍ରାନ୍‌ସକୁ ନବଜାଗରଣର ହାଓ୍ୟା ବହିଥିଲା । ମାତ୍ର ସ୍ପେନ୍‌ରେ ଏହାର ସେତେ ପ୍ରଭାବ ପଡ଼ିଲା ନାହିଁ । ୟୁରୋପର ସବୁ ଦେଶରେ ଏକାଦିନକେ ରେନେସାଁ ଆସିଯାଇ ନ ଥିଲା । ରେନେସାଁର ଗୋଟିଏ ତାରିଖ ନିର୍ଦ୍ଧାରଣ କରିଦେବା ଠିକ୍ ନୁହେଁ । ତଥାପି ପ୍ରତୀକରୂପେ ୧୪୫୩ ଖ୍ରୀଷ୍ଟାବ୍ଦକୁ ରେନେସାଁର ଆରମ୍ଭବୋଲି କେତେକ ଗ୍ରହଣ କରନ୍ତି । ଏହିବର୍ଷ ତୁର୍କୀମାନେ ବାଇଜାଣ୍ଟିଅମ୍ ଅଧିକାର କରିନେବା ଫଳରେ ସେଠାକାର ଅନେକ ଦକ୍ଷ ଶିକ୍ଷକ ପ୍ରାଚୀନ ପାଣ୍ଡୁଲିପି ସବୁ ଧରି ୟୁରୋପର ବିଭିନ୍ନ ଦେଶକୁ ପଳାଇଥିଲେ । ପ୍ରାଚୀନ ପାଣ୍ଡୁଲିପି ସଂଗ୍ରହ କରିବାର ଆଗ୍ରହ ଇତାଲୀ ଓ ଆଖପାଖ ଅଞ୍ଚଳରେ ବଢ଼ିଲା । ଫଳରେ ଗ୍ରୀକ୍ ଜ୍ଞାନବିଜ୍ଞାନର ପ୍ରସାର ଘଟି ରେନେସାଁର ଅଭ୍ୟୁଦୟ ହେଲା । ୧୪୫୩ର ଆଉ ଏକ ଗୁରୁତ୍ୱ ଅଛି । ଏହା ପରବର୍ଷ ଛାପାକଳ ଆବିଷ୍କୃତ ହୋଇ ବାଇବେଲ୍ ଛାପା ଯାଇଥିଲା-। ଜ୍ଞାନର ପ୍ରସାରପାଇଁ ଛାପାକଳର ଅବଦାନ କିଛି କମ୍ ନୁହେଁ ।

 

୧୪୫୩କୁ ରେନେସାଁର ଜନ୍ମବର୍ଷରୂପେ ଧରିବାର ଆଉ ମଧ୍ୟ ଏକ ବିଶେଷ କାରଣ ରହିଛି । ରେନେସାଁର ବିଖ୍ୟାତ ମନୀଷୀ ଲିଓନାର୍ଡୋ ଦା' ଭିନ୍‌ସି ୧୪୫୨ରେ ଜନ୍ମଲାଭ କରିଥିଲେ-। ଇତାଲୀର ଫ୍ଲରେନ୍‌ସ ଓ ପିସା ମଧ୍ୟବର୍ତ୍ତୀ ଭିନ୍‌ସି ତାଙ୍କର ଜନ୍ମସ୍ଥାନ । ଲିଓନାର୍ଡୋଙ୍କ ସମକକ୍ଷ ଆଉ ଏକ ସାର୍ବଜନୀନ ବ୍ୟାପକ ପ୍ରତିଭାକୁ ପୃଥିବୀମାତା ଜନ୍ମ ଦେଇଛିବୋଲି ମନେହୁଏନା । ଜଣେ ଉଦ୍ଭାବକ ଓ ବିଜ୍ଞାନୀଭାବେ ଲିଓନାର୍ଡୋଙ୍କ ଅସମ୍ଭବ ପ୍ରତିଭାକୁ ତାଙ୍କର କଳାପ୍ରତିଭା ଦୀର୍ଘକାଳ ଢାଙ୍କି ରଖିଥିଲା । ମାତ୍ର ତାଙ୍କର ନୋଟ୍ ବହିଗୁଡ଼ିକ ଆବିଷ୍କୃତ ହେବାପରେ ଏହି ବିରାଟ ବ୍ୟକ୍ତିଙ୍କର ଅଦ୍ଭୁତ ପ୍ରତିଭା ଲୋକଲୋଚନକୁ ଆସିଛି । ଜଣେ ଚିତ୍ରକର, ଭାସ୍କର, ଇଂଜିନିୟର୍‌, ଉଦ୍ଭାବକ, ପଦାର୍ଥବିଜ୍ଞାନୀ, ପ୍ରାଣୀବିଜ୍ଞାନୀ ଓ ଦାର୍ଶନିକଭାବେ ଏକ ନୂତନ ସୂର୍ଯ୍ୟପରି ଲିଓନାର୍ଡୋ ୟୁରୋପୀୟ ଆକାଶରେ ଉଦିତ ହୋଇଥିଲେ ।

 

ବଳିଷ୍ଠ, ସୁଦର୍ଶନ, ଖେଳ କସରତ୍‌ରେ ଦକ୍ଷ ଓ ସୁଗାୟକ ଲିଓନାର୍ଡୋଙ୍କର ଆକର୍ଷଣୀୟ ବ୍ୟକ୍ତିତ୍ୱ ସମ୍ଭ୍ରାନ୍ତ ମହଲରେ ଆଲୋଚନା ବିଷୟ ହୋଇଥିଲା । ସେ ଅନେକ ରାଜା, ଯୁବରାଜ ଓ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କର ବନ୍ଧୁତ୍ୱ ଲାଭ କରିଥିଲେ ଏବଂ ଜୀବନରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରି ନାନା ଅଭିଜ୍ଞତା ଅର୍ଜନ କରିଥିଲେ । ଜଣେ ଭାସ୍କର ଓ ଇଂଜିନିୟରଭାବେ ବ୍ୟାବହାରିକ ଦିଗ ପ୍ରତି ଧ୍ୟାନ ରଖି ତାଙ୍କୁ ବିଜ୍ଞାନରେ ମନୋନିବେଶ କରିବାକୁ ହୋଇଥିଲା । ବଡ଼ ବଡ଼ ଅଟ୍ଟାଳିକାର ଓଜନ କିପରି ସମ୍ଭଳା ଯିବ ସେ ସମସ୍ୟାର ସମାଧାନ ସୂତ୍ର ଖୋଜି ଲିଓନାର୍ଡୋ ସଫଳ ହୋଇଥିଲେ । ମିଲାନ୍‌ର ଦୁର୍ଗକୁ ଅଜେୟ କରି ଗଢ଼ିବା ଦିଗରେ ତାଙ୍କର ଅବଦାନ ପ୍ରଶଂସନୀୟ । ଯୁଦ୍ଧରେ ବ୍ୟବହାରପାଇଁ ଲିଓନାର୍ଡୋ ଅନେକ ପ୍ରକାର ମାରଣାସ୍ତ୍ର ଉଦ୍ଭାବନ କରିଥିଲେ । ତୋପ, ଗ୍ୟାସ୍‌ବମ୍‌, ମେସିନ୍‌ଗନ୍‌, କ୍ଷେପଣାସ୍ତ୍ର ପ୍ରଭୃତି ସେ ତିଆରି କରିଥିଲେ ।

 

ଭୟଙ୍କର ବନ୍ୟାକୁ ରୋକିବା ସଙ୍ଗେ ସଙ୍ଗେ ଜଳସେଚନର ବ୍ୟବସ୍ଥା କରିବାକୁ ଲୋମ୍ବାର୍ଡ ଉପତ୍ୟକାରେ ଲିଓନାର୍ଡୋ କେନାଲ୍ ବ୍ୟବସ୍ଥା କରିଥିଲେ । କେନାଲ୍‌ରେ ଳକ୍ ବ୍ୟବସ୍ଥା କରିବା ଓ ଜଳ-ଶକ୍ତିର ବିନିଯୋଗପାଇଁ ଟର୍‌ବାଇନ୍ ତିଆରି କରିଥିବା ତାଙ୍କର କୃତିତ୍ୱ । ଏହାଛଡ଼ା ଆହୁରି ଅନେକ ଛୋଟ ବଡ଼ କାରିଗରୀ କାମରେ ହାତ ଦେଇ ସେ ସଫଳ ହୋଇଥିଲେ । ଜଣେ କଳାକାରଭାବେ ଆଲୋକର ଧର୍ମ, ଚକ୍ଷୁ ଉପରେ ବିଭିନ୍ନ ପ୍ରକାର ଆଲୋକର ପ୍ରଭାବ, ଚକ୍ଷୁ ଓ ମାନବ ଶରୀରର ଗଠନ ସମ୍ବନ୍ଧରେ ତାଙ୍କୁ ଅଧ୍ୟୟନ କରିବାକୁ ପଡ଼ିଥିଲା । ଏହିପରି ବିଭିନ୍ନ ସମସ୍ୟା ପ୍ରତି ଦୃଷ୍ଟି ରଖି ବିଜ୍ଞାନ ଗବେଷଣା କରୁଥିବାରୁ ଲିଓନାର୍ଡୋ ଆରିଷ୍ଟୋଟ୍‌ଲୀୟ ବିଜ୍ଞାନର ଅସାରତା ଦେଖି ପାରିଲେ । ଗୋଟିଏ ଚିତ୍ରର ରଙ୍ଗ-ପ୍ରଭାବ କଳିବା, ଜଳସେଚନର ପ୍ରତିବନ୍ଧକ ଘୁଞ୍ଚାଇବା ବା ଅବରୁଦ୍ଧ ଦୁର୍ଗ ଅଧିକାର କରିବା ପରି ବାସ୍ତବ ସମସ୍ୟାର ସମ୍ମୁଖୀନ ହୋଇ ଜଣେ ଆରିଷ୍ଟୋଟ୍‌ଲ୍‌ଙ୍କୁ ପଢ଼ି ଉପକୃତ ହେବ ନାହିଁ ।

 

ଉଦ୍ଭାବନ-ପ୍ରତିଭା ବ୍ୟତୀତ ଶୁଦ୍ଧ ବିଜ୍ଞାନ ପ୍ରତି ମଧ୍ୟ ଲିଓନାର୍ଡୋଙ୍କର ଅନୁରାଗ ଥିଲା । ତାଙ୍କର ବହୁମୁଖୀ ପ୍ରତିଭା ସତ୍ତ୍ୱେ ଜଣେ କଳାକାରଭାବେ କଳାସୃଷ୍ଟିରେ ଆନନ୍ଦ ପାଇବା ପରି ଜ୍ଞାନାର୍ଜନର ଆନନ୍ଦପାଇଁ ଗବେଷଣା କରିବା ତାଙ୍କର ସବୁଠାରୁ ପ୍ରିୟ ବିଷୟ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଜଣେ ଶରୀରତତ୍ତ୍ୱବିତ୍‌ଭାବେ ଲିଓନାର୍ଡୋ ରକ୍ତ ସଂଞ୍ଚାଳନ ଓ ସ୍ନାୟୁମଣ୍ଡଳର ଗଠନ ରହସ୍ୟ ଉଦ୍‌ଘାଟନ କରିବାର ଅଗ୍ରଦୂତ । ସ୍ଥିତାବସ୍ଥାର ନିୟମ (Principle of Inertia) ଓ ପତନ ବସ୍ତୁର ବର୍ଦ୍ଧମାନ ବେଗ (Law of acceleration) ସମ୍ବନ୍ଧୀୟ ନିୟମକୁ ସେ ଅନ୍ତର୍ଦୃଷ୍ଟି ବଳରେ ଦେଖି ପାରିଥିଲେ । ଜଳର ତରଙ୍ଗ ପରି ଶବ୍ଦ ଓ ଆଲୋକର ତରଙ୍ଗ ପ୍ରକୃତି ସମ୍ବନ୍ଧରେ ସେ ନିର୍ଭୁଲ ଅନୁମାନ କରିଥିଲେ । ଆଗାମୀ ଯୁଗର ବହୁ ବୈଜ୍ଞାନିକ ସତ୍ୟ ଓ ଉଦ୍ଭାବନର ସୂଚନା ଦେଇ ଲିଓନାର୍ଡୋ ବିଜ୍ଞାନ ଜଗତରେ ଏକ ବିସ୍ମୟ ହୋଇ ରହିଛନ୍ତି ।

 

ପ୍ରାଚୀନ ଯୁଗର ସର୍ବଶ୍ରେଷ୍ଠ ବିଜ୍ଞାନୀ ଆର୍କମେଡିସ୍‌ଙ୍କୁ ଲୋକଲୋଚନକୁ ଆଣିବା ଲିଓନାର୍ଡୋଙ୍କର ଅନ୍ୟ ଏକ ଅବଦାନ । ବିଜ୍ଞାନ ଗବେଷଣାପାଇଁ ସେ ଆରିଷ୍ଟୋଟ୍‌ଲ୍‌ଙ୍କ ପରିବର୍ତ୍ତେ ଆର୍କମେଡିସ୍‌ଙ୍କଠାରୁ ପ୍ରେରଣା ପାଇଥିଲେ । ପ୍ରକୃତିର ତନ୍ନ ତନ୍ନ ପର୍ଯ୍ୟବେକ୍ଷଣ ଓ କେତେକ ପରୀକ୍ଷାର ସାହାଯ୍ୟ ନ ନେଇ କୌଣସି ବୈଜ୍ଞାନିକ ଜ୍ଞାନ ଲାଭ କରିବା ସମ୍ଭବ ନୁହେଁବୋଲି ଲିଓନାର୍ଡୋ ସ୍ପଷ୍ଟଭାବେ ଘୋଷଣା କଲେ । ସେ ଲେଖିଛନ୍ତି, ‘ଯେଉଁ ବିଜ୍ଞାନ ସମସ୍ତ ନିଶ୍ଚୟତାର ଜନନୀ ପରୀକ୍ଷାର ଭିତ୍ତି ଉପରେ ପ୍ରତିଷ୍ଠିତ ନୁହେଁ, ତାହା ବୃଥା ଓ ପ୍ରମାଦପୂର୍ଣ୍ଣ ।’ ବିଜ୍ଞାନ କ୍ଷେତ୍ରରେ ଗଣିତର ଭୂମିକା ପ୍ରତି ଲିଓନାର୍ଡୋ ଗୁରୁତ୍ୱ ଦେଇଥିଲେ । ଗାଣିତିକ ପ୍ରମାଣ ବ୍ୟତୀତ କୌଣସି ଗବେଷଣା ବୈଜ୍ଞାନିକ ସତ୍ୟ ଦେଇ ପାର୍ରିବ ନାହିଁ ।

 

ଲିଓନାର୍ଡୋଙ୍କର ଗୋଟିଏ ଦୋଷ ତାଙ୍କର ଅସମ୍ଭବ ପ୍ରତିଭାକୁ ଦୀର୍ଘକାଳ ଢାଙ୍କି ରଖିଥିଲା । ଚିତ୍ରକଳା ଓ ଭାସ୍କର୍ଯ୍ୟ ବ୍ୟତୀତ ଅନ୍ୟ ବିଷୟରେ ତାଙ୍କ ଜ୍ଞାନକୁ ଲୋକଲୋଚନକୁ ଆଣିବାରେ ସେ ଅବହେଳା କରିଛନ୍ତି । ବିଭିନ୍ନ ବିଷୟରେ ଗ୍ରନ୍ଥମାନ ରଚନା କରିବାକୁ ତାଙ୍କର ଯୋଜନା ଥିଲା । ଏହି ଉଦ୍ଦେଶ୍ୟରେ ଲିଓନାର୍ଡୋ ନିଜର ଚିନ୍ତା ଓ ଅନୁସନ୍ଧନାର ଫଳାଫଳକୁ ନିୟମିତ ନୋଟ୍ ବହିରେ ଟିପୁଥିଲେ ମାତ୍ର ଗ୍ରନ୍ଥ ରଚନା କରିବାର ଯୋଜନା କାର୍ଯ୍ୟକାରୀ କଲେ ନାହିଁ । ତାହା କରିଥିଲେ ଆଧୁନିକ ବିଜ୍ଞାନରେ ଅଗ୍ରଗତି ନିଃସନ୍ଦେହଭାବେ ସୁଗମ ହୋଇଥାଆନ୍ତା-। ଲିଓନାର୍ଡୋ ବିଭିନ୍ନ ରାଜଦରବାରରେ କାର୍ଯ୍ୟ କରି ବିଜ୍ଞମହଲରେ ମିଶୁଥିଲେ । ତେଣୁ ଗ୍ରନ୍ଥ ମାଧ୍ୟମରେ ନ ହେଲେ ମଧ୍ୟ ୟୁରୋପର ଅନେକ ଜ୍ଞାନୀଙ୍କ ସହିତ ଭାବ ବିନିମୟଦ୍ୱାରା ତାଙ୍କର ଚିନ୍ତାଧାରାର ପ୍ରସାର କେତେକାଂଶରେ ହୋଇଥିବ ।

 

ଯୁଗସ୍ରଷ୍ଟାର ଭୂମିକାରେ ଅବତୀର୍ଣ୍ଣ ହୋଇ ବୈଜ୍ଞାନିକ ମନୋବୃତ୍ତି ଓ ବୈଜ୍ଞାନିକ ପ୍ରଣାଳୀର ବୀଜ ୟୁରୋପର ବାୟୁମଣ୍ଡଳରେ ଛାଡ଼ିଥିବା ଲିଓନାର୍ଡୋଙ୍କର ମହାନ୍ ଅବଦାନ । ତେବେ ସମସାମୟିକ ଯୁଗରେ ଏକାକୀ ଲିଓନାର୍ଡୋ ବିଜ୍ଞାନକୁ ଏକ ନୂତନ ଶକ୍ତିଭାବେ ଦେଖି ନାହାନ୍ତି । ଏପରି ହୋଇଥିଲେ ବିଜ୍ଞାନ ବଞ୍ଚିପାରି ନ ଥା'ନ୍ତା । ବିଜ୍ଞାନକୁ ଜନ୍ମ ଦେବାପାଇଁ କାଳ ଅନୁକୂଳ ହୋଇଥିଲା । ଇତାଲୀର ଆଉ ଜଣେ ଦାର୍ଶନିକ ବର୍ଣ୍ଣାଡିନୋ ଟେଲୋସିଓ (୧୫୦୯-୮୮) ଘୋଷଣା କଲେ ଯେ, ପ୍ରକୃତି ଜ୍ଞାନ ପ୍ରକୃତିର ପର୍ଯ୍ୟବେକ୍ଷଣରୁ ମିଳେ । ଲିଓନାର୍ଡୋଙ୍କ ପୂର୍ବରୁ ଆଉ ଜଣେ ରେନେସୀଁୟ ମନୀଷୀ ଆଲବର୍ଟ କେତେକ ବୈଜ୍ଞାନିକ ପରୀକ୍ଷା କରିଥିଲେ । କଲମ୍ବସ୍‌ଙ୍କୁ ଜଳଯାତ୍ରାରେ ଉତ୍ସାହିତ କରିଥିବା ଜ୍ୟୋତିର୍ବିଜ୍ଞାନୀ ପାଓଲୋ ଟସ୍‌କେନେଲିଙ୍କ ସହିତ ଲିଓନାର୍ଡୋଙ୍କର ପରିଚୟ ଥିଲା । ଗଣିତଜ୍ଞ ଲୁକା ପାସିଓଲିଙ୍କୁ ସେ ଜାଣିଥିଲେ । ଲୁକା ପାସିଓଲିଙ୍କ ସହିତ ତାଙ୍କର ଭାବ ବିନିମୟ ହେଉଥିଲା । ଶରୀର ବ୍ୟବଚ୍ଛେଦ ସମ୍ପର୍କୀୟ ଗବେଷଣାରେ ଡେଲାଟୋରୀ ନାମକ ଜଣେ ବ୍ୟକ୍ତି ଲିଓନାର୍ଡୋଙ୍କୁ ସାହାଯ୍ୟ କରିଥିଲେ । ଲିଓନାର୍ଡୋ ଓ ତାଙ୍କର ପରିଚିତ ଅଳ୍ପ କେତେଜଣ ପ୍ରତିଭାବାନ୍ ବ୍ୟକ୍ତି ବୈଜ୍ଞାନିକ ଜ୍ଞାନ ପାଇବାକୁ ଗ୍ରନ୍ଥପାଠ ନ କରି ପରୀକ୍ଷାମୂଳକ ଗବେଷଣାର ଆଶ୍ରୟ ନେଇଥିଲେ । ସମସ୍ତଙ୍କ ଅଲକ୍ଷ୍ୟରେ ବିଜ୍ଞାନ ଏହିପରି ବିନା ଆଡ଼ମ୍ବରରେ ପୃଥିବୀକୁ ଆସୁଥିଲା ।

 

ଛାପାକଳ ଆବିଷ୍କାର ପରେ ୧୪୭୫ରେ ପ୍ରକାଶିତ ଟଲେମିଙ୍କ ‘ଯୋଗ୍ରାଫିଆ' ପ୍ରଥମ ବିଶିଷ୍ଟ ବିଜ୍ଞାନଗ୍ରନ୍ଥ । ୧୪୮୨ରେ ଇଉକ୍ଲିଡ୍‌ଙ୍କ ଜ୍ୟାମିତି ଛପାଗଲା । ଲିଓନାର୍ଡୋଙ୍କ ପ୍ରଚାର ଫଳରେ ୧୫୪୩ରେ ଆର୍କମେଡିସ୍‌ଙ୍କର କେତେକ ଗ୍ରନ୍ଥ ପ୍ରକାଶ ପାଇଲା । ବିଜ୍ଞାନର ଅଗ୍ରଗତିପାଇଁ ଏହି ବୈଜ୍ଞାନିକ ଗ୍ରନ୍ଥଗୁଡ଼ିକ ସାହାଯ୍ୟ କରିଛି ।

 

ବିଜ୍ଞାନର ପ୍ରସାରପାଇଁ ବର୍ଣ୍ଣାଡ ପାଲିସି ଓ ଉଇଲିୟମ୍ ଗିଲ୍‌ବର୍ଟଙ୍କ ଅବଦାନ ଚିର ସ୍ମରଣୀୟ । ପାଲିସି (୧୫୧୦-୮୯) ଫ୍ରାନ୍‌ସର ଜଣେ ସାଧାରଣ କୁମ୍ଭକାର । ମାତ୍ର ବୈଜ୍ଞାନିକ ପ୍ରଣାଳୀ ବ୍ୟବହାର କରିବା ତାଙ୍କର ସହଜାତ ପ୍ରତିଭା ଥିଲା । ଅଧିକ ସୁନ୍ଦର ଓ ଚିକ୍‌କଣ ପାତ୍ର ନିର୍ମାଣ କରିବାର ଗବେଷଣା ସଂକ୍ରାନ୍ତରେ ସେ ଭୂବିଜ୍ଞାନ, ଖଣିଜବିଜ୍ଞାନ ଓ ରସାୟନ ବିଜ୍ଞାନ ସମ୍ବନ୍ଧରେ କେତେକ ନୂଆ କଥା ଆବିଷ୍କାର କରିଥିଲେ । ଲିଓନାର୍ଡୋଙ୍କ ପରି ପାଲିସି ଜାଣିଥିଲେ ଯେ, ଫସିଲ୍ ଅତୀତର ଜୀବମାନଙ୍କ ଧ୍ୱଂସାବଶେଷ । ଏହି କଥାଟି ସେ ସାହସର ସହିତ ଘୋଷଣା କରିଥିବାରୁ ଦେଢ଼ଶହ ବର୍ଷ ପରେ ବୁଫନ୍ ପାଲିସିଙ୍କୁ ଅଭିନନ୍ଦନ ଜଣାଇଥିଲେ । ପ୍ରାକୃତିକ ବସ୍ତୁ ସମ୍ବନ୍ଧରେ ନାନା କଥା ପାଲିସି ପ୍ୟାରିସ୍‌ର ବହୁ ଦର୍ଶକଙ୍କୁ ପରୀକ୍ଷା କରି ଦେଖାଉଥିଲେ । ସେକାଳର ଆଲ୍‌କେମିଷ୍ଟ ଜ୍ୟୋତଷ, ଧର୍ମ ପୁରୋହିତ ତଥା ଦାର୍ଶନିକଙ୍କ ପକ୍ଷରେ ପାଲିସିଙ୍କ କାର୍ଯ୍ୟକଳାପ ସୁଖକର ହେଲାନାହିଁ । ଫଳରେ ତାଙ୍କର ଶେଷ ଜୀବନ ବନ୍ଦୀଶାଳାରେ କଟିଲା ।

 

ଇଂଲଣ୍ଡର ରାଜବୈଦ୍ୟ ଉଇଲିୟମ୍ ଗିଲ୍‌ବର୍ଟ (୧୫୪୦-୧୬୦୩) ପରୀକ୍ଷାମୂଳକ ବିଜ୍ଞାନର ଅନ୍ୟତମ ପଥପ୍ରଦର୍ଶକ । ସେ ଚୁମ୍ବକ ବିଜ୍ଞାନ ଓ ବିଦ୍ୟୁତ୍ ବିଜ୍ଞାନର ପ୍ରତିଷ୍ଠାତା । ପରୀକ୍ଷାମୂଳକ ପ୍ରଣାଳୀର ସଚ୍ଚା ପ୍ରୟୋଗକାରୀଭାବେ ଫ୍ରାନ୍‌ସିସ୍ ବେକନ୍ ତାଙ୍କୁ ପ୍ରଶଂସା କରିଛନ୍ତି-। ବସ୍ତୁଜଗତ ସମ୍ବନ୍ଧୀୟ ଜ୍ଞାନର ଆବିଷ୍କାର କିପରି ପରୀକ୍ଷା ଉପରେ ନିର୍ଭର କରେ ତାହା ଜଣାଇବାକୁ ଗିଲ୍‌ବର୍ଟ ଲେଖିଛନ୍ତି, “In the discovery of secrets and in the investigation of the hidden causes of things, clear proofs are afforded by trustworthy experiments rather than by probable guesses and opinions of ordinary professors and philosophers...”. ଗିଲ୍‌ବର୍ଟଙ୍କର ଏ ଉକ୍ତି ଆମକୁ ସାଧାରଣ ଉକ୍ତିଟିଏ ପରି ମନେ ହୋଇପାରେ । ଏହାର କାରଣ ଆଧୁନିକ ବିଜ୍ଞାନ ପୃଥିବୀକୁ ଚାରିଶହ ବର୍ଷ ହେବ ଆସି ସାରିଲାଣି-। ଗିଲ୍‌ବର୍ଟଙ୍କ ସମୟରେ ପରୀକ୍ଷାମୂଳକ ପ୍ରଣାଳୀ ଜ୍ଞାନ ଲାଭର ଏକ ସମ୍ପୂର୍ଣ୍ଣ ନୂତନ ପ୍ରଣାଳୀ ଥିଲା-। ଗିଲ୍‌ବର୍ଟଙ୍କ ପୂର୍ବରୁ ଆଉ କେହି ତାଙ୍କପରି ପରୀକ୍ଷାମୂଳକ ପ୍ରଣାଳୀର ମୂଲ୍ୟବାନ୍ ବ୍ୟବହାର କରିନାହାନ୍ତି । ଗିଲ୍‌ବର୍ଟଙ୍କ ଗବେଷଣାରେ ସନ୍ତୁଷ୍ଟ ହୋଇ ରାଣୀ ଏଲିଜାବେଥ୍ ତାଙ୍କୁ ଏକ ସ୍ୱତନ୍ତ୍ର ଭତ୍ତା ଦେଇଥିଲେ । ସେକାଳରେ ବୈଜ୍ଞାନିକ ଗବେଷଣାକୁ ଏପରି ଉତ୍ସାହିତ କରାଯାଇଥିବା ଏକ ଉଲ୍ଲେଖଯୋଗ୍ୟ ଘଟଣା ।

 

ଥିଓଲୋଜି ଓ ଦର୍ଶନର ଅଧୀନରେ ଦୀର୍ଘକାଳ ରହିବା ଫଳରେ ବିଜ୍ଞାନର ବିକାଶ ବ୍ୟାହତ ହେଉଥିଲା । ଯେଉଁ ବିଶିଷ୍ଟ ଦାର୍ଶନିକ ପ୍ରଥମ କରି ନୂତନ ବିଜ୍ଞାନର ବିପୁଳ ସମ୍ଭାବନା ଦେଖି ପାରିଥିଲେ, ସେ ହେଉଛନ୍ତି ଫ୍ରାନ୍‌ସିସ୍ ବେକନ୍ (୧୫୬୧-୧୬୨୬) । ଫ୍ରାନ୍‌ସିସ୍ ବେକନ୍‌ଙ୍କୁ ପ୍ଲେଟୋଙ୍କ କଳ୍ପିତ ଦାର୍ଶନିକ-ସମ୍ରାଟ କୁହାଯାଇପାରେ । କାରଣ ଦାର୍ଶନିକ ପ୍ରତିଭା ସହିତ ରାଜନୈତିକ କ୍ଷମତାର ସମନ୍ୱୟ ତାଙ୍କରିଠାରେ ହୋଇଥିଲା । ଫ୍ରାନ୍‌ସିସ୍ ବେକନ୍ ଯୋଗ୍ୟତା ଓ ଉଦଯୋଗ ବଳରେ ଇଂଲଣ୍ଡର ଲର୍ଡ ଚାନ୍‌ସେଲର ପଦରେ ଅଧିଷ୍ଠିତ ହୋଇଥିଲେ । ତାଙ୍କର ପ୍ରବନ୍ଧ ସବୁ ବିଶ୍ୱର ଶ୍ରେଷ୍ଠ ସାହିତ୍ୟ ମଧ୍ୟରେ ପରିଗଣିତ । ବେକନ୍ ଉଭୟ ଅସାଧାରଣ ମୌଳିକ ଚିନ୍ତାଶକ୍ତି ଓ ଅଗାଧ ପାଣ୍ଡିତ୍ୟର ଅଧିକାରୀ ଥିଲେ । ପ୍ରାଚୀନ ଜ୍ଞାନୀମାନଙ୍କ ଅବଦାନ ପ୍ରତି ତାଙ୍କର ସମ୍ମାନ ଥିଲା । ମାତ୍ର ସେ ଦେଖିଲେ ଯେ, ଜ୍ଞାନ କ୍ଷେତ୍ରରେ ଏକ ଅଚଳ ଅବସ୍ଥା ସୃଷ୍ଟି ହୋଇଛି । ଶାସ୍ତ୍ର ପୁରାଣ ଘାଣ୍ଟି ପୁରାଣ କଥାକୁ ଘଷିଲେ ମାଜିଲେ ଜ୍ଞାନର ଅଗ୍ରଗତି ହେବ ନାହିଁ । ଆରିଷ୍ଟୋଟ୍‌ଲ୍‌ଙ୍କୁ ଅନୁସରଣ କରି ଆରିଷ୍ଟୋଟ୍‌ଲ୍‌ଙ୍କ ଜ୍ଞାନ-ସୀମା ଟପିବାର ଚେଷ୍ଟା ହାସ୍ୟାସ୍ପଦ । ବେକନ୍ ମାନବଜାତିକୁ ଆହ୍ୱାନ ଦେଇ ଘୋଷଣା କଲେ, ମଣିଷର ଚିନ୍ତା ଓ ଜ୍ଞାନ-ଗବେଷଣା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆବଶ୍ୟକତା । ଆରିଷ୍ଟୋଟ୍‌ଲ୍‌ଙ୍କ ଅର୍ଗାନନ୍ ଅଚଳ ହୋଇଗଲାଣି ଦର୍ଶାଇ ସେ ତାଙ୍କର ମହାନ୍ ଗ୍ରନ୍ଥ ‘ନିଉ ଅର୍ଗାନନ୍‌' ଲେଖିଲେ । ଏହି ଗ୍ରନ୍ଥରେ ବେକନ୍ କହିଛନ୍ତି, ଯେଉଁ ସମ୍ମାନ ପ୍ରାଚୀନ ଜ୍ଞାନୀମାନଙ୍କର ପ୍ରାପ୍ୟ, ସେଥିରେ ସେ କୌଣସି ଆଞ୍ଚ୍ ଆଣିବେନି । ସେ ଯଦି ସେମାନଙ୍କ ପ୍ରଦର୍ଶିତ ମାର୍ଗରେ ଗତି କରି କିଛି ନୂତନ ଜ୍ଞାନର ସନ୍ଧାନ ଦେଇଥାନ୍ତେ, ତେବେ ସେମାନଙ୍କ ସାଫଲ୍ୟ ସହିତ ତାଙ୍କ ସାଫଲ୍ୟର ତୁଳନା ସମୀଚୀନ ହୁଅନ୍ତା । ବେକନ୍ ସେମାନଙ୍କୁ ଟପିଗଲେ ସେମାନଙ୍କ ସମ୍ମାନ କ୍ଷୁଣ୍ଣ ହୁଅନ୍ତା । ବେକନ୍ ସେମାନଙ୍କୁ ଅଜଣା ଏକ ନୂତନ ପଥର ସନ୍ଧାନ ଦେଉଥିବାରୁ କଥାଟା ଭିନ୍ନ ପ୍ରକାର ।

 

ଯେଉଁ ଦମ୍ଭ ଓ ଆତ୍ମପ୍ରତ୍ୟୟର ସହିତ ବେକନ୍ ପ୍ରକୃତି ଉପରେ ମଣିଷର ବିଜୟ ସୁନିଶ୍ଚିତବୋଲି ଭବିଷ୍ୟତବାଣୀ କଲେ, ତାହା ଆଗାମୀ ଯୁଗର ବିଜ୍ଞାନୀଙ୍କୁ ଉଦ୍‌ବୁଦ୍ଧ କରିଛି । ପରୀକ୍ଷାମୂଳକ ବୈଜ୍ଞାନିକ ପ୍ରଣାଳୀର ବ୍ୟବହାରେ ବ୍ୟତୀତ ଅବଶ୍ୟ ଏହି ବିଜୟ ସମ୍ଭବ ନୁହେଁ । ଯେପରି କମ୍ପାସର୍ ବିନା ବ୍ୟବହାରର ପାଶ୍ଚାତ୍ୟ ଦ୍ୱୀପପୁଞ୍ଜ (West Indies) ଆବିଷ୍କୃତ ହୋଇପାରି ନ ଥା'ନ୍ତା, ସେହିପରି ପରୀକ୍ଷାମୂଳକ ବୈଜ୍ଞାନିକ ପ୍ରଣାଳୀର ବ୍ୟବହାର ବ୍ୟତୀତ ପ୍ରକୃତିର ରହସ୍ୟ ଉଦ୍‌ଘାଟନ ଅସମ୍ଭବବୋଲି ବେକନ୍ କହିଛନ୍ତି ।

 

କେତୋଟି ଅନିଶ୍ଚିତ ଧ୍ରୁବସତ୍ୟଭାବେ ଧରୁଥିବା ଡିଡକ୍‌ଟିଭ୍ ପ୍ରଣାଳୀର ସଂକୀର୍ଣ୍ଣତା ଓ ଗ୍ଦଚ୍ଚକ୍ଷକ୍ଷକ୍ଟଶସଗ୍ଦଜ୍ଞ ତ୍ରୁଟି ଦେଖାଇବାକୁ ସାହସ ବାନ୍ଧିଥିବା କେବଳ ବେକନ୍‌ଙ୍କ ପରି ମହାନ୍ ଦ୍ରଷ୍ଟା ପକ୍ଷରେ ସମ୍ଭବ ଥିଲା । ବେକନ୍ ଚେତାଇ ଦେଇଥିଲେ ଯେ, ଲଜିକ୍ ସୃଜନଶୀଳ ନୁହେଁ । ଲଜିକ୍ ନୂତନ ଜ୍ଞାନର ସନ୍ଧାନ ଦିଏ ନାହିଁ । ବରଂ ଲଜିକ୍ "had the effect of fixing errors rather than disclosing truth'' ଧାରଣାମାନଙ୍କୁ ନେଇ ଲଜିକ୍ ଯୁକ୍ତି କରେ ମାତ୍ର ଭ୍ରାନ୍ତଧାରଣାକୁ ସଂଶୋଧନ କରି ପାରେନା । ପରୀକ୍ଷା ଓ ପର୍ଯ୍ୟବେକ୍ଷଣଦ୍ୱାରା ଭ୍ରାନ୍ତଧାରଣାର ସଂଶୋଧନ ସମ୍ଭବ ।

 

ବଦ୍ଧମୂଳ ଧାରଣା, କୁସଂସ୍କାର, ପ୍ରଚଳିତ ମତାମତର ଅନ୍ଧାନୁସରଣ ଜ୍ଞାନଲାଭର ପ୍ରତିବନ୍ଧକବୋଲି ବେକନ୍ ସତର୍କ କରି ଦେଇଛନ୍ତି । ସେ ଭ୍ରମର ଯେଉଁ ଚାରୋଟି କାରଣର ଉଲ୍ଲେଖ କରିଛନ୍ତି ତାହା ସୁବିଦିତ । ଏହି କାରଣଗୁଡ଼ିକ ହେଲା- Idols of the Tribe, Idols of the Cave, Idols of the Market-place I Idols of the Theatre. ବାସ୍ତବ ଜଗତରେ ଯେତିକି ଶୃଙ୍ଖଳା ଓ ନିୟମାନୁବର୍ତ୍ତିତା ଅଛି, ମାନସ ତା'ଠାରୁ ଅଧିକ ଦେଖିଥାଏ । ଏହି କାରଣରୁ ମଣିଷଭାବେ, ଜ୍ୟୋତିଷ୍କଗଣ ନିଖୁଣ ବୃତ୍ତାକାର ପଥରେ ଗତି କରୁଛନ୍ତି (କେପ୍‌ଲର୍‌ଙ୍କ ପୂର୍ବରୁ ଏହି ଉଦାହରଣଟି ଦେଇଥିବା ବିସ୍ମୟଜନକ) । ମଣିଷ ପ୍ରଥମରୁ ଗୋଟିଏ ପ୍ରଶ୍ନର ଉତ୍ତର ନିଜ ଇଚ୍ଛା ଅନୁସାରେ ସ୍ଥିର କରି ସାରି ଅନୁଭୂତିର ବିଶ୍ଳେଷଣ କରେ । ନିଜର ରୁଚିକର ମତାମତକୁ ଜାବୁଡ଼ି ରଖିବାର ଯେଉଁ ସ୍ୱଭାବ ମଣିଷଜାତିର ଅଛି, (ଏହାକୁ Idols of Tribe କୁହାଯାଇଛି), ସେଥିରୁ ମୁକୁଳିବାକୁ ବେକନ୍‌ଙ୍କର ଉପଦେଶ ଅତି ମୂଲ୍ୟବାନ୍ । ଯେଉଁ ତଥ୍ୟ ବା ଆବିଷ୍କାର ମାନସପାଇଁ ସନ୍ତୋଷଦାୟକ ହୁଏ, ତାକୁ ପ୍ରତ୍ୟେକ ବିଜ୍ଞାନ ଗବେଷକ ସନ୍ଦେହ କରିବା ଉଚିତ । ଅଳ୍ପ କେତୋଟି ଘଟଣା ସଂଗ୍ରହ କରି ଏକ ବ୍ୟାପକ ରୁଚିକର ସିଦ୍ଧାନ୍ତରେ ଉପନୀତ ହେବାର ବିପଦ ପ୍ରତି ସର୍ବଦା ଜାଗ୍ରତ ରହିବାକୁ ପଡ଼ିବ । ବାସ୍ତବିକ୍ ବିଜ୍ଞାନର ଆରମ୍ଭ ଯୁଗରେ ଏ ଉପଦେଶର ମୂଲ୍ୟ ଅକଳନୀୟ !

 

ପ୍ରତ୍ୟେକ ମାନସର ଗୋଟିଏ ଗୁହା ଅଛି ଯାହା ପ୍ରକୃତିର ଆଲୋକକୁ ପ୍ରତିସରିତ ଓ ବିବର୍ଣ୍ଣ କରିଥାଏ । ଉଦାହରଣ ସ୍ୱରୂପ, ଯେଉଁ ମାନସ ବିଶ୍ଳେଷଣକାରୀରୂପେ ଗଢ଼ା, ତାହା ସର୍ବତ୍ର ଭିନ୍ନତା ଦେଖାଦିଏ । ସଂଶ୍ଳେଷକାରୀ ମାନସ ସର୍ବତ୍ର ସାମ୍ୟ ଦେଖେ । କେତେକ ବ୍ୟକ୍ତିଙ୍କର ପ୍ରାଚୀନ ସଂସ୍କୃତି ପ୍ରତି ପ୍ରଗାଢ଼ ଅନୁରକ୍ତି ଥାଏ ଓ ଆଉ କେତେକ ସବୁ ପୁରୁଣା ଜିନିଷ ପ୍ରତି ନାକ ଟେକନ୍ତି । ଏବଂବିଧ ଭ୍ରମ ବ୍ୟକ୍ତିଗତ ଓ ବେକନ୍ ଏହାକୁ Idols of the cave ନାମ ଦେଇଛନ୍ତି ।

 

ମଣିଷ ଭାଷାର ମାଧ୍ୟମରେ ଭାବ ବିନିମୟ କରେ । ମାତ୍ର ଶବ୍ଦମାନେ ସାଧାରଣ ଜନତାର ଅର୍ଥ ଗ୍ରହଣ କରି ସାରିଥାନ୍ତି । ଏହା ଦାର୍ଶନିକ ମାନସର ଏକ ବିରାଟ ପ୍ରତିବନ୍ଧକ ଓ Idols of the Market place ଭାବେ ନାମିତ ।

 

ବିଭିନ୍ନ ଦାର୍ଶନିକ ମତବାଦ ରଙ୍ଗମଞ୍ଚର ଗୋଟିଏ ଗୋଟିଏ ଅଭିନୟ ପରି । ପ୍ରକୃତ ଐତିହାସିକ ସତ୍ୟ ଓ ରଙ୍ଗମଞ୍ଚରେ ଅଭିନୀତ କାହାଣୀ ମଧ୍ୟରେ ଯେଉଁ ପାର୍ଥକ୍ୟ, ବାସ୍ତବତା ଓ ଦାର୍ଶନିକ ମତବାଦ ମଧ୍ୟରେ ସେହି ପାର୍ଥକ୍ୟ । ଦାର୍ଶନିକ ମତାନ୍ଧତାର ଶିକାର ହେବା ଜନିତ ଭ୍ରମକୁ Idols of Theatre କୁହାଯାଏ ।

 

ବେକନ୍ ପରୀକ୍ଷାମୂଳକ ବୈଜ୍ଞାନିକ ପ୍ରଣାଳୀର କବି । ମାତ୍ର ଗିଲ୍‌ବର୍ଟଙ୍କ ବ୍ୟତୀତ ଅନ୍ୟ କୌଣସି ବିଶିଷ୍ଟ ବିଜ୍ଞାନୀଙ୍କର କାର୍ଯ୍ୟକୁ ସେ ପସନ୍ଦ କରି ନାହାନ୍ତି । କୋପର୍‌ନିକସ୍ ଓ ଉଇଲିୟମ୍ ହାର୍ଭେ (୧୫୭୮-୧୬୫୭)ଙ୍କ ପରି ସେ ଯୁଗର ଦୁଇଜଣ ବିରାଟ ବିଜ୍ଞାନୀଙ୍କୁ ବେକନ୍ ନିନ୍ଦା କରିଛନ୍ତି । କୋପର୍‌ନିକସ୍‌ଙ୍କ ସମ୍ବନ୍ଧରେ ଆମେ ସ୍ୱତନ୍ତ୍ରଭାବେ ଆଲୋଚନା କରିବୁ । ବୈଜ୍ଞାନିକ ପ୍ରଣାଳୀକୁ ହାର୍ଭେ ସଫଳତାର ସହ ବ୍ୟବହାର କରିଥିବା ଦୃଷ୍ଟିରୁ ଗାଲିଲିଓଙ୍କର ସମକକ୍ଷ । ରକ୍ତ ସଞ୍ଚାଳନ ପ୍ରକ୍ରିୟାକୁ ନିର୍ଭୁଲଭାବେ ବୁଝାଇ ହାର୍ଭେ ଗାଲେନ୍‌ଙ୍କର ଦେଢ଼ ହଜାର ବର୍ଷର ଫିଜିଓଲଜିକୁ ଅଚଳ କରିଦେଲେ । ସେ ଆଧୁନିକ ଚିକିତ୍ସା, ଶରୀରତତ୍ତ୍ୱ ଓ ଫିଜିଓଲଜିର ଭିତ୍ତିସ୍ଥାପକ । ଗ୍ରୀସ୍‌ର ପ୍ରସିଦ୍ଧ ଚିକିତ୍ସକ ଓ ଶରୀରତତ୍ତ୍ୱବିତ୍ ଗାଲେନ୍ (୧୩୦-୨୦୦ ଖ୍ରୀଷ୍ଟାବ୍ଦ)ଙ୍କ ମତାମତ ପ୍ରଭାବରୁ ମୁକ୍ତ ହୋଇ ରେନେସାଁ ଯୁଗରେ କିପରି ମାନବଶରୀର ସମ୍ବନ୍ଧୀୟ ଗବେଷଣାର ଏକ ନୂତନ ପରମ୍ପରା ସୃଷ୍ଟି ହେଲା, ସେ ବିଷୟରେ ଆମେ କିଛି ଆଲୋଚନା କରି ପାରିନୁ । ଏ ସଂକ୍ରାନ୍ତରେ ଦୁଇଜଣ ବିଶିଷ୍ଟ ବ୍ୟକ୍ତିଙ୍କ ନାମ ଉଲ୍ଲେଖଯୋଗ୍ୟ । ଜଣେ ହେଉଛନ୍ତି, ଆଧୁନିକ ଶରୀର ବ୍ୟବଚ୍ଛେଦର ପ୍ରତିଷ୍ଠାତା ଭର୍ସାଲିଅସ୍ (୧୫୧୪-୧୫୬୪) ଓ ଆଉ ଜଣେ ହେଲେ ହାର୍ଭେଙ୍କ ଅଧ୍ୟାପକ ଫାର୍ବିସିଅସ୍ (୧୫୩୭-୧୬୧୯) । ଶରୀର ବ୍ୟବଚ୍ଛେଦ କରି ଭାର୍ସାଲିଅସ୍ ହାଡ଼, ଶିରା ଓ ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ବିଷୟରେ ଅନେକ ନୂଆ କଥା ତାଙ୍କର ପ୍ରସିଦ୍ଧ ଗ୍ରନ୍ଥ 'Fabrica Humani Corporis'ରେ ଲେଖିଥିଲେ । ମାତ୍ର ଏ ଗ୍ରନ୍ଥକୁ ଯେପରି ପ୍ରବଳଭାବେ ବିରୋଧ କରାଗଲା ସେଥିରେ ବିରକ୍ତ ହୋଇ ସେ ଗବେଷଣା ଛାଡ଼ି ପଞ୍ଚମ ଚାର୍ଲସ୍‌ଙ୍କ ଦରବାରର ଚିକିତ୍ସକ ପଦ ଗ୍ରହଣ କରିଥିଲେ । ଫୁସ୍‌ଫୁସ୍ ମାଧ୍ୟମରେ ରକ୍ତ ସଞ୍ଚାଳନ ହୁଏବୋଲି ମତ ଦେଇଥିବାରୁ ସର୍ଭିଟସ୍ ନାମକ ଜଣେ ଚିକିତ୍ସକଙ୍କୁ କେଲ୍‌ଭିନ୍‌ଙ୍କ ନିର୍ଦ୍ଦେଶରେ ଜେନେଭାଠାରେ ପୋଡ଼ି ଦିଆଯାଇଥିଲା । ଫାର୍ବିସିଅସ୍ ଶିରାର ଭାଲ୍‌ବ ଆବିଷ୍କାର କରିଥିଲେ । ଶରୀର ମଧ୍ୟରେ ରକ୍ତ ସଞ୍ଚାଳନ ସମ୍ପର୍କରେ ପୂର୍ବରୁ କେହି କେହି କେତେକ କଥା ଅନୁମାନ କରିଥିଲେ ମଧ୍ୟ ହାର୍ଭେ ପରିଷ୍କାରଭାବେ ବିଷୟଟିକୁ ବୁଝାଇଦେଲେ । ପ୍ରାଣୀ ଓ ମନୁଷ୍ୟକୁ ନେଇ ତାଙ୍କର ବହୁବର୍ଷର ଗବେଷଣା ଫଳରେ ଏହା ସମ୍ଭବ ହୋଇଥିଲା ।

•••

 

ସଙ୍କେତ ଇଙ୍ଗିତ ବଚନ

ଶ୍ରୀ ରବୀନ୍ଦ୍ରପ୍ରସାଦ ପଣ୍ଡା

 

ଭାଷାକୁ, ଯେକୌଣସି ଭାଷାକୁ, ବ୍ୟାକରଣ ଅଳଙ୍କାର ଓ ନ୍ୟାୟସୂତ୍ର ଭଳି ପାରସ୍ପରିକ ସମ୍ବନ୍ଧନିବିଷ୍ଟ ଏକ ସିଷ୍ଟେମ୍ବୋଲି ବିବେଚନା କରିବାକୁ ଶିଖିଛୁ; କିନ୍ତୁ ତା କେବଳ ସାହିତ୍ୟପାଠ ପ୍ରତି ପ୍ରଯୁଜ୍ୟ । ସାହିତ୍ୟ ଛଡ଼ା ଆହୁରି ହଜାରେ ରକମ ଅନୁଶୀଳନରେ ମଣିଷ ବ୍ୟସ୍ତ, ମାତ୍ର ସେ କାମରେ ବ୍ୟାକରଣ-ନ୍ୟାୟ-ଅଳଙ୍କାର ପ୍ରଭୃତିର ଭୂମିକା ନଗଣ୍ୟ । ପୁଣି, ପ୍ରାଚୀନକାଳରେ ଭାଷା ମନେହୋଇଛି, ଶବ୍ଦବ୍ରହ୍ମ, ଈଶ୍ୱରଦତ୍ତ ସାମର୍ଥ୍ୟ । କିନ୍ତୁ ଯା ଈଶ୍ୱରଦତ୍ତ, ଯେପରି ବିଶ୍ୱପ୍ରକୃତି, ତାକୁ ବୁଝିବା ବା ବୁଝାଇବା ଦୁଷ୍କର । ମଣିଷ ବୁଝି ବା ବୁଝାଇପାରେ କେବଳ ସେତିକି ଯା' ନିଜେ ସେ ତିଆରି କରିଛି, ଯେପରି, ସାହିତ୍ୟ । କିନ୍ତୁ ସାହିତ୍ୟ ଯୋଉ ବାସ୍ତବକୁ ଉନ୍ମୋଚନ କରେ, ତା କୋଉ ଯଥାପ୍ରାପ୍ତ ଆଲୌକିକତା ନୁହେଁ, ଗୋଟାପଣେ ମନୁଷ୍ୟକୃତ ଅସ୍ତିତ୍ୱ, ରିଆଲିଟି । ମଣିଷ ପ୍ରଜାତିର ସମଗ୍ର ସଂସ୍କୃତି ସେଇ ବାସ୍ତବକୁ ନିର୍ମାଣ କରିବାର ଅଭିଜ୍ଞତା; ଯୋଉଥିରୁ ଭାଷା ଅବଶ୍ୟ ଅଚ୍ଛେଦ୍ୟ; ମାତ୍ର ‘ଭାଷା' ଭଳି ଏକ ମୌଳିକ ସତ୍ତାକୁ ବିକଶିତ କରିବାପାଇଁ ଭାଷା ହିଁ କେବଳ ସକ୍ଷମ । ସଂଶୟ ନାହିଁ, ବୋଧଗମ୍ୟ ଯୋଉ ଜଗତରେ ଆମ ବସବାସ, ମଣିଷ କେମିତି ତିଆରି କରିଛି ବା କରୁଛି ତାକୁ, ପର୍ଯ୍ୟାୟଭୁକ୍ତ ସେଇ ବୃତ୍ତାନ୍ତ ହିଁ ଇତିହାସ; ନିଜ ଶ୍ରମ ବଳରେ ନିର୍ମାଣ କରିଛି ଯେମିତି, ତାଦ୍ୱାରା ପ୍ରେରିତ ଓ ଅନୁପ୍ରାଣିତ ହୋଇଛି ବା ହେଉଛି ଠିକ୍ ସେମିତି । କିନ୍ତୁ ସେ ଅନୁପ୍ରେରଣା ଆସିଛି ବା ଆସୁଛି କୋଉ ବାଟରେ କି ବାଗରେ ? ପ୍ରଥମେ ହୁଏତ ସଙ୍କେତରେ, ଯାହାକୁ କହୁଛୁ ‘ସାଇନ୍‌' ବା ଚିହ୍ନ; ବର୍ଷା ସାଙ୍ଗରେ ଚାଷର ସମ୍ପର୍କ ଯେମିତି ସାଙ୍କେତିକ, ନିଆଁ ସାଙ୍ଗରେ ଦହନର, ସେମିତି ଅଭିଜ୍ଞତାକୁ ବୁଝାଇବାଲାଗି ମଣିଷ ବ୍ୟବହାର କରିଛି ଇଙ୍ଗିତ, ହାତଗୋଡ଼ର ମୁଦ୍ରା ମୁଖଭଙ୍ଗୀ, ବାଦ୍ୟ ବା ହୁଙ୍କାର, ଅଶ୍ରୁ ବା ହାସ୍ୟ । ବଚନ ବା କଥିତଭାଷା ଉଦ୍‌ଭାବନ କରିସାରିବା ପରେ ମଧ୍ୟ, ଅତୀତର ସେଇ ସଙ୍କେତ ଓ ଇଙ୍ଗିତକୁ ଭାଷା ବହନ କରିଚାଲିଛି ନିଜ ସିଷ୍ଟେମ ଅଭ୍ୟନ୍ତରରେ । କାହିଁକିନା, ସମାଜ ରଚନା ସାଙ୍ଗକୁ ମନୁଷ୍ୟ ରଚନା ଏପରି ଏକ ପ୍ରକ୍ରିୟା ଯୋଉଠି ଅତୀତ ପ୍ରବାହିତ ବର୍ତ୍ତମାନ ଅଭ୍ୟନ୍ତରରେ; ପୁଣି ବର୍ତ୍ତମାନ ଗର୍ଭରେ ଅଙ୍କୁରୋଦ୍‌ଗମ ଘଟୁଚି ଭବିଷ୍ୟତ୍ । ଭାବବାଦୀ ଭ୍ରାନ୍ତିବିଳାସ ନୁହେଁ ଜମାରୁ, ଇତିହାସଗତିରେ ପରିଦୃଷ୍ଟ ଏଇ ବସ୍ତୁନିଷ୍ଠ ପ୍ରମାଣ; ଯୋଉଥିରୁ ଦେଖିହେବ, ସମାଜରେ ଘଟିଚି ଯେତେବେଳେ ଶ୍ରେଣୀବିଭାଜନ ମଣିଷର ପରିଶ୍ରମ ମଧ୍ୟ ଏଡ଼ାଇପାରି ନାହିଁ ସେ ବିଭାଜନକୁ ଏବଂ ପାରି ନାହିଁବୋଲି, ତିଆରି ହୋଇଛି କାୟକ୍ଳେଶ ଓ ମନନଚିନ୍ତନ ମଝିରେ ବାଲି ପାଚିରି: ଶାରୀରିକ ଶ୍ରମ/ମାନସିକ ଶ୍ରମ । ସଙ୍କେତ ଓ ଇଙ୍ଗିତଗୁଡ଼ାକ ପଡ଼ିଛି କିନ୍ତୁ ଶାରୀରିକ ଶ୍ରମ ବାଣ୍ଟରେ, ଆଉ ମାନସିକ ଶ୍ରମ ଭାଗରେ ପଡ଼ିଛି ବଚନ ଓ ଇନ୍ସକ୍ରିପ୍ସନ୍ । ବଚନ ଯିଏ ପାଇଚି, କରିଚି ମନ୍ତ୍ରୋଚ୍ଚାରଣ : ଇନ୍ଦ୍ର ଆଉ ଅଗ୍ନିର ସ୍ତୁତି । ଜଙ୍ଗଲପୋଡ଼ି ମାଟିହାଣି ଗତରଖଟାଇ ଭୂଇଁରୁ ସେ ଶସ୍ୟ ଅମଳ କରେନା; ତାଙ୍କରି ସୁଯୋଗ୍ୟ ଉତ୍ତରାଧିକାରୀ ଆମେ ଲେଖକ । ଈଶ୍ୱରଦତ୍ତ ପ୍ରପଞ୍ଚଗୁଡ଼ିକର ବିଶ୍ଳେଷଣ ଓ ବ୍ୟାଖ୍ୟାକରି ଜଡ଼/ଜୀବବିଦ୍ୟା କାର୍ଯ୍ୟ-କାରଣ ସମ୍ବନ୍ଧ ନିରୂପଣ କରିଛି, କରୁଛି; ମାତ୍ର ଏକାବେଳକେ ଏକଥା ମଧ୍ୟ ଉପଲବ୍ଧି କରିଛି ଯେ ଭାଷା ଏକ ମାନବିକ ସୃଷ୍ଟି, ଏବଂ ସେଇ ସୂତ୍ରରେ, ମଣିଷର ଧାରାବାହିକ ସୃଷ୍ଟିଶୀଳତାର ଅନ୍ୟତମ ନିଦର୍ଶନ; ଯୋଉ ସୃଷ୍ଟିଶୀଳତା ଭିତରଦେଇ ବଞ୍ଚିରହିବାର ମୌଳିକ ଅବଲମ୍ବନ, ଯଥା : ‘ପ୍ରକୃତି' ‘ମାନବିକ' ‘ବିଶ୍ୱ' ‘ବାସ୍ତବ' ପ୍ରଭୃତି ପ୍ରତୀତିର ନିର୍ମାଣ, ‘ଭାଷା' ତନ୍ମଧ୍ୟରେ ଅନ୍ୟତମ । ଅର୍ଥାତ୍ ଭାଷାହିଁ ଧାରଣ କରୁଛି ସବୁଗୁଡ଼ାକ ମୌଳିକ ପ୍ରତ୍ୟୟ ଓ ତା'ର ବିଚ୍ଛୁରଣ । ଅନ୍ୟ ଶବ୍ଦରେ, ମଣିଷ ତିଆରି କରିଚି/କରୁଚି ଯେମିତି ଭାଷାକୁ, ଭାଷା ବି ସେମିତି ତିଆରି କରୁଚି ତା ମନୁଷ୍ୟତ୍ୱକୁ । ତେଣୁ ମଣିଷ କି କି ଉପାଦାନରେ ତିଆରି, ତାକୁ ଠାବ କଲାବେଳେ ଦେଖାଯିବ, ପ୍ରମୁଖ ଉପାଦାନ ଏକମାତ୍ର ‘ଭାଷା' । ତାକୁ ‘ଭାବ'ର ଦର୍ପଣ ଅଥବା ‘ବାସ୍ତବ'ର ପ୍ରତିବିମ୍ବ ମନେକରିବା ବିଭ୍ରାନ୍ତିକର, କାହିଁକିନା, ତା ସ୍ୱୟଂ ଚେତନା । ଏବଂ ଯେହେତୁ ଚେତନା, ତା ଏକ ଅ୍ୟାକ୍ଟିଭିଟି ବା ଚଳମାନ କର୍ମଧାରା । କାହିଁକିନା, ମଣିଷ ନିଜେ ଜଙ୍ଗମ । ଏବଂ ଭାଷା ଯେହେତୁ ରିଆଲିଟିକୁ ବୋଧଗମ୍ୟ କରିବାର ଏକମାତ୍ର ମାନବିକ ଉପାଦାନ, ତାକୁ ଲଜିକ୍ ଭାବରେ ଅନୁଶୀଳନ କରାଯାଇପାରେ ନିଶ୍ଚୟ, ଯେପରି, ବ୍ୟାକରଣ ବା ଅଳଙ୍କାର ଭାବରେ ସାହିତ୍ୟରଚନା କି ରସାସ୍ୱାଦନରେ । ସେତେବେଳେ କିନ୍ତୁ ଭାଷା ଏକ ବ୍ୟବହାର୍ଯ୍ୟ ସରଞ୍ଜାମ, ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟସାଧନପାଇଁ ପରିକଳ୍ପିତ । ସେହିପରି, ଚିହ୍ନ ବା ଧ୍ୱନି; ଯେପରି ବର୍ଣ୍ଣମାଳାର ଅକ୍ଷର ଚିହ୍ନ ଓ ତାକୁ ଉଚ୍ଚାରଣ କଲାବେଳେ ମୁଖନିଃସୃତ ଶବ୍ଦ ଧ୍ୱନି । ମାତ୍ର, ବ୍ୟାକରଣ କି ଅଳଙ୍କାର ଯେମିତି ଅକ୍ଷର ବା ଶବ୍ଦ ସେମିତି ଚୈତନ୍ୟ ନୁହେଁ, କାହିଁକିନା, ବାସ୍ତବ ବା ରିଆଲିଟି ପାଖରୁ ଏମାନଙ୍କ ଦୂରତ୍ୱ ଯଥେଷ୍ଟ; ଯା ବସ୍ତୁତଃ ବାସ୍ତବ ଓ ତାକୁ ଚିହ୍ନିତ କରୁଥିବା ଶବ୍ଦ ବା ଧ୍ୱନି ମଧ୍ୟସ୍ଥ ବ୍ୟବଧାନ । ସେ ବ୍ୟବଧାନକୁ ସମ୍ବଳକରି ସାହିତ୍ୟଚର୍ଚ୍ଚାରେ ‘କ୍ରିଟିସିଜ୍‍ମ' ନାମଧେୟ ବିନୟ ମଧ୍ୟ ଗଢ଼ିଉଠିଛି । ସମାଜକୁ ଯେହେତୁ କୋଉ ବିମୂର୍ତ୍ତ ସତ୍ତାବୋଲି ଜାଣୁଁନା, ଜାଣୁଁ କେବଳ ତାକୁ ତିଆରି କରିବା ପ୍ରକ୍ରିୟାରେ, ଭାଷାକୁ ମଧ୍ୟ ବିମୂର୍ତ୍ତ ସତ୍ତା ଭାବରେ କଳ୍ପନା ନ କରି, ବୁଝିବାକୁ ହେବ ତାକୁ ତିଆରି କରିବା ପ୍ରକ୍ରିୟା ଭିତରଦେଇ; ଉପଲବ୍ଧି କରିବାକୁ ପଡ଼ିବ । ଭାଷା ଏକ ସକର୍ମକ ସଚଳ ଚେତନା । ତା' ହେଲେ ଯାଇ, ସାହିତ୍ୟ ରଚନା କି ସମାଲୋଚନା ଭିତରେ ଖାଲି ଭାଷାର ସକ୍ରିୟତାକୁ ନ ଖୋଜି, ବଞ୍ଚିବାର ସାମୂହିକ ସଂଘାତସଙ୍କୁଳତା ଭିତରେ ଅନୁଧାବନ କରିହେବ ତା'ର ଗତିଶୀଳତା । କାହିଁକିନା, ତା'ର ପ୍ରକୃତ ପରିଚୟ ଉପକରଣ ବା ପ୍ରତିଫଳନ ନୁହେଁ, ସମାଜାଶ୍ରିତ ମଣିଷର ଉଦ୍‌ଭାବନଶୀଳତା ପରି ଭାଷା ମଧ୍ୟ ଏକ ସହଜାତ ଗୁଣ-। ଭାଷାକୁ ‘ଅ୍ୟାକ୍ଟିଭିଟି'ବୋଲି ବିବେଚନା କରୁନାବୋଲି, ମା' ପେଟରୁ ପଡ଼ି ଛୁଆ କାନ୍ଦିବାମାତ୍ରକେ ‘ଇଣ୍ଟର୍‌ପ୍ରିଟେସନ୍‌' ଆରମ୍ଭ ହୋଇଯାଏ; ସାହିତ୍ୟରେ ଯା ସାକ୍ଷାତ୍ କ୍ରିଟିସିଜ୍ମ । ଅଥଚ କାନ୍ଦିବା କାମଟା ଶତକଡ଼ା ଶହେ ଭାଷା, ସଦ୍ୟଜାତପାଇଁ ଅନିବାର୍ଯ୍ୟ ଅ୍ୟାକ୍ଟିଭିଟି । ଅନିବାର୍ଯ୍ୟ, କାହିଁକିନା, ମନସ୍ତତ୍ତ୍ୱ ଦୃଷ୍ଟିରେ କଥା କହିବା ସାମର୍ଥ୍ୟ ମନୋବିକାଶର ପ୍ରାମାଣ୍ୟ ପରିମାପକ; ଭାଷା ତେଣୁ ବାହ୍ୟ ଆଚରଣ ନୁହେଁ, ଅନ୍ତର୍ଗୂଢ଼ ବିଭବ । ଯା ଅନ୍ତର୍ଗୂଢ଼ ଓ ସହଜାତ, ତା କାହାରି ନିର୍ଦ୍ଦେଶକୁ ଅପେକ୍ଷା କରେନା, ନିଜେ ନିଜକୁ କରେ ପରିଚାଳିତ; କୋଉ ଦିଗକୁ ଯିବ, କୋଉ ଲୟରେ ଯିବ ନିର୍ଣ୍ଣୟ କରେ ନିଜେ । ଅର୍ଥାତ୍ ପ୍ରାଣବନ୍ତ ସୃଷ୍ଟିଶୀଳତା । ଯୋଉ ଭାଷାର ଲିପି ନାହିଁ କି ବହି ନାହିଁ, ତା'ର ବାଚିକ ସମ୍ପ୍ରଦାୟ, ନ ହେଲେ, ଆଗକୁ ଚାଲିଚନ୍ତି କେମିତି? ଲିପି କି ବହି ତ ଅଚଳ ଜିନିଷ ! ଏବଂ ନିଷ୍ପ୍ରାଣ । ଅଥଚ ମଣିଷର ମୌଳିକ ନିତ୍ୟ ପ୍ରୟୋଜନ ସାଙ୍ଗରେ କ୍ରମାଗତ ଯୁକ୍ତ ହେଉଚି ନିତ୍ୟନୂତନ ଆହୁରି ଅନେକ ପ୍ରୟୋଜନ; ସେଗୁଡ଼ିକ ତୁଷ୍ଟ କରିବା ସକାଶେ ଆହୁରି ନୂତନ ଉତ୍ପାଦନ, ନୂଆ ଧରଣ ଉତ୍ପାଦନ, ପୁନରୁତ୍ପାଦନ । ସେ ପ୍ରକ୍ରିୟାରୁ ଭାଷା ଯେହେତୁ ଅଚ୍ଛେଦ୍ୟ, ଭାଷା ମଧ୍ୟ ପୁନରୁତ୍ପାଦିତ ହୋଇଚାଲିଚି, ଘଟୁଚି ନିତ୍ୟନୈମିତ୍ତିକ ସଂଯୋଜନ । ଭାଷା ତେଣୁ ମୌଳିକ ପ୍ରୟୋଜନ; କାହିଁକିନା, ତାକୁ ଛାଡ଼ିଲେ ସମାଜରେ ମଣିଷ ବଞ୍ଚିବା ସମ୍ଭବ ନୁହେଁ; କାହିଁକିନା, ଉତ୍ପାଦନ ଯେହେତୁ ସାମାଜିକ ସମ୍ପର୍କ, ସେ ସମ୍ପର୍କର ଚେତନାକୁ ବହନ କରୁଛି କେବଳ ଭାଷା, ଯା ସକ୍ରିୟ ଉଦ୍ଦେଶ୍ୟମୁଖୀ ଚେତନା । ତା'ର ଅଭିବୃଦ୍ଧି ବା ବିକାଶ ତେଣୁ ସାମୂହିକ । ଯଦି ଏକକ ବା ବ୍ୟକ୍ତିଗତ ହୋଇଥାନ୍ତା, କାହାରି କଥା କେହି ବୁଝିପାରନ୍ତେ ନାହିଁ । ତେଣୁ ବିମୂର୍ତ୍ତ କୋଉ ମାନବିକ ସାମର୍ଥ୍ୟ ଭାବରେ ନ ଦେଖି, ତାକୁ ‘ପ୍ର‌୍ୟାକ୍ଟିକ୍ୟାଲ୍ ଅ୍ୟାକ୍ଟିଭିଟି' ଭାବରେ ବିଚାର କରିବା ବିଧେୟ । କିନ୍ତୁ ପ୍ର‌୍ୟାକ୍‌ଟିସ୍ ମାନେ ଅଭ୍ୟାସ । ଏ ଜଗତକୁ ବସ୍ତୁପୁଞ୍ଜ ରୂପରେ ଦେଖିବାକୁ ଆମେ ଅବଶ୍ୟ ଅଭ୍ୟସ୍ତ; ଅଥଚ ଜଗତଟା ସତତ କର୍ମଚଞ୍ଚଳ, କୋଳାହଳମୟ, ଅନିତ୍ୟ । ସେଇ ବ୍ୟଞ୍ଜନାରେ ଏ ଜଗତ ମଧ୍ୟ ଗୋଟାଏ ପ୍ର‌୍ୟାକ୍‌ଟିସ୍‌, କାହାରି ଇନ୍ଦ୍ରିୟଲବ୍ଧ ବସ୍ତୁସମଷ୍ଟି ନୁହେଁ । ଏବଂ ସେଥିପାଇଁ, ଭାଷାର ଅ୍ୟାକ୍ଟିଭିଟି ଗୋଟାପଣେ ପ୍ର‌୍ୟାକ୍‌ଟିକ୍ୟାଲ୍ । ପ୍ର‌୍ୟାକ୍ଟିକ୍ୟାଲ୍ବୋଲି, ମଣିଷର ଶାରୀରିକ ଓ ଚେତନାଗତ ବିବର୍ତ୍ତନ ସାଙ୍ଗରେ ଭାଷା ବି ବିବର୍ତ୍ତିତ ହେଉଛି, ପୁନର୍ଜୀବନ ପାଉଛି, ନବୀକୃତ ହେଉଛି, ସବୁଗୁଡ଼ାକ କିନ୍ତୁ ମୌଳିକ ପ୍ରୟୋଜନ ଚାପ/ତାଡ଼ନାରେ । ପରିବର୍ତ୍ତନ ତେଣୁ ନିରୁଦ୍ଦେଶ/ଯାନ୍ତ୍ରିକ/କି ପ୍ରାକୃତିକ ନୁହେଁ । ସେଥିପାଇଁ, ‘ଜାତିର ଭାଷା'ବୋଲି କୋଉ ସ୍ଥିର ବର୍ଗ ଥାଇପାରେନା, ଅଥବା ‘ଜାତିର ଅବଚେତନ/ଅଚେତନ' । କାହିଁକିନା, ଇତିହାସ ପ୍ରବାହରେ ଏ ଜିନିଷଗୁଡ଼ାକର ଦେଖା ମିଳି ନାହିଁ, ମିଳୁ ମଧ୍ୟ ନାହିଁ । ଅଶୋକ ବା ଖାରବେଳ ଯୋଉ ଭାଷାରେ ଗିରିଲେଖ ରଚନା କରିଚନ୍ତି, ସେଇଠୁ ସାରଳାଦାସଙ୍କ ମହାଭାରତର ଭାଷା, ତା' ପାଖରୁ ଫକୀରମୋହନଙ୍କ ଭାଷା ଆସି ଉଠିଚି କୋଉଠି ! ଆମୂଳଚୂଳ ଏକ ସାମାଜିକ/ସାଂସ୍କୃତିକ ପ୍ରକ୍ରିୟାକୁ, ଯା ନିତ୍ୟପରିବର୍ତ୍ତମାନ ନିତ୍ୟପରିବର୍ଦ୍ଧମାନ, ‘ଜାତି' ବା ନେସନ୍ ଭଳି କଳ୍ପିତ ଓ ବିମୂର୍ତ୍ତ ବର୍ଗକୁ ଖସାଇଆଣିବା କେବଳ ଔପନିବେଶିକ ମଗଜଧୋଲାଇର ପରିଣାମ; ଯେମିତି ଆହୁରି ଗୋଟାକେତେ ଅ୍ୟାବ୍‌ଷ୍ଟ୍ର‌୍ୟାକ୍ଟ୍‌, କ୍ୟାଟିଗିରି : କ୍ରିଏଟିଭ୍ ଇଣ୍ଡିଭିଡୁଆଲ୍/ଇସ୍‌ଥେଟିକ୍ ସେନ୍ସିବିଲିଟି/ଆର୍ଟ୍/ସ୍ପିରିଟ୍‌- ସେଥିରୁ ବାହାରିଚି କବିତ୍ୱ/କ୍ରାନ୍ତିଦର୍ଶୀ/ପ୍ରଜ୍ଞା । ଏଗୁଡ଼ାକ ଉପରେ କିନ୍ତୁ ମାନସିକ ଶ୍ରମର ମନୋପଲି; କାୟକ୍ଳେଶରେ ଯିଏ ଦିନ ଯାପନକରେ ସତେ ଯେମିତି ସେ କିଛି ହେଲେ ‘ସୃଷ୍ଟି' କରିପାରେନା, ତା'ର ‘ସୌନ୍ଦର୍ଯ୍ୟବୋଧ' ନାହିଁ, ତା କାମଗୁଡ଼ାକ ହାଣ୍ଡିଆଟିକା, ଶାଢ଼ି ଗାମୁଛା, ଶିଳପଥୁରି, ଫାଳମୁଗୁର, ଖଟ ପଲଙ୍କ, ହଳ ଲଙ୍ଗଳ, ଗହଣାଗାଣ୍ଠି । ମାଝିର ଗୀତ କି ପାଣର ଢୋଲ-ମହୁରି-କିଛିହେଲେ ଆର୍ଟ ପଦବାଚ୍ୟ ନୁହେଁ; କାହିଁକିନା, ତା ପଛରେ ଯୋଉ ‘ସ୍ପିରିଟ୍‌' କାମକରୁଛି, ତା ସୂ୍ଥଳ ଓ କର୍କଶ : ପେଟପୋଷିବା । ଆଉ, ବହିଲେଖି ଯୋଉ ଲକ୍ଷଲକ୍ଷ ଟଙ୍କା ଉପଢୌକନ ମିଳୁଛି, ସେଗୁଡ଼ାକ ସରସ୍ୱତୀଙ୍କ ଶ୍ୱେତପଦ୍ମର ପାଖୁଡ଼ା ଭଳି ! ଅଥଚ ଏ ଭାବଗୁଡ଼ାକ ଆମଦାନି ହୋଇଥିଲା ଯୋଉଠୁ, ସେଇ ଇଉରୋପ-ଆମେରିକା, ବିମୂର୍ତ୍ତତା ବର୍ଜନ କରି କହୁଛି, ଶିଳ୍ପ ହେଉ କି ସାହିତ୍ୟ, ଯଦି ଅପୂର୍ବ କୋଉ ମୂଲ୍ୟ ଓ ମର୍ମାର୍ଥ ଉତ୍ପାଦନ କରି ନ ପାରେ, ହୋଇପାରେନା ଆର୍ଟ ପଦବାଚ୍ୟ । ଅର୍ଥାତ୍‌, ପ୍ରଡକ୍ସନ୍ ଅବ୍ ମିନିଙ୍ଗ୍ : ଯୋଉ ମିନିଙ୍ଗ୍ ଜୀବନ ଓ ଜଗତକୁ ବିଚକ୍ଷଣ ବ୍ୟଞ୍ଜନାରେ କରିପାରେ ଉଦ୍‌ଭାସିତ, ବଞ୍ଚିବା କ୍ରିୟାକୁ ପ୍ରାତ୍ୟହିକତାର ମଳିନ ଆବେଶରୁ ଉଠାଇନେଇ ଦେଇପାରେ ଅନ୍ୟ କୋଉ ଜାଗ୍ରତ ବାସ୍ତବର ସନ୍ଧାନ । ସେଭଳି ଦୃଷ୍ଟାନ୍ତ ଏଠି ମଧ୍ୟ ଦୁର୍ଲଭ ନୁହେଁ । ମାତ୍ର, ଆମର ବିବେଚ୍ୟ ଏଠି ଭାଷା । ଭାଷାକୁ ପ୍ରିଭିଲେଜ୍ ବା ବିଶେଷ ସୁବିଧା ଦାନପାଇଁ ଉପଯୋଗ କଲେ (ଯେପରି, ସମାଜ ଭିତରେ ଥାଇ, ଆଉ ପାଞ୍ଚଜଣଙ୍କ ଭଳି ଭାଷା ବ୍ୟବହାର କରୁଥିଲେ ସୁଦ୍ଧା, ଲେଖକକୁ କୁହାଯାଏ ସୃଷ୍ଟିଶୀଳ, ବ୍ୟକ୍ତିତ୍ୱ, ଲେଖାକୁ କୁହାଯାଏ ପ୍ରତିଭାର ସ୍ୱାକ୍ଷର) ଭାଷା ଆଉ ଉନ୍ମେଷଶାଳିନୀ ଚେତନା ନ ହୋଇ, ହୋଇଯାଏ ଉପକରଣ ଅଥବା ମାଧ୍ୟମ; ଯୋଉ ଉପକରଣଦ୍ୱାରା ଲେଖାହୁଏ, ଯୋଉ ମାଧ୍ୟମଦ୍ୱାରା ହୁଏ ସରବରାହ । ଭାଷା ସେଠି ସେଇ ଚିତ୍ତସାମର୍ଥ୍ୟ ନୁହେଁ ଯା ମଣିଷର ମଣିଷପଣିଆରୁ ଅଚ୍ଛେଦ୍ୟ । ଅର୍ଥାତ୍‌, ଭାଷା ଆଉ ମାନବିକ ପ୍ରକ୍ରିୟା ନୁହେଁ, ବ୍ୟବହାରଯୋଗ୍ୟ ଜିନିଷ; ଅ୍ୟାକ୍ଟିଭିଟିରୁ ବିଚ୍ଛିନ୍ନ ଅବ୍‌ଜେକ୍ଟ୍ । କେହିକେହି କହିଲେ, ଏଟା ବୁର୍ଜୋୟା ସମାଜର ଲକ୍ଷଣ; ଯୋଉ ଲକ୍ଷଣ ଦୁନିଆତମାମ ବିଷୟକୁ ବିନିମୟଯୋଗ୍ୟ ପଣ୍ୟରେ ପରିଣତ କରିବାର ପ୍ରବଣତା । ଲେଖା, ଲେଖକ, ଭାଷା- ସବୁଗୁଡ଼ାକ ଭ୍ୟାଲୋରାଇଜଡ୍‌. ମାନେ, କୃତ୍ରିମ ଗୌରବ ଆରୋପକରି ବିକ୍ରୟଯୋଗ୍ୟତା ବଢ଼ାଇବାର କୌଶଳ । ସେ କଟାକ୍ଷ ଏଡ଼ାଇବାକୁ କୁହାଗଲା, ନାଃ, ଉପକରଣ ବା ମାଧ୍ୟମ ନୁହେଁ; ଭାଷା ଏକ ସିଗ୍‌ନ୍ୟାଲ୍ ସିଷ୍ଟେମ୍‌; ସଙ୍କେତ ସଂବହନ ସୂତ୍ର । ଅର୍ଥାତ୍‌, ଭାବବିନିମୟପାଇଁ ଯାନ୍ତ୍ରିକ ବନ୍ଦୋବସ୍ତ । ପରିଶେଷରେ ମିଖାଇଲ୍ ବାଖ୍‌ତିନ୍ ଭାଷାକୁ ଉଦ୍ଧାରକଲେ ଏଇ ଧର୍ମସଙ୍କଟରୁ । କହିଲେ, ଭାଷା ଅବଶ୍ୟ ପ୍ର‌୍ୟାକ୍ଟିକ୍ୟାଲ୍ ଅ୍ୟାକ୍ଟିଭିଟି, ମାତ୍ର କୋଉ ଶୂନ୍ୟ ପରିସର ଭିତରେ ନୁହେଁ । ନୁହେଁବୋଲି, ଭାଷା ଏକେବାରେ ସାମାଜିକ କର୍ମକାଣ୍ଡ । ପୁଣି, ସିଷ୍ଟେମ୍ ନିଶ୍ଚୟ; କିନ୍ତୁ ସ୍ୱୟଂଚାଳିତ ଅଥବା ଯାନ୍ତ୍ରିକ ସୂତ୍ର ସଂହିତା ନୁହେଁ, ସାମାଜିକ କର୍ମକାଣ୍ଡର ସିଷ୍ଟେମ୍‌; ଯୋଉ ସିଷ୍ଟେମ୍‌ଦ୍ୱାରା ଭାଷା ରୂପକ ପ୍ର‌୍ୟାକ୍ଟିକାଲ୍ ଅ୍ୟାକ୍ଟିଭିଟି ହୋଇପାରେ ସଞ୍ଚାଳିତ; ଅ୍ୟାକ୍ଟିଭିଟି କି ସିଷ୍ଟେମ୍‌, ତେଣୁ, କେହି କାହାରିଠାରୁ ପୃଥକ୍ ନୁହେଁ, କି ତାଙ୍କ ବିମୂର୍ତ୍ତାୟନ ମଧ୍ୟ ସମ୍ଭବ ନୁହେଁ । ଅ୍ୟାବ୍‌ଷ୍ଟ୍ର‌୍ୟାକ୍ସନ୍‌କୁ ବିମୂର୍ତ୍ତାୟନ ଲେଖିଲେ କିନ୍ତୁ ତର୍ଜମାରେ ଦାର୍ଶନିକ ଅନୁଷଙ୍ଗ ମ୍ଳାନ ହୋଇଯାଏ; କାହିଁକିନା, ପ୍ର‌୍ୟାକ୍ଟିକ୍ୟାଲ୍ ଅ୍ୟାକ୍ଟିଭିଟି ନିଷ୍ପ୍ରଭ କୋଉ ମୂର୍ତ୍ତି ନୁହେଁ । ଭାଷାକୁ ବିମୂର୍ତ୍ତ ବର୍ଗରୁ ଉଦ୍ଧାରକରି ପ୍ର‌୍ୟାକ୍ଟିକ୍ୟାଲ୍ କନ୍‌ସସ୍‌ନେସ୍ ବା ସକ୍ରିୟ ଚୈତନ୍ୟବୋଲି ପ୍ରତିପନ୍ନ କରିବା, ପୁଣି ସାମାଜିକ କର୍ମକାଣ୍ଡ ଆସନରେ ପ୍ରତିଷ୍ଠିତ କରିବା ସାମାନ୍ୟ କର୍ମ ନୁହେଁ, କାହିଁକିନା, ଭାବବାଦୀ ବୁର୍ଜୋୟା ତାକୁ ଲେଖକ/ବ୍ୟକ୍ତିବିଶେଷର ଚେତନାବୋଲି ପ୍ରଚାର କରିଆସିଛି । କ'ଣ ନା, ଅନ୍ତରାତ୍ମାର ଆର୍ତ୍ତନାଦ ! ସେଇ ନାଦ-ଅନୁନାଦଗୁଡ଼ାକ କିନ୍ତୁ ସ୍ପେସାଲାଇଜେସନ୍‌; ଯେମିତି, ମେସିନ୍ ବନାଇ ପାରିବେ ଏକମାତ୍ର ବିଶେଷଜ୍ଞ ଇଞ୍ଜିନିୟର୍‌, ଅପରେସନ୍ କରିପାରିବେ କେବଳ ଶଲ୍ୟବିଦ୍ । ଏ ବାଟରେ, ଭାଷାକୁ କରାଯାଇଥିଲା ସମାଜ ପାଖରୁ ଦୂରୀକୃତ । ଚେତନାରୁ ସାମାଜିକତାକୁ ନିଷ୍କାସିତ କରି କରାଯାଇଥିଲା ଧୂରନ୍ଧର ବିଶେଷଜ୍ଞର ନୈପୁଣ୍ୟ । ଅବରୁଦ୍ଧ ସେଇ ଚେତନା କୁଆଡ଼େ ସର୍ବସାଧାରଣ ଚେତନା ଅପେକ୍ଷା ବେଶି ସୂକ୍ଷ୍ମ ଓ ତୀବ୍ର, ଯା ଉତ୍ପନ୍ନ କରିପାରେ ମର୍ମାର୍ଥ ବା ମିନିଙ୍ଗ୍ । ବାଖ୍‌ତିନ୍‌ଙ୍କ ଯୁକ୍ତି ହେଲା, ମିନିଙ୍ଗ୍‌ର ଉତ୍ପାଦନ ନିଶ୍ଚିତଭାବେ ଏକ ସାମାଜିକ କ୍ରିୟା, କାହିଁକିନା, ସାମାଜିକ ସମ୍ପର୍କଗୁଡ଼ାକ ପାଖରୁ ଦୂରରେ କିମ୍ବା ସ୍ୱାଧୀନ ଅବସ୍ଥାନରେ କୌଣସି ମର୍ମାର୍ଥ ତିଆରି ହୋଇପାରେନା କି ପାରି ନାହିଁ । ଏତଦ୍‌ସତ୍ତ୍ୱେ, ମଣିଷର ଚିନ୍ତାକରିବା ଶକ୍ତି ସହିତ ଭାଷାର ସମତାଳ ବିକାଶକୁ ଲକ୍ଷ୍ୟକଲେ ଦିଶୁଚି, ଶୈଶବରେ ପିଲାଙ୍କ ଭିତରେ ଇନର୍ ସ୍ପିଚ୍ ବା ଅଭ୍ୟନ୍ତର ବଚନ ଯୋଉ କ୍ଷିପ୍ରତାର ଗଢ଼ିଉଠେ, ସବାକ୍‌-ଚିନ୍ତା ତା ସହିତ ତାଳ ରଖିପାରେନା; ଅଥଚ ଶୈଶବ ପାର ହୋଇଗଲେ, ଏ ବିକାଶର ଚରିତ୍ର ବଦଳିଯାଏ ଅକସ୍ମାତ୍ । ଯା ଥିଲା ସମ୍ପୂର୍ଣ୍ଣ ଜୈବିକ ପ୍ରକ୍ରିୟା, ତା ହୋଇଉଠେ ସାମାଜିକ-ଐତିହାସିକ । ସବାକ୍‌-ଚିନ୍ତା କୋଉ ଅନ୍ତର୍ଲୀନ ପ୍ରାକୃତିକ ଆଚରଣ ନୁହେଁ, ଐତିହାସିକ-ସାଂସ୍କୃତିକ ପ୍ରକ୍ରିୟାରେ ତା'ର ରଚନା; ଏବଂ ଯୋଉ ନିର୍ଦ୍ଦିଷ୍ଟ ଗୁଣ ବା ନିୟମର ସନ୍ଧାନ ତା ଭିତରୁ ମିଳୁଚି, ତା ମଧ୍ୟ ସ୍ୱାଭାବିକ ଭାବନା ବା ବଚନ ଭିତରୁ ମିଳୁ ନାହିଁ । ବିଜ୍ଞାନଲବ୍ଧ ଏଇ ତଥ୍ୟ ଭିତ୍ତିରେ, ଭାଷାକୁ ପ୍ର‌୍ୟାକ୍ଟିକ୍ୟାଲ୍ କନ୍‌ସସ୍‌ନେସ୍ କହିଲାବେଳେ, ଜୈବିକ ଗୁଣ ସହିତ ସାମାଜିକ ଗୁଣକୁ ମଧ୍ୟ ମିଶାଇବାକୁ ପଡ଼ିବ । ଭାଷା ତେଣୁ ଏକାବେଳକେ ବ୍ୟକ୍ତି ଓ ସମାଜ, ଉଭୟର ନିର୍ମାଣ ଓ ଉଭୟର ପାରସ୍ପରିକ ସମ୍ପର୍କର ଭିତ୍ତି । ଉଭୟର ବିକଚନର ଅଭିଜ୍ଞାନ ମଧ୍ୟ । କାହିଁକିନା, ଇତିହାସ ଗତିରେ, ପୁଣି ସାମାଜିକ ବିକାଶ ପ୍ରକ୍ରିୟାରେ ହିଁ ଘଟେ ସେ ଅଭିଜ୍ଞାନର ଉତ୍କର୍ଷ । ଅନ୍ୟ ଶବ୍ଦରେ, ସାଇନ୍ ବା ସଙ୍କେତ ପରି ଭାଷା କୋଉ ସ୍ଥିର ଚିହ୍ନ ନୁହେଁ; ନିଜେ ଏକ ଚିହ୍ନ-ସିଷ୍ଟେମ୍ ହେଲେସୁଦ୍ଧା, ଉଭୟ ଚିହ୍ନ ଓ ସିଷ୍ଟେମ୍‌କୁ ଭାଙ୍ଗିଦେଇପାରେ ଭାଷା, ସଂଶୋଧିତ କରିପାରେ, କରିପାରେ ମାର୍ଜିତ । ଅନ୍ୟଥା, ହୋଇପାରେନା ପ୍ର‌୍ୟାକ୍ଟିକ୍ୟାଲ୍ କନ୍‌ସସ୍‌ନେସ୍ । ବାଖ୍‌ତିନ୍ ସେଥିପାଇଁ ଦେଖିଚନ୍ତି ଅଭ୍ରାନ୍ତ ଦ୍ୱାନ୍ଦ୍ୱିକ ସମ୍ପର୍କ; ସଙ୍କେତ-ସିଷ୍ଟେମ୍‌ଟି ସାମାଜିକ ନିର୍ମାଣ ଓ ଆପାତଃ ସ୍ଥିର; ଏଣେ ମଣିଷର ନିହିତ ସାମର୍ଥ୍ୟ ଯୋଉ ଭାଷା, ତା' ଚଳମାନ ଉନ୍ମେଷଶାଳୀ ଚେତନା । ସାଇନ୍ କେମିତି ଓଗାଳିବ ସେ ପ୍ରବାହକୁ ? ସେ ଗତିରେ ସଙ୍କେତ ହୋଇଯାଇପାରେ କେତେବେଳେ ବଚନ, ବଚନ ହୋଇଯାଇପାରେ କେତେବେଳେ ଇଙ୍ଗିତ ଏବଂ ଇଙ୍ଗିତ ହୋଇଯାଇପାରେ ଉଭୟ ବଚନ ଓ ସଙ୍କେତ । ଏପରିକି, ନୂଆ ସଙ୍କେତ ନୂଆ ଇଙ୍ଗିତ ନୂଆ ବଚନ ପଶି ଆସିପାରେ ଭୂରି ଭୂରି ସେଇ ଆପାତଃ ସ୍ଥିର ସାଇନ୍‌-ସିଷ୍ଟେମ୍ ଭିତରକୁ; ପଶିଆସି ମନୁଷ୍ୟକୃତ ସେଇ ସିଷ୍ଟେମ୍‌କୁ, ଚାରିପଟରୁ ଆକ୍ରମଣକରି, କରିପାରେ ଛିତ୍ରମୟ । ବାଖ୍‌ତିନ୍ ତେଣୁ ପ୍ରକ୍ରିୟାଟାକୁ ଦେଖିଚନ୍ତି ଏକାଧାରେ ବିବର୍ତ୍ତନ ଆଉ ଇତିହାସ; ଜୈବିକ ପୁଣି ସାମାଜିକ । ତା' ହେଲେ, ସାହିତ୍ୟ ବା ଯେକୌଣସି ପ୍ରକାର ସୃଷ୍ଟିଶୀଳତା ହେବ କେମିତି ଏକାନ୍ତ ବ୍ୟକ୍ତି-ନିଜସ୍ୱ ? ସୃଷ୍ଟିଶୀଳତା ଯଦି ଭାଷାର ଅନ୍ତର୍ଗତ ଗୁଣ-ଧର୍ମ, ପ୍ରତ୍ୟେକ ସାମାଜିକ ମଣିଷ ସେ କ୍ଷମତାର ଅଧିକାରୀବୋଲି, ଲେଖିବା ଆଙ୍କିବା ଗାଇବା ବଜାଇବା ଗଢ଼ିବା ତୋଳିବା କାମଗୁଡ଼ାକ ସାମାଜିକ ପ୍ର‌୍ୟାକ୍ଟିସ୍‌, କୋଉ ସାରଳା ଠାକୁରାଣୀଙ୍କ ଡିକ୍ଟେସନ୍ ବା ବିଶ୍ୱକର୍ମାଙ୍କ ବର ନୁହେଁ । ମଣିଷ ଭେଦରେ ପରାକାଷ୍ଠା ଅବଶ୍ୟ ବିଭିନ୍ନ; ସେଥିପାଇଁ ସାଫଲ୍ୟ ମଧ୍ୟ କେଉଁଠି ବେଶି; କେଉଁଠି କମ୍ ।

 

ଭାଷାକୁ ମଣିଷ ପ୍ରଜାତିର ସହଜାତ ସାମର୍ଥ୍ୟବୋଲି ଜାଣିଲେ, ତା'ର କର୍ମପଦ୍ଧତି ଯେପରି ସଙ୍କେତ-ଇଙ୍ଗିତ-ବଚନ-ଲିଖନ ପ୍ରଭତିକୁ ସାମାଜିକ କର୍ମକାଣ୍ଡବୋଲି ଉପଲବ୍ଧି କରିହେବ-। ତା ହେଲେ, ସେ କାମଗୁଡ଼ାକର ନିୟମଶୃଙ୍ଖଳା ମଧ୍ୟ ବୁଝାପଡ଼ିବ । ସେତେବେଳେ ସେ ଶୃଙ୍ଖଳାକୁ ଚିହ୍ନ-ସିଷ୍ଟେମ୍ ବା ସଙ୍କେତ ସିଷ୍ଟେମ୍ବୋଲି ଅଭିହିତ କରି ନିଶ୍ଚଳ କରିଦେଇ ହେବ ନାହିଁ; କାହିଁକିନା, ସମାଜ ନିଜେ, ଆଉ ତା ଭିତରେ ଚଳୁଥିବା ବ୍ୟକ୍ତିବିଶେଷ, କୋଉ ସ୍ଥିର ନିଶ୍ଚଳ ସତ୍ତା ନୁହେଁ, ସଦାସର୍ବଦା ଗତିଶୀଳ । ଏବଂ ସେ ଗତି ଯେହେତୁ ନିରନ୍ତର, ସାଇନ୍‌-ସିଗ୍ନିଫାଇଡ୍‌-ସିଗ୍‌ନ୍ୟାଲ୍‌, କୋଉ ଗୋଟାକ ବି ଏକାଜାଗାରେ ଅଟକି ରହିପାରେନା । ଅର୍ଥାତ୍‌, ସୃଷ୍ଟିଶୀଳତା ମଧ୍ୟ ଏକାନ୍ତ ବ୍ୟକ୍ତିଗତ ଆଭ୍ୟନ୍ତରୀଣ କୋଉ ଘଟଣା ନୁହେଁ, ତା'ର ମଧ୍ୟ ସାମାଜିକ ମାତ୍ରା/ଡିମେନ୍‌ସନ୍ ରହିବ । ରହିଛିବୋଲି, ମର୍ମାର୍ଥ ଉତ୍ପାଦନ ଏକ ଯୌଥ ପ୍ରକ୍ରିୟା; ନଚେତ୍ ମର୍ମାର୍ଥଗୁଡ଼ାକ ଦିଶିବେ ସତେ ଯେମିତି କପୋଳକଳ୍ପିତ ବିଶୁଦ୍ଧ ଭାବବିକାର; କିମ୍ବା ଅଧିକାଂଶ କ୍ଷେତ୍ରରେ, ଯଥାପ୍ରାପ୍ତ ଶୃଙ୍ଖଳାବଦ୍ଧ ଔପଚାରିକତା ମାତ୍ର । ବାଖ୍‌ତିନ୍‌ଙ୍କ ତାତ୍ପର୍ଯ୍ୟ ହେଲା, ଭାଷାକୁ ଜଡ଼ପିଣ୍ଡର ବିଷୟମୁଖୀ-ସିଷ୍ଟେମ୍‌ରେ ପର୍ଯ୍ୟବସିତ କରିଥିଲେ ଯେମିତି ଡି ସୋସ୍ୟୁର୍‌, ସେଇ ଯାନ୍ତ୍ରିକତାରୁ ଉଦ୍ଧାର କରି ନିର୍ଦ୍ଦିଷ୍ଟ ସାମାଜିକ ସିଷ୍ଟେମ୍ବୋଲି ପ୍ରତିପାଦନ : ଜ୍ଞାନଚର୍ଚ୍ଚାରେ ଯା ବସ୍ତୁତଃ ଆଦିକଳ୍ପର ଅପସାରଣ, ପ୍ୟାରାଡାଇମ୍ ସିଫ୍ଟ୍-। ସଂଗଠିତ ମାନବସମଷ୍ଟିଦ୍ୱାରା ନିର୍ମିତ ସଙ୍କେତଗୁଡ଼ିକୁ ସାମାଜିକ ଆଦାନପ୍ରଦାନ ସୂତ୍ରରେ ବ୍ୟବହାର କରି ପୁଷ୍ଟ ଓ ସମୃଦ୍ଧ ହୁଏ ଚେତନା ଏବଂ ସେଥିପାଇଁ, ସଙ୍କେତଗୁଡ଼ାକ ଭିତରେ ସକ୍ରିୟ ଯୋଉ ଶୃଙ୍ଖଳା/ଲଜିକ୍‌, ବ୍ୟକ୍ତିବିଶେଷର ଭାଷା ତାକୁହିଁ କରେ ବିମ୍ବିତ । ଅର୍ଥାତ୍‌, ସାମାଜିକ ଆଦାନପ୍ରଦାନର ନିୟମଶୃଙ୍ଖଳାକୁ ଭାଷା ହିଁ କରେ ପ୍ରତିଫଳନ, ଗଣିତର ବିମୂର୍ତ୍ତ ଇଜିକ୍‌କୁ ନୁହେଁ ଏବଂ ସାମାଜିକ ଆଦାନପ୍ରଦାନ ଶୃଙ୍ଖଳା ମଧ୍ୟ ଏକ ଐତିହାସିକ ପ୍ରକ୍ରିୟା, କୋଉ ପ୍ରାକୃତିକ ପ୍ରକ୍ରିୟା ନୁହେଁ । ସେଥିପାଇଁ ସାଇନ୍‌କୁ ବାଖ୍‌ତିନ୍ କହିଚନ୍ତି ବାଇନାରି ବା ବିପରୀତ ଯୁଗ୍ମଶବ୍ଦ; ଅର୍ଥାତ୍ ବାଚିକ ସଙ୍କେତ ଇଙ୍ଗିତ କରୁଛି ଯା, ବିମ୍ବିତ କରିପାରୁ ନାହିଁ ତାକୁ ଅବିକଳ; ତଥାପି ବିଷୟ ଓ ସଙ୍କେତ ମଧ୍ୟସ୍ଥ ଔପଚାରିକ ସମ୍ପର୍କ ଯେହେତୁ ପ୍ରତିଷ୍ଠିତ ସାମାଜିକ ପରମ୍ପରା, ଅର୍ଥପ୍ରକାଶ ବାଧା ପାଉ ନାହିଁ କେତେବେଳେ । ମାତ୍ର, ସଙ୍କେତ ସହିତ ସାମାଜିକ ଅଭ୍ୟାସର ସମ୍ପର୍କ ବିଧିବହିର୍ଭୂତ ବା ଯଥେଚ୍ଛ ନୁହେଁ; ଅଥବା ଦୃଢ଼ କି କଠୋରଭାବେ ନିବଦ୍ଧ ମଧ୍ୟ ନୁହେଁ । କାହିଁକିନା, ସଙ୍କେତଗୁଡ଼ାକ ଇମେଜ୍ କି ରୂପ ନୁହେଁ । ଯେକୌଣସି ବିଷୟକୁ ନିଜ ସାମାଜିକ ବିକାଶ ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟ/ସ୍ତର/ଅବସ୍ଥାରେ ଭିନ୍ନ ଭିନ୍ନ ବ୍ୟଞ୍ଜନା ଓ ପ୍ରେକ୍ଷିତରେ ଉପଲବ୍ଧି କରେ ମଣିଷ; ସଙ୍କେତଗୁଡ଼ାକୁ ବଚନରେ ରୂପାନ୍ତରିତ କରିବା ସାମର୍ଥ୍ୟ ତେଣୁ ନିର୍ଭର କରୁଛି ସେଇ ମଣିଷଟିର ସାମାଜିକ ଆଦାନପ୍ରଦାନ କେତେ ଘନିଷ୍ଠ ବ୍ୟାପକ ଆଉ ଗଭୀର- ସେଇ ମାତ୍ରା ଓ ଲୟ ଉପରେ । ଏ ଦୁଇଧାରାର ସଂଘାତରୁ ସଙ୍କେତର ଉତ୍ପତ୍ତି । ସାମାଜିକ ଆଦାନପ୍ରଦାନ ଯେହେତୁ ଅଭିଜ୍ଞତାର ଉତ୍ସ, ସେ ଅଭିଜ୍ଞତାର ସାଙ୍କେତିକ ରୂପ ତେଣୁ ବିଷୟନିବଦ୍ଧ ନୁହେଁ କି ବିଧିବହିର୍ଭୂତ ନୁହେଁ । ତା ବସ୍ତୁତଃ, ସଂସାରରେ ମଣିଷର ଯୋଉ ସାମାଜିକ ଉପସ୍ଥିତି, ତା'ରି ଚିରବର୍ଣ୍ଣମୟ ଚିରଚଞ୍ଚଳ ଅଭିଜ୍ଞତାର ସୋଚ୍ଚାର ନିର୍ଘୋଷ । କଣ୍ଟେଣ୍ଟ୍ ସହିତ ଫର୍ମ୍‌ର ସମ୍ପର୍କ ତେଣୁ ସ୍ଥିରନିବଦ୍ଧ ହୋଇପାରେନା ; କାହିଁକିନା, ପ୍ରାକ୍ଟିକ୍ୟାଲ୍ କନ୍‌ସସ୍‌ନେସ୍‌କୁ ସ୍ଥିରନିବଦ୍ଧ ସଙ୍କେତ କରିପାରେନା ବିମ୍ବିତ । ଫର୍ମ୍‌କୁ ତେଣୁ ବଦଳିବାକୁ ପଡ଼େ ସମତାଳରେ । ପୁଣି, ଚେତନା ଯେତେବେଳେ ଚଳିଷ୍ଣୁ, ସେ ମଧ୍ୟ ସ୍ଥିର କୋଉ ସିଗ୍‌ନ୍ୟାଲ୍‌-ସିଷ୍ଟେମ୍‌ରୁ ବିଚ୍ଛୁରିତ ସଙ୍କେତ ପ୍ରତି ଉତ୍ପାଦନ କରିପାରେନା ଅଭୀଷ୍ଟ ପ୍ରତିକ୍ରିୟା । ଚେତନା ତେଣୁ ବଦଳି ଚାଲେ କ୍ରମାଗତ ଏବଂ, ଲେଖକ ଯାହାକୁ କହୁଛନ୍ତି ଅନ୍ତରର ଆହ୍ୱାନ/ଇନର୍ ସାଇନ୍‌, ତା ଯେହେତୁ ସକ୍ରିୟ ପ୍ର‌୍ୟାକ୍ଟିକ୍ୟାଲ୍ କନ୍‌ସସ୍‌ନେସ୍‌ର ଉପଜାତ ଭାଷାରୂପକ ସାମାଜିକ ସମ୍ପଦର ସେଇ ଆହ୍ୱାନ ମଧ୍ୟ ଅବଧାରିତ ଅଂଶବିଶେଷ; ବିକ୍ଷିପ୍ତ ବିସ୍ଫୋରଣ ନୁହେଁ । ଦ୍ୱାନ୍ଦ୍ୱିକ ଏଇ ସମ୍ପର୍କଗୁଡ଼ାକୁ ହୃଦୟଙ୍ଗମ କଲେ, ଲେଖାଲେଖି ଆଉ ଭାଷାରେ ବୁଣା ହୋଇଥିବା ବୁଢ଼ିଆଣୀ ଜାଲ ପରି ଦିଶିବ ନାହିଁ ; ଅଥବା, ଜାଲଟାକୁ ମନେହେବ ନାହିଁ କୋଉ ଦେବଦେବୀର କୂଟିଳ ଚକ୍ରାନ୍ତ ।

•••

 

Unknown

ଧ୍ରୁବ ଚପଳତା

ଶ୍ରୀ ସୌରୀନ୍ଦ୍ର ବାରିକ୍

 

କଳା କ'ଣ ? ପରି ଅତି ସାଧାରଣ ପ୍ରଶ୍ନଟି ମଧ୍ୟ ବେଳେବେଳେ ବିବ୍ରତ କରିଥାଏ । ବିବ୍ରତ କରିବାର ମୁଖ୍ୟ କାରଣଟି ହେଲା କଳାର ବିରୋଧାଭାସି ଗୁଣ ଏବଂ ତା'ର ରହସ୍ୟମୟତା-। କଳା ଏକାଧାରରେ ସରଳ, ସ୍ୱାଭାବିକ ପୁଣି ଦୁର୍ବୋଧ୍ୟ, ସାଧାରଣ ପୁଣି ଅନନ୍ୟ, ଗଣ ଗୃହୀତ ପୁଣି ଏକାନ୍ତ ଆତ୍ମକୈନ୍ଦ୍ରିକ । ଦ୍ୱିଧାର ବିଶିଷ୍ଟ ପୁଣି ଏହି କଳା । ଗୋଟିଏ ଧାର ଏହାର ମୁକ୍ତ ଏବଂ ସ୍ୱଚ୍ଛନ୍ଦ । ଅନ୍ୟ ଧାରଟି କିନ୍ତୁ ନିୟମ ନିୟନ୍ତ୍ରିତ । ଅହଂର ଆତ୍ମିକ ଉଚ୍ଚାରଣ ମାଧ୍ୟମର ସୀମିତତାଦ୍ୱାରା ପ୍ରଭାବିତ । କଳାରେ ଏକୀଭୂତ ବ୍ୟକ୍ତିକତା ଓ ସାର୍ବଜନୀନତା । ଏହା ପୁଣି କାଳଜ ମାତ୍ର କ୍ରାନ୍ତ-କାଳ । ଏହା ବାସ୍ତବତାର ପ୍ରତିଫଳନ ମାତ୍ର ନୁହେଁ, ଏକ ଆତ୍ମିକ ବାସ୍ତବତା, ସ୍ୱୟଂ ସମ୍ପୂର୍ଣ୍ଣ । କଳାର ଏପରି ବିରୋଧାଭାସି ରହସ୍ୟର ମୂଳ ଉତ୍ସ ହେଉଛି ଏଥିରେ ନିହିତ ଥିବା ସମ୍ପର୍କର ଜଟିଳ ବିଭିନ୍ନତା, ପୁଣି ସେସବୁର ଯୁକ୍ତି-କ୍ରାନ୍ତ ଏକ ସମନ୍ୱୟ । ଏହି ସମନ୍ୱୟ ଆଣିଦିଏ କଳାରେ ପୂର୍ଣ୍ଣତା, ତା'ର ନିଜସ୍ୱତା । ଏଥିପାଇଁ କଳା ରହସ୍ୟମୟୀ । ମୋନାଲିସାର ହସ ଅବା ଆମର ଅତି ପରିଚିତ ଚକାଡ଼ୋଳାର ଚାହାଣୀ ହେଉ, ସେକ୍ସପିଅର୍‌ଙ୍କର ନାଟକୀୟ ଧାଡ଼ି ହେଉ ଅବା ଭୀମଭୋଇଙ୍କର ଅନାମ, ଅଣାକାର ଚେତନା ହେଉ, ସବୁଥିରେ ଏକ ଅବବୋଧର ସୂଚନା, ଯାହା ଯୁକ୍ତି ପୁଣି ଇନ୍ଦ୍ରିୟସୀମିତ ନୁହେଁ । ଏଗୁଡ଼ିକ ରହସ୍ୟମୟୀ ଚେତନାର କଳାତ୍ମକ ପ୍ରକାଶ ବିଭିନ୍ନ ବିଭାଗ ସମ୍ପର୍କରେ ଆଲୋଚନା କରିବାକୁ ଗଲାବେଳେ ଆମକୁ ଏହି ମୌଳିକ ସତ୍ୟଟିକୁ ଗ୍ରହଣ କରିବାକୁ ପଡ଼ିବ ।

 

ଏହି ପରିପ୍ରେକ୍ଷୀରେ କଳା ବିଚାର୍ଯ୍ୟ । ମଣିଷର ଆଦି ପ୍ରବୃତ୍ତି ହେଉଛି ନିଜ ଭାବକୁ ପ୍ରକାଶ କରିବା । ଏହି ପ୍ରକାଶ କରିବାର ପ୍ରବୃତ୍ତି ସହ ଜଡ଼ିତ ଆଉ ଏକ ଆକାଂକ୍ଷା, ତାହା ହେଉଛି କାଳକୁ ଜୟ କରିବା । ତେଣୁ ନିଜର ସ୍ୱାକ୍ଷର ଛାଡ଼ିଯିବାପାଇଁ ସେ ନିଜର ଅନୁଭୂତିକୁ ନିଜ ଭାବରେ ସାଇତି ରଖିବାକୁ ଚେଷ୍ଟାକରେ । ନିଜକୁ ଘେରିଥିବା ବାହ୍ୟ ଜଗତକୁ ନିଜ ଭାବରେ ସଜାଡ଼ିବାକୁ ଚେଷ୍ଟା କରେ । ତେଣୁ କଳାରେ ଧ୍ୱନିତ ହୁଏ ଦୁଇଟି ପ୍ରବୃତ୍ତି । ଗୋଟିଏ ଆନ୍ତରିକ ସୃଷ୍ଟିଶୀଳତା, ଅନ୍ୟଟି ଏକ ଅଜ୍ଞାତ ବହପ । ଏହି ଦୁଇଟିର ସମ୍ମିଶ୍ରଣରୁ ଜନ୍ମନିଏ କଳା, ଯହିଁରେ ଅନୁଭବର ସତ୍ୟଶୀଳତା ଓ ଗଭୀରତା ସହ ନିଜ ଜଗତକୁ ନିଜ ଭାବରେ ଗଢ଼ିବାର ନାନ୍ଦିକତା ଅଙ୍ଗାଙ୍ଗୀ । ବାହ୍ୟ ଜଗତର ବିପୁଳତା, ଜଟିଳତା ପୁଣି ବିଭିନ୍ନତା ମଣିଷର ସୀମିତ ଚେତନା ପାଖରେ ଯେଉଁ ଭାବ ସୃଷ୍ଟିକରେ ତାହା ହେଉଛି ଦୁର୍ବୋଧ୍ୟ ବିଶୃଙ୍ଖଳା । ମାତ୍ର ଏହି ବିଶୃଙ୍ଖଳା ଭିତରେ ମଧ୍ୟ ଶୃଙ୍ଖଳାର ସ୍ଥିତିକୁ ମଣିଷ ବୁଝିବାକୁ ଚେଷ୍ଟା କରେ । ବିଶୃଙ୍ଖଳା ଭିତରେ ବିଭିନ୍ନ ଧାରା ଏବଂ ଉଦ୍ଦେଶ୍ୟ ଖୋଜିପାଏ । ବାହ୍ୟ ପ୍ରକୃତିର ଶୃଙ୍ଖଳାର ଆବିଷ୍କାରଦ୍ୱାରା ମଣିଷ ଖୁସି ହୁଏ ଏବଂ ଏହି ଖୁସିକୁ ପ୍ରକାଶ କରିବାକୁ ଚେଷ୍ଟା କରେ । ଅସଂଯତ, ବିଶୃଙ୍ଖଳା, ଅବୋଧ ପ୍ରକୃତି ଭିତରେ ଥିବା ସମସ୍ତ ସୁଖପ୍ରଦ ବସ୍ତୁ, ରଙ୍ଗ, ଭାବକୁ ପୃଥକ କରି ପ୍ରକାଶ କରି ଆନନ୍ଦ ଲାଭ କରିବାର ପ୍ରଚେଷ୍ଟାରେ ହିଁ ସୃଷ୍ଟି ହୁଏ ସୌନ୍ଦର୍ଯ୍ୟବୋଧ । ପ୍ରକୃତିର ବିପୁଳତା ଭିତରୁ କିଛି ଧାରା, କିଛି ଘଟଣା, ସମ୍ପର୍କକୁ ପୃଥକ କରି ନିଜ ଅନୁଭବ ଭାବରେ ପ୍ରକାଶ କରିବାର ଧାରାରେ ହିଁ ଜନ୍ମ ନେଇଛି ଶୃଙ୍ଖଳାବୋଧ । କଳାର ସୌନ୍ଦର୍ଯ୍ୟବୋଧ ବିଶୃଙ୍ଖଳା ବିରୋଧି । ଅସଂଯତ ବାସ୍ତବତାର ସଂଯତ ପ୍ରକାଶ ହିଁ କଳା । ଏହି ‘ସଂଯତତା' ଭିତରେ ବିପୁଳ ବାସ୍ତବତାକୁ ଟିକିଏ ବୁଝି ତାକୁ ଧରି ରଖିବାର ଚେଷ୍ଟା । ଏହି ଧରିରଖିବା ପଛରେ ପ୍ରକୃତିର ଜଟିଳତାକୁ ବୁଝିବା ଏବଂ ନିଜ ଭାବରେ ପ୍ରକାଶ କରିବାର ଇଚ୍ଛା । ତେଣୁ ସୌନ୍ଦର୍ଯ୍ୟବୋଧ ଏକ ଜଟିଳ ଅବବୋଧ । ଏଥିରେ ବୁଦ୍ଧି, ଆବେଗ, ଶୃଙ୍ଖଳା ଏକାକାର । ଯାହାର ପରିଣତି ଆବିଷ୍କାରର ଆନନ୍ଦ । ଆବିଷ୍କାର ବାହ୍ୟ ବାସ୍ତବତାର ରହସ୍ୟର କିଛି ଅଂଶ, ପୁଣି ସେଥିରେ ନିଜର ଅହଂର ଆବିଷ୍କାର ଏହି ଦୁଇ ଆବିଷ୍କାରର ମିଶ୍ରଣ ଦିଏ ଆନନ୍ଦ । ତେଣୁ କଳାର ସମ୍ପର୍କ ରହସ୍ୟମୟୀ । କଳା- ସମ୍ପର୍କରେ ଥାଏ ଅନ୍ୱେଷାର ଆବିଷ୍କାର, ଆବିଷ୍କାରର ଅନ୍ୱେଷା । କଳା ପ୍ରକୃତି ଭିତରୁ ସହ ମଣିଷ ଅଭିନ୍ନ ଭାବରେ ଭିନ୍ନ ହୁଏ । ପ୍ରକୃତି ତଥା ବାସ୍ତବତାର ଏକ ବିକଳ୍ପ ଗଢ଼େ । ଏହି ବିକଳ୍ପ ସୃଷ୍ଟି ଭିତରେ ସାଧାରଣ ଅସାଧାରଣ ଶିଳ୍ପୀଅହଂଟି ନିଜକୁ ଆବିଷ୍କାର କରେ, ଆବିଷ୍କାର କରେ ବାସ୍ତବତା ସହ ତା'ର ଚିରନ୍ତନ ନୂତନ ସମ୍ପର୍କ । ଏହାହିଁ କଳାର ସତ୍ୟ । ସତ୍ୟର ସୌନ୍ଦର୍ଯ୍ୟ ।

 

ଶିଳ୍ପୀ ସଦା ସଚେତନ ନିଜ ବିଷୟରେ ପୁଣି ତାକୁ ଘେରିଥିବା ବିପୁଳ ବାହ୍ୟ ଜଗତ ସମ୍ପର୍କରେ । ତେଣୁ ତା' ବଞ୍ଚିବା କେବେହେଲେ ଯାନ୍ତ୍ରିକ ନୁହେଁ । ସିଏ ଜୀବନକୁ ହାଡ଼େ ହାଡ଼େ ବଞ୍ଚେ ପୁଣି ଅତି ସମ୍ବେଦନଶୀଳ ନିଷ୍ଠୁରତା ସହ ବାସ୍ତବତାର ସାମ୍ନା କରିଥାଏ । ଏହି ସାମ୍ନା କରିବାର ଅନୁଭୂତିର ନିଜସ୍ୱ ପ୍ରକାଶ ହିଁ କଳା । ଏହି ଅନୁଭବର ବିଭିନ୍ନତା, ତା' ପ୍ରତି ଶିଳ୍ପୀର ଦୃଷ୍ଟିଭଙ୍ଗୀ ପୁଣି ଶିଳ୍ପୀଦ୍ୱାରା ବ୍ୟବହୃତ ହେଉଥିବା ମାଧ୍ୟମର ବୈଚିତ୍ର‌୍ୟ କଳାରେ ପ୍ରାଣ ସଞ୍ଚାର କେବଳ କରେ ନାହିଁ, ତାକୁ ବହୁରୂପୀ କରିଥାଏ । ଏହା ସହ ଥାଏ ଆଉ ଗୋଟିଏ ଶକ୍ତିର ପ୍ରଭାବ । ତାହା ସାମ୍ପ୍ରତିକ କାଳ ଏବଂ ଶିଳ୍ପୀର ଜୀବନଧାରା ଉପରେ ଏହାର ପ୍ରଭାବ । ଏହି ସବୁ କାରଣପାଇଁ ବିଭିନ୍ନ କାଳରେ କଳାର ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳେ । ମାତ୍ର ଏପରି ପରିବର୍ତ୍ତନ ଭିତରେ ମଧ୍ୟ ସ୍ପଷ୍ଟ ସୂଚିତ ହୁଏ ଶିଳ୍ପୀର ନିଜସ୍ୱ ସ୍ୱାକ୍ଷର ଏବଂ କାଳ ଭିତରେ, ପୁଣି କାଳ ସହ କାଳକୁ ଆହ୍ୱାନ ଦେବାର ସ୍ପର୍ଦ୍ଧା । ତେଣୁ ପ୍ରତ୍ୟେକ କଳା କାଳ ସହ ଏକ ପରୀକ୍ଷା କାଳୋତ୍ତର ହେବାପାଇଁ । ଯେଉଁ ସ୍ତରରେ କି ବର୍ତ୍ତମାନ ରହେନି, ତତ୍କାଳୀକ ପ୍ରାସଙ୍ଗିକତା ରହେନି, ଏମିତିକି ବ୍ୟକ୍ତି ଭାବରେ ଶିଳ୍ପୀ ମଧ୍ୟ ରହେନି । ରହିଯାଏ ଖାଲି ଶିଳ୍ପୀର ପରୀକ୍ଷା । ତା' ହାତରେ ପୋଷା ମାନିଥିବା ମନୁଆ ବାସ୍ତବତା । ଏହାହିଁ କଳାର ସବୁଠାରୁ ବଡ଼ ରହସ୍ୟ, ଯେଉଁଠି ସତ୍ୟ ପାଇହୁଏ ରହସ୍ୟ, ରହସ୍ୟର ସୌନ୍ଦର୍ଯ୍ୟ ଏକୀଭୂତ ହୁଏ ଗୋଟିଏ ପ୍ରତୀକରେ- କଳା । ଏହି ପ୍ରତୀକ ସୃଷ୍ଟି ହିଁ ମଣିଷର ଅନନ୍ୟତା ।

 

ବାସ୍ତବତା କହିଲେ କେବଳ ବାହ୍ୟ ପ୍ରକୃତି ଏବଂ ତା'ର ବସ୍ତୁ ସମୂହକୁ ବୁଝାଏ ନାହିଁ । ଏହାର ଅର୍ଥ ବହୁବିଧ । ଏଥିରେ ଉଭୟ ବାହ୍ୟ ଏବଂ ଅନ୍ତଃ ଜଗତ ଅନ୍ତର୍ଭୁକ୍ତ । ଏହି ଦୁଇ ଜଗତର ଆତ୍ମିକ ସମ୍ପର୍କ ବିନା ସତ୍ୟ ଅପୂର୍ଣ୍ଣ ରହିଯାଏ । ଶିଳ୍ପୀ ଏହି ଦୁଇ ଜଗତର ଅଧିବାସୀ । ସେ ବାହ୍ୟ ଜଗତର ଅଂଶ ସତ, ମାତ୍ର ତା' ଭିତରେ ମଧ୍ୟ ଏକ ନିଜସ୍ୱ ଅନ୍ତର୍ଜଗତ ବର୍ତ୍ତମାନ । କଳା ଦୁଇ ଜଗତ ମଧ୍ୟରେ ଏକ ଆବେଗମୟୀ ସେତୁ । ଏହିଥିରେ ହିଁ ଶିଳ୍ପୀର ଅନ୍ତର୍ଜଗତ ବାହ୍ୟତା ଲାଭକରେ ଯହିଁରେ ରୂପପାଏ ବାହ୍ୟ ଜଗତର ଅନ୍ତରାତ୍ମା । କଳା ଏହି ମିଳନର ରୂପାନ୍ତୀକରଣ । ଏହି ରୂପାନ୍ତୀକରଣ ସମ୍ଭବ ହୁଏ ଜୀବନସହ ଶିଳ୍ପୀର ଅଙ୍ଗୀକାରବୋଧରୁ/ଶିଳ୍ପୀର ସଚେତନ ମାନସ ନିଜ ଅହଂକୁ ଏକ ବିଶ୍ୱ ଅହଂର ଆତ୍ମିକ ଅଙ୍ଗ ଭାବରେ ବିବେଚନା କରି ନିଜ ସ୍ୱାତନ୍ତ୍ର‌୍ୟର ସନ୍ଧାନୀ ହୁଏ । ତେଣୁ ବାସ୍ତବତା ସହ ଶିଳ୍ପୀ ଅହଂର ସମ୍ପର୍କ ହିଁ କଳା ସୃଷ୍ଟିର ବୀଜ ମନ୍ତ୍ର । ଏହି ସମ୍ପର୍କ ଏବଂ ଏହି ସମ୍ପର୍କପାଇଁ ଶିଳ୍ପୀର ଅନ୍ତର୍ଯାତ୍ରା କଳାରେ ଅନନ୍ୟତା ଭରିଥାଏ । ଏପରି ଅନ୍ତର୍ଯାତ୍ରାର ଅନ୍ୟ ଏକ ଦିଗ ମଧ୍ୟ ଅଛି । ତାହା ହେଉଛି ମାଧ୍ୟମର ଅହଂ ଭିତରକୁ ଅନ୍ତର୍ଯାତ୍ରା । ଶିଳ୍ପୀ ଏବଂ ମାଧ୍ୟମର ଅହଂ ବ୍ୟତୀତ ଶିଳ୍ପୀ ବାହ୍ୟ ବାସ୍ତବତାର ଅନ୍ତଃ ଜଗତକୁ ମଧ୍ୟ ଯାତ୍ରା କରିଥାଏ । ଅନ୍ତର୍ଯାତ୍ରାର ଏହି ତ୍ରିବେଣୀ ସଙ୍ଗମ ଘଟିଥାଏ କଳାରେ । ଏ ଅନ୍ତର୍ଯାତ୍ରୀ ଯେପରି ଆତ୍ମାବିଷ୍କାରପାଇଁ ରହସ୍ୟର ସମୁଦ୍ର ମନ୍ଥନ । ଏହି ମନ୍ଥନରୁ ବାହାରିଥାଏ ସତ୍ୟର ବିଭିନ୍ନ ରହସ୍ୟମୟତା, ଜଟିଳ ବିଭିନ୍ନିତା । ସତ୍ୟର ପୂର୍ଣ୍ଣତା । ଉଭୟ ହଳାହଳ ଓ ଅମୃତ । ଗୋଟିଏ ବଞ୍ଚିବାର ଦହନ, ଅନୁଭବର ତୀବ୍ରତା, ଅନ୍ୟଟି ସୃଷ୍ଟିଶୀଳତାର ସୌନ୍ଦର୍ଯ୍ୟ ଓ ଆନନ୍ଦ । ତେଣୁ ଏହି ଆତ୍ମାବିଷ୍କାର, ଏହି ଉପଲବ୍ଧି କଳାର କଳାତ୍ୱ । ଏହି ଆତ୍ମିକ ଅବବୋଧର ସତ୍ୟ ଅଶୀଳ ପୁଣି ଶୃଙ୍ଖଳା ପ୍ରକାଶ କଳା, ତା'ର ସୌନ୍ଦର୍ଯ୍ୟ ଏବଂ ଆନନ୍ଦ । ତେଣୁ କଳାରେ ତିନୋଟି ବାସ୍ତବତା-ଶିଳ୍ପୀ, ବାହ୍ୟ ବାସ୍ତବତା ଓ ଶିଳ୍ପୀର ମାଧ୍ୟମ । ଏମାନଙ୍କ ମଧ୍ୟରେ ସମ୍ପର୍କ ସୂକ୍ଷ୍ମ ଏବଂ ଗଭୀର । ଏହି ସୂକ୍ଷ୍ମତା କେବଳ ଅନୁଭବର ତୀବ୍ରତାରୁ ଜନ୍ମ ନେଇ ନ ଥାଏ । ଏହା ଜନ୍ମ ନେଇଥାଏ ଅଜଣାପଣ ଓ ଅପହଞ୍ଚପଣର ଚେତନାରୁ । ଏ ଚେତନା ବୁଦ୍ଧି, ଯୁକ୍ତି ଏପରିକି ଇନ୍ଦ୍ରିୟଲବ୍ଧ ଅନୁଭବକୁ ପୂରା ସ୍ୱୀକାର କରିପାରେ ନାହିଁ । ଏ ଚେତନା ଏକ ମୁକ୍ତ ଚେତନା, ସୀମିତତା ବିରୋଧି । ତେଣୁ ବୁଦ୍ଧି ଅପେକ୍ଷା ଅଧିକ ଗୁରୁତ୍ୱ ଲାଭ କରିଥାଏ ବିଶ୍ୱାସ-। ଏକ ନଥିବାର ଥିବାର । ଫଳରେ ବିଶ୍ୱାସ ଏବଂ କଳ୍ପନା କଳାରେ କେବଳ ମଣିଷ ଚେତନାର ଏକ ଏକ ଦିଗମାତ୍ର ନ ହୋଇ ସଚେତନ ଅହଂର ମୁଁତ୍ୱକୁ ଗ୍ରହଣ କରି ବାହ୍ୟ ବାସ୍ତବତା ଉପରେ ତା'ର ସମ୍ପର୍କରୁ ଜାହିର କରିବାର ଶକ୍ତିରୂପେ ଦେଖାଦିଏ । ଏପରି ଜାହିର କରିବାରେ ନୈର୍ବ୍ୟକ୍ତିକ ଦୂରତା ନ ଥାଏ, ଥାଏ ଆତ୍ମିକ ସମ୍ବେଦନଶୀଳତା । ବାସ୍ତବତା ସହ ଶିଳ୍ପୀ ଅହଂର ସମ୍ପର୍କକୁ ଏହା ନିବିଡ଼ କରିବା ସଙ୍ଗେ ସଙ୍ଗେ ବାସ୍ତବତାକୁ ଅଧିକ ଗଭୀରଭାବେ ଉପଲବ୍ଧି କରିବାର ମାର୍ଗ ଫିଟାଏ-। ପୁଣି ଶିଳ୍ପୀଦ୍ୱାରା ବ୍ୟବହୃତ ମାଧ୍ୟମ ମଧ୍ୟ ଏପରି ଅବବୋଧଦ୍ୱାରା ନୂଆ ଶକ୍ତିର ଅଧିକାରୀ ହୋଇଉଠେ । ତା' ଦେହରେ ପ୍ରାଣ ସଞ୍ଚାର ହୁଏ । ଶିଳ୍ପୀ-ମାଧ୍ୟମ ସମ୍ପର୍କ ଏବଂ ମାଧ୍ୟମର ନିଜସ୍ୱ ଅହଂ ଏବଂ ତହିଁରେ ପ୍ରାଣ ସଞ୍ଚାର ସମ୍ପର୍କରେ ଶିଳ୍ପୀର ମତକୁ ନିଆଯାଉ - ‘ମୁଗୁନି’ ପଥରର ଆକାର ଦେଖି ମିଶ୍ରେ ଓ କାରିଗରମାନେ ସନ୍ତୋଷ ପ୍ରକାଶ କଲେ । କଳା ମଚମଚ, ଖୁବ୍ ବାଗର ଓ ସଠିକ୍ ମାତାର ସାଟାମ ପଥର । ସାରା ପଥର ଏବେ କଞ୍ଚା ଅଛି, ନିହାଣ ଧରିଲେ କଥା କହିବ-। ପଥର ଟାଣ ହେଇଗଲେ ନିହାଣ ଚଳାଇବା କଷ୍ଟ ହେବ-। ପଥର ଶୁଙ୍ଗିଲେ ଜଣା ପଡ଼ିବ କି ଜାତିର ପଥର । ଚାଖିଲେ ତ ଭଲମନ୍ଦ ବାରି ହେଇଯିବ । ଅଜା ପଥରର ଷଟ୍‌ଗୁଣ ଭେଦକରି ନିଦାନ କରି କହିଲେ ପଥରଟା ସମବର୍ଣ୍ଣା । ଏଣୁ କୃଷ୍ଣ ପ୍ରତିମାପାଇଁ ଏକାନ୍ତଭାବେ ଉପଯୁକ୍ତ । ବ୍ରଜସୁନ୍ଦର ବିନ୍ଧାଣିରତ୍ନ ଶତକେଶି ବୃଷଭଙ୍କୁ ସ୍ମରଣ କରି ମନ୍ତ୍ରରେ ମନ୍ତ୍ରରେ ମହିଲୁକା ଗାଈର କ୍ଷୀରରେ ପଥରକୁ ଧୋଇଦେଲେ । ଆମକୁ ରକ୍ଷାକର, ଆମକୁ ଅନୁଗ୍ରହ କର- କହି ବିନ୍ଧାଣିମାନେ ପଥର ଆଗରେ ମୁଣ୍ଡିଆ ମାରିଲେ । ନିହାଣ, ମୁଗୁର, ନହୁରୁଣୀ ଓ ଅନ୍ୟାନ୍ୟ ହାତ ହତିଆର ପଥର ଉପରେ ଥୋଇ ଅନୁକୂଳ ପୂଜା କଲେ । ବିନ୍ଧାଣିଙ୍କ ମୁଣ୍ଡରେ ଓ ନୀଳାମ୍ବର, ଅଜାଙ୍କ ମୁଣ୍ଡରେ ନିତ୍ୟାନନ୍ଦ ପାଟର ଶାଢ଼ି ବାନ୍ଧିଦେଇ ଅନୁକୂଳ ଆଜ୍ଞା ଦେଲେ ।’ ‘ପୁନର୍ନବା' ଉପନ୍ୟାସରୁ ଏହି ଉଦ୍ଧୃତିଟି କେବଳ ଗୋଟିଏ ଆନୁଷ୍ଠାନିକ କ୍ରିୟାପଦ୍ଧତ୍ତିର ବର୍ଣ୍ଣନା, ଏ ନୁହେଁ । ଏଥିରେ ସୂଚିତ ହୋଇଛି ମାଧ୍ୟମ ସହ ଶିଳ୍ପୀର ସମ୍ପର୍କ କେଉଁ ସମ୍ପର୍କ ମାଧ୍ୟମକୁ ଜଡ଼ବସ୍ତୁ ଭାବରେ ଗ୍ରହଣ ନ କରି ଏକ ଜୀବନ୍ତ ବସ୍ତୁ ଭାବରେ ଗ୍ରହଣ କରୁଛି । ପୁଣି ଏହି ଅବବୋଧ ଏବଂ ସୃଷ୍ଟିକ୍ରିୟା ଆହୁରି ନିବିଡ଼ ଭାବରେ ସୂଚିତ ହୋଇଛି- ‘ମୂର୍ତ୍ତି ଖୋଦନ ଯଜ୍ଞ ଭଳି କର୍ମ’ ପରି ଧାଡ଼ିରେ । ପୁଣି ସେହି ପୁସ୍ତକରେ ଦୀନନାଥ ଲେଖିଛନ୍ତି- ‘ରୂପ ସର୍ଜନା ଭିତର ଜଳ ଓ ଅଗ୍ନିର ମିଳନ ମିଥୁନ ଭାବର ଜ୍ୟୋତକ । ବର୍ଗକ୍ଷେତ୍ର ଜଳ ହେଲେ ତ୍ରିକୋଣ ଅଗ୍ନିଭାବ ପ୍ରକଟ କରେ ଏବଂ ଏହା ଶେଷରେ ରାଧାକୃଷ୍ଣ ଯୁଗଳଭାବକୁ ସୃଷ୍ଟିକରି ମୂର୍ତ୍ତି ମଧ୍ୟରେ ସଞ୍ଚାରିଦିଏ । ଯେଉଁମାନେ ବିନ୍ଧାଣି ସେମାନେ ହିଁ ଏହି ଯଜ୍ଞର ପୁରୋହିତ ବା ପୁରୋଧା । ପୁରୋହିତ ଯିମିତି ଯଜ୍ଞ କୁଣ୍ଡରେ ଅଗ୍ନି ପ୍ରଜ୍ଜ୍ୱଳିତ କରି ମହାଛନ୍ଦ ରଚନା କରେ ସିମିତି ବିନ୍ଧାଣି ପଥରରେ ମୂର୍ତ୍ତି ଖୋଦନ କରି ସେହି ମହାଛନ୍ଦକୁ ହୁଁ ବିମ୍ବିତ କରେ । ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ରଚନାରେ ଯଜ୍ଞର ମହାଛନ୍ଦ ହିଁ ମିଥୁନ ଛନ୍ଦରେ ରୂପାନ୍ତରିତ ହୋଇଥାଏ ।’ କଳାରେ ଏହି ସମ୍ପର୍କ ହେଉଛି ଯଜ୍ଞର ସମ୍ପର୍କ, ଯହିଁରେ ବାସ୍ତବତାର ଗୋଟିଏ ରୂପ ମାଧ୍ୟମ ଭିତରେ ରୂପାନ୍ତରିତ ହୁଏ । ମାଧ୍ୟମ ତା'ର ମାଧ୍ୟମପଣ ହରାଇ ନୂତନ ଜୀବନ ଲାଭକରେ । ପଥର ପଥର ହୋଇ ଅବା ରଙ୍ଗ ରଙ୍ଗ ହେଇ ରହନ୍ତି ନାହିଁ । ସେମାନେ କଳାର ସତ୍ୟ ଏବଂ ସତ୍ୟର ସୌନ୍ଦର୍ଯ୍ୟ ପାଲଟିଯାଆନ୍ତି ।

 

ବାସ୍ତବତା ଏବଂ ମାଧ୍ୟମ ସହ ଶିଳ୍ପୀର ସମ୍ପର୍କ କଳ୍ପନାଦ୍ୱାରା ଋଦ୍ଧିମନ୍ତ ହୋଇ ଶିଳ୍ପୀର ଚେତନାରେ ପରିବର୍ତ୍ତନ ଆଣେ । ସାଧାରଣ ଦିଶେ ଅସାଧାରଣ ପରି । ଜଡ଼ ବସ୍ତୁ ନୂଆ ପ୍ରାଣରେ ସ୍ପନ୍ଦିତ ହୁଏ । ବସ୍ତୁର ବସ୍ତୁତ୍ୱକୁ ମୁକ୍ତ କରି ଅବସ୍ତୁରେ ରୂପାନ୍ତରିତ କରେ । ନୂତନ ସ୍ଥିତିରେ ସ୍ଥାପିତ କରେ । କଳ୍ପନା ସୂଚାଇ ଦିଏ ଯେ ବାହ୍ୟ ବାସ୍ତବତାର ବିଭିନ୍ନ ରୂପ ଭିତରେ ଏକ ଅପୂର୍ବ ସାମ୍ୟତା ରହିଛି ଏକ ଅବିଶ୍ୱାସ୍ୟ ସ୍ତର ରହିଛି ଯେଉଁଠି ସବୁ ଭିନ୍ନତା ହଜିଯାଇ ଏକାକାର ହୋଇଛି । ବସ୍ତୁ ଅବସ୍ତୁ, ସ୍ୱପ୍ନ-ସତ୍ୟ, ଅହଂ-ନାହଂ ସବୁ ସେହି ବାସ୍ତବତାରେ ଏକ ହୋଇଛନ୍ତି । ଏକ ନୂଆ ସର୍ବବ୍ୟାପି ଅସ୍ତିତ୍ୱହୀନ ମହାସ୍ଥିତି ଲାଭ କରିଛନ୍ତି । ଏହାହିଁ ବୋଧହୁଏ ‘ବ୍ରହ୍ମା'- ସବୁ ହଁର ନାହିଁ ଆଉ ନାହିଁର ହଁ । ବାହ୍ୟ ମାୟା ଭିତରେ ପ୍ରକୃତ ମହାମାୟା ସତ୍ୟର ସ୍ଥିତି । ଏପରି ଉପଲବ୍ଧି ଅର୍ଥାତ୍ ବାସ୍ତବର ଅବସ୍ତବ ସତ୍ୟତା କେବଳ ସେହି ବାସ୍ତବତା ଜରିଆରେ ହିଁ ପାଇହେବ । ତା'ର ବିଭିନ୍ନତା ଓ ଗଭୀରତା ସହ ଜୀବନର ଅନୁଭବ ଯେତେବେଳେ ଏକ ହୋଇ ଏକ କ୍ରାନ୍ତ ଇନ୍ଦ୍ରିୟ ଜଗତକୁ କଳ୍ପନାରେ ଧରିବ, ସେତେବେଳେ ସେହି ଚରମ ସତ୍ୟର ସନ୍ଧାନ ମିଳିବ । ଏହି ଅନୁଭବ ଖଣ୍ଡିତ ନୁହେଁ, ସମ୍ପୂର୍ଣ୍ଣ । ଏଠାରେ ବାସ୍ତବତା, କଳ୍ପନା, ଅହଂ, ମାଧ୍ୟମ ସବୁ ଏକାକାର ସୃଜନ ପ୍ରକ୍ରିୟାରେ । ଏହି ପ୍ରକ୍ରିୟା ତ ଦୀନନାଥଙ୍କ ‘ଯଜ୍ଞ’ର ମହାଛନ୍ଦ ।’ ଏପରି ଛନ୍ଦରେ ଶିଳ୍ପୀର ଅନୁଭବ, ବାସ୍ତବତାର ରହସ୍ୟ ସହ ମାଧ୍ୟମ ମଧ୍ୟ ପ୍ରେରଣାର ଉତ୍ସ ହୋଇଯାଏ । ବାସ୍ତବତା ପାଇଯାଏ ନୂଆ ଦିଗନ୍ତ । ସବୁ ପାଲଟି ଯାଆନ୍ତି ପରମ ସୂକ୍ଷ୍ମତାରେ । ଏଠାରେ ସତ୍ୟ ମିଥ୍ୟା ସବୁ ଏକାକାର । ଏଥିପାଇଁ ପିକାଶୋ କହିଥିଲେ, ତାଙ୍କ କଳାକୃତି ମିଥ୍ୟାର ମାୟା । ସେଗୁଡ଼ିକ ମାୟାର ଇନ୍ଦ୍ରଜାଲ ଯାହା ସତ୍ୟକୁ ପ୍ରକାଶ କରେ । ତା'ର ରହସ୍ୟକୁ ସୂଚାଇ ଦିଏ । ଏହି ମାୟାରେ ବଶ ହୋଇ ଶିଳ୍ପୀ ତା'ର ମାଧ୍ୟମକୁ କେବଳ ଏକ ଆୟୁଧରୂପେ ଦେଖିପାରେ ନାହିଁ । ମାଧ୍ୟମ ମଧ୍ୟ ସତ୍ୟର ମାୟାରେ ପରିଣତ ହୁଏ । ଯେମିତି ‘... ବିନ୍ଧାଣିଙ୍କ ବୋଲ୍ ମାନିବ । କଥା କହିବ । ମୁକ୍ତିର ଗୀତ ଗାଇବ । ମୂର୍ତ୍ତି ଆତ୍ମପ୍ରକାଶପାଇଁ ଛଟପଟ ହେବ । ତରତର ହେଇ ନିହାଣ ମାଡ଼ କୁଢ଼େଇଗଲେ ପଥର ଖାଲି ଚଡ଼କିବ, ଝଲ ଝଲ ନିଆଁ ଉହୁକିବ । ଲାଗୁଥିବ କଳା ମେଘର ଘନ ଘନ ବିଜୁଳି ଚମକୁଛି ।’ (ପୁନର୍ନବା) ଏହି ରୂପାନ୍ତର ଦ୍ୱିବିଧ । ମାଧ୍ୟମ ରୂପାନ୍ତରିତ ହୁଏ, ରୂପାନ୍ତରିତ ପୁଣି କରେ ବାସ୍ତବତାକୁ । ଏହି ଉଭୟ ରୂପାନ୍ତର ମାୟା ସୃଷ୍ଟି କରନ୍ତି ମାତ୍ର ତାହାର ଭିତରେ ଥାଏ ଆତ୍ମିକ ସତ୍ୟ । ଏଇଥିପାଇଁ ତ ସେଜାନେଙ୍କ ପାଖରେ ବସ୍ତୁ ତା'ର ସତ୍ୟ ଘନତ୍ୱ ଓ ବସ୍ତୁତ୍ୱରେ ପରିଣତ ହୁଏ । ରଙ୍ଗ, ରେଖା ସବୁ ଉତ୍ତରୀତ ହୋଇ ଆକାର ଆଉ ତେଜରେ ପରିଣତ ହୋଇ କଳ୍ପନାର ଉତ୍ସ ହୋଇଉଠେ । ସୂଚିତ ହୁଏ ଆଲୁଅର କେନ୍ଦ୍ରରେ ଥିବା ଅନ୍ଧାର ଅବା ଅନ୍ଧାର ଭିତରେ ଛପିଥିବା ଆଲୁଅର କାନ୍ତି । ଆତ୍ମାବିଷ୍କାରର ଅନ୍ୱେଷାରେ ବେଳେବେଳେ ଶିଳ୍ପୀ ଚାଲିଯାଏ ବସ୍ତୁର ବାହ୍ୟତାକୁ ଭେଦି, ଏମିତିକି ସଚେତନ ମନକୁ ଭେଦି ଅବଚେତନର ଅତଳ ଗହ୍ୱର ଭିତରକୁ । ସଚେତନ ବୁଦ୍ଧି ଯୁକ୍ତିକୁ ଟପି ଶିଶୁନିରୀହ ଆଦିସରଳତା ପାଖକୁ । ଯେଉଁଠି ସଚେତନ ଆଙ୍ଗିକତାକୁ ଭାଙ୍ଗି ପଲ୍ କ୍ଲି ପରି ଶିଳ୍ପୀ ଖୋଜନ୍ତି ଯୁକ୍ତି ଆଉ ସଚେତନତାର ସେପାରର ଅପହଞ୍ଚ ସତ୍ୟର ବୀଜକୁ । ଏହି ଅନୁସନ୍ଧାନରେ ନିହିତ ସବୁ ଉତ୍ତରଣର ପକ୍ଷ ବିସ୍ତାର । ବାସ୍ତବ ଜଗତ ସହ ଏହି ସରଳ ମନରେ ସମ୍ପର୍କ ହିଁ ଶିଳ୍ପୀକୁ ଦିଏ ଜଗତର ଜଟିଳତାର ଭେଦ । ଏପରି ମନଟି ଶିଳ୍ପୀର । ତା' ସମ୍ପର୍କର । ଭ୍ୟାନ୍ ଗଗ୍‌ଙ୍କ ଭାଷାରେ- ‘ବ୍ଲେସଡ ଆର୍ ନି ପିଓର ଅଫ୍ ହାର୍ଟ’ ପଲ୍ କ୍ଳି ଏହି ‘ପିଓର୍ ଅଫ୍ ହାର୍ଟ’କୁ ହିଁ କଳାରେ ଖୋଜିଛନ୍ତି । ତାହାରି ସାହାଯ୍ୟରେ କଳା ସୃଷ୍ଟିକରି ସତ୍ୟକୁ ନିଜ ଭାବରେ ପାଇବାକୁ ଚାହିଁଛନ୍ତି ।

 

ତେଣୁ କଳା- ସତ୍ୟର ଅନ୍ୱେଷା ଭିତରେ କେତେ ଭଙ୍ଗାଗଢ଼ାର କାହାଣୀ । ସତପାଇଁ ମିଛ ସହ କେତେ ଲୁଚକାଳି ଖେଳ । କଳା ପାରଦ-ଚପଳ ସ୍ଥିରତା । ବ୍ୟକ୍ତିସର୍ବସ୍ୱ ସାର୍ବଜନୀନତା । କ୍ରାନ୍ତ-କାଳ ଚିରନ୍ତନ ବର୍ତ୍ତମାନତା । ସେଥିପାଇଁ କଳାର ଭଙ୍ଗାଗଢ଼ା ଅନନ୍ୟ । କଳାରେ ଭାଙ୍ଗିବା ଧ୍ୱଂସ ନୁହେଁ, ଅଗଢ଼ଣ । ବାସ୍ତବତାକୁ ନିଜ ଭାବରେ ଅଗଢ଼ି କଳ୍ପନା ସାହାଯ୍ୟରେ ଆଉ ଥରେ ଗଢ଼ିବା ହେଉଛି କଳା । ଧ୍ୱଂସ ପରି ଏହା ସବୁ ଶୂନ୍ୟ କରେ ନାହିଁ । ପୂର୍ବ ସୂଚିତ ସୂକ୍ଷ୍ମତାର ପ୍ରାପ୍ତିପାଇଁ ବାସ୍ତବତାର ରୂପାନ୍ତୀକରଣ । ଏହି ଅଗଢ଼ଣ ପ୍ରକ୍ରିୟା ଏକ ଚିରନ୍ତନ ପ୍ରକ୍ରିୟା । କଳା ସାଧାରଣ ନବୀକରଣ ନୁହେଁ, ଏହା ଆତ୍ମିକ ସଜ୍ଜୀକରଣ । ଏହି ଅଗଢ଼ଣ-ଗଢ଼ଣ ଭିତରେ ଅନୁକରଣ, ଅଳଂକରଣ, ନବୀକରଣ ସବୁ ଏକାକାର । ମାନବ ଚେତନାର ସବୁ ଦିଗ, ସବୁ ଦୃଷ୍ଟିକୋଣ, ବିଶ୍ୱାସ, ଯୁକ୍ତି ସବୁ ଅଙ୍ଗାଙ୍ଗୀ । ଚେତନାର ମହାସମନ୍ୱୟ କଳା । ସତ୍ୟର ମାୟାବୀ ସୂଚନା ପୁଣି ଅଗଢ଼ଣର ସୃଷ୍ଟିଶୀଳତା ସହ ସୃଷ୍ଟିଶୀଳତାର ଗଢ଼ଣପଣ । ଏହା ବାସ୍ତବତାର କାଳ୍ପନିକ ମାନବୀ ବିକଳ୍ପ ।

 

ପୂର୍ବରୁ ସୂଚିତ ହୋଇଛି ଯେ, କଳା ସଚେତନ ଅହଂବୋଧର ସମ୍ବେଦନଶୀଳ ପ୍ରତିପାଦନ । ଏଥିରେ ସମନ୍ୱିତ ବଞ୍ଚିବାର ତୀବ୍ରତା, କଳ୍ପନାର ଉଦାରତା ଏହା ଅବାସ୍ତବ ନୁହେଁ । ବାସ୍ତବତାକୁ ଧରି ଏହା ଅତି ବାସ୍ତବତାର ସନ୍ଧାନୀ । ଏହା ବାସ୍ତବତାର ନିଚ୍ଛକ ଫଟୋଗ୍ରାଫିତା ନୁହେଁ । ଏହା ତା'ର ମାର୍ମିକ ନିର୍ଯ୍ୟାସ । ଏହା ବାସ୍ତବତାର ମାୟା ରୂପ ଏବଂ ସେଇଥିପାଇଁ ଏହା ଏତେ ସତ୍ୟ । କାରଣ ମାୟା ବି ବାସ୍ତବରେ ଏକ ସ୍ୱରୂପ । ସତ୍ୟକୁ ପାଇବାର ଏକ ସୂକ୍ଷ୍ମ ମାର୍ଗ । ଏହି ସୂକ୍ଷ୍ମତା ଜାହିର କରେ ମଣିଷର ଶିଳ୍ପୀପଣକୁ ଯାହା ଏକ କରେ ବସ୍ତୁ, ଅବସ୍ତୁ, ଜଡ଼ଚେତନା, ସତ୍ୟ ଆଉ ମିଥ୍ୟାକୁ ଗୋଟିଏ ସତ୍ୟରେ । କଳା ଅପହଞ୍ଚର ସୀମିତିକରଣ କରେ ନାହିଁ, ବରଂ କଳାର ସୀମିତତା ଭିତରେ ଅନନ୍ତତାର ସୂଚନା ଦେଇଥାଏ । କଳା ତେଣୁ ଶାନ୍ତ ଅନନ୍ତ । ଆଉ ଶିଳ୍ପୀ? ସତ୍ୟ ଆଉ ସ୍ୱପ୍ନ ଭିତରେ ଡହଳ ବିକଳ, ଗଢ଼ଣ ଅଗଢ଼ଣ ଭିତରେ ଛଇଳ-ଚପଳ ଅତି ସଚେତନ ସାଧାରଣ ମଣିଷଟିଏ । ସୃଷ୍ଟିର ସବୁ ଚପଳତାକୁ ଧରି ମହାଧ୍ରୁବର ଆଶାୟୀ । ଏହି ମହାଧ୍ରୁବ କ'ଣ ଚପଳର ଚପଳତା ? ନା ଚପଳତାର ଧ୍ରୁବପଣ ? କଳାରେ ସବୁ ଏକ ହୁଏ । ଚପଳତା ହୁଏ ଧ୍ରୁବ, ଧ୍ରୁବ ହୁଏ ଚପଳତାରେ ଚପଳ ।

•••

 

ସମୀକ୍ଷା-ଲୋଚନ

ଡକ୍ଟର ବୈରାଗୀଚରଣ ଜେନା

 

ସ୍ରଷ୍ଟା ନିଜ ସୃଷ୍ଟିର ସୌନ୍ଦର୍ଯ୍ୟ ଉପଲବ୍ଧି କରିପାରେ ନାହିଁ । ସେଥିଲାଗି ପ୍ରକୃତ ରସବେତ୍ତା ବା ରସ-ମର୍ମଜ୍ଞଙ୍କର ପ୍ରୟୋଜନ ହୋଇଥାଏ । ସ୍ରଷ୍ଟା ଓ ସମୀକ୍ଷକ ମଧ୍ୟରେ ପାର୍ଥକ୍ୟ ଦେଖାଇ ସୃଷ୍ଟି-ମାଧୁରୀ ଆସ୍ୱାଦନ, ଉପଭୋଗ ଓ ଉପଲବ୍ଧି କରିବାରେ ସମୀକ୍ଷକଙ୍କ ବିଶେଷତ୍ୱ ପ୍ରତିପାଦନ କରି ଜଣେ ଅଜ୍ଞାତ ରସିକ କବି କହିଲେ-

 

କବିତା ରସମାଧୁର୍ଯଂ କବିର୍ବେତ୍ତି ନ ତତ୍ କବିଃ

ପାର୍ବତୀ ଭ୍ରୂକୁଟିଭଙ୍ଗଂ ହରୋର୍ବେବତ୍ତି ନ ଭୂଧରଃ ।

 

ଅବଶ୍ୟ ସେ ଉଭୟଙ୍କୁ କବି ଅଭିଧା ପ୍ରଦାନ କରିଛନ୍ତି- ଯାହାକୁ ରାଜଶେଖର କାରୟିତ୍ରୀ ପ୍ରତିଭା ଓ ଭାବୟିତ୍ରୀ ପ୍ରତିଭା ନାମରେ ଅଭିହିତ କରିଥିଲେ । *ସମାଲୋଚନା ନିମନ୍ତେ କାରୟିତ୍ରୀ ଓ ଭାବୟିତ୍ରୀ- ଉଭୟ ପ୍ରତିଭା ପ୍ରୟୋଜନ । ଭାବୁକ ବା ଆଲୋଚକର ଉପକାରିକା ଭାବୟିତ୍ରୀ ପ୍ରତିଭା କବିର ପରିଶ୍ରମ ଓ ଅଭିପ୍ରାୟର ମୂଲ୍ୟାଙ୍କନ କରେ । ସାହିତ୍ୟର ରସୋପଭୋଗ ସମାଲୋଚନାର ଶେଷ କଥା । ସମୀକ୍ଷକର ଗଭୀର ରସବୋଧ ଓ ରସ-ବିଚକ୍ଷଣତାହିଁ କାବ୍ୟଗତ ସୌନ୍ଦର୍ଯ୍ୟର ଯଥାର୍ଥ ଆକଳନ କରିପାରେ । ସମାଲୋଚକର ଥିବା ଦରକାର ଏକ ନିର୍ମୋହ ରସଦୃଷ୍ଟି । ସାଧୁ ସମାଲୋଚନା ଓ ସମ୍ବେଦନଶୀଳ ଉପଭୋଗ କବି ପ୍ରତି ନୁହେଁ, କାବ୍ୟ ପ୍ରତି ଉଦ୍ଦିଷ୍ଟ ।

 

* ସା ଚ ଦ୍ୱିଧା, କାରୟିତ୍ରୀ ଭାବୟିତ୍ରୀ ଚ । କବେରୁପକୁର୍ବାଣା କାରୟିତ୍ରୀ... ଭାବକସ୍ୟ ଉପକୁର୍ବାଣା ଭାବୟିତ୍ରୀ ।

 

ମାତ୍ର ସମାଲୋଚକ କେବେହେଲେ ସ୍ରଷ୍ଟାର ଗୌରବ ଦାବି କରି ନ ପାରେ । ସ୍ରଷ୍ଟାକୁ ଶାସନ କରିବାର ଅଧିକାର ମଧ୍ୟ ସମାଲୋଚକର ନାହିଁ । ସ୍କାଲିଜରଙ୍କ ପରି ଉନ୍ନାସିକ ସମାଲୋଚକ ଯେତେବେଳେ କହନ୍ତି- କବିକୁ ସୃଷ୍ଟି କରିବା ଦାୟିତ୍ୱ ସେ ବହନ କରନ୍ତି (We undertake, therefore, to create a poet). ତରୁଣ କବି ଗେଟେଙ୍କ ପ୍ରତିକ୍ରିୟା ଶୁଣିବାକୁ ମିଳେ- Kill the dog, he is a reviewer । ଫ୍ଲୋବେୟାର୍ ମଧ୍ୟ ଏଇପରି ଦାମ୍ଭିକ ସମାଲୋଚକମାନଙ୍କୁ ଲକ୍ଷ୍ୟ କରି କହିଥିଲେ- What droll creatures these college professors are, whenever they talk about art । ପ୍ରକୃତରେ ଏଇ ପେଷାଦାର ଶିକ୍ଷା-ସମ୍ବନ୍ଧୀୟ ସମୀକ୍ଷକମାନେ କଳାର ରସରୂପଟିକୁ ନ ଚିହ୍ନି ତାହାର କଙ୍କାଳ ଘେନି ଯୁକ୍ତି ତର୍କରେ ମାତି ରହନ୍ତି । ରସବୋଧହୀନ ତଥ୍ୟବହୁଳ ଗଦ୍ୟରେ ସେମାନେ ଯାହା କହନ୍ତି ସେଥିରେ ସାହିତ୍ୟର ଶ୍ୱାସରୁଦ୍ଧ ହୁଏ । ଆତ୍ମମ୍ଭରିତା ସମାଲୋଚନାର ଶତ୍ରୁ । ଚିହ୍ନରା-ଗ୍ରାହକ, ବିବେକୀ-ଗ୍ରାହକ ବିନା କଳା-ଲକ୍ଷ୍ମୀଙ୍କର ରସ ମାଧୁରୀର ପ୍ରକୃତ ଆସ୍ୱାଦନ ସମ୍ଭବ ହୁଏ ନାହିଁ । ସେଥିପାଇଁ ଭବଭୂତି ନିରବଧି କାଳ ଓ ବିପୁଳା ପୃଥ୍ୱୀର ସମାନଧର୍ମା, ପାଠକମାନଙ୍କ ରସବୋଧ ଉପରେ ସ୍ୱରଚନାର ରସ-ଗ୍ରହଣର ଦାୟିତ୍ୱ ଅର୍ପଣ କରିଥିଲେ ।

 

ସମାଲୋଚନା କଦାପି ସ୍ୱାଧିକାରପ୍ରମତ୍ତ ନୁହେଁ, ତାହାର ତାତ୍ତ୍ୱିକ ଲକ୍ଷ୍ୟ ଥିବା ଉଚିତ । ସମାଲୋଚନାର ପ୍ରତିଷ୍ଠିତ ଆଦର୍ଶ ସମ୍ବନ୍ଧରେ ସମାଲୋଚକଙ୍କୁ ଅବହିତ ହେବାକୁ ପଡ଼ିବ । ସମାଲୋଚନା ଦୋଷଦର୍ଶନ ନୁହେଁ, ସ୍ତୁତି ନୁହେଁ, ବ୍ୟକ୍ତି ମନର ଅବାରିତ ଉଚ୍ଛ୍ୱାସପୂର୍ଣ୍ଣ ପ୍ରଶଂସାବାଦ ନୁହେଁ କି କୁତ୍ସାପୂର୍ଣ୍ଣ ନିନ୍ଦାବାଦ ନୁହେଁ । ଅନୁଦାରତା ସମାଲୋଚକର ମତକୁ ବିଭ୍ରାନ୍ତ କରେ ।

 

ସମାଲୋଚନାରେ ସମାଲୋଚକର ଆତ୍ମମୁକ୍ତି ଘଟେ । ପାଠକ ଓ ଲେଖକ ମଧ୍ୟରେ ସେ ସଂଯୋଗ ସେତୁରୂପେ କାର୍ଯ୍ୟ କରନ୍ତି । ମହାମତି କାର୍ଲାଇଲ୍ କହିଛନ୍ତି- Criticism stands like an interpreter between the inspired and uninspired, between the prophet and those who hear the melody of his words. ସେ ସମାଲୋଚନା ମାଧ୍ୟମରେ ପାଠକ ମନ ସହିତ ଲେଖକ ମନର ସଂଯୋଗ ସ୍ଥାପନ କରନ୍ତି । ସମାଲୋଚକ ଜଣେ ବ୍ୟକ୍ତି ହେଲେ ମଧ୍ୟ ସେ ସର୍ବମାନବର ପ୍ରତିନିଧିରୂପେ ସାର୍ବଜନୀନ ରୁଚି ପ୍ରତି ଧ୍ୟାନ ରଖି କଥା କହନ୍ତି ।

 

ସମାଲୋଚନା କାବ୍ୟ-ବିଶେଷଜ୍ଞ ଓ ବିଦଗ୍‌ଧମାନଙ୍କର କାର୍ଯ୍ୟ । ନିତ୍ୟ ରସ-ବସ୍ତୁମାନଙ୍କର ସମ୍ପର୍କରେ ଆସି ଯାହାଙ୍କର ରସ-ଗ୍ରହଣ ଯୋଗ୍ୟତା ଲାଭ ହୋଇଛି ଓ ତଟସ୍ଥଭାବେ ଯେ, କାବ୍ୟ-ସାହିତ୍ୟର ବିଚାର କରନ୍ତି ତାଙ୍କର ସମାଲୋଚନା ଉପଯୁକ୍ତ ମର୍ଯ୍ୟାଦା ଲାଭ କରେ । ଭାରତୀୟ ସାହିତ୍ୟ ଶାସ୍ତ୍ରରେ କଥିତ ‘ସହୃଦୟ' ସହିତ ପାଶ୍ଚାତ୍ୟ ସାହିତ୍ୟ ଶାସ୍ତ୍ରର ସମାଲୋଚକର ତୁଳନା ହୋଇ ନପାରେ । ବସ୍ତୁତଃ ଭାରତୀୟ ରସଶାସ୍ତ୍ରର ‘ସହୃଦୟ' ଜଣେ ବିଚାରକ ନୁହନ୍ତି, ସେ ଏକ ସୂକ୍ଷ୍ମ ସମ୍ବେଦନଶୀଳ ହୃଦୟର ଅଧିକାରୀ, ଯେ କଳାକାନନରେ ନିଜର ମାନସ-ଅଭିସାରର ଅନୁଭୂତି ବ୍ୟାଖ୍ୟା କରନ୍ତି । ଅଭିନବ ଗୁପ୍ତ କହିଛନ୍ତି- ‘ଅଧିକାରୀ ଚାତ୍ର ବିମଳ-ପ୍ରିତିଭାନଶାଳୀ ହୃଦୟ'- ଯାହାଙ୍କର ହୃଦୟ ବିମଳ ପ୍ରତିଭାନଶାଳୀ ସେମାନେ ନାଟ୍ୟ ବା କାବ୍ୟ ଆସ୍ୱାଦନର ଅଧିକାରୀ, ସେହିମାନେ ହିଁ ସହୃଦୟ ।

 

ସମାଲୋଚନା ସାହିତ୍ୟର ପରିଚୟ- ଯେଉଁ ପରିଚୟ ଆମର ଘଟି ନଥାଏ, ସମାଲୋଚକଙ୍କ ଦୃଷ୍ଟି-ପ୍ରସାଦରୁ ସୃଷ୍ଟି ସହିତ ଆମର ସେହି ପରିଚୟ ଘଟେ । ସେଥିରେ ଆମେ ଶୁଣିବାକୁ ପାଉଁ ତାଙ୍କର ଧ୍ୟାନ ଧାରଣାର କଥା । ସମାଲୋଚନାଦ୍ୱାରା ସାଧାରଣ ପାଠକର ଦୃଷ୍ଟିକୋଣ ଓ ଅନୁଭୂତିର କ୍ଷେତ୍ର ସଂପ୍ରସାରିତ ହୁଏ । କବି ତାଙ୍କର କବିତାରେ ସମାଧି-ଅବସ୍ଥାରେ କିପରି ପହଞ୍ଚି କଳାତ୍ମକ ନିଷ୍ଠା ପ୍ରଦର୍ଶନ କରିଛନ୍ତି ପାଠକ-ଚିତ୍ତର ସଂଯୋଗ ସେଇ ସମାଧି-ଅବସ୍ଥା ସହିତ ଘଟାଇ ଦେବାହିଁ ସମାଲୋଚକର କାର୍ଯ୍ୟ ।

 

ସାହିତ୍ୟ ବିଚାରରେ ପରିପକ୍ୱ ବୁଦ୍ଧି ଓ ଅଭିଜ୍ଞତାକୁ ମଧ୍ୟ ସ୍ୱୀକାର କରିବାକୁ ପଡ଼େ; ମାତ୍ର ପାଣ୍ଡିତ୍ୟ ଓ ସମାଲୋଚନା ଭିନ୍ନ । ରେନେ ୱେଲେକ୍ ଆମକୁ ସାବଧାନ କରିଦେଇଛନ୍ତି- But erudition must not be confused with criticism । ଶିକ୍ଷା ସଂସ୍କୃତି ସମ୍ପନ୍ନ, ସାହିତ୍ୟବୋଧ ବା ପ୍ରତିଭାନଶାଳୀ ହୃଦୟର ଅଧିକାରୀ ବ୍ୟକ୍ତିହିଁ ସମାଲୋଚନାରେ ଯଶସ୍ୱୀ ହୋଇଥାନ୍ତି । ଆର୍‌ନୋଲ୍‌ଡ କହିଛନ୍ତି- ସମଗ୍ର ପୃଥିବୀରେ ଜ୍ଞାନୀ ଲୋକଙ୍କଦ୍ୱାରା ଚିନ୍ତିତ ଓ ବିଦିତ ଭାବଧାରା ସହ ପରିଚିତ ହୋଇ ତାକୁ ବିସ୍ତାର କରିବା, ବିପୁଳ ଓ ସତ୍ୟମୂଳକ ମତ ପ୍ରତିଷ୍ଠା କରିବାର ସାଧୁ ଉଦ୍ୟମହିଁ ସମାଲୋଚନା ।

 

* Criticism is a disinterested endeavour to learn and propagate the best that is thought and known in the world and thus to establish a current of fresh and true ideas.

 

ସମ୍ୟକ୍ ଆଲୋଚନା କହିଲେ ସାହିତ୍ୟର ପ୍ରକରଣ ଓ ଭାବସୌନ୍ଦର୍ଯ୍ୟ ତଥା ସ୍ରଷ୍ଟାର ସୃଷ୍ଟିମାନସ-ସମଗ୍ର ଅଧ୍ୟୟନକୁ ବୁଝାଏ । ସମାଲୋଚକର ବିଷ୍ଳେଷଣୀ ବିଚାରଶକ୍ତି ସୃଷ୍ଟିରସ୍ୱରୂପ ଜିଜ୍ଞାସା କରିବା ସଙ୍ଗେ ସମାଲୋଚିତ ଗ୍ରନ୍ଥ ଓ ଗ୍ରନ୍ଥକାରଙ୍କର ରସଦୃଷ୍ଟି, ସୌନ୍ଦର୍ଯ୍ୟ-ଚେତନା ତଥା ସମାଲୋଚନା-ରସ ପରିବେଷଣ କରେ । କାବ୍ୟଭାବ କହିଲେ ବୁଝାଏ କବି ଅନ୍ତରର ରୂପ । କବିଚିତ୍ତର କେଉଁ ରୂପ କବିତାରେ ଫୁଟିଛି ସମାଲୋଚକ ତାହାର ଆସ୍ୱାଦନ ଓ ଅନୁଶୀଳନ କରନ୍ତି-

 

ସମାଲୋଚକର ବ୍ୟକ୍ତିତ୍ୱ ବହୁଶ୍ରୁତତ୍ତ୍ୱ, ଅନ୍ତର୍ଦୃଷ୍ଟି, ଅନୁଭୂତି, ବିଚାରବୁଦ୍ଧି, ରସଗ୍ରାହିତା, ସହାନୁଭୂତି ଓ ପ୍ରକାଶ କ୍ଷମତା ଉପରେ ସମାଲୋଚନାର ସାର୍ଥକତା ନିର୍ଭର କରେ । ଅବଶ୍ୟ ରୁଚିର ତାରତମ୍ୟ ଅନୁସାରେ ସମାଲୋଚନାରେ ତାରତମ୍ୟ ଘଟିପାରେ । ମାତ୍ର ଶିଳ୍ପ-ସାହିତ୍ୟର ବିଚାର ବିଶ୍ଳେଷଣ ନାନା ପଥରେ ଗତି କଲେ ମଧ୍ୟ ଶିଳ୍ପର ରସ ସୌନ୍ଦର୍ଯ୍ୟ ଅଖଣ୍ଡ । ସାହିତ୍ୟ ବିଚାରରେ ସାହିତ୍ୟର ସର୍ବକାଳୀନ ରୁଚିକୁ ପ୍ରାଧାନ୍ୟ ଦେବା ଉଚିତ । ସମକାଳୀନ ରୁଚି ଓ ମାନଦଣ୍ଡ କେବଳ ସମକାଳୀନ ସାହିତ୍ୟ ପ୍ରତି ପ୍ରଯୁଜ୍ୟ ହୋଇପାରେ; ମାତ୍ର ଯେଉଁ ମୂଲ୍ୟବାନ ଯୁଗ ଯୁଗ ଧରି ସାହିତ୍ୟ ବିଚାରରେ ଗୃହୀତ ଅନୁସୃତ ଓ ଉଦ୍‌ଘୋଷିତ ଓ ଯାହାକୁ ବହୁ କବି ସମୀକ୍ଷକ ସ୍ୱୀକୃତି ଦାନ କରି ସାରିଛନ୍ତି ତାହା ଚିରାୟତ୍ତ ସାହିତ୍ୟଶାସ୍ତ୍ରରୂପେ ଗୃହୀତ ହେବା ଉଚିତ ।

 

ଅଦୀକ୍ଷିତ ସମାଲୋଚକର ମତ ନାନା ବିଭ୍ରାନ୍ତି ସୃଷ୍ଟି କରେ । ସମାଲୋଚକର ଅସ୍ୱଚ୍ଛ ଦୃଷ୍ଟି ସାହିତ୍ୟର ପ୍ରାଣଧର୍ମର କ୍ଷତି ସାଧନ କରିବା ସଙ୍ଗେ ପାଠକର ରସାନୁଭୂତିରେ ମଧ୍ୟ ବ୍ୟାଘାତ ସୃଷ୍ଟି କରେ । ଉଦାରତା ପ୍ରକୃତ ସମାଲୋଚକର ଧର୍ମ । ଦାର୍ଶନିକ ମନନ, ରସଜ୍ଞାନ, ବୋଧ ଓ ଚିନ୍ତା, ଯୁକ୍ତିର ତୀକ୍ଷ୍‌ଣତା ଓ ସର୍ବୋପରି ସମାଲୋଚକର ରସ ବିଚାରର ମାନଦଣ୍ଡ ସମାଲୋଚନାକୁ ବଳିଷ୍ଠ କରେ ।

 

ପୃଥିବୀର ବହୁ ସମାଲୋଚନୀ-ପ୍ରତିଭା ଶିଳ୍ପ-ସାହିତ୍ୟର ବିଚାର ଆଲୋଚନାରେ ଆତ୍ମନିୟୋଗ କରିଛନ୍ତି । ପ୍ଲେଟୋ-ଆରିଷ୍ଟୋଟଲ୍‌-ଲଂଜାଇନସ୍‌-ସିଡନି-ଲେସିଂ-କୋଲ୍‌ରିଜ୍‌-ଆର୍‌ନୋଲ୍‌ଡ-ପାଟର-କ୍ରୋଚେ-ଟଲଷ୍ଟୟ ପ୍ରଭୃତି ପାଶ୍ଚାତ୍ୟ କବି ମନୀଷୀମାନେ ସାହିତ୍ୟ ବିଚାରର ସରଣୀ ପ୍ରସ୍ତୁତ କରିଯାଇଛନ୍ତି । ଭାରତୀୟ ପ୍ରଜ୍ଞାର ପ୍ରତିଭୂ ଭରତ-ଭାମହ-ଦଣ୍ଡୀ- ଆନନ୍ଦବର୍ଦ୍ଧନ-ଅଭିନବ ଗୁପ୍ତ- ମମ୍ମଟ- ଜଗନ୍ନାଥ ଆଦି କାବ୍ୟ-ଜିଜ୍ଞାସାରେ ଅସାଧାରଣ ନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି । ସୃଷ୍ଟିକର୍ମର ବିଚାର, ବିଶ୍ଳେଷଣ ଓ ମୂଲ୍ୟାବଧାରଣର ନାନା ମାର୍ଗ ଉଦ୍‌ଘାଟିତ ହୋଇଛି-। ସମକାଳୀନ ସମାଲୋଚନା ଯେତେ ଅତି ସମ୍ପନ୍ନ ହେଲେ ମଧ୍ୟ ପୂର୍ବାଚାର୍ଯ୍ୟମାନଙ୍କର ମତକୁ ସମ୍ମାନ ଦେବାକୁ ହେବ । ଏ କ୍ଷେତ୍ରରେ ଅଭିନବ ଗୁପ୍ତ ଆମର ଆଦର୍ଶ ହେବା ଉଚିତ-

 

ତସ୍ମାତ୍ ସତାମତ୍ର ନ ଦୂଷିତାନି

ମତାନି ତାନ୍ୟେବ ତୁ ଶୋଧିତାନି ।

 

ପୂର୍ବାଚାର୍ଯ୍ୟମାନଙ୍କର ମତକୁ ସମ୍ପୂର୍ଣ୍ଣ ପରିହାର ନ କରି, ସେମାନଙ୍କର ମତକୁ ଶୋଧନ ଓ ନିର୍ଦ୍ଦୋଷ କରି ଗ୍ରହଣ କରିବାକୁ ହେବ । ସମାଲୋଚକ ଏଇ ଧର୍ମ ସମ୍ବନ୍ଧରେ ବିସ୍ମୃତ ହେଲେ ବିଭ୍ରାଟ ଘଟିବା ସୁନିଶ୍ଚିତ ।

 

ଭାରତୀୟ ମନୀଷା ଯେ କାବ୍ୟତତ୍ତ୍ୱର ଜଟିଳ ଓ ଗହନ ବିଷୟରେ ଚିନ୍ତା କରିଥିଲା ଭାରତୀୟ ସାହିତ୍ୟଶାସ୍ତ୍ରର ନାନା ସିଦ୍ଧାନ୍ତ ଓ ସଂପ୍ରଦାୟଗୁଡ଼ିକରୁ ତାହାର ପ୍ରମାଣ ମିଳେ । ସାହିତ୍ୟର ଦେହ ଓ ଆତ୍ମା ଘେନି ଭାରତୀୟ ଆଚାର୍ଯ୍ୟମାନେ ନିପୁଣ ଆଲୋଚନା କରିଯାଇଛନ୍ତି । ଅବଶ୍ୟ କବିର ମନୋଜଗତ କଥା ସଂସ୍କୃତ ସାହିତ୍ୟ ତତ୍ତ୍ୱରେ ଅଧିକ ସ୍ଥାନ ପାଇନାହିଁ । ଅଳଙ୍କାରବାଦ କାବ୍ୟ ବିଚାରରେ ବହିରଙ୍ଗ ବିଳାସୀ ହୋଇ କାବ୍ୟ-ନାୟିକାର ଅଙ୍ଗଲାବଣ୍ୟରେ ମୁଗ୍‌ଧ ହୋଇଛି । ମାତ୍ର ରସ-ଧ୍ୱନିବାଦ ସଂସ୍କୃତ ସାହିତ୍ୟଶାସ୍ତ୍ରର ମୌଳିକ ସିଦ୍ଧାନ୍ତ । ରସବାଦ ପୂର୍ବ ସମସ୍ତ ବାଦକୁ କୁକ୍ଷୀଗତ କରି ରସ-ସାର୍ବଭୌମତ୍ୱ ପ୍ରତିଷ୍ଠା କରିଛି । ଧ୍ୱନିବାଦ (ବ୍ୟଂଜନା) ଏକ ଅଭିନବ ସିଦ୍ଧାନ୍ତ, ଯାହା ଆଜି ପାଶ୍ଚାତ୍ୟ ସାହିତ୍ୟଶାସ୍ତ୍ରୀମାନଙ୍କଦ୍ୱାରା ଅନ୍ୟ ରୂପରେ ସ୍ୱୀକୃତ ହେଉଛି ।

 

ଭାରତୀୟ ଆଚାର୍ଯ୍ୟମାନେ କାବ୍ୟବୋଦ୍ଧା ସହୃଦୟର ହୃଦୟବୃତ୍ତି ଉପରେ ଗୁରୁତ୍ୱ ଦେଉଥିଲେ । ସାହିତ୍ୟ ସମାଲୋଚନାର ଅପର ପକ୍ଷ ବା ଆଶ୍ରୟ ହେଉଛି ପାଠକ । ସଂସ୍କୃତ କାବ୍ୟତତ୍ତ୍ୱ ପାଠକ ହୃଦୟର ରସ-ପ୍ରତିକ୍ରିୟା ଓ ରସ-ପରିଣତି ଦୃଷ୍ଟିରୁ କାବ୍ୟର ମୂଲ୍ୟ ବିଚାର କରିଛି । ତାତ୍ତ୍ୱିକ ଆଲୋଚକମାନଙ୍କ ଭିନ୍ନ କାବ୍ୟ-ନାଟକାଦିର ପ୍ରାୟୋଗିକ ସମାଲୋଚନା ଦୃଷ୍ଟିରୁ ପ୍ରାଚୀନ ଟୀକାକାରମାନଙ୍କର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ । ଏଇ ଟୀକାକାରମାନଙ୍କୁ ନିରପକ୍ଷ ସମାଲୋଚକ କୁହାଯାଇପାରେ, କାରଣ କଳାକୃତି ବ୍ୟତୀତ ସେମାନେ ଅନ୍ୟ ବିଷୟ ଉତ୍‌ଥାପନ କରୁନଥିଲେ ।

 

ଲଂଜାଇନସ୍‌ଙ୍କ କାବ୍ୟତତ୍ତ୍ୱ ସାହିତ୍ୟର ଆଦର୍ଶ ବିଷୟରେ ସମୁନ୍ନତି (ecstasy) ବା ରସ-ଚମତ୍‌କୃତିକୁ ପ୍ରାଧାନ୍ୟ ଦିଏ । ସମାଲୋଚକ ଶ୍ରେଷ୍ଠ ସାହିତ୍ୟରୁ ସେଇ ଗୁଣ ଖୋଜି ଦେଖାଇ ଦେବେ । ରଚନା ରୀତି, ଆବେଗ, ସୌନ୍ଦର୍ଯ୍ୟ, ସଂକ୍ରମଣ ଓ ଏକାତ୍ମତା ପ୍ରଭୃତି କାବ୍ୟଗୁଣ ସମ୍ବନ୍ଧରେ ତାଙ୍କର ଅଖଣ୍ଡ ପ୍ରତ୍ୟୟ ଥିଲା । ଆନନ୍ଦ, ଶିଳ୍ପ-ସୌନ୍ଦର୍ଯ୍ୟ ଓ ମହତ୍ତ୍ୱ- ଏହାହିଁ ଉଚ୍ଚ ସାହିତ୍ୟର ଫଳଶ୍ରୁତି । ମହତ୍ ଶିଳ୍ପ ଲକ୍ଷଣ ଓ ଶିଳ୍ପର ଆବେଗ ନିର୍ଣ୍ଣୟ କରି ସେ ଶ୍ରେଷ୍ଠ ସାହିତ୍ୟର ବିଚାର କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

 

କବି-ସମାଲୋଚକ କୋଲରିଜ୍‌ଙ୍କର ରସବୋଧ, ତତ୍ତ୍ୱଦୃଷ୍ଟି ଓ ବିଚାର ବିଶ୍ଳେଷଣ ସମାଲୋଚକରୂପେ ତାଙ୍କୁ ଯଶସ୍ୱୀ କରିଛି ।

 

ଆଧୁନିକ କାଳରେ କ୍ରୋଚେ ସମାଲୋଚକର ରସାସ୍ୱାଦନ ଓ ବିଚାର ବୁଦ୍ଧିର ସ୍ୱାଧୀନତାର ପ୍ରବଳ ପକ୍ଷପାତୀ । ସେ କହିଛନ୍ତି, ସାହିତ୍ୟର ବିଚାର ସୁନ୍ଦର ଅସୁନ୍ଦର ଘେନି କରାଯିବା ଉଚିତ । ସମାଲୋଚନାରେ ସେ ବୁଦ୍ଧିକୁ ପରିହାର କରି ପ୍ରତିଭାନ ବା ସ୍ୱଜ୍ଞା (intuition)କୁ ଗ୍ରହଣ କରିଥିଲେ । ଏଇ ପ୍ରତିଭାନବାଦୀ ସମାଲୋଚନା ସୌନ୍ଦର୍ଯ୍ୟବାଦୀ ସମାଲୋଚନା ନାମରେ ପରିଚିତ । କ୍ରୋଚେ ସାହିତ୍ୟ ପାଠ ଫଳରେ ପାଠକ ମନରେ ଯେଉଁ ଭାବାନୁଷଙ୍ଗ ଜନ୍ମ ଲାଭ କରେ ତାହାକୁ ଯଥାର୍ଥ ସମାଲୋଚନା କହୁଥିଲେ ।

 

ଶିଳ୍ପ-ସାହିତ୍ୟର ଜଣେ ରସଗ୍ରାହୀ ସମାଲୋଚକରୂପେ ପାଟରଙ୍କ ନାମ ବିଶେଷ ସ୍ମରଣୀୟ । ତାଙ୍କର ‘ରେନେସାଁ’ ଗ୍ରନ୍ଥକୁ ଜଣେ ଲେଖକ କହିଥିଲେ- ଆତ୍ମଜୀବନୀମୂଳକ କବିତା (autobiographical poetry) । ଏ ଧରଣର ସମାଲୋଚନା ଗ୍ରନ୍ଥକୁ ଦୃଷ୍ଟିରେ ରଖି ଜର୍ଜ ମୁର୍ ସମ୍ଭବ କହିଥିଲେ- that criticism is rather “the story of the critic's soul than... an exact science” ସମାଲୋଚନାକୁ ଏକ ଖାଣ୍ଟି ବିଜ୍ଞାନ କହିବାକୁ ସେ କୁଣ୍ଠିତ । କାରଣ ସମାଲୋଚନା ହେଉଛି ସମାଲୋଚକ ଆତ୍ମାର କାହାଣୀ, ହୃଦୟାନୁଭୂତିର ଯଥାର୍ଥ ଅଭିବ୍ୟକ୍ତି । ସମାଲୋଚନା ହେବ, ଆନାତୋଲ ଫ୍ରାଁଙ୍କ ଭାଷାରେ- ମହତ୍ ରଚନାବଳୀ ସମ୍ବନ୍ଧରେ ସମ୍ବେଦନଶୀଳ ଆତ୍ମାର ଚମକପ୍ରଦ ଅନୁଭୂତିର ସୂକ୍ଷ୍ମ ବର୍ଣ୍ଣନା (a sensitive soul detailing his adventures among masterpieces) । ସମାଲୋଚକ ମନରେ ଏକ କୃତି କି ପ୍ରତିକ୍ରିୟା ସୃଷ୍ଟି କରିଛି ତାହାକୁ ସୁଷ୍ଠୁରୂପେ ପ୍ରକାଶ କରିବା ଆତ୍ମମୁଖୀନ ସମାଲୋଚନାର ଉଦ୍ଦେଶ୍ୟ । ଯେଉଁ ସମାଲୋଚକମାନେ କୌଣସି ଗୋଷ୍ଠୀଭୁକ୍ତ ନୁହନ୍ତି, କୌଣସି ଗୋଟିଏ ବିଶେଷ ମତାଦର୍ଶ ପ୍ରତି ଯାହାଙ୍କର ଆନୁଗତ୍ୟ ନାହିଁ, ସେମାନଙ୍କ ସମାଲୋଚନାକୁ ଆତ୍ମମୁଖୀନ ସମାଲୋଚନା କୁହାଯାଏ । କୌଣସି ରଚନା ପାଠକରି ପାଠକ ଯେଉଁ ଆନନ୍ଦ ଲାଭ କରିଥାଏ, ସମାଲୋଚନା ଯଦି ତତ୍ତୁଲ୍ୟ ଆନନ୍ଦ ଦେଇ ପାରେ, ତେବେ ତାହା ସୃଷ୍ଟିଧର୍ମୀ ହୁଏ । କାରଣ ପାଠକ ଯେଉଁ ସୌନ୍ଦର୍ଯ୍ୟ ଓ ତାତ୍ପର୍ଯ୍ୟ ଦେଖିପାରି ନଥିଲେ କି ଧରିପାରି ନଥିଲେ ତାହାକୁ ଆବିଷ୍କାର କରିବାରେ ଏହା ତାଙ୍କୁ ସମର୍ଥ କରେ । ଏ ଧରଣର ସମାଲୋଚନା ସୃଷ୍ଟିଶୀଳ, ଏହାକୁ ଭିନ୍ନ ଏକ ଶିଳ୍ପ କୁହାଯାଇପାରେ । ସୃଷ୍ଟି ଭଳି ସମାଲୋଚନା ଏକ ନୂତନ ସୃଷ୍ଟି ହେବା ଉଚିତ ।

 

ରବୀନ୍ଦ୍ର ନାଥ ବ୍ୟାଖ୍ୟାଧର୍ମୀ ସମାଲୋଚନା ବିଷୟରେ କହିଛନ୍ତି- ‘ପୂଜାର ଆବେଗ ମିଶ୍ରିତ ବ୍ୟାଖ୍ୟାହିଁ ମୋ' ମତରେ ପ୍ରକୃତ ସମାଲୋଚନା- ଏଇ ଉପାୟରେ ଏକ ହୃଦୟର ଭକ୍ତି ଅନ୍ୟ ଏକ ହୃଦୟରେ ସଞ୍ଚାରିତ ହୁଏ... ଯଥାର୍ଥ ସମାଲୋଚନା ପୂଜା... ସମାଲୋଚକ ପୂଜାରି ପୁରୋହିତ ସେ ନିଜର ଅଥବା ସର୍ବସାଧାରଣର ଭକ୍ତିବିଗଳିତ ବିସ୍ମୟକୁ ବ୍ୟକ୍ତ କରନ୍ତି ମାତ୍ର ।’

 

ରବୀନ୍ଦ୍ର ନାଥଙ୍କ ମତରେ, ସମାଲୋଚନାର କାର୍ଯ୍ୟ ହେଲା- ବ୍ୟାଖ୍ୟା, ପରିଚୟ ଓ ବିଚାର ।

କବି-ସମାଲୋଚକ ଇଲିୟଟ ମଧ୍ୟ ଦର୍ଶାଇଛନ୍ତି- ତୁଳନା ଓ ବିଶ୍ଳେଷଣ ସମାଲୋଚକର ଅସ୍ତ୍ର, ଏ ଦୁଇଟିକୁ ବ୍ୟବହାର କରିବାକୁ ହେବ ।

 

ସାଧାରଣତଃ ସମାଲୋଚକମାନଙ୍କୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇପାରେ- କବି-ସମାଲୋଚକ ଓ ପେଷାଦାର ସମାଲୋଚକ । କବି-ସମାଲୋଚକ ପୁଣି ପୂର୍ବକାଳ ଓ ସ୍ୱକାଳର କୃତି ସମାଲୋଚନା ଦୃଷ୍ଟିରୁ ଦ୍ୱିବିଧ । କବି-ସମାଲୋଚକ ସ୍ୱକୀୟ କାବ୍ୟାଦର୍ଶ ଦୃଷ୍ଟିରୁ-ନିଜେ ଯେଉଁ କାବ୍ୟ-ବିଶ୍ୱାସ ପୋଷଣ କରନ୍ତି ସେଇ ମାଧ୍ୟମରେ ବିଚାର କରନ୍ତି । କବି-ସମାଲୋଚନା ଓ ସାଧାରଣ ସମାଲୋଚକର ସମାଲୋଚନା ମଧ୍ୟରେ ପାର୍ଥକ୍ୟ ରହିବା ସ୍ୱାଭାବିକ । କବି-ସମାଲୋଚକର ସମାଲୋଚନାକୁ ବ୍ୟକ୍ତିଗତ ସମାଲୋଚନା କୁହାଯାଇପାରେ । ଏ ଧରଣର ସମାଲୋଚନାର ଉପଯୋଗିତା ଓ ମୂଲ୍ୟ ଅସ୍ୱୀକାର କରି ହେବନାହିଁ । କାବ୍ୟ-ପାଠର ଉଦ୍ଦେଶ୍ୟ ହେଲା- ପ୍ରଶଂସା, ଉପଭୋଗ ଓ ପ୍ରେମ କରିବା- ଯାହାର ଅନ୍ୟ ନାମ ପୂଜା । ସମାଲୋଚନା ଏକ ପ୍ରକାର ବୀରପୂଜା । ତେଣୁ କବିମାନଙ୍କ ସମାଲୋଚନା ପଢ଼ି ଆମେ କବିତାର ଯଥାର୍ଥ ଅବବୋଧ ଓ ରସୋପଲବ୍ଧି କରି ପାରିବା ।

 

ମାତ୍ର ପେଷାଦାର ସମାଲୋଚକ କବିମାନଙ୍କର ସମାଲୋଚନାକୁ ବ୍ୟକ୍ତିଗତ ଭଲ ଲାଗିବା ମନ୍ଦ ଲାଗିବାର ଉଦ୍‌ଗାରରୂପେ ମନେ କରନ୍ତି । ସେପରି ସମାଲୋଚନାକୁ ସେ ସୌଖିନ, ଉପର-ଠାଉରିଆ, ଅବିଧିବଦ୍ଧ, ଅବୈଜ୍ଞାନିକ ଓ ଉଚ୍ଛ୍ୱାସସର୍ବସ୍ୱ ମନେ କରନ୍ତି । ସେ ଚାହାନ୍ତି, ସାହିତ୍ୟର ବିଚାର ବସ୍ତୁଗତ ହେବା ଉଚିତ । ମାତ୍ର କବିତାର ରସାସ୍ୱାଦ ଯେଣୁ ଏକ ବ୍ୟକ୍ତିଗତ ବ୍ୟାପାର, କେବଳ ବସ୍ତୁଗତ ବିଚାର ସ୍ପୃହଣୀୟ ନୁହେଁ ।

 

ପେଷାଦାର ସମାଲୋଚକ ପ୍ରତ୍ୟେକ କୃତିରେ ଏକ ମୂଲ୍ୟଜ୍ଞାପନ ସୂଚୀ ଲଗାଇ ଦିଅନ୍ତି-। ସତେ ଯେପରି ସେ ଜଣେ ମୂଲ୍ୟ ନିର୍ଦ୍ଧାରକ କର୍ମଚାରୀ ! ଏହା ଏକ ଅର୍ଥହୀନ ପଦ୍ଧତି । କାରଣ ଏହାଦ୍ୱାରା କଳାକୃତିକୁ ଏକ ମୃତ ବସ୍ତୁ, ଆଉ ପାଠକକୁ ଜଣେ ନିର୍ଲିପ୍ତ ବାହ୍ୟ ବ୍ୟକ୍ତିରୂପେ ବିଚାର କରାଯାଏ । ମାତ୍ର ପ୍ରତ୍ୟେକ କଳାବସ୍ତୁର ଏକ ନିଜସ୍ୱ ଜୀବନ ଅଛି, ଏକ ତାତ୍ପର୍ଯ୍ୟ ଅଛି ଓ ପାଠକର ମାନସିକ ବା ସାମ୍ବେଗିକ ଅବସ୍ଥା ସହିତ ଏକ ସମ୍ପର୍କ ଅଛି । ପାଠକକୁ ପ୍ରତ୍ୟକ୍ଷଭାବେ ସଂପ୍ରେରିତ କରିବାକୁ କବିତାର ଶକ୍ତି ଓ ପ୍ରାଣସତ୍ତା ଥିଲେ ଜଣେ ସମାଲୋଚକର ପୌରହିତ୍ୟ ରୂପକ ମଧ୍ୟସ୍ଥତା ନିଶ୍ଚୟ ତାହାର ଶକ୍ତିକୁ ଖର୍ବ କରିବ । ରାମାୟଣ ମହାଭାରତ ପ୍ରଭୃତି ଶ୍ରେଷ୍ଠ ରଚନାର ସାମଗ୍ରିକ ବିଚାର, ବିଶ୍ଳେଷଣ ଓ ମୂଲ୍ୟାଙ୍କନ ଯଦି ସର୍ବକାଳପାଇଁ କରି ଦିଆଯାଏ ଓ ତାହା ଯଦି ଅପରିବର୍ତ୍ତନୀୟବୋଲି ଦାବି କରାଯାଏ (ମଲ୍ଲୀନାଥ ପ୍ରଭୃତିଙ୍କ ଟୀକା ଭଳି) ତେବେ କେଉଁ ସମାଲୋଚକ ବା ପାଠକ ସନ୍ତୁଷ୍ଟ ହେବେ ? ପ୍ରଶ୍ନ ଉଠେ ଏହା ଆଦୌ ସମ୍ଭବ କି ? ରାମାୟଣ ମହାଭାରତର ଏକ ସ୍ୱକୀୟ ପ୍ରାଣସତ୍ତା ଅଛି, ଯାହା କେତେକ କାଳରେ ଓ କେତେକ ପାଠକଙ୍କ ନିକଟରେ ଅଳ୍ପ ବହୁତ ଅର୍ଥ ପ୍ରକାଶ କରେ । ଅନ୍ୟ କାଳ ଓ ଅନ୍ୟ ପାଠକ ନିକଟରେ ସେଇ ରଚନା ଅନୁଭୂତି ବିସ୍ତାର କରିବାରେ ଅଧିକ ପ୍ରାଣଶକ୍ତି ଧାରଣ କରିପାରେ । ଜଣେ ସମାଲୋଚକ କେବଳ ଏତିକି କରି ପାରେ, ଏକ ନିର୍ଦ୍ଦିଷ୍ଟ କାଳରେ ରାମାୟଣ ମହାଭାରତର ଯେଉଁ ଭାବ-ବ୍ୟଞ୍ଜନା ସେ ଲାଭ କରିଥାନ୍ତି ତହିଁରେ ପାଠକମାନଙ୍କୁ ଭାଗୀ କରିଥାନ୍ତି । ସେଇ ସମାଲୋଚକଙ୍କ ସହିତ ପାଠକ ଯଦି ସମ୍ବେଦନଶୀଳ ହୋଇଥାନ୍ତି ତେବେ ରାମାୟଣ ସମ୍ବନ୍ଧରେ ପାଠକର ଯେଉଁ ଅନୁଭୂତି ଥିଲା, ତାହାକୁ ଆଲୋକିତ କରି ପାରନ୍ତି । କିନ୍ତୁ ପାଠକ ସାଧାରଣଙ୍କ ମଧ୍ୟରେ ଏକ ସାର୍ବିକ ସହମର୍ମିତା ଅନ୍ୱେଷଣ କରିବା ନିରର୍ଥକ ଓ ନିଷ୍ଫଳ ମଧ୍ୟ ।

 

ସବୁ ଯୁଗରେ ମହତ୍ ସାହିତ୍ୟର ପ୍ରକୃତ ରସଗ୍ରାହୀ ପାଠକଙ୍କ ସଂଖ୍ୟା ସ୍ୱଳ୍ପ । ସାର୍ବଜନୀନ ସାକ୍ଷରତା ଓ ପାଠ୍ୟବସ୍ତୁର ବହୁଳ ଉତ୍ପାଦନ ଆଜି ଏକ ବିଶେଷ ସମସ୍ୟା ସୃଷ୍ଟି କରିଛି-। ଭଲ ସାହିତ୍ୟ, ମନ୍ଦ ସାହିତ୍ୟକୁ ବାଛିବା ହୁଏତ ସମକାଳର ସମାଲୋଚକଙ୍କ ପକ୍ଷରେ ଏକ ଦୁରୂହ ବ୍ୟାପାର । ମହତ୍ ସମାଲୋଚନୀ- ପ୍ରତିଭା ହୋମର- ସେକ୍‌ସପୀୟର- ବାଲ୍ମୀକି- କାଳିଦାସଙ୍କ ସୃଷ୍ଟିର ମୂଲ୍ୟାଙ୍କନ କରିଛିବୋଲି ସେ ସବୁ ଯୁଗେ ଯୁଗେ ଗୃହୀତ, ସମ୍ମାନିତ ଓ ସଂରକ୍ଷିତ ହୋଇ ଆସିନାହିଁ; ମାତ୍ର ଜନରୁଚି ସମ୍ପୂର୍ଣ୍ଣ ଅଚେତନଭାବେ ସେଗୁଡ଼ିକୁ ସେମାନଙ୍କ ସଂସ୍କୃତିର ଅଙ୍ଗୀଭୂତ କରି ନେଇଛି । ଏଠାରେ ଆଉ ସମାଲୋଚକର ଦାୟିତ୍ୱ ବିଶେଷ ନାହିଁ ।

 

କୌଣସି କଳାକୃତିକୁ ଜଣେ ସମାଲୋଚକ ଧୈର୍ଯ୍ୟ ଓ ନମ୍ରତା ସହକାରେ ବିଶ୍ଳେଷଣ କରି ତା ପ୍ରତି ନିଜର ପ୍ରତିକ୍ରିୟା ବିଶ୍ୱସ୍ତଭାବେ ପ୍ରକାଶ କଲେ ତାଙ୍କର ମତାମତର ମୂଲ୍ୟ ସ୍ୱୀକାର କରିବାକୁ ପଡ଼େ । ମାତ୍ର କେତେକ ଆଧୁନିକ ସମାଲୋଚକ ନିଜର ଭୂମିକାକୁ ଏଇଭାବେ ପାଳନ କରନ୍ତି ନାହିଁ । ଏକଦା କବି ଓ ସମାଲୋଚକର କାର୍ଯ୍ୟକୁ ଏକ ମିଶ୍ରିତ କର୍ତ୍ତବ୍ୟରୂପେ ଅଭିହିତ କରାଯାଉଥିଲା- ଯେ ଲେଖୁଥିଲେ ସେ ନିଜେ ଲେଖାର ଗୁଣାଗୁଣ ବିଷୟରେ କହୁଥିଲେ । ମାତ୍ର ଆଜି ସ୍ୱାତନ୍ତ୍ର‌୍ୟ ଓ ଶିକ୍ଷାଗତ ବିଭାଗୀକରଣ ହେତୁ ସମାଲୋଚକ ନିଜକୁ କବିତାଠାରୁ ଏକ ସମ୍ପୂର୍ଣ୍ଣ ଭିନ୍ନ କର୍ତ୍ତବ୍ୟ ସମ୍ପାଦନ କରୁଛିବୋଲି ଭାବୁଛି ।

 

ପ୍ରତ୍ୟେକ ଜାତୀୟ-ସାହିତ୍ୟର ସମାଲୋଚନା ସେଇ ଜାତିର ହୃଦୟ-ଧର୍ମ, ଜୀବନ-ଦୃଷ୍ଟି ଓ ଜାତୀୟ ଚରିତ୍ର ତଥା ଜାତୀୟ ପ୍ରବଣତା ଦୃଷ୍ଟିରୁ କରାଯିବା କଥା । ଗୋଟିଏ ଜାତିର ଜାତୀୟ-ଚରିତ୍ର ସମ୍ବନ୍ଧରେ ଅଭ୍ରାନ୍ତ ଜ୍ଞାନ ଅର୍ଜନ ନକଲେ ସେ ଜାତିର ସାହିତ୍ୟ ସମ୍ବନ୍ଧରେ ନିରପକ୍ଷ ଆଲୋଚନା ସମ୍ଭବ ନୁହେଁ ।

 

ପୂର୍ବଠାରୁ ଆଜି ଯୁଗରେ ସାହିତ୍ୟ ସମାଲୋଚନା ଏକ ବିଶିଷ୍ଟ ସ୍ଥାନ ଓ ଭୂମିକା ଗ୍ରହଣ କରିଛି । ପୃଥିବୀର ବିଭିନ୍ନ ଭାଷା ସାହିତ୍ୟର ମୌଳିକ ଓ ସୃଷ୍ଟିଶୀଳ ପ୍ରତିଭା ଏଇ କାର୍ଯ୍ୟରେ ଆତ୍ମନିୟୋଗ କରିଛନ୍ତି । ନିଜ ଅଧିକାର ଦୃଷ୍ଟିରୁ ଏହା ଏକ ଦାୟିତ୍ୱ ସମ୍ପନ୍ନ ଶୃଙ୍ଖଳା ବା ବିଚାରଧାରାରୂପେ ପ୍ରତିଷ୍ଠା ଲାଭ କରିପାରିଛି । ସମାଲୋଚନା ଆଉ ଦର୍ଶନ ବା ସାଧାରଣ ସୌନ୍ଦର୍ଯ୍ୟତତ୍ତ୍ୱର ଅଙ୍ଗୀଭୂତ ନୁହେଁ; ଏହାର ଶାସ୍ତ୍ରୀୟ ଅଧ୍ୟୟନ ଏକ ସ୍ୱତନ୍ତ୍ର ଶାଖାରୂପେ ବିକଶିତ ହେବାକୁ ଲାଗିଛି । ଏହା ମଧ୍ୟ କୌଣସି ଅବସର ବିନୋଦନ ବା ସାମୟିକ ମନ୍ତବ୍ୟରେ ପର୍ଯ୍ୟବସିତ ନୁହେଁ ।

 

ସମାଲୋଚନା ଏବେ କେବଳ ଆତ୍ମମୁଖୀନ କିମ୍ବା ପାଠ୍ୟମୁଖୀ ନୁହେଁ । କାରଣ ଆତ୍ମମୁଖୀନତା ଓ ଶିକ୍ଷା-ସଂକ୍ରାନ୍ତୀୟ- ଦୁଇଟି ସମ୍ପୂର୍ଣ୍ଣ ବିପରୀତଧର୍ମୀ କ୍ରିୟା । ଆଧୁନିକ ସମାଲୋଚକ ଏ ଦୁଇ ଧାରାକୁ ପରିହାର କରିଛି । ଆଜି ସମାଲୋଚନାରେ ଶିଳ୍ପୀର ମାଧ୍ୟମ ଅଧିକ ଆଲୋଚ୍ୟ ହୋଇଉଠିଛି; କବିର ବ୍ୟକ୍ତିତ୍ୱ ଆଉ ସେତେ ଅନୁସନ୍ଧାନର ବିଷୟ ହୋଇନାହିଁ । ଆତ୍ମମୁଖୀନ ସମାଲୋଚନା ଏକ କଳାକୃତିର ଆଲୋଚନା, ଯାହା ଆତ୍ମଜୀବନୀ ମୂଳକ ଓ ଯାହା ପାଠକର ମନୋଦଶା ଉତ୍ପନ୍ନ କରେ । ଅନ୍ୟପକ୍ଷରେ ପାଠ୍ୟମୁଖୀ ସମାଲୋଚନା ବିଷୟଗତ ବିଶେଷ ବିବରଣର ସଂଗ୍ରହ, ଯାହା ସେଇ କୃତି ଓ ତା'ର ସ୍ରଷ୍ଟା ସମ୍ପର୍କୀୟ- ଏଥିରେ ସେଇ କୃତିର ମୂଲ୍ୟାଙ୍କନ ସହିତ କୌଣସି ସମ୍ପର୍କ ନ ଥାଏ । ସାହିତ୍ୟ ଇତିହାସର କେତେକ ପର୍ଯ୍ୟାୟ ଓ ସାହିତ୍ୟିକ ରୁଚି ସମ୍ବନ୍ଧରେ ଏହା କେବଳ ଜ୍ଞାନ ପ୍ରଦାନ କରେ ।

 

ନବ୍ୟ-ସମାଲୋଚନା ପଦ୍ଧତିରେ ବ୍ଲାକ୍‌ମୁର, କ୍ଳିନ୍ଥବ୍ରୁକ୍ ଓ ଆଲେନ୍ ଟେଟ୍ ଆଦି ସମାଲୋଚକ କଳାକୃତିର କଠୋରଭାବେ ବସ୍ତୁଗତ ବା ଗ୍ରନ୍ଥଗତ ସମାଲୋଚନା କରନ୍ତି । ଏ ଧରଣର ସମାଲୋଚନାରେ କବି ବା ଲେଖକର ଜୀବନ ବା ଉଦ୍ଦେଶ୍ୟକୁ ଗୌଣ ବିଚାର କରାଯାଏ-। କବି ଯେଉଁ ସମାଜର ବଞ୍ଚିଥିଲେ ତାହାର ଇତିହାସ କିମ୍ବା ସେଇ ରଚନାର ପାରମ୍ପରିକ ପ୍ରକାର କିମ୍ବା ପାଠକର ସମ୍ବେଗ ଉପରେ ସେଇ କୃତି କି ପ୍ରଭାବ ଉତ୍ପନ୍ନ କରେ- ଏ ସମସ୍ତ ନବ୍ୟ-ସମାଲୋଚନା ପଦ୍ଧତିରେ ସ୍ଥାନ ପାଇ ନଥାଏ ।

 

ଓଡ଼ିଆ ସମାଲୋଚନା ସାହିତ୍ୟର ଜନ୍ମ ଓ ବିକାଶ ବେଶୀ ଦିନର ନୁହେଁ । ସମାଲୋଚନା ସାହିତ୍ୟର ଦାରିଦ୍ର‌୍ୟ ଘୁଞ୍ଚାଇବାକୁ ହେଲେ ଅଧିକରୁ ଅଧିକ ମନସ୍ୱୀ, ରସଗ୍ରାହୀ, ବହୁପାଠୀ ବ୍ୟକ୍ତିଙ୍କୁ ସମାଲୋଚନା କ୍ଷେତ୍ରରେ ଅବତୀର୍ଣ୍ଣ ହେବାକୁ ପଡ଼ିବ । ଆଜି ଆମର ସମାଲୋଚନା ପଢ଼େ କିଏ ? ସାହିତ୍ୟର ପରୀକ୍ଷାର୍ଥୀ ଓ ଅଧ୍ୟାପକଙ୍କ ବ୍ୟତୀତ ସମାଲୋଚନାର ପାଠକ ନାହାନ୍ତି । ସମାଲୋଚନା ଜଗତରେ ମଧ୍ୟ କ'ଣ ଘଟୁଛି ଓ କ'ଣ କରିବାକୁ ହେବ ତାହାର ଖବର କେହି ରଖୁ ନାହାନ୍ତି । ଅଧିକାଂଶ ସମାଲୋଚନା କଞ୍ଚା ହାତରୁ ସୃଷ୍ଟି ହେଉଛି । ଅଧ୍ୟୟନ ନାହିଁ, ମନନ ନାହିଁ; ରସଗ୍ରାହିତା ନାହିଁ ସମାଲୋଚନା କ୍ଷେତ୍ରରେ ସଦମ୍ଭେ ପ୍ରବେଶ କରି ହଇଚଇ ସୃଷ୍ଟି କରିବାକୁ କେତେ ଜଣ ଆଗଭର ହେଉଛନ୍ତି !

 

ଆମ ସମାଲୋଚନା ସାହିତ୍ୟ ଏବେ ମଧ୍ୟ ଶୈଶବ ଅବସ୍ଥାରେ ଅଛି- ଏହା ଅକୁଣ୍ଠ ଚିତ୍ତରେ ସ୍ୱୀକାର କରିବାକୁ ହେବ । ସମାଲୋଚନା ସାହିତ୍ୟକୁ ଆମ ଆଲୋଚକମାନେ କୌଣସି ତତ୍ତ୍ୱ ଦୃଷ୍ଟିଦାନ କରିପାରି ନାହାନ୍ତି । ଅବିକଶିତ, ଅବହେଳିତ ସାହିତ୍ୟର ଏଇ ବିଭାଗ ପ୍ରତି ସାହିତ୍ୟ ଅଧ୍ୟୟନରତ ଛାତ୍ର ଓ ଅଧ୍ୟାପକମାନଙ୍କ ବ୍ୟତୀତ ଅନ୍ୟମାନେ ଆଗ୍ରହୀ ହୋଇ ନାହାନ୍ତି । କେତେକ ତତ୍ତ୍ୱ ବା ଦାର୍ଶନିକ ମତବାଦ ପରୀକ୍ଷା ମୂଳକଭାବେ ଅନୁସୃତ ହୋଇଥିଲେ ମଧ୍ୟ ସଫଳତା ଲାଭ କରିପାରି ନାହିଁ । ଉଚ୍ଚସ୍ତରର ଗବେଷଣାଦ୍ୱାରା ବିଶ୍ୱବିଦ୍ୟାଳୟର ଉପାଧି ଲାଭ ନିମନ୍ତେ ଅଳ୍ପ କେତେ ବର୍ଷ ହେଲା ଗବେଷକମାନେ ଉଦ୍ୟମ କରୁଛନ୍ତି । ମାତ୍ର ଏ କ୍ଷେତ୍ରରେ ମଧ୍ୟ ଗୋଟିଏ କଥା ମନେ ରଖିବାକୁ ହେବ, ଉପାଧି ଲାଭ ବ୍ୟକ୍ତିଗତ ହେଲେ ମଧ୍ୟ ସମାଲୋଚନା ଜଗତକୁ ତାହାଦ୍ୱାରା କିପରି ସମୃଦ୍ଧ କରାଯାଉଛି । ବିଷୟ ନିର୍ବାଚନ, ସାହିତ୍ୟର ଅନାଲୋଚିତ ପ୍ରତିଭା ଓ ଦିଗ ତଥା ସମାଲୋଚନା ରୀତିର ନବ ନବ ପରୀକ୍ଷା ନିରୀକ୍ଷାଦ୍ୱାରା ଗବେଷଣା-କର୍ମକୁ ସାହିତ୍ୟୋନ୍ନତି ଦିଗରେ ପରିଚାଳନା କରିବା ଉଚିତ ।

ମୋର ବିଶ୍ୱାସ, ଜଣେ ଜଣେ ସମାଲୋଚକ ସାହିତ୍ୟର ଏକ ଏକ ନିର୍ଦ୍ଦିଷ୍ଟ ବିଭାଗରେ ଆଜୀବନ ସମାଲୋଚନାରତ ରହିଲେ ତାଙ୍କର ସମଗ୍ର ଜୀବନର ସାଧନାରେ ଆମ ସମାଲୋଚନା-ସାହିତ୍ୟ ପୁଷ୍ଫଳ ହେବ । ବଙ୍ଗ-ସାହିତ୍ୟରେ ରବୀନ୍ଦ୍ର-ସାହିତ୍ୟ, ବଙ୍କିମ-ସାହିତ୍ୟ, ଶରତ୍‌-ସାହିତ୍ୟ, ଛନ୍ଦ ବିଚାର, ଲୋକ ସାହିତ୍ୟ ଆଦି ନିର୍ଦ୍ଦିଷ୍ଟ ବିଭାଗରେ ଜଣେ ଜଣେ ସମୀକ୍ଷକ ଆଜୀବନ ବ୍ୟାପୃତ ରହିଥିବା ଲକ୍ଷ୍ୟ କରାଯାଏ । ଆମ ସମାଲୋଚକମାନେ ସବୁ କ୍ଷେତ୍ରରେ ହାତ ଦେଉଛନ୍ତି । ବହୁ କ୍ଷେତ୍ରରେ ପ୍ରବେଶ କରି ଅସଫଳ ହେବା ଅପେକ୍ଷା ଗୋଟିଏ ନିର୍ଦ୍ଦିଷ୍ଟ ବିଭାଗରେ ଯଶସ୍ୱୀ ହେବା ଶ୍ରେୟସ୍କର ।

ସମାଲୋଚନାର ବହୁ ପଦ୍ଧତି ମଧ୍ୟରୁ ଓଡ଼ିଆ ସମାଲୋଚନାରେ ଐତିହାସିକ ସମାଲୋଚନାର ଆଧିକ୍ୟ ପରିଲକ୍ଷିତ ହୁଏ । ଏହି ପଦ୍ଧତିରେ ମୁଖ୍ୟତଃ ଅଧ୍ୟାପକମାନେ ଆତ୍ମନିୟୋଗ କରଛନ୍ତି । ଅଧ୍ୟାପକ ନଟବର ସାମନ୍ତରାୟ ପ୍ରଥମେ ବିଧିବଦ୍ଧଭାବେ ଐତିହାସିକ ଚେତନାର ପ୍ରୟୋଗ ଓ ବ୍ୟାଖ୍ୟା କରି ଓଡ଼ିଆ ସମାଲୋଚନାର ଏକ ନୂତନ ଧାରା ଫିଟାଇଥିଲେ । ଇତିହାସ ଭିତ୍ତିକ ଏଇ ସମାଲୋଚନା ପଦ୍ଧତିରେ ମୂଳ ରସବସ୍ତୁଟି ଅପାଂକ୍ତେୟ ହୋଇ ପଡ଼ିଛି । ସାହିତ୍ୟର ଇତିହାସ ଲେଖକମାନେ ଅଧିକରୁ ଅଧିକ ତଥ୍ୟ ଓ ବିବରଣୀ ସର୍ବସ୍ୱ ହୋଇ ପଡ଼ୁଛନ୍ତି । ଶିଳ୍ପମୂଲ୍ୟ ବିଚାର ନ କରି ଶୁଷ୍କ ସମ୍ବାଦ ସର୍ବସ୍ୱ ପାଣ୍ଡିତ୍ୟ ଠୁଳ କରିବାର ପ୍ରଚେଷ୍ଟା ଏଇ ପଦ୍ଧତିରେ ଏତେ ଲକ୍ଷ୍ୟ କରାଯାଏ ଯେ ମୂଳ କୃତିର ରସ-ଲକ୍ଷ୍ମୀଙ୍କର ସାକ୍ଷାତ୍‍ ନ ପାଇ ପାଠକ ନିରାଶ ହୁଏ । ନାନା ବହିଃ ତଥ୍ୟ ସଂଗ୍ରହ କରିବାଦ୍ୱାରା ସର୍ଜନଶୀଳ ସାହିତ୍ୟର ପ୍ରାଣ-ଭୂତ ରସ-ସୌନ୍ଦର୍ଯ୍ୟର ଉପେକ୍ଷା କରାଯାଇଛି । ଏହା ସମାଲୋଚନା ନାମରେ କେବଳ ଶୁଷ୍କ ତଥ୍ୟାବଳୀର ସଂଗ୍ରହ, ସାହିତ୍ୟକୃତିର ରସ ବିଶ୍ଳେଷଣରେ ତାହା ଆଦୌ ସାହାଯ୍ୟ ନ କରୁ ପଛେ, ପାଣ୍ଡିତ୍ୟ ପ୍ରଦର୍ଶନର ଏକ ଗୁରୁଭାର ହୋଇ ପଡ଼ିଛି । ଥିସିସ୍‌ଗନ୍ଧୀ, ପାଦଟୀକା-କଣ୍ଟକିତ ଏଇ ବସ୍ତୁ, ସମ୍ବାଦ ବିବରଣୀ ଭାରରେ କଳା-ସରସ୍ୱତୀଙ୍କ ସୁକୁମାର ଅଙ୍ଗ ଯନ୍ତ୍ରଣା-କାତର ।

ସାହିତ୍ୟର ସାମାଜିକ ଓ ଐତିହାସିକ ଭୂମିକା ଘେନି ସମାଲୋଚକ ଯେତେବେଳେ ବିଚାର କରି ବସନ୍ତି ସେତେବେଳେ ସେ ଭୋକ୍ତା ନୁହନ୍ତି, ସେ ଜଣେ ଐତିହାସିକ ବା ସମାଜଶାସ୍ତ୍ରୀର ଦୃଷ୍ଟିକୋଣ ଘେନି ସାହିତ୍ୟ ବିଚାର କରନ୍ତି । ଐତିହାସିକ ସମାଲୋଚନା ଗୋଟିଏ ନିର୍ଦ୍ଦିଷ୍ଟ କୃତିର ପଟ୍ଟଭୂମି ସ୍ଥିର କରିଦିଏ । ପ୍ରତ୍ୟେକ ସମାଲୋଚକ କଳାର ଐତିହ୍ୟଗତ ପଟ୍ଟଭୂମି ସମ୍ବନ୍ଧରେ ଅବହିତ ହେବା ନିତାନ୍ତ ପ୍ରୟୋଜନ ।

ସାହିତ୍ୟର ଐତିହାସିକ ସମାଲୋଚକ ମଧୁଲୋଭୀ ଭ୍ରମର ନୁହେଁ, ତଥ୍ୟ ବା ବିବରଣୀ ସଂଗ୍ରହ କରିବାର କାଷ୍ଠ-ରସିକଟିଏ । ସାମାନ୍ୟ ତଥ୍ୟଟିଏ ପାଇଗଲେ ସେ କଳାକୃତିର ମୂଲ୍ୟାଙ୍କନପାଇଁ ସ୍ୱର୍ଗର ଚାବିକାଠି ପାଇଗଲା ପରି ମନେ କରନ୍ତି । ଇତିହାସଚେତନାରେ ତାଙ୍କର ଦୃଷ୍ଟି ଏତେ ଅନ୍ଧୀଭୂତ ହୋଇପଡ଼େ ଯେ ସେଇ ଉନ୍ମାଦନାରେ ସେ ରସୋପଭୋଗ ଓ ରସ-ବିଚାରକୁ ତୁଚ୍ଛ ଜ୍ଞାନ କରନ୍ତି । କେତେବର୍ଷ ପୂର୍ବେ ଜଣେ ଇଂରେଜୀ ସାହିତ୍ୟର ଅଧ୍ୟାପକ ତାଙ୍କର ଏକ ଆବିଷ୍କାରପାଇଁ ଖୁବ୍ ପ୍ରତିଷ୍ଠା ଅର୍ଜନ କରିଥିଲେ- କୌଣସି ପୁରାତତ୍ତ୍ୱ ସଂଗ୍ରହଶାଳାରୁ ସେ ଜନ୍ ମିଲ୍‌ଟନ୍ ବିକିଥିବା ଖଣ୍ଡେ ଘରର ନଥିର ସନ୍ଧାନ ପାଇଥିଲେ । ମାତ୍ର ଏଇ ନଥି ମିଳିବାଦ୍ୱାରା ମିଲ୍‌ଟନ୍‌ଙ୍କ ରଚନାର ଗୋଟିଏ ପଂକ୍ତି ବା ଗୋଟିଏ ଶବ୍ଦର ଶିଳ୍ପ-ସୌନ୍ଦର୍ଯ୍ୟ ଉଦ୍‌ଘାଟିତ ହୋଇ ପାରି ନାହିଁ । ଏହାଦ୍ୱାରା ଆମ ଜ୍ଞାନ କ୍ଷେତ୍ର ଏତିକି ବିସ୍ତୃତ ହେଲା ଯେ କବି ମିଲ୍‌ଟନ୍ ଅବସ୍ଥା ଚକ୍ରରେ ପଡ଼ି ଗୃହ ବିକ୍ରୟ କରିଥିଲେ । କବିଙ୍କ ଜୀବନ ଓ ଜୀବନଯାପନ ପ୍ରଣାଳୀ ସମ୍ବନ୍ଧରେ ଏହା ଆମ ଜ୍ଞାନ ରାଜ୍ୟରେ ନୂତନ ସଂଯୋଜନ ହୋଇପାରେ ; ମାତ୍ର କବି ମିଲ୍‌ଟନ୍‌ଙ୍କ ସମ୍ବନ୍ଧରେ ଏଥିରୁ କୌଣସି ସହାୟତା ମିଳେ ନାହିଁ- ବ୍ୟକ୍ତି ମିଲ୍‌ଟନଙ୍କ ସମ୍ବନ୍ଧରେ କିଞ୍ଚିତ୍ ତଥ୍ୟ ମିଳୁଛି ମାତ୍ର । ଇତିହାସଭିତ୍ତିକ ସମାଲୋଚନା ଶିଳ୍ପ-ସାହିତ୍ୟର ଚିରନ୍ତନ ମୂଲ୍ୟମାନ ନିର୍ଦ୍ଧାରଣ କରିପାରେ ନାହିଁ । ସମୀକ୍ଷକର ରସ-ସୌନ୍ଦର୍ଯ୍ୟବୋଧ ନ ଥିଲେ ତାହା ଶୁଷ୍କ ତଥ୍ୟ ସଂଗ୍ରହରେ ପର୍ଯ୍ୟବସିତ ହୁଏ ।

ସେହିପରି କବିଜୀବନୀ ସମାଲୋଚକର ଅବଶ୍ୟ ଜ୍ଞାତବ୍ୟ । ମାତ୍ର କବିକୁ ତା'ର ଜୀବନ ଚରିତ ମଧ୍ୟରେ ଖୋଜିବା ହାସ୍ୟାସ୍ପଦ । ଏ ଧରଣର ସମାଲୋଚନା କମଳ ବନରେ ସଦମ୍ଭେ ପ୍ରବେଶ କରିଥିବା ସୁବର୍ଣ୍ଣ ବଣିକର ସୁକୁମାର କମଳକୁ କର୍କଶ କଠିନ ନିକଷରେ ଘର୍ଷଣ କରି ମୂଲ୍ୟ ନିର୍ଦ୍ଧାରଣ କରିବା ସଙ୍ଗେ ସମାନ । ପ୍ରସଙ୍ଗର ଇତିହାସ, ଅର୍ଥାତ୍‌, ଐତିହାସିକ ତଥ୍ୟରାଜି ଓ ସେଇ ଆଲୋକରେ କବି ତଥା କବିତାର ବିଚାର ଆମ ସମାଲୋଚନାରେ ପ୍ରଭୁତ ସ୍ଥାନ ଅଧିକାର କରିଛି । ଏହାଦ୍ୱାରା ସାହିତ୍ୟର ଯେ ପ୍ରକୃତ ରସରୂପର ବିଚାର ହୋଇ ପାରିଛି ତାହା ମନେ ହୁଏ ନାହିଁ । ସାହିତ୍ୟକୁ ବୁଝିବାପାଇଁ ସେହି ତଥ୍ୟରାଜି ହୁଏତ ପାଠିକାସ୍ୱରୂପ ବିବେଚିତ ହୋଇପାରେ; ମାତ୍ର ପ୍ରକୃତ ସାହିତ୍ୟର ବିଚାର ନିର୍ଭର କରେ ତା'ର ଭାବଧର୍ମ ଓ ସୌନ୍ଦର୍ଯ୍ୟାନୁଭୂତି ଉପରେ । କବିର ମାନସ ପ୍ରେରଣା ସହିତ ସମ୍ପର୍କ ରକ୍ଷା କରି ସମାଲୋଚନାରେ ପ୍ରବୃତ୍ତ ହେଲେ କାବ୍ୟ-ବିଚାରରେ ତ୍ରୁଟି ରହେନାହିଁ । ଏ ମାନସ-ପ୍ରେରଣା ନିର୍ଣ୍ଣୟ କେବେହେଲେ ଐତିହାସିକ କାରଣକୁ ଉପେକ୍ଷା କରେନାହିଁ । ଐତିହାସିକ ସମାଲୋଚନାତତ୍ତ୍ୱ ମାନସ-ପ୍ରେରଣା ସହିତ ଗ୍ରଥିତ ହେଲେ ସମାଲୋଚକର ଯୁକ୍ତି ଅଭ୍ରାନ୍ତ ହୁଏ । ପ୍ରତ୍ୟେକ କବିର କାବ୍ୟରଚନାର ପ୍ରକୃତି ଓ ପ୍ରବୃତ୍ତି ନିର୍ଣ୍ଣୟ କରି ସମାଲୋଚନାରେ ଅଗ୍ରସର ହେବାକୁ ପଡ଼େ । ଯେ କୌଣସି ସାହିତ୍ୟର ଉତ୍ପତ୍ତି, ପ୍ରବୃତ୍ତି ଓ ପରିଣତି ପ୍ରତି ଦୃଷ୍ଟି ରଖି ସମାଲୋଚନା କରିବା ଉଚିତ ।

ସେହିପରି ପରିସଂଖ୍ୟାନ ପଦ୍ଧତିରେ ସାହିତ୍ୟ-ସମୀକ୍ଷା ଏକ ନିକୃଷ୍ଟ ସମାଲୋଚନାର ଧାରା । ଏହା ସମୀକ୍ଷକର ମାନସ-ରସ-ସ୍ପର୍ଶ ବର୍ଜିତ । ରେଖାଚିତ୍ର ଓ ସଂଖ୍ୟା ଗଣନାରେ ଆଉ ଯାହା ମିଳୁ ପଛେ ସାହିତ୍ୟର ରସବସ୍ତୁଟିର ସନ୍ଧାନ ମିଳି ନ ଥାଏ । ରସବୋଧହୀନ ସାହିତ୍ୟ ସମାଲୋଚନା ହେତୁ, ବିଶେଷତଃ କାବ୍ୟକଳାର ସୌନ୍ଦର୍ଯ୍ୟ ମାଧୁର୍ଯ୍ୟ ପ୍ରତି ଆଖି ବୁଜିଦେଇ କେତେକ ବାହ୍ୟ ମତବାଦ, ଯୁକ୍ତି, ତର୍କଦ୍ୱାରା ସାହିତ୍ୟ ବିଚାର କରାଯାଉଥିବାରୁ କାବ୍ୟ କବିତା ପ୍ରତି ପାଠକର ଆଗ୍ରହ ବୃଦ୍ଧି ପାଉନାହିଁ ।

ସମାଲୋଚନା କରିବାକୁ ହେବ ଶୁଷ୍କ ସାହିତ୍ୟ ପରି ରସବ୍ୟଞ୍ଜନାପୂର୍ଣ୍ଣ । ବାହ୍ୟ ମତବାଦ ବା ତତ୍ତ୍ୱଦ୍ୱାରା ସାହିତ୍ୟ ସମାଲୋଚନାର ପଣ୍ଡ ଶ୍ରମ ନ କରି ଆମର ସମାଲୋଚକମାନେ ସାହିତ୍ୟର ପ୍ରକରଣ-ସୌନ୍ଦର୍ଯ୍ୟ ଓ ଅନ୍ତ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଶିଳ୍ପପତତ୍ତ୍ୱ ପ୍ରତିଷ୍ଠା କରି ସମାଲୋଚନାରେ ପ୍ରବୃତ୍ତ ହୁଅନ୍ତୁ । ସାହିତ୍ୟବିଚାର ମୁଖ୍ୟତଃ ସୌନ୍ଦର୍ଯ୍ୟ ବିଚାର । ପାଣ୍ଡିତ୍ୟପୂର୍ଣ୍ଣ, ପରମ୍ପରାନୁମୋଦିତ, ତଥ୍ୟଭାର ମନ୍ଥର ସମାଲୋଚନା ଆମ ସାହିତ୍ୟରେ ବହୁତ ହୋଇଛି । ସାହିତ୍ୟକୁ ସୌନ୍ଦର୍ଯ୍ୟର ବାତାୟନରୁ ଲକ୍ଷ୍ୟ ନ କରି ନାନାବିଧ ପ୍ରସଙ୍ଗ ଓ ତତ୍ତ୍ୱର ମାପକାଠିରେ ମାପିବା ହେତୁ ଶୁଷ୍କ ସାହିତ୍ୟ-ସମାଲୋଚନା ଆମ ସାହିତ୍ୟରେ ବେଶୀ ସୃଷ୍ଟି ହୋଇ ପାରିନାହିଁ । କାବ୍ୟ ସମାଲୋଚନା ଯେ ଏକ ପ୍ରକାର ସୃଷ୍ଟିଶୀଳ କର୍ମ-ଏହା ଭୁଲିଗଲେ ଚଳିବ ନାହିଁ । ବିଶ୍ୱ ସମାଲୋଚନା ଧାରା ସହିତ ସମ୍ପର୍କରକ୍ଷା କରିବା ସଙ୍ଗେ ସମାଲୋଚନାକୁ ଏକ ସୃଷ୍ଟିଶୀଳ ରଚନାରୂପେ ଉପସ୍ଥାପିତ କରିବା ଉଚିତ ।

•••

 

ଇଚ୍ଛନ୍ତି ଦାମ୍ଭିକେ

ଡକ୍ଟର ବୈଷ୍ଣବଚରଣ ସାମଲ

 

କଥା କଥାରେ ଏବେ ଯିଏ ନାଇଁ ସିଏ କହୁଚି- ମୁଁ ଇମିତି କରିଦେଲି, ସେମିତି କରିଦେଲି, ମୁଁ ଅମୁକକୁ ଚିତ୍‌ମାତ୍ କରିଦେଲି । କିଏ କହୁଚି ମୋ'ଠାରୁ ଆଉ କେହି ପାରିବାର ନାଇଁ, ଆଉ କିଏ କହୁଚି ମୋ'ଠାରୁ ଆଉ କେହି ସଚ୍ଚୋଟ ଲୋକ ନାଇଁ, ମୁଁ ଗୋଟାପୁଣି ସାଧୁ । କିଏ ଶାରୀରିକ ବଳର ବଡ଼େଇ କରୁଚି ତ, ଆଉ କିଏ ବଡ଼େଇ କରୁଚି ଧନ ସମ୍ପତ୍ତିର, ବିଦ୍ୟାବୁଦ୍ଧିର, କୂଟକପଟତାର । କେହି କେହି ବି ଆଖିରୁ ଲୁହ ଗଡ଼େଇ ପରଦୁଃଖକାତରତାର ବଡ଼େଇ କରୁଚି । ଏସବୁ ଭିତରେ ମାଟିରୁ ଆକାଶ ପର୍ଯ୍ୟନ୍ତ କେବଳ ମୁଁ ମୁଁ ର ଗର୍ଜନ । ଏଇ ଗର୍ଜନଟା ସରଗର ଇନ୍ଦ୍ର ଆସନକୁ, ପାତାଳର ବାସୁକି ଆସନକୁ ମଧ୍ୟ ଥରାଇ ଦେଉଚି । କିଏ କ'ଣ କରୁଚି, କିଏ କ'ଣ କହୁଚି, ତା'ର ଆଉ ଥଳକୂଳ ମିଳୁନାଇଁ । ଯିଏ ସାନରୁ ସାତ ସାନ ସିଏ ବି ଗର୍ଜନ କରୁଚି ଝିଙ୍କାରିର ଝିଁ ଝିଁ ଗର୍ଜନ ପରି । କାନରୁ ଅତଡ଼ା ଖସିପଡ଼ୁଚି । ଯିଏ ଖୁବ୍ ବଡ଼, ସିଏ ବି ଗର୍ଜନ କରୁଚି । ତା'ର ହାତ ଗୋଡ଼ ମୁଣ୍ଡ କୁଆଡ଼କୁ ନାଇଁ କୁଆଡ଼କୁ ବ୍ୟାପିଯାଇଚି । ତା'ର ଗର୍ଜନ ଘଡ଼ଘଡ଼ିଠାରୁ ବଳିଯାଉଚି । ଚମକିଉଠୁଚି ଆକାଶ ଆଉ ଗିରିବନ କାନ୍ତାର । ଏଇ ଗର୍ଜନଟା ହିରଣ୍ୟକଶିପୁ ବିଦାରଣକାରୀ ନୃସିଂହଙ୍କ ଗର୍ଜନକୁ ବି ବଳିଯାଉଚି । ବ୍ରହ୍ମା, ଶିବ, ଇନ୍ଦ୍ର, ଲକ୍ଷ୍ମୀ ସମସ୍ତେ ସେଇ ଗର୍ଜନ ପାଖରେ କରପତ୍ର ଯୋଡ଼ି ଛିଡ଼ା ହୋଇଯାଉଚନ୍ତି ଯେମିତି ! ଏଇ ଯୋଉ ଗର୍ଜନ ଆଉ ମୁଁ ମୁଁ ର ଆସ୍ଫାଳନ ତାକୁ କଳିହେଉ ନାଇଁ କି ମାପିହେଉ ନାଇଁ । ଯାହାର ଅଛି ସିଏ ଗର୍ଜନ କରୁଚି । ଯାହାର ନାଇଁ ସିଏ ବି ଗର୍ଜନ କରୁଚି । ଥିଲାବାଲା ସହି ପାରୁନି ତଳବାଲାକୁ । ତା'ର ଭୟ କାଳେ ଏଇ ତଳ ପାହାଚର ନଥିଲାବାଲାମାନେ ଉପର ପାହାଚକୁ ଚଢ଼ିଯିବେ, କାଳେ ତା' ସହିତ ସେମାନେ ସମସରି ହୋଇଯିବେ- ଏଇ ଚିନ୍ତାଟା ତାକୁ ଘାରି ଦେଉଚି । ତେଣୁ ସେ କଳ ବଳ କୌଶଳ କରି ନ ଥିଲାବାଲାକୁ ଚାପିଦେବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଚି । କେତେ ନାଇଁ କେତେ ଭେଳିକି ଦେଖାଉଚି । ଯିଏ ନ ଥିଲାବାଲା ସିଏ ବି ସହୁନାଇଁ ଉପରବାଲାକୁ । ଏଇ ଯେଉଁ ନୂଆ ହାଉଆଟା ବହୁଚି ସେଥିରେ କିଏ ବା କାହାକୁ ମାନୁଚି ? କଥାରେ ନାଇଁ- ‘ମାତିବେ ମଦନ ଭୁଷୁଣ୍ଡା/ଦେଶ ହୋଇବ ଗୋଳକୁଣ୍ଡା । ପାଣି ତ ଗୋଳିଆ ହୋଇଯାଇଚି । ଏଥିରେ କିଏ କାହାକୁ ଚିହ୍ନୁଚି ନା ଜାଣୁଚି ? ଏଇ ଗୋଳିଆ ପାଣିରେ ବୁଡ଼ିଗଲେ ତେଣିକି ଆଉ କିଏ ତୁମକୁ ଦେଖିପାରିବ କି ? କଙ୍କଡ଼ାକୁ ଗୋଳିପାଣି କେତେ ନ ସୁହାଏ କହିଲେ ?

 

ଏଇ ଯୋଉ ଗର୍ଜନ ତର୍ଜନ ଡିବିଡିବି ହୋଇ ବାଜିଉଠୁଚି ସିଏ ସବୁ ନାନା କାରଣରୁ ହେଉଚି । କୌଣସି ଉପାୟରେ କେହି ଧନପତି ପାଲଟିଗଲେ ସିଏଭାବେ ତା'ଠାରୁ ଆଉ ଭାଗ୍ୟବାନ କେହି ନାହିଁ । ସ୍ୱୟଂ ଲକ୍ଷ୍ମୀ ତା'ପ୍ରତି ସଦୟା । ନାରାୟଣଙ୍କର ସେ ବରପୁତ୍ର । ସିଏ ଯେତେବେଳେ ଦିଅଁ ଦେବତାଙ୍କ ପାଖକୁ ଯାଏ ତା'ପାଇଁ ଛାଡ଼ ଛାଡ଼ ଡାକ ପଡ଼େ । ପଣ୍ଡାପଢ଼ିଆରୀଏ ତାକୁ ଘେରିଯାଆନ୍ତି । ଦିଅଁଙ୍କ ପାଖକୁ ନେଇ ବଡ଼ପାଟିରେ ଦିଅଁକୁ ଶୁଣାଇ ଶୁଣାଇ କହନ୍ତି- ହେ ମଣିମା ମହାବାହୁ, ଶଙ୍ଖରେ ପୂରେଇ ଘଣ୍ଟ ଘୋଡ଼ାଇ ରଖ ହେ ! ଦିଅଁ ତ କାଲ । ବଡ଼ ପାଟିରେ ନ ଡାକିଲେ ସେ କ'ଣ ଶୁଣିବେ କି ? ପଣ୍ଡାଏ ତ ଦିଅଁଙ୍କ ଖାସ୍ ଲୋକ । ତାଙ୍କ କଥା ନ ଶୁଣି ଆଉ କାହା କଥା ଦିଅଁ ଶୁଣିବେ? ଧନପତି କୃତକୃତ୍ୟ ହୋଇ ବେଙ୍ଗ ଫୁଲିଲା ପରି ଫୁଲିଯାଏ । ହାଣ୍ଡି ହାଣ୍ଡି ମିଠା ଦିଅଁଙ୍କ ପାଖରେ ଭୋଗ ଲଗେଇ ପଣ୍ଡାପଢ଼ିଆରୀଙ୍କୁ ମୋଟା ବିଦାକି ଦେଇ ଯେତେବେଳେ ମନ୍ଦିର ବାହାରକୁ ଚାଲିଆସନ୍ତି ସେତେବେଳେ ସେଇ କବାଟ ଫାଳ ପରି ନର ଆଉ ନାରୀଙ୍କ ଆଡ଼କୁ ଲମ୍ବିଆସେ କେତେଗୁଡ଼ିଏ ସରୁଆ ସରୁଆ ହାଡ଼ୁଆ ଶିରାଳିଆ ହାତ । ମୁହଁରୁ ବାହାରି ଆସୁଥାଏ କେତେ କିସମର ଆକୁଳ ନିବେଦନ । ଧନପତି କିନ୍ତୁ ସିଆଡ଼କୁ ନିଘା ଦିଅନ୍ତି ନାଇଁ । ନାକ ଛିଞ୍ଚାଡ଼ି ସିଧା ଗାଡ଼ି ଭିତରକୁ ଚାଲିଯାଆନ୍ତି । ଏଇ ତ ଧନପତିଙ୍କ କଥା । ଯିଏ ନେତା ହୁଅନ୍ତି ସିଏ ବି ହୋଇଯାଆନ୍ତି ଏଇମିତି । ସିଏ ଯେତେବେଳେ ମନ୍ଦିରକୁ ଯାଆନ୍ତି ତାଙ୍କୁ ଘେରି ଚାଲିଥାନ୍ତି କେତେ କାନକୁହା, ଆଗଚଲା, ତୋଷାମୋଦକାରୀ ଲୋକେ । ସେମାନଙ୍କୁ ତ ଚାରିଖୁଣ ମାଫ୍ । ଖୋଦ ଦିଅଁ ସେଠି କରପତ୍ର ଯୋଡ଼ି ରହନ୍ତି । ପଣ୍ଡାପଢ଼ିଆରୀ ଆଉ ତମ ଆମକୁ ପଚାରେ କିଏ ? ଆଗେ ସିନା ରାଜାମହାରାଜା ଗଲାବେଳକୁ ଦେଉଳ ଶୋଧ ହେଉଥିଲା, ଏବେ ବଡ଼ବଡ଼ିଆ ନେତାଙ୍କ ବେଳକୁ ସେଇଆ ହେଉନାଇଁ କି ? ରାଜା ସିନା ଗଲେ, ହେଲେ ସିଂହାସନଟା ତ ପଳେଇ ଯାଇନାଇଁ । କେତେ ଢଙ୍ଗରେ, କେତେ ରଙ୍ଗରେ ନୂଆ ରଜାମାନେ କେତେରକମର ପୋଷାକ ପିନ୍ଧି ସେଇ ସିଂହାସନରେ ବସୁନାହାନ୍ତି କି ? ଏହି ସିଂହାସନୀ ମଣିଷଟା ଆଉ କ'ଣ କି ? ଯେଉଁମାନେ ଜ୍ଞାନୀ ବୋଲାଇଥାନ୍ତି ସେମାନଙ୍କ ଗର୍ଜନଟା ମଧ୍ୟ କମ୍ ନୁହେଁ । ଯେତେ ମୁନି ସେତେ ମତ । ‘ନାନା ମୁନିନାଂ ମତୟଶ୍ଚ ଭିନ୍ନା ।' ଜ୍ଞାନୀ ଗୋଟିକୁ ମତ ଗୋଟିଏ । ଯିଏ ଯାହା ବୁଝିଥିବ ସେଥିରୁ ପାହାଚେ ସେ ତଳକୁ ହଟିଯିବ ନାଇଁ । ଖସିଗଲେ କାଳେ ତା' ଜ୍ଞାନର ଅମର୍ଯ୍ୟାଦା ହୋଇଯିବ । ଲୋକେ ତାଳିମାରି ହସିଦେବେ । ଏଇଥିପାଇଁ ସମସ୍ତଙ୍କ ଭିତରେ ମୁଁ ମୁଁ ର ଗର୍ଜନ, କାମୁଡ଼ା କାମୁଡ଼ି । ଏଇ ମୁଁ ପଣିଆ ଭିତରୁ ଫୁଟିଉଠୁଛି ଦାମ୍ଭିକତା । ତେବେ କଥା କ'ଣ କି ଯିଏ ଯେତେ ସବୁ ଦାମ୍ଭିକତା ଦେଖାନ୍ତି ସେମାନେ ସମସ୍ତେ ଚଳନ୍ତିପାଣିର ଦଣ୍ଡକିରି ମାଛ-। ଟିକିଏ ନୂଆପାଣି ପଡ଼ିଗଲେ ଫରଫର ହୋଇ ଡେଇଁପଡ଼ନ୍ତି, କରାମତି ଦେଖାନ୍ତି । ଠିକଣା ମଣିଷ ଇମିତି ହୁଏନାଇଁ । ଦେଖେଇ ହବାଟାକୁ ସିଏ ପସନ୍ଦ କରେ ନାଇଁ । ଗହୀର ପାଣିର ଜୀବ କ'ଣ ହୁର୍‌କିମତା ହୁଏ କି ? ଯିଏ ପାଣିର ଗଭୀରତାକୁ ଜାଣିଚି ସିଏ କାହିଁକି ଫକ୍‌ଫକ୍ ହେଇ ଡେଇଁବ ଯେ !

 

ଏଇ ଦାମ୍ଭିକତାଟା କ'ଣ ? ଆମେ ଜାଣୁ ଯେ ଯାହାର ଦମ୍ଭ ଥାଏ ସିଏ ଦମ୍ଭୀ । ଏଇଟା ସାହସର କଥା, ହେମତର କଥା, ଦୃଢ଼ତାର କଥା, ଶକ୍ତି ଆଉ ସାମର୍ଥ୍ୟର କଥା । ଏଇଟା ନ ଥିଲେ ସିଏ ଗୋଟାଏ କି ମଣିଷ ! ତେବେ ‘ଦାମ୍ଭିକ'- ଏଇ ଶବ୍ଦଟା କାହିଁକି ମନଭିତରେ ଖିଟ୍‌କା ଲଗେଇ ଦିଏ । ଇଏ ଖାଲି ଦମ୍ଭ ସମ୍ବନ୍ଧୀୟ ନୁହେଁ; ୟା' ଭିତରକୁ କେଉଁ ଜଳାକବାଟି ବାଟେ ଅହଂକାର ବା ଗର୍ବପଣିଆଟା ଧସେଇ ପଶି ଆସିଥାଏ । ଏଇ ଭାବ ଆସିଯିବାରୁ ଏଥିରେ ‘ମୁଁ' କାରଟା ହୋଇଯାଏ ସବାର । ତେଣିକି ଚାଲେ ‘ମୁଁ' ସହିତ ‘ମୁଁ'ର ଲଢ଼େଇ । ଏଇ ଲଢ଼େଇରେ ଗୋଟାଏ ‘ମୁଁ' ହାରି ତଳିତଳାନ୍ତ ହୋଇଯାଏ । ଆଉ ଗୋଟାଏ ‘ମୁଁ ହସିଉଠେ ଠୋ ଠୋ ହୋଇ । ନତୁବା ଦିଇଟାଯାକ ‘ମୁଁ' ଗଡ଼ାପଡ଼ା ହୋଇଯାଆନ୍ତି ଭୀମ ଆଉ ଦୁଃଶାସନ ପରି । ଦିହିଁକି ଦିହେଁ ଆଣ୍ଠୁଗଣ୍ଠି ଛିଣ୍ଡାନ୍ତି, ଲହୁଲୁହାଣ ହୁଅନ୍ତି । ଏଇ ଦିଇଟା ‘ମୁଁ'କୁ ନେଇ ପୁଣି ହୋଇଯାଏ ଦିଇଟା ଦଳ । ଦି'ଦଳ ଭିତରକୁ ଆଉଜି ଯାଆନ୍ତି ସମଧର୍ମୀ ‘ମୁଁ’ମାନେ । ଏଇ ‘ମୁଁ’ ପୁଣି ବ୍ୟକ୍ତି ଭିତରୁ ବାହାରି ସଂକ୍ରମିତ ହୋଇଯାଏ ଜାତିକୁ, ଦଳକୁ, ରାଷ୍ଟ୍ରକୁ, ମେଣ୍ଟକୁ । ତେଣିକି ଆଉ କ'ଣ ସହଜରେ ଏଇ ‘ମୁଁ'ଟାକୁ ଛାଡ଼ିହୁଏ କି ? ଏଇ ‘ମୁଁ'କୁ ନେଇ ଲଢ଼େଇ କରୁଥିବା ମଣିଷମାନେ ଜାଣିପାରନ୍ତି ନାଇଁ ଯେ ଗୋଟାଏ ଅଦୃଶ୍ୟ ଶକ୍ତି ସେମାନଙ୍କ ପଛେ ପଛେ ଚାଲିଚି । କେତେବେଳେ କାହାକୁ କେଉଁଠି ଗାଉଁକିନା ମାଡ଼ିବସିବ କିଏ ଜାଣେ ? ଏଇ ଜାଣିନପାରିବା ଯୋଗୁ ତ ସିଏ ମଣିଷ । ନହେଲେ ତ ସିଏ ଦେବତା ହୋଇଯାଇଥାଆନ୍ତା !

 

ଓଃ, ଦେବତା ଭିତରେ କ'ଣ ଏଇ ଦାମ୍ଭିକତା ନାଇଁ ? ମଣିଷ ତ ତିଆରି କରିଚି ତା'ରି ଛାଞ୍ଚରେ ଏଇ ଦେବତାମାନଙ୍କୁ । ସେମାନେ ଆଉ ନିଆରା ହେବେ କେମିତି ଯେ ! ଏଇ ଦେଖୁନାହାନ୍ତି କୌଣସି ଦେବତାଙ୍କ ଭକ୍ତ, ସିଏ ଅସୁର ହୋଇଥାଉ କି ଯାବତୀୟ ଅନ୍ୟାୟ ଅତ୍ୟାଚାର କରୁଥାଉ ପଛେ, ତା ସହିତ ଯଦି ଅନ୍ୟ କୌଣସି ଦେବତା କୌଣସି କାରଣରୁ ଯୁଦ୍ଧ କରନ୍ତି କିମ୍ବା ତାକୁ ମାରିଦିଅନ୍ତି କି ? ନିଜର ଯାନବାହନ ଚଢ଼ି ଅସ୍ତ୍ରଶସ୍ତ୍ର ଧରି ଯୁଦ୍ଧକୁ ବାହାରି ଆସନ୍ତି । ଏଇ ଯେମିତି ବାଣାସୁର ସହିତ କୃଷ୍ଣ ବଳରାମ ଯୁଦ୍ଧ କରୁଥିବାବେଳେ ଶିବ ବାସୁଆ ବଳଦ ଉପରେ ବସି ଶିବଗଣଙ୍କୁ ସାଙ୍ଗରେ ନେଇ ବାହାରି ଆସିଲେ ଯୁଦ୍ଧ କ୍ଷେତ୍ରକୁ । ପ୍ରଳୟ ଯୁଦ୍ଧ ଆରମ୍ଭ କରିଦେଲେ । କ'ଣ ହେଲା, ଏତେ ସାହସ ତାଙ୍କ ଭକ୍ତକୁ ମାରିଦେବେ ? ବ୍ରହ୍ମା ପହଞ୍ଚି ବୁଝାଇ ନ ଥିଲେ ଅବସ୍ଥା କ'ଣ ହୋଇଥାଆନ୍ତା କହିଲେ ? ତେବେ ଏଇଟା ଶିବଙ୍କର ଦାମ୍ଭିକତା ଠିକ୍ ନୁହେଁ । ଭକ୍ତପ୍ରତି ତ ଗୋଟାଏ ଦୁର୍ବଳତା ଥାଏ । ଯେତେବେଳେ ସେ ସବୁକଥା ଜାଣିଗଲେ ସେତେବେଳେ ତାଙ୍କ ମିଞ୍ଜାସ ଥଣ୍ଡା ହୋଇଗଲା । ପାଞ୍ଚଟା ମୁଣ୍ଡ । ବୁଦ୍ଧି ଯେତେବେଳେ ପାଞ୍ଚଗୁଣ ବଢ଼ିଯାଉଛି ସେତେବେଳେ କ'ଣ ସହଜରେ ସମ୍ଭଳା ପଡ଼ିବା କଥା ?

 

ଅସୁରମାନଙ୍କର ଦାମ୍ଭିକପଣିଆ ଉତ୍କଟ ଆକାର ଧାରଣ କରିଯାଏ । ସେମାନେ ଦେବତାଙ୍କର ଚିର ଶତ୍ରୁ । ଅଥଚ ସେଇ ଦେବତାଙ୍କଠାରୁ ବରପାଇ ବଳୀୟାନ ହୋଇଯାଆନ୍ତି । ସେମାନେ ବଞ୍ଚିତ । ଅଥଚ ସେଇ ଭୋଗୀଙ୍କଠାରୁ ବରପାଇ ଭୋଗୀ ହୋଇଯାଆନ୍ତି । ସେମାନଙ୍କ ଭୋଗ ଦେବତାଙ୍କ ଭୋଗକୁ ବଳିଯାଏ । ବୁଦ୍ଧି କମ୍ ଥାଏ । ଦେହବଳ ବେଶି ହୋଇଯାଏ । ତେଣୁ ସେମାନେ ଆଗ ଆକ୍ରମଣ କରନ୍ତି ଦେବତାଙ୍କୁ । ଅପ୍‌ସରାମାନଙ୍କୁ ହରଣ କରନ୍ତି । ଦେବତାମାନଙ୍କୁ ଖଟାନ୍ତି । ଇମିତି ଗୋଟାଏ ଉପଭୋଗୀ ମନୋଭାବ ବଢ଼ିଯାଏ ସେ ଯାବତୀୟ ଅନ୍ୟାୟ ଅନୀତି ଅଧର୍ମ କରି ବସନ୍ତି । ଏଇ ଯେମିତି ହିରଣ୍ୟାକ୍ଷ, ହିରଣ୍ୟକଶିପୁ, ରାବଣ, କଂସ, ଜରାସନ୍ଧ ଆଦି କଲେ । ହିରଣ୍ୟାକ୍ଷ ଭାବିଲା ତା'ଠାରୁ ବଳି ଆଉ କେହି ଗଦାଯୁଦ୍ଧବିଶାରଦ ନାହାନ୍ତି । ବରୁଣଙ୍କଠାରୁ ସେ ଖବର ପାଇଲା ଯେ ନାରାୟଣ ତା'ଠାରୁ ବଡ଼ ଯୋଦ୍ଧା । ଏଥର ସେ ଧାଇଁଲା ନାରାୟଣଙ୍କ ପାଖକୁ । ବରାହରୂପୀ ନାରୟଣ ତାକୁ ଯୁଦ୍ଧ କରି ହତ୍ୟାକଲେ । କିରେ ବାବା ତୋର ବଳ ଅଛିବୋଲି ତୁ ଚାରିଆଡ଼େ ବୁଲି ଦେଖେଇ ହେଉଥିଲୁ କାହିଁକି ? ତୋ ଦାମ୍ଭିକପଣିଆଟା ରହିଲା କି ? ହିରଣ୍ୟାକ୍ଷ କେବଳ ନୁହେଁ, ତା' ଭାଇ ହିରଣ୍ୟକଶିପୁଟା ବି ଠିକ୍ ସେଇଆ । ଅସମ୍ଭବ ବରପାଇ ସିଏ ଧରାକୁ ସରା ମନେକଲା । ତା' ପୁଅ ହରିନାମ ନେଲାବୋଲି ତାକୁ କେତେ ନାଇଁ କେତେ ନିର୍ଯାତନା ଦେଲା । ଶେଷକୁ ଖମ୍ବ ଭିତରୁ ବାହାରି ତା' ଦାମ୍ଭିକତାକୁ ବିଦାରଣ କରିଦେଲେ ହରି । ରାବଣ ମଧ୍ୟ ହେଲା ସେଇଆ । ଏଣେ କୈଳାସ ଉପାଡ଼ିଲାଣି ତ ତେଣେ ଦେବତାମାନଙ୍କୁ ଆଣି ପାଦରେ ଖଟାଇଲାଣି । ନାରୀହରଣ କଲାଣି ତ ଆଉ କେଉଁଠି ମୁନିଋଷି ଆଦି ବୁଦ୍ଧିଜୀବୀମାନଙ୍କୁ କଷ୍ଟ ଦେଲାଣି । ଶେଷକୁ ସୁନାଲଙ୍କା ଚୂନା ହୋଇଗଲା । ନିଜେ ମଲା । ବଅଁଶଟାକୁ ବୁଡ଼େଇ ମାରିଲା । କଂସ କେତେ ଫୁଟାଣି ମାରୁ ନଥିଲା ! ଅତଚ ମଞ୍ଚାଟାରୁ ଗଡ଼ିପଡ଼ି ମରିଗଲା ଡହଳବିକଳ ହୋଇ ।

 

ଏଇତ ସବୁ ପୁରାଣ କଥା । ଇତିହାସରେ ମଧ୍ୟ ଇମିତି ଅନେକ ଦାମ୍ଭିକମାନଙ୍କୁ ଦେଖିବାକୁ ମିଳେ । କାହାର ଦାମ୍ଭିକତା ରହିଛି କି ? ଏଇ ଦେଖନ୍ତୁନା- ବିଶ୍ୱବିଜୟୀ ଆଲେକ୍‌ଜାଣ୍ଡାର ଯେତେବେଳେ ସେନାପତିମାନଙ୍କଠାରୁ ଶୁଣିଲେ ଯେ ଆଉ କୌଣସି ଦେଶ ବାକି ନାଇଁ ଜୟ କରିବାକୁ ସେତେବେଳେ ସେ ବ୍ୟସ୍ତ ହୋଇପଡ଼ିଲେ । ଯୁଦ୍ଧ ନ କରି ସିଏ ଆଉ କ’ଣ କରିବେ ? ନିଜ ରାଜ୍ୟକୁ ଫେରିଆସି ପାତ୍ରମନ୍ତ୍ରୀ, ସେନାପତି ଓ ରାଜପାରିଷଦବର୍ଗଙ୍କୁ ଡକାଇ ପଚାରିଲେ ତାଙ୍କଠାରୁ ଆଉ କେହି ଶ୍ରେଷ୍ଠ ବ୍ୟକ୍ତି ଅଛି କି ? ରାଜଅନ୍ନଭୋଗୀ ସମସ୍ତ ପାରିଷଦବର୍ଗ ସମସ୍ୱରରେ କହିଲେ ଯେ ତାଙ୍କଠାରୁ ଆଉ କେହି ଶ୍ରେଷ୍ଠ ବ୍ୟକ୍ତି ନାହିଁ । ସେଇଠି ଜଣେ ମଳିମୁଣ୍ଡିଆ ସାଧାରଣ ଲୋକଟିଏ ନମ୍ରତା ସହକାରେ ଜଣାଇଲା ଯେ ତାଙ୍କଠାରୁ ଡାୟୋଜେନିସ୍ ନାମକ ଜଣେ ଶ୍ରେଷ୍ଠ ବ୍ୟକ୍ତି ଅଛନ୍ତି । ଆଲେକ୍‌ଜାଣ୍ଡାର ଘୋଡ଼ାରେ ବସି ସଙ୍ଗେ ସଙ୍ଗେ ସେଇ ଲୋକ ପାଖକୁ ଗଲେ ତା'ର ବଡ଼ପଣିଆ ଦେଖିବାପାଇଁ । ଶୀତ ସକାଳେ ସେଇ ଲୋକଟି ଖରାରେ ବସି ଖରା ଖାଉଥାଏ-। ଦେହରେ ଛିଣ୍ଡା ବସ୍ତ୍ର ଖଣ୍ଡେ । ଆଲେକ୍‌ଜାଣ୍ଡାର ସେଇ ଲୋକଟି ପାଖରେ ଘୋଡ଼ା ଉପରୁ ଓହ୍ଲାଇ ଛିଡ଼ାହେଲେ ଏବଂ ତାକୁ ପଚାରିଲେ ସେ କ'ଣ ତାଙ୍କଠାରୁ ଚାହେଁ । ଲୋକଟି ଅତି ନମ୍ରଭାବରେ କହିଲା ଯେ ଦୟାକରି ରାଜା ଯଦି ଟିକେ ଘୁଞ୍ଚିଯାଆନ୍ତେ ତେବେ ତାଙ୍କ ଉପରେ ଖରାଟା ପଡ଼ନ୍ତା । କାରଣ ତା’ ପକ୍ଷରେ ଖରାଟା ବେଶୀ ପ୍ରୟୋଜନ । ବିଶ୍ୱବିଜୟୀ ଆଲେକ୍‌ଜାଣ୍ଡାରଙ୍କ ଦାମ୍ଭିକତା ମିଳେଇଗଲା ବରଫ ପରି ଲୋକଟିର କଥାରେ । ସେ ଲୋକଟିକୁ ପ୍ରଣାମ ଜଣାଇ କହିଲେ ଯଦି ସେ ଆଲେକ୍‌ଜାଣ୍ଡାର ହୋଇ ନଥାନ୍ତେ ତେବେ ସେ ହୋଇଥାନ୍ତେ ଏଇ ମହାନ୍ ଡାୟୋଜେନିସ୍ । ମୃତ୍ୟୁ ପୂର୍ବରୁ ଆଲେକ୍‌ଜାଣ୍ଡାର ଅନୁରୋଧ କରିଗଲେ ଯେତେବେଳେ ସେ ମରିଯିବେ ସେତେବେଳେ ତାଙ୍କ ଶବକୁ କୋକେଇରେ ରଖି ଦୁଇପଟକୁ ତାଙ୍କର ହାତ ଦୁଇଟିକୁ ଝୁଲାଇ ଦେବେ । ସିଏ ଖାଲି ହାତରେ ଜଗତକୁ ଆସିଥିଲେ । ଖାଲି ହାତରେ ସେ ଚାଲିଯାଉଛନ୍ତି । କାହାର କିଛି ନେଇଯାଉନାହାନ୍ତି ।

 

ଏଇ କଥାଟା କେତେ ତାତ୍ପର୍ଯ୍ୟପୂର୍ଣ୍ଣ ନୁହେଁ ସତେ ! ମୃତ୍ୟୁ ସଚେତନତା ଆସିଲେ ମଣିଷ କ'ଣ ଇମିତି ଦାମ୍ଭିକତା ଦେଖାନ୍ତା ? ମଣିଷ ଜାଣୁଚି ଯେ ସିଂହାସନ ପଡ଼ିରହିଚି ସିନା, ତା’ ଉପରେ ବସୁଥିବା ମଣିଷଟା ସ୍ଥାୟୀ ନୁହେଁ । କ୍ଷମତାଟା ମଧ୍ୟ ଅସ୍ଥାୟୀ । ଧନସମ୍ପତ୍ତି ପ୍ରଭୁତ୍ୱ ପଦପଦବୀ ସବୁକିଛି ଅଳିକ । ତଥାପି ମଣିଷ ଏସବୁ ମନେରଖୁନାଇଁ । ସିଏ ସବୁ କରୁଚିବୋଲି ତୁମ୍ବି ତୋଫାନ ଛାଡ଼ୁଚି । ସିଏ ଭାଙ୍ଗୁଚି ଆଉ ଗଢ଼ୁଚି । ଭଗବାନଙ୍କୁ ମାନିବାକୁ ସିଏ ପ୍ରସ୍ତୁତ ନୁହେଁ । ସିଏ ଭାବୁଚି ‘ଧନ କାର୍ପଣ୍ୟ ସେବା ଫଳେ/କିବା ଅସାଧ୍ୟ ମହୀତଳେ ।' ଆରେ ବାବା କିଏ କ'ଣ ମନା କରୁଚି କି ? ସବୁବେଳେ କ'ଣ ଧନ କାର୍ପଣ୍ୟ ସେବା କାମ ଦିଏ କି ? ଏମିତି ଗୋଟାଏ ସମୟ ଆସେ ଯେତେବେଳେ ଏସବୁ କିଛି କାମ ଦେଖାଏ ନାଇଁ । ଦାମ୍ଭିକତା ଦେଖାଇଲେ ଦୁର୍ଯ୍ୟୋଧନ ପରି ରକ୍ତନଦୀ ସନ୍ତରଣ କରିବାକୁ ହେବ, ଜାନୁଭଗ୍ନ ହୋଇ ମୃତ୍ୟୁବରଣ କରିବାକୁ ହେବ । କେତେ ଫୁଟାଣି ମାରି ସେ କହୁଥିଲା ବିନା ଯୁଦ୍ଧରେ ଛୁଞ୍ଚିମୁନରେ ମୁନେ ଜାଗା ଦେବନାଇଁ-। ଭୀଷ୍ମ, ଦ୍ରୋଣ, କର୍ଣ୍ଣ, କୃପାଚାର୍ଯ୍ୟ, ଅଶ୍ୱତ୍‌ଥାମା, ସୋମଦତ୍ତ, ଜୟଦ୍ରଥ, ଶଲ୍ୟ ଆଦି ମହାରଥୀ, ଅତିରଥୀମାନେ ତା'ପକ୍ଷରେ ଅଛନ୍ତି । ଆହୁରି କେତେ କେତେ ବୀରଗଣ ତା'ପାଇଁ ପ୍ରାଣଦେବାକୁ ଅଛନ୍ତି । ସିଏ କାହାକୁ ଖାତିର କରିବ କାହିଁକି ? ଶେଷକୁ ତାକୁ ତିନିପୁରରେ ଠାବ ମିଳିଲା ନାଇଁ । ସେ ମଲା ଡହଳବିକଳ ହୋଇ ।

 

ପୁରାଣ ଆଉ ଇତିହାସରେ ଇମିତି କେତେ କଥା ନାଇଁ ? ହେଲେ କିଏ ବୁଝୁଛି ଏ କଥା-? ଯିଏ କ'ଣ କିଛି ଟିକିଏ କ୍ଷମତା ପାଇଯାଉଚି ସିଏ ନିଜକୁ ଇନ୍ଦ୍ର ମନେକରୁଚି । ସିଏ ଯେମିତିକି ଗୋଟାପୁଣି ତୁଳସୀ । ଆଉ ସବୁ ବିଛୁଆତି । ମଣିଷମାନଙ୍କୁ ସେ ମନେକରୁଚି ପୋକମାଛି ପରି । ଯେଉଁ ଉପାୟରେ ହେଉ ଧନ କମଉଚି ସେଇଟା କଳାଧନ କି ଧଳାଧନ, କୁବେର ଧନ କି ଲକ୍ଷ୍ମୀ ଧନ ସେ କଥାକୁ ନଜର ନାଇଁ । ତା' ବିଚାରରେ ଧନ ତ ଧନ, ସିଏ ପୁଣି କଳା କ'ଣ ଧଳା କ'ଣ ? ଯେତେଦିନ ମହୀରେ ଅଛ ସେତେଦିନ ଯେନତେନପ୍ରକାରେ ଧନ କମେଇ ମଉଜ ମଜ୍‌ଲିସ୍‌ରେ ଜୀବନ କାଟିନେବାହିଁ ପୁରୁଷପଣିଆ । ଏଇ ଧନର ମାୟାଟା ମଣିଷକୁ ଇମିତି ଅନ୍ଧ କରିଦେଇଚି ଯେ ସିଏ ଆଉକିଛି ଦେଖିପାରୁନାଇଁ । ଧନ ହୋଇଗଲେ ତେଣିକି କୋଠାବାଡ଼ି ବଗିଚା ଗାଡ଼ିଘୋଡ଼ା ମାନସମ୍ମାନ ଆଉ କେତେ ବାଟ କି ? ସରଗ ତ ଆଉ ଦି' ଆଙ୍ଗୁଳି ମାତ୍ର । ଗୋଟାଏ ନୂଆ ପୋଷାକୀ ଆଭିଜାତ୍ୟ ଫୁଟିଉଠେ । ଖାଲି ଧନକୁ ନେଇ ନୁହେଁ, ପଦକୁ ନେଇ ମଧ୍ୟ ପ୍ରକାଶ ପାଇଯାଏ ଦାମ୍ଭିକତା । ପଦର ଗଦ ଶୁଙ୍ଘି ସିଏ ଯାହାପାରୁଚି ତାହା କରିଯାଉଚି । ପଦଟା ତ ଅଛି । ତାକୁ କ'ଣ କିଏ ନେଇଯିବ କି ? ପଦପଦବୀକୁ ନେଇ ଯିଏ ଯାହାପାରୁଚି ସିଏ ତାହା କରିଯାଉଚି-। ଇଏ ସବୁ ଅଳପ ମଣିଷଙ୍କ କଥା । ଭାଗବତରେ ଅଛି- ‘ଅଳପ ଲୋକେ ଅଧିକାର/କିମ୍ପାଇ ଦେଲୁ ଦାମୋଦର ।' ଅଳ୍ପକିଆ ଲୋକ ଅଧିକାର ଟିକେ ପାଇଲେ ସିଏ ନିଜକୁ ଖୁବ୍ ବଡ଼ ମନେକରେ । ଯାହା ନାଇଁ ତାହା କରିଯାଏ । କାହାରି ପ୍ରତି ଖାତିର ନ ଥାଏ । ଆଗେ ରାଜାମହାରାଜାମାନେ ଅଧିକାରୀପାଇଁ ଦାମ୍ଭିକତା ଦେଖାଉଥିଲେ । ଏବେ ନୂଆ ରାଜାମାନେ ସେଇପରି ଦାମ୍ଭିକତା ଦେଖାଉଅଛନ୍ତି । ସମସ୍ତଙ୍କ ଭାଗ୍ୟଡୋରିକୁ ନିଜ ହାତରେ ରଖିବାକୁ ଇଚ୍ଛା କରନ୍ତି । ଅଥଚ ନିଜ ଭାଗ୍ୟଡୋରି ଯେ କାଳ ହସ୍ତରେ ବନ୍ଧା ହୋଇଥାଏ ସେକଥାକୁ କେହି ମନେ ରଖେନାଇଁ । କବିବର ରାଧାନାଥ ପରା କହିଛନ୍ତି- ‘ଇଚ୍ଛନ୍ତି ଦାମ୍ଭିକେ ହସ୍ତେ ରଖିବାକୁ ସମସ୍ତଙ୍କ ଭାଗ୍ୟଡୋରି/ନିଜ ଭାଗ୍ୟଡୋରି କାଳହସ୍ତେ ବନ୍ଧା ପକାନ୍ତି ହେଲେ ପାସୋରି ।'

 

ଦାମ୍ଭିକତା କେତେ ଦିନ କି ? ବେଶିଦିନ ନୁହେଁ । ଦାମ୍ଭିକ ବ୍ୟକ୍ତି କାହାରିକୁ ମାନେନାଇଁ-। ସମସ୍ତଙ୍କ ଉପରେ ଚଢ଼ି ବଡ଼ ହେବାକୁ ଚାହେଁ । ଯେତେ ବଡ଼ ହେଲେ ମଧ୍ୟ ତା'ର ଆଶା ମେଣ୍ଟେ ନାଇଁ । ମର୍ତ୍ତ୍ୟର ଅଧିକାରୀ ହୋଇ ସରଗକୁ ହାତ ବଢ଼ାଉଚି । ଇମିତି ଉପରକୁ ଚଢ଼ୁ ଚଢ଼ୁ ଶେଷକୁ ଭୁସ୍‌କରି ରସାତଳେ ପଡ଼ି ବାପାଲୋ ବୋଉଲେ ରଡ଼ି ଛାଡ଼ିବାକୁ ହୁଏ । ତଥାପି କ'ଣ ବୁଦ୍ଧି ଫେରେ କି ? ଦାମ୍ଭିକପଣଟା ଯାଏନାଇଁ ଜମା । ରକ୍ତବୀର୍ଯ୍ୟ ପରି ଲମ୍ବିଆସେ ସେଇ ଧାର । ମରୁଭୂମିରେ ଓଟ କଣ୍ଟାସିଝୁ ଖାଏ । କଣ୍ଟାରେ ତା' ଓଠ ପାଟି ଫୁଟି ରକ୍ତ ଝରେ । ସେଇ ଲୁଣିଆ ରକ୍ତକୁ ଚାଟିଦେଇ ସିଏ ପୁଣି କଣ୍ଟାସିଝୁ ଖାଏ । ଖାଇବାକୁ ହେବ । କଣ୍ଟା ଫୁଟିଲେ କେତେ ନଫୁଟିଲେ କେତେ । ଖାଇବାକୁ କିଏ କ'ଣ ମନାକରୁଚି କି ? ରହିସମ୍ଭାଳି ଖାଇଲେ ସିନା ହେବ । ନ ହେଲେ ସବୁ ମୂଳରୁ ଯିବ ଯେ !

 

ଦମ୍ଭ ରହୁ । ସମସ୍ତେ ଦମ୍ଭିଲା ହୁଅନ୍ତୁ । ଦମ୍ଭିଲା ହୋଇଗଲବୋଲି ଦାମ୍ଭିକତା ପ୍ରକାଶ କରନା । ଏଇ ଦାମ୍ଭିକତାଟା ମଣିଷକୁ ନେଇଯାଏ ପଶୁସ୍ତରକୁ । ମଣିଷ ହୁଏ ସଇତାନ । ତା'ପଛେ ପଛେ ଗୋଡ଼େଇଥାଏ କାଳଚକ୍ର । କେତେବେଳେ ଯେ କାଟିଦେବ ଦି'ଗଡ଼ କରି ଜାଣିପାରିବ ନାଇଁ-। ସିଏ ତ ଆଉ ନୋଟିସ୍ ଦେଇ ଆସେନାଇଁ । ଛପି ଛପି ଆସି ମାଡ଼ିବସିବ ଗାଉଁକରି । ସେତେବେଳକୁ ସବୁ ଅକଲଗୁଡ଼ୁମ୍ ହୋଇଯିବ । କେହି ପିଠିରେ ପଡ଼ିବେ ନାଇଁ । କିଏ କୁଆଡ଼େ ପଳାଇଯିବେ କାନ ଝାଉଁଳେଇ । କାହାକୁ କିଏ ଦାମ୍ଭିକତା ଦେଖାଇବ ? ଏଇ ଦେଖୁନା ଅର୍ଜୁନ ତା' ଦାମ୍ଭିକପଣିଆ ଦେଖାଉଥିଲା ଯେ ଶେଷକୁ ଗାଣ୍ଡୀବ ଧନୁ ଉଠେଇ ପାରିଲାନାଇଁ । ଯେଉଁ ଗାଣ୍ଡୀବ ହାତେ, ସେଇ ଗାଣ୍ଡୀବ ମାଥେ । କୃଷ୍ଣଙ୍କ ପତ୍ନୀମାନଙ୍କୁ ସେ ରକ୍ଷା କରିପାରିଲା ନାଇଁ । ଯାହାଙ୍କୁ ନେଇ ଦମ୍ଭ ଓ ଦାମ୍ଭିକତା ପ୍ରକାଶ ପାଏ ତାଙ୍କୁ ଚିହ୍ନିପାରିଲେ, ଜାଣିପାରିଲେ ତୁଚ୍ଛା ମୁଁ ପଣିଆଟା ରହେନାଇଁ । ସବୁ ଦମ୍ଭର ଯିଏ କାରଣ ତାଙ୍କ ସହିତ ପରିଚୟ ହୋଇଗଲେ ଭିତରର ‘ମୁଁ'ଟି ଲହୁଣି ପରି କୋମଳ ହୋଇଯାଏ । ନିଜେ ବଡ଼ ହୋଇଯିବାର ମୋହ ଆଉ ଦେଖାଯାଏନାଇଁ । ସମସ୍ତଙ୍କୁ ନେଇ ଆଗେଇ ଯିବାକୁ ପ୍ରେରଣା ସୃଷ୍ଟି ହୁଏ । ଏଇଥିପାଇଁ ତ କହୁଚି- ଦାମ୍ଭିକତା ଛାଡ଼, ଦମ୍ଭକୁ ଧର, ଅନ୍ୟକୁ ଦମ୍ଭ କର । ତେବେ ଯାଇ ମଣିଷପଣିଆଟା ଫୁଟିଉଠିବ ।

•••

 

Unknown

ଶାନ୍ତିନିକେତନ ଓ ସତ୍ୟବାଦୀ

ଡକ୍ଟର ଗଗନେନ୍ଦ୍ରନାଥ ଦାଶ

 

।।୧।।

 

ଶାନ୍ତିନିକେତନ ବିଦ୍ୟାଳୟର ପରିକଳ୍ପନା ୧୯୦୧ରେ । ସତ୍ୟବାଦୀ ବିଦ୍ୟାଳୟର ପରିକଳ୍ପନା ତା'ର କିଞ୍ଚିତ୍ ପରବର୍ତ୍ତୀ । ବିଂଶ ଶତକର ତୃତୀୟ ଦଶକ, ଉଭୟ ଅନୁଷ୍ଠାନର ଇତିହାସରେ ଏକ ସନ୍ଧିକ୍ଷଣ । ଏହି ସମୟରେ ଶାନ୍ତିନିକେତନ ବିଦ୍ୟାଳୟ ବିଶ୍ୱବିଦ୍ୟାଳୟର ବିକଶିତ ରୂପ ଧାରଣ କଲା । ଆଉ ସମସ୍ତ ତ୍ୟାଗ ଓ ଅଧ୍ୟବସାୟ ସତ୍ତ୍ୱେ ୧୯୨୬ରେ ସତ୍ୟବାଦୀ ବିଦ୍ୟାଳୟର ଅବସାନ ହେଲା । ତେବେ ୧୯୦୯ ରୁ ୧୯୨୬ ପର୍ଯ୍ୟନ୍ତ ସମାନ୍ତରାଳ ଭାବରେ ଗଢ଼ିଉଠୁଥିବା ଏହି ବିଦ୍ୟାଳୟଦ୍ୱୟ ମଧ୍ୟରେ କେତେକ ସାମଞ୍ଜସ୍ୟ ହୁଏତ ଥିଲା । ସେଥିମଧ୍ୟରେ ସବୁଠାରୁ ବଡ଼ ସାମଞ୍ଜସ୍ୟ ହେଉଛି ଉଭୟ ବିଦ୍ୟାଳୟରେ, ମୁକ୍ତାକାଶତଳେ ସମ୍ପୂର୍ଣ୍ଣ ପ୍ରାକୃତିକ ପରିବେଶରେ ଅଧ୍ୟାପନା କରାଯାଉଥିଲା । ଉଭୟ ବିଦ୍ୟାଳୟ ଥିଲା ବନବିଦ୍ୟାଳୟ ବା ଯଥାର୍ଥ ଭାବରେ କହିଲେ, ଉପବନ ବିଦ୍ୟାଳୟ । ତେଣୁ ଅନେକ ସମୟରେ ଶାନ୍ତିନିକେତନ ସହ ସତ୍ୟବାଦୀ ବିଦ୍ୟାଳୟର ତୁଳନା କରାଯାଏ । ଶାନ୍ତିନିକେତନ ମନେ ପଡ଼ିଲେ ସତ୍ୟବାଦୀ ଓ ସତ୍ୟବାଦୀ ମନେପଡ଼ିଲେ ଶାନ୍ତିନିକେତନ ମନେପଡ଼େ; ଧରିନିଆଯାଏ ଉଭୟ ବିଦ୍ୟାଳୟର ଆଦର୍ଶ ଏକ ଓ ଅଭିନ୍ନ ଥିଲା । କେବଳ ପ୍ରୟୋଗ ବା ସାଧନା କ୍ଷେତ୍ରରେ ସାମାନ୍ୟ ପାର୍ଥକ୍ୟ ଥିଲାବୋଲି ଗ୍ରହଣ କରି ନିଆଯାଏ । ସେ ପ୍ରସଙ୍ଗରେ କୁହାଯାଏ ଯେ ଶାନ୍ତିନିକେତନରେ ସତ୍ୟବାଦୀ ପରି ‘ନିଜ କାମ ନିଜେ କର' ଆଦର୍ଶକୁ ସ୍ୱୀକାର କରାଯାଇଥିଲେ ମଧ୍ୟ କାର୍ଯ୍ୟକ୍ଷେତ୍ରରେ ତା'ର ପରମ୍ପରା ନ ଥିଲା । ଏଇଠି କହିଦେବାର ଅଛି ଆପାତ ସାମଞ୍ଜସ୍ୟ ତଳେ ଉଭୟ ବିଦ୍ୟାଳୟ ମଧ୍ୟରେ ପାର୍ଥକ୍ୟର ସୀମାରେଖା ଥିଲା ବ୍ୟାପକ ଓ ଗଭୀର । ଉଭୟ ବିଦ୍ୟାଳୟର ଆଦର୍ଶ ସମ୍ପୂର୍ଣ୍ଣ ଭାବରେ ଭିନ୍ନ ଥିଲା । ଅବଶ୍ୟ ଏଠାରେ ଆଦର୍ଶ ଓ ତା'ର ପ୍ରୟୋଗକୁ ସମ୍ପୂର୍ଣ୍ଣ ଅଲଗା କରି ଦେଖାଯାଉ ନାହିଁ । ତେଣୁ ରବୀନ୍ଦ୍ରନାଥଙ୍କ ପରିକଳ୍ପନା କ’ଣ ଥିଲା ତା ଅଲଗା କଥା । କିନ୍ତୁ ଶାନ୍ତିନିକେତନକୁ ସେ ଯେଉଁ ରୂପ ଦେଇଥିଲେ ସେଇ କଥା ହିଁ ଏଠି କୁହାଯାଉଛି । ‘ନିଜ କାମ ନିଜେ କର' କେବେ ଶାନ୍ତିନିକେତନର ଆଦର୍ଶ ନ ଥିଲା । ୧୯୧୫ରେ ମହାତ୍ମାଗାନ୍ଧୀ ଶାନ୍ତିନିକେତନ ଆସିବା ସମୟରେ ତାଙ୍କର ପ୍ରତ୍ୟକ୍ଷ ଉଦ୍ୟମରେ ଶାନ୍ତିନିକେତନରେ ‘ନିଜ କାମ ନିଜେ କର' ପରମ୍ପରା ପ୍ରବର୍ତ୍ତନର ପ୍ରଚେଷ୍ଟା କରାଯାଇଥିଲା । ରବୀନ୍ଦ୍ରନାଥ ଏଥିରେ ସ୍ୱରାଜ୍ୟର ଚାବି ରହିଛି କହି ଏ ପ୍ରଚେଷ୍ଟାକୁ ଆଶୀର୍ବାଦ କରିଥିଲେ । ବାସନ ମାଜୁଥିବା ଛାତ୍ର ଅଧ୍ୟାପକମାନଙ୍କ କ୍ଲାନ୍ତି ଅପନୋଦନପାଇଁ ଓ ସେମାନଙ୍କୁ ଆନନ୍ଦ ଦେବାପାଇଁ ଆଉ ଦଳେ ଅଦୂରରେ ସୀତାର ବାଦନ କରିବା ପର୍ଯ୍ୟନ୍ତ କଥା ଗଲା । ଶେଷରେ କିନ୍ତୁ ଏ ପରମ୍ପରା ପ୍ରବର୍ତ୍ତନର ପ୍ରଚେଷ୍ଟାକୁ ସମ୍ପୂର୍ଣ୍ଣ ଭାବରେ ବାଦ୍ ଦିଆଯାଇଥିଲା । ମୋଟ ଉପରେ ଶାନ୍ତିନିକେତନ ସତ୍ୟବାଦୀ ନୁହେଁ; କି ସତ୍ୟବାଦୀ ଶାନ୍ତିନିକେତନ ନୁହେଁ । ଉଭୟ ବିଦ୍ୟାଳୟର ଭିତ୍ତିଭୂମି ସମ୍ପୂର୍ଣ୍ଣ ଭିନ୍ନ ଥିଲା ।

 

।।୨।।

 

ସମଷ୍ଟି ନୁହେଁ ବ୍ୟଷ୍ଟି ହେଉଛି ଶାନ୍ତିନିକେତନ ସାଧନାର କେନ୍ଦ୍ରବିନ୍ଦୁ । ଶାନ୍ତିନିକେତନ ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ରବୀନ୍ଦ୍ରନାଥ ଜଣେ ବ୍ୟକ୍ତି, ଏକ ଗୋଷ୍ଠୀ ନୁହନ୍ତି । ପୁଣି ପୁଅ ରଥୀନ୍ଦ୍ରନାଥଙ୍କପାଇଁ ଉନ୍ନତ ଶିକ୍ଷାର ବ୍ୟବସ୍ଥା କରିବା ରବୀନ୍ଦ୍ରନାଥଙ୍କର ଶାନ୍ତିନିକେତନ ବିଦ୍ୟାଳୟ ସ୍ଥାପନର ଅନ୍ୟତମ ଉଦ୍ଦେଶ୍ୟ ଥିଲା । ମୋଟ ଉପରେ ଏହି ବିଦ୍ୟାଳୟ ସ୍ଥାପିତ ହୋଇଥିଲା ବ୍ୟକ୍ତିଦ୍ୱାରା ଓ ବ୍ୟକ୍ତିପାଇଁ । ତେଣୁ ବ୍ୟକ୍ତି-କୈନ୍ଦ୍ରିକତା ଶାନ୍ତିନିକେତନ ଶିକ୍ଷା ପ୍ରଣାଳୀର ଏକ ମୁଖ୍ୟ ବିଭାବ । ବାହାରର ମୁକ୍ତି ଅପେକ୍ଷା ଅନ୍ତରର ମୁକ୍ତି, ବହିର୍ବିକାଶ ଅପେକ୍ଷା ଅନ୍ତରର ବିକାଶ ବା ଆତ୍ମବିକାଶ ହେଲା ଶାନ୍ତିନିକେତନର ସାଧନା । ସମାଜପାଇଁ ଆତ୍ମତ୍ୟାଗ ନୁହେଁ ଆତ୍ମା ଆବିଷ୍କାର ହେଲା ଶାନ୍ତିନିକେତନ ଶିକ୍ଷାର ଆଦର୍ଶ । ଆଉ ଠିକ୍ ଏହି କାରଣରୁ ଶାନ୍ତିନିକେତନରେ ସମାଜ ସଚେତନତାର ଘୋର ଅଭାବ, ସମାଜ ସହ ଯୋଗସୂତ୍ର ଅତ୍ୟନ୍ତ କ୍ଷୀଣ । ସମାଜର ବିଭୀଷଣ ରୂପ ହିଁ ଶାନ୍ତିନିକେତନ ପକ୍ଷରେ ଏକମାତ୍ର ସତ୍ୟ । କର୍ମ କୋଳାହଳମୁଖର ସମାଜ ଶାନ୍ତି ଓ ସାନ୍ତ୍ୱନାର ଆଧାର ନୁହେଁ, ଉତ୍ସ ନୁହେଁ । ତେଣୁ ସମାଜଠାରୁ ଦୂରକୁ ପଳାୟନ କରିବା ହେଉଛି ଏକମାତ୍ର ପନ୍ଥା-। ଶାନ୍ତିନିକେତନର ସାଧନାରେ ଏହି ସତ୍ୟକୁ ସ୍ୱୀକୃତି ଦିଆଯାଇଥିଲା । ରବୀନ୍ଦ୍ରନାଥ ବାରମ୍ବାର ପ୍ରକାଶ କରିଥିଲେ ‘କଲିକତାର ଭିଡ଼େ ଆମାର ଜୀବନଟା ନିଷ୍ଫଳ ହୟେ ଥାକେ ।’ ‘କଲିକତାର ଆବର୍ତ୍ତେର ମଧ୍ୟେ ଆର କିଛୁତେଇ ଫିରିତେ ଇଚ୍ଛା କରେନା ।’ ଫଳରେ ସମାଜର ନିଷ୍ଠୁର ବାସ୍ତବତା, କର୍ମ କୋଳାହଳ, ଦୁଃଖ, ଦୈନ୍ୟ, ବିରୋଧ ଓ ସଂଘାତଠାରୁ ଦୂରରେ ରହି ପ୍ରକୃତିର ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧର ବାରିଧାରାରେ ଚିତ୍ତଭୂମିକୁ ସିକ୍ତ କରି ବ୍ୟକ୍ତିର ସ୍ୱାଧୀନ ଓ ସ୍ୱାଭାବିକ ବିକାଶର ତପସ୍ୟା ହେଉଛି ଶାନ୍ତିନିକେତନର ତପସ୍ୟା । ଧ୍ୟାନସ୍ଥ ଓ ଆତ୍ମ ସମାହିତ ହେବାର ତପସ୍ୟା ଶାନ୍ତିନିକେତନର ତପସ୍ୟା ।

 

ନାନାଦି କାରଣରୁ ରବୀନ୍ଦ୍ରନାଥ ଯେତେବେଳେ ସମସାମୟିକ କୌଣସି ପତ୍ରପତ୍ରିକାରେ ଲେଖିବେ ନାହିଁବୋଲି ସ୍ଥିର କଲେ ସେତେବେଳେ ପ୍ରମଥ ଚୌଧୁରୀଙ୍କ ସମ୍ପାଦନାରେ ଓ ରବୀନ୍ଦ୍ରନାଥଙ୍କ ଆଶୀର୍ବାଦରେ ଶାନ୍ତିନିକେତନରୁ ପ୍ରକାଶିତ ହେଲା ‘ସବୁଜପତ୍ର' । ଏହି ‘ସବୁଜପତ୍ର' ନାମକରଣ ମଧ୍ୟରେ ଚିର ସବୁଜ ରବୀନ୍ଦ୍ର ମାନସର ପ୍ରତିଫଳନ ପରିଲକ୍ଷିତ ହୁଏ । ବ୍ୟକ୍ତିର ସ୍ୱାଭାବିକ ବିକାଶ ସମାଜ ମଧ୍ୟରେ ନୁହେଁ, ପ୍ରକୃତି ମଧ୍ୟରେ ହିଁ ସମ୍ଭବ । ତେଣୁ ସମାଜର କର୍ମ କୋଳାହଳରୁ ଆତ୍ମରକ୍ଷା କରି ଶବ୍ଦ, ସ୍ପର୍ଶ, ରୂପ-ରସ ଗନ୍ଧମୟୀ ପ୍ରକୃତି-ଦେବୀର ପୁଣ୍ୟପୀଠରେ ଶୈଶବ ଓ କୈଶୋରର ସବୁଜ ମନକୁ ଚିର ସବୁଜ ରଖିବାର ସାଧନା ହେଉଛି ଶାନ୍ତିନିକେତନର ସାଧନା । ୧୯୧୩ରେ ଆମେରିକାରୁ ଏକ ଚିଠିରେ ରବୀନ୍ଦ୍ରନାଥ ଲେଖିଥିଲେ, ‘ଆମାଦେର ବିଦ୍ୟାଳୟର ଏଇ ଏକଟି ବିଶେଷତ୍ୱ ଆଛେ ଯେ ବିଶ୍ୱପ୍ରକୃତିର ସଙ୍ଗେ ଅଖଣ୍ଡ ଯୋଗେ ଆମରା ଛେଲେଦେର ମାନୁଷ କରିତେ ଚାଇ । କତକ ଗୁଲି ବିଶେଷ ଶକ୍ତିର ଉଗ୍ର ବିକାଶ ନୟ, କିନ୍ତୁ ଚାରିଦିକେର ସଙ୍ଗେ ଚିତ୍ତେର ମିଲନେରଦ୍ୱାରା ପ୍ରକୃତିର ପୂର୍ଣ୍ଣତା ସାଧନା ଅମାଦେର ଉଦ୍ଦେଶ୍ୟ ।’ ତେଣୁ ଗୃହ ମଧ୍ୟରେ ଆବଦ୍ଧ ନ ରହି ମୁକ୍ତ ପ୍ରାକୃତିକ ପରିବେଶରେ ଅଧ୍ୟୟନ ଓ ଅଧ୍ୟାପନା ଶାନ୍ତିନିକେତନ ଶିକ୍ଷାନୀତିର ଅନ୍ୟ ଏକ ମୁଖ୍ୟ ବିଭାବ ।

 

‘ମୋଦେର ତରୁମୂଲେର ମେଲା

ମୋଦେର ଖୋଲା ମାଠେର ଖେଲା

ମୋଦେର ନୀଲ ଗଗନେର ସୋହାଗ-ମାଖା

ସକାଲ ସନ୍ଧ୍ୟେବେଲା ।

ମୋଦେର ଶାଲେର ଛାୟା ବୀଥି

ବାଜାୟ ବନେର କଲଗୀତି

ମୋଦେର ପାତାୟ ନାଚେ

ମେତେ ଆଛେ ଆମଲକୀ-କାନନ ।’

 

ହେଉଛି ଶାନ୍ତିନିକେତନର ଶିକ୍ଷାପ୍ରଣାଳୀର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ସମାଜ ନୁହେଁ, ପ୍ରକୃତି ସହ ଏକାତ୍ମ ହେବା ଶାନ୍ତିନିକେତନ ସାଧନାର ଅଙ୍ଗ । ବୃକ୍ଷରୋପଣ, ବର୍ଷାମଙ୍ଗଳ ଓ ଶାରଦୋତ୍ସବ ପ୍ରଭୃତି ମଧ୍ୟରେ ଏ ଆଦର୍ଶର ବ୍ୟଞ୍ଜନା ସ୍ପଷ୍ଟ ।

ଶାନ୍ତିନିକେତନ ଶିକ୍ଷାପ୍ରଣାଳୀର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ସ୍ୱାଧୀନତା । ରବୀନ୍ଦ୍ରନାଥଙ୍କର ରୋମାଣ୍ଟିକ୍ ବିପ୍ଳବୀ ମନ ଶୃଙ୍ଖଳାର ନିଗଡ଼ ମଧ୍ୟରୁ ସବୁବେଳେ ପଳାୟନର ସୁଯୋଗ ଖୋଜି ବୁଲୁଥିଲା । ସେଥିପାଇଁ ଶାନ୍ତିନିକେତନ ଶିକ୍ଷାପ୍ରଣାଳୀର ମୂଳମନ୍ତ୍ର ଥିଲା ନିରାନନ୍ଦମୟ ସଂଯମ ଓ ଶୃଙ୍ଖଳା ନୁହେଁ; ସ୍ୱାଧୀନତା ଓ ଆନନ୍ଦ । ଅବଶ୍ୟ ସ୍ୱାଧୀନତା କହିଲେ ସ୍ୱୈରାଚାରିତା, ନିୟମହୀନତା ବା ଅସଂଯମ ନୁହେଁ । ତେବେ ଆନନ୍ଦହୀନ ସଂଯମ ଓ ବିଚାରହୀନ ଆଚାର ଶାନ୍ତିନିକେତନ ଶିକ୍ଷାପ୍ରଣାଳୀରେ ସମ୍ପୂର୍ଣ୍ଣଭାବେ ପରିତ୍ୟକ୍ତ ହୋଇଥିଲା । ନିୟମ ଓ ନେତି ନେତିର ନାଗଫାଶ ମଧ୍ୟରେ ବ୍ୟକ୍ତିର ସ୍ୱାଧୀନ ଓ ସ୍ୱାଭାବିକ ବିକାଶ ସମ୍ଭବ ନୁହେଁ- ଏହାହିଁ ଶାନ୍ତିନିକେତନ ସାଧନାର ପ୍ରତିପାଦ୍ୟ । ଆଚାର ବିରୋଧରେ ବିପ୍ଳବର ବାଣୀ ‘ଅଚଳାୟତନ' ନାଟକରେ ପ୍ରତିଫଳିତ ହୋଇଛି । ‘ସବୁଜର ଅଭିଯାନ' କବିତାରେ ମଧ୍ୟ ପୁରାତନ ଓ ଶୃଙ୍ଖଳା ବିରୋଧରେ ବିପ୍ଳବର ବାଣୀ ରୂପାୟିତ ହୋଇଛି । ଏହା ହେଉଛି ଶାନ୍ତିନିକେତନର ଆଦର୍ଶ ।

ଶାନ୍ତିନିକେତନ ଶିକ୍ଷାପ୍ରଣାଳୀରେ ଅଧ୍ୟୟନସହ କ୍ରିୟାଶୀଳତାର ସ୍ଥାନ ମଧ୍ୟ ଥିଲା । ତେବେ ସେ କ୍ରିୟାଶୀଳତା ମଧ୍ୟରେ ଭବିଷ୍ୟତରେ ଅର୍ଥୋପାର୍ଜନର ଯୋଜନା ନ ଥିଲା; ଥିଲା ସୌନ୍ଦର୍ଯ୍ୟ ସୃଷ୍ଟିପାଇଁ ପ୍ରେରଣା । ବୈଷୟିକ ଶିକ୍ଷା ନୁହେଁ ଚାରୁକଳା ଓ କାରୁକଳା ଉପରେ ଗୁରୁତ୍ୱହିଁ ଶାନ୍ତିନିକେତନ ଶିକ୍ଷା ପ୍ରଣାଳୀର ବିଶେଷତ୍ୱ । ସେଥିପାଇଁ ଗୀତ, ନାଟ୍ୟ ଓ ଚିତ୍ରବିଦ୍ୟା ପ୍ରଭୃତି ଥିଲା ଶାନ୍ତିନିକେତନ ଶିକ୍ଷାପ୍ରଣାଳୀର ସ୍ୱୀକୃତ ଅଙ୍ଗ । ରବୀନ୍ଦ୍ରନାଥ ନିଜେ ବିଭିନ୍ନ ନାଟକର ଅଭିନୟରେ ବିଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେଉଥିଲେ, ସଙ୍ଗୀତ ଶିକ୍ଷା ମଧ୍ୟ ଦେଉଥିଲେ । କବି ଗୁରୁଙ୍କର ଉଦାର କଣ୍ଠସ୍ୱରରେ ଶାନ୍ତିନିକେତନର ବାୟୁମଣ୍ଡଳ ମୁଖରିତ ହୋଇ ଉଠୁଥିଲା । କେବଳ ପାଣ୍ଡିତ୍ୱ ଅର୍ଜନ ଶାନ୍ତିନିକେତନ ଶିକ୍ଷାର ଆଦର୍ଶ ନ ଥିଲା । କାରଣ ପାଣ୍ଡିତ୍ୟ ଅର୍ଜନ ଭିତରେ ଜୀବନର ସ୍ୱାଧୀନ, ସ୍ୱାଭାବିକ ଓ ସାମୂହିକ ବିକାଶ ଘଟି ନ ପାରେ ।

ଜୀବନର ସାମୂହିକ ବିକାଶ ବଡ଼ କଥା ଓ ଶାନ୍ତିନିକେତନ ଶିକ୍ଷାପ୍ରଣାଳୀରେ ତା'ର ଗୁରୁତ୍ୱ ଥିଲା । ରୂଢ଼ ବାସ୍ତବତାଠାରୁ ଦୂରରେ ଶାନ୍ତିନିକେତନର ସବୁଜଶ୍ରୀ ମଧ୍ୟରେ ଅନ୍ତେବାସୀର ମନରେ ସ୍ୱପ୍ନରଚନା ଓ ସ୍ୱପ୍ନଚାରଣାର ଯଥେଷ୍ଟ ସୁଯୋଗ ମିଳୁଥିଲା ।

ଶାନ୍ତିନିକେତନ ସାଧନାର ପ୍ରେରଣାର ଉତ୍ସ ଥିଲା ପ୍ରାଚୀନ ଭାରତର ତପୋବନ, ଋଷି ଆଶ୍ରମ । ଶାନ୍ତିନିକେତନ ବିଦ୍ୟାଳୟ ସ୍ଥାପନ କରିବା ସମୟରେ ରବୀନ୍ଦ୍ର ମାନସଲୋକରେ ପ୍ରାଚୀନ ଗୁରୁକୁଳ ଆଶ୍ରମର ସ୍ମୃତି ଜୀବନ୍ତ ଥିଲା । ଫଳରେ ଅତୀତକୁ ଫେରିଯିବାର, ଅତୀତକୁ ପୁନରୁଜ୍ଜୀବିତ କରିବାର ପ୍ରବୃତ୍ତି ଶାନ୍ତିନିକେତନ ସାଧନାରେ ପ୍ରତିବିମ୍ବିତ ହୋଇଥିଲା । ଗାୟତ୍ରୀ ଆଦି ବୈଦିକ ମନ୍ତ୍ରର ଶିକ୍ଷା ଓ ଆବୃତ୍ତି ମଧ୍ୟରେ, ଛାତ୍ରମାନଙ୍କ ମଧ୍ୟରେ ପ୍ରଚଳିତ ଥିବା ବର୍ଣ୍ଣବୈଷମ୍ୟ ନୀତି ମଧ୍ୟରେ ଏହା ଲକ୍ଷ୍ୟ କରାଯାଇପାରେ । ଏପରିକି ୧୯୧୫ରେ ମହାତ୍ମାଗାନ୍ଧୀ ଯେତେବେଳେ ଶାନ୍ତିନିକେତନ ଆସିଲେ ସେତେବେଳେ ଶାନ୍ତିନିକେତନରେ ଏହି ବର୍ଣ୍ଣବୈଷ୍ଣମ୍ୟ ନୀତି ପ୍ରଚଳିତ ଥିଲା । ବିଭିନ୍ନ ବର୍ଣ୍ଣ ବା ଜାତିର ଛାତ୍ରମାନେ ଏକତ୍ର ଏକ ପଙ୍‌କ୍ତିରେ ଭୋଜନ ନ କରି ପୃଥକ୍ ପୃଥକ୍ ଭାବରେ ଭୋଜନ କରୁଥିଲେ । ଶୃଙ୍ଖଳା ଓ ଆଚାର ବିରୋଧରେ ସମସ୍ତ ବିପ୍ଳବ ଭିତରେ ପ୍ରାଚୀନତା ପ୍ରତି ଏହି ମୋହ ଓ ସମାଜ ସଚେତନତାର ଅଭାବ ଲକ୍ଷ୍ୟ କରିବାର କଥା ।

।। ୩ ।।

ସତ୍ୟବାଦୀ ବିଦ୍ୟାଳୟ କାହାରି ଜଣକର ନ ଥିଲା, ଥିଲା ସତ୍ୟବାଦୀ ଗୋଷ୍ଠୀର । ସତ୍ୟବାଦୀ ବିଦ୍ୟାଳୟ ସ୍ଥାପନର ଅନ୍ୟତମ ଉଦ୍ଦେଶ୍ୟ ଥିଲା ଦେଶରେ ସମୂହ ଶିକ୍ଷା ବିସ୍ତାର ଓ ଦେଶର ଉନ୍ନତି ସମଷ୍ଟିପାଇଁ ବ୍ୟକ୍ତିର ଆତ୍ମତ୍ୟାଗ ସତ୍ୟବାଦୀ ସାଧନାର ମୂଳମନ୍ତ୍ର । ବ୍ୟକ୍ତି ନୁହେଁ ସମାଜ, ବ୍ୟଷ୍ଟି ନୁହେଁ ସମଷ୍ଟି, ହେଉଛି ସତ୍ୟବାଦୀ ସାଧନାର କେନ୍ଦ୍ରବିନ୍ଦୁ । ତେଣୁ ସମାଜ ସଚେତନତାର ପ୍ରତିଫଳନ ସତ୍ୟବାଦୀ ଶିକ୍ଷା ପ୍ରଣାଳୀର ସ୍ତରେ ସ୍ତରେ ଆବିଷ୍କାର କରିହୁଏ । ସମସାମୟିକ ସାମାଜିକ ଆନ୍ଦୋଳନ ଓ ଆଲୋଡ଼ନର ପ୍ରାଣକେନ୍ଦ୍ର ଥିଲା ସତ୍ୟବାଦୀ ବିଦ୍ୟାଳୟ । ପୁଣି ଶିକ୍ଷକ ନୀଳକଣ୍ଠଙ୍କର ନିଶ ଥିଲା ତା'ର ପ୍ରତୀକ । ତେଣୁ ସମସାମୟିକ ସାମାଜିକ ଆନ୍ଦୋଳନ ନିଶ ଆନ୍ଦୋଳନ ନାମରେ ଖ୍ୟାତ । ପୁରୀର ରକ୍ଷଣଶୀଳ ଷୋଳ ଶାସନ ମଧ୍ୟରେ ଥାଇ ମଧ୍ୟ ସତ୍ୟବାଦୀ ବିଦ୍ୟାଳୟରେ ପ୍ରଥମରୁ ବର୍ଣ୍ଣବୈଷମ୍ୟ ନୀତି ଉଠିଯାଇଥିଲା । ଛାତ୍ରମାନେ ଏକତ୍ର ବସି ଭୋଜନ କରୁଥିଲେ । ସେଥିରେ ଜାତିଭେଦର ପ୍ରଶ୍ନ ନ ଥିଲା । ପୁଣି ଅଗ୍ନି, ବନ୍ୟା, ମହାମାରୀ ପ୍ରପୀଡ଼ିତ ଜନତାର ସେବାପାଇଁ ଶିକ୍ଷକମାନଙ୍କ ନେତୃତ୍ୱରେ ସତ୍ୟବାଦୀର ଛାତ୍ରମାନେ ଅଣ୍ଟାଭିଡ଼ି ବାହାରି ପଡ଼ୁଥିଲେ । ସମସ୍ତ ପ୍ରକାର ସାମାଜିକ ଦୁଃଖ, ଦୈନ୍ୟ, କର୍ମକୋଳାହଳ, ବିରୋଧ ଓ ସଂଘାତ ମଧ୍ୟରେ ସତ୍ୟବାଦୀର ସାଧନା । ସେବା (Relief) ଓ ସଂସ୍କାର (Reform) ଥିଲା ଏ ସାଧନାର ମୂଳମନ୍ତ୍ର । କର୍ମକ୍ଷେତ୍ର ଥିଲା ସମାଜ । ସତ୍ୟବାଦୀରୁ ପ୍ରକାଶିତ ହେଉଥିବା ‘ସମାଜ' ନାମକରଣ ମଧ୍ୟରେ ସତ୍ୟବାଦୀ ଗୋଷ୍ଠୀର ଏହି ସମାଜ ସଚେତନ ମନର ପ୍ରତିଫଳନ ସ୍ପଷ୍ଟ । ସମାଜ ସହ ସତ୍ୟବାଦୀ ଗୋଷ୍ଠୀର ଯୋଗ ଥିଲା ଅତ୍ୟନ୍ତ ନିବିଡ଼ । ଜଗନ୍ନାଥ ଧର୍ମ ପ୍ରସଙ୍ଗରେ ପଣ୍ଡିତ ନୀଳକଣ୍ଠ କହନ୍ତି, ‘ସମାଜ ହେଉଛି ମାନବ ବ୍ୟକ୍ତିର ସେଇ ଜଗତ, ସେଇ ସମାଜ ଜଗତର କର୍ମଶୃଙ୍ଖଳା ଭିତରେ ନିଜକୁ ନିର୍ବିକଳ୍ପ ଭାବରେ ଓ ଅବାଧରେ ମିଶାଇଦେବାର କର୍ମ ହେଉଛି ଜଗନ୍ନାଥ ଧର୍ମ ।’ ସତ୍ୟବାଦୀ ସାଧନାରେ ଏହି ଆଦର୍ଶର, ଏହି ଜଗନ୍ନାଥ ଧର୍ମର ବ୍ୟଞ୍ଜନା ଦେଖିବାପାଇଁ ମିଳେ । ଏଇଠି ଅପ୍ରାସଙ୍ଗିକ ହେଲେ ମଧ୍ୟ କହିଦେବାର ଅଛି ଯେ ଏହି ସେବା (Relief) ଓ ସଂସ୍କାର (Reform) କେବେ ରବୀନ୍ଦ୍ରନାଥଙ୍କର ବା ଶାନ୍ତିନିକେତନ ସାଧନାର ଆଦର୍ଶ ନ ଥିଲା । କିନ୍ତୁ ଆତ୍ମ-ଆବିଷ୍କାର ନୁହେଁ ସମଷ୍ଟିପାଇଁ ଆତ୍ମତ୍ୟାଗ ସାଧନା, ସମାଜ ସହ ଏକାତ୍ମ ହେବାର ସାଧନା ହେଉଛି ସତ୍ୟବାଦୀ ସାଧନା ।

 

ପୁଣି ଜାଣିରଖିବାର କଥା ମୂଳରୁ ସତ୍ୟବାଦୀରେ ବନବିଦ୍ୟାଳୟ ବା ମୁକ୍ତ ପ୍ରାକୃତିକ ପରିବେଶରେ ଅଧ୍ୟାପନାର ପରିକଳ୍ପନା ବା ଯୋଜନା ସତ୍ୟବାଦୀର ପ୍ରାଣ ପ୍ରତିଷ୍ଠାତାମାନଙ୍କ ମନରେ ନ ଥିଲା । ପଣ୍ଡିତ ହରିହରଙ୍କର ସ୍ମୃତିହିଁ ସତ୍ୟବାଦୀର ବକୁଳ ଓ ଛୁରିଅନା ବନରେ ବିଦ୍ୟାଳୟ ସ୍ଥାପନର ପ୍ରେରଣା ଦେଇଥିଲା । ପୁଣି ୧୯୧୨ରେ ନିଶ ଆନ୍ଦୋଳନ ସମୟରେ କେହି ରକ୍ଷଣଶୀଳ ବ୍ୟକ୍ତି ବିଦ୍ୟାଳୟ ଗୃହରେ ଅଗ୍ନି ସଂଯୋଗ କରିବା ପୂର୍ବରୁ ରୀତିମତ ଗୃହ ମଧ୍ୟରେ ହିଁ ଅଧ୍ୟାପନା କରାଯାଉଥିଲା । ପୁଣି ବିଦ୍ୟାଳୟ ଗୃହଟି ପୋଡ଼ି ନ ଯାଇଥିଲେ କେବେ ମୁକ୍ତ ପ୍ରାକୃତିକ ପରିବେଶରେ ଅଧ୍ୟାପନା କରାଯାଇଥାନ୍ତା କି ନାହିଁ ସନ୍ଦେହଜନକ । ତେଣୁ ସତ୍ୟବାଦୀ ବିଦ୍ୟାଳୟର ବନବିଦ୍ୟାଳୟରେ ପରିଣତ ଏକ ଆକସ୍ମିକ ଘଟଣା (historical accident) ମାତ୍ର । ଏ ପ୍ରସଙ୍ଗରେ ସୂଚାଇ ଦେବାର କଥା ଯେ, ସ୍କୁଲ ଘରପୋଡ଼ି ସମ୍ବାଦ ପାଇ ଗୋପବନ୍ଧୁ ଯେତେବେଳେ ବାରିପଦାରୁ ଆସି ସତ୍ୟବାଦୀରେ ପହଞ୍ଚିଲେ, ସେତେବେଳେ ବିଷଣ୍ଣ ଶିକ୍ଷକମାନଙ୍କୁ ଉତ୍ସାହ ଉଦ୍ଦୀପନା ଦେଇ ସେ କହିଥିଲେ, ‘ଏଥିପାଇଁ ଦୁଃଖ କ'ଣ ? ଭଗବାନ୍‌ଙ୍କର ଇଚ୍ଛା ବୋଧହୁଏ ଏ ବିଦ୍ୟାଳୟପାଇଁ କୋଠାଘର ହେବ ।’ ମୁକ୍ତ ଆକାଶ ଓ ମୁକ୍ତ ବତାସର ଉପଯୋଗିତା ନୁହେଁ ଆବଶ୍ୟକତା ହିଁ ସତ୍ୟବାଦୀ ବନବିଦ୍ୟାଳୟର ଜନନୀ । ପରେ ହୁଏତ ତା'ର ଉପଯୋଗିତା ଉପଳବ୍ଧି କରାଗଲା । କିନ୍ତୁ ସତ୍ୟବାଦୀରେ କେବେ ଶାନ୍ତିନିକେତନ ପରି ମୁକ୍ତ ପରିବେଶ ଉପରେ ଏତେ ଗୁରୁତ୍ୱ ଦିଆଯାଇ ନାହିଁ ।

 

ସବୁ ସମାଜ ସଂସ୍କାର ଓ ସାମାଜିକ ଆନ୍ଦୋଳନ ଆଲୋଡ଼ନର ପ୍ରାଣକେନ୍ଦ୍ର ସତ୍ୟବାଦୀ ବିଦ୍ୟାଳୟର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି କଠୋର ଶୃଙ୍ଖଳା ଓ ସଂଯମରେ ବିଶ୍ୱାସ । ଦେଶର ଉନ୍ନତିପାଇଁ ଶୃଙ୍ଖଳିତ ନାଗରିକ ଗଢ଼ିବା ହିଁ ସତ୍ୟବାଦୀ ବିଦ୍ୟାଳୟର ଅନ୍ୟତମ ଲକ୍ଷ୍ୟ ଥିଲା । ସେବା ଓ ସଂସ୍କାର ମଧ୍ୟରେ ମଧ୍ୟ ଶୃଙ୍ଖଳା ଲୋଡ଼ା । ଶୃଙ୍ଖଳା ଭିତରେ କର୍ମର ଓ ଆତ୍ମତ୍ୟାଗର ଦୀକ୍ଷା ନେଇ ସମାଜ ସହ ଏକାତ୍ମ ହେବା ସମ୍ଭବ । ସଂଯମ ଶୃଙ୍ଖଳା ସବୁ ସମୟରେ ଆନନ୍ଦଦାୟକ ନ ହୋଇପାରେ, କିନ୍ତୁ ସେଥିପାଇଁ ସଂଯମ ଶୃଙ୍ଖଳାକୁ ପରିତ୍ୟାଗ କରିବା ସ୍ପୃହଣୀୟ ନୁହେଁ; ଏହାହିଁ ଥିଲା ସତ୍ୟବାଦୀ ଶିକ୍ଷାପ୍ରଣାଳୀର ସ୍ୱୀକୃତ ଆଦର୍ଶ । ସମସ୍ତ ବିପ୍ଳବ ମଧ୍ୟରେ ମଧ୍ୟ ଶୃଙ୍ଖଳା ଓ ସଂଯମର ଆବଶ୍ୟକତା ସତ୍ୟବାଦୀ ଶିକ୍ଷାପ୍ରଣାଳୀରେ ଗ୍ରହଣ କରାଯାଇଥିଲା । ତେଣୁ କଠୋର ସଂଯମ ଓ ଶୃଙ୍ଖଳା ରୂପ ପାଇଥିଲା ସତ୍ୟବାଦୀର ଦୈନନ୍ଦିନ ଜୀବନଯାପନ ପ୍ରଣାଳୀରେ । ସତ୍ୟବାଦୀ ବିଦ୍ୟାଳୟର ନିୟମାବଳୀ ମଧ୍ୟରେ ତା'ର ନିଦର୍ଶନ ପରିଲକ୍ଷିତ ହୁଏ ।

 

ସ୍ୱାବଲମ୍ବନଶୀଳତା ଓ ନିର୍ଭରଶୀଳତା ସତ୍ୟବାଦୀ ଶିକ୍ଷାନୀତିର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ‘ନିଜ କାମ ନିଜେ କର' ଥିଲା ସତ୍ୟବାଦୀ ଶିକ୍ଷାନୀତିର ଆଦର୍ଶ । ଯଦିଓ ଏଥିପାଇଁ ସତ୍ୟବାଦୀରେ ସାଧାରଣ ଶିକ୍ଷାକୁ କେବେ ଗୁରୁତ୍ୱହୀନବୋଲି ମନେ କରାଯାଉ ନ ଥିଲା । ‘ନିଜ କାମ ନିଜେ କର' ମନ୍ତ୍ରରେ ଦୀକ୍ଷିତ ହୋଇ, ଛାତ୍ରମାନେ କେବଳ ଛାତ୍ରାବାସର ଅଧିକାଂଶ କାମ ଯେ ହାତେ ହାତେ କରୁଥିଲେ, ତା' ନୁହେଁ, ବିଦ୍ୟାଳୟର ଗୃହ ନିର୍ମାଣରେ ପ୍ରତ୍ୟକ୍ଷଭାବରେ ସାହାଯ୍ୟ ଓ ସହଯୋଗ କରୁଥିଲେ ପୁଣି ଭବିଷ୍ୟତ୍‌ରେ ଚାକିରି ନ କରି ମଧ୍ୟ ସ୍ୱାଧୀନ ଭାବରେ ଜୀବିକାର୍ଜନ କରି ସ୍ୱାବଲମ୍ବୀ ହେବାର ପ୍ରେରଣା ସତ୍ୟବାଦୀର ବୈଷୟିକ ଶିକ୍ଷା ମାଧ୍ୟମରେ ଥିଲା । ତେବେ ଏଥିପାଇଁ ମହାତ୍ମାଗାନ୍ଧୀଙ୍କର ‘ନୟି ତାଲିମ' ବା ‘ମୌଳିକ ଶିକ୍ଷା'ରେ ସାଧାରଣ ଅଧ୍ୟୟନ ଓ ଶିକ୍ଷା ଯେପରି ଗୁରୁତ୍ୱହୀନ ହୋଇପଡ଼ିଥିଲା, ସତ୍ୟବାଦୀ-ଶିକ୍ଷାନୀତିରେ ତା'ର ସୂଚନା ଆଦୌ ନ ଥିଲା । ସତ୍ୟବାଦୀର ଛାତ୍ରମାନେ ସ୍ଥୂଳତଃ ଥିଲେ ଜ୍ଞାନ-ତାପସ । ତେବେ ମାନସିକ ଶ୍ରମ ସହ ଶାରୀରିକ ଶ୍ରମ ଓ ବୁଦ୍ଧି ସହ ଶକ୍ତିର ମଧୁର ସମନ୍ୱୟର ପରିକଳ୍ପନା କରାଯାଇଥିଲା ସତ୍ୟବାଦୀର ଶିକ୍ଷାନୀତିରେ । ପୁଣି ସତ୍ୟବାଦୀର ଛାତ୍ରମାନେ ଯେପରି ଆଳସ୍ୟ ପରାୟଣ ନ ହେବେ, ଭବିଷ୍ୟତ୍‌ରେ ଶାରୀରିକ ଶ୍ରମକୁ ଘୃଣା ନ କରିବେ ଓ ଚାକିରିକୁ ଜୀବିକାର୍ଜନର ଏକମାତ୍ର ପନ୍ଥାବୋଲି ନ ଭାବିବେ ତା ଥିଲା ଏପରି ପରିକଳ୍ପନାର ମୂଳରେ ।

 

ସତ୍ୟବାଦୀରେ ସଙ୍ଗୀତ ଓ ଚିତ୍ରବିଦ୍ୟା ଶିକ୍ଷାର ବିଶେଷ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ, ସତ୍ୟବାଦୀରେ ମଧ୍ୟେ ମଧ୍ୟେ ନାଟକ ଅଭିନୟ ହେଉଥିଲେ ମଧ୍ୟ ଶାନ୍ତିନିକେତନ ପରି ଏସବୁ ଉପରେ ଏତେ ଗୁରୁତ୍ୱ ଆରୋପ କରାଯାଉ ନ ଥିଲା । ସତ୍ୟବାଦୀର ଶିକ୍ଷାପ୍ରାଣାଳୀରେ ସେ ସବୁର ସ୍ଥାନ ଥିଲା ଗୌଣ । ପୁଣି ସମାଜର ସେବା ଓ ସଂସ୍କାରପାଇଁ ଓ ଦେଶର ଉନ୍ନତିପାଇଁ ଶକ୍ତିର ଆବଶ୍ୟକତା ଉପଲବ୍ଧି କରାଯାଉଥିବାରୁ ସୌନ୍ଦର୍ଯ୍ୟ ସୃଷ୍ଟି ଅପେକ୍ଷା ଶକ୍ତି ସଂଗ୍ରହପାଇଁ ଅଧିକ ପ୍ରେରଣା ଦିଆଯାଉଥିଲା ସତ୍ୟବାଦୀରେ ।

 

ସତ୍ୟବାଦୀ ବିଦ୍ୟାଳୟର ପ୍ରେରଣା ଉତ୍ସ ଥିଲା ଇଂଲଣ୍ଡର ହାରୋ, ଏଟନ ଓ ରୁଗ୍‌ବୀ ପ୍ରଭୃତି ବିଦ୍ୟାଳୟ ଓ ପୁନାର ଫର୍ଗୁସନ କଲେଜ ବିଶେଷଭାବେ ଏଡ୍‌ଉଇନ୍ ଆର୍‌ନୋଲଡ (Edwin Arnold)ଙ୍କ ପିତା ରୁଗ୍‌ବୀ ବିଦ୍ୟାଳୟର କିପରି ସଂସ୍କାର ସାଧନ କରିଥିଲେ, ତା ଥିଲା ସତ୍ୟବାଦୀର ପ୍ରାଣ ପ୍ରତିଷ୍ଠାତାମାନଙ୍କର ଆଲୋଚନାର ବିଷୟବସ୍ତୁ । ତେଣୁ ସତ୍ୟବାଦୀ ବିଦ୍ୟାଳୟ ପ୍ରାଚୀନତାର ଅନୁବର୍ତ୍ତନ ନ କରି ଭବିଷ୍ୟତର ଯୋଜନା ପ୍ରସ୍ତୁତିର କ୍ଷେତ୍ର ଥିଲା । ସେଥିପାଇଁ ପୁରୀର ରକ୍ଷଣଶୀଳ ଶାସନଗୁଡ଼ିକର ମଧ୍ୟସ୍ଥଳରେ ରହି ମଧ୍ୟ ସତ୍ୟବାଦୀ ବିଦ୍ୟାଳୟରେ ଛାତ୍ରମାନେ ଜାତି ଧର୍ମ ନିର୍ବିଶେଷରେ ଏକ ପଙ୍‌କ୍ତିରେ ଭୋଜନ କରୁଥିଲେ । ସତ୍ୟବାଦୀ ବିଦ୍ୟାଳୟ ଥିଲା ନୂତନ ଆଲୋକର ପ୍ରାଣକେନ୍ଦ୍ର ।

 

।। ୪ ।।

ଶାନ୍ତିନିକେତନର ଶିକ୍ଷାରେ, ଅତୀତର ସିଂହାବଲୋକନ ଓ ସତ୍ୟବାଦୀର ଶିକ୍ଷାରେ, ଭବିଷ୍ୟତର ପୁରୋଦୃଷ୍ଟି ଫୁଟିଥିଲା । ଆଦର୍ଶବାଦର ଭିତ୍ତିଭୂମି ଉପରେ ଉଭୟ ବିଦ୍ୟାଳୟ ପ୍ରତିଷ୍ଠିତ ଥିଲେ ମଧ୍ୟ ଶାନ୍ତିନିକେତନ ଆଦର୍ଶ ମୂଳରେ ଥିଲା ବ୍ୟକ୍ତି, ମୁକ୍ତି ଓ ସୌନ୍ଦର୍ଯ୍ୟ; କିନ୍ତୁ ସତ୍ୟବାଦୀ ଆଦର୍ଶ ମୂଳରେ ଥିଲା ସମଷ୍ଟି, ଶକ୍ତି ଓ ସଂଯମ । ଶାନ୍ତିନିକେତନ ଆଦର୍ଶ ସହ ବାହାରର ବାସ୍ତବତାର କୌଣସି ସମ୍ପର୍କ ନ ଥିଲା; କିନ୍ତୁ ସତ୍ୟବାଦୀର ଆଦର୍ଶ ସହ ବାସ୍ତବତାର ସମ୍ପର୍କ ଥିଲା ଅତ୍ୟନ୍ତ ନିବିଡ଼ । ତେଣୁ ସତ୍ୟବାଦୀର ସାଧନାରେ ଦେଶ ଓ କାଳର ପରିପ୍ରେକ୍ଷୀରେ ଭୂୟୋବିକାଶର ଧାରା ପ୍ରତିବିମ୍ବିତ ହେଉଥିବା ସମୟରେ ଦେଶ ଓ କାଳର ପରିପ୍ରେକ୍ଷୀରୁ ମୁକ୍ତି କେବଳ ସାର୍ବଜନୀନ ଓ ସର୍ବକାଳୀନ ବିକାଶର ଧାରା ପ୍ରତିବିମ୍ବିତ ହେଉଥିଲା ଶାନ୍ତିନିକେତନର ସାଧନାରେ । ତେଣୁ ଦେଶ ଓ କାଳଠାରୁ ଛାତ୍ରମାନଙ୍କୁ ବିଚ୍ଛିନ୍ନ କରି କେବଳ ମଣିଷରୂପେ ଶାନ୍ତିନିକେତନର ସାଧନା ଦେଖୁଥିଲା, ଛାତ୍ରମାନଙ୍କୁ ଦେଉଥିଲା ସେମାନଙ୍କ ମାନବୀୟ ଧର୍ମର ସ୍ୱତଃ ଓ ସ୍ୱାଭାବିକ ବିକାଶର ସୁଯୋଗ । କିନ୍ତୁ ସତ୍ୟବାଦୀର ସାଧନା ଛାତ୍ରମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଦେଶ ଓ କାଳର ଅଙ୍ଗରୂପେ ଦେଖୁଥିଲା- ଚେଷ୍ଟା କରୁଥିଲା ସେହି ନିର୍ଦ୍ଦିଷ୍ଟ ଦେଶ ଓ କାଳର ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ଗଢ଼ିବାପାଇଁ । ଶାନ୍ତିନିକେତନ ଓ ସତ୍ୟବାଦୀର ସାଧନାରେ ଯଥାକ୍ରମେ ଭିତର ଓ ବାହାରର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଉଥିଲା । ଗୋଟିଏ ଥିଲା କବିର ଓ ଅନ୍ୟଟି ଥିଲା କର୍ମୀର ଆଶ୍ରମ ।

•••

 

କବି ଓ ସମାଲୋଚକ

ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି

 

ସମାଲୋଚନା ସାହିତ୍ୟ କହିଲେ ଦଳେ ବୁଝନ୍ତି, ଯେଉଁମାନେ ସୃଜନକଳାର ଉପାସନ କରିପାରନ୍ତି ନାହିଁ ଅର୍ଥାତ୍ ମୌଳିକ ସାହିତ୍ୟ ଲେଖିପାରନ୍ତି ନାହିଁ, ସେମାନେ ମୌଳିକ କାବ୍ୟକୃତି ଉପରେ ସନ୍ଦର୍ଭ ଲେଖନ୍ତି । ଏମାନଙ୍କର ବିଶ୍ୱାସ ଯେ ସମାଲୋଚକ ଲେଖକ ଓ ପାଠକ ମଧ୍ୟରେ ଏକ ପ୍ରାୟ ଅଦରକାରୀ ତୃତୀୟ ପକ୍ଷ । କାରଣ ଏହି ଦଳ ବିଶ୍ୱାସ କରନ୍ତି ଯେ ପାଠକ ହିଁ ସମାଲୋଚକ । ପାଠକର ପସନ୍ଦ ନାପସନ୍ଦ ହିଁ ସମାଲୋଚନା । ଜଣେ ପଶ୍ଚିମା ପଣ୍ଡିତ ଏହି ଦଳର ମୁଖପାତ୍ର ପରି କହିଛନ୍ତି : "The degeneration of a poet is the birth of a critic." (ସୃଜନ ଶିଳ୍ପୀର ଅବକ୍ଷୟ ଆରମ୍ଭ ହେଲେ ସମାଲୋଚକ ଜନ୍ମ ନିଏ) । ଆଉ ଦଳେ ଭାବନ୍ତି ଯେ ସମାଲୋଚନା ନାନ୍ଦନିକ ଐଶ୍ୱର୍ଯ୍ୟର ଏକ ଦର୍ଶକ ଯାହା ସାଧାରଣ ପାଠକ ପାଖରେ ମୂଳ ସୃଷ୍ଟିର ରହସ୍ୟ ଉଦ୍‌ଘାଟନ କରେ ଯଦ୍ଦ୍ୱାରା ସେ ନିଜ ଅନୁଭବରୁ ବୁଝିପାରେ ମୂଳ ସୃଷ୍ଟିର ଅର୍ଥ ଏବଂ ଶୈଳୀ । ଅର୍ଥାତ୍ ସମାଲୋଚକ ଏକ ଟୀକାକାର ବା ପୁରାଣ ପଣ୍ଡା । ଏହି ଉଭୟ ଦଳ ସମାଲୋଚନା ସାହିତ୍ୟର ଅବମାନନା କରନ୍ତି: କାରଣ ସମାଲୋଚନା ଓ ସୃଷ୍ଟି ସମଜାତୀୟ ସୃଜନ କଳା । ଜଣେ କବି ବା ଚିତ୍ରକର ଯେତେବେଳେ ଗୋଟିଏ ଶବ୍ଦ, ଛନ୍ଦ ବା ରଙ୍ଗ ବ୍ୟବହାର କରେ, ସେ ଯଦି ସେହି ଶବ୍ଦ ବା ରଙ୍ଗର ଔଚିତ୍ୟ ନବୁଝି କେବଳ ଶବ୍ଦ ବା ରଙ୍ଗର ଧ୍ୱନି ବା ଔଜଲ୍ୟଦ୍ୱାରା ପ୍ରଭାବିତ ହୋଇ ତାହାର ବ୍ୟବହାର କରେ, ତାହା ଅସଂଗତି ବା ଅନୌଚିତ୍ୟ ଦୋଷରେ ଦୂଷିତ ହେବ । ଆଖି ବା କାନକୁ ଭଲ ଲାଗୁଥିବା ଶବ୍ଦ ବା ରଙ୍ଗ କବି ବିଶ୍ୱର ଉପସ୍ଥିତ ମୁହୂର୍ତ୍ତରେ କିପରି ଅର୍ଥ ବା ତାତ୍ପର୍ଯ୍ୟ ବହନ କରେ, ତା'ର ସମୀକ୍ଷକ କବି ନିଜେ । କବିର ସୃଷ୍ଟିର ଭାରସାମ୍ୟ, ସ୍ୱଚ୍ଛନ୍ଦ ଗତି ଓ ଜୀବନଦୃଷ୍ଟି ତା'ର ଆତ୍ମାରେ ଥିବା ସମାଲୋଚକଦ୍ୱାରା ସଠିକ୍ ଭାଗମାପରେ ଗଠିତ ହୁଏ । କବି ସ୍ୱୟଂ ସମାଲୋଚକ, ନଚେତ୍ ତା'ର ସୃଷ୍ଟି ତାଳ, ଲୟ ଓ ଗତି ଲକ୍ଷ୍ୟ ହରାଇ ବସିବ । ସେହିପରି ସମାଲୋଚକ ମଧ୍ୟ କବି । ସମାଲୋଚକ ସୃଷ୍ଟିକଳ୍ପନା ଓ ଜୀବନଦୃଷ୍ଟିର ଗଭୀରତା କବିର ଅନ୍ତଃଦୃଷ୍ଟିର ସୂକ୍ଷ୍ମତା ଧାରଣ କରେ, ନଚେତ୍ ସେ ବୁଝିପାରିବ ନାହିଁ କାବ୍ୟାୟତନର ସୀମା, ଜୀବନଦୃଷ୍ଟିର ନାନ୍ଦନିକ ଐଶ୍ୱର୍ଯ୍ୟ କିମ୍ବା ଶବ୍ଦ-ଛନ୍ଦ-ଧ୍ୱନିର ଔଚିତ୍ୟ ।

 

ଗୋଟିଏ ଉଦାହରଣ ନିଆଯାଉ । ଦୁଷ୍ମନ୍ତ (ଦୁଷ୍ୟନ୍ତ)ଙ୍କ ଦରବାରରେ ଗର୍ଭବତୀ ଶକୁନ୍ତଳା କୁଳଟା, ବେଶ୍ୟା ପ୍ରଭୃତି ଶବ୍ଦଦ୍ୱାରା ଆକ୍ରାନ୍ତ ହୋଇ ବୈଧ ସମ୍ପର୍କର ଅବୈଧ ଭର୍ତ୍ସନା ଶୁଣି କେବଳ ପଦିଏ କଥା କହେ- ‘ଅନାର୍ଯ୍ୟ ।’ କାଳିଦାସଙ୍କ ଶକୁନ୍ତଳାର ବିଭିନ୍ନ ଭାଷାନ୍ତରଣ ଓ ରୂପାନ୍ତରରେ ଶକୁନ୍ତଳା ଏକ ଉତ୍ତେଜିତ ଭାଷଣ ଦେବାର ଉଦାହରଣ ରହିଛି ଓ ତା'ପାଇଁ ଯୁକ୍ତି ମଧ୍ୟ ରହିଛି । କିନ୍ତୁ କାଳିଦାସ କ'ଣ ଶକୁନ୍ତଳା ମୁହଁରେ ଅନ୍ୟ ଅନେକ ଶବ୍ଦ ଦେଇପାରିନଥାନ୍ତେ ? କିମ୍ବା ତା'ର ନୀରବ ଅପସାରଣ କରିପାରିନଥାନ୍ତେ ? ତେବେ କେବଳ ‘ଅନାର୍ଯ୍ୟ' ଶବ୍ଦଟି କାହିଁକି ପ୍ରୟୋଗ କଲେ ? ଶକୁନ୍ତଳା ସ୍ଥାନରେ ଯଦି ସେକ୍ସପିୟରଙ୍କ ବ୍ରେଟିସ୍‌, (Beatrice) ରୋଜାଲିଣ୍ଡ୍ ପରି ଚରିତ୍ର ଥାଆନ୍ତା, ସେ ତ ଦୁଷ୍ମନ୍ତଙ୍କୁ ବାକ୍ୟବାଣରେ ଲଙ୍ଗଳା କରିଦିଅନ୍ତା । କାଳିଦାସ କେବଳ ଅନାର୍ଯ୍ୟ ଶବ୍ଦର ବ୍ୟବହାର କଲେ: କାରଣ ସେ ଜଣେ ସମାଲୋଚକ ମଧ୍ୟ । ଅର୍ଥାତ୍ ସୃଷ୍ଟିର ଔଚିତ୍ୟ, ମାପ, ଶବ୍ଦର ଧ୍ୱନି ଓ ନାଟକୀୟ ଭାରସାମ୍ୟ ସହିତ ଚରିତ୍ରର ଐକ୍ୟତାନ ସମାଲୋଚକର ଦୃଷ୍ଟିରେ ଦେଖି ସେ ‘ଅନାର୍ଯ୍ୟ' ଶବ୍ଦ ମାଧ୍ୟମରେ ଭର୍ତ୍ସନା ଓ ଅପମାନର ପ୍ରତିବାଦର ତାଳ ରକ୍ଷା କଲେ । ଯଦି ଶକୁନ୍ତଳା କହିଥାନ୍ତା, ‘ନୀଚ, ସତ୍ୟଭ୍ରଷ୍ଟ କାପୁରୁଷ’ (ଯାହା ଅନେକ ଅକବିଙ୍କ ମତରେ ଅନୁଚିତ ହୋଇ ନଥାନ୍ତା) ତେବେ କାଳିଦାସ ଚରିତ୍ର, ସ୍ଥାନ, ନାଟକୀୟ ସମ୍ବାଦ ଓ ରାଜପଣର ଗରିମା ତଥା ସଂଭ୍ରାନ୍ତ ମାନବିକତାର ଅମର୍ଯ୍ୟାଦା କରିଥାନ୍ତେ । ପ୍ରଶ୍ନ ଉଠିପାରେ, ଶକୁନ୍ତଳା ପରି ଜଣେ ପ୍ରକୃତିରୂପିଣୀ, ନିଷ୍ପାପ, ନିରପରାଧ ପତ୍ନୀ-ପ୍ରିୟା, ନିଜ ସ୍ୱାମୀ ତଥା ରାଜାର ଧିକ୍କାର, ଝିଂଘାସ ବାକ୍ୟର ପ୍ରତ୍ୟୁତ୍ତର ଜଣେ ପ୍ରତାରିତା ନାରୀର ସ୍ୱାଭାବିକ ଉତ୍ତେଜନା ନେଇ କହିବାରେ ଆପତ୍ତି କାହିଁକି ? ବେଶ୍ୟା, କୁଳଟା ପରି ଅପଶବ୍ଦ ଜଣେ ବୀର, ପଣ୍ଡିତ ଲୋକପୂଜ୍ୟ ରାଜାଠାରୁ ଶୁଣିବା ପରେ, ନିଜ ନିଷ୍ପାପ ଚରିତ୍ର ଉପରେ ନିଷ୍ଠୁର ଇତର ଆଘାତ ପାଇଲା ପରେ ଶକୁନ୍ତଳାର ସମଗ୍ର ସତ୍ତା, କଣ୍ୱମୁନି ଆଶ୍ରମର ମୂଲ୍ୟବୋଧ, ପ୍ରକୃତିପାଳିତା ଦେବକନ୍ୟାର ନାରୀତ୍ୱ ଧୂଳିସାତ୍ ହୁଏ କାହିଁକି ? ଅପର ପକ୍ଷେ ଦୁଷ୍ମନ୍ତଙ୍କ ବିଦ୍‌ବତ୍ତା, ରାଜପଣ ଓ ପୌରୁଷ ଯଦି ଆର୍ଯ୍ୟ ମୂଲ୍ୟବୋଧର ମହାମଞ୍ଚ ଅର୍ଥାତ୍ ରାଜଦରବାରରେ ଏତେ ତଳକୁ ଖସିପାରେ, ତେବେ ଶକୁନ୍ତଳାର ମହନୀୟତାର ଭାରମାପ ସନ୍ତୁଳନ ହରାଏ ନାହିଁକି ? ତେଣୁ ସେ ଯଦି ଫକୀର ମୋହନଙ୍କର ସୁଲୋଚନା ପରି କିଛି ପେଟେଣ୍ଟ୍ ମେଡ଼ିସିନ୍ ଦେଇଥାନ୍ତା କିମ୍ବା ଅତିକମରେ ଦ୍ରୌପଦୀ ପରି ଯୁଧିଷ୍ଠିରଙ୍କୁ ପ୍ରଶ୍ନ କରିଥାନ୍ତା, କେଉଁ ଔଚିତ୍ୟ ନଷ୍ଟ ହୋଇଥାନ୍ତା? ଏଭଳି ପ୍ରଶ୍ନ ଯଥାର୍ଥ ମନେହେଲେ ମଧ୍ୟ ଏଇଠି ରହିଛି କବିର ସମାଲୋଚନା ଶକ୍ତିର ସୂକ୍ଷ୍ମଦୃଷ୍ଟି ଓ ସମାଲୋଚକର ସ୍ରଷ୍ଟାପଣ । ‘ଅନାର୍ଯ୍ୟ’ (ନ ଆର୍ଯ୍ୟଃ ଯଃ ସଃ) ଅର୍ଥାତ୍ ତୁମେ ଆର୍ଯ୍ୟ ନୁହଁ ଯଦିଓ ତୁମେ ରାଜା । ଆର୍ଯ୍ୟ ଏକ ଜାତିର ସଭ୍ୟତା ଓ ମାନବିକ ଐଶ୍ୱର୍ଯ୍ୟର ପ୍ରତିଶବ୍ଦ । ଏହାର ପରିଭାଷା ଏକ ବ୍ୟାପକ ସାଂସ୍କୃତିକ ଚେତନା ଓ ମୂଲ୍ୟପରିଧିର ସୀମା ଚିହ୍ନିତ କରେ । ରାଜା ଏହି ସଂସ୍କୃତି, ମାନବିକତା, ରାଜପଣର ଗାମ୍ଭୀର୍ଯ୍ୟ, ନ୍ୟାୟବୋଧ ଓ ମାର୍ଜିତ ଶବ୍ଦ ସଂଯୋଜନାର ପ୍ରତିଭୂ ଏବଂ ତା'ର ସର୍ବସମ୍ମତ ରକ୍ଷକ । ରାଜା ଯଦି ଏହି ଆର୍ଯ୍ୟଚେତନା ଓ ନୈତିକ ନ୍ୟାୟବୋଧର ଉଲ୍ଲଂଘନ କରେ, ତା' ପ୍ରତି କି ବାକ୍ୟ ପ୍ରୟୋଗ କରାଯାଇପାରେ? ଅନାର୍ଯ୍ୟ ସ୍ଥାନ-ସମୟ-ପାତ୍ରର ମାପ ଅନୁସାରେ ଏ ଯଥାର୍ଥ ଉର୍ତ୍ସନା । କାରଣ ଏହି ଗୋଟିଏ ଶବ୍ଦ ଦୁଷ୍ମନ୍ତଙ୍କ ଆର୍ଯ୍ୟସତ୍ତା, ରାଜପଣ, ପୌରୁଷ ଓ ଆତ୍ମା ପ୍ରତି ଏକ ଶକ୍ତ ଆଘାତ । ଏହି ଗୋଟିଏ ଶବ୍ଦ ଏହି ନାଟ୍ୟ ଦୃଶ୍ୟରେ ହଠାତ୍ ଭାରସାମ୍ୟ ବଦଳାଇ ଦିଏ । ଦୁର୍ବାସାଙ୍କ ଅଭିଶାପ ଓ ଦୁଷ୍ମନ୍ତଙ୍କ ଅତୀତ ବିସ୍ମରଣ, ରାଜମୁଦ୍ରିକା ଶକୁନ୍ତଳା ହାତରୁ ଖସି ମାଛ ପେଟରେ ପଶିବା ଇତ୍ୟାଦି ଅନିବାର୍ଯ୍ୟ ପ୍ରାକ୍‌ସୂଚନା ଶକୁନ୍ତଳାର ବିଚାର ଦୃଶ୍ୟରେ (trial scene) ଦର୍ଶକ ଓ ଶ୍ରୋତା ଯଦି ମନେରଖେ, ତେବେ ହୁଏତ ସେ ବିରୋଧାଭାଷ (Irony) ଓ ଅଭିଶାପର ଭୟଙ୍କର ପରିଣତିରେ ନିର୍ବାକ୍ ହୋଇପାରେ । କିନ୍ତୁ ନାଟ୍ୟଦୃଶ୍ୟ ଯେହେତୁ ଉପସ୍ଥିତ ବର୍ତ୍ତମାନର ଚଳନ୍ତିକା, ସେଥିରେ ପ୍ରାକ୍‌ସୂଚନା ଅପେକ୍ଷା ଚଳନ୍ତି ଦୃଶ୍ୟର ସଂଗଠନ ଦର୍ଶକ ପ୍ରତି ବେଶି ଗୁରୁତ୍ୱପୂର୍ଣ୍ଣ । ନାଟକୀୟ ଉତ୍କଣ୍ଠା ହିଁ ଏକମାତ୍ର ସମ୍ବେଦନ । ତେଣୁ ଦର୍ଶକ ଏହି ଦୃଶ୍ୟରେ ଦେଖିପାରେ ଯେ ଚଳନ୍ତି ମୁହୂର୍ତ୍ତମାନେ ହଠାତ୍ ସ୍ତମ୍ଭୀଭୂତ ହୁଅନ୍ତି ଗୋଟିଏ ଶବ୍ଦରେ । ‘ଅନାର୍ଯ୍ୟ' ଶବ୍ଦ ଯେଉଁ ରସନିଷ୍ପତ୍ତି ସୃଷ୍ଟିକରେ, ତାହା ଏକ ସ୍ଥାଣୁ ମୁହୂର୍ତ୍ତ ପରି ଅଟକାଇ ଦିଏ ବର୍ତ୍ତମାନକୁ ଓ ଦୁଷ୍ମନ୍ତଙ୍କ ସମସ୍ତ ରାଜସତ୍ତା, ଦେବସତ୍ତା (ସ୍ୱାମୀତ୍ୱ), ପ୍ରଭୁତ୍ୱ, ପୌରୁଷ ଓ ବିଚାରକ ତଥା ପ୍ରଜାରଞ୍ଜନର ଭୂମିକାକୁ । ଆର୍ଯ୍ୟସଂସ୍କୃତିବିବର୍ଜିତ ଦୁଷ୍ମନ୍ତଙ୍କୁ ଅପରାଧୀ ଭୂମିକାରେ ସ୍ଥାପନ କରେ । ଅନ୍ୟ ଭାଷାରେ ଏଠି ଏକ ଭୂମିକାର ପରିବର୍ତ୍ତନ (Roll Reversal) ହୁଏ । ହଠାତ୍ ଶକୁନ୍ତଳା ହୁଏ ବିଚାରକ ଓ ଦୁଷ୍ମନ୍ତ ହୁଅନ୍ତି ଅପରାଧୀ । ଆର୍ଯ୍ୟ ସଂସ୍କୃତି ଓ ରାଜଗୁଣର ଅବମାନନାକାରୀ ଏକ ଇତର ପୁରୁଷ, ଯାହାର ବିଦ୍‌ବତ୍ତା, ଆଚରଣ ଓ ବିଚାରଶକ୍ତି ଭୂଲୁଣ୍ଠିତ ହୁଏ ଯେପରି ଶକୁନ୍ତଳାର ନାରୀତ୍ୱ, ଚରିତ୍ର, ସଂସ୍କୃତି ଓ ପତ୍ନୀ-ପ୍ରେମିକାର ମହନୀୟତା କୁଳଟାପବାଦରେ ପ୍ରକୃତିଠାରୁ ବିଚ୍ଛିନ୍ନ ହୋଇ ସାମାଜିକ ଅପବିତ୍ରତାରେ ତୁଚ୍ଛ ହୋଇଥିଲା କିଛି ମୁହୂର୍ତ୍ତ ପୂର୍ବରୁ । ଏହି ଭୂମିକା ପରିବର୍ତ୍ତନ କାଳିଦାସଙ୍କ ସୃଷ୍ଟିର ଆତ୍ମସମୀକ୍ଷାର ଉତ୍କର୍ଷ । ଅର୍ଥାତ୍ କବି ଓ ସମାଲୋଚକର ସମନ୍ୱିତ ପ୍ରତିଭାର ଲକ୍ଷଣ । ଆଉ ଟିକିଏ ତଳିଆ ଅର୍ଥରେ ସ୍ୱାମୀକୁ ମଧ୍ୟ (ପ୍ରେମିକକୁ) ଆର୍ଯ୍ୟପୁତ୍ର କୁହାଯାଏ । ଅନାର୍ଯ୍ୟ କହି ଶକୁନ୍ତଳା ଦୁଷ୍ମନ୍ତଙ୍କ ସ୍ୱାମୀତ୍ୱକୁ ମଧ୍ୟ ଅସ୍ୱୀକାର କରିଛି ଓ ତାକୁ ତା'ପରେ ଅପସାରିତ କରାଯାଇଛି । କାରଣ ଏହାପରେ ଯଦି ଆଉକିଛି ସମ୍ବାଦ ରହନ୍ତା, ତେବେ ତାହା ଉଭୟ କବି ଓ ସମାଲୋଚକକୁ ନାଟ୍ୟରୂପର ଅନୌଚିତ୍ୟ ଦିଗକୁ ଟାଣି ନିଅନ୍ତା । ଓ ଛନ୍ଦପତନ ହୁଅନ୍ତା । ତେଣୁ କବି ଯଦି ସମାଲୋଚକ ନୁହେଁ, ତା'ର ସୃଷ୍ଟି ଅସନ୍ତୁଳିତ ହୁଏ, ଯାହାର ଲକ୍ଷ ଲକ୍ଷ ଉଦାହରଣ ଆମେ ସାହିତ୍ୟରେ ଦେଖୁ ।

ସେହିପରି ସମାଲୋଚକ ମଧ୍ୟ ଏକ ସ୍ରଷ୍ଟା । ସୃଷ୍ଟିର ଆୟତନ, ଶବ୍ଦ ଓ ଛନ୍ଦର ସନ୍ତୁଳନ ଓ ଜୀବନଚର୍ଯ୍ୟାର ନାନ୍ଦନିକତାକୁ ସେ କବିଦୃଷ୍ଟିରେ ଦେଖେ । ଗୋଟିଏ ଉଦାହରଣ ନିଆଯାଉ : ଗୋପୀନାଥ ମହାନ୍ତିଙ୍କ ‘ଲୟ ବିଲୟ' ଯାହା ମୋ ମତରେ ତାଙ୍କର ଶ୍ରେଷ୍ଠ ଉପନ୍ୟାସ ଓ ଓଡ଼ିଆ ଉପନ୍ୟାସ ସାହିତ୍ୟରେ ଏକ ଶ୍ରେଷ୍ଠ କୃତି । ଏହି ଉପନ୍ୟାସ ଉପରେ ମୁଁ ଅନ୍ୟତ୍ର ବିଶଦ୍ ଆଲୋଚନା କରିଛି (ନିଦାଘରେ କବି, ଜ୍ଞାନଯୁଗ, ୨୦୦୪) । ଏଠି କେବଳ କେତୋଟି ବାକ୍ୟ ନେଇ ସମାଲୋଚକର ସ୍ରଷ୍ଟାପଣ କଥା ଆଲୋଚନା କରିବି ।

‘ଭାବିଲେ, ଏପରି ବି ହୋଇପାରିଥାନ୍ତା ଯେ ଏ ଜୀବନ ବି ନଥାନ୍ତା । ଏଇ ମୁହୂର୍ତ୍ତରେ ଜୀବନ ଅଛି, ସମୁଦ୍ର ଅଛି ଏ ସାମ୍ନାରେ, ଆନନ୍ଦ ଅଛି, ଆଉ ତେଣିକି କିଏ ପଚାରେ !’(୨୦୭)

ସମାଲୋଚକ ସାଧାରଣ ଗଦ୍ୟ ଓ ସରଳ ଶବ୍ଦ ମଧ୍ୟରେ ଦେଖେ ଏହି ବିରାଟ ସୃଷ୍ଟି ପ୍ରକ୍ରିୟାକୁ । ପ୍ରଥମ ବାକ୍ୟରେ ଅନୁଭୂତିର ଏକ ବିକଳ୍ପ ସମ୍ଭାବନାର ଅବତାରଣା ଯଦି ଜୀବନ ନଥାନ୍ତା ! ଅର୍ଥାତ୍ ଜୀବ ନଥାନ୍ତା କି ସୃଷ୍ଟି ନଥାନ୍ତା ଓ ଯେଉଁ ମୂଳ ଅନୁଭବରୁ ଏପରି ସମଭାବନାର କଳ୍ପନା କରାଯାଇଛି, ବେଦନା-ଯନ୍ତ୍ରଣା ପରି ଅନେକ ଛୋଟ ପଣତର କାହାଣୀ ନଥାନ୍ତା- ତେବେ ହୁଏତ ଭାଷା ନଥାନ୍ତା କି ସାହିତ୍ୟ ନଥାନ୍ତା କି ସୃଷ୍ଟି ଓ ସମାଲୋଚନା କିଛି ନଥାନ୍ତା । ଏପରି ସମ୍ଭାବନା କାହିଁକି ଚିନ୍ତା କରାଯାଇଛି ? ଏହା କରାଯାଇଛି ଏକ ଅଭାବବୋଧରୁ ଯାହାର ପରିପୂରକ ପ୍ରାଚୁର୍ଯ୍ୟ ବା ପୂର୍ଣ୍ଣତା ପ୍ରତୀକମାନେ ପର ବାକ୍ୟରେ ଦିଆଯାଇଛନ୍ତି : ଜୀବନ, ସମୁଦ୍ର ଓ ଆନନ୍ଦ । ଏହି ତିନୋଟି ଶବ୍ଦ ପ୍ରଥମ ବାକ୍ୟର ଅଭାବଜନିତ (ଦୁଃଖ, ହତାଶା, ଯନ୍ତ୍ରଣା, ବେଦନା ଇତ୍ୟାଦି) ଜୀବନବୋଧର ବିକଳ୍ପ ସମ୍ଭାବନା ହେଲା ଜୀବନହୀନତା ଅର୍ଥାତ୍ ସୃଷ୍ଟିର ଅସ୍ଥିତି । ବିଶ୍ୱ-ମଣିଷ ଜୀବଜନ୍ତୁ କେହି ନଥାନ୍ତେ ଯଦି ସୃଷ୍ଟି ନଥାନ୍ତା । ଏବଂ ଯେଉଁଠି ସୃଷ୍ଟି ଅଛି ସେଠି ଯନ୍ତ୍ରଣା ଅଛି । ଜୀବନ କହିଲେ ଗୋଲାପ ଶେଯର ଅଳସ ପ୍ରେମାଳାପ ନୁହେଁ । ସେକ୍ସପିୟରଙ୍କ ଭାଷାରେ "Life is a tale told by an idiot, full of sound and fury, signifying nothing" ଅର୍ଥାତ୍ ଜୀବନ ବୋକା ମୁହଁର ଏକ କାହାଣୀ ଯାହା ତୁମ୍ବିତୋଫାନ ଭରା କିନ୍ତୁ ତାତ୍ପର୍ଯ୍ୟହୀନ । କୌଣସି ସିଦ୍ଧି ନାହିଁ, ପ୍ରାପ୍ତି ନାହିଁ କିମ୍ବା ପୂର୍ଣ୍ଣତା ବା ମୋକ୍ଷ ନାହିଁ । ଏପରି ଏକ ମନଃସ୍ଥିତିରୁ ମୁକ୍ତି ପାଇବାକୁ ହେଲେ ଜନ୍ମ-ଜୀବନ-ପୃଥିବୀକୁ ଓଲଟାଇ ଦେଇ ଅସ୍ଥିତି ଏବଂ ଅନୁପଲବ୍ଧ ଅଜନ୍ମିତ ପୃଥିବୀ କଥା ଭାବିବାକୁ ହୁଏ । କାରଣ ସୃଷ୍ଟି ନଥିଲେ ମଣିଷ ନଥାନ୍ତା କିମ୍ବା ତା'ର ଦୁଃଖ-ହତାଶାର ଛୋଟବଡ଼ ଇତିହାସ ନଥାନ୍ତା । ଯଦି ଜୀବନ ନଥାନ୍ତା, କୌଣସି ସମସ୍ୟା ନଥାନ୍ତା, ନିଶ୍ଚେତନାରେ ଚେତନାର ଦ୍ୱନ୍ଦ୍ୱ ନ ଥାନ୍ତା । କିନ୍ତୁ ଜୀବନ ଅଛି । ବେଦନା ଅଛି ଏବଂ ଏହା ଅଛିବୋଲି ଆନନ୍ଦ ଅଛି । ଏହି ଆନନ୍ଦ ହୁଏତ ଏଇ ମୁହୂର୍ତ୍ତର ସତ୍ୟ, ଏଇ ପଲକର ଉପଲବ୍ଧ । ଏହି ଉପଲବ୍ଧର ମୂଳ ଓ ଚିରନ୍ତନ ଉତ୍ସ ହେଲା ସମୁଦ୍ର । ଜୀବନର ମହାସ୍ରୋତ ହିଁ ସମୁଦ୍ର । ବେଳେବେଳେ ଶାନ୍ତ କିନ୍ତୁ ସଦା ଅଶାନ୍ତ । କୂଳରେ ପିଟି ହୋଇ ଫେଣମୁହାଁ ସମୁଦ୍ର ମନ ମାରି ଅପସରି ଯାଏନାହିଁ । ଅନନ୍ତ ସୃଷ୍ଟିର ଜୁଆର ଭଟ୍ଟା ଜୀବନର ମେଟାଫର ଏଇ ସମୁଦ୍ର ଗର୍ଭରେ ବିଷ ଓ ଅମୃତ । ଏଇ ବିଷାମୃତର ଅନନ୍ତ ଲୀଳା ହିଁ ସୃଷ୍ଟିର ଚିରନ୍ତନ ସତ୍ୟ । ଜୀବନ-ସମୁଦ୍ର-ଆନନ୍ଦ ଏହି ବିଶ୍ୱ ସୃଷ୍ଟିର ପରମ ରହସ୍ୟ । ଏହି ରହସ୍ୟ ନଥିଲେ କିଛି ନଥାନ୍ତା । ଯଦି ଜୀବନ ନଥାନ୍ତା, ତେବେ ଦୁଃଖ ବା ଆନନ୍ଦ କିଛି ନଥାନ୍ତା । ଏହି ମହାସତ୍ୟ କେବଳ ଏକ ଲେଖକୀୟ ଉକ୍ତି ନୁହେଁ । ଭାଷ୍ୟଚାତୁରୀ ନୁହେଁ । ପ୍ରତ୍ୟେକ ଉଚ୍ଚ ମାନର କବି କୌଣସି ଶବ୍ଦ ବା ଉକ୍ତି କେବଳ କାବ୍ୟଚାତୁରୀଭାବେ ପ୍ରକାଶ କରେ ନାହିଁ । ପ୍ରତ୍ୟେକ ଶବ୍ଦ, ତା'ର ଧ୍ୱନି ଓ ଅର୍ଥ କାବ୍ୟ ବା କାହାଣୀର ଆତ୍ମା ସହିତ ସମ୍ପର୍କିତ । ‘ଲୟ ବିଲୟ’ରେ ତରୁଣ ରାୟ ପରିବାରର ପ୍ରତ୍ୟେକ ସଦସ୍ୟ- ସ୍ୱାମୀ, ପତ୍ନୀ ଓ ବିବାହଯୋଗ୍ୟା କନ୍ୟା- କଲିକତା ସହରରୁ ଦୁଇ ଦିନପାଇଁ ପୁରୀ ଆସିଛନ୍ତି ଯେଉଁଠି ଅଛି ଜଗନ୍ନାଥ ଓ ସମୁଦ୍ର । ଉଭୟ ଜଗନ୍ନାଥ ଓ ସମୁଦ୍ର ଜୀବନର ଆସ୍ଥା ପ୍ରତୀକ । ଯେଉଁ ହୀନମନ୍ୟତା ତରୁଣ ରାୟ ପରିବାରକୁ ଗ୍ରାସ କରିଛି, ତାହା ଏକ ଅବୁଝାପଣର ଅନ୍ତର୍ଦାହ । ସମୁଦ୍ର ଯେମିତି ଯନ୍ତ୍ରଣାରେ ଗର୍ଜନ କଲେ ମଧ୍ୟ ସୁନେଲି ସୂର୍ଯ୍ୟକୁ ପ୍ରତି ସକାଳରେ ଜନ୍ମ ଦିଏ ଦିଗବିଦିଗକୁ ଏକ ନରମ ଜ୍ୟୋତିରେ ଉଦ୍‌ଭାସିତ କରି ଓ ଖରାବେଳେ ନିଜ ଜନ୍ମିତ ସୂର୍ଯ୍ୟର ମାର୍ତ୍ତଣ୍ଡ ରୂପ ତେଜରେ ତାତି ଉଠେ, ବିଳିବିଳେଇ ଉଠେ, ସେଇ ସମୁଦ୍ର ପୁଣି ତାକୁ କୋଳେଇ ନିଏ, ରାତିର କଳା ଚାଦର ଘୋଡ଼ାଇ ଶୁଆଇ ପକାଏ ନିଜେ ଜାଗ୍ରତ ପ୍ରହରୀ ପରି ସାରା ରାତି- ସାରା ମହାକାଳ ଉଜାଗର ରହି । ଜୀବନ ଏଇ ସମୁଦ୍ରର ଏକ ବିନ୍ଦୁ । ଏକ ପ୍ରତିରୂପ । ସୂକ୍ଷ୍ମ, କ୍ଷଣଭଙ୍ଗୁର, ଅସ୍ଥାୟୀ । ଏହି ଅନନ୍ତ, ଅକ୍ଷୟ ସମୁଦ୍ରର ବେଦନା କେହି ଉପଶମ କରେ ନାହିଁ । ସେ ନିଜେ ହିଁ ନିଜକୁ ସାନ୍ତ୍ୱନା ଦିଏ । ପ୍ରଶାନ୍ତ ହୁଏ । ଅନ୍ଧାରର ମଧ୍ୟାହ୍ନରେ ଆକାଶର ଜୁଳୁଜୁଳୁ ତାରାଙ୍କୁ ଦେଖେଇ ହେଲା ପରି ଫେଣ ମୁହଁରୁ ଫୁତ୍କାର ଦିଏ ଚକ୍ ଚକ୍ ହୀରା, ମୋତି ମାଣିକ୍ୟର ପାଣିଫୋଟକା । ତେଣୁ ଜୀବନ ମହାନ୍ । ଜୀବନ ନଥିଲେ କିଛି ନଥାନ୍ତା । କିଛି ନାହିଁର ସୃଷ୍ଟି ଅକଳ୍ପିତ ଓ ଅବାଞ୍ଛିତ, ଅସମ୍ଭବ ମଧ୍ୟ । ସମାଲୋଚକଙ୍କୁ ସୃଜନଶିଳ୍ପୀଭାବେ ଏହି ଦୁଇଟି ବାକ୍ୟର ତାତ୍ପର୍ଯ୍ୟ ମାପିବାକୁ ହେବ ଯେମିତି ସେ ନିଜେ ସୃଷ୍ଟି କରୁଛି ଅସ୍ଥିତି ଓ ଅସ୍ଥିର ଦ୍ୱୈତବିଳାସ । ଅନନ୍ତ ଭିତରେ ପ୍ରତ୍ୟେକ ମୁହୂର୍ତ୍ତ ହିଁ ସତ୍ୟ ଓ ଚିରନ୍ତନ । ସ୍ରଷ୍ଟା-ସମାଲୋଚକ ଏହି ସତ୍ୟ ବୁଝି ନପାରିଲେ ସୃଷ୍ଟି ବା ସମୀକ୍ଷା ଉଭୟ ଅର୍ଥହୀନ । ଜୀବନ ସତ୍ୟ । ଏହି ସତ୍ୟ କେବଳ ଆନନ୍ଦର ଏକ ପଟୁଆର (ମୋର୍ଚ୍ଚା ବା ରାଲି) ନୁହେଁ । ଗୋଟିଏ ପଲକର ଆନନ୍ଦପାଇଁ ସାରା ଜୀବନର ଯନ୍ତ୍ରଣା ସହିବାକୁ ହୁଏ । ସମୁଦ୍ର ଏଇ କଥା ସୂଚାଇ ଦିଏ । ମଉଳି ଯାଏ ନାହିଁ ସମୁଦ୍ର ଘନଘର୍ଘର ବାତ୍ୟାବତାସରେ, ଚମକେ ନାହିଁ କ୍ଷେପଣାସ୍ତ୍ରର ବକ୍ଷ-ବିସ୍ଫୋରଣରେ । ବିରହଜର୍ଜରିତ ହୁଏ ନାହିଁ ଏକାପଣର ଦୁଃସ୍ଥତିରେ । ଶାନ୍ତ ଜହ୍ନର କାନ୍ତ ଚେହେରା ଦେଖି ଫୁଲି ଉଠେ । ପ୍ରସରି ଯାଏ । ପୁଲକିତ ହୁଏ ତା'ର ଅଣୁ ପରମାଣୁ । ମଣିଷ ଜୀବନ ଏହି ସମୁଦ୍ରର ସାଙ୍କେତିକ ବିମ୍ବ । କ୍ଷଣସ୍ଥାୟୀ କିନ୍ତୁ ପଲକର ଚିରନ୍ତନୀରେ ପୂର୍ଣ୍ଣ । ସୀମିତ କିନ୍ତୁ ଚେତନାର ମହାପ୍ରସାରଣରେ ଅସୀମ । ପ୍ରତ୍ୟେକ ମୁହୂର୍ତ୍ତ ସମ୍ଭାବନାମୟ । କେଉଁ ମୁହୂର୍ତ୍ତରେ କେଉଁ ରୂପ, କେଉଁ ରୂପରେ କେଉଁ ଭାବ । ସବୁକୁ ସ୍ୱୀକାର କରି ବଞ୍ଚିବାକୁ ହେବ । ତରୁଣ ରାୟର ସୁନ୍ଦର ଚେହେରା ଏବେ ଆଉ ନାହିଁ । ସେହିପରି ତରୁଣ ରାୟର ପତ୍ନୀ ଏବେ ମୋଟୀ । କନ୍ୟାର ବିବାହ ଏ ପର୍ଯ୍ୟନ୍ତ ହୋଇନାହିଁ । ତା'ର ରାଜକୁମାର ଅଛି କେଉଁଠି ହୁଏତ କିରାଣି କି ଆଉ କ'ଣ । ତରୁଣ ରାୟ ପ୍ରମୋଶନ ପାଇ ନାହିଁ । ତା'ର ଉପରିସ୍ଥ ହାକିମ ତା ଉପରେ ସନ୍ତୁଷ୍ଟ ନୁହଁନ୍ତି । କିନ୍ତୁ କ୍ଷତି କ'ଣ ? ଚଉକି ତ ଅଛି ! କ୍ଷତି କ'ଣ? ମୋଟୀ ହେଲେ ସରାଗ ତ ଅଛି । କ୍ଷତି କ'ଣ ? ରାଜକୁମାର ନ ମିଳିଲେ କିରାଣି ତ ଅଛି । ଜୀବନର ସବୁ ଦୁଃସ୍ଥିତିରେ ସାନ୍ତ୍ୱନା ଅଛି । ଆନନ୍ଦ ଅଛି । କାରଣ ଜୀବନ ଅଛି ।

 

ସ୍ରଷ୍ଟାପଣରେ ସମାଲୋଚକ ଏହି ଜୀବନସତ୍ୟକୁ ନ ବୁଝିଲେ ‘ଲୟ ବିଲୟ' କିମ୍ବା କୌଣସି କୃତି ବୁଝିପାରିବ ନାହିଁ । ସ୍ରଷ୍ଟା ମଧ୍ୟ ଜୀବନଦର୍ଶନ ଓ ବାସ୍ତବର ପରିଭାଷା ଦାର୍ଶନିକ ଦୃଷ୍ଟିରେ ନ ଦେଖିପାରିଲେ କିଛି ସତ୍ୟ ଉଦ୍‌ଘାଟନ କରିପାରିବ ନାହିଁ । ସ୍ରଷ୍ଟା ଓ ସମାଲୋଚକ ଉଭୟ ଜୀବନର ଦାର୍ଶନିକ । ଜଣେ ଦର୍ଶନର ଇଙ୍ଗିତ ଦିଏ, ଆଉ ଜଣକ ମାପଚୁପ ହିସାବ କରି ସେହି ଦର୍ଶନର ସୃଷ୍ଟିକୁ ସ୍ରଷ୍ଟାପଣରେ ବୁଝାଇଦିଏ । ସତ୍ୟ କେତେ ସତ, ସୌନ୍ଦର୍ଯ୍ୟ କେତେ ସୁନ୍ଦର, ସଂଗଠନ କେତେ ବିନ୍ୟସ୍ତ ଓ ଶବ୍ଦ କେତେ ଧ୍ୱନିତ- ଉଭୟ କବି ଓ ସମାଲୋଚକର ଚେତନାର ପ୍ରତ୍ୟୟ । ଏହି ପ୍ରତ୍ୟୟ ନଥିଲେ ଉଭୟ ଶବ୍ଦ ଭିତରେ ବନ୍ଦୀ ।

 

ଉଭୟ କବି ଓ ସମାଲୋଚକର ପ୍ରତ୍ୟୟର ମୁଖ୍ୟ ସ୍ରୋତ ଏଇ ପୃଥିବୀ ଓ ଅନୁଭୂତିସିଦ୍ଧ ମୌଳିକ ବିଶ୍ୱାସ । ଉଭୟ ସୃଷ୍ଟି ଓ ସମାଲୋଚନା ସେହି ବିଶ୍ୱାସକୁ ନେଇ ନିଜ ନିଜର ସାର୍ଥକତା ଅନ୍ୱେଷଣ କରନ୍ତି । ଏହି ଅନ୍ୱେଷଣ ଜୀବନ ଓ ବିଶ୍ୱ ସମ୍ପର୍କର ମୂଳଭିତ୍ତିର ସନ୍ଧାନ କରେ ଓ ପାଠକ ପାଖରେ ସେଇ ସନ୍ଧାନର ଅନୁଭବ ତଥା ସିଦ୍ଧାନ୍ତ ପହୁଁଚାଏ । ଏଇ ମୂଳଉତ୍ସ ପ୍ରତ୍ୟେକ ଦେଶପାଇଁ ପ୍ରତ୍ୟେକ ଭୌଗୋଳିକ-ସାଂସ୍କୃତିକ ସୀମାପାଇଁ ଅଲଗା ଅଲଗା; କାରଣ ପ୍ରତ୍ୟେକ ଭୂଖଣ୍ଡ ଏକ ସ୍ୱତନ୍ତ୍ର ସତ୍ତାବିଶ୍ୱାସର ଆଧାର । ଏହି ସତ୍ତାବିଶ୍ୱାସ ଏକ ଧର୍ମ । ସ୍ୱାମୀ ବିବେକାନନ୍ଦ କହନ୍ତି ଯେ ୟୁରୋପୀୟ ଦେଶମାନେ ଦେଶମନ୍ତ୍ରକୁ ସାମରିକ ଭାଷାରେ କୁହନ୍ତି । ରାଜ୍ୟ ଜୟ, ସୀମା ପ୍ରସାରଣ, ଆଧିପତ୍ୟ ବିସ୍ତାର ସେମାନଙ୍କପାଇଁ ଧର୍ମ । ଗ୍ରୀକ୍ ସଭ୍ୟତାର ଉନ୍ମେଷବେଳେ ଯେଉଁ ଦର୍ଶନ, ସମାଜ, ସଂସ୍କୃତି ଓ କାବ୍ୟକଳାର ସୃଷ୍ଟି ହେଲା, ସେଥିରେ ମଣିଷ ହିଁ ମୁଖ୍ୟ । ପ୍ରୋଟାଗୋରାସ୍ ପ୍ରଥମ ଦାର୍ଶନିକ ଯେ କି କହନ୍ତି ‘ଗବଦ୍ଭ ସଗ୍ଦ ଗ୍ଧଷର ଜ୍ଞରବଗ୍ଦଙ୍କକ୍ସର କ୍ଟଲ ଗ୍ଧଷସଦ୍ଭଶଗ୍ଦ’ (ମଣିଷ ହିଁ ସବୁ କଥାର ପରିମାପକ) । ଏହି ବିଶ୍ୱାସ ଯୋଗୁ ଗ୍ରୀକ୍ ସଭ୍ୟତାରେ ଶରୀର ଚର୍ଚ୍ଚା, ସାମରିକ ଅଭିଯାନ ଓ ନୈତିକ ପବିତ୍ରତା ବ୍ୟକ୍ତିକୈନ୍ଦ୍ରିକ ହେଲା । ଏହି ତତ୍ତ୍ୱ ଅବଶ୍ୟ ମଣିଷର ଭାଗ୍ୟ ଓ ନିୟତିକୁ ସ୍ୱୀକାର କରେ, କିନ୍ତୁ ପୁରୁଷକାର ଦେଖାଇବାପାଇଁ ପ୍ରେରଣା ଦିଏ । ଗ୍ରୀକ୍ କାବ୍ୟ-ନାଟକ ବ୍ୟକ୍ତିର ସ୍ୱାଧୀନ ଇଚ୍ଛା ଓ ବିଶ୍ୱପ୍ରକୃତିର ସ୍ୱାଧୀନ ଇଚ୍ଛାର ସଂଘାତ ହିଁ ଉପସ୍ଥାପିତ କରେ । ସୀମା ଲଂଘନର ପ୍ରବୃତ୍ତି ସୃଷ୍ଟିକରେ । ଏଥିସହିତ ପରେ ଲେଖା ଯାଇଥିବା ବାଇବେଲ୍‌କୁ ଯଦି ମିଶାଇ ଦେଖାଯାଏ, ତେବେ ସ୍ୱକୀୟ ପ୍ରବୃତ୍ତି ମାଧ୍ୟମରେ ପୃଥିବୀରେ ବ୍ୟାପି ଯିବା ହିଁ ସେହି ଦେଶମାନଙ୍କର ବିଶ୍ୱସତ୍ତା । ତେଣୁ ଆଲେକ୍‌ଜାଣ୍ଡାର ପରି ନାୟକ ସୃଷ୍ଟି ହୁଅନ୍ତି । ହୋମର୍‌ଙ୍କ ଇଲିୟାଡ୍‌, ଅଡିଶି, ଭର୍ଜିଲ୍‌ଙ୍କ ଇନିଡ୍ ପ୍ରଭୃତିରେ ସେହି ବ୍ୟକ୍ତିଚେତନାର ଆତ୍ମିକ ପ୍ରତିଫଳନ ଦେଖାଯାଏ । ସେହିପରି ଆମେରିକା ଯୁଦ୍ଧ ଓ ସାମରିକ ଶକ୍ତିଦ୍ୱାରା ସମଗ୍ର ବିଶ୍ୱକୁ ଭୟଭୀତ କରିବାପାଇଁ ଚାହେଁ । ଯଦିଓ ୧୭୭୬ରେ ସେମାନେ ପ୍ରଥମ କରି ସ୍ୱାଧୀନରାଷ୍ଟ୍ର ହେଲେ, ତା'ପୂର୍ବରୁ ୟୁରୋପରୁ ୧୬ ଶତାବ୍ଦୀର ପ୍ରଥମ ଭାଗରେ କ୍ରମ୍‌ୱେଲ୍‌ଙ୍କ ସମୟରେ ଯେଉଁମାନେ ଆମେରିକା ଯାଇଥିଲେ, ସେହିମାନେ ହିଁ ଆମେରିକାର ଆଦିବାସିନ୍ଦା ଲୋହିତ ଭାରତୀୟମାନଙ୍କୁ ତଡ଼ି, ଶକ୍ତିବଳରେ ଆମେରିକାରେ ପ୍ରଶାସନିକ ବ୍ୟବସ୍ଥା ସୃଷ୍ଟିକଲେ । ବାଣିଜ୍ୟପାଇଁ ଭାରତ ଆସିଥିବା ଇଷ୍ଟ୍ ଇଣ୍ଡିଆ କମ୍ପାନୀ ସେହି ଦର୍ଶନ ବଳରେ ଭାରତରେ ସବୁ ପ୍ରତିରୋଧକୁ ଶକ୍ତିବଳରେ ପରାଭୂତ କରି, ପ୍ରାୟ ଦୁଇ ଶହ ବର୍ଷ ଭାରତକୁ ଶାସନ କଲେ । ଆର୍ଯ୍ୟମାନେ ପ୍ରଥମେ ଭାରତକୁ ମାଡ଼ି ଆସିଥିଲେ ଓ ପରେ ମୋଗଲମାନେ ଏହି ଦେଶକୁ ଅଧିକାର କରିଥିଲେ । ଭାରତୀୟମାନେ କୌଣସି ଦେଶ ଆକ୍ରମଣ କରିବାର ଉଦାହରଣ ଇତିହାସରେ ନାହିଁ । ଭାରତର ଆତ୍ମା ଧର୍ମ ଓ ନୈତିକ ବିଶ୍ୱରେ ଯେହେତୁ ବିଶ୍ୱାସ ରଖେ, ତା'ର ସଂସ୍କୃତି ଓ ସାହିତ୍ୟ ସେହି ମୂଲ୍ୟବୋଧ ଉପରେ ପ୍ରତିଷ୍ଠିତ । ବୈଦିକ ବିଶ୍ୱରେ ଦେଶରକ୍ଷାପାଇଁ ଓ ଦୁର୍ବଳକୁ ରକ୍ଷା କରିବାପାଇଁ ବୀର କଳ୍ପନା କରାଯାଇଛି କିନ୍ତୁ ଅନ୍ୟ ଦେଶ ଉପରେ ଆକ୍ରମଣ କରି ସୀମାବିସ୍ତାର କରିବାପାଇଁ କୌଣସି ତତ୍ତ୍ୱ ନାହିଁ । ତେଣୁ ଏକବିଂଶ ଶତାବ୍ଦୀରେ ମଧ୍ୟ ଆମେ ଆତ୍ମରକ୍ଷା ହିଁ କରୁଛୁ ଆତଙ୍କବାଦୀର ଗୁଳିବନ୍ଧୁକରେ କ୍ଷତବିକ୍ଷତ ହୋଇ ।

 

ଏ କଥା କହିବାର ତାତ୍ପର୍ଯ୍ୟ ହେଲା, କାବ୍ୟ ଓ ସମାଲୋଚନା ଗୋଟିଏ ସଂସ୍କୃତିର ମୌଳିକ ବିଶ୍ୱାସରୁ ଜନ୍ମନିଏ । ଭାରତୀୟ ବିଶ୍ୱାସ ଯେହେତୁ ଧର୍ମ-ଅର୍ଥ-କାମ-ମୋକ୍ଷର ପରିଧି ଭିତରେ ମଣିଷର ସାର୍ଥକତା ଖୋଜେ, ଏଠି ପ୍ରତିବାଦ କିମ୍ବା ବ୍ୟକ୍ତିବାଦୀ ଦର୍ଶନ ତେଣୁ ପ୍ରାୟ ସ୍ଥାନ ପାଏନାହିଁ । ଆମର ରାମାୟଣ ଓ ମହାଭାରତ ପୌରୁଷର ଦୀପ୍ତି, ମୂଲ୍ୟବୋଧମାନଙ୍କର ସୀମା ଭିତରେ ରହି ପ୍ରକାଶ କରିବାପାଇଁ ରଚିତ । ନୈତିକ ପବିତ୍ରତା, ଈଶ୍ୱରବିଶ୍ୱାସ, ଆତ୍ମାର ଅମରତ୍ୱ ଓ ଜ୍ଞାନର ମୋକ୍ଷ ଯେହେତୁ ଭାରତୀୟ ସଭ୍ୟତାରେ ଆତ୍ମବଳ, ଭାରତୀୟ ସାହିତ୍ୟ ତେଣୁ ସେହି ଆତ୍ମବଳକୁ ନେଇ ରଚିତ । ଭରତଙ୍କ ନାଟ୍ୟଶାସ୍ତ୍ର, ଯାହାକୁ ପଞ୍ଚମ ବେଦଭାବେ ସ୍ୱୀକାର କରାଯାଇଛି, ତାହା ଗୋଟିଏ ବିଶ୍ୱାସର ପରମ୍ପରା ଉପରେ ଗଢ଼ା ହୋଇଛି । ଏରିଷ୍ଟୋଟଲଙ୍କ ପଏଟିକ୍‌ସର ମୂଳପିଣ୍ଡ, ନାଟ୍ୟଶାସ୍ତ୍ରର ପ୍ରାଣକେନ୍ଦ୍ର ସହିତ ଏହି ଦୃଷ୍ଟିରୁ ସମାନ ନୁହେଁ । ଅବଶ୍ୟ ଭାରତ ତଥା ପାଶ୍ଚାତ୍ୟ ଦେଶର ଅନେକ ପଣ୍ଡିତ ଏଇ ଦୁଇ ମହାନ୍ ତତ୍ତ୍ୱଗ୍ରନ୍ଥ ମଧ୍ୟରେ ତୁଳନାତ୍ମକ ବିଚାରକରି ପରିପୂରକତା ଓ ସାମ୍ୟ ଦେଖାଇବାକୁ ଚେଷ୍ଟା କରିଚନ୍ତି । ମୋ ମତରେ, ଏଇ ଦୁଇ ଗ୍ରନ୍ଥ ଦୁଇଟି ଭିନ୍ନ ବିଶ୍ୱଚେତନା ଓ ସାଂସ୍କୃତିକ ପଟ୍ଟଭୂମି ଉପରେ ପ୍ରତିଷ୍ଠିତ । କିନ୍ତୁ ଉଭୟ ଗ୍ରନ୍ଥ ସମାଜ-ସଂସ୍କୃତି-ପ୍ରକୃତିର ମୌଳିକ ବିଶ୍ୱାସ ଉପରେ ପ୍ରତିଷ୍ଠିତ । ତେଣୁ ସ୍ରଷ୍ଟା ଓ ସମାଲୋଚକ ସେହି ବିଶ୍ୱାସର ମୌଳିକତା ସ୍ୱୀକାର କରି ସାହିତ୍ୟ ସୃଷ୍ଟି ଓ ସମାଲୋଚନା କରିବାକୁ ବାଧ୍ୟ ।

•••

 

ବିଜ୍ଞାନବାଦ

ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ

‘ଲୁଡିଟ୍‌'

ବିଜ୍ଞାନ ଓ ଟେକ୍ନୋଲୋଜି କ୍ଷେତ୍ରରେ ‘ଲୁଡିଟ୍‌' (Luddite) ନାମକ ଏକ ଶବ୍ଦ ବ୍ୟବହାର କରାଯାଇଥାଏ । ଯେଉଁମାନେ ଟେକ୍ନୋଲୋଜି ବା ପ୍ରଯୁକ୍ତି ବିଜ୍ଞାନର ତୀବ୍ର ବିରୋଧୀ, ସେମାନଙ୍କୁ କୁହାଯାଏ ‘ଲୁଡିଟ୍‌' । କିନ୍ତୁ ଏପରି ଏକ ନାମକରଣ କାହିଁକି ?

୧୮୧୨ ମସିହା କଥା । ନେଡ୍ ଲୁଡ୍ (Ned Ludd) ନାମକ ଜଣେ ବ୍ୟକ୍ତିଙ୍କ ନେତୃତ୍ୱରେ ଦଳେ ବେକାର ଲୋକ ଇଂଲଣ୍ଡରେ ଦଙ୍ଗାହଙ୍ଗାମାରେ ମାତି କଳତନ୍ତଗୁଡ଼ିକୁ ଭାଙ୍ଗି ପକାଇଲେ । ସେମାନଙ୍କର ଯୁକ୍ତି ଥିଲା ଯେ କଳର ପ୍ରଚଳନ ଫଳରେ ମଣିଷମାନଙ୍କପାଇଁ କାମ ମିଳୁନାହିଁ । ଫଳରେ ବଢ଼ିଚାଲିଛି ମଣିଷସୃଷ୍ଟ ବେକାରୀ । ସେହିଦିନଠାରୁ ଟେକ୍ନୋଲୋଜିର ବିରୋଧାଚରଣ କରୁଥିବା ବ୍ୟକ୍ତିମାନଙ୍କୁ ଆନ୍ଦୋଳନର ନେତା ଲୁଡ୍‌ଙ୍କ ନାଁ ଅନୁସାରେ ‘ଲୁଡିଟ୍‌'ବୋଲି କୁହାଯାଉଛି ।

ବିଜ୍ଞାନବାଦର ସଂଜ୍ଞା ଓ ଚରିତ୍ର

ଅନ୍ୟପକ୍ଷରେ ବିଜ୍ଞାନ କ୍ଷେତ୍ରରେ ବ୍ୟବହୃତ ହେଉଛି ‘ସାଇଣ୍ଟିଜ୍‌ମ୍‌' (Scientism) ନାମକ ଅନ୍ୟ ଏକ ଶବ୍ଦ । ‘ସାଇଣ୍ଟିଜ୍‌ମ୍‌'ର ଅର୍ଥ ‘ବିଜ୍ଞାନବାଦ' । କୌଣସି ଏକ ତତ୍ତ୍ୱ, ମତ, ସିଦ୍ଧାନ୍ତ, ନୀତି କିମ୍ବା ବିଶ୍ୱାସ ପ୍ରତି ଦୃଢ଼ ଅନୁରକ୍ତି ବା ନିଷ୍ଠା ପ୍ରଦର୍ଶନ କରିବା ସହ ତାହାର ବ୍ୟାପକ ପରିପ୍ରସାରପାଇଁ ଅଭ୍ୟାସଗତ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଏ ‘ଇଜ୍‌ମ୍‌' (ism) ବା ‘ବାଦ' । ଯେଉଁମାନେ ଏହି ‘ବାଦ'ର ପୃଷ୍ଠପୋଷକତା କରିଥାନ୍ତି, ସେମାନେ ଦୃଢ଼ନିଶ୍ଚିତ ଯେ ସେମାନଙ୍କ ବିଚାର, ଚିନ୍ତାଧାରା ଓ କାର୍ଯ୍ୟପ୍ରଣାଳୀ ସମ୍ପୂର୍ଣ୍ଣ ଯଥାର୍ଥ । ଉଦାହରଣସ୍ୱରୂପ, ଆତଙ୍କବାଦୀ ଓ ସନ୍ତ୍ରାସବାଦୀମାନେ ନିଜ ନିଷ୍ପତ୍ତିରେ ଏପରି ଅଟଳ ଯେ ନିଜ ମତ ଓ ଉଦ୍ଦେଶ୍ୟ ଚରିତାର୍ଥ କରିବା ନିମନ୍ତେ ସେମାନେ ହତ୍ୟା ଓ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାରେ ପାଶ୍ଚାତ୍‌ପଦ ହୁଅନ୍ତି ନାହିଁ । ତେବେ ବିଜ୍ଞାନବାଦ ବୋଇଲେ କଅଣ ?

ବିଜ୍ଞାନବାଦର ଅତି ଅନମନୀୟ ସଂଜ୍ଞା ଦେବାକୁ ଯାଇ କୁହାଯାଉଛି ଯେ ବିଜ୍ଞାନବାଦରେ ବିଜ୍ଞାନ ବ୍ୟତିରେକେ ଅନ୍ୟ ସବୁ କିଛି ନିରର୍ଥକ । ଯେଉଁ ଦାବି ବା କ୍ରିୟା ବିଜ୍ଞାନର କଷଟିପଥରରେ ଉତ୍ତୀର୍ଣ୍ଣ, ତାହା ହିଁ କେବଳ ଅର୍ଥଦ୍ୟୋତକ ଏବଂ ଯେଉଁ ଦାବି ବା କ୍ରିୟାପ୍ରତି ବୈଜ୍ଞାନିକ ପ୍ରମାଣର ସମର୍ଥନ ନାହିଁ, ତାହା ସତ୍ୟ ହୋଇଥିଲେ ମଧ୍ୟ ଅର୍ଥଦ୍ୟୋତକ ନୁହେଁ ।

ଏକ ନମନୀୟ ଦୃଷ୍ଟିକୋଣରୁ ବିଚାର କଲେ ବିଜ୍ଞାନବାଦ ହେଉଛି ଏକ ସାର୍ବଜନୀନ ବିଜ୍ଞାନସମ୍ମତ ଦୃଷ୍ଟିକୋଣ । ଏଥିରେ ନିହିତ ଥାଏ ସମସ୍ତ ପ୍ରକ୍ରିୟାର ଏକ ପ୍ରାକୃତିକ ବ୍ୟାଖ୍ୟା । ଅଲୌକିକତା ଏବଂ ବୈଜ୍ଞାନିକ ଅନୁସନ୍ଧାନର ପରିସର ବହିର୍ଭୂତ କୌଣସି ପରିକଳ୍ପନାକୁ ପରିତ୍ୟାଗ କରି ଏହା ପରୀକ୍ଷା ନିରୀକ୍ଷା ଆଧାରିତ ପ୍ରତ୍ୟକ୍ଷ ଜ୍ଞାନକୁ ହିଁ ଗ୍ରହଣ କରିଥାଏ ।

ବିଜ୍ଞାନ କ୍ଷେତ୍ରରେ କ'ଣ କାହା କାହାଠାରେ ଏପରି ଧରଣର ମାନସିକତା ପରିଲକ୍ଷିତ ହୋଇଥାଏ ? ଯେଉଁମାନେ ‘ବିଜ୍ଞାନବାଦୀ' (terrorist ଭଳି ଏମାନଙ୍କୁ Scientist ବୋଲି କହିଲେ ଅଡ଼ୁଆ) ବା ବିଜ୍ଞାନବାଦର ଅଟଳ ଅନୁଗାମୀ, ସେମାନଙ୍କର ଚରିତ୍ର ପୁଣି କଅଣ ?

ଏହି ଗୋଷ୍ଠୀଭୁକ୍ତ ବ୍ୟକ୍ତିମାନଙ୍କର ଅଟଳ ବିଶ୍ୱାସ ଯେ ଏହି ପୃଥିବୀରେ ଯାହା କିଛି ଘଟେ ବା ଘଟୁଛି ବା ପରିଦୃଷ୍ଟ ହେଉଛି, ସେଗୁଡ଼ିକୁ କେବଳ ବିଜ୍ଞାନର ନୀତିନିୟମ ଇତ୍ୟାଦିଦ୍ୱାରା ହିଁ ବିଶ୍ଳେଷଣ କରାଯାଇପାରିବ । ପୁଣି ସମ୍ପ୍ରତି ଆମେ ଯେଉଁସବୁ ସମସ୍ୟା ବା ଅସଙ୍ଗତିର ସମ୍ମୁଖୀନ ହୋଇ ଚାଲିଛେ ସେସବୁର ସନ୍ତୋଷଜନକ ସମାଧାନ କରିଦେଇପାରିବ କେବଳ ବିଜ୍ଞାନ ।

ସାଗାନ୍ ଓ ସାପ୍‌ଲେଙ୍କ ଯୁକ୍ତି

କାର୍ଲ୍ ସାଗାନ୍ ଜଣେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଜ୍ୟୋତିର୍ବିଜ୍ଞାନୀ ଓ ଜନପ୍ରିୟ ବିଜ୍ଞାନ ଲେଖକ । ସେ ଦାବି କରନ୍ତି ଯେ କେବଳ ବିଶ୍ୱାସଯୋଗ୍ୟ ବୈଜ୍ଞାନିକ ପ୍ରମାଣକୁ ଭିତ୍ତିକରି ହିଁ ସେ ବିଜ୍ଞାନ ସମ୍ବନ୍ଧୀୟ ଲେଖାଲେଖି କରିଥାନ୍ତି । ଅବଶ୍ୟ ତାଙ୍କ ଉପସ୍ଥାପନାରେ ନିଜର ଦାର୍ଶନିକ ଓ ଧାର୍ମିକ ମତାମତ ମଧ୍ୟ ସ୍ଥାନ ପାଇଥାଏ । ବରଂ ସେ ବିଜ୍ଞାନର ପୃଷ୍ଠପୋଷକତା କରିବା ଅପେକ୍ଷା ଅଧିକ ପୃଷ୍ଠପୋଷକତା କରିଥାନ୍ତି ବିଜ୍ଞାନବାଦର । ତେଣୁ କେହି କେହି ତାଙ୍କୁ ବିଜ୍ଞାନବାଦର ପ୍ରବର୍ତ୍ତକ (Prophet of Scientism) ଭାବରେ ଅଭିହିତ କରିଥାନ୍ତି । ବିଜ୍ଞାନବାଦରେ ବିଜ୍ଞାନ ସମ୍ପର୍କିତ ଧାରଣା, ପଦ୍ଧତି ଏବଂ ଏପରିକି ଅନୁମାନ ତଥା କଳ୍ପନା ଅତ୍ୟାବଶ୍ୟକ ନ ହେଲେ ମଧ୍ୟ ଗ୍ରହଣୀୟ ଓ ଉପଯୋଗୀ । କିନ୍ତୁ କୌଣସି ସର୍ବଶକ୍ତିମାନ, ଆଲୌକିକ, ଅତିପ୍ରାକୃତ ତଥା ଅବିନଶ୍ୱର ସତ୍ତାର ଉପସ୍ଥିତିକୁ ଏହା ସ୍ୱୀକୃତି ଦିଏନାହିଁ । ବିଜ୍ଞାନବାଦ କହେ ଯେ ସମସ୍ତ ବିଭାଗର ଉତ୍ସ ହେଉଛି ପ୍ରକୃତ ବା ପ୍ରକୃତିର ଧର୍ମ । ଏପରିକି ଈଶ୍ୱରବୋଲି ଯଦି କେହି ଥାଆନ୍ତି, ତେବେ ସେ ମଧ୍ୟ ପ୍ରକୃତିର ଏକ ଅଂଶବିଶେଷ ମାତ୍ର !

କାର୍ଲ୍‌ସାଗାନ୍‌ଙ୍କ ଗୁରୁ ଥିଲେ ବିବର୍ତ୍ତନ ବିଶେଷଜ୍ଞ ଜ୍ୟୋତିର୍ବିଜ୍ଞାନୀ ହାର୍‌ଲୋ ସାପ୍‌ଲେ । ସାପ୍‌ଲେ ଏକଦା କହିଥିଲେ- ‘କେତେକ ଧାର୍ମିକ ବ୍ୟକ୍ତି ଦାବି କରନ୍ତି ଯେ ଈଶ୍ୱର ହିଁ ହେଉଛନ୍ତି ସୃଷ୍ଟିକର୍ତ୍ତା । କିନ୍ତୁ ମୋ ବିଚାରରେ ରଙ୍ଗହୀନ, ଗନ୍ଧହୀନ ହାଇଡ୍ରୋଜେନ୍ ଗ୍ୟାସ୍ ବା ଉଦ୍‌ଜାନ ବାଷ୍ପ ହିଁ ସୃଷ୍ଟିର ଉତ୍ସ । କାଳର ପ୍ରଭାବରେ ଉଦ୍‌ଜାନ ମଣିଷକୁ ରୂପାନ୍ତରିତ ହୋଇଯାଇଛି ।’

ସାପ୍‌ଲେଙ୍କ ଛାତ୍ର ସାଗାନ୍ ମଧ୍ୟ ସମାନ ଭାବରେ ଦୃଢ଼ ଯୁକ୍ତି ପୋଷଣ କରି କହନ୍ତି- “ଏହି ସଂସାର ଈଶ୍ୱରଙ୍କଦ୍ୱାରା ତିଆରି ହୋଇନାହିଁ । ବରଂ ଭୌତିକ ବଳ ପ୍ରକୃତି ସହ ପାରସ୍ପରିକ କ୍ରିୟାରେ ଜଡ଼ିତ ହେବା ଫଳରେ ସଂସାର ସୃଷ୍ଟି ହୋଇଛି । ମୁଁ, କାର୍ଲ ସାଗାନ୍‌, ଈଶ୍ୱରଙ୍କର ସନ୍ତାନ ନୁହେଁ । ମୁଁ ହେଉଛି ଜଳ, କ୍ୟାଲ୍‌ସିୟମ ଓ ଜୈବିକ ଅଣୁଗୁଡ଼ିକର ଏକ ସମାହାର । ଆମ୍ଭମାନଙ୍କର ସମସ୍ତ ମାନବୀୟ ଚରିତ୍ର ଯଥା, ସ୍ନେହ, ପ୍ରେମ, ଘୃଣା, ବିଷାଦ, ଆବେଗ, କ୍ରୋଧ, କୋମଳତା ଇତ୍ୟାଦି ବିକାଶ ଲାଭ କରିଛି ଦୀର୍ଘକାଳ ବ୍ୟାପ୍ତ ବିବର୍ତ୍ତନ ପ୍ରକ୍ରିୟାର ସମାନ୍ୟ ଦୁର୍ଘଟଣାଗୁଡ଼ିକରୁ । ଏପରିକି ଏହିପରି ପ୍ରକ୍ରିୟାରେ ସୃଷ୍ଟି ହୋଇଛି ଆମର ଚେତନା ।”

ସାଗାନ୍‌ଙ୍କ ମତରେ ମଣିଷ ଯଦି ନିଜ ସାମର୍ଥ୍ୟଠାରୁ ଅଧିକ ସାମର୍ଥ୍ୟ ରହିଥିବା କାହାକୁ ଉପାସନା କରିବାପାଇଁ ଚାହେଁ, ତେବେ ସେ ଧର୍ମନିରପକ୍ଷ ପ୍ରକୃତିକୁ ହିଁ ଉପାସନା କରିବା ଉଚିତ । ଅର୍ଥାତ୍ ସୂର୍ଯ୍ୟ, ଧରିତ୍ରୀ, ସାଗର ଇତ୍ୟାଦି ହେଉଛନ୍ତି ମଣିଷର ଉପାସ୍ୟ । ସୁତରାଂ ଦେବଦେବୀମାନେ ମଣିଷକୁ ସୃଷ୍ଟି କରିନାହାନ୍ତି, ଦେବଦେବୀ ହେଉଛନ୍ତି ମଣିଷର କଳ୍ପନାପ୍ରସୂତ । ଏହି ପରିପ୍ରେକ୍ଷୀରେ ବିଚାର କଲେ, ସାଗାନ୍‌‌ଙ୍କ ବିଜ୍ଞାନବାଦ ନିଜେ ଉଭା ହୋଇପଡ଼ିଛି ଏକ ଧର୍ମରୂପେ ।

ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ସି.ପି.ସ୍ନୋ'ଙ୍କ ଦୃଷ୍ଟିରେ ବିଜ୍ଞାନ-ସଂସ୍କୃତି ଓ କଳା-ସଂସ୍କୃତି ମଧ୍ୟରେ ସମନ୍ୱୟ ସ୍ଥାପନ କରିବାରେ ବିଜ୍ଞାନବାଦ ଏକ ସେତୁରୂପେ କାର୍ଯ୍ୟ କରିଥାଏ । ଏହା ହେଉଛି ବିଜ୍ଞାନର ଯୁଗ । ତେଣୁ ବିଜ୍ଞାନବାଦର ପ୍ରମୁଖ ପ୍ରବକ୍ତାମାନେ ଆମର ସମ୍ମାନର ପାତ୍ର । ବିଜ୍ଞାନବାଦର ପ୍ରଚଳନ ଏବେକାର କଥା ନୁହେଁ । କିଛି ଶତାବ୍ଦୀ ତଳର ଗାଲିଲିଓ ଥୋମାସ୍ ହକ୍ସଲେ'ଙ୍କ ଲେଖାରେ ମଧ୍ୟ ଏହାର ଉଲ୍ଲେଖ ରହିଛି ।

ହୁଏତ ବିଜ୍ଞାନ ଉପରେ ଏପରି ଦ୍ୱନ୍ଦ୍ୱହୀନ କ୍ଷମତା ଆରୋପ କରିବା ଅତିଶୟୋକ୍ତି । କାରଣ ପ୍ରାୟତଃ ଏପରି କୌଣସି ସମସ୍ୟା ନାହିଁ, ଯାହା ସାମାଜିକ, ଅର୍ଥନୈତିକ, ରାଜନୈତିକ ଏବଂ ସାଂସ୍କୃତିକ ପରିସରରୁ ସଂପୂର୍ଣ୍ଣ ମୁ୍‌କ୍ତ । ତେଣୁ ବିଜ୍ଞାନ ସର୍ବସମସ୍ୟା ସମାଧାନର କର୍ତ୍ତା ହୋଇପାରିବ ଅବା କିପରି? ଏହି ପରିପ୍ରେକ୍ଷୀରେ ବିଚାରକଲେ, ଯେଉଁମାନେ ବିଜ୍ଞାନବାଦର ପ୍ରବକ୍ତା ସାଜିଛନ୍ତି,ସେମାନେ ପୃଥିବୀର ବାସ୍ତବ ସମସ୍ୟାଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଅନୁଶୀଳନ କଲା ପରେ ହିଁ ବିଜ୍ଞାନ ସର୍ବଶକ୍ତିମାନ ତଥା ସର୍ବଜ୍ଞ କି ନା ସେ ସମ୍ପର୍କରେ ମତାମତ ଦେବା ଯଥାର୍ଥ ।

ବିଜ୍ଞାନବାଦର ଅପବ୍ୟବହାର

ସୁତରାଂ, ବିଜ୍ଞାନବାଦ ହୁଏତ ଏକ ଦାର୍ଶନିକ ଦୃଷ୍ଟିକୋଣ । ଏଥିରେ ପ୍ରାକୃତିକ ବିଜ୍ଞାନର ପଦ୍ଧତିଗୁଡ଼ିକ ଅନ୍ୟ ପ୍ରକାରର ଅନୁଧ୍ୟାନଗୁଡ଼ିକ ତୁଳନାରେ ପ୍ରଦାନ କରାଯାଇଛି ସର୍ବାଧିକ ଗୁରୁତ୍ୱ । ଭୌତିକ, ସାମାଜିକ କିମ୍ବା ମନସ୍ତାତ୍ତ୍ୱିକ-ଯେ କୌଣସି ପ୍ରକ୍ରିୟାର ବିଶ୍ଳେଷଣ ତଥା ଅନୁଶୀଳନପାଇଁ ପରୀକ୍ଷାସିଦ୍ଧ, ଅଭିଜ୍ଞତାସଂପନ୍ନ ଜ୍ଞାନ ତଥା କାରଣର ପ୍ରୟୋଗ କରାଯାଉଥିବାରୁ ବିଜ୍ଞାନବାଦ ‘ସିଦ୍ଧାନ୍ତ' ଉପରେ ପର୍ଯ୍ୟବସିତ ସିନା, ‘ବିଶ୍ୱାସ' ଉପରେ ପର୍ଯ୍ୟବସିତ ହୁହେଁ । ଯାହା ପ୍ରତ୍ୟକ୍ଷ ପର୍ଯ୍ୟବେକ୍ଷଣ, ବିଶ୍ଳେଷଣ ଓ ପରୀକ୍ଷାନିରୀକ୍ଷାଦ୍ୱାରା ସାବ୍ୟସ୍ତ ହୋଇପାରିନଥାଏ, ସେ ପ୍ରକାରର ଭିତ୍ତିହୀନ ପରିକଳ୍ପନାକୁ ବିଜ୍ଞାନବାଦ ସ୍ୱୀକାର କରେ ନାହିଁ ।

କିନ୍ତୁ ବିଜ୍ଞାନର ଅନୁମୋଦନ ସଂକ୍ରାନ୍ତ ଯୁକ୍ତିବାଢ଼ି ତତ୍ତ୍ୱର ଏକ ଅବାସ୍ତବ ତଥା ଅନମନୀୟ ପ୍ରଯୋଗ ସମ୍ବନ୍ଧୀୟ ଦୃଷ୍ଟିକୋଣ ମଧ୍ୟ ବିଜ୍ଞାନର ଏକ ନିଚ୍ଛକ ଅପବ୍ୟବହାର । ବରଂ ଏପରି କରିବା ଫଳରେ ବିଜ୍ଞାନର ସୁସଙ୍ଗତ ତଥା ଯୁକ୍ତିଯୁକ୍ତ ଦର୍ଶନ ଏକ ଅସଙ୍ଗତ ତଥା ଅଯୌକ୍ତିକ ଉଗ୍ର ମତବାଦରେ ରୂପାନ୍ତରିତ ହୋଇଯାଏ ।

ତେଣୁ ବିଜ୍ଞାନବାଦ ହେଉଛି ଏକ ତାତ୍ତ୍ୱିକ ପରିସର । ସଂପ୍ରତି ଯେଉଁ କ୍ଷେତ୍ରରେ ବିଜ୍ଞାନର ଯଥାର୍ଥ ବ୍ୟାଖ୍ୟା ଦିଆଯାଇପାରୁନାହିଁ, ସେପରି କ୍ଷେତ୍ରରେ ଯଥାର୍ଥ ଯୁକ୍ତିକୁ ଅସମ୍ମାନଜନକ ଅଭିପ୍ରାୟ ରଖି ପ୍ରତ୍ୟାଖ୍ୟାନ କରିଦେବା ନିମନ୍ତେ ବିଜ୍ଞାନବାଦର ଅବତାରଣା କରାଯାଉଛି । ବିଜ୍ଞାନ ପ୍ରତି ଏ ପ୍ରକାରର ଅସ୍ୱାଭାବିକ, ପକ୍ଷପାତମୂଳକ ତଥା ଅତ୍ୟଧିକ ଅଙ୍ଗାକାରବଦ୍ଧତା ହେଉଛି ଜ୍ଞାନତତ୍ତ୍ୱର ଏକ ବିକୃତୀକରଣ ।

ବିଜ୍ଞାନବାଦ ଦାବି କରେ ଯେ ଜ୍ଞାନର ଇଲାକାକୁ ପ୍ରବେଶ କରିବାର ପଥ କେବଳ ବିଜ୍ଞାନକୁ ହିଁ ଜଣା । ଏପରି ଦାବି କରିବା ଫଳରେ ମଣିଷର ଅନୁସନ୍ଧିତ୍ସା କେବଳ ବସ୍ତୁଆଧାରିତ ବାସ୍ତବତା ଭଳି ସ୍ତରକୁ ଖସିଆସିବା ସ୍ୱାଭାବିକ । ଅର୍ଥାତ୍‌, ଯାହା ବୈଜ୍ଞାନିକ ପଦ୍ଧତି ପ୍ରୟୋଗ ମାଧ୍ୟମରେ ପରୀକ୍ଷା ନିରୀକ୍ଷାଦ୍ୱାରା ନିର୍ଦ୍ଧାରିତ, ତାହା ହିଁ କେବଳ ଆମପାଇଁ ଗ୍ରହଣୀୟ । ତେବେ କିଏ ଏହି ପଦ୍ଧତିର ସ୍ରଷ୍ଟା? ଏହାର ସ୍ରଷ୍ଟା ହେଉଛନ୍ତି ବିଜ୍ଞାନର କେତେକ ତଥାକଥିତ ବଡ଼ପଣ୍ଡା ।

ବିଜ୍ଞାନ- ଦାର୍ଶନିକ ସୁସାନ୍ ହ୍ୟାକ୍‌ଙ୍କ ମତରେ ତଥାକଥିତ ବୈଜ୍ଞାନିକ ପଦ୍ଧତି ହେଉଛି ବୈଜ୍ଞାନିକ ସଂସ୍କୃତିଦ୍ୱାରା ସ୍ଥିରୀକୃତ ଏକ ଭ୍ରାନ୍ତ ଧାରଣା । କାରଣ ବୈଜ୍ଞାନିକ ଅନୁସନ୍ଧିତ୍ସାକୁ ଚରିତାର୍ଥ କରିବା ନିମନ୍ତେ କେବଳ ଗୋଟିଏ ମାତ୍ର ପଦ୍ଧତି ଉପଲବ୍ଧି ନୁହେଁ । ବୈଜ୍ଞାନିକ ଅନୁସନ୍ଧିତ୍ସା ହେଉଛି ପ୍ରତି ମୁହୂର୍ତ୍ତର ପ୍ରତ୍ୟକ୍ଷ ଅଭିଜ୍ଞତାର ପରବର୍ତ୍ତୀ ପର୍ଯ୍ୟାୟ । ପ୍ରତି ମୁହୂର୍ତ୍ତରେ ଅର୍ଜିତ ହୋଇ ଚାଳିଥିବା ଜ୍ଞାନ ଓ ଅନୁଭୂତି ସମ୍ପର୍କରେ ଯୁକ୍ତିଯୁକ୍ତ ପ୍ରଶ୍ନ ପଚାରିବାରେ ଓ ତା'ର କାରଣ ଅନୁଧ୍ୟାନ କରିବା ନିମନ୍ତେ ପନ୍ଥା ନିର୍ଦ୍ଧାରଣ କରିବାରେ ଜ୍ଞାନ ଅଧିକ ସମୃଦ୍ଧ ହୋଇଥାଏ । ହ୍ୟାକ୍‌ଙ୍କ କହିବା ଅନୁସାରେ ପ୍ରତିଦିନ ଏହି ପ୍ରଶ୍ନ ପଚାରିବା ଛଳରେ ସାଧାରଣ ଜନତାଙ୍କପାଇଁ ବୈଜ୍ଞାନିକ ଜ୍ଞାନର ଦ୍ୱାର ଉନ୍ମୁକ୍ତ ହୋଇଯାଏ ଓ ସେମାନେ ବୁଦ୍ଧି ଓ ଯୁକ୍ତିଦ୍ୱାରା ବିଜ୍ଞାନବାଦର ପ୍ରକୃତ ସ୍ୱରୂପକୁ ଭେଦ କରିପାରନ୍ତି ।

ଜନସାଧାରଣଙ୍କ ପାଇଁ ନୀତି ନିର୍ଦ୍ଧାରଣ ତଥା ସେମାନଙ୍କ ଆଚରଣ ସ୍ଥିର କରିବା ପ୍ରକ୍ରିୟାରେ ବିଜ୍ଞାନବାଦ ଅନୁପ୍ରବେଶ କରିଗଲେ ବିଜ୍ଞାନବାଦର ଅପବ୍ୟବହାର ପାଇଁ ସୁଯୋଗ ମିଳିଥାଏ । କାରଣ ବିଜ୍ଞାନବାଦ-ସଂସ୍ମୃତି ଅନୁଯାୟୀ ବିଜ୍ଞାନ-ଜ୍ଞାନ ଆହରଣ ହେଉଛି ଅନ୍ୟ ସବୁ ବିଷୟରେ ଜ୍ଞାନ ଅର୍ଜନ କରିବାଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ । ଏପରି ଧାରଣା ପୋଷଣ କରିବାର ମଧ୍ୟ ଏକ ଯୁକ୍ତିଯୁକ୍ତ କାରଣ ଉପଲବ୍ଧ । ବିଜ୍ଞାନବାଦର ପୃଷ୍ଠପୋଷକମାନେ ବିଜ୍ଞାନ ସଂକ୍ରାନ୍ତ ତଥ୍ୟ ଉପସ୍ଥାପନ କଲାବେଳେ କ୍ଳିଷ୍ଟ ତଥା ଦୁର୍ବୋଧ୍ୟ ବୈଜ୍ଞାନିକ ଶବ୍ଦାବଳୀ ବ୍ୟବହାର କରିଥାନ୍ତି । ଏହା ଫଳରେ ବିଚରା ଅଜ୍ଞ ଜନସାଧାରଣ ନିଜ ପସନ୍ଦ ଅପସନ୍ଦର ଅଧିକାରକୁ ଜଳାଞ୍ଜଳି ଦେଇ ବିନା ପ୍ରତିବାଦରେ ସ୍ୱୀକାର କରିନିଅନ୍ତି ବିଜ୍ଞାନବାଦର ପ୍ରଭୁତ୍ୱକୁ । ଫଳରେ ପାରମ୍ପରିକ ସଂସ୍କୃତିରେ ବିଜ୍ଞାନ ଧସେଇପଶି ଜୋର ଜବରଦସ୍ତ ଆସ୍ଥାନ ଜମେଇ ବସେ ।

ଏହା ଅବଶ୍ୟ ସ୍ୱୀକାର୍ଯ୍ୟ ଯେ ବିଜ୍ଞାନର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଏକ ମୁକ୍ତ ସମାଜରେ ବିଜ୍ଞାନକୁ ବାଧ୍ୟତାମୂଳକ ଭାବରେ ଲଦିଚାଲିବା ଆଦୌ ସ୍ପୃହଣୀୟ ନୁହେଁ । ବିଜ୍ଞାନ ଜନାଭିମୁଖୀ ହୋଇ ନ ପାରିଲେ ଓ ବିଜ୍ଞାନୀମାନେ ଜନସାଧାରଣଙ୍କ ମତାମତକୁ ପ୍ରାଧାନ୍ୟ ନଦେଲେ ବିଜ୍ଞାନବାଦ ଏବଂ ନିର୍ଦ୍ଦିଷ୍ଟ ତଥ୍ୟ ଓ ପରିଦୃଶ୍ୟମାନ ଜଗତ ଉପରେ ଆଧାରିତ ଦାର୍ଶନିକ ତତ୍ତ୍ୱ ଓ ବା ପ୍ରତ୍ୟକ୍ଷବାଦ ହିଁ ପ୍ରୋତ୍ସାହନ ପାଇଚାଲିବବୋଲି ସତର୍କ କରାଇ ଦେଇଛନ୍ତି ଜର୍ଜେନ୍ ହାବର୍‌ମାସ୍ ।

ବୈଜ୍ଞାନିକ ସାମ୍ରାଜ୍ୟବାଦ

ସୁତରାଂ ବିଜ୍ଞାନ ନିଜର ସାଧୁତା ତଥା ଶୁଦ୍ଧତାକୁ ଅକ୍ଷତ ରଖିବାପାଇଁ ଭୌତିକ କ୍ଷେତ୍ରରେ ସୀମିତ ରହିବା ହିଁ ନିରାପଦ । ବିଜ୍ଞାନବାଦ ହେଉଛି ଅନୈତିକ ଓ ବିଦ୍ୱେଷ ପରାୟଣ । ଏକପକ୍ଷରେ ଏହା ଈଶ୍ୱର-ଉପ। ସନାକୁ ନିରୁତ୍ସାହିତ କରୁଛି ତ ଅନ୍ୟପକ୍ଷରେ ପ୍ରୋତ୍ସାହିତ କରୁଛି ବିଜ୍ଞାନକୁ ଉପାସନା କରିବାର ସଂସ୍କୃତିକୁ ।

ବିଜ୍ଞାନବାଦର ଦାବି ଯେ ବିଜ୍ଞାନ ହେଉଛି ସର୍ବଶକ୍ତିମାନ, ସର୍ବଜ୍ଞ ଓ ସର୍ବନିୟନ୍ତା । କିନ୍ତୁ ବିଜ୍ଞାନ ତ ମନ, ଆତ୍ମା, ଆତ୍ମସଚେତନତା, ଚେତନା ଇତ୍ୟାଦିର ଏକ ସଂପୂର୍ଣ୍ଣ ସନ୍ତୋଷଜନକ ରୂପରେଖ ଦେଇପାରୁନାହିଁ ।

ତେଣୁ ସମସ୍ୟା ସୃଷ୍ଟିର ନାୟକ ବିଜ୍ଞାନ ନୁହେଁ । ବରଂ ଆମ୍ଭମାନଙ୍କୁ ବିଜ୍ଞାନ ବିରାଗୀ କରାଇବାରେ ଖଳନାୟକ ସାଜିଛି ବିଜ୍ଞାନବାଦ । କାରଣ ବିଜ୍ଞାନବାଦ ହିଁ ସୃଷ୍ଟି କରିଚାଲିଛି ଏକ ବୈଜ୍ଞାନିକ ସାମ୍ରାଜ୍ୟବାଦ ବା ‘ସାଇଣ୍ଟିଫିକ୍ ଇମ୍ପେରିଆଲିଜମ୍‌' ।

•••

 

କବିତାରେ ପ୍ରତୀକବାଦ

ଶ୍ରୀ ହରପ୍ରସାଦ ଦାସ

 

ଆଧୁନିକ କବିତା ବିବର୍ତ୍ତନର ଇତିହାସରେ ପ୍ରତୀକବାଦର ଗୁରୁତ୍ୱ ଅନ୍ତତଃ ତିନୋଟି କାରଣରୁ ଆମପାଇଁ ମହତ୍ତ୍ୱପୂର୍ଣ୍ଣ । ଆଜି ଆମେ ଆମର ସମକାଳୀନ କାର୍ଯ୍ୟଧାରାର ଯେଉଁ ପ୍ରବାହରେ ଭାସି ଚାଲିଚେ, ସେଥିରେ ଆମେ ଖୋଲାଖୋଲି ନ କହିଲେ ବି ଗୋଟିଏ ପ୍ରତୀକାତ୍ମକ କାବ୍ୟଦୃଷ୍ଟି ସ୍ପଷ୍ଟକଥନର ଅନ୍ତରାଳରେ କ୍ରମେ ଘନୀଭୂତ ହେଉଚି । ଆମ ଅଜାଣତରେ ଆମେ ବସ୍ତୁଜଗତ ତଥା ପ୍ରକୃତିକୁ ମାନବିକ ସ୍ଥିତିର ପ୍ରତିନିଧିତ୍ୱ କରିବାପାଇଁ ଗୋଟାଏ ନିଃସର୍ତ୍ତ କାବ୍ୟିକ ଅଧିକାର ଦେଇ ବସିଚେ ଓ ନିପଟ ବାକ୍‌ଶୈଳୀର ଅସାଙ୍ଗୀତିକତା ଭିତରେ ଭିତରେ ଆମକୁ ପୀଡ଼ାଦେବା ଆରମ୍ଭ କଲାଣି ।

ଊନବିଂଶ ଶତାବ୍ଦୀର ବିଳମ୍ବିତ ଦି୍ୱତୀୟାର୍ଦ୍ଧରେ ୟୁରୋପରେ (ସ୍ୱତନ୍ତ୍ର ଭାବରେ ଫ୍ରାନ୍‌ସରେ) ବିକଶିତ ପ୍ରତୀକବାଦୀ କାବ୍ୟଧାରାର ଅନୁଶୀଳନ ଏହି କାରଣରୁ ବିଂଶଶତାବ୍ଦୀର ଶେଷପାଦରେ ଜଣେ ସମକାଳୀନ ଓଡ଼ିଆ କବିର ଆତ୍ମବିକାଶପାଇଁ ଜରୁରୀ । କେହି ଯଦି ପ୍ରଶ୍ନ କରନ୍ତି ଯେ: ସମକାଳୀନ ଓଡ଼ିଆ କବିତାର ଆତ୍ମବିକାଶର ଉପାଦାନ ତାର ନିଜ ପରମ୍ପରା ଓ ବର୍ତ୍ତମାନରେ ନ ଖୋଜି ୟୁରୋପରେ ଖୋଜିବ କାହିଁକି ? ତେବେ ତାଙ୍କୁ କେବଳ ଏହି ଉତ୍ତର ଦିଆଯିବ ଯେ : ଆଧୁନିକ କବିତାରେ ଯେଉଁ ନବଧାରା ଯୁଦ୍ଧୋତ୍ତର କାଳରେ ଇଂରାଜୀ ସାହିତ୍ୟ (ବିଶେଷତଃ ଇଲିଅଟ୍‌ଙ୍କ କବିତା) ଦେଇ ଆମର କାବ୍ୟ ଚେତନାରେ ପ୍ରବେଶ କଲା ଓ ଯାହା ଫଳରେ ଆମର କବିତାର ଅନ୍ତତଃ ଗୋଟାଏ ଆକସ୍ମିକ କାୟିକ ପରିବର୍ତ୍ତନ ସାଧିତ ହେଲା, ତାକୁ ଅସ୍ୱୀକାର କରିହେବ ନାହିଁ । ସେ କାୟିକ ପରିବର୍ତ୍ତନ ଗୋଟାଏ ଆଞ୍ଚଳିକ ସଂସ୍କୃତିର ଗୋଟାଏ ବିଶ୍ୱୀକରଣ ସଂଘଟିତ ହୋଇଯାଇଚି ଓ ସେଇଥିଯୋଗୁ ଓଡ଼ିଆ କବିର ଆତ୍ମବିକାଶର ଉପାଦାନ ତାର ଆଞ୍ଚଳିକ ପରମ୍ପରା ସହିତ ଗୋଟିଏ ବିଶ୍ୱବ୍ୟାପୀ ପରମ୍ପରାର ଅନ୍ୱୟରୁ ହିଁ ମିଳିବ । ପୃଥିବୀର କୌଣସି ଭାଷାରେ ଲେଖାଯାଉଥିବା କବିତା ଆଜି ଆଉ ଆଞ୍ଚଳିକ ହୋଇ ନାହିଁ- ଏପରିକି ଆଫ୍ରିକାର ସବୁଠୁ ଅନୁନ୍ନତ ଅଞ୍ଚଳରେ ଆଞ୍ଚଳିକ ଭାଷା ବା ଉପଭାଷାରେ ଲେଖାଯାଉଥିବା କବିତା ବା ଚୀନ୍‌ର ଦୁରୂହ ଚିତ୍ରଲିପିରେ ଲେଖା ଯାଉଥିବା କବିତା, ପ୍ରତ୍ୟେକ ଗୋଟିଏ ମାନକ କାବ୍ୟ ସଂସ୍କାରଦ୍ୱାରା ପ୍ରଭାବିତ ଓ ପରିବର୍ତ୍ତିତ ହୋଇସାରିଚନ୍ତି । ଏହାର କାରଣ ଯଦି ଶିକ୍ଷା ଓ ସଂସ୍କୃତିର ବିଶ୍ୱୀକରଣ, ତେବେ ସାଂସ୍କୃତିକ ସ୍ପନ୍ଦନରେ ଗଣାଯାଉଥିବା କବିତାର କଳା ବିଶ୍ୱୀକରଣର ପ୍ରଭାବରୁ ମୁକ୍ତ ହେବ କିପରି ବା କାହିଁକି ? ବରଂ ଆମେ ଆମର ସାଂସ୍କୃତିକ ପରମ୍ପରାର ପୁନର୍ବିନ୍ୟାସର ବିଶ୍ୱଚେତନାକୁ ଗ୍ରହଣ କରିନେବା ଅଧିକ ଯୁକ୍ତିଯୁକ୍ତ ହେବ । ଉଦାହରଣ ସ୍ୱରୂପ ଆମର ସମସ୍ତ ଚର୍ଯ୍ୟାଗୀତି ପ୍ରତୀକବାଦୀ ପରମ୍ପରାର କବିତା । ସେହିପରି ଆମର ବହୁ ରହସ୍ୟବାଦୀ କବିତାର ପ୍ରତୀକବାଦୀ କାବ୍ୟବୋଧ ପ୍ରମାଣ ରହିଚି । ୟାର ଅର୍ଥ ନୁହେଁ ଯେ ଆମେ ଆଧୁନିକ କବିତାର ପ୍ରତୀକବାଦକୁ କେବଳ ଅର୍ଥରେ ବୁଝିବା । ଆମେ କାହିଁକି ଭାବିବା ନାହିଁ ଯେ ଆମର ପ୍ରତୀକବାଦୀ ପରମ୍ପରା ଓ ୟୁରୋପୀୟ ପ୍ରତୀକବାଦୀ ପରମ୍ପରାରର ଗୋଟିଏ ଚେତନାଗତ ମିଳନ ଘଟିପାରେ ଓ ତାହା ଆମର କାବ୍ୟବୋଧକୁ ଅଧିକ ପ୍ରାଣବନ୍ତ କରିପାରେ ? ‘ସାହିତ୍ୟ ଚର୍ଚ୍ଚା' ଲେଖିଲାବେଳେ ମୁଁ ଅନେକ ସମୟରେ ଅନୁଭବ କରିଚି ଯେ ମୋର ଚେତନା ଯେତିକି ପ୍ରସାରିତ ହୋଇଚି, ମୁଁ ମୋର କାବ୍ୟ ପରମ୍ପରାକୁ ସେତିକି ଗଭୀରଭାବରେ ବୁଝିପାରିଚି । ପ୍ରାଚୀନ ଓଡ଼ିଆ କବିତାରେ ଆଧୁନିକତାର ଅନ୍ୱେଷଣ ଭାରତୀୟ କାବ୍ୟତତ୍ତ୍ୱର ମାର୍ଗରେ କଲାବେଳେ ହଠାତ୍ ଲାଗିଚି ଯେ ଇଂରାଜୀ କାବ୍ୟତତ୍ତ୍ୱରେ ଆମର ଅଜାଣତରେ କେତେବେଳେ ସେ କାବ୍ୟତତ୍ତ୍ୱର ସଦ୍ୟତମ ତର୍ଜମାଟିଏ ରହିଯାଇଚି ଓ କେତେକ ବିଶେଷ ଅବସ୍ଥାରେ ସେଇ ହୋଇଚି ମୋର ଅବଲମ୍ବନ । ତେଣୁ କବିତାରେ ପ୍ରତୀକବାଦର ଏ ଚିନ୍ତାକୁ ଆଜି ସେଇ ସର୍ବବ୍ୟାପୀ ଚେତନାକୁ ଅର୍ପଣ କରୁଚି ଯାହା କବିକୁ ମାନବ ଇତିହାସର ଭାଷ୍ୟକାରରେ ପରିଣତ କରେ ।

ପ୍ରତୀକବାଦକୁ ଗୋଟିଏ ସୁସଂଗଠିତ ତତ୍ତ୍ୱ ବା କାବ୍ୟଧର୍ମବୋଲି ମନେକରି ତା'ର ଗୁଣ ନିରୂପଣରେ ବ୍ୟସ୍ତ ନ ହେଲେ ଭଲ । କିନ୍ତୁ ମୋର ଜଣେ ଓଡ଼ିଆ କବିବନ୍ଧୁଙ୍କୁ କିଏ ବୁଝାଇବ ଯେ ଗୁଡ଼ାଏ ପ୍ରତୀକ ବ୍ୟବହାର କରୁଥିବାରୁ ତାଙ୍କୁ ପ୍ରତୀକବାଦୀ କବିବୋଲି କୁହାଯିବ ନାହିଁ । ଆମେ ନିଜେ ବି କେମିତି ବୁଝିବା ଯେ ପ୍ରତୀକବାଦୀ କବିତା ପ୍ରକୃତରେ ବାଦମୁକ୍ତ ଗୋଟିଏ ନବ କାବ୍ୟ ଆନ୍ଦୋଳନ, ଯାହାର ସୁଦୂରପ୍ରସାରୀ ପ୍ରଭାବ କ୍ଷେତ୍ରରେ ଆମର ପ୍ରବେଶ ଆକସ୍କିକ ନୁହେଁ । ସେଦିନ ମୋର କବିବନ୍ଧୁ ଜଣକ ସମକାଳୀନ କେତେଜଣ ଓଡ଼ିଆ କବିଙ୍କ କବିତାର ଆଲୋଚନା ପ୍ରସଙ୍ଗରେ କହିଲେ ଯେ ସେମାନଙ୍କ ଭିତରୁ ଜଣଙ୍କୁ ପ୍ରତୀକବାଦୀ କବି କୁହାଯିବ କାରଣ ସେ ସବୁଠାରୁ ଅଧିକ ପ୍ରତୀକ ପ୍ରୟୋଗ କରିଛନ୍ତି । ତାଙ୍କର କହିବାର ଅର୍ଥ ଥିଲା ଏଇ ଯେ, ନିଜେ ଓ ତାଙ୍କର ଜଣେ ସହଗାମୀ ପ୍ରତୀକ ପରେ ପ୍ରତୀକ ବ୍ୟବହାର କରି ଚାଲିଛନ୍ତି ଅଥଚ ସମାଲୋଚକମାନେ ତାଙ୍କର କବିତାକୁ ପ୍ରତୀକବାଦୀ କବିତାବୋଲି କହିବାକୁ ପ୍ରସ୍ତୁତ ନୁହନ୍ତି । ଅଥଚ ଆଉ ଜଣେ କବି,ଯାହାଙ୍କ କବିତାରେ ପ୍ରତୀକମାନଙ୍କର ଏତେ ଗହଳ ଯାତାୟତ ନାହିଁ; ତାଙ୍କୁ କେହି କେହି ପ୍ରତୀକବାଦୀ କବିବୋଲି ବଡ଼ ପାଟିରେ ଡାକି ସାରିଲେଣି । ହୋଇପାରେ କବି ବନ୍ଧୁଙ୍କର ଏ କ୍ଷୋଭ ଯଥାର୍ଥ ନୁହେଁ କିନ୍ତୁ ଯାହା ଆମକୁ ଚିନ୍ତିତ କରେ ତାହାହେଲା : ଆମର ସମକାଳୀନ ପରିପ୍ରେକ୍ଷୀରେ ପ୍ରତୀକବାଦୀ କବିତାକୁ ବା କବିଙ୍କୁ ଆମେ କେଉଁ ମାନଦଣ୍ଡରେ ଚିହ୍ନିବା, ଗଣିବା ଓ ପରମ୍ପରାଭୁକ୍ତ କରିବା । ଏଠାରେ କହିଦେବା ଉଚିତ ହେବ ଯେ ୟୁରୋପ ଛଡ଼ା ଆଉ କୌଣସି ଭୂଖଣ୍ଡରେ ପ୍ରତୀକବାଦବୋଲି କୌଣସି ନିର୍ଦ୍ଦିଷ୍ଟ କାବ୍ୟଧାରା ନ ଥିଲା କି ନାହିଁ । ଇଂରାଜୀ କବି ୟେଟ୍‌ସ-ଇଲିଅଟ୍ ଫରାସୀ ପ୍ରତୀକବାଦୀ କବିମାନଙ୍କର ଋଣ ସ୍ୱୀକାର ନ କରିଥିଲେ ଓ ଇଂରାଜୀ ଭାଷାରେ କବିତା ଅନୂଦିତ ନ ହୋଇଥିଲେ ଆମେ ସେ କାବ୍ୟଧାରା ସମ୍ପର୍କରେ କିଛି ଜାଣି ନ ଥାନ୍ତୁ । କିନ୍ତୁ ଥରେ ଜାଣିଗଲାପରେ ଯେ, ଏ ପ୍ରତୀକବାଦୀ କବିମାନେ ୟେଟ୍‌ସ୍ ଓ ଇଲିଅଟ୍‌ଙ୍କୁ ପ୍ରଭାବିତ କରିଥିଲେ ଓ ୟେଟସ୍‌-ଇଲିଅଟ୍ ଆମକୁ ବିଶ୍ୱଯୁଦ୍ଧର ପରବର୍ତ୍ତୀ କାଳରେ (ବିଶେଷତଃ ଇଲିଅଟ୍‌) ପ୍ରଭାବିତ କରୁଚନ୍ତି, ଆମର ଆଗ୍ରହ ବଢ଼େ, ଆମେ ତାଙ୍କର ରଚନାମାନ ସସମ୍ମାନ ପଢ଼ିବା ଆରମ୍ଭ କରୁ । କିନ୍ତୁ ଆମେ ଦେଖୁଁ ଯେ, ପ୍ରତୀକବାଦୀ କବିତାରେ ପ୍ରତୀକମାନଙ୍କୁ ଅଲଗାକରି ଦେଖିବାରେ ଆମର ଅସୁବିଧା ହେଉଚି । ସେଇଠି ଆମର ସନ୍ଦେହ ଆରମ୍ଭ ହୁଏ । ପ୍ରତୀକବାଦ ଯେ ଗୋଟାଏ ସୁସଂଗଠିତ ତତ୍ତ୍ୱ ବା କାବ୍ୟଧର୍ମ ନୁହେଁ ଓ ଏଇଥିଯୋଗୁ କବିମାନଙ୍କର ପ୍ରତୀକବାଦୀ ପତିଆରାରେ ଆମେ ବେଶିଗୁଡ଼ାଏ ଆସ୍ଥା ରଖିବା ଅନୁଚିତ । ଏ କଥା ଆମେ କହିବୁଁ ହୋଇ କହି ପାରୁନା । ଆମେ କହି ପାରୁନା କାରଣ ଏ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧବେଳକୁ ସଚ୍ଚିଦାନନ୍ଦ ରାଉତରାୟଙ୍କ କବିତାରେ ପ୍ରତୀକବାଦୀ ଚମକ ଲାଗିସାରିଥାଏ ଓ ଏହି ବିଶେଷ କବି ‘ସ୍ୱଗତ' ଶୃଙ୍ଖଳାର କବିତା ସବୁ ଲେଖିଲାବେଳକୁ ଆମ ଅଜାଣତରେ ପ୍ରତୀକବାଦୀ କବିତାର ମୂଳ ଆମ ମାଟିରେ ପୋତା ସରିଥାଏ । ବଜ୍ରଯାନୀ କାୟାକଳ୍ପ ଓ ରହସ୍ୟବାଦୀ କାୟାହୀନତାର ଆମେ ଦେଖିଥିବା ପ୍ରତୀକମାନ ସେଇଭଳି ଅନାବିଷ୍କୃତ ଅବସ୍ଥାରେ ରହନ୍ତି ଓ ଏ ଭିତରେ ୟୁରୋପୀୟ ପ୍ରତୀକବାଦର ଅସ୍ତିତ୍ୱ ସଚ୍ଚିଦାନନ୍ଦଙ୍କ କବିତାରେ ଅଧିକରୁ ଅଧିକ ପରିପୁଷ୍ଟ ହୁଏ । କହିବାରେ ଦ୍ୱିଧା ନାହିଁ ଯେ ଓଡ଼ିଆ କବିତାର ଗୋଟିଏ ଶକ୍ତିଶାଳୀ ପ୍ରତୀକବାଦୀ ପରମ୍ପରାକୁ ରହସ୍ୟବାଦର ପରମାର୍ଥିକ ଜଞ୍ଜାଳ ଭିତରେ ଆମେ ହଜାଇବସିଲୁ ଓ ସଚ୍ଚିଦାନନ୍ଦଙ୍କ କବିତାରେ ଯେଉଁ ପ୍ରତୀକବାଦୀ ପରମ୍ପରା ସହିତ ଆମର ସାକ୍ଷାତ୍‍ ହେଲା ସେଇଟି ୟୁରୋପୀୟ (ବା ଫରାସୀ) ପ୍ରତୀକବାଦର ଦାନ । କିନ୍ତୁ ମନେରଖିବାକୁ ହେବ ଯେ ସଚ୍ଚିଦାନନ୍ଦଙ୍କ କବିତ୍ୱର ବିଚକ୍ଷଣତା ୟୁରୋପୀୟ ପ୍ରତୀକବାଦୀକୁ ଓଡ଼ିଆ ରହସ୍ୟବାଦୀ କାବ୍ୟପମ୍ପରାର ଦ୍ୱୈତସତ୍ତା (ଜୀବ-ପରମ) ରେ ଏଭଳି ଚାତୁର୍ଯ୍ୟର ସହିତ ନିବଦ୍ଧକଲା ଯେ ଓଡ଼ିଆ ଆଧୁନିକ କବିତାରେ ପ୍ରତୀକବାଦୀ କାବ୍ୟଧାରା ସ୍ୱତଃ ପ୍ରତିଷ୍ଠିତ ହୋଇଗଲା । କିନ୍ତୁ ସଚ୍ଚିଦାନନ୍ଦଙ୍କ ପରେ ଆଉ କୌଣସି କବି ପ୍ରତୀକବାଦୀ କାବ୍ୟଧାରାଦ୍ୱାରା ଅନୁପ୍ରାଣିତ ହେଲେ ନାହିଁ । ସେମାନଙ୍କପାଇଁ ବିମ୍ବବାଦୀ କାବ୍ୟଧାରା ଭିତରେ ଗୋଟିଏ ପ୍ରଭେଦକୁ ଚିହ୍ନିବାକୁ ହେବ । ପ୍ରତୀକବାଦୀ କବିତାରେ ବସ୍ତୁଗଣ ଇନ୍ଦ୍ରିୟଚେତନାର ଊର୍ଦ୍ଧ୍ୱରେ ଅନୁଭବର ପ୍ରତିନିଧିତ୍ୱ କରନ୍ତି । କିନ୍ତୁ ବିମ୍ବବାଦୀ କବିତାରେ ବସ୍ତୁଗଣ ଇନ୍ଦ୍ରିୟଗ୍ରାହୀ ଚେତନାରେ ରୂପାନ୍ତରିତ ହୁଅନ୍ତି । ସେମାନେ ଅନୁଭବର ପ୍ରତିନିଧିତ୍ୱ କରନ୍ତି ନାହିଁ, ଅନୁଭବକୁ ସାଦୃଶ୍ୟର ଛଟାରେ ଆଲୋକିତ କରନ୍ତି । ସଚ୍ଚିଦାନନ୍ଦଙ୍କ ପରବର୍ତ୍ତୀ କବିମାନଙ୍କନର ବିମ୍ବପ୍ରୟୋଗରେ ଆଗ୍ରହ ଓ ପ୍ରତୀୟ ପ୍ରୟୋଗର କ୍ରମାବସାନ କ'ଣ କବିତାରେ ଇନ୍ଦ୍ରିୟୋତ୍ତର ଆଧ୍ୟାତ୍ମବୋଧର ଅଭାବର ସୂଚକ ? ଏଇ ପ୍ରଶ୍ନର ଉତ୍ତର ପାଇବାପାଇଁ ୟୁରୋପୀୟ (ବା ଫରାସୀ) ପ୍ରତୀକବାଦ ସ୍ୱରୂପକୁ ଆମର ସମକାଳୀନ ସୃଜନମାର୍ଗରେ ପୁଣି ଥରେ ଆବିଷ୍କାର କରିବାକୁ ପଡ଼ିବ-

ୟୁରୋପର ପ୍ରତୀକବାଦୀ କାବ୍ୟଧାରାକୁ ଗୋଟିଏ ନିର୍ଦ୍ଦିଷ୍ଟ କାଳଖଣ୍ଡ ବା ବ୍ୟକ୍ତି ବିଶେଷରେ ନିବଦ୍ଧ କରିବା ସମ୍ଭବ ନୁହେଁ । ଏ କଥା ଯଦିଓ କୁହାଯାଏ ଯେ ଫରାସୀ ପଲ୍ ଭାର୍ଲେନ୍ ୧୮୮୩-୮୪ରେ ପ୍ରତୀକବାଦର ତାତ୍ତ୍ୱିକ ଭିତ୍ତିଭୂମି ନିର୍ମାଣ କଲେ, ପ୍ରକୃତରେ ଫରାସୀ କବି ଶାର୍ଲ ବଦ୍‌ଲେଆରଙ୍କଠାରୁ ହିଁ ୟୁରୋପୀୟ ପ୍ରତୀକବାଦୀ କାବ୍ୟଧାରାର ଗୋଟିଏ ଅର୍ଥପୂର୍ଣ୍ଣ ଅନ୍ତଃସ୍ରୋତ ପ୍ରବାହିତହେବା ଆରମ୍ଭ ହେଲା । ପରବର୍ତ୍ତୀ କାଳରେ ଆଉ ଜଣେ ଫରାସୀ କବି ସ୍ତେଫାନ୍ ମାଲର୍ମେଙ୍କ ମଙ୍ଗଳବାରିଆ ସାହିତ୍ୟ ସଭା (ସଭା ନୁହେଁ ତ ବୈଠକ)ରେ ପ୍ରତୀକବାଦୀ କାବ୍ୟକଳା କ୍ରମେ ଗୋଟିଏ ସ୍ପଷ୍ଟତର ଆକାର ଗ୍ରହଣ କଲା । ବେଲ୍‌ଜିଆନ୍ କବି ମରିସ୍ ମେଟର୍‌ଲିଙ୍କ୍ ମାଲାର୍ମେଙ୍କଦ୍ୱାରା ଦୀକ୍ଷିତ ହୋଇ ପ୍ରତୀକବାଦୀ କବି ଗୋଷ୍ଠୀରେ ସାମିଲ ହେଲେ । ଫରାସୀ କବି ଆର୍ତର କବି ରାଁବୋ ନିଜ ଅଜାଣତରେ ପ୍ରତୀକବାଦୀବୋଲି ବିବେଚିତ ହେଲେ । ବଦ୍‌ଲେଆର, ଭାଲେନ୍‌, ର‌୍ୟାଁବୋ, ମାଲାର୍ମେ ଓ ମେଟରଲିଙ୍କ୍‌ଙ୍କୁ ନେଇ ଏହିଭଳିଭାବେ ପ୍ରତୀକବାଦୀର ଯେଉଁ କାବ୍ୟକଳ୍ପ ନିର୍ମିତ ହେଲା, ସେଥିରେ ପ୍ରତି କବିଙ୍କର କିଛି କିଛି ଅବଦାନ ରହିଲା । ମୁଖ୍ୟତଃ ବଦ୍‌ଲେଆର୍‌ଙ୍କ ‘ସାଯୁଜ୍ୟ' ରାଁବୋଙ୍କ ‘ଦ୍ରଷ୍ଟାପଣ' ଭାର୍ଲେନଙ୍କ ‘ସାଙ୍ଗୀତିକତା' ଓ ମାଲାର୍ମେଙ୍କ ‘ଆଧିଭୌତିକତା'କୁ ଆଶ୍ରୟ କରି ଗଢ଼ି ଉଠିଥିବା ପ୍ରତୀକବାଦୀ କାବ୍ୟକଳ୍ପର ତତ୍ତ୍ୱବୋଧ ଅପେକ୍ଷା ଗୋଟିଏ ରହସ୍ୟବାଦୀ ପ୍ରତିକ୍ରିୟାର ତତ୍ତ୍ୱମୁକ୍ତ ଠାଣି ଦେଖି ବିସ୍ମିତ ହେବାର କିଛି ନାହିଁ । ପ୍ରକୃତରେ ଏ କବିମାନେ ତାଙ୍କର ପୂର୍ବସୂରୀ ଶୁଦ୍ଧବାଦୀ (ପାର୍ନୀସିଏନ୍‌) କବିମାନଙ୍କ ନିୟମକାନୁନରୁ ମୁକ୍ତହୋଇ ନୂଆ କିଛି କରିବାକୁ ଚାହୁଁଥିଲେ, ତତ୍ତ୍ୱ ବିରୁଦ୍ଧରେ କହୁ କହୁ ଅନ୍ୟମନସ୍କଭାବେ ନିଜର ଗୋଟିଏ ତତ୍ତ୍ୱ ପ୍ରତିଷ୍ଠା କରିଗଲେ । ଏମାନଙ୍କ ଭିତରେ ବଦ୍‌ଲେଆର୍ ଥିଲେ, ଯିଏ ଜାଣି ନ ଥିଲେ ଯେ ଭବିଷ୍ୟତରେ ତାଙ୍କୁ ପ୍ରତୀକବାଦୀ ବିବେଚିତ କରାଯିବ । ରାଁବୋ ଥିଲେ, ଯିଏ ପ୍ରତୀକବାଦୀବୋଲି ବିବେଚିତ ହେଲାବେଳେ ପ୍ରତୀକବାଦ କି ପଦାର୍ଥବୋଲି ଅସ୍ୱସ୍ତିକର ପ୍ରଶ୍ନଟିଏ ପଚାରିଥିଲେ । କେବଳ ଭାର୍ଲେନ ଭାବୁଥିଲେ ଯେ ପୁରାତନ ତତ୍ତ୍ୱକୁ ନାକଚ କରିବାପାଇଁ ନୂଆ ତତ୍ତ୍ୱଟିଏ ଆବିଷ୍କାର କରାଯିବା ଜରୁରୀ ଓ ନିଜର ବୌଦ୍ଧିକ ପ୍ରବୃତ୍ତିଯୋଗୁ ମାଲାର୍ମେ ଭାବୁଥିଲେ ଯେ ପ୍ରତୀକବାଦର ବକ୍ତବ୍ୟକୁ ତତ୍ତ୍ୱନିଷ୍ଠ ନକଲେ କବିତାର ଗୋଟିଏ ବିରାଟ ସମ୍ଭାବନାକୁ ଧରି ରଖିବା ଅସମ୍ଭବ ହେବ । ସେ ଯାହା ହେଉ, ଆମ ବୁଝିବାପାଇଁ ପ୍ରତୀକବାଦର ମୂଳ ବକ୍ତବ୍ୟଗୁଡ଼ିକୁ ଏକାଠିକରି ଦେଖିବାକୁ ହେବ, ଦେଖିବାକୁ ହେବ ସେଥିରେ ତତ୍ତ୍ୱ କେତେ, ଠାଣି କେତେ । ପ୍ରତୀକବାଦର ମୂଳ ବକ୍ତବ୍ୟ ବା ଆସ୍ଥାଗୁଡ଼ିକ ହେଲେ :

(୧)

କୌଣସି ଗୋଟିଏ ବସ୍ତୁକୁ ରୋକ୍‌ଠୋକ୍ ବର୍ଣ୍ଣନା କରିଦେଲେ କବିତାର ପ୍ରକୃତ ସୌନ୍ଦର୍ଯ୍ୟ ନଷ୍ଟ ହୋଇଯିବ, ତେଣୁ ପ୍ରତୀକବାଦୀ କବି ଅନୁମାନ କରେ, ସୂଚାଇ ଦିଏ, ଖୋଲାଖୋଲି କିଛି କହେ ନାହିଁ । ବସ୍ତୁ ବା ଅନୁଭବର ସୌନ୍ଦର୍ଯ୍ୟକୁ ଧୀରେ ଧୀରେ ଗୋଟିଏ ଛାୟାଚ୍ଛନ୍ନ ପରିବେଶରେ ଉନ୍ମୋଚିତ କରିବା ପ୍ରତୀକବାଦୀର କାବ୍ୟକଳା ।

(୨)

କବିତା ସାଧାରଣ ଆଳାପଭଳି ବୋଧଗମ୍ୟ ହେଲେ ଗଲା, ସେଥରେ ଯଦି ରହସ୍ୟ ନାହିଁ ଅବୁଝା କିଛି ନାହିଁ, ତାକୁ ଯଦି ଗୋଟାଏ ନିର୍ଦ୍ଦିଷ୍ଟ ଚାବିକାଠିରେ ଖୋଲି ଆଖି ସାମ୍ନାରେ ଥୋଇଦେଇ ହେବ, ତେବେ ସେଥିରେ କବିତ୍ୱ କାହିଁ ?

(୩)

କବିତାରେ ଧ୍ୱନି ଥିବା ଆବଶ୍ୟକ (ଏ କଥା ଶୁଣି ମୋ ସାମ୍ନାରେ ଥୁଆ ହୋଇଥିବା ‘ଧ୍ୱନ୍ୟାଲୋକ' ର ପୃଷ୍ଠା ଭିତରେ ଆନନ୍ଦବର୍ଦ୍ଧନ ହସୁଛନ୍ତି), ଏ ଧ୍ୱନି ପୁଣି ଏଭଳି ହେବା ଆବଶ୍ୟକ ଯେ ୟାର ଅନୁରଣନ ଅସ୍ପଷ୍ଟ ହୋଇ ଗୁଞ୍ଜରିତ ହେଉଥିବ ଓ ବହୁଦୂର ଯାଏଁ ପ୍ରସାରିତ ହେଉଥିବ ।

(୪)

କବିତା ବାସ୍ତବତାକୁ ନ ଧରି ତାର ପ୍ରତିଛବିକୁ ଧରିପାରୁଥିବ । ଦର୍ପଣ ସାମ୍ନାରେ ଠିଆହୋଇଥିବା ମୂର୍ତ୍ତିଟି ବା ବ୍ୟକ୍ତିଟି ପ୍ରତୀକବାଦୀପାଇଁ ଅର୍ଥହୀନ, ଦର୍ପଣରେ ତାର ପ୍ରତିଚ୍ଛବିଟି ହିଁ ଅର୍ଥପୂ‌ର୍ଣ୍ଣ ।

ଏହି ଚାରୋଟି ବକ୍ତବ୍ୟ ବା ପ୍ରତୀକବାଦୀ ଆସ୍ଥା ଭିତରେ ବଦ୍‌ଲେଆର୍‌ଙ୍କ ସାଯୁଜ୍ୟ କଳ୍ପନା ସେଇଠି ରହିଲା, ଯେଉଁଠି ବସ୍ତୁର କ୍ରମାବିଷ୍କାର ତାକୁ ଅନୁଭବର ପର୍ଯ୍ୟାୟକ୍ରମିକତା ସହିତ ତୁଳନୀୟ କଲା ଓ ଯାହା ଫଳରେ ଜଡ଼ବସ୍ତୁଟି ଆତ୍ମାର ପ୍ରତିନିଧିତ୍ୱ କଲା । ୟରାଁବୋଙ୍କ ଦ୍ରଷ୍ଟାପଣ ସେଇଠି ରହିଲା, ଯେଉଁଠି ଧ୍ୱନି ସୁଦୂରରୁ ଗୁଞ୍ଜରଣରେ ନିବିଷ୍ଟ ହେଲା । ମାଲାର୍ମେଙ୍କ ଆଧିଭୌତିକତା ସେଇଠି ରହିଲା, ଯେଉଁଠି ଜୀବନ ଓ କବିତାର ରହସ୍ୟକୁ ବଞ୍ଚାଇ ରଖିବାପାଇଁ କବି ତାର ଆତ୍ମାର ସଙ୍ଗୀତକୁ ଶବ୍ଦାର୍ଥର ନିଗଡ଼ରୁ ମୁକ୍ତ କରିଦେଲା ।

•••

 

ଚଉଛକିରେ ସାହିତ୍ୟିକ

ଡକ୍ଟର ରତ୍ନାକର ଚଇନି

 

ପ୍ରଥମରୁ ଏମିତିଆ କଥାରୁ ଆରମ୍ଭ କରେ- ଭଲ କରି ଲକ୍ଷ୍ୟ କଲେ ଜାଣିହେବ, ଆଜିର ସାହିତ୍ୟ ହେଉଛି ଏକ ଛିନ୍ନହସ୍ତା ଦେବୀ । ସେ ଦେବୀ ସତ, କିନ୍ତୁ ହାତ ନ ଥିବାରୁ ସେ ନିଷ୍କର୍ମା । ଆଜିର ସମାଜଜୀବନ ତାକୁ ଏଭଳି ହେବାକୁ ବାଧ୍ୟ କରିଛି । କାରଣ ଯେଉଁ ସମାଜରେ ସତ୍ୟର ଆଦର ନାହିଁ, ସ୍ନେହ ସହାନୁଭୂତିର ସ୍ୱର ଯେଉଁ ଜୀବନରେ ପ୍ରତିଧ୍ୱନିତ ହୁଏନାହିଁ, ସେ ପ୍ରକାର ସମାଜ-ଜୀବନ ହେଉଛି ପଶୁ-ଜୀବନ ।

 

ବହୁ ଆଗରୁ ଏକଥାକୁ ବିଶ୍ୱାସ କରି ନିଆଯାଇଛି ଯେ- ସାହିତ୍ୟିକ ହେଉଛି ମାନବବାଦର ମୁଗ୍‌ଧ କଳାକାର । ମାନବ ହୃଦୟର ଯଥାର୍ଥ ଭାବସ୍ପନ୍ଦନ ଓ ମାନବିକ ଚିନ୍ତାଧାରାର ରୁଚିଶୀଳ ପ୍ରତିଫଳନ ସେ ତାହାର କୃତିରେ ରୂପାୟିତ କରେ । ବୋଧହୁଏ ସେଇଥିପାଇଁ ସାହିତ୍ୟିକର କଥା, ତାହାର ସ୍ୱର ଓ ସମାଜ ଆଜି ଏକ ଦ୍ୱନ୍ଦ୍ୱାତ୍ମକ ତ୍ରିଭୁଜର ତିନି ବାହୁରେ ପରିଣତ ହୋଇ ପରସ୍ପରର ଭୂମିକାପାଇଁ ଅନ୍ୟକୁ ଦାୟୀ କରୁଛନ୍ତି । ଅତଏବ, ଏହାର ଯଥାର୍ଥ ସମୀକ୍ଷା ହେବା ଉଚିତ ।

 

ଆଜିର ସମାଜରେ ଉପଭୋକ୍ତା ମନୋଭାବ (Consumerism) ବଡ଼ ପ୍ରବଳ । ସମାଜରେ ନିଜର ସ୍ଥିତିକୁ ଦୃଢ଼ କରିବାପାଇଁ ବିକଳ ହେଉଥିବା ପ୍ରାଣୀଗୁଡ଼ିଏ ସବୁବେଳେ ଚିନ୍ତା କରୁଛନ୍ତି - କେଉଁଥିରେ ମୁନାଫା ବେଶି । ଆନନ୍ଦ ପ୍ରଦାନ କରିବା ଯଦି ସାହିତ୍ୟର ଅନ୍ୟତମ ଲକ୍ଷ୍ୟ ହୋଇଥାଏ, ତେବେ ଯେଉଁଥିରୁ ଅଧିକ ଆନନ୍ଦ ମିଳିବ, ତାହାକୁ ଆପଣେଇବା ଅଧିକ ଯଥାର୍ଥବୋଲି ଆଜିର ମଣିଷ ବିବେଚନା କରୁଛି । ଫଳରେ କୌଣସି ଶାସ୍ତ୍ରୀୟ ବସ୍ତୁର ଆଜିର ସାମାଜରେ ଆଉ ବେଶି ଆଦର ନାହିଁ । ଶାସ୍ତ୍ରୀୟ ସଙ୍ଗୀତ, ଶାସ୍ତ୍ରୀୟ ନୃତ୍ୟ ଓ ଶାସ୍ତ୍ରୀୟ ସାହିତ୍ୟ ଆଜି ଉପେକ୍ଷିତ ।

 

ଅବଶ୍ୟ ବିଜ୍ଞାନ ଓ ବୈଷୟିକ କଳା ଶସ୍ତାରେ/ସୁବିଧାରେ ଓ ଅଧିକ ପରିମାଣରେ ଆନନ୍ଦ ପ୍ରଦାନ କରିବାର ଉପାଦାନ ଆକର୍ଷଣୀୟ ଢଙ୍ଗରେ ଆମ ଚାରିପଟେ ଅବିରତ ଜମା କରିଚାଲିଛି । ମଣିଷର ସୂକ୍ଷ୍ମ ଚେତନା, କଳାତ୍ମକ ହୃଦୟବତ୍ତା ଓ ସାଂସ୍ମୃତିକ ମନନଶୀଳତାକୁ ଗ୍ରାସ କରିଯାଇଥିବା ଉପଭୋକ୍ତା ପ୍ରାଣଟି ସେସବୁ ବସ୍ତୁକୁ ଅଧିକ ପସନ୍ଦ କରିବା ଶିଖିସାରିଲାଣି । ମଣିଷ ଅଧିକ ସୁରକ୍ଷିତ ସମାଜ-ଜୀବନ ପାଇବାକୁ ଲୋଭ କରି ସ୍ୱାର୍ଥସର୍ବସ୍ୱ ଆତ୍ମକୈନ୍ଦ୍ରିକ ଅସାମାଜିକ ଜୀବଟିଏ ହୋଇସାରିଲାଣି । କାହାରି କଥାରେ ଆଉ ତାହାର ବିଶ୍ୱାସ ନାହିଁ । ଅନ୍ୟର ଭଲମନ୍ଦ ଭାବନା ପ୍ରତି ତାହାର ଆଜି ଆଉ ଖାତିର ନାହିଁ । ତେଣୁ ସେ ଆଜିର ସମାଜରେ ଅସାମାଜିକ ପ୍ରାଣୀଟିଏ ହୋଇ ବଞ୍ଚିଛି ।

 

ସଂସ୍କୃତି କହିଲେ ଠିକ୍ କ'ଣ ବୁଝାଏ, ମୁଁ ଜାଣେନା । ତେବେ ଜାଣେ-ଜଗତରେ ଯାହା କିଛି ଭଲ କଥା ଚିନ୍ତା କରାଯାଇଛି ଓ କୁହାଯାଇଛି, ତାହାହିଁ ବୋଧେ ସଂସ୍କୃତି । ଏଇ ଭଲ ଜିନିଷଗୁଡ଼ିକ ସମୟର ନିଷ୍ଠୁର ଆଘାତରେ ନଷ୍ଟ ନ ହୋଇ ଶୁଦ୍ଧ ସୁବର୍ଣ୍ଣ ଭଳି ଦୀପ୍ତିମାନ ହୋଇଆସିଛି । ମାତ୍ର ଏବେ ଦେଖାଯାଇଛି ଯେ ପୂର୍ବପୁରୁଷ ସ୍ନେହ, ସଦିଚ୍ଛା ଓ ସହଯୋଗିତାରେ ଯେଉଁ ସମାଜ ଓ ସଂସ୍ମୃତି ଗଢ଼ି ଉଠିଥିଲା, ତାହା ନିଜ ଅସାମାଜିକଙ୍କ ସ୍ୱାର୍ଥକୈନ୍ଦ୍ରିକ ଅସାଧୁ ପ୍ରତିଯୋଗିତାରେ ରକ୍ତାକ୍ତ-ଶରାହତ । ନିଜର ସମାଜ, ନିଜ ଜାତିର ସଂସ୍କୃତି ଓ ନିଜ ଭାଷାର ସାହିତ୍ୟକୁ ନେଇ ଗର୍ବ କରିବା ଅପେକ୍ଷା ବ୍ୟକ୍ତି ଏବେ ନିଜର ବ୍ୟକ୍ତିଗତ ପାରିଲାପଣିଆକୁ ନେଇ ଅଧିକ ଗର୍ବିତ । ନିଜ କ୍ଷମତାର ଅକ୍ଟୋପସ୍‍ ରୂପ ଓ ଅସଦ୍ ଉପାୟରେ ଠୁଳ କରିଥିବା ଧନସମ୍ପତ୍ତିର ସିଂହାସନ ଉପରେ ନିଜ ଅହଂକୁ ବସେଇ ସେ ଭାରି ଖୁସି ହେଉଛି । ପ୍ରକୃତରେ ଏ ସମାଜରେ ଆଉ ନୈତିକ ଜୀବନର ଭିତ୍ତି ନାହିଁ । ମାଥିଉ ଆର୍‌ନୋଲ୍‌ଡ଼ଙ୍କ ‘କଲ୍‌ଚୁରାଲ ଆନାର୍କି'ର ତଥ୍ୟ ଓ ତତ୍ତ୍ୱ କାହାରି ମନକୁ ସ୍ପର୍ଶ କରୁନାହିଁ । ନୈତିକତାହୀନ ଜୀବନ ଅରାଜକତାର ସ୍ପର୍ଶ ଭଳି ବାଣୀ ଚର୍ଚ୍ଚର କୌଣସି ପ୍ରବକ୍ତାର ସର୍‌ମନ ଭଳି ସେ ମନେ କରୁଛି ।

 

ଦିନେ ଏକଥା କୁହାଯାଉଥିଲା- ସାହିତ୍ୟିକର ଲେଖନୀ ଏକ କୋଷମୁକ୍ତ ତରବାରୀ ସେ ଅଦୃଶ୍ୟଭାବେ ସମାଜ-ଜୀବନର ଭୟଙ୍କର ଶତ୍ରୁମାନଙ୍କୁ ବିନାଶ କରିପାରେ । ସତ୍ୟ-ନିଷ୍ଠା-ନ୍ୟାୟ ଉପରେ ପ୍ରଚଣ୍ଡ ବିଶ୍ୱାସ ରଖିଥିବା ମଣିଷମାନଙ୍କୁ ଅଭୟ ଦେଇପାରେ, ଆହ୍ଳାଦିତ କରିପାରେ । ଭୟସନ୍ତ୍ରସ୍ତ କରିପାରେ କୁପଥଗାମୀ ପ୍ରାଣୀମାନଙ୍କୁ । ମାତ୍ର ବର୍ତ୍ତମାନ ସାହିତ୍ୟିକର ସେ କ୍ଷମତା ନାହିଁ କିମ୍ବା ସମାଜ-ଜୀବନ ସେଭଳି ଅବସ୍ଥାରେ ନାହିଁ । ଅତୀତରେ ବୀର ଖଣ୍ଡାୟତମାନଙ୍କର ଆୟୁଧ ଦଶହରା ବେଳେ କେବଳ ପୂଜା ପାଇଲାଭଳି, କଲମଧାରୀ ସାହିତ୍ୟିକଙ୍କର ବ୍ୟକ୍ତିତ୍ୱ ଏବେ କେବଳ ପୁରସ୍କାରରେ ମପାଯାଉଛି । ବିଚରା ସାହିତ୍ୟିକଟି ନିଜର ସୃଜନନିଷ୍ଠା ଅପେକ୍ଷା ବେଶି ଉଦ୍ଦେଶ୍ୟ ରଖୁଛି ପୁରସ୍କାର ଓ କିଛି ପ୍ରାପ୍ତି ଉପରେ । ପରିବର୍ତ୍ତିତ ସମାଜ-ଜୀବନର ପ୍ରବାହରେ ଲେଖକର ଜୀବନଧାରା ଜଡ଼ିତ ହୋଇପଡ଼ିଛି । ତାହାର କଲମରୂପୀ ତରବାରୀ ଆଉ କୌଣସି କାମରେ ଆସୁ ବା ନ ଆସୁ, ଅନ୍ତତଃ ଦଶହରା ବେଳେ ପୂଜାପାଉ-ଏଇ କାମନା ତୀବ୍ର ହୋଇଉଠୁଛି । ଫଳରେ ସେ କଳେବଳେ କୌଶଳେ ପୁରସ୍କାରଟିଏ ପାଇବାପାଇଁ ଲାଗିପଡୁଛି । ଆଉ କେହି ବଡ଼ କହୁ ବା ନ କହୁ, ସେ ନିଜେ ପ୍ରତିଯୋଗିତାର ପ୍ରବାହରେ ସାମିଲ ହୋଇ ନିଜର ବଡ଼ପଣ ଜାହିର କରିବାରେ ବ୍ୟଗ୍ର ।

 

ବାହ୍ୟ ପ୍ରଭାବ ସହିତ ଅନ୍ତଃଜଗତର ମୂଲ୍ୟବୋଧକୁ ତୁଳନା କରି ଅସାମାଜିକ ଓ ନୀତିଗର୍ହିତ କାର୍ଯ୍ୟ ବିରୁଦ୍ଧରେ ସଂଗ୍ରାମ କରିବା ସାହିତ୍ୟିକର ଲକ୍ଷ୍ୟବୋଲି ଦିନେ ସେ ଭାବୁଥିଲା । ଏଥିପାଇଁ ସାହିତ୍ୟିକକୁ ଯଦି ବିପୁଳ ତ୍ୟାଗ ସହିବାକୁ ପଡୁଥିଲା, ସେ ସେଥିରେ ପଛାଉ ନ ଥିଲେ । କାରଣ ସେ ଜାଣିଥିଲା- ନିର୍ଯ୍ୟାତନା ଓ ଭ୍ରଷ୍ଟାଚାରର ଯନ୍ତ୍ରଣା ହିଁ ସାଧନାନିଷ୍ଠ ସ୍ରଷ୍ଟାର ସ୍ୱରକୁ ଶାଣିତ କରେ । ଯନ୍ତ୍ରଣାର ସିଂହାସନରେ ବସି ବେଦନାବିଦ୍ଧ ସମ୍ରାଟର ଶିରୋଭୂଷା ପିନ୍ଧିବାରେ ଭିନ୍ନ ପ୍ରକାରର ଆନନ୍ଦ ମିଳେ ସ୍ରଷ୍ଟାକୁ । ଠିକ୍ ଏଇ ପରିସ୍ଥିତିରେ ତାହାର ଲେଖନୀରୁ ବୁନ୍ଦାବୁନ୍ଦା ସତ୍ୟ ନିଗିଡ଼ି ଆସି ଅକ୍ଷର ରୂପ ଧାରଣ କରି ଆତ୍ମପ୍ରକାଶ କରେ । ମାତ୍ର ଆଜି ଏ ପରିସ୍ଥିତି ବଦଳିଯାଇଛି-। ଲେଖକ ସାମାଜିକ ବ୍ୟକ୍ତିଟିଏ ପାଲଟିଯାଇ ସମାଜରେ କେବଳ ସେଇ ବ୍ୟକ୍ତିର ନିଚ୍ଛକ ଭୂମିକାଟି ସମ୍ପାଦନ କରୁଛି ।

 

ଆଗେ ସାହିତ୍ୟ ସମାଜ-ଜୀବନକୁ ପ୍ରଭାବିତ କରୁଥିଲା; ଏବେ ସମାଜ-ଜୀବନ ହିଁ ସାହିତ୍ୟକୁ ପ୍ରଭାବିତ କରୁଛି । ବାହ୍ୟଜଗତର ଅସାରତା ଓ ଅନ୍ତଃଜଗତର ଅସାରତା ସାମ୍ପ୍ରତିକ କାଳରେ ବ୍ୟକ୍ତିଗତ ସ୍ୱାଧୀନତାକୁ ଅପହରଣ କରିନେଇଛି । ସେ ଖୁବ୍ ବିଷାଦଗ୍ରସ୍ତ ହୋଇପଡ଼ିଥିବା ଭଳି ମନେ କରୁଛି । ତେଣୁ ସେ ଆଶା କରୁଛି-ତାହାର ବିଷାଦଗ୍ରସ୍ତ ମନ-ଆକାଶରେ ଶାନ୍ତି ଓ ସନ୍ତୋଷର ଚନ୍ଦ୍ରାତପଟିଏ କିଏ ଟାଣିଦିଅନ୍ତା କି !! କିଏ ଆଉ ଟାଣିପାରିବ ? ଯେଉଁ ଈଶ୍ୱରଙ୍କ ଉପରେ ଆସ୍ଥା ରଖି ସେ ଏଇ କଥା କହନ୍ତା, ସେ ଇଶ୍ୱରଙ୍କୁ ତ ସେ ବେଶ୍ କିଛିଦିନ ତଳୁ ମାରିଦେଇସାରିଛି । ସତ କହିବାକୁ ଗଲେ, ଏକଥା ମୁକ୍ତ କଣ୍ଠରେ ସ୍ୱୀକାର କରିହେବ ଯେ-ଅତୀତ ସହିତ ବର୍ତ୍ତମାନକୁ ସଂଯୋଗ କରୁଥିବା ସେତୁଟି ଏହାରି ଭିତରେ କୋଉଦିନ ଭୁଶୁଡ଼ି ପଡ଼ିଛି । ଏଣୁ ଅସହାୟ ମଣିଷ ଆଉ କାହା ଉପରେ ଆସ୍ଥା ନ ରଖି ନିଜର ସଂଗ୍ରାମୀ ବ୍ୟକ୍ତିତ୍ୱଟି ପ୍ରତି ଅଧିକ ଆସ୍ଥାବାନ ହୋଇପଡୁଛି । ସାହିତ୍ୟ ଯେତେବେଳେ ସମାଜ-ଜୀବନର ଏକ ଧୂମିଳ ପରିସ୍ଥିତି ଭିତରେ ବାଟବଣା ହୋଇପଡ଼ିଛି, ତାହାଠାରୁ ଆଶା-ଆଶ୍ୱାସନାର ପ୍ରଲେପଟିଏ ପାଇବା ଅସମ୍ଭବ ବ୍ୟାପାର । ବରଂ ଆଜିର ସାହିତ୍ୟକୁ ବ୍ୟକ୍ତିବାଦର ସ୍ଥିତି ପ୍ରତିଷ୍ଠାପାଇଁ ଅହରହ ସଂଗ୍ରାମ କରୁଥିବା ମଣିଷର ଏକ ଖୋଲା ଇସ୍ତାହାରବୋଲି କହିବାକୁ ହେବ ।

 

ସମୟ ଥିଲା, ଦିନେ ଲୋକେ ବିଶ୍ୱାସ କରୁଥିଲେ- ସାହିତ୍ୟିକ ଏକ ଅମିତବୀର୍ଯ୍ୟ ବାମନ; ଯାହାର ପ୍ରଥମ ପାଦ ମାଟିରେ, ଦ୍ୱିତୀୟ ପାଦ ସ୍ୱର୍ଗ ବା କଳ୍ପଲୋକରେ ଏବଂ ତୃତୀୟ ପାଦ ପରିବ୍ୟାପ୍ତ ହୁଏ ମଣିଷର ହୃଦୟରାଜ୍ୟ ବା ମନୋରାଜ୍ୟରେ ।’ ମାତ୍ର ସାମ୍ପ୍ରତିକ ସମାଜ ଆଗରେ ସେଇ ବାମନ କେବଳ ଭିକାରୀଟିଏ ପାଲଟିଯାଇଛି । ସେ କେବଳ ମାଗିନେବାରେ ବ୍ୟସ୍ତ,କିଛି ପ୍ରତିଶ୍ରୁତି ଦେବାରେ ସେ ଆଗ୍ରହୀ ନୁହେଁ । ତାଙ୍କଠାରୁ ଅନେକ କିଛି ଆଶା କରୁଥିବା ସାମାଜିକ ମଣିଷଟି ଦେଖୁଚି- ସାହିତ୍ୟିକ ତାହାରି ଭଳି ସମସ୍ୟା-ପଙ୍କରେ ଲଟପଟ ହେଉଥିବା ଘୁଷୁରୀଟିଏ । ତେଣୁ ଏଯାବତ୍ ସେ ତାଙ୍କଠୁଁ ଯାହା ଆଶା କରି ଆସିଥିଲେ, ସେସବୁ ଆଶା କରିବା ତା'ପକ୍ଷରେ ଉଚିତ ନ ଥିଲା । ମଣିଷର ଗୁମ୍ପିତ ଆବେଗ ଓ ତାହାର ଅବଚେତନରେ ଖେଳୁଥିବା ଅପ୍ରକାଶ୍ୟ ଭାବତରଙ୍ଗ, ସାହିତ୍ୟିକର ସୃଷ୍ଟି-ଦର୍ପଣରେ ଝଲସି ଉଠି ତାକୁ ଉଦ୍‌ଭାସିତ କରିବା ଦରକାର ଥିଲା । ଠିକ୍ ଯେମିତି ଗ୍ରାମ୍ୟବଧୂଟିଏ ଦି'ଅକ୍ଷର ପାଠ ପଢ଼ି, ବିଦେଶରେ ଥିବା ତା'ର ସ୍ୱାମୀର ଚିଠିକୁ ପ୍ରଥମେ ପଢ଼ିପାରିବାର ଅନୁଭୂତି ଭଳି-ମେଞ୍ଚାଏ ଅନୁଭୂତି ତାହାର ଦରକାର । ମୋଟ ଉପରେ, ମଣିଷର ଅନ୍ତରତମ ପ୍ରଦେଶର ସେଇ କଥାଗୁଡ଼ିକ ଆସି ପଦାରେ ପଡ଼ିଯାଆନ୍ତା, ଯାହାକୁ ଦେଖି ସେ ହତଚକିତ ହୋଇଯାଆନ୍ତା- ଏବଂ ନିଜେ ଭାବିବାକୁ ଗୋଟେ ସୁଯୋଗ ପାଆନ୍ତା;- ଇସ୍‌ ! କେମିତି ସେ ଜାଣିନେଲା ମୋ ଅନ୍ତରର ସକଳ ଭାବ- ଭାବନାଗୁଡ଼ାକୁ !

 

ମାତ୍ର ସାହିତ୍ୟ-ରାଜ୍ୟରେ କିମ୍ବା ସମାଜ-ଜୀବନରେ ଆଜି ସେମିତି କିଛି ଘଟଣା ଘଟୁନାହିଁ । ସାହିତ୍ୟିକ ଚଳନ୍ତି ସମାଜରେ ନିହାତି ସାଧାରଣ/ମାମୁଲି ମଣିଷଟିଏ ମନେ ହେଉଛି । ଟିକିଏ ସ୍ପଷ୍ଟଭାଷୀ ହୋଇପଡୁଥିବା କିମ୍ବା ମାନବବାଦ ସପକ୍ଷରେ ସ୍ୱର ଉଠାଉଥିବା ସାହିତ୍ୟିକପାଇଁ ମୌଳବାଦୀଙ୍କ ତରଫରୁ ମୃତ୍ୟୁଦଣ୍ଡର ଭୟ ଝଞ୍ଜାବାତ ଭଳି ଲାଗିରହିଛି । ସେ ସୋଲେମନ୍ ରୁସ୍‌ଦି ହୁଅନ୍ତୁ କି ତସ୍‌ଲିମା ହୁଅନ୍ତୁ- ଏଭଳି ଉଦାହରଣ ବିଶ୍ୱରେ ବିରଳ ନୁହେଁ । ଲେଖକର ପେସା ଆଜି ଅବୈଧ ଉପାୟରେ ବିପନ୍ନ ।

 

ପ୍ରବଞ୍ଚନାମୟ ବିଚାରଧାରାର ଧମକରେ ତାହା ଆଜି ଶଙ୍କାଚ୍ଛନ୍ନ । ସେଥିପାଇଁ ନୋବେଲ ପୁରସ୍କାର ବିଜେତା ସ୍ରଷ୍ଟା ଓଲି ସୋଇଙ୍କା କହିଛନ୍ତି, ସାମ୍ପ୍ରତିକ କାଳରେ- “Creativity is in danger”. ତେଣୁ ଲେଖକ ବିଦ୍ରୋହ କରିବାକୁ ବାଧ୍ୟ ହେଉଛି । ତାହାଛଡ଼ା ମାନବବାଦର ରକ୍ଷାକାରୀ ବୋଲାଉଥିବା କେତେକ ଦେଶର ସରକାର ଯେଉଁ ମିଥ୍ୟା ତଥା ପ୍ରବଞ୍ଚନାପୂର୍ଣ୍ଣ ଆଇନ ପ୍ରଣୟନ କରି, ତାହାକୁ ଗ୍ରହଣ କରିନେବାପାଇଁ ଲୋକଙ୍କ ଉପରେ ଲଦି ଦେଉଛନ୍ତି- ଲେଖକ ତା' ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ମଧ୍ୟ ହେଉଛି । ସେ ସ୍ଥଳରେ ଲେଖକ ତାହାର ତାତ୍‌କାଳିକ ପରିବେଶରୁ ସୃଷ୍ଟିର ଉପାଦାନ ସଂଗ୍ରହ କରି ସୃଜନଶୀଳ ଉଷ୍ମତା ସୃଷ୍ଟି କରୁଛି । ବର୍ତ୍ତମାନର ବିଶ୍ୱରେ ଏହାହିଁ ଦୃଷ୍ଟିଆକର୍ଷଣକାରୀ ସାହିତ୍ୟ ଧାରା ।

 

ଟିକିଏ ଭଲକରି ଲକ୍ଷ୍ୟକଲେ ଜଣାପଡ଼େ-ଲେଖକପାଇଁ ସାମ୍ପ୍ରତିକ କାଳରେ ଦୁଇଟି ଧାରାର ଆକର୍ଷଣ ରହିଅଛି । ଗୋଟିଏ ଧାରାରେ ବୌଦ୍ଧିକ ଚିନ୍ତା-ଚେତନାର ସମ୍ମୋହନ-ଯାହା ଯୁଗଯନ୍ତ୍ରଣା, ଅସହାୟତା ଓ ନିଃସଙ୍ଗତାବୋଧକୁ ବହନ କରି ଆସିଥାଏ । ଅନେକ ସମୟରେ ଏହି ଧାରାରେ ବିଶ୍ୱାସ ରଖିଥିବା ଲେଖକ ଭୁଲିଯାଏ, ସେ କ’ଣ କହୁଛି ଏବଂ କାହାକୁ କହୁଛି ? ନିଜ ଯନ୍ତ୍ରଣାର ନାନ୍ଦୀପାଠ କରୁ କରୁ ସେ ବୁଢ଼ୀଆଣି ଭଳି ନିଜେ ଛନ୍ଦି ହୋଇଯାଏ ନିଜ ଜାଲରେ । ତାକୁ ଠିକ୍‍ ଭାବେ ବୁଝିପାରୁ ନ ଥବାରୁ ସେ ଶିକ୍ଷା ଓ ସମାଜର ଅବିକଶିତ ମାନସିକତା ଉପରେ ଦୋଷ ଲଦିଦେଇ ସାନ୍ତ୍ୱନା ଲାଭ କରେ । ନୂତନତା ନାମରେ ପରୀକ୍ଷାମୂଳକଭାବେ ସେ ପରମ୍ପରାର ଚେରକୁ ଛିନ୍ନ କରି ଅଗ୍ରଗାମୀ ପ୍ରଜ୍ଞାପୁରୁଷ ସାଜିବାର ଆଗ୍ରହ ରଖେ । ଫଳତଃ ଭାରତ ଭଳି ପରମ୍ପରାପନ୍ଥୀ ଜନସମାଜ ଏହି ତଥାକଥିତ ପ୍ରଗତିଶୀଳ ସ୍ରଷ୍ଟାଟିକୁ ଚିହ୍ନି ନ ପାରିବାର ଦୃଷ୍ଟିରେ ସ୍ତବ୍‌ଧଚକିତ ହୋଇ ଅନାଏ । ଏଭଳି ସ୍ରଷ୍ଟାଙ୍କର ରାଷ୍ଟ୍ରୀୟ ସମ୍ମାନ ଓ ମର୍ଯ୍ୟାଦାବନ୍ତ ପୁରସ୍କାର ଆଦିକୁ ସେ ପ୍ରଶ୍ନବାଚୀ ତୋଳି ଚାହିଁରହି କେବଳ ଆଶ୍ଚର୍ଯ୍ୟ ହୁଏ । ପୁଣି ପ୍ରକାଶ୍ୟ ଓ ଅପ୍ରକାଶ୍ୟରେ କିମ୍ବା ଗୁଞ୍ଜରଣ ତୋଳି କହେ-’’ କୋଉଠି କିଛି ଭୁଲ ରହିଯାଉଛି ନିଶ୍ଚୟ ; ଆମର ବିଚାର ବିବେଚନାରେ କିମ୍ବା ପୁରସ୍କାର ସମ୍ମାନ ଦିଆଯାଉଥିବା ଧାରାରେ ।’

 

ଏ ଧାରା ବ୍ୟତୀତ ଆଉ ଗୋଟିଏ ସୁଖଲବ୍ଧ ଧାରା ରହିଛି । ଏହି ଧାରା ସହିତ ଲେଖକର ଲୋକପ୍ରିୟତା ଏବଂ ଲେଖାର ବହୁ ପ୍ରସାରଣ ଦିଗ ଜଡ଼ିତ । ବର୍ତ୍ତମାନ କାଳରେ ସେହି ପୁସ୍ତକ ଅଧିକ ବିକ୍ରି ହେଉଛି, ଯେଉଁଥିରେ ଧର୍ମଚେତନା, ଯୌନ ଭାବନା, ରାଜନୀତି ଓ ରୋମାଞ୍ଚଧର୍ମୀ ଭାବ ପ୍ରତିଫଳିତ ହେଉଛି । ସ୍ଥଳବିଶେଷରେ ଅଳ୍ପବୟସ୍କ ଓ ଅଳ୍ପଶିକ୍ଷିତ ପାଠକଙ୍କୁ ଆକର୍ଷିତ କରିବାପାଇଁ ଏଥିରେ ସେହିଭଳି ଶବ୍ଦସମ୍ଭାର ମଧ୍ୟ ଖଞ୍ଜି ଦିଆଯାଉଛି । ପ୍ରକାଶକମାନେ ବ୍ୟବସାୟିକ ଚାହିଦା ଦୃଷ୍ଟିରୁ ଏଭଳି ପୁସ୍ତକ ପ୍ରକାଶନ ଉପରେ ଗୁରୁତ୍ୱ ଦେଉଛନ୍ତି । ଏଠି ମଧ୍ୟ ଉପଭୋକ୍ତା ମନୋଭାବ କାମ କରୁଛି । ଯେଉଁଠି ଅଧିକ ଫାଇଦା, ତାହାକୁ ଅଗ୍ରାଧିକାର ଦେବା ସ୍ୱାଭାବିକ ଘଟଣା । ତେବେ ଏଇଠି ଗୋଟିଏ ପ୍ରଶ୍ନ ମନକୁ ଆସେ । ଆଜିର ତଥାକଥିତ ଲୋକପ୍ରିୟ ସାହିତ୍ୟ ଉପର୍ଯ୍ୟୁକ୍ତ ଚାରିଖଣ୍ଡ କାଠରେ ବୁହାହୋଇ କେତେଦୂର ଯିବ ? ରୁସ୍‌ଦି ଓ ତସ୍‌ଲିମାଙ୍କ ବହୁଚର୍ଚ୍ଚିତ କୃତିମାନଙ୍କରେ ଧର୍ମଚେତନା ପ୍ରମୁଖ ଭୂମିକା ଗ୍ରହଣ କରିଛି । ନିର୍ଦ୍ଦିଷ୍ଟ ଧର୍ମବିଶ୍ୱାସର ବିଚାରଧାରା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଏମାନେ ବିଶ୍ୱରେ ବିବଦମାନ ସ୍ରଷ୍ଟା ହୋଇଛନ୍ତି ଏବଂ ବହୁ ପାଠକର ଦୃଷ୍ଟି ଆକର୍ଷଣ କରିଛନ୍ତି । ଭାରତୀୟ ସାହିତ୍ୟର ପୃଷ୍ଠପଟରେ ଧର୍ମଚେତନା କିଛି କମ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅବଲମ୍ବନ କରିନାହିଁ । ଅନେକ ଜାତୀୟ ପୁରସ୍କାରର ଅଧିକାରୀ ହୋଇଛନ୍ତି ଏହି ଧାରା ଅବଲମ୍ବନ କରିଥିବା କେତେକ ସ୍ରଷ୍ଟା । ଭାରତୀୟ ସଂସ୍କୃତିର ପୁନଃନବାୟନ ନାମରେ ଏହା ବାସ୍ତବରେ ଏକ ଚତୁର ବ୍ୟବସାୟିକ ଧାରା ।

 

ଓଡ଼ିଶାରେ ସାହିତ୍ୟିକ ପାଣିପାଗ ଭାରତୀୟ ସ୍ରୋତଠାରୁ ସାମାନ୍ୟ ଅଲଗା । ଏଠି ସାହିତ୍ୟିକର ଓଜନ ପ୍ରାୟତଃ ତାହାର ପଦପଦବୀର ଓଜନ ସହିତ ଜଡ଼ିତ ହୋଇଥିବା ଦେଖାଯାଏ-। ଗୋଷ୍ଠୀ ଓ ଉପଗୋଷ୍ଠୀର ଚକ୍ରାନ୍ତରେ ଏଠି ପ୍ରକୃତ ସାହିତ୍ୟିକଟି ମର୍ଯ୍ୟାଦା ପାଇପାରୁନାହିଁ । ପ୍ରଚାର ଓ ପ୍ରବକ୍ତାଙ୍କ ଭ୍ରମାତ୍ମକ ତଥ୍ୟ ଯୋଗୁଁ ଅସଲ ସୁନା ପାଉଁଶଗଦାତଳେ ରହିଯାଉଛି । ଅର୍ଥନୀତି କ୍ଷେତ୍ରରେ ଶାଶ୍ୱତ ଉକ୍ତିଟି ସାହିତ୍ୟ-ଜଗତରେ ଅତ୍ୟନ୍ତ ବାସ୍ତବ ରୂପ ନେଉଛି । ‘ବ୍ୟାଡ୍‌ମନି', ‘ଗୁଡ୍‌ମନି'କୁ ବଜାରରେ ପ୍ରଚଳିତ ହେବାକୁ ସୁଯୋଗ ନ ଦେଲା ଭଳି ଅସଲ ସାହିତ୍ୟିକ ନୀରବ ସାଧକ ପାଲଟିଯାଉଛି । ପ୍ରଚାର ବଜାରରେ ବିଚରା ସତ୍ ସାହିତ୍ୟିକଟି ବର୍ଷାକାଳରେ କୋଇଲି ଭଳି ନୀରବ ରହିବାକୁ ବାଧ୍ୟ ହେଉଛି । ଆଜିର ଏଭଳି ପରିସ୍ଥିତିରେ ‘ମନୋଜ ଦାସ' କାହିଁକି- ‘ସାରଳା ଦାସ' ବଞ୍ଚିଥିଲେ ବି ତାଙ୍କ ରାଷ୍ଟ୍ରୀୟ ସମ୍ମାନପାଇଁ ଲବି କରିବାକୁ ପଡ଼ିଥାଆନ୍ତା । ଯଥାର୍ଥ ମୂଲ୍ୟାଙ୍କନ ଅଭାବରୁ ଓଡ଼ିଶା ଭାଷା-ସାହିତ୍ୟ କ୍ଷେତ୍ରରେ ‘ବ୍ୟାଡ଼ମନି'ର ପ୍ରଭାବ ଖୁବ୍ ବେଶି । ତେଣୁ ଅନେକ ଯଶସ୍ୱୀ ପ୍ରତିଭାବାନ ସ୍ରଷ୍ଟା ଏବେ ପରଦା ଅନ୍ତରାଳରେ । ‘ଦର୍ଦ୍ଦୁର' ରାବ ଶୁଣି ନୀରବ ପିକ... ।'

 

ଆଜିର ପାଠକ ସଂଖ୍ୟା ଆଶାତୀତଭାବେ କମିଯାଉଥିବାର ଅନ୍ୟାନ୍ୟ ଯେତେ ଯାହା କାରଣ ଥାଉନା କାହିଁକି, ମୋର ମନେ ହୁଏ, ଏହା ମଧ୍ୟ ଏକ ବଳିଷ୍ଠ କାରଣ । ସତ୍ ସାହିତ୍ୟ କ'ଣ ଓ ସତ୍ ସାହିତ୍ୟିକ କିଏ, ତାହା ସାମ୍ପ୍ରତିକ କାଳରେ ପ୍ରଚଳିତ ମାପକାଠିରୁ ସେମାନେ ଜାଣିପାରୁ ନାହାନ୍ତି । ସବୁ କେମିତି ଗୋଟାଏ ଅସ୍ପଷ୍ଟ ଛାୟାଚ୍ଛନ୍ନ ଭଳି ମନେ ହେଉଛି । ମୋଟ ଉପରେ ସାହିତ୍ୟିକ ଓ ସାହିତ୍ୟ ବୃହତ୍ତର ଜନସମାଜ ପାଖରେ ତାଙ୍କର ଯଥାର୍ଥ ପରିଚୟ ଓ ପ୍ରତ୍ୟକ ହରାଇ ବସିଛନ୍ତି । ସେଥିପାଇଁ ଆଜିର ସାହିତ୍ୟିକ ଚଉଛକିରେ ଠିଆହୋଇ କୁଆଡ଼କୁ ଯିବ ଓ କ'ଣ କରିବ କିଛି ସ୍ଥିର କରିପାରୁ ନାହିଁ । ଯେଉଁଦିନ ତାକୁ ତାର ଅତୁଟ ବିଶ୍ୱାସ ଟିକକ ଫେରସ୍ତ ମିଳିଯିବ, ସେଦିନ ସେ ଠିକ୍ ବାଟକୁ ଆସିଯିବ ।

•••

 

ପ୍ରତିବଦ୍ଧ ଲେଖକୀୟ ଅସ୍ମିତା

ଡକ୍ଟର ଆଦିକନ୍ଦ ସାହୁ

 

ପୃଥିବୀର ଏମିତି କୌଣସି ଲେଖା ନାହିଁ ଯେଉଁଥିରେ କମ୍ ବେଶୀରେ ଲେଖକ ନିଜେ ନଥାଏ । ଜଣେ ତା' ଲେଖାରେ ଅବଶ୍ୟ ରହିବ । କାରଣ ପ୍ରତିଟି ଉତ୍ତମ ରଚନା କାଳଗର୍ଭରେ ଲେଖକର ଆତ୍ମାକୁ ହିଁ ପ୍ରକଟିତ କରିଥାଏ । ସମସ୍ୱରରେ ସବୁ ଅସ୍ତିତ୍ୱବାଦୀମାନେ କହନ୍ତି : ଯେ ତା' ଲେଖାରେ ନିଜକୁ ଲେଖେ ନାହିଁ, ସେ କିଛି ହିଁ ଲେଖେ ନାହିଁ ।

 

ସତ କହିଲେ ଆମେ ସଂସାରକୁ ଆସିଛୁଁ ସାଧ୍ୟ ମତେ ନିଜକୁ ପ୍ରକଟିତ କରିବାପାଇଁ । ତାହା ହିଁ ହେବ ସମାଜିକ ବିବର୍ତ୍ତନ (social evolution)ରେ ଆମର ଯୋଗଦାନ । ଏହି ସକ୍ରିୟ ଯୋଗଦାନରେ ହିଁ ଆମ ଜୀବନ ସାର୍ଥକ ହେବ ।

 

ଖାଲି ବଞ୍ଚିରହିବା, ପ୍ରଜନନ, ଗର୍ଭାଧାନ ଅବା ବଂଶବିସ୍ତାରରେ ଅଂଶଗ୍ରହଣ କରିବା ତ ଅତି ପ୍ରାଥମିକ ଓ ମହାବିବର୍ତ୍ତନର ବିଷୟ । ସେଥିରେ କିନ୍ତୁ ମଣିଷ ଜୀବନର ବିଶେଷ ପରିଚୟ ଅଙ୍କିତ ହୋଇ ରହେନାହିଁ । ତା'ର ପ୍ରକୃତ ବଡ଼ ପରିଚୟ ହେଉଛି ଏକାନ୍ତ ସର୍ଜନଶୀଳ ଏସଥେଟିକ୍ ପରିଚୟ (aesthetic identity) ଯାହା ଯେମିତି ଭାବନିଷ୍ଠ ସେମିତି ବୁଦ୍ଧିଦୀପ୍ତ ।

 

ଅନନ୍ତ କୋଟି ବର୍ଷର ବିବର୍ତ୍ତନରେ, ମଣିଷ ଅସରନ୍ତି ଜୀବନପ୍ରବାହରେ ଜଣେ ଆଉ ଜଣକଠାରୁ ଅଲଗା । ଅବୟବରେ ନୁହେଁ ଚେତନାରେ । ଜଣକର ଅସ୍ତିତ୍ୱ ହେଉଛି ପ୍ରକୃତରେ ତା'ର ଶରୀରର ଅସ୍ତିତ୍ୱ ନୁହେଁ, ତା' ଚେତନାର ଅସ୍ତିତ୍ୱ । ଏହି ଚେତନା ସ୍ତରରେ ହିଁ ବ୍ୟକ୍ତି ସ୍ୱାତନ୍ତ୍ର‌୍ୟ ସ୍ୱୀକୃତି ।

 

ଜଣେ ଲେଖକ ଗଦ୍ୟ ଲେଖୁ କି ପଦ୍ୟ ଲେଖୁ, ଗଳ୍ପ ଲେଖୁ କି କବିତା ଲେଖୁ ସେ ପ୍ରକୃତରେ ତା' ଲେଖା ଜରିଆରେ ତା ବଞ୍ଚିବାର ଅଭିଜ୍ଞତା, ତା' ଜୀବନର ସ୍ୱାଦ, ତା'ର ପ୍ରେମିକତା, ତା' ଗ୍ରହଣଶୀଳତା ଓ ସର୍ବୋପରି ତା' ଆତ୍ମା ତା' ଚେତନାକୁ ହିଁ ଲେଖେ, ଯେଉଁ ଶବ୍ଦ ଶୈଳୀରେ ଲେଖୁ ପଛେ ।

 

ଶବ୍ଦ ଯୋଡ଼ିବା ତ ଗୋଟେ କାରିଗରୀ । ଗଳ୍ପଯୋଜନା ତ ଗୋଟେ ଶିଳ୍ପାୟନର ଅଂଶ । ମାତ୍ର ପାଠକର ଚେତନାକୁ ପ୍ରକଟନ କରିବାରେ, ତା' ରସବୋଧକୁ ଉଜ୍ଜାଗ୍ରତ କରିବାରେ ହିଁ ତା' ରଚନା କର୍ମର ସାର୍ଥକତା ନିହିତ ।

 

ଜଣେ ଲେଖକ ହିଁ ଛାୟା ପୁରୁଷଭାବେ ତା' ନିଜ ଲେଖାରେ ବରାବର ଥାଏ । ସେ ହିଁ କଥା କହେ, ତା'ର ପ୍ରତିନିଧିତ୍ୱ କରେ । ଜୀବନରେ ଲେଖକଟିଏ ଯେଉଁ ଅଭିଜ୍ଞତା ଅର୍ଜ୍ଜନ କରିଥାଏ, ଯାହା ପୁଣି ତାକୁ ଅତ୍ୟନ୍ତ ବିରଳ ଓ ପରିବୋଧନୀୟ ଲାଗେ, ତାକୁ ତା' ଲେଖାରେ ସେ ଅଜାଡ଼ି ଦିଏ । ଏହି ଅଜାଡ଼ି ଦେବାରେ ହିଁ ସେ ଅଶେଷ ତୃପ୍ତି ଲାଭ କରେ । ଜଗତରେ ସେ ଯେଉଁ ସ୍ୱାଦ ଚାଖିଥାଏ, ତାକୁ ସେ ଅନ୍ୟକୁ ଚଖାଏ । ଏ ଏକ ସହଜ ପ୍ରବଣତା । ଆତ୍ମାର ପ୍ରକଟନ କରିବାଠାରୁ ସହଜ ସୁଖ ଆଉ କ'ଣ ଏ ଜଗତରେ ଅଛି ?

 

ସମସ୍ତେ ଶୁଣିବାଠାରୁ କହିବାକୁ ତେଣୁ ବେଶି ଭଲ ପାଆନ୍ତି । କାରଣ ସେମାନେ ନିଜକୁ ସର୍ବୋତ୍ତମଭାବେ ବ୍ୟକ୍ତ କରିବାପାଇଁ ଚାହାନ୍ତି । ଅବଶ୍ୟ ପର ଆପଣା ନିର୍ବିଶେଷରେ ସେମାନେ ସେପାଇଁ ଗୋଟେ ମରମୀ ଲୋକ ଖୋଜିଥାନ୍ତି । ପାଠକ ଯେତେ ଭାବବାଦୀ ହେବ, ଲେଖକର ଲେଖା ତା'ପାଇଁ ସେତେ ଅର୍ଥପୂର୍ଣ୍ଣ ହୋଇ ଉଠିବ ।

 

ଯେ କୌଣସି ପ୍ରକାର ଳେଖକଟିଏ ହିଁ ତା' ଲେଖାରେ ନାୟକ ହେବ । ତା' ଜୀବନ ବଞ୍ଚିବାର ଅଭିଜ୍ଞତାକୁ ବ୍ୟକ୍ତ କରିବ । କାମ୍ୟୁ, କାଫ୍‌କାଙ୍କ ପରି ଅସ୍ତିତ୍ୱବାଦୀ ମାନେ ତ ସେପାଇଁ ବସ୍ତୁନିଷ୍ଠ ଜ୍ଞାନକୁ ନ ଲେଖିବାପାଇଁ ପଣ କରି ସେମୋନଙ୍କ ଲେଖାରେ ଅଥର ହିରୋ (Author Hero)କୁ ଆଣିଛନ୍ତି । କାଫ୍‌କା ତ ପ୍ରତ୍ୟକ୍ଷ ଭାବରେ ‘କେ' ଅର୍ଥାତ୍ କାଫ୍‌କାବୋଲି ତାଙ୍କ ସବୁ ଲେଖାରେ ମୁଖ୍ୟ ଚରିତ୍ରର ନାମକରଣ କରିଛନ୍ତି ।

 

ଜଣେ ଚିତ୍ର-ଚରିତ୍ର ଜରିଆରେ ନିଜର ନିକଟତମ ପରିବେଶ ଓ ନିଜକୁ ହିଁ ବିସ୍ତାରିତ କରି ଲେଖେ । ଅଥଚ କଳାତ୍ମକ ଚମତ୍କାରିତା ସହିତ ସେ ସାଲିସ କରେନାହିଁ । ନ କରିବା ବି ଉଚିତ । ଜୀବନମୟତା ହିଁ ସବୁ ଅସ୍ତିତ୍ୱବାଦୀମାନଙ୍କ ଲେଖାରେ ସର୍ବୋତ୍ତମ ଅଳଙ୍କାର । ଆପଣାର ନିକଟତମ ପରିବେଶ, ତା'ର ସକଳ ବାସ୍ତବତା ତଥା ଆପଣା ଜୀବନ ବଞ୍ଚିବାର ଅଭିଜ୍ଞତାଠାରୁ ଆଉ ଅଧିକ ବାସ୍ତବ ଓ ଜୀବନମୟ ବିଷୟ କ'ଣ ଅଛି ?

 

ଆପଣା ଜୀବନ ବଞ୍ଚିବାର ପ୍ରବୃତ୍ତି (life instinct) ଭିତରେ ଯେମିତି ସବୁ ସୁଖସ୍ୱପ୍ନ ଥାଏ, ଅମରାବତୀର ଜୀବନପାଇଁ ଅଭିଳାଷ ଥାଏ, ପ୍ରେମ-ପ୍ରଣୟର ଆକାଂକ୍ଷା ଥାଏ, ଥାଏ ସେହିପରି ପରମାର୍ଥ କାମନା ଓ ପ୍ରଚୁର ଆଧ୍ୟାତ୍ମିକ ଅଭୀପ୍ସା ଓ ଧାର୍ମିକ ଇଚ୍ଛା । ତା ସହିତ ଥାଏ ଚରମ ନିଃସଙ୍ଗତାବୋଧ, ନୈରାଶ୍ୟ, ମୋହଭଙ୍ଗ, ବ୍ୟର୍ଥତା ତଥା ପରାଜୟବୋଧର ଗ୍ଳାନି । ଏସବୁର ଅଙ୍ଗେ ନିଭେଇବା ଅନୁଭୂତି ଲେଖିବାଠାରୁ ଆଉ ବଡ଼ ଲେଖକୀୟ ସାଧୁତା କିଛି ନାହିଁ । ଆପଣାକୁ ଉନ୍ମୁକ୍ତ କରିଦେବା ହେଉଛି କଳା ସାଧନାର ମୂଳ ଲକ୍ଷ୍ୟ ।

 

ସାହିତ୍ୟ ସୃଷ୍ଟିର ଆରମ୍ଭରୁ ଲେଖକଟିଏ ତା ଲେଖାରେ ଆପଣାକୁ ଅଜାଡ଼ି ଦେବାପାଇଁ ତତ୍ପର ହୋଇ ଆସିଛି । କିଏ କେଉଁଠି ନିଜକୁ ତା ଲେଖାଠାରୁ ଏତେ ବେଶି ଅଲଗା କରି ରଖିପାରିଛି ? ଦିନେ ବସ୍ତୁନିଷ୍ଠ ସାହିତ୍ୟ ସପକ୍ଷରେ ଯୁକ୍ତି ବାଢ଼ିଥିବା ଟି.ଏସ୍‌.ଇଲିୟଟ୍ ମଧ୍ୟ ଆପଣାର ବିକ୍ଷତ ଜୀବନର ପ୍ରତୀକାତ୍ମକ ଅଭିବ୍ୟକ୍ତି ଦେଇଛନ୍ତି ଆପଣା ଲେଖାରେ ଯେ ସ୍ପଷ୍ଟତଃ କହୁଥିଲେ, ଜଣେ ଲେଖକ ତା' ଲେଖାରେ ଥାଇ ନପାରେ । ବୁଦ୍ଧିନିଷ୍ଠ ତଥା ସାର୍ବଜନୀନ ସାହିତ୍ୟସୃଷ୍ଟି ସପକ୍ଷରେ ଓକିଲାତି କରିବାକୁ ଯାଇ ସେ ସୃଷ୍ଟିଶୀଳତାରେ ଆତ୍ମନିଷ୍ଠତାକୁ ପରିହାର କରିବାପାଇଁ ଯୁକ୍ତି ବାଢ଼ିଥିଲେ ।

 

ଯେ କୌଣସି ଶକ୍ତିଶାଳୀ ସାହିତ୍ୟର ମଂଜ ହେଉଛି ସ୍ରଷ୍ଟାର ପ୍ରବୋଧିତ ଆତ୍ମା । ତାହାର ଉଚ୍ଚାରଣ ଅନେକ କୋଟି ଆତ୍ମାକୁ ସହଜରେ ସ୍ପର୍ଶ କରେ ।

 

ଜଣେ ଲେଖକ ଚେଷ୍ଟା କରି ପରନିଷ୍ଠ ଜ୍ଞାନ, ଦୂରତମ ପୃଥିବୀକୁ ଚିତ୍ରଣ କରିବାକୁ ଚାହିଁଲେ ବି ତାହା କଦାପି ଜୀବନ୍ତ ହୋଇପାରିବନି । ସେ ରଚନାରେ ସେମିତି ସମ୍ବେଗ ଓ ଶକ୍ତି ରହିବନି । ଫୋର୍ସ (force) ନ ରହିଲେ ଲେଖାଟି ନିର୍ଜୀବ ଲାଗିବ ନିଶ୍ଚୟ । ଆତ୍ମା ଯେଉଁଠି ରସନିବିଡ଼ ହେବନି, ତା ଉଚ୍ଚାରଣ ସେଠି ପ୍ରାଣଛୁଆଁ ହେବ କିପରି ?

 

ଜଣେ ଅଦେଖା ଅଶୁଣା ପୃଥିବୀକୁ ଲେଖିବା ପ୍ରକୃତରେ ଚଷୁ କୁଟିବା କିମ୍ବା ପ୍ରହେଳିକା ସୃଷ୍ଟି କଲା ଭଳି । ଯେଉଁ ଭୂଗୋଳ ତା'ର ଅତି ପରିଚିତ ଆଉ ତା' ଷଠୀଘର ଯେଉଁଠି ତିଆରି ହୋଇଛି, ଯାହା ପୁଣି ତା ଶେଷରେ ମଧୁର ଲୀଳାଭୂମି, ତାକୁ ଲେଖିବାରେ ଆନନ୍ଦ ସର୍ବଦା ଅଲଗା ପ୍ରକାରର । ତାହା ସ୍ୱତଃ କେତେ ରସସିକ୍ତ ହୋଇଯିବ । ମାଟି ସହିତ, ମଣିଷ ସହିତ, ଆପଣାର ସ୍ମୃତି ଓ ସ୍ୱପ୍ନ ସହିତ ଆବେଗ ଜଡ଼ିତ ହୋଇ ନରହିଲେ ତାହା କାହାରି ପରିଚିତ ଅନୁଭୂତିକୁ ଭିଜେଇ ଦେଇ ପାରିବନି ।

 

ଆପଣା ଜୀବନ ସହିତ ଯା'ର ସମ୍ବନ୍ଧ ନାହିଁ, ତାହା ଯେପରି ଅପରିଚିତ ଲାଗେ, ସେମିତି ଅନାତ୍ମୀୟ ଲାଗେ । ଜର୍ମାନର ମହାକବି ରିଲ୍‌କେ ତାଙ୍କ ଗୋଲାପ ବଗିଚା ସହିତ ଆବେଗିକଭାବେ ଯେପରି ସଂଶ୍ଳିଷ୍ଟ ହୋଇ ଯାଇଥିଲେ, ପ୍ରକୃତରେ ତାହା ଏକ ଅନନ୍ୟ ଅନୁଭବ । ତାଙ୍କ ଘରର ବୁଢ଼ା ମାଳି ରିଲ୍‌କେଙ୍କ ମରଣର ଦଶ ବର୍ଷ ପରେ ସେ ଗୋଲାପ ବଗିଚା ସହିତ ରିଲ୍‌କେଙ୍କ ଆତ୍ମାର ଆବେଗିକ ସମ୍ପର୍କକୁ ବର୍ଣ୍ଣନା କରିବାକୁ ଯାଇ କହିଥିଲା- ଏ କାକରଭିଜା ରାତି ଆଉ ଟିକିଏ ଗଭୀର ହେଉ, କବି ଆସି ନିଜେ କଥା ମେଲିବେ ଗୋଲାପଗୁଡ଼ିକ ଶୀତ କାକରରେ ଭିଜିଯାଇ ଆହୁରି ଗାଢ଼ ରଙ୍ଗର ହେବା ପର୍ଯ୍ୟନ୍ତ ।

 

କାମ୍ୟୁ (Camu) ତ ତାଙ୍କ ଅଧିକାଂଶ ଲେଖାରେ ଆପଣା ଜନ୍ମଭୂମିର ଖରାକାଳ, ବୁଦବୁଦକିଆ ଜଙ୍ଗଲ, ବାଲିବନ୍ତ ପଠା ଥିବା ଲେଣ୍ଡସ୍କ୍ୟାପ (Landscape)କୁ ମନ ଦେଇ ଚିତ୍ରଣ କରିଛନ୍ତି । ସତେ ଯେପରି ସେସବୁ ତାଙ୍କ ଜୀବନ ବଞ୍ଚିବା ସହିତ ଯୋଡ଼ି ହୋଇ ଯାଇଥିଲା-। ଜଣେ ଲେଖକ ସବୁବେଳେ ସ୍ମୃତିବିଜଡ଼ିତ ନିକଟତମ ପରିପାଶ୍ୱର୍କୁ ଲେଖିଥାଏବୋଲି ସେ ଏତେ ନିବିଡ଼ ଲାଗେ ।

 

ଯେଉଁ ଲେଖକର ଘର ପାହାଡ଼ମୂଳରେ, ବର୍ଷ ବର୍ଷ ଧରି ସେ ପାହାଡ଼ୀ ଚେତନାରେ ଅତି ରହସ୍ୟମୟ ସିମ୍ବଲ (symbol)ଟିଏ ପାଲଟି ଯାଇଥାଏ । ପରିବେଶ ପ୍ରଭାବରେ ଜଣକର ଭାଷାଶୈଳୀ ସେମିତି ହୋଇଯାଏ । ରଚନାଶୈଳୀ ଆପଣାକୁ ବ୍ୟକ୍ତ କରିବାର ଗୋଟେ ମାଧ୍ୟମ ହୋଇଯାଏ । ଆତ୍ମାଭିବ୍ୟକ୍ତିପାଇଁ ସେ ଆପଣାର ଲେଖାକୁ ଅଧିକ ପ୍ରଶସ୍ତ ମନେକରେ । ଘରବାଡ଼ି, ହାବେଲି ଅବା ମନ୍ଦିର ତୋଳାଇବାକୁ ନୁହେଁ ।

 

ଲେଖକର ଆତ୍ମମଗ୍ନ ଜୀବନ ବଞ୍ଚିବାକୁ ଶବ୍ଦ ହିଁ ବେଶି ପ୍ରକଟିତ କରିଦେଇପାରେ । ଲେଖକର ଲେଖା ହିଁ ସେ'ପାଇଁ ପୃଥିବୀର ଅତୁଳନୀୟ ଭାବସଂପତ୍ତି ହୋଇପାରିଛି ।

 

ଅସ୍ତିତ୍ୱବାଦୀ ଲେଖକମାନେ ନିଜକୁ ସବିଶେଷଭାବେ ଲେଖିବାକୁ ଯାଇ ଡାଇରୀ ଆଙ୍ଗିକକୁ ଗ୍ରହଣ କରିଛନ୍ତି । ପ୍ରଥମ ପୁରୁଷ ଆଙ୍ଗିକରେ ଲେଖଛନ୍ତି । ମୁଖ୍ୟ ଚରିତ୍ର ସବୁକୁ ପ୍ରାୟ ଅଥର୍ ହିରୋ କରି ପକାଇଛନ୍ତି ।

 

ଲେଖାକୁ ଅଯଥାରେ ଗଳ୍ପାୟିତ କିମ୍ବା ଲୁକ୍କାୟିତ କରିବାକୁ ସେମାନେ ଆଦୌ ଚାହିଁ ନାହାନ୍ତି । ବରଂ ଗଳ୍ପାୟିତ କରିବାକୁ ସେମାନେ କୃତ୍ରିମ ମନେକରିଛନ୍ତି । ଆତ୍ମ ସ୍ୱୀକାରୋକ୍ତିମୂଳକ ଲେଖା ଲେଖିଛନ୍ତି । ପାପ-ପୁଣ୍ୟ ଊର୍ଦ୍ଧ୍ୱରେ ଆପଣାକୁ ବ୍ୟକ୍ତ କରିବାପାଇଁ କିରକେଗାର୍ଡ଼, ନିତ୍‌ସେ ଆଦି ଅସ୍ତିତ୍ୱବାଦୀ ଲେଖକଙ୍କର ଅଧିକାଂଶ ଲେଖା ଉଲ୍ଲିଖିତ ପ୍ରକାରର, ଏକାନ୍ତ କନଫେସନାଲ (confessional) । କିରକେଗାର୍ଡ଼ ଡାଇରୀ ଆଙ୍ଗିକରେ ଲେଖିଥିବା ତାଙ୍କ 'The Dairy of the Seducer' ପ୍ରେମ ଓ ଆବେଗସଂପର୍କିତ ଏକ ବିଶ୍ୱବିଖ୍ୟାତ ଗ୍ରନ୍ଥ : ଅଥଚ କେତେ ମୁକ୍ତ ଓ ପ୍ରତ୍ୟକ୍ଷ ଭାବରେ ସେ ତାହା ଲେଖିଛନ୍ତି !

 

ଆପଣାର ନିଭୃତ ଇଚ୍ଛା, ଗୋପନ ପାପ ତଥା ଅନ୍ତଶ୍ଚେତନାକୁ ସେ କେତେ ଖୋଲାମେଲା କରି ପ୍ରକାଶ କରିପାରିଛନ୍ତି । ଜଣେ ଲେଖକର ପୁଣ୍ୟ ହେଉଛି ଆପଣା ଆତ୍ମାକୁ ନିଃସର୍ତ୍ତଭାବେ ପ୍ରକଟନ କରିବା । ତାହା ହିଁ ପ୍ରାର୍ଥନା ପରି ପବିତ୍ର ହେବ ।

କିରକେଗାର୍ଡ଼ ଥିଲେ ଯଥାର୍ଥରେ ଜଣେ ପ୍ରଚଣ୍ଡ ପ୍ରତିଭାଧର ଲେଖକ ଯେ ପୃଥିବୀରେ ଆତ୍ମନିଷ୍ଠ ଲେଖାକୁ ପ୍ରତିଷ୍ଠିତ କରିଦେଇ ଯାଇଛନ୍ତି । କେତେ ବ୍ୟାକୁଳ ହୋଇ ଆପଣା ପ୍ରାଣର ବ୍ୟଥା-ବେଦନାକୁ ଲେଖିଦେଇ ଯାଇଛନ୍ତି ସେ । କେତେ ବେଦନାର୍ଦ୍ର ତାଙ୍କ ଭାଷା । କେତେ ଅଧୀର ଆବେଗରେ ତାଙ୍କ ମୁଁତ୍ୱଟି ସବୁ ଆଡ଼କୁ ବୋହିଯିବାକୁ ଚାହିଁଛି । ପୃଥିବୀର ଅନନ୍ତ କୋଟି ମଣିଷଙ୍କୁ ଆପଣାର କରିବାପାଇଁ ସେ ଉନ୍ମୁଖ ହୋଇ ଉଠିଛନ୍ତି ।

ଯେ ଆପଣକୁ ବ୍ୟକ୍ତ କରିବାକୁ କୁଣ୍ଠିତ ହୁଏ, ପ୍ରକୃତରେ ସେ ଈଶ୍ୱରଦ୍ରୋହୀ । କିରକେଗାର୍ଡ଼ଙ୍କ ସୃଜନ ଆତ୍ମା କେତେବେଳେ ବି ପ୍ରକାଶକୃପଣ ନଥିଲା । ଆତ୍ମବିଗଳନ ଭିତରେ ସେ ଗଭୀରତର ପ୍ରେମାନୁଭୂତି ଲାଭ କରିଛନ୍ତି । ସବୁ ଗ୍ରନ୍ଥରେ ସେ ସେଇ ଆତ୍ମବିଗଳନରେ ସ୍ୱନିଷ୍ଠ ଅନୁଭବକୁ ଲେଖିଯାଇଛନ୍ତି ।

ଚିଲିକା ପରି ହ୍ରଦଟିଏ ବି କବିଚିତ୍ତକୁ ବିମୋହିତ କରିଦିଏ । ଚିଲିକାର ସୌନ୍ଦର୍ଯ୍ୟ ବର୍ଣ୍ଣନା କରୁଥିଲାବେଳେ ରାଧାନାଥ ନିଜର ଦୁଃଖ ସବୁକୁ ବାହୁନି ବସିଛନ୍ତି । ରାଧାନାଥ ରାୟଙ୍କ ଚିଲିକାରେ ଯେଉଁ ଧାଡ଼ି ସବୁ ତାଙ୍କ ଜୀବନକଥାରେ ଭରପୂର ହୋଇଯାଇଛି, ସେଇ ଧାଡ଼ିଗୁଡ଼ିକର ଆବେଦନ ଭାରି ମାର୍ମିକ । ସେ ଆପଣାର ଦୁଃଖପୀଡ଼ିତ ଜୀବନକୁ ଲେଖିବାକୁ ଯାଇ କହିଛନ୍ତି–

‘ସଂସାରେ ଥାଇ ମୁଁ ସଦା ଉଦାସୀନ

ଉଦାସୀନ ପ୍ରାୟ କଟାଇଲି ଦିନ

ସଂସାରୀ ସଙ୍ଗତେ ସଙ୍ଗୀ ହେବାପାଇଁ

କେବେ ହେଁ ମୋହର ମନ ବଳେ ନାହିଁ ।’

 

ରାଧାନାଥଙ୍କ କବିକଳ୍ପନାରୁ ତାଙ୍କ ନିଜ ଜୀବନ କେବେ ବାଦ ପଡ଼ିନଥିଲା । ଗଛ ଆଢ଼ୁଆଳରେ ପକ୍ଷୀଟିଏ ବସି ବେଦନାଭରା ଗୀତ ଗାଇଲା ପରି ରାଧାନାଥ ଆପଣା ଜୀବନର ବ୍ୟଥାତୁର ରାଗିଣୀକୁ କାବ୍ୟସ୍ୱରରେ ମିଶାଇଛନ୍ତି । ଏହାଦ୍ୱାରା ପ୍ରେମ ଓ ପ୍ରକୃତିର ସଙ୍ଗୀତ ବେଦନାର ବୋଳ ଭିତରେ ଆହୁରି ନିର୍ମଳ ଲାଗୁଛି । ଗୋଟେ ନିଃସଙ୍ଗ ଚଢ଼େଇ ଭଳି ରାଧାନାଥଙ୍କ ପଲ୍ଲବିତ କାବ୍ୟଦ୍ରୁମରେ ତାଙ୍କ ବିକ୍ଷତ ଜୀବନପକ୍ଷୀଟି ଯେମିତି ଝୁଲି ରହିଥିଲା । ଆତ୍ମା ପକ୍ଷୀଟି ତ ବାହୁନି ଉଠିବ ନିଶ୍ଚେ । ରାତି ପହରର ନାମହୀନ ଚଢ଼େଇର ଗୀତ ପରି ତାହା ବେଦନାଭରା ଲାଗିବ ଅବଶ୍ୟ । ଆତ୍ମାର ବ୍ୟକ୍ତିନିଷ୍ଠ ସ୍ୱରଟି ନିରୀହ ସବୁବେଳେ । ଉଦାତ୍ତ ଓ ବଜ୍ରକଣ୍ଠୀ ହୋଇଥିଲେ ବି ବିନୀତ । କେତେ ପ୍ରସୁପ୍ତ ଓ ଅନ୍ତର୍ମୁଖୀ ସେ ସ୍ୱରଟି ବନସ୍ତର ବର୍ଷାକାଳ ବା ଖରାଦିନର ନିଛାଟିଆ ବାଟ ପରି ଲାଗେ ସେ ଜୀବନ !

 

ପ୍ରେମବଞ୍ଚିତ କୀଟସ୍‌ଙ୍କ ଆତ୍ମାଟି କେମିତି ବିଳାପ କରି ଉଠିଛି ତାଙ୍କ କବିତାର ।

 

ନିରବଧି ଏ ପୃଥିବୀ ତ ଗୋଟେ ମହାସଙ୍ଗୀତର କନସାର୍ଟ

ନିରନ୍ତର ଗୀତ ହେଉଛି ।

ଅଜସ୍ର ଆତ୍ମାର

ପ୍ରେମର ପୁଲକର, ବ୍ୟଥାର ବେଦନାର ।

 

ବିରହପୀଡ଼ିତ କାଳିଦାସଙ୍କ ଆତ୍ମାପକ୍ଷୀଟି ହିଁ ମୁଖର ହୋଇପଡ଼ିଛି ମେଘଦୂତର ଉଚ୍ଚାରଣରେ । ବ୍ୟକ୍ତିର ବିରହ ରୂପାନ୍ତରିତ ହୋଇଛି ନିତ୍ୟକାଳ ନିଖିଳର ବିରହକୁ । ବିରହପୀଡ଼ିତ ଅନେକ କାଳିଦାସୀ ବିରହକୁ ଉପଲବଧି କରିପାରନ୍ତି । ଏହି ସାର୍ବଜନୀନ ଉପଲବ୍‌ଧିର ମୂଳ ଥିଲା ବୈୟକ୍ତିକ ବିରହ ।

 

ବିନ୍ଦୁ ଭିତରେ ସିନ୍ଧୁର ରହସ୍ୟ ନିହିତ ଥିଲା ଭଳି ବ୍ୟକ୍ତି ଭିତରେ ବିଶ୍ୱର ଇଙ୍ଗିତ ନିହିତ ଥାଏ । ଜାତି, ବର୍ଣ୍ଣ-ଭୂଗୋଳର ବୈଚିତ୍ର‌୍ୟ ଊର୍ଦ୍ଧ୍ୱରେ ନୃତାତ୍ତ୍ୱିକ ଭାବାବେଗ (anthropocentic emotion)ର ସମାନତା ରହିଛି । ମଣିଷଗଢ଼ା ସମାଜର ବ୍ୟବସ୍ଥା, ରାଜନୀତିକ ସ୍ଳୋଗାନ ବଦଳିଯାଏ, ମାତ୍ର ବଦଳେନି ମଣିଷର ଜୀବନ ଧର୍ମ । ତାହା ସବୁଠି ସବୁକାଳରେ ସମାନ ଓ ଚିରନ୍ତନ । ଜଣେ ଲେଖକର ପ୍ରେମାନୁଭୂତି ସମସ୍ତଙ୍କୁ ଛୁଇଁପାରେ । ଏଇଥିପାଇଁ ବ୍ୟକ୍ତିର ଅନୁଭବ ଅପରିବର୍ତ୍ତନୀୟ । ସେଦିନ ‘ଦସ୍ତୋଭସ୍କି' ମଣିଷର ଅନ୍ତଶ୍ଚେତନାକୁ ଯେପରି ଚିତ୍ରଣ କରିଛନ୍ତି, ତା'ର ଆବେଦନ ଆଜି ରହିଛି ଓ ଅନେକ କୋଟି ବର୍ଷପାଇଁ ବି ସେମିତି ରହିଥିବ ।

 

ନିଜକୁ ବ୍ୟକ୍ତ କରିବାଠାରୁ ସାରସ୍ୱତ ପୁଣ୍ୟ ଆଉକିଛି ନାହିଁ । ଦ୍ୱିତୀୟତଃ ଲେଖକର ଜୀବନ ବଞ୍ଚିବାର ଅଭିଜ୍ଞତା ହିଁ ଯେ କୌଣସି ଲେଖକର ମୂଳ ପୁଂଜି । ତା'ର ସ୍ୱପ୍ନ, ତା'ର ଗୋପନ ଇଚ୍ଛା ଲେଖାରେ କେବଳ ମେଟାଫରିକ (metaphoric) ଅଭିବ୍ୟକ୍ତି ଲାଭ କରିଥାଏ ।

 

ଜୀବନ ପରି ପ୍ରେମର ଆବେଗ ଓ ଅନୁଭବ ସମାନ । ସେଥିପାଇଁ କଳା ସାର୍ବଜନୀନ ହୋଇପାରିଛି । ଆମେ ନୂଆ ପୁରୁଣା ସବୁ ଲେଖକଙ୍କୁ ବୁଝିପାରୁଛୁ ଏଇଥିପାଇଁ । ରୋଲା ମେଁ (Rolla May) ଥରେ କହିଥିଲେ : “Death and delight, anguish and joy, anxiety and the wonder of birth-these are the warp and woof, of which the fabric of human love is woven.”

 

କାହିଁ କେତେ ଶହ ବର୍ଷ ତଳର କାଳିଦାସ ଓ ସେକସପିୟରଙ୍କ ପ୍ରେମବର୍ଣ୍ଣନାକୁ ଆଜି ଆମେ ଆଗ ଉପଲବଧି ସ୍ତରକୁ ନେଇଯାଇପାରୁଛୁଁ । ଲେଖକର ପ୍ରାଣକୁ ଆମେ ତା ଲେଖା ଜରିଆରେ ଅନୁଭବ କରିଥାଉଁ । ମଣିଷର ଶ୍ରଦ୍ଧାକୁ ଅନୁଭବ କରିବା, ମଣିଷର ଆତ୍ମୀୟତାକୁ, ମଣିଷର ମନ, କଳ୍ପନା ଓ ପ୍ରେମକୁ ଅନୁଭବ କରିବା ହେଉଛି ମନୁଷ୍ୟ-ଆତ୍ମାର ସର୍ବୋତ୍ତମ ସଂସ୍କାର-। ଗ୍ରନ୍ଥ ତ ଗ୍ରନ୍ଥକାରଙ୍କ ବିପୁଳ ଜୀବନାନୁଭୂତିର ଅକ୍ଷରରୂପ କେବଳ ।

 

ଆମେ ସର୍ବଦା ଜଣକୁ ତା ଲେଖା ମାଧ୍ୟମରେ ଜାଣୁ । ହୁଏତ ଲେଖକର ସାଧାରଣ ପରିଚୟ ସେଥିରେ ନଥାଇପାରେ । ମାତ୍ର ତା'ର ପ୍ରାଣବାଣୀ ସେଥିରେ ଅଭିଲିଖିତ ହୋଇ ରହିଥାଏ ।

 

ଜଣକର ନିଃସଙ୍ଗ ଜୀବନ କିପରି ଅଧିକରୁ ଅଧିକ ତା ଲେଖାରେ ଅଭିବ୍ୟକ୍ତି ଲାଭ କରିଥାଏ, ଡିକେନସଙ୍କ David Copperfield ତା'ର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ, ହଫ ୱାକର (Hugh Walker)ଙ୍କ ଭଳି ସମାଲୋଚକ ‘ଡେଭିଡ କପରଫିଲଡ'ର ଆତ୍ମନିଷ୍ଠତାକୁ ନିମ୍ନୋକ୍ତ ମତେ ବର୍ଣ୍ଣନା କରିଛନ୍ତି । “The pen which wrote David Copperfield was often dipped in his own blood.”

 

ଦାନ୍ତେ ଯେମିତି ତାଙ୍କର ପ୍ରାଣପ୍ରିୟା ପ୍ରେମିକା ବିଏଟ୍ରିସକୁ ତାଙ୍କ ‘ଡିଭାଇନ କମେଡ଼ି'ରେ ଅମର କରିଦେଇ ଯାଇଛନ୍ତି, କିରକେଗାର୍ଡ଼ ସେହିପରି ୱଲସନଙ୍କ ସହିତ ତାଙ୍କର ଶରୀର-ପ୍ରେମ ସମ୍ପର୍କକୁ ଅତି ନିଷ୍ଠାପରଭାବେ ଲେଖିଯାଇଛନ୍ତି ସେହି ବାଳିକାର ପ୍ରେମ କିପରି ତାଙ୍କୁ ଏକ ବିଶେଷ ମାନସିକ ସ୍ତରକୁ ନେଇ ଯାଇଥିଲା ।

 

ପ୍ରେମ ଏକ ଶକ୍ତିଶାଳୀ ଅନୁଭବ ଯାହା ଲେଖକର ଇଚ୍ଛା ଓ କଳ୍ପନା ଶକ୍ତିକୁ ନିୟନ୍ତ୍ରଣ କରେ ବୋଲି ବିଶିଷ୍ଟ ମନୋବିଜ୍ଞାନୀ ଫ୍ରୟେଡ କହିଯାଇଛନ୍ତି । ରୋଲା ମେ ତାଙ୍କର “Love and Will” ଗ୍ରନ୍ଥରେ ପ୍ରେମ ହିଁ ପ୍ରତ୍ୟକ୍ଷଭାବେ ଜଣେ ଶିଳ୍ପୀ ପ୍ରାଣରେ ସୃଜନଶୀଳ ଆବେଗ ଭରିଦିଏବୋଲି କହିଛନ୍ତି ।

 

ଯୁଗ ଯୁଗ ଧରି ଏପରି କୌଣସି ଲେଖା ନାହିଁ ଯେଉଁଥିରୁ ଲେଖକର ଜୀବନ ଆଉ ତା’ର ଜଞ୍ଜାଳକୁ ପଢ଼ି ହେବନି । କମରେ ହେଉ ବା ବେଶିରେ ହେଉ ପ୍ରତ୍ୟେକ ଲେଖକର ଲେଖା ଭିତରେ ନିର୍ଦ୍ଦିଷ୍ଟ ସାଂସ୍ମୃତିକ ପ୍ରସଙ୍ଗନିଷ୍ଠତା (cultural context) ରହିଥାଏ ।

 

ଇଂରାଜୀ ସାହିତ୍ୟରୁ ସବୁ ସମୁଦ୍ରକୂଳିଆ କବିଙ୍କୁ ସେମାନଙ୍କ ବର୍ଣ୍ଣନାରୁ ଜାଣିହେବ । ଆଞ୍ଚଳିକ ଚିତ୍ର (local colour)କୁ ତ ସେମାନେ ଏମିତି ଜୀବନ୍ତ କରି ଆଙ୍କିଥାନ୍ତି ଯେ ତାହା ସେମାନଙ୍କ ରୁଚି, ଅଭିଜ୍ଞତା ତଥା ଜୀବନ ଦୃଷ୍ଟିକୁ ପ୍ରତୀକିତ କରିଥାଏ । Quiet Flows the Don' (ଧୀରେ ବହେ ଡନ) ଉପନ୍ୟାସରେ ମିଖାଇଲ ସୋଲକୋଭ ରୁଷିଆର ନିର୍ଦ୍ଦିଷ୍ଟ ଏକ ଅଞ୍ଚଳର ଚିତ୍ର ଆଙ୍କିଛନ୍ତି । ସେମିତି ପାର୍ଲ ଏସ୍ ବକ ।

 

ଲେଖାରେ ଲେଖକ, ତା'ର ପ୍ରିୟ ଜନ୍ମଭୂମି, ତା’ର ସଂସ୍କୃତି ଓ ସମୟ ସବୁ କିଛି ନିବିଡ଼ଭାବେ ଅଙ୍କିତ ହୋଇଯାଏ । ଜଣେ ସମାଜବିଜ୍ଞାନୀ ଏ ଦୃଷ୍ଟିରୁ ସାହିତ୍ୟକୁ ସମୟର ଉତ୍ପାଦ୍ୟ (Time Product) ବୋଲି କହିଛନ୍ତି । ସମୟର ପ୍ରଭାବ ଜଣେ ଲେଖକର ରଚନାଶୈଳୀକୁ ପ୍ରଭାବିତ କରେବୋଲି ଅନେକ ମନେ କରନ୍ତି । ଯୁଗଧର୍ମର ପ୍ରତିଫଳନ ଅବଶ୍ୟ ଲେଖାରେ ଘଟିବ-

କାଫ୍‌କାଙ୍କ ପରି ଅସ୍ତିତ୍ୱବାଦୀମାନେ ଆପଣା ଲେଖାରେ ଆପଣାକୁ ହିଁ ବେଶି ଚିତ୍ରଣ କରିଥାନ୍ତି । “The Trial” “The Castle” ଓ ଉଭୟ ଉପନ୍ୟାସର ନାୟକ କେ (K) ହୁଏତ କାଫ୍‌କା ନିଜେ । କାଫ୍‌କାଙ୍କ “The Judgement” ଗପଟି ଶୁଣୁ ଶୁଣୁ କାଫ୍‌କାଙ୍କ ଭଉଣୀ ଚିତ୍କାର କରି କହିଥିଲା : ‘ଇଏତ ଆମରି ଘର କଥା । ତୁମ ବାପପୁଅର ଝଗଡ଼ା ହେବା କଥା । ତାଙ୍କ ପ୍ରେମିକା ଫେଲିସକୁ କାଫ୍‌କା ଗୋଟେ ଚିଠିରେ ଲେଖିଥିଲେ- I am literature. ସାହିତ୍ୟ କେବେ ବାହା ହୁଏନି । ମୁଁ ନିଜେ ସାହିତ୍ୟ ହୋଇ ତୁମକୁ କେମିତି ବାହା ହେବି ?

ସାହିତ୍ୟ ପ୍ରତି ତାଙ୍କର କିଛି ଅନୁରାଗ ନାହିଁ । କାରଣ ସେ ନିଜେ ସାହିତ୍ୟଭାବେ ଗଢ଼ାବୋଲି କହିଛନ୍ତି । କାଫ୍‌କା ପୁଣି ଲେଖିଛନ୍ତି ତାଙ୍କ ଡାଇରୀରେ ଯେ ଲେଖିବା ହେଉଛି ମୃତ୍ୟୁଠାରୁ ଗଭୀରତର ନିଦ୍ରା । ସ୍ୱପ୍ନବତ୍ ଭିତର ଜୀବନକୁ କାଫ୍‌କା ସଫଳତାର ସହିତ ତାଙ୍କ ସାହିତ୍ୟରେ ରୂପ ଦେଇଛନ୍ତି ।

ମଣିଷ ବଞ୍ଚୁଥିବା ଜୀବନକୁ ଅସ୍ତିତ୍ୱବାଦୀ ଲେଖକମାନେ ସେମାନଙ୍କ ଲେଖାର କେନ୍ଦ୍ର କରିଛନ୍ତି । ସାର୍ତ୍ତ୍ରେ ମରିବା ପୂର୍ବରୁ କହିଥିଲେ - ‘ମୁଁ ସବୁ କଥା କହିସାରିଛି ।' ସେ ସାର୍ତ୍ତ୍ରେପାଇଁ ମୁଁ ମୋ ଲେଖାକୁ ମାଧ୍ୟମ କରିଛି ।

ଜର୍ମାନ୍ କବି ରିଲକେଙ୍କ ବାସନା ଥିଲା ଜାଣେ ନିଚ୍ଛକ କବି ପରି ଜୀବନଯାପନ କରିବା ଓ ଏକମାତ୍ର ସ୍ୱପ୍ନ ଥିଲା ଜଣେ ଖାଣ୍ଟି କବିର ମୃତ୍ୟୁକୁ ଉପଭୋଗ କରିବା । ଭ୍ରମଣ ତାଙ୍କର ଅଦ୍ଭୁତ ନିଶା ଥିଲା । ତାହା ତାଙ୍କ ଲେଖାରୁ ସବୁ ଜଣାପଡ଼େ ।

କବି ଓ ଲେଖକମାନେ କେତେ ଅଧିକରୁ ଅଧିକ ସେମାନଙ୍କ ଲେଖାରେ ଆପଣା ଜୀବନକୁ ଅଭିବ୍ୟକ୍ତ କରିଛନ୍ତି ତା'ର ଉଦାହରଣ ଯଥେଷ୍ଟ ।

ଜଣେ ଲେଖକ କେଉଁ ବିଶ୍ୱାସ, କେଉଁ ମୂଲ୍ୟବୋଧକୁ ନେଇ ଜୀବନ ବଞ୍ଚିଥିଲା ଆଉ କେଉଁ ପ୍ରେମରେ ମସଗୁଲ ହୋଇ ରହିଥିଲା, ତାହା ଯଦି ତା ଲେଖାରେ ପ୍ରତିବଦ୍ଧ ହୋଇପାରିଛି, ତା'ଠାରୁ ଅଧିକ ସାର୍ଥକତା ଆଉ କ'ଣ ? ଏହା ଜାଣିବା ଅତି ଜରୁରୀ ।

ସୌନ୍ଦର୍ଯ୍ୟଶାସ୍ତ୍ରୀ କ୍ରୋଚେ ଥରେ କହିଥିଲେ : ସୌନ୍ଦର୍ଯ୍ୟ ବସ୍ତୁରେ ନାହିଁ, ଅଛି ଦେଖୁଥିବା ଲୋକର ଆଖିରେ । କବି-ଲେଖକଙ୍କ ସ୍ୱପ୍ନ ଓ କଳ୍ପନାରେ ହିଁ ଅମାପ ସୁନ୍ଦରପଣ ଓ ପୁଣ୍ୟ ଆଦର୍ଶ ଭରି ରହିଛି ଯାହାର ପ୍ରକାଶକ୍ଷେତ୍ର ହେଉଛି ସାହିତ୍ୟ । ସାହିତ୍ୟ ପାଠରେ ଆଗେ ଲେଖା ଓ ଲେଖକଙ୍କ ଆପେକ୍ଷିକ ସମ୍ବନ୍ଧକୁ ଉପଲବ୍‌ଧି କରିପାରିଲେ ତାହା ସବୁମତେ ଅଧିକ ଅର୍ଥପୂର୍ଣ୍ଣ ହୋଇପାରିବ ।

•••

 

Unknown

ଶ୍ରୀ ଜୟଦେବ ଓ ଗୀତଗୋବିନ୍ଦ

ଡକ୍ଟର ଅର୍ଚ୍ଚନା ନାୟକ

 

ସବୁ କାଳର ସାହିତ୍ୟରେ ପ୍ରେମ ଓ ଶୃଙ୍ଗାର ନାନା ବିଚିତ୍ର ବର୍ଣ୍ଣବିଳାସ ମଧ୍ୟରେ ଆତ୍ମପ୍ରକାଶ କରିଛି । ଭାରତୀୟ ସାହିତ୍ୟର ସର୍ବପ୍ରାଚୀନ ରୂପ ବୈଦିକ ରଚନାରେ ପୁରୁରବା ଓ ଉର୍ବଶୀଙ୍କ ପ୍ରସଙ୍ଗରୁ ଆରମ୍ଭ କରି ପାଲି, ପ୍ରାକୃତ ଓ ସଂସ୍କୃତ ସାହିତ୍ୟରେ ଲିଖିତ କାବ୍ୟ, ରୂପକ, ଶତକ ଓ ଅଜସ୍ର ଗାଥା ମଧ୍ୟରେ ପ୍ରେମ ଓ ଶୃଙ୍ଗାରର ରସସିକ୍ତ ଅଭିବ୍ୟକ୍ତି ଘଟିଛି । ଏସବୁ କାବ୍ୟ ପରମ୍ପରା ପ୍ରତି ଲକ୍ଷ୍ୟ କଲେ ଜଣାଯାଏ ମଣିଷର ସାଧାରଣ ପ୍ରେମାନୁଭୂତିର ଚିତ୍ର ଏଥିରେ ପ୍ରକାଶିତ ହୋଇଛି । କାବ୍ୟକାରମାନେ ଦେହ ଓ ଆତ୍ମାକୁ ମିଳିତ ଭାବରେ ଗ୍ରହଣ କରିଥିଲେ ମଧ୍ୟ ଦେହ ଉପରେ ହିଁ ପ୍ରାଧାନ୍ୟ ଦେଇଛନ୍ତି । ଫଳରେ ଏ ସମସ୍ତ ରଚନାରେ ମହାର୍ଘ ସୂକ୍ଷ୍ମ ଅନୁଭୂତି କାମ ଶୃଙ୍ଗାରରେ ପରିଣତ ହୋଇଛି ଏବଂ ନାରୀ ଦେହର କାମୋଦ୍ଦୀପକ ବର୍ଣ୍ଣନାରେ ଚିତ୍ରିତ ହୋଇଛି କାବ୍ୟରୂପ । କାବ୍ୟଜଗତର ପ୍ରକୃତି ମଧ୍ୟ ମାନବିକ ଭାବାବେଗର ସଂବାହକ ଭାବରେ ଶୃଙ୍ଗାରିକ ରୂପ ଧାରଣ କରିଛି ।

 

ସାଧାରଣ ନରନାରୀ ପରିବର୍ତ୍ତେ ଉପାସ୍ୟ ଦେବତାଙ୍କର ଲୀଳାବିଳାସର ବର୍ଣ୍ଣନାରେ ମଧ୍ୟ ଭକ୍ତି ଓ ଶୃଙ୍ଗାର ରସର ଏକାତ୍ମତା ସଂଘଟିତ ହୋଇଯାଇଛି । ବିଶେଷ ଭାବରେ କୃଷ୍ଣଲୀଳା ସମ୍ପର୍କିତ ରଚନାମାନର ଆଧ୍ୟାତ୍ମିକ ମୂଲ୍ୟ ଯାହାହେଉନା କାହିଁକି ରସସାହିତ୍ୟରେ ତା'ର ରହିଛି ବିଶେଷ ଉଲ୍ଲେଖଯୋଗ୍ୟ ଭୂମିକା । ଏହି ପରମ୍ପରାର ପ୍ରଥମ ରଚନା ଭାବରେ ଲୀଳାଶୁକ ବିଲ୍ୱମଙ୍ଗଳଙ୍କର ‘କୃଷ୍ଣକର୍ଣ୍ଣାମୃତ' କାବ୍ୟଟିକୁ ଶୃଙ୍ଗାରାତ୍ମକ ରୀତି ଓ ଭକ୍ତି ତନ୍ମୟତାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତରୂପେ ଗ୍ରହଣ କରାଯାଇଛି । ଏହି ପରମ୍ପରାର ଅନ୍ୟତମ ସଫଳକୃତି ଗୀତଗୋବିନ୍ଦ- କୃଷ୍ଣଲୀଳାର ଏକ ଚମତ୍କାର କାବ୍ୟିକ ଅଭିବ୍ୟକ୍ତି ।

 

ଉତ୍କଳରେ ଦ୍ୱାଦଶ ଶତକ ବେଳକୁ ଜଗନ୍ନାଥଙ୍କୁ କୃଷ୍ଣସ୍ୱରୂପ ଜ୍ଞାନ କରାଯାଉଥିଲେ ମଧ୍ୟ ରାଧାଙ୍କ ପ୍ରସଙ୍ଗ ଉଲ୍ଲେଖ ହୋଇନଥିଲା । ଭାଗବତରେ କୃଷ୍ଣଙ୍କ ମୁଖରେ ପ୍ରକାଶିତ ଉକ୍ତି ‘ଷୋଳସହସ୍ର ଗୋପନାରୀ, ମତେ ବରିଲେ ତପକରି । ମୁଁ ତାଙ୍କ ପୂରାଇବି ଆଶ ସେ ମୋ ଭକତ ବିଶ୍ୱାସ’ । ନ୍ୟାୟରେ ଗୋପାଙ୍ଗନାମାନେ ହିଁ ଥିଲେ କୃଷ୍ଣନାୟିକା । କିନ୍ତୁ ଜୟଦେବ ତାଙ୍କର ଗୀତଗୋବିନ୍ଦରେ ଗୋପୀମାନଙ୍କ ସହିତ ମୁଖ୍ୟନାୟିକାରୂପେ ଗ୍ରହଣ କରିଛନ୍ତି ରାଧାଙ୍କୁ । ରାଧା ଓ ଲକ୍ଷ୍ମୀଙ୍କୁ ଅଭିନ୍ନ ମନେ କରାଯାଇଥିବାରୁ ଗୀତଗୋବିନ୍ଦରେ ମାଧବ ବା ଲକ୍ଷ୍ମୀପତି ନାରାୟଣଙ୍କୁ ରାଧାଙ୍କ ସହିତ ଯୋଡ଼ି ଦିଆଯାଇଛି । ଦ୍ୱାଦଶ ଶତକରୁ ହିଁ ବଡ଼ ମନ୍ଦିରରେ ମାହାରୀ ବା ଦେବଦାସୀମାନେ ପ୍ର୍‌ତ୍ୟହ ଗୀତଗୋବିନ୍ଦ ଗାନକରି ଜଗନ୍ନାଥଙ୍କ ମନୋରଞ୍ଜନ ସେବାକର୍ମ କରିଆସୁଥିଲେ ।

 

କେତେକ ସାହିତ୍ୟ ସମାଲେଚକଙ୍କ ମତରେ ଗୀତଗୋବିନ୍ଦ ଏକ ଗ୍ରାମ୍ୟରୂପକ, କାହାମତରେ ଏହା ଏକ ଗୀତିକାବ୍ୟ ବା ଗୀତିକାବ୍ୟ ଓ ନାଟକର ଏକ ମଧ୍ୟବର୍ତ୍ତୀ ସୃଷ୍ଟି । ଆଠ ଆଠ ପଦରେ ଏହା ରଚିତ ହୋଇଥିବାରୁ ଏହାକୁ ଅଷ୍ଟପଦୀ ମଧ୍ୟ କୁହାଯାଏ । ଏହି ମୁକ୍ତକ କାବ୍ୟଟିରେ ସଙ୍ଗୀତ, ଗଦ୍ୟ ଓ ପଦର ମଞ୍ଜୁଳ ସମାବେଶ ଘଟିଛି ।

 

ଗୀତଗୋବିନ୍ଦର କଥାବସ୍ତୁ କବି ଭାଗବତ, ବ୍ରହ୍ମବୈବର୍ତ୍ତ ପୁରାଣ ଓ ହରିବଂଶ ପ୍ରଭୃତି ଗ୍ରନ୍ଥରୁ ଗ୍ରହଣ କରିଛନ୍ତି । ସଂସ୍କୃତ ଭାଷାରେ ରଚିତ ଅନ୍ୟାନ୍ୟ କାବ୍ୟସମୂହରେ ଯେପରି ବିବିଧ ଘଟଣା, ବହୁ ଚରିତ୍ର ଓ ବିଭିନ୍ନ ରସର ସମାବେଶ ଘଟିଥାଏ, ତାହା ଏହି କାବ୍ୟରେ ଦେଖାଯାଏ ନାହିଁ । ଏଥିରେ ରାଧାକୃଷ୍ଣଙ୍କର ମିଳନ, କୃଷ୍ଣଙ୍କର ଅନ୍ୟ ନାରୀ ପ୍ରତି ଆସକ୍ତିଜନିତ ରାଧାଙ୍କର ଅଭିମାନ ଓ କୃଷ୍ଣଙ୍କର ରାଧାଙ୍କର ମାନଭଞ୍ଜନ ପ୍ରଭୃତି କେଇଟି ମାତ୍ର ଘଟଣା ଉପରେ କାବ୍ୟର ବିଷୟବସ୍ତୁ ଆଧାରିତ ହୋଇଛି । ବସନ୍ତ ଋତୁର ଆଗମନରେ ଧରଣୀ ସୁଶୋଭିତା ହୋଇଉଠିଛି ବିଚିତ୍ରବର୍ଣ୍ଣା ପୁଷ୍ପସମୂହରେ । ଧୀର ସୁଗନ୍ଧିତ ମଳୟ ସମୀରଣର ସଂଚାର, କୋକିଳର କୁହୁ କୁହୁ ଧ୍ୱନି, ବିହଙ୍ଗକୁଳର କାକଳି ଓ ମଧୁପର ଗୁଞ୍ଜନରେ ଆମୋଦିତ ହୋଇଉଠିଛି ବନଭୂମି । କୃଷ୍ଣମିଳନ କାମନାରେ ଗୋପପୁରର ନାରୀମାନେ ଉତ୍କଣ୍ଠିତ ହୋଇ କୁଞ୍ଜବନକୁ ଧାଇଁ ଆସିଛନ୍ତି । କୃଷ୍ଣପ୍ରିୟା ରାଧାଙ୍କ ପ୍ରାଣ କୃଷ୍ଣମିଳନ ଲାଗି ବ୍ୟାକୁଳ ହୋଇଉଠିଛି ଓ ପ୍ରିୟତମକୁ ସନ୍ଧାନ କରି କରି ସେ ପହଞ୍ଚିଛନ୍ତି କୁଞ୍ଜବନରେ । ଅଥଚ ବହୁ ନାରୀଙ୍କ ଗହଣରେ କୃଷ୍ଣ ମୁଗ୍‌ଧ ବିହ୍ୱଳ ହୋଇ କେଳି କରୁଥିବାର ଦେଖି ସେ ଅଭିମାନରେ ଫେରି ଆସିଛନ୍ତି । କୃଷ୍ଣଙ୍କର ଶଠତା,ପ୍ରବଞ୍ଚନା ତାଙ୍କ ହୃଦୟରେ ମର୍ମାନ୍ତିକ ପୀଡ଼ା ସୃଷ୍ଟି କଲେବି ସେଇ ଶଠ ପ୍ରେମିକଙ୍କର ସ୍ମୃତିକୁ ସେ ମନରୁ ଦୂର କରିପାରିନାହାନ୍ତି । ବରଂ ତାଙ୍କ ସହିତ ମିଳିତ ହେବାର ଆକାଂକ୍ଷା ରାଧାଙ୍କ ମନରେ ତୀବ୍ର ହୋଇଉଠିଛି । ବିରହିଣୀ ରାଧା ତାଙ୍କର ମାନସିକ ଅବସ୍ଥାକୁ ତାଙ୍କର ପ୍ରିୟସଖୀ ନିକଟରେ ବ୍ୟକ୍ତ କରି ଦେଇଛନ୍ତି । ଗୋପାଙ୍ଗନାଙ୍କ ମେଳରେ ରାସକ୍ରୀଡ଼ାରତ କୃଷ୍ଣଙ୍କ ମନରେ ହଠାତ୍ ଜାଗ୍ରତ ହୋଇଛି ରାଧାଙ୍କର ସ୍ମୃତି । ତାଙ୍କର ବିରହବ୍ୟଥା ସବୁ ଆନନ୍ଦକୁ ବଳିପଡ଼ିଛି । ଦୂତୀ ମୁଖରୁ ଶ୍ରୀମତୀଙ୍କର ବିରହ ବେଦନା, ମାନସିକ ଓ ଶାରୀରିକ କ୍ଳେଶର ବିବରଣୀ ଶ୍ରବଣ କରି ବ୍ରଜସୁନ୍ଦର, ରାଧାଙ୍କ ସହିତ ମିଳନର ବ୍ୟବସ୍ଥା କରିବାପାଇଁ ଦୂତୀ ନିକଟରେ ସବିନୟ ନିବେଦନ କରିଛନ୍ତି ।

 

ଦୂତୀ ନିକଟରୁ କୃଷ୍ଣଙ୍କର ଆଗ୍ରହ କଥା ଜାଣିବା ପରେ ରାଧା କପଟ ଉଦାସୀନତା ପ୍ରକାଶ କରିଛନ୍ତି ସତ, କିନ୍ତୁ କୃଷ୍ଣଙ୍କ ସହ ମିଳନ ଆକାଂକ୍ଷାରେ କୁଞ୍ଜବନରେ ବାସକସଜ୍ଜା ନାୟିକା ରାଧା ଚରମ ଉତ୍କଣ୍ଠାରେ କୃଷ୍ଣଙ୍କ ଆଗମନକୁ ପ୍ରତୀକ୍ଷା କରିଛନ୍ତି । ଆକାଶରେ ଚନ୍ଦ୍ର ଉଦିତ ହ୍ରୁଅନ୍ତି, ବୃନ୍ଦାବନର ଶ୍ୟାମଳଶ୍ରୀ ଜ୍ୟୋତ୍ସ୍ନାରେ ପରିପ୍ଳାବିତ ହୋଇ ଅପୂର୍ବ ଶୋଭା ଧାରଣ କରେ । ରାତ୍ରି ଘନରୁ ଘନ ହୁଏ । ଅଥଚ କୃଷ୍ଣ ଆସନ୍ତି ନାହିଁ । ରାଧାଙ୍କର ଅପେକ୍ଷା ବ୍ୟର୍ଥ ହୋଇଯାଏ । ଘନଶ୍ୟାମ ଅନ୍ୟ କେଉଁ ନାରୀର ବାହୁବନ୍ଧନରେ ଥିବାର ଆଶଙ୍କା କରି ରାଧା ଶଙ୍କାକୁଳ ହୋଇଉଠନ୍ତି । ଅଭିମାନରେ ହୃଦୟ ବିଦୀର୍ଣ୍ଣ ହୋଇଯାଏ । ସେହି ଶଠ ପ୍ରଣୟୀର ମୁହଁ ନ ଚାହିଁବାପାଇଁ ସେ ମନେ ମନେ ଶପଥ କରିପକାନ୍ତି ; କିନ୍ତୁ ଶ୍ୟାମ ଚିନ୍ତାରୁ ତାଙ୍କର ମୁକ୍ତି କାହିଁ !

 

ଉପେକ୍ଷିତା, ଖଣ୍ଡିତା ନାୟିକା ରାଧା ହଠାତ୍ ରାତି ପାହି ଆସୁଥିବାବେଳେ ଶ୍ୟାମଙ୍କୁ ଦେଖନ୍ତି ତାଙ୍କ କୁଞ୍ଜରେ । କୃଷ୍ଣଙ୍କର ସର୍ବାଙ୍ଗରେ ଅନ୍ୟ ନାରୀ ସମ୍ଭୋଗର ଚିହ୍ନ ତାଙ୍କ ଦୃଷ୍ଟିକୁ ଏଡ଼ାଇଯାଏ ନାହିଁ । ପ୍ରଚଣ୍ଡ କ୍ରୋଧରେ ରାଧା କୃଷ୍ଣଙ୍କର ଏ ପ୍ରକାର ଲଜ୍ଜାହୀନ ଆଚରଣ ଲାଗି ତାଙ୍କୁ ଉର୍ତ୍ସନା କରିବା ସଙ୍ଗେ ତାଙ୍କୁ କୁଂଜରୁ ଦୂରକୁ ବିତାଡିତ କରିଦେଇଛନ୍ତି । ମଦନପୀଡ଼ିତା, ରତିସୁଖବଞ୍ଚିତା ଓ କଳହନ୍ତରିତା ରାଧାଙ୍କୁ ସଖୀ ପ୍ରବୋଧନା ଦେବା ସଙ୍ଗେ ସଙ୍ଗେ କୃଷ୍ଣ ପୁଣି ଫେରିଆସିଲେ ତାଙ୍କୁ ଆଦରରେ ଗ୍ରହଣ କରିବାପାଇଁ ପରାମର୍ଶ ଦେଇଛି ।

 

ସଖୀର କଥା ମାନି ପ୍ରଦୋଷ କାଳରେ ରାଧା ଅଭିସାରିକା ବେଶରେ କୃଷ୍ଣଙ୍କ ନିକଟକୁ ଗମନ କରିଛନ୍ତି । ପ୍ରିୟତମାର ମାନଭଂଜନ ଲାଗି କୃଷ୍ଣ ସକଳପ୍ରକାର ଚାଟୁବାଣୀ ପ୍ରକାଶ କରିଛନ୍ତି ଓ ଶେଷରେ ରାଧାଙ୍କ ନିକଟରେ ‘ଦେହି ପଦ ପଲ୍ଳବ ମୁଦାରମ୍‌' ପରି ସ୍ତୁତିବାକ୍ୟ କହି ତାଙ୍କୁ ରତିଦାନପାଇଁ ସମ୍ମତ କରିଛନ୍ତି । କୃଷ୍ଣାଭିଳାଷିଣୀ ରାଧା ନିଜର ଅଙ୍ଗୀକାର ଦେବାରେ ଆଉ ଅଧିକ ବିଳମ୍ବ କରିନାହାନ୍ତି । କାମଶାସ୍ତ୍ରରେ ଚର୍ଚ୍ଚିତ ରତିକ୍ରିୟାର ସକଳ ରୀତି ଅନୁଷ୍ଠିତ ହୋଇଯାଇଛି ଦୁହିଁଙ୍କ ମଧ୍ୟରେ । ଶେଷରେ ରତିକ୍ଳାନ୍ତ ରାଧାଙ୍କ ଅନୁରୋଧରେ କୃଷ୍ଣ ରତିକାଳରେ ରାଧାଙ୍କର ଅଙ୍ଗଚ୍ୟୁତ ଅଳଙ୍କାର ଓ ବସ୍ତ୍ରଭୂଷଣରେ ପୁଣି ତାଙ୍କୁ ସଜାଇ ଦେଇଛନ୍ତି ।

 

ଏହିଠାରେ କାବ୍ୟର ଉପସଂହାର କରିଛନ୍ତି କବି । ଏକ ବୈଚିତ୍ର‌୍ୟହୀନ କଥାବସ୍ତୁକୁ ପ୍ରେମିକା ନାରୀର ମାନସିକ ଉଦ୍‌ବେଳନ, ଉତ୍କଣ୍ଠା, ଆଶାନିରାଶା, ବିଷାଦ, ବିଳାପ, ଅଭିମାନ ଓ ଅଧୀରତାର ଚମତ୍କାର ଚିତ୍ର ଦେବା ସଙ୍ଗେ ଅଷ୍ଟନାୟିକାରସୋର ବିଭିନ୍ନ ବିଭାବର ମନୋଜ୍ଞ ବର୍ଣ୍ଣର୍ନା କରି କାବ୍ୟଟିକୁ ନାଟକୀୟ କରିବା ସଙ୍ଗେ ରସୋତ୍ତୀର୍ଣ୍ଣ କରିପାରିଛନ୍ତି । ଦୀର୍ଘ ସମାସ ଓ ବହୁ ଅଳଙ୍କାର ପ୍ରୟୋଗ ପରିବର୍ତ୍ତେ ସରଳ ତରଳ କାନ୍ତ କୋମଳ ପଦାବଳୀ ମାଧ୍ୟମରେ କରାଯାଇଥିବା ବର୍ଣ୍ଣନା ପାଠକର ଅଧିକ ହୃଦୟଗ୍ରାହୀ ହୋଇପାରଛି । ବିଷୟବସ୍ତୁର ନାଟକୀୟ କ୍ରମ ଅଗ୍ରଗତି, ଲଳିତ ଶବ୍ଦସଂଯୋଜନା ଓ କାଳଜୟୀ ସାଙ୍ଗୀତିକତା ଉକ୍ତ କାବ୍ୟକୁ ଏକ ଅନନ୍ୟ ସାରସ୍ୱତ ସଂପଦରେ ପରିଣତ କରିଛି ।

 

ଏହି ଗୀତିକାବ୍ୟଟିରେ ମାଳବ ରାଗରେ ରଚିତ ଦଶାବତାର ବର୍ଣ୍ଣନା ଏକ ଉଲ୍ଲେଖଯୋଗ୍ୟ ଦିଗ । ଏଥିରେ କୌଣସି ନିର୍ଦ୍ଦିଷ୍ଟ ଧର୍ମମତବାଦର ସଂକୀର୍ଣ୍ଣତା ପ୍ରକାଶ ପାଇବା ପରିବର୍ତ୍ତେ ଏକ ଉଦାର ବ୍ୟାପକ ଦୃଷ୍ଟିକୋଣରୁ ଈଶ୍ୱରୀୟ ମହିମାର ପ୍ରଖ୍ୟାପନ କରାଯାଇଛି ।

 

ଉକ୍ତ କାବ୍ୟରେ କବିଙ୍କର ବସନ୍ତ ବର୍ଣ୍ଣନା, ରୂପଚର୍ଯ୍ୟା ଓ ପରିବେଶ ଚିତ୍ରଣରେ ବର୍ଣ୍ଣନାବିଳାସର ଚମତ୍କାରିତା ପ୍ରକାଶ ପାଇଛି । କାବ୍ୟ ପରମ୍ପରାରେ କୃଷ୍ଣଙ୍କର ବସନ୍ତରାସ ବର୍ଣ୍ଣନାର ପ୍ରଥମ ପ୍ରବର୍ତ୍ତନ କବି ଜୟଦେବ । ଭାଗବତ ଓ ପଦ୍ମପୁରାଣ ପ୍ରଭୃତି ଅନ୍ୟାନ୍ୟ ବୈଷ୍ଣବ ଗ୍ରନ୍ଥରେ ଶରତରାସ ପ୍ରସଙ୍ଗ ବର୍ଣ୍ଣିତ ହୋଇଥିବାବେଳେ କବି ଜୟଦେବ ବସନ୍ତ ଋତୁକୁ ହିଁ ରସଶେଖରଙ୍କର ରାସକ୍ରୀଡ଼ାପାଇଁ ଉପଯୁକ୍ତ ମନେ କରିଛନ୍ତି । ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ‘ମାସାନାଂ ମାର୍ଗଶୀଷୋଽହଂ ଋତୁନାଂ କୁସୁମାକରଃ ।’ ଏହି ଋତୁ ପ୍ରକୃତିକୁ ଦିଏ ଅପୂର୍ବ କାନ୍ତି ଅଭିନବ ରୂପ ସମ୍ପଦ । ଜଳ-ସ୍ଥଳ-ଆକାଶରେ ଖେଳିଯାଏ ସୌନ୍ଦର୍ଯ୍ୟର ମଧୁର ଲହରୀ । ବସନ୍ତ କାଳରେ ମଦନ ପୂଜା ସହିତ ଶୃଙ୍ଗାରିକ ଭାବନା ସମ୍ପର୍କିତ ଥିବାରୁ ଏହି ଋତୁ ହିଁ ରାଧାକୃଷ୍ଣଙ୍କର ମିଳନ ଲାଗି ଊତ୍କୃଷ୍ଟ କାଳରୂପେ ବିବେଚିତ ହୋଇଛି ।

 

ଋତୁରାଜ ବସନ୍ତର ଆଗମନରେ ରାଧାଙ୍କର ମାନସିକ ଚଞ୍ଚଳତା ବୃଦ୍ଧି ପାଇଛି । କୃଷ୍ଣଙ୍କର ଘନସାନ୍ନିଧ୍ୟ ଲାଭ କରିବାପାଇଁ ସେ ଅଧୀର ଭାବରେ ଘୋର ବନ ମଧ୍ୟରେ ତାଙ୍କୁ ସନ୍ଧାନ କରି ଚାଲିଛନ୍ତି । ଏହି ସମୟରେ ଜନୈକା ସଖୀ ରାଧାଙ୍କୁ ଏକ ଅଭିନବ ଦୃଶ୍ୟ ଦେଖାଇବାପାଇଁ ବୃନ୍ଦାବନର ଅଭ୍ୟନ୍ତରକୁ ଡାକି ନେଇଯାଇଛି ଓ କହିଛି-

 

‘ଲଳିତଲବଙ୍ଗଲତା ପରିଶୀଳନ କୋମଳ ମଳୟ ସମୀରେ

ମଧୁକରନିକର କରଂବିତ କୋଳିଳ କୂଜିତ କୁଂଜକୁଟୀରେ,

ବିହରତି ହରିରିହ ସରସ ବସନ୍ତେ,

ନୃତ୍ୟତି ଯୁବତିଜନେନ ସମଂ ସଖି ବିରହିଜନସ୍ୟ ଦୂରନ୍ତେ ।'

 

ଅର୍ଥାତ୍‌, ଦେଖ ସଖୀ ମଳୟ ସମୀର ଦକ୍ଷିଣ ଦିଗରୁ ଧୀରେ ଧୀରେ ପ୍ରବାହିତ ହୋଇ ଲଳିତ ଲବଙ୍ଗଲତାର କୋମଳ ତନୁକୁ କିପରି ଆଦରରେ ଆଲିଙ୍ଗନ କରୁଛି । ମଧୁପର ଗୁଞ୍ଜନ ଓ କୋକିଳର କୁହୁ କୁହୁ ତାନରେ କୁଞ୍ଜବନ ମୁଖରିତ ହୋଇଉଠୁଛି । ଏହି ନବବସନ୍ତ କାଳରେ ନନ୍ଦସୁତ ଯୁବତୀମାନଙ୍କ ସହିତ ରାସକ୍ରୀଡ଼ାରେ ବିଭୋର ହୋଇଛନ୍ତି । କେବଳ ବିରହୀ ଜନମାନେ ସନ୍ତାପିତ ହୁଅନ୍ତି ।

 

ବାସ୍ତନ୍ତିକ ପ୍ରକୃତିର ବର୍ଣ୍ଣନା କରିବାକୁ ଯାଇ କବିଙ୍କର ଶୃଙ୍ଗାରିକ ଭାବନାର ପ୍ରକାଶ ମୁଖ୍ୟତଃ ଘଟିଛି । ଏହି ମଧୁମାସକୁ କୃଷ୍ଣଙ୍କର ରାସକ୍ରୀଡ଼ାର ଉପଯୁକ୍ତ ସମୟ ମନେକରି ବସନ୍ତ ରାସର ପରିର୍ତ୍ତନ କରିଥିବା କବି ଜୟଦେବଙ୍କୁ ପରବର୍ତ୍ତୀ କାଳରେ ଓଡ଼ିଶା କବିମାନେ ବହୁଭାବରେ ଅନୁସରଣ କରିଛନ୍ତି । ପଞ୍ଚଦଶ ଶତାବ୍ଦୀରେ ଓଡ଼ିଆ ସାହିତ୍ୟର ଆଦିକବି ସାରଳା ଦାସ ତାଙ୍କର ମହାଭାରତରେ ଯେଉଁ ବସନ୍ତ ରାସର ବର୍ଣ୍ଣନା କରିଛନ୍ତି ତାହା ଗୀତଗୋବିନ୍ଦର ପ୍ରଭାବବୋଲି ନିଃସନ୍ଦେହରେ କୁହାଯାଇପାରେ । ପରେ ଦେବଦୁର୍ଲଭ ଦାସଙ୍କର ‘ରହସ୍ୟମଂଜରୀ' କାବ୍ୟରେ ଓ ଅନ୍ୟାନ୍ୟ ମଧ୍ୟଯୁଗୀୟ ଓଡ଼ିଆ କାବ୍ୟରେ ବସନ୍ତ ରାସର ବିପୁଳ ବର୍ଣ୍ଣନା ଦେଖିବାକୁ ମିଳେ ।

 

ସଂସ୍କୃତ ସାହିତ୍ୟର ପରମ୍ପରାରେ ନାୟକନାୟିକାଙ୍କର ରୂପଚର୍ଯ୍ୟା ବହୁ ବର୍ଣ୍ଣିଳ ଧାରାରେ ଚିତ୍ରିତ ହୋଇଛି । ମହାଭାରତ ରାମାୟଣରେ ନାରୀ ପୁରୁଷର ଶରୀର ଶୋଭାର ଯେଉଁ ବର୍ଣ୍ଣନା କରାଯାଇଥିଲା ତାହା କ୍ରମେ କାଳିଦାସ ଓ ଶ୍ରୀହର୍ଷ ପ୍ରଭୃତିଙ୍କ ଲେଖନୀରେ ଅଧିକ ସୂକ୍ଷ୍ମ ଓ ସୌନ୍ଦର୍ଯ୍ୟଗ୍ରାହୀ ହୋଇଉଠିଛି । ପୁରୁଷର ସୌନ୍ଦର୍ଯ୍ୟ, ନାରୀର ଅଙ୍ଗଶୋଭା, ଗତି, ଭଙ୍ଗୀ ଓ କଟାକ୍ଷ ପ୍ରଭୃତିର ଚମତ୍କାର ବର୍ଣ୍ଣର୍ନା କାବ୍ୟରେ ବହୁଭାବରେ କରାଯାଇଛି । ଜୟଦେବ ସେହି ପରମ୍ପରାର ବ୍ୟତିକ୍ରମ ନୁହନ୍ତି । ଗୀତଗୋବିନ୍ଦ କାବ୍ୟରେ ଲଳିତ ପଦାବଳୀ ମାଧ୍ୟମରେ କୃଷ୍ଣଙ୍କର ବିମୋହନ ରୂପମାଧୁରୀ ଯେପରି ଚିତ୍ରିତ ହୋଇଛି ସେହିପରି ରାଧାଙ୍କ ରୂପର ଭୂୟସୀ ବର୍ଣ୍ଣନାରେ ମୁଖରିତ ହୋଇଛି ।

 

କୃଷ୍ଣଙ୍କର ରୂପ ବର୍ଣ୍ଣନାରେ କବିଙ୍କର ପାରଦର୍ଶିତା ବିଶେଷ ଭାବରେ ଲକ୍ଷଣୀୟ । ବୃନ୍ଦାବନରେ ବସନ୍ତରାସରେ ନିମଜ୍ଜିତ କୃଷ୍ଣଙ୍କର ମନୋହର ରୂପର ଚିତ୍ର ଦେବାକୁ ଯାଇ କବି ଲେଖିଛନ୍ତି-

 

‘ଚନ୍ଦନଚର୍ଚ୍ଚିତ ନୀଳ କଳେବର ପୀତବସନ ବନମାଳୀ

କେଳିଚଳନ୍ମଣି କୁଣ୍ଡଳମଣ୍ଡିତ ଗଣ୍ଡଯୁଗ । ସ୍ମିତଶାଳୀ

ହରିରିହ ମୁଗ୍‌ଧବଧୂ ନିକରେ

ବିଳାସିନୀ ବିଳସତି କେଳିପରେ ।

 

ଅର୍ଥାତ୍‌- ଚନ୍ଦନରେ ଚିତ୍ରିତ ସୁନ୍ଦର ନୀଳତନୁ କୃଷ୍ଣଙ୍କର କଟୀଦେଶରେ ଶୋଭାପାଉଛି ପୀତବସ୍ତ୍ର, ଗଳାରେ ବନମାଳା, କର୍ଣ୍ଣରେ କୁଣ୍ଡଳର ଦ୍ୟୁତି ଝଟକି ଉଠୁଛି । ଶ୍ରୀପତି କୃଷ୍ଣ ବିମୋହିତ ଗୋପାଙ୍ଗନାଙ୍କ ସଙ୍ଗରେ ବୃନ୍ଦାବନରେ ନାନାରଙ୍ଗରେ କେଳି କରୁଛନ୍ତି ।

 

ଚନ୍ଦକ ଚାରୁ ମୟୂର ଶିଖଣ୍ଡକ ମଣ୍ଡଳ ବଳୟିତ କେଶମ୍

ପ୍ରଚୁରପୁରନ୍ଦର ଧନୁରନୁଞ୍ଜିତମେଦୁରମୁଦିର ସୁବେଶମ୍ ।

 

ଅର୍ଥାତ୍‌- କୃଷ୍ଣଙ୍କର ମୟୂର ଚନ୍ଦ୍ରିକାରେ ଶୋଭିତ କେଶଗୁଚ୍ଛକୁ ଦେଖି ମନେ ହେଉଛି ସତେ ଯେପରି ନବୀନ ନୀରଦ ଅଙ୍ଗରେ ସପ୍ତରଙ୍ଗୀ ଇନ୍ଦ୍ରଧନୁ ଶୋଭାପାଉଛି ।

 

ନାଟ୍ୟଶାସ୍ତ୍ରରେ ତିନିପ୍ରକାର ଶୃଙ୍ଗାରର ବର୍ଣ୍ଣନା କରାଯାଇଛି । ଧର୍ମଶୃଙ୍ଗାର ଅର୍ଥଶୃଙ୍ଗାର ଓ କାମଶୃଙ୍ଗାର । ଏହି କାବ୍ୟରେ କାମଶୃଙ୍ଗାର ହିଁ ମୁଖ୍ୟତଃ ବର୍ଣ୍ଣିତ ହୋଇଛି । ପ୍ରେମ ଅପେକ୍ଷା ଉପଭୋଗ ସର୍ବସ୍ୱତା ଏଠାରେ ପ୍ରକାଶ ପାଇଛି ଓ ବିରହ କେବଳ ଦେହ ମିଳନର ଆକାଂକ୍ଷାରେ ଜର୍ଜରିତ ହୋଇଛି । ଶୃଙ୍ଗାର ବର୍ଣ୍ଣନାରେ ସାଧାରଣ ଶାଳୀନତା ବ୍ୟାହତ ହେବା ପରି ମନେହୁଏ । କାରଣ ସୁଯୋଗ ମାତ୍ରେ ହିଁ ନାୟକନାୟିକା କାମକଳାରେ ପ୍ରବୃତ୍ତ ହୋଇଛନ୍ତି ।

 

ଅନ୍ୟତମ ବିଶିଷ୍ଟ ବୈଷ୍ଣବ ପ୍ରାମାଣିତ ଗ୍ରନ୍ଥ ଭାଗବତ (୨୯/୩୪-୩୫)ରେ ଗୋପରମଣୀଗଣ କୃଷ୍ଣଙ୍କର ମୋହନବଂଶୀର ଆହ୍ୱାନରେ ଲଜ୍ଜା, ସଂକୋଚ,ଭୟ, ସଂସ୍କାର, ଗୃହଧର୍ମ, କୁଳାଚାର ଓ ସାମାଜିକ ରୀତି ପ୍ରଭୃତିକୁ ଉପେକ୍ଷା କରି ଉନ୍ମାଦିନୀ ପରି ଧାଇଁ ଆସିଛନ୍ତି ବୃନ୍ଦାବନର ନିଭୃତ କୁଞ୍ଜକୁ । କୃଷ୍ଣପ୍ରେମରେ ଆତ୍ମବିସ୍ମୃତା ଗୋପୀଗଣ କୁହନ୍ତି-

 

‘ହେ କୃଷ୍ଣ ଆମେ ଆମର ଗୃହସ୍ଥଳୀରେ ସୁଖରେ ଥିଲୁ । ଆମର ଚିତ୍ତ ଚଞ୍ଚଳ ନଥଲା । ତୁମେ ଆମର ସେ ସୁଖ ଅପହରଣ କରିନେଇଛ । ଆମର ଯେଉଁ ପାଦ ଆଜି ଗୃହଛାଡ଼ି ତୁମପାଖକୁ ଦଉଡ଼ି ଆସିଛି ସେ ଆଉ ଫେରିଯିବାକୁ ଚାହେଁନି । ଏବେ ଆଉ ଫେରିଗଲେ ବି ଲାଭ କ'ଣ ? ତୁମର ମୃଦୁ ମଧୁର ବଂଶୀର ମନୋହର ସ୍ୱନ, ତୁମର ସ୍ମିତହାସ, ତୁମର ମନ୍ଦ ମନ୍ଦ ଦୃଷ୍ଟିର ଆନନ୍ଦ ପାଇବା ପରେ ଆମର ଆଉ ଦ୍ୱିତୀୟ ଗତି ବା କାହିଁ । ତେଣୁ ତୁମ ପ୍ରେମଦାନରେ ଅଧରର ସ୍ପର୍ଶରେ ଆମକୁ ଧନ୍ୟକର, ତୃପ୍ତ କର । ନହେଲେ ତୁମ ବିରହରେ ଦଗ୍‌ଧୀଭୂତ ଏ ଶରୀରକୁ ନେଇ ଆମେ ତୁମରି ପାଦଦ୍ୱୟର ଧ୍ୟାନରେ କାଳାତିପାତ କରିବୁ ।’

 

ଏଠାରେ ଗୋପୀ ପ୍ରେମରେ ଆତ୍ମସମର୍ପଣ ସମ୍ପୂର୍ଣ୍ଣ ହୋଇଥିବାରୁ ଶୃଙ୍ଗାର ଓ ବିରହ ଉଭୟେ ମର୍ଯ୍ୟାଦାବନ୍ତ ହୋଇଛନ୍ତି । କିନ୍ତୁ ଗୀତଗୋବିନ୍ଦରେ ପ୍ରେମର ଏହି ମର୍ଯ୍ୟାଦା, ଆତ୍ମସମର୍ପଣର ଏହି ମହନୀୟତା ଦେଖିବାକୁ ମିଳେନାହିଁ । ଏଠି ବୃନ୍ଦାବନରେ ବସନ୍ତରାସରେ ମିଳିତା ହୋଇଥିବା କେହି ଗୋପାଙ୍ଗନା କୃଷ୍ଣଙ୍କୁ ଗାଢ଼ ଆଲିଙ୍ଗନରେ ଆବଦ୍ଧ କରୁଛି ତ, କେହି ତାଙ୍କୁ ଅକୁଣ୍ଠିତ ଚୁମ୍ବନଦାନରେ ବିହ୍ୱଳ କରୁଛି ତ କେହି-

 

କେଳିକଳାକୁତୁକେନ ଚ କାଚିଦମୁଂ ଯମୁନାଜଳକୂଳେ

ମଞ୍ଜୁଳବଞ୍ଜୁଳକୁଞ୍ଜଗତଂ ବିଚକର୍ଷ କରେଣ ଦୁକୂଳେ । (୧/୪୪)

 

ଅର୍ଥାତ୍‌- କୌଣସି ଗୋପୀ ବେତସ କୁଂଜରେ କେଳିରତ ଶ୍ରୀହରିଙ୍କୁ ଦେଖି କାମତାପିତା ହୋଇ କାଳିନ୍ଦୀ ପୁଳିନରେ ତାଙ୍କର ପରିହିତ ବସ୍ତ୍ରକୁ ଆକର୍ଷିତ କରୁଛି । କୃଷ୍ଣ ମଧ୍ୟ ‘ଶ୍ଳିଷ୍ୟତି କାମପି, ଚୁମ୍ବତି କାମପି, ରମୟତି କାମପି' ରୀତିରେ ପ୍ରେମିକ ପରିବର୍ତ୍ତେ କାମୁକ ପୁରୁଷଟିଏ ପରି ମନେ ହୁଅନ୍ତି ।

 

କାବ୍ୟର ମୁଖ୍ୟନାୟିକା ରାଧାଙ୍କର କେଶଠାରୁ ପାଦନଖ ପର୍ଯ୍ୟନ୍ତ ଶୃଙ୍ଗାରିକ ବର୍ଣ୍ଣନାରେ ପୂର୍ଣ୍ଣ । ତାଙ୍କର କୃଷ୍ଣଙ୍କର ସୁଖଭୋଗ ସାଧନରୂପେ ହିଁ ବର୍ଣ୍ଣିତ । ରାଧାଙ୍କର ମଧ୍ୟ ସମ୍ଭୋଗ ଲାଳସାର ଉଗ୍ରତା ଲକ୍ଷ୍ୟ କରାଯାଏ । ପ୍ରଥମ ଅବସ୍ଥାରେ ନନ୍ଦଙ୍କର ଅନୁରୋଧ ରକ୍ଷାକରି କୃଷ୍ଣଙ୍କୁ ଘରେ ଆଣି ନିରାପଦରେ ଛାଡ଼ିବା ଅବସରରେ ଯମୁନା କୂଳରେ ତାଙ୍କ ସହିତ ରତିରଙ୍ଗରେ ମାତିବାଠାରୁ ଆରମ୍ଭକରି, ଗୋପୀଙ୍କ ସହ କେଳି କରୁଥିବା କୃଷ୍ଣଙ୍କୁ ଦେଖିବା, ପୁଣି ତାଙ୍କ ସହିତ ମିଳିତ ହେବା ଆକାଂକ୍ଷାରେ କୁଞ୍ଜରେ ଅପେକ୍ଷା କରିବା ଓ ଶେଷରେ ତାଙ୍କ ସହିତ ସମ୍ଭୋଗରେ ଲିପ୍ତ ହେବା ପର୍ଯ୍ୟନ୍ତ ସବୁ ସମୟରେ କୃଷ୍ଣଙ୍କର ଶରୀର ସାନ୍ନିଧ୍ୟ ଲାଗି ଅଧୀର ହୋଇଛନ୍ତି । ଏହି ସ୍ମରଶାସ୍ତ୍ରପଣ୍ଡିତା ନାୟିକା କୃଷ୍ଣଙ୍କର ଦର୍ଶନ ଓ ଅଦର୍ଶନ ଉଭୟ କାଳରେ କେବଳ ଦେହ ସୁଖ କାମନାରେ ବ୍ୟାକୁଳ ବିବ୍ରତ ।

 

କାବ୍ୟଟିରେ ପ୍ରେମର ଗଭୀର ମନନଶୀଳ ଅବସ୍ଥା ପରିବର୍ତ୍ତେ ସମ୍ଭୋଗ ଲୀଳା ଓ କାମୋତ୍ତେଜନାର ବିପୁଳ ରସମୟ ବର୍ଣ୍ଣନା ରହିଛି । ସେଥିପାଇଁ କବି ବୋଧହୁଏ ପ୍ରଥମରୁ ସ୍ପଷ୍ଟ କରିଦେଇଛନ୍ତି, ‘ଯଦି ହରି ସ୍ମରଣେ ସରସଂ ମନୋ, ଯଦି ବିଳାସକଳାସୁକୁତୂହଳମ୍‌' ତେବେ ମଧୁର କୋମଳ କାନ୍ତ ପଦାବଳୀରେ ରଚିତ ତାଙ୍କର କାବ୍ୟ ରସିକମାନଙ୍କର ଧ୍ୟେୟ ହେଉ । ଗୀତଗୋବିନ୍ଦରେ ବର୍ଣ୍ଣିତ ଶୃଙ୍ଗାର କଳାର ପ୍ରଶଂସା କରି ପଞ୍ଚଦଶ ଶତାବ୍ଦୀରେ ନାଭାଜୀ ଦାସ ତାଙ୍କ ‘ଭକ୍ତମାଳା' ଗ୍ରନ୍ଥରେ ଯଥାର୍ଥ ଅଭିମତ ଦେଇ କହିଥିଲେ ‘କୋକକାବ୍ୟନବରସସରସ ଶୃଙ୍ଗାର କୌ ଆଗାର' । ଏହା କାମଶାସ୍ତ୍ର, କାବ୍ୟ, ନବରସ ଓ ସରସ ଶୃଙ୍ଗାରର ଆଗାର ସ୍ୱରୂପ ।

 

ଗୀତଗୋବିନ୍ଦରେ ଅଭିମାନିନୀ ରାଧାଙ୍କର ମାନଭଞ୍ଜନପାଇଁ ରସିକ କୃଷ୍ଣ ସକଳ ପ୍ରକାର ଚାଟୁ କରିବା ପରେ ମଧ୍ୟ ପ୍ରିୟତମା ପ୍ରସନ୍ନ ନହେବାରୁ ଶେଷରେ ରାଧାଙ୍କର ପାଦତଳେ ପଡ଼ିଯାଇ କହିଛନ୍ତି-

 

ସ୍ମର-ଗରଳ-ଖଣ୍ଡନଂ ମମ ଶିରସି ମଣ୍ଡନଂ

ଦେହି ପଦ ପଲ୍ଲବ ମୁଦାରମ୍ । (୧୦/୮)

 

ଯଦିବା କବି ଅନ୍ୟତ୍ର କୃଷ୍ଣଙ୍କ ମୁଖରେ କୁହାଇଛନ୍ତି-’’ କରକମଳେନ କରୋମି ଚରଣମହମାଗମିତାସିବିଦୂରମ୍‌' (୧୨/୩) ଅର୍ଥାତ୍‌- ଦୂରପଥ ଚାଲି କୁଞ୍ଜକୁ ଆସିଥିବା ରାଧାଙ୍କର ପାଦପୀଡ଼ା ଦୂର କରିବାପାଇଁ କୃଷ୍ଣ ତାଙ୍କର ଶ୍ରୀପୟରକୁ ନିଜ କରକମଳରେ ମର୍ଦ୍ଦନ କରିବା ନିମନ୍ତେ ବିନୀତ ଅନୁରୋଧ ଜଣାଇଛନ୍ତି ।

 

ତଥାପି ଗୀତଗୋବିନ୍ଦର ‘ଦେହି ପଦପଲ୍ଲବ ମୁଦାରମ୍‌’ ଉକ୍ତିଟିକୁ ନେଇ ଓଡ଼ିଶାରେ ଏକ ଜନପ୍ରିୟ କଥା ପ୍ରଚଳିତ ଅଛି । କବି ଜୟଦେବ କାବ୍ୟ ରଚନା କ୍ରମରେ ରାଧାଙ୍କର ଦୁର୍ବାର ମାନଭଂଜନ ପ୍ରସଙ୍ଗ ବର୍ଣ୍ଣନା କରୁଥାନ୍ତି । କଥା ଦେଇ ଘନଶ୍ୟାମ ଠିକ୍ ସମୟରେ ନ ଆସିବାରୁ ରାଧା ସମଗ୍ର ରାତ୍ରି ଉଜାଗରେ ଉତ୍କଣ୍ଠିତ ହୋଇ ଅପେକ୍ଷା କରିଛନ୍ତି । ଅଥଚ ପ୍ରଭାତ କାଳରେ କୃଷ୍ଣଚନ୍ଦ୍ର ଆସି ପହଞ୍ଚିଛନ୍ତି ରତିକ୍ଳାନ୍ତ ଅବସ୍ଥାରେ । ଶରୀରରେ ପୁଣି ଅନ୍ୟନାରୀ ସମ୍ଭୋଗର ଚିହ୍ନମାନ ସ୍ପଷ୍ଟ । ପ୍ରଚଣ୍ଡ ଅଭିମାନରେ ରାଧା କୃଷ୍ଣଙ୍କର କୌଣସି ଚାଟୁବାକ୍ୟ ପ୍ରତି କର୍ଣ୍ଣପାତ କଲେନାହିଁ । ମାନଭଞ୍ଜନର ସକଳ ପ୍ରଚେଷ୍ଟା ସରିଯିବାରୁ କୃଷ୍ଟ ଅଭିମାନିନୀ ପ୍ରିୟାର ପାଦକୁ ନିଜ ମସ୍ତକରେ ଧାରଣ କରିବାକୁ ଆଗଭର ହୋଇଛନ୍ତି । କବି ଜୟଦେବଙ୍କର ବର୍ଣ୍ଣନା ଏହିଠାରେ ଅଟକିଗଲା । ଭାବିଲେ ଯାହାହେଲେ ବି ପରମ ପ୍ରଭୁ ଶ୍ରୀକୃଷ୍ଣଙ୍କ ମସ୍ତକରେ ରାଧାଙ୍କର ପାଦ ! ଅଥଚ ବାରମ୍ବାର ମନକୁ ଆସୁଥିଲା ସେହି ପଂକ୍ତିଟି । ତଥାପି କବି ତାକୁ ତାଳପତ୍ର ଲେଖନୀରେ ରୂପ ଦେଇନପାରି ସ୍ନାନ କରିବାର ସମୟ ହୋଇଯାଇଥିବାରୁ ଉଠି ଚାଲିଗଲେ । ଠିକ୍ ପରେ ପରେ ଜୟଦେବଙ୍କ ରୂପରେ ପ୍ରବେଶ କଲେ କୃଷ୍ଣ । ଭକ୍ତକବିର ପତ୍ନୀ ପଦ୍ମାବତୀଙ୍କୁ ଭୋଜନ ବ୍ୟବସ୍ଥା କରିବାକୁ କହି ଭିତରକୁ ଯାଇ ସ୍ୱହସ୍ତରେ ‘ଦେହି ପଦ ପଲ୍ଲବ ମୁଦାରମ୍‌' ବାକ୍ୟଟି ଲେଖି ପଂକ୍ତିଟି ପୂର୍ଣ୍ଣ କରିଦେଇଥିଲେ ।

 

ଭକ୍ତମାନେ ଉକ୍ତ କାହାଣୀକୁ ବିଶ୍ୱାସ କରି ଭାବବିହ୍ୱଳ ହୋଇଥାନ୍ତି । କିନ୍ତୁ ପ୍ରକୃତ ଜୀବନରେ ପ୍ରିୟତମାର ମାନଭଞ୍ଜନପାଇଁ ପୁରୁଷଶ୍ରେଷ୍ଠମାନେ ଯେକୌଣସି ପନ୍ଥା ଅବଲମ୍ବନ କରିବାକୁ କୁଣ୍ଠିତ ହୁଅନ୍ତି ନାହିଁ । ପାଦତଳେ ପଡ଼ିବା କିବା କଥା! ତେବେ ସଂସ୍ମୃତ ସାହିତ୍ୟରେ ଏହାର ସୂଚନା ବିରଳ ନୁହେଁ । ନୈଷଧ କାବ୍ୟରେ ନଳଙ୍କ ମସ୍ତକରେ ଲାଗିଛି ଦମୟନ୍ତୀଙ୍କ ପାଦର ଅଳତା । ନଳଙ୍କର ଲଲାଟ ରକ୍ତବର୍ଣ୍ଣ ଦିଶୁଥିବାର ଦେଖି ଦମୟନ୍ତୀଙ୍କର ମନ ପ୍ରସନ୍ନ ହୋଇଉଠିଛି ପୂର୍ବ ରାତ୍ରିର ସ୍ମୃତିରେ । ତାଙ୍କ ମନନେବାପାଇଁ ନଳ ଚାଟୁ କରୁ କରୁ ତାଙ୍କ ପାଦତଳେ ପଡ଼ିଯାଇଥିବାର ଦୃଶ୍ୟ ତାଙ୍କ ଆଖି ଆଗରେ ଭାସିଉଠିଛି- (୧୮/୧୧୭)

 

ହୁଏତ ସଂସ୍ମୃତ ସାହିତ୍ୟର ଏହି ବର୍ଣ୍ଣନା କବି ଜୟଦେବଙ୍କୁ ପ୍ରଭାବିତ କରିଥିବ କୃଷ୍ଣଙ୍କର ଚାଟୁ ବର୍ଣ୍ଣନା କରିବାରେ । କିନ୍ତୁ ବୈଷ୍ଣବ ଭକ୍ତମାନେ ଶ୍ରୀକୃଷ୍ଣଙ୍କୁ ପରମ ଈଶ୍ୱର ଜ୍ଞାନ କରୁଥିବାରୁ ଏପ୍ରକାର ବର୍ଣ୍ଣନାକୁ ଗ୍ରହଣ କରିପାରିବା ପାଇଁ ହୁଏତ ଏକ ଭାକ୍ତିକ କାରଣ ସଂଯୋଜନ କରିଥାଇ ପାରନ୍ତି । କିନ୍ତୁ କବି ଜୟଦେବ ତାଙ୍କର କାବ୍ୟ ନାୟକଙ୍କୁ ପ୍ରେମିକ ପୁରୁଷଟିଏ ଭାବରେ ହିଁ ଦେଖିଛନ୍ତି ଓ ତାଙ୍କର ପ୍ରେମିକା ନାରୀଟି ପାଖରେ ସମସ୍ତ ପ୍ରକାର ଆକୁତିକୁ ସ୍ୱାଭାବିକ ଆଚରଣବୋଲି ମନେ କରିଛନ୍ତି । ହୁଏତ ପରବର୍ତ୍ତୀ କାଳରେ କୃଷ୍ଣଙ୍କର ‘ଦେହିପାଦପଲ୍ଲବ ମୁଦାରମ୍‌' ପରି ସାଧାରଣ ଚାଟୁକୁ ଏକ ଈଶ୍ୱରୀୟ ସ୍ୱୀକୃତି ଦେବାପାଇଁ କାହାଣୀଟିଏ ପରିକଳ୍ପନା କରାଯାଇଛି ।

 

ରୂପ ଓ ସୌନ୍ଦର୍ଯ୍ୟର ଉପାସକ କବି ଜୟଦେବ ବିଦଗ୍‌ଧ ନାରୀପୁରୁଷର ମାନ ଅଭିମାନ ଓ ଅନୁରାଗରେ ଊଚ୍ଚାରିତ ମଧୁର ବାଣୀସମୂହକୁ ସ୍ୱାଭାବିକ କାନ୍ତକୋମଳ ଲଳିତ ପଦାବଳୀରେ ପ୍ରକାଶ କରିଛନ୍ତି । କାବ୍ୟର ପ୍ରତିଟି ପଂକ୍ତିର ସଙ୍ଗୀତମୟ ଶବ୍ଦ ସଂଯୋଜନା ପାଠକ ଶ୍ରୋତା ମନରେ ଦୀର୍ଘକାଳ ଧରି ଅନୁରଣିତ ହୋଇ ଚାଲିଥାଏ । ଏହି କାବ୍ୟଟିକୁ ପରବର୍ତ୍ତୀ କାଳରେ ବୈଷ୍ଣବ ଉକ୍ତମାନେ ଯେତେ ଧାର୍ମିକ ରୂପ ପ୍ରଦାନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ଯେ କୌଣସି ଧର୍ମତତ୍ତ୍ୱ ବ୍ୟାଖ୍ୟା କରିବାପାଇଁ ବା ଦିବ୍ୟ ପୁରୁଷ ନାରୀଙ୍କର ସ୍ୱର୍ଗୀୟ ପ୍ରେମର ଶୁଦ୍ଧତା ପ୍ରକଟ କରିବାପାଇଁ ଉଦ୍ଦିଷ୍ଟ ଥିବା ପରି ମନେହୁଏ ନାହିଁ । କବି କାବ୍ୟର ପ୍ରଥମରେ (୧/୩) ରସିକ ବିଦଗ୍‌ଧମାନଙ୍କର ଚିତ୍ତ ବିନୋଦନପାଇଁ କାବ୍ୟରଚନା କରିଥିବା କଥା ସ୍ପଷ୍ଟ କରିଦେଇଛନ୍ତି । ଭକ୍ତ ଧର୍ମର ପ୍ରଚାରପାଇଁ ନୁହେଁ, ରାଧାକୃଷ୍ଣଙ୍କୁ ନେଇ କାବ୍ୟରଚନା କରାଯାଇଥିବା ଏହା ଶୁଦ୍ଧାଭକ୍ତିର ଉପାସକ ମାନଙ୍କପାଇଁ ଏକ ପ୍ରାମାଣିକ ଗ୍ରନ୍ଥବୋଲି ମନେ କରାଯାଇଥିଲେ ମଧ୍ୟ ଚୈତନ୍ୟ ପ୍ରଚାରିତ ଗୌଡ଼ୀୟ ଧର୍ମଧାରଣାର ପ୍ରାୟ ତିନିଶତ ବର୍ଷ ପୂର୍ବରୁ ଏହା ରଚିତ ହୋଇଥିବାରୁ ଜୟଦେବଙ୍କୁ ଜଣେ ଶୁଦ୍ଧାଭକ୍ତିର ଉପାସକ ବୈଷ୍ଣବ ଭକ୍ତ ଭାବରେ ଗ୍ରହଣ କରିବା ସମୀଚୀନ ମନେହୁଏନାହିଁ । ସେ ଜଣେ କୃଷ୍ଣଭକ୍ତ ଥିବା ହୁଏତ ନିଶ୍ଚିତ କିନ୍ତୁ ତାଙ୍କ କାବ୍ୟର ନାୟକ କୃଷ୍ଣ ଜଣେ ରସିକ ଶ୍ରେଷ୍ଠ; ଈଶ୍ୱରୀୟ ମହିମାଦୀପ୍ତ ପୁରୁଷୋତ୍ତମ ନୁହନ୍ତି ।
 

କାବ୍ୟକଳା ଦୃଷ୍ଟିରୁ ଆଙ୍ଗିକ ଗଠନ, ରସଚର୍ଯ୍ୟା, ବର୍ଣ୍ଣନା-ବିଳାସ, ଅଳଙ୍କାର ସମାବେଶ ଓ ଲଳିତ ପଦାବଳୀ ସମନ୍ୱିତ ଏହି କାବ୍ୟ ଏକ ଅପୂର୍ବ ରସସ୍ନିଗ୍‌ଧ କଳାକୃତି । ଏଥିରେ ଭକ୍ତିଭାବନା ଜାଗ୍ରତ ହେବା ଅପେକ୍ଷା ସୌନ୍ଦର୍ଯ୍ୟବୋଧର ଉଦ୍‌ବୋଧନ ହିଁ ମୁଖ୍ୟତଃ ଘଟିଛି । ଦ୍ୱାଦଶ ଶତକରେ ରଚିତ ଉତ୍କଳୀୟ କବି ଜୟଦେବଙ୍କର ରଚିତ ଏହି କାବ୍ୟ ଗୀତଗୋବିନ୍ଦର ପ୍ରଭାବରେ ସଂସ୍କୃତ ଓ ପ୍ରାକୃତ ଭାଷାରେ ଭାରତର ବହୁ ବିଶିଷ୍ଟ କବିଙ୍କଦ୍ୱାରା ଅଗଣିତ ଗୀତିକାବ୍ୟ, ପଦାବଳୀ, ଦୋହା ଓ ନାଟକମାନ ରଚିତ ହୋଇଛି । ଜନପ୍ରିୟତା ଦୃଷ୍ଟିରୁ ଗୀତଗୋବିନ୍ଦ କାବ୍ୟ ଏବେ ବି ଭାରତବର୍ଷର ପ୍ରତିଟି ପ୍ରାନ୍ତର ସଙ୍ଗୀତ ଓ ନୃତ୍ୟ ଜଗତରେ ଅଦ୍ୱିତୀୟ ସ୍ଥାନ ଗ୍ରହଣ କରିଛି-

•••

 

ମାନବିକ ଅଧିକାରର ସ୍ଥିତି ଓ ସଙ୍କଟ

ଅଧ୍ୟାପକ ବିଶ୍ୱରଞ୍ଜନ

 

‘ସବୁ ମଣିଷ ସମାନ ଭାବରେ ସୃଷ୍ଟି ହୋଇଛନ୍ତି’ - ୧୭୭୬ରେ ଏକଥା ଘୋଷଣା କରାଯାଇଥିଲା ଯୁକ୍ତରାଷ୍ଟ୍ର ଆମେରିକାର ‘ସ୍ୱାଧୀନତା ସନନ୍ଦପତ୍ର'ରେ । ମାତ୍ର ଏହାପରେ ଦୀର୍ଘ ୮୭ ବର୍ଷ ଅପେକ୍ଷା କରିବାକୁ ହେଲା, ଯେତେବେଳେ ଆବ୍ରାହମ୍ ଲିଙ୍କନ ପୁଣି କ୍ରୀତଦାସଙ୍କପାଇଁ ମୁକ୍ତିର ଘୋଷଣା ଜାରୀ କଲେ । ଦୀର୍ଘ ଦିନର ଅପେକ୍ଷା, ରକ୍ତାକ୍ତ ସଂଗ୍ରାମ, ଗୃହଯୁଦ୍ଧର ଦୁଃଖ ଓ ବିଭୀଷିକା ପରେ କ୍ରୀତଦାସମାନେ ମୁକ୍ତିର ସୂର୍ଯ୍ୟୋଦୟ ଦେଖିଲେ । ଅନ୍ୟାନ୍ୟ ନାଗରିକଙ୍କ ଭଳି ସେମାନଙ୍କର ସମାନ ଅଧିକାର ସମ୍ବିଧାନର ୧୩,୧୪,୧୫ତମ ସଂଶୋଧନ ବ୍ୟବସ୍ଥାରେ ସ୍ଥାନ ପାଇଲା । ମାତ୍ର ଅଧିକାର ଲାଗି ସଂଗ୍ରାମ ଓ ଆବଶ୍ୟକୀୟ ଆଇନ୍ ପ୍ରଣୟନର ବ୍ୟବସ୍ଥା ସେ ଦେଶରେ ଏଇଠି ଶେଷ ହୋଇନାହିଁ । ସଂସଦୀୟ ଗଣତନ୍ତ୍ରର ଜନ୍ମସ୍ଥାନ ଇଂଲଣ୍ଡରେ ମଧ୍ୟ ବ୍ୟକ୍ତିର ସମାନ ଅଧିକାର ଏକାଦିନକେ, ଏକା ସମୟରେ ହାସଲ ହୋଇପାରି ନଥିଲା । ଇତିହାସରେ ବହୁ ମୋଡ଼ଦେଇ ଏହାର ବିବର୍ତ୍ତନ ସମ୍ଭବ ହୋଇଛି । ଠିକ୍ ସେହିପରି ସୋଭିଏତ୍ ଋଷ୍‌ରେ ବା ଅନ୍ୟତ୍ର-। ସ୍ୱାଧୀନ ଭାରତର ସମ୍ବିଧାନରେ ସେଥିପାଇଁ ମୂଳରୁ ମୌଳିକ ଅଧିକାରର ଏକ ବିସ୍ତୃତ ତାଲିକା ସ୍ଥାନ ପାଇଲା । ମଣିଷକୁ ମଣିଷ ଭଳି ଏ ପୃଥିବୀର ବଞ୍ଚି ରହିବାର ଅଧିକାର ଟିକକ ହାସଲ କରିବାପାଇଁ ଅବିରତ ସଂଗ୍ରାମ କରିବାକୁ ହୋଇଛି ଏବଂ ଏ ସଂଗ୍ରାମ ଏବେ ମଧ୍ୟ ଜାରୀ ରହିଛି ।

 

ଅଧିକାର ହେଉଛି ଏକ ଉନ୍ନତ ଜୀବନଯାପନ ତଥା ବ୍ୟକ୍ତିର ବ୍ୟକ୍ତିତ୍ୱର ବିକାଶ ଲାଗି ଏକ ଆବଶ୍ୟକୀୟ ଉପାଦାନ । ଏହି ଅଧିକାରର ସୁରକ୍ଷା ଲାଗି ତ ରାଷ୍ଟ୍ରର ଜନ୍ମ ଓ ଜୀବନ । ଯୁକ୍ତରାଜ୍ୟ ଆମେରିକାର ଜନ୍ମ ଜାତକରେ ଏହି କଥାହିଁ ସ୍ପଷ୍ଟ ଭାବରେ ଘୋଷିତ ହୋଇଥିଲା- ‘ପ୍ରତ୍ୟେକ ମନୁଷ୍ୟକୁ ସୃଷ୍ଟି ସମୟରେ ସ୍ରଷ୍ଟା କେତେକ ସ୍ୱାଭାବିକ, ଅପରିବର୍ତ୍ତନୀୟ ଅଧିକାର ପ୍ରଦାନ କରିଛନ୍ତି । ଯାହା ଭିତରେ ଜୀବନ ଧାରଣର ଅଧିକାର, ସ୍ୱାଧୀନତାର ଅଧିକାର ତଥା ନିଜ ସୁଖ ସ୍ୱାଚ୍ଛନ୍ଦ୍ୟର ଅଧିକାର ଅନ୍ତର୍ଭୁକ୍ତ । ସରକାରର ସୃଷ୍ଟି ଏହିସବୁ ଅଧିକାରକୁ ସୁରକ୍ଷିତ କରିବା ଲାଗି । ଯେତେବେଳେ କୌଣସି ସରକାର ଏହି ଅଧିକାରକୁ ଅବମାନନା କରେ, ସେତେବେଳେ ବ୍ୟକ୍ତିର ସଂପୂର୍ଣ୍ଣ ଅଧିକାର ରହିଛି, ସେ ଏଭଳି ସରକାରକୁ ଭାଙ୍ଗିଦେଇ ପାରିବ, କିମ୍ବା ବଦଳରେ ଦେଇ ତା'ବଦଳରେ ଏକ ନୂଆ ସରକାର ଗଠନ କରିପାରିବ ।’

 

ଅଧିକାର ସୁରକ୍ଷା ଲାଗି ସରକାର ସୃଷ୍ଟି ହୋଇ ଥିଲେହେଁ ଏବେ ସର୍ବତ୍ର ସରକାରର କ୍ଷମତା ବୃଦ୍ଧି ପାଇବାରେ ଲାଗିଛି ଏବଂ ବ୍ୟକ୍ତିର ଅଧିକାର କ୍ରମଶଃ ସଙ୍କୁଚିତ ହୋଇଆସୁଛି । ଏପରିକି ଗଣତାନ୍ତ୍ରିକ ରାଷ୍ଟ୍ରରେ ମଧ୍ୟ ବ୍ୟକ୍ତି ଆଜି ଅନୁଭବ କରୁଛି ଯେ, ରାଷ୍ଟ୍ରୀୟ ଆଇନ ତଥା କ୍ଷମତାର ଦୃଢ଼ ବନ୍ଧନୀ ଭିତରେ ବ୍ୟକ୍ତି ଜୀବନର ବହୁ ବିଭବ ଆଜି ବନ୍ଦୀ ହୋଇଯାଇଛି । ମାତ୍ର ଏହା ଏକ ସ୍ୱାଭାବିକ ଘଟଣା । ସମୟରେ ପରିବର୍ତ୍ତନ ସହ ଅଧିକାରର ସ୍ୱରୂପ ଓ ବ୍ୟକ୍ତିବାଦର ସ୍ଥିତି ମଧ୍ୟ ବଦଳି ଯାଏ । ଆଧୁନିକ ରାଷ୍ଟ୍ରର ସଂଜ୍ଞା ହେଉଛି ଯେ ଏହାଏକ ଜନମଙ୍ଗଳକାରୀ ରାଷ୍ଟ୍ର । ତେଣୁ ସାମାଜିକ କଲ୍ୟାଣ ସହିତ ବ୍ୟକ୍ତି ଅଧିକାରର ସମ୍ପର୍କ ରହିଛି । କୌଣସି ବ୍ୟକ୍ତି ସମାଜରୁ ବିଚ୍ଛିନ୍ନ ରହି ତା'ର ଅଧିକାର ଉପଭୋଗ କରିପାରିବ ନାହଁ । ଅଧିକାରର ମୂଲ୍ୟ ଓ ଗୁରୁତ୍ୱ ରହିଛି ସାମାଜିକ ପରିସର ଭିତରେ । ସମାଜର ଏକ ସଭ୍ୟ ଭାବରେ ଅନ୍ୟ ସଭ୍ୟମାନଙ୍କ ସହିତ ସମ୍ପର୍କ କ୍ଷେତ୍ରରେ । ବଣଜଙ୍ଗଲରେ କିମ୍ବା ପାହାଡ଼ ଗୁମ୍ଫାରେ ବାସ କରୁଥିବା ସାଧୁ-ସନ୍ନ୍ୟାସୀଙ୍କପାଇଁ ଅଧିକାରର କି ଅର୍ଥ ରହିଛି ? ସୁତରାଂ ବ୍ୟକ୍ତିର ଅଧିକାର ସମାଜରୁ ହିଁ ସୃଷ୍ଟି । ସମାଜର ରୂପରେଖ ଓ ଆବଶ୍ୟକତାକୁ ଭିତ୍ତିକରି ଅଧିକାରର ଗତି ଓ ପ୍ରକୃତି । ଗୋଟିଏ ଦେଶରେ ବା କୌଣସି ଏକ ନିର୍ଦ୍ଦିଷ୍ଟ ସମୟରେ ଯାହା ବ୍ୟକ୍ତିର ଅଧିକାର ଭାବରେ ସ୍ୱୀକୃତ, ତାହା ଅନ୍ୟତ୍ର ବା ଅନ୍ୟ ସମୟରେ ଉପେକ୍ଷିତ ଓ ଅସ୍ୱୀକୃତ ହୋଇପାରେ । ଯେଉଁ ‘ଦାସପ୍ରଥା’ ଏକ ଅଧିକାର ଭାବରେ ଯୁକ୍ତରାଜ୍ୟ ଆମେରିକାରେ ପ୍ରଚଳିତ ଥିଲା, ତାହା ପୁଣି ସମୟର ପ୍ରଭାବରେ ବାତିଲ ହୋଇଗଲା । ସେହିପରି ‘ସମ୍ପତ୍ତି ଅଧିକାର’ ମଧ୍ୟ ଆମ ସମ୍ବିଧାନର ୪୪ତମ ସଂଶୋଧନ ଆଇନ ଅନୁସାରେ ଆଉ ପୂର୍ବପରି ମୌଳିକ ଅଧିକାରର ମର୍ଯ୍ୟାଦା ଲାଭ କରୁନାହିଁ । ନିକଟରେ ଆମ ଲୋକ ସଭାରେ ‘କାମର ଅଧିକାର’ କୁ ମୌଳିକ ଅଧିକାରଭୁକ୍ତ କରିବାଲାଗି ଏକ ବେସରକାରୀ ବିଲ୍ ଆଗତ କରାଯାଇଛି । ‘କାମପାଇଁ ଅଧିକାର’ ହେଉଛି ‘ବଞ୍ଚିବାର ଅଧିକାର'ର ଆନୁସଙ୍ଗିକ ବ୍ୟବସ୍ଥା । କାରଣ ‘ଜୀବନ'ପାଇଁ ଜୀବକାର୍ଜ୍ଜନର ଆବଶ୍ୟକତା ରହିଛି । ଊନବିଂଶ ଶତାବ୍ଦୀର ପ୍ରଖ୍ୟାତ ସମାଜବାଦୀ ଚିନ୍ତାନାୟକ ଲୁଇସ ବ୍ଳାଙ୍କ ସମ୍ଭବତଃ ଏହି କାମ କରିବାର ଅଧିକାରକୁ ପ୍ରଥମେ ସାମ୍ବିଧାନିକ ସ୍ୱୀକୃତି ଦେବାପାଇଁ ଦାବି କରିଥିଲେ । ରୁଷ, ଚୀନ, ଜାପାନ ପ୍ରଭୃତି ଦେଶମାନଙ୍କରେ ଏହି ଅଧିକାରକୁ ସାମ୍ବିଧାନିକ ତଥା ରାଷ୍ଟ୍ରୀୟ ସ୍ୱୀକୃତି ମିଳିଛି । ମାତ୍ର ଭାରତରେ କିମ୍ବା ଅନ୍ୟାନ୍ୟ ବହୁ ରାଷ୍ଟ୍ରରେ ଅଦ୍ୟାବଧି ଏହା ସମ୍ଭବ ହୋଇନାହିଁ । ସୁତରାଂ ସବୁଦିନପାଇଁ ଏକ ସ୍ଥାୟୀ, ଅପରିବର୍ତ୍ତନୀୟ ଅଧିକାରର ତାଲିକା ପ୍ରସ୍ତୁତ କରିବା କେବେ ସମ୍ଭବ ନୁହେଁ । ସମୟ ଓ ଶାସନ ପଦ୍ଧତିର ପରିବର୍ତ୍ତନ ସହିତ ତାଳଦେଇ ଏହା ପରିବର୍ତ୍ତିତ ହେବାକୁ ବାଧ୍ୟ ।

 

ମାତ୍ର ଅଧିକାର ସହିତ ଦାୟିତ୍ୱବୋଧ ଓ କର୍ତ୍ତବ୍ୟପାଳନର ଯେ ଗଭୀର ଯୋଗସୂତ୍ର ରହିଛି, ଏକଥା ଆମେ ଅନେକ ସମୟରେ ଭୁଲିଯାଉ । ରାଷ୍ଟ୍ରୀୟ ଜୀବନରେ ଏ ଦୁଇଟି ପରସ୍ପରଠାରୁ ଅଭିନ୍ନ ଓ ଅବିଚ୍ଛିନ୍ନ । ସୋଭିଏତ୍ ସମ୍ବିଧାନରେ ବ୍ୟକ୍ତିର ମୌଳିକ ଅଧିକାର ସାଙ୍ଗକୁ କର୍ତ୍ତବ୍ୟର ମଧ୍ୟ ଉଲ୍ଲେଖ ରହିଛି । କିନ୍ତୁ ଯୁକ୍ତରାଜ୍ୟ ଆମେରିକା କିମ୍ବା ଅନ୍ୟାନ୍ୟ ଅନେକ ସମ୍ବିଧାନରେ ଏହାର ନଜିର ନାହିଁ । ଭାରତୀୟ ସମ୍ବିଧାନରେ ଆରମ୍ଭରୁ ଏପ୍ରକାର କର୍ତ୍ତବ୍ୟର ବିଧି-ବ୍ୟବସ୍ଥା ନଥିଲେହେଁ ୧୯୭୬ରେ ୪୨ତମ ସମ୍ବିଧାନ ସଂଶୋଧନ ଅନୁସାରେ ସମ୍ବିଧାନର ୫୧(କ) ଧାରାରେ ଦଶଗୋଟି ମୌଳିକ କର୍ତ୍ତବ୍ୟର ଉଲ୍ଲେଖ ରହିଛି । ସମ୍ବିଧାନରେ ବା ସନନ୍ଦ ପତ୍ରରେ କେବଳ ଉଲ୍ଲେଖ କରିଦେଲେ କୌଣସି ଅଧିକାର କେବେ ହାସଲ ହୋଇଯାଏନାହିଁ ବା କର୍ତ୍ତବ୍ୟ ପରିପାଳନ ହୁଏନାହିଁ । ଏଥିପାଇଁ ନାଗରିକମାନଙ୍କର ସଚେତନତା ଓ ସଜାଗ ମନୋବୃତ୍ତିହିଁ ଲୋଡ଼ା । ଯେକୌଣସି ରାଷ୍ଟ୍ରର ସଫଳ କାର୍ଯ୍ୟକାରିତା ଜଣାପଡ଼େ, ତା'ର ନାଗରିକମାନେ ଉପଭୋଗ କରୁଥିବା ଅଧିକାର ଏବଂ ସେମାନେ ପାଳନ କରୁଥିବା କର୍ତ୍ତବ୍ୟ ସୂଚୀରୁ । ଅଧିକାର ଓ କର୍ତ୍ତବ୍ୟ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହିଁ ଯେକୌଣସି ଆଦର୍ଶ ରାଷ୍ଟ୍ରର ଲକ୍ଷ୍ୟ ହେବା ଉଚିତ ।

 

ଅଧିକାର ହେଉଛି ବ୍ୟକ୍ତି, ରାଷ୍ଟ୍ର ବା ସମାଜଠାରୁ ଯାହା ଚାହେଁ, ଯାହା ଦାବି କରେ । ପ୍ରତିବଦଳରେ ବ୍ୟକ୍ତି, ରାଷ୍ଟ୍ର ବା ସମାଜକୁ ଯାହା ଦିଏ, ତାହା ହେଉଛି ତା'ର କର୍ତ୍ତବ୍ୟ । ରାଷ୍ଟ୍ର ଯଦି ବ୍ୟକ୍ତିକୁ ତା ଜୀବନର ନିରାପତ୍ତା, ସୁଖ-ସ୍ୱାଚ୍ଛନ୍ଦ୍ୟ ଦାନ କରେ, ତେବେ ପ୍ରତିଦାନରେ ମଧ୍ୟ ସେହିଭଳି ଦାୟିତ୍ୱବୋଧ ଓ କର୍ତ୍ତବ୍ୟ ପରାୟଣତା ଆଶା କରେ । ତେଣୁ ବ୍ୟକ୍ତି ରାଷ୍ଟ୍ର ନିକଟରେ ଯେତିକି ପରିମାଣରେ ଦାୟୀ, ରାଷ୍ଟ୍ର ମଧ୍ୟ ବ୍ୟକ୍ତି ନିକଟରେ ସେତିକି ପରିମାଣରେ ଦାୟୀ । ସୁତରାଂ ଅଧିକାର ଓ କର୍ତ୍ତବ୍ୟ ମଧ୍ୟରେ ଥିବା ଅବିଚ୍ଛେଦ୍ୟ ସମ୍ପର୍କକୁ ଅସ୍ୱୀକାର କରାଯାଇନପାରେ । ଗୋଟିଏ ଦୃଷ୍ଟିରେ ଦେଖିଲେ ଯାହା ଜଣକପାଇଁ ଅଧିକାର, ତାହା ଅନ୍ୟପାଇଁ କର୍ତ୍ତବ୍ୟ । ମୋର ଜୀବନ ପ୍ରତି ଅଧିକାର ଅଛି । ଏହାର ଅର୍ଥ, ଅନ୍ୟର କର୍ତ୍ତବ୍ୟ ହେଉଛି ଯେ, ସେ ମୋର ଜୀବନ ହାନି ହେଲାଭଳି କିଛି କରିବନାହିଁ । କୌଣସି ବ୍ୟକ୍ତିର ନିଜ ସମ୍ପତ୍ତିରେ ଅଧିକାର ଅଛି, ଅର୍ଥ ଅନ୍ୟମାନେ ତା'ର ସମ୍ପତ୍ତିକୁ ତା'ର ବିନା ସମ୍ମତିରେ ଅପହରଣ କରି ନେବେନାହିଁ ।

 

ପୁଣି ଅନ୍ୟ ଭାବରେ ବିଚାର କଲେ କୌଣସି ଏକ ଅଧିକାର ହିଁ ଏକାସାଙ୍ଗରେ କର୍ତ୍ତବ୍ୟ-। ଠିକ୍ ଗୋଟିଏ ନଦୀର ତୀର ଭଳି । ଯଦି କୌଣସି ବ୍ୟକ୍ତି ନିଜେ ଏକ ଅଧିକାର ଉପଭୋଗ କରେ, ତେବେ ସେ ମନେରଖିବା ଉଚିତ ଯେ ସେହି ଏକା ଅଧିକାର ମଧ୍ୟ ଅନ୍ୟମାନେ ଉପଭୋଗ କରିବେ । ଯଦି ସ୍ୱାଧୀନ ଭାବରେ ମତବ୍ୟକ୍ତ କରିବାର ଅଧିକାର ମୋର ରହିଛି, ତେବେ ମୋର କର୍ତ୍ତବ୍ୟ ଯେ, ସେ ଅଧିକାରରୁ ମୁଁ ମୋର ବନ୍ଧୁମାନଙ୍କୁ ଯେପରି ବଞ୍ଚିତ ନକରେ । ମନେ ରଖିବାକୁ ହେବ ଯେ, କୌଣସି ବ୍ୟକ୍ତିର ଅଧିକାର ତାର ଏକଚାଟିଆ ସମ୍ପତ୍ତି ନୁହେଁ । ସମାଜର ଅନ୍ୟମାନଙ୍କର ମଧ୍ୟ ଏଥିରେ ଭାଗ ରହିଛି । ସମାଜକୁ ବାଦ ଦେଲେ ବ୍ୟକ୍ତିର ବା ସ୍ଥିତି କାହିଁ ? ବର୍ତ୍ତମାନ ତେଣୁ ଏକ ପ୍ରକାର ବ୍ୟକ୍ତିବାଦ ଗଢ଼ିଉଠିଛି, ଯାହା ‘ବ୍ୟକ୍ତିସତ୍ତା'କୁ ନିଜର କେନ୍ଦ୍ରବିନ୍ଦୁ ନକରି ‘ଗୋଷ୍ଠୀ ସଂଘ' ବା ସାମାଜିକ ‘ସଂସ୍ଥା'ମାନଙ୍କ ଉପରେ ନିଜର ଗୁରୁତ୍ୱ ଆରୋପ କରୁଛି । ବର୍ତ୍ତମାନ ଅଧିକାରର ବିଚାର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଦୃଷ୍ଟିକୋଣରୁ ନହୋଇ ସମାଜିକ ଦୃଷ୍ଟିକୋଣରୁ କରାଯାଉଛି । ଅଧିକାର କେବଳ ଆତ୍ମ-ବିକାଶର ମାଧ୍ୟମ ହୋଇ ରହିନାହିଁ, ଏହା ମଧ୍ୟ ସାମାଜିକ କଲ୍ୟାଣ ସାଧନର ସର୍ବଶ୍ରେଷ୍ଠ ଉପାଦାନ । ସୁତରାଂ ପ୍ରତ୍ୟେକ ଅଧିକାର ସହିତ କର୍ତ୍ତବ୍ୟଟିଏ ବନ୍ଧା-

 

ଏବେ କିନ୍ତୁ ସମସ୍ତେ କେବଳ ‘ଅଧିକାର'ର ସ୍ଳୋଗାନରେ ବ୍ୟସ୍ତ । ଅଥଚ ଏହାର ସ୍ୱଧର୍ମ କର୍ତ୍ତବ୍ୟ ପାଳନରେ ବୀତସ୍ପୃହ ଭାଷା, ଜାତି, ଧର୍ମ ତଥା ଆଞ୍ଚଳିକତାର ସୀମା ସରହଦ ଭିତରେ ଅଧିକାରର କ୍ଷେତ୍ର ପ୍ରାୟତଃ ସୀମିତ, ସଙ୍କୁଚିତ । ସାର୍ବଜନୀନ ସୁଖସମୃଦ୍ଧି ତଥା ସାମାଜିକ କଲ୍ୟାଣର ଆଉ ମାଧ୍ୟମ ନହୋଇ ବ୍ୟକ୍ତିର ଅଧିକାର ଏବେ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ହିତ ଓ ସ୍ୱାର୍ଥ ସାଧନର ସାମଗ୍ରୀ ହୋଇଯାଇଛି । ‘ଅଧିକାର'କୁ ନେଇ ଏପ୍ରକାର ସଂକୀର୍ଣ୍ଣ ବିଚାର ଉତ୍ପନ୍ନ କରୁଛି-ପାରସ୍ପରିକ ହିଂସା, ପ୍ରତିହିଂସା । ଅଧିକାରରୁ ଆତଙ୍କବାଦ ଜନ୍ମ ନେଉଛି । ଫଳରେ ଆମର ସମାଜ, ସଭ୍ୟତା ଦ୍ରୁତବେଗରେ ପଶ୍ଚାତଧାବନ କରିବାରେ ଲାଗିଛି । ମୋଟାମୋଟି ଭାବରେ ଆଜି ଏହାହିଁ ହେଉଛି, ସର୍ବତ୍ର ଏକ ସାଧାରଣ ପ୍ରକ୍ରିୟା ମୋର ସ୍ୱାଧିକାର ମୁଁ ହାସଲ କରିବା । ମାତ୍ର ଅନ୍ୟର ସମାନ ଅଧିକାରରୁ ତାକୁ ବଞ୍ଚିତ କରିବି । କେବଳ ମୁଁ ବଞ୍ଚିବି, ମୋ ଧର୍ମ ବଞ୍ଚିବ, ମୋ ଭାଷା ବଞ୍ଚିବ, ମୋ ଜାତି ବଞ୍ଚିବ-ଏହିଭଳି ଏକ ହୀନମନ୍ୟତାର ଉଚ୍ଚାକାଂକ୍ଷା ଆଜି ବ୍ୟକ୍ତିବ୍ୟକ୍ତି ଭିତରେ, ଦେଶ-ଦେଶ ଭିତରେ ଅଭେଦ୍ୟ, ଅଲଂଘନୀୟ ଦୁର୍ଗ ତିଆରି କରିଦେଉଛି । ଏପ୍ରକାର ଅସୁସ୍ଥ ବିଚାର ବିରୁଦ୍ଧରେ ଅବଶ୍ୟ କେତେ ଚୁକ୍ତି, ସନ୍ଧିପତ୍ର ସ୍ୱାକ୍ଷରିତ ହେଉଛି । କେତେ ଶିଖର ସମ୍ମିଳନୀ ବସୁଛି । ମାତ୍ର ଅସଲ ‘ମନ'ର କଳାପରଦା ନ ହଟିବାରୁ ଏସବୁ କେବଳ ପ୍ରହସନରେ ପରିଣତ ହୋଇଯାଉଛି ।

 

କର୍ତ୍ତବ୍ୟକୁ ଭୁଲିଯାଇ କେବଳ ଅଧିକାରର ଅନ୍ଧ ଦାବିରେ ମାତିବା ଯାହା, ନିମ୍ନତମ ମୌଳିକ ଅଧିକାରରୁ ବ୍ୟକ୍ତିକୁ ବଞ୍ଚିତ କରି ତାକୁ କର୍ତ୍ତବ୍ୟପରାୟଣତାର ନୀତିବାଣୀ ଶୁଣାଇବା ଠିକ୍ ସେଇଆ । ସେହିଭଳି ଦୁଃଖଦାୟକ ଦୁର୍ଭାଗ୍ୟଜନକ ଘଟଣା ଭୋକିଲା ପେଟ ଭୋଟ୍‌ର କି ମୂଲ୍ୟ ବୁଝିବ ? କ'ଣ କରିବ ସେ ଶିକ୍ଷା, ସଂସ୍କୃତି, ସମତାର ଅଧିକାରକୁ ନେଇ ? ସାମାନ୍ୟ ଜୀବନ ଧାରଣର ଅଧିକାର ଜଣକୁ ନଦେଇ ତାକୁ ତ୍ୟାଗ, ଦେଶ-ପ୍ରେମ, କର୍ତ୍ତବ୍ୟପରାୟଣତାର ଗୁରୁବାକ୍ୟ ଶୁଣାଇବାର କି ନୈତିକ ଅଧିକାର ଜଣକର ରହିଛି? ମାତ୍ର ଏହାହିଁ ଘଟୁଛି । ଆମ ଶାସନ ଓ ସମାଜର ମଙ୍ଗ ଧରିଥିବା ମଙ୍ଗୁଆଳମାନେ ଯଦି ନିଜ ନିଜ ଭୂମିକାର କର୍ତ୍ତବ୍ୟ ସମ୍ପାଦନ ନକରି ଅନ୍ୟମାନଙ୍କୁ କେବଳ ରାଷ୍ଟ୍ରପାଇଁ ସେବା ତଥା କର୍ମନିଷ୍ଠାର ବେଦବାକ୍ୟ ଶୁଣାନ୍ତି, ତେବେ ତାହା ପବନର ସ୍ୱର ଭଳି ଶୂନ୍ୟରେ ମିଳେଇଯିବ ସିନା, ତା'ର କୌଣସି ପ୍ରଭାବ କାହାରି ଉପରେ ପଡ଼ିବ ନାହିଁ । ବରଂ ବେଳେବେଳେ ଏହି ପ୍ରତାରଣାପୂର୍ଣ୍ଣ ପବନର ସ୍ୱର ଝଡ଼ର ଝଙ୍କାର ତୋଳିବା କିଛି ଅସମ୍ଭବ କଥା ନୁହେଁ । ମାନବିକ ଅଧିକାର ଓ କର୍ତ୍ତବ୍ୟ ମଧ୍ୟରେ ଏକ ସ୍ୱତଃସ୍ଫୂର୍ତ୍ତ, ଆତ୍ମିକ ମିଳନ ନ ଘଟିଲେ କୌଣସି ଦେଶ, ଜାତି, ସମାଜ ବା ସଭ୍ୟତାର ଅଗ୍ରଗତି ଆଶା କରିବା ବିଡ଼ମ୍ବନା ମାତ୍ର ।

•••

 

ନକ୍ଷତ୍ରର ଜନ୍ମ

ଡକ୍ଟର ସୁଲୋଚନା ଦାସ

 

କବିଟିଏ-ସ୍ରଷ୍ଟାଟିଏ । କାହାପାଇଁ ସେ ଲେଖେ ? ଆକାଶପାଇଁ, ପୃଥିବୀପାଇଁ, ଜହ୍ନପାଇଁ, ତାରାପାଇଁ, ପାହାଡ଼ପାଇଁ, ଜଙ୍ଗଲପାଇଁ, ସମୁଦ୍ରପାଇଁ, ପଶୁପାଇଁ, ପକ୍ଷୀପାଇଁ, ଫୁଲପାଇଁ, ଫଗୁଣପାଇଁ ନା ମଣିଷପାଇଁ ? ପ୍ରକୃତରେ ସେ ଅନ୍ୟ କାହାପାଇଁ ଲେଖେ, ନା କେବଳ ନିଜପାଇଁ-?

 

ପ୍ରଥମେ ଯେଉଁଦିନ ସେ ଓଁକାର ଧ୍ୱନି ଉଚ୍ଚାରଣ କରିଥିଲା, ସେଦିନ କମ୍ପିଯାଇଥିଲା ଆକାଶର ବୁକୁ । ଶିହରିତ ହୋଇଉଠିଥିଲା ଧରିତ୍ରୀର ତନୁଲତିକା । ସ୍ତବ୍ଧ ହୋଇଯାଇଥିଲା ମହାସମୁଦ୍ରର ଉତ୍ତାଳ ତରଙ୍ଗ, ପବନରେ ପୁଲକ ଭରିଯାଇଥିଲା । ମାଟିର ନବଦୁର୍ବାଦଳର ସମ୍ଭାର ସୃଷ୍ଟି ହୋଇଥିଲା । ଗଛମାନେ ଫୁଲଭାରରେ ନଇଁଯାଇଥିଲେ । କଦମ୍ବରେ ରୋମାଞ୍ଚ ସୃଷ୍ଟି ହୋଇଥିଲା । କୋଇଲିର କୁହୁତାନରେ ମୁଖରିତ ହୋଇଉଠିଥିଲା ଦିଗବିଦିଗ । ଜହ୍ନରେ ଜ୍ୟୋତ୍ସ୍ନାର ଜୁଆର ଉଠିଥିଲା । ତାରାମାନେ ଆଖିଖୋଲି ଚାହିଁଥିଲେ । ପଦ୍ମସବୁ କୋରକିତ ହୋଇଥିଲେ । ସସାଗରା ପୃଥିବୀରେ ଜୀବନର ଶୁଭ ମାଙ୍ଗଳିକ ବାଜିଉଠିଥିଲା ।

 

ସୃଜନୀର ସ୍ପର୍ଶରେ ଅନନ୍ତ ବିଶ୍ୱବ୍ରହ୍ମାଣ୍ଡ ମଧୁକ୍ଷରା ହୋଇଉଠିଥିଲା । ଜଳ ସ୍ଥଳ ଆକାଶ-ମଧୁମୟ ହୋଇଉଠିଥିଲା । ହଁ, ଠିକ୍ ସେଇଦିନ,ଯୋଉଦିନ ବିଶ୍ୱକବି କଣ୍ଠରୁ ଝରିଆସିଥିଲା ଶବ୍ଦବ୍ରହ୍ମର ପ୍ରଥମ ମାନ୍ତ୍ରିକ ଉଚ୍ଚାରଣ, କବିତାର ମଧୁର ଝଙ୍କାର, ସାମସଙ୍ଗୀତର ମୂର୍ଚ୍ଛନା ସୃଷ୍ଟିର ଆଦିକବିତା ।

 

ଦୃଶ୍ୟମାନ ଜଗତର ଅନ୍ତରାଳରେ ଥିବା ଆଉ ଗୋଟିଏ ସୂକ୍ଷ୍ମ ଓ ଆଲୋକମୟ ଜଗତରଦ୍ୱାରା ଉନ୍ମୁକ୍ତ ହୋଇଯାଉଥିଲା । ମହାକାବ୍ୟରେ ଅକ୍ଷରବ୍ରହ୍ମମାନେ ଜୀବନ୍ୟାସ ପାଉଥିଲେ-। ନିଃଶବ୍ଦତାର ଶୂନ୍ୟବେଦିରୁ କିଏ ସେଇ ମହାକବି, ଯିଏ ଉଚ୍ଚାରଣ କରିଥିଲା ସେଇ ଆଦିକବିତାକୁ-? ସୃଷ୍ଟିର ବିପୁଳ ବିପ୍‌ପଣୀକୁ ଉନ୍ମୋଚିତ କରିଦେଇଥିଲା ଆଲୋକ ଅଭିସାରରେ ପାଦ ବଢ଼େଇଥିବା ଯୁଗଯାତ୍ରୀଟି ଆଗରେ? ସହସ୍ର ରାଗରେ ଶୁଣାଇ ଦେଇଥିଲା ଆଦ୍ୟ ସୃଷ୍ଟିର ସେହି ଅଶ୍ରୁତ ସ୍ୱର-ଶୃଙ୍ଗାରକୁ !

 

ମହାକବିଙ୍କର ସକଳ ଐଶ୍ୱରିକତାର ବିଭୂତି ଥିଲା ଏହି ମହାକାବ୍ୟର ପ୍ରସ୍ତୁଟିତ ସୌନ୍ଦର୍ଯ୍ୟ । ସେଇ ମହାକାବ୍ୟର ଶବ୍ଦତରଙ୍ଗ ସ୍ପନ୍ଦନ ତୋଳିଥିଲା ଚରାଚର ବିଶ୍ୱର ଛପନକୋଟି ଜୀବଜନ୍ତୁ, ସ୍ଥାବର ଜଙ୍ଗମ... ସବୁରି ପ୍ରାଣରେ । ବସ୍ତୁମୟ ଜଗତ ରୂପାନ୍ତରିତ ହୋଇଯାଇଥିଲା ଭାବମୟ ଚେତନାରେ । ଦୃଶ୍ୟମାନ ଜଗତ ବଦଳି ଯାଉଥିଲା ଅଦୃଶ୍ୟର ପ୍ରାଣସଞ୍ଜିବନୀରେ, ବଦଳି ଯାଉଥିଲା ବାହ୍ୟ ଓ ଅଭ୍ୟନ୍ତର । ସ୍ଥୂଳ ଆଉ ସୂକ୍ଷ୍ମ । ସେହି ସୃଜନର ଔଜଲ୍ୟର ସବୁକିଛି ବଦଳି ଯାଉଥିଲା କେବଳ ଦିବ୍ୟଜ୍ୟୋତିରେ...ଆନନ୍ଦର ଅମୃତରେ... ।

 

ସେହି ପ୍ରଥମ ସୃଜନର ମୋହନବଂଶୀ ଉଚ୍ଚାଟିତ କରିଥିଲା ନିଖିଳ ବିଶ୍ୱକୁ-ଜଡ଼କୁ ପୁଣି ଜୀବନକୁ । ମାଧୁରିମାରେ ଭରିଦେଇଥିଲା ଜଗତ ହୃଦୟର ଶୂନ୍ୟ କଳସୀକୁ ।

 

ରୋମାଞ୍ଚିତ ନିଖିଳ ବିଶ୍ୱରେ ସେଇ କବିତାକଳ୍ପ ଚିନ୍ମୟୀ ଆଦିଶକ୍ତି ରୂପରେ ଅନନ୍ତ ବିଶ୍ୱପ୍ରକୃତିରେ ପରିବ୍ୟାପ୍ତ ହେଲେ । ଚମକିତ କଲେ ଦୃଷ୍ଟି ଓ ଦ୍ରଷ୍ଟାକୁ । ସେଇ ମାହେଶ୍ୱରୀଙ୍କର ଲୀଳାବିଳାସରୁ ସମୟରୁ ପ୍ରକାଶ ହେଲା, ଦଣ୍ଡ ଲିତା ବିଲିତାର... ଏକକମାନଙ୍କରେ ଚିହ୍ନିତ ହୋଇ-। ନିସ୍ତବ୍‌ଧ ମହାନ୍ଧକାର ଭିତରୁ କାବ୍ୟଚେତନାର ଏ ଉଲ୍ଲାସକୁ ଧାରଣ କଲା ସମୟ । ସେହି ମହାକବିଙ୍କର ନିରାଜନାରେ ହିରଣ୍ମୟ ସବିତାଙ୍କର ଉଷାକାଳୀନ ଗାୟତ୍ରୀ ସମ୍ଭାଷଣ ଉଦ୍‌ବୋଧିତ କଲା ସକଳ ସୃଷ୍ଟିକୁ, ଜୀବନ୍ୟାସ ଦେଲା କବିତା କଳ୍ପକୁ ।

 

ଏହି କାବ୍ୟଚେତନା ଅମୂର୍ତ୍ତକୁ ମୂର୍ତ୍ତରେ ପ୍ରତିଭାତ କଲା । ସେଇ ପରମ କାବ୍ୟପୁରୁଷର ଧ୍ୟାନମଗ୍ନ ଅବସ୍ଥାର ରୂପାନ୍ତର ଘଟିଲା । ବିଭୋର ସୃଷ୍ଟି ପ୍ରକ୍ରିୟାରେ । ମହାନ ସୃଷ୍ଟିର ବିଭୂତି ବିଚ୍ଛୁରିତ ହେଲା ସର୍ବତ୍ର । ଅରୂପ ରୂପଲାଭ କଲା । ନିଃଶବ୍ଦତାରୁ ଶବ୍ଦର ଉତ୍ପତ୍ତି ହେଲା, ନିର୍ଗୁଣ ଗୁଣାଶ୍ରୟୀ ହେଲା । ଅନନ୍ତ ଅସୀମ ହେଲା ପ୍ରକାଶମାନ ଦୃଶ୍ୟମାନ । ଅମୃତ ସୃଜନ ସ୍ୱପ୍ନ ହେଲା ମାନସ-ଗୋଚର । ରୂପର ଲୀଳାଖେଳା ଭିତରେ ଅନନ୍ତ ବିଶ୍ୱ ଅପରୂପ ରୂପସମ୍ଭାର ନେଇ ସ୍ୱକୀୟ ମହିମା ପ୍ରକଟ କଲା । ପ୍ରେମମୟ ଆଲିଙ୍ଗନ ଭିତରେ ଆଶ୍ଳେଷିନେଲା ବିଶ୍ୱକବିଙ୍କର ପ୍ରତ୍ୟେକଟି ସୃଷ୍ଟି ସ୍ପନ୍ଦନକୁ ।

 

ସତ୍ୟ ପ୍ରତିଭାତ ହେଲା । ଶିବ ହେଲେ ବିଗ୍ରହମଣ୍ଡିତ । ରୂପମୟ ଅଖିଳ ବ୍ରହ୍ମାଣ୍ଡର ଶାଶ୍ୱତ ସୌନ୍ଦର୍ଯ୍ୟରେ ପାର୍ଥିବ ସ୍ପର୍ଶ ଲାଗିଲା । ଅଲୌକିକ ହେଲା ଲୌକିକ, ଅତିନ୍ଦ୍ରୀୟ ହେଲା ଇନ୍ଦ୍ରିୟ-ଉପଲବ୍‌ଧ । ସେହି ମହାନ ବିଶ୍ୱକବିଙ୍କର ସୃଷ୍ଟିର ନୟନାଭିରାମ ଦୃଶ୍ୟପଟର ପ୍ରତିଚ୍ଛବି ଫୁଟିଉଠିଲା ସକଳ ଘଟରେ, ତନୁରେ, ତନିମାରେ, ରୂପରେ, ଅରୂପରେ, ଚରାଚର ବିଶ୍ୱରେ... । ସେ ମହାନ କବିତା ସଂରଚିତ ହୋଇଗଲା ଗୋଟିଏ ଦୃଷ୍ଟିର ପଲକରେ, କେଉଁ ଏକ ମଧୁର ଲଗ୍ନରେ ।

 

ସେଇ ପ୍ରଥମ କବିତାର ମଧୁର ସ୍ୱର-ଲହରରେ ଶୁଣାଯାଇଛି ଶାଶ୍ୱତ ଜୀବନ-ସଙ୍ଗୀତ । ନିଖିଳ ଆତ୍ମାର ପ୍ରତିଟି ହୃଦୟ କନ୍ଦରରେ ସପ୍ତରାଗର ମୂର୍ଚ୍ଛନା ତୋଳିଛି । ଅହରହ ବାଜୁଛି ସେ ଧୁନ୍-। ସେଇ କବିତାର ଛନ୍ଦର ତାଳେତାଳେ ନୃତ୍ୟରତା ହୋଇଛି ବିଶ୍ୱପ୍ରକୃତି । ଆନନ୍ଦର ଶୁଭଶଙ୍ଖ ଧ୍ୱନି ଚତୁର୍ଦ୍ଦିଗରୁ ନିନାଦିତ ହୋଇଛି ସୃଷ୍ଟି ଓ ସ୍ରଷ୍ଟାକୁ ବିଭୋର କରି । ବାଦ୍ୟ, ସଙ୍ଗୀତ ଆଉ ନୃତ୍ୟର ମହାକଲ୍ଲୋଳରେ ପାଳିତ ହୋଇଛି ପ୍ରଥମ କବିତାସୃଷ୍ଟିର ମହୋତ୍ସବ । ସଙ୍ଗୀତର ଆଳାପନାରେ ଶୁଣାଯାଇଛି ଅନନ୍ତପ୍ରେମର କବିତା । ଜୀବନ-ବୀଣାରେ ଅହରହ ଶୃଙ୍ଗାର ତୋଳିଛି ପ୍ରେମାନୁଭବର ଆନନ୍ଦମୁଗ୍ଧ ନିସ୍ତବ୍ଧତାର ସ୍ୱରଲହର । କବିତାର ଉଚ୍ଛ୍ୱାସ ବୁହାଇ ଆଣିଛି ଏଇ ଧରାବକ୍ଷକୁ ଅମୃତର ସ୍ୱର୍ଗଗଙ୍ଗା । ସେଇ ମହାପ୍ରବାହରେ ବିଶ୍ୱଆତ୍ମା ଅବଗାହନ କରଛି, ସୁଧାପାନ କରିଛି, କାନପାତି ଶୁଣିଛି ସେ ସାମସଙ୍ଗୀତକୁ-ବିଭୋର, ଚଳିତ ହୋଇଛି; ଜୀବନଘଟରେ ବିନ୍ଦୁ ବିନ୍ଦୁ ମଧୁ ସଞ୍ଚୟ କରିଛି । କେବଳ ଆନନ୍ଦ ହିଁ ଆନନ୍ଦ ହୋଇଛି ଏ କବିତାର ଆଦି ଆଉ ଅନ୍ତ କଥା-

 

ସେ କବିତାର ଯେମିତି ଶେଷ ନାହିଁ । ଆଜି ବି ସେ ମହାକାବ୍ୟ ରଚିତ ହେଉଛି, ଏ ଅନନ୍ତ ଆସୀମ ବିଶ୍ୱବ୍ରହ୍ମାଣ୍ଡକୁ ଆହୁରି ଆହୁରି ସୁନ୍ଦର ଓ ମଧୁର କରି । ଯେଉଁ ମଧୁକ୍ଷରା ମହାକାବ୍ୟର ଗୋଟିଏ ଗୋଟିଏ ପଂକ୍ତି ହେଉଛନ୍ତି ଏ ଅଗଣିତ ଗ୍ରହ, ତାରା, ନକ୍ଷତ୍ର । କେଜାଣି କେତେ ଅବାଙ୍‌ମାନସଗୋଚର ଜଣାଅଜଣା, ଚିହ୍ନା ଅଚିହ୍ନା, ସୃଷ୍ଟିବିଳାସ, ଯାହାର ନାଁ ନାହିଁ, ପରିଚୟ ନାହିଁ, ଅଥଚ ସ୍ଥିତି ଅଛି, ସୃଷ୍ଟିର ସକଳ ମହିମାକୁ ଧାରଣ କରି । ସ୍ରଷ୍ଟା ପ୍ରାଣର ସକଳ ଗାରିମାକୁ ବହନ କରି ।

 

ସେଇଦିନଠୁ କେଜାଣି କେତେ ଅର୍ବୁଦ ଅର୍ବୁଦ କବିତାର ସଂରଚନା ହେଇଚାଲିଛି- ଏ ସୃଷ୍ଟିକୁ କେବଳ ସୁନ୍ଦରରୁ ସୁନ୍ଦରତର କରିବାପାଇଁ, ସତ୍ୟକୁ ଆହୁରି ଶୁଭ୍ରଶତଦଳ କରି ଫୁଟାଇବାପାଇଁ- ଶିବଚେତନାର ମଙ୍ଗଳମୟ ପ୍ରେରଣାରେ ଉଦ୍‌ବୋଧିତ କରିବାପାଇଁ, କରୁଣାର ମୃତ୍ୟୁ ସଞ୍ଜିବନୀ ପ୍ରଲେପ ଦେବାପାଇଁ, ପ୍ରେମର ପ୍ଳାବନ ସୃଷ୍ଟି କରିବାପାଇଁ, କ୍ଷୁଧାର୍ତ୍ତକୁ ଆହାର ଦେବାପାଇଁ, ମୁମୂର୍ଷୁ ଓଠରେ ହସଟିକିଏ ଦେବାପାଇଁ, ଅସହାୟର ହାତଧରି ବାଟ କଢ଼େଇ ନେବାକୁ, ଅସତ୍ୟରୁ ସତ୍ୟକୁ, ତମସାରୁ ଅଲୋକକୁ ଉଜ୍ଜାନପାଦ ମଣିଷକୁ । ମୃତ୍ୟୁରେ ଅମୃତର ଉପଲବ୍‌ଧିପାଇଁ । ଜୀବନ ପରି ଜୀବନଟିଏ ଅଞ୍ଚିବାପାଇଁ ।

 

ଏଇ କବିତା ଚିହ୍ନେଇ ଦେଇଥିଲା ମାଟିକୁ, ଚିହ୍ନେଇ ଦେଇଥିଲା ଆକାଶର ମୁହଁକୁ, ପୁଣି ସମୁଦ୍ରର ଉଚ୍ଛଳତାକୁ । ଚିହ୍ନେଇ ଦେଇଥିଲା କ୍ଷୁଧାର ଜ୍ୱାଳାକୁ, ହଜେଇବାର ବ୍ୟଥାକୁ, ପାଇବାର ପୁଲକକୁ । ପ୍ରେମର ଆକୁଳ ଆବେଗକୁ ଓ ଅନିର୍ବଚନୀୟ ବିଭୋରତାକୁ । ଚିହ୍ନେଇ ଦେଇଥିଲା ଈର୍ଷାର ସର୍ବଗ୍ରାସୀ ଜ୍ୱଳନକୁ, କ୍ରୋଧର ଲେଲିହାନ ଶିଖାକୁ, କରୁଣାର କୋମଳ ସ୍ପର୍ଶକୁ, ଅନୁରାଗର ସ୍ପର୍ଶ ସଜଳତାକୁ, ମୃତ୍ୟୁର ଶୀତଳତାକୁ, ପୁଣି ଜୀବନର ଉଷ୍ଣତାକୁ ।

 

ଏଇ କବିତା ଚିହ୍ନେଇ ଦେଇଥିଲା ମେଘମେଦୁର ସଞ୍ଜ ଆକାଶରେ ଦଳଦଳ ହୋଇ ଉଡ଼ିଯାଉଥିବା ଧବଳ ବକ ପଂକ୍ତିକୁ, ସିନ୍ଦୂରା ଫାଟିଆସୁଥିବା ପୂର୍ବାଶାରେ ଅରୁଣ ସୂର୍ଯ୍ୟର ହସିଲାହସିଲା ଓଠକୁ, ସଲ୍ଲଜ କୋମଳ ଘାସ ଉପରେ ଟୋପା ଟୋପା ଶିଶିରର ମୁକ୍ତାବିନ୍ଦୁମାନଙ୍କୁ, ନୀଳକଇଁର ଲାଜଲାଜ ମୁହଁରେ ଜ୍ୟୋତ୍ସ୍ନାର ପ୍ରେମମୟ ସ୍ପର୍ଶକୁ, ବଉଳଫୁଲର ମିଠାମିଠା ମହକକୁ, ପ୍ରଜାପତିର ଡେଣାରେ ବର୍ଣ୍ଣର ମହୋତ୍ସବକୁ, ସାଗରାଭିମୁଖୀ ଗିରିନିର୍ଝରର କୁଳୁକୁଳୁ ବିତାନକୁ, ଅନୂଢ଼ା ପ୍ରକୃତିର ନିତ୍ୟନୂତନ ରୂପବୌଭବକୁ; ରୂପ, ରସ, ଗନ୍ଧ, ଶବ୍ଦ, ଆଉ ସ୍ପର୍ଶର ବର୍ଣ୍ଣମୟ ପୃଥିବୀକୁ, ଆକାଶ ଓ ପୃଥିବୀର ମହାମିଳନକୁ । ଭଗ୍ନାଂଶରେ ପୂର୍ଣ୍ଣତାର ଆସ୍ୱାଦନକୁ ।

 

ଏଇ କବିତା ଅନୁଭବ ଆଣିଦେଇଥିଲା-ପ୍ରଗାଢ଼ ରସାନୁଭୂତିର ପ୍ରାଣବୟ ଉଲ୍ଲାସ, ସୁନ୍ଦରତମ ପ୍ରିୟତମଙ୍କର ନିରାଜନାପାଇଁ ପ୍ରେମାକୁଳ ହୃଦୟର ଗୁରୁଗୁରୁ ବ୍ୟଥା, ବିନ୍ଦୁ ବିନ୍ଦୁ ଅଶ୍ରୁରେ ସମର୍ପଣର ନୈବେଦ୍ୟ, ଅଲଭ୍ୟକୁ ଲଭିବାର ଦୁର୍ବାର ଆକାଙ୍‌‌କ୍ଷା, ସ୍ୱପ୍ନରେ ସ୍ୱପ୍ନରେ ଉଡ଼ିବୁଲିବାର ମାଦକନିଶା, ଭୂମିରୁ ଭୂମାକୁ ଅତିକ୍ରମଣର ଇଙ୍ଗିତ; ପୁଣି ବ୍ୟକ୍ତିବିଶ୍ୱରୁ ବିଶ୍ୱସମୁଦାୟକୁ ସଞ୍ଚରିଯିବାର ଧ୍ରୁବସଂକଳ୍ପ ।

 

କବି ! କେଉଁ ଅନାଦି କାଳରୁ ତ ତମେ ଲେଖୁଛ କବିତା । ତମ ଧ୍ରୁପଦୀରେ ଶୁଣାଇଛ ମାନବିକତାର ଶୁଭଶଙ୍ଖ । ତୁମ କବିତାର ଉନ୍ଦରେ ଭରିଦେଇଛ ଅଜସ୍ର ପ୍ରଣୟର ସଜସରାଗ ପାହାନ୍ତି ସ୍ୱପ୍ନ । ଚାଲିବାର କଣ୍ଟକିତ ପଥରେ ତୁମେଇ ତ ବିଛାଇ ଦେଇଛ କୋମଳ ଗୋଲାପର ପାଖୁଡ଼ା । ସକଳ ବୈଫଲ୍ୟ, ସକଳ ଅକିଞ୍ଚନତା ଭିତରେ ବି ଜୀବନର ପରିପୂର୍ଣ୍ଣ ନାନ୍ଦନିକ ଐଶ୍ୱର୍ଯ୍ୟର ଗନ୍ତାଘର ତମେଇ ତ ଖୋଲି ଦେଇଚ ଓ ଜଗତକୁ ସଂଜୀବିତ କରିଛ କରୁଣାର ଅମୃତ ସ୍ପର୍ଶରେ ।

 

ତୁମେଇ କହିଥିଲ ନା କବି, ଏ ସଂସାରରେ ଜରା ନାହିଁ ମୃତ୍ୟୁ ନାହିଁ, ରାଗ ନାହିଁ, କ୍ରୋଧ ନାହିଁ, ରୋଷ ନାହିଁ, ହିଂସା ନାହିଁ, ଦ୍ୱେଷ ନାହିଁ, ଅସୂୟା ନାହିଁ, ନାହିଁ ପଶୁତ୍ୱର ହୁଙ୍କାର, ନାହିଁ ଅହଂକାରର ସ୍ପର୍ଦ୍ଧା, ନାହିଁ ଅବିଶ୍ୱାସ, ନାହିଁ ପ୍ରତାରଣା ? ତୁମେଇ କହିଥିଲ କବି, ଏଠି ଖାଲି ବଞ୍ଚିବାର ସ୍ୱପ୍ନ ଅଛି, ପ୍ରେମର ଗୋପପୁରୀ ଅଛି, ମାନବିକତାର ଯଜ୍ଞବେଦି ଅଛି, ଅହିଂସାର ମନ୍ତ୍ରପାଠ ଅଛି, ବିଶ୍ୱାସର ସୂର୍ଯ୍ୟୋଦୟ ଅଛି, କରୁଣାର ଇନ୍ଦ୍ରଧନୁ ଅଛି, ସଂପ୍ରୀତିର ଜଳବାୟୁ ବହୁଛି, ସତ୍ୟର ଧ୍ରୁବତାରା ରହିଛି, ସୌନ୍ଦର୍ଯ୍ୟର ନନ୍ଦନକାନନ ଅଛି, ଶିବର ହିମାଳୟ ଅଛି । ଜୀବନ ଅଛି । ଯୌବନ ଅଛି । ତୁମେ କହିଥିଲ ନା, ଏଇ ପୃଥିବୀର କଥା, ମାଟିର କଥା, ପବନର କଥା, ତାରାର କଥା, ଫୁଲର କଥା, ଝରଣାର କଥା, ପ୍ରଜାପତିର କଥା, ଯିଏ ମଣିଷର ଆତ୍ମାକୁ, ହୃଦୟକୁ ପ୍ରତିନିୟତ ଭରିଦେଉଥିଲେ ବିନ୍ଦୁ ବିନ୍ଦୁ ମଧୁପର୍କରେ, ଅମୃତର ଆସ୍ୱାଦନରେ ! ତୁମ କବିତାର ଛନ୍ଦରେ କାଳେ ଜୀବନ ସହସ୍ର ରାଗରେ ସ୍ୱରାୟିତ ହେଉଥିଲା, ଶତବର୍ଣ୍ଣବିଭାରେ ଭାସ୍ୱରିତ ହେଉଥିଲା ।

 

କୁହ କବି, କାହିଁ ଗଲା ତୁମର ସେ ଫଳଶ୍ରୁତି ? ତୁମର ସେ ଅଙ୍ଗୀକାର ? କୋଉଠି କେମିତି ରହିଗଲା କିଛି ଫାଙ୍କି । କିଛି ବିଚାର ବିଭ୍ରାନ୍ତି, କବିତାର ଜୀବନ ଜିଜ୍ଞାସାରେ, ଅନ୍ୱେଷାରେ ସୃଜନ ସ୍ୱପ୍ନରେ, ଛନ୍ଦପାତରେ, କହିବାର ଭଙ୍ଗୀରେ କଳ୍ପନା ବିଳାସରେ, ଜୀବନକୁ ପ୍ରତ୍ୟକ୍ଷ କରିବାରେ । ଜଗତକୁ ଅନୁଭବ କରିବାରେ । ଦୃଷ୍ଟିର ଦିଗନ୍ତରେ । ଚିନ୍ତା ଓ ଚେତନାରେ । ତୁମ କବିତାର ଭୂମିରେ । ତା'ର ଉତ୍ତରଣରେ !

 

ତୁମେ କ'ଣ ଶୁଣିପାରୁନ କବି, ହିଂସାର ରଣହୁଙ୍କାର ? ହିମଶିଖର ହିମାଳୟକୁ କେମିତି ତରଳାଇ ଦେଇଛି ତା'ର ପ୍ରଜ୍ଜ୍ୱଳିତ ଅଗ୍ନିସ୍ଫୁଲିଙ୍ଗ । ଧ୍ୱଂସ କରିଦେଉଛି ଗୋଲାପର ଚସମେ ସାହି । ଧସାଇ ଦେଉଛି ଆକାଶଶ୍ଚୁମ୍ବୀ ଅଟ୍ଟାଳିକାର ଭିତ୍ତିଭୂମିକୁ ତ୍ରସ୍ତ କରିଦେଉଛି, ବିଲରେ କାମ କରୁଥିବା କୃଷକକୁ । ଶାଗ ବାଛୁଥିବା ସ୍ତ୍ରୀଲୋକଟିକୁ । ନାଲି ନାଲି ଓଠରେ ନୂଆ ନୂଆ ହସି ଶିଖିଥିବା ଶିଶୁଟିକୁ । ପୁତ୍ରଶୋକବିଧୂରା ଶୂନ୍ୟକୋଳ ଅସହାୟା ମା'ଟିକୁ । ପ୍ରଣୟର ସୁଖସ୍ୱପ୍ନରେ ବିଭୋର ତରୁଣୀଟିକୁ । ଜୀବନ ସଂଗ୍ରାମରେ ଅହରହ ରକ୍ତାକ୍ତ ହେଉଥିବା ଯୁବକଟିକୁ । ସୀମନ୍ତରୁ ସିନ୍ଦୂର ଲିଭିଯାଇଥିବା ସ୍ତ୍ରୀଟିକୁ ?

 

କୁହ କବି, ତୁମ କବିତାର ଅମୃତଧାରା କ'ଣ ଲିଭାଇ ଦେଇପାରିଛି ସେ ହିଂସାର ଲେଲିହାନ ଶିଖାକୁ । ତୁମେ କବିତାର ମଧୁର ଝଙ୍କାର କ'ଣ ଉଡ଼େଇ ନେଇପାରିଛି ଅମାନୁଷିକତାର ସେ ସାମୁଦ୍ରିକ ଝଡ଼କୁ? ପୋଛିଦେଇ ପାରିଛି ଅସୂୟାର ଦୁଷ୍ଟ ବ୍ରଣମାନଙ୍କୁ?

 

ହେ, କବି, କୁଆଡ଼େ ଗଲା ତୁମର ସେ ତେଜ । କୁଆଡ଼େ ଅନ୍ତର୍ହିତ ହୋଇଗଲା ସେ ଉଦ୍ଦାମ ପ୍ରେରଣା ? ସେ ମାନ୍ତ୍ରିକ ଉଚ୍ଚାରଣ କେମିତି ହଜାଇ ବସିଲା ତା'ର ମନ୍ତ୍ରଶକ୍ତି ? କାହିଁ ଗଲା ତୁମ କବିତ୍ୱର ଅପୂର୍ବ ବିଭୂତି ? ଯେଉଁ ଶବ୍ଦବ୍ରହ୍ମ ଜଡ଼କୁ ଜୀବନ୍ୟାସ ଦେଇପାରୁଥିଲା, କେମିତି ଭୁଲିଗଲ ତୁମେ ସେ ମୃତ୍ୟୁ ସଞ୍ଜିବନୀ ମନ୍ତ୍ର ? ଯେଉଁ କବିତାର ସ୍ପର୍ଶରେ ନବପଲ୍ଲବନର ସଞ୍ଚାର ହେଉଥିଲା, କୁଆଡ଼େ ହଜିଗଲା ସମ୍ମୋହନକାରୀ ପ୍ରାଣମୟ ଉଲ୍ଲାସ ?

 

କୁହ କବି, କାହିଁକି ଆଜି କବିତାରାଜ୍ୟରେ ଦେବତ୍ୱର ଅଧିଷ୍ଠାନ ହୋଇଉଠିଛି ବିଡ଼ମ୍ବିତ-? ସ୍ୱପ୍ନସବୁ କାହିଁକି ଧୂସର ମରୁପ୍ରାନ୍ତରର ମରୁତୃଷ୍ଣା ପରି ଅଳୀକ ମନେହୁଅନ୍ତି ? ଜୀବନତୃଷ୍ଣା ମେଣ୍ଟଇ ପାରୁନି କବିତା । ଦୁର୍ଯ୍ୟୋଧନମାନେ ହୋଇଉଠିଛନ୍ତି ଦର୍ପୀ ମାନୀ । ଦୁଃଶାସନମାନଙ୍କଦ୍ୱାରା ଦ୍ରୌପଦୀର ଲାଞ୍ଛନାର ମହାନାଟକ ବାରମ୍ବାର ଅଭିନୀତ ହେଉଛି । ସୀତାମାନେ ବସୁଧା କୋଳରେ ହିଁ ଆତ୍ମଗୋପନ କରୁଛନ୍ତି । ଆଜି ବି କଂସମାନେ ରଙ୍ଗସଭା ଆୟୋଜନରେ ବ୍ୟସ୍ତ । ସକ୍ରେଟିସମାନଙ୍କୁ ତଥାପି ବିଷପାନ କରିବାକୁ ହଉଚି । ଯୀଶୁମାନଙ୍କୁ ବାରମ୍ବାର କ୍ରୁଶବିଦ୍ଧ ହେବାକୁ ପଡୁଛି । ଗାନ୍ଧୀମାନଙ୍କୁ ଗୁଳି ପାଖରେ ଛାତି ପତେଇବାକୁ ହଉଛି । ମାନବିକତା ଆଜି ଛେଉଣ୍ଡ ହୋଇ ଭୂଇଁରେ ଲୋଟୁଛି । ଆଦର୍ଶ ଆଜି ହାତପାତି ଭିକ୍ଷା ମାଗୁଛି ଅନ୍ୟର କରୁଣା । ନ୍ୟାୟ ଆଜି ନିଜେ ଫାଶିଖଣ୍ଟରେ ଝୁଲୁଛି । ଅର୍ଥ ଆଜି କାମ, ଧର୍ମ ଓ ମୋକ୍ଷ-ସମସ୍ତଙ୍କୁ ପରାଭୂତ କରିପାରିଛି ।

କୁହ କବି, କାହାକୁ ନେଇ ତୁମେ କବିତା ଲେଖିବ ? କାହାପାଇଁ କବିତା ଲେଖିବ ? ଝଡ଼ ଭଳି ଚତୁର୍ଦ୍ଦିଗରୁ ମାଡ଼ିଆସୁଛି ଆସୁରୀଶକ୍ତି । କ୍ଷମତା-ମଦମତ୍ତ ରାଜଶକ୍ତି ପାଖରେ ଆଜି ନ୍ୟାୟନୀତି ହାତପାତି ଜୀବନ ଭିକ୍ଷା କରୁଛନ୍ତି । ତୁମେ କାହାର ଶରଣାପନ୍ନ ହେବ କବି ? କାହାର କୀର୍ତ୍ତିଗାନ କରିବ ? କାହାର ପ୍ରଶସ୍ତିରେ ତୁମେ ପୃଷ୍ଠା ପରେ ପୃଷ୍ଠା ଲେଖିଯିବ କବିତା ? ମାନବିକତାକୁ ସମାଧି ଦେଇ ତୁମେ କ’ଣ ତା ଉପରେ ରଚନା କରିପାରବ ହିଂସାର, ଈର୍ଷାର, ଅସୂୟାର, ଅନ୍ୟାୟର, ଅନୀତିର ଉତ୍ତୁଙ୍ଗ ମୀନାର ? ଅର୍ଥବଳ ଓ ବାହୁବଳ ପ୍ରଭାବରେ ତୁମେ କ'ଣ ଲୁଟିନେଇ ପାରବ ମଣିଷପଣିଆକୁ ? ଏ ସବୁରୁ କେଉଁଟି ତୁମର ସଫଳତାର ମାପକାଠି, କେବେ ଚିନ୍ତା କରିବ ତୁମେ ?

ତୁମେ ଯଦି ଭୋକିଲା ତୁଣ୍ଡରେ ଆହାର ଦେଇପାରିଲନି, ଦୁଃଖୀର ଲୁହ ପୋଛି ଦେଇପାରିଲନି, ଅନ୍ୟାୟର ବିରୋଧ କରିପାରିଲନି, ନ୍ୟାୟର ପ୍ରତିଷ୍ଠା କରିପାରିଲନି, ହିଂସାର ମୂଳୋତ୍ପାଟନ କରିପାରିଲନି, ମାନବିକତାର ବିଜୟ-ବୈଜୟନ୍ତୀ ଉଡ଼ାଇ ପାରିଲନି, ମଣିଷ ଭିତରୁ ପଶୁତ୍ୱକୁ ହଟାଇ ପାରିଲନି, ତେବେ ଛାଡ଼ିଦିଅ ତୁମେ କଲମ । ଭୁଲିଯାଅ ତୁମେ ନୀଳସରସ୍ୱତୀଙ୍କର ନିରାଜନାବୋଲି । ବିସ୍ମରିଯାଅ ତୁମେ ସେଇ ମହାକବିର ବଂଶଧରବୋଲି ।

(ଏଥିରେ ସମସ୍ତ ସାରସ୍ୱତ ସାଧକଙ୍କୁ ହିଁ ମୁଁ କବି ଭାବରେ ଗ୍ରହଣ କରିଛି । -ଲେଖିକା)

•••

 

ଏକବିଂଶ ଶତାବ୍ଦୀର ସାଂସ୍କୃତିକ ସଙ୍କଟ

ଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର

 

ଜୀବନ ସହିତ ସଂସ୍କୃତିର ସମ୍ପର୍କ ମଧୁର ଓ ଅନ୍ତରଙ୍ଗ । ସଂସ୍କୃତି ହିଁ ଜୀବନକୁ ସୁନ୍ଦର, ସରସ, ସୁସଂହତ, ସୁଶୃଙ୍ଖଳିତ ଓ ସମୃଦ୍ଧ କରିଥାଏ । ସଂସ୍କୃତିଠାରୁ ବିଚ୍ଛିନ୍ନ ଜୀବନରେ ଭାରସାମ୍ୟ ନଥାଏ । ଜୀବନ ବିଶୃଙ୍ଖଳ, ମର୍ଯ୍ୟାଦାହୀନ ଓ ଅଶାଳୀନ ହୋଇ ପରମ୍ପରାର ପରିଧି ବାହାରେ ପ୍ରକାଶିତ ହେଲେ ସଂସ୍କୃତିର ଅବକ୍ଷୟ ଘଟିଛିବୋଲି ବୁଝିବାକୁ ହୁଏ । ସଂସ୍କୃତିଠାରୁ ବିଚ୍ଛିନ୍ନ ଜୀବନରେ ସୃଜନଶୀଳତା ପରିବର୍ତ୍ତେ ହତାଶା, ବିରକ୍ତ, ଅଶାନ୍ତି ଓ ସନ୍ଦେହ ଭରି ରହିଥାଏ । ସେହିପରି ଜୀବନରେ ମୂଲ୍ୟବୋଧ ନଥାଏ । ଏତାଦୃଶ ଜୀବନଧାରାରେ ଏକ ବିନାଶକାରୀ ପରିବର୍ତ୍ତନ ଅନୁଭବ ହୋଇଥାଏ । ସଂସ୍କୃତିର ଦ୍ରୁତ ଅବକ୍ଷୟ ଘଟିଲେ ଏହି ବିନାଶକାରୀ ପରିବର୍ତ୍ତନ ଗତିଶୀଳ ହୋଇ ଅନେକ ଦୁର୍ଘଟଣା ଘଟାଇ ଥାଏ । ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ଜୀବନ ବିପର୍ଯ୍ୟସ୍ତ ହୋଇଯାଏ । ଏହା ହିଁ ସାଂସ୍କୃତିକ ସଙ୍କଟ । ବିଂଶ ଶତାବ୍ଦୀର ମଧ୍ୟଭାଗରୁ ସାଂସ୍କୃତିକ ସଙ୍କଟର ଉନ୍ମେଷ ଘଟିଥିଲେ ହେଁ ସମ୍ପ୍ରତି ଏହା ଉତ୍କଟ ରୂପ ଧାରଣ କଲାଣି ଏବଂ ସମଗ୍ର ଏକବିଂଶ ଶତାବ୍ଦୀରେ ଏହା ଅଧିକରୁ ଅଧିକ ଉତ୍କଟ ରୂପ ଧାରଣ ପୂର୍ବକ ଜନଜୀବନକୁ ବିପର୍ଯ୍ୟସ୍ତ କରିବାର ଯଥେଷ୍ଟ ସମ୍ଭାବନା ଅନୁଭୂତ ହେଲାଣି । ବିଶେଷତଃ ଏକବିଂଶ ଶତାବ୍ଦୀ ଅଣୁବିଜ୍ଞାନର ଯୁଗରୂପେ ପରିଚିତ ହୋଇ ବ୍ୟକ୍ତିର ଚିନ୍ତା, ଚେତନା, ଶୃଙ୍ଖଳାବୋଧ, ନୈତିକତା, ସୃଜନଶୀଳତା ଏବଂ ସୌନ୍ଦର୍ଯ୍ୟବୋଧ ବ୍ୟାହତ ହେବାର ଆଶା ଅଧିକ । ପରିଣାମସ୍ୱରୂପ ଐତିହ୍ୟ, ପରମ୍ପରା, ସଂସ୍କୃତି ଓ ମୂଲ୍ୟବୋଧର ମୌଳିକତା ମୂଳରେ କୁଠାରାଘାତ ହେବାର ଆଶଙ୍କା ଦେଖାଦେଲାଣି । ସାମ୍ପ୍ରତିକ ସଂସାରରେ ଧର୍ମ, ସତ୍ୟ, ନ୍ୟାୟ, ସଦ୍‌ଭାବ, ସହାନୁଭୂତି, ଶାନ୍ତି, ପ୍ରୀତି, ଶ୍ରଦ୍ଧା, ବିଶ୍ୱାସ ଓ ସମନ୍ୱୟ ବିଲୁପ୍ତ । ହିଂସା, ପ୍ରତିହିଂସାର ମାତ୍ରା ଅତ୍ୟଧିକ ଭାବରେ ବୃଦ୍ଧି ପାଇଲାଣି । ସଂକ୍ଷେପରେ ଉଲ୍ଲେଖ କଲେ ଧର୍ମ ଅଧୋଗତି, ମନ କଳୁଷିତ, ଚିନ୍ତା ଅସ୍ଥିର, ମତି ଚଞ୍ଚଳ, ଶିକ୍ଷା ବିବର୍ଣ୍ଣ, ଖାଦ୍ୟ ଦୂଷିତ, ପରିବେଶ ଦୁଃସହ, ସମୟ ଦାରୁଣ, ପ୍ରବୃତ୍ତି ନୀଚ, ପ୍ରକୃତି ବିଷର୍ଣ୍ଣ ଓ ସଂସ୍କୃତି ବିପନ୍ନ । ଏକବିଂଶ ଶତାବ୍ଦୀରେ ଏହି ଦାରୁଣ ସମୟରେ ସଂସ୍କୃତିର ପ୍ରବହମାନ ଧାରାକୁ ଅବ୍ୟାହତ ରଖିବା ତଥା ସଂସ୍କାର ମାଧ୍ୟମରେ ଏହାକୁ ନିତ୍ୟ ନୂତନ ରୂପରେ ବିନିଯୋଗ କରିବା କଲ୍ୟାଣକର ବୋଧହୁଏ ।

 

ଭାଷା, ସାହିତ୍ୟ, ସଙ୍ଗୀତ, ନୃତ୍ୟ, କଳା, ଧର୍ମ, ପର୍ବପର୍ବାଣି, ଶିକ୍ଷା, ପୂର୍ବସୂରୀ ସ୍ମରଣ ଓ ଯାତ୍ରା ମହୋତ୍ସବ ପ୍ରତ୍ୟେକ ହେଉଛି ସଂସ୍କୃତିର ଅନ୍ତରଙ୍ଗ ବିଭବ । ଏହିସବୁ ସାଂସ୍କୃତିକ ବିଭବ ମାଧ୍ୟମରେ ଜୀବନଧାରା ଯଥାର୍ଥ ଆତ୍ମପ୍ରକାଶ କରିପାରିଲେ ଜୀବନର ଉତ୍ତରୋତ୍ତର ବିକାଶ ଘଟିଥାଏ । ସାଂସ୍କୃତିକ ବିଭବକୁ ପାଥେୟ କରି ଜୀବନ ବିକଶିତ ହୋଇପାରିଲେ ମନୁଷ୍ୟ ସଂସ୍କୃତିସମ୍ପନ୍ନ ପଦବାଚ୍ୟ ହୋଇଥାଏ । ସମ୍ପ୍ରତି ସଂସ୍କୃତିର ଏହିସବୁ ଅନ୍ତରଙ୍ଗ ବିଭବ ଉପେକ୍ଷିତ, ବିକୃତି ଅଥବା ବିସ୍ମୃତ । ଚାଲିଚଳଣ, କଥାବାର୍ତ୍ତା ତଥା ନିତ୍ୟନୈମିତ୍ତିକ ଆଚରଣରେ ଆମେ ସାଂସ୍କୃତିକ ପରିଧିର ବାହାରେ । ପଦକରେ କହିଲେ, ଆମର ସଂସ୍କୃତିପ୍ରୀତି ଆଉ ନାହିଁ । ଅଧିକନ୍ତୁ ସଂସ୍କୃତି ବଦଳରେ କିଛି ଅପସଂସ୍କୃତିକୁ ପାଥେୟ କରି ଆମେ ସାଂସ୍କୃତିକ ସଙ୍କଟଆଡ଼କୁ ଠେଲି ହୋଇଯାଉଛୁ । ଅପସଂସ୍କୃତି ଆଧୁନିକତା ଛଳରେ ସଂସ୍କୃତିର ପୋଷାକ ପିନ୍ଧି ଆମ ଜୀବନଚର୍ଯ୍ୟାରେ ଅନୁପ୍ରବେଶ କରିଛନ୍ତି । ନିଦବଟିକା ସଦୃଶ ଅପସଂସ୍କୃତି ଜୀବନକୁ ଭାବବିହ୍ୱଳ ଓ ଭଲ୍ଲସିତ କରୁଥିଲେ ହେଁ ସେଥିରେ ସଂସ୍କାର, ଆଚରଣ ଓ ପରମ୍ପରାରେ ଉଦ୍‌ବୁଦ୍ଧ ହେବାର ଉପାଦାନ ନାହିଁ । ଏହା ଜୀବନକୁ ସୁଶୋଭିତ କରିବା ପରିବର୍ତ୍ତେ ଅସୁନ୍ଦର ଓ କଦର୍ଯ୍ୟ କରୁଛି । ଗୁରୁତ୍ୱପୂର୍ଣ୍ଣ ହେଉଛି, ଏହା ଜୀବନର ଊର୍ଦ୍ଧ୍ୱମୁଖୀ ଚେତନାକୁ ଜାଗ୍ରତ କରିବାକୁ ସକ୍ଷମ ନୁହେଁ । ବରଂ ଏହା ସଂସ୍କୃତିର ପାରମ୍ପରିକ ରକ୍ଷଣଶୀଳତା, ମର୍ଯ୍ୟାଦାବୋଧ, ଉତ୍ତରଶୀଳତା, ସମାଜିକ ଦାୟିତ୍ୱବୋଧ ଓ ଶକ୍ତିର ଅବକ୍ଷୟ ଘଟାଇ ବ୍ୟକ୍ତିଗତ ପାରିବାରିକ ତଥା ସାମାଜିକ ଜୀବନକୁ ବିପର୍ଯ୍ୟସ୍ତ କରୁଛି ।

 

ଭାଷା ହେଉଛି ସଂସ୍କୃତିର ବାହକ । ବିଶେଷତଃ ଆମ ଓଡ଼ିଆ ଭାଷା ଏକ ପ୍ରାଚୀନ ଆର୍ଯ୍ୟଭାଷା ତଥା ରସାନନ୍ଦ ପରିପୂର୍ଣ୍ଣ ମଧୁର ଭାଷା । ଏହାର ଅନ୍ତର୍ନିହିତ ସ୍ୱରୂପ ସରଳ, ସୁବୋଧ୍ୟ ଓ ରସୋତ୍ତୀର୍ଣ୍ଣ । ଖ୍ରୀଷ୍ଟପୂର୍ବ କାଳରୁ ଓଡ଼ିଶାର ପ୍ରାକୃତିକ ପରିସୀମା, ସାଂସ୍କୃତିକ ପୃଷ୍ଠଭୂମି ତଥା ସାମାଜିକ ପରମ୍ପରାରୁ ଓଡ଼ିଆ ଭାଷାରେ ଉନ୍ମେଷ ଘଟିଥିଲା । ଯୁଗଭିତ୍ତିକ ପରିବର୍ତ୍ତିତ ପ୍ରକ୍ରିୟାରେ ସ୍ୱକୀୟ ମୌଳିକ ରୀତିରେ ନୂତନ ରୂପରେ ପ୍ରକାଶିତ ହୋଇ ଓଡ଼ିଆ ଭାଷା ପୂର୍ବାଞ୍ଚଳ ଭାଷାଗୋଷ୍ଠୀରେ ବଡ଼ଭଉଣୀ ମର୍ଯ୍ୟାଦାରେ ଅଧିଷ୍ଠିତା । ଦୁଃଖର ବିଷୟ ସମ୍ପ୍ରତି ଓଡ଼ିଆ ଭାଷା ଆମର ଆଉ ମମତା ନାହିଁ । ପଦେ ପଦେ ଇଂରାଜୀ ବା ହିନ୍ଦୀ କହିବାକୁ ଆମେ ଏକ ଗୌରବ ଭାବରେ ଗ୍ରହଣ କଲେଣି । ପଲ୍ଲୀଠାରୁ ନଗର ସର୍ବତ୍ର ଇଂରାଜୀମାଧ୍ୟମ ବିଦ୍ୟାଳୟ ପ୍ରତିଷ୍ଠିତ । ଅନେକ ଆପଣାର ପିଲାଙ୍କୁ ଏହିସବୁ ବିଦ୍ୟାଳୟରେ ପଢ଼ାଇବାକୁ ଏକ ଆଭିଜାତ୍ୟ ଭାବରେ ଗ୍ରହଣ କଲେଣି । ଗୃହରେ ମଧ୍ୟ ଗୁରୁ ଗୁରୁଜନ ପିଲାମାନଙ୍କୁ ଇଂରାଜୀ ଭାଷାରେ କଥାବାର୍ତ୍ତା ଶିଖାଇବାକୁ ପସନ୍ଦ କଲେଣି । ଅନେକଙ୍କର ଯୁକ୍ତି ହେଉଛି ମୂଳରୁ ଇଂରାଜୀ ଭାଷା ଶିକ୍ଷା ନକଲେ ପିଲାଟି ଭବିଷ୍ୟତରେ ସର୍ବଭାରତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଆପଣାର ପ୍ରତିଭା ପ୍ରଦର୍ଶନ କରିପାରିବ ନାହିଁ । କିନ୍ତୁ ମାତୃଭାଷା ଯେ ଆତ୍ମପ୍ରକାଶର ପ୍ରଥମ ଭାଷା ଏହା ସ୍ୱୀକାର କରିବାକୁ କେହି ପ୍ରସ୍ତୁତ ନୁହନ୍ତି । ଆମ ଭାଷାଦ୍ୱାରା ଶତାବ୍ଦୀ ଧରି ଆମ ସଂସ୍କୃତିର ବିକାଶ ଘଟିପାରିଛି ଓ ଜାତୀୟତାର ଉତ୍ତରୋତ୍ତର ଅଭିବୃଦ୍ଧି ହୋଇପାରିଛି । ଅଥଚ ସମ୍ପ୍ରତି ଆମ ନିକଟରେ ଭାଷାର ଗୁରୁତ୍ୱ ନାହିଁ । ଏହା ସତ୍ୟ ଯେ ବ୍ୟକ୍ତି ଯେତେ ପ୍ରଜ୍ଞାବାନ ହେଲେ ହେଁ ଆପଣା ଭାଷା ମାଧ୍ୟମରେ ଜାତୀୟତାର ସ୍ୱାକ୍ଷର ବହନ କରି ଆତ୍ମପ୍ରକାଶ ନକରିଥିଲେ ତା'ର ଦୁଇଟି ସ୍ୱରୂପ ଉପଲବ୍‌ଧି ହୋଇଥାଏ । ପ୍ରଥମ ସ୍ୱରୂପଟି ହେଉଛି କପଟତାର ଆବରଣରେ ପ୍ରକାଶିତ ଭାବ ଓ ଭଙ୍ଗୀ । ଦ୍ୱିତୀୟ ସ୍ୱରୂପଟିରେ ସଂସ୍କୃତି ଓ ଜାତୀୟତାର ଲେଶ ମାତ୍ର ଚିହ୍ନନଥାଏ । ବର୍ତ୍ତମାନ ଅନେକ ଓଡ଼ିଆଙ୍କ ମଧ୍ୟରେ ଏହି ଦ୍ୱିତୀୟ ସ୍ୱରୂପର ପ୍ରାବଲ୍ୟ ବୃଦ୍ଧି ପାଇଛି । ତେଣୁ ସାମ୍ପ୍ରତିକ ସ୍ଥିତିରେ ଗୁରୁତର ଭାଷାସଙ୍କଟ ଉପୁଜି ସଂସ୍କୃତି ଓ ଜାତୀୟତା ବିପନ୍ନ । ଏକବିଂଶ ଶତାବ୍ଦୀରେ ଆଗାମୀ ଦିନମାନଙ୍କରେ ଏହା ଗୁରୁତର ଆକାର ଧାରଣ କରିବାର ସମ୍ଭାବନା ରହିଛି । କେବଳ ଯେ ଆମ ନିତ୍ୟନୈମିତ୍ତିକ, ପାରିବାରିକ ଓ ସାମାଜିକ ଚଳଣିରେ ଭାଷା ଉପେକ୍ଷିତ ତାହା ନୁହେଁ, ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ତଥା ସରକାରୀସ୍ତରରେ ମଧ୍ୟ ଭାଷା ଉପେକ୍ଷିତ ଏବଂ ଅବହେଳିତ-। ଏହି ପୁରୋଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନ ଆଜିକୁ ଚାଳିଶବର୍ଷ ତଳେ ଭାଷା ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରିବାକୁ ମତ ଦେଇଥିଲେ, ଯାହାକି ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିନାହିଁ । ପରିଣାମ ସ୍ୱରୂପ ଭାଷା ସଂସ୍କୃତିର ବାହକ ଭୂମିକା ନିର୍ବାହ କରିବାକୁ ଅସମର୍ଥ ।

 

ଆମ ସାହିତ୍ୟର ପ୍ରବହମାନ ଧାରାରୁ ଆମ ସଂସ୍କୃତିର ଯଥାର୍ଥ ପରିଚୟ ଉପଲବ୍‌ଧି ହୋଇଥାଏ । ଆମ ସାରସ୍ୱତ ମୂର୍ଚ୍ଛନା ଯୁଗେ ଯୁଗେ ଆମ ସାଂସ୍କୃତିକ ଭାବଧାରାରେ ଅଙ୍ଗ ଓ ଆତ୍ମାରେ ପରିବର୍ତ୍ତନ ଆଣିଛି; କିନ୍ତୁ ଏକବିଂଶ ଶତାବ୍ଦୀରେ ଓଡ଼ିଆ ସାହିତ୍ୟ ଜୀବନଯାପନ ଧାରାରୁ ବିଚ୍ଛିନ୍ନ ହୋଇ ପରମ୍ପରାର ପରିଧି ବାହାରେ ପ୍ରକାଶିତ । ସାମାଜିକ କ୍ଷେତ୍ର ଏବଂ ବ୍ୟକ୍ତିଚେତନାରୁ ସାହିତ୍ୟ ଅପସରି ଯାଇ ସଂସ୍କୃତି ସହିତ ସମ୍ପର୍କ ଏବଂ ବ୍ୟକ୍ତିଚେତନାରୁ ସାହିତ୍ୟ ଅପସରି ଯାଇ ସଂସ୍କୃତି ସହିତ ସମ୍ପର୍କ ଚ୍ଛିନ୍ନ କଲାଣି । ସାମାଜିକ ଅଙ୍ଗାକାରବୋଧରେ ଓଡିଆ ସାହିତ୍ୟର ଅଙ୍ଗ ଓ ଆତ୍ମାରେ ବିରାଟ ପରିବର୍ତ୍ତନର ସୂତ୍ରପାତ ଘଟିଥିଲେ ହେଁ ସାହିତ୍ୟର ସାଂସ୍କୃତିକ ମୂଲ୍ୟବୋଧ ପ୍ରତି ଅନେକ ସଚେତନ ନୁହଁନ୍ତି । ଅଗଣିତ ଓଡ଼ିଆଙ୍କ ନିମିତ୍ତ ସାହିତ୍ୟ ଆଉ ଆଦରର ବସ୍ତୁ ହୋଇ ରହିନାହିଁ । ଅନେକଙ୍କ ମତରେ ସାହିତ୍ୟ ସାଧନା ଓ ଚର୍ଚ୍ଚା ହେଉଛି ଅଳସୁଆଙ୍କର କାର୍ଯ୍ୟ । ‘ସାହିତ୍ୟଦ୍ୱାରା ଯେ ହିତସାଧନ ହୁଏ' ଏହି ଚେତନା ସମ୍ପ୍ରତି ଅନେକ ବ୍ୟକ୍ତିଙ୍କର ନାହିଁ । କେତେକ ଅସାହିତ୍ୟିକ ସାହିତ୍ୟ ନାଁରେ ଆପଣାକୁ ପ୍ରତିଷ୍ଠିତ କରାଇବାର ଉଦ୍ୟମରେ ଅପସଂସ୍କୃତିର ପୃଷ୍ଠପୋଷକ ସାଜିଲେଣି । ଏପରିକି ଏହା ବର୍ତ୍ତମାନ ଓଡ଼ିଆ ସାହିତ୍ୟରେ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କରିଥିଲେ ହେଁ କାହାର ସେ ଦିଗରେ ଧ୍ୟାନ ନାହିଁ । କେତେକ ସାରସ୍ୱତ ସ୍ରଷ୍ଟା ସାହିତ୍ୟର ବିକାଶ କାମନାରେ ସଂଘ, ସଂସଦ, ପରିଷଦ, ଏକାଡେମୀ ପ୍ରଭୃତି ଅନେକ ଅନୁଷ୍ଠାନ ଗଢ଼ିଥିଲେ ହେଁ ସେଗୁଡ଼ିକ ସର୍ବସାଧାରଣଙ୍କ ସ୍ନେହ ଓ ଶ୍ରଦ୍ଧାରୁ ବଞ୍ଚିତ । ଏ ପରିସ୍ଥିତିରେ ସାହିତ୍ୟ ଭୂମି ଉପରେ ଛିଡ଼ା ହୋଇ ସଂସ୍କୃତିର ଉତ୍ତରଣ ଘଟାଇବା ସମ୍ଭବ ନୁହେଁ । ଏକବିଂଶ ଶତାବ୍ଦୀର ଆଗାମୀଦିନମାନଙ୍କରେ ଲିଖିତ ସାହିତ୍ୟ ଲୋପ ପାଇବାର ଆଶାଆଶଙ୍କା ଉପୁଜିଲାଣି । ସେଥିନିମିତ୍ତ ସତର୍କ ନରହିଲେ ସାହିତ୍ୟରୁ ସଂସ୍କୃତିର ପରିଚୟ ଉପଲବ୍‌ଧି ହେବନାହିଁ । ଅନ୍ୟଭାଷାରେ କହିଲେ ସାହିତ୍ୟ ସଂସ୍କୃତିର ବାର୍ତ୍ତା ବହନ କରିବା ଅସମ୍ଭବ ହୋଇପଡ଼ିବ । ଏହା ଏକ ଗୁରୁତର ସାଂସ୍କୃତିକ ସଙ୍କଟ ।

 

ଓଡ଼ିଶୀ ନୃତ୍ୟ ଏକ ପ୍ରାଚୀନ ଶାସ୍ତ୍ରୀୟ ନୃତ୍ୟ । ଖ୍ରୀଷ୍ଟପୂର୍ବ କାଳରୁ ଏହା ବିକଶିତ ହୋଇ ଆମ ସଂସ୍କୃତିର ଉତ୍ତରଣ ଘଟାଇଛି । ଅଧିକନ୍ତୁ ଓଡ଼ିଶୀ ନୃତ୍ୟ ଯୋଗୁ ଓଡ଼ିଆ ଜାତି ବିଶ୍ୱ ଦରବାରରେ ପ୍ରାଚୀନ ସଂସ୍କୃତିସମ୍ପନ୍ନ ଜାତିରୂପେ ପରିଚିତ । ବର୍ତ୍ତମାନ ଓଡ଼ିଶୀ ନୃତ୍ୟ ଅନ୍ତର୍ଜାତୀୟ ପ୍ରସିଦ୍ଧି ଲାଭ କଲାଣି । ଅଥଚ ଅନେକ କ୍ଷେତ୍ରରେ ଓଡ଼ିଶୀ ନୃତ୍ୟ ଅପସଂସ୍କୃତିଦ୍ୱାରା ପ୍ରଭାବିତ । ନୃତ୍ୟ ନାମରେ ନଗ୍ନ ନୃତ୍ୟ, ଡିସ୍କୋ ନୃତ୍ୟ, ଫେସନ ନୃତ୍ୟ, ରେକର୍ଡ଼ ନୃତ୍ୟ, ଯୁଗ୍ମ ନୃତ୍ୟ, ମୁକ୍ତ ନୃତ୍ୟ ପ୍ରଭୃତିର ପ୍ରସାର ଘଟିଲାଣି । ଏହିସବୁ ନୃତ୍ୟ ଅନେକ ସ୍ଥଳରେ ଏପରି ରୂପ ନେଲାଣି, ଯାହା ଦର୍ଶନୀୟ ମଧ୍ୟ ନୁହେଁ । ଏତ୍‌ଦ୍‌ଭିନ୍ନ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବାସ କରୁଥିବା ଆଦିବାସୀଙ୍କର ସ୍ୱତନ୍ତ୍ର ନୃତ୍ୟ ପରମ୍ପରା ରହିଛି ଏବଂ ଏହି ପରମ୍ପରା ହିଁ ସେମାନଙ୍କ ସଂସ୍କୃତିକୁ ସମୃଦ୍ଧ କରିଛି । ଏହା ଆମ ସଂସ୍କୃତିର ଅଙ୍ଗ ହେଲେ ହେଁ ସେଥିପ୍ରତି କାହାର ନିଘା ନାହିଁ । ଏହିସବୁ ନୃତ୍ୟର ବ୍ୟାପକ ପ୍ରଚାର ଓ ପ୍ରଶିକ୍ଷଣ ନିମିତ୍ତ ଆମର ପ୍ରଚେଷ୍ଟା ସୀମିତ । ଦଣ୍ଡନୃତ୍ୟ, ବଣ୍ଡିନୃତ୍ୟ, ମୁଣ୍ଡପତା ନୃତ୍ୟ, ଘୋଡ଼ା ନୃତ୍ୟ, ରଣପା ନୃତ୍ୟ, ଚଢ଼େୟା ନୃତ୍ୟ, ଢଣକୋଇଲା ନୃତ୍ୟ, ଭାରତ ଲୀଳା ନୃତ୍ୟ, ରାମଲୀଳା ନୃତ୍ୟ ପ୍ରଭୃତି ଓଡ଼ିଶାରେ ଅନେକ ପାରମ୍ପରିକ ନୃତ୍ୟ ରହିଛି ଯାହାଦ୍ୱାରା ଓଡ଼ିଆ ସଂସ୍କୃତି ପ୍ରାଣବନ୍ତ । ଅଥଚ ସେ ସବୁର ବିକାଶ ନିମିତ୍ତ ଉଦ୍ୟମ କ୍ଷୀଣ । ଓଡ଼ିଶାରେ ପ୍ରଚଳିତ ଶୈବ, ଶାକ୍ତ, ବୈଷ୍ଣବ ଓ ଅନ୍ୟାନ୍ୟ ସଂସ୍କୃତିର ନିଜସ୍ୱ ନୃତ୍ୟଧାରା ରହିଛି । ତାହା ଯୁଗ ଯୁଗ ଧରି ଓଡ଼ିଆ ପ୍ରାଣରେ ସାଂସ୍କୃତିକ ଚେତନା ଉଦ୍ରେକ କରିଥିଲେ ହେଁ ସମ୍ପ୍ରତି କେବଳ ପ୍ରଦର୍ଶନଭିତ୍ତିକ । ସଂକ୍ଷେପରେ ଉଲ୍ଲେଖ କଲେ ଓଡ଼ିଆ ସଂସ୍କୃତିର ଅମୂଲ୍ୟ ବିଭବ ନୃତ୍ୟ ଓଡ଼ଆ ଜନଜୀବନକୁ ଉଦ୍‌ବେଳିତ କରିପାରୁନାହିଁ ।

 

ଓଡ଼ିଶୀ ସଙ୍ଗୀତ ପ୍ରାଚୀନକାଳରୁ ଜନଜୀବନକୁ ସରସ, ସୁନ୍ଦର ଓ ସୌରଭମୟ କରିବା ସହିତ ଆଧ୍ୟାତ୍ମିକ ବିଭାବମଣ୍ଡିତ ସାଂସ୍କୃତିକ ଧାରାରେ ପ୍ରବାହିତ । ଏହି ସଙ୍ଗୀତର ବିଭିନ୍ନ ବିଭାଗ, ଶାସ୍ତ୍ରୀୟ ମର୍ଯ୍ୟାଦା, ଆଧ୍ୟାତ୍ମିକ ସୌରଭ, କଳାତ୍ମକ ଉତ୍କର୍ଷ ଓ ଶବ୍ଦବ୍ରହ୍ମର ବିବେଚନା ଅନନ୍ୟ ଓ ଅନୁପମ । ଏହାର ଗାୟନବିଧି, ବାଦ୍ୟଯନ୍ତ୍ର ବିବରଣ ଓ ସାଙ୍ଗୀତିକ ପରମ୍ପରାରୁ ହୃଦ୍‌ବୋଧ ହୁଏ ଯେ ସଙ୍ଗୀତ ହିଁ ଓଡ଼ିଆ ସଂସ୍କୃତିରେ ନିତ୍ୟନୂତନ ବିଶ୍ୱାସ ପ୍ରତିଷ୍ଠା କରିଥିଲା । ଅଧିକନ୍ତୁ ସ୍ତବ, ସ୍ତୁତି, ଭଜନ, ଜଣାଣ ପ୍ରଭୃତି ରୂପରେ ଭକ୍ତିସଙ୍ଗୀତ ସୃଷ୍ଟିରେ ସଂସ୍କୃତିରେ ଭାକ୍ତିକ ଭାବଧାରାର ପ୍ରାଧାନ୍ୟ ଅନୁଭୂତ ହୋଇଥିଲା । ବିଶେଷତ୍ୱ ହେଉଛି, ବିକାଶର ଧାରାରେ ଓଡ଼ିଶୀ ସଙ୍ଗୀତରେ ବିଭିନ୍ନ ରାଗରାଗିଣୀ, ତାଳ, ସ୍ୱର ଓ ଧ୍ୱନିର ଉନ୍ମେଷ ଘଟି ଏହା ସଂସ୍କୃତିର ମୁଖ୍ୟ ବିଭବ ରୂପ ପ୍ରତିଭାତ ହୋଇଥିଲା । ଓଡ଼ିଶାର ସଙ୍ଗୀତଜ୍ଞବୃନ୍ଦ ହୃଦୟାକର୍ଷକ ରାଗସଙ୍ଗୀତ ସୃଷ୍ଟି ପୂର୍ବକ ଓଡ଼ିଶୀ ସଙ୍ଗୀତକୁ ଅଧିକ ସାଂସ୍କୃତିକ ମର୍ଯ୍ୟାଦା ପ୍ରଦାନ କରିଥିଲେ ତଥା ରାଜା, ମହାରାଜା, ଜମିଦାର ଓ ସାମନ୍ତଗୋଷ୍ଠୀ ଓଡ଼ିଶୀ ସଙ୍ଗୀତର ପୃଷ୍ଠପୋଷକତା କରି ସଂସ୍କୃତିର ଉତ୍ତରଣ ଘଟାଇଥିଲେ । ସଙ୍ଗୀତକୁ ଆଧାର କରି ଓଡ଼ିଆ ସାଧକ ସାଧିକାବୃନ୍ଦ ଓଡ଼ିଆ ସଂସ୍କୃତିର ବୈଶିଷ୍ଟ୍ୟ, ବୈଚିତ୍ର‌୍ୟ ଓ ବୈଦଗ୍ଧ୍ୟ ପରିବେଷଣ କରିଥିଲେ ହେଁ ସମ୍ପ୍ରତି କେତେକ ଗାୟକ ଗାୟିକା ଅଶ୍ଳୀଳ, ଦ୍ୱିଅର୍ଥବୋଧକ, ଯୌନୋଦ୍ଦୀପକ ସଙ୍ଗୀତବୋଲି ଓଡ଼ିଆ ସଂସ୍କୃତିର ମର୍ଯ୍ୟାଦାହାନି କରୁଛନ୍ତି । ସ୍ଥଳବିଶେଷରେ ଏପରି ସଙ୍ଗୀତ ବୋଲାଯାଉଛି, ଯାହା ପରିବାରର ସମସ୍ତ ସଦସ୍ୟ ଏକତ୍ର ବସି ଶୁଣିପାରିବେ ନାହିଁ-। ଅନେକ କ୍ଷେତ୍ରରେ ସାଙ୍ଗୀତିକ ଅଶ୍ଳୀଳତାକୁ ସ୍ୱୀକୃତି ପ୍ରଦାନ କରାଯିବା ଦା୍ୱରା ଗୁରୁତର ସାଂସ୍କୃତିକ ସଙ୍କଟ ମଧ୍ୟ ସୃଷ୍ଟି ହେଲାଣି । ଆଗାମୀ ଦିନମାନଙ୍କରେ ଏହାର ଉତ୍କଟ ବ୍ୟାଧିରୂପେ ପ୍ରତିଭାତ ହେବାର ସମ୍ଭାବନା ଅଧିକ । ସମ୍ପ୍ରତିକ ସ୍ଥିତିରେ ସାଙ୍ଗୀତିକ ପରମ୍ପରାର ପରିଧିରେ ନୂତନ ମାଧୁର୍ଯ୍ୟ ଆସ୍ୱାଦନ ହୋଇପାରିଲେ ସାଂସ୍କୃତିକ କ୍ଷେତ୍ରରେ ନବୀନ ସୂର୍ଯ୍ୟାଦୟର ଆଶା ଉଜ୍ୱଳ ।

 

ପ୍ରସ୍ତର ଅଭିଲେଖ, ଗୁମ୍ଫାଭିଲେଖ ତଥା ମନ୍ଦିର ଗାତ୍ରରୁ ଓଡ଼ିଶୀ କଳାର ମହନୀୟତା ପ୍ରତିପାଦିତ ହୋଇଥାଏ । ଯୁଗେ ଯୁଗେ ଓଡ଼ିଆ ଶିଳ୍ପୀର ଭାବ ମାନସ କଳାର ରୂପାନ୍ତରିତ ହୋଇ ଓଡ଼ିଆ ସଂସ୍କୃତିକୁ ରଦ୍ଧିମନ୍ତ କରିଆସିଛି । ଅଥଚ ସମ୍ପ୍ରତି ଓଡ଼ିଶୀକଳା କେତେକାଂଶରେ ଅପସଂସ୍କୃତିଦ୍ୱାରା ପ୍ରଭାବିତ । କଳାର ସୃଜନଶୀଳତାର ଆଉ ସ୍ଥାନ ନାହିଁ । କେବଳ ଯୌନଦୃଶ୍ୟ ସମ୍ବଳିତ ଉତ୍କଟ ଶୃଙ୍ଗାରିକତା ସମ୍ପନ୍ନ କଳାର ଆଦର ବଢ଼ିଛି । ଯଥାର୍ଥରେ ଅପସଂସ୍କୃତି କଳାରେ ଅଶୋଭନୀୟତା ସୃଷ୍ଟି କଲାଣି । ଆଶ୍ଚର୍ଯ୍ୟର କଥା, ନିଦବଟିକା ସଦୃଶ ଏହା ଆମକୁ ଏପରି ଭାବରେ ଆଚ୍ଛନ୍ନ କଲାଣି ଯେ ତା ବିରୋଧରେ ପ୍ରତିବାଦର ସ୍ୱର କ୍ଷୀଣ । ଅବଶ୍ୟ ସମ୍ପ୍ରତି ଓଡ଼ିଶାରେ ଅନେକ ଉତ୍କୃଷ୍ଟ କଳାକାର, ଶିଳ୍ପୀ, ଚିତ୍ରକର ଅଛନ୍ତି ଯେଉଁମାନେ ପ୍ରୋତ୍ସାହନରୁ ବଞ୍ଚିତ । ଏହାଦ୍ୱରା ଆମ ସଂସ୍କୃତିର ମୂଲ୍ୟବାନ ବିଭବ କଳା ଧ୍ୱଂସମୁଖୀ । ଏହାକୁ ଗୁରୁତ୍ୱର ସହ କେହି ବିଚାର ବିଶ୍ଳେଷଣ କରୁନାହାନ୍ତି ।

 

ଆମ ସଂସ୍କୃତିର ଆଦିସ୍ରୋତର ଉନ୍ମେଷ ଧର୍ମରୁ ହିଁ ଘଟିଛି । ଧର୍ମ ଆମର ବ୍ୟକ୍ତିଗତ ପ୍ରୟୋଜନୀୟତା ସହିତ ପାରିବାରିକ ଓ ସାମାଜିକ ବିଧିବ୍ୟବସ୍ଥାକୁ ସୁଶୃଙ୍ଖଳିତ କରି ସଂସ୍କୃତିକୁ ଊର୍ଦ୍ଧ୍ୱମୁଖୀ କରିଆସିଛି । ସମ୍ପ୍ରତି ଧର୍ମ ନାମରେ ଜାଲିଆତି, ପ୍ରବଞ୍ଚନା ଓ ଆତ୍ମପ୍ରଚାର ବଢ଼ିଚାଲିଛି । ଧର୍ମ ସଂସ୍କୃତିର ରକ୍ଷକ ଭୂମିକାରେ ଅବତୀର୍ଣ୍ଣ । ଧର୍ମ ନାମରେ ଧର୍ମାନ୍ଧତାର ବ୍ୟାପକ ପ୍ରସାର ଚାଲିଛି । ଏହା କାରଣରୁ ଅନେକଙ୍କର ଧର୍ମ ଉପରୁ ଆସ୍ଥା ତୁଟିଗଲାଣି । ଧର୍ମରେ ଅନେକ ଗୋଷ୍ଠୀ, ଅନେକ ମତ ଓ ଅନେକ ସମ୍ପ୍ରଦାୟ ସୃଷ୍ଟି ହୋଇ ହିଂସା, ଦ୍ୱେଷ, କଳହ ଓ ସଂଘର୍ଷ ଆରମ୍ଭ ହେଲାଣି-। ସାଧନା ନଥାଇ ସିଦ୍ଧାଚାର୍ଯ୍ୟ ବୋଲାଉଥିବା ଅନେକ ଧର୍ମଗୁରୁ ମଙ୍ଗୁଆଳ ସାଜି ଅପସଂସ୍କୃତିକୁ ପ୍ରୋତ୍ସାହନ ଦେଲେଣି । ପରିଣାମରେ ଧାର୍ମିକ ବିଚାରବୋଧ ବିଲୁପ୍ତ ପ୍ରାୟ । ଏହା ସତ୍ୟ ଯେ ଧର୍ମବିହୀନ ସଂସ୍କୃତି ଏକ ପ୍ରାଣହୀନ ପ୍ରାଣୀ ସହିତ ସମାନ । ଆମକୁ ସ୍ମରଣ ରଖିବାକୁ ହେବ ଯେ ଧର୍ମରେ ସଂସ୍କୃତିର ବିକାଶ ଓ ଧର୍ମହୀନତାରେ ସଂସ୍କୃତିର ବିନାଶ । ଧର୍ମ ଉପେକ୍ଷିତ ହେବାଦ୍ୱରା ଧର୍ମକୁ କେନ୍ଦ୍ରକରି ବ୍ୟାପକ ସାଂସ୍କୃତିକ ସଙ୍କଟ ସୃଷ୍ଟି ହେଲାଣି । ଏପରିକି ଏହା ନିୟନ୍ତ୍ରଣ ବାହାରକୁ ଚାଲିଯାଇ ବ୍ୟାପକ ବିନାଶର ସୂଚନା ଦେଲାଣି ।

 

ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ଆମ ଓଡ଼ିଶାରେ ପ୍ରାଚୀନ କାଳରୁ ଏକ ସମନ୍ୱୟାତ୍ମକ ଧର୍ମଧାରା ପ୍ରବାହିତ; କିନ୍ତୁ ସମ୍ପ୍ରତି ଜଗନ୍ନାଥ ସଂସ୍କୃତି ପ୍ରଚାର ନାମରେ କିମ୍ଭୂତକିମାକାର ଉପାଖ୍ୟାମାନ ଅବତାରଣା କରାଯାଉଛି । ଜଗନ୍ନାଥ ଧର୍ମର ଉଦାରତାଦ୍ୱାରା ଯେ ଆମ ସଂସ୍କୃତି ବିକଶିତ ଏକଥା ସତେ ଯେପରି ସଭିଏଁ ଭୁଲିଗଲେଣି । ଜଗନ୍ନାଥ ପତିତପାବନ, ଅଥଚ ତାଙ୍କ ମନ୍ଦିରରେ ପତିତ ବୋଲାଉଥିବା ବ୍ୟକ୍ତିବିଶେଷଙ୍କର ପ୍ରବେଶାଧିକାର ନାହିଁ । ଜାତି, ବର୍ଣ୍ଣ, ଧର୍ମ, ସମ୍ପ୍ରଦାୟ ନିର୍ବିଶେଷରେ ଜ୍ଞାନୀ, ମାନୀ, ସିଦ୍ଧ, ପ୍ରାଜ୍ଞ ସଭିଏଁ ତାଙ୍କ ବଡ଼ଦାଣ୍ଡର ଶରଧାବାଲିରେ ପାଦ ପକାଇବା ମାତ୍ରେ ଆପଣାର ଅହଂଟିକୁ ଭୁଲି ସମନ୍ୱୟ ଚେତନାରେ ହଜିଯାଇଥାନ୍ତି । ତାଙ୍କ ମହାପ୍ରସାଦ ସେବାରେ ବ୍ରାହ୍ମଣ ଚାଣ୍ଡାଳର ପ୍ରଭେଦ ନାହିଁ । ଏହା ହିଁ ଆମ ସଂସ୍କୃତିର ମୂଳପିଣ୍ଡ । ଆଜି ଆମେ ସଂସ୍କୃତିର ଏହି ମହନୀୟତାକୁ ଜଳାଞ୍ଜଳି ଦେଇ ସଂକୀର୍ଣ୍ଣତାକୁ ଆପଣେଇ ନେଇଛେ-। ଧାର୍ମିକ ବିଚାରବୋଧରେ ଜଗନ୍ନାଥଙ୍କୁ ଶ୍ରେଷ୍ଠ କହୁଥିଲେ ହେଁ, ତାଙ୍କୁ ବିଜ୍ଞାପନର ସାମଗ୍ରୀ ଭାବରେ ବ୍ୟବହାରପୂର୍ବକ ଆମେ ସଂସ୍କୃତିରେ କୁଠାରାଘାତ କରିଚାଲିଛେ । ତାଙ୍କ ଉନ୍ମେଷ, ବିକାଶ, ଐତିହ୍ୟ ଓ ଗବେଷଣାକୁ କେନ୍ଦ୍ରକରି ଅନ୍ତଦ୍ୱର୍ନ୍ଦ୍ୱ ଉପଗତ । ଗଣଦେବତା ଜଗନ୍ନାଥଙ୍କୁ କେନ୍ଦ୍ରକରି ଗଢ଼ି ଉଠିଥିବା ସାମ୍ୟ, ମୈତ୍ରୀ, ପ୍ରୀତି ଓ ଶାନ୍ତି ଆଜି ଦୁଃସ୍ୱପ୍ନ । ଏକବିଂଶ ଶତାବ୍ଦୀର ଆଗାମୀ ବର୍ଷମାନଙ୍କରେ ଏହା ଉତ୍କଟ ରୂପ ଧାରଣ କରିବ ଏଥିରେ ସନ୍ଦେହ ନାହିଁ ।

 

ପର୍ବପର୍ବାଣି, ଯାନିଯାତ୍ରା, ମହୋତ୍ସବ, ପ୍ରଭୃତି ହେଉଛି ସଂସ୍କୃତିର ଗର୍ବ ଓ ଗୌରବ, କିନ୍ତୁ ଏଥିରେ ଅପସଂସ୍କୃତିର ମିଶ୍ରଣ ସର୍ବାଧିକ । ପୂର୍ବେ ପରିବାର ଭିତରେ, ସାହିଭିତରେ ଅଥବା ଗ୍ରାମ ବା ସହରମାନଙ୍କରେ ସୀମିତ ପର୍ବପର୍ବାଣୀ ପାଳନ ହେଉଥିଲେ ହେଁ ସଂପ୍ରତି ଏସବୁର ପାଳନ ଦିଗନ୍ତପ୍ରସାରୀ ହୋଇପାରଛି, ଅଥଚ ଏହାର ସାଂସ୍କୃତିକ ମୂଲ୍ୟବୋଧ ପ୍ରତି କେହି ସଚେତନ ନୁହନ୍ତି-। କେବଳ ଦେଖେଇହେବା ନିମିତ୍ତ ସଭିଏଁ ବ୍ୟସ୍ତ ଓ ବିବ୍ରତ । ପାଳିତ ପର୍ବପର୍ବାଣି ସମୂହ ଜନମାନସକୁ ଉଦ୍‌ବୁଦ୍ଧ ଓ ଉଦ୍ଦାମ କରି ସାଂସ୍କୃତିକ ଚେତନାକୁ ରସାଣିତ କରିପାରୁନି । ପ୍ରାଚୀନକାଳରୁ ଯାତ୍ରା ମହୋତ୍ସବ ମାଧ୍ୟମରେ ଓଡ଼ିଆ ସଂସ୍କୃତି ଆତ୍ମପ୍ରତିଷ୍ଠା ଲାଭ କରିଥିଲେ ହେଁ ସମ୍ପ୍ରତି ପରମ୍ପରାର ପରିଧି ବାହାରକୁ ଚାଲିଯାଇ ଦୁର୍ଘଟଣା ଘଟାଇବା ସହିତ ଅପସଂସ୍କୃତିର ବ୍ୟାପକରୂପେ ପ୍ରତିଭାତ ହେଲାଣି ।

 

ପୂର୍ବସୂରୀ ସ୍ମରଣ ହିଁ ସଭ୍ୟତା ଓ ସଂସ୍କୃତିର ପାରିମାପକ । ସମ୍ପ୍ରତି ଆମର ଅଗଣିତ ପୂର୍ବସୂରୀ ବିସ୍ମୃତ ହେବାକୁ ବସିଲେଣି । ଯେଉଁ କେତେଜଣଙ୍କର ଜୟନ୍ତୀ ବା ଶ୍ରାଦ୍ଧୋତ୍ସବ ପାଳନ ହେଉଛି ତାହା କେବଳ ଲୋକଦେଖାଣିଆ । ଜୟନ୍ତୀ ପାଳନ ନାମରେ ଆପଣାକୁ ପ୍ରତିଷ୍ଠିତ କରିବାର ମନୋବୃତ୍ତି ଅନେକଙ୍କ ମଧ୍ୟରେ ଦେଖାଦେଲାଣି । ଅନେକ ସ୍ଥଳରେ ଜୟନ୍ତୀ ବା ଶ୍ରାଦ୍ଧ ପାଳନ ରାଜନୈତିକ ରୂପରେଖ ନେଇ ବି ବାଦାସ୍ପଦ ହେଲାଣି । ସଂକ୍ଷେପରେ କହିଲେ ସଂସ୍କୃତିର ଏହି ସ୍ମରଣୋତ୍ସବ ଅପସଂସ୍କୃତି ରୂପରେ ପ୍ରତିଭାତ ହେଲାଣି । ଅନେକ ଜୟନ୍ତୀ ଓ ଶ୍ରାଦ୍ଧସଭାରେ କେବଳ ମୁଷ୍ଟିମେୟ ବ୍ୟକ୍ତି ଉପସ୍ଥିତ ହେଉଛନ୍ତି; କିନ୍ତୁ ସେମାନଙ୍କର ନିଷ୍ଠା ଓ ଆନ୍ତରିକତା ଥିବା ପରି ପ୍ରତୀୟମାନ ହେଉନାହିଁ । ଜୟନ୍ତୀ ପାଳନ ଯେପରି ଭାବରେ ହେଉନା କାହିଁକି ଗଣମାଧ୍ୟରେ ପ୍ରଚାର ତଥା ଆର୍ଥିକ ଫାଇଦାକୁ ଲକ୍ଷ୍ୟରଖି କାର୍ଯ୍ୟ ଚାଲିଥାଏ । କିପରି ଭାବରେ ଯଥୋଚିତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବ ତାହାକୁ ବିଚାରକୁ ନିଆନଯାଇ କେଉଁ ବ୍ୟକ୍ତି ମୁଖ୍ୟଅତିଥି, ମୁଖ୍ୟବକ୍ତା ଅଥବା ଉଦ୍‌ଘାଟକ ହେବେ ଏହାର ବିଚାରବିମର୍ଶ ଓ ବିଧିବ୍ୟବସ୍ଥା ଜୋର୍‌ସୋର୍‌ରେ ଚାଲିଥାଏ । ଫଳରେ ଯାହାର ଜୟନ୍ତୀ ଓ ଶ୍ରାଦ୍ଧ ପାଳନ କରାଯାଉଛି ସେ ବିସ୍ମୃତ ହୋଇଯାଉଛନ୍ତି ।

 

ଶିକ୍ଷା ମନୁଷ୍ୟର ଜୀବନକୁ ଏକ କଲ୍ୟାଣମୁଖୀ ଆୟୋଗରେ ପରିଣତ କରିଥାଏ । ବର୍ତ୍ତମାନ ପ୍ରଚଳିତ ଶିକ୍ଷାନୀତି ରୁଚିକୁ କେବଳ ପାଶ୍ଚାତ୍ୟ ଅନୁଗାମୀ କରୁଛି । ସଂସ୍କୃତି ଉତ୍ତରଣରେ ଶିକ୍ଷାର ଭୂମିକା ଆମର ବିସ୍ମୃତ ହୋଇଗଲାଣି । ଏହି ଶିକ୍ଷାନୀତିଦ୍ୱାରା ଶିକ୍ଷର୍ଥୀଗଣ ଆପଣା ମାତୃଭାଷା ଓ ସଂସ୍କୃତିଠାରୁ ଦୂରେଇ ଯାଇ ପାଶ୍ଚାତ୍ୟ ଭାଷା ଓ ସଂସ୍କୃତି ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ଅର୍ଥାତ୍ ଶିକ୍ଷା ଆମକୁ ସୁସଂସ୍କୃତ କରିବା ପରିପର୍ତ୍ତେ ଅସଂସ୍କୃତ କରିବାକୁ ବସିଲାଣି । ଯେଉଁ ଶିକ୍ଷାଦ୍ୱାରା ଉଚ୍ଚ ସାଂସ୍କୃତିକ ମୂଲ୍ୟବୋଧର ବିକାଶ ଘଟେ ତାହା ଆଉ ସମ୍ଭବ ଏବଂ ଶିକ୍ଷାର ମାନବୃଦ୍ଧିପୂର୍ବକ ସାଂସ୍କୃତିକ ବିକାଶକୁ ତ୍ୱରାନ୍ୱିତ କରିବା ଏକାନ୍ତ ଜରୁରୀ ।

 

ଆମ ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ଜୀବନଧାରାରେ ଅପସଂସ୍କୃତି ଏକ ସୁଦୃଢ଼ ଆସ୍ଥାନ ଜମାଇଲାଣି ସେଥିପ୍ରତି ଆମର ନଜର ନାହିଁ । ଏଥିରେ ବିଦେଶୀ ସଂସ୍କୃତି ଅନୁସୃତ ଏବଂ ଓଡ଼ିଆ ସଂସ୍କୃତି ଉପେକ୍ଷିତ । ଅନେକେ ଏହାକୁ ସାଂସ୍କୃତିକ ଉତ୍ତରଣ ଆଖ୍ୟା ଦେଲେଣି । ସଂସ୍କୃତିର ଉତ୍ତରୋତ୍ତର ବିକାଶ କାମନାରେ ପ୍ରାଦେଶିକସ୍ତରୀୟ, ଜିଲ୍ଲାସ୍ତରୀୟ, ଉପଖଣ୍ଡସ୍ତରୀୟ, ମଣ୍ଡଳସ୍ତରୀୟ ଓ ପଞ୍ଚାୟତସ୍ତରୀୟ ସାଂସ୍କୃତିକ ମହୋତ୍ସବ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ, ଆତ୍ମପ୍ରଚାର ଓ ସ୍ୱାର୍ଥ ନିମିତ୍ତ ଉଦ୍ଦିଷ୍ଟ । ଅନେକ କ୍ଷେତ୍ରରେ କେତେଜଣ, ରାଜନୈତିକ ବ୍ୟକ୍ତିବିଶେଷ, ଉଚ୍ଚ ପ୍ରଶାସନିକ ଅଧିକାରୀ ତଥା ସେମାନଙ୍କର ଗୋଡ଼ାଣିଆଙ୍କୁ ପ୍ରାଧାନ୍ୟ ଦିଆଯାଇ ସଂସ୍କୃତିର ପ୍ରସାରଣ ନାଁରେ ପ୍ରହସନ ଚାଲିଛି । କେତେକ କ୍ଷେତ୍ରରେ ସଂସ୍କୃତିର ଅନ୍ୟତମ ମୁଖ୍ୟଧାରା ଇତିହାସକୁ ବିକୃତି, ଅତିରଞ୍ଜିତ ଓ କପୋଳକଳ୍ପିତ କରାଯାଇ ଉତ୍ତର ଦାୟାଦଙ୍କ ହୃଦୟରେ ଏକ ଭିନ୍ନଧାରଣା ସୃଷ୍ଟି କରାଯାଉଛି । ସାମାନ୍ୟତମ ସ୍ୱାର୍ଥ ଓ ଆତ୍ମପ୍ରତିଷ୍ଠା ନିମିତ୍ତ ସତ୍ୟକୁ ମିଥ୍ୟାମୟ, କଳ୍ପନାମୟ ଓ ଆବେଗମୟ କରାଯାଉଛି । କ୍ଷମତାସମ୍ପନ୍ନ ବ୍ୟକ୍ତିଙ୍କୁ ସନ୍ତୁଷ୍ଟ କରିବା ନିମିତ୍ତ ଆୟୋଜକମାନେ ବ୍ୟସ୍ତ ଓ ବିବ୍ରତ ରହି ଏହିସବୁ ମହୋତ୍ସବକୁ ଆକର୍ଷଣୀୟ କରିପାରୁଥଲେ ହେଁ ଏହାଦ୍ୱାରା ଏ ଜାତିର ସାମଗ୍ରିକ କ୍ଷତି ହେଉଛି ଏଥିରେ ସନ୍ଦେହ ନାହିଁ । ଏହାଦ୍ୱାରା ସଂସ୍କୃତିପ୍ରୀତି ଜାଗ୍ରତ ନହୋଇ ସଂସ୍କୃତିଭୀତି ସଞ୍ଚାର ହେଲାଣି ।

 

ଆମର ଆମ ସଂସ୍କୃତି ଉପରେ ଜନ୍ନଗତ ଅଧିକାର ରହିଛି । ଏହାକୁ ଆଧାର କରି ବିକଶିତ ହେବା ଆମର ଜାତୀୟ କର୍ତ୍ତବ୍ୟ । ଗୁରୁତ୍ୱପୂର୍ଣ୍ଣ ହେଉଛି, କ୍ରମାଗତ ସଂସ୍କାର ଓ ଉତ୍ତରଶୀଳତା ହିଁ ଆମକୁ ଅଗ୍ରଗାମୀ କରିପାରିବ । ସାମ୍ପ୍ରତିକ ସ୍ଥିତିରେ ଅପସଂସ୍କୃତିର ସାମୂହିକ ପ୍ରତିରୋଧପୂର୍ବକ ଊର୍ଦ୍ଧ୍ୱମୁଖୀ ଚେତନାରେ ଉଦ୍‌ବୁଦ୍ଧ ହେବା ଆମର ପ୍ରଥମ କର୍ତ୍ତବ୍ୟ । ଆମ ଭାଷା, ସାହିତ୍ୟ, ଦର୍ଶନ, ଶିଳ୍ପ, ସ୍ଥାପତ୍ୟ, କଳା, ନୃତ୍ୟ, ସଙ୍ଗୀତ ଓ ଧର୍ମ ପ୍ରତ୍ୟେକଟିକୁ ହୃଦୟର ସହିତ ଭଲପାଇ ଆତ୍ମପ୍ରକାଶ କରିପାରିଲେ ସାଂସ୍କୃତିକ କ୍ଷେତ୍ରରେ ତଥା ଆମ ଜାତୀୟ ଜୀବନରେ ନୂତନ ସମ୍ଭାବନାର ଆଶା ଉଜ୍ଜ୍ୱଳ ।

•••

 

ଚିଠିରେ ସାହିତ୍ୟ

ଡକ୍ଟର ବାଉରୀବନ୍ଧୁ କର

 

ମଣିଷର ଅତି ଅନ୍ତରଙ୍ଗ ଭାବନାକୁ ରୂପ ଦେବାରେ ଚିଠିର ଭୂମିକା କିଛି କମ୍ ନୁହେଁ । ଏହା ହେଉଛି ମଣିଷର ଏକାନ୍ତ ବ୍ୟକ୍ତିଗତ ଭାବନରେ ଚିତ୍ରରୂପ । ସେ ଯାହାକୁ ସମସ୍ତ ନିକଟରେ କୁଣ୍ଠା ଏବଂ କାର୍ପଣ୍ୟରୁ ତା'ର କଥାର ପ୍ରକାଶ କରିପାରେ ନାହିଁ, ତାହାକୁ ସହଜରେ ସେ ଚିଠି ରେ ରୂପ ଦେଇପାରେ । ମଣିଷ ପ୍ରତି ମଣିଷର ସ୍ନେହ, ସହାନୁଭୂତି, ଆନ୍ତରିକତା ପ୍ରଭୃତି ଚିଠିରେ ଯେପରି ଭାବରେ ଫୁଟି ଉଠେ, ତାହାକୁ ଅନ୍ୟ କୌଣସି ରୂପରେ ପ୍ରକାଶ କରିବା ଭାବରେ ଫୁଟି ଉଠେ, ତାହାକୁ ଅନ୍ୟ କୌଣସି ରୂପରେ ପ୍ରକାଶ କରିବା ସହଜସାଧ୍ୟ ନୁହେଁ । ଏଥିପାଇଁ ଚିଠିକୁ ମଣିଷ ଆତ୍ମାର ଅବିକୃତି ଉାବି ଭାବରେ ଚିତ୍ରଣ କରିବାକୁ କେତେକ ଲେଖକ ସଙ୍କୋଚ ବୋଧ କରିନାହାନ୍ତି । ଏଥିରେ ମଣିଷ ଆତ୍ମାର ଅନାହତ ସ୍ୱର ଶୁଣିହୁଏ । ଏଥିପାଇଁ John Donne କୁଆଡ଼େ କହିଥିଲେ, “Letters mingle souls, for, thus friends, absent speak.” ଚିଠିରୁ ମଣିଷର ମାନସିକ ଭାବନା, ଜୀବନ ଦର୍ଶନ, ମାନବିକ ଆଦର୍ଶ, ନୀତିନିଷ୍ଠା ଚିନ୍ତାଧାରା ପ୍ରଭୃତି ସହଜରେ ଜାଣିହୁଏ । ଏଥିରୁ ମଣିଷ ଅନ୍ତରର ସୁଖ ଦୁଃଖର ସ୍ୱରକୁ ଭଲ ଭାବରେ ଶୁଣିହୁଏ । ଜୀବନର ଆବେଗଗତ ମୁହୁର୍ତ୍ତର କଳାତ୍ମକ ରୂପ ଏଥିରେ ଅଭୁତ ଢଙ୍ଗରେ ପ୍ରକାଶ ପଇଥାଏ । ଏହାର କଳାଗତ ମୂଲ୍ୟ ଅନେକାଂଶରେ ସ୍ୱୀକୃତ । ଏସକାଶେ ଆମର ବରେଣ୍ୟ କବି ରାଜେନ୍ଦ୍ର କିଶୋର ପଣ୍ଡା କହିଛନ୍ତି ‘କଳା ହେଉଛି ପୃଥିବୀ ଉଦ୍ଦେଶ୍ୟରେ ଲିଖତ ଏକ ସୁନ୍ଦର ପ୍ରେମପତ୍ର ।

 

ଏ ସଂସାରରେ ବୋଧହୁଏ ସବୁଠାରୁ ଅଧିକ ଲେଖା ଯାଉଥିବା ବିଷୟ ହେଉଛି ଚିଠି । ପ୍ରତ୍ୟହ କେତେ ଯେ ଚିଠି ଲେଖାଯାଏ ତା'ର ଇୟତ୍ତା ନାହିଁ । ଧନୀ-ଦରିଦ୍ର, ରାଜା-ପ୍ରଜା, ପିଲା-ବୁଢ଼ା, ଯୁବକ-ଯୁବତୀ ପ୍ରଭୃତି ଊଣା ଅଧିକେ ଚିଠିର ଗୁରୁତ୍ୱ ଅନୁଭବ କରନ୍ତି । ଅନେକ ଚିଠି ଚାକିରୀ, ବ୍ୟବସାୟ, ଦେବା-ନେବା କାରବାରକୁ ନେଇ ଲିଖିତ । ଆଉ କେତେକ ଚିଠି ଉପରିସ୍ଥ ହାକିମମାନଙ୍କଠାରୁ ସୁବିଧା ସୁଯୋଗ ହାସଲ ଉଦ୍ଦେଶ୍ୟରେ ଅଧସ୍ତନ କର୍ମଚାରୀମାନଙ୍କ ଦ୍ୱରା ଲିଖିତ । ଏଥିରେ ମଣିଷର ଆବେଗ- ଉଚ୍ଛ୍ୱାସର ସ୍ପର୍ଶ କ୍ୱଞ୍ଚିତ୍ ଅନୁଭବ ହୁଏ । ଏଥିରେ ଆତ୍ମପକ୍ଷ ସମର୍ଥନ ଲାଭପାଇଁ କେତେକ ଆନୁଷଙ୍ଗିକ ଉପାଦାନ ରହିଥାଏ । ଏ ଧରଣ ଚିଠିଗୁଡ଼ିକ ସାହିତ୍ୟିକ ମର୍ଯ୍ୟାଦା ବର୍ଜିତ । ଏପରି ଚିଠିକୁ ସଂସାରରେ କେହି ଭ୍ରୁକ୍ଷେପ କରନ୍ତି ନାହିଁ । କେବଳ ଯେଉଁମାନଙ୍କର ଲକ୍ଷ୍ୟ ହାସଲରେ ଏଭଳି ଚିଠି ସହାୟକ, ସେମାନଙ୍କପାଇଁ ହୁଏତ କିଛି ମୂଲ୍ୟ ରହିଛି ।

 

ଏ ସଂସାରର ଅଳ୍ପସଂଖକ ଲୋକ ବଡ଼ ଦରଦୀ ଭାବ ନେଇ ଚିଠି ଲେଖନ୍ତି । ଚିଠି ଭିତରେ ମଣିଷ ମନ କଥା ଅତି ଆପଣାର ଭାଷାରେ ଲେଖା ହୋଇଥାଏ । ମଣିଷ ସମଦରଦୀ ହୋଇ ସମଧର୍ମୀମାନଙ୍କୁ ଯେଉଁ ଚିଠି ଲେଖନ୍ତି, ସେ ଭିତରେ ଜୀବନର ଅଶ୍ରୁ ପୁଲକର କାହାଣୀ ହୁଏ ପ୍ରକାଶିତ । ଜୀବନରେ ଅନ୍ୟ ରୂପରେ ଯାହା ଅପ୍ରକାଶ୍ୟ ହୋଇ ରହିଯାଇଥାଏ, ତାହା ବେଳେବେଳେ ସମଧର୍ମୀମାନଙ୍କୁ ଚିଠି ଲେଖିବାବେଳେ ପ୍ରକାଶିତ ହୋଇଥାଏ । ସାଧାରଣତଃ ନାରୀମାନେ ଚିଠି ଲେଖିବାବେଳେ ମନର କଥା ସବୁ କହି ଦେଇଥାନ୍ତି । ନାରୀମନ ଜାଣିବାପାଇଁ ତା'ର ମନର ମଣିଷ ପାଖକୁ ଲିଖିତ ଚିଠି ଗୁଡ଼ିକ ହିଁ ପ୍ରକୃଷ୍ଟ ମାଧ୍ୟମ । ଏସକାଶେ Richard Steel ଥରେ କହିଥଲେ, “A woman seldom writes her mind but in her post script.” ଏଥିପାଇଁ ପାଶ୍ଚାତ୍ୟ ଜଗତରେ ଚିଠିର ବଡ଼ ଆଦର । ଲେଖକ,ଦାର୍ଶନିକ, ପ୍ରସିଦ୍ଧ ରାଜନୀତିକ ବ୍ୟକ୍ତି ପ୍ରମୁଖଙ୍କ ଚିଠିକୁ ସେଠାରେ ଯତ୍ନର ସହିତ ସଂଗ୍ରହ କରାଯାଇ ପୁସ୍ତକ ଆକାରରେ ପ୍ରକାଶ କରାଯାଏ । ଲେଖକମାନଙ୍କ ସମ୍ପର୍କରେ ଆଲୋଚନାବେଳେ ଅନେକତ୍ର ସେମାନଙ୍କ ଚିଠିର ଉପାଦାନ ଉପରେ ନିର୍ଭର କରାଯାଏ । ଇଂରାଜୀ ସାହିତ୍ୟରେ କବିମାନଙ୍କ ଚିଠିର ଉପାଦାନକୁ ଭିତ୍ତି କରି ବେଶ୍ ସୁନ୍ଦର ଆଲୋଚନା ଲେଖାଯାଇଛି । କୀଟସ୍‌, ୱାଡସୱାର୍ଥ ପ୍ରମୁଖଙ୍କ ପରି କବିମାନଙ୍କ ସମ୍ପର୍କରେ ଲିଖିତ ଆଲୋଚନା ମୁଖ୍ୟତଃ ସେମାନଙ୍କ ଚିଠିରୁ ସଂଗୃହୀତ ଉପାଦାନ ଉପରେ ନିର୍ଭରଶୀଳ । ଲେଖକମାନଙ୍କ ଚିଠିରୁ ଅନେକ ସମୟରେ ପୁରସ୍କାର, ବିଭିନ୍ନ ଲେଖା, ବିବାହ, ବିଚ୍ଛେଦ ପ୍ରଭୃତି ବିଷୟରେ ସେମାନଙ୍କ ପ୍ରତିକ୍ରିୟା ଜାଣିହୁଏ । ଏଠାରେ ଦୃଷ୍ଟାନ୍ତ ସ୍ୱରୂପ ନୋବେଲ ପୁରସ୍କାର ପାଇବା ପରେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ସମ୍ପର୍କରେ ପ୍ରସିଦ୍ଧ କବି ଏଜରାପାଉଣ୍ଡ ପ୍ରତିକ୍ରିୟା ପ୍ରକାଶ ପୂର୍ବକ Iris Barry ଯେଉଁ ଚିଠି ଲେଖିଥିଲେ ତାକୁ ଉଦ୍ଧାର କରାଯାଉଛି । ଏଜରାପାଉଣ୍ଡ ଏହି ଚିଠିରେ ଲେଖିଥିଲେ, “Tagore got the nobel prize, because, after the cleverest boom of our day, after the fiat of the omnipotent literati of distinction, he lapsed into religion and optimism and was boomed by the pious nonconformists. Also because it got the Swedish Academy out of the difficulty of deciding between European writers whose claims appeared to conflict, Sic Hardy or Henry James? Tagore obviously was unique in the known modern Orient. And then the right people suggested him.” ଏହି ଚିଠିଟିରୁ ପାଉଣ୍ଡଙ୍କର ରବୀନ୍ଦ୍ରନାଥଙ୍କ ପ୍ରତି ରହିଥିବା ଦୃଷ୍ଟିକୋଣର ସୂଚନା ମିଳେ । ରବୀନ୍ଦ୍ରନାଥ ନୋବେଲ ପୁରସ୍କାର ପାଇବା ପରେ ପାଶ୍ଚାତ୍ୟ ଜଗତରେ ବେଶ୍ ପରିଚିତ ହେଲେ । ପାଶ୍ଚାତ୍ୟ କବିମାନେ ତାଙ୍କ ସମ୍ପର୍କରେ ବନ୍ଧୁମାନଙ୍କୁ ମଧ୍ୟ ଚିଠି ପତ୍ରରେ କେତେକ ସୂଚନା ଦେଇଥିଲେ । ମାର୍କିନ କବି ରବର୍ଟ ଫ୍ରଷ୍ଟ ତାଙ୍କର ଏକ ଚିଠିରେ ରବୀନ୍ଦ୍ରନାଥଙ୍କ ସମ୍ପର୍କରେ କେତେକ ପ୍ରସଙ୍ଗ ଲେଖିଛନ୍ତି । ସିଡ୍‌ନି କବ୍‌ସଙ୍କ ନିକଟକୁ ଲିଖିତ ସେଇ ଚିଠିରେ ରବୀନ୍ଦ୍ରନାଥଙ୍କ ବିଷୟରେ ଯାହା ରହିଛି ତା'ରସ୍ୱରୂପ ଏହିପରି, “I think I understood Yeats to say the other night that Tagore whose poetry is the latest big thing here, has been visiting your College at Urbana. I meant to ask Yeats more about it. I wonder if you met Tagore. Very likely I shall run across him before he goes back to Bengal. I was to have met him at Ernest Rhys' Sunday but decided in the end to take some other day for my call when I could have Rhys more to myself. Tagore comes to Yeats here as the greatest English poet. How slowly but surely Yeats has eclipsed Kipling. I have seen it all happen with my own eyes. You would expect to see Tagore seeking Kipling for his Indian sympathies and interests.” ପାଶ୍ଚାତ୍ୟ ଜଗତରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ଚିଠିରୁ ବିଶ୍ୱସାହିତ୍ୟ, ଆନ୍ତର୍ଜାତିକ ଶାନ୍ତି, ରାଜନୀତି, ସଂସ୍କୃତି, ଇତିହାସ ଇତ୍ୟାଦି ଯାବତୀୟ ପ୍ରସଙ୍ଗ ସହଜରେ ଅଧ୍ୟୟନ କରିହୁଏ । ଏ ସକାଶେ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କର ବିଶିଷ୍ଟ ବ୍ୟକ୍ତିମାନଙ୍କ ଚିଠିଗୁଡ଼ିକୁ, ବହୁମୂଲ୍ୟ ଦେଇ ସଂଗ୍ରହ କରାଯାଏ ।

 

ଆମ ଭାରତବର୍ଷରେ ଭଲ ଚିଠିକୁ ସାଇତି ରଖିବାର ଉଚ୍ଚ ପରମ୍ପରା ସେମିତି କିଛି ନାହିଁ, କହିଲେ ଚଳେ । ବିବେକାନନ୍ଦ, ମହାତ୍ମାଗାନ୍ଧୀ, ରବୀନ୍ଦ୍ରନାଥ ଠାକୁର, ଜବାହରଲାଲ ନେହେରୁ ପରି ଅଳ୍ପ କେତେଜଣ ମନୀଷୀଙ୍କ ଚିଠି ପ୍ରକାଶିତ ହୋଇଛି । ଏ ଭୂମିରେ ସାହିତ୍ୟ ସାଧକମାନଙ୍କ ଚିଠି ପୁସ୍ତକ ଆକାରରେ କ୍ୱଚିତ୍ ଆତ୍ମପ୍ରକାଶ କରିଛି । ତା'ଛଡ଼ା ଭାରତରେ ଲେଖକମାନେ ସେମିତି କିଛି ମନଖୋଲି ଚିଠି ଲେଖନ୍ତି ନାହିଁ । କାରଣ ମଣିଷକୁ ପ୍ରାଣ ଦେଇ ଭଲ ନପାଇଲେ, ଭାଷାକୁ ଆପଣାର ନକଲେ ଓ ପ୍ରିୟଜନ ପ୍ରତି ଆନ୍ତରିକତା ନରହିଲେ ଚିଠି ଲେଖିବା ଏକ କଷ୍ଟକର ବ୍ୟାପାର । ଏଠାରେ ମଣିଷ ତୁଳନାରେ ଦେବତା, ଭାଷାଠାରୁ ନୀରବତା ଓ ପ୍ରିୟଜନ ମେଳରେ ବଞ୍ଚିବା ଅପେକ୍ଷା ମୌନ ହୋଇ ନିର୍ଜନ ପ୍ରାର୍ଥନାକୁ ବିଶେଷ ସମ୍ମାନ ଦିଆଯାଏ-। ଏହି ମର୍ମରେ କଥାକାର ଡକ୍ଟର କୃଷ୍ଣପ୍ରସାଦ ମିଶ୍ର ଲେଖିଥିଲେ, ‘ମଣିଷ, ଭାଷା ଓ ବନ୍ଧୁତା ଏହି ତିନୋଟି କଥାପ୍ରତି ଗଭୀର ମମତା ଓ ଆନ୍ତରିକତା ନଥିଲେ ତୁମେ କେବେ ଭଲ ଚିଠି ଲେଖିପାରିବ ନାହିଁ । ଆଉ ଏହି ତିନୋଟି କଥା ପ୍ରତି ଭାରତରେ ବିଦ୍ରୋହର ଚିରନ୍ତନଧାରା ପ୍ରବାହିତ ହୋଇଆସୁଛି- ମଣିଷ ବିରୁଦ୍ଧରେ ଦେବତା, ଭାଷା ବିରୁଦ୍ଧରେ ନୀରବତା ଓ ବନ୍ଧୁତା ବିରୁଦ୍ଧରେ ଏକାକୀତ୍ୱ ।’ ଏ ସତ୍ତ୍ୱେ ଆଧୁନିକ କାଳରେ ଭଲ ଚିଠି ଲେଖିବାପାଇଁ କ୍ରମେ ଭାରତରେ ଅନୁକୂଳ ପରିବେଶ ସୃଷ୍ଟି ହେଉଛି ।

 

ଯେ କୌଣସି ଚିଠିରୁ ସାହିତ୍ୟକ ମୂଲ୍ୟ ଖୋଜିବସିବା ଏକ ବିଡ଼ମ୍ବନା । ସାଧାରଣତଃ ଲେଖକ ଓ ରୁଚିଶୀଳ ପାଠକମାନଙ୍କ ଚିଠିରେ ସାହିତ୍ୟିକ ମୂଲ୍ୟବୋଧ ରହିଥାଏ । କେତେକ ଲେଖକ ଏପରିକି ନିଜର ପୁତ୍ର, କନ୍ୟା, ପତ୍ନୀ, ବନ୍ଧୁ ଓ ପ୍ରିୟଜନମାନଙ୍କ ପାଖକୁ ଚିଠି ଲେଖିବା ବେଳେ ବ୍ୟକ୍ତିଗତ ସାହିତ୍ୟିକ ଅଭିରୁଚିକୁ ଜ୍ଞାତସାରରେ ହେଉ ବା ଅଜ୍ଞାତସାରରେ ହେଉ ବ୍ୟକ୍ତ କରିଥାନ୍ତି । ଲେଖକମାନଙ୍କ ଚିଠିରୁ ସେମାନଙ୍କର ଜୀବନଦର୍ଶନ, ଲେଖକୀୟ ଦୃଷ୍ଟିକୋଣ ଓ ଶୈଳୀ ସମ୍ପର୍କରେ ନାନା କଥା ସହଜରେ ଜାଣିହୁଏ । ଅନେକ ସମୟରେ ଗୁଣମୁଗ୍‌ଧ ପାଠକମାନେ ମଧ୍ୟ ଲେଖକମାନଙ୍କୁ ଅତି ଆନ୍ତରିକତା ସହିତ ଚିଠି ଲେଖି ସେମାନଙ୍କ ସୃଷ୍ଟିର ମୂଲ୍ୟାୟନ କରିଦିଅନ୍ତି । ଏଠାରେ ପ୍ରସଙ୍ଗକ୍ରମେ କେତେକ ଚିଠିରୁ ଉଦାହରଣ ଦିଆଯାଉଛି । ଏଠାରେ ଫକୀରମୋହନ ସେନାପତିଙ୍କଦ୍ୱାରା ବିଶ୍ୱନାଥ କରଙ୍କୁ ଲିଖିତ ଏକ ଦୁର୍ଲ୍ଲଭ ଚିଠିର କିୟଦଂଶ ଉଦ୍ଧାର କରାଯାଉଛି ।ଏହି ଚିଠିଟିରୁ ଲେଖକ ଓ ସମ୍ପାଦକଙ୍କ ମଧ୍ୟରେ ରହିଥିବା ଅନ୍ତରଙ୍ଗତାକୁ ବୁଝିହେବ । ତାହା ଏହିପରି, ସାହିତ୍ୟ ପାଇଲି, ପ୍ରାୟସବୁ ପଢ଼ିଲି, ଆଶ୍ଚର୍ଯ୍ୟ କଥା-ଲିପିସଂସ୍କାର ସମ୍ବନ୍ଧେ ଉଭୟର ସମାନ ମତ ସାହିତ୍ୟ ଏକ ଫର୍ମା ବଢ଼ାଇବେ ଅତ୍ୟନ୍ତ ଆନନ୍ଦ କଥା; ପାଠକମାନଙ୍କୁ କିଛି ଭରସା ଦେବା ଉଚିତ । ଆବରଣ ପତ୍ରଟା ଟିକିଏ ସୁନ୍ଦର କରିବେବୋଲି ପ୍ରାର୍ଥନା । ଆଶା କରେଁ ‘ଅବସର ବାସରେ' କାଗଜ ସକାଶେ ଅଳ୍ପଦିନ ମଧ୍ୟରେ ଟଙ୍କା ପଠାଇବି । ମୋ କ୍ଷୁଦ୍ର ପଦ୍ୟଟା କି ସାହିତ୍ୟରେ ଦେଲେ ନାହିଁ । କିନ୍ତୁ ଲେଖିବାରେ ମୋହର ଅଧିକାର, ପ୍ରକାଶ ଅଧିକାର ଆପଣଙ୍କର-।’ ଏହି ଚିଠିଟି ସମ୍ପାଦକଭାବେ ବିଶ୍ୱନାଥ କରଙ୍କ କୃତିତ୍ୱ ମୂଲ୍ୟାୟନରେ ବେଶ୍ ସହାୟକ । ବିଶ୍ୱନାଥଙ୍କ ମୃତ୍ୟୁପରେ ସବୁଜ କବି ହରିହର ମହାପାତ୍ର ଯେଉଁ ଚିଠିଟି ସୁନନ୍ଦ କରଙ୍କୁ ଲେଖିଥିଲେ ସେଥିରେ ମଧ୍ୟ ଯଥେଷ୍ଟ ସାହିତ୍ୟିକ ମୂଲ୍ୟ ରହିଛି । ଏଠାରେ ସେଇ ଦୁଷ୍ପ୍ରାପ୍ୟ ଚିଠିରୁ କିଛି ଉଦ୍ଧାର କରିବା ସମୀଚୀନ ମନେହୁଏ । ତାହାରସ୍ୱରପ ଦେଖନ୍ତୁ, ‘ସଂସ୍କାର ପ୍ରୟାସୀ ବିଶ୍ୱନାଥ ତାଙ୍କ ବାଲ୍ୟାବସ୍ଥାରୁ ଅମଡାରେ ଚାଲି ଆସିଛନ୍ତିବୋଲି ଆମେ ଶୁଣିଥିଲୁ । ଆମର ପରିଚୟ ବେଳକୁ ସେ ସ୍ଥିରପ୍ରଜ୍ଞ ଓ ଦୃଷ୍ଟି ଅଚଞ୍ଚଳ । ସମାଜର ଯେଉଁ ତାଡ଼ନା ତାଙ୍କୁ କର୍ମତତ୍ପର କରିଥିଲା, ସେ କଥା ତାଙ୍କ ମୁହଁରୁ କେବେ ଶୁଣିନାହୁଁ । କିନ୍ତୁ ଯେଉଁଦିନରେ ଟିକିଏ ସଂସ୍କାର ଉଦ୍ୟମ ହେଉଥିଲା, ସେ ଅତି ଆଗ୍ରହୀ ହୋଇ ଉଠନ୍ତି । ବ୍ରାହ୍ମ ସମାଜର ସାପ୍ତାହିକ, ସାମୟିକ ଓ ବାର୍ଷିକ ଅନୁଷ୍ଠାନମାନ ସେତେବେଳର କଟକରେ ଗୋଟିଏ ସଂଖ୍ୟାନ୍ୟୂନ ସଂପ୍ରଦାୟର କର୍ମସୂଚୀରୂପେ ଗଣ୍ୟ ହେଉ ନଥିଲା । ବହୁ ସଂଖ୍ୟାରେ ଲୋକ ସେଥିରେ ଯୋଗ ଦେଉଥିଲେ ଓ ତାହାର କେନ୍ଦ୍ର ଅଧିକାର କରିଥିଲେ ବିଶ୍ୱନାଥ ବାବୁ । ରାଜା ରାମମୋହନ ରାୟଙ୍କ ଶତବାର୍ଷିକୀ ଉତ୍ସବ ଉପଲକ୍ଷରେ ‘ମଡର୍ଣ୍ଣରିଭିଉ' ଓ ପ୍ରବାସୀର ସମ୍ପାଦକ ରାମାନନ୍ଦ ଚଟ୍ଟୋପାଧ୍ୟୟଙ୍କ ପୌରୋହିତ୍ୟରେ ଯେଉଁ ଅନୁଷ୍ଠାନ ବିଶ୍ୱନାଥବାବୁ କଟକରେ କରାଇଥିଲେ, ତାହା ଗୋଟିଏ ସ୍ମରଣୀୟ ଘଟଣା । ସଂସ୍କୃତିର ସଳିତା ବିଶ୍ୱନାଥବାବୁ ତାଙ୍କ ଚାରିପଟରେ ଜଳାଇ ରଖିଥାନ୍ତି । କିଏ ସେଥିରେ ତେଲ ଦେଇ ପାରିଲେ ଭଲ ; ନହେଲେ ଅନ୍ୟମାନେ ଆଲୁଅ ଦେଖିଲେ ସେ ଖୁସି । ଏବେ ସେ ଆଲୋକର ଶିଖା ବଢ଼ିଛି, ପରିସର ବ୍ୟାପିଛି । କିନ୍ତୁ କାହିଁ ସେ ଶାନ୍ତ ମଧୁର ନିଷ୍ଟମ୍ପ ହସ୍ତ ଯାହାର ସର୍ବସ୍ୱ ଅଭିଳାଷ ସେ ବର୍ତ୍ତିକାରେ ଇନ୍ଧନ ଯୋଗାଇଥିଲା ।’ ଏଥିରୁ ବିଶ୍ୱନାଥ କରଙ୍କ ସାହିତ୍ୟ ବ୍ୟକ୍ତିତ୍ୱ ଅକଳନ କରିହୁଏ । ଚିଠି ଭିତରେ ବେଳେ ବେଳେ ମନ୍ମୟ ଭାବରେ ସମ୍ପାଦକ ଓ ଲେଖକମାନଙ୍କୁ ଅନ୍ୟ ଜଣେ ଲେଖକ ଭଲ ଭାବରେ ଦେଖିଥାଏ ।

 

ଅନେକ ସମୟରେ ପ୍ରେମିକ କବିମାନେ ତାଙ୍କ ପତ୍ନୀ ଓ ପ୍ରେୟସୀଙ୍କୁ ଚିଠି ଲେଖିବା ବେଳେ ସାହିତ୍ୟ ଲେଖିଥାନ୍ତି । କବି ଡକ୍ଟର ମାୟାଧର ମାନସିଂହଙ୍କ ଚିଠି ଲେଖିବା ବେଳେ ସାହିତ୍ୟ ଲେଖିଥାନ୍ତି । କବି ଡକ୍ଟର ମାୟାଧର ମାନସିଂହଙ୍କ ରସିକତା ଓ ସ୍ୱର୍ଗୀୟ ପ୍ରେମଭାବନା ଯେମିତି ତାଙ୍କ କାବ୍ୟକବିତାରେ ବିକଶିତ, ତା'ଠାରୁ ଅଧିକ ତାଙ୍କ ଚିଠିମାନଙ୍କରେ ପ୍ରକଟିତ । ଶୁଣନ୍ତୁ ତା'ର ନିଦର୍ଶନ ତାଙ୍କ ପତ୍ନୀଙ୍କୁ ଲିଖିତ ଏକ ଚିଠିରୁ, ‘ନଦୀର ବନ୍ୟାସ୍ରୋତ ଯେପରି ଆଯାଚିତ ଭାବରେ କୂଳଭୂମିକୁ ଉର୍ବର କରିଯାଏ, ତମେ ସେହିପରି ମୋ ଦୁଇକୂଳକୁ ପ୍ରଣୟଜଳରେ ଉତ୍‌ପ୍ଳାବିତ କରି ଉର୍ବର କରିଯିବ । ହେ ପରମେଶ୍ୱର ମୋର, ମୋତେ ଏପରି ଭାବରେ ଚଳାଅ ଯେପରି । ମୋ ଲାଗି ଲକ୍ଷ୍ମୀ ଆଖିରୁ କେବେହେଲେ ତିକ୍ତ ଲୋତକ ନଗଡ଼େ । ମୋର ଜାହ୍ନବୀ ଯେତେଦିନ ମୋ କୁଟୀରରେ ପ୍ରବାହିତ ହେଉଥିବ, ମୁଁ ଆଶାକରେ ମୋର ଶୁଦ୍ଧତା କେହି ଭାଙ୍ଗି ପାରିବେନି ।’ ଡକ୍ଟର ମାନସିଂହଙ୍କର ପତ୍ନୀଙ୍କ ଉଦ୍ଦେଶ୍ୟରେ ଲିଖିତ ଏହି ବ୍ୟକ୍ତିଗତ ଚିଠିଟିରୁ ତାଙ୍କର ପ୍ରେମିକ କବିରୂପେ ଭାବମୂର୍ତ୍ତିଟି ଆମ ଆଖି ଆଗରେ ନାଚି ଉଠେ । ଏଭଳି ଚିଠି ପଢ଼ିଲେ ସାହିତ୍ୟ ପଢ଼ିବା ପରି ଲାଗେ । ସୁଖର ବିଷୟ ସାହିତ୍ୟିକ ମର୍ଯ୍ୟାଦାସମ୍ପନ୍ନ ‘ମାନସିଂହଙ୍କ ପ୍ରଣୟ ଚିଟାଉ'ଗୁଡ଼ିକ ଏବେ ସୂର୍ଯ୍ୟକାନ୍ତ ଦାସଙ୍କ ଉପକ୍ରମଣିକା ସହ ପ୍ରକାଶିତ ହୋଇଛି ।

 

ଅନେକ ଲେଖକ ନିଜର ଅନ୍ତରଙ୍ଗ ଅନୁଭୂତିକୁ ସ୍ୱାଭାବିକ ଚିଠି ଲେଖିବାବେଳେ ପ୍ରକାଶ କରିଦିଅନ୍ତି । ଏଭଳି ଅନୁଭୂତିର ସ୍ୱଚ୍ଛତା ସେମାନଙ୍କ ସୃଷ୍ଟିରେ ମଧ୍ୟ ମିଳେ ନାହିଁ । ଏପରି ଅବସ୍ଥାରେ ଚିଠି ସେମାନଙ୍କ ସୃଷ୍ଟିଠାରୁ ଅଧିକ ମୂଲ୍ୟବାନ ମନେ ହୁଏ । ଏମିତି ମୂଲ୍ୟବାନ ଚିଠି ସାହିତ୍ୟ ସମାଲୋଚନାରେ ବିଶେଷ ସହାୟକ । ଏଭଳି ଚିଠି ଲେଖିବାରେ ଧୂରୀଣ ହେଉଛନ୍ତି ଚନ୍ଦ୍ରଶେଖର ରଥ । ଥରେ ତାଙ୍କର ଜଣେ ସ୍ନେହାସ୍ପଦ ନିକଟକୁ ସେ ଏପରି ଏକ ଚିଠି ଲେଖିଥିଲେ, ଯେଉଁ ଚିଠିଟିରୁ ତାଙ୍କର ଲେଖକୀୟ ଆଭିମୁଖ୍ୟ ସମ୍ପର୍କରେ ଯଥେଷ୍ଟ ସୂଚନା ମିଳେ । ଚିଠିଟିର କିୟଦଂଶ ଦେଖନ୍ତୁ;’’ ଲେଖାରେ ହେଉ ବା କଥାରେ ହେଉ ନିଜକୁ ପ୍ରକାଶ କରିବା ଗୋଟାଏ ପ୍ରକାର ସୂର୍ଯ୍ୟଧର୍ମ । ସେ ଆଲୋକ ଦିଏ କି ଉତ୍ତାପ ଦିଏ ନିଜେ ଜାଣେନା । ତା'ର ଫଳାଭିସନ୍ଧି ନଥାଏ । ତା'ପାଇଁ ଗୋଟିଏ ମାତ୍ରା ସତ୍ୟନିଷ୍ଠାର ସହିତ ଜଳିଯିବା । ତା'ପରେ ନିରାଲୋକ ମୌନତା, ସେଇଟା ସତ୍ୟ ନୁହେଁ କି ମିଥ୍ୟା ନୁହେଁ । ସେଠି ଥଳକୂଳ ନାହିଁ ।’ ତାଙ୍କର ଏଇ କେତେ ଧାଡ଼ି ଭିତରେ ସେ ସ୍ୱସାହିତ୍ୟ ସାଧନା ସମ୍ପର୍କରେ ସୂଚନା ଦେଇଛନ୍ତି । ଏଭଳି ଧାଡ଼ି ତାଙ୍କ ସୃଷ୍ଟିରେ ଖୋଜିଲେ କେବେ ହେଲେ ମିଳିବ ନାହିଁ । ଏ ଧରଣର ଚିଠି ଯେ ଲେଖକର ପୁସ୍ତକ ତୁଳନାରେ କେତେ ଗୁରୁତ୍ୱପୂର୍ଣ୍ଣ ଏଥିରୁ ସହଜରେ ବୁଝିହେବ ।

 

କେତେକ ଲେଖକ ସାମୟିକ ଦୁଃଖ, ଆନନ୍ଦ ଓ ଗମ୍ଭୀର ପରିସ୍ଥିତିକୁ ନେଇ ଅତି ଆବେଗପୂର୍ଣ୍ଣ ଭାଷାରେ ଚିଠି ଲେଖନ୍ତି । ବେଳେ ବେଳେ ଲେଖକମାନେ ଅନ୍ୟମାନଙ୍କୁ ବେଶ୍ ସାନ୍ତ୍ୱନାମମୂଳକ ଚିଠି ଲେଖିବସନ୍ତି । ବିଶେଷତଃ ପ୍ରିୟଜନର ମୃତ୍ୟୁକୁ ନେଇ ଲିଖିତ ଚିଠି ମାନଙ୍କରେ ଲେଖକମାନେ ସେମାନଙ୍କ ସାହିତ୍ୟିକ ଉତ୍କର୍ଷ ପ୍ରଦର୍ଶନ କରିଥାନ୍ତି । ରାଧାନାଥ, ମଧୁସୂଦନ, ଫକୀରମୋହନଙ୍କ ପରି ବିଶିଷ୍ଟ ଲେଖକମାନଙ୍କ ମୃତ୍ୟୁରେ ସମଦୁଃଖୀ ହୋଇ ତାଙ୍କ ଦାୟାଦମାନଙ୍କୁ ଯେଉଁସବୁ ଚିଠିଗୁଡ଼ିକ ଲିଖିତ, ସେ ସବୁର ସାହିତ୍ୟିକ ମୂଲ୍ୟକୁ ଏଡ଼ାଇ ଦେଇ ହେବ ନାହିଁ । ଏଠାରେ ପ୍ରସଙ୍ଗକ୍ରମେ ଏ ଧରଣର ଚିଠିର ଏକ ନମୁନା ଦିଆଯାଉଛି । ରାଧାନାଥଙ୍କ ମୃତ୍ୟୁରେ ଶୋକପ୍ରକାଶ କରି କବି ଗଙ୍ଗାଧର ତାଙ୍କ ପୁତ୍ର ଶଶିଭୂଷଣ ରାୟଙ୍କୁ ଚିଠି ଲେଖିଥିଲେ, ତାହାରସ୍ୱରୂପ ଦେଖନ୍ତୁ;’’ ଆପଣଙ୍କର ପିତୃବିୟୋଗ ସମ୍ବାଦ ପାଠକରି ମୁଁ ଅତ୍ୟନ୍ତ ମର୍ମାହତ ହୋଇଅଛି । ସେ କେବଳ ଆପଣଙ୍କର ପିତା ନୁହନ୍ତି, ଆପଣଙ୍କ ବ୍ୟତୀତ ମୋର ଏକା କାହିଁକି ମୋ ପରି ଅନେକ ଦରିଦ୍ରଙ୍କର ପିତୃସ୍ଥାନୀୟ ଥିଲେ । ଆମ୍ଭମାନଙ୍କୁ ପିତୃହୀନ କରି ପରମେଶ୍ୱର ତାଙ୍କୁ ନିଜ ସ୍ଥାନକୁ ଘେନିଗଲେ । ସେ ଉତ୍କଳରେ ଯେପରି ପ୍ରୀତି ଓ ସ୍ନେହ ପ୍ରଦର୍ଶନ କରିଅଛନ୍ତି, ତାହା ଅତୁଳନୀୟ । ଆପଣଙ୍କୁ ସାନ୍ତ୍ୱନା ପ୍ରଦାନ ନିମନ୍ତେ ମୁଁ ପତ୍ର ଲେଖୁନାହିଁ, କେବଳ ସମବେଦନା ଜଣାଇବାକୁ ଲେଖୁଅଛି । ଯେ ନିଜେ ଶୋକମୁଗ୍‌ଧ, ସେ ଶୋକ ସନ୍ତପ୍ତ ବ୍ୟକ୍ତିକୁ କି ସାନ୍ତ୍ୱନା ଦେଇପାରେ ।’ ବେଳେବେଳେ ସାଧାରଣ ମଣିଷର ମୃତ୍ୟୁକୁ ନେଇ ଲେଖକମାନେ ଭାବବିହ୍ୱଳ ହୋଇ ଚିଠି ଲେଖନ୍ତି । ଏ ଧରଣର ଚିଠିର ମୂଲ୍ୟ ଯଥେଷ୍ଟ ଅଧିକ । ଥରେ ସୁରେନ୍ଦ୍ର ମହାନ୍ତି ଜଣେ ତରୁଣ ଅଧ୍ୟାପକର ମାତୃ ବିୟୋଗ ଜନିତ ଦୁଃଖରେ ସମଦରଦୀ ହୋଇ ଲେଖିଥିଲେ;’’ ମୁଁ ଜାଣେ ମାତୃହରା ହେବାଠାରୁ ବଳି ଦୁଃଖ ଏ ସଂସାରରେ ନାହିଁ । ଯେଉଁ ଅଞ୍ଚଳ ଛାୟା ତଳେ ଆମେ ବଢ଼ି ଉଠିଥିଲେ, ସେ ଛାୟାଟା ହଠାତ୍ ଦିନେ ଅପସାରିତ ହୋଇଯିବା ପରେ ବଡ଼ ଅସହାୟ, ବଡ଼ ଫୁଙ୍ଗୁଳା ଲଗେ । ମୃତ୍ୟୁ ଅବଶ୍ୟମ୍ଭାବୀ ସମସ୍ତ ଜାଣନ୍ତି, ତଥାପି ମୃତ୍ୟୁ ସମ୍ବାଦଟି ସମସ୍ତଙ୍କୁ ବିଚଳିତ କରିଦିଏ । ଜୀବନ କିନ୍ତୁ ସେଇଆ, ମୃତ୍ୟୁ ପୁଣି ବିଚିତ୍ର । ମୃତ୍ୟୁ ପୂର୍ବରୁ ହଠାତ୍ ଜୀବନ ଦୀପ ତେଜି ଉଠେ । କିନ୍ତୁ ମୃତ୍ୟୁ ଆକସ୍ମିକ ଭାବରେ ଆସି ଏକ ଅପ୍ରତ୍ୟାଶିତ ମୁହୂର୍ତ୍ତରେ ତାକୁ ନିଭାଇ ଦିଏ । ସେଥିପାଇଁ ଜୀବନ ଓ ମୃତ୍ୟୁ ବ୍ୟାପାରରେ ଲୀଳାମୟଙ୍କ ଇଚ୍ଛାକୁ ଶେଷରେ ମାନିନେବାକୁ ପଡ଼ିବ । ତା’ ନହେଲେ ଏହାର ଅନ୍ୟ କୈଫିୟତ ନାହିଁ ।’ ଏପରି ଚିଠିର ସାହିତ୍ୟିକ ମୂଲ୍ୟ ଯେ ଆସାଧାରଣ ଏଥିରେ ସନ୍ଦେହ ନାହିଁ ।

 

କେତେକ ଲେଖକ ସେମାନଙ୍କ ଶ୍ରଦ୍ଧାଶୀଳ ସୁଧୀ ପାଠକମାନଙ୍କ ବ୍ୟକ୍ତିଗତ ଚିଠିର ସୂଷ୍ମ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ଉତ୍ତର ଦେଇଥାନ୍ତି । ଏ ଧରଣର ଚିଠି ଲେଖକଙ୍କ ଅନୁଭୂତିମୟ ବ୍ୟକ୍ତିତ୍ୱ, ପ୍ରଦୀପ୍ତ ବୋଧଦୃଷ୍ଟି ଓ ସୁକୁମାର ବଚନ ବିନ୍ୟାସରେ ଭାସ୍ୱର । ଏଠାରେ ବିଖ୍ୟାତ କଥାଶିଳ୍ପୀ କିଶୋରୀଚରଣ ଦାସଙ୍କର ଜଣେ ଶ୍ରଦ୍ଧାଶୀଳ ସାହିତ୍ୟାନୁରାଗୀ ପାଠକ ନିକଟକୁ ଲିଖିତ ଚିଠିର କିୟଦଂଶ ଦେଖନ୍ତୁ, ‘ମୁଁ ଭାବେ ଯେ ପ୍ରତ୍ୟେକ କଳାକାରପାଇଁ ତା'ର କଳା ହିଁ ଏକମାତ୍ର ଏବଂ ଅନିବାର୍ଯ୍ୟ ଅଧମ ତାରଣ ପନ୍ଥା, ଯାହାର ମାଧ୍ୟମରେ ସେ ନିଜର ଜନ୍ମ ଜୀବନ ପ୍ରତି ଅଳ୍ପ ବହୁତ ଆସ୍ଥା ରଖିବାର ସାହସ କରେ ଏବଂ ପାଠକ ସମୀକ୍ଷକ ଯେତେବେଳେ ଏହି ଆସ୍ଥାଟିକୁ ‘ସତ' ବୋଲି କହେ, ତା'ର ମୂଲ୍ୟ ସହଜେ ଅନୁମେୟ ।’ ଜୀବନ ଓ କଳା ସମ୍ପର୍କରେ ଲେଖକଙ୍କ ଆଭିମୁଖ୍ୟର ମନ୍ମୟ ରୂପ ଭାବରେ ଏହାକୁ ଗ୍ରହଣ କରିବା ଠିକ୍ ହେବ । ଏଠାରେ ଚିଠିଟି ହୋଇଛି ଲେଖକଙ୍କ ବଳିଷ୍ଠ ବ୍ୟକ୍ତିତ୍ତ୍ୱର ପରିଚାୟକ ।

 

ଚିଠି ଲେଖିବା ହେଉଛି ଏକ ଉଚ୍ଚକୋଟୀର କଳା । ଚିଠିଟିମାନ ଜଣେ ଜଣେ ଏପରି ଲେଖନ୍ତି, ଯାହାକୁ ପଢ଼ିଲେ ପାଠକ ତା' ଭିତରେ ଜୀବନ ସତ୍ତା ଅନୁଭବ କରେ । ଇଂରାଜୀ ସାହିତ୍ୟରେ ଚିଠି ଶୈଳୀରେ କେତେକ ପ୍ରସିଦ୍ଧ ଉପନ୍ୟାସ ରଚିତ । ଯାହା epistolary form ରୂପେ ସ୍ୱୀକୃତ । ଆମ ଦେଶରେ ଏ ଧରଣର ଶୈଳୀର ବିଶେଷ ପ୍ରଚଳନ ସାହିତ୍ୟରେ ନାହିଁ । ଏଠାରେ ରୁଚିପୂର୍ଣ୍ଣ ଚିଠିକୁ ସାଇତି ରଖିବାର ସମୃଦ୍ଧ ପରମ୍ପରା ଏ ଯାବତ୍ ସୃଷ୍ଟି ହୋଇନାହିଁ । ଚିଠିଟିଏ ପାଇଲେ ତାକୁ ଯତ୍ନର ସହ ସାଇତି ରଖିବାକୁ କାହିଁକି କେଜାଣି ଆମେମାନେ ବିମୁଖ । ବରଂ, ଏହାକୁ ପଢ଼ିସାରିବା ପରେ ଚିରି ଦେଇ ରାସ୍ତାଘାଟ, ନାଳ-ନର୍ଦ୍ଦମାରେ ଫିଙ୍ଗି ଦେବାରେ ଅନେକଙ୍କର ପ୍ରବଳ ଆଗ୍ରହ । ଫଳରେ ଚିଠିରେ ଥିବା ସାହିତ୍ୟ ଅକାଳ ବିଲୟ ଭଜେ । ଜୀବନ ଅଶ୍ରୁପୁଲକ ମୁହୂର୍ତ୍ତର କଳାତ୍ମକ ଭାଷ୍ୟ ନିମିଷକେ ଉଭେଇଯାଏ । ଏ ସମ୍ପର୍କରେ କ୍ଷୋଭ ପ୍ରକାଶ କରି ପ୍ରସିଦ୍ଧ କବି ଗେଟେ (Goethe) ଥରେ କହିଥଲେ; ‘ଡର lay aside letters never to read them again, and at last we destroy them out of discreation, and so disappears the most beautiful, the most immediate breath of life, irrecoverably for ourselves and for others.’ ସୁତରାଂ, ଆଜିର ସଭ୍ୟ ଜଗତ ଯେକୌଣସି ଚିଠିର ସୃଜନାତ୍ମକ ଦିଗ ପ୍ରତି ସଚେତନ ରହି ତା'ର ସଦୁପଯୋଗ କରିବା ବାଞ୍ଛନୀୟ ।

•••

 

ଲୋକସଂସ୍କୃତିର ଆଭିମୁଖ୍ୟ

ଡକ୍ଟର ମହେନ୍ଦ୍ରକୁମାର ମିଶ୍ର

 

ମାନବର ଜ୍ଞାନ ସମ୍ପର୍କରେ ଅତୀତରୁ ବର୍ତ୍ତମାନଯାଏ ଜାଣିବାପାଇଁ ଲୋକସଂସ୍କୃତି ଏକ ପ୍ରମୁଖ ବିଷୟ ଶୃଙ୍ଖଳାରୂପେ ଏବେ ବିଶ୍ୱର ବହୁ ଦେଶରେ ଚର୍ଚ୍ଚିତ ହେଉଛି । ନିରକ୍ଷର ଲୋକଙ୍କର ପାରମ୍ପରିକ ଶିକ୍ଷା, କାରିଗରୀ କୌଶଳ ତଥା ସାମୂହିକ ପୁନଃସର୍ଜନା କ୍ଷେତ୍ରରେ ଉଭୟ ମୌଖିକ ଓ ଅମୌଖିକ କଳାରୂପେ ଲୋକସଂସ୍କୃତି ଚିର ଗତିଶୀଳ । ସମାଜର ପରିବର୍ତ୍ତନ ସହ ଏହା ଅନୁରୂପଭାବେ ପରିବର୍ତ୍ତିତ ହୋଇଥାଏ ।

 

ମଣିଷ ସମାଜର ଉତ୍ପତ୍ତିଠାରୁ ଏପର୍ଯ୍ୟନ୍ତ ସଭ୍ୟତା ଓ ସଂସ୍କୃତିର ବିକାଶ ତୁଳନାରେ ଲିପିର ଉଦ୍ଭାବନ ଓ ଭାବର ଲିଖିତ ପ୍ରକାଶ ବହୁ ପ୍ରାଚୀନ ନୁହେଁ । ଲିପିର ଉଦ୍ଭାବନ ହୋଇ ମଣିଷର ବିବିଧ ଜ୍ଞାନର ଲିପିବଦ୍ଧ ରୂପ ସୃଷ୍ଟି ହେଲା ପରେ ବି ପୃଥିବୀରେ ସଂଖ୍ୟାଗରିଷ୍ଠ ଲୋକେ ମୌଖିକ ପରମ୍ପରା ସୂତ୍ରରେ ମାନବୀୟ ଜ୍ଞାନକୁ ବଞ୍ଚାଇ ରଖିଛନ୍ତି । ଲିଖିତ ଜ୍ଞାନର ଅଧିକାରୀ ହେବା ମଣିଷ ପକ୍ଷରେ କମ୍ ସୌଭାଗ୍ୟର କଥା ନୁହେଁ । କିନ୍ତୁ ସଭ୍ୟତାର କ୍ରମବିକାଶରେ ତଥା ସମାଜ ଓ ରାଜନୀତିର ବ୍ୟବସ୍ଥା ଘେନି ଲିପିଜ୍ଞାନ କେବଳ କେତେକ ମୁଷ୍ଟିମେୟ ସୁବିଧାଭୋଗୀ ଗୋଷ୍ଠୀଙ୍କ ପାଖରେ ହିଁ ରହିଯାଇଛି । ସଂଖ୍ୟାଗରିଷ୍ଠ ଜନସାଧାରଣ ସାରା ପୃଥିବୀରେ ଆଜି ବି ସେହି ଲିପିଜ୍ଞାନର ବଳରେ ସକଳ ଅଧିକାର ଓ କ୍ଷମତାକୁ ବ୍ୟବହାର କରୁଥିବା ବୁଦ୍ଧିଜୀବୀଙ୍କ ପାଖରେ ଅପାଂଙ୍‌କ୍ତେୟ ଓ ଅଚ୍ଛବ ହୋଇ ରହିଛନ୍ତି ।

 

ଏସବୁ ଶିକ୍ଷିତ ଅଶିକ୍ଷିତ ଭେଦ ସତ୍ତ୍ୱେ ଜୀବନର ପାରସ୍ପରିକତା ହେତୁ ଲିଖିତ ଜ୍ଞାନ/ପରିନିଷ୍ଠତଜ୍ଞାନ ମୌଖିକ ପରମ୍ପରା ଦେଇ ଜନସାଧରଣଙ୍କ ପାଖରେ ପହଞ୍ଚିଥାଏ । ସାରା ବିଶ୍ୱରେ ମାନବର ଜ୍ଞାନ ପ୍ରଥମେ ଥିଲେ ମୌଖିକ ଓ ତା'ପରେ ହୋଇଛି ଲିଖିତ । ଭାରତରେ ବୈଦିକ ସାହିତ୍ୟ ଥିଲା ମୌଖିକ । ସଂସ୍କୃତ ଏକ ପରିନିଷ୍ଠିତ ଭାଷା ହେଲାପରେ ସୁଦ୍ଧା ଏହା ଲିଖିତ ସାହିତ୍ୟରେ ସୀମାବଦ୍ଧ ହୋଇରହିନାହିଁ । ଏହା ଲୌକିକଶାସ୍ତ୍ରୀୟ-ଲୌକିକ ଭେଦରେ ଆଦାନପ୍ରଦାନ ହୋଇଆସୁଅଛି । ମୁଦ୍ରଣ ଓ ଗଣମାଧ୍ୟମର ବ୍ୟାପକ ପ୍ରସାର ହେଲାପରେ ବି ‘ତୁଣ୍ଡବାଇଦ ସହସ୍ର କୋଶ' ଲୋକସଂସ୍କୃତିର ମୂଳସ୍ରୋତ ହୋଇ ରହିଛି, ରହିବ ମଧ୍ୟ ।

 

ସଂସ୍କୃତିର ମାର୍ଜିତ ରୂପ ନିର୍ମାଣ ପଛରେ କେଉଁ ପ୍ରକ୍ରିୟା ନିହିତ ତାହା ଜାଣିବାକୁ ହେଲେ ଲୋକସଂସ୍କୃତିର ରୂପରେଖ ଜାଣିବାକୁ ହେବ । କାରଣ ସଂସ୍କୃତିବିତ୍‌ମାନେ କହନ୍ତି ଯେ, ଲୋକସମାଜ ହିଁ ସଂସ୍କୃତିର ଆଶ୍ରୟସ୍ଥଳ । ଭାରତୀୟ ସଂସ୍କୃତ ଶାସ୍ତ୍ରରେ ‘ଲୋକ' କୁ ବଡ଼ ବ୍ୟାପକ ଅର୍ଥରେ ବ୍ୟବହାର କରାଯାଇଛି । ବାଲ୍ମିକୀ ଲୋକ ପ୍ରକୀର୍ତ୍ତିତ ନାୟକ ‘ରାମଚନ୍ଦ୍ର'ଙ୍କୁ ନେଇ ମହାକାବ୍ୟ ରଚନା କରିବା ପୃଷ୍ଠଭୂମିରେ ଲୋକ ପରମ୍ପରାର ମହନୀୟ ଭୂମିକା ରହିଅଛି । ଲୋକକାବ୍ୟରୁ ଲିଖିତ କାବ୍ୟର ସର୍ଜନା । ସେହିପରି ଭରତମୁନିଙ୍କ ଲୋକଧର୍ମୀ ଓ ନାଟ୍ୟଧର୍ମୀ ପରମ୍ପରାରେ ସମାଜର ବୃହତ୍ତର ଗୋଷ୍ଠୀଙ୍କର ନାଟ୍ୟକଳା ତଥା ନାଟ୍ୟ ଶିଷ୍ଟ ନାଟ୍ୟ ପରମ୍ପରାର ବର୍ଣ୍ଣନା ରହିଛି । ସେହିକଳାରୁ ଏବର ବିଶ୍ୱବିଖ୍ୟାତ ଲୋକସଂସ୍କୃତିବିଦ୍ ଆଲାନ୍ ଦଣ୍ଡିସ୍ ଲୋକସଂସ୍କୃତି ବ୍ୟାଖ୍ୟା କରି କହନ୍ତି ଯେ, ସ୍ପଳ୍ପ ସଂଖ୍ୟକ ଗୋଷ୍ଠୀର ଆଚରଣ, ବଚନ, ରୀତିନୀତିକୁ ଲୋକସଂସ୍କୃତିର ପର୍ଯ୍ୟାୟଭୁକ୍ତ କରାଯାଇପାରେ । ଏପରିକି ଆଧୁନିକ ସହର, କାରଖାନା, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ବିଶେଷ କଥନଭଙ୍ଗୀ, ଓଡ଼ିଶାରେ ପୁରୀ ସହରରବୋଲି ଓ ଭାଷା, କଟକସହରର ଭାଷାରୀତି ପ୍ରଭୃତି ଲୋକସଂସ୍କୃତିର ପର୍ଯ୍ୟାୟବାଚୀ । କାରଣ ଲୋକସଂସ୍କୃତି ବର୍ତ୍ତମାନର ଲୋକଙ୍କର ମୁଖନିଃସୃତ ବାଣୀ, କଳା ଓ କଳ୍ପନାର ସାମୂହିକ ଅଭିବ୍ୟକ୍ତି-

 

ଗୋଟିଏ ଅଞ୍ଚଳର ଏକ ନିର୍ଦ୍ଦିଷ୍ଟ ଭାଷା ବ୍ୟବହାର କରୁଥିବା ଲୋକଙ୍କର ସାହିତ୍ୟ ସେହି ଅଞ୍ଚଳର ପ୍ରକୃତି ଓ ସଂସ୍କୃତିକୁ ନେଇ ହିଁ ପ୍ରବର୍ତ୍ତିତ ହୋଇଥାଏ । ଏହି ଭୂଖଣ୍ଡକୁ ମାନବବିଜ୍ଞାନୀ କିମ୍ବା ସମାଜବିଜ୍ଞାନୀ ଦୃଷ୍ଟିକୋଣରୁ ପୌରସମାଜ, କୃଷିଭିତ୍ତିକ ସମାଜ, ଆଦିମ ସମାଜ କିମ୍ବା ଶିଳ୍ପୋନ୍ନତ ସମାଜ ଓ ପାରମ୍ପରିକ ସମାଜରୂପେ ବିଭାଜନ କଲେ ହେଁ ଲୋକସଂସ୍କୃତି ଦୃଷ୍ଟିରୁ ଏହି ବିଭାଜନ ଏକାନ୍ତଭାବେ ସତ୍ୟ ନୁହେଁ । ବରଂ ସାମାଜବିଜ୍ଞାନୀମାନଙ୍କର ଏହି ସ୍ତରଭେଦ ନିର୍ବିଶେଷରେ ଲୋକସଂସ୍କୃତି ସମାଜର ସବୁ ସ୍ତରରେ ବିସ୍ତାରିତ ହୋଇଥାଏ । ଶାସ୍ତ୍ରର ଶାସ୍ତ୍ରୀୟତା ଓ ଲୋକର ଲୌକିକତାରେ ଲୋକସଂସ୍କୃତି ସମଭାବରେ ସଂରଚିତ ହୋଇଥାଏ । ଏହା ପରନିଷ୍ଠିତ ସାହିତ୍ୟରେ ବାହ୍ୟତଃ ଅସ୍ପଷ୍ଟ ଦେଖାଗଲେ ହେଁ ଏହାର ଆଭ୍ୟନ୍ତରୀଣ ଭୂମିରେ ସୁସଂରଚିତ ।

 

ଆଧୁନିକ ବିଶ୍ୱର ପ୍ରାୟ ଅଧିକାଂଶ ଦେଶ ଗଣତନ୍ତ୍ର ଓ ସାମ୍ୟବାଦଦ୍ୱାରା ଆକ୍ରାନ୍ତ । ବିଜ୍ଞାନ ଓ ଶିଳ୍ପର ବସ୍ତୁବାଦୀ ସଭ୍ୟତା ପୃଥିବୀର ଦ୍ରୁତ ପ୍ରଗତି ଆଣିଛି । ଏଥିପାଇଁ ରୁଷିଆର ସାମ୍ୟବାଦୀ ଜନନାୟକମାନେ ଆଶଙ୍କା କରି କହିଥିଲେ ଯେ, ଲୋକସଂସ୍କୃତି ଆଉ ବେଶି ଦିନର ନୁହେଁ । ଏହା ସମ୍ପୂର୍ଣ୍ଣଭାବେ ଲୋପପାଇଯିବ । ସେମାନେ ଏହା ବଦଳରେ ପ୍ରୋଲେଟାରିଆଟ୍ ସାହିତ୍ୟର ଉଜ୍ଜ୍ୱଳ ସମ୍ଭାବନା ଅନୁମାନ କରିଥିଲେ । ଏପରିକି ସେ ସାହିତ୍ୟ ସୃଷ୍ଟି ହେଲା ମଧ୍ୟ । ଏଣୁ ପାରମ୍ପରିକ ଲୋକସଂସ୍କୃତି ମାନସିକତା ପ୍ରଗତିର ପରିପନ୍ଥୀବୋଲି ବିଚାରକରି ରୁଷୀୟ ଲୋକସଂସ୍କୃତିବିତ୍‌ମାନେ କୃଷକ-ଶ୍ରମିକ ସମାଜର ଲୋକପରମ୍ପରାର କେବଳ ସେହି ବିଭାବମାନଙ୍କର ନବୀକରଣ କରିଥିଲେ, ଯେଉଁଥିରେ କି ସାମ୍ୟବାଦୀ ଦର୍ଶନର ସୂଚନା ରହିଥିଲା । ଏଣୁ ସେମାନେ ଲୋକସଂସ୍କୃତିର ବହୁ ମୂଲ୍ୟବାନ୍ ବିଷୟଗୁଡ଼ିକୁ ଅଦରକାରୀବୋଲି ବର୍ଜନକଲେ; କିନ୍ତୁ ମାନବୀୟ ଆବେଦନକୁ କୌଣସି ମତବାଦ ଚିରକାଳ ବାନ୍ଧି ରଖି ପାରିନାହିଁ । ଫଳରେ ରୁଷରେ ରୁଚି ପରିବର୍ତ୍ତନ ହେଲା ।

 

କିନ୍ତୁ ଏହା ସାମ୍ୟବାଦର ପରିପନ୍ଥୀବୋଲି ବିଚାର କରାଯାଇନପାରେ; ବରଂ ସାମ୍ୟବାଦର ଉତ୍ପାଦନ ଓ ସମବଣ୍ଟନ ନୀତି ଲୋକସଂସ୍କୃତିର ମୂଳ ପରିଭାଷା ଅନ୍ତର୍ଗତ । କାରଣ ନିରକ୍ଷର ସମାଜର ପ୍ରତିନିଧିତ୍ୱ କରୁଥିବା ଲୋକସଂସ୍କୃତିରେ ଅନନ୍ତ ଯୁଗରୁ ମଣିଷର ଶୋଷଣ, ନିର୍ଯ୍ୟାତନାର ସ୍ୱର ନିହିତ । ସେହି ନିର୍ଯ୍ୟାତନାର ମାନସିକ କ୍ଷତିପୂରଣ ଲୋକକଥା, ମିଥ୍ ପ୍ରଭୃତିର ପ୍ରତୀକ । ଜଣେ ସାଧାରଣ କୃଷକ, ଗାଈଆଳ ଯୁବକ ଜଣେ ରାଜାଙ୍କୁ ଯୁଦ୍ଧରେ ଜିଣିବା, ଗୋଟିଏ ଦୁର୍ବଳ ଠେକୁଆ/ବିଲୁଆ ଶକ୍ତିଶାଳୀ ସିଂହ/ବାଘକୁ କୌଶଳରେ ପରାଜିତ କରିବା କଳ୍ପନା ପଛରେ ସେହି ଭାବନା ନିହିତ । ଚରିତ୍ରର ଘଟ ପରିବର୍ତ୍ତନ ଓ ଭୂମିକା ପରିବର୍ତ୍ତନ ପଛରେ ରହିଥାଏ ସେହି ଶୋଷିତ ଗଣମାନସର ଚିର ଅତୃପ୍ତ ଆତ୍ମଭିବ୍ୟକ୍ତି ଓ ମାନସିକ କ୍ଷତିପୂରଣ ।

 

ତେଣୁ ସେ ସାମ୍ୟବାଦ ହେଉ, ଗଣତନ୍ତ୍ର ହେଉ କି ରାଜତନ୍ତ୍ର ହେଉ, ଶାସନକରୁଥିବା ଲୋକର ସାହିତ୍ୟ ଓ ଶାସିତ ହେଉଥିବା ଲୋକଙ୍କ ସାହିତ୍ୟ ଉଭୟକୁ ଆତ୍ମସ୍ଥ କରିଥାଏ ଲୋକସଂସ୍କୃତି । ଏହା କୌଣସି ବାଡ଼କୁ ମାନେ ନାହିଁ । ତେଣୁ ଅଞ୍ଚଳ, ଭାଷା, ସଂସ୍କୃତି ଓ ଚଳଣିର ଊର୍ଦ୍ଧ୍ୱରେ ବିଶ୍ୱର ପରସ୍ପର ସମ୍ପର୍କ ନଥିବା ଜନସମୁଦାୟର ସମମାନସିକତାର ପରିଚୟ ଲୋକସଂସ୍କୃତିରେ ଗର୍ଭିତ । ତେଣୁ ଏହା ଗତିଶୀଳ । ବିଶ୍ୱର ଗୋଟିଏ ପ୍ରାନ୍ତର ଲୋକକଥା/ମିଥ୍‌ର ଅନ୍ୟ ଏକ ପ୍ରାନ୍ତର ମୌଖିକ ପରମ୍ପରା ସହିତ ବିଚିତ୍ର ସାମଞ୍ଜସ୍ୟ ରଖେ । ଯାହା ଗତିଶୀଳ ତା'ର ବର୍ତ୍ତମାନ ଓ ଭବିଷ୍ୟତ ରହିଛି ନିଶ୍ଚୟ । ଐତିହ୍ୟରୁ ରସ ଗ୍ରହଣ କରି ଏହା ଅତୀତର ସଜୀବ ଚିତ୍ର ଗ୍ରହଣ କରେ । ଏଣୁ ଇତିହାସ ସହିତ ଲୋକସଂସ୍କୃତିର ସମ୍ପର୍କ ବହୁ ପ୍ରାଚୀନ ଓ ନିତ୍ୟବର୍ତ୍ତମାନ । କିନ୍ତୁ ବିଶ୍ୱର ମାନବ ପ୍ରଗତିର ଇତିହାସ କହିଲେ ଆମେ ସମୁଦାୟ ମଣିଷର ଇତିହାସବୋଲି ଅନେକ କ୍ଷେତ୍ରରେ ବୁଝିପାରିନାହୁଁ । ରାଜତନ୍ତ୍ରର କେତେକ ଶାସକମାନଙ୍କର ବଂଶାବଳୀ, ତମ୍ବାପଟା, ଶିଳାଲେଖ ହୋଇପାରେ କୌଣସି ସମୟର ବା ସମାଜର ଏକ ପ୍ରତିନିଧିତ୍ୱ ଦଲିଲ ; କିନ୍ତୁ ଏଗୁଡ଼ିକୁ ସମ୍ବଳ କରି କୌଣସି ଜାତିର ସାମାଜିକ ଇତିହାସ ରଚନା କରାଯାଇନପାରେ ।

 

ଆଜିଯାଏ ଆମ ଦେଶ/ରାଜ୍ୟର ରାଜଇତିହାସ, ଧର୍ମ, ଶିଳ୍ପ ତଥା ଶାସନ ଉପରେ ଗୁଡ଼ାଏ କଥା ଗବେଷଣା କରାଯାଇଛି । କିନ୍ତୁ ଏହା ଆମ ଦେଶ/ରାଜ୍ୟର ସାମାଜିକ ଇତିହାସ ନୁହେଁ, ଲୋକଙ୍କର ଇତିହାସ ନୁହେଁ । ଲୋକଙ୍କର ଐତିହ୍ୟ, ଚଳଣି, ମାନସିକତା ଓ ଜୀବନଧାରାର ଐତିହ୍ୟ ଏଥିରେ ପ୍ରତିଫଳିତ ହୋଇନାହିଁ । ଏଣୁ ଗୋଟିଏ ଅଞ୍ଚଳ (ରାଜ୍ୟ/ଦେଶ)ର ସାମାଜିକ ଇତିହାସ କହିଲେ ଆମେ ସବା ଆଗ ସେଠିକାର ଲୋକ ସମାଜରେ ଥିବା ନାନା ଗୋଷ୍ଠୀ, ଜାତି ଓ ସମୁଦାୟଙ୍କ ଶହ ଶହ ବର୍ଷର ସହାବସ୍ଥାନର ଫଳଶ୍ରୁତିକୁ ବୁଝିବାକୁ ହେବ । ସଂଘର୍ଷ ଓ ସମନ୍ୱୟ ପ୍ରକ୍ରିୟାକୁ ଜାଣିବାକୁ ହେବ । ଓଡ଼ିଶାର ଦ୍ରାବିଡ଼, ଅଷ୍ଟ୍ରିକ୍ ଓ ଆର୍ଯ୍ୟ ଗୋଷ୍ଠୀର ଲୋକଙ୍କର ଆନ୍ତଃକ୍ରିୟା ଓ ସାଂସ୍କୃତିକ ଆଦାନପ୍ରଦାନକୁ କେବଳ ରୂପରେଖ ଦୃଷ୍ଟିରୁ ବିଚାର ନକରି ଦୀର୍ଘ ଅତୀତରୁ ସଭ୍ୟତାର ସ୍ତରଭେଦରେ କିପରି ‘ସାଂସ୍କୃତିକ ପ୍ରକ୍ରିୟା' ସାଧିତ ହୋଇଅଛି ସେଗୁଡ଼ିକୁ ବର୍ତ୍ତମାନ ଲୋକସମାଜର ପୀଠରୁ ବୁଝିବାକୁ ହେବ । ଦ୍ରାବିଡ଼ ଓ ଅଷ୍ଟ୍ରିକ୍ ଲୋକଙ୍କର ଉତ୍ତରାଧିକାରୀ ବର୍ତ୍ତମାନ ଅରଣ୍ୟ ଓ ଗ୍ରାମରେ ବାସକରୁଥିବା ଆଦିବାସୀମାନଙ୍କର ସାଂସ୍କୃତିକ ଅଧ୍ୟୟନ କରି ସେହି ଭିତ୍ତିଭୂମିରୁ ଓଡ଼ିଆ ସଂସ୍କୃତିର ଅଧ୍ୟୟନ କରିବାକୁ ହେବ । ଜଣେ ରାଜା ଲୋକସମୁଦାୟର କି ପରିସ୍ଥିତି ଥିଲା, ଲୋକେ ସାମାଜିକ, ରାଜନୈତିକ, ଧାର୍ମିକ-ସାଂସ୍କୃତିକ ଦିଗରୁ କିପରି ନିୟନ୍ତ୍ରିତ ହେଉଥିଲେ ; କିମ୍ବା ସ୍ୱଚ୍ଛନ୍ଦଭାବେ ରାଜ-ପ୍ରଭାବଠାରୁ ମୁକ୍ତ ରହି ଜୀବନ ଧାରଣ କରୁଥିଲେ, ତାହା ଜାଣିବାକୁହେବ ।

 

ଲୋକପରମ୍ପରା ଓ ଚଳଣି ମଧ୍ୟରେ, ମୌଖିକ କଳା ମଧ୍ୟରେ ସାମାଜିକ ଇତିହାସ ଲୁଚିରହିଥାଏ । ମୁଖ୍ୟତଃ ଯେଉଁଠି ରାଜଦୃଷ୍ଟି ନାହିଁ, ରଜାଙ୍କ ଖୋଦିତ ଶିଳାଲେଖ, ତମ୍ବାପଟା ନାହିଁ, ସେଇଠି ଲୋକ-ମୌଖିକ ପରମ୍ପରା ମଧ୍ୟରେ ସେହି ଅଞ୍ଚଳର ଇତିହାସ ମିଥ୍‌, କିଂବଦନ୍ତୀ, ଲୋକକାବ୍ୟ, ଲୋକଧର୍ମ ରହିଥାଏ । ତେଣୁ ଐତିହାସିକ ଗବେଷଣା କ୍ଷେତ୍ରରେ ମୌଖିକ ଇତିହାସକୁ ତଥା ସାମାଜିକ ଇତିହାସ ରଚନା କରିବା ପ୍ରକ୍ରିୟାକୁ ଏବେ ବହୁ ଗୁରୁତ୍ୱ ଦିଆଯାଉଛି ।

 

ସମ୍ପ୍ରତି ମାନବ ବିଜ୍ଞାନ, ପୁରାତତ୍ତ୍ୱ ଓ ଭାଷାତତ୍ତ୍ୱକୁ ନେଇ ସଂସ୍କୃତି ଚର୍ଚ୍ଚାର ଉଦ୍ଦେଶ୍ୟ ଏହା ଯେ ଅତୀତଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମଣିଷ ସଭ୍ୟତାର ଧାରାବାହିକ କ୍ରମବିକାଶ ଦେଖାଇ ଏହାର ଭବିଷ୍ୟତ ବି କଳନା କରାଯାଇପାରେ । ଆଜି କେବଳ ଅସମତାର ବାଡ଼ ଭାଙ୍ଗିବା ଆମର ଲକ୍ଷ୍ୟ ନୁହେଁ । ବରଂ ସମଗ୍ର ମଣିଷ ସମାଜପାଇଁ ଅନୁକୂଳ ବାତାବରଣ ସୃଷ୍ଟିକରୁଥିବା ଏକ ଜୀବନଧର୍ମୀ ସାହିତ୍ୟର ପ୍ରବର୍ତ୍ତନ କରିବା ଆମର ଆଭିମୁଖ୍ୟ ।

 

ଲୋକମୁଖରେ ପ୍ରଚଳିତ ସାହିତ୍ୟ ଓ କଳା ପଲ୍ଲୀର ନିରକ୍ଷର ସମାଜର ଶିକ୍ଷା ଓ ସମାଜୀକରଣପାଇଁ ଉଦ୍ଦିଷ୍ଟ । ଏହାର ସାମାଜିକ ପ୍ରକାର୍ଯ୍ୟ ପ୍ରଭାବଶାଳୀ ଓ ସୁନିର୍ଦ୍ଦଷ୍ଟ । ଏହି ସାହିତ୍ୟରେ ସ୍ରଷ୍ଟା ଓ ଭୋକ୍ତା ଭିତରେ ଫରକ୍ ନଥାଏ । ଛୋଟ ସାହିତ୍ୟିକ କି ବଡ଼ ସାହିତ୍ୟିକର ପ୍ରସ୍ଥିତି ନଥାଏ । ଏଠି ଦଳମତ ନଥାଏ । ଏଠି ବି ନଥାଏ ସୃଷ୍ଟି ନାଁରେ ଆତ୍ମପ୍ରତିଷ୍ଠାର ଲଢ଼େଇ ।

 

ଲୋକସାହିତ୍ୟ ଗାଁର ପରିବେଶକୁ ଏକ ସୂତ୍ରରେ ବାନ୍ଧିରଖେ । ସମୂହକୁ ମାନ୍ୟତା ଦିଏ-। ସମସ୍ତଙ୍କୁ କଥା ଶୁଣେ । ସମସ୍ତଙ୍କୁ ଆତ୍ମପ୍ରକାଶର ସୁଯୋଗ ଦିଏ । ସମୂହରେ ସୃଷ୍ଟିହୋଇ ସମୂହରେ ବାଣ୍ଟିହୋଇଯାଏ । ଲୋକସାହିତ୍ୟ ଅଶିକ୍ଷିତ ଲୋକଙ୍କୁ ପରମ୍ପରା ସୂତ୍ରରେ ଶିକ୍ଷିତ କରେ-। ମଣିଷର ବୈଚିତ୍ର‌୍ୟ ଜାଣିବାକୁ ଶିକ୍ଷିତ ଲୋକଙ୍କୁ ପ୍ରଚୋଦନା ଦିଏ ଲୋକସାହିତ୍ୟ । ନିରକ୍ଷର ଲୋକ ଅଭିଜ୍ଞତାପ୍ରସୂତ ଲୋକସାହିତ୍ୟ ଶିଳ୍ପ ଓ କଳା ଶିକ୍ଷିତ ସମାଜଠାରେ ମାନବବିଦ୍ୟାର ଏକ ନୂତନ ଦିଗନ୍ତକୁ ଉନ୍ମୋଚିତ କରେ ।

 

ଆମ ଦେଶର ଏକ ଗ୍ରସ୍ତମାନସିକତାର ପରିଚୟ ହେଉଛି, ଆମେ ସଂସ୍ମୃତିକୁ ଚିହ୍ନିବାକୁ ସବୁବେଳେ ଅତୀତକୁ ଦେଖୁ ଯାହା ଯେମିତି ପ୍ରାଚୀନ, ତାହା ତେତିକି ଉତ୍କୃଷ୍ଟବୋଲି କହୁ । ସେଇ ପ୍ରାଚୀନ ସଂସ୍କୃତିର ବର୍ତ୍ତମାନ ମଣିଷ ସମାଜ ସହିତ କିଛି ସମ୍ପର୍କବୋଲି କହୁ । ସେଇ ପ୍ରାଚୀନ ସଂସ୍କୃତିର ବର୍ତ୍ତମାନ ମଣିଷ ସମାଜ ସହିତ କିଛି ସମ୍ପର୍କ ଥାଉ ବା ନଥାଉ, ଆମେ ସେହି ଅତୀତପ୍ରବଣତା ଭିତରେ ସଂସ୍କୃତିକୁ ଖୋଜିବସୁ । ସଂସ୍କୃତି ଯେ ଏକାଧାରରେ ଅତୀତ-ବର୍ତ୍ତମାନ ଓ ଭବିଷ୍ୟତ ସହିତ ସମ୍ପର୍କ ରଖେ, ଏହା ଭୁଲିଯାଉ । ଏଣୁ ବର୍ତ୍ତମାନକୁ ଅବହେଳା କରିବସୁ । ବର୍ତ୍ତମାନର ଯାହା କିଛି ଗୁଣାତ୍ମକ, ସେଗୁଡ଼ିକ ପୁରୁଣା ନହେଲାଯାଏ ଆମେ ତାକୁ ପରଖିବାକୁ ମନକରୁନାହିଁ । ଫଳରେ ପ୍ରବୀଣ/ନବୀନ ସ୍ରଷ୍ଟାଙ୍କ ସୃଷ୍ଟି ଲୋକ ଆଗୋଚରରେ ରହିଯାନ୍ତି । ପ୍ରସ୍ଥିତିକୁ ନେଇ ସାହିତ୍ୟ ସମାଲୋଚନାର ମାପକାଠିରେ ଆମ ସାହିତ୍ୟର ସମାଲୋଚନା କରୁ । ନୂତନ ସମ୍ଭାବନାର ପିଠିରେ ଟିକେ ହାତ ଆଉଁଶି ତାକୁ ଅଭିପ୍ରେରିତ କରିବା ବଦଳରେ ସେମାନଙ୍କୁ ଅର୍ବାଚୀନ କହି ମୁହଁ ବୁଲାଇ ଦେଉ ।

 

ଲୋକସଂସ୍କୃତି ଅନ୍ତତଃ ଏହି ଅବିଚାର କରେନାହିଁ । ସାହିତ୍ୟପାଇଁ ଆଗଧାଡ଼ି ଓ ପଛଧାଡ଼ିର ଲୋକ ବାଛେ ନାହିଁ । ରାଜ ଦରବାରରେ ଏହା ଭୂଷିତ ହେଉ କି ନହେଉ, ଶାସକର କୃପାଦୃଷ୍ଟିରେ ପଡ଼ୁ ବା ନପଡ଼ୁ, ନାଳନ୍ଦା କି ଉଜ୍ଜୟିନୀର ଦ୍ରୋଣଗୁରୁମାନଙ୍କ ଶାସ୍ତ୍ରରେ ଏଗୁଡ଼ିକର ଆଦୃତି ହେଉ ବା ନହେଉ, ଲୋକସଂସ୍କୃତି ହୃଦୟର ସୃଷ୍ଟିକୁ ସମାନଭାବେ ମାନ୍ୟତା ଦିଏ । ସାହିତ୍ୟକୁ ପ୍ରସ୍ଥିତିର ମାଧ୍ୟମ କରେ ନାହିଁ କିମ୍ବା ପ୍ରସ୍ଥିତିବାନ୍ ହୋଇ ଯଶ ଅର୍ଜନ କରିବାରେ ଦୁରାଗ୍ରହରେ ସାହିତ୍ୟଜଗତକୁ କଳୁଷିତ କରେ ନାହିଁ । ଲୋକସଂସ୍କୃତିର ଉପନିବେଶବାଦୀ ମନୋବୃତ୍ତି ନାହିଁ । ବ୍ୟକ୍ତିର ଆତ୍ମପ୍ରକାଶ ଭିତରେ ସାମୂହିକ ମାନକୁ ଏହା ସବୁବେଳେ ଧରିରଖିଥାଏ ।

•••

 

ଅକ୍ଟୋବର ବିପ୍ଳବର ସାଂସ୍କୃତିକ ତାତ୍ପର୍ଯ୍ୟ

ଡକ୍ଟର ଦେବେନ୍ଦ୍ରକୁମାର ଦାଶ

 

ସୋଭିଏଟ୍ ସମାଜତାନ୍ତ୍ରିକ ପ୍ରଜାତନ୍ତ୍ର ସଂଘ (Union of Soviet Socialist Republic) ଆଜି ଇତିହାସର ଉପାଦାନ । ଗତ ଶତାବ୍ଦୀର ଶେଷ ଦୁଇ ଦଶକରେ ପୂର୍ବ ଇଉରୋପୀୟ ରାଷ୍ଟ୍ରଗୁଡ଼ିକର ସାମ୍ୟବାଦୀ ଶାସନ ଓ ପରେ ପରେ ସୋଭିଏଟ ରୁଷ ରାଷ୍ଟ୍ରସଂଘର ସମାଜତାନ୍ତ୍ରିକ ବ୍ୟବସ୍ଥା ତାସ୍‌ଘର ପରି ଭୁଶୁଡ଼ି ପଡ଼ିଥିଲା । କମ୍ୟୁନିଷ୍ଟ ମତବାଦ ଓ ତାହାକୁ ଆଧାର କରି ଗଢ଼ିଉଠିଥିବା ଶାସନବ୍ୟବସ୍ଥା ଯେ ପରବର୍ତ୍ତୀ ପ୍ରଜନ୍ମପାଇଁ ଗ୍ରହଣଯୋଗ୍ୟତା ହରେଇ ବସିଛି, ଏକଥା ଅନେକ କହିବାକୁ ଆରମ୍ଭ କରିଥିଲେ । ତା' ସହିତ ମାର୍କ୍ସଙ୍କ ମତବାଦର ସାର୍ବଜନୀନତା ତଥା ଅକ୍ଟୋବର ବିପ୍ଳବର (୧୯୧୭ ମସିହା ଅକ୍ଟୋବର ୧୭ ତାରିଖରେ ପରିସମାପ୍ତି ଲାଭ କରିଥିବା ରୁଷର ବଲ୍‌ଶେଭିକ ବିପ୍ଳବ, ଯାହାଫଳରେ ରୁଷ ଏକ ସମାଜତାନ୍ତ୍ରିକ ପ୍ରଜାତନ୍ତ୍ରରେ ପରିଣତ ହୋଇଥିଲା) ଐତିହାସିକ ଗୁରୁତ୍ୱକୁ ଅନେକ ଦକ୍ଷିଣପନ୍ଥୀ ବୁଦ୍ଧିଜୀବୀ ଓ ପ୍ରତିକ୍ରିୟାଶୀଳ ଅସ୍ୱୀକାର କରିବାକୁ ଆରମ୍ଭ କରିଥିଲେ । କିନ୍ତୁ ଅକ୍ଟୋବର ବିପ୍ଳବ ଫଳରେ ସମଗ୍ର ପୃଥିବୀ ସାମାଜିକ ଓ ରାଜନୈତିକ ଆଭିମୁଖ୍ୟରୁ ଯେଉଁ ନୂତନ ଚେହେରା ଓ ପରିଚିତି ଲାଭ କରିଥିଲା, ତାହା କ'ଣ ଅସ୍ୱୀକାର କରାଯାଇପାରେ ? କୌଣସି ସଂଗ୍ରାମ ବା ବିପ୍ଳବକୁ ମୂଲ୍ୟହୀନ ବା ଆଧାରହୀନବୋଲି କୁହାଯାଇ ପାରିବ ନାହିଁ । କାରଣ ସଂପୃକ୍ତ ବିପ୍ଳବ ବା ସଂଗ୍ରାମ ଏକ ସାମାଜିକ ଓ ସାଂସ୍କୃତିକ ବୁନିଆଦି ଉପରେ ଛିଡ଼ା ହୋଇଥାଏ । ଫଳରେ ଏହାର ପ୍ରଭାବ ବିପ୍ଳବ ସଂଘଟିତ ହୋଇଥିବା ଦେଶରେ ସୀମାବଦ୍ଧ ନଥାଏ । ବିଂଶ ଶତାବ୍ଦୀରେ ଦୁଇ ଶ୍ରେଷ୍ଠମାନବ ଲେନିନ୍ ଓ ଗାନ୍ଧୀ କେବଳ ରୁଷ ବା ଭାରତପାଇଁ ପ୍ରାସଙ୍ଗିକ ନୁହନ୍ତି ସମଗ୍ର ପୃଥିବୀ ସେମାନଙ୍କଦ୍ୱାରା ପରିବର୍ତ୍ତିତ । ଲେନିନ ଖାଲି ସୋଭିଏଟ ରୁଷର ମହାନାୟକ ନଥିଲେ-ସମଗ୍ର ବିଶ୍ୱର ଦଳିତ ନିର୍ଯ୍ୟାତିତ ଶ୍ରମଜୀବୀ ମଣିଷଙ୍କପାଇଁ ସେ ଥିଲେ ପ୍ରଭାତର ସୂର୍ଯ୍ୟ । ପୁଞ୍ଜିବାଦୀ ରାଷ୍ଟ୍ର-ଇଂଲଣ୍ଡ ଓ ଯୁକ୍ତରାଷ୍ଟ୍ର ଆମେରିକାର ଶାସନବ୍ୟବସ୍ଥା ଓ ସମାଜ-ଗଢ଼ଣ ଅକ୍ଟୋବର ବିପ୍ଳବ ଫଳରେ ପୁନର୍ଗଠନ ହୋଇଥିଲା । ଗାନ୍ଧୀ ତାଙ୍କର ସଂଗ୍ରାମ ଫଳରେ ଭାରତର ଅଗଣିତ ଜନସାଧାରଣଙ୍କୁ କେବଳ ସ୍ୱାଧୀନତାର ସ୍ୱାଦ ଚଖେଇ ନଥିଲେ- ସମଗ୍ର ତୃତୀୟ ବିଶ୍ୱର ପରାଧୀନ ଓ ବର୍ଣ୍ଣ-ବୈଷମ୍ୟ-ଲାଞ୍ଛିତ ଜନଗଣଙ୍କପାଇଁ ସେ ଥିଲେ ଦେବଦୂତ । ଏହିଭଳି ଏକ ଆଭିମୁଖ୍ୟରୁ ‘ଅକ୍ଟୋବର ବିପ୍ଳବର ସାଂସ୍କୃତିକ ତାତ୍‌ପର୍ଯ୍ୟ' ପ୍ରବନ୍ଧଟି ଲିଖିତ ।

 

।। ଏକ ।।

ବିପ୍ଳବ ଆଗର ପୃଥିବୀ ଓ ବିପ୍ଳବ ପରର ପୃଥିବୀ ଚେହେରାରେ ଅପରିବର୍ତ୍ତିତ ଥିଲେ ବି ଗୁଣରେ ଏକା ନଥାଏ । ସେଇଠାରେ ହିଁ ବିପ୍ଳବର ବୈଶିଷ୍ଟ୍ୟ । ସେଥିପାଇଁ ବିପ୍ଳବର କଥା ଯେତେ ଶୁଣାଯାଏ, ବିପ୍ଳବର ପରିବର୍ତ୍ତନ କେବଳ ପରିମାଣଗତ ନୁହେଁ, ଗୁଣଗତ ମଧ୍ୟ । ପୃଥିବୀରେ ଯେଉଁ କେତୋଟି ପ୍ରକୃତ ବିପ୍ଳବ ଘଟିଛି, ସେ କ୍ଷେତ୍ରରେ ଦେଖାଯାଏ ଯେ ମଣିଷ ଆଉ ତା'ର ପୁରୁଣା ପୃଥିବୀକୁ ଫେରିଯାଇ ପାରିନାହିଁ । ତା'ର ବିନିମୟରେ ସେ ଲାଭ କରିଛି ଏକ ନୂଆ ପୃଥିବୀ । ରେନେସାଁସ ଏଭଳି ବିପ୍ଳବର ଏକ ଦୃଷ୍ଟାନ୍ତ । ଇଉରୋପରେ ରେନେସାଁସ ଯେଉଁ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲା, ମଣିଷର ଜଗତ ଓ ଜୀବନ ସମ୍ପର୍କରେ ଧାରଣାକୁ ଓଲଟେଇ ଦେଇଥିଲା, ଏଥିରେ ସନ୍ଦେହ ନାହିଁ । ରେନେସାଁସ ପୂର୍ବରୁ, ମଧ୍ୟଯୁଗରେ ପୃଥିବୀ ଥିଲା ଈଶ୍ୱରକୈନ୍ଦ୍ରିକ । ରେନେସାଁସ ପୃଥିବୀକୁ ମାନବକୈନ୍ଦ୍ରିକ କରିଦେଲା । ସେହିଭଳି ଗାଲିଲିଓ ଯେତେବେଳେ ପ୍ରଚଳିତ ଭୂକୈନ୍ଦ୍ରିକତା ସ୍ଥାନରେ ନୂତନ ସୌରକୈନ୍ଦ୍ରିକ ସତ୍ୟକୁ ପ୍ରତିଷ୍ଠିତ କଲେ ସେତେବେଳେ ମଣିଷର ଚିନ୍ତା ଓ ଧାରଣାରେ ବିପ୍ଳବ ସଂଘଟିତ ହୋଇଥିଲା । ଡାରୱିନଙ୍କର ପ୍ରଜାତିକ ଉତ୍ପତ୍ତି ଓ ବିବର୍ତ୍ତନତତ୍ତ୍ୱ ମଣିଷର ଜ୍ଞାନ-ବିଶ୍ୱକୁ ରୂପାନ୍ତରିତ କରିବାରେ ଏହିଭଳି ଭୂମିକା ନିର୍ବାହ କରିଛି ।

 

କେବଳ ଚିନ୍ତା ବା ବିଜ୍ଞାନ କ୍ଷେତ୍ରରେ ନୁହେଁ, ବିପ୍ଳବ ଅନ୍ୟକ୍ଷେତ୍ରରେ ମଧ୍ୟ ଘଟଛି । ଶିଳ୍ପ ବିପ୍ଳବ ଦିନେ ଉତ୍ପାଦନ କୌଶଳରେ ପରିବର୍ତ୍ତନ ଆଣିଥଲା; ସେହି ପରିବର୍ତ୍ତନ ଉତ୍ପାଦନ-ସମ୍ପର୍କ ଓ ସମାଜ ସଂରଞ୍ଚନାର ରୂପାନ୍ତରରେ ମଧ୍ୟ ସାହାଯ୍ୟ କରିଛି । ରାଷ୍ଟ୍ରନୈତିକ ବିପ୍ଳବ ମଧ୍ୟ ଅନୁରୂପଭାବେ ସାମଗ୍ରିକ ପରିବର୍ତ୍ତନର ଦ୍ୱାର ଉନ୍ମୁକ୍ତ କରିଥାଏ । ଇଂଲଣ୍ଡର ପିଉରିଟାନ ବିପ୍ଳବ ଏହାର ଦୃଷ୍ଟାନ୍ତ । ରାଜାଙ୍କୁ ହତ୍ୟାକରି ରାଜତନ୍ତ୍ର ଉଚ୍ଛେଦର ତାହା ପ୍ରାଥମିକ ଆୟୋଜନ କରିଥିଲା । ଫରାସୀ ରାଷ୍ଟ୍ରବିପ୍ଳବ ସାମନ୍ତବାଦର ଉଚ୍ଛେଦ କରି ଯେଉଁ ସାମଗ୍ରିକ ପରିବର୍ତ୍ତନର ପଥ ଉନ୍ମୁକ୍ତ କରିଥିଲା ତାହା ଗତ ଦୁଇଶତାବ୍ଦୀ ଧରି ଆଲୋଚନାର ବିଷୟ ହୋଇ ରହିଆସିଛି ।

 

୧୯୧୭ ମସିହା ଅକ୍ଟୋବର ୧୭ ତାରିଖରେ ପରିସମାପ୍ତି ଲାଭ କରିଥିବା ରୁଷର ଅକ୍ଟୋବର ବିପ୍ଳବ ଉପରୋକ୍ତ ବିପ୍ଳବଠାରୁ ପରିବର୍ତ୍ତୀ କାଳର । କିନ୍ତୁ ପରବର୍ତ୍ତୀକାଳୀନତା ମଧ୍ୟରେ ତାହାର ତାତ୍ପର୍ଯ୍ୟ ନିହିତ ନୁହେଁ । ଏହାର ପ୍ରଭାବ ବିଶ୍ୱବ୍ୟାପୀ । ଏହି ବିପ୍ଳବ ରାଷ୍ଟ୍ରକ୍ଷମତାରେ ଶ୍ରମିକ ଶ୍ରେଣୀର କର୍ତ୍ତୃତ୍ୱକୁ ପ୍ରତିଷ୍ଠା କରିଛି; ପରିବର୍ତ୍ତନ ଆଣିଛି ଉତ୍ପାଦନ ପଦ୍ଧତି ଓ ସମାଜ ସମ୍ପର୍କ କ୍ଷେତ୍ରରେ; ବଦଳେଇ ଦେଇଛି ଇତିହାସ ଓ ସଂସ୍କୃତି ସଂପର୍କିତ ମଣିଷର ଧାରଣାକୁ ।

 

ଇତିହାସ ଓ ସଂସ୍କୃତି ସମ୍ପର୍କରେ ଧାରଣାର ପରିବର୍ତ୍ତନ ଦାର୍ଶନିକ ଦୃଷ୍ଟିଭଙ୍ଗୀର ପରିବର୍ତ୍ତନ ସହ ଜଡ଼ିତ । ରୁଷ ବିପ୍ଳବ ସ୍ଥଳବସ୍ତୁ ତାନ୍ତ୍ରିକତା ଓ ପ୍ରତାରକ ଭାବବାଦ ଉପରେ ଦାର୍ଶନିକ ବସ୍ତୁବାଦର ବିଜୟ । ଏହି ବିପ୍ଳବ ମଣିଷକୁ ଚିହ୍ନେଇ ଦେଲା ଯେ ମଣିଷର ଇତିହାସ କ୍ରମାଗ୍ରସରମାନ, ପୁଂଜିବାଦ ତା'ର ଶେଷ ସ୍ତର ନୁହେଁ; ପୁଂଜିବାଦର ମୁନାଫା ତାନ୍ତ୍ରିକତା ସ୍ତର ଅତିକ୍ରମ କରି ଉନ୍ନତତର ପର୍ଯ୍ୟାୟକୁ ମଣିଷ ସଭ୍ୟତାର ଅଗ୍ରଗମନ ବି ସମ୍ଭବ ଓ ମଣିଷର ଏତେ ଦିନର ଇତିହାସ ଶ୍ରେଣୀ ସଂଗ୍ରାମର ହିଁ ଇତିହାସ । ମଣିଷକୁ ଶିଖେଇଲା, ସଂସ୍କୃତି କୌଣସି ଆଲୌକିକ ବସ୍ତୁ ନୁହେଁ. ସେଥିରେ ବ୍ୟକ୍ତି ମନୀଷାର ଅବଦାନ ନିଶ୍ଚୟ ରହିଛି । କିନ୍ତୁ ବ୍ୟକ୍ତି ଆପଣାର ଶ୍ରେଣୀଗତ ଅବସ୍ଥାନଦ୍ୱାରା ନିୟନ୍ତ୍ରିତ । ବସ୍ତୁ ସଂସ୍କୃତିକୁ ନିୟନ୍ତ୍ରଣ କରୁଛି ପୁଣି ସଂସ୍କୃତି ମଧ୍ୟ ବସ୍ତୁ ଉପରେ ଆପଣାର ପ୍ରଭାବ ବିସ୍ତାର କରୁଛି । ପୂର୍ବକାଳର ମଣିଷ ଯେଭଳି ଈଶ୍ୱରଙ୍କୁ ବିଶ୍ୱାସ କରୁଥିଲା, ବର୍ତ୍ତମାନ କାଳର ମଣିଷ ସେହିଭଳି ବିଶ୍ୱାସ କରୁଛି ଇତିହାସକୁ । ଏହି ଇତିହାସ କେବଳ ନିୟନ୍ତ୍ରକ ଓ ମଣିଷ ତା'ଆଗରେ ସତ୍ତାହୀନ ନୁହେଁ । ଇତିହାସ ମଧ୍ୟ ନିୟନ୍ତ୍ରିତ ଓ ମଣିଷ ମଧ୍ୟ ଇତିହାସର ନିର୍ମାତା । ନିୟମ ମାନି ମଣିଷ ଆତଯାତ ହେଉଛି, ଖେଳ ଖେଳୁଛି ; କିନ୍ତୁ ସବୁବେଳେ ଏକ ପ୍ରକାର ଖେଳ ଖେଳୁ ନାହିଁ, ଖେଳର ରୂପ ବଦଳି ଯାଉଛି । ଏହି ବଦଳିବାର ମୁଖ୍ୟ ଅନୁପ୍ରେରକ ହେଉଛି ଇତିହାସ ।

 

ଇତିହାସ ଦ୍ୱନ୍ଦ୍ୱ-ମୁଖର । ଦ୍ୱନ୍ଦ୍ୱରସ୍ୱରୂପ ବହୁବିଧ । କିନ୍ତୁ ଦ୍ୱନ୍ଦ୍ୱର ମୌଳରୂପ ହେଲା ଶୋଷକ ସହ ଶୋଷିତର ଦ୍ୱନ୍ଦ୍ୱ । ଏହି ଶ୍ରେଣୀ ଦ୍ୱନ୍ଦ୍ୱ ହେଉଛି ଉତ୍ପାଦନ ସମ୍ପର୍କର ଦ୍ୱନ୍ଦ୍ୱ; ସମାଜ ଭିତ୍ତିର ଅନ୍ତରଙ୍ଗ ଉପାଦାନ ମଧ୍ୟରେ ଥିବା ଦ୍ୱନ୍ଦ୍ୱ । ଇତିହାସ ଏହି ଦ୍ୱନ୍ଦ୍ୱକୁ ଅବଲମ୍ବନ କରି ଗତିଶୀଳ-। ଏହି ସତ୍ୟକୁ ଅସ୍ପଷ୍ଟ କରିଦେବାର ପ୍ରଚେଷ୍ଟା ବହୁବିଧ ଓ ଅନେକ କ୍ଷେତ୍ରରେ ତାହା ତଥାକଥିତ ସାଂସ୍କୃତିକ କିନ୍ତୁ ସବୁବେଳେ ଏହା ଉଦ୍ଦେଶ୍ୟ ପ୍ରଣୋଦିତ, ଶ୍ରେଣୀ ସ୍ୱାର୍ଥରକ୍ଷା କାର୍ଯ୍ୟରେ ନିବେଦିତ । ଶୋଷକ ବଦଳିଯାଏ, କିନ୍ତୁ ଶୋଷଣ ଅକ୍ଷୁଣ୍ଣ ଥାଏ । ଇତିହାସ ଗୋଟିଏ ସ୍ତରରୁ ଆଉ ଗୋଟଏ ସ୍ତରକୁ ଉତ୍ତୀର୍ଣ୍ଣ ହୁଏ କିନ୍ତୁ ଦ୍ୱନ୍ଦ୍ୱର ନିରସନ ହୁଏ ନାହିଁ । ତେବେ ଶେଷ ସଂଗ୍ରାମରେ ଶୋଷିତର ବିଜୟ ଅବଶ୍ୟମ୍ଭାବୀ । ସେମାନେ ସଂଖ୍ୟାଧିକ ସଙ୍ଗଠିତ ହେଲେ ସେମାନଙ୍କର ଶକ୍ତି ଅମିତ । ବିଚ୍ଛିନ୍ନଭାବେ ଶକ୍ତିହୀନ, ପଙ୍ଗୁ, ଦୁର୍ବଳ କିନ୍ତୁ ଐକ୍ୟବଦ୍ଧ ହେଲେ ଦୁର୍ଦ୍ଦମନୀୟ । ଅକ୍ଟୋବର ବିପ୍ଳବ ଶୋଷିତ ସମାଜପାଇଁ ଏହିଭଳି ଆଶାବାଦର ବାସ୍ତବ ରୂପାୟନ ।

 

।। ଦୁଇ ।।

ଅକ୍ଟୋବର ବିପ୍ଳବ ପୂର୍ବରୁ ସମାଜତାନ୍ତ୍ରିକ ସମାଜ ନଥିଲା, ସମାଜବାଦର ଆକାଙ୍‌କ୍ଷା କେବଳ ଥିଲା । ତା'ପୂର୍ବରୁ କେବଳ ଆଦିମ ସମାଜରେ ସମାଜତାନ୍ତ୍ରିକ ସମାଜର ସଂଧାନ ମିଳିପାରେ, ଅନ୍ୟତ୍ର ନୁହେଁ । ଆଧୁନିକ ବିଶ୍ୱପାଇଁ ଆଦିମ ସମାଜର ସେହି ସମାଜ ତାନ୍ତ୍ରିକତାରଇ କୌଣସି ପ୍ରାସଂଗିକତା ବା ଉପଯୋଗିତା ନଥିଲା । ମଣିଷ କିନ୍ତୁ ଅତୀତକୁ ଫେରି ଯିବାକୁ ସ୍ୱପ୍ନ ଦେଖିଛି । ଅନେକ ମଣିଷ ଚାହିଁଛନ୍ତି ମଣିଷ ମଣିଷ ମଧ୍ୟରେ ସାମ୍ୟ ପ୍ରତିଷ୍ଠା କରିବାକୁ ପ୍ରକୃତ ମୈତ୍ରୀ ଗଢ଼ି ତୋଳିବାପାଇଁ । ମଣିଷର ଏହି ଅଧ୍ୟାୟ କେତେବେଳେ ଅତୀତକୁ ଫେରି ଯିବାର ଆକାଙ୍‌କ୍ଷା-ଭିତ୍ତିକ ତ ଅନ୍ୟ କେତେବେଳେ ସମବାୟ-କୈନ୍ଦ୍ରିକ; ଆଉ ଅନ୍ୟ କେତେବେଳେ ସମ୍ପୂର୍ଣ୍ଣ ପଳାୟନପନ୍ଥୀ, ମାନବ ଶ୍ରେଣୀ ଏହି ସ୍ୱପ୍ନଦ୍ରଷ୍ଟାଗଣ ଅଶୁଭ ଯନ୍ତ୍ରସଭ୍ୟତାର ଅସମତାଦ୍ୱାରା ପୀଡ଼ିତ-। ଏହାକୁ ଭାଙ୍ଗି ଦେବାପାଇଁ ଭାରି ଉତ୍ସାହୀ । କଳ୍ପରାଜ୍ୟର କଥା ଟମାସ ମୁର ଭାବିଛନ୍ତି, ଭାବିଛନ୍ତି ସ୍ୟାମୁଏଲ ବଟଲାର କିନ୍ତୁ ଏହି ସମସ୍ତ ଥିଲା ଅଳୀଳ କଳ୍ପନା । ଯେଉଁମାନେ ଏହି କଳ୍ପରାଜ୍ୟର କଥା ଭାବିଛନ୍ତି ସେମାନେ ମଧ୍ୟ ଜାଣନ୍ତି ଏଭଳି କଳ୍ପନା ପ୍ରୟୋଗ-ରହିତ, ବାସ୍ତବ ସହିତ ସମ୍ପର୍କହୀନ । ଅନ୍ୟମାନେ ମଧ୍ୟ ଏହାର ଅଳୀକତା ସମ୍ପର୍କରେ ସଚେତନ । ଅକ୍ଟୋବର ବିପ୍ଳବ ପ୍ରମାଣ କଲା ଯେ ସମାଜତନ୍ତ୍ର କୌଣସି ଅବାସ୍ତବ କଳ୍ପନା ନୁହେଁ, ତାହାକୁ ବାସ୍ତବ ଜଗତରେ ପ୍ରୟୋଗ କରାଯାଇପାରେ । ସେଥିପାଇଁ ଆଦିମ ଅବସ୍ଥାକୁ ଫେରିଯିବାର ଆବଶ୍ୟକତା ନାହଁ । ପୁଞ୍ଜିବାଦର ଅବଦାନ ଓ ଐତିହ୍ୟକୁ ସମ୍ପର୍କ ଅସ୍ୱୀକାର କରି ସମାଜତାନ୍ତ୍ରିକ ସମାଜବ୍ୟବସ୍ଥା ପ୍ରତିଷ୍ଠା ସମ୍ଭବ ନୁହେଁ । ପୁଞ୍ଜିବାଦ ସୃଷ୍ଟି କରିଥିବା ନୂଆ ସମାଜବ୍ୟବସ୍ଥା ଓ ଉତ୍ପାଦନର ଭିତ୍ତି ଉପରେ ତାହାର ଅଭ୍ୟାଗମ ସମ୍ଭବ । ତେବେ ଏହା ମୁନାଫା-ମନୋବୃତ୍ତିଦ୍ୱାରା ନିୟନ୍ତ୍ରିତ ନ ହୋଇ ସେବାମନୋବୃତ୍ତିଦ୍ୱାରା ପରିଚାଳିତ ହୁଏ । ସମାଜତନ୍ତ୍ର କୌଣସି ହସ୍‌ପିଟାଲ ନୁହେଁ, କାରଖାନା ମଧ୍ୟ ନୁହେଁ ଯଦିଓ ଏହା ମଣିଷକୁ ସମକାଳରେ ସୁସ୍ଥ ରଖେ ଓ ସର୍ଜନକ୍ଷମ କରେ । ସମାଜତନ୍ତ୍ରରେ ମଧ୍ୟ ପ୍ରତିଯୋଗିତା ରହିଛି-ତାହା ଲାଭ ଆଶାରେ ନୁହେଁ, ସମଷ୍ଟିଗତ ବିକାଶକୁ ତ୍ୱରାନ୍ୱିତ କରିବା ଆକାଙ୍‌କ୍ଷାରେ । ଏହି ବ୍ୟବସ୍ଥା ବ୍ୟକ୍ତିକୁ ପ୍ରଧାନ କରେ ନାହିଁ, ତାକୁ ବିନିଷ୍ଟ ମଧ୍ୟ କରେ ନାହିଁ । ବ୍ୟକ୍ତି ଓ ସମଷ୍ଟି ମଧ୍ୟରେ ଥିବା ବିରୋଧକୁ ଅବଲୁପ୍ତ କରି ଦେଖାଇଦିଏ ଯେ ଉଭୟେ ପ୍ରତିଦ୍ୱନ୍ଦ୍ୱୀ ନୁହନ୍ତି । ବ୍ୟକ୍ତିର ବିକାଶ ଓ ସମଷ୍ଟିଗତ ବିକାଶ ଉଭୟେ ପରସ୍ପରର ପରିପୂରକ । ଏକଦା ଫ୍ରାନ୍ସିସ ବେକନ ବ୍ୟକ୍ତିର ସାଫଲ୍ୟର ମାନଦଣ୍ଡ କ'ଣ ହେବା ଉଚିତ, ସେଥିନେଇ ଭାବିଥିଲେ । ଈଶ୍ୱରଙ୍କ ଅଭିପ୍ରାୟ ଚରିତାର୍ଥ କରିବା ବ୍ୟକ୍ତିସାଫଲ୍ୟର ମାନଦଣ୍ଡ ସେତେବେଳକୁ ଏହି ଧାରଣା ପରିତ୍ୟକ୍ତ ହୋଇଥିଲା । ତା'ହେଲେ ବ୍ୟକ୍ତି କ'ଣ କେବଳ ନିଜକୁ ବଡ଼ କରିବ ? ସେହି ସମୟରେ ପୁଂଜି-ସଂଚୟ, ବ୍ୟକ୍ତିଗତ ମୁନାଫା- ଲାଭ ବଡ଼ ହୋଇ ଦେଖାଦେଇଛି । ବ୍ୟକ୍ତି ସ୍ୱାଧୀନତାର ଅମିତ ସମ୍ଭାବନାକୁ ଭିତ୍ତିକରି ଗଢ଼ିଉଠିଛି ପୁଞ୍ଜିବାଦ । ପୁଞ୍ଜିବାଦର ସେଇ ଭ୍ରୂଣ ଅବସ୍ଥାରେ ବେକନ ସତର୍କ କରି ଦେଇଥିଲେ ଯେଉଁ ବ୍ୟକ୍ତି କେବଳ ନିଜର କଥାଭାବେ ସେ ମୂଷାଭଳି, ତାକୁ ବିଶ୍ୱାସ କରାଯାଇ ପାରେନା, ସମାଜକୁ ସେ ନଷ୍ଟଭ୍ରଷ୍ଟ ଓ ଛାରଖାର କରିଦେବ । ତେଣୁ ତାଙ୍କ ମତରେ ବ୍ୟକ୍ତି ତାର ସାର୍ଥକତାପାଇଁ ସମଷ୍ଟିର ଅଗ୍ରଗତି ଉପରେ ନିର୍ଭରଶୀଳ । ସମଷ୍ଟିର ପ୍ରଗତି ନ ଘଟିଲେ ବ୍ୟକ୍ତିର ବିକାଶ ଅସମ୍ଭବ । ବ୍ୟକ୍ତିକୁ ତେଣୁ ଆପଣାର ସମୃଦ୍ଧି ସହ ସମାଜରେ ନିଜର ଭୂମିକା ନିର୍ବାହ କରିବାକୁ ପଡ଼ିବ । କିନ୍ତୁ ଏକ ସଙ୍ଗରେ ନିଜପାଇଁ ଲାଭ ଖୋଜିବ ଓ ତା'ସହ ସମଷ୍ଟିକୁ ଆଗେଇନେବ ଏହି ପରସ୍ପର ବିରୋଧୀ କାର୍ଯ୍ୟ ଏକ ସଙ୍ଗରେ କରିବା ଜଣଙ୍କ ପକ୍ଷରେ ସମ୍ଭବ ନୁହେଁ- ଏଭଳିକି ବେକନଙ୍କ ଭଳି ଅସାମାନ୍ୟ ପୁରୁଷଙ୍କ ପକ୍ଷରେ ବି ନୁହେଁ । ସେ ଏତେ ବଡ଼ ଦାର୍ଶନିକ ଓ ପେସାରେ ବିଚାରକ ହୋଇ ବି ଲାଞ୍ଚ ନେଇଥିଲେ ଓ ବାଧ୍ୟହୋଇ ଜେଲ୍ ଖଟିଥିଲେ । ବେକନ ଯଦି ଏଭଳି କାର୍ଯ୍ୟ କରିବାକୁ ବାଧ୍ୟ ହୁଅନ୍ତି, ତେବେ ସାଧାରଣ ଲୋକ କଥା ନ କହିବା ଭଲ । ସମାଜତାନ୍ତ୍ରିକ ବିପ୍ଳବ ଦେଖେଇ ଦେଲା, ଅବସ୍ଥାର ପରିବର୍ତ୍ତନ ନ କଲେ ବ୍ୟକ୍ତି କେବେ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇ ପାରିବ ନାହିଁ- ସେ ହୋଇଯିବ ପୁଞ୍ଜି ଓ ଲାଭର ଅପର ନାମ । ଯେଉଁଠି ବ୍ୟକ୍ତି ପୁଞ୍ଜି ମୁନାଫାଠାରୁ ଭିନ୍ନ ହୋଇ ତାତ୍ପର୍ଯ୍ୟପୂର୍ଣ୍ଣ ହେବାକୁ ଚେଷ୍ଟା କରିବ, ସେଠି ଆରମ୍ଭ ହେବ ତା'ର ଚରମ ଦୁର୍ଯୋଗ: ଅନ୍ତହୀନ ନିଃସଂଗତା ଓ ବ୍ୟର୍ଥତାବୋଧ ମଣିଷର ପୁଞ୍ଜିବାଦୀ ବିଚାରଧାରା ଓ ସମାଜତାନ୍ତ୍ରିକ ଆକାଙ୍‌କ୍ଷାର ସହଜ ସହାବସ୍ଥାନ ଅସମ୍ଭବ । ଗୋଟିଏ ସହ ଅପରର ଦ୍ୱନ୍ଦ୍ୱ ଓ ଜୟ-ପରାଜୟର ପ୍ରଶ୍ନ ନିଶ୍ଚିତ । ଶେଷରେ ଗୋଟିକର ବିଜୟ; ବ୍ୟକ୍ତିର ଚଲାପଥ ହିଁ ସେହି ବିଜୟର ସ୍ରଷ୍ଟା ।

ରୁଷ ବିପ୍ଳବ ପୂର୍ବରୁ ମାର୍କ୍ସ ଥିଲେ ଓ ମାର୍କସବାଦ ମଧ୍ୟ ଥିଲା । କିନ୍ତୁ ବିପ୍ଳବ ପରେ ମାର୍କ୍ସସବାଦର ତାତ୍‌ପର୍ଯ୍ୟ ବଦଳିଗଲା । ବିପ୍ଳବ ପରେ ମାର୍କ୍ସବାଦ ଆଉ ପୋଥିଗତ ବିଦ୍ୟା ହୋଇ ରହିଲା ନାହିଁ- ତାହା ଫଳିତ ବିଦ୍ୟାରେ ପରିଣତ ହେଲା । ତାକୁ ଉପେକ୍ଷା ବା ଅବଜ୍ଞା କରିବା ସମ୍ଭବ ହେଲା ନାହିଁ । ସମଗ୍ର ବିଶ୍ୱପାଇଁ ଉନ୍ମୁକ୍ତ କଲା ତାହା ନବ ସମ୍ଭାବନାର ପଥ । ଲେନିନ ଥିଲେ ସାମ୍ରାଜ୍ୟବାଦୀ ଯୁଗର ମାର୍କ୍ସବାଦୀ । ମାର୍କ୍ସବାଦକୁ ସେ ସାମ୍ନାକୁ ନେଇ ଆଣିଲେ, ତାହାର ଅନ୍ତର୍ନିହିତ ସୂତ୍ର ଓ ସଂଭାବନାକୁ ସୃଷ୍ଟିଶୀଳତା ଭିତର ଦେଇ ଆହୁରି ବିକଶିତ କଲେ । ମାର୍କ୍ସବାଦୀ ତତ୍ତ୍ୱର ପ୍ରୟୋଗ ସମ୍ଭବ, ଏହି ସତ୍ୟକୁ ସେ ପ୍ରତିଷ୍ଠିତ କରିଦେଲେ ।

ଏକଦା ପ୍ଲାଟୋ ମଧ୍ୟ ସମାଜତନ୍ତ୍ରର କଥା କହିଥିଲେ । ସେ ଭାବିଥିଲେ, ତାଙ୍କର କଳ୍ପିତ ଆଦର୍ଶ ରାଷ୍ଟ୍ରରେ ବ୍ୟକ୍ତିଗତ ସମ୍ପତ୍ତି ରହିବନାହିଁ । କିନ୍ତୁ ପ୍ଳାଟୋ କଥିତ ସାମ୍ୟବାଦଠାରୁ ମାର୍କ୍ସଙ୍କ ସାମ୍ୟବାଦର ବ୍ୟବଧାନ ସମ୍ପୂର୍ଣ୍ଣ ମୌଳିକ ଓ ଅନତିକ୍ରମ୍ୟ । ପ୍ରଥମ ପାର୍ଥକ୍ୟ ହେଲା : ପ୍ଳାଟୋଙ୍କ ତତ୍ତ୍ୱ ପ୍ରୟୋଗରହିତ । କାରଣ ତାଙ୍କ ତତ୍ତ୍ୱର ପ୍ରୟୋଗପାଇଁ ଯେଉଁ ଲେନିନଂକର ଆବଶ୍ୟକତା ଥିଲା, ତାହା ତ ସେ ପାଇଲେ ନାହିଁ; ପାଇବା ମଧ୍ୟ ସମ୍ଭବ ନଥିଲା । ପ୍ଳଟୋଙ୍କ ରିପବ୍ଳିକସ କାବ୍ୟ ସୌନ୍ଦର୍ଯ୍ୟରେ ଅତୁଳନୀୟ । ଏହାକୁ ପଢ଼ିଲେ ଆନନ୍ଦ ମିଳେ, ଦାର୍ଶନିକ ଓ ସମାଜତାତ୍ତ୍ୱିକ କୌତୂହଳ ସୃଷ୍ଟି କରିବାକୁ କ୍ଷମତା ଏହାର ରହିଛି । କିନ୍ତୁ ଏହାର ବାସ୍ତବ ପ୍ରୟୋଗ କେବେ ସମ୍ଭବ ନୁହେଁ । ପ୍ଲଟୋଙ୍କଠାରୁ ମାର୍କ୍ସଙ୍କର ବ୍ୟବଧାନ ଆହୁରି ମୌଳିକ । ପ୍ଲାଟୋ ବ୍ୟକ୍ତିଗତ ସମ୍ପତ୍ତିର ଉଚ୍ଛେଦ ଚାହିଁଛନ୍ତି ସତ୍ୟ, କିନ୍ତୁ ସେ ଯେଉଁ ରାଷ୍ଟ୍ରର ପରିକଳ୍ପନା କରିଛନ୍ତି ଓ ତାହାର ଅସଲ ଚରିତ୍ର ହେଉଛି ଅମୁକ୍ତି- ମାନବ ସ୍ୱାଧୀନତା ଓ ସୃଜନଶୀଳତାର ପରିପନ୍ଥୀ; ତାହା ଫାସିବାଦୀ ! ସେଠାରେ ସମ୍ପତ୍ତି ନ ରହିଲେ ବି ଶ୍ରେଣୀ ରହିବ । ଦାର୍ଶନିକଗଣ ଶାସନ କରିବେ, ସୈନିକଗଣ ଯୁଦ୍ଧ କରିବେ ଓ ଶ୍ରମିକମାନେ ଉତ୍ପାଦନ କରିବେ । କିନ୍ତୁ ମାର୍କ୍ସଙ୍କ ଦୃଷ୍ଟିରେ ବ୍ୟକ୍ତିଗତ ସମ୍ପତ୍ତି ଉଚ୍ଛେଦର ଭିତ୍ତି ହେଲା ଶ୍ରେଣୀହୀନ ସମାଜର ପ୍ରତିଷ୍ଠା । ପ୍ଲାଟୋଙ୍କ ରାଷ୍ଟ୍ରରେ ଶ୍ରମିକମାନେ ଅନ୍ୟ ଶ୍ରେଣୀର ପଦାନତ ହୋଇ ରହିବେ, କିନ୍ତୁ ମାର୍କ୍ସଙ୍କ ଦୃଷ୍ଟିରେ ସେମାନେ ହେବେ ଶାସକ । ସେମାନଙ୍କ ପ୍ରାଧାନ୍ୟ ଭିତରେ ଦେଇ ଶ୍ରେଣୀ ବ୍ୟବସ୍ଥାର କେବଳ ନୁହେଁ ରାଷ୍ଟ୍ରବ୍ୟବସ୍ଥାର ଉଚ୍ଛେଦ ମଧ୍ୟ ସମ୍ଭବ । ପ୍ଲାଟୋଙ୍କ ଦୃଷ୍ଟିରେ ରାଷ୍ଟ୍ର ପ୍ରମୁଖ ହେଲାବେଳେ ମାର୍କ୍ସ ଦେଖିଛନ୍ତି ତାର ଅବକ୍ଷୟ ଓ ଅନ୍ତର୍ଦ୍ଧାନ ।

ଅକ୍ଟୋବର ବିପ୍ଳବ ପୂର୍ବରୁ ମାର୍କ୍ସବାଦ ଥିଲା, ସମାଜତାନ୍ତ୍ରିକ ଆକାଙ୍‌କ୍ଷା ଥିଲା । ବିପ୍ଳବ ଏହି ଦୁଇଟିକୁ ଏକତ୍ର କରି ସୋଭିଏତ ଇଉନିଅନର ଗୋଟିଏ ନୂଆ ସମାଜ ପ୍ରତିଷ୍ଠିତ କଲା । ତା'ପରେ ସମାଜତନ୍ତ୍ର ଆଉ କଳ୍ପନାର, କୌଣସି କଳ୍ପିତ ସ୍ୱର୍ଗରାଜ୍ୟକୁ ପ୍ରତ୍ୟାଗମନର ବା କୌଣସି ଫାସିବାଦୀ ରାଷ୍ଟ୍ରର ସ୍ଳୋଗାନ ବିଶେଷ ହୋଇ ରହିଲା ନାହିଁ । ତାହା ବିଜ୍ଞାନ ସମ୍ମତ, ବାସ୍ତବ ଓ ଆଧୁନିକ ଗଣତାନ୍ତ୍ରିକ ବ୍ୟବସ୍ଥାବିଶେଷ ରୂପରେ ଗୃହୀତ ହେଲା । ଗଣତନ୍ତ୍ରର ବିଶ୍ୱାସ ଏକ ପ୍ରାଚୀନ ବିଶ୍ୱାସ । ପ୍ଲାଟୋଙ୍କ ଏଥେନ୍‌ସରେ ମଧ୍ୟ ଗୋଟିଏ ଧରଣର ଗଣତନ୍ତ୍ର ଥିଲା । କିନ୍ତୁ ତାହା ସମସ୍ତଙ୍କର ଗଣତନ୍ତ୍ର ନଥିଲା- ଥିଲା ଗୋଟିଏ ଅଂଶର । ବୁର୍ଜୋୟା ଗଣତନ୍ତ୍ର କେବଳ କଥାରେ ସାର୍ବଜନୀନ ଗଣତନ୍ତ୍ର; ବସ୍ତୁତଃ ତାହା ସଂପତ୍ତିବାନଙ୍କର ଗଣତନ୍ତ୍ର-ଗରିବଙ୍କର ସେଥିରେ ବିଶେଷ ଭୂମିକା ନାହିଁ । ଧନବୈଷମ୍ୟହୀନ ସମାଜରେ ହିଁ ପ୍ରକୃତ ଗଣତନ୍ତ୍ର ସମ୍ଭବ । ରୁଷ ବିପ୍ଳବ ଏହିଭଳି ଏକ ଗଣତନ୍ତ୍ରର ସୂଚନା ଦେଇଥିଲା । ଏହି ସାମଗ୍ରିକ ପରିବର୍ତ୍ତନ ସମ୍ଭବ ହୋଇଥିଲା ସଶସ୍ତ୍ର ଅଭ୍ୟୁତ୍‌ଥାନ ଛଡ଼ା ବିପ୍ଳବ ନାହିଁ । ରୁଷବିପ୍ଳବ ଏଭଳି ସତ୍ୟର ପ୍ରତିଷ୍ଠାତା ପୁଞ୍ଜିବାଦର ଦୁର୍ବଳତା ଅନେକ ଜଣଙ୍କୁ ଜଣାଥିଲା; କିନ୍ତୁ ସମାଧାନର ପଥ ସମ୍ପର୍କରେ କେହି ସଚେତନ ନଥିଲେ । କେହି କେହି ଭାବିଥିଲେ ସମାଜତାନ୍ତ୍ରିକ ବିପ୍ଳବ ଶିଳ୍ପବିପ୍ଳବର ସମସ୍ତ ସୁଫଳକୁ ନସ୍ୟାତ କରି ବିଶ୍ୱକୁ ପଛକୁ ଫେରେଇନେବ । ଅନ୍ୟକେହି ଭାବିଥିଲେ ସମାଜତନ୍ତ୍ର ଲକ୍ଷ୍ୟ ନିଶ୍ଚୟ କିନ୍ତୁ ତାହା ଆସିବ ହିଂସ୍ରତା ଭିତର ଦେଇ ନୁହେଁ, ହୃଦୟ ପରିବର୍ତ୍ତନ ଭିତରେ ଦେଇ; ବିପ୍ଳବର ବନ୍ଧୁର ପଥରେ ନୁହେଁ, ବିବର୍ତ୍ତନର ମସୃଣ ପଥରେ । ଏହି ସମସ୍ତ ଅସ୍ପଷ୍ଟ ଓ ବେଳେ ବେଳେ ପ୍ରତିକ୍ରିୟାଶୀଳ ଚିନ୍ତାଧାରା ଅନ୍ତଃସାରଶୂନ୍ୟତା ଉଦ୍‌ଘାଟିତ କରି ରୁଷ ବିପ୍ଳବ ପୃଥିବୀ ଆଗରେ ସମାଜତନ୍ତ୍ରର ରାସ୍ତା ପରିଚ୍ଛନ୍ନ କରିଦେଇଥିଲା ।

।। ତିନି ।।

ଅକ୍ଟୋବର ବିପ୍ଳବ ସମାଜତନ୍ତ୍ରର ପ୍ରତିଷ୍ଠା ଉଦ୍ଦେଶ୍ୟରେ କେବଳ ସୋଭିଏଟ୍ ଇଉନିଅନ ପାଇଁ ରାସ୍ତା ପରିଷ୍କାର କଲାନାହିଁ, ସମଗ୍ର ପୃଥିବୀପାଇଁ ନୂଆ ବାଟର ସନ୍ଧାନ ଦେଲା । ଏହି ବିପ୍ଳବର ପରିଣତି କେବଳ ସୋଭିଏଟ୍ ଇଉନିଅନ ପାଇଁ ନୁହେଁ, କେବଳ ଶୋଷିତମାନଙ୍କପାଇଁ ନୁହେଁ, ଶୋଷକମାନଙ୍କପାଇଁ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇ ଉଠିଲା । ପ୍ରଥମେ ପ୍ରଥମେ ବିଶ୍ୱାସ କରାଯାଇଥିଲା, ସାମାଜତାନ୍ତ୍ରିକ ସମାଜ ତିଷ୍ଠି ପାରିବ ନାହିଁ; ପ୍ରଚାର କରାହୋଇଥିଲା ଏହା ଅବାସ୍ତବ । ଧନତାନ୍ତ୍ରିକ ଓ ସମ୍ରାଜ୍ୟବାଦୀ ରାଷ୍ଟ୍ରଗୁଡ଼ିକ ପ୍ରାଣପଣେ ଚେଷ୍ଟା କରିଥିଲେ ଏହାକୁ ଧ୍ୱଂସ କରିଦେବାପାଇଁ-କେତେବେଳେ ଅର୍ଥନୈତିକ ଅବରୋଧ ମାଧ୍ୟମରେ ତ ଅନ୍ୟ କେତେବେଳେ ଏହା ଉପରେ ଯୁଦ୍ଧର ଭୟାବହତା ଲଦି ଦେଇ । ଯେତେବେଳେ ସୋଭିଏଟ୍ ସମାଜ ଓ ରାଷ୍ଟ୍ର କେବଳ ତିଷ୍ଠି ନାହିଁ, ବରଂ ଶକ୍ତିଶାଳୀ ହେବାକୁ ଆରମ୍ଭ କଲା, ସେତେବେଳେ କୁହାଗଲା ସେଠାରେ ଗଣତନ୍ତ୍ର ନାହିଁ, ବ୍ୟକ୍ତି- ସ୍ୱାଧୀନତା ନାହିଁ । କିନ୍ତୁ ସେହି ଧନତାନ୍ତ୍ରିକ ରାଷ୍ଟ୍ରସମୂହରେ ଯେଉଁ ଗଣତନ୍ତ୍ର ଥିଲା, ବାସ୍ତବତଃ ତାହା ଶୋଷଣ ଉପରେ ପର୍ଯବସିତ । ଉପନିବେଶ ସମୂହର ରକ୍ତ-ପାନରେ ତାହା ଥିଲା ହିଂସ୍ର । ସେମାନେ ଯେଉଁ ବ୍ୟକ୍ତିମାନଙ୍କ ସ୍ୱାଧୀନତାର କଥା ପ୍ରଚାର କରୁଥିଲେ, ସେହି ବ୍ୟକ୍ତିମାନେ ଥିଲେ ସୀମିତ ସଂଖ୍ୟକ । ମୁଖ୍ୟତଃ ସେମାନେ ଥିଲେ ଶୋଷକ । ଏଭଳି ବ୍ୟବସ୍ଥା ସୃଷ୍ଟି କରିଥିଲା ଶୋଷକର ଶୋଷଣପାଇଁ ଅବାଧ ସ୍ୱାଧୀନତା । ସୋଭିଏଟ୍ ଇଉନିଅନର ନବୀନ ଆଲୋକ ପୁଞ୍ଜିବାଦୀ ଦେଶ ସମୂହର ମାନବତା ବିରୋଧୀ ଓ ସାମ୍ରାଜ୍ୟବାଦୀ ଚେହେରାକୁ ସ୍ପଷ୍ଟ କରିଦେଲା । ଧନତାନ୍ତ୍ରିକ ଦେଶର ଦଳିତ ଜନସାଧାରଣଦ୍ୱାରା ଶୋଷଣ-ବିରୋଧୀ ଆନ୍ଦୋଳନ ତଥା ଉପନିବେଶଗୁଡ଼ିକର ମୁକ୍ତିକାମୀ ସଂଗ୍ରାମ ତୀବ୍ର ହୋଇ ଆସିଲା । ପୁଞ୍ଜିବାଦୀଗଣ ଆତଙ୍କର ସହ ଦେଖିଲେ ଯେ ସେମାନଙ୍କର ଶତ୍ରୁ କୌଣସି ଦୂରଦେଶରେ ନାହିଁ, ତାଙ୍କ ନିଜ ଘର ଭିତରେହିଁ ରହିଛି । ଧନତାନ୍ତ୍ରିକ ସମାଜର ଶ୍ରମଜୀବୀ ମଣିଷଗଣ ସଚେତନ ହୋଇ ପଡ଼ିଛନ୍ତି, ସେମାନେ ସଙ୍ଗଠିତ ହୋଇ ପୁରୁଣା ବ୍ୟବସ୍ଥାକୁ ଭାଙ୍ଗିବାପାଇଁ ଆନ୍ଦୋଳନ କରୁଛନ୍ତି । ଫଳରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷବେଳକୁ ଉପନିବେଶବାଦର ଇମାରତ ଭାଙ୍ଗି ପଡ଼ିଲା, ଧନତାନ୍ତ୍ରିକ ସମାଜ କ୍ରମଶଃ ସାମାଜିକ ସାମ୍ୟ ଆଡ଼କୁ ଅଗ୍ରସର ହେଲା । କମ୍ୟୁନିଜମ୍‌ର ଭୟ ହେତୁ ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ ଓ ଫ୍ରାନ୍‌ସ ଆଦି ରାଷ୍ଟ୍ର ଗଣତନ୍ତ୍ରକୁ କଥାରେ କେବଳ ନୁହେଁ, ଅଂଶତଃ କାର୍ଯ୍ୟରେ ପରିଣତ କରିବାପାଇଁ ବାଧ୍ୟହେଲେ । ମାର୍କ୍ସ ଏଙ୍ଗେଲ୍‌ସ ଭବିଷ୍ୟତ ବାଣୀ କରିଥିଲେ ଯେ ଶିଳ୍ପୋନ୍ନତ ଇଂଲଣ୍ଡରେ ପ୍ରଥମେ ହିଁ ଦେଖାଦେବ ସମାଜତାନ୍ତ୍ରିକ ବିପ୍ଳବ । କିନ୍ତୁ ତାହା ହେଲା ନାହିଁ । ଏହାଦ୍ୱାରା ମାର୍କ୍ସବାଦର ଭ୍ରାନ୍ତି ପ୍ରମାଣିତ ହେଲାନାହିଁ କାରଣ ସେଠାରେ ଶାସନ ଓ ଶୋଷଣ ଶ୍ରେଣୀ ଦମନର ନିର୍ବିଚାର ପଥରେ ଅଗ୍ରସର ନ ହୋଇ ଶ୍ରମଜୀବୀ ମଣିଷମାନଙ୍କ ସହ ବୁଝାମଣା କରି ବସିଲେ - ଶୋଷିତ ମଣିଷମାନଙ୍କଠାରୁ ଅପହୃତ ହୋଇଥିବା ଅଧିକାରର ଅନେକାଂଶ ଫେରାଇଦେଲେ । ଫଳରେ ସେଠାରେ ଏକ ନୀରବ ବିପ୍ଳବ ସଙ୍ଗଠିତ ହୋଇଗଲା ।

ଅକ୍ଟୋବର ବିପ୍ଳବ ସମଗ୍ର ବିଶ୍ୱର ଶ୍ରମିକ ଶ୍ରେଣୀକୁ ଦେଇଛି ନୁଆ ସାହସ । ସେମାନଙ୍କ ନ୍ୟାଯ୍ୟ ଦାବି ସମ୍ପର୍କରେ ସେମାନେ ସଚେତନ ହୋଇଛନ୍ତି, ଅନୁଭବ କରିଛନ୍ତି ଯେ ବିଚ୍ଛିନ୍ନଭାବେ ସେମାନେ ଦୁର୍ବଳ ହେଲେ ବି ଶ୍ରମିକ ଶ୍ରେଣୀର ଐକ୍ୟବଦ୍ଧ ଶକ୍ତି ନିକଟରେ ବୁର୍ଜୋୟାର ପରାଜୟ ଅବଶ୍ୟମ୍ଭାବୀ ।

ରୁଷବିପ୍ଳବ ସମାଜ, ରାଷ୍ଟ୍ର, ସଂସ୍କୃତି, ଇତିହାସ, ସାହିତ୍ୟ- ସବୁକିଛିର ବ୍ୟାଖ୍ୟାପାଇଁ ଐତିହାସିକ ବସ୍ତୁବାଦର ପ୍ରଯୋଗ ମୂଲ୍ୟକୁ ଅଗ୍ରାଧିକାର ଦେଲା । ଫଳରେ ଅର୍ଥନୀତି ବିଜ୍ଞାନ, ସମାଜତତ୍ତ୍ୱ, ରାଜନୀତିବିଜ୍ଞାନ, ମାନବମହାବିଦ୍ୟା, ଇତିହାସ ଓ ସାହିତ୍ୟ ଚର୍ଚ୍ଚା- ଏହି ସମସ୍ତ ଶାସ୍ତ୍ର ନିଜ ନିଜର ଧରାବନ୍ଧା ପଥ ପରିତ୍ୟାଗ କରି ନୂଆଦିଗରେ ଗତିକଲା । ଏଗୁଡ଼ିକର ବ୍ୟାଖ୍ୟା ଓ ବିଶ୍ଳେଷଣରେ ଦେଖାଦେଲା ବୈଜ୍ଞାନିକ ବିଚାରବୋଧ ଓ ଅଭୂତପୂର୍ବ ଗଭୀରତା । ବସ୍ତୁବାଦର ଯାନ୍ତ୍ରିକ ଅପପ୍ରୟୋଗ ଅବଶ୍ୟ ବେଳେବେଳେ ଏହି ସମସ୍ତ ଶାସ୍ତ୍ରର ଆଲୋଚନାକୁ ହାସ୍ୟକର ପରିସ୍ଥିତିରେ ଉପନୀତ କରାଇଛି ସତ୍ୟ; ତଥାପି ସମାଜ ବିଜ୍ଞାନ ବ୍ୟାଖ୍ୟାରେ ମାର୍କ୍ସବାଦ ଯେଉଁ ନୂତନ ଦିଗନ୍ତ ସୃଷ୍ଟି କରିଛି, ତାହା ଗୌରବର ବିଷୟ ନିଶ୍ଚୟ ।

।। ଚାରି ।।

ସମାଜତାନ୍ତ୍ରିକ ବିପ୍ଳବ ରୁଷଦେଶରେ କାହିଁକି ପ୍ରଥମେ ଘଟିଲା, ଅନ୍ୟତ୍ର ତାହା ସମ୍ଭବ ହେଲାନାହିଁ; ଏହାର କାରଣ ଅନୁଧାବନ କଲେ ଅକ୍ଟୋବର ବିପ୍ଳବର ତାତ୍ପର୍ଯ୍ୟ ସ୍ପଷ୍ଟ ହୋଇପାରିବ-। ବ୍ରିଟେନରେ ସମାଜତାନ୍ତ୍ରିକ ବିପ୍ଳବ ନଘଟିବାର ପ୍ରଥମ କାରଣ ହେଲା, ତାହାର ସାମ୍ରାଜ୍ୟ ବିପୁଳ ପରିମାଣର ଧନ-ସମ୍ପଦ ସେମାନେ ଉପନିବେଶଗୁଡ଼ିକରୁ ଲୁଣ୍ଠନ କରି ଘରକୁ ଆଣୁଥିଲେ ଯାହାର ସୁଫଳ କୌଣସି ନା କୌଣସି ପ୍ରକାରେ ଶ୍ରମିକ ଶ୍ରେଣୀ ମଧ୍ୟ ଭୋଗ କରୁଥିଲେ । ଫଳରେ ସ୍ୱଳ୍ପ ପରିମାଣରେ ହେଲେ ବି ଶ୍ରମିକ ଶ୍ରେଣୀର ଚରିତ୍ର ଓ ଦୃଷ୍ଟିଭଙ୍ଗୀରେ ସାମ୍ରାଜ୍ୟବାଦର ସ୍ପର୍ଶ ଲାଗିଥିଲା, ସେମାନେ ନିଜର ଶ୍ରେଣୀସ୍ୱାର୍ଥ ସମ୍ପର୍କରେ ସଚେତନ ନ ହୋଇ ଧନିକ ଶ୍ରେଣୀର ସ୍ୱାର୍ଥ ସହ ନିଜର ସ୍ୱାର୍ଥକୁ ଜଡ଼ିତ କରିଦେଇଥିଲେ । ଶୋଷଣ ଓ ଲୁଣ୍ଠନ କରି ନିଜ ଦେଶର ଶ୍ରମିକ ଓ ଜନସାଧାଣଙ୍କୁ ସନ୍ତୁଷ୍ଟ କରିବାପାଇଁ ରୁଷିଆର କୌଣସି ସାମ୍ରାଜ୍ୟ ନଥିଲା । ଏହି ସୁବିଧା ନ ପାଇବା ଫଳରେ ରୁଷିଆର ଶ୍ରମିକବର୍ଗଙ୍କ ଶ୍ରେଣୀଚରିତ୍ର ଦୂଷିତ ହୋଇନଥିଲା । ତେବେ ପ୍ରଶ୍ନ ହୋଇପାରେ, ଭାରତବର୍ଷର ତ କୌଣସି ସାମ୍ରାଜ୍ୟ ନଥିଲା ଓ ଏବେ ମଧ୍ୟ ନାହିଁ । ତେବେ ଏଠାରେ ଏଭଳି ଏକ ବିପ୍ଳବ ଏ ପର୍ଯ୍ୟନ୍ତ ହୋଇନାହିଁ କାହିଁକି ? ଭାରତବର୍ଷର ସମାଜତାନ୍ତ୍ରିକ ବିପ୍ଳବ ନ ଘଟିବାର କାରଣ ହେଲା ଏହାର ଔପନିବେଶିକ ସ୍ଥିତି । ଉପନିବେଶ ବାଦରୁ ମୁକ୍ତିପାଇଁ ପୂର୍ବରୁ ଏଠାର ସବୁ ଆନ୍ଦୋଳନ ଥିଲା ଜାତୀୟବାଦୀ । ଏଠାରେ ଜନସାଧାରଣଙ୍କର ମୁଖ୍ୟ ସଂଗ୍ରାମ ଥିଲା ସାମ୍ରାଜବାଦ ବିରୁଦ୍ଧରେ । ଏହି ଜାତୀୟବାଦୀ ଆନ୍ଦୋଳନର ପୁରୋଭାଗରେ ଔପନିବେଶିକ ବୁର୍ଜୋୟାମାନେ ହିଁ ରହିଥିଲେ ଓ ସେମାନେ ଆପଣାର ଶ୍ରେଣୀସ୍ୱାର୍ଥପାଇଁ ସଂଗ୍ରାମୀ ଜନଗଣଙ୍କୁ ସମାଜତାନ୍ତ୍ରିକ ଚାରିତ୍ର‌୍ୟ ଅର୍ଜନ କରିବାକୁ ବଞ୍ଚିତ କରିବାରେ ସଫଳ ହୋଇଥିଲେ । ଭାରତର ଜାତୀୟତା ମଧ୍ୟବିତ୍ତ ଶ୍ରେଣୀର ମାନସିକତାରେ ଆଚ୍ଛନ୍ନ ଥିଲା ଓ ତା'ର ଅନ୍ତରଶାୟୀ ଥିଲା ଦଲାଲୀ ମନୋଭାବ । ଫଳରେ ଭାରତର ମୁକ୍ତି ଆନ୍ଦୋଳନ ସମାଜତନ୍ତ୍ରୀ ଆନ୍ଦୋଳନର ଈପ୍‌ସିତ ପଥରେ ଅଗ୍ରସର ହୋଇପାରିନଥିଲା । ଭାରତର ମଧ୍ୟବିତ୍ତ ଓ ଉଚ୍ଚବିତ୍ତବର୍ଗ ବହୁଭାବରେ ବ୍ରିଟେନ ଉପରେ ଥିଲେ ନିର୍ଭରଶୀଳ । ସଂସ୍କୃତି କ୍ଷେତ୍ରରେ ଏହି ନିର୍ଭରଶୀଳତା ଥିଲା ଆହୁରି ଗଭୀର । ଇଂରେଜମାନଙ୍କର ଭାଷା, ଶିକ୍ଷା ଓ ସଂସ୍କୃତି ପରାଧୀନ ଭାରତର ବୁର୍ଜୋୟାମାନଙ୍କର ଥିଲା ପରମ ଆଦର୍ଶ । ଚିରସ୍ଥାୟୀ ବନ୍ଦୋବସ୍ତ ଫଳରେ ଇଂରେଜମାନଙ୍କୁ ସବୁଦିନ ସାହାଯ୍ୟକଲା ଭଳି ଏକ ନବ୍ୟ ସାମନ୍ତଶ୍ରେଣୀ ମଧ୍ୟ ଏଠାରେ ଗଢ଼ି ଉଠିଥିଲା । ସାଂସ୍କୃତିକଭାବେ ପରାଧୀନ ଦେଶରେ ବିପ୍ଳବ ସଙ୍ଗଠିତ ହେବା କେତେ କଠିନ, ତାହା ଭାରତବର୍ଷ ଓ ତୃତୀୟ ବିଶ୍ୱର ଅନ୍ୟାନ୍ୟ ଦେଶର ଦୃଷ୍ଟାନ୍ତରୁ ସ୍ପଷ୍ଟ ।

 

ରୁଷଦେଶରେ ବିପ୍ଳବ ଘଟିବାର ଅନ୍ୟ ଏକ କାରଣ ଥିଲା ଏହାର ଜାର ଶାସକମାନେ-। ଜାରଶାସକମାନଙ୍କର ଏକନାୟକତ୍ୱ ନିପୀଡ଼ନ ଥିଲା ଅତ୍ୟନ୍ତ କଠୋର । ଇଂଲଣ୍ଡର ଧୂର୍ତ୍ତ ଉପନିବେଶବାଦୀଗଣ ଭାରତର ଗୋଟିଏ ଗୋଷ୍ଠୀସହ ଯେଭଳି ବୁଝାମଣା କରିପାରିଥିଲେ, ଜାରମାନଙ୍କର ସ୍ୱେରଚାରିତା ଏହି ବୁଝାମଣା ପଥରୁ ସେମାନଙ୍କୁ ବିରତ କରିଥିଲା-। ନିପୀଡ଼ନର ଆଧିକ୍ୟ ଓ କଠୋରତା ସମାଜତାନ୍ତ୍ରିକ ବିପ୍ଳବକୁ କରିଥିଲା ତ୍ୱରାନ୍ୱିତ ଓ ତୀବ୍ର । କିନ୍ତୁ ଏଠାରେ ସ୍ପଷ୍ଟ କରିଦେବା ଆବଶ୍ୟକ ଯେ ଅନେକ କ୍ଷେତ୍ରରେ ନିପୀଡ଼ନ ଓ ଶୋଷଣ ଥିଲେ ମଧ୍ୟ ବିପ୍ଳବ ସମ୍ଭବ ହୁଏ ନାହିଁ । କାରଣ ବିପ୍ଳବ ଘଟିବାପାଇଁ ନିପୀଡ଼ନ ଏକମାତ୍ର ସର୍ତ୍ତ ନୁହେଁ । କୌଣସି ସାର୍ଥକ ବିପ୍ଳବ ସାକାର ହେବାପାଇଁ ଆଉ ଦୁଇଟି ଅପରିହାର୍ଯ୍ୟ ଆବଶ୍ୟକତା ରହିଛି : ସର୍ବୋଦୟ ପରିବର୍ତ୍ତନର କାମନା ଓ ବିପ୍ଳବର ଉଦ୍ୟୋଗ । ଆପାତଃ ଦୃଷ୍ଟିରେ ଏହି ଦୁଇ ଆବଶ୍ୟକତା ଆତ୍ମମୁଖୀ ମନେହେଲେ ହେଁ ବାସ୍ତବତଃ ପ୍ରଥମଟି ବିଷୟମୁଖୀ ଓ ଦ୍ୱିତୀୟଟି ଆତ୍ମମୁଖୀ । କୌଣସି ଦେଶରେ ସର୍ବୋଦୟ ପରିବର୍ତ୍ତନର ଆକାଙ୍‌କ୍ଷା ସାମାଜିକ ସ୍ତରଭେଦରୁ ହିଁ ସମୁଦ୍ଭୂତ ହୋଇଥାଏ । ଏହା ଉପରେ ନିର୍ଭର କରେ ମଣିଷର ସଚେତନତା, ପ୍ରଚଳିତ ମୂଲ୍ୟବୋଧ ପ୍ରତି ତା'ର ବିତୃଷ୍ଣା, ନୂଆ ବ୍ୟବସ୍ଥା ଗଢ଼ିବାପାଇଁ ତାହାର ଅଭିପ୍‌ସା । ଏହି ସାଂସ୍କୃତିକ ପ୍ରସ୍ତୁତି ଛଡ଼ା ବିପ୍ଳବ ସମ୍ଭବ ନୁହେଁ-। କେବଳ ପ୍ରସ୍ତୁତି ଥାଇ ଉଦ୍ୟୋଗ ନଥିଲେ, ବିପ୍ଳବ ଦେଖାଯାଏନା, ଦେଖାଦେଲେ ବି ଭ୍ରୂଣ ଅବସ୍ଥାରେ ତାହା ନଷ୍ଟ ହୋଇଯାଏ । ଏହି ଉଦ୍ୟୋଗ ଅବଶ୍ୟ ଆତ୍ମମୁଖୀ । ବିପ୍ଳବର ଏହି ଉଭୟ ସର୍ତ୍ତର ସମବାୟ ଫଳରେ ଅକ୍ଟୋବର ବିପ୍ଳବ ସଙ୍ଗଠିତ ହୋଇଥିଲା ।

 

ଟଲଷ୍ଟୟଙ୍କ ଉପନ୍ୟାସରୁ ସ୍ପଷ୍ଟତଃ ଜଣାଯାଏ ଯେ ରୁଷିଆରେ ବିପ୍ଳବ-ପୂର୍ବ ଇତିହାସରେ ବିପ୍ଳବର ସର୍ତ୍ତଗୁଡ଼ିକ ଦାନା ବାନ୍ଧିଥିଲା । ଏଠାରେ ସ୍ପଷ୍ଟ କରିଦେବା ଆବଶ୍ୟକ, ଟଲଷ୍ଟୟ ସହିଂସ୍ର ବିପ୍ଳବରେ ବିଶ୍ୱାସ କରୁନଥିଲେ, ସେ ହୃଦୟ-ପରିବର୍ତ୍ତନରେ ଥିଲେ ବିଶ୍ୱାସୀ । ତେବେ ତାଙ୍କ ଦୃଷ୍ଟିରେ ରୁଷରେ ଏକ ବ୍ୟାପକ ସାମାଜିକ-ପରିବର୍ତ୍ତନ ଅପରିହାର୍ଯ୍ୟ ତଥା ଅତ୍ୟାବଶ୍ୟକ ଥିଲା । ସେଥିପାଇଁ ଲେନିନ ଟଲଷ୍ଟୟଙ୍କ ଗଳ୍ପ ଓ ଟଲଷ୍ଟୟଙ୍କ ଉପନ୍ୟାସକୁ କହିଛନ୍ତି ରୁଷ ବିପ୍ଳବର ଦର୍ପଣ । ଟଲଷ୍ଟୟଙ୍କ ଉପନ୍ୟାସରେ ଦେଖାଯାଏ ଯେ ଏକ ପୁରାତନ ସମାଜ ଭାଙ୍ଗି ପଡୁଛି, ଅନ୍ୟଦିଗରେ ନୂଆ ସମାଜ ଗଢ଼ିବାପାଇଁ କେବଳ ଆଗ୍ରହ ନାହିଁ, ଚେଷ୍ଟା ମଧ୍ୟ ଚାଲିଛି । ଏଭଳିକି ନେପୋଲିଅନୀୟ ଯୁଦ୍ଧ ପଟ୍ଟଭୂମିକୁ ଆଶ୍ରୟ କରି ଲେଖାଯାଇଥିବା ‘ଯୁଦ୍ଧ ଓ ଶାନ୍ତି' ଉପନ୍ୟାସର ଶେଷାଂଶରେ ଦେଖାଯାଏ ଯେ ଦେଶବାସୀଙ୍କ ମଧ୍ୟରେ ରାଜନୈତିକ ଚେତନାର ଅଭିବୃଦ୍ଧି ଘଟୁଛି ଓ ଜୀବନର ଅର୍ଥ ଖୋଜି ନୟାନ୍ତ ହେଉଥିବା ଅନ୍ୟତମ ନାୟକ ସେହି ସମୟର ଗୋପନ ରାଜନୈତିକ କର୍ମୀମାନଙ୍କ ସହ ଯୋଗାଯୋଗ ରକ୍ଷା କରିଛି । ଏହି ରାଜନୈତିକ ଚେତନା ସମସାମୟିକ କଳାକୁ ନେଇ ଲେଖାଯାଇଥିବା ଉପନ୍ୟାସ ‘ଆନ୍ନା କାରେନିନା' ରେ ଆହୁରି ବ୍ୟାପକ । ଆଲୋଚ୍ୟ ଉପନ୍ୟାସରେ ଲେଙ୍ଗିନାଙ୍କର ଗୋଟିଏ ଭାଇ ସହିଂସ୍ର ରାଜନୀତିରେ ବିଶ୍ୱାସ କରୁଥିବା ରାଜନୈତିକ କର୍ମୀମାନଙ୍କ ସହ ଯୁକ୍ତ । ଏଠାରେ ଦେଖାଯାଏ ଲୋକମାନଙ୍କ ମୁଖରେ କମ୍ୟୁନିଜମ୍‌ର ଭାଷା, ସୈନ୍ୟବାହିନୀର ଅଫିସରଗଣ ମଧ୍ୟ କମ୍ୟୁନିଜମ୍ ନେଇ ଆଳାପ ଆଲୋଚନାରେ ବ୍ୟସ୍ତ ।

 

‘ଆନ୍ନା କାରେନିନା'ରେ ଟଲଷ୍ଟୟ ଦେଖେଇଛନ୍ତି ବୁର୍ଜୋୟା ବ୍ୟବସ୍ଥା ଭାଙ୍ଗି ପଡୁଛି । ସବୁଠାରୁ ଅନ୍ତରଙ୍ଗ ଓ ନିର୍ଭରଯୋଗ୍ୟ ସମ୍ପର୍କରୂପେ ବିବେଚିତ ପାରିବାରିକ ସମ୍ପର୍କ ମଧ୍ୟ, ବିପର୍ଯ୍ୟୟର ଅତଡ଼ାରେ ଛିଡ଼ା ହୋଇଛି । ସ୍ୱାମୀ-ସ୍ତ୍ରୀର ପରସ୍ପର ପ୍ରତି ଆନୁଗତ୍ୟ ନାହିଁ । ଅବାଧରେ ଚାଲୁଛି ଅବୈଧ ପ୍ରେମ । ପ୍ରାୟତଃ କୌଣସି ପରିବାର ସୁଖୀ ନୁହେଁ ।

 

କିନ୍ତୁ ଏମାନଙ୍କ ସଂସ୍କୃତିର ସ୍ତର ବେଶ୍ ଉଚ୍ଚ । ରାଜଧାନୀ ସେଣ୍ଟ ପିଟ୍‌ସବର୍ଗ ଇଉରୋପର ହିଁ ଅଂଶ । ଆନ୍ନାକୁ ଦେଖି ଜଣାଯାଏ ବ୍ୟକ୍ତିଗତ ଉତ୍କର୍ଷ ଓ ଆତ୍ମମର୍ଯ୍ୟାଦାବୋଧ କେତେ ଉପରେ ଅଛି । ଆନ୍ନା ଇଂରେଜୀରେ ଉପନ୍ୟାସ ପଢ଼େ, ଫରାସୀ ଭାଷାରେ କଥାବାର୍ତ୍ତା କରେ । ସେ ବହି ଲେଖେ, ଘୋଡ଼ା ଚଢ଼େ, ଆଧୁନିକ ଜ୍ଞାନ-ବିଜ୍ଞାନର ସବୁ ଖବର ରଖେ । ତା'ର ବ୍ୟକ୍ତିଗତ ଆଚରଣ ସଞ୍ଜତ, ମାର୍ଜିତ ଓ ସଂଭ୍ରାନ୍ତ । କିନ୍ତୁ ଆନ୍ନା ସୁଖୀ ନୁହେଁ । ତା'ର ସ୍ୱାମୀ ଓ ପ୍ରେମିକ ତାକୁ ସୁଖ ଦେବାରେ ଅସମର୍ଥ । ସ୍ୱାମୀ ଜଣେ ଖୁବ୍ ବଡ଼ ଅମଲା । ପ୍ରେମିକ ଅତ୍ୟନ୍ତ ଧନୀ ସାମରିକ ଅଫିସର । ଦୁଇଜଣଙ୍କ ସଙ୍ଗରେ ରହିଛି ଆନ୍ନାର ସମ୍ପର୍କ, କିନ୍ତୁ କେହି ତାକୁ ଦେଇପାରି ନାହାନ୍ତି ଜୀବନର ଚରିତାର୍ଥତା । ତା'ର ଯେଭଳି ଘର ନାହିଁ- ସେ ମୂଳୋତ୍ପାଟିତ, ଛିନ୍ନମୂଳ । ଆନ୍ନାର ସ୍ୱାମୀ ଅତି ପ୍ରଭାବଶାଳୀ, ଅଥଚ ସେ ଆନ୍ନାକୁ ଘରେ ରଖିପାରୁନାହିଁ ? କେତେବେଳେ ସେ କୁକୁର ଓ ଅନ୍ୟ କେତେବେଳେ ପତଙ୍ଗ ହୋଇ ଯାଉଛି । ଆନ୍ନା ଶେଷରେ ଆତ୍ମହତ୍ୟା କରିଛି ଟ୍ରେନ୍‌ତଳେ । ତାହା ବାସ୍ତବତଃ ଟ୍ରେନ୍ ତଳ ନୁହେଁ, ସମାଜର ଯାନ୍ତ୍ରିକ ଓ ହୃଦୟହୀନ ଚକ । ଏହା ଧ୍ୱଂସର ଛବି । ବ୍ୟବସ୍ଥା ଭିତରେ ହିଁ ଅବ୍ୟବସ୍ଥା ବିଦ୍ୟମାନ । ଏହାର ପାଖେପାଖେ ନୂତନ ଜୀବନ ଓ ବ୍ୟବସ୍ଥାର ଅନୁସନ୍ଧାନ ଚାଲିଛି । ସଂସ୍କାରର କଥା ସମସ୍ତଙ୍କ ମୁଖରେ ଶୁଣାଯାଏ । ଏଭଳିକି ଆନ୍ନାର ସ୍ୱାମୀଙ୍କ ମୁଖରେ ସଂସ୍କାର ସପକ୍ଷରେ ଓକିଲାତି ଦୁର୍ଲଭ ନୁହେଁ । ବୁଦ୍ଧିଜୀବୀଗଣ ବହିରେ ଲେଖା ଯାଇଥିବା ଏସବୁ ତତ୍ତ୍ୱକୁ ନେଇ ତର୍କବିତର୍କ କରୁଛନ୍ତି, ବହି ଲେଖୁଛନ୍ତି । ନୂଆ ସଂସଦ ଗଠିତ ହେଉଛି । ଆଉ ଟଲଷ୍ଟୟଙ୍କ ମୁଖପାତ୍ର ଲେଭିନ୍ କୃଷିରେ ଶ୍ରମର ଭୂମିକାକୁ ମୁଖ୍ୟଭାବେ ପ୍ରତିପାଦନ କରି ବହି ଲେଖୁଛନ୍ତି । ତାଙ୍କ ମତରେ ସବୁଠାରୁ ବେଶୀ ମୂଲ୍ୟବାନ ହେଉଛି ଶ୍ରମ । କୃଷିରେ ତାଙ୍କର ଆସ୍ଥା । ଲେଭିନ୍ ଲେନିନ ନୁହନ୍ତି । ତେବେ ବୁର୍ଜୋୟା ଉଦାରନୀତିର ସେ ଘୋର ବିରୋଧୀ । ତେବେ ତାଙ୍କର ଦୃଷ୍ଟିଭଙ୍ଗୀ ପିତୃତାନ୍ତ୍ରିକ ବଡ଼ କୃଷକର- ସେ ଏଠାରେ ମଧ୍ୟ ସ୍ୱୟଂ ଟଲଷ୍ଟୟଙ୍କ ମୁଖପାତ୍ର । ଉଦାରନୀତିର ସୀମିତତା ଟଲଷ୍ଟୟ ଅତ୍ୟନ୍ତ ପରିଷ୍କାରଭାବେ ଦେଖେଇଛନ୍ତି । ଉଦାରନୀତିର ଭିତ୍ତି ହେଉଛି ସଂସ୍କାର । ରୁଷ ଦେଶରେ ଯାହା ଦରକାର ଥିଲା, ତାହା ସଂସ୍କାର ନୁହେଁ ବିପ୍ଳବ । ସେ ବିପ୍ଳବ କେଉଁ ପଥରେ ପରିଚାଳିତ ହେବ, ତାହା ହିଁ ଥିଲା ପ୍ରଶ୍ନ । ଧ୍ୱଂସ ଓ ବଂଧାତ୍ୱରୁ ମୁକ୍ତିର ପଥ କାହିଁ ? ରୁଷିଆର ସହର ଓ ଗ୍ରାମ, ସବୁଆଡ଼େ ଚାଲିଛି ସେଇ ପଥର ବ୍ୟାପକ ଅନୁସନ୍ଧାନ ।

 

ଟଲଷ୍ଟୟଙ୍କ ଶେଷଜୀବନର ଉପନ୍ୟାସ ‘ପୁନରୁତ୍ଥାନ' । ସେହି ଉପନ୍ୟାସରେ ରାଜନୀତି-ପ୍ରସଙ୍ଗ ଆହୁରି ବେଶୀ ପ୍ରତ୍ୟକ୍ଷ, ଆହୁରି ବେଶୀ ବିସ୍ତୃତ । ନାୟିକା କାଟୁସା ଯେଭଳି ସମଗ୍ର ଋଷିଆର ପ୍ରତୀକ । ସେ ଲାଞ୍ଛିତା । ଦାସୀ ଥିଲା, ବେଶ୍ୟା ହୋଇଛି ଓ ଶେଷରେ ଜେଲର କଏଦୀ । ତା'ର ଏହି ଦୁର୍ଭୋଗପାଇଁ କିଏ ଦାୟୀ ? ଦାୟୀ ନେଖଲଦଏଭଗଣ । ନେଖଲଦଏଭ ‘ଯୁବରାଜ' । ସେ ହିଁ ନଷ୍ଟ କରିଥିଲେ କାଟୁସାକୁ । ଏବେ ହୃଦୟ ପରିବର୍ତ୍ତନ ହେତୁ ତାକୁ ବିବାହ କରିବାକୁ ଚାହେଁ । ପ୍ରସ୍ତାବ ଶୁଣି କାଟୁସା ଆପ୍ଳୁତ ଓ ଅଭିଭୂତ ହୋଇ ପଡ଼େନାହିଁ । ସେ ନେଖଲଦଏଭ ପ୍ରସ୍ତାବକୁ ସିଧାସଳଖ ପ୍ରତ୍ୟାଖ୍ୟାନ କଲା । କାରଣ, ଋଷିଆର ଭବିଷ୍ୟତ ନେଖଲଦେଭମାନଙ୍କ ହାତରେ ଆଉ ନାହିଁ । ଏହି ‘ରାଜପୁତ୍ର' ଶ୍ରେଣୀଚ୍ୟୁତ ହେବାକୁ ପ୍ରସ୍ତୁତ; ବିଷୟ ସମ୍ପତ୍ତିକୁ ମଧ୍ୟ ହତାଦର ଓ ବାସ୍ତବତଃ ନଷ୍ଟ କରି ଦେଇଛି । ଏବେ ତା'ର ଏକମାତ୍ର ଆକାଙ୍‌କ୍ଷା, ହତଭାଗିନୀ କାଟୁସା ସହ ମିଳିତ ହୋଇ ଜୀବନର ଆରମ୍ଭ କରିବା, କିନ୍ତୁ କାଟୁସା ଆଉ ତାକୁ ଗ୍ରହଣ କରିବ ନାହିଁ, କାଟୁସା ଜୀବନରେ ନେଖଲଦୁଏଭର ଆଉ ଆବଶ୍ୟକତା ନାହିଁ । ‘ଆନ୍ନା କାରେନିନା' ରେ ଟଲଷ୍ଟୟ ଦେଖେଇଛନ୍ତି ପରିବାରର ବିପର୍ଯ୍ୟୟ । ‘ପୁନରୁତ୍ଥାନ'ରେ ଦେଖେଇଛନ୍ତି ପରିବାରର ଅପ୍ରାସଙ୍ଗିକତା । ସାଇବେରିଆର କାରାଗାରରେ ଏବେ ନୂଆ’ଅପରାଧୀ ମାନଙ୍କର' ଭିଡ଼ । ଏମାନେ ରାଜନୈତିକ କର୍ମୀ-ବିପ୍ଳବୀ । ଏମାନଙ୍କ ମଧ୍ୟରୁ ଜଣେ ସେମିନସନ । ମଧ୍ୟବିତ୍ତ ଶ୍ରେଣୀରୁ ସେ ଆସିଛନ୍ତି । ବାପା ତାଙ୍କର ଥିଲେ ଜଣେ ସରକାରୀ କର୍ମଚାରୀ । ସେ ପେସାରେ ଥିଲେ ଶିକ୍ଷକ, କିନ୍ତୁ ପ୍ରକୃତରେ ବିପ୍ଳବୀ । ସେଇଥିପାଇଁ ଏବେ ସେ ବନ୍ଦୀ । ରୁଷିଆର ଭବିଷ୍ୟତ ଆଉ ତଥାକଥିତ ଯୁବରାଜଙ୍କ ହାତରେ ନାହିଁ, ଭବିଷ୍ୟତ ଏବେ ବିପ୍ଳବୀମାନଙ୍କ ହାତରେ । ସେଇଥିପାଇଁ କାଟୁସା ସେମିନସନ୍‌ଙ୍କୁ ହିଁ ବିବାହ କରିବ । ଏହି ବିପ୍ଳବୀଗଣ ହିଁ ନବଜୀବନର ଖସଡ଼ା ପ୍ରସ୍ତୁତି କରିବେ । ଟଲଷ୍ଟୟ ଯେଭଳି ଏହି ଦୃଶ୍ୟ ସ୍ପଷ୍ଟ ଦେଖିଛନ୍ତି । ୧୮୯୯ ମସିହାରେ ନିଜର ଡାଏରୀରେ ସେ ଲେଖିଛନ୍ତି : ‘ଗୋଟିଏ ଅର୍ଥନୈତିକ ବିପ୍ଳବ କେବଳ ସମ୍ଭବ ନୁହେଁ, ତାହା ଅନିବାର୍ଯ୍ୟ । ବିସ୍ମୟର କଥା ବିପ୍ଳବ ଏ ପର୍ଯ୍ୟନ୍ତ ଘଟିନାହିଁ ।’ ଗତିମୁଖରତାକୁ ଦେଖିପାରୁଥିବାରୁ ହିଁ ତ ଟଲଷ୍ଟୟ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଶିଳ୍ପୀ । ତାଙ୍କର ସମୟ ଅକ୍ଟୋବର ବିପ୍ଳବପାଇଁ ପ୍ରସ୍ତୁତ ହେଉଥିଲା । ତାଙ୍କ ରଚିତ ବିଭିନ୍ନ ଉପନ୍ୟାସରେ ରହିଛି ସେହି ପ୍ରସ୍ତୁତିର ଇସାରା ।

 

ସମାଜତାନ୍ତ୍ରିକ ବିପ୍ଳବପାଇଁ ଏକ ସାଂସ୍କୃତିକ ପ୍ରସ୍ତୁତି ଯେ ଅତ୍ୟାବଶ୍ୟକ, ଅକ୍ଟୋବର ବିପ୍ଳବର ସାଂସ୍କୃତିକ ପ୍ରେକ୍ଷାପଟ ଏହି ବାସ୍ତବତାକୁ ଉନ୍ମୋଚିତ କଲା । ବିପ୍ଳବର ପୂର୍ବରୁ ବିପ୍ଳବୀଗଣ ରାଜନୀତିରେ ଶିକ୍ଷିତ । ଲେନିନ ସେଇ ପ୍ରସ୍ତୁତିର ଅତ୍ୟୁଜ୍ଜ୍ୱଳ, ମୁଖପାତ୍ର । ଆଉ ଏହି ଅତ୍ୟାବଶ୍ୟକୀୟ ଶିକ୍ଷା ଅଭାବରୁ ଆମ ଦେଶରେ ସମାଜତାନ୍ତ୍ରିକ ବିପ୍ଳବ ଆଜି ମଧ୍ୟ ସମ୍ଭବପର ହୋଇନାହିଁ । ବଙ୍ଗଳାର କବି ନଜରୁଲ ଇସ୍‌ଲାମ ରୁଷ ବିପ୍ଳବଦ୍ୱାରା ପ୍ରଭାବିତ ହୋଇଥିଲେ, ତାଙ୍କର ଚେତନା ଥିଲା ବିପ୍ଳବୀ କିନ୍ତୁ ସ୍ୱଭାବତଃ ସାମନ୍ତବାଦୀ ମନନ ଓ ଅଧ୍ୟାସରୁ ସେ ମୁକ୍ତ ନଥିଲେ । ଶେଷରେ ତାଙ୍କ କ୍ଷେତ୍ରରେ ବିପ୍ଳବୀ ଚେତନା ପରାଭୂତ ହେଲା । ପରାଭୂତ ନହୋଇ ମଧ୍ୟ ଉପାୟାନ୍ତର ନଥିଲା । ପ୍ରାୟତଃ ସମାନ ଘଟଣା ଘଟିଥିଲା ଓଡ଼ିଶାର ପ୍ରଗତିବାଦୀ ସାହିତ୍ୟ ସ୍ରଷ୍ଟାଙ୍କ କ୍ଷେତ୍ରରେ । କାରଣ ବ୍ୟକ୍ତି ଯେତେ ଶକ୍ତିଶାଳୀ ହେଉନା କାହିଁକି, ଏକୁଟିଆ ଛିଡ଼ା ହେବା ତା'ପକ୍ଷେ କଠିନ । ଛିଡ଼ା ହେଲେ ବି ସମୟକ୍ରମେ ସମସ୍ଥିତିରେ ଛିଡ଼ା ହୋଇ ରହିବା ତା’ପାଇଁ ଅସମ୍ଭବ ହୋଇପଡ଼େ । ନଜରୁଲ ଇସଲାମ ବା ଓଡ଼ିଶାର ପ୍ରଗତିଶୀଳ ସାହିତ୍ୟ ସ୍ରଷ୍ଟାମାନେ ବିପ୍ଳବର ଅନୁକୂଳ ବାତାବରଣ ପାଇଲେ ନାହିଁ । ବାମପନ୍ଥୀ ଆନ୍ଦୋଳନ ଶକ୍ତିଶାଳୀ ହୋଇଥିଲେ ସେମାନଙ୍କର ସ୍ୱର ଦୃଢ଼ ଓ ପ୍ରତ୍ୟୟ ପ୍ରତିବଦ୍ଧ ହେବା ସମ୍ଭବ ହୋଇଥାନ୍ତା । କିନ୍ତୁ ଅନୁକୂଳ ପରିବେଶ ଅଭାବରୁ ସଚ୍ଚି ରାଉତରାୟ ଅନନ୍ତ ପଟ୍ଟନାୟକ, ରଘୁନାଥ ଦାସ ଓ ରବି ସିଂ ପ୍ରମୁଖଙ୍କ କବିତା ଯେଭଳି ହୋଇପଡ଼ିଛି ରବ ପ୍ରଧାନ, ସେହିଭଳି ଭଗବତୀ, ରାମପ୍ରସାଦ ପ୍ରମୁଖଙ୍କ କଥାସାହିତ୍ୟ ଗଭୀରତା ବିସ୍ତାର, ଉଭୟରୁ ହୋଇଛି ବଞ୍ଚିତ । ବାମପନ୍ଥୀ ବୁଦ୍ଧିଜୀବୀ ଗୁରୁଚରଣ ପଟ୍ଟନାୟକ ଲେଖିଛନ୍ତି ‘ଜଗତ ଦର୍ଶନରେ ଜଗନ୍ନାଥ' ଭଳି ପୁସ୍ତକ ।

 

ରୁଷ ବିପ୍ଳବ ପୁଞ୍ଜି ଉପରେ ଶ୍ରମର ବିଜୟ ଘୋଷଣା କରଥିଲା । ଉତ୍ପାଦନ-ପ୍ରକ୍ରିୟାକୁ ଅଧିକ ବିକଶିତ କରିବାର କ୍ଷମତା ପୁଞ୍ଜିବାଦୀ ବ୍ୟବସ୍ଥା ପ୍ରାୟତଃ ହରେଇ ବସିଥିଲା । ସବୁଆଡ଼େ ଦେଖାଦେଇଥିଲା ବଂଧ୍ୟାତ୍ୱ । ବଂଧ୍ୟାତ୍ୱ ଓ ବନ୍ଦୀତ୍ୱରୁ ଉତ୍ପାଦନ ବ୍ୟବସ୍ଥାକୁ ମୁକ୍ତ କରି ସମାଜତାନ୍ତ୍ରିକ ବିପ୍ଳବ ତାହାପାଇଁ ସୃଷ୍ଟିଶୀଳତାର ନୂତନ ଦ୍ୱାରର ଉନ୍ମୁକ୍ତ କରିଥିଲା । ପୁଞ୍ଜିବାଦୀ ଦେଶର ପୁଞ୍ଜିବାଦ ମଧ୍ୟ ଆଗଭଳି ରହିଲା ନାହିଁ । ଅପରଦିଗରେ, ମଣିଷ ମଣିଷ ଭିତରେ ପୁଞ୍ଜିବାଦ ସୃଷ୍ଟି କରୁଥିବା ବିଛିନ୍ନତା ଅବସାନ କରିବାର ପଥ ଏହି ବିପ୍ଳବ ଉନ୍ମୁକ୍ତ କରିଛି । ଉନ୍ନତି କହିଲେ କେବଳ ଉତ୍ପାଦନ ବୃଦ୍ଧିକୁ ବୁଝାଏ ନାହିଁ, ବିତରଣର ପ୍ରଶ୍ନ ମଧ୍ୟ ସମାନଭାବରେ ଗୁରୁତ୍ୱପୂର୍ଣ୍ଣ । ବିକାଶ କ୍ଷେତ୍ରରେ ପରିବର୍ତ୍ତନଶୀଳ ହେଲେବି, ନୈତିକ ପ୍ରଶ୍ନ ମଧ୍ୟ ଆଦୌ ଉପେକ୍ଷଣୀୟ ନୁହେଁ । ଇହଜାଗତିକ ସମସ୍ୟାର ଆଧ୍ୟାତ୍ମିକ ସମାଧାନ ଜନିତ ପ୍ରହସନକୁ ଓ ଭାବବାଦିତାର ଆପାତଃ-ସନ୍ତୁଷ୍ଟ ଛଳନାକୁ ରୁଷ ବିପ୍ଳବ ବଡ଼ ନିର୍ମମ ଭାବରେ ଉଦ୍‌ଘାଟିତ କରିଥିଲା - ଯାହା ଏବେବି ଅତ୍ୟନ୍ତ ପ୍ରାସଙ୍ଗିକ ।

 

ଇଟାଲୀର ପଞ୍ଚଦଶ ଶତାବ୍ଦୀରେ ଦେଖା ଯାଇଥିବା ସାଂସ୍କୃତିକ ପୁନର୍ଜନ୍ମ ବା ରେନେସାଁସ୍ ସମଗ୍ର ଇଉରୋପକୁ ଆଲୋକିତ କରିଥିଲା । ରୁଷ ବିପ୍ଳବ ଏକ ନୂତନ ଓ ବ୍ୟାପକ ରୂପାନ୍ତରର ପରବର୍ତ୍ତୀ ପଦକ୍ଷେପ । ରେନେସାଁସ ମଣିଷକୁ ସମସ୍ତ ବିଷୟରେ କରିଥିଲା କେନ୍ଦ୍ରାଭିଷିକ୍ତ । ରୁଷ ବିପ୍ଳବ ମାନବତାବାଦକୁ ମୁକ୍ତ କରିଥିଲା ପୁଞ୍ଜିର କଠିନ ଓ ପ୍ରାୟତଃ ଦୁଶ୍ଚେଦ୍ୟ ବନ୍ଧନରୁ । ଏକଦା ଈଶ୍ୱର ମଣିଷଠାରୁ ବଡ଼ ହୋଇ ଉଠିଥିଲା, ସେଥିପାଇଁ ପ୍ରୟୋଜନ ହୋଇଥିଲା ରେନେସାଁସର । ପରେ ପୁଞ୍ଜି ବଡ଼ ହୋଇ ଉଠିଥିଲା ମଣିଷଠାରୁ, ସେଥିପାଇଁ ପ୍ରୟୋଜନ ହୋଇଛି ଅକ୍ଟୋବର ବିପ୍ଳବର । ଇଟାଲୀୟ ରେନେସାଁସ ସବୁଦିଗରୁ ପୂର୍ଣ୍ଣାଙ୍ଗ ନଥଲା । ରୁଷ ବିପ୍ଳବ ମଧ୍ୟ ନୁହେଁ । ତେବେ ମଣିଷର ବିକାଶ କ୍ଷେତ୍ରରେ ଉଭୟ ନୂଆ ସରଣୀ ପ୍ରସ୍ତୁତ କରିଛି, ଏଥିରେ ସନ୍ଦେହ ନାହିଁ । ମଣିଷ ତା'ନିଜ ଭାଗ୍ୟର ସ୍ରଷ୍ଟା ଓ ତା'ର ସୃଷ୍ଟିଶୀଳତା ଅପରିସୀମ - ଏହି ତତ୍ତ୍ୱର ବସ୍ତୁଗତ ରୂପାୟନ ଦୃଷ୍ଟିରୁ ଅକ୍ଟୋବର ବିପ୍ଳବର ଗୁରୁତ୍ୱ ଅସୀମ ।

•••

 

Unknown

ଜୀବନ ବିଦ୍ୟାଳୟ

ଡକ୍ଟର ଅରବିନ୍ଦ ଗିରି

 

ଜୀବନ ଓ ବିଦ୍ୟାଳୟ ଦୁଇଟି ଭିନ୍ନ ଅର୍ଥରେ ଗ୍ରହଣ କରାଯାଏ । ଜୀବନ କହିଲେ ଜୀଇଁଥିବା ବା ଜୀବନ ଶକ୍ତିଥିବା ବା ବଞ୍ଚିଥିବା ଜୀବ ଜଗତ ଓ ଭଦ୍ଭିଦ ଜଗତକୁ ବୁଝାଏ । ଆଉ ଟିକିଏ ସହଜ ଭାବରେ ବୁଝିବାକୁ ହେଲେ ମନୁଷ୍ୟ, ପଶୁପକ୍ଷୀ, କୀଟ ପତଙ୍ଗ, ଜଳଚର ଜୀବଜନ୍ତୁ ତଥା ବୃକ୍ଷଲତା, ଜଳ, ଦୂବ, ଶିଉଳି ଆଦି ଉଦ୍ଭିଦକୁ ଆମେ ଗ୍ରହଣ କରିପାରିବୁ । ମାତ୍ର ବିଦ୍ୟାଳୟ କହିଲେ, ଶିକ୍ଷାୟତନ ବା ଜ୍ଞାନ ଚର୍ଚ୍ଚା ବା ବିଦ୍ୟା ଆହରଣର ପୀଠକୁ ବୁଝାଏ । ଶିଶୁମାନସକୁ ବୁଝିଲାଭଳି ତାକୁ ସ୍କୁଲ, ବିଦ୍ୟାଳୟ ବା ଜ୍ଞାନମନ୍ଦିରବୋଲି କୁହାଯାଏ । ଏହି ଜ୍ଞାନମନ୍ଦିରର ଆରାଧ୍ୟା ଦେବୀ ହେଉଛନ୍ତି ବାଗ୍‌ଦେବୀ-ସରସ୍ୱତୀ ଏବଂ ଆରାଧ୍ୟ ଦେବତା ହେଉଛନ୍ତି ଅଗ୍ରଦେବତା ବିଘ୍ନ-ନାଶକ ଗଣେଶ । ଶିକ୍ଷାନୁଷ୍ଠାନର ଉଭୟ ଛାତ୍ର, ଓ ଶକ୍ଷକ ତାଙ୍କରି ପୂଜାର୍ଚ୍ଚନା, ଉପାସନା କରିଥାନ୍ତି ଜ୍ଞାନ ଆହରଣପାଇଁ । ଛାତ୍ର ଆହରଣ କରେ ଠିକ୍ ମହୁମାଛି ସୁନ୍ଦର ମହୁଫେଣା ନିର୍ମାଣ କରିଥାଏ ସମାଜ ଜୀବନର ମଙ୍ଗଳପାଇଁ । ଛାତ୍ର ଠିକ୍ ସେହି ଭଳି ବିବିଧ ଜ୍ଞାନ-ପୁଷ୍ପରୁ ଜ୍ଞାନ ଆହାରଣ କରି ଯେଉଁ ଜ୍ଞାନକୋଷ ନିର୍ମାଣ କରେ ତାହା ମଧ୍ୟ ସମାଜ, ଜାତି ଓ ରାଷ୍ଟ୍ରର ମଙ୍ଗଳକର କାର୍ଯ୍ୟରେ ବିନିଯୋଗ କରିବାପାଇଁ । ଶିକ୍ଷାୟତନର ଶିକ୍ଷକ, ଅଧ୍ୟାପକ, ଗୁରୁକୁଳ ରାଣୀ ମହୁମାଛି ଭଳି ଜୀବନର ବହୁ ଅଭିଜ୍ଞତା ଓ ଅନୁଭୂତିକୁ ପାଥେୟ କରି ଯେଉଁ ଜ୍ଞାନାର୍ଜନ କରିଥାଏ, ତାକୁ ତା'ର ଛାତ୍ର ସମାଜକୁ ଗଠନ କରିବା କ୍ଷେତ୍ରରେ ବିନିଯୋଗ କରେ । ଅତଏବ୍ ଶିକ୍ଷାୟତନର ଗୁରୁ ବା ଶିକ୍ଷକ ସର୍ବଦା ଦୁଇଟି ‘କା' ଗ୍ରହଣ କରିଥାଏ । ପ୍ରଥମେ ସେ ଛାତ୍ରଭଳି ଜ୍ଞାନ ଆହରଣ କରେ ଏବଂ ଦ୍ୱିତୀୟରେ ସେ ବିଦ୍ୟାଦାନ କରିଥାଏ । ଏହି ଜ୍ଞାନ ଆହରଣ ତା'ର ଜୀବନବ୍ୟାପୀ । ଏହି ଦୃଷ୍ଟିରୁ ପ୍ରତ୍ୟେକ ଶିକ୍ଷକ ବା ଗୁରୁ ବା ଗୁରୁତୁଲ୍ୟ ଜ୍ଞାନ ଆହରଣ ପିପାସୁ ମଣିଷ ଜୀବନ ସାରା ଛାତ୍ର ହୋଇ ରହିଥାନ୍ତି । ନିଜର କର୍ମ ସଂସ୍କାର ସହିତ ସମାଜର ହିତ ସାଧନ ଉଦ୍ଦେଶ୍ୟରେ ସେ ଗୁରୁ ବା ଶିକ୍ଷକର ଭୂମିକା ନେଇ ଶିକ୍ଷାଦାନ ଦେବାକୁ ପବିତ୍ର କର୍ମ ଭାବରେ କର୍ତ୍ତବ୍ୟ ଜ୍ଞାନରେ ଗ୍ରହଣ କରିନିଏ । ଏଥିରୁ ସେ ପାଏ ପରମ ଆନନ୍ଦ ଏବଂ ଚରମ ଆତ୍ମତୃପ୍ତି । ଏ ଗଲା ଜୀବନ ଓ ବିଦ୍ୟାଳୟର ପ୍ରାଥମିକ କଥା ।

ମାତ୍ର ‘ଜୀବନ ବିଦ୍ୟାଳୟ' କହିଲେ ଏହା ଭିନ୍ନ ଅର୍ଥରେ ବୁଝାଯାଏ । ଜୀବନ ରୂପକ ବିଦ୍ୟାଳୟ, ଯେଉଁଠି ବିଦ୍ୟା ଆହରଣ କରାଯାଏ ଏବଂ ବିଦ୍ୟା ଦାନ ଧର୍ମ କରାଯାଏ । ଜୀବନର ଅନ୍ତିମ ଅବସର ପର୍ଯ୍ୟନ୍ତ ଏହି ବିଦ୍ୟାଳୟର ଦ୍ୱାର ଉନ୍‌ମୁକ୍ତ ଥାଏ ଏବଂ ଜ୍ଞାନ ଚର୍ଚ୍ଚା ଚାଲିଥାଏ । ଏହି ବିଦ୍ୟାଳୟର ଶିକ୍ଷକ ବା ଗୁରୁ ହେଉଛନ୍ତି ବିବେକ ଏବଂ ଛାତ୍ର ହେଉଛି ମନ । ବିଦ୍ୟାଳୟରେ ଗୁରୁ ଯେପରି ଛାତ୍ରର ଭୁଲ ତ୍ରୁଟିପାଇଁ ତାକୁ ସଚେତନ ଓ ସଜାଗ କରିଥାନ୍ତି, ଠିକ୍ ସେହିଭଳି ବିବେକ ଚପଳମତି ମନକୁ ଅହରହ ସଜାଗ ଓ ସତର୍କ କରିଥାନ୍ତି । ଅମାନିଆ ଛାତ୍ର ଭଳି ଯେଉଁଠି ମନ ବିବେକର ବିଚାରବୋଧକୁ ଗ୍ରହଣ କରେ ନାହିଁ, ସେ କ୍ଷେତ୍ରରେ ଛାତ୍ରଟି ବିଶୃଙ୍ଖଳିତ ହୋଇ ନିଜର ସ୍ୱପ୍ନ ସମ୍ଭାର ଜୀବନ ସୌଧକୁ ଉପଯୁକ୍ତ ଭାବରେ ନିର୍ମାଣ ନକରିପାରି ନଷ୍ଟଭ୍ରଷ୍ଟ ହୋଇଯାଏ-। ସାମୟିକ ଆନନ୍ଦ ଓ ସାଙ୍ଗସାଥୀ ମାନଙ୍କ ମଉଜ ମଜଲିସ୍ ମାଦକଦ୍ରବ୍ୟ ସେବନ ଆଦି କୁଅଭ୍ୟାସର ବଶବର୍ତ୍ତୀ ହୋଇ ସେ ତା'ର ଅମୂଲ୍ୟ ଜୀବନକୁ ନଷ୍ଟ କରି ପକାଏ । ଏହାଦ୍ୱାରା ତା'ର ପିତାମାତା, ପରିବାର ପରିଜନ ଅଶେଷ ଦୁଃଖ ପାଇଥାନ୍ତି । କେବଳ ସେତିକି ନୁହେଁ, ତା'ପାଇଁ ଘରେ ସର୍ବଦା ଲାଗି ରହିଥିବା ଅଶାନ୍ତି ପରିବାରର ସୁସ୍ଥ ଚେତନା ନଷ୍ଟ କରିଦିଏ । ସେଥିପାଇଁ ଆଜିର ଶିକ୍ଷାନୁଷ୍ଠାନର ଭଲ ଛାତ୍ରଟିର ଅଭାବ ଯେଭଳି ଅନୁଭବ କରାଯାଏ, ଖରାପ ବା ବିପଥଗାମୀ ଛାତ୍ରମାନଙ୍କୁ ସେଭଳି ବେଶ୍ ବାରି ହୁଏ । ଆଜିର ସାମାଜିକ ଜୀବନ ଧାରାରେ ପାଶ୍ଚାତ୍ୟ ସଭ୍ୟତାର ଅପସଂସ୍କୃତି ତୁଲ୍ୟ ପ୍ରଜ୍ଜ୍ୱଳିତ ଅଗ୍ନିଶିଖା ଆଡ଼କୁ ପତଙ୍ଗ ସଦୃଶ ଶିଶୁମାନସ ଆକୃଷ୍ଟ ହୋଇ ଚାଲିଛି । ଆଜିର ଗଣମାଧ୍ୟମ ଏ ସବୁର ଏକ ବଳିଷ୍ଠ ମାଧ୍ୟମ ହୋଇ ଉଠିଛି । ଫଳରେ ସାମାଜିକ ମୂଲ୍ୟବୋଧର ଦ୍ରୁତ ଅବକ୍ଷୟ ଘଟୁଛି । ସେଥିରୁ ମୁକୁଳିବା ଏଡ଼େ ସହଜ କଥା ନୁହେଁ ।

‘ଜୀବନ ବିଦ୍ୟାଳୟ'ର ପ୍ରତ୍ୟେକ ମଣିଷ ଜଣେ ଜଣେ ସଚେତନ ପ୍ରହରୀ । ବିଦ୍ୟାଳୟରେ ଜ୍ଞାନ ଆହରଣ ପ୍ରତ୍ୟେକଟି ସମୟ ସୋପାନରେ ଘଣ୍ଟା ବାଜିଲା ଭଳି ବିବେକ ପ୍ରତିଟି ମୁହୂର୍ତ୍ତରେ ମଣିଷର ମନକୁ ସଜାଗ ଓ ସତର୍କ କରିଥାଏ । ବିଦ୍ୟାଳୟର ଏକ ସୁନ୍ଦର ପରିବେଶ, ନିର୍ମଳ ଭାବନା, ଭଗବତ୍ ଉପାସନା, ଗଭୀର ଆତ୍ମବିଶ୍ୱାସ, ଏକନିଷ୍ଠ ସାଧନାରେ, ସେହିଭଳି ମନ ବିଦ୍ୟାଳୟକୁ ଈଶ୍ୱରୀୟ ବିଭୂତି ଓ ବିଶ୍ୱାସର ସଦାସର୍ବଦା ପୂତ, ପବିତ୍ର, ନିର୍ମଳ, କରି ରଖିବା ଉଚିତ । ଯେକୌଣସି ବସ୍ତୁଟିପାଇଁ ଯେପରି ଉପଯୁକ୍ତ ପାତ୍ରର ଆବଶ୍ୟକତା ରହିଛି, ଠିକ୍ ସେହିଭଳି ଉପଯୁକ୍ତ ଜ୍ଞାନ ଆହରଣପାଇଁ ଅନୁକୂଳ ପରିବେଶ ଓ ପବିତ୍ର ଆଧାରର ପ୍ରୟୋଜନ ହେଉଛି । ଯେଉଁଠି ଅଧ୍ୟୟନ ଓ ଅଧ୍ୟାପନା ଗୋଟିଏ ସୂକ୍ଷ୍ମ ଭାବନା ଓ ବିଶ୍ୱାସର କେନ୍ଦ୍ର ବିନ୍ଦୁରେ ମିଳିତ ହୋଇଯାଏ, ସେଠାରେ ଈଶ୍ୱରୀୟ ଅନୁକମ୍ପା, ଆଶିଷ ଅଜାଡ଼ି ପଡ଼େ । ପୁଷ୍ପଟି ମଉଳି ଗଲେ ମଧ୍ୟ ଯେପରି ବୃକ୍ଷ ମୂଳରୁ ଅଲଗା ହୋଇ ନଥାଏ, ସେହିଭଳି ବିଦ୍ୟାର୍ଥୀ କେବେହେଲେ ଗୁରୁକୁଳ ପରିବେଶରୁ କକ୍ଷଚ୍ୟୁତ ହୋଇନପାରେ । ଗୁରୁ ଓ ଛାତ୍ର ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ଜଣକର ନିଷ୍ଠାବାନ୍ କର୍ମ ଅନ୍ୟପାଇଁ ପୁଣ୍ୟ ଫଳ । ଜଣକର ସୁନିର୍ଦ୍ଦେଶିତ ମାର୍ଗ ଅନ୍ୟପାଇଁ ଜୟ ମୁକୁଟ । ଏଠି ଲାଭ କ୍ଷତି ବିଚାର ନଥାଏ । ପାଇବା ହରାଇବାର ହିସାବ ନଥାଏ । ଗଢ଼ିବାର ସ୍ୱପ୍ନରେ ସେ ହୁଏ ଆତ୍ମହରା । ଏଥିରେ ସେ ପାଏ ପରମ ଆତ୍ମତୃପ୍ତି ଓ କର୍ମ ଜୀବନର ଶ୍ରେଷ୍ଠ ସାର୍ଥକତା ଗୁରୁର ଦୃଷ୍ଟିରେ ପର ଆପଣାବୋଲି କିଛି ନାହିଁ । ପ୍ରତ୍ୟେକ ବିଦ୍ୟାର୍ଥୀକୁ ଶ୍ରେଷ୍ଠତର କରି ଗଢ଼ିତୋଳିବାର ସଙ୍କଳ୍ପ ନେଇ ସେ ଶିକ୍ଷାଦାନ କରେ । ପ୍ରତ୍ୟେକ ବିଦ୍ୟାର୍ଥୀର ଜ୍ଞାନ ଚକ୍ଷୁକୁ ସୂକ୍ଷ୍ମଦର୍ଶୀ କରିବାର ପ୍ରୟାସୀ ହୁଏ । ବିଦ୍ୟାର୍ଥୀର ଗୋଟିଏ ଦୃଷ୍ଟିରେ ସହସ୍ର ଦୃଷ୍ଟିଶକ୍ତି ସଞ୍ଚାର କରାଏ । ଗୋଟିଏ ପ୍ରଦୀପରୁ ଲକ୍ଷେ ପ୍ରଦୀପ ପ୍ରଜ୍ୱଳିତ ହେଲାଭଳି ଗୋଟିଏ ଛାତ୍ରର ସାଧାରଣ ଦୃଷ୍ଟିରେ ସହସ୍ର ଦିବ୍ୟଦୃଷ୍ଟି ଭରିଦେବାର ପ୍ରେରଣା ଯୋଗାଇଥାଏ ।

ଏହି ଜୀବନ ବିଦ୍ୟାଳୟରେ ଗୁରୁ ଓ ଛାତ୍ର ଗୋଟିଏ ଭାବନାରେ ନିମଗ୍ନ ରହି ଏକାକାର ହୋଇଥାନ୍ତି । ବେଳେବେଳେ ଗୁରୁ ମେଧାବୀ ଛାତ୍ରର ଜ୍ଞାନବିତ୍ତକୁ ଅପହରଣ କରେ । ସେଥିରେ ସେ ଲଜ୍ଜାବୋଧ କରିବା ଅପେକ୍ଷା ଅଧିକ ଆନନ୍ଦ ପାଇଥାଏ । ଗୁରୁ ମନରେ ଠିକ୍ ସେତିକିବେଳେ ସୃଷ୍ଟିହୁଏ ଯେ ତା'ଠାରୁ ଛାତ୍ର ଯଥେଷ୍ଟ ଉପଯୁକ୍ତ ହେବାର ସାମର୍ଥ୍ୟ ଲାଭ କରିଛି । ଆଉ ଛାତ୍ର ଜୀବନ ସାରା ଗୁରୁଙ୍କ ଜ୍ଞାନବିତ୍ତକୁ ଆହରଣ କରିଥାଏ । ଶ୍ରଦ୍ଧା, ଅନୁରାଗ, ଭକ୍ତି ଓ ଉଦ୍‌ଯୋଗଦ୍ୱାରା ବିଦ୍ୟାକୁ ଲାଭ କରାଯାଇଥାଏ । ସମୁଦ୍ରର ଲହଡ଼ିମାଳ ଯେପରି ବେଳାଭୂମିର ଚରଣକୁ ସ୍ପର୍ଶକରି ସର୍ବଦା ସଙ୍ଗୀତ ସୃଷ୍ଟି କରେ, ସେହିପରି ବିଦ୍ୟାର୍ଥୀ ସର୍ବଦା ଗୁରୁଙ୍କ ଚରଣରେ ଭକ୍ତି ରଖି ନିଜ ଜ୍ଞାନର ଉତ୍‌କର୍ଷ ବିକିରଣ କରିଥାଏ ।

ଜୀବନ ବିଦ୍ୟାଳୟର ପରିସର ଯେପରି ବ୍ୟାପକ ତା'ର ଦିଗନ୍ତ ଦିଗ୍‌ବଳୟ ସେଭଳି ବର୍ଣ୍ଣିଳ । ସପ୍ତବର୍ଣ୍ଣ ଇନ୍ଦ୍ରଧନୁର ଲାବଣ୍ୟଠାରୁ ଆହୁରି ସୁନ୍ଦର, ଆହୁରି ଅନିର୍ବଚନୀୟ, ଆହୁରି ଚିତାକର୍ଷକ । ପ୍ରାଣର ପୁଲକ, ମନର ଆବେଗ ଓ ହୃଦୟର ବିଶ୍ୱାସ ଉପରେ ଏହି ଜ୍ଞାନ ମନ୍ଦିର ପ୍ରତିଷ୍ଠିତ । ଶ୍ରୀକୃଷ୍ଣ ସୁଦାମା ଥିଲେ ସାନ୍ଦିପନୀ ମୁନି ଆଶ୍ରମ ଶିକ୍ଷାୟତନର ଦୁଇ ଶିଷ୍ୟ । ଅଖଣ୍ଡ ଆତ୍ମବିଶ୍ୱାସ, ଏକନିଷ୍ଠ ଗୁରୁଭକ୍ତି, ହୃଦୟ ସମର୍ପଣର ସମୁନ୍ନତ ପ୍ରାଣସତ୍ତା, ଦାରିଦ୍ର‌୍ୟର କଷାଘାତକୁ ବରଣ କରି ନେଇଥିଲେ ବି ସୁଦାମାର ସମୁଜ୍ୱଳ ବ୍ୟକ୍ତିତ୍ୱ କେବେ ମଳିନ ପଡ଼ିନଥିଲା ବରଂ ବନ୍ଧୁତ୍ୱର ନିଷ୍ଠା ନିବିଡ଼ତା ବେଶ୍ ହୃଦ୍ୟ ଓ ତ୍ୟାଗପୂତ ହୋଇଥିଲା । ସେହିଭଳି ଏକଲବ୍ୟ ନମ୍ର ଓ ନୀରବତାର ପ୍ରତୀକ । କରାତ ଶିଷ୍ୟ ଭାବରେ ତତ୍‌କାଳୀନ ସମାଜିକ ବିଧି ବିଶ୍ୱାସରେ ଉଚ୍ଚକୁଳୀନ କ୍ଷତ୍ରିୟ ସନ୍ତାନମାନଙ୍କ ସହିତ ଶିକ୍ଷାର୍ଜନ କରିବାର ସୁଯୋଗରୁ ହୁଏତ ବଞ୍ଚିତ ହୋଇଥିଲା, କିନ୍ତୁ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ଅସୀମ ଆଶୀର୍ବାଦ ଲାଭ କରିଥିଲା । ସେଦିନ ହୁଏତ ଗୁରୁ ଦ୍ରୋଣାଚାର୍ଯ୍ୟ ଏକଲବ୍ୟର ଶିଷ୍ୟତ୍ୱକୁ ହୃଦୟର ପୂର୍ଣ୍ଣ ସମର୍ଥନ ଦେଇଥିଲେ । କିନ୍ତୁ ରାଜଅନ୍ନରେ ପ୍ରତିପାଳିତ ଥିବାରୁ ଏକଲବ୍ୟ ପ୍ରତି ତାଙ୍କ ହୃଦୟର ଅନୁକମ୍ପା ସହାନୁଭୂତି ଟିକକ ପ୍ରକାଶ କରିବାକୁ ଅକ୍ଷମତା ଅନୁଭବ କରିଥିଲେ । ପରକ୍ଷଣରେ ତାଙ୍କରି ଆଶିଷ ଲାଭ କରି ଏକଲବ୍ୟ ସର୍ବଶ୍ରେଷ୍ଠ ଛାତ୍ରର ଯେଉଁ ନିଷ୍ଠା, ପରାକାଷ୍ଠା ଓ ଗୌବର ଅଧିକାରୀ ହୋଇ ପାରିଥିଲା, ଗୁରୁଭକ୍ତି ପ୍ରଦର୍ଶନ କରିଥିଲା, ତାହା ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି । ଗୁରୁ ଦ୍ରୋଣାଚାର୍ଯ୍ୟ ସେଦିନ ସମସ୍ତ ରାଜକୁମାରମାନଙ୍କ ଗହଣରେ ପ୍ରମାଣ ବି କରି ଦେଇଥିଲେ ଯେ, ତାଙ୍କର ପ୍ରିୟ ଅର୍ଜ୍ଜୁନଙ୍କଠାରୁ ମଧ୍ୟ ପ୍ରିୟତମ ଶିଷ୍ୟ ଏକଲବ୍ୟ ଶ୍ରେଷ୍ଠବୋଲି । ଶିଷ୍ୟତ୍ୱର ନିଷ୍ଠାଠାରେ କୁଳ, ଜାତି, ପ୍ରତିଷ୍ଠା, ପ୍ରତିପତ୍ତି ସବୁକିଛି ହାର ମାନେ । ଗୁରୁଙ୍କର ଅଲକ୍ଷ୍ୟରେ ଗୁରୁଙ୍କର ପୂର୍ଣ୍ଣ ଆଶୀର୍ବାଦ ପାଇବାର ମଧ୍ୟ ଏହା ଏକ ଦୃଷ୍ଟାନ୍ତ ହୋଇପାରେ । ସେଥିପାଇଁ ଯୁଗେ ଯୁଗେ ଗୁରୁ ହିଁ ମାତା ପିତା, ଗୁରୁ ହିଁ ଜ୍ଞାନ ଦାତା ଏବଂ ଗୁରୁ ହିଁ ସାକ୍ଷାତ୍ ଈଶ୍ୱରଙ୍କର ଅବତାର । ତାଙ୍କରି ଆଶିଷରେ ପଙ୍ଗୁ ଗିରିକୁ ଯେପରି ଲଙ୍ଘି ପାରେ ଜୀବନର ସମସ୍ତ ଅସାଧ୍ୟକୁ ସାଧନ ମଧ୍ୟ କରିପାରେ । ସେଥିପାଇଁ ଗୁରୁ ସବୁକାଳରେ ହିଁ ବନ୍ଦନୀୟ, ପୂଜନୀୟ ଓ ଅର୍ଚ୍ଚନୀୟ ।

ଜୀବନ ବିଦ୍ୟାଳୟର ପ୍ରତ୍ୟେକଟି ସୋପାନ ଏଠି କେତେ ତ୍ୟାଗପୂତ, କେତେ ସ୍ନେହସ୍ନିଗ୍ଧ । ପାଇବା ଅପେକ୍ଷା ଦେବାର, ନେବା ଅପେକ୍ଷା ସେବାର କି ପରମ ଆତ୍ମତୃପ୍ତି ! ପ୍ରତିଟି ଜୀବନପାଖୁଡ଼ାର କି ନିର୍ମଳ, ସ୍ୱଚ୍ଛଳ ବିକୋଶଧାରା ଅନନ୍ତ ଆକାଶର ନୀଳିମା କକ୍ଷକୁ ସ୍ପର୍ଶ କଲାଭଳି କି ଭାବାବେଗ । ସମୁଦ୍ର ଭୀମକାନ୍ତ ଉର୍ମିମାଳା ଭଳି କେଡ଼େ ପ୍ରାଣୋଚ୍ଛଳ, ପୁଣି ତାର ସୀମାହୀନ ଦିଗନ୍ତ ଭଳି କେଡ଼େ ଶାନ୍ତ, କାନ୍ତ ଓ କମନୀୟ । ସାଧନାରତ ତପସ୍ୱୀ ଭଳି କେଡ଼େ ଭାବଗମ୍ଭୀର । ସୂର୍ଯ୍ୟାସ୍ତର ବିଚ୍ଛୁରିତ ସ୍ୱର୍ଣ୍ଣରେଣୁ ଭଳି କେତେ ସ୍ୱପ୍ନ ସମ୍ଭାର । ବିଦ୍ୟାଳୟ-କଷଟି ପଥର ସ୍ପର୍ଶରେ ଜୀବନ ପାଲଟେ ସପ୍ତସୂର୍ଯ୍ୟର ଇନ୍ଦ୍ରଧନୁ । ଜୀବନ ହୁଏ ଜୀବନ । ଗିରି ମନ୍ଦରରୁ ଝରି ଆସିଥିବା ଅସଂଖ୍ୟ ଝରଣା ସମତଳ ପ୍ରଦେଶରେ ସ୍ରୋତସ୍ୱିନୀର ସ୍ୱରୂପ ନେଇ କଳକଳ ଛଳଛଳ ରାଗିଣୀରେ ସର୍ପିଳ ଗତିରେ ବହୁ ବନ୍ଧୁରତା, କାନନ ଓ ଜନପଦକୁ ଅତିକ୍ରମ କରି ସାଗର ସଂଗମରେ ଯେପରି ଜୀବନର ପୂର୍ଣ୍ଣତା ଲାଭକରେ, ଜୀବନ ସେଭଳି ସୁବାସ ଓ ସୌନ୍ଦର୍ଯ୍ୟ ବିତରଣ କରି ପରମାତ୍ମା ଲକ୍ଷ୍ୟପଥର ସନ୍ଧାନୀ ହୁଏ । ଏଥିରେ ସେ ପାଇବ ପରମ ଆନନ୍ଦ ଓ ଆତ୍ମତୃପ୍ତି । କ୍ଷଣିକ ଜୀବନ ହେବ ଧନ୍ୟ, ମନୁଷ୍ୟ ଜନ୍ମ ହେବ ସାର୍ଥକ ।

ବିବେକାନନ୍ଦ ଥିଲେ ଏହି ପ୍ରାଣସତ୍ତାରେ ଶ୍ରେଷ୍ଠ ଉତ୍ସ । ରାମକୃଷ୍ଣଙ୍କ ଭଳି ଭାବସତ୍ତା ଓ ତନ୍ମୟ ସତ୍ତାର ସାହଚର୍ଯ୍ୟ ଲାଭ କରି ସେ ହେଲେ ପୂର୍ଣ୍ଣତର । ଅସୀମ ଅଧ୍ୟାତ୍ମିକ ଶକ୍ତିର ଅଧିକାରୀ ହୋଇ ବିଶ୍ୱଜୀବନକୁ ସମ୍ମୋହିତ କଲେ । ଅସୀମ ଧୈର୍ଯ୍ୟ, ଅଖଣ୍ଡ ଆତ୍ମ ପ୍ରତ୍ୟୟଦ୍ୱାରା ଶିଷ୍ୟ ଜୀବନର ଶ୍ରେଷ୍ଠତମ ସୋପାନକୁ ଉତ୍ତୀର୍ଣ୍ଣ ହୋଇ ପାରିଥିଲେ । ଗୁରୁଙ୍କର କରୁଣା-ବାରିଧାରା ସ୍ପର୍ଶରେ ମନ୍ତ୍ରମଗ୍ଧ କଲେ । ଏଠି ଜୀବନ ବିଦ୍ୟାଳୟ କେତେ ବିଶ୍ୱମୁଖୀ । ସୀମାହୀନ ଗଗନ ସଦୃଶ କେତେ ପରିବ୍ୟାପ୍ତ । ସମସ୍ତ ସଂକୀର୍ଣ୍ଣତାଠାରୁ କେତେ ସମୁନ୍ନତ । ବିଶ୍ୱକୁ ଅନ୍ତର୍ଦୃଷ୍ଟିରେ ଆପଣାର କରିବା ଏବଂ ନିଜକୁ ବିଶ୍ୱପ୍ରାଣପାଇଁ ଉନ୍‌ମୁକ୍ତ କରିଦେବାର କି ପ୍ରଚଣ୍ଡ ଆବେଗ । ପ୍ରାଣରେ ପୁଲକ, ହୃଦୟରେ ଅଭିବ୍ୟକ୍ତିକୁ ଊର୍ଦ୍ଧଗାମୀ କରିଦେବାର କି ଉନ୍ମୁଖତା । ଏଥିରେ ଜୀବନ ଯେପରି ଧନ୍ୟହୁଏ ଜନ୍ମ ଯେପରି ସାର୍ଥକହୁଏ, ବିଦ୍ୟାଳୟ ସେପରି ସାଧନା ପୀଠର ଶ୍ରୀମନ୍ଦିର ପାଲଟେ । ଶିଷ୍ୟର ଗୌରବ ଗାରିମାରେ ଜୀବନ ବିଦ୍ୟାଳୟର ଉତ୍କର୍ଷତା ପ୍ରତିପାଦିତ ହୁଏ ।

•••

 

ଭଲ ବହି : ଭଲ ଜୀବନ

ଡକ୍ଟର ଗୌରାଙ୍ଗ ଚରଣ ଦାଶ

 

ଔଲାଦମାନଙ୍କୁ ମଣିଷକରିବା, ଜୀବନଗଢ଼ିବା ଲାଗି ସେମାନଙ୍କୁ ପାଠ ପଢ଼ାଇବାକୁ ପଠାଉଥିବା ବାପା ମା'ମାନେ ପଢ଼ାକଥା ଶୁଣି ପାଣିକୁ ଦେଖି ଛେଳିପରି ହେଉଥିବା ବିଚରାମାନଙ୍କ ପିଠି ଆଉ ଗାଲରେ ଉତ୍ତମ ମଧ୍ୟମ କସିଦେଇ ପ୍ରାୟତଃ ଏମିତି କଥାମାନ କହିଛନ୍ତି- ବୁଝିଲେ ଧନମଣି; ବାପ ସମ୍ପତ୍ତି ଭାଗ କରିନେଲାବେଳେ କୋଉ ଭାଇ ରେଫେ ଛାଡ଼ିବନି; ମାତ୍ର ଭିତରେ ଥିବା ବିଦ୍ୟାରୁ କେହି ଭାଗ ନେଇପାରିବେନି । ଏବେ ଆମ କଥା ଗନ୍ଧୋଉଛି, ପଛରେ ବୁଝିବ ।’ ଔଲାଦମାନେ ‘ପାଠଡରକୁଳା' କାହିଁକି ହୁଅନ୍ତି କି ନା, ତାହା ଅଲଗା କଥା । ମାତ୍ର ବ୍ୟକ୍ତି ଆୟତ୍ତ କରିଥିବା ବିଦ୍ୟା ଯେ ଏକାନ୍ତ ଭାବରେ ତା ନିଜର, ସମାଜର ସମସ୍ୟାମାନଙ୍କୁ ଟାଳିବା ଓ ବଞ୍ଚିବାରେ ବିଦ୍ୟା ଯେ ବହୁ ଭାବରେ ତାକୁ ସାହାଯ୍ୟକରେ, ଏହା ଆମେ ଅସ୍ୱୀକାର କରିପାରିବା ନାହିଁ ଏବଂ ବ୍ୟକ୍ତି କାଳେ ବିଦ୍ୟାମାନଙ୍କୁ ପୋଥି ବା ବହି ଭିତରୁହିଁ ଆହରଣ କରିଥାଏ, ଏହାକୁ ମଧ୍ୟ ଏକ ସତ୍ୟ ଭାବରେ ଗ୍ରହଣ କରିବା ।

 

ବହିମାନେ ଯେ କେବଳ ବିଦ୍ୟାର ଘର ଏକଥା ମଧ୍ୟ ଠିକ୍ ନୁହେଁ । ଜଣେ ଜିଜ୍ଞାସୁପାଇଁ ସମଗ୍ର ସଂସାର ଅଧ୍ୟୟନର ଆୟତନ । ମାତ୍ର ବହିମାନଙ୍କରେ ସମଗ୍ର ସଂସାରର ବୈଚିତ୍ର ଯେ ଆଲୋକିତ ହେଉଥାନ୍ତି, ଏହା ଆମେ ମନା କରିପାରିବା ନାହିଁ । ତେଣୁ ସେହି ନ୍ୟାୟରେ ବହିମାନଙ୍କୁ ସଂସାରକୁ ଭେଦିବାପାଇଁ ସବୁଠାରୁ ଉତ୍ତମ ଅୟନବୋଲି ଆମେ ଦ୍ୱିଧାହୀନ ଭାବରେ କହିପାରିବା । ଅର୍ଥାତ୍ ଆମେ କହିପାରିବା ଯେ- ବହିମାନଙ୍କରେ ଆମେ ଦେଖି ପାରୁଥିବା ଓ ଦେଖି ପାରୁନଥିବା ସଂସାର ଓ ତା'ର ଅଧିବାସୀମାନେ ଥା'ନ୍ତି । ସେମାନେ ଆମ ବିଚାରକୁ, ସଂସାରର ବାହାର ଓ ଭିତରର ବୈଚିତ୍ରମାନଙ୍କ ସହିତ ଯୋଡ଼ିଦେଇଥାନ୍ତି ଏବଂ ଜୀବନ ବଞ୍ଚିବାର ମାର୍ଗଗୁଡ଼ିକ ସମାଧାନ କରିବାପାଇଁ ଉତ୍‌ପ୍ରେରକ ବିଭବ ପରି କାର୍ଯ୍ୟ କରୁଥାନ୍ତି । ତେଣୁ ବୋଧହୁଏ ପୁସ୍ତକ-ପ୍ରେମୀ-ପାଗଳମାନେ କୁହନ୍ତି-ବହିମାନେହିଁ ମଣିଷ ଜୀବନର ପ୍ରକୃତ ବନ୍ଧୁ । ମାତ୍ର ସେମାନେ, ଆମ ବାପା ମା'ମାନଙ୍କ ସଂକୀର୍ଣ୍ଣ ବିଚାରକୁ ଆମ କଥା ଉପରେ ଲଦି ନଦେଇ କୁହନ୍ତି-ବହି ପଢ଼ିବା ଭଲ କଥା, ତା'ଠାରୁ ଭଲ କଥା ଭଲ ବହି ପଢ଼ିବା ଏବଂ ତା'ଠାରୁ ଭଲ କଥା ଭଲ ବହି ଅନୁରୂପ-ଜୀବନ ବଞ୍ଚିବା । ମଣ ହେଉଥିବା ମଣିଷମାନଙ୍କପାଇଁ ଉକ୍ତିର ତ ତାତ୍ପର୍ଯ୍ୟ ରହିଛି । ମାତ୍ର ସେମାନଙ୍କ ବିଚାରକୁ ଭୂମି ଭାବରେ ଗ୍ରହଣକରି ଆମେ ଆଉ ଗୋଟିଏ ଧାଡ଼ି ଯୋଡ଼ି ଦେଇ ଏକଥା ମଧ୍ୟ କହିପାରିବା-ସବୁଠାରୁ ଭଲକଥା ନିଜେ ଭଲ ବହି ହୋଇଯିବା । ଭଲ ବହିପଢ଼ୁଥିବା ମଣିଷମାନେ ଅନ୍ୟମାନଙ୍କପାଇଁ ଭଲବହି ହୋଇ ନପାରିଲେ, ବହି ପଢ଼ିବାର ଆବଶ୍ୟକତା ଯେ କେତେ ଅଲଣା ତାହା ବିଚାର କରାଯାଇପାରେ ।

 

ସଂସାରରେ ଭଲର ସନ୍ତୋଷଜନକ ସଂଖ୍ୟାଟିଏ ଦେବା ଭାରି ଜଟିଳ କଥା । ଭଲପରି ଖରାପର ବ୍ୟାଖ୍ୟା ମଧ୍ୟ ସମ ମାତ୍ରାରେ ଅସହଜ । ଆମେ ଆମ ଚାରିପାଖରେ ସାଧାରଣତଃ ଚାରି ପ୍ରକାରର ଜୀବନମାନଙ୍କୁ ଭେଟିଥାଉ । ସେମାନଙ୍କ ଆଚରଣକୁ ଆଧାର କରି ଆମେ ଭଲ ଏବଂ ମନ୍ଦର ହୁଏତ ବିଶ୍ଲେଷଣ କରିପାରିବା ।

 

ଆମେ ଏମିତି କେତେକଙ୍କୁ ଭେଟୁ, ଯେଉଁମାନେ ମାଛିକୁ ମ' କହନ୍ତି ନାହିଁ । ଟିକିଏ ହଲିଲା ପାଣିକୁ ସୁନ୍ଦୁରିଆ ପାଦମାନଙ୍କୁ ବଢ଼ାନ୍ତି ନାହିଁ । ଗୋଡ଼ ଧୋଇବାକୁ ପଡ଼ିବବୋଲି କାଦୁଅକୁ ପଶନ୍ତି ନାହିଁ । ରାସ୍ତାରେ ଚାଲିଲାବେଳେ କିଏ କାଳେ କ'ଣ ଭାବିଦବବୋଲି, ମୁହଁ ଟେକି କୁଆଡ଼କୁ ଅନାନ୍ତି ନାହଁ । ପାଖରେ କିଏ ଭଲ କରି ଦୁଇଚାରି ଚଇତନ କଷିଦେଲେ ଉଁ କି ଚୁଁ ହୁଅନ୍ତି ନାହିଁ । କାନମୁଣ୍ଡା ଆଉଁଶି ଆଉଁଶି ଘରକୁ ଫେରନ୍ତି । ଉଷୁମ ସୋରିଷ ତେଲ ମାଲିସ୍ କରି ଦରଜ ଛଡ଼ାନ୍ତି ଏବଂ କୁହନ୍ତି-ହଁ ମତେ ଯିଏ ମାରିଛି, ସିଏ ତା ଫଳ ପାଇବନି କି? ଭାଗ୍ୟ ଓ ଭଗବାନଙ୍କ ଉପରେ ନାଉହେଇ ସମୟ କାଟନ୍ତି । ତାହାର ହାନି କି ଲାଭରେ ମଥା ପୂରାନ୍ତି ନାହିଁ । ଆପଣାର ଗୁମୁଟି ଭିତରେ ଗେହ୍ଳାପୁଅ ପରି ଚଳପ୍ରଚଳ କରୁଥାନ୍ତି । ଆଧୁନିକ ଭାଷାରେ କେହି କେହି ଅବଶ୍ୟ ସେମାନଙ୍କୁ ଖାଣ୍ଟି ଭଦ୍ରଲୋକବୋଲି କହୁଥାନ୍ତି । ଅତି ଖଳ ପ୍ରକୃତିଆମାନେ ସେମାନଙ୍କୁ କାଲ, ଅନ୍ଧାରକଣା, ବଳଦବୋଲି ଉଲୁଗୁଣା ଅବଶ୍ୟ ଦେଉଥା'ନ୍ତି । ମାତ୍ର ଏତେ ବେଶି ସହନଶୀଳ ଓ ନିଶ୍ଚେତନମାନଙ୍କୁ ଆମେ କ'ଣ ଭଲ ମଣିଷବୋଲି କହିପାରିବା ?

 

ଆଉ ଥୋକେ ଥା'ନ୍ତି, ସେଗୁଡ଼ାକ ଗୋଟାପଣେ ଝାବଡ଼ା, ବାଳୁଙ୍ଗା, ବାଡ଼ଭଙ୍ଗା । ସେମାନେ କାହାରି କଥାରେ କି ବୋଲରେ ନଥାନ୍ତି । ଦରକାର ପଡ଼ିଲେ, ଚାଲିଲା ଶଗଡ଼ରେ ହାତ ପୁରାଇଦିଅନ୍ତି । ପାଣିର ଅତି ଭୟଙ୍କର ଭଉଁରୀ ଭିତରକୁ ଡେଇଁପଡ଼ନ୍ତି । ବିରୁଡ଼ି ବସାରେ ଡାଙ୍ଗ ମାରିଦିଅନ୍ତି । ଯେତେ ବଡ଼ଲୋକ ହେଉ ପଛକେ, ମୁହଁତୋଡ଼ ଜବାବ ଦିଅନ୍ତି । ଦାଣ୍ଡର ମହାମାନ୍ୟ କଳିମାନଙ୍କୁ ଘର ଭିତରକୁ ଆଣନ୍ତି । ବାବନାଭୂତଙ୍କ ପରି ଯୁଆଡ଼େ ନାଇଁ ସ୍ୟାଡ଼େ ଘୂରି ବୁଲୁଥାନ୍ତି । ଆପଣା ଜୀବନକୁ ମଧ୍ୟ ବାଜି ଲଗାଇ ଦିଅନ୍ତି । ଯେଉଁ କଥା କରିବାଲାଗି ସମୂହର ବଳ କୁଳାଏ ନାହିଁ, ସେମିତି କାମରେ ହାତ ମାରନ୍ତି । ସେମାନଙ୍କର ସାମ୍ରାଜ୍ୟ ନଥାଏ । ତେଣୁ ଆସ୍ଥାନ ନଥାଏ, ଖଟୁଲି ନଥାଏ, ମୁକୁଟ ବି ନଥାଏ । ସେମାନଙ୍କ ହାତରେ ଅର୍ଥ ନଥାଏ । ତେଣୁ ଅନର୍ଥ ବି ନଥାଏ । ସେମାନଙ୍କର ଶତ୍ରୁ ନଥାନ୍ତି । ତେଣୁ ନିର୍ଦ୍ଦିଷ୍ଟ ସଂଖ୍ୟକ ମିତ୍ରମାନେ ବି ନଥାନ୍ତି । ସେମାନଙ୍କ ଆଚରଣ ଜଗତରେ ବ୍ୟତିକ୍ରମ ପରି ବୋଧହେଉଥାଏ । ଅତି ଭଦ୍ର ଓ ବିଚାରବନ୍ତମାନଙ୍କ ଆଖିମାନଙ୍କୁ ଜଳକା କରିଦେଉଥାଏ । ତେଣୁ ସାଧାରଣ ଧାରଣାରେ ବ୍ୟତିକ୍ରମ ଏଇ ଅଘରୀ, ପଥଭ୍ରଷ୍ଟ ଓ ସୃଷ୍ଟିଛଡ଼ାମାନଙ୍କୁ ଆମେ କ'ଣ ସଂସାରର ଭଲଲୋକବୋଲି କହିପାରିବା । ଛାତିରେ ହାତ ରଖି କହିପାରିବା ସେମାନଙ୍କ ଆଚରଣ ଅନୁକରଣୀୟ ବୋଲି ?

 

ଏଠି ଆଉ ଥୋକେ ଥାନ୍ତି-ଯେଉଁମାନଙ୍କର କ'ଣ ନଥାଏ ବୋଲି କହିହୁଏ ନାହିଁ । ସେମାନଙ୍କର ସାମ୍ରାଜ୍ୟ ଥାଏ, କ୍ଷମତା ଥାଏ, ସିଂହାସନ ଥାଏ, ପ୍ରାଚୁର୍ଯ୍ୟ ବି ଥାଏ । ମାତ୍ର ଏତେ ଥିବା ସମ୍ପତ୍ତି ସେମାନଙ୍କୁ ତଥାପି ଅପୂର୍ଣ୍ଣ ଅପୂର୍ଣ୍ଣ ବୋଧ ହେଉଥା'ନ୍ତି । ସାମ୍ରାଜ୍ୟର ସୀମା କାହିଁରେ କେତେ ବଢ଼ାଇବା ଲାଗି ଯୁଦ୍ଧଯାତ୍ରା କରୁଥାନ୍ତି । କ୍ଷମତାର ସୂତ୍ରକୁ କେଡ଼େ ସୂତରରେ ଆପଣାର ସୃଷ୍ଟିଗତ କରି ରଖିଥା'ନ୍ତି ଏବଂ ସେମାନଙ୍କ ବିରୋଧୀମାନଙ୍କୁ ଅମୃସ୍କି କରିବା ଲାଗି ଅବ୍ୟର୍ଥ ବାଣମାନ ପ୍ରୟୋଗ କରୁଥାନ୍ତି । ଅନ୍ତଃଯୁଗର ଶୋଭାବର୍ଦ୍ଧନ ଓ ଆପଣାର ମର୍ଦ୍ଦନ ସାମର୍ଥ୍ୟ ପରୀକ୍ଷଣ ଓ ପରିପୂର୍ତ୍ତିପାଇଁ ମହୀ ମଣ୍ଡନାମାନଙ୍କୁ ମଣକରି ରଖିଥା'ନ୍ତି ଏବଂ ସେମାନଙ୍କ ଅଙ୍କ ପର୍ଯ୍ୟଙ୍କରେ ଇଚ୍ଛାମତେ ବିହାର କରୁଥାନ୍ତି । ଜୀବନ ଓ ବିଭବ ଉପରେ କୋଉ ନିଉଛୁଣା କାଳେ ଆଖି ପକାଇଦେବବୋଲି ଆୟତନର ଚଉପାଶରେ ମେଘନାଦ ପାଚେରୀ, ପାଚେରୀ ବାହାରେ ଗଭୀର ଗଡ଼ଖାଇ, ଗଡ଼ଖାଇ ମାନଙ୍କରେ କ୍ଷୁଧାର୍ତ୍ତ ସରୀସୃପ ଓ ପାଚେରୀମାନଙ୍କ ଉପରେ ସଶସ୍ତ୍ର ସନ୍ତ୍ରୀମାନଙ୍କୁ ମୁତୟନ କରିଥାନ୍ତି । ଯେତେ ଖାଇଲେ ବି ସେମାନଙ୍କ ପେଟ ପୂରେନି, ଯେତେ ପିଇଲେ ବି ସେମାନଙ୍କ ଶୋଷ ମରେନି, ଯେତେ ଶୋଇଲେ ବି ନିଦ ସରେନି, ଯେତେ ପିନ୍ଧିଲେବି ବସ୍ତ୍ର ଅଣ୍ଟେନି, ଯେତେ ରମିଲେ ବି ରେତ ନିଗିଡ଼େନି । ଜଣେ ଜଣେ କ୍ଷିତିମଣ୍ଡନା ରକ୍ଷିତାଙ୍କ ସରଘରୁ ଦଶହଜାରରୁ ଅଧିକ ସଂଖ୍ୟକ ପାଟଶାଢ଼ି; ହଜାର ହଳ ସୁନା-ପାତିଆ ଖଚିତ ପାଦୁକା; ହୀରା, ମୋତି ଖଚିତ ଶତ ସଂଖ୍ୟକ ଆୟ ଅଳଙ୍କାର ଓ ଶତ ସଂଖ୍ୟକ ଅସମର୍ଥ ପୁରୁଷମାନଙ୍କର କଙ୍କାଳ ବାହାରେ । ସେମାନେ ମୁଣ୍ଡିତ ହେବାଲାଗି ଲଣ୍ଡନ, ମଣ୍ଡଳ ହେବାଲାଗି ପ୍ୟାରିସ, ନର୍ତ୍ତନ ଓ ଗାୟନଲାଗି ହଲିଉଡ୍‌, ଭ୍ରମଣଲାଗି ହୋନୋଲୁଲୁ, ପଠନଲାଗି ଅକ୍‌ସଫୋର୍ଡ଼ ଅଥବା ହାର୍ଭାଡ଼ା, ପାନଲାଗି ମସ୍କୋ ଅଥବା ପ୍ୟାରିସ, ପ୍ରଦାନ ଲାଗି ଇଥିଓପିଆ ଅଥବା କଳାହାଣ୍ଡି, ସମରଲାଗି ଭିଏତ୍‌ନାମ୍ ଅଥବା ଇରାକ୍‌, ରମଣ ଲାଗି ଜଗତଯାକର ଆଲୋକିତ ଅରଣ୍ୟମାନଙ୍କୁ ଧାପ ଦିଅନ୍ତି-। କେହି ଆଖି ଦେଖାଇଲେ ‘ଭିଟୋ' ନାମକ ଅବ୍ୟର୍ଥ ବାଣମାରି ଜଗତଜନଙ୍କୁ ତୋବା କରିଦିଅନ୍ତି । ସେମାନଙ୍କ ନାମରେ ହଜାର କମିସନ ବସିଲେ ବି ‘ସେସବୁ କିଛି ନୁହେଁ’ ‘ଅପେକ୍ଷା କର’ ‘ନିନ୍ଦୁମାନଙ୍କରର ଫିସାଦି’ ଆଦି ବାକ୍ୟମାନଙ୍କରେ ଆପଣାର ଗଙ୍ଗାଜଳତ୍ୱକୁ ପ୍ରମାଣ କରୁଥା'ନ୍ତି ଏବଂ ସାଧାରଣମାନଙ୍କଠାରୁ ଆରମ୍ଭକରି ଅସାଧାରଣଙ୍କ ପର୍ଯ୍ୟନ୍ତ ସମସ୍ତେ ସେମାନଙ୍କୁ ହିଁ ଗୁରୁତୁଲ୍ୟ ମଣୁଥା'ନ୍ତି । ସେମାନଙ୍କ ଅଙ୍ଗୁଳି ନିର୍ଦ୍ଦେଶକୁ ଅପେକ୍ଷାକରି ବସିଥାନ୍ତି । ସେମାନଙ୍କ ମହାନତ୍ତ୍ୱର ପ୍ରମାଣପାଇଁ ଗ୍ରନ୍ଥମାନ ରଚନା କରୁଥାନ୍ତି । ଅକ୍ଷରମାଳାରେ ସେମାନଙ୍କୁ ଅର୍ଚ୍ଚନାକରି ଆତ୍ମପ୍ରସାଦ ଲାଭକରୁଥାନ୍ତି । ଆପଣା ବକଟେ ପତ୍ରକୁଡ଼ିଆଠାରୁ ଆରମ୍ଭ କରି ମିଳିତ ଜାତିସଙ୍ଘ ପର୍ଯ୍ୟନ୍ତ ସବୁଠାରୁ ‘ଭିଟୋ’ ପ୍ରୟୋଗକାରୀ ବପୁବନ୍ତମାନଙ୍କର ସଂଖ୍ୟା ଯେ ଅଧିକ, ମାର୍ଜାରବତ୍ ସମୂହର ପୋଡ଼ପିଠା ଆବଣ୍ଟନ କଳହ ପ୍ରକ୍ରିୟାଭେ ସେମାନେ ଯେ ମର୍କଟ ଇବ ସୁଚତୁର ଓ ହାସ୍ୟ-ବିଭୋର ଏବଂ ସେମାନେ ଯେ ଚିରନ୍ତନ କ୍ଷୁଧା, ତୃଷାର ପ୍ରତୀକ, ତାହା ଆମେ ଭଲଭାବରେ ଜାଣିଥାଉ ଏବଂ ଏତେ କଥା ମଧ୍ୟ ସେମାନଙ୍କ ସାମାନ୍ୟ ସାନିଧ୍ୟ ଲାଭ ନିମିତ୍ତ ବ୍ୟାକୁଳତା ପ୍ରକାଶକରୁ । ସେମାନଙ୍କ ଆଦର୍ଶ ଓ ଆଚରଣକୁ ଆମେ କ'ଣ ‘ଭଲ' ଏବଂ ସେମାନଙ୍କୁ ‘ଭଲଲୋକ'ବୋଲି କହିପାରିବା ?

 

ଆମ ଗହଣରେ ଆଉ କେତେକ ଥା'ନ୍ତି, ଯେଉଁମାନଙ୍କୁ ଏ ପ୍ରପଞ୍ଚ ଓ ପରପଞ୍ଚିଆମାନେ ଏମିତି ମାରି ଗୋଡ଼ାଉଥା'ନ୍ତି ଯେ, ବିଚରାମାନେ ମାଡ଼ ସମାଳି ନପାରି, ବୋପାଲୋ ମା'ଲୋ ବୋବାଳି ଛାଡ଼ି ବଣ ଜଙ୍ଗଲ ଭିତରକୁ ପଳାଇଯା'ନ୍ତି । ଅଥବା କୌଣସି ନିକାଞ୍ଚନ ସ୍ଥାନରେ ଅସଂସାରୀର ମନ୍ତ୍ର ଜପକରି ବଞ୍ଚୁଥାନ୍ତି । ଆମେ ସେମାନଙ୍କୁ ଗୀର୍ବାଣ ଭାଷାରେ ସଂସାରତ୍ୟାଗୀ, ସନ୍ନ୍ୟାସୀ, ସାଧକ ଏବଂ ଗ୍ରାମ୍ୟ ଭାଷାରେ ‘ବାବାଜୀ'ବୋଲି କହିଥାଉ । ସେମାନେ ବି ଆପଣା ଆପଣା ତରିକାରେ ବଞ୍ଚୁଥାନ୍ତି । ମଠ, ଆଶ୍ରମ କରିଥାନ୍ତି । ସୁଖାନ୍ୱେଷୀ ସଂସାରୀମାନଙ୍କୁ କେତେ କ'ଣ ଦାନ କରୁଥାନ୍ତି, ସେମାନଙ୍କୁ ତାପମୁକ୍ତ ଜୀବନ ବଞ୍ଚିବାଲାଗି ମଣକରା ଭକ୍ତମାନଙ୍କ ମାଧ୍ୟମରେ ଗୂଢ଼ବାଣୀ ପ୍ରଚାର କରୁଥା'ନ୍ତି । ବନ୍ଧ୍ୟାନାରୀକୁ ସନ୍ତାନବତୀ, ନିର୍ଦ୍ଧନକୁ ଧନବାନ, ରୋଗୀକୁ ନିରୋଗ, ବୃଦ୍ଧକୁ ତରୁଣ, ଗଣିକାକୁ ସାଧ୍ୱୀ, ଅନ୍ଧକୁ ଚକ୍ଷୁଷ୍ମାନ, ବନ୍ଧ୍ୟାଗାଭୀକୁ ଦୁଗ୍‌ଧବତୀ, ଅନ୍ୟ ଭାଷାରେ କହିଲେ ଅସମ୍ଭବମାନଙ୍କୁ ସମ୍ଭବ କରିବାର ବିଦ୍ୟା ସେମାନେ ତପ ବଳରେ ସାଧନ କରିଥାନ୍ତି । ସେମାନଙ୍କର ସକଳ ସାଧନା ଜଗତଜନଙ୍କ ହିତାର୍ଥେ ସମର୍ପିତବୋଲି ଭକ୍ତମାନଙ୍କ ପବିତ୍ର ତୁଣ୍ଡରେ ବ୍ୟାଖ୍ୟା କରାଇଥାନ୍ତି । ସଂସାରର ବାଜାକୁ ଭୟକରି ଯେଉଁମାନେ ବାବାଜୀ ହୋଇଥାନ୍ତି ଏବଂ ଅନ୍ୟମାନଙ୍କ ପ୍ରାର୍ଥନା ଓ ଦାନକୁ ଦକ୍ଷିଣା ଭାବରେ ଗ୍ରହଣକରି ସେମାନଙ୍କ ଅଭୀଷ୍ଟ ପୂରଣରେ ମତ୍ତଥାନ୍ତି; କିଛି ଲୋଡ଼ା ନାଇଁ, ଲୋଡ଼ା ନାଇଁ ମନ୍ତ୍ରରେ ଶୂନ୍ୟକୁ ମନ୍ଥନ କରୁଥାନ୍ତି; ଗାଦି ପରେ ଗାଦି, ମଠ ପରେ ମଠ, ଭକତ ପରେ ଭକତମାନ ତିଆରି କରି ହାତରେ କମଣ୍ଡଳୁ, ଅଣ୍ଟାରେ କଉପୀନ ଓ କାନ୍ଧରେ ଦଣ୍ଡ ଧାରଣ କରି ଯାବତୀୟ ଅଲୌକିକ କାଣ୍ଡମାନ ଭିଆଉଥା'ନ୍ତି-ସେପରି ନିର୍ଲୋଭ ଓ ସଂସାର-ବୈରାଗୀମାନଙ୍କୁ ଆମେ କ'ଣ ଭଲ ଲୋକ କହିପାରିବା ?

 

ସବୁ ମଣିଷର ଦୁଇଟି ଘର ଥାଏ-ଭିତର ଓ ବାହାର । ସବୁ ମଣିଷର ଦୁଇଟି ଜୀବନ ଥାଏ-ଏକାନ୍ତ ଗୋପନୀୟ ଓ ପ୍ରକାଶନୀୟ । ସବୁ ମଣିଷର ଦୁଇଟି ବିଚାର ଥାଏ-ବ୍ୟକ୍ତିକ ଓ ସାମାଜିକ । କୌଣସି ମଣିଷର ଜୀବନ ଷୋଳପଣ ଆଲୋକିତବୋଲି ଆମେ ଆଦୌ କହିପାରିବା ନାହିଁ । ତେଣୁ ଜଣକ ବିଚାରରେ ଭଲ ଜୀବନ ବଞ୍ଚୁଥିବା ଲୋକମାନଙ୍କୁ, ଅନ୍ୟର ଆଖିରେ ଖରାପବୋଲି କହିପାରିବା । କାରଣ ପଦୁଟିଏ ମିଛକଥା ଯଦି ଅନ୍ୟ ଜଣଙ୍କର ଜୀବନ ବଞ୍ଚିବାର ନିଦାନ ହୋଇପାରିଲା ସେପରି କଥା ପ୍ରକାଶକରିବା ବ୍ୟକ୍ତିର ବିଚାରରେ ମହାପାପ ହୋଇପାରେ-। ମାତ୍ର ଅନ୍ୟ ପକ୍ଷରେ ତାକୁ ଆମେ ମହାପୁଣ୍ୟବୋଲି କହିପାରିବା ନାହିଁ କି ? ତେଣୁ ଦେହକୁ ଧାରଣକରି ବଞ୍ଚିବା ଯେଉଁମାନଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ, ସେମାନେ ଯେଉଁ ଆଦର୍ଶର ବାଟୋଇ ହୋଇଥାନ୍ତୁନା କାହିଁକି, ଆମେ ସେମାନଙ୍କୁ ‘ଭଲ' ଅଥବା ‘ମନ୍ଦ' ଭାବରେ ଜ୍ଞାନ କରିବା ଅନୁଚିତ ହେବ ନାହିଁକି ? କାରଣ ଏ ଚାରୋଟିଯାକ ଭାଡ଼ିର ମଣିଷମାନଙ୍କର ମହାମେଲଣର ଅନ୍ୟ ନାମ ହିଁ ସଂସାର । ସେମାନଙ୍କୁ ଭଲ ଓ ମନ୍ଦ ଭେଦରେ ବାବଦ ବାବଦ କରି ଥୋଇବାର ଅର୍ଥ ହିଁ ଜୀବନ ଓ ଜଗତର ପାର୍ଶ୍ୱିକ ବିଚାର ।

 

ବହିମାନଙ୍କରେ ଜୀବନ ବଞ୍ଚୁଥିବା ଜୀବମାନଙ୍କର କଥା ଥାଏ । ସେମାନେ ଭିଆଉଥିବା ସଂସାର ଓ ବିଶ୍ୱାସମାନଙ୍କର ଭିତରେ ଓ ବାହାରର କଥାଗୁଡ଼ିକ ହିଁ ଥାଏ । ସେମାନେ ବିଶ୍ୱାସମାନଙ୍କ ସହିତ ବାରମ୍ବାର ଧକ୍‌କା ଖାଉଥାନ୍ତି । ପଡୁଥାନ୍ତି, ଉଠୁଥାନ୍ତି । କାନ୍ଦୁଥାନ୍ତି, ହସୁଥାନ୍ତି, ଚାଲୁଥାନ୍ତି । ଚାଲୁଥାନ୍ତି କେବେ କେବେ ଏକା ଏକା ତ, କେବେ ମିତ୍ରମାନଙ୍କ ସହିତ । କେବେ କେବେ ସତର୍କରେ ତ ଆଉ କେବେ ଦର୍ପରେ ଦୁଃସାହସରେ, ପୁଲକରେ । ବହିମାନେ ସେମାନଙ୍କର ବିଚିତ୍ର ଯାତ୍ରାର କଥା ହିଁ କହୁଥାନ୍ତି । ଅର୍ଥାତ୍ ସେମାନଙ୍କ ପ୍ରପଞ୍ଚ -ଆସକ୍ତ ସଂସାରୀ ଓ ଅନାସକ୍ତ ବ୍ରହ୍ମଚାରୀ, ବନ୍ଧନସକ୍ତ ଓ ବନ୍ଧନାମୁକ୍ତ ଭୀରୁ ଓ ବୀର, ଦରିଦ୍ର ଓ ଶେଠ, ସାଧୁ ଓ ଖଳ, ପାପୀ ଓ ମହାତ୍ମାମାନଙ୍କ କଥା ହିଁ ଥାଏ ଏବଂ ସେଥି ସହିତ ଥାଏ, ସଂସାରରେ ଥାଇ ବି ଅସଂସାରୀ, ଭଗମଣ୍ଡଳରେ ଥାଇ ବି ନିରାହାରୀ ସନ୍ନ୍ୟାସୀର ଭେକରେ ଥାଇ ଭୋଗୀ ଏବଂ ପୂଜା ଭାଣ୍ଡରେ ମଧୁ ଓ ମଧୁ ଭାଣ୍ଡ ମଳ, ବିଷ ଭାଣ୍ଡରେ ଅମୃତ ଓ ଅମୃତ ଭାଣ୍ଡରେ ବିଷ, ପୁଲକରେ ଅଶ୍ରୁ ଓ ଅଶ୍ରୁରେ ପୁଲକ ଅନୁଭବ କରୁଥିବା ବିଚିତ୍ର ଜୀବମାନଙ୍କର ଜୀବନ ବି ଥାଏ । ସେମାନଙ୍କ ବାହାର ସହିତ ଭିତର ଓ ଭିତର ସହିତ ବାହାରକୁ ଯୋଡ଼ିଲାବେଳେ ଆମ ଚେତନା ଚହଲିଯାଏ, ଚକିତ ହୁଏ । ସଂସାର ଓ ସଂସାରୀମାନଙ୍କ ଉପରେ ଥିବା ଆମ ବିଶ୍ୱାସମାନଙ୍କ ମୂଳ କେବେ କେବେ ଉପୁଡ଼ିଯାଏ ତ, ଆଉ କେବେ କେବେ ଏମିତି ଆଣ୍ଟେଇଯାଏ, ଆଉ ଦୋହଲିବାର ଏତେ ଟିକିଏ ବି ସମ୍ଭାବନା ନଥାଏ ।

 

ତେଣୁ ବହିମାନଙ୍କରେ ଯଦି କିଛି ଥାଏ, ସମସ୍ତ ଥା'ନ୍ତି ଏବଂ ଏହିସବୁ କିଛି ଥିବା ବହିମାନେ ଯଦି ସଂସାରକୁ ଚିହ୍ନିବାରେ ସାହାଯ୍ୟ କରନ୍ତି, ସଂସାର ଓ ସଂସାରୀମାନଙ୍କ ଭିତରକୁ ଯିବାର ବିଶ୍ୱାସ ସୃଷ୍ଟି କରନ୍ତି, ତେବେ ସେମାନଙ୍କୁ ଭଲ, ଖରାପ, ଚଳନୀୟ, ଅତି ଚମତ୍କାର, ଆଦି ଭେଦରେ ବିଭକ୍ତ କରିବାର ଆବଶ୍ୟକତା ରହିଛି କି ?

 

ସଂସାରରେ ଭଲ ଜୀବନ ପରି ଭଲ ବହିର ସଂଜ୍ଞା ମଧ୍ୟ ସଂଶୟାଚ୍ଛନ୍ନ । ଜଣକୁ ଯାହା ଭଲ ଲାଗେ, ତାହା ତା'ପାଇଁ ସ୍ୱାସ୍ଥ୍ୟପ୍ରଦ ହୋଇପାରେ । ଅନ୍ୟ ସବୁ କିଛିକୁ ଅଭେଲାବୋଲି ସେ ବୁଦ୍ଧିର ବାଣରେ ପ୍ରମାଣ କରିପାରେ । ଯୁକ୍ତିର ବାଟୁଳିରେ ପରିପନ୍ଥୀମାନଙ୍କ ବିଚାରକୁ ଟେରା କରିଦେଇପାରେ । ଆପଣାର ବିଚାର ସର୍ବୋତ୍ତମ ତେଣୁ ଅନୁକରଣୀୟବୋଲି ପ୍ରହେଳିକା ସୃଜିପାରେ । ମାତ୍ର ତାର ଭିତରେ ମଣିଷଟି ଅଭେଲାପଣକୁ କେବେ ଭଲବୋଲି କହିପାରେ ନାହିଁ ଏବଂ ଅନ୍ୟମାନେ ମଧ୍ୟ ତାକୁ ଅନ୍ତରରେ ସ୍ୱୀକାର କରିପାରନ୍ତି ନାହିଁ । ଯୁକ୍ତିବଳରେ ମିଛକୁ ସତ, ଖରାପକୁ ଭଲବୋଲି ଯେତେ ମତେ ପ୍ରମାଣକଲେ ମଧ୍ୟ ଭିତରେ ଘରେ, ବିଚାର ଓ ଅନୁଭବରେ ତାହାର ଭ୍ରମ ରୂପ ଧରାପଡ଼ିଯାଏ । ତେଣୁ ଯାହା ପଢ଼ିବାକୁ ଭଲ ଲାଗେ, ଆମ ଅହଂବୋଧକୁ ତେଜି ଦିଏ, ଉସୁକାଏ, ଅସଲ ଜୀବନ ଭିତରୁ କାହିଁ କେତେ ଦୂର ନେଇଯାଏ, ଚେତନାକୁ ଏକ ଅସ୍ୱାସ୍ଥ୍ୟକର ପରିବେଶରେ ବ୍ୟାକୁଳ, ସଂଶୟଯୁକ୍ତ ଓ ଦିଶାହୀନ କରାଏ, ଆମେ ସେପରି ବହିମାନଙ୍କୁ ଜମାରୁ ଭଲବୋଲି କହିପାରିବା ନାହିଁ । ଅବଶ୍ୟ ସେପରି ବହିମାନଙ୍କୁ ଆମେ ଅପାଠ୍ୟ, ଅଗ୍ରହଣୀୟ କହିପାରିବା ନାହିଁ । ସେମାନଙ୍କର ମଧ୍ୟ ବ୍ୟକ୍ତି ଓ ସମାଜ ପାଖରେ ଆବଶ୍ୟକତା ରହିଛି । ସେହି ନ୍ୟାୟରେ ଆମେ ସେମାନଙ୍କ ପାଖକୁ ଯିବା । ସେମାନଙ୍କୁ ପଢ଼ିବା, ଭେଦିବା ସେମାନଙ୍କୁ ଭୂମିକରି ସଂସାରକୁ ବୁଝିବା ଏବଂ ନିଜପାଇଁ ଭଲ ବାଟ ତିଆରି କରିନେବା । ସଂସାରର ସାଧାରଣ ମଣିଷମାନଙ୍କ ପରି ସେମାନଙ୍କୁ ସାଧାରଣ ବହି ଭାବରେ ବିଚାର କରିବା । ସେମାନଙ୍କର ଅବଶ୍ୟକତାକୁ ସ୍ୱୀକାର କରିବା ।

 

ଭଲ ମଣିଷ ଆମେ ସେଇମାନଙ୍କୁ କହିବା- ଯେଉଁମାନେ ଭଲ ଜୀବନ ବଞ୍ଚୁଥାନ୍ତି । ସେମାନେ ସୁନା ଗଡ଼ିଆରେ ଗାଧୋଉଥାନ୍ତି । ମାତ୍ର ଗୁହଗଡ଼ିଆ ଦେଖି ନାକ ଟେକୁନଥାନ୍ତି । ନରକ କୁଣ୍ଡରେ ପଡ଼ିଥାନ୍ତି । ମାତ୍ର ସରଗର ସୁଖକୁ ମଧ୍ୟ ଛି କରି ନଥାନ୍ତି । ବାଘ, ସିଂହ, ଭାଲୁ, ସାପମାନଙ୍କ ସହିତ ମିତ ବସିଥାନ୍ତି ଏବଂ ସେମାନଙ୍କ ସହ ସମର ବି କରୁଥାନ୍ତି । ଖାଲ, ଖମା, ଡଂଗର ଓ କଣ୍ଟାଝଟାର ରାସ୍ତାରେ ଅବଶ୍ୟ ଚାଲିବାକୁ ସୁଖ ପାଆନ୍ତି; ମାତ୍ର ପକ୍କା ସଡ଼କକୁ ବି ପର କରି ନଥାନ୍ତି । କିଏ ଗୋଟିଏ ଗାଲରେ ଶକତ ଚାପୁଡ଼ା କସିଦେଲେ ଆର ଗାଲ ଦେଖାଇଦିଅନ୍ତି; ମାତ୍ର ଦରକାର ପଡ଼ିଲେ ମାଡ଼ବାଲାର ଦି ଗାଲରେ ନାତି ଦେଇ ଦାନ୍ତ ଝାଡ଼ିଦିଅନ୍ତି । ସେମାନେ ଜୀବନ ଓ ଜଗତର ବୈଚିତ୍ର‌୍ୟକୁ ଏତେ ଭାବରେ ଭେଦିଥାନ୍ତି ଯେ, କାହାକୁ ପର ମଣିବାର, କାହାକୁ ଛି କହି ନାକ ଟେକିବାର କିମ୍ବା କାହାକୁ ହୀରାମୁଣ୍ଡାଟିଏ କହି କୁଣ୍ଢେଇବାର ଅହଂବୋଧଠାରୁ ଦୂରରେଥା'ନ୍ତି । ତଳର ମଣିଷମାନଙ୍କ ଉପରକୁ ଓ ଉପରର ମଣିଷମାନଙ୍କୁ ତଳମାନଙ୍କ ପାଖକୁ ନେଇଆସନ୍ତି । ସମସ୍ତଙ୍କ ଭିତରେ ସମାନ ରୂପ ଓ ଭାବରେ ଥା'ନ୍ତି । ସେମାନଙ୍କର ଦେହ ଥାଏ, ଭୋକ ଥାଏ, ଅଭାବ ଥାଏ, ମାତ୍ର କାହାରି ଥିବାପଣ ଉପରେ ସେମାନେ ନାଉ ହେଉ ନଥାନ୍ତି, କି ନଥିବା ପଣ ଉପରେ କରୁଣାବାରି ବର୍ଷୁ ନଥାନ୍ତି । ପରସ୍ପର ବିରୋଧୀ ଭାବମାନଙ୍କୁ ସମଭାବରେ ଜ୍ଞାନ କରୁଥାନ୍ତି । ସେମାନେ ଆପେ ବଦଳିଯାଇଥାନ୍ତି । ତେଣୁ ସମାଜକୁ ବଦଳାଇବାରେ ସମର୍ଥ ହୁଅନ୍ତି । ସକଳଙ୍କୁ ଜୀବନ ଓ ଜଗତର ସତ୍ୟବୋଧର ମହାଭାଣ୍ଡରେ ସିଦ୍ଧ କରୁଥାନ୍ତି । ସେମାନେ ସୁଖରେ ଥାନ୍ତି, ଦୁଃଖରେ ବି ଥାନ୍ତି, ପ୍ରେମରେ ଥାନ୍ତି, ପ୍ରତାରଣାରେ ବି ଥା'ନ୍ତି । ଲଗୁଡ଼ମାନଙ୍କୁ ସଜ କରୁଥାନ୍ତି ଏବଂ ଭାଙ୍ଗୁଥା'ନ୍ତି । ଜୀବନକୁ ବଞ୍ଚୁଥା'ନ୍ତି । ଜୀବନ ସହିତ ପ୍ରତାରଣା କରୁଥା'ନ୍ତି । ସଂସାରରୁ ବାଟ କାଟିଲା ପରେ ମଧ୍ୟ ବଞ୍ଚିଥା'ନ୍ତି । ସଂସାରର ପାତ୍ରରେ ଫକୀରବତ୍ ଆପଣାର ଜୀବନ ରସକୁ ନିଗାଡ଼ି ଦେଉଥାନ୍ତି । ସେମାନଙ୍କ ଜୀବନକୁ ଆମେ ଭଲ ଜୀବନବୋଲି କିହି ପାରିବା ନାହିଁ ।

 

ଭଲ ବହିରେ ଜୀବନ ବଂଚିବାର ବିଶ୍ୱାସ ଓ ବିଶ୍ୱାସକୁ ଫଳପ୍ରସୂ କରିବାର ସାଧନାର କଥାଗୁଡ଼ିକ ଥାଏ । ସେଠି ବାସ୍ତବ ସହିତ ସ୍ୱପ୍ନ; କ୍ଷୁଧା; ତୃଷ୍ଣା ସହିତ ପରମ ତୃପ୍ତି; ପ୍ରେମ ସହିତ ପ୍ରତାରଣା; ବିପ୍ଳବ ସହିତ ସୃଜନକୁ ଛନ୍ଦି ଦିଆଯାଇଥାଏ । ମଣିଷ ସେମାନଙ୍କ ଘର ଭିତରେ ଅତିଥି ହୋଇ ରହିପାରେ ନାହିଁ, ଭିତରର ଆଉ ଜଣେ ହୋଇଯାଏ । ଭାରତବର୍ଷରେ ସେପରି ବହି ଲେଖିଥିବା ମଣିଷମାନଙ୍କ ଗହଣରେ ଆମେ ବ୍ୟାସ, ବାଲ୍ମୀକି, ଚାର୍ବାକ, ଚାଣକ୍ୟ, କଣାଦ, କପିଳ, ଜେମିନୀ, ଶଙ୍କର, ପଂପା, କମ୍ବନ, ସାରଳା, କାଶୀରାମ, ତୁଳସୀ, ବଳରାମ, ତୁକ୍‌କାରାମ, ମୀରା, କବୀର, ମାଧବ, ଶଙ୍କର, ଜଗନ୍ନାଥ, ଅରକ୍ଷିତ, ଭୀମଭୋଇ, ଶ୍ରୀଅରବିନ୍ଦ, ଭାରତୀ ଏବଂ ବିଦେଶୀ, ଭୂଖଣ୍ଡରେ ସକ୍ରେଟିସ, ଲାଓସି, ହୋମର, ପ୍ଳେଟୋ, ଦାନ୍ତେ, ସେକ୍‌ସପିଅର, ମିଲଟନ୍‌, ଗୋଦେ, ଅଗଷ୍ଟାଇନ୍‌, ସ୍ପିନୋଦା, ଋଷୋ, ଭଲଟେଆର, କାଣ୍ଟ, ହେଗେଲ, ମାର୍କସ, କରକେଗୋର, ନିତ୍‌ସେ, ଚେକଭ୍‌, ଟଲଷ୍ଟୟ, ରସ୍କିନ, ଗାରିବାଲ୍‌ଡ଼ି, ହୋ-ଚି-ମିନ, ମାଓ-ସେ-ତୁଙ୍ଗ, ଲେଲିନ, ମହାତ୍ମାଗାନ୍ଧି ଆଦି ଚିନ୍ତାନାୟକମାନଙ୍କୁ ମନେ ପକାଇ ପାରିବା । ଏମାନେ କେହି ଆପଣା ଆପଣା ଗୁମୁଟିର କବାଟ ଓ ଝରକାମାନଙ୍କୁ କିଳିଦେଇ ସପନ ଦେଖିନାହାନ୍ତି, କଳ୍ପନାର ଆକାଶରେ ଭାସି ନାହାନ୍ତି । ସେମାନଙ୍କ ସପନ ଓ କଳ୍ପନାମାନେ ବାସ୍ତବ ଭୂମିରୁ ଅଙ୍କୁରିତ ହୋଇଛନ୍ତି । ସେମାନେ କେତେକଙ୍କ ପାଇଁ ଚଗଲା ଓ ଅନ୍ୟ କେତେକଙ୍କପାଇଁ ସୁନା ପିଲା । ସେମାନେ ଜୀବନକୁ ଭୟ କରିନାହାନ୍ତି, ଭଲ ପାଇଛନ୍ତି । ସେହି ନ୍ୟାୟରେ ସଂସାରକୁ ବି ପ୍ରେମ କରିଛନ୍ତି । ସଂସାର ଛାଡ଼ି ଆଦୌ କୁଆଡ଼େ ପଳେଇ ଯାଇନାହାନ୍ତି, ଅଥବା ଅଭାବୀ ସଂସାରୀମାନଙ୍କ ଗୁହାଳରେ ସହନଶୀଳତାର ଭେଳିକି ଦେଖାଇ ନାହାନ୍ତି । ଅରୁଆଖିଆ, ଗେରୁଆପିନ୍ଧା, ମାତାଜୀରକ୍ଷକ, ଚଇତନିଆ ବାବାଜୀମାନଙ୍କ ପରି ବଦମାସି କରିନାହାନ୍ତି । ସନ୍ଥମନସ୍କମାନେ ଆପଣା ଭିତରେ ସଂସାର ଭିତରେ ବି ରହିଛନ୍ତି । ନିଜକୁ ଜୟ କରିଛନ୍ତି, ସଂସାରକୁ ଜୟ କରିଛନ୍ତି । ବିଜୟୀ ହେବା ଆଗରୁ ଅନେକ ବାର ହାରିଛନ୍ତି, ମରିଛନ୍ତି ଏବଂ ମଶାଣି ଭୂଇଁରୁ ପୁଣି ଉଠିଛନ୍ତି । ତେଣୁ ଆପଣା ଆପଣାର ବହିମାନଙ୍କରେ ସମର, ମରଣ ଓ ଜୀବନବଞ୍ଚିବାର କଥା ହିଁ ଲେଖିଛନ୍ତି ।

 

ଏବଂ, ସେମାନେ ହିଁ ଆମପରି ଅଳପ ପ୍ରାପ୍ତିରେ ସନ୍ତୁଷ୍ଟମାନଙ୍କୁ ଭୂମି ଭିତରକୁ ଭେଦିବା ଏବଂ ଶୂନ୍ୟର ଉପରେ ପାହାଚ ଆରୋହଣ ପ୍ରତ୍ୟାଶୀ ହେବାଲାଗି ବାଟ ଦେଖାଇ ଆସିଛନ୍ତି । ବହିର ଅକ୍ଷରମାନଙ୍କରେ ଜୀବନ ଓ ଜଗତର ରହସ୍ୟମାନଙ୍କୁ ଖୋଲି ଦେଇଛନ୍ତି । ପ୍ରତି ମୁହୂର୍ତ୍ତରେ କଳ୍ପନା ଓ ବାସ୍ତବତା ସହିତ ଧକ୍‌କା ଖାଉଥିବା ସଂଗ୍ରାମୀ ମଣିଷକୁ ଜୀବନର ସତ୍ୟ ସମ୍ପର୍କରେ ଚେତେଇ ଦେଇଛନ୍ତି । କଳା ମାଧ୍ୟମରେ ଜୀବନର ଧବଳତର ସନ୍ଧାନ ଦେଇଛନ୍ତି । ତେଣୁ ଆମେ ସେହି ବହିମାନଙ୍କୁ ଭଲବହି କହିବା । ସେହି କବିମାନଙ୍କୁ କ୍ରାନ୍ତିଦ୍ରଷ୍ଟା, କାଳଜୟୀ କହିବା । ବହି ଭିତରୁ ସେମାନଙ୍କୁ, ସଂସାରକୁ ଓ ଆପଣାକୁ ଚିହ୍ନିବା । ତେଣୁ ଭଲ ଜୀବନ ବଞ୍ଚିବା ଓ ଭଲ ବହି ଲେଖିବା ପ୍ରସଙ୍ଗକୁ ଆମେ ଆଦୌ ଅଲଗା ଅଲଗା ଭାବରେ ମଧ୍ୟ ବିଚାର କରିପାରିବା ନାହିଁ । ଆପଣା ଅନୁଭବ ଓ ବିଚାରକୁ ଅବିଶ୍ୱାସ କରୁଥିବା ମଣିଷ ଯେ କେବେହେଲେ ସମୟ ସ୍ରୋତରେ ତରଙ୍ଗ ସୃଷ୍ଟି କରିପାରିବ ନାହିଁ, ଅନୁରୂପ ଦର୍ଶନକୁ ଗ୍ରହଣକରିବା ।

 

ଜୀବନକୁ ଭୟ କରୁଥିବା ଆମ ସମର-ବିଳାସୀ ଭୀରୁ ଓ ରୁଗ୍‌ଣ ସାମନ୍ତମାନେ କିନ୍ତୁ ସେପରି କବିମାନଙ୍କୁ ପ୍ରାଣର ଭୟ କରନ୍ତି । ସେମାନେ ଫକୀରମାନଙ୍କୁ ପାଟ କୁଣ୍ଡଳ, ଜାଗିର ଦେଇ ନିଜର କରିବାଲାଗି କେତେ ଚେଷ୍ଟା କରନ୍ତି । ସେମାନଙ୍କ ସନ୍ତୋଷ ନିମିତ୍ତ ଆପଣା ସିଂହାସନ ପାଖରେ ଆଉ ଗୋଟିଏ ଖଟୁଲିର ବ୍ୟବସ୍ଥା କରନ୍ତି । ସେମାନଙ୍କ କୃତି ସମୂହର ପ୍ରସାରର ବ୍ୟବସ୍ଥାକରନ୍ତି । ମାତ୍ର ଯେଉଁମାନେ ମହନ୍ତମାନଙ୍କ ଭବ୍ୟ ଉପଚାରରେ ମଣହୁଅନ୍ତି ନାହିଁ; ସେମାନଙ୍କୁ ଭ୍ରଷ୍ଟ, ବିଦ୍ରୋହୀ ଅବିବେକୀ, ମହାମୂର୍ଖ ଆଦି କେତେ କେତେ ବିଶେଷରେ ଶୋଭାବନ୍ତ କରି ରାଜ୍ୟର ସୀମାରୁ ବିତାଡ଼ନ କରନ୍ତି ଏବଂ ଅନେକ ଅବାଧ୍ୟଙ୍କ ମଥାକାଟ କରିବାକୁ ସାମାନ୍ୟ କିନ୍ତୁ ମଣନ୍ତି ନାହିଁ । କଳାକାରମାନେ କାଳେ କର୍ମୀ ହୋଇପାରିବେନି । ସେମାନେ କଳାନିଧି, କମଳ ବିଳାସୀମାନଙ୍କ ଯାବତୀୟ ତାପ ପ୍ରସମନ ନିମିତ୍ତ କେବଳ ପାଚକ ଅଥବା ମୋଦକ ତିଆରିରେ ମଗ୍ନ ଥାଆନ୍ତି । ସନ୍ତାପୀମାନଙ୍କୁ ହନ୍ତସନ୍ତ ରୋଗରୁ ମୁକତିପାଇଁ ମନ୍ତରମାନ ରଚନା କରୁଥା'ନ୍ତି । ମାତ୍ର ଯେଉଁମାନେ ଅଲଗା ପ୍ରକାରର ମନ୍ତ୍ର ଲେଖନ୍ତି- ସେମାନେ କାଳେ ଶୋଭା ପା'ନ୍ତି ବଜ୍ଜାତ୍ ଓ ବେହ୍ୟାମାନଙ୍କ ନାମ ତାଲିକାରେ । ସେମାନେ ସମୂହକୁ ତତାନ୍ତି, ଖରାପ କରିଦିଅନ୍ତି ଏବଂ ସେହି ନ୍ୟାୟରେ ଗ୍ରାମକୁ, ଦେଶରୁ ଓ ଜଗତରୁ ତଡ଼ାଖାନ୍ତି । ଅଥବା ଚୋର, ଡକେଇତ, ଖଣ୍ଟଙ୍କ ପରି ଗୋପନରେ ଅକ୍ଷର ଅଥବା ରଙ୍ଗରେ ଗୀତଲେଖୁଥାନ୍ତି । ଧରା ପଡ଼ିଯିବାର ଭୟରେ ବେଶ ବଦଳୋଉଥାନ୍ତି ଏବଂ ଥାନପତି-ମାନେ ସେମାନଙ୍କ ପୋଥିମାନଙ୍କୁ ବାଜ୍ୟାପ୍ତ କରିଥାନ୍ତି । ସେଗୁଡ଼ିକ ପଠନ ଆଯୋଗ୍ୟ ‘ନିଷିଦ୍ଧ ପୁସ୍ତକ'ବୋଲି ଘୋଷଣାକରିଥାନ୍ତି ଏବଂ ଅବାଧ୍ୟ ପାଠକମାନଙ୍କ ପିଠି ପେଟର ଅଭାବ ପୂରଣପାଇଁ ସୁମିଷ୍ଟ ଉତ୍ତମ ମଧ୍ୟମର ମଧ୍ୟ ବ୍ୟବସ୍ଥାକରିଥାନ୍ତି । ବ୍ୟାସ, ଦାନ୍ତେ, ସେକ୍‌ସପିଅର, ସାରଳାଙ୍କ ପାଖରୁ ଆରମ୍ଭକରି ଆଧୁନିକ କାଳର ବୋରିସ୍ ପାସ୍ତରନ୍‌କ, ସୋଲଝେନିତସିନ୍‌, ସଲେମନ ରୁସ୍‌ଦି, ତସଲିମା ନାସରିନ୍‌ଙ୍କ ପର୍ଯ୍ୟନ୍ତ ବାଡ଼ଭଙ୍ଗାମାନଙ୍କ କାମକୁ ଆମେ ଖଳମାନଙ୍କ ତାଲିକାରେ ଖଞ୍ଜିଦେଇ ପାରିବା । କାଳ ଆଖିରେ କଜଳ ମାରିବା କଳାରେ ସୁଦକ୍ଷ ବେଶକାରୀମାନଙ୍କୁ ଆମେ ଅସଲ କଳାକାର ଏବଂ ସେମାନଙ୍କ କୃତିଗୁଡ଼ିକୁ କାଳଜୟୀ କଳାଗ୍ରନ୍ଥ ଭାବରେ ଗ୍ରହଣ କରିପାରିବା ।

 

ହଁ, ଭଲ ଜୀବନ ବଞ୍ଚୁଥିବା ମଣିଷ ଭଲବହି ଲେଖନ୍ତି । ଭଲ କବି ହୁଅନ୍ତି । ଭଲ ଜୀବନ ବଞ୍ଚିବାର ଉତ୍‌ପ୍ରେରକ, ଉତ୍ସାହ ହୁଅନ୍ତି । ତେଣୁ ଭଲବହି ପଢ଼ିବା ଭଲ କଥା । ମାତ୍ର ଯେଉଁମାନେ ଭଲବହି ପଢ଼ୁଥା'ନ୍ତି, ସେମାନେ ସମସ୍ତେ ଯେ ନିଶ୍ଚିତ ଭାବରେ ଭଲ ଜୀବନ ବଞ୍ଚିଥା'ନ୍ତି- ଏକଥା ଆମେ ଛାତିରେ ହାତ ରଖି କହି ପାରିବା ନାହିଁ । ବହିର ଅକ୍ଷରମାନଙ୍କ ଭିତରେ ଯେଉଁମାନେ ଜଗତ ଓ ଜୀବନର ସତ୍ୟକୁ ଅନୁଭବ କରନ୍ତି, ଅକ୍ଷରମାନଙ୍କୁ ବ୍ରହ୍ମବତ୍ ଜ୍ଞାନ କରନ୍ତି ସେଇମାନେ ହିଁ ଭଲଜୀବନ ବଞ୍ଚନ୍ତି । ବୀରପରି ବେଭାର କରନ୍ତି । ମାତ୍ର ଆମ ଭିତରୁ ଅନେକ ବହି ମାନଙ୍କରେ ବର୍ଣ୍ଣିତ ସତ୍ୟକୁ ଆୟତ୍ତ କରିଥାଉ, ଭଲ ଜୀବନ ବଞ୍ଚିବାଲାଗି ନୁହେଁ, ସଂସାର ମୁହଁରେ ଚୂନକଳା ମାରି ଚୂ ଚୂ କରିବା ଲାଗି । ଓହୋ ଓହୋ ହେବା ଲାଗି, ଚିତା କାଟିବାଲାଗି । ଆପଣା ଆହୃତ ଜ୍ଞାନ, ପାଣ୍ଡିତ୍ୟ ବଳରେ ସଂସାରର ଅବଶିଷ୍ଟମାନଙ୍କୁ ଚକିତ କରି ଅଧିକାରର ଶିଖରମଣ୍ଡନ କରିବାଲାଗି । ଅର୍ଥାତ୍ ସେମାନେ ପୁସ୍ତକସ୍ଥ ବିଦ୍ୟାମାନଙ୍କୁ ଆପଣାର ବୋଲକରାକରି ରଖିଥା'ନ୍ତି । ବ୍ୟକ୍ତିତ୍ୱର ଆକଳନ କାଳରେ ପ୍ରଜ୍ଞାକୁ ଅବ୍ୟର୍ଥ ବାଣବତ୍ ବ୍ୟବହାର କରନ୍ତି । ପ୍ରତ୍ୟପକ୍ଷକୁ ପରାସ୍ତକରନ୍ତି । ବୁଦ୍ଧିର ସ୍ତର, ପ୍ରକାର ଓ ଜାତି ଅନୁସାରେ ଜାତିଜାତିକା ଖଟୁଲିମାନଙ୍କରେ ବସିପଡ଼ନ୍ତି । କିଏ ଭିତରେ ତ, କିଏ ବାହାରେ । କିଏ ଉପରେ ତ, କିଏ ତଳେ । କିଏ ଆଜ୍ଞା କହି ହାତମଳେ, କାନ କୁଣ୍ଡାଏ ତ, ଆଉ କିଏ ଘର ବାହାର ସବୁଆଡ଼ର ସମ୍ପର୍କ ଯୋଡ଼ି ଆଦେଶ କଷେ-। ସମସ୍ତେ ଆପଣା ଆପଣା ଲାଖି ଦେଶମାନଙ୍କରେ ଭେଳିକି ଦେଖାଉଥାନ୍ତି । ନିଶ ମୋଡ଼ୁଥାନ୍ତି, ବାଡ଼ି ହଲାଉ ଥା'ନ୍ତି, ହୁଂକାରୁଥା'ନ୍ତି, ଜାତି ଜାତିକା ହସ ଓ ରସିକତାର ପରାଜିତମାନଙ୍କୁ ଅକ୍ରାନ୍ତ କରୁଥା'ନ୍ତି । ଆପଣା ଜାତି ଓ ପ୍ରକାରର ପ୍ରତିଷ୍ଠାପାଇଁ ବହୁ ବିଚିତ୍ର ବିଚିତ୍ର ଯାନରେ ବିଜେକରି, ଦୁବୋଧ୍ୟ ନାଦରେ ଶୂନ୍ୟରେ କମ୍ପନ ସୃଷ୍ଟିକରି ଖାଲି ହାଉଁ ହାଉଁ ହେଉଥା'ନ୍ତି । ବଡ଼ଦାଣ୍ଡରେ ପାଣ୍ଡିତ୍ୟର ମହାଦଣ୍ଡ ହାତରେ ଧରି, ମଣିମୟ ମୁକୁଟପିନ୍ଧି, ଅନ୍ୟ ମେଷବତ୍‌ମାନଙ୍କୁ ଚକିତ କରୁଥା'ନ୍ତି । ଆମ ରାଇଜର କଟୁଆଳମାନଙ୍କଠାରୁ ଆରମ୍ଭକରି ମହାସେନାଧିପତି, ଗାଁର ଅବଧାନମାନଙ୍କଠାରୁ କୁଳାଧିପତି, ବଇଦଠାରୁ ଚିକିତ୍ସାଧ୍ୟକ୍ଷ, ୱାର୍ଡ଼ମେମ୍ୱରଠାରୁ ପ୍ରଧାନ ମନ୍ତ୍ରୀ ଓ ରାଷ୍ଟ୍ରପତି, ଟରଣୀଠାରୁ ପ୍ରଧାନ ନ୍ୟାୟାଧୀଶ, ଚପରାସୀଠାରୁ ମୁଖ୍ୟ ଶାସନ ସଚିବ, ପୁରୋହିତଠାରୁ ପୋପ, ରାଜଗୁରୁ ମୁଲ୍ଲାଙ୍କ ପର୍ଯ୍ୟନ୍ତ ଜାତି ଜାତିକା ଖଟୁଲିରେ ବିଜେ କରିଥିବା ପତିମାନଙ୍କର ବାହାର ଓ ଭିତରକୁ ଭିତିରିଆଖିରେ ଦେଖିଲେ, ସେମାନେ ଆୟତ୍ତ କରିଥିବା ମହାମହା ବିଦ୍ୟାମାନେ ସେଠି ନିଉଛୁଣାଙ୍କ ପରି ସୁକୁ ସୁକୁ ହେଉଥାନ୍ତି । ବିଦ୍ୟାମାନଙ୍କ ମଥା ଉପରେ ଅବିଦ୍ୟାମାନେ ଯେପରି ହାକିମାତି କରୁଥା'ନ୍ତି । ତେଣୁ ଆୟତନମାନଙ୍କରେ ଦେହକିଳି ଗମାତ୍‌ କରୁଥିବା ପତି ଅଥବା ପତ୍ନୀମାନେ ଭଲବହି ପଢ଼ିନାହାନ୍ତି ବୋଲି କହିପାରିବା ନାହଁ । କହି ପାରିବା ନାହିଁ, ସେମାନେ ବଞ୍ଚିନାହାନ୍ତି ବୋଲି । କହିପାରିବା ନାହିଁ, ସେମାନେ ଦୁର୍ବଳ ବୋଲି । ସେମାନେ ବିଦ୍ୟାମାନଙ୍କର ଆୟତନକୁ ଦଖଲ କରିଥାନ୍ତି । ମାତ୍ର ଭେଦି ନଥାନ୍ତି । ଭଲ ପାଇ ନଥାନ୍ତି । ଆସ୍ୱାଦି ନଥାନ୍ତି । ସେମାନେ କେବଳ ବୈଶ୍ୟମାନଙ୍କପରି ବିଦ୍ୟାର ବେପାର କରିଥା'ନ୍ତି । ତେଣୁ ଯେଉଁମାନେ ଭଲ ବହିମାନଙ୍କୁ ଭେଦିଥା'ନ୍ତି, ସେମାନେ ଖଟୁଲି-ସର୍ବସ୍ୱ ଜୀବନ ବଞ୍ଚୁ ନଥା'ନ୍ତି-। ଖଟୁଲିକୁ ପାକୁଳି କରୁନଥା'ନ୍ତି-। ଖଟୁଲିର ସେବାକାରୀ ହୋଇ ନଥା'ନ୍ତି-। ଖଟୁଲି ସ୍ତୁତି କରୁନଥା'ନ୍ତି । ନିଜେ ସ୍ତୋତ୍ର ହୋଇ ଯାଇଥାନ୍ତି ।

 

ମଣିଷ ଯେତେବେଳ ସ୍ତୋତ୍ର ବା ମନ୍ତ୍ର ହୋଇଯାଏ, ସେତେବେଳେ ସେ ଅଲଗା ଜୀବନ ବଞ୍ଚେ । ଆପେ ମନ୍ତ୍ରରେ ରୂପାନ୍ତରିତ ହୋଇ ନଯିବା ପର୍ଯ୍ୟନ୍ତ ସେ କେବଳ କୋଳାହଳ କରୁଥାଏ । କୀର୍ତ୍ତନ କରୁଥାଏ । ଭଲ ବହିମାନଙ୍କୁ ଭେଦିଥିବା,ଜୀବନକୁ ବିଦ୍ୟାଳୟ ଓ ବସ୍ତୁମାନଙ୍କୁ ଶକ୍ତିମୟ ବୋଲି ଜ୍ଞାନ କରୁଥିବା, ଅନୁଭବର ଗବାଷମାନଙ୍କୁ ସଦା ମୁକୁଳା ରଖିଥିବା, ଜୀବନକୁ ଖୋଲାବହିପରି ଜ୍ଞାନ କରୁଥିବା, ଜୀବନର ଆଦର୍ଶ ଓ ଜାଗତିକ ସତ୍ୟ ସହ ପ୍ରତାରଣା କରୁ ନଥିବା ମଣିଷମାନେ ହିଁ କେବଳ ମନ୍ତ୍ର ହୋଇଯାଇ ପାରନ୍ତି । ଭଲ ବହି ହୋଇଯାଇ ପାରନ୍ତି । ସକ୍ରେଟିସ, ଯୀଶୁ, ଡାଇଓଜେନିସ, ମହାବୀର, ଗୌତମ, ଲାଓ-ସି, ଚାର୍ବାକ, ଚାଣକ୍ୟ, ସନ୍ଥ ରାମଦାସ, ନାନକ, ପ୍ଳେଟୋ, ସେଣ୍ଟ ଅଗଷ୍ଟାଇନ, ଗାଲିଲିଓ, ଡାରଉଇନ, ସ୍କିନୋଜା, ରୁବର, ମାର୍କସ, ହୋ-ଚି-ମିନ, ଗାରିବାଲଡ଼ି, ମହାତ୍ମାଗାନ୍ଧି, ଆଇନଷ୍ଟାଇନ, ମାଓ-ସେ-ତୁଙ୍ଗ, ଲେନିନ, ଆବ୍ରାହମଲିଂକନ, ମାର୍ଟିନ୍ ଲୁଥର୍ କିଙ୍ଗ୍ ନେଲସନ ମାଣ୍ଡେଲା ଆଦି ମଣିଷମାନଙ୍କୁ ଆମେ ଉପଯୁକ୍ତ ଧାରାର ପ୍ରତୀକ ରୂପରେ ଗ୍ରହଣ କରିପାରବା । ଏମାନେ କେହି ନିଜ ସାମାନ୍ୟ ଜୀବନର ସୁରକ୍ଷା ଓ ସୁଖପାଇଁ ପ୍ରଜ୍ଞା ଓ ଅଧିକାରର ପ୍ରୟୋଗ କରିନାହାନ୍ତି । ଜୀବନକୁ ଜୀବନ ଭାବରେ ଦେଖିଛନ୍ତି । ଜୀବନ ସହ ପ୍ରତାରଣା କରିନାହାନ୍ତି । ଆପଣା ଓ ଅନ୍ୟର ଜୀବନକୁ ନେଇ ଖେଳି ନାହାନ୍ତି । ଆପଣା ଆପଣାର ଜୀବନକୁ ସଂସାରର ସକଳ ପ୍ରକାରର ପରୀକ୍ଷାଗାରର ଉପାଦାନ, ପୁଞ୍ଜି ରୂପରେ ଜ୍ଞାନ କରିଛନ୍ତି । ନିଜକୁ ଭାଙ୍ଗିଛନ୍ତି, ବାନ୍ଧିଛନ୍ତି । ଜ୍ୱଳନର ଯନ୍ତ୍ରଣାକୁ ସ୍ୱୀକାର କରିଛନ୍ତି ଏବଂ ତେଜରେ ଅନ୍ୟମାନଙ୍କୁ ଆହ୍ଲାଦିତ ଓ ଉଦ୍ଦୀପିତ କରିଛନ୍ତି । ସେମାନଙ୍କ ଜୀବନକୁ ଆମେ ଭଲ ବହି ବୋଲି କରି କହିପାରିବା ଏବଂ ନିଜ ଜୀବନକୁ ଭଲ ବହି କରିଦେଇ ପାରିଲେ, ଭଲବହି ପଢ଼ିବେ, ବୁଝିବେ ବୋଲି କେବଳ ଦାବି କରିପାରିବା ନାହିଁ, ଅନ୍ୟମାନଙ୍କ ଭିତରେ ଭଲର ବିହନ ବୁଣିବାରେ ସମର୍ଥ ହୋଇପାରିବା । ଦିନେ ଅବଶ୍ୟ ମରିବା, ମାତ୍ର ମରି ବି ବିବଶ ହେବା ସେଇ ଗଳ୍ପମାନଙ୍କପରି ।

•••

 

ଆଉ ଏକ ଆନ୍ଦୋଳନ ଲୋଡ଼ା

ଡକ୍ଟର ବିଜୟାନନ୍ଦ ସିଂହ

 

ଊନବିଂଶ ଶତାବ୍ଦୀର ଶେଷ ବିଂଶ ଶତାବ୍ଦୀର ପ୍ରାରମ୍ଭ - ଓଡ଼ିଆ ଭାଷାର ସମୃଦ୍ଧି ସାଧନ ଓ ସ୍ୱତନ୍ତ୍ର ଓଡ଼ିଶା ଗଠନପାଇଁ ସ୍ୱାଭିମାନୀ ବିଶିଷ୍ଟ ଓଡ଼ିଆମାନଙ୍କର ଥିଲା ତ୍ୟାଗ, ନିଷ୍ଠା, ସଂଗ୍ରାମ ଓ ସାଧନାର ଅଧ୍ୟାୟ । କିନ୍ତୁ ଏବେ ବିଂଶ ଶତାବ୍ଦୀର ଶେଷ ଏକବିଂଶ ପ୍ରାରମ୍ଭ- ଏହି ଅଧ୍ୟାୟରେ କ'ଣ ହୋଇଛି ଆମ ଭାଷା ଓ ସାହିତ୍ୟର ? ଉନ୍ନତି ନା ଅବକ୍ଷୟ, ବିକାଶ ନା ବିପର୍ଯ୍ୟୟ ? ବିଚାର କରିବା- କେଉଁ ଅବସ୍ଥାରେ ଅଛି ଓଡ଼ିଆ ଭାଷା ସାହିତ୍ୟ, କେଉଁ ଅବସ୍ଥାରେ ଅଛି ଭାଷା ଭିତ୍ତିକ ପ୍ରଦେଶ ଓଡ଼ିଶା । ପରାଧୀନ ଓଡ଼ିଶାରେ ସେତେବେଳେ ଭାଷା ସାହିତ୍ୟ ଆଣି ଦେଇଥିଲା ସମଗ୍ର ଉତ୍କଳରେ ଏକତା, ସଂହତି ଓ ଜାତୀୟତାର ମନ୍ତ୍ର । କାରଣ ଆମେ ଭାଷା, ସାହିତ୍ୟକୁ ପ୍ରାଣ ଦେଇ ଭଲ ପାଉଥିଲୁ । ଆମେ ଖୋଜୁଥିଲୁ ଆମ ସାହିତ୍ୟ ଭିତରେ ମୁକ୍ତିର ସୋପାନ । ଶହେ ବର୍ଷ ପରେ କିନ୍ତୁ କ'ଣ ହୋଇଛି- ସ୍ୱତନ୍ତ୍ର ପ୍ରଦେଶ ଗଠନ, ସ୍ୱାଧୀନତା ପ୍ରାପ୍ତି ପରେ ଆମର କ’ଣ ପରିବର୍ତ୍ତନ ହୋଇଛି ? ଭାଷା, ସାହିତ୍ୟ, ସଂସ୍କୃତିକୁ ନେଇ ଆମ ଭିତରେ ସେହି ଆବେଗ, ଭାବପ୍ରବଣତା, ଭଲ ପାଇବାର ମୋହ ପୂର୍ବପରି ଅଛି କି ? ଏବେ କେତେ ଲୋକ ଓଡ଼ିଆ ବହି ପଢ଼ୁଛନ୍ତି? ଓଡ଼ିଶାର ଜନ ସଂଖ୍ୟା ପ୍ରାୟ ଚାରି କୋଟିକୁ ଛୁଇଁଲାଣି - କେତେ ପୁସ୍ତକ ବର୍ଷକୁ ପ୍ରକାଶିତ ହେଉଛି-। ଦିନ ଥିଲା ଗାଁ ଗହଳରେ, ସାଧାରଣ ମଣିଷ, ଝିଅ ବୋହୂ ଓଡ଼ିଆ ବହି ପଢ଼ୁଥିଲା- ଗୀତ, କବିତା ମୁକ୍ତକଣ୍ଠରେ ଗାଉଥିଲା- ସଂଧ୍ୟାରେ ଗାଁ ମୁଣ୍ଡରେ ଭାଗବତ, ମହାଭାରତ ପାଠ ହେଉଥିଲା-। ସାହିତ୍ୟ, ସାଧାରଣ ମଣିଷର ଘନିଷ୍ଠ ହୋଇଯାଇଥିଲା-। ସାହିତ୍ୟ ଭିତରେ ସାଧାରଣ ମଣିଷ ଜୀବନକୁ ଦେଖୁଥିଲା । କିନ୍ତୁ ନୂତନ ଶତାବ୍ଦୀରେ..... ।

 

ବଙ୍ଗଳା ଭାଷାର ପଣ୍ଡିତ, ବିଦ୍ୱାନ ଡକ୍ଟର ସୁନୀତକୁମାର ଚାଟାର୍ଯୀ ୧୯୫୪ ମସିହା ଏପ୍ରିଲ୍ ୧୩ ତାରିଖରେ କଟକଠାରେ ପଞ୍ଚମ ବିଷୁବ ମିଳନରେ ଭାଷଣ ଦେଇ କହିଥିଲେ ଯେ ‘ଅସମୀୟା, ବଙ୍ଗଳା ଓ ଓଡ଼ିଆ ଭାଷା ମଧ୍ୟରେ ବନ୍ଧନର ଦୃଢ଼ତା ଦେଖାଯାଏ । ଏହି ତିନି ଭାଷା ମଧ୍ୟରେ ଓଡ଼ିଆ ନିଜର ପ୍ରାଚୀନତା ରକ୍ଷା କରି ପାରିଥିବାରୁ ଓଡ଼ିଆକୁ ଜ୍ୟେଷ୍ଠା ଭଗ୍ନୀ ଆଖ୍ୟା ଦିଆଯାଇପାରେ ।’ ଏହି ଐତିହାସିକ ଉକ୍ତିକୁ ଆମେ ଏବେ ଠିକ୍ ଭାବରେ ଉପସ୍ଥାପିତ କଲୁକି ? ଓଡ଼ିଆ ଭାଷାର ନିଜସ୍ୱ ସୁନ୍ଦର ଲିପି ରହିଛି । ଏହା ରୋମାନ୍ ଲିପିରେ ଲେଖାଯାଏ ନାହିଁ । ଓଡ଼ିଆ ଭାଷାର ପ୍ରାଚୀନତମ ଶିଳାଲେଖ ୧୦୫୧ ମସିହାର ଦ୍ୱିତୀୟ ବ୍ରଜ ହସ୍ତଦେବଙ୍କ ଉରଜାମ ଶିଳାଲେଖ । ଏହି ମହାନ୍ ସତ୍ୟର ପ୍ରତିଧ୍ୱନି ଦିଗଦିଗନ୍ତକୁ ନ ଛୁଇଁବା ଯାଏ ଅପରର ଅଧୀନତାର ବଶ୍ୟତା ସ୍ୱୀକାର ଆମକୁ କରିବାକୁ ହିଁ ପଡ଼ୁଥିବ ।

 

ଆମ ଭାଷା, ସାହିତ୍ୟ ସମ୍ପର୍କରେ ଆମେ କ'ଣ କରୁଛୁ । ସହରରେ ନୁହେଁ ଗ୍ରାମାଞ୍ଚଳରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ବହୁ ସଂଖ୍ୟାରେ ଖୋଲିବାରେ ଲାଗିଛି । ଓଡ଼ିଆ ଲୋକମାନେ ତାଙ୍କ ପିଲାଙ୍କୁ ସେଠାରେ ପଢ଼ାଇବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ସେମାନଙ୍କ ପିଲା ଇଂରାଜୀ କହିବେ ଲେଖିବେ ତାହା ପିତାମାତାଙ୍କର ଲକ୍ଷ୍ୟ । ଓଡ଼ିଆ ଭାଷା ଯେପରି ଆଲୋଡ଼ା, ଅଦରକାରୀ ହୋଇ ପଡ଼ିଛି ସେମାନଙ୍କ ନିକଟରେ । ଇଂରାଜୀ ଜାଣିବା, ପଢ଼ିବା ଭଲ କଥା । କିନ୍ତୁ ମାତୃଭାଷାକୁ ଅବହେଳା କରି ନୁହେଁ । ସମ୍ପ୍ରତି ଆଜି ଓଡ଼ିଆ ଘରେ ଯେତେ ବିବାହୋତ୍ସବ, କର୍ମକର୍ମାଣି, ବିଭିନ୍ନ ପାରିବାରିକ ଉତ୍ସବ ଅନୁଷ୍ଠିତ ହେଉଛି- ସେଥିପାଇଁ ଅଧିକାଂଶ ନିମନ୍ତ୍ରଣ ପତ୍ର ଇଂରାଜୀରେ ଛପା ହେଉଛି । ଉତ୍ସବପାଇଁ ହେଉଥିବା ସ୍ୱାଗତ ତୋରଣ ସବୁ ପ୍ରାୟତଃ ଇଂରାଜୀରେ ହିଁ ଲେଖା ହେଉଛି-। କେହି ପଢ଼ୁ ବା ନ ପଢ଼ୁ । କେହି ବୁଝୁ ବା ନ ବୁଝୁ ଇଂରାଜୀ ଭାଷାରେ ଏସବୁ ଲେଖା ହେବ । ସତେଯେପରି ଏହା ଆମମାନଙ୍କର ଆଭିଜାତ୍ୟର ପ୍ରତୀକ । ଇଲୋକ୍‌ଟ୍ରୋନିକ୍ ମାଧ୍ୟମର ବହୁଳ ପ୍ରସାର ଫଳରେ ଅନ୍ୟ ଭାଷାର ପ୍ରଚାର ପ୍ରସାର ସହଜ ହୋଇଛି । ଯାହା ଫଳରେ ଓଡ଼ିଶାର ସାଧାରଣ ଲୋକେ ଓଡ଼ିଆ ଅପେକ୍ଷା, ଟି.ଭି.ର ଭାଷାକୁ ବୁଝିବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । କଥା କଥାକେ ବିଜୁତ ଇଂରାଜୀ ଭାଷା ବ୍ୟବହାର କରାଯାଉଛି । ଶୁଦ୍ଧ ଓଡ଼ିଅ ଅପେକ୍ଷା ଅନ୍ୟ ଭାଷାକୁ ଭୁଲଭାଲ୍ କହିବା- ଏକ ସାଧାରଣ ଅଭ୍ୟାସ ହୋଇଗଲାଣି ।

 

ଇଂରାଜୀ ଭାଷାରେ ଲେଖା ଅତି ନିମ୍ନମାନର ରଚନା ହେଉ ପଛେ ଆମେ ତାକୁ ପଢ଼ିବୁ କିନ୍ତୁ ଉଚ୍ଚମାନର ମାତୃଭାଷାର ସାହିତ୍ୟକୁ ପଢ଼ିବୁ ନାହିଁ । ଆମର ବହୁ ଲେଖକମାନଙ୍କର ଦୁଃଖ ଯେ ତାଙ୍କ ଲେଖାକୁ ବା ସାରସ୍ୱତ କୃତିତ୍ୱ ତାଙ୍କ ପିଲାମାନେ କଳନା କରି ପାରିବେ ନାହିଁ । ଓଡ଼ିଶା ସରକାର ଓଡ଼ିଆକୁ ସରକାରୀ ଭାଷାଭାବେ ଘୋଷଣା କରିଛନ୍ତି । କିନ୍ତୁ ସରକାରୀ ସ୍ତରରେ ଏହା ବାସ୍ତବରେ କାର୍ଯ୍ୟକାରୀ ହୋଇଛି କି ? ଏ କ୍ଷେତ୍ରରେ ଆମର ଘୋର ଆନ୍ତରିକତାର ଅଭାବ । ଆମ ବିଚାରରେ ଓଡ଼ିଆ ଭାଷା ସାହିତ୍ୟ ଏକ ସଂକଟ ଆଡ଼କୁ ମୁହାଁଇଛି ।

 

ଗତ ଶତାବ୍ଦୀରେ ଓଡ଼ିଆ ଭାଷା ବିଲୋପ ଆନ୍ଦୋଳର ପ୍ରତ୍ୟକ୍ଷ ଭାବରେ ନେତୃତ୍ୱ ନେଇଥିଲେ ଅଣଓଡ଼ିଆମାନେ । କିନ୍ତୁ ଏବେ କ'ଣ ହେଉଛି ? ଏହି ଶତାବ୍ଦୀରେ ସ୍ୱାଧୀନୋତ୍ତର ଓଡ଼ିଶାରେ ପରୋକ୍ଷରେ ଓଡ଼ିଆ ଭାଷାର କ୍ଷତି ସାଧିତ ହେଉଛି । ସେଥିପାଇଁ କିଏ ଦାୟୀ ?? ଏହିଠାରେ ଗୋଟିଏ କଥା ମନକୁ ଆସୁଛି ‘ଆପଣା ହସ୍ତେ ଜିହ୍ୱା ଛେଦି କେ ଅଛି ତାର ପ୍ରତିବାଦୀ’ । ସେଥିପାଇଁ ଯାହା ସବୁ ଘଟିଯାଉଛି ଆମେ ତାହାର ଯଥାର୍ଥ ପ୍ରତିବାଦ କରିପାରୁ ନାହୁଁ ।

 

ଓଡ଼ିଆ ସାହିତ୍ୟର ପ୍ରଖ୍ୟାତ ସାରସ୍ୱତ ସ୍ରଷ୍ଟାମାନେ ନୂତନ, ଉନ୍ନତ ସାହିତ୍ୟ ସୃଷ୍ଟି କରି ଆତ୍ମସନ୍ତୋଷ ଲାଭ କରୁଛନ୍ତି । କିନ୍ତୁ ସେମାନେ ଯେଉଁ ଭାଷାରେ ଲେଖୁଛନ୍ତି ତାହାର ଅବସ୍ଥା କେଉଁଠି ପହଞ୍ଚିଲାଣି- ତାହା ଭାବିଛନ୍ତି କି ? ମାତୃଭାଷା ଓଡ଼ିଆର ଭବିଷ୍ୟତପାଇଁ ସେମାନେ ଯଦି ଚିନ୍ତା ନ କରିବେ ଆଉ କରିବ ବା କିଏ ? ଆମର ପ୍ରାତଃ ସ୍ମରଣୀୟ କର୍ମବୀର ଗୌରୀଶଙ୍କର, ବ୍ୟାସକବି ଫକୀରମୋହନ, କବିବର ରାଧାନାଥ, ଭକ୍ତକବି ମଧୁସୂଦନ, ପ୍ରକୃତିକବି ଗଙ୍ଗାଧର, ପଲ୍ଲୀକବି ନନ୍ଦକିଶୋର, ମନସ୍ୱୀ ମଧୁସୂଦନ ପ୍ରମୁଖ ବରେଣ୍ୟ ସାରସ୍ୱତ ସାଧକମାନେ ସାହିତ୍ୟ କେବଳ ଲେଖୁଥିଲେ ତାହା ନୁହେଁ ଗୋଟିଏ ଭାଷା ସୁରକ୍ଷା ଆନ୍ଦୋଳନର ପ୍ରତ୍ୟକ୍ଷ, ପରୋକ୍ଷ ଭାବରେ ନେତୃତ୍ୱ ନେଇଥିଲେ । ସେମାନଙ୍କର ନିଷ୍ଠାପର, ନିରନ୍ତର ପ୍ରଚେଷ୍ଟା ଓଡ଼ିଆ ଭାଷାକୁ ସମୃଦ୍ଧି କରିଥିଲା ଓ ପ୍ରତିଟି ଓଡ଼ିଆ ଭାଷାଭାଷୀମାନଙ୍କୁ ସଚେତନ କରିଥିଲା । ଊନବିଂଶ ଶତାବ୍ଦୀର ଶେଷ ଓ ବିଂଶ ଶତାବ୍ଦୀର ଆରମ୍ଭରେ ଆମ ଭାଷା ସାହିତ୍ୟ ଏକ ବିରାଟ ସଙ୍କଟକୁ ଏଡ଼ାଇ ଦେଇ ଏକ ସମ୍ଭାବନାମୟ ଭବିଷ୍ୟତ ସୃଷ୍ଟି କରିଥିଲା । କିନ୍ତୁ ବିଂଶ ଶତାବ୍ଦୀରେ ଶେଷ ଏବଂ ଏକବିଂଶ ଶତାବ୍ଦୀର ଆରମ୍ଭରେ ଆମେ ସଙ୍କଟ ସୃଷ୍ଟି କରୁଛୁ । ସାମାଧାନର ସୂତ୍ର ଏବେ ବି ଅନାୟତ ।

 

ଏଥିପାଇଁ ଏକବିଂଶ ଶତାବ୍ଦୀର ଆରମ୍ଭରେ ଆଉ ଏକ ବୃହତ୍ତର ଓଡ଼ିଆ ଭାଷା ସାହିତ୍ୟ ସୁରକ୍ଷା ଆନ୍ଦୋଳନ ଆବଶ୍ୟକ । ଆମ ଭାଷାର ବରେଣ୍ୟ ଲେଖକ, କବି, ସମ୍ପାଦକ, ସାରସ୍ୱତ ସଙ୍ଗଠନ, ଓଡ଼ିଆ ଭାଷାକୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ଏହି ଆନ୍ଦୋଳନର ନେତୃତ୍ୱ ନିଅନ୍ତୁ । ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନକୁ ବିସ୍ତାରିତ କରନ୍ତୁ । ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର, ପ୍ରସାରପାଇଁ ଆନ୍ତରିକ ଉଦ୍ୟମ କରନ୍ତୁ ଏହାହିଁ କାମନା ।

•••

 

ଛାତ୍ର - ଶିକ୍ଷକ : ପରିଚୟ ଓ ଘନିଷ୍ଠତା

ଡକ୍ଟର ମଣୀନ୍ଦ୍ର କୁମାର ମେହେର

 

ଆଜି ସମାଜ ବହୁ ପାରିମାଣରେ କଳୁଷିତ ହୋଇ ପଡ଼ଛି ଏକଥା ସତ୍ୟ । ପାରିବାରିକ ଓ ସାମାଜିକ ନାନା ସମ୍ପର୍କ ହୋଇଯାଇଛି ସ୍ୱାର୍ଥକୈନ୍ଦ୍ରିକ । ଗୁରୁ ଛାତ୍ରର ସମ୍ପର୍କ ଉପରେ ଏହାର ପ୍ରତିକୂଳ ପ୍ରଭାବ ଆମକୁ ବ୍ୟଥିତ କରିଛି । କିନ୍ତୁ ଏସବୁ ସତ୍ତ୍ୱେ ତଥାପି ନିଃସ୍ୱାର୍ଥପର ଓ ପବିତ୍ର ସମ୍ପର୍କବୋଲି ଯଦି କିଛି ଥାଏ ତାହା ହେଉଛି ଶିକ୍ଷକ ଓ ଛାତ୍ରର ଶ୍ରଦ୍ଧାପୂର୍ଣ୍ଣ ସମ୍ବନ୍ଧ । ସେଇ ଅନାବିଳ ସମ୍ବନ୍ଧର ଝଲକ ଆଜିବି ଦୁର୍ଲଭ ହୋଇଯାଇ ନାହିଁ ଏହାହିଁ ଏକ ଆଶ୍ୱାସନା ।

 

ନୂତନ ଛାତ୍ରମାନଙ୍କ ସହିତ ପରିଚିତ ହେବାର ମୁହୂର୍ତ୍ତ ଜଣେ ଶ୍ରଦ୍ଧାବାନ ଶିକ୍ଷକପାଇଁ କେତେ ପ୍ରେରଣାପୂର୍ଣ୍ଣ ସତେ । ଛାତ୍ରମାନେ ମଧ୍ୟ ନୂତନ ଶିକ୍ଷକଙ୍କ ସଂସ୍ପର୍ଶରେ ଶିହରିତ ହେବାର ସମୟ ବାସ୍ତବରେ ଏକାନ୍ତ ଅବିସ୍ମରଣୀୟ । ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ନାଁ ପଚାରନ୍ତି ଶ୍ରେଣୀ କକ୍ଷରେ । କିନ୍ତୁ ଏସବୁ ନାମ କ'ଣ ଶିକ୍ଷକଙ୍କର ମନେ ରହେ? ନାମ ତ ଛାତ୍ରର ଅସଲ ପରିଚୟ ନୁହେଁ । ବିଦ୍ୟାର୍ଥୀର ବ୍ୟବହାର ଯେତେ ଆନ୍ତରିକ ହୁଏ ଶିକ୍ଷକର ହୃଦୟରେ ସେ ସେତିକି ରେଖାପାତ କରିପାରେ । ଛାତ୍ର ଓ ଶିକ୍ଷକ ମଧ୍ୟରେ ହେଉଥିବା ପ୍ରଥମ ପରିଚୟ ବଡ଼ ଉଲ୍ଲାସମୟ । କିନ୍ତୁ ସେ ପରିଚୟ ଘନିଷ୍ଠତାର ସ୍ତରକୁ ଯଦି ଉତ୍ତୀର୍ଣ୍ଣ ହୋଇ ନ ଯାଏ ତା ହେଲେ ତାକୁ ଏକ ପ୍ରେରଣାପୂର୍ଣ୍ଣ ସମ୍ପର୍କ ବୋଲି ଆମେ କେବେହେଲେ ଅଭିହିତ କରିପରିବା ନାହିଁ ।

 

ଛାତ୍ର କେବଳ ପାଠପଢ଼ା ପ୍ରତି ଯେଉଁ ଶିକ୍ଷକ ଦୃଷ୍ଟି ରଖେ ସିଏ କେବେହେଲେ ଛାତ୍ର ସହ ଘନିଷ୍ଠ ହୋଇପାରେ ନାହିଁ । ଘନିଷ୍ଠ ହେବାର ଆନ୍ତରିକତା ଶିକ୍ଷକଙ୍କ ଆଡ଼ୁହିଁ ଆରମ୍ଭ ହୁଏ । ତାହାର ମନଭିତରକୁ ପ୍ରବେଶ କରିବାପାଇଁ, ତା'ର ହୃଦୟ ଅଭ୍ୟନ୍ତରର ବିଭିନ୍ନ କୋଠରୀକୁ ତନ୍ନତନ୍ନ କରି ଦେଖିବାପାଇଁ ଯେଉଁ ଶିକ୍ଷକଙ୍କର ଆଗ୍ରହ ଯେତେ ବେଶୀ ସେ ହିଁ ଛାତ୍ର ସହିତ ସେତିକି ଘନିଷ୍ଠ ହୋଇ ପାରନ୍ତି ।

 

ଛାତ୍ରର ହୃଦୟଭିତରେ ପ୍ରବେଶ କରିବା କ'ଣ ଏକ ସହଜ କଥା ? ଏହା ତ ଏକ ପର୍ବତ ଆରୋହଣ । ଘଞ୍ଚ ଜଙ୍ଗଲ ଭିତରକୁ ଏକ ରୋମାଞ୍ଚକର ପ୍ରବେଶ । ଅନ୍ଧକାରାବୃତ୍ତ ଗିରିଗୁହା ଭିତରକୁ ଏକ କଠିନ ଯାତ୍ରା ଏହା । ତେବେ ଯେଉଁ ଶିକ୍ଷକର ଅନ୍ତର ଅମାପ ଶ୍ରଦ୍ଧାରେ ଉତ୍‌କୁଳ ସିଏ ଛାତ୍ରର ହୃଦୟ ସମୁଦ୍ରରୁ ମୁକ୍ତା ସଂଗ୍ରହ କରିପାରେ । ନିବିଡ଼ ଜଙ୍ଗଲରୁ ସଂଗ୍ରହ କରିପାରେ ସୁବାସିତ ପୁଷ୍ପଗୁଳ୍ପ । ଅନ୍ଧକାର ଗିରିଗୁହାରୁ ଆବିଷ୍କାର କରେ ଉଜ୍ଜ୍ୱଳ ହୀରକ ଖଣ୍ଡ ।

 

ଶିକ୍ଷକ ଛାତ୍ର ପୂଜନୀୟ । ତେଣୁ ଉଭୟଙ୍କ ଭିତରେ କିଛି ଦୂରତ୍ୱ ରହିବା ଅନିବାର୍ଯ୍ୟବୋଲି ଯେଉଁମାନେ ମନେ କରନ୍ତି ସେମାନେ ମାନବିକ ଘନିଷ୍ଠତାର ମହତ୍ତ୍ୱ କେବେହେଲେ ଉପଲବ୍‌ଧି କରିପାରନ୍ତି ନାହିଁ । ଜଣେ ଉଚ୍ଚକୋଟୀର ଶିକ୍ଷକ ଅନ୍ତରଙ୍ଗ ବନ୍ଧୁରୁ ଆହୁରି ନିଜର, ଆହୁରି ଆପଣାର । ଛାତ୍ର ନିଜର ମର୍ମବେଦନାକୁ ଯେତେବେଳେ ଜଣେ ଶିକ୍ଷକ ପାଖରେ ଉନ୍ମୁକ୍ତ କରିଦେବାପାଇଁ ପ୍ରେରଣା ପାଏ ସେତିକି ବେଳେ ହିଁ ଉଭୟଙ୍କ ସମ୍ବନ୍ଧ ହୋଇଯାଏ ସୌରଭମୟ । ଶିକ୍ଷକ ତ ପିତାମାତାଠାରୁ ଆହୁରି ନିଃସ୍ୱାର୍ଥପର । ଅନ୍ତରଙ୍ଗ ବନ୍ଧୁଠାରୁ ସହାନୁଭୂତିଠାରୁ ଆହୁରି ଗଭୀର ତା'ର ମମତା । ଭାଇ ବା ଭଉଣୀଠାରୁ ଅଧିକ ନିବିଡ଼ ତା'ର ଘନିଷ୍ଠତା । ଜଣେ ଅନ୍ତରଙ୍ଗ ଶିକ୍ଷକ ଆଗରେ ଶ୍ରଦ୍ଧାପ୍ଲୁତ ଛାତ୍ରଟିଏ ଶିଶୁପରି କ୍ରନ୍ଦନ କରିପାରେ । ମନଭରି ପ୍ରାଣର ଉଲ୍ଲାସ ପ୍ରକଟ କରିପାରେ । ଛାତି ତଳର ଅକୁହା ବ୍ୟଥାକୁ ଖୋଲି ଦେଇପାରେ ନିଜ ପ୍ରିୟ ଶିକ୍ଷକ ସମ୍ମୁଖରେ ।

 

କେବଳ ଶାସନ କରୁଥିବା ମଣିଷଟି କେବେହେଲେ ଶିକ୍ଷକ ହୋଇପାରେ ନାହିଁ । ସମ୍ମାନନୀୟ ଆସନରେ ବସିଥିଲେ କେହି ଶିକ୍ଷକ ପ୍ରକୃତରେ ଛାତ୍ରର ଅନ୍ତରତଳକୁ ଓହ୍ଲାଇ ଆସିପାରେ ନାହିଁ । ଶ୍ରେଣୀ କକ୍ଷରେ ଯିଏ କେବଳ ପାଠ୍ୟଦାନ କରେ ସେ କ'ଣ କେବେ ଛାତ୍ରର ହୃଦୟ ତନ୍ତ୍ରୀକୁ ଛୁଇଁପାରେ ? ବିଶ୍ୱକବି ରବୀନ୍ଦ୍ରନାଥ ସେଥିପାଇଁ କହିଥିଲେ କେବଳ ପାଠ ଶିଖାଉଥିବା ଶିକ୍ଷକମାନେ ଅକାଳରେ ବିସ୍ମୃତ ହୋଇଯାଆନ୍ତି । ପାଠ ସହିତ ଯିଏ ପ୍ରାଣଦାନ କରେ ସିଏ ହିଁ ସଞ୍ଜୀବିତ ହୋଇରହେ ଛାତ୍ରର ହୃଦୟ କନ୍ଦରରେ ।

 

ସତ୍ ଉପଦେଶ ଦେବାରେ ହିଁ ଶିକ୍ଷକର କର୍ତ୍ତବ୍ୟ ସୀମିତବୋଲି ଅନେକେ ଜ୍ଞାନ କରନ୍ତି-। କିନ୍ତୁ ଶୁଷ୍କ ଉପଦେଶ ଦେଉଥିବା ମଣିଷଟି କେବେ କାହାର ପ୍ରିୟ ହୁଏ ? ସତକୁ ସତ କ'ଣ ମଣିଷ କାହାର ଉପଦେଶ ଲୋଡ଼େ ? ଉପଦେଶ ନୁହେଁ ଆତ୍ମୀୟତା, ସମବେଦନା ଓ ସ୍ନେହର ସ୍ପର୍ଶ ହିଁ ପ୍ରତିଟି ମଣିଷ ଚାହିଁଥାଏ ଆନ୍ତରିକ ଭାବରେ । ଶିକ୍ଷକ ତେଣୁ କେବଳ ଶିକ୍ଷା କି ଉପଦେଶ ଦିଏ ନାହିଁ । ସିଏ ଛାତ୍ରଜୀବନର ଅବିଚ୍ଛିନ୍ନ ଅଂଶ ହୋଇଯାଏ । ଛାତ୍ରଭାବନାର କେନ୍ଦ୍ରବିନ୍ଦୁ ହୁଏ । ପ୍ରତିଟି ଛାତ୍ରଠାରୁ ସେ ଶୁଣେ ତା'ର ଗହନ ଉପଲବ୍‌ଧିର ବ୍ୟଥା । ଆଉ ନିଜ ଜୀବନର କେତେ ଅଭୁଲା ସ୍ମୃତି ମଧ୍ୟ ଉନ୍ମୁକ୍ତ କରିଦିଏ ଛାତ୍ର ଆଗରେ । ଜୀବନର ମର୍ମକଥା ପରସ୍ପର ଆଗରେ ଖୋଲିଦେଲେ କେହି କି ଆଉ କାହାକୁ ଭୁଲିଯାଇ ପାରେ ? ମହାତ୍ମାଗାନ୍ଧୀ ସେଥିପାଇଁ ଏକଦା ସ୍ୱୀକାର କରିଥିଲେ ଯେ ଶିକ୍ଷକମାନେ ତାଙ୍କୁ ଯେଉଁ ପାଠଦାନ କରିଛନ୍ତି ସେ ସବୁକୁ ସେ ଭୁଲିଯାଇଛନ୍ତି । କିନ୍ତୁ ଜୀବନର ଯେଉଁ ଅବିସ୍ମରଣୀୟ ଅନୁଭୂତି ଶିକ୍ଷକ ବର୍ଣ୍ଣନା କରିଛନ୍ତି ସେସବୁ ତାଙ୍କର ହୃଦୟରେ ରେଖାପାତ କରି ରହିଛି ଚିରକାଳ ।

 

ପ୍ରକୃତ ଶିକ୍ଷକର ସ୍ପର୍ଶରେ ଛାତ୍ରର ଅନ୍ତରରୁ ଦୁଃଖ ପୋଛି ହୋଇଯାଏ । ଅନ୍ତରାତ୍ମାର ସ୍ନିଗ୍‌ଧତା ଫୁଟି ଉଠେ ଅଦ୍‌ଭୁତ ଭାବରେ । ଶ୍ରେଣୀକକ୍ଷର ଚାରିକାନ୍ଥ ଭିତରେ ଯେଉଁଠି ସମ୍ପର୍କ ସୀମାବଦ୍ଧ, ସେଠି ନା କେବେ ଫୁଲ ଫୁଟେ, ନା କେବେ ପକ୍ଷୀ ଡାକେ, ନା କେବେ ଝରଣା ଗୀତ ଗାଏ, ନା ଜହ୍ନ ଢାଳିଦିଏ ଶୁଭ୍ର ଜ୍ୟୋତ୍ସ୍ନା ? ରାସ୍ତାରେ ଯିବା ଆସିବା ବେଳେ ଛାତ୍ରର ଶ୍ରଦ୍ଧାପୂର୍ଣ୍ଣ ନମସ୍କାର କେବଳ ସ୍ୱୀକାର କରିନେଇ ଯୋଉ ଶିକ୍ଷକ ଆଗକୁ ଅଗ୍ରସର ହୋଇଯାଏ ସିଏ ସତକୁସତ ଛାତ୍ରର ଜୀବନ ପରିସରର କେତେ ଦୂରକୁ ଚାଲିଯାଏ । ଶ୍ରଦ୍ଧାପୂର୍ଣ୍ଣ ନମସ୍କାରଟିଏ ଲାଭକରି ଯେଉଁ ଶିକ୍ଷକ ଅଭିଭୂତ ହୋଇଯାଏ ଆଉ ଅଟକିଯାଏ ରାସ୍ତାରେ, ମମତାବୋଳା ଆଳାପରେ କିଛିକ୍ଷଣ ଛାତ୍ରର ମନରେ ଭରିଦିଏ ଏକ ଉଲ୍ଲସିତ ଶିହରଣ ସିଏ ହିଁ ଏଥର ମନେ ପଡୁଥାଏ ଅନୁକ୍ଷଣ । ରାସ୍ତାରେ ଅଟକିଯିବା ମାନେ ହୃଦୟରେ ହିଁ ଅଟକିଯିବା ।

 

ପାଠ ବ୍ୟତୀତ ଯେଉଁ ଶିକ୍ଷକ ଛାତ୍ରକୁ ତାର ପିତା, ମାତା, ପରିବାର, ଆତ୍ମୀୟସ୍ୱଜନ ଗାଁ ଓ ଘର ସମ୍ପର୍କରେ ପଚାରେ ସେତେବେଳେ ହିଁ ଧୀରେ ଧୀରେ ସେ ହୋଇଯାଏ ଅତି ଆପଣାର ସଖାଟିଏ । ଶିକ୍ଷକ ସବୁବେଳେ ଛାତ୍ରକୁ ଦେଖାଇଦିଏ ସୂର୍ଯ୍ୟୋଦୟର ଦୃଶ୍ୟ । ସୂର୍ଯ୍ୟାସ୍ତର ସୌନ୍ଦର୍ଯ୍ୟ । ଆକାଶର ବିଶାଳତା ଆଡ଼କୁ, ନଈର ପ୍ରବହମାନତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଦିଏ ସେ । ଆବ୍ରାହମ ଲିଙ୍କନଙ୍କ ପିତା ନିଜ ପ୍ରିୟ ପୁତ୍ରର ଶିକ୍ଷକଙ୍କୁ ସେଥିପାଇଁ ଚିଠିରେ ଲେଖିଥିଲେ ‘ଆପଣ ମୋ ପୁଅକୁ ଫୁଲ କିପରି ଫୁଟେ ସେ ଦୃଶ୍ୟ ଦେଖାଇ ଦେବେ । ପକ୍ଷୀ କିପରି କୁଜନ କରେ ତାହା ଶୁଣାଇ ଦେବେ । ଭ୍ରମରର ଗୁଣୁଗୁଞ୍ଜନ ପ୍ରତି ଦୃଷ୍ଟି ଆକର୍ଷଣ କରିବେ ତା'ର । ଆକାଶର ତାରାମାନେ କିପରି କିରଣ ଦାନ କରନ୍ତି, ନଦୀ କିପରି ଜଳ ଦାନ କରେ, ବୃକ୍ଷ କିପରି ଛାୟା ଦାନ କରେ ତାହା ବୁଝାଇ ଦେବେ ।’

 

ଆଜିର ଶିକ୍ଷା ଜଗତ ଶିକ୍ଷକ ଓ ଛାତ୍ରର ଏ ଘନିଷ୍ଠ ସମ୍ପର୍କରୁ ବହୁ ଭାବରେ ବଞ୍ଚିତ । ଶହ ଶହ ପିଲାଙ୍କୁ ଜଣେ ଜଣେ ଶିକ୍ଷକ ପାଠ ପଢ଼ାଇବାଦ୍ୱାରା ସବୁ ଛାତ୍ରଙ୍କର ନିକଟବର୍ତ୍ତୀ ହେବାର ସୁଯୋଗ ଶିକ୍ଷକଙ୍କୁ ମିଳେ ନାହିଁ । ଶିକ୍ଷାଦାନ ପଦ୍ଧତିର ଏହା ଅସୁସ୍ଥ ଦିଗ । ମହାବିଦ୍ୟାଳୟମାନଙ୍କରେ ଅଧ୍ୟାପକମାନେ ଛାତ୍ରମାନଙ୍କ ନାମ ଜାଣିପାରନ୍ତି ନାହିଁ । ଆହୁରି ବିଚିତ୍ର କଥା ଯେ କଲେଜ ଛାତ୍ରଛାତ୍ରୀମାନେ ଅନେକ ସମୟରେ ନିଜ ଅଧ୍ୟାପକ ଅଧ୍ୟାପିକାମାନଙ୍କ ନାମସୁଦ୍ଧା ଜାଣନ୍ତି ନାହିଁ । ଛାତ୍ର ଓ ଶିକ୍ଷକ ଭିତରେ ସମ୍ପର୍କ ଯେଉଁଠି ଏତେ ଶୁଷ୍କ ଓ ପ୍ରାଣଶୂନ୍ୟ ସେଠି ଶିକ୍ଷାୟତନ ମାନବାତ୍ମାର କେଉଁ ସୁବାସରେ ବା ମହକିତ ହେବ ?

 

ଶିକ୍ଷକ ପରି ଆଉ ନିଜର ମଣଷଟିଏ କିଏ ଅଛି ଏଇ ସଂସାରରେ! ଛାତ୍ରଠାରୁ ବଳି ଆଉ କିଏ ପ୍ରିୟତମ ହୋଇପାରେ ଶିକ୍ଷକପାଇଁ! ପିତା, ମାତା, ଭାଇ. ଭଉଣୀ, ସ୍ୱାମୀ, ସ୍ତ୍ରୀ, ପ୍ରେମିକ, ବନ୍ଧୁ ଓ ସଜ୍ଜନ ଏ ସମସ୍ତଙ୍କ ସମ୍ପର୍କଠାରୁ ଯାହା ଆହୁରି ପବିତ୍ର, ସ୍ୱର୍ଗୀୟ ଓ ଶାଶ୍ୱତ ତାହା ହେଲା ଶିକ୍ଷକ ଓ ଛାତ୍ରର ପାରସ୍ପରିକ ଘନିଷ୍ଠତା । ମନେ ପଡୁଛି ଜଣେ ଇହୁଦୀ ଶିକ୍ଷକ ଜାନୁସ୍ କାରସାକ୍‌ଙ୍କ କଥା । ହିଟ୍‌ଲରଙ୍କ ସୈନ୍ୟବାହିନୀ ଇହୁଦୀ ଛାତ୍ରଛାତ୍ରୀମାନେ ପଢ଼ୁଥିବା ସ୍କୁଲ ଉପରେ ଆକ୍ରମଣ କରିବା ପରେ ଶିକ୍ଷକ ଜାନୁସ୍ କାରସାକଙ୍କୁ ମୁକ୍ତ କରିଦେଇ ଛାତ୍ରଛାତ୍ରୀଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେବାପାଇଁ ନିଷ୍ପତ୍ତି ନେଇଥିଲେ । ସେତେବେଳେ ଜାନୁସ୍‌କାରସାକ୍ ଜୀବନର ଲୋଭ ତ୍ୟାଗ କରି କହିଥିଲେ : ମୋର ଛାତ୍ରଛାତ୍ରୀମାନଙ୍କ ପାଖରେ ଥାଇ ସେମାନଙ୍କ ଯନ୍ତ୍ରଣାକୁ ଭାଗ କରିନେବା ଓ ସେମାନଙ୍କ ସହ ମୃତ୍ୟୁକୁ ବରଣ କରିନେବା ମୋର ଏକମାତ୍ର କାମନା ।

 

ଶିକ୍ଷକ ଓ ଛାତ୍ରର ପରିଚୟ, ଘନିଷ୍ଠତାର ଏଇ ଚରମ ବିନ୍ଦୁକୁ ଅନୁଭବ କଲେ ହୃଦୟ କମ୍ପିତ ହୁଏ ମହାନତାର ପରମ ଉପଲବ୍‌ଧିରେ । ଆଖିରୁ ଝରେ କୃତଜ୍ଞତାର ଅଶ୍ରୁ । ଦିବ୍ୟ ଆଲୋକର ବିକିରଣରେ ଜୀବନ ହୋଇଯାଏ ସମୁଦ୍ଭାସିତ । ଶିକ୍ଷକ ଓ ଛାତ୍ରର ଘନିଷ୍ଠତା ଏକ ହୃଦୟସ୍ପର୍ଶୀ ସଙ୍ଗୀତ, ଯାହା ଅନ୍ତରରୁ ପୋଛି ଦେଇପାରେ ସବୁ ସଂକୀର୍ଣ୍ଣତା ଓ ଇତରତାକୁ । ଈର୍ଷା, ଅସୂୟା ଓ ଅହଂକାରକୁ ରୂପାନ୍ତରିତ କରିଦେଇ ପାରେ ଶ୍ରଦ୍ଧା, ଅନୁକମ୍ପା ଓ ପ୍ରେମୋପଲ୍‌ବ୍ଧିରେ ।

•••

 

ଇତିହାସର ଆଲୋଚନା

ଡକ୍ଟର ପ୍ରୀତୀଶ ଆଚାର୍ଯ୍ୟ

 

ଭାରତରେ ଏକା ସମୟରେ ଇଂରେଜ ଶାସନ ଓ ଇଂରେଜ ବିରୋଧୀ ବିଦ୍ରୋହମାନ ଆରମ୍ଭ ହେଲାବୋଲି କହିଲେ ଆଦୌ ଭୁଲ ହେବ ନାହିଁ । ୧୭୫୭ ମସିହାର ପଲାସୀ ଯୁଦ୍ଧ ପରେ ଇଂରେଜୀମାନେ ପ୍ରଥମ କରି ଏକ ବାଣିଜ୍ୟିକ ସଙ୍ଗଠନରୁ ଯାଇ ଏକ ଶାସନ ବର୍ଗର ମର୍ଯ୍ୟାଦା ପାଇଲେ । ପ୍ରତ୍ୟକ୍ଷରୂପେ ସେମାନେ ବଙ୍ଗପ୍ରଦେଶ ଅଧିକାର କଲେ । ଏହି ଘଟଣାର ମାତ୍ର କିଛି ବର୍ଷ ପରେ ଅର୍ଥାତ୍ ୧୭୬୫ ମସିହା ବେଳକୁ ସେଠି ସନ୍ନ୍ୟାସୀ ବିଦ୍ରୋହ ଆରମ୍ଭ ହେଲା-। କେବଳ ବଙ୍ଗ ନୁହେଁ, ଯେଉଁ ଅଞ୍ଚଳମାନ ଇଂରେଜ ଶାସନାଧୀନ ହେଲା, ସେଠି ସଶସ୍ତ୍ର ବିଦ୍ରୋହ ମଧ୍ୟ ଆରମ୍ଭ ହେଲା । ଉଦାହରଣ ସ୍ୱରୂପ, ୧୮୦୩ ମସିହାରେ ଯଦି ଓଡ଼ିଶା ଅଧିକୃତ ହେଲା, ତା'ର କିଛି ମାସ ପରେ ୧୮୦୪ ମସିହା ବେଳକୁ ଖୋର୍ଦ୍ଧାରେ ଜୟୀ ରାଜଗୁରୁ ବିଦ୍ରୋହର ସୂତ୍ରପାତ କଲେ ଏବଂ ଶେଷରେ ପରାସ୍ତ ହୋଇ ଫାଶୀଦଣ୍ଡରେ ଦଣ୍ଡିତ ହେଲେ ।

 

ଏହିସବୁ ଇଂରେଜ ବିରୋଧୀ ବିଦ୍ରୋହ ପଛରେ ବଡ଼ କାରଣ ଥିଲା- ଦ୍ରୁତ ସମାଜିକ ଓ ଆର୍ଥିକ ପରିବର୍ତ୍ତନ । ନିଜ ଅଧୀକୃତ ଅଞ୍ଚଳରେ ଇଂରେଜମାନେ ଉପନିବେଶବାଦୀ ସ୍ୱାର୍ଥରକ୍ଷା ଉଦ୍ଦେଶ୍ୟରେ ନୂଆ ନୂଆ ପରିବର୍ତ୍ତନମାନ ଆରମ୍ଭ କଲେ । ଅଧିକ ଭୂ-ରାଜସ୍ୱ ଆଦାୟପାଇଁ ଜମିଜମା ଆଇନରେ ପରିବର୍ତ୍ତନମାନ ଆଣାଗଲା । ଜଙ୍ଗଲ ନିୟମମାନ ପରିବର୍ତ୍ତିତ ହେଲା । ପ୍ରତି କଥାରେ କୋର୍ଟ କଚେରିର ଜଟିଳତା ଏଣିକି ଲୋକଙ୍କପାଇଁ କାଳ ହେଲା । କୌଣସି ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ନ ହେଉ ପଛେ, ନିଜ ଅନୁଭୂତିରୁ ଲୋକ ଧରିନେଲେ ଯେ ଇଂରେଜ ସରକାର ଭାରତର ବିରାଚରିତ ରାଜା-ରାଜୁଡ଼ାଙ୍କ ଶାସନଠାରୁ ଅଧିକ ଅସହ୍ୟ । ଇଂରେଜମାନେ କେବଳ ଦେଖିବାକୁ ଭିନ୍ନ ନୁହନ୍ତି, ଆଚରଣରେ ମଧ୍ୟ ଅଧିକ ଉଗ୍ର, ଅଧିକ ରୁକ୍ଷ । ଏହି ଅବରୋଧ ଲୋକଙ୍କୁ ଇଂରେଜ ବିରୋଧୀ ହେବାପାଇଁ ଅଧିକ ପ୍ରୋତ୍ସାହିତ କଲା ।

 

ଅଷ୍ଟାଦଶ ଶତାବ୍ଦୀର ଉତ୍ତରାର୍ଦ୍ଧରୁ ଆରମ୍ଭ କରି ଊନବିଂଶ ଶତାବ୍ଦୀର ପ୍ରଥମର୍ଦ୍ଧରେ ସଂଘଟିତ ହୋଇଥିବା ଏହି ବିଦ୍ରୋହଗୁଡିକୁ ସାଧାରଣତଃ ନେତୃତ୍ୱ ଦେଉଥିଲେ ବିଭିନ୍ନ ରାଜ୍ୟର ରାଜା, ଜମିଦାରମାନେ, ନୋହିଲେ ସେମାନଙ୍କ ବଂଶଜମାନେ; କାରଣ ନିଜ ନିଜ ଅଞ୍ଚଳରେ ସ୍ୱାଭାବିକ ରୂପରେ ସେମାନେ ହେଲେ ‘ନେତା’ । ଦ୍ୱିତୀୟତଃ ଇଂରେଜ ଅଧିକାର ଯୋଗୁଁ ସେମାନେ ବିଶେଷ ଭାବରେ କ୍ଷତିଗ୍ରସ୍ତ ମଧ୍ୟ ହୋଇଥିଲେ । କାହା ହାତରୁ ରାଜ୍ୟ ଚାଲିଗଲା ତ କାହାକୁ ଇଚ୍ଛା ବିରୋଧରେ ସମସ୍ତ ସ୍ୱାଭିମାନକୁ ଜଳାଞ୍ଜଳି ଦେଇ ଅପମାନଜନକ ସନ୍ଧିପତ୍ରରେ ସ୍ୱାକ୍ଷର କରିବାକୁ ପଡ଼ିଲା । ଅନେକେ ନାମକୁ ମାତ୍ର ରାଜା ରହିଲେ, ମାତ୍ର ହାତରେ ରାଜ-ଅଧିକାର ରହିଲା ନାହିଁ । ଏହି ପରିପ୍ରେକ୍ଷୀରେ ବିଦ୍ରୋହ ସେମାନଙ୍କପାଇଁ ଏକମାତ୍ର ବିକଳ୍ପ ହେଲା-। ତୃତୀୟତଃ, ବିଦ୍ରୋହର ନେତୃତ୍ୱ ନେବାପାଇଁ ସେ ସମୟରେ ଅପେକ୍ଷାକୃତଭାବେ ଶକ୍ତିଶାଳୀ ରାଜା ରାଜୁଡ଼ାମାନେ ହିଁ ଅନ୍ୟମାନଙ୍କ ତୁଳନାରେ କିଛିଟା ସମାର୍ଥ୍ୟ ରଖୁଥିଲେ । ଏହି ଆଧାରରେ ଆମ ଓଡ଼ିଶାରେ ବକ୍ସି ଜଗବନ୍ଧୁ, ସୁରେନ୍ଦ୍ର ସାଏ ହୁଅନ୍ତୁ କି ଛୋଟିଆ ଘେଁସ ଜମିଦାରୀର ମାଧୋ ସିଂ, ହଟେ ସିଂ ହୁଅନ୍ତୁ- ସବୁ ବିଦ୍ରୋହୀ ନେତା ଥିଲେ ପ୍ରାକ୍ତନ ରାଜା, ଜମିଦାର, ନୋହିଲେ ରାଜା-ଜମିଦାର ବଂଶୀୟ ।

 

ବିଦ୍ରୋହ ସବୁରେ କିନ୍ତୁ ଅନେକ ସାଧାରଣ ଲୋକ ପ୍ରତ୍ୟକ୍ଷରୂପେ ଭାଗ ନେଇଥିଲେ । ୧୮୫୭ ମସିହାର ଗଣବିଦ୍ରୋହ ପରେ କେବଳ ଦିଲ୍ଲୀ ସହରରେ ପ୍ରାୟ ତିନି ହଜାର ଲୋକଙ୍କୁ ଫଶୀଖୁଣ୍ଟରେ ଝୁଲାଇ ଦିଆଯାଇଥିଲା, ଯାହାକି ବିଦ୍ରୋହ ବ୍ୟାପକତାକୁ ସ୍ପଷ୍ଟ କରେ । ସୁରେନ୍ଦ୍ର ସାଏଙ୍କୁ ନେଇ ସମଗ୍ର ପଶ୍ଚିମ ଓଡ଼ିଶାରେ ଯେତେ ମାତ୍ରାରେ ଜନଶ୍ରୁତି, କିମ୍ବଦନ୍ତୀ, ଲୋକକଥା ଆଦି ଜନମୁଖରେ ଆଜି ମଧ୍ୟ ପ୍ରଚଳିତ, ସେଥିରୁ ମନେହୁଏ ଯେ ଇଂରେଜ ବିରୋଧରେ ଯୁଦ୍ଧ ଘୋଷଣା କରି ସୁରେନ୍ଦ୍ର ସାଏ ଏବଂ ତାଙ୍କ ସହଯୋଗୀମାନେ ଲୋକଙ୍କର ମନ-ପ୍ରାଣକୁ କିଣି ନେଇଥିଲେ । ଯେଉଁମାନେ ପ୍ରତ୍ୟକ୍ଷ ଭାବରେ ବିଦ୍ରୋହରେ ଯୋଗ ବି ଦେଇ ନାହାନ୍ତି, ସେମାନଙ୍କ ମୌନ ସମର୍ଥନ ଓ ସ୍ୱୀକୃତିରୁ ଅନୁମିତ ହୁଏ ଯେ ଲୋକମାନେ ବି ଥିଲେ ତୀବ୍ରରୂପେ ଇଂରେଜ ବିରୋଧୀ-

 

ସେତେବେଳେ ଇଂରେଜ ବିରୋଧୀ ବିଦ୍ରୋହରେ ଭାଗନେବା ପଛରେ ଅନ୍ୟ ଏକ କାରଣ ହେଲା- ଜିଣିବାର ଆଶା । ଶତ୍ରୁ ଯେତେ ବିଧ୍ୱଂସକାରୀ ହେଲେ ବି, ଯଦି ମନରେ ଜିଣିବାର ଆଶା ନଥାଏ, ସହଜରେ ବ୍ୟକ୍ତି ଖୋଲାଖୋଲି ବିଦ୍ରୋହରେ ଲମ୍ଫ ପ୍ରଦାନ କରେ ନାହିଁ । ଯେହେତୁ ନିଜ ଅଜ୍ଞତା ହେତୁ ଭାରତୀୟମାନେ ଇଂରେଜ ଉପନିବେଶବାଦର ପ୍ରକୃତ କ୍ଷମତା ବିଷୟରେ ଅବଗତ ନ ଥିଲେ ତଥା ଉପନିବେଶବାଦୀ ଶକ୍ତିର ଅସଲି ସ୍ୱରୂପକୁ ବୁଝିପାରି ନଥିଲେ, ବିଦ୍ରୋହରେ ସେମାନେ ନିଜର ବିଜୟକୁ ନେଇ ଖୁବ୍ ଅଧିକ ଆଶାବାଦୀ ରହୁଥିଲେ । ଇଂରେଜମାନଙ୍କୁ ନିଜ ଅଞ୍ଚଳର ସର୍ବଶକ୍ତିମାନ ରାଜ-ରାଜୁଡ଼ାଙ୍କ ନେତୃତ୍ୱରେ ସେମାନେ ପରାସ୍ତ କରିପାରିବେବୋଲି ମନରେ ଆଶା ରଖୁଥିଲେ । ଏହି ଆଶା ତାଙ୍କୁ ସଂଗ୍ରାମରେ ଲମ୍ଫ ପ୍ରଦାନ କରିବାକୁ ସାହସ ଯୋଗାଉଥିଲା ।

 

୧୮୫୭ର ଗଣସଂଗ୍ରାମ, ଯାହାକୁ ଲୌକିକ ସ୍ତରରେ ସିପାହୀ ବିଦ୍ରୋହବୋଲି କୁହାଯାଏ, ସେତେବେଳର ସବୁ ଆଞ୍ଚଳିକ ସଂଗ୍ରାମ ତୁଳନାରେ ଅଧିକ ବ୍ୟାପକ, ତୀବ୍ର ଓ ପ୍ରଭାବଶାଳୀ ଥିଲା । ଉତ୍ତର ଭାରତର ଅନେକ ଅଞ୍ଚଳକୁ ଏହା ବ୍ୟାପିଥିଲା । ଏବେ ଗବେଷକମାନେ କହୁଛନ୍ତି ଯେ, ଦକ୍ଷିଣ ଭାରତରେ ମଧ୍ୟ ସଂଗ୍ରାମର ସମର୍ଥନରେ ଲୋକ ପ୍ରତିକ୍ରିୟା କିଛି ଊଣା ନଥିଲା । ପ୍ରଥମକରି ଏତେ ବ୍ୟାପକ ରୂପରେ ଅନେକ ରାଜା ଜମିଦାର ଭିତରେ ଯୋଗସୂତ୍ର ରକ୍ଷା କରି ଇଂରେଜମାନଙ୍କ ବିରୋଧରେ ଲଢ଼ୁଥିଲେ ଏହି ସଂଗ୍ରାମରେ । ଦ୍ୱିତୀୟତଃ ଇଂରେଜ ଶାସନର ବଡ଼ ‘ରକ୍ଷକ'ବୋଲି ମର୍ଯ୍ୟାଦା ପାଇଥିବା ସେନାବାହିନୀର ‘ସିପାହୀମାନେ’ ଏଥିରେ ମୁଖ୍ୟ ଭୂମିକା ନେଉଥିଲେ । ଫଳରେ ଅସ୍ତ୍ରଶସ୍ତ୍ରର ଆଉ ଅଭାବ ରହିଲା ନାହିଁ । ପ୍ରଥମଥରପାଇଁ ବିଦ୍ରୋହୀମାନଙ୍କ ହାତରେ ଆଧୁନିକ ଅସ୍ତ୍ରଶସ୍ତ୍ର ସବୁ ରହିଲା । ଅନ୍ୟପକ୍ଷରେ ବହୁ ସଂଖ୍ୟାରେ ସାଧାରଣ ଲୋକ ମଧ୍ୟ ସଂଗ୍ରାମର ସମର୍ଥନରେ ରହିଲେ । ସଂଗ୍ରାମ ଏତେ ବ୍ୟାପକ ଓ ପ୍ରଭାବଶାଳୀ ହେଲା ଯେ, ପ୍ରଥମଥରପାଇଁ ଇଂରେଜମାନେ ସବୁ ଶକ୍ତି ବିନିଯୋଗ କରି ସୁଦ୍ଧା ସାମୟିକଭାବେ ହେଉ ପଛେ ଦିଲ୍ଲୀ, ଝାନ୍‌ସୀ, କାନପୁର, ଲକ୍ଷ୍ନୌ ଆଦି ସହରରୁ ବହିଷ୍କୃତ ହେଲେ-

 

ଏତେ ସବୁ ତୀବ୍ରତା ସତ୍ତ୍ୱେ ପରିଶେଷରେ ଏହି ମହାସଂଗ୍ରାମ ଅବଦମିତ ହେଲା, ଭାରତ ପୁଣି ଥରେ ଇଂରେଜମାନଙ୍କଦ୍ୱାରା ବିଜିତ ହେଲା । ୧୮୫୭ର ଗଣ ବିଦ୍ରୋହର ବିଫଳତାରୁ ଲୋକ ଧରିନେଲେ ଯେ ଇଂରେଜ ଶାସନକୁ ଉନ୍ମୀଳନ କରିବା ସହଜ ନୁହେଁ । ଦ୍ୱିତୀୟତଃ ଏକଥା ମଧ୍ୟ ସିଦ୍ଧ ହେଲା ଯେ ସଶସ୍ତ୍ର ସଂଗ୍ରାମ କରି ଇଂରେଜମାନଙ୍କୁ ପରାଜିତ କରିବା କାଠିକର ପାଠ । ଏହି ଅନୁଭୂତି ପରେ ଗୋଟାଏ ଦିଗରେ ଇଂରେଜ ଶାସନ ଅଧିକ ସୁଦୃଢ଼ ହେଲା-। ଅନ୍ୟ ଦିଗରେ ରାଜାରାଜୁଡ଼ା-ମାନଙ୍କର, ସାମନ୍ତବର୍ଗର ଆଉ ସହଜରେ ଇଂରେଜ ବିରୋଧୀ ସଂଗ୍ରାମରେ ଆଗଭର ହେବାକୁ ମନ ଗଲା ନାହିଁ । ବରଂ ସେମାନେ ପ୍ରାୟ କ୍ଷେତ୍ରରେ ସରକାରର ଅନୁଗାମୀ ହେବାଟାକୁ ଉଚିତ ମଣିଲେ । ସେମାନଙ୍କ ଅନୁପସ୍ଥିତି ଯୋଗୁଁ ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଯେଉଁ ଜାତୀୟତା ସଂଗ୍ରାମର ଅୟମାରମ୍ଭ ହେଲା, ତହିଁରେ ଶିକ୍ଷିତ ବୁଦ୍ଧିଜୀବୀ ଓ ମଧ୍ୟମବର୍ଗକୁ ନେତୃତ୍ୱ ମିଳିବା ଯେମିତି ଅବଶ୍ୟମ୍ଭାବୀ ହୋଇ ପଡ଼ିଲା ।

 

ଭାରତର ଆଧୁନିକ ଇତିହାସର ଏକ ଛୋଟିଆ କାଳଖଣ୍ଡକୁ ନେଇ ଏ ଯେଉଁ ସଂକ୍ଷିପ୍ତ ଚର୍ଚ୍ଚା, ତାହା ପ୍ରଖର ଗବେଷଣାବୋଲି ଦାବି କରାଯାଇପାରେ । ଏ ଧରଣର ଇତିହାସ ଚର୍ଚ୍ଚାକୁ ପ୍ରାସଙ୍ଗିକ କରିବାକୁ ହେଲେ ଗଭୀର ଗବେଷଣା ଅଧ୍ୟୟନର ଯେତିକି ଆବଶ୍ୟକ, ତା'ଠାରୁ ଅଧିକ ଲୋଡ଼ା ଏକ ସାମଗ୍ରିକ ଓ ବ୍ୟାପକ ଦୃଷ୍ଟିକୋଣର । ତା' ହେଲେ ଯାଇ ଉକ୍ତ ଇତିହାସ ଚର୍ଚ୍ଚା ନିରପକ୍ଷ ତଥା ବସ୍ତୁନିଷ୍ଠ ହେବାର ଅବସର ପାଇବ । ଅନ୍ୟ ଅର୍ଥରେ କହିଲେ, ଆଞ୍ଚଳିକ ଇତିହାସକୁ ଦୃଷ୍ଟି ଦେବା ଜରୁରୀ । କାରଣ ବିଶ୍ୱ ଇତିହାସ ହେଉ ବା ରାଷ୍ଟ୍ରର ଇତିହାସ ହେଉ ତାହା ହେଲା କେତେଗୁଡ଼ିଏ ଆଞ୍ଚଳିକ ଇତିହାସର ଏକ ଥୋକ ସମୂହ; ମାତ୍ର ଭାରତ ଇତିହାସରୁ ନା କୌଣସି ଆଞ୍ଚଳିକ ଇତିହାସକୁ ଅଲଗା କରି ଦେଖି ହେବ ନା ଭାରତ ଇତିହାସକୁ ବିଶ୍ୱ ଇତିହାସରୁ ପୃଥ୍‌କ କରି ଅଧ୍ୟୟନ କରି ହେବ । ବିଭିନ୍ନ ଆଞ୍ଚଳିକ ଇତିହାସ ଯେମିତି ଯୋଡ଼ାଯୋଡ଼ି ହୋଇ ରହିଛନ୍ତି, ଅତୀତର ଭିନ୍ନ ଭିନ୍ନ କାଳଖଣ୍ଡ (ଯଥା-ପୁରାତନ, ମଧ୍ୟ, ଆଧୁନିକ ତଥା ସାମ୍ପ୍ରତିକ) ଆଦି ପରସ୍ପର ମଧ୍ୟରେ ଗୁନ୍ଥି ହୋଇଛନ୍ତି । ଗୋଟିଏ କାରଣ ଓ ଅନ୍ୟଟି ‘କାର୍ଯ୍ୟ' ଗୋଟାକୁ ଅନ୍ୟଠାରୁ ପୃଥକ କରି ହେବନି । ଅନ୍ୟପକ୍ଷରେ ନିରୋଳା ବା ପୃଥକ କରି ଦେଖିବାକୁ ଚେଷ୍ଟା କଲେ, ଆଞ୍ଚଳିକ ଇତିହାସକୁ ନେଇ ‘ବୃଥାଗର୍ବ' କିମ୍ବା ‘ଅଯଥା ଲଜ୍ଜାବୋଧ' ସୃଷ୍ଟି ହେବାର ଆଶଙ୍କା ରହିଯାଏ । ଆମେ ଓ ଆମ ଅତୀତ ବିଶ୍ୱ ଇତିହାସର ଅବିଚ୍ଛିନ୍ନ ଅଂଶବିଶେଷବୋଲି ଧାରଣ ସୃଷ୍ଟି ହୋଇପାରେନା । ଫଳରେ ‘ଅତୀତ'ର ଅଧ୍ୟୟନ ବର୍ତ୍ତମାନର ବସ୍ତୁସ୍ଥିତିକୁ ବୁଝିବାରେ କିମ୍ବା ‘ଭବିଷ୍ୟତ'କୁ ସଜାଡ଼ିବାରେ ଅସମର୍ଥ ସିଦ୍ଧ ହୁଏ । ବୋଧହୁଏ ଏହି କାରଣରୁ ‘ଇତିହାସ' ପାଠକପାଇଁ ମାତ୍ର ‘ଘୋଷାପାଠ’ ହୋଇ ରହିଯାଏ । ବସ୍ତୁତଃ ତାହା ଆମୋଦଦାୟୀ ହୋଇପାରେନା ।

•••

 

ମାୟାର ଭୂମି

ଶ୍ରୀ ଶୈଳେନ୍ଦ୍ର ଦ୍ୱିବେଦୀ

 

ମାୟା ଏକ ଅଦ୍ଭୁତ ଶବ୍ଦ । ମାୟାକୁ ସଂକ୍ଷେପରେ ଗୋଟିଏ ମାତ୍ର ଇଂରେଜୀ ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ । ବୋଧହୁଏ ଅନ୍ୟ କୌଣସି ଭାଷଣରେ ମାୟାର ସମାନ ଶବ୍ଦଟିଏ ମଧ୍ୟ ନାହିଁ । ‘ମାୟା’ କେବଳ ‘ମାୟା' ଭାବରେ ଏ ଜଗତରେ ବିଦିତ ଏବଂ ବ୍ୟାପ୍ତ । ମାୟାକୁ ଏକ ଭ୍ରମ, ପ୍ରହେଳିକା, ମରୀଚିକା କୁହାଯାଇଛି । ମାୟାକୁ ଇନ୍ଦ୍ରଜାଲ, ଅବିଶ୍ୱାସ, ଅବିଦ୍ୟା ଏବଂ ଅଜ୍ଞାନବୋଲି ମଧ୍ୟ କୁହାଯାଇଛି । ମାୟା ପୁଣି ସୃଷ୍ଟି, ସୃଜନୀ, ପ୍ରକୃତି ଏବଂ ଈଶ୍ୱରଙ୍କର ଅନ୍ୟନାମ । ମାୟା ହିଁ ଜୀବନ । ଏଇ ସକଳ ଜଗତ ମାୟାର ପରିପ୍ରକାଶ, ମାୟା ଜୀବନ-ମୃତ୍ୟୁର ଲୁଚକାଳି ଖେଳ, ସତ୍ୟ ଏବଂ ଅସତ୍ୟ ମଧ୍ୟରେ ଉପସ୍ଥିତ ଅର୍ଦ୍ଧସତ୍ୟ-ଏମିତି ଯୁକ୍ତି ମଧ୍ୟ ରହିଛି । ବେଦ, ଉପନିଷଦମାନଙ୍କ ସମୟରୁ ଆଜି ଯାଏ ମାୟାର ତର୍ଜମା ଚାଲିଛି । ମାୟାକୁ ମୋହ, ଲୋଭ ଏବଂ ପାପର ମେଳରେ ଦଳେ ଯଥେଷ୍ଟ ଆଗରୁ ସାମିଲ କରି ରଖିଛନ୍ତି ଏବଂ ମାୟାଟି ମୋକ୍ଷର ପରମ ଶତ୍ରୁବୋଲି ସେମାନେ ବରାବର ବିଚାରି ଆସିଛନ୍ତି । ମୋକ୍ଷପ୍ରାପ୍ତିପାଇଁ, ମୁକ୍ତିପାଇଁ ମାୟାଟାକୁ ପୁରାପୁରି କୁଆଡ଼େ ନିର୍ବାସିତ ହେବାପାଇଁ ପଡ଼ିବ । ଜୀବନର ସବୁ ଭୁଲଗୁଡ଼ାକ କୁଆଡ଼େ ଏଇ ମାୟାପାଇଁ ହେଉଛି ଏବଂ ମନକୁ. ଚେତନାକୁ ମୋକ୍ଷର ଦର୍ଶନ/ପ୍ରାପ୍ତିରୁ ମାୟା ବଞ୍ଚିତ କରି ରଖିଛି । ମାୟାକୁ ମୁକ୍ତିର ଶତ୍ରୁବୋଲି ବିଚାରୁଥିବା ଏଇ ଦଳଟି ସ୍ୱକୀୟ ମୁକ୍ତିପାଇଁ ବରଂ ବୈରାଗ୍ୟକୁ ଆପଣାର ଅନ୍ତରଙ୍ଗ ମନେହୋଇଛି । ଏଇ ମର୍ମରେ ଗୌତମ ବୁଦ୍ଧଙ୍କ ଦର୍ଶନ ସେମାନଙ୍କପାଇଁ ଭାରି ଦିବ୍ୟ ମନେହୋଇଛି । ‘ଏ ସଂସାର ଦୁଃଖମୟ, ଦୁଃଖର କାରଣ ତୃଷ୍ଣା ବା କାମନା, କାମନାର ବିନାଶରେ ଦୁଃଖର ବିନାଶ' । ଗୌତମଙ୍କ ଏହି ଦର୍ଶନର ଏକ ଦୃଢ଼ ଯୁକ୍ତିନିଷ୍ଠ ଭୂମିଟିଏ ଅବଶ୍ୟ ରହିଛି । କିନ୍ତୁ ଗୌତମ ନିଜେ ସଂସାର କରିବାପରେ ସଂସାର ସୁଖ ଅଳୀକ କ୍ଷଣସ୍ଥାୟୀବୋଲି ମନେ କରିଥିଲେ ଏବଂ ସଂସାର ତ୍ୟାଗ କରିବାପାଇଁ ନିଷ୍ପତ୍ତି ନେଇଥିଲେ । କୁହାଯାଇଛି, ବୁଦ୍ଧ ଅନେକଦିନ ବଞ୍ଚିଥିଲେ (ଅଶୀ ବର୍ଷ) ଏବଂ ତତ୍‌କାଳୀନ ଭାରତର ଅନେକ ଅଞ୍ଚଳରେ ନିର୍ବାଣର ସନ୍ଦେଶ ଭାରି ସଫଳତାର ସହିତ ପହଞ୍ଚାଇ ଦେଇପାରିଥିଲେ । ବୌଦ୍ଧଧର୍ମରେ ବୃହତ୍ତର ଭାବରେ ମାୟା (ସଂଶୟ) ନିର୍ବାଣର ଶତ୍ରୁ ଥିଲା, ମୁକ୍ତି ଅନ୍ତରାୟ ହୋଇ ଛିଡ଼ା ହୋଇଥିଲା । ସାଂସାରିକତା ସମସ୍ତ ଦୁଃଖର କାରଣ, ଅତଏବ ନିର୍ବାଣପାଇଁ ସବୁ ପ୍ରଲୋଭନଠାରୁ (ମାୟାଠାରୁ) ଦୂରେଇ ଯିବାପାଇଁ ହେବ, ଏକ ଭିକ୍ଷୁର ଜୀବନ ଆଦରି ନେବାପାଇଁ ହେବ, ଏମିତି ଏକ ଯୁକ୍ତି ଏବଂ ଆବେଗରେ ସେତେବେଳେ ବିଶ୍ୱାସ କରାଯାଉଥିଲା । ଏକଥା ମଧ୍ୟ କୁହାଯାଇଛି ଯେ ସେତେବେଳର ସେଇ ଆଭିମୁଖ୍ୟଟି କେବଳ ମାତ୍ର ଆଧ୍ୟାତ୍ମିକ ଭୂମି ଉପରେ ନିର୍ଭରଶୀଳ ନଥିଲା । ପ୍ରାଚୀନ ଭାରତରେ, ବୁଦ୍ଧଙ୍କ ସମୟର ସମାଜରେ ବୈରାଗ୍ୟକୁ/ସନ୍ୟାସକୁ ଆପଣେଇ ନେବାରେ ଅର୍ଥନୈତିକ ପୃଷ୍ଠଭୂମିଟିଏ ମଧ୍ୟ ଯୋଡ଼ି ହୋଇରହିଥିଲା । ବୌଦ୍ଧମାନଙ୍କପାଇଁ ଏକ ସଂଘର ଉତ୍ତମ ବ୍ୟବସ୍ଥା ଥିଲା । ସଂଘ ମାଧ୍ୟମରେ ବୌଦ୍ଧ ଧର୍ମକୁ ଆବଶ୍ୟକୀୟ ପୃଷ୍ଠପୋଷକତା ମଧ୍ୟ ମିଳୁଥିଲା । ସେହିମନ୍ତେ ସଂଘ ପୁନର୍ବାସର ଏକ ମାଧ୍ୟମ ହୋଇ ମଧ୍ୟ ରହିଥିଲାବୋଲି କୁହାଯାଇଛି ।

 

ଅଣ-ଆଧ୍ୟାତ୍ମିକ ଅନ୍ୟାନ୍ୟ ଅନେକ ପାର୍ଥିବ କାରଣରୁ ମାୟାଟି ମଧ୍ୟ ଅତୀତରେ ଭାରି ନକରାତ୍ମକ ହୋଇରହିଥିଲା । ମୋହ, ଲୋଭ, ଈର୍ଷା, ହିଂସା ଏବଂ ପାପ-ଏମାନେ ସମସ୍ତେ ମାୟାର ପାଶ୍ୱର୍ଦେବତା ହିସାବରେ ବିଦ୍ୟମାନ ଥିଲେ । ଏବେ ବି ଆମ ସମୟର ସନ୍ଥମାନେ ମାୟାକୁ ଏକ ‘ଅପଦେବତା'ର ଆସନ ଦେଇଛନ୍ତି, ଅଭିଶାପର ଆସନ ଦେଇଛନ୍ତି । ମାୟାଠାରୁ ଗୋଟାପଣେ ମୁକୁଳିଯାଇ ସାକ୍ଷାତ୍ ମୋକ୍ଷପ୍ରାପ୍ତିପାଇଁ ପରମାର୍ଥକୁ ପାଇବାପାଇଁ ଆଶାବାନ୍ଧି ବସିଛନ୍ତି । ସେଇ ସନ୍ଥମାନେ ବଡ଼ବାଗରେ ଆପଣାକୁ ଅନ୍ୟମାନଙ୍କଠୁଁ ପୃଥକ୍ କରି ରଖିଛନ୍ତି ଏବଂ ମଞ୍ଚାରୁ ନିବୃତ୍ତିର ସୁଦୀର୍ଘ ଭାଷଣମାନ ଶୁଣାଇଛନ୍ତି । ସେଇ ବକ୍ତୃତାମାନ ଆମପାଇଁ ଭାରି ଦିବ୍ୟ, ଭାରି ପ୍ରେମମୟ ପ୍ରତ୍ୟୟ ହୋଇଛନ୍ତି ଏବଂ ଏବେ ମଧ୍ୟ ଶୀତ-ତାପ-ନିୟନ୍ତ୍ରିତ ବୈଠକଖାନାରେ ନଚେତ୍ ତଥାକଥିତ ଭାବ-ଗମ୍ଭୀର, ମନୋଜ୍ଞ, ଏକ ସାଂଧ୍ୟ ସାଧାରଣ ସଭାରେ ଆମେ ସେଇ ପ୍ରବଚନମାନଙ୍କ ଜୀବନାଦର୍ଶର ଅସଲ ଭୂମିବୋଲି ମନେକରୁଛୁ । ମାୟା, କ୍ରମଶଃ ସମୟର ଆରମ୍ଭରୁ ଏହିମନ୍ତେ ପଳାୟନର ଅନ୍ୟନାମଟିଏ ହୋଇ ତିଷ୍ଠି ରହିଛି ।

 

ଭାରତୀୟ ସଂସ୍କୃତିରେ ମାୟାର କାୟା ବ୍ୟାପକ, ବିସ୍ତୃତ । ମାୟା କେବଳ ଏକ ପ୍ରହେଳିକା ହିସାବରେ ଆମ ଆଗରେ ଉଭା ହୋଇନାହିଁ, ମାୟାର ରହସ୍ୟ ଉନ୍ମୋଚନ କରିବାପାଇଁ ଯାଇ ଆମ ସାଂସ୍କୃତିକ ଜୀବନର ଅସଲ ଦୁଆରଟି ପାଖକୁ ଚାଲିଆସିଛି । ମାୟାକୁ ତୁଚ୍ଛା ପ୍ରହେଳିକାଟିଏ ମନେ କରୁଥିବା ସଂକୀର୍ଣ୍ଣ ମାନସିକତାଠାରୁ ଯଥେଷ୍ଟ ଦୂରରେ ମାୟାକୁ ସ୍ୱୟଂ ପ୍ରକୃତି ଏବଂ ପ୍ରକୃତି ପୁରୁଷବୋଲି ଜ୍ଞାନ ମଧ୍ୟ କରାଯାଇଛି । ମାୟାର ଚମତ୍କାର ବିବର୍ତ୍ତନଟିଏ ଦୃଶ୍ୟମାନ ହୋଇଛି ।

 

ଉପନିଷଦରେ ମାୟାକୁ ଅସାଧାରଣ, ଅଲୌକିକ, ଅତିଭୌତିକ ଶକ୍ତି ଭାବରେ ବର୍ଣ୍ଣନା କରାଯାଇଛି, ଯାହା କେବଳ ଈଶ୍ୱରଙ୍କଠି ଉପଲବ୍‌ଧ । ବେଦରେ ମାୟା ପୃଥିବୀକୁ ଧାରଣ କରିଛିବୋଲି କୁହାଯାଇଛି । ଶ୍ୱେତାଶ୍ୱତ୍ତର ଉପନିଷଦରେ କୁହାଯାଇଛି ଯେ ମାୟା ହିଁ ସୃଜନୀ ଶକ୍ତି, ମାୟା ପ୍ରକୃତି, ଯିଏ ମାୟାକୁ ଧାରଣ କରିଛନ୍ତି ସେ ସର୍ବତ୍ର ବିଦ୍ୟମାନ ସେ ହିଁ ଇଶ୍ୱର...’ । ତେବେ ମାୟାର ସ୍ୱରୂପକୁ ବୁଝିବାପାଇଁ ତିନୋଟି କଥା ବୁଝିବା ଆବଶ୍ୟକ ହେବ-(୧) ସଂଶୟ /ସନ୍ଦେହ (୨) ପ୍ରମାଦ (୩) ମିଥ୍ୟାଜ୍ଞାନ /ତୃଟି । ସଂଶୟ (doubt) ହେଉଛି, ଇତସ୍ତତଃ, ଅସ୍ଥିର ଜ୍ଞାନ । ପ୍ରମାଦ (Fallacy) ହେଉଛି ଅସଂପୂର୍ଣ୍ଣ /ଅପୂର୍ଣ୍ଣ ଜ୍ଞାନ ଏବଂ ତୃଟି (Error) ହେଉଛି ଦୋଷଯୁକ୍ତଜ୍ଞାନ ଅର୍ଥାତ୍ ଅଜ୍ଞାନ ।

 

ସାଂଖ୍ୟ ଦର୍ଶନର ଅନ୍ୟତମ ପ୍ରବକ୍ତା କପିଳ ମାୟାକୁ ‘ଅବିଦ୍ୟା' ବା ‘ଅଜ୍ଞାନ'ବୋଲି କହିଥିଲେ । ‘ପୁରୁଷ'ଠାରୁ ‘ବୁଦ୍ଧି' / ଅଖ୍ୟାତି' ମଧ୍ୟରେ ବାରି ହୋଇପାରୁନଥିବା ପ୍ରଭେଦଟି ମାୟା । ‘ମଞ୍ଚରେ ନୃତ୍ୟାଙ୍ଗନାଟିଏ ତା'ର ନୃତ୍ୟପରେ ଦର୍ଶକମାନଙ୍କ ଦୃଶ୍ୟ ଅପସରିଯିବା ପରି ‘ପ୍ରକୃତି’ (Gross matter)’ ପୁରୁଷ (Passive spirit) ନିକଟରେ ଆପଣାକୁ ପ୍ରକଟ କରି ପୁଣି ଅପସରି ଯାଇଥାଏ ।' ସାଂଖ୍ୟ ଦର୍ଶନରେ ଉପଲବ୍‌ଧ ଏଇ ଅନତିକ୍ରମଣୀୟ ଅବୋଧଗମ୍ୟତାକୁ ଆମ ସଂସ୍କୃତିରେ ‘ମାୟା'ର ପୂର୍ବସୂରୀବୋଲି ବିଚାର କରାଯାଇଛି । ପାତଞ୍ଜଳି ଯୋଗସୂତ୍ରରେ କହିଛନ୍ତି, ଯେତେବେଳେ ପ୍ରାଣୀ ତା'ଦେହରେ ବିରାଜମାନ ଆତ୍ମାକୁ କେବଳ ଶରୀର ଜ୍ଞାନ କରେ ସେତେବେଳେ ଏଇ ଅବଧାରଣା ଏଇ ବଂଧନ ଅବିଦ୍ୟା ଅଜ୍ଞାନରୁ ହିଁ ଉତ୍ପନ୍ନ ହୋଇଥାଏ ଏବଂ ଅବିଦ୍ୟାର ବିନାଶରେ ଯଥାର୍ଥ ମୁକ୍ତି / ମୋକ୍ଷ ସମ୍ଭବ ହୋଇଥାଏ । ସାଂଖ୍ୟର ଅବୋଧଗମ୍ୟତା /’ ଅଖ୍ୟାତି' ଯୋଗରେ ଭ୍ରମାତ୍ମକ ଉପଲବ୍‌ଧି ବା ‘ଅନ୍ୟଥା ଖ୍ୟାତି ଭାବରେ ପରିଚିତ ।

 

ଶଙ୍କରାଚାର୍ଯ୍ୟ ମାୟାକୁ ବୁଝାଇବାପାଇଁ ଅନ୍ଧାରରେ ଦଉଡ଼ିଟିଏ ଦର୍ଶକପାଇଁ ସର୍ପର ଭ୍ରମ ସୃଷ୍ଟି କରିବା ପ୍ରସଙ୍ଗ ଉପସ୍ଥାପନ କରିଥିଲେ । କିନ୍ତୁ ଯେଉଁ ମୁହୂର୍ତ୍ତରେ ପଥିକ/ଦର୍ଶକ ଦଉଡ଼ିଟିକୁ ଦଉଡ଼ିବୋଲି ଉପଲବ୍ଧି କରେ ସେଇ ମୁହୂର୍ତ୍ତରେ ସାପଟି ତତ୍‌କ୍ଷଣାତ୍ ଅଦୃଶ୍ୟ ହୋଇଯାଏ । ଅର୍ଥାତ୍ ମାୟା ଅପସରି ଯାଏ । ଅଜ୍ଞାନ ହେତୁ ଆମେ ଆପଣାକୁ ତୁଚ୍ଛା ନଶ୍ୱର ଜୀବଟିଏବୋଲି ବିଚାରିଥାଉ-। ଆମ ଚାରିପାଖରେ ପୃଥିବୀ, ସମୟ, କାଳ ସବୁ କାର୍ଯ୍ୟକାରଣରେ ବନ୍ଧା ସୂତ୍ର ପରି ପ୍ରତୀୟମାନ ହୁଅନ୍ତି । ଆମେ ନିଜର ଅସାରତା ସୀମାବଦ୍ଧତା, ବନ୍ଧନ ଏବଂ ଯନ୍ତ୍ରଣା ସମ୍ପର୍କରେ ଚିନ୍ତା କରି ଆପଣା ଭିତରେ ଭାରି ଛନ୍ଦି ହୋଇପଡ଼ୁ । ଅଥଚ, ପ୍ରକୃତରେ ଆମ ଭିତରେ ଅନ୍ତର୍ନିହିତ ‘ବ୍ରହ୍ମ'କୁ, ସଂସାରର ପ୍ରତିଟି ଉପାଦାନରେ ବିଦ୍ୟମାନ ବ୍ରହ୍ମର ସେଇ ଅଖଣ୍ଡ, ନିତ୍ୟ ସ୍ୱରୂପକୁ ଆମେ ଚିହ୍ନି ପାରିନଥାଉ । ମନର ସେଇ ଭ୍ରମ ଥରେ ମାତ୍ର ଅପସରିଗଲେ ଆପଣାର ଅଭ୍ୟନ୍ତର ଏବଂ ସାରା ସଂସାରଟା ବ୍ରହ୍ମମୟ ଲାଗେ । ଏଠାରେ ଆଉଥରେ ଅବଶ୍ୟ ଉଲ୍ଲେଖ କରିବା ପ୍ରାସଙ୍ଗିକ ହେବ ଯେ ଦର୍ଶନର ବିଭିନ୍ନ ସୋପାନରେ ମାୟା ମୌଳିକଭାବେ ମାୟା ଭାବରେ ବର୍ଣ୍ଣିତ/ଆଲୋଚିତ ହୋଇଛି । ଅବଶ୍ୟ ମାୟାର ଉପାଦାନ ଭାବରେ ‘ସଂଶୟ',ମିଥ୍ୟାଜ୍ଞାନ',’ଅଭାବ' ‘ଅବିଦ୍ୟା’ ଏବଂ ‘ଅଖ୍ୟାତି' ଆଦି ବ୍ୟବହାର କରାଯାଇଛି । ବେଦାନ୍ତର ଟୀକାକାରମାନେ ମାୟାକୁ ଅବାସ୍ତବ/ଅସତ୍ୟ (unreal) ବୋଲି କହିଛନ୍ତି କାରଣ ମାୟା ‘ଜୀବ' (Soul) ଏବଂ ବ୍ରହ୍ମ (Absolute Truth) ମଝିରେ ‘ଦ୍ୱୈତ'(dual) ଭାବରେ ଉପସ୍ଥିତ । ମାୟା ସତ୍ୟପରି ବୋଧ ହେଉଥିବା ସ୍ୱପ୍ନପରି ଅବାସ୍ତବ । ଯେମିତି ଦଉଡ଼ିଟି ଅନ୍ଧାରରେ ସର୍ପର ଭ୍ରମ ସୃଷ୍ଟିକରେ ଠିକ୍ ସେହିପରି ସ୍ୱୟଂ ପ୍ରାଣୀମଧ୍ୟ ଆପଣାର ଅନେକ ଆକୃତି/ରୂପ ବିଦ୍ୟମାନବୋଲି ବିଚାରିଥାଏ । ସେଇ ଅବସ୍ଥାଟିରେ କିଛି ‘ଉତ୍ପତ୍ତି' ହୁଏନାହିଁ, କିଛି ‘ନିରୋଧ' (ବିନାଶ) ମଧ୍ୟ ହୁଏନାହିଁ । ଅର୍ଥାତ୍ କଳ୍ପନାଟିର ସେଇ ଭୂମିଟି ଭାରି ଅବାସ୍ତବ ହୋଇଥିବାରୁ ନିଜକୁ ଏକ କାଳ୍ପନିକ ବୃତ୍ତର ପରିଧି ଭିତରେ ଆବିଷ୍କାର କରିଥାଏ । ଅନ୍ୟ ଅର୍ଥରେ ଆତ୍ମା (ସତ୍‌) ନିତ୍ୟ । ସେ ଜୀବନ ଓ ମୃତ୍ୟୁଚକ୍ରର ବାହାରେ । ସତ୍‌ର କୌଣସି ଭଗ୍ନାଂଶ ମଧ୍ୟ ଅସମ୍ଭବ । ଆମକୁ ଦୃଶ୍ୟ ହେଉଥିବା ସବୁକିଛି ଠିକ୍ ‘ମାୟାହସ୍ତୀ' ପରି ଯାହା ଆପଣାଛାଏଁ ପ୍ରକଟ ହୋଇପାରେ ନାହିଁ, କେବଳ ଅଭିଜ୍ଞର ଅଭିଜ୍ଞତାରେ ଏହାର ଦର୍ଶନ ସମ୍ଭବ ହୋଇଥାଏ । ଅଭିଜ୍ଞତା ହିଁ ‘ଜୀବନ'କୁ ‘ଜୀବନ' ଏବଂ ‘ମୃତ୍ୟୁ' କୁ ‘ମୃତ୍ୟୁ'ବୋଲି ପ୍ରତିପାଦନ କରିଥାଏ ।

 

ଗୌଡ଼ପଦ ଜୀବନକୁ ଏକ ଜାଗ୍ରତ ସ୍ୱପ୍ନବୋଲି ମନେ କରୁଥିଲେ । ତାଙ୍କ ମତରେ ‘ଏଇ ସଂସାରଟି କେବଳ ମଣିଷର ମନରେ/କଳ୍ପନାରେ ହିଁ ତିଷ୍ଠି ରହିଛି ।’ ‘ଦ୍ୱୈତ'ର ସଂସାର କେବଳ ମାତ୍ର ମାୟା, ପ୍ରାଣୀଟି ପ୍ରକୃତରେ ‘ଅଦ୍ୱୈତ’ । (ମାୟା ମାତ୍ରଂ ଇଦଂ ଦ୍ୱୈତମ୍‌, ଅଦ୍ୱୈତମ୍ ପରମାର୍ଥତା) । ଭଗବତ୍ ଗୀତାର ବିଶ୍ୱରୂପ ଦର୍ଶନ ଯୋଗରେ ଅର୍ଜୁନ ଶ୍ରୀକୃଷ୍ଣଙ୍କ ବିଶ୍ୱରୂପରେ ସହସ୍ର ଭାଗରେ ବିଭକ୍ତ ବ୍ରହ୍ମାଣ୍ଡ ପରମାତ୍ମାଙ୍କ ଠାରେ ପୁଞ୍ଜିଭୂତ ହୋଇଥିବା ଦେଖିପାରିଥିଲେ । ‘ଯେମିତି ତରଙ୍ଗାୟିତ ହେଲେ ମଧ୍ୟ ସୂର୍ଯ୍ୟ ସ୍ଥିର ରହିଥା'ନ୍ତି ସେହିପରି ପ୍ରତିଫଳିତ ଜଳରେ ‘ବିଷୟାସକ୍ତ' ହୋଇ ଆତ୍ମା ଅନେକ ରୂପ ଧାରଣ କଲେ ମଧ୍ୟ ଆତ୍ମା ‘ଅଦ୍ୱୈତ', ‘ଅବିକାରୀ' ଓ ପରିବର୍ତ୍ତନରହିତ ।' ଆତ୍ମାର ବିଷୟାସକ୍ତ ହେବାର କ୍ରିୟାଟି ପ୍ରକୃତରେ ମାୟାର ଚାତୁରୀ । ଅତଏବ ମାୟା ହିଁ ଚେତନାର ପରମାର୍ଥକୁ ଉତ୍ତରଣ କ୍ରମରେ ଏକ ଭ୍ରମାତ୍ମକ ପରିପ୍ରକାଶ । ଅର୍ଥାତ୍‌, ଜୀବ ଏବଂ ଆତ୍ମାର ମହାମିଳନରେ, ସଂଯୋଗରେ ଯେତେବେଳେ ବ୍ୟାଘାତ ସୃଷ୍ଟିହୁଏ, ଅଖଣ୍ଡ ଚେତନା ଏବଂ ସଂକ୍ଷେପିତ ଅଭିଜ୍ଞତା ମଧ୍ୟରେ ଥିବା ସୂକ୍ଷ୍ମ ଭାରସାମ୍ୟ ଯେତେବେଳେ ଅସନ୍ତୁଳିତ ହୋଇଯାଏ ସେତିକିବେଳେ ମାୟାଟି ତା'ର କିମିଆଁ ଦେଖାଉଥାଏ । ଆହୁରି ମଧ୍ୟ କୁହାଯାଇଛି ଯେ ଜଗତ ବା ସଂସାର କ୍ଷଣସ୍ଥାୟୀ । ସୁଖଦୁଃଖ ପରି ଜଗତ ବି ଆତଜାତ ହେଉଥାଏ । ଜଗତ ମିଥ୍ୟା ଏବଂ ସତ୍ୟ ହିଁ ବ୍ରହ୍ମ । ସଂସାର ନଶ୍ୱର । ଆତ୍ମା ନିରନ୍ତର । ଯେତେବେଳେ କଳ୍ପନା ସବୁ ଆପଣା ଗୁମ୍ଫାମାନଙ୍କରୁ ବାହାରକୁ ଆସନ୍ତି ଏବଂ କାଳ୍ପନିକ ଭୂମିରୁ ବାସ୍ତବିକତାରେ ଅବତ୍ତୀର୍ଣ୍ଣ ହୁଅନ୍ତି ସେତେବେଳେ ମାୟା ଭାରି ସରାଗରେ ତା'ର କାଉଁରୀ ହାଡ଼ଟି ଧରି ହସୁଥାଏ । ଶଙ୍କରାଚାର୍ଯ୍ୟ କହିଥିଲେ- ମାୟା ‘ବ୍ରହ୍ମ'ର (ସତ୍ୟର) ବିପରୀତ (Antithesis) ଏବଂ ଜଗତ ସହିତ ସମ୍ପୃକ୍ତ, ଯେଉଁ ଜଗତ ଅଳୀକ, ମିଥ୍ୟା । ମାତ୍ର ଜଗତ ବ୍ରହ୍ମର ମଧ୍ୟ ଏକ ଅଂଶ । ଶୂନ୍ୟତାରୁ କୌଣସି ସୃଷ୍ଟି ସମ୍ଭବ ନୁହେଁ । ଅବିନାଶୀ, ଶାଶ୍ୱତ ବ୍ରହ୍ମରୁ ବ୍ରହ୍ମାଣ୍ଡର ଉତ୍ପତ୍ତି । ଅବିଦ୍ୟାର ମୁଖା ପିନ୍ଧି ମାୟା ହିଁ ବ୍ରହ୍ମର ନିତ୍ୟ ଏବଂ ନଶ୍ୱର ସ୍ୱରୂପଗତ ତାରତମ୍ୟକୁ ସଂକୀର୍ଣ୍ଣ କରିବାପାଇଁ ସବୁମନ୍ତେ ଚେଷ୍ଟା କରିଥାଏ । ସେହି ଦୃଷ୍ଟିରୁ ମାୟା ଭାରି ଛଳନାମୟୀ ।

 

ମାୟା ଐକ୍ୟକୁ ବରାବର ବିରୋଧ କରେ, ସବୁ ସଂଯୋଗର ଶତ୍ରୁ ହୋଇ ଛିଡ଼ା ହୁଏ । ଆତ୍ମାର ଅନ୍ତଃର୍ନିହିତ ଐକ୍ୟ ଭିତରେ ମାୟା ସଂହତି ଦେଖିପାରେ ନାହିଁ । ବରଂ ତା'କୁ ଆବୋରି ବସିଥିବା ଅବିଦ୍ୟାଟି ସତ୍ୟକୁ, ଐକ୍ୟକୁ ବହୁଧା ବିଭକ୍ତ କରି ପ୍ରତିଭାତ କରେ । ବ୍ରହ୍ମ କିନ୍ତୁ ଅସଂଖ୍ୟ ରୂପରେ ଆପଣାକୁ ପ୍ରକଟ କରି, ସୃଷ୍ଟିର ସଂରଚନା କରେ । ସେତେବେଳେ ବ୍ରହ୍ମର ଏହି କ୍ରିୟାକୁ ‘ପ୍ରକୃତି' କୁହାଯାଏ । ଜଗତପାଇଁ ‘ବ୍ରହ୍ମ' ସେତିକିବେଳେ ‘ଈଶ୍ୱର'ରେ ରୂପାନ୍ତରିତ ହୁଅନ୍ତି । (ଈଶ୍ୱରସ୍ୟ ମାୟା ଶକ୍ତି ପ୍ରକୃତି) । ମାୟା ଈଶ୍ୱରଙ୍କ ଅନ୍ତର୍ନିହିତ ଶକ୍ତି ଯାହାକୁ ଈଶ୍ୱର ଆପଣା ସୃଷ୍ଟିରେ ରୂପାନ୍ତରିତ କରିଥାନ୍ତି । ଏହି ଶକ୍ତିର ଅନ୍ୟ କୌଣସି ସତ୍ତା ନାହିଁ, ଦ୍ୱିତୀୟ ଉତ୍ସ ନାହିଁ । ବିଧାତା ହିଁ ଏହି ଶକ୍ତିର ଆରମ୍ଭ । ବିଧାତା ହିଁ ଏହାର ଶେଷ ।

 

ମାୟା ତା'ର ‘ଅବିଦ୍ୟା’/ମିଥ୍ୟାଜ୍ଞାନ ମାଧ୍ୟମରେ ଦୁଇଟି ମାର୍ଗରେ ଆପଣାକୁ ପ୍ରକଟ କରେବୋଲି କୁହାଯାଇଛି । (୧) ଅବର୍ଣ୍ଣ (Concealment), (୨) ବିକ୍ଷେପ (Misrepresentation) । ମାୟା ସତ୍ୟକୁ ଲୁଚାଇ ରଖେ ଏବଂ ସତ୍ୟର ଅପଳାପ ମଧ୍ୟ କରେ । ଅଥଚ ବ୍ରହ୍ମ ବା ପରମାତ୍ମା ମାୟାର ଭେଳିକିରେ ପ୍ରଭାବିତ ହୁଅନ୍ତି ନାହିଁ । ମାୟାର ଇନ୍ଦ୍ରଜାଲରେ ଆତ୍ମା ଜମାରୁ ଧରାଦିଏ ନାହିଁ । ଆତ୍ମା ଅମଳିନ, ଆତ୍ମା ନିତ୍ୟ । ଆତ୍ମାକୁ ତମସା, ନିଦ୍ରା, ଜାଗୃତି କିଛି ସ୍ପର୍ଶ କରିପାରନ୍ତି ନାହିଁ । ସିଏ ଏମାନଙ୍କଠାରୁ ଦୂରରେ ଯଦିଓ ମାୟା ସୃଷ୍ଟିକର୍ତ୍ତା ଏବଂ ସୃଷ୍ଟିଭିତରେ ସଦାସର୍ବଦା ଅସନ୍ତୁଳନ ଆଣିବାପାଇଁ ବ୍ୟଗ୍ର ହୋଇ ବସିଥାଏ । ଫାଟଟିଏ ସୃଷ୍ଟି କରିବାପାଇଁ ଚେଷ୍ଟିତ ଥାଏ । ସମୟ ଓ କାଳର ପ୍ରେକ୍ଷାପଟରେ ଏଇ ବିଚିତ୍ର ମାନସିକ ସ୍ଖଳନଟି ଏକତାକୁ ଅନେକତା, ଐକ୍ୟକୁ ଅନୈକ୍ୟ ଭାବରେ ଦୃଶ୍ୟମାନ କରାଏ ।

 

ଶିବସୂତ୍ରରେ ଆଚାର୍ଯ୍ୟ ବାସୁଗୁପ୍ତ ମାୟାର ସ୍ୱରୂପକୁ ପ୍ରତିପାଦନ କରିବାପାଇଁ ‘କାଳାଦିନାମ୍ ତତ୍ତ୍ୱାନାମ୍ ଅବିବେକୋ ମାୟା'ବୋଲି କହିଛନ୍ତି । ଅର୍ଥାତ୍ କାଳର ସତ୍ୟ ସ୍ୱରୂପ ଅବୋଧ୍ୟମ୍ୟତା ହିଁ ମାୟା, ପରମାର୍ଥକୁ ତାଙ୍କର ଅସଲ ରୂପରେ ଚିହ୍ନିନପାରିବା ହିଁ ମାୟା । ପରମାର୍ଥ ତାଙ୍କର ଅସଲ ରୂପରେ ଆତ୍ମପ୍ରକାଶ ନ କରିବା ମଧ୍ୟ ମାୟା । ଅନ୍ୟ ଅର୍ଥରେ ‘ସମ୍ବିତ୍‌'ର (supreme consciousness) ର ଜାଗତିକ ବସ୍ତୁମାନଙ୍କ ମଧ୍ୟରେ ଉତ୍ତରିତ ନହୋଇପାରିବାର ଅବସ୍ଥାଟି ମାୟା । ଶୈବ ଦର୍ଶନରେ ଆତ୍ମା ଏବଂ ପଦାର୍ଥ ମଧ୍ୟରେ ମାୟା ଏକ ଅପଂହଚ ବିସ୍ତୃତି, ଏକ ଅନାବିଷ୍କୃତ ଦୂରତ୍ୱ । ଶୈବମାନେ ମାୟାକୁ ‘ଆଦିଶକ୍ତି' ଏବଂ ‘ମୂଳ ପ୍ରକୃତି'ବୋଲି ମଧ୍ୟ କହିଛନ୍ତି । ମାୟା ଶିବଙ୍କ ଅନ୍ତର୍ନିହିତ, ଶିବ ସମାହିତ, ମାତ୍ର ଶିବଙ୍କ ଉତ୍ତରଣର ଶତ୍ରୁ ନୁହେଁ । ଆତ୍ମ-ଉପଲବ୍‌ଧିର ମାର୍ଗରେ ଅର୍ଥାତ୍ ଚୈତନ୍ୟପ୍ରାପ୍ତିର ସନ୍ଧାନରେ ‘ଜୀବ'ଟି ଭାରି ଛନ୍ଦି ହୋଇପଡ଼ିଥାଏ; ଏଇ ଛନ୍ଦଗୁଡ଼ାକୁ ଚ୍ଛିନ୍ନ କରିପାରିଲେ ସିଏ ‘ପାଶମୁକ୍ତ' ହୁଏ ଏବଂ ସ୍ୱୟଂ ଶିବରେ ରୂପାନ୍ତରିତ ହୋଇଥାଏ । ମାୟା ‘ପାଶବଦ୍ଧତା' ଏବଂ ‘ପାଶମୁକ୍ତି'ର ମଝିରେ ଏକ ଭାସମାନ, କ୍ଷଣିକ ମାନସିକ ବିକାର । ଯେପର୍ଯ୍ୟନ୍ତ ପରମାର୍ଥର ଦର୍ଶନ ନ ହୋଇଛି ସେପର୍ଯ୍ୟନ୍ତ ଜୀବସହିତ ମାୟା ମିତ ହୋଇରହିଛି । ମୋହିନୀ କନ୍ୟାପରି ମାୟା ତାକୁ ପୂରା କାବୁ କରି ରଖିଛି । ମାତ୍ର ସମ୍ମୋହନର ଏଇ ମୁହୂର୍ତ୍ତଟି କଦାପି ଚିରନ୍ତନ ହୋଇନପାରେ । ଆତ୍ମାନୁଭୂତିର ସ୍ୱର୍ଗୀୟ ସମ୍ଭାବନାଟିକୁ ମାୟା ବିନାଶ କରିପାରିବ ନାହିଁ ।

 

ଉତ୍ତରିତ ‘ଶିବ'ଙ୍କର /ସତ୍ୟଟିର ମାୟା ଏକ ଅନ୍ତର୍ନିହିତ ଆକୃତି (ବିଶ୍ୱାର୍ଣ୍ଣୟ) । ଅତଏବ, ମାୟା ଶିବଙ୍କଠାରୁ, ସତ୍ୟଠାରୁ ଅଭିନ୍ନ ନୁହେଁ । ଶୈବମାନଙ୍କର ମତ ଯେ ଯଦିଓ ଶିବ ସ୍ୱୟଂ ‘ବିଶ୍ୱରୂପ', ସେ ସୃଷ୍ଟିରେ ବିଶ୍ୱାସ କରନ୍ତି । ଶକ୍ତିର ଏଇ ପରିସ୍ଫୁଟନରେ ମାୟା ପରଦାଟିଏ ପରି ସତ୍ୟକୁ ଢାଙ୍କି ରଖିବାପାଇଁ ଚେଷ୍ଟା କରେ । ସତ୍ୟକୁ ଏକକ ସ୍ୱରୂପରେ ନୁହେଁ ବରଂ ସହସ୍ର ଆକୃତିରେ, ଭଗ୍ନାଂଶରେ ଆମ ଆଗରେ ଉପସ୍ଥିତ କରାଏ । ‘ନୀଳ'କୁ ‘ନୀଳ' ଭାବରେ ଏବଂ ‘ପୀତ'କୁ ‘ପୀତ' ଭାବରେ ଦୃଶ୍ୟ କରାଏ । ଅଥଚ ଯେଉଁ ମୁହୂର୍ତ୍ତରେ ଜ୍ଞାନର ଦରଜାଟି ଖୋଲିଯାଏ ଦର୍ଶକଟିପାଇଁ ସବୁ ଆକାର ଏକାକାର ହୋଇଯାଏ, ସବୁ ରଙ୍ଗ ଗୋଟିଏ ରଙ୍ଗ ହୋଇଯା'ନ୍ତି । ସେଇ ମୁହୂର୍ତ୍ତରେ ମାୟାର ଭବ୍ୟ ମହଲଟି ମଧ୍ୟ ଏକାବେଳେକେ ଅଦୃଶ୍ୟ ହୋଇଯାଏ । ବେଦାନ୍ତରେ ମାୟାକୁ ‘ଅବାସ୍ତବ' କୁହାଯାଉଥିବା ସ୍ଥଳେ ଶୈବ ଦର୍ଶନରେ ମାୟାକୁ ‘ଅବାସ୍ତବ' ଆଖ୍ୟା ଦିଆଯାଇନାହିଁ । ମାୟାର ଏକ ନିଜସ୍ୱ ଭୂମି ରହିଛି । ଯେତେ ଅଳୀକ, କ୍ଷଣସ୍ଥାୟୀ ହୋଇଥାଉନା କାହିଁକି ମାୟାର ଆପଣା ଅଗଣାଟିଏ ରହିଛି । ଶୈବ ମତବାଦରେ ସାରା ବିଶ୍ୱଟି ସେଇ ଚେତନାପୁରୁଷର ପ୍ରତିଫଳନ ଯିଏ ବାସ୍ତବ, ସର୍ବବ୍ୟାପୀ ତଥା ସ୍ୱତନ୍ତ୍ର । ‘ପୁଣି ବିଧାତାର ସୃଷ୍ଟି (ବିଶ୍ୱମାୟା) ଏବଂ ଉତ୍ତରଣ (ବିଶ୍ୱତ୍ତୀର୍ଣ୍ଣ)ର ସମ୍ପର୍କ ହେଉଛି ପ୍ରତିଫଳିତ ଏବଂ ପ୍ରତିଫଳକର ସମ୍ପର୍କ-। ଯଦି ପ୍ରତିଫଳକ ସତ୍ୟ ତେବେ ପ୍ରତିଫଳନ ଅବାସ୍ତବ ହୋଇପାରିବ ନାହିଁ, କାରଣ ପ୍ରତିଫଳିତର ପ୍ରତିଫଳକ ଭିନ୍ନ ସ୍ୱତନ୍ତ୍ର ସ୍ଥିତି ନାହିଁ । ଅତଏବ ମାୟା ଅବାସ୍ତବ ହୋଇନପାରେ । ମାୟା ବିଧାତାର ସୂତ୍ରଧର । ମାୟା ଏକ ମୁହୂର୍ତ୍ତ । ଅନ୍ତର୍ନିହିତକୁ ଉତ୍ତରଣରେ ଲୀନ କରିବାର ମୁହୂର୍ତ୍ତ । ଏକ ଅଦ୍ଭୁତ ମୁହୂର୍ତ୍ତ । ଶିବଙ୍କର ଆଦିଶକ୍ତି ଏବଂ ଉତ୍ତରିତ ମୁହୂର୍ତ୍ତମାନଙ୍କ ମଧ୍ୟରେ ମାୟା ଏକ ଲୁଚକାଳି ଖେଳ ।'

 

ବେଦାନ୍ତରେ ମାୟାଟି ଅନମନୀୟ ଏବଂ ଅସଂଲଗ୍ନ ମନେ ହେଉଥିବାବେଳେ ଶୈବଦର୍ଶନରେ ମାୟା ସକଳ ଶକ୍ତିର ଆଧାର (ସକଳ ଜନନୀ) । ଶିବ ଓ ଶକ୍ତିଙ୍କ ମଧ୍ୟରେ ଯେଉଁ ପର୍ଯ୍ୟନ୍ତ ଅସାମଞ୍ଜସ୍ୟ ତିଷ୍ଠିରହିଥିବ ସେପର୍ଯ୍ୟନ୍ତ ମାୟା ସକାରାତ୍ମକ ହୋଇରହିଥିବ । ମାୟାକୁ ତ୍ୟାଗ ନକଲେ ମୁକ୍ତି ଅସମ୍ଭବବୋଲି ବେଦାନ୍ତରେ କୁହାଯାଇଛି, କାରଣ ମାୟା ‘ଜୀବ’ର ‘ଅବିଦ୍ୟା’-। ଯେପର୍ଯ୍ୟନ୍ତ ପ୍ରାଣୀଟି ଏ ଜଗତର ଅଂଶ ହୋଇ ରହିଥିବ ଅର୍ଥାତ୍ ଜାଗତିକ ହୋଇ ରହିଥିବ ତା'ର ମୁକ୍ତି ସମ୍ଭବ ହେବନାହିଁ । ଶୈବ ଚେତନା ଅନୁଯାୟୀ ଆମରି ଜୀବନଚକ୍ର ଭିତରେ, ସକଳ ଜାଗତିକତା ମଧ୍ୟରେ ମୁକ୍ତିର ପ୍ରବନ୍ଧ ରହିଛି । ଏହାକୁ ‘ଜୀବନାମୁକ୍ତାବସ୍ଥା' କୁହାଯାଇଛି । ଅର୍ଥାତ୍ ଆପଣାର ଜୀବନଚର୍ଯ୍ୟାରେ, ଆପଣର ପରିଧି ଭିତରେ ମୁକ୍ତିର ମହାମୃତ୍ୟୁଞ୍ଜୟ ମନ୍ତ୍ରଟି ମଧ୍ୟ ଲୁଚିରହିଛି । ଶୈବ ବିଶ୍ୱାସ ଅନୁଯାୟୀ, ଯେତେବେଳେ ଜ୍ଞାନର ଉଦୟ ହେବ, ସବୁ ବିବିଧତା ଭିତରେ କେବଳ, ଏକତା ହିଁ ଦିଶିଯାଉଥିବ, ସକଳ ଅନୈକ୍ୟ ଭିତରେ କେବଳ ଐକ୍ୟ ହିଁ ଉପଲବ୍ଧ ହେଉଥିବ, ସେତିକିବେଳେ ପରମାନନ୍ଦ ପ୍ରାପ୍ତି ହେବ । ମୁକ୍ତିର ଚିରସବୁଜ ଉପତ୍ୟକାଟି ସେତିକିବେଳେ ଭାରି ଆକର୍ଷଣୀୟ, ଆନନ୍ଦମୟ ହୋଇ ପ୍ରତିଭାତ ହେବ । ଶୈବ ଦର୍ଶନରେ ‘ଭୋଗ'କୁ ନକାରାତ୍ମକବୋଲି ମନେ କରାଯାଇନାହିଁ ବରଂ ‘ଭୋଗ’ ହିଁ ‘ଯୋଗ'ର ପୂର୍ବସୂରୀବୋଲି କୁହାଯାଇଛି । ବେଦାନ୍ତରେ ସଂସାର ତ୍ୟାଗ କରିଥିବା ‘ସନ୍ନ୍ୟାସୀ’ ମାନେ ଅଛନ୍ତି ମାତ୍ର ଶୈବ ଦର୍ଶନ ‘ଆଚାର୍ଯ୍ୟ'କୁ ବିଚାରବନ୍ତ ମନେକରିଛି । ଆଚାର୍ଯ୍ୟ ନିଜେ ଅସଂଲଗ୍ନ ନୁହନ୍ତି ମାତ୍ର ସେ ଆତ୍ମା ଏବଂ ଅବୟବଗୁଡ଼ାକ ଭିତର ଥିବା ପ୍ରଭେଦର ଊର୍ଦ୍ଧ୍ୱରେ । ପଦାର୍ଥ ଏବଂ ପରମାତ୍ମାଙ୍କ ମଧ୍ୟରେ ସେମାନେ ପାର୍ଥକ୍ୟ ଅନୁଭବ କରିପାରନ୍ତି ନାହିଁ । ସଂକ୍ଷେପରେ, ବେଦାନ୍ତ ସ୍ରଷ୍ଟାଠାରୁ ମାୟାକୁ ଦୂରନ୍ତ କରି ରଖିଛି ଯାହା ଶୈବମାନଙ୍କ କ୍ଷେତ୍ରରେ ହୋଇନାହିଁ । ଶୈବମତରେ ବିଧାତା ତାଙ୍କ ଉତ୍ତରଣରେ ମାୟା ଉପରେ ଅବଲମ୍ବନ ନ ରଖୁଥିଲେ ହେଁ ମାୟା ସ୍ରଷ୍ଟାଙ୍କ ସହିତ ମୌଳିକଭାବେ ସଂଲଗ୍ନ ।

 

ହିନ୍ଦୁ ଧର୍ମରେ ସଂସାରକୁ ଅବାସ୍ତବବୋଲି ମଧ୍ୟ କୁହାଯାଇଛି । ଆମ ଚାରିପାଖର ସଂସାରଟି ଅଜ୍ଞାନ ଏବଂ ଅସତ୍ୟର ସଂସାର । ଆମ ବୃତ୍ତର ପରିଧି ବାହାରେ ‘ସତ୍‌'ର ଅସଲ ଜଗତଟି ରହିଛି । ଇନ୍ଦ୍ରିୟମାନେ ଏହି ଜଗତକୁ ସ୍ପର୍ଶ କରିପାରିବେ ନାହିଁ, ଅତଏବ ଏହି ଇନ୍ଦ୍ରିୟାତୀତ-। ଯେପର୍ଯ୍ୟନ୍ତ ପ୍ରାଣୀ ଆପଣାକୁ ଏଇ ବିଶାଳ ପୃଥିବୀର ଏକ ଅବିଚ୍ଛେଦ୍ୟ ଅଂଶବୋଲି ବିଚାର ନକରିଛି, ସେ ଏକ ଅବାସ୍ତବ ଭୂମି ଉପରେ ରହିଛି । ସିଏ ଆପଣା ସ୍ୱାର୍ଥର ବଶବର୍ତ୍ତୀ ହୋଇ ରହିଛି ଏବଂ ସ୍ୱାର୍ଥସିଦ୍ଧିପାଇଁ ଯାବତୀୟ କର୍ମ କରୁଛି । ସିଏ ନିଜପାଇଁ ବଞ୍ଚିଛି ଏବଂ ଆତ୍ମରକ୍ଷା କରୁଛି । ସ୍ୱକୀୟ ସ୍ୱାର୍ଥର ଏଇ ସୁଦୀର୍ଘ ଯାତ୍ରାରେ ମାୟାଟି ବରାବର ତା'ର ସାଥୀ ହୋଇରହିଛି । ଇନ୍ଦ୍ରିୟମାନେ ତାକୁ ସୁଖ ଏବଂ ଦୁଃଖର ଅନୁଭୂତିମାନ ଦେଉଛନ୍ତି । ସିଏ ଇନ୍ଦ୍ରିୟମାନଙ୍କର କ୍ରୀତଦାସ ହୋଇରହିଛି । ଜଗତର ସମସ୍ତ ପ୍ରାଣୀ ଏଇଥିରେ ବନ୍ଧା । ଏବଂ ଯେଉଁମାନେ ଏଇ ବନ୍ଧନକୁ ସ୍ୱୀକାର କରନ୍ତି ନାହିଁ ସେମାନେ ଇନ୍ଦ୍ରିୟାଧୀନ, ଅଧିକ ଆଚ୍ଛନ୍ନ, ମାୟାଚ୍ଛନ୍ନ । ଅନ୍ୟ ଅର୍ଥରେ, ଆରମ୍ଭରୁ ହିଁ ଆମ ଆତ୍ମା ଭିତରେ ବସ୍ତୁବାଦର ମଞ୍ଜିଟି ରୋପଣ କରାଯାଇଛି । ସ୍ୱକୀୟ ବିକାଶ ନାଁରେ ଆମର ପିତାମାତା, ଆତ୍ମୀୟ, ଶିକ୍ଷକ, ଶିକ୍ଷାୟତନ ସମସ୍ତେ ଡାରୱିନ୍‌ଙ୍କ ବିବର୍ତ୍ତନ ସୂତ୍ର ହିଁ ଭାରି ମନଦେଇ ଆମକୁ ପଢ଼ାଇ ଆସିଛନ୍ତି । ଏଇ ପୃଥିବୀଟି ସବୁଠୁଁ ସକ୍ଷମର ପୃଥିବୀ, ପାରିବାଲୋକର ପୃଥିବୀ ହୋଇ ରହିଛି । ପ୍ରତିଯୋଗିତାର ପୃଥବୀ ହୋଇ ମଧ୍ୟ ରହିଛି । ନିଜକୁ ଯଥାର୍ଥରେ ଏକ ଜ୍ଞାନୀ ଭାବରେ ନୁହେଁ, ଦରଦୀ ମଣିଷଟିଏ ହିସାବରେ ନୁହେଁ ବରଂ ଏକ ବ୍ୟାଧ ଭାବରେ ଆମେ ନିଜକୁ ପ୍ରସ୍ତୁତ କରୁଛୁ । କେବଳ ଆପଣାର ଖୋସାଟିକୁ ଆମେ ରମ୍ୟ ମଣିବା ଶିଖିଛୁ । ମଣିଷ ଏବଂ ଏଇ ସୁନ୍ଦର ସୃଷ୍ଟିକୁ ପ୍ରକାରାନ୍ତରେ ଏକ କାମଳ ଆଖିରେ ଦେଖିବାପାଇଁ ଆମକୁ ସବୁପ୍ରକାର ତାଲିମ ଓ ପ୍ରେରଣା ବଡ଼ କାଇଦାରେ ଯୋଗାଇ ଦିଆଯାଇଛି । ଏଠି ପାରିବାପଣିଆର ପ୍ରତିଯୋଗିତା ଚାଲିଛି । ପ୍ରତିଯୋଗୀମାନଙ୍କୁ ସମୃଦ୍ଧ କରିବାପାଇଁ ଉର୍ବର ଅନୁଷ୍ଠାନମାନ ମଧ୍ୟ ତିଆରି ହୋଇଛନ୍ତି । ଏକ ଯାନ୍ତ୍ରିକ, ପାଶବିକ ଆବେଗ ଆମ ଦିଗ୍‌ବଳୟଗୁଡ଼ିକୁ ଭାରି ଧୂଆଁଳିଆ କରିପକାଉଛନ୍ତି । ସବୁ ସବୁଜ ବିସ୍ତୃତି ଆମକୁ ନିଜ ବଂଗ୍‌ଲୋର ଟେରାସ୍ ଗାର୍ଡସ୍ ପରି ଦିଶୁଛନ୍ତି; ସବୁ ରଙ୍ଗୀନ୍ ପ୍ରଜାପତିଗୁଡ଼ିକ ଭାରି ହିଂସ୍ର ମନେହେଉଛନ୍ତି । ଏହାହିଁ କ'ଣ ମାୟା ? ମାୟାର ଇନ୍ଦ୍ରଜାଲ ?

 

ମାୟାର ଅନ୍ୟ ଏକ ନିୟମ ହେଉଛି ଯେ ମାୟା କାହାକୁ ମୁକ୍ତିର ବାଟ ଦେଖାଇବ ନାହିଁ-। ସିଏ ମୁକ୍ତିର ସବୁଠାରୁ ବଡ଼ ଶତ୍ରୁ । ପରିତ୍ରାଣର ବାଟକୁ ସିଏ ଅବଶ୍ୟ ଓଗାଳିବ, ସମସ୍ତ ଶକ୍ତି ଖର୍ଚ୍ଚ କରି ଓଗାଳିବ । ହିନ୍ଦୁ ଧର୍ମରେ ମାୟା ବହୁଚର୍ଚ୍ଚିତ । ଭଗବତ୍ ଗୀତାରେ ପ୍ରାଣୀକୁ ପ୍ରାଣୀର ଶତ୍ରୁବୋଲି କୁହାଯାଇଛି, ପୁଣି ମିତ୍ରବୋଲି କୁହାଯାଇଛି । ଆମର ବାହାରଟି ଆମ ଭିତରର ଶତ୍ରୁବୋଲି ମଧ୍ୟ କୁହାଯାଇଛି । ପାର୍ଥିବ ଜଗତର ମୋହରେ ଚେତନାର ବାହ୍ୟ ସ୍ୱରୂପଟି ଆତ୍ମାର ଶତ୍ରୁ । ଅଥଚ ଆପଣାର ଉପଲବ୍‌ଧିର ମାର୍ଗରେ, ଆଲୋକର ମାର୍ଗରେ, ସଦ୍‌ଗତିର ପ୍ରଶସ୍ତ ରାଜପଥରେ ସିଏ ପରମମିତ୍ର । ଅତଏବ ଆମରି ଚେତନା ମାଧ୍ୟମରେ ଆମେ ସୀମାବଦ୍ଧତାରୁ ଅସୀମ ଆଡ଼କୁ ପାଦପକାଉ, ଆପଣାର ବୃତ୍ତ ବାହାରେ ଅନ୍ୟ ଏକ ବୃତ୍ତର ଦିବ୍ୟ ଉଚ୍ଚାଟନ ଶୁଣିପାରୁ । ପ୍ରହେଳିକାର କାତିଗୁଡ଼ାକ ନଷ୍ଟ କରିଦେବାର ସମ୍ଭାବନା ସୃଷ୍ଟିକରୁ । ଅନ୍ଧାରିଆ ଅଳିନ୍ଦଗୁଡ଼ାକୁ ଅତିକ୍ରମ କରିବାର ସାହସ କରୁ । ସେତେବେଳେ ଈଶ୍ୱର ଧରାପୃଷ୍ଠକୁ ଓହ୍ଲାଇ ଆସି ଆମ ସମସ୍ୟାର ସମାଧାନ କରିଦିଅନ୍ତି ନାହିଁ । ସିଏ ଅବଶ୍ୟ ଆମ ଭିତରକୁ ଆସନ୍ତି ଏବଂ ଅନ୍ଧାରରୁ ଆଲୋକକୁ ବାଟ କଢ଼ାଇ ନେବାପାଇଁ ଦିବ୍ୟ ପ୍ରେରଣାଟିଏ ହୋଇ ରହନ୍ତି । ଆପଣାର ଏଇ ଅନ୍ୱେଷଣରେ ମାୟାକୁ ଅଧିକ ଅନ୍ତରଙ୍ଗଭାବେ ଅନୁଭବ କରିବାପାଇଁ ଆମକୁ ସୁଯୋଗଟିଏ ମଧ୍ୟ ମିଳେ । ମାୟାର ଛାଇ- ଆଲୁଅ ଖେଳକୁ ବୁଝିସାରିଲାବେଳକୁ ମାୟା ହଟିଯାଇଥାଏ । ମାୟାର ମେଘଖଣ୍ଡ ଭାସିଯିବାପରେ ସେଇ ସ୍ଥାନରେ ଯାହା ପ୍ରତ୍ୟକ୍ଷ ହୋଇଥାଏ ସେଇଟି ମୁକ୍ତିର ଉଦ୍‌ଭାସ । ପବିତ୍ର, ଦିବ୍ୟ ମୁହୂର୍ତ୍ତ । ଗୀତାରେ ଏକଥା ମଧ୍ୟ କୁହାଯାଇଛି ଯେ ମୋକ୍ଷ ସ୍ୱୟଂ ମୁକ୍ତି ନୁହେଁ, ମୋହର ବିନାଶ ହିଁ ଯଥାର୍ଥ ମୁକ୍ତି ।

 

ଇନ୍ଦ୍ରିୟମାନଙ୍କ ଉପରେ ନିୟନ୍ତ୍ରଣ/ବିଜୟ ହାସଲ କରିବାପାଇଁ ଗୀତାରେ କୁହାଯାଇଛି, କାରଣ ପ୍ରାଣୀ ଇନ୍ଦ୍ରିୟମାନଙ୍କର ଅଧୀନ । ସାଂଖ୍ୟଯୋଗରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ‘ହେ ଅର୍ଜୁନ, ଇନ୍ଦ୍ରିୟମାନେ ଏତେ ବଳବାନ ଏବଂ ଦୁର୍ଦ୍ଦାନ୍ତ ଯେ ସେମାନଙ୍କ ନିକଟରୁ ଜ୍ଞାନୀ ଲୋକଟିଏ ମଧ୍ୟ ଖସି ଯାଇପାରେ ନାହିଁ । ସବୁଠୁଁ ଜ୍ଞାନୀର ମଧ୍ୟ ଆସକ୍ତି ଜାତ ହୁଏ, ଆସକ୍ତିରୁ କାମନା ଜାତ ହୁଏ ଏବଂ କାମନାରୁ କ୍ରୋଧ ଜାତ ହୁଏ । ସ୍ମୃତି ବିଭ୍ରମ ହେଲେ ବୁଦ୍ଧି ନାଶ ହୁଏ ଏବଂ ଯେତେବେଳେ ବୁଦ୍ଧି ନଷ୍ଟ ହୋଇଯାଏ ସେତେବେଳେ ପ୍ରାଣୀ ପୁଣି ସଂସାର ଭିତରେ ବାନ୍ଧି ହୋଇପଡ଼େ ।’ ପ୍ରକାରାନ୍ତରେ ଏହାହିଁ ମାୟାର ଚକ୍ର । ବିଷ ଚକ୍ର । ମାୟାର ଚକ୍ରରୁ ମୁକୁଳିବା, ଇନ୍ଦ୍ରିୟାତୀତ ହେବା ସହଜସାଧ୍ୟ ନୁହେଁ ।

 

ମୋକ୍ଷ ସନ୍ନ୍ୟାସଯୋଗରେ (ଗୀତା) କୁହାଯାଇଛି ‘ଇନ୍ଦ୍ରିୟମାନଙ୍କର ଇନ୍ଦ୍ରିୟଭୋଗ୍ୟ ବିଷୟବସ୍ତୁ ସହିତ ସଂଯୋଗ ହେଲେ ଯେଉଁ ସୁଖ ମିଳେ ସେସବୁ ପ୍ରଥମେ ଅମୃତପରି ଜଣାପଡ଼େ, କିନ୍ତୁ ପରିଣାମରେ ବିଷ ସଦୃଶ ଅଟେ । ସେଇ ସୁଖଟି ଆତ୍ମାନୁଭୂତି ନିମନ୍ତେ ପ୍ରତିବନ୍ଧକଟିଏ ହୋଇଥାଏ । ସେଇ ସୁଖଟି ଆରମ୍ଭରୁ ଶେଷପର୍ଯ୍ୟନ୍ତ ମାୟାମୋହିତ ଅଟେ । ସେଇ ସୁଖଟି ନିଦ୍ରା, ଆଳସ୍ୟ ଏବଂ ମାୟାରୁ ଜାତ ଏବଂ ସେଇ ସୁଖଟି ତୁଚ୍ଛା ତାମସିକ ସୁଖ' । ଗୀତାରେ ଅବଶ୍ୟ ଏହି ମର୍ମରେ ‘ମୋହନ' ଶବ୍ଦର ବ୍ୟବହାର ହୋଇଛି । ମୁକ୍ତିପାଇଁ ଶ୍ରୀକୃଷ୍ଣ ସବୁଧର୍ମ ତ୍ୟାଗ କରି ନିର୍ଭୟରେ ତାଙ୍କ ଶରଣରେ ରହିବାପାଇଁ କହିଛନ୍ତି । (ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ) । ପରମାତ୍ମାଙ୍କ ପ୍ରାପ୍ତି ହିଁ ମୁକ୍ତି, ମୋକ୍ଷର ପ୍ରାପ୍ତି । ଏହାହିଁ ଗୀତାର ଅନ୍ୟତମ ବାର୍ତ୍ତା ।

 

ବିବେକାନନ୍ଦ ମାୟା ଉପରେ ଥରେ ଏକ ଚମତ୍କାର ଭାଷଣ ଦେଇଥିଲେ । ସେଇ ଭାଷଣରେ (୨୦ ଅକ୍ଟୋବର ୧୮୯୬, ଲଣ୍ଡନ) ବିବେକାନନ୍ଦ ଈଶ୍ୱରୀୟ ଚେତନାର ବିବର୍ତ୍ତନ ଉପରେ ମଧ୍ୟ ଆଲୋଚନା କରିଥିଲେ । ସଭ୍ୟତାର ଆରମ୍ଭରୁ ମଣିଷପାଇଁ ବରାବର ଦୁଇଟି ସମାନ୍ତରାଳ ଭୂମି ବିଦ୍ୟମାନ । ଗୋଟିଏ ଭୂମି ଇନ୍ଦ୍ରିୟର ଭୂମି ଯିଏ ଆମକୁ କେତେ ରଙ୍ଗରେ, ଆକୃତିରେ, ଉଚ୍ଚାଟରେ ମୋହିତ କରି ରଖିଛି । ସେଇ ‘ଭୂମି'ଟି ‘ପ୍ରକୃତି'ର ଭୂମିବୋଲି ବିବେକାନନ୍ଦ କହିଛନ୍ତି । ଆର ଭୂମିର ଉଚ୍ଚାଟଟି ଭାରି କ୍ଷୀଣ, ଭାରି ଝାପ୍‌ସା ଯାହା ସହଜରେ ବାରିହୁଏ ନାହିଁ । ସେଇ ଭୂମିଟି ‘ନିବୃତ୍ତିର ଭୂମି’, ଇନ୍ଦ୍ରିୟାତୀତର ଭୂମି ଯିଏ ପ୍ରବୃତ୍ତିର ବୃତ୍ତକୁ ଆଦରି ନେବାରେ ଏକଦମ୍ ଅମଙ୍ଗ ହୁଏ, ଆପତ୍ତି କରୁଥାଏ । ବିବେକାନନ୍ଦ କହିଛନ୍ତି, ପୃଥିବୀରେ ସବୁଧର୍ମ ଏଇ ଆପତ୍ତିକୁ ଭିତ୍ତି କରି ଆସିଛନ୍ତି । ସେଇ ବାରଣଟିକୁ, ଅମଙ୍ଗଟିକୁ ଆଶ୍ରା କରି ଆପଣାର ଶାଖା-ପ୍ରଶାଖା ବିସ୍ତାର କରିଛନ୍ତି । ଏହି କ୍ରମରେ ମଣିଷର ଧାରଣା ଭିିତରକୁ ଈଶ୍ୱର ଆସିଛନ୍ତି । କ୍ରମବର୍ଦ୍ଧିଷ୍ଣୁ ଚେତନା ସହିତ ତାଳଦେଇ ଆମେ ଈଶ୍ୱରଙ୍କର ଚରିତ୍ରରେ ମଧ୍ୟ ପରିବର୍ତ୍ତନ ଆଣିଛୁ । ସମୟକ୍ରମେ ଆମର ଧାରଣା ଜନ୍ମିଛି ଯେ ଇନ୍ଦ୍ରିୟର ସମ୍ମୋହନ ଏକ ନିର୍ଦ୍ଦିଷ୍ଟ ଶେଷର ଅପେକ୍ଷା ରଖେନାହିଁ । ଅତଏବ ଇନ୍ଦ୍ରିୟଲବ୍‌ଧ ସନ୍ତୋଷ ଭାରି ଆପେକ୍ଷିକ, ଭାରି ଅସମ୍ପୂର୍ଣ୍ଣ ।

 

ଇନ୍ଦ୍ରିୟ ବୃତ୍ତଟି ପରୋକ୍ଷରେ ମଧ୍ୟ ଏକ ନର୍କର ବୃତ୍ତ । ଏହି ବୃତ୍ତରୁ ମୁକ୍ତିପାଇଁ ଆର ବୃତ୍ତଟିକୁ ଯିବାପାଇଁ ପଡ଼ିବ, ଯେଉଁଟି ପରମ ଶାନ୍ତି ଆଣିଦେବ । ସଭ୍ୟତାର ଆରମ୍ଭରୁ, କାହିଁ କେଉଁ ଆଦିମ କାଳରୁ ଜଗତ ଉପରେ ଆମର ଏଇ ଜ୍ଞାନକୁ ନେଇ ଆମେ ଉଭୟ ସନ୍ତୁଷ୍ଟ ଏବଂ ଅସନ୍ତୁଷ୍ଟ ହୋଇରହିଛୁ । ‘ଜ୍ଞାନ-ଅଜ୍ଞାନ ମଧ୍ୟରେ ଉପସ୍ଥିତ ଏଇ ଗୋଧୂଳିକୁ, ସତ୍ୟ ଏବଂ ଅସତ୍ୟର ସେଇ ଦୂରନ୍ତ ମିଳନକୁ କେହି ପ୍ରକୃତରେ ପ୍ରତ୍ୟକ୍ଷ କରିନାହାନ୍ତି । ଏକ ସ୍ୱପ୍ନର ମଝିରେ ମଧ୍ୟ ଆମେ ଗତିଶୀଳ, ଅର୍ଦ୍ଧସୁପ୍ତ, ଅର୍ଦ୍ଧଜାଗ୍ରତ । ଏହା ହିଁ ସମସ୍ତ ଇନ୍ଦ୍ରିୟଜ୍ଞାନର ଅନ୍ତିମ ପରିଣତି । ଏହାହିଁ ସକଳ ଦର୍ଶନର ଭାଗ୍ୟ । ବିଜ୍ଞାନର ଭାଗ୍ୟ । ଜ୍ଞାନର ଭାଗ୍ୟ ଏବଂ ଏହା ହିଁ ବ୍ରହ୍ମାଣ୍ଡ ।’

ବିବେକାନନ୍ଦ ପୁଣି କହିଛନ୍ତି, ମନ ବା ଆତ୍ମା ସେଇ ଗୋଟିଏ କଥା ଅଥଚ ଆମେ ସେମାନଙ୍କ ଉପସ୍ଥିତି ବା ଅନୁପସ୍ଥିତି ସମ୍ପର୍କରେ କିଛି କହିପାରିବା ନାହିଁ । ଶାଶ୍ୱତର ଏଇ ଛାଇ-ଆଲୁଅର ଖେଳ ନିରନ୍ତର ଚାଲିଛି ଯାହା ହୁଏତ ନିରୁଦ୍ଦିଷ୍ଟ ହୋଇରହିଛି । ଏକ ନିର୍ଦ୍ଦିଷ୍ଟ ସମୟରେ ସିଏ ସତ୍ୟ, ପୁଣି ସତ୍ୟ ନୁହେଁ; ସିଏ ଜାଗ୍ରତ ପୁଣି ସୁପ୍ତ । ଏହା ହିଁ ସାମ୍ପ୍ରତିକତାର ଏକ ବିବରଣୀ ଏବଂ ଏହା ହିଁ ମାୟା । ଆମେ ଏଇ ମାୟାରେ ଜନ୍ମ, ମାୟାରେ ଆମର ଜୀବନ, ମାୟା ଆମର ମାନସିକତା, ଆମର ସ୍ୱପ୍ନରେ ବି ମାୟାର ମହଲ । ମାୟାରେ ଆମର ଦାର୍ଶନିକତା, ଆଧ୍ୟାତ୍ମିକତା, ଆମେ ମାୟାର ଦେବତା ଏବଂ ମାୟାର ଅପଦେବତା । ଆମର ଚେତନା ଯେତେ ଯୋଜନ-ବିସ୍ତାରୀ ହେଲେ ମଧ୍ୟ, ଯେତେ ଅନନ୍ତ-ଅପାର ହେଲେ ମଧ୍ୟ ମାୟାରୁ ମୁକ୍ତ ନୁହେଁ । ମଣିଷର ସମସ୍ତଜ୍ଞାନ ପ୍ରକାରାନ୍ତରେ ସେଇ ମାୟାର ସାମାନ୍ୟକରଣ । ଅନ୍ୟ ଅର୍ଥରେ, ଯାହାସବୁ ସମୟ, କାଳ, କାର୍ଯ୍ୟ-କାରଣ ନିୟମରେ ବନ୍ଧା ସେହି ସମସ୍ତ ମାୟାର ଆବର୍ତ୍ତରେ ।

ମାୟାର ଅସଲ ଭୂମିଟି ତେବେ କେଉଁଠି ? ମାୟାର ଭୂମିଟି କ'ଣ ବାସ୍ତବିକତା ଭିତରେ ନାଁ ସେଇଟି କେବଳ ଏକ କାଳ୍ପନିକ ଭୂମି ?

ଆମ ସଂସ୍କୃତିରେ ମାୟା କେବେ କେମିତି ଅବଶ୍ୟ ନିଃସଙ୍ଗ ହୋଇପଡ଼ିଛି । ନକାରାତ୍ମକ ହୋଇ ମଧ୍ୟ ରହିଛି । ଅଜ୍ଞାନ, ଅବିଦ୍ୟା ହୋଇରହିଛି । ଜୀବନରେ ସତେ ଅବା ଭୂତଭୟ ହୋଇ ମଧ୍ୟ ରହିଛି । ଅଜ୍ଞାତ ହୋଇ ରହିଛି, ପ୍ରକୃତି ହୋଇରହିଛି, ମାୟା ସାକ୍ଷାତ୍ ବିଧାତା ହୋଇରହିଛି । କେଉଁ ପ୍ରାଚୀନ ସମୟରୁ ମାୟା କିନ୍ତୁ ଆମ ସଂସ୍କୃତିରେ କେଡ଼େ ଜୀବନ୍ତ ହୋଇ ନରହିଛି ! ସିଏ ଦ୍ୱୈତ ହେଉ ବା ଅଦ୍ୱୈତ ହେଉ, ସଂଲଗ୍ନ ହେଉ ବା ଅସଂଲଗ୍ନ ହେଉ, ସମ୍ପୂର୍ଣ୍ଣ ହେଉ ବା ଭଗ୍ନାଂଶ ହେଉ, ଆଲୁଅ ହେଉ ବା ଅନ୍ଧାର ହେଉ, ପାପ ହେଉ ବା ପୁଣ୍ୟ ହେଉ, ମାୟା ଆମ ଚେତନାର ପରିଧିରେ ଚିର ପଲ୍ଲବିତ, ଚିର-ଉତ୍ତରିତ ହୋଇରହିଛି । ମାୟା ଆମ ଅଜ୍ଞାତରେ ସତେଅବା ବାସ୍ତବିକତାର ମଟାଳ ମାଟିରେ ଭାରି ସରାଗରେ ପାଦ ଥାପି ଦେଇଛି !

ହିନ୍ଦୁ ଧର୍ମରେ ଆମ ସଂସାରଟି ଏଇଥିପାଇଁ ଅବାସ୍ତବ ନୁହେଁ ଯେ ଆମେ ଜଗତଟିର କୌଣସି ସ୍ଥିତି ନାହିଁ ବରଂ ଆମ ଚାରିପାଖରେ ପୃଥିବୀଟି ଏଇଥିପାଇଁ ଅବାସ୍ତବ ଯେ ସେ ନିତ୍ୟ ପରିବର୍ତ୍ତନଶୀଳ, ନିତ୍ୟ ଅସ୍ଥିର । ସବୁ ମୁହୂର୍ତ୍ତରେ ଏଠି ଜୀବନମୃତ୍ୟୁର ଖେଳ ଚାଲିଛି । ପ୍ରତି ମୁହୂର୍ତ୍ତରେ ପୃଥିବୀର ବିବର୍ତ୍ତନ ହେଉଛି, ଅନ୍ତରୀକ୍ଷରେ ନକ୍ଷତ୍ର ସେମାନଙ୍କର ସ୍ଥାନ ପରିବର୍ତ୍ତନ କରୁଛନ୍ତି । ପବନର ଗତିରେ, ସମୁଦ୍ରର ବିଶାଳ ତରଙ୍ଗରେ ପରିବର୍ତ୍ତନ ହେଉଛି । ଆମ ବ୍ରହ୍ମାଣ୍ଡ ବାହାରେ ଆହୁରି ଅନେକ ବ୍ରହ୍ମାଣ୍ଡ ବିଦ୍ୟମାନ । ମହାକାଶରେ ମଧ୍ୟ ପରିବର୍ତ୍ତନର ସ୍ୱର ସୁସ୍ପଷ୍ଟ । ପ୍ରକୃତିରେ ଏବଂ ପ୍ରକୃତିର ପ୍ରତିଟି ସୃଷ୍ଟିରେ, ଜଡ଼ରେ ଏବଂ ଜୀବନରେ, ସ୍ପନ୍ଦନର ନିତ୍ୟ ପରିବର୍ତ୍ତନ ପ୍ରମାଣିତ । ପ୍ରତି ମୁହୂର୍ତ୍ତର ସ୍ପନ୍ଦନ ସ୍ୱତନ୍ତ୍ର । ବେଦରେ, ବେଦାନ୍ତରେ ଏବଂ ଦର୍ଶନର ପ୍ରତିଟି ପୃଷ୍ଠାରେ ଏହା ହିଁ ସୃଷ୍ଟିର ଅନ୍ତଃସ୍ୱର । ଏହା ହିଁ ମାୟା । ମାୟା ମଧ୍ୟ ଅଜ୍ଞାନର ସେଇ ଅନିର୍ବାଣ ସଙ୍ଗୀତ ଯିଏ ଆରମ୍ଭରୁ ହିଁ ମଣିଷପାଇଁ ସବୁଠୁ ବଡ଼ ପ୍ରେରଣା ହୋଇରହିଛି । ଏକ ଉଦାର, ଅନ୍ତରଙ୍ଗ ଅନ୍ୱେଷଣର ପ୍ରେରଣା ହୋଇ ରହିଛି । ଅସଲ ଅନୁରାଗୀଟିକୁ ଆଲୁଅକୁ ବାଟ କଢ଼ାଇ ନେବାପାଇଁ, ଅମୃତର ବୃତ୍ତକୁ ସଂଖୋଳି ନେବାପାଇଁ ବନ୍ଧୁଟିଏ ହୋଇ ଆମ ପାଖେ ପାଖେ ରହିଛି । ମାୟାର ଭୂମିଟି ନିଶ୍ଚୟ ଆମରି ବାସ୍ତବିକତା ଭିତରେ ହିଁ କେଉଁଠି ରହିଛି ।

Image